Unknown

 

 

 

 

 

 

 

 

 

ଯୁଗସନ୍ଧି

ସାତକଡ଼ି ହୋତା

 

(ଏକ)

 

ସେଇ ଗଛଟି ଆଡ଼କୁ ଗୋଟିଏ ଲୟରେ ଚାହିଁ ରହିଥିଲେ ମୈତ୍ରେୟୀ । ଘରର ଉତ୍ତର-ପୂର୍ବ କୋଣରେ ଥିବା ଅଶ୍ୱଥ ଗଛଟି ତାଙ୍କଠୁ ଆହୁରି ଅନେକ ପୁରୁଣା । ସେ ଏଇ ଆଚାର୍ଯ୍ୟ ନିବାସକୁ ବୋହୂ ହୋଇ ଆସିବାବେଳୁ ଦେଖି ଆସୁଛନ୍ତି ଗଛକୁ । ତାଙ୍କ ଶାଶୁ ବି ସେଇ ଏକା କଥା କହୁଥିଲେ- ସେ ଏଇ ପରିବାରରୁ ବୋହୂ ହୋଇ ଆସିବାବେଳକୁ ଅଶ୍ଵଥ ଗଛ ଉତ୍ତର-ପୂର୍ବ କୋଣର ଚକଡ଼ାଏ ଜାଗା ମାଡ଼ି ବସିଥିଲା । ଶହେ ବର୍ଷରୁ ବେଶୀ ବୟସ ହେବ ଅଶ୍ଵଥ ଗଛର । ଉତ୍ତର ଦିଗରେ ଥିଲା ଆଉ ଗୋଟିଏ ବରଗଛ । ମହାବାତ୍ୟାରେ ଓଲଟି ପଡ଼ିଥିଲା ଯେ ତା’ ପରେ ସେଇ ସ୍ଥାନ ଶୂନ୍ୟ ରହିଛି । ଆଉ କୌଣସି ଗଛ ଲଗାଇବା ପାଇଁ କେହି ମନ କରିନି । ଶାଶୁ କହିଥିଲେ ଏଇ ବର ଓ ଅଶ୍ଵଥ ଗଛଙ୍କ ବିବାହ ହୋଇଥଲା ତାଙ୍କ ଗୋସେଇଁ ଶ୍ୱଶୁରଙ୍କ ଅମଳରେ ଦୀର୍ଘକାଳ ସାଙ୍ଗ ହୋଇ ବଞ୍ଚିଥିଲେ ସେମାନେ । କିନ୍ତ ମହାବାତ୍ୟା କାହିଁକି କେବଳ ବରଗଛକୁ ଉପାଡ଼ି ଦେଲା ଏବଂ ଅଶ୍ୱଥକୁ ପୂର୍ବପରି ଅକ୍ଷତ ଛାଡ଼ି ଦେଇଗଲା ତାହାର କାରଣ କେହି ଜାଣି ନାହାଁନ୍ତି ।

 

ଅଶ୍ଵଥ ଗଛର ସବା ଉପର ଡାଳରୁ ଝୁଲୁଛି ବାୟା ଚଢ଼େଇର ବସା । ବତାଶ ବହିଲେ ବାୟା ଚଢ଼େଇ ବସା ଭିତରେ ନିରାପଦରେ ବସି ଦୋହଲୁଥିବା ଦେଖି ମୁଗ୍ଧ ହୁଅନ୍ତି ମୈତ୍ରେୟୀ । ଏଇ ବାୟା ଚଢ଼େଇର ବସା ପରି ଏହି ସଂସାର । ସମୟ କୋଳରେ ଦୋହଲୁଥାଏ କାଳ କାଳ । ପୁଣି କେତେବେଳେ ବସା ଭାଙ୍ଗି ବି ଯାଏ । ଦୁନିଆର ପରିବର୍ତ୍ତନ ଆଖି ଆଗରେ ଘଟିଯାଏ, ଗଛମାନଙ୍କରୁ ପାଚିଲା ପତ୍ର ଝରିପଡ଼େ, ଆଉ ନୂଆ ପତ୍ର କଅଁଳେ । ବର୍ଷାଦିନ ଆସିବାବେଳକୁ ଅଶ୍ଵଥ ଗଛର ଶାଖା ପ୍ରଶାଖାରେ ଆହୁରି କେତେ ଚଢ଼େଇ ବସା ତିଆରି କରିଥାଆନ୍ତି ନିରାପଦରେ ବର୍ଷାଋତୁ କଟାଇବା ପାଇଁ । ଖଳାରେ କାମ କରି ଥକିଗଲେ ମୂଲିଆମାନେ ଦଣ୍ଡେ ଘଡ଼ିଏ ଅଶ୍ଵଥ ଗଛମୂଳେ ବସି କପାଳରୁ ଝାଳ ପୋଛନ୍ତି, କେହି କେହି ସବୁଜଘାସ ଉପରେ ଶୋଇପଡ଼ି ମନଫୁଲାଣିଆ ଗୀତ ଗାଆନ୍ତି । ସେଇ ଗୀତର ସୁର ପବନରେ ଭାସି ଭାସି ଯାଏ ଅନେକ ଦୂର । ଶହ ଶହ ଗଛବୃଛଙ୍କ ପତ୍ରମାନଙ୍କରେ ସେଇ ମିଠା ମିଠା ସୁର ବାଜି ଏମିତି ଗୋଟିଏ ରାଗିଣୀରେ ପରିଣତ ହୋଇଯାଏ ଯେ ପିଣ୍ଡାରେ ବସି ବି ଅନୁଭବ କରିହୁଏ ଏଇ ଅନନ୍ତ ସୃଷ୍ଟି ରହସ୍ୟ ଓ ଏହାର ଅମାପ ମହିମା ।

 

ମୈତ୍ରେୟୀ ହଜି ଯାଇଥିଲେ ଅତୀତରେ । ମଧ୍ୟାହ୍ନ ଗଡ଼ିଯାଇଛି । ଆଉକିଛି ସମୟ ପରେ ସେଇ ପିଣ୍ଡା ଉପରୁ ପଶ୍ଚିମ ଦିଗରେ ସୂର୍ଯ୍ୟାସ୍ତ ଦେଖାଯିବେ । ମୁଣ୍ତିଆ ଉପରେ ସୂର୍ଯ୍ୟଙ୍କ ସୁନେଲି କିରଣ ସବୁ ବିଛେଇ ହୋଇ ପଡ଼ିବ । ସେଇ ଦୃଶ୍ୟଟି ଠିକ୍‌ ନବବଧୂର ତୃପ୍ତିମଧୁର ହସର ରେଖା ପରି ଲାଗେ ତାଙ୍କୁ ।

 

ମନେପଡ଼ିଯାଏ ସେଇଦିନର ସ୍ମୃତି ଯେଉଁଦିନ ନବବଧୂ ବେଶରେ ଏଇ ଆଚାର୍ଯ୍ୟ ପରିବାରର ଦ୍ଵାରବନ୍ଧ ପାରିହେବା ପୂର୍ବରୁ ହଳଦୀ ପାଣିରେ ତାଙ୍କ ପାଦ ଧୋଇ ଦେଇଥିଲେ ସାନମାନେ ଏବଂ ମଥା ଉପରେ ଚାନ୍ଦୁଆ ପରି ଟାଣି ଦେଇଥିଲେ ଗୋଟାଏ ହଳଦିଆ ନୂଆ ଲୁଗା । ଶାଶୁ, ଖୁଡ଼ିଶାଶୁ, ଯା, ନଣନ୍ଦ ସମସ୍ତେ ଶଙ୍ଖ ବଜାଇ ହୁଳହୁଳି ଦେଇ ବନ୍ଦାପନା କରି ତାଙ୍କୁ ଯେତେବେଳେ ପାଛୋଟିନେଲେ ଭିତରକୁ ସେତେବେଳେ ସେ ମନେକରୁଥିଲେ ଯେ ସେ ଅମରାବତୀର ଇନ୍ଦ୍ରାଣୀ । କଉଡ଼ି ଖେଳ ପରେ ଶାଶୁ ତାଙ୍କୁ ଖୁଆଇ ଦବାବେଳେ କହିଲେ, ‘‘ମା’, ତୁ ଏଘରର ବୋହୂ ବୋଲି ସଙ୍କୋଚ କରିବୁ ନାହିଁ । ତୁ ମୋର ଆଉ ଗୋଟେ ଝିଅ । ଅସୁବିଧା, ଅଳି ଅର୍ଦଳି, ସବୁ ମନଖୋଲି ତୁ କହିବୁ ମୋତେ । ପୂରଣ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି। ହେଲେ ମା’ ଇଏ ତ କେତେବଡ଼ ପରିବାର ଦେଖୁଛୁ । ତୁ ବଡ଼ ବୋହୂ । ଦିଅରମାନଙ୍କ ବରାଦ, ନଣନ୍ଦମାନଙ୍କ ଆଣ୍ଟପଣ, ସାଇପଡ଼ିଶାଙ୍କ ମୁହଁମୋଡ଼ା ଏସବୁ ସହିବା ପାଇଁ ମନଟାଣ କରିବାକୁ ହେବ ମା’ । ଆଉ ଜୀବନସାରା ସାଧନା କରିଯିବୁ ଏଇ ମା’ ବସୁମତୀ ପରି ସବୁ କଷଣ ସହିଯିବା ପାଇଁ... ।’

 

ଶାଶୁଙ୍କ ଛାତି ଉପରେ ମୁହଁ ରଖି ସେ ଶୁଣୁଥିଲେ ଏବଂ ଶାଶୁ କହୁଥିଲ ସେ କହିଲେ, ‘ଭଲ କରିଛୁ ପାନ ଖାଉନୁ... ଆମ କାଳରେ ଶାଶୁମାନେ ବୋହୂମାନଙ୍କୁ ପାନଖିଆ ଶିଖାଇଥିଲେ... ପାନ ଭଙ୍ଗା, ଝୋଟିଦିଆ, ପିଠାପଣା ଓ ଘରର ଆଦବକାଏଦା ଶିଖାଉଥିଲେ । ଏ କାଳ ଝିଅବୋହୂମାନେ ପାଠପଢ଼ିଛନ୍ତି.. ବେଶି ବୟସରେ ବାହା ହେଉଛନ୍ତି... ସଣ୍ଠଣା ସହିବାକୁ ପଡ଼ୁନି ।’

 

ଶାଶୁଙ୍କ ସେଦିନର ସେଇକଥା ଆଜିବି ଭୁଲି ଯାଇନାହାଁନ୍ତି ମୈତ୍ରେୟୀ । ବାଇଶ ବର୍ଷ ବୟସରେ ବାହାଘର ହୋଇଥିଲା । କୋଡ଼ିଏ ବର୍ଷ ଏଇଘରେ ବିତାଇ ଦେଲେଣି । ଗୋଟିଏ ପୁଅ, ଗୋଟିଏ ଝିଅର ମା’ । ପୁଅ ଝିଅ ଦୁହେଁ ଡିଏଭିର ଛାତ୍ର । ସ୍ଵାମୀ ବାଣୀବିହାରର ଅର୍ଥନୀତି ବିଭାଗର ଅଧ୍ୟାପକ । ମନୋଜ ଆଚାର୍ଯ୍ୟ ଜଣେ ସୁଲେଖକ ଓ ବକ୍ତା । ନାମ ଅଛି ଓଡ଼ିଶାରେ ।

 

ଏ ଭିତରେ ଶାଶୁ, ଶ୍ଵଶୁର ଚାଲିଗଲେଣି ଉପରକୁ । ପରିବାରର କର୍ତ୍ତା ହେଉଛନ୍ତି ସ୍ଵାମୀ-। ଆଉ କର୍ତ୍ତ୍ରୀ ହେଉଛନ୍ତି ମୈତ୍ରେୟୀ ।

 

ମରିବାର ପନ୍ଦରଦିନ ଆଗରୁ ସିନ୍ଦୁକ, ଆଲମାରୀ, ଆଉ ମାନଧାତା ଅମଳର ସେଇ ଟ୍ରଙ୍କର ଚାବିକାଠିତକ ମୈତ୍ରେୟୀଙ୍କ ହାତକୁ ବଢ଼ାଇ ଦେଇ କହିଥିଲେ ଅନ୍ନପୂର୍ଣ୍ଣା, ‘କୋଉଠି କ’ଣ ଅଛି ତୁ ତ ଦେଖିଛୁ ଜାଣିଛୁ । ତୋ ହାତକୁ ଏ ଚାବିନେଥା ବଢ଼ାଇ ଦେଇ ମୁଁ ହାଲୁକା ଅନୁଭବ କରୁଛି । ଏବେ ଯେତେବେଳେ ଯୁଆଡ଼କୁ ସେ ନେବେ ମୁଁ ପ୍ରସ୍ତୁତ ହୋଇ ରହିଚି ।’ ଶାଶୁଙ୍କ ଠିକ୍‌ ବରଷକ ପରେ ଶ୍ଵଶୁର ଜୀବନାନନ୍ଦ ଚାଲିଗଲେ ହଠାତ୍ ହୃଦଯନ୍ତ୍ର କ୍ରିୟା ବନ୍ଦ ହୋଇଗଲାରୁ । ନଣନ୍ଦ ଦୁଇଜଣ ବାହାସାହା ହୋଇ ଚାଲିଯାଇଛନ୍ତି । ଜଣେ ଦିଲ୍ଲୀରେ ତ ଆଉ ଜଣେ ବମ୍ବେଇରେ-। କେବଳ ତିନି ଦିଅରଙ୍କ ମଧ୍ୟରୁ ବଡ଼ ଦିଅର ସରୋଜ ଡାକ୍ତର, ମଝିଆଁ ଦିଅର ଅନଙ୍ଗ ବ୍ୟବସାୟୀ ଏବଂ ସାନ ଦିଅର ଅପ୍ରତିମର ପାଠ ସରୁନି... ଆଇନ ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ର । ଦୁଇବର୍ଷ ହେଲା ପରୀକ୍ଷା ନ ଦେଇ ସମୟ ଗଡ଼ାଉଛନ୍ତି... । ପାଠରୁ ଶାଠ ବଳି ପଡ଼ୁଛି ।

 

କିଛି ସମୟ ମୈତ୍ରେୟୀ ଚାଲିଯାଇଥିଲେ କୁଆଖାଇ ନଈଆଡ଼େ । ଅନୂଢ଼ା ଝିଅର ବେଣୀ ପରି ଅଙ୍କେଇ ବଙ୍କେଇ ବାଲି ଶେଯ ଉପରେ ଶୋଇ ରହିଛି କୂଆଖାଇ । ସୂର୍ଯ୍ୟଙ୍କ ସୁନେଲି କିରଣ ପାଣି ଉପରେ ତରଳ ସୁନା ପରି ମିଶିଯାଇଛି । ସାୟାହ୍ନର ଏଇ ଶୋଭା ତାଙ୍କୁ ବିଭୋର କରି ରଖିଲା କିଛି ସମୟ । ହୁଏତ ସେଇ ସୁନେଲି କିରଣ ଭିତରୁ ଯୌବନର ସ୍ମୃତି ଅନୁଭୂତିଗୁଡ଼ିକୁ ସାଉଁଟି ଆଣିବା ପାଇଁ ଚାହୁଁଥଲେ... । କିନ୍ତୁ ତାଙ୍କୁ ହଲାଇ ଦେଇ କହିଲା ଝିଅ ମିତା, ‘ମା’ ମୁଁ ପରା ତମକୁ ଡାକୁଛି... ଭୋକ କଲାଣି... ଆସିଲ ଶୀଘ୍ର... ।’

 

ଚା’ ଖାଇବାବେଳ ଉତୁରି ଗଲାଣି । ସେ ଧଡ଼ପଡ଼ ଉଠି ବସି କହିଲେ, ଚାଲ୍‌ ଚାଲ୍‌ ଉଛୁର ହୋଇଗଲାଣି... ।

 

କିନ୍ତୁ ତାଙ୍କ ବାଟ ଓଗାଳି କହିଲା ଅପ୍ରତିମ, ‘ଭାଉଜ । ମୁଁ ତୁମକୁ ଖୋଜୁଛି ଘଣ୍ଟାଏ ହେଲା... ଅଥଚ ତମେ ପଶ୍ଚିମପଟ ବାରନ୍ଦାରେ ଏକା ଏକା ବସିଛ ଜାଣିବି କିପରି ? ଟିକେ ଶୀଘ୍ର ଚାଲ... ମୋର ଜରୁରୀ କାମ ଅଛି... ।’ ମିତା ପାଇଁ ଜଳଖିଆ ବାଢ଼ିଦେଇ କହିଲେ ମୈତ୍ରେୟୀ, ‘କ’ଣ ଜରୁରୀ କାମ ?’

 

- ‘‘କାଲି ପରା ବିଶ୍ୱବିଦ୍ୟାଳୟ ଛାତ୍ର ୟୁନିୟନ ନିର୍ବାଚନ...’

 

- ‘ତମେ କ’ଣ ଏଇନେ ପୁଣି ୟୁନିଭରସିଟି ଯିବ ?’

 

- ହଁ, ଆଜି ହଷ୍ଟେଲରେ ରହିଯିବି... ରାତିସାରା କ’ଣ ଶୋଇହେବ... ମୋ ବିରୋଧରେ ସରକାରୀ ଦଳ ଜଣକୁ ଛିଡ଼ା କରାଇଛି । ମୁଁ ତାକୁ ବାଟ ଛାଡ଼ି ଦେବି ?’

 

- ‘ସେଇ ନିର୍ବାଚନ, ସେଇ ପଲିଟିକ୍‌ସ ନେଇ କେତେଦିନ ଆଉ ମାତିଥିବ ? ତମ ଲାଇନ୍ ସଫା ନ କରି ତମେ ଅନ୍ୟମାନଙ୍କ ଲାଇନ୍ ସଫା କରି ଲାଭ କ’ଣ ପାଇବ ଯେ... ?’

 

- ‘ଟିକେ ଜଲଦି କର ଭାଉଜ, ମୋତେ କିଛି ଟଙ୍କା ଦିଅନ୍ତନି...’

 

- ‘କେତେ ଟଙ୍କା ?’

 

- ‘ଏଇ ପାଞ୍ଚ ହଜାର । ମଝିଆ ଭାଇନା ଦେଇଛନ୍ତି ପାଞ୍ଚହଜାର ।’

 

- ‘ଦଶ ହଜାର ତମେ କରିବ କ’ଣ .... ଏତେ ଟଙ୍କା... ?’

 

- ‘ଭାଉଜ ! ତମେ ତ ନିଜେ ଅଧ୍ୟାପିକା, ଭାଇନା ଅଧ୍ୟାପକ... ଆଉ ସେ କାଳ ପଖାଳ ନାହିଁ.... ସବୁ ବଦଳି ଗଲାଣି । ମୁଁ ତ ସ୍ୱାଧୀନ ଗୋଷ୍ଠୀ ପକ୍ଷରୁ ଲଢ଼ିବି, ମୋତେ ମନ୍ତ୍ରୀମାନେ ଟଙ୍କା ଦେବେ ନାହିଁ । ସରକାରୀ ଦଳ ଏ ନିର୍ବାଚନ ପାଇଁ ଲକ୍ଷେ ଟଙ୍କା ଖର୍ଚ୍ଚ କରୁଛି । ହୋଟେଲରେ ପିଲାମାନଙ୍କୁ ଖାଇବା ପିଇବା ବ୍ୟବସ୍ଥା ହୋଇଛି । କିନ୍ତୁ ଆମେ ଏତେ ଟଙ୍କା ପାଇବୁ କୁଆଡୁ... ଅଳ୍ପ ସ୍ଵଳ୍ପରେ କାମ ଯାହା ହେବ... କିନ୍ତୁ ତମ ଆଶୀର୍ବାଦ ଥିଲେ ମୁଁ ବିଜୟୀ ହେବି ।’

 

ମୈତ୍ରୟୀ ଚିନ୍ତାରେ ପଡ଼ିଗଲେ । ବଡ଼ଭାଇ ଶୁଣିଲେ ଯେ ବିଗିଡ଼ିବେ ତାହା ଜାଣିଥିଲେ ସେ । ସେ ଚାହୁଁଥଲେ ଅପ୍ରତିମ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉ । ତା’ପରି ବୁଦ୍ଧିମାନ ଛାତ୍ର ପକ୍ଷରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଅସମ୍ଭବ ନୁହେଁ । କେବଳ ଏକାଗ୍ରତା ଓ କଠିନ ପରିଶ୍ରମ ଲୋଡ଼ା । ବଡ଼ ଭାଇନାଙ୍କ ସହିତ ମୁହାଁମୁହିଁ ହେବାକୁ ଭୟ କରେ ଅପ୍ରତିମ । ତା’ର ଯାହା କହିବା କଥା ଭାଉଜଙ୍କ ସହିତ । ମୈତ୍ରେୟୀ ଗେହ୍ଲା କରନ୍ତି ଏଇ ସାନ ଭାଇଟିକୁ । ବୟସରେ ଏତେ ସାନ, ପୁଅ ପରି ଲାଗେ ତାଙ୍କୁ । ତେଣୁ ପୁଅର ସ୍ନେହ ଶ୍ରଦ୍ଧା ସବୁ ପାଇ ପାରିଛି ଅପ୍ରତିମ । ତା’ ପ୍ରାପ୍ୟଠାରୁ ସବୁବେଳେ ଅଧିକ ପାଇଛି ।

 

ମୈତ୍ରେୟୀ କହିଲେ, ‘ମୋର ଆଶୀର୍ବାଦ ରହିଛି... କିନ୍ତୁ ତମେ ପରା ଏଇ ନେତାମାନଙ୍କୁ ଘୃଣାକର... ମାରୁଆଡ଼ିଙ୍କ ମୁଖପାତ୍ର କୁହ । ଆଉ ତମେ ଛାତ୍ର ରାଜନୀତିରେ ପ୍ରବେଶ କରୁଛ କ’ଣ ପାଇଁ ? ଏହାପରେ ତ ରାଜନୀତି କରିବ ନା ?’

 

ଲାଜୁଆ ହସ ମୁହଁରେ ଫୁଟାଇ କହିଲା ଅପ୍ରତିମ, ‘କିନ୍ତୁ ମୁଁ କ’ଣ ଏମିତି ଚାନ୍ଦାଖିଆ ନେତା ହେବି ଭାଉଜ ? କସ୍ମିନ୍‍କାଳେ ନୁହେଁ । ମୁଁ ଯଦି ରାଜନୀତି କରେ ତେବେ ଲୋକଙ୍କୁ ସେବା କରିବି, ସଚେତନ ଓ ସଂଗଠିତ କରିବା ପାଇଁ କାର୍ଯ୍ୟ କରିବି ।’

 

‘ତେବେ ତମେ ମନ୍ତ୍ରୀ ହେବ କିମିତି ଯେ... ନେଇ ଆଣି ଥୋଇ ଜାଣିଲେ ଚୋରିବିଦ୍ୟା ଭଲ, ଏଇ କଥାଟା ଚଳିଗଲାଣି ସମାଜରେ । ରାଜନୀତି କଲେ ପୂର୍ବସୂରୀମାନେ ତିଆରି କରିଥିବା ବାଟରେ ଚାଲିବାକୁ ହେବ... ପଇସା ନବାକୁ ହେବ, ପଇସା ଚେଲାଚାମୁଣ୍ଡା ଆଉ ସମର୍ଥକଙ୍କୁ ଦବାକୁ ହେବ... ଆଉ ପଇସା କିଛି ରଖିବାକୁ ହେବ । ପଇସା ତ ରାଜନୀତି କରିବାର ମାଧ୍ୟମ ହୋଇଯାଇଛି ଅପୁ... ।’

 

ଅପ୍ରତିମ ନାମଟା ମନୋଜ ବାଛିଥିଲେ । କିନ୍ତୁ ଏଇ ନାମଟା ଉଚ୍ଚାରଣ କରିବା ସବୁ ପରିସ୍ଥିତିରେ ସହଜ ନୁହେଁ ବୋଲି ମୈତ୍ରେୟୀ ଡାକନ୍ତି ଅପୁ । ଏଇ ନାମଟା ଚଳିଗଲାଣି । ଘରେ ବାହାରେ ଏବେ ବେଶି ଲୋକ ତାକୁ ଅପୁ ଡାକନ୍ତି ।

 

ଅପ୍ରତିମ କହିଲା, ‘ସେଇ ଚୋରିବିଦ୍ୟା ଶିଖିବା ପାଇଁ ତମେ କହୁଛ ଭାଉଜ ?’

 

- ‘ଆରେ ନା ନା । ମୁଁ ତ ଚାହେଁ ତମେ ରାଜନୀତି କର ବା ଚାଷ କି ଚାକିରି କର, ଯାହା କଲେ ବି ଲୋକଙ୍କ ପାଖେ ପାଖେ ଥାଅ, ସେମାନଙ୍କ ସେବା କର, ସେମାନଙ୍କୁ ଲଢ଼ିବା ପାଇଁ ଶିଖାଅ, ସଂଗଠିତ କର । ଆଉ ଦେଖେଇଦିଅ ଯେ ସଚ୍ଚା ମଣିଷ ବି ରାଜନେତା ହୋଇପାରେ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୋଇପାରେ ।’

 

ଖୁସି ହୋଇ କହିଲା ଅପ୍ରତିମ, ‘ତମେ ମୋ ଗୁରୁ ମୁଁ ମାନୁଛି... ତମ କଥା ମନେରଖିଛି.... ଆଜ୍ଞା ପରି ପାଳନ କରିବି... ଏଇନେ କୁହତ ଭାଉଜ ମୁଁ କ’ଣ ଖାଲି ହାତରେ ଯିବି କଲେଜକୁ... ରାତିସାରା ପୋଷ୍ଟର ଲେଖିବାକୁ ହେବ... ପ୍ରଚାରପତ୍ର ପ୍ରେସ୍‌ରୁ ଆଣି ବାଣ୍ଟିବାକୁ ହେବ... ପଇସା ନ ଥିଲେ ଏ କାମ କିପରି ହେବ କହିଲ ? ମୁଁ ତମକୁ କେବେ ଠକିବି ନାହିଁ ଭାଉଜ... ।’

 

ଅପ୍ରତିମର ଏଇ ଶେଷ ପଦକ କଥାରେ କ’ଣ ଥିଲା କେଜାଣି ମୈତ୍ରେୟୀ ନରମି ଗଲେ-। ତାଙ୍କ ଭିତରେ ଥିବା ମମତାମୟୀ ମାତୃଶକ୍ତି ଚେଇଁ ଉଠିଲା । ସେ ଅପୁକୁ ହାତଧରି ଟାଣି ଦେଇ କହିଲେ, ‘କିନ୍ତୁ ତମେ ଯଦି ମନ୍ତ୍ରୀ ହୁଅ ମୋ କଥା ମନେରଖିବ... ରାଜନୀତି ଚୋରି, କ୍ଷମତାର ଅପପ୍ରୟୋଗ ଓ ଗୁଣ୍ଡାଗିରି ନୁହେଁ... ଏହା ସେବାର ମାଧ୍ୟମ । ଲୋକ ସେବାର ଆଧାର... ।’

 

ଆଲମାରୀ ଖୋଲି ପାଞ୍ଚ ହଜାର ଟଙ୍କାର ନୋଟବିଡ଼ାଟା ଉଠାଇ ଆଣି ଅପୁ ହାତକୁ ବଢ଼ାଇଦେଇ କହିଲେ, ‘ହଁ ଖାଇସାରି ଯିବ, ମୁଁ ଏଇନେ ବାଢ଼ିଦେବି... ।’

 

- ‘ଡେରି ହୋଇଯିବ ଭାଉଜ... ବାହାରେ କାହିଁ ଖାଇ ନେବି... ।’ କହିଲା ଅପୁ ।

 

- ‘ନା, ନା । ବାହାରେ ନୁହେଁ, ଘର ପୁଅ ଘରେ ଖାଇବ । ଚାଲ... ଆଉ ଟଙ୍କାତକ ସାବଧାନତାର ସହିତ ରଖ ।’

 

ଅପୁର ଆଖି ସଜଳ ହୋଇ ଆସେ ମା’ କଥା ମନେପଡ଼ିଲେ । ସେ ଦଶବର୍ଷର ହୋଇଥିଲାବେଳେ ମା’ ଚାଲିଗଲେ । କିନ୍ତୁ ଯିବା ଆଗରୁ ବଡ଼ବୋହୂ ମୈତ୍ରେୟୀ ହାତରେ ତାକୁ ସମର୍ପଣ କରି କହିଥିଲେ, ‘ତୋତେ ଅପୁ ଲାଗିଲା ମା’ । ତୁ ତା’ ଭାଉଜ ନୋହୁଁ ମା’, ସେଇ ସ୍ଥାନରୁ ତାକୁ ହଟାଇବୁ ନାହିଁ । ସ୍ନେହ କାଙ୍ଗାଳଟା... ।’

 

ମା’ ଚାଲିଗଲେଣି କେତେବର୍ଷ ହେଲା । କିନ୍ତୁ ତାଙ୍କ ଅନୁପସ୍ଥିତି କେବେ ଅନୁଭବ କରିନି ଅପୁ । ବରଂ ମା’ଙ୍କଠାରୁ ବେଶୀ ଶ୍ରଦ୍ଧା ସ୍ନେହ ସେ ପାଇଛି ବଡ଼ଭାଉଜଙ୍କଠାରୁ।

 

ପୋଡ଼ପିଠାରୁ ଖଣ୍ଡେ ଚୋବାଇବାବେଳେ କହିଲା ଅପୁ, ‘ତମେ ବି ଚାକିରି କର । ତମର ହଜାରେ କାମ ଘରେ ଓ ବାହାରେ । କେତେବେଳେ ସମୟ ହୁଏ ଭାଉଜ ପୋଡ଼ପିଠା କରିବା ପାଇଁ ?’

 

ମୈତ୍ରେୟୀ ହସିଲେ ଟିକେ, କିଛି ଉତ୍ତର ଦେଲେ ନାହିଁ ।

 

ଖାଇସାରି ହାତ ଧୋଇଲା ଅପୁ । ତଉଲିଆଟା ନ ପାଇ ଭାଉଜଙ୍କ ପଣତକାନିରେ ହାତଟା ପୋଛିଦେଇ କହିଲା, ‘ତମ ଲୁଗାଟା ମଇଳା କରିଦେଲି କ୍ଷମା କରିବ ଭାଉଜ ।’

 

ତା’ ଗାଲ ଟିପିଦେଇ କହିଲେ ମୈତ୍ରେୟୀ, ‘ତେମେ ପରା ମୋ ଗେହ୍ଲା ପୁଅ... ।’

 

ଅପୁ ଆଉ ଅପେକ୍ଷା ନ କରି ଦଉଡ଼ି ଦଉଡ଼ି ଘରୁ ବାହାରିଗଲା । ଦ୍ୱାର ମୁହଁରେ ଛିଡ଼ା ହୋଇ ଚାହିଁଥିଲେ ମୈତ୍ରେୟୀ ଅପୁର ଯିବା ବାଟକୁ । ତାଙ୍କ ଭାବନାରେ ଚହଟି ଉଠୁଥିଲା ଆଗାମୀ ଦିନର ଜଣେ ସଚ୍ଚା ଜନସେବକର ଛବି... ।

 

ଅପୁକୁ ସିନା ସେ କହିଲେ ନାହିଁ ଏତେ କାମ କିପରି କରନ୍ତି... କିନ୍ତୁ ସେ ନିଜକୁ ନିଜେ କହୁଥିଲେ ଟାଇମ ମ୍ୟାନେଜମେଣ୍ଟ ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ । ଯଦି ସମୟର ସଦ୍‌ବ୍ୟବହାର ନ କର ତେବେ ୨୪ଘଣ୍ଟିଆ ଦିନ ଆଉ ଛବିଶଘଣ୍ଟା ହେବ ନାହିଁ ।

 

ଜଣେ ବିଜ୍ଞ ବ୍ୟକ୍ତି ଉପାର୍ଜନ କରୁଥିବା ଟଙ୍କା ଯଦି ସଦୁପଯୋଗ ନ କରି ମନଇଚ୍ଛା ଖର୍ଚ୍ଚ କରେ ତେବେ ଶୀଘ୍ର ପକେଟ ଖାଲି ହୋଇଯାଏ । ଋଣ କରିବାକୁ ହୁଏ । ଚବିଶଘଣ୍ଟାରୁ ନିଜ ଖାଇବା, ଶୋଇବା, ଓ ଅନ୍ୟାନ୍ୟ କର୍ମ ପାଇଁ ଦଶଘଣ୍ଟା ରଖିଦେଇ ତାଙ୍କ ହାତରେ ଆହୁରି ଚଉଦଘଣ୍ଟା ରହେ । ସେଥିରୁ କଲେଜ ପାଇଁ ଛଅଘଣ୍ଟା, ମହିଳା ଆଶ୍ରମ ଓ ସମାଜ ସେବା ପାଇଁ ଦୁଇଘଣ୍ଟା ଏବଂ ପିଲାମାନଙ୍କ ପାଠପଢ଼ା ଓ ଖାଇବା ପିଇବା ପାଇଁ ଦୁଇଘଣ୍ଟା ବ୍ୟୟ ଲାଗିବା ପରେ ହାତରେ ରହେ ଚାରିଘଣ୍ଟା । ସେଇ ସମୟ ପରିବାର ପାଇଁ ଯଥେଷ୍ଟ । ରାନ୍ଧିବା ବାଢ଼ିବା ଜଣେ ସ୍ତ୍ରୀ ଲୋକ ଏବଂ ବାହାର କାମ ପାଇଁ ଜଣେ ପୁରୁଷ ଅଛନ୍ତି । ଏତେବଡ଼ ପରିବାରର ବୋଝ ଭାରି ଲାଗେନା କେବେ । ବରଂ ମୈତ୍ରେୟୀ ମନେ ମନେ ଗର୍ବ କରନ୍ତି ଯେ ସେ ବଡ଼ବୋହୂ, ତାଙ୍କୁ ଈଶ୍ଵର ଗୋଟିଏ ବଡ଼ ସୁଯୋଗ ଦେଇଛନ୍ତି ସମସ୍ତଙ୍କୁ ସମ୍ଭାଳିବା ପାଇଁ ।

 

ଅଧ୍ୟାପନା ଓ ଲେଖାଲେଖି ପାଇଁ ସମୟ ନିଅଣ୍ଟ ହୁଏ ମନୋଜଙ୍କର । ମାସକୁ ଦୁଇତିନିଟା ସେମିନାର, ଅନ୍ୟାନ୍ୟ ବୁଦ୍ଧିଜୀବି ଫୋରମରେ ଦୁଇଚାରିଟା ବକ୍ତୃତା ଏବଂ କେବେ କିମିତି ଓଡ଼ିଶାର ଅନ୍ୟାନ୍ୟ ଜାଗାକୁ ଯିବା ପରି କାମ ଲାଗି ରହିଥାଏ । ସରୋଜ ତ ଡାକ୍ତର, ତାଙ୍କ ସ୍ତ୍ରୀ ପଦ୍ମଜା ମଧ୍ୟ ଡାକ୍ତର । ଗୋଟିଏ ମାତ୍ର ଝିଅ । ମୈତ୍ରେୟୀଙ୍କ ଦାୟିତ୍ଵରେ ଝିଅ ଥାଏ । ସେମାନେ ସକାଳ ଆଠଟାରେ ବାହାରି ଯାଆନ୍ତି ଯେ ଫେରନ୍ତି ତିନିଟାକୁ । ଖାଇବା ଓ ଟିକେ ବିଶ୍ରାମ ପରେ ପୁଣି ନର୍ସିଂହୋମ୍‌କୁ ଯାଆନ୍ତି ପାଞ୍ଚଟାବେଳେ ଯେ ଫେରନ୍ତି ରାତି ନଅଟାରେ । ଅନଙ୍ଗ ବ୍ୟବସାୟୀ-। ବ୍ୟବସାୟ ଭଲ ତ ଚାଲିଛି । ତଥାପି ଅତିଥି ଅଭ୍ୟାଗତ ଚର୍ଚ୍ଚା, ସାମାଜିକତା ଇତ୍ୟାଦିରେ ସେ ପୂରା ସହଯୋଗ କରନ୍ତି ବଡ଼ଭାଇଙ୍କ ସହିତ । ବିବାହ ସମୟ ଏଡ଼ିଦେଇ ଚାଲିଛନ୍ତି ସେ । ବାହାଘର ବିଷୟ ପଡ଼ିଲେ ହସି ଦେଇ କହନ୍ତି, ‘ମୋ କାନ୍ଧରେ ଆଉ ବଳ ନାହିଁ ଅଧିକ ସମ୍ଭାଳିବା ପାଇଁ... ମୋ ଏମ୍ପାୟାରର ସମ୍ରାଟ୍‍ ମୁଁ,... ଆଉ କାହାକୁ ଭାଗିଦାର କରିବି କାହିଁକି-?’

 

ମୈତ୍ରେୟୀ ବେଳେବେଳେ କ୍ଳାନ୍ତ ଅନୁଭବ କରନ୍ତି । ଝିଅ ମିତା ବଡ଼, ପୁଅ ଆନନ୍ଦ ତା’ଠାରୁ ତିନିବର୍ଷ ସାନ । ସେମାନେ ବୁଦ୍ଧିମାନ । ଡିଏଭି ସ୍କୁଲର ଛାତ୍ର । ତାଙ୍କ ପାଠପଢ଼ା ଉପରେ ତୀକ୍ଷ୍‍ଣ ଦୃଷ୍ଟି ରଖନ୍ତି ମୈତ୍ରେୟୀ ।

 

ରାତି ଆଠଟାବେଳେ ହଠାତ୍ ଖବର ଆସିଲା କନ୍ୟାଶ୍ରମରୁ ଯେ ସରଳାକୁ ନେଇଯିବା ପାଇଁ ତା’ ସ୍ଵାମୀ ଆସିଥିଲା, ସେ ରାଜି ହେଲାନି ଯିବା ପାଇଁ । ମଦ ଟାଙ୍କିଏ ପିଇ ଆସିଥିଲା ମାଧବ । ଆଶ୍ରମ ଆଗରେ ଗାଳିଗୁଲଜ କରି ଧମକ ଦେଇଯାଇଛି- କାଲି ପୁଣି ଆସିବ କହିଯାଇଛି-। ସରଳାକୁ ନ ଛାଡ଼ିଲେ ସେ କୁଆଡ଼େ, ଥାନାକୁ ଯିବ... ।

 

ମୈତ୍ରେୟୀ ଥାନା ଅଫିସରଙ୍କୁ ଫୋନ୍‍ କରି କହିଲେ ସବୁ । ସରଳା ଓ ଦୁଇଟି ଛୁଆଙ୍କୁ ଘରୁ ମାଧବ ବାହାର କରି ଦେଇଛି । ତା’ ବାପା ଯୌତୁକ କମ୍ ଦେଉଥିବାରୁ ସେ ଏମିତି କରିଛି ବୋଲି ସେ କହୁଥିଲା । ଗାଁ ବାଲା ଚେଷ୍ଟା କରିଥିଲେ ସମାଧାନ କରିବା ପାଇଁ । କିନ୍ତୁ ସରଳାର ବାପ କହିଲା ଯେ ସେ ରିକ୍ସା ଟାଣି ଯେତିକି ଉପାର୍ଜନ କରେ ସେତକ ତା’ ଘର ଚଳାଇବା ପାଇଁ ନିଅଣ୍ଟ । ଯୌତୁକ ଦବ କୋଉଠୁ ? ଯୌତୁକ ନ ଦେଇ ବାହାହବ ବୋଲି ମାଧବ ଜିଦ୍ କରିଥିଲା ବୋଲି ତା’ପରି ଗୋଟେ ଲଫଙ୍ଗା ଟୋକା ହାତରେ ଝିଅକୁ ସମର୍ପି ଦେଇଥିଲା । ବାହାଘରର ଦୀର୍ଘବର୍ଷ ପରେ ଏବେ ପୁଣି ମାଧବ ଝୁଙ୍କ୍ ଝରିଛି ଯୌତୁକ ପାଇଁ । ଯୌତୁକ ନବା ଯେ ବେଆଇନ ସେ ବୁଝୁନି । ତାକୁ ଟିକେ ବୁଝାଇଦେଲେ ସମାଧାନ ହୋଇଯିବ । ସରଳା ଆଶ୍ରମରେ ରହି ଖାଇପିଇ କିଛି ରୋଜଗାର ବି କରେ । ପିଲାମାନଙ୍କ ଲୁଗା, ପାଠପଢ଼ା ଆଉ ଭବିଷ୍ୟତ ପାଇଁ ସଞ୍ଚୟ କରେ କିଛି । ଯଦି ସରଳା ଆଶ୍ରମ ଛାଡ଼ି ଚାଲିଯାଏ ତେବେ ପୁଣି ପିଲା ଦୁଇଟା ବିଗିଡ଼ିଯିବେ... ସରଳା ବି ଅସହାୟ ହୋଇଯିବ । ମାଧବ କ’ଣ ମଦ ଛାଡ଼ିବ ?

 

ଥାନାବାବୁ ଭଲ ଲୋକ । ସେ ରସୁଲଗଡ଼ ଥାନାକୁ ଆସିବାଦିନୁ ଅସାମାଜିକମାନଙ୍କୁ ଅନେକ ପରିମାଣରେ ନିୟନ୍ତ୍ରଣ କରିଛନ୍ତି । ଗୁଣ୍ଡାଗିରି ବି କମିଛି । କିନ୍ତୁ ନେତାମାନଙ୍କ ହସ୍ତକ୍ଷେପ ଯୋଗୁ ଗୁଣ୍ଡା, ଅପରାଧୀମାନଙ୍କୁ ଜବତ କରିବା ସମ୍ଭବ ହେଉନାହିଁ । ମଦୁଆ, ଗୁଣ୍ଡାମାନଙ୍କୁ ଦୁଇଥର ଥାନାକୁ ଆଣି ହାଜତରେ ପୁରାଇ ଦେଇଥିଲେ ବୋଲି କାଉନସିଲର ତାଙ୍କୁ ଧମକ ଦେଇ କହିଥିଲେ ଚୌକିରୁ ଉହ୍ଲାଇ ଦେବେ । ଛଅମାସ ହେଲା ବଦଳି ହୋଇ ଆସିଛନ୍ତି ଫୁଲବାଣୀରୁ । ପୁଣି ଯଦି କୋରାପୁଟ ବା ମାଲକାନଗିରିକୁ ବଦଳି ହୋଇଯାଆନ୍ତି ତେବେ ତାଙ୍କ କ୍ୟାନସର ରୋଗୀ ବାପାଙ୍କ ଚିକିତ୍ସା କରିବା ଅସମ୍ଭବ ହୋଇପଡ଼ିବ ।

 

ତଥାପି ଥାନାବାବୁ ଭୁବନ ମୋହନ ମଲ୍ଲିକ ଆଶ୍ୱାସନା ଦେଇ କହିଲେ, ‘ମୁଁ ସବୁ ବୁଝିବି ମ୍ୟାଡାମ୍ । ମାଧବକୁ ବାଟକୁ ଆଣିବା ପାଇଁ ଚେଷ୍ଟା କରିବି । ଯଦି ନ ଆସେ ତେବେ କିଛି ଶାସ୍ତି ଦରକାର । ମାଡ଼କୁ ଠାକୁର ଡରନ୍ତି । ସେ କ’ଣ ବାଦ ପଡ଼ିଯିବ । କିନ୍ତୁ ଆପଣ ଟିକେ ସୁବିଧା ଦେଖି ଏସପିଙ୍କୁ କହିଦେବେ ।’

 

ମଲ୍ଲିକ ବାବୁ ଜାଣନ୍ତି ଯେ ଏସ.ପି. ନନ୍ଦ କୁମାର ଭାଟିଆ କଲେକ୍ଟର ଶ୍ରୀ କୁମାର ସାମଲଙ୍କ ସହିତ ଆସିଥିଲେ କନ୍ୟାଶ୍ରମ ଉଦ୍‌ଘାଟନ ଉତ୍ସବକୁ । ସେମାନେ ଏଇ ମହତ୍ କାମରେ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇ ଯାଇଛନ୍ତି । ମୈତ୍ରେୟୀ ସାମାଜିକ କ୍ଷେତ୍ରରେ ବେଶ୍ ଜଣାଶୁଣା । ମହିଳା କମିଶନ, ସମାଜ କଲ୍ୟାଣ ବୋର୍ଡ଼, ପ୍ରଗତିଶୀଳ ମହିଳା ମୁକ୍ତି ସଂଘ ଏବଂ ମାନବିକ ଅଧିକାର ଆସୋସିଏସନ, ଇଣ୍ଡିଆନ ରେଡ଼କ୍ରସ ପ୍ରଭୃତି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ସମ୍ପୃକ୍ତା ରେଡ଼କ୍ରସର କାର୍ଯ୍ୟକାରିଣୀ ପରିଷଦର ସଭ୍ୟା ଏବଂ ମହିଳା ମୁକ୍ତି ସଂଘର ଉପସଭାନେତ୍ରୀ ।

ଥାନା ଅଫିସର ମଲ୍ଲିକ ବାବୁ କହିଲେ, ‘ଯଦି ମାଧବ ପୁଣି ଆସି ଗୋଳମାଳ କରେ ମୋତେ ଫୋନ୍‍ କରିଦେବେ । ମୁଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରିବି ।’ ତଥାପି କନ୍ୟାଶ୍ରମକୁ ଥରେ ଯାଇ ବୁଝି ଆସିବା ଉଚିତ ହେବ ଭାବି ମୈତ୍ରେୟୀ ଗଲେ ସେଠାକୁ । ସରଳା ଓ ଅନ୍ତେବାସିନୀମାନଙ୍କୁ ଅଭୟ ଦେଇ କହିଲେ, ‘ସମସ୍ତେ ମିଳିମିଶି ରହିବ । କେହି କିଛି ଗଣ୍ଡଗୋଳ କରିବାକୁ ଆସିଲେ ମୋତେ ଖବର ଦିଅ ଯେପରି । ମୁଁ ଥାନା ବାବୁଙ୍କୁ କହିଛି । ମାଧବ ଯଦି ଆଉ ଗଣ୍ଡଗୋଳ କରେ ତା’ ଫଳ ସେ ପାଇବ ।’

ଘରକୁ ଫେରିବାବେଳକୁ ନଅଟା ବାଜି ଯାଇଥଲା । ପୁଅ ଝିଅଙ୍କ ପାଠପଢ଼ା ସରିଥିଲା । ଶିକ୍ଷକ ଫେରି ଯାଇଥିଲେ । ସେମାନଙ୍କୁ ଖୁଆଇ ଦେଇ ଶୁଆଇଦେଲେ ମୈତ୍ରେୟୀ ।

ଖିଆପିଆ କାମ ସରିବାବେଳକୁ ରାତି ସାଢ଼େଦଶ । ମନୋଜ ବ୍ରହ୍ମପୁରରୁ ସକାଳେ ଫେରିବା କଥା । ସେ ବିଛଣା ଉପରେ ଗୋଡ଼ହାତ ଲମ୍ବାଇ କେତେ କଥା ଭାବୁ ଭାବୁ ଗଭୀର ନିଦରେ ଶୋଇ ପଡ଼ିଲେ ।

କେତେବେଳେ ଶୋଇଥିବେ କେଜାଣି ! ଆକାଶ ଫର୍ଚ୍ଚା ହେବାବେଳକୁ ହଠାତ୍ ଟେଲିଫୋନ୍‍ ବାଜିଉଠିଲା। ସେ ହାତ ବଢ଼ାଇ ରିସିଭରଟା ଉଠାଇ ନେଇ କହିଲେ, ହାଲୋ... ।’

 

ସେପାଖରୁ ଏକ ଅପରିଚିତ ସ୍ଵର ଭାସିଆସିଲା, ‘ମୁଁ ହସ୍ପିଟାଲରୁ କହୁଛି । ମ୍ୟାଡାମ୍‍ ମୈତ୍ରେୟୀ ଆଚାର୍ଯ୍ୟ ଅଛନ୍ତି ?’

 

ସୂର୍ଯ୍ୟ ଉଠିବା ଆଗରୁ କିଏ ମନେପକାଇଲା ତାଙ୍କୁ ? ବିସ୍ମିତ ମୈତ୍ରେୟୀଙ୍କ କଣ୍ଠରୁ ବାରିଗଲା, ‘ହଁ, ମୁଁ ମୈତ୍ରେୟୀ କହୁଛି... ।’

 

- ‘ନମସ୍କାର ମ୍ୟାଡାମ୍‍ । ମୁଁ ୟୁନିଭରସିଟିର ଜଣେ ଛାତ୍ର ନୀତିଶ ଭରଦ୍ୱାଜ । ବାଧ୍ୟ ହୋଇ ଆପଣଙ୍କୁ ହସ୍‌ପିଟାଲରୁ ଫୋନ୍‍ କରୁଛି... ।’

 

- ‘କଅଣ ହେଲା କୁହ... ?’ କମ୍ପିତ ଛାତିରେ ପଚାରିଲେ ମୈତ୍ରେୟୀ ।

 

- ‘ଆମେ କେତେଜଣ ଛାତ୍ର ପୋଷ୍ଟର ଲଗାଇଥିଲୁ କାନ୍ଥରେ... ଆଜି ଆମ ନିର୍ବାଚନ ତ-। ରାତି ଚାରିଟା ହେବ । ଅପ୍ରତିମକୁ ନିର୍ବାଚନରେ ବିରୋଧ କରୁଥିବା ଆଉ ଦଳେ ଛାତ୍ର ଆସି ଆମ ପୋଷ୍ଟର ଚିରିଦେଲେ... ସେଇଠୁ ଅପ୍ରତିମ ପ୍ରତିବାଦ କଲାରୁ ସେମାନେ ତାକୁ ଆକ୍ରମଣ କଲେ । ଜଣେ ତା’ ପେଟରେ ଛୁରି ଭୂଷି ଦେଇଛି... । ସେ ଆହତ ମ୍ୟାଡାମ୍‍ । ହସ୍ପିଟାଲକୁ ଆଣିଛୁ ତାକୁ ପୁଲିସ୍‍ ଜିପ୍‌ରେ...’

 

- ‘ତା’ ସହିତ କଥା ହୋଇପାରିବି...?’ ପ୍ରାୟ କାନ୍ଦ କାନ୍ଦ ସ୍ୱରରେ କହିଲେ ମୈତ୍ରେୟୀ ।

 

- ‘ନା, ମ୍ୟାଡାମ୍‍ । ସେ ସଂଜ୍ଞାହୀନ । ଆଘାତ ସିରିଅସ କହୁଛନ୍ତି ଡାକ୍ତର... ।’

 

- ‘ଓ ଗଡ଼୍... ମୁଁ ଆସୁଚି ଏଇନେ । ଅଧଘଣ୍ଟାକ ଭିତରେ ପହଞ୍ଚିବି...।’ ମୈତ୍ରେୟୀ ଉଠିବସି ପାଞ୍ଚମିନିଟକ ଭିତରେ କାମ ଶେଷ କରି ବାହାରିଗଲେ ଜେନେରାଲ ହସ୍‌ପିଟାଲ ।

 

କାଜୁଆଲିଟିରେ ପହଞ୍ଚିଲେ ଠିକ୍ ଛଅଟାରେ ।

 

ଅପରେସନ ଥିଏଟରକୁ ନେଇ ଯାଇଥାନ୍ତି ଅପ୍ରତିମକୁ ।

 

ଅପରେସନ ଥିଏଟରକୁ ପ୍ରବେଶ କରୁଥିବା ସର୍ଜନ ଡାକ୍ତର ଶେଖର ପାତ୍ରକୁ କହିଲେ, ‘ଅପ୍ରତିମର କଣ୍ଡିସନ କିପରି ଡାକ୍ତର... ମୁଁ ତା’ର ଭାଉଜ ମୈତ୍ରେୟ ଆଚାର୍ଯ୍ୟ... ।’

 

- ‘ଆରେ ଆପଣ... ମନୋଜ ମୋର ବାଲ୍ୟବନ୍ଧୁ ମିସେସ୍ ଆଚାର୍ଯ୍ୟ । ଅପୁ ସିରିଅସ୍‌, ଅନେକ ରକ୍ତ କ୍ଷରଣ ହୋଇଛି... ରକ୍ତ ଦୁଇବୋତଲ ଦରକାର ହୋଇପାରେ । ତେବେ ଭୟର କାରଣ ନାହିଁ । ହି ଉଇଲ୍ କମ୍‌ରାଉଣ୍ଡ....’

 

ମୈତ୍ରେୟୀ କାନ୍ଦି ପକାଇ କହିଲେ- ’ଡାକ୍ତର ! ଆପଣ ଅପୁକୁ ରକ୍ଷା କରନ୍ତୁ... ମୋ ପୁଅଠାରୁ ସେ ମୋର ବେଶୀ ଆପଣାର... ’

 

ତାଙ୍କୁ ସାନ୍ତ୍ୱନା ଦେଇ କହିଲେ ଡାକ୍ତର ପାତ୍ର, ‘ଭଗବାନ ଅଛନ୍ତି । ଆପଣ ତାଙ୍କୁ ପ୍ରାର୍ଥନା କରନ୍ତୁ.... ଅପ୍ରତିମ ଉଇଲ୍ କମ୍ ରାଉଣ୍ଡ...’

 

ସେ ଅପରେସନ ଥିଏଟର ଭିତରକୁ ଚାଲିଗଲେ । ଛିଡ଼ା ହୋଇଥିଲେ ମୈତ୍ରେୟୀ । ଆଖିରୁ ଝରି ପଡ଼ୁଥିଲା ଦୁଇବୁନ୍ଦା ଲୁହ... ।

 

(ଦୁଇ)

 

ବାହାଘର ପ୍ରସଙ୍ଗ ଉଠିଲେ ସିନା ଅନଙ୍ଗ ଏଡ଼ି ଦେଉଥିଲେ, କିନ୍ତୁ ବ୍ୟବସାୟ ସଂକ୍ରାନ୍ତୀୟ କୌଣସି ପ୍ରଶ୍ନ ପଚାରିଲେ ପ୍ରଗଳ୍‌ଭ ହୋଇ କହୁଥିଲେ- ‘ଏଇ ଏକବିଂଶ ଶତାବ୍ଦୀ ହେଉଛି ପ୍ରଯୁକ୍ତି ଆଉ ବ୍ୟବସାୟର ଶତାବ୍ଦୀ । ଉଦାରୀକରଣ ଯେତିକି ବଢ଼ିବ, ଘରୋଇକରଣ ସେତିକି ବଢ଼ିବ ଏବଂ ସରକାରର ସାମ୍ରାଜ୍ୟ ସେତିକି କମିବ । ତା’ ସହିତ ଜଗତୀକରଣର ବାନା ଉଡ଼ାଇ ଗଜୁରି ଉଠିବେ ବହୁ-ଦେଶୀୟ ବ୍ୟବସାୟ ପ୍ରତିଷ୍ଠାନ । ସରକାରର କ୍ଷମତା କେବଳ ଆଇନ ଓ ଶୃଙ୍ଖଳା, ଦେଶରକ୍ଷା, ଯୋଗାଯୋଗ, ମୁଦ୍ରା ବିନିମୟ ଓ ସମନ୍ଵୟ ରକ୍ଷା କରିବା ମଧ୍ୟରେ ସୀମିତ କରିବା ପାଇଁ ଶାସନ ପରିଚାଳନାର ନୂତନ ରେନାଁସା ଆରମ୍ଭ ହେବ । ଜାତି ରାଷ୍ଟ୍ର କ୍ଷମତା ଯେତିକି କମିବ ବହୁ ଦେଶୀୟ ବଡ଼ ବଡ଼ କୋମ୍ପାନୀମାନଙ୍କ କ୍ଷମତା ସେତିକି ବଢ଼ିବ । ଗୋଟିଏ ଗୋଟିଏ ବହୁ ଦେଶୀୟ କୋମ୍ପାନୀର ଶକ୍ତି ଓ ସମ୍ପଦ ଅନେକ ସାନ ଓ ମଧ୍ୟମ ଧରଣର ଦେଶଠାରୁ ଅଧିକ ହେବ । ଏଥିରେ ନିଯୁକ୍ତ ବଡ଼ ବଡ଼ ମ୍ୟାନେଜମେଣ୍ଟ୍‍ ବିଶାରଦମାନଙ୍କ ହାତକୁ ଚାଲିଯିବ ବଂଶାନୁକ୍ରମିକ ବ୍ୟବସାୟ ସଂସ୍ଥାର ସତ୍ତ୍ୱାଧିକାରୀମାନଙ୍କ କ୍ଷମତା ।’
 

ଜଗତୀକରଣ ଆରମ୍ଭ ହେବାବେଳକୁ ର‍୍ୟାଟରେସ୍ ଆରମ୍ଭ ହୋଇ ଯାଇଛି । ବିଭିନ୍ନ ଦେଶର ସୀମାନ୍ତ ଖୋଲି ଯାଇଛି ମୁକ୍ତ ବାଣିଜ୍ୟ ପାଇଁ । ଚାହିଦା ଅନୁସାରେ ଯୋଗାଣ ବ୍ୟବସ୍ଥା ନିୟନ୍ତ୍ରିତ ହେବ ଏବଂ ବଜାର ଶକ୍ତିହିଁ ଅର୍ଥନୀତି ଓ ଶାସନ ନୀତିକୁ ନୟନ୍ତ୍ରଣ କରିବ । ଶାସକମାନଙ୍କ ଏକଚାଟିଆ ଅଧିକାର- ବୋଧ ଓ କ୍ଷମତା ସଂକୁଚିତ ହୋଇଯିବ ଧିରେ ଧିରେ । ଜାତିସଂଘ ଓ ଆନ୍ତର୍ଜାତିକ ମେଣ୍ଟଗୁଡ଼ିକର ପ୍ରଭାବ ବଢ଼ିବା ସାଙ୍ଗେ ସାଙ୍ଗେ ଜାତୀୟ ସାର୍ଭଭୌମତ୍ୱ ଓ କ୍ଷମତା ହ୍ରାସ ପାଇବ ।

 

ଏଇ ର‍୍ୟାଟ୍‌ରେସରେ ଯୋଗ ଦେଇଛି ଅନଙ୍ଗ । ଅନ୍ଧ ସମୟ ମଧ୍ୟରେ ଅନେକ ବାଟ ଅତିକ୍ରମ କରିବାକୁ ହେବ । ବିଶ୍ଵଦୌଡ଼ରେ ସାମିଲ ହୋଇଛି ସେ । ଆଉ ପଛକୁ ଚାହିଁବା ପାଇଁ ବେଳ ନାହିଁ, ଆଗରେ ପଡ଼ିଛି ଯୋଜନ ଯୋଜନ ପଥ । ସେଥିପାଇଁ ଆଗକୁ ଚାହିଁବାକୁ ପଡ଼ିବ ସବୁବେଳେ । ଯେଉଁମାନେ ଏଇ ଦୌଡ଼ରେ ଆଗରେ ରହିବେ ଜଗତ ରହିବ ସେମାନଙ୍କ ହାତ ମୁଠାରେ ।

 

ଅନଙ୍ଗର ‘କଳିଙ୍ଗ ଏମ୍ପାୟାର୍ସ’ ଭାରତ ବାହାରେ ସାତଟା ଦେଶରେ ରିଟେଲିଂ ବିଜିନେସ୍ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଥାଇଲାଣ୍ଡ, ୟୁଗାଣ୍ଡା, କେନିଆ, ନେପାଳ, ସାଉଦି ଆରବିଆ ଏବଂ ସଂଯୁକ୍ତ ଆରବ ରିପବ୍ଲିକ୍ । ଆମେରିକାନ୍ କୋମ୍ପାନୀ ‘କଲମ୍ୱସ ଓ୍ୱାର୍ଲଡ଼୍’ ସହିତ ପାର୍ଟନରସିପ୍ ସୂତ୍ରରେ ଯୋଡ଼ି ଦେଇଛି ନିଜର କୋମ୍ପାନୀ କଳିଙ୍ଗ ଏମ୍ପାୟାର୍ସକୁ । ‘କଳିଙ୍ଗ କଲମ୍ବସ୍‌’ ନାମରେ ରିଟେଲିଂ ବିଜିନେସ୍ ଚାଲିବ ।

 

ଅନଙ୍ଗର ସମୟ ହୁଏନା ଏସବୁ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ । ସେ ଗୋଟିଏ ମିନିଟ୍ ବି ନଷ୍ଟ କରିବାକୁ ଚାହେଁନା । କେବଳ ଶୋଇବା ଓ ନିତ୍ୟନୈମିତିକ କାର୍ଯ୍ୟ ପାଇଁ ଆଠଘଣ୍ଟା ରଖି ଦେଇ ଦିନକୁ ଷୋହଳ ଘଣ୍ଟା ବ୍ୟସ୍ତ ରହେ ସେ । ମାସକୁ ପନ୍ଦର ଦିନ ବିଦେଶରେ ଥାଏ । ଆଉ ପନ୍ଦର ଦିନ ଭାରତରେ । ସେଥିରୁ ଭୁବନେଶ୍ଵର ଭାଗରେ ପଡ଼େ ମାତ୍ର ସାତଦିନ । କେତେବେଳେ ଘରକୁ ଆସେ ଓ କେତେବେଳେ ଘରୁ ବାହାରିଯାଏ ଅନ୍ୟମାନେ ଜାଣିବା ମୁସ୍କିଲ । କେବଳ ମୈତ୍ରେୟୀହିଁ ଜାଣନ୍ତି ଏଇ ଉଡ଼ନ୍ତା ପକ୍ଷୀର ଶୋଇବା ବସିବା ଓ ଉଡ଼ିବା ସମୟ ।

 

ସେଦିନ ଏଆରପୋର୍ଟରୁ ସିଧା ଆସି ଘରେ ପହଞ୍ଚିଲା ଅନଙ୍ଗ । ମୈତ୍ରେୟୀ ତାକୁ ସ୍ଵାଗତ କରି କହିଲେ, ‘ଆଶା କରୁଛି ଏଥର କିଛିଦିନ ରହିବ... ଆଉ ଗୋଟେ କଥା, ତମେ ନ ଥିଲାବେଳେ ଗୋଟିଏ ଦୁର୍ଘଟଣା ଘଟି ଯାଇଛି । ୟୁନିଭରସିଟି ଇଲେକ୍‌ସନରେ ଛିଡ଼ା ହୋଇଥିଲେ ଅପୁ... । ଗତକାଲି ପାହାନ୍ତାରେ ସେ ପୋଷ୍ଟର ଲଗାଉଥିବାବେଳେ ତାଙ୍କ ବିପକ୍ଷ ଦଳର କେତେଜଣ ସାଙ୍ଗ ସହ ବୋଧହୁଏ ବଚସା ହୋଇଥିଲା... ଜଣେ ରାଗରେ ଅପୁଙ୍କ ତଳ ପେଟରେ ଷ୍ଟାବ୍ କରି ଦେଇଛି... ଖବର ପାଇ ମୁଁ ଡାକ୍ତରଖାନା ଯାଇଥିଲି, ରକ୍ତ ଦୁଇଟା ଦିଆଯାଇଛି... ଯଦି ବି ସିରିଅସ ତେବେ ବି କୌଣସି ଭୟ ନାହିଁ କହିଲେ ଡାକ୍ତର... ।’

 

ବସିବାକୁ ଯାଉଥିଲା ଅନଙ୍ଗ, ଏଇ ଖବର ଶୁଣି କହିଲା, ‘ଭାଉଜ ! ଚାଲ ତମ ସାଙ୍ଗରେ ମୁଁ ଥରେ ତାକୁ ଦେଖି ଆସେ... ଆଇ ହୋପ୍ ଅପୁ ଉଇଲ୍ ଫାଇଟ୍ ଇଟ୍‌ ଆଉଟ୍‌... ମୁଁ ଭଗବାନଙ୍କ ପାଖରେ ତା’ର ଆରୋଗ୍ୟ କାମନା କରୁଛି...।’

 

ଅନଙ୍ଗ ମୁହଁକୁ ମୁହୂର୍ତ୍ତେ ଅପଲକ ଆଖିରେ ଅନାଇ ରହିଲେ ମୈତ୍ରେୟୀ । ଅପୁ ଜିତିବ ନିଶ୍ଚୟ । ଜଣେ ଅବିଶ୍ଵାସୀ ଭାଇ ତା’ ଆରୋଗ୍ୟ ପାଇଁ ଈଶ୍ଵରଙ୍କୁ ପ୍ରାର୍ଥନା କରିବା କ’ଣ କମ୍ ବଡ଼ ବିଜୟ !

 

ସାଙ୍ଗେ ସାଙ୍ଗେ ସେମାନେ ଗାଡ଼ିରେ ହସ୍‌ପିଟାଲ ଗଲେ ଏବଂ ଯିବାବେଳେ ମୈତ୍ରେୟୀ କହିଲେ - ‘ଅନଙ୍ଗ ତୁମକୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି । ଅପୁ ପ୍ରତି ଯେ ତମର ଏତେ ଶ୍ରଦ୍ଧା ତାହା ଛାତି ତଳେ ଚାପି ରଖିଥିଲ କିପରି ?’

 

ଅନଙ୍ଗ କିଛି କହିଲା ନାହିଁ । ଟିକେ ପରେ କହିଲା, ‘‘ଭାଉଜ ସେ ମୋ ଲକ୍ଷ୍ମଣ ପରି ଅନୁଗତ ସାନଭାଇ । ମୁଁ ନିୟୁର୍କ ଯିବାବେଳେ ତାକୁ ଦୁଇଥର କହିଥିଲି ତୋ ପାଇଁ କ’ଣ ଆଣିବିରେ ଅପୁ । କିନ୍ତୁ ସେ କ’ଣ କହିଥିଲା ଜାଣ, ମୁଁ ଚାହେଁ ତମେ ଭଲରେ ଭଲରେ ସଫଳତା ହାସଲ କରି ସୁସ୍ଥ ଦେହରେ ଫେରିଆସ । ଆଜି ତୁମ ମୁହଁରୁ ଏଇ ଘଟଣା ଶୁଣି ମୋର କ’ଣ ମନେହେଉଛି ଜାଣ, ବୋଧହୁଏ ମୋର କୌଣସି ରିଷ୍ଠ ଥିଲା, ଅପୁର ନିଷ୍କପଟ ନିର୍ମଳତା ଯୋଗୁ ତାହା କଟିଗଲା; କିନ୍ତୁ ବିଧିନିର୍ଦ୍ଦିଷ୍ଟ ଦଣ୍ଡ ସେ ମୁଣ୍ଡପାତି ସହିଲା ।’

 

ମୈତ୍ରେୟୀ କେବଳ ଚାହିଁଥିଲେ ଅନଙ୍ଗର ମୁହଁକୁ, ତାଙ୍କ ତୁଣ୍ଡରୁ ଶବ୍ଦଟିଏ ବି ସ୍ଫୁରୁ ନ ଥିଲା । ହସ୍‌ପିଟାଲରେ ପହଞ୍ଚିବା ପରେ ଅନଙ୍ଗକୁ ଦେଖି ତାକୁ କହିଲା, ‘‘ମୋ ପ୍ରାର୍ଥନା ରଖିଲେ ଭଗବାନ । ତମେ ଯିବାବେଳେ କାହିଁକି କେଜାଣି ମନଟା ବିଷର୍ଣ୍ଣ ହୋଇଯାଇଥିଲା । ଇମିତି କେବେ ହୁଏନି... ମୁଁ ଭାବିଲି କ’ଣ କିଛି ବିପଦ ଅଛି କି ! ଆଜି ବୁଝୁଚି ସେଇ ଖରାପ ସମୟ ଅତିକ୍ରାନ୍ତ ହୋଇଯାଇଛି ।’

 

ମୈତ୍ରେୟୀ ବାଷ୍ଫାକୁଳ ହୋଇଗଲେ । କେତେକ୍ଷଣ ପରେ ଅପୁ ଉପରେ ହାତ ରଖି କହିଲେ, ‘‘ତମେ ଶୋଇପଡ଼... ଡାକ୍ତର ମନା କରିଛନ୍ତି କଥା କହିବା ପାଇଁ । ଆମେ ପୁଣି କାଲି ସକାଳେ ଆସିବା ।’’

 

ଅନଙ୍ଗ ତା’ ଦେହ ଆଉଁଶି ଦେଇ କହିଲା, ‘‘ବି ବ୍ରେଭ ମାଇ ଡିଅର ବ୍ରଦର... ଜୀବନରେ ଅନେକ ଉତ୍‌ଥାନ ପତନ ଆସିବ... ସେସବୁକୁ ସାହସର ସହିତ ସାମନା କରିବାକୁ ହେବ... O.K-!’’

 

ଅପୁ ବଡ଼ଭାଇର ହାତଧରି ପକାଇ କହିଲା, ‘‘ମୋତେ କ୍ଷମା କରିଦବ ଯଦି ଭୁଲ କରିଥାଏ... ।’’

 

‘‘ଆରେ ନୋ ନୋ ।’’ କହୁ କହୁ ଆଖିରୁ ଗଡ଼ି ପଡ଼ୁଥିବା ଦୁଇଟୋପା ଲୁହ ସମସ୍ତଙ୍କ ଅଲକ୍ଷ୍ୟରେ ପୋଛିନବା ପାଇଁ ଅନଙ୍ଗ ତରତର ହୋଇ ବାହାରିଗଲା ଦ୍ଵାର ଦେଇ । ମୈତ୍ରେୟୀଙ୍କ ଅନ୍ତର ପୂରି ଉଠୁଥିଲା ଭାତୃପ୍ରେମର ନୈସର୍ଗିକ ରୂପ ଦେଖି । ସେମାନେ ଫେରିବାବେଳକୁ ସଂଧ୍ୟା ହୋଇ ଯାଇଥିଲା । ଅନଙ୍ଗ ଚାହିଁ ରହିଥିଲା ପୋଲ ଆଡ଼କୁ... ସୂର୍ଯ୍ୟର ସୁନେଲି କିରଣ ପାଣି ଉପରେ ଚିକ୍ ଚିକ୍ କରୁଥିଲା... ଦୂର ପାହାଡ଼ର ଚୂଡ଼ାତଳେ ସୂର୍ଯ୍ୟ ବୁଡ଼ିଯାଉଥିଲେ ।

 

ଅନଙ୍ଗକୁ ଘରେ ପହଞ୍ଚାଇ ଦେବା ପରେ କନ୍ୟାଶ୍ରମକୁ ଚାଲିଗଲେ ମୈତ୍ରେୟୀ । କାଲି ଯାଇ ପାରି ନ ଥିଲେ । କ’ଣ ହୋଇଛି କେଜାଣି ? ଏତେଗୁଡ଼ାଏ ନିରାଶ୍ରିତା ମହିଳା ଓ କେତେଜଣ ଶିଶୁ କିପରି ଅଛନ୍ତି ତାହା ଦେଖିଆସିବା ପରମ କର୍ତ୍ତବ୍ୟ । ଦାୟିତ୍ୱ ପାଳନ ନ କରିବାଠାରୁ ବଡ଼ ଅପରାଧ ଆଉ କ’ଣ ହୋଇପାରେ ?

 

କନ୍ୟାଶ୍ରମରେ ପହଞ୍ଚିବାବେଳକୁ ଦଳେ ଲୋକ, ଫାଟକ ପାଖରେ ଛିଡ଼ା ହୋଇଥିବା ଦେଖି ମନକୁ ମନ ପ୍ରଶ୍ନ କଲେ, ‘ଆଉ କ’ଣ କିଛି ହେଲା କି ?’

 

ଗାଡ଼ିରୁ ଓହ୍ଲାଇବାବେଳକୁ ଲକ୍ଷ୍ମଣ ଦୌଡ଼ି ଆସି କହିଲା, ‘ମା’, ମାଧିଆ ଆସି କଳି କରୁଥଲା । ଥାନାରୁ ରିହାତି ପାଇ ଆସିଥିଲା ସରଳାକୁ ଡାକିବା ପାଇଁ । ସରଳା କିନ୍ତୁ ଯିବ ନାହିଁ କହିଲା । ସେଇଠୁ କଳି... ।’

 

- ‘ଆଉକିଛି କହୁଥିଲା ?’ ପଚାରିଲେ ମୈତ୍ରେୟୀ ।

 

- ‘ନା ଯେ, ତେବେ ଏମାନେ କହୁଛନ୍ତି ଯଦି ମାଧିଆ ତା’ ସ୍ତ୍ରୀକୁ ନବାକୁ ଆସିଛି ଆମେ ମନାକରିବାକୁ କିଏ ?’

 

- ‘କିନ୍ତୁ ମାଧିଆ ଡାକିବା ସତ୍ତ୍ୱେ ଯଦି ସରଳା ଯିବନାହିଁ କହୁଛି, ତେବେ ଏ କଥା ନେଇ ଆମେ ତର୍କ କରିବା କାହିଁକି ? ସରଳାକୁ ମୁଁ ବି କହିଛି ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି । ସ୍ଵାମୀ ସ୍ତ୍ରୀଙ୍କ କଳି ଅଦିନିଆ ମେଘପରି । ମେଘ ଗର୍ଜନ କରି ଆକାଶ ପୃଥିବୀ କମ୍ପାଇ ଦିଏ... ବତାସ ବହେ... କୁଟାକାଠ ଗଗନରେ ଉଡ଼େ... କିନ୍ତୁ ଘଣ୍ଟାକ ପରେ ଯେଉଁ କଥାକୁ ସେଇକଥା । ସ୍ଵାମୀ ସ୍ତ୍ରୀ ପୁଣି ହସାହସି ହୁଅନ୍ତି । ସରଳା ଯଦି ତା’ ସ୍ୱାମୀ ପାଖକୁ ଯିବ ମୁଁ ମନାକରିବି ନାହିଁ, କିନ୍ତୁ ସେ ଯଦି ମନାକରେ ତେବେ ତାକୁ ବାଧ୍ୟ କରି ବାହାର କରିଦେବି ନାହି ।’’

 

ଜଣେ ପ୍ରୌଢ଼ କହିଲେ, ‘ତମେ ତାକୁ ଜୋର୍ କରି ବାନ୍ଧି ରଖିଚ ?’

 

‘‘ନା ଜୋର୍ କରି ତାକୁ ଆମେ ବାନ୍ଧି ରଖିନୁ । ସେ ଆଶ୍ରା ଖୋଜୁଥିବାବେଳେ ତାକୁ ଆମେ ଆଶ୍ରା ଦେଇଚୁ । ଯଦି ସେ ପୁଣି ତା’ ନିଜ ଘରକୁ ଫେରିଯାଏ, ତେବେ ଆମେ ଖୁସି ହେବୁ...-।’’

 

ଏତିକିବେଳେ ବାଡ଼ ସେ ପାଖରୁ କହିଲା ସରଳା, ମୋତେ ଫେରିଯିବାକୁ କୁହନା ମା’, ମୁଁ ଯିବି ନାହିଁ, ଛୁଆଙ୍କୁ ଛାଡ଼ିବି ନାହିଁ । ସେ ମଦ ଖାଇ ପିଟିବ, ଆଉ କେତେ ସହିବି ମୁଁ ? ମୋ ବାପାର କ’ଣ ଅଛି ଯେ ଯୌତୁକ ଦବ ?

 

ମୈତ୍ରେୟୀ କହିଲେ, ‘‘ଶୁଣିଲ ସରଳା କ’ଣ କହିଲା ?’’

 

ଯେଉଁମାନେ ମାଧିଆର ପକ୍ଷ ନେଇ ଆସିଥିଲେ ସେମାନେ ଫେରିଗଲେ । କିନ୍ତୁ ମୈତ୍ରେୟୀ ଫେରିବା ଆଗରୁ ଫୋନ୍ କରି ଥାନା ବାବୁଙ୍କୁ ଜଣାଇ ଦେଇଗଲେ ସବୁ ବିଷୟ । ଥାନାବାବୁ ଭୁବନ ମୋହନ ମଲ୍ଲିକ କହିଲେ ଯେ ତାଙ୍କ ଅନୁମାନ ସାହିର କେତେଜଣ ଅସାମାଜିକ ଲୋକ ମାଧବ ପଛରେ ଅଛନ୍ତି । ସେମାନେ ବି ନିର୍ବାଚିତ ପ୍ରତିନିଧି, କିନ୍ତୁ ଅନେକ ଅସାମାଜିକ କାର୍ଯ୍ୟରେ ଲିପ୍ତ । ସେମାନଙ୍କ ଉଦ୍ୟମରୁ ରାଜପଥ ସନ୍ନିକଟରେ ଗଢ଼ିଉଠୁଥିବା ‘ପ୍ଲେଜର ହୋମ୍’ ଅସାମାଜିକ କାର୍ଯ୍ୟର କେନ୍ଦ୍ର ହେବାକୁ ଯାଉଛି... ।’’

 

ଭୁବନ ମୋହନ ମଲ୍ଲିକଙ୍କ ଏଇକଥା ଶୁଣି ଚମକି ପଡ଼ିଲେ ମୈତ୍ରେୟୀ । ‘ପ୍ଲେଜର ହୋମ୍‍’ ତା’ହେଲେ କେବଳ ପଥିକମାନଙ୍କୁ ଆଶ୍ରୟ ଦବ ନାହିଁ, ସେମାନଙ୍କ ପାନ ଭୋଜନ ଏବଂ ଆମୋଦ ପ୍ରମୋଦର କେନ୍ଦ୍ର ମଧ୍ୟ ହେବ । ସେ କହିଲେ, ‘ଆପଣଙ୍କ ଉପରିସ୍ଥମାନେ ଏ ବିଷୟ ଜାଣନ୍ତି ?’

 

- ଜାଣିଥିବେ । ଏତେ ଟଙ୍କା ଖର୍ଚ୍ଚ ହେଉଛି ସେଥିରେ । କିଏ ପୁଞ୍ଜି ଖଟାଉଛି, କ’ଣ ପାଇଁ ଖଟାଉଛି, ଲାଭ କେତେ ହେବ ଏ ବିଷୟ ରାସ୍ତାକଡ଼ର ଚା’ ଦୋକାନରେ ଚର୍ଚ୍ଚା ହେଉଛି ଆଉ କେହି ଜାଣି ନ ଥିବ ? ବଡ଼ ବଡ଼ ହାକିମ ହୁକୁମା ଜାଣି ନ ଥିବେ ? ବରଂ ଧରି ନିଅନ୍ତୁ ଯେ ସେମାନଙ୍କ ଜ୍ଞାତସାରରେ ଏସବୁ ହେଉଛି । ନେତାମାନଙ୍କ ସହଯୋଗ ବିନା ଜମି ମିଳି ନ ଥାନ୍ତା, ମଦ ଦୋକାନ ପାଇଁ ପରମିଟ୍ ବି ମିଳି ନ ଥାନ୍ତା... ।’

 

- ‘ହେ ଈଶ୍ୱର ।’ ମୁହଁରୁ ବାହାରିଗଲା ମୈତ୍ରେୟୀଙ୍କର । କିନ୍ତୁ ଆଜି ତ ଈଶ୍ଵର ଅନେକ ଦୂରରେ, ତାଙ୍କ ନାମ ଧରି ଜନସେବକ ଭୂମିକାରେ ଅବତୀର୍ଣ୍ଣ ହେଉଥିବା ନେତା କି ୟା ପଛରେ ଅଛନ୍ତି ।

 

ମୈତ୍ରେୟୀ ଫୋନ୍ ରଖି ନେଇ ଘରକୁ ଫେରିଲେ । କିନ୍ତୁ ସେ ଏତେ ବିବ୍ରତ ବୋଧ କରୁଥିଲେ ଯେ କୌଣସି କାମରେ ତାଙ୍କର ମନଲାଗୁ ନ ଥିଲା । ଅପୁ ରାଜନୀତି କଥା ଆଡ଼କୁ ଢଳୁଢଳୁ ଯଦି ଏମିତି ଅବାଟରେ ଚାଲିଯାଏ ? ତେବେ ତାକୁ ନେଇ ତାଙ୍କର ସ୍ଵପ୍ନ ଅଧୁରା ରହିଯିବ-। ସେ ଅପୁ ପାଇଁ ଗୋଟେ ସୁନ୍ଦର ରାସ୍ତା ତିଆରି କରିଥିଲେ ମନେ ମନେ । ସେ ସମାଜ ସେବା କରିବ, ଲୋକଙ୍କ ଅକୁହା କଥା ଶୁଣିବ ଏବଂ ସେମାନଙ୍କୁ ଦେଶସେବକର ନାମ ଧରି ଯେଉଁମାନେ ଶୋଷଣ କରୁଛନ୍ତି ସେମାନଙ୍କ ଫାଶରୁ ମୁକ୍ତ କରିବ । ଅକ୍ଟୋପାସ୍‍ ପରି ସେମାନେ ସମାଜକୁ କବ୍‍ଜା ଭିତରେ ରଖିବା ପାଇଁ ନିୟତ ଚେଷ୍ଟା ଚଳାଇ ଆସିଛନ୍ତି । ସାମ୍ବିଧାନିକ ଗଣତନ୍ତ୍ର ଲୋକଙ୍କୁ ଦେଉଥିବା ପ୍ରଭୂତ କ୍ଷମତା ଯଦି ସେମାନେ ନିଜେ ବ୍ୟବହାର ନ କରି ଏଇ ନ୍ୟସ୍ତସ୍ଵାର୍ଥୀମାନଙ୍କ କଥା ଶୁଣି ସେମାନଙ୍କ ହାତକୁ ବଢ଼ାଇ ଦିଅନ୍ତି ପାୱାର ଅଫ୍‍ ଆଟର୍ଣ୍ଣି ଦବା ପରି ତେବେ ସମାଜର ସର୍ବନାଶ ହେବ... ।

 

ଦୀର୍ଘଦିନ ପରେ ଅନଙ୍ଗ, ପିଲାମାନଙ୍କ ସହିତ ମୈତ୍ରେୟୀ ବସିଲେ ରାତ୍ରିଭୋଜନ କରିବା ପାଇଁ । ଏତେ ବ୍ୟସ୍ତତା ସତ୍ତ୍ୱେ ଦୁଇଟା ମନପସନ୍ଦ ଆଇଟମ୍ ମେନୁରେ ଯୋଡ଼ିଥି‌ଲେ ମୈତ୍ରେୟୀ- ପନିର ଚିଲ୍ଲୀ ଏବଂ ଫିସ୍ ମସ୍‌ରୁମ୍ । ଏହାଛଡ଼ା ରୋଟି, ଡାଲି, ସନ୍ତୁଳା ବି କରିଥିଲା କୁନ୍ତଳା ।

 

- ‘ବାହାରେ ଖାଇ ଖାଇ ମୋର ରୁଚି କି ନଷ୍ଟ ହୋଇ ଯାଇଛି ଭାଉଜ । ଆଜି ତମ ହାତ ତିଆରି ପ୍ରସାଦ ଭୋଜନ କରୁଥିବା ପରି ଲାଗୁଛି, ଚମତ୍କାର ଖାଦ୍ୟ... ମା’ କଥା ମନେପଡ଼ି ଯାଉଛି ସନ୍ତୁଳା ତୁଣ୍ଡରେ ଦବାମାତ୍ରେ...।’

 

ମୈତ୍ରେୟୀ ଝିଅକୁ ମାଛ ମସ୍‌ରୁମ୍‌ରୁ ଟିକେ ଦେଇ ପୁଅକୁ ପନିରଚିଲ୍ଲୀ ଦେଲେ । ସେମାନଙ୍କ ପସନ୍ଦ ଖାଦ୍ୟ। ଖାଇବାବେଳେ ଅନଙ୍ଗ ପୁତୁରାକୁ ପଚାରିଦେଲେ, ‘ତୁ କ’ଣ ପଢ଼ିବୁରେ ଆନନ୍ଦ ? ଆର୍ଟସ, କମର୍ସ, ସାଇନ୍ସ...’

 

- ‘ଆର୍ଟସ୍ ନୁହେଁ କି ସାଇନ୍ସ ନୁହେଁ କକା... ମୁଁ ପଢ଼ିବି କମର୍ସ.... ତା’ପରେ ବିଜିନେସ୍ ମ୍ୟାନେଜମେଣ୍ଟ୍ ।’

 

‘ଭେରି ଗୁଡ଼, ଭେରି ଗୁଡ଼... ତୁ ନିଜ ବାଟ ନିଜେ ତିଆରି କରିବୁ ବାବୁ... ଆମେ କେବଳ ସାହାଯ୍ୟ କରିବୁ । ବାପାଙ୍କ ପରି ପଣ୍ଡିତ ହେବୁ ନା ମା’ ପରି ସମାଜସେବା କରିବୁ ?’

 

ତାଙ୍କ ମୁହଁରୁ କଥା ସରିବାବେଳକୁ ଉତ୍ତର ଦେଲା ଆନନ୍ଦ- ‘ତମପରି ହେବି କାକା... ବିଜିନେସ୍‌ । ବିଜିନେସ୍ ୱାର୍ଲଡ଼୍‌ରେ ପ୍ରବେଶ କରିବା ଖୁବ୍ ରୋମାଞ୍ଚକର ହେବ । ଗ୍ଲୋବାଲ ଭିଲେଜ କନସେପ୍‍ଟଟା ଖୁବ୍ ଭଲ ନା କାକା... ?’

 

ଅନଙ୍ଗ ମୁଚୁ ମୁଚୁ ହସୁଥଲା । ମୈତ୍ରେୟୀ କିନ୍ତୁ ଗମ୍ଭୀର ହୋଇଯାଇ କହିଲେ- ‘ତା’ହେଲେ ଭଲ ଶିଷ୍ୟଟିଏ ପାଇବ ଅନଙ୍ଗ । କକା ପୁତୁରା ଭାରତ ବାହାରେ ବିଜିନେସ୍ କରୁ କରୁ କୋଉ ଅଜଣା ଅଶୁଣା ଦେଶରେ ରହିଯିବ ଶେଷରେ... ।’

 

ଅନଙ୍ଗ କହିଲା, ‘କିନ୍ତୁ ଗ୍ଲୋବାଲ ଇକୋନୋମି ଯେମିତି ହୁ ହୁ ବଢ଼ୁଛି ଭାଉଜ ଦିନେ ଯେ ଆମ ଋଷିମାନଙ୍କ ‘ବସୁଦେବ କୁଟୁମ୍ଭକମ୍’ ପରି ଗ୍ଲୋବାଲ ଭିଲେଜ ରିଆଲିଟିରେ ପରିଣତ ହେବ, ଏହା ଆନନ୍ଦମାନଙ୍କ ଜେନେରେସନରେ ହିଁ ଦେଖିବାକୁ ମିଳିବ ।’

 

ମୈତ୍ରେୟୀ ସେମାନଙ୍କୁ ଖଣ୍ଡେ ଖଣ୍ଡେ ଛେନାପୋଡ଼ ବଢ଼ାଇ ଦବାବେଳେ, ମିତା କହିଲା, ‘ମା’, ମିଠା ଦିଅନି । ଦେଖୁନ ମୁଁ ମୋଟା ହୋଇଯାଉଛି ?’

 

‘ତୁ ତ ମୋଟି, ଡାଏଟିଂ କରିବୁ ପତଳା ହେବା ପାଇଁ । ଜେଜେମା’ଙ୍କ ପରି ମୋଟି ହେବୁ ତୁ... ।’ ଭଉଣୀକୁ ରଗେଇବା ପାଇଁ କହିଲା ଆନନ୍ଦ ।

 

ମିତା କାନ୍ଦ କାନ୍ଦ ହୋଇ କହିଲା, ‘ମୁଁ କ’ଣ ବେଶୀ ମୋଟି ହୋଇଯାଇଛି କାକା ? ତମେ କହୁନ ଯେ କିଛି ?’

 

‘ନା, ନା, ତୁ ମୋଟି ନୋହୁଁ । ପରଫେକ୍ଟ ହେଲ୍‌ଥ ତୋ’ର । ଯୋଗ ଅଭ୍ୟାସ କରିବୁ ତ ଆହୁରି ତୋ ଭିତର ସ୍ଫୂର୍ତ୍ତି ବଢ଼ିବ... ।’ କହିଲା ଅନଙ୍ଗ ।

 

- ‘ମୁଁ ଯୋଗ କ୍ଲାସ୍ ଆଟେଣ୍ଡ କରିବି । ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ଯୋଗ ବିଦ୍ୟାଳୟ ଗୋଟେ ବ୍ରାଞ୍ଚ ଖୋଲିଛି ବମିଖାଲରେ । ପାଖ ହେବ ।’

 

- ‘ତୁ ଆଗେଇ ଯା ମିତା । ମୁଁ ତୋ ପଛରେ ଅଛି ।’

 

ପୁତୁରା ଝିଆରୀ ସହିତ ଅନେକ ଦିନପରେ ସାଙ୍ଗ ହୋଇ ଭଲ କରି ଖାଇଲା ଅନଙ୍ଗ । ମୈତ୍ରେୟୀ ବସି ବସି ସମସ୍ତଙ୍କୁ ଖୁଆନ୍ତି । ସେଥିରେ ତାଙ୍କର ଆନନ୍ଦ । ସେମାନେ ଖାଇସାରିବା ପରେ ସେ ଦୁଇଖଣ୍ଡ ରୋଟି, ସନ୍ତୁଳା ଆଉ ମାଛ ମସ୍‌ରୁମ୍ ନେଇ ବସି ପଡ଼ିଲେ । ଖାଦ୍ୟାଭ୍ୟାସ ତାଙ୍କର ସରଳ ଓ ପରିମିତ ।

 

ଶୋଇବାବେଳକୁ ଏଗାରଟା ବାଜିଗଲା । କାଲି ଅନର୍ସ ଛାତ୍ରଙ୍କୁ ‘ଜଏଣ୍ଟ ଫ୍ୟାମିଲି କନ୍‌ସେପ୍ଟ ଆଣ୍ଡ ରିଆଲିଟି’ ପଢ଼ାଇବେ ସେ । ସୋସିଓଲୋଜିର ଅଧ୍ୟାପିକା । ପୃଥିବୀରେ ଜଏଣ୍ଟ ଫ୍ୟାମିଲି ନାହିଁ । କିନ୍ତୁ ଭାରତରେ ଏବେବି ପୂରାପୂରି ବଡ଼ ପରିବାର ଅପ୍ରାସଙ୍ଗିକ ହୋଇ ଯାଇନାହିଁ-। କିନ୍ତୁ ଯେତେ ବେଗରେ ବଜାର ଅର୍ଥନୀତି ବଢ଼ୁଛି ଆଉ ପରିବାର ଭତରେ ମଣିଷ ବଞ୍ଚିବ ନାହିଁ, ବଞ୍ଚିବ ବ୍ୟବସାୟ ଓ ପ୍ରତିଯୋଗିତାକୁ ନେଇ । କମ୍ପିଟିଟିଭ୍‌ନେସ୍ ଯାହାର ଯେତେ ଅଧିକ ସେଇହିଁ ହେବ ମହାରାଜା ।

 

ଆସନ୍ତାକାଲି ଯୌଥ ପରିବାରର ସୁବିଧା ଅସୁବିଧା ସବୁ ବିଷୟରେ କହିବେ ମୈତ୍ରେୟୀ । କିନ୍ତୁ ଯୌଥ ପରିବାର ଯେ ସାମାଜିକ ସମାନତା ଓ ସମାଜବାଦର ଆଜି ଭୂମି ଏଇ ନୂତନ ଥିଓରି ଉପରେ ଗୁରୁତ୍ଵ ଦେବେ ସେ ।

 

ଆସନ୍ତାକାଲି ସମ୍ପର୍କରେ ଭାବୁ ଭାବୁ କେତେବେଳେ ଶୋଇପଡ଼ିଲେ ଜାଣିପାରିଲେ ନାହିଁ ମୈତ୍ରେୟୀ ।

 

(ତିନି)

 

ଅନଙ୍ଗ ଦୁଇଦିନ ରହି ପୁଣି ବାହାରିଗଲା ସିଙ୍ଗାପୁର । ସେଠାରୁ ବ୍ୟାଙ୍କଙ୍କ ଯିବ ଏବଂ କାମସାରି ଫେରିବ ପାଞ୍ଚଦିନ ପରେ । ମନୋଜ ଫେରି ଆସିଛନ୍ତି ବ୍ରହ୍ମପୁରରୁ । ସରୋଜ ଆଉ ପଦ୍ମଜା ନିଖିଳ ଭାରତ ମେଡ଼ିକାଲ କନଫେରେନ୍ସରେ ଯୋଗ ଦବା ପାଇଁ ଗୋଆ ଯାଇଥିଲେ । ସେଠାରୁ ଆସନ୍ତାକାଲି ଫେରିବେ । ଅପୁ ଆଉ ଦୁଇଦିନ ପରେ ହସ୍‌ପିଟାଲ୍‌ରୁ ଛାଡ଼ ପାଇବ । ପୁଅ ଝିଅଙ୍କ ମୁଣ୍ଡ ଉପରେ ପରୀକ୍ଷା । ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ସେମାନଙ୍କ ପଢ଼ାପଢ଼ି ପ୍ରତି ଯେତିକି ଦୃଷ୍ଟିଦବା କଥା ତାହା ଦେଇପାରି ନାହାଁନ୍ତି ମୈତ୍ରେୟୀ । ଅପୁକୁ ଦେଖିବା ପାଇଁ ପ୍ରତିଦିନ ଦୁଇଥର ହସ୍‌ପିଟାଲ ଯାଉଥିଲେ । ରବିବାରଠାରୁ ଆଉ ଯିବାକୁ ପଡ଼ିବ ନାହିଁ । ଏମିତିରେ ଆନନ୍ଦ ବୁଦ୍ଧିମାନ, ସେ ଶିକ୍ଷକ ଯାହା ପଢ଼ାନ୍ତି ମନଦେଇ ଶୁଣେ ଏବଂ ତା’ ପ୍ରତି ବିଶେଷ ଯତ୍ନ ନବା ଦରକାର ହୁଏ ନାହିଁ । ତଥାପି ବେଳେ ବେଳେ କ’ଣ ହୁଏ କେଜାଣି ସେ ରାମକୃଷ୍ଣ ମଠ ବା ମାତୃଭବନକୁ ଚାଲିଯାଏ ଧ୍ୟାନ କରିବା ପାଇଁ । ଏଥିରେ ବିଚଳିତ ହେବାର କିଛି ନାହିଁ, ବରଂ ଉତ୍ତରଣର ମାଧ୍ୟମ ବୋଲି ମୈତ୍ରେୟୀ ମନେକରନ୍ତି । କିନ୍ତୁ ମିତା ଚଗଲି । ଗୀତସାର୍‌ଙ୍କ ପାଖରୁ ଗୀତ ଶିଖୁଛି, କିନ୍ତୁ ଅଭ୍ୟାସ କରୁ ନ ଥିବାରୁ ତା’ ଲଳିତ କଣ୍ଠସ୍ଵର ଅଶୁଣା ରହିଯାଇଛି । ଦିନେ ସେ ଭଲ ଗାୟିକା ହେବ ଯଦି ସାଧନା ଅବ୍ୟାହତ୍ ରଖେ ବୋଲି ସଙ୍ଗୀତ ଶିକ୍ଷକ ଦୀନବନ୍ଧୁ ମହାରଣା କହୁଥିଲେ । ମନୋଜ ବହିପତ୍ର, ଲାଇବ୍ରେରୀ ସେମିନାର ଓ ଲେଖାଲେଖି ନେଇ ସଦାବେଳେ ବ୍ୟସ୍ତ । ଘରର ଦାୟିତ୍ୱ ମୈତ୍ରେୟୀଙ୍କ ଉପରେ ନ୍ୟସ୍ତ କରି ନିଶ୍ଚିନ୍ତ ।

 

କଲେଜରୁ ଫେରି କନ୍ୟାଶ୍ରମର ହିସାବପତ୍ର ଦେଖୁଥିଲେ ମୈତ୍ରେୟୀ । ଏ ପର୍ଯ୍ୟନ୍ତ ବିଭିନ୍ନ ସୂତ୍ରରୁ ମିଳୁଥିବା ସାହାଯ୍ୟ ଅକୁଳାଣ ହେଉଛି ଆଶ୍ରମ ଚଳାଇବା ପାଇଁ । ନିଜ ଜମାରାଶିରୁ କିଛି ଟଙ୍କା ଉଠାଇ ସେଇ ଅଭାବ ଦୂର କରିଛନ୍ତି ମୈତ୍ରେୟୀ । ଅନଙ୍ଗ ମଧ୍ୟ ମୋଟା ଅଙ୍କର କିଛି ସାହାଯ୍ୟ ଦେବେ ବୋଲି କହିଛନ୍ତି । ଗୋଟିଏ ମିଶନାରୀ ଅନୁଷ୍ଠାନରୁ ଧନ୍ଦାଶିକ୍ଷା କରିବା ପାଇଁ ସବୁ ପ୍ରକାର ସହାୟତା ମିଳିବାର ପ୍ରତିଶ୍ରୁତି ମିଳିଛି । ସମାଜ ମଙ୍ଗଳ ବୋର୍ଡ଼, ମାନବିକ ଅଧିକାର କମିଶନ ପ୍ରଭୃତି ସଂଗଠନ ସହିତ ମଧ୍ୟ ଜଡ଼ିତ । ସେଥିପାଇଁ ତାଙ୍କୁ କିଛି ସମୟ ଦବାକୁ ହୁଏ । ରେଡ଼କ୍ରସ୍ ସଂଗଠନ ସହିତ ସେ ମଧ୍ୟ ସମ୍ପୃକ୍ତ । ଏସବୁ ଅନୁଷ୍ଠାନରେ କାମ କରିବାଦ୍ଵାରା ଜଣେ ସମାଜସେବୀଭାବେ ମୈତ୍ରେୟୀ ଉଚ୍ଚ ମହଲରେ ପରିଚିତ । ଏହି କାରଣରୁ ରାଜ୍ୟସ୍ତରୀୟ ସେମିନାର ବା ସରକାରୀ ସ୍ତରରେ କୌଣସି ଅଲୋଚନା ସଭା ହେଲେ ତାଙ୍କୁ ଡାକରା ଆସେ ସହଯୋଗ କରିବା ପାଇଁ ।

 

ମହିଳା ସଂଗଠନରେ ଅନେକ ଶିକ୍ଷିତା ମହିଳା ସାମିଲ ହେଲେଣି । ମହିଳାମାନଙ୍କ ମଧ୍ୟରେ ସଚେତନତା ମଧ୍ୟ ବଢ଼ୁଛି । ନାରୀ ନିର୍ଯ୍ୟାତନା ଯେ ପୂର୍ବରୁ ହେଉ ନ ଥିଲା ଏବେ ହେଉଛି ତାହା ନୁହେଁ; ପୂର୍ବରୁ ବରଂ ବେଶୀ ହେଉଥିଲା, କିନ୍ତୁ ସଚେତନା ନ ଥିଲା ବା ସଂଗଠନ ନ ଥିଲା ବୋଲି ସେମାନଙ୍କ କରୁଣ କାହାଣୀ ଅକୁହା ରହି ଯାଉଥିଲା । ଯୌତୁକ ସମସ୍ୟା ଅବଶ୍ୟ ଦିନକୁ ଦିନ ଉତ୍କଟ ହେଉଛି । ଯୌତୁକ ନ ଆଣିଲେ ବୋହୂମାନେ ନାନାଦି ଶାରୀରିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଠାଏ ଠାଏ ପୋଡ଼ି ଦେଉଥିବା ବା ଜୀବନରେ ମାରି ଦେଉଥିବା ପରି ନିଷ୍ଠୁର ଘଟଣା ମଧ୍ୟ ଘଟୁଛି । କିନ୍ତୁ ପୂର୍ବ ସମୟରେ ପୁରୁଷମାନେ ଯେପରି ବହୁ ସ୍ତ୍ରୀ ବିବାହ କରିବା ଚଳି ଯାଉଥିଲା, ଏବେ ତାହା ଚଳୁ ନାହିଁ । ବହୁବିବାହ ନିଷିଦ୍ଧ ହେବା ପରେ ଆଇନର ପରିସର ଭିତରକୁ ଥରେ ପୁରୁଷମାନେ ଆସିଲେ ଖସିଯିବା କଷ୍ଟକର । କିନ୍ତୁ ଏବେବି ପତି ପରମ ଦେବତା ଏଇ ଭାବନା ମନରୁ ଯାଇନାହିଁ । ତେଣୁ ନିର୍ଯ୍ୟାତନା, ଲାଞ୍ଛନା ସହି ମଧ୍ୟ ଅନେକ ମହିଳା ମୁହଁ ବୁଜି ପଡ଼ି ରହନ୍ତି । ନିରାଶ୍ରିତା, ସ୍ଵାମୀ ପରିତ୍ୟକ୍ତା ମହିଳାମାନଙ୍କ ଦାୟିତ୍ୱ ନବାପାଇଁ ଦେଶରେ ଅଳ୍ପ ଅନୁଷ୍ଠାନ ଅଛି । ଏହି କାରଣରୁ ସେମାନେ ସ୍ଵାମୀମାନଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ଜଣାଇ ଆସନ୍ତି ନାହିଁ । ଧର୍ଷଣ, ବଳାତ୍କାର ବିରୋଧରେ ଆଇନର ପରିସର ଅତ୍ୟନ୍ତ ସ୍ପଷ୍ଟ । କଠୋର ଦଣ୍ଡ ଦେବାର ବ୍ୟବସ୍ଥା ଅଛି । ସେ ଯେ ନିର୍ଦ୍ଦୋଷ ଏଇ ପ୍ରମାଣ ଦାୟିତ୍ୱ ପୁରୁଷ ଉପରେ । ନାରୀମାନଙ୍କୁ ସୁରକ୍ଷା ଦବା ପାଇଁ ସରକାର ବିଶେଷ ବ୍ୟବସ୍ଥା କରିଛନ୍ତି । ତଥାପି ମହିଳା ନିର୍ଯ୍ୟାତନା ବନ୍ଦ ହୋଇନାହିଁ । ଅର୍ଥନୀତିକ କ୍ଷେତ୍ରରେ ସେମାନଙ୍କୁ ସମ୍ପତ୍ତିର ଉତ୍ତରାଧିଦାୟିତ୍ୱ ଏବଂ ସ୍ଵାବଲମ୍ବୀ ହେବା ସକାଶେ ପର୍ଯ୍ୟାପ୍ତ ସୁଯୋଗ ନ ମିଳିବା ପର୍ଯ୍ୟନ୍ତ ନାରୀ ପୁରୁଷ ଉପରେ ନିର୍ଭର କରି ରହିଥିବ ।

 

ମୈତ୍ରେୟୀ ସଂଗଠନ ଭିତରକୁ ଆସିବା ପରେ ବୁଝିପାରିଛନ୍ତି ମହିଳାମାନଙ୍କ ଦୁର୍ବଳତା କେଉଁଠି, ସେମାନଙ୍କ ଶକ୍ତି କେଉଁଠି । ସଂଗଠନ ମାଧ୍ୟମରେ ସେମାନଙ୍କ ନ୍ୟାୟ ଦବା ବ୍ୟତୀତ ଅନ୍ୟ ଉପାୟ ଯଥେଷ୍ଟ ନୁହେଁ । ପୁରୁଷ ପ୍ରଧାନ ସମାଜରେ ମହିଳାମାନଙ୍କୁ ନ୍ୟାୟ ପାଇବା ପାଇଁ ଲଢ଼ିବାକୁ ହେବ ।

 

ମଧ୍ୟାହ୍ନ ଉତ୍ତୀର୍ଣ୍ଣ ହୋଇ ନ ଥାଏ । ଚା’ କପେ ପିଉଥିବାବେଳେ ଟେଲିଫୋନ୍ ଆସିଲା ଦଲ୍ଲୀରୁ । ସାନ ନଣନ୍ଦ ଫୋନ୍ କରିଥିଲେ । ତାଙ୍କ ସ୍ଵାଭାବିକ ସ୍ୱର ଆଉ କେମିତି ଶୁଣା ଯାଉଥିଲା ବୋଲି ସଂଶୟ ହେଲା ମନରେ । ମୈତ୍ରେୟୀ ଯେମିତି ତାଙ୍କୁ ପଚାରି ଦେଇଛନ୍ତି କ’ଣ ହେଲା, ତମ ସ୍ଵରଟା ଏତେ ବସିଯାଇଛି କାହିଁକି ଭାସ୍ଵତୀ ଆଉ ସମ୍ଭାଳି ନ ପାରି କାନ୍ଦି ପକାଇଲା । ଭାସ୍ଵତୀକୁ ବୁଝାଇବାକୁ ଅନେକ ଚେଷ୍ଟା କଲେ ମୈତ୍ରେୟୀ, କିନ୍ତୁ ତା’ କାନ୍ଦ ବନ୍ଦ ହେଲା ନାହିଁ । ଭାସ୍ଵତୀକୁ ଅନେକ ବୁଝାଇବା ପରେ, ଅନେକ ସାନ୍ତ୍ୱନା ଦବାପରେ ସେ ଯାହା କହିଲା ତାହା ଶୁଣି ସ୍ତବ୍ଧ ହୋଇଗଲେ ମୈତ୍ରେୟୀ ।

 

ଭାସ୍ଵତୀ କହିଲା ଯେ ବିଶ୍ଵମୋହନ ତାଙ୍କ ଅଫିସର ଜଣେ କନିଷ୍ଠ ମହିଳା ଅଫିସରଙ୍କ ପ୍ରେମରେ ପଡ଼ିଛି । ପ୍ରଥମେ ପ୍ରଥମେ ଋତୁପର୍ଣ୍ଣାକୁ ସେ ସନ୍ଦେହ କରୁ ନ ଥିଲା; ଗୁଜବଗୁଡ଼ାକୁ ଅତିଶୟୋକ୍ତି ଭାବି ଉଡ଼ାଇ ଦେଉଥିଲା । କିନ୍ତୁ ଯେଉଁଦିନ ନିଜେ ବିଶ୍ୱମୋହନ କହିଲା ଯେ ସେ ରତୁପର୍ଣ୍ଣାକୁ ବିବାହ କରିବାକୁ ଚାହେଁ ସେଦିନ ଅବିଶ୍ୱାସ କରିବାର ଆଉ କୌଣସି କାରଣ ନ ଥିଲା-। ଋତୁପର୍ଣ୍ଣା ଚାଟାର୍ଜୀ କଲିକତାର ଝିଅ । ଏମ୍‌.ବି.ଏ. କରି କମ୍ପାନୀରେ ପ୍ରବେଶ କରିଥଲା । ବିଶ୍ୱମୋହନଙ୍କୁ ଧୀରେ ଧୀରେ ଆକୃଷ୍ଟ କରି ଏବେ ତା’ ହାତମୁଠାରେ ରଖିଛି । ଅନେକ ଦିନ ବିଶ୍ଵମୋହନ ରାତିରେ ଘରକୁ ଫେରେ ନାହିଁ । ବେଳେବେଳେ ମଦ ପିଇ ରାତିରେ କ୍ଲବ୍‌ରୁ ଫେରି ସ୍ତ୍ରୀକୁ ମାରଧର କରେ । ପ୍ରତିବାଦ, ପ୍ରତିରୋଧ ସବୁ କରିଥଲା ଭାସ୍ଵତୀ । କିନ୍ତୁ ଫଳ କିଛି ହେଲା ନାହିଁ । ସେ କାଲି ଯେତେବେଳେ ଡିଭୋର୍ସ କାଗଜ ନିଜେ ଆଣି ତାକୁ କହିଲା ଦସ୍ତଖତ କରିବା ପାଇଁ ସେତେବେଳେ ଭାସ୍ଵତୀ ବୁଝିଗଲା ଯେ ସେମାନଙ୍କ ପାଞ୍ଚବର୍ଷର ଦାମ୍ପତ୍ୟ ଜୀବନ ଶେଷ ହୋଇଯାଇଛି । ଏପରି ଦୁଶ୍ଚରିତ୍ର ପୁରୁଷ ସାଙ୍ଗରେ ଘର କରିବା ଅର୍ଥ ସାପ ସହିତ ଗୋଟିଏ ଘରେ ବାସ କରିବା । ସେ ଆଉ କୌଣସି ବିକଳ୍ପ ନ ପାଇ କେବଳ ନିଜକୁ ପ୍ରଶ୍ନ କରୁଛି କ’ଣ ଦୋଷ କଲା ସେ । କାଗଜ ଆଲମାରୀ ଭିତରେ ରଖି ତାଲା ପକାଇ ଦେଇଛି ଭାସ୍ଵତୀ । ଦିନେ ଅବସ୍ଥା ଅସମ୍ଭାଳ ହେବାରୁ ସେ ଘର ଛାଡ଼ି ଜଣେ ବନ୍ଧୁଙ୍କ ଘରେ ଆଶ୍ରୟ ନେଇଛି । କେବଳ ଲୁଗାପଟା ଗହଣା ବ୍ୟତୀତ ଆଉ କିଛି ସାଙ୍ଗରେ ଆଣିନି ।

 

ବଜ୍ରାଘାତ ହେଲେ ମଣିଷ ଯେପରି ମୁହ୍ୟମାନ ହୋଇପଡ଼େ ସେପରି କିଛି ସମୟ ତାଙ୍କ ମୁହଁରୁ ଡାକଟିଏ ବି ସ୍ଫୁରିଲା ନାହିଁ । ତା’ପରେ ସେ ଶକ୍ତି ସଞ୍ଚୟ କରି କହିଲେ ମ୍ରୈତ୍ରେୟୀ, ‘ତମେ ଡିଭୋର୍ସ ପେପରରେ ସ୍ୱାକ୍ଷର ନ କରିବା ଠିକ୍ ହୋଇଛି ଋତୁପର୍ଣ୍ଣା । ଯଦି ବି ରତୁପର୍ଣ୍ଣା ଏମ୍‌.ବି.ଏ. କରିଛି ତମେ ବି ତ ଏମ୍‌.ସି.ଏ. କରିଛ । ତମେ ତ ଗାଁଆର ନିରକ୍ଷରା ବୋହୂଟିଏ ନୁହଁ... ।’

କିନ୍ତୁ କାନ୍ଦି କାନ୍ଦି କହିଲା ଭାସ୍ଵତୀ, ‘ସେ ଅନେକ ଆଗେଇ ଯାଇଛନ୍ତି ଭାଉଜ । ତାଙ୍କୁ ଧରି ରଖିବା କିଛି ମାନେ ହୁଏନା । ସେ ନୂଆ ସଂସାର କରନ୍ତୁ... ସୁଖରେ ରହନ୍ତୁ..ଏତେବେଳେ ମୋର କ’ଣ କରିବା ଉଚିତ ହେବ ତମେ କୁହ... ।’

ମୈତ୍ରେୟୀ କହିଲେ, ‘ତମେ ଚାଲିଆସ ଏଇଠି ଆଲୋଚନା କରିବା, ଭାବିବା, ପରବର୍ତ୍ତୀ ପଦକ୍ଷେପ କ’ଣ ନବାକୁ ହେବ ସ୍ଥିର କରିବା । ତମ ଭାଇମାନେ ଥିବେ, ମୁଁ ଥିବି... ।’

‘କିନ୍ତୁ ଗୋଟିଏ ଅନୁରୋଧ ଭାଉଜ, ମତେ ତମେ ଆଉ ବାଧ୍ୟ କରିବନି ବିଶ୍ଵମୋହନ ସହିତ ରହିବା ପାଇଁ । ସେ ନୀଡ଼ ଭାଙ୍ଗି ଉଡ଼ି ଯାଇଛନ୍ତି... ସେଇ ନୀଡ଼ରେ ଆଉ ଆମେ ଦୁହେଁ ଏକତ୍ର ରହିପାରିବୁ ନାହିଁ । ମୁଁ ଚାକିରି ଛାଡ଼ିନି । ଛୁଟି ନେଇ ଆସିବି । ତା’ପରେ କ’ଣ କରିବି ଚିନ୍ତା କରିବି... ।’

ଭାସ୍ୱତୀ ଟେଲିଫୋନ୍ ରଖି ଦେଲା ।

ମୈତ୍ରେୟୀ କିନ୍ତୁ ବୁଡ଼ିଗଲେ ଅଗାଧ ସମୁଦ୍ରରେ । ଅଣନିଃଶ୍ଵାସୀ ହେବାପରି ଅନୁଭବ କଲେ ସେ । ଭାସ୍ଵତୀ ପରି ଗୁଣବତୀ ଝିଅର ଯଦି ଏହାହିଁ ଭାଗ୍ୟଲିପି ତେବେ ଅସହାୟା, ନିରାଶ୍ରୟା ଝିଅମାନେ ପୁରୁଷ ହାତରୁ କେତେ ନିର୍ଯ୍ୟାତନା ପାଉଥିବେ ତାହା ସହଜରେ ଅନୁମାନ କରିହେବ । ମନୋଜଙ୍କୁ କହିଲେ ସେ ଭାଙ୍ଗି ପଡ଼ିବେ, ନ କହି ବି ଚାରା ନାହିଁ । ଭାସ୍ଵତୀ ଆଉ ତା’ ବଡ଼ ଭଉଣୀ ଶାସ୍ଵତୀ ତାଙ୍କୁ ଶ୍ରଦ୍ଧା ସମ୍ମାନ କରନ୍ତି, ତାଙ୍କ ଉପରେ ଭରସା ଓ ବିଶ୍ଵାସ ରହିଛି ।

ଅଳ୍ପ ସମୟ ପରେ ମନୋଜ ଆସି ପହଞ୍ଚିଲେ ବିଶ୍ଵବିଦ୍ୟାଳୟରୁ । ମୈତ୍ରେୟୀଙ୍କୁ ଚାହିଁ ଦେଇ କହିଲେ ସେ, ‘କ’ଣ ହୋଇଛି, ତମ ଦେହ ଭଲ ଅଛି ତ ? ଏମିତି ଭାଙ୍ଗିପଡ଼ିଲା ପରି ଦିଶୁଛ... !’

 

ମୈତ୍ରେୟୀ କିଛି ଉତ୍ତର ଦେଲେ ନାହିଁ, ବରଂ ଉଠି ଚାଲିଗଲେ ଚା’ ଜଳଖିଆ ଆଣିବା ପାଇଁ ।

 

ମନୋଜ ଖାଉଥିବାବେଳେ ପୁଣି କହିଲେ, ‘ତମର କ’ଣ ହୋଇଛି କହୁନ କାହିଁକି ? ଏମିତି ଶୁଖିଲା ମୁହଁ ତ ମୁଁ କେବେ ଦେଖିନି... ।’

 

ମୈତ୍ରେୟୀ ଅପେକ୍ଷା କରୁଥିଲେ ସେ ଜଳଖିଆ, ଚା’ ଖାଇସାରିବା ପର୍ଯ୍ୟନ୍ତ । ତା’ପରେ ପ୍ରାୟ ଅସ୍ପଷ୍ଟ ସ୍ୱରରେ କହିଲେ, ‘ଭାସ୍ୱତୀର ବଡ଼ ବିପର୍ଯ୍ୟୟ ଘଟିଯାଇଛି...।’

 

ଉଦ୍‌ବିଗ୍ନ ମନୋଜ କହିଲେ, ‘କ’ଣ ହେଲା ଭାସ୍ଵତୀର । ସାତ ଆଠଦିନ ପୂର୍ବେ ଫୋନ୍‌ର କେତେକଥା କହୁଥିଲା । ହଠାତ୍ କ’ଣ ହେଲା ? କ’ଣ ହେଲା କହୁନ ଯେ... ।’

 

- ‘ବିଶ୍ଵମୋହନ ତାଙ୍କୁ ଡିଭୋର୍ସ କରି ତାଙ୍କ ଅଫିସର ଜଣେ କନିଷ୍ଠ ଅଫିସର ଋତୁପୂର୍ଣ୍ଣା ଚାଟାର୍ଜୀକୁ ବାହା ହେବାକୁ ଚାହେଁ । ଅବଶ୍ୟ ସେ ଏ ବିଷୟରେ କେତେଦୂର ଆଗେଇଲାଣି ଜାଣେ ନାହିଁ ।’

 

ଶୂନ୍ୟରୁ, ଖସିଲେ ମନୋଜ । ମୁହୂର୍ତ୍ତେ ବସି ରହିଲେ ଶୂନ୍ୟକୁ ଚାହିଁ । ତା’ପରେ କହିଲେ, ’ଏତେ ଲମ୍ବା ମଧୁର ଦାମ୍ପତ୍ୟ ସମ୍ପର୍କ ସାଙ୍ଗେ ସାଙ୍ଗେ ଶେଷ ହୋଇଗଲା ? ଭାସ୍ଵତୀ ରାଜି ହେଲା କାହିଁକି, ଦସ୍ତଖତ କରିବା ଆଗରୁ ପଚାରି ପାରିଥାନ୍ତା... ।’

 

- ‘ନା ସେ ଡିଭୋର୍ସ ପାଇଁ ରାଜି ହୋଇନି । ଇଏ ଦିନକର ଘଟଣା ନୁହଁ, କେତେ ସପ୍ତାହ ଧରି ଚାଲିଥିଲା ବିଶ୍ୱମୋହନର ରାସଲୀଳା । ଭାସ୍ଵତୀ ପରି ସରଳା ଝିଅ ଜାଣିପାରିଲା ନାହିଁ ସ୍ଵାମୀର ଏଇ ପ୍ରେମ କାହାଣୀ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ବିଶ୍ଵାସ ଓ ବୁଝାମଣା ଥିବା ପର୍ଯ୍ୟନ୍ତ ସବୁ ଠିକ୍ ଚାଲିଥାଏ । ଥରେ ସେତୁ ଭାଙ୍ଗିଗଲେ ସବୁ ସରିଯାଏ ।’

 

ମନୋଜଙ୍କ ଆଖ୍‌ରୁ କେତେବେଳେ ଦୁଇବୁନ୍ଦା ଲୁହ ଝରି ପଡ଼ିଲା ଜାଣିପାରିଲେ ନାହିଁ ମୈତ୍ରେୟୀ । ବରଂ ତାଙ୍କ ବିଷର୍ଣ୍ଣ ମୁହଁ ଦେଖି ମନୋଜ କହିଲେ, ‘‘ଯାହା ହେବାର ହୋଇଯାଇଛି । କାଚ ଫାଟିଗଲେ ଆଉ ଯୋଡ଼ି ହୁଏ ନାହିଁ । ଭାସ୍ଵତୀ ଦୁଇତିନି ଦିନ ମଧ୍ୟରେ ଆସି ପହଞ୍ଚିବ... ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ସମ୍ପର୍କଟା ଭାଙ୍ଗି ନ ଦେଇ ଚେଷ୍ଟା କର ପୁନରୁଦ୍ଧାର କରିବା ପାଇଁ ।’’

 

ମନୋଜ ଚାହିଁଥିଲେ, ତାଙ୍କ ଦୃଷ୍ଟି ଭାସି ବୁଲୁଥିଲା ଶୂନ୍ୟରେ । ମାନବିକ ସମ୍ପର୍କକୁ ନେଇ ଗଢ଼ିଉଠିଥିବା ଏଇ ବିଶାଳ ସମାଜରେ ସ୍ନେହ, ବୁଝାମଣା, ସମ୍ବେଦନ ଥିବା ପର୍ଯ୍ୟନ୍ତ ସମ୍ପର୍କ ଗଢ଼ି ହେଉଥାଏ, କୁମ୍ଭାର ଚକରେ ମାଟିପାତ୍ରଟିଏ ଗଢ଼ି ହେବା ପରି । ଯେତେବେଳେ ଗଢ଼ିବା କାମରେ ବାଧା ସୃଷ୍ଟି ହୁଏ, ଚକ ଵନ୍ଦ ହୋଇଥାଏ ସେତେବେଳେ କେବଳ କୁମ୍ଭାର ବସି ବସି ତା’ ସୃଷ୍ଟିର ଛନ୍ଦ ପତନକୁ ନିରୀକ୍ଷଣ କରୁଥାଏ ଅସହାୟ ଭାବରେ ।

 

ମନୋଜ କେତେ ସମୟ ଧରି ଭାବିଲେ । ମନେପଡ଼ିଲା କୋଡ଼ିଏ ବାଇଶ ବର୍ଷ ପୂର୍ବର କଥା । ଭାଇମାନଙ୍କ ଅପେକ୍ଷା ଦୁଇ ଭଉଣୀ ଶାସ୍ଵତୀ ଓ ଭାସ୍ଵତୀକୁ ସେ ବେଶୀ ଶ୍ରଦ୍ଧା କରୁଥିଲେ ବୋଲି ବାପା ଧୀରେ ଧୀରେ କହୁଥଲେ । ସେମାନେ ତ ଶାଶୁ ଘରକୁ ଦିନେ ନା ଦିନେ ଚାଲିଯିବେ-। ସେତେବେଳେ ନାମଟା ସିନା ରହିବ କିନ୍ତୁ ସାଙ୍ଗିଆ, ଗୋତ୍ର ସବୁ ବଦଳିଯିବ । ଆଉ ବାପା ମା’ଙ୍କୁ ପିଣ୍ଡ ନବାଢ଼ି ଶାଶୁ ଶ୍ୱଶୁରଙ୍କ ପିଣ୍ଡ ବାଢ଼ିବ । ବାପା ମା’ ମରିଗଲେ ଶୋଧ ହେବା ଦରକାର ହେବନି, କିନ୍ତୁ ଶ୍ୱଶୁର ଶାଶୁ ଚାଲିଗଲେ ବାଆର ଦିନ ଧରି କ୍ରିୟାକର୍ମ କରିବାକୁ ପଡ଼ିବ । ସେଇଥିପାଇ ବୋଧହୁଏ ଝିଅମାନଙ୍କ ମନରେ ଗୋଟେ ଗଭୀର ଅସନ୍ତୋଷ ରହିଯାଏ ଯେ ସେମାନେ ଭାଇମାନଙ୍କ ପରି ପିତାମାତା ଓ ପରିବାରର ହୋଇ ରହନ୍ତି ନାଇଁ । ଛିନ୍ନମୂଳ ଅମରିଲତା ପରି ଆଉ ଗୋଟେ ଡାଳକୁ ଆଶ୍ରା କରି ପଡ଼ିରହନ୍ତି । ଭାଇମାନେ ପ୍ରଥମରୁ ସ୍ନେହ ଶ୍ରଦ୍ଧାରୁ ବଡ଼ ଭାଗ ଭଉଣୀମାନଙ୍କୁ ଦେଇଥିଲେ ଝିଅମାନଙ୍କ ସେଇ ଅବଶୋଷ ଅନ୍ତତଃ ଟିକେ ତ କମିବ ।

 

ଅପୁର ଭାଗ୍ୟ ଖରାପ କିମ୍ବା ତାଙ୍କ ଭାଗ୍ୟରେ ଭଲ ଯୋଗ ନାହିଁ । ଏଇ କଥା ଭାବୁଥିଲେ ମନୋଜ । ସେ ଘରର ମୁରବୀ । ସେ କର୍ମଠ ଥିବାବେଳେ ସାନଭାଇକୁ ରକ୍ଷା କରିପାରିଲେ ନାହିଁ । ବିଧାତାର ବୋଧହୁଏ ଏୟା ଇଚ୍ଛା । ନ ହେଲେ ସେ ନ ଥିବାବେଳେ ଏତେ ଅଘଟଣ ଘଟି ନ ଥାନ୍ତା । ସେ ହସ୍‌ପିଟାଲରୁ ଛାଡ଼ ପାଇବା ଆଗରୁ ଭାସ୍ଵତୀର ସୁନାର ସଂସାର ଉଜୁଡ଼ି ଗଲା । କଥାରେ କହନ୍ତି ଈଶ୍ଵର ଯାହା କରନ୍ତି ମଙ୍ଗଳ ପାଇଁ । ହୁଏତ ଏଇ ଛୋଟ ବଡ଼ ବିପର୍ଯ୍ୟୟଠାରୁ ଆହୁରି କିଛି ମାରାତ୍ମକ ବିପର୍ଯ୍ୟୟ ଛକି ଥିଲା ଅନ୍ଧାର କୋଣରେ, ପ୍ରଭୁ ରକ୍ଷା କରିଦେଲେ, ଅଳପରେ କଟିଗଲା । କିନ୍ତୁ ଭାସ୍ଵତୀ ସାରା ଜୀବନ ଏକା କଟାଇ ପାରିବ ?

 

ଏଇ ପ୍ରଶ୍ନଟାର ଉତ୍ତର ଖୋଜୁଥିବାବେଳେ କେତେବେଳେ କିଛିକ୍ଷଣ ପାଇଁ ଆଖିପତା ଲାଗିଗଲା ଜାଣିପାରିଲେ ନାହିଁ । ସେ ବେତ ଚୌକିରେ ଆଖି ବୁଜି ବସିଥିଲେ । ସମୁଦ୍ରର ଢେଉମାନଙ୍କ ପରି ଗୋଟିକ ପରେ ଆଉ ଗୋଟିଏ ଭାବନା ତାଙ୍କ ଉପରେ ଢେଉ ଭାଙ୍ଗି ଫେରି ଯାଇଥିଲା ଅନିର୍ଦ୍ଦିଷ୍ଟଭାବେ । ମଣିଷର ବୋଧହୁଏ ଏହାହିଁ ନିୟତି । ସମୁଦ୍ରର ଢେଉ ଆଗରେ ସମ୍ରାଟ୍‍ ମଧ୍ୟ ମଥା ଉଚ୍ଚ କରି ଛିଡ଼ା ହେଲେ ତାଙ୍କୁ କଚାଡ଼ି ଦବ ଢେଉ, କିନ୍ତୁ ଯଦି ମଥା ନୁଆଁଇ ଦିଅନ୍ତି ତେବେ ପାଣି ମଥା ଉପରେ ଚାଲିଯିବ କିଛି କ୍ଷତି ନ କରି । ବିପଦଗୁଡ଼ା ସାଙ୍ଗସାଥି ହୋଇ ଆସନ୍ତି । ଡରି ନ ଯାଇ ସେସବୁକୁ ସାମନା କରିବାକୁ ହେବ । ସମସ୍ୟାକୁ ଧରି ସଂକଟ ଆସୁଛି ବୋଲି ଉୟରେ ଛାନିଆଁ ହୋଇ ଯେଉଁମାନେ ପଳାଇବା ପାଇଁ ଚେଷ୍ଟା କରନ୍ତି ସେମାନଙ୍କ ମୁହଁମାଡ଼ି ପଡ଼ିବା ସାର ହୁଏ; କିନ୍ତୁ ଆତ୍ମବିଶ୍ଵାସ, ସାହସ ଓ ମନର ଦୃଢ଼ତା ନେଇ ଯିଏ ଏସବୁକୁ ସାମନା କରେ ସେ ହଁ ଯୁଦ୍ଧ ଜୟ କରେ ।

 

ପିଲାମାନଙ୍କୁ ଖୁଆଇ ଶୁଆଇ ଦବା ପରେ ମନୋଜଙ୍କ ସାମ୍ନାରେ ବସିଲେ ମୈତ୍ରେୟୀ ରାତି ଭୋଜନ କରିବା ପାଇଁ । ଖରା ଦିନ । ପଖାଳ, ବଡ଼ିଚୁରା, ମାଛଭଜା, ପିଆଜ ଭଜା ଓ ଆଳୁଚଟଣି ବାଢ଼ିଥିଲେ ମୈତ୍ରେୟୀ । ମନୋଜ ପଖାଳ ଖାଇବା ପାଇଁ ଭଲ ପାଆନ୍ତି ବୋଲି ଆଜି ସେ ନିଜେ ସବୁ କରିଥିଲେ ।

 

ପ୍ରାୟ ଦଶଦିନ ଧରି ସ୍ୱାମୀ ସ୍ତ୍ରୀ ଏକାଠି ବସି ଖାଇ ନ ଥିଲେ ବା ଗପସପ କରି ନ ଥିଲେ । ଦିନ ଏମିତି ଥିଲା ଯେତେବେଳେ ଭାଇ ଭଉଣୀ ଶାଶୁ ଶ୍ୱଶୁର ଓ ଛୋଟ ଛୋଟ ପିଲଙ୍କ ତତ୍ତ୍ଵ ନେଇ ସାରିବାବେଳକୁ କ୍ଲାନ୍ତ ହୋଇ ପଡ଼ିଥାନ୍ତି ମୈତ୍ରେୟୀ । ମନୋଜ ଆସନ୍ତାକାଲି ପାଇଁ ନୋଟ୍ ପ୍ରସ୍ତୁତ କରି ଟେବୁଲରେ ବସିବାବେଳକୁ ଏଗାରଟା ବାଜି ଯାଇଥାଏ । ଡେଣା ଭିତରେ କୁଙ୍କୁଡ଼ି କାଙ୍କୁଡ଼ି ବସି ଘୁମଉଥିବା ପାରା ପରି ଗୋଟିଏ କୋଣରେ ବସିଥିବା ସ୍ତ୍ରୀଙ୍କୁ ହାତଧରି ଉଠାଇ ଦେଇ ମନୋଜ କହନ୍ତି - ‘ମୁଁ ଦୁଃଖିତ ମୈତ୍ରେୟୀ । ତମକୁ କଷ୍ଟ ହେଉଥିବ ନିଶ୍ଚୟ... ।’

 

ସ୍ଵାମୀଙ୍କ କଥା ଶୁଣି ମୈତ୍ରେୟୀ ହାଲୁକା ଅନୁଭବ କରୁଥିଲେ । ଉଠିପଡ଼ି ମୁହଁ ଉପରେ ହସ ଖେଳାଇ କହୁଥିଲେ - ‘ତମେ ଏତେ କାମ କରୁଛ, ମୁଁ ତ କିଛି ସାହାଯ୍ୟ କରିପାରୁନି, ତେବେ ପ୍ରତିବନ୍ଧକ ହେବି କାହିଁକି ?’

 

ଶୋଇବାବେଳେ ତାଙ୍କ ହାତଟା ମୈତ୍ରେୟୀଙ୍କ ଛାତି ଉପରେ ପକାଇ ଦେଇ ଶୋଇପଡ଼ନ୍ତି । ସେଇ ହାତର ଅଭୟ ସ୍ପର୍ଶ ପାଇ ଭାବନ୍ତି ମୈତ୍ରେୟୀ ଯେ ତାଙ୍କ ଜୀବନ ସାର୍ଥକ ହୋଇଛି । ସେ ବି ସ୍ଵାମୀଙ୍କ ଉପରେ ତାଙ୍କ ହାତ ଲମ୍ବାଇ ଦେଇ ପରମ ନିଶ୍ଚିନ୍ତରେ ଶୋଇପଡ଼ନ୍ତି ।

 

କେତେ ରାତି ହେବ କେଜାଣି । କ’ଣ ଗୋଟେ ଶବ୍ଦ କାନରେ ବାଜିବାକୁ ଧଡ଼୍‌କିନା ଉଠି ବସିଲେ ମୈତ୍ରେୟୀ ।

 

ଶବ୍ଦଟା ଯେ ଘର ଭିତରର ମୁହଁ ବାହାରର ତାହା ସେ ଅନୁମାନ କରି ଝରକା ପାଖକୁ ଯାଇ ପର୍ଦ୍ଦା ଠେଲି ଚାହିଁଲେ । ଗୋଟାଏ ଛାୟାମୂର୍ତ୍ତି ଘୁଞ୍ଚିଯିବା ପରି ଲାଗିଲା ତାଙ୍କୁ । ସେ ଟର୍ଚ୍ଚଟା ଆଣି ଆଲୁଅ ପକାଇଲେ । ହଠାତ୍ ତାଙ୍କ ଘର ଜଗୁଆଳି ଅଲସେସିଆନ୍‌ଟା ଭୋକି ଭୋକି ଗେଟ୍ ଆଡ଼କୁ ଦୌଡ଼ିଗଲା ଏବଂ ସାଙ୍ଗେ ସାଙ୍ଗେ କେହି ଜଣେ ଫାଟକ ସେପାଖକୁ ଡେଇଁ ପଡ଼ିବା ଦେଖି ମୈତ୍ରେୟୀ ଡାକିଲେ ମନୋଜଙ୍କୁ ।

 

ତାଙ୍କ ନେଇ ବାହାରକୁ ଯିବା ବେଳକୁ ବଂଶୀ ମଧ୍ୟ ଉଠି ସାରିଥିଲା । ସେମାନେ ଘରସବୁ ଦିଗ ଖୋଜି ଆସିଲେ, କିନ୍ତୁ କେହି ଦୃଷ୍ଟିରେ ପଡ଼ିଲେ ନାହିଁ । ମନୋଜ କହିଲେ ହୁଏତ ରାସ୍ତାରେ କେହି ଯାଉଥିବା ଦେଖି ହିରୋ ଉଠି ବସିଥିବ । ହିରୋଠାରୁ ଆଉ କେହି ବେଶୀ ବିଶ୍ଵସ୍ତ ଜଗୁଆଳି ଯେ ମିଳିବେ ନାହିଁ ଏକଥା ଥରେ ନୁହେଁ ଅନେକ ଥର କହିଛନ୍ତି ମନୋଜ । ଏଇ ହିରୋ ମାସକର ହୋଇଥିବାବେଳେ କିଣି ଆଣିଥିଲେ ଜଣେ ଆଙ୍ଗ୍‍ଲୋ ଇଣ୍ଡିଆନ ଟ୍ରେନ୍ ଡାଇଭର ପାଖରୁ ପାଞ୍ଚଶହ ଟଙ୍କାରେ । ଏବେ ଆଲସେସିଆନ କୁକୁର ‘ହିରୋ’ ବରଷକର । ଏଇ ବରଷକରେ ସେ ଚବିଶ ବର୍ଷର ଜବାନ୍ ପରି ସନ୍ଦେହୀ ଲୋକଙ୍କୁ ଗୋଡ଼ାଏ, କେହି ଜଣେ ନବାଗତ ସେଟ ବାଟ ଦେଇ ଚାଲିଗଲେ ଡେଇଁବା ଆରମ୍ଭ କରି ଭୋକି ଭୋକି ସମସ୍ତଙ୍କୁ ଉଠାଇ ଦିଏ । ଏଇ ଆନୁଗତ୍ୟ ଦେଖି ମନୋଜ କହନ୍ତି - ବାଃ ! ପ୍ରକୃତରେ ହିରୋ ।

 

ତା’ ପରେ କହିଲେ, ‘‘ରାତି ଅନେକ ହେଲାଣି, ଚାଲ ଶୋଇପଡ଼ିବା ।’’ ଦୁହେଁ ଚାଲିଗଲେ ଶୟନ କକ୍ଷକୁ ।

 

Unknown

(ଚାରି)

 

ଗୋଆରୁ ଫେରିବା ବାଟରେ ପଦ୍ମଜା କହିଲା, ‘ଆଉ କେତେଦିନ ନୀରବରେ ଘରେ ରହିବା ଆମେ ? ସହରକୁ ଉଠି ଆସିଲେ ଆମ ପ୍ରାକ୍‌ଟିସ ଜମିବ, ନର୍ସିଂହୋମ୍‌ରେ ଡିଉଟି ନ କରି’ ଆମେ ବି ଗୋଟେ ନର୍ସିଂହୋମ୍‍ କରିବା । ରାଜଧାନୀର ଲୋକସଂଖ୍ୟା ବଢ଼ୁଛି, ରୋଗୀଙ୍କ ସଂଖ୍ୟା ବି ବଢ଼ୁଛି । ମୁଁ ଗାଇନିକ ସମ୍ଭାଳିବି, ତମେ ପେଡ଼ିଆଟ୍ରିକ୍ସ ସମ୍ଭାଳିନବ । ଆଉ ଦୁଇତିନିଜଣ ଡାକ୍ତରଙ୍କ କନସଲ୍‌ଟାଣ୍ଟ ରଖିଲେ ଜେନେରାଲ ସର୍ଜରୀ ଓ ଅର୍ଥପେଡ଼ିକ୍ସ ବିଭାଗ ଦେଖିବେ । ଏନାସ୍ଥେନିଷ୍ଟ ଆଉ ଫିଜିଓଲୋଜି ପାଇଁ ବ୍ୟବସ୍ଥା କରିବାକୁ ହେବ ।’

 

- ‘ମୋ ମନକୁ ଯେ ଏ ଭାବନା ଆସିନାହିଁ, ତାହା ନୁହେଁ । କିନ୍ତୁ ଆମେ ସେଠାରେ ରହି ବି ତ ନର୍ସିଂହୋମ୍ ଖୋଲିବାରେ ବାଧା ନାହିଁ । ଯଦି କରିବା ତ ଭଲ କରି କରିବା । ସମୟ ଲାଗିବ ଅବଶ୍ୟ । ଗୋଟେ ବଡ଼ ଘର ଯଦି ଶହୀଦ ନଗର, ବମିଖାଲ ବା ଭିଏସ୍‌ଏସ୍ ନଗରରେ ମିଳିଯାଏ ତେବେ କିଛି ଅସୁବିଧା ହେବ ନାହିଁ । ପୋଲ ପାରି ହେଲେ ଭୁବନେଶ୍ଵର... ।’ କହିଲା ସରୋଜ ।

 

‘ତମେ କ’ଣ ନହରକଣ୍ଟା ଘର ଛାଡ଼ି ବାହାରକୁ ଯିବା ପାଇଁ ଚାହୁଁନ... କ’ଣ ଅଛି ସେଠାରେ... ଜାଗା ଅକୁଳାଣ ହେଉଛି... ଅତିଥି ଅଭ୍ୟାଗତ ରହିଲେ ଆଡ଼ଜଷ୍ଟମେଣ୍ଟ୍‍ କରି କାମ ଚଳାଇ ନବାକୁ ହୁଏ । ଆଜିକାଲି ସମେସ୍ତ ଚାହାନ୍ତି ପ୍ରାଇଭେସି... ଶୋଇବା ଘର ସହିତ ସ୍ଵତନ୍ତ୍ର ଟୟଲେଟ୍‌ ଫେସିଲିଟି... ।’ କହିଲା ପଦ୍ମଜା ।

 

- ‘‘ଠିକ୍‌ ସେୟା ନୁହେଁ, ଭାଇ ଭାଉଜ ଓ ପିଲାମାନଙ୍କୁ ଛାଡ଼ି ଆମେ ସହରକୁ ଉଠି ଆସିବା ସ୍ଵାର୍ଥପରତା ହେବ... ଲୋକଙ୍କୁ ଭଲ ଦିଶିବନି... ।’ ମନ୍ତବ୍ୟ କଲା ସରୋଜ ।

 

- ‘‘ଲୋକଙ୍କୁ କ’ଣ ଭଲ ଦିଶିବ, କ’ଣ ନାହିଁ ସେୟା ଭାବିଲେ ଆମେ ଆଦୌ ଆଗେଇ ପାରିବା ନାହିଁ । ଆଉ ଜଏଣ୍ଟ୍ ଫ୍ୟାମିଲିରେ ରହିବା କେଡ଼େ କଷ୍ଟ ତମେ ବୁଝିପାରିବନି.... ତମେ ତ ବାହାରେ ବାହାରେ ବୁଲ... ମୁଁ କିନ୍ତୁ ଏଇ ଭିଡ଼ ଭିତରକୁ ମୋ ବନ୍ଧୁମାନଙ୍କୁ କେବେ ଡାକିପାରେନାହିଁ... ।’’ ମୁହଁ ଛିଛାଡ଼ି କହିଲା ପଦ୍ମଜା ।

 

- ସ୍ତ୍ରୀକୁ ସନ୍ତୁଷ୍ଟ କରିବା ପାଇଁ କହିଲେ ସରୋଜ, ‘କିନ୍ତୁ ଘରଛାଡ଼ି ଆମେ ସହରକୁ ଉଠିଯବା କଥା ମୁଁ କହପାରିବିନି ଭାଉଜଙ୍କୁ । ଭାଇକୁ କହିବା ବି ମୋ’ଦ୍ୱାରା ହୋଇପାରିବ ନାହିଁ । ଭାବୁଛି ଆଉ କ’ଣ କରାଯାଇପାରେ... ।‘

 

- ‘ତମେ ନ କହିଲେ ମୁଁ କହିବି ତାଙ୍କୁ । ସେ ତାଙ୍କ ସୁବିଧା ଦେଇ ରହନ୍ତୁ... ଆମେ ଆମ ସବୁଧା ଦେଇ ରହିବୁ । ଏଥରେ ବାଧା ଦେବେ କାହିଁକି ?’ କହିଲୋ ପଦ୍ମଜା ।

 

ଆଉ କଥା ବଢ଼ାଇବା ପାଇଁ ଚାହୁଁ ନ ଥଲା ସରୋଜ । ସେ କହିଲା, ‘ହଉ ମତେ ଭାବିବାକୁ ଦିଅ... ଗଢ଼ିବା କେଡ଼େ କଷ୍ଟ ଆଉ ଭାଙ୍ଗିବା କେଡ଼େ ସହଜ ଏୟା ସମସ୍ତେ ବୁଝିପାରନ୍ତି ନାଇ... ।’

 

ଯେପରି କୁମ୍ଫି ଅଗରେ କିଏ ନିଆଁ ଲଗାଇ ଦେଲା । ନିଆଁ ଲାଗିଲେ ଯେପରି ଉପରକୁ ରଙ୍ଗୀନ ଶୀର୍ଷା ଉଠେ ସୁ ସୁ କରି ସେଇପରି ରାଗ ଓ ଅଭିମାନର ସୁଁ ସୁଁ ହେଉଥିଲା ପଦ୍ମଜା । ‘ଫେମିନା’ଟା ଫୋପାଡ଼ି ଦେଇ ଶୋଇ ପଡ଼ିଲା ବର୍ଥରେ । ସରୋଜ ଜାଣେ ଯେ ଥରେ ରାଗିଗଲେ ପଦ୍ମଜାର ରାଗ ସହଜରେ ଶାନ୍ତ ହୁଏ ନାଇଁ । କିଛି ସମୟ ଚୁପ୍‌ଚାପ୍‌ ବସି ରହିଲା ଗୋଟେ ମାଗାଜିନ୍‌ ଧରି ।

 

କୋଣାର୍କ ଏକ୍ସପ୍ରେସ୍‌ ଗୋଦାବରୀ ନଦୀ ପାର ହେଉଥିଲା ସେତେବେଳେ । ଗୋଦାବରୀ ନଦୀରେ ଥରେ ବୁଡ଼ ପକାଇବା ପାଇଁ ଆସିଥିଲେ ବାପା, ମା’ । ସେତେବେଳେ ସେ କଲେଜ ଛାତ୍ର ଥିଲା । ଗୋବିନ୍ଦଦ୍ଵାଦଶୀ ଦିନ ଗୋଦାବରୀର ସ୍ନାନ ଯୋଗ କୁଆଡ଼େ, ଅତି ପବିତ୍ର ଦିନ । ପାପ ଧୋଇ ହୋଇଯାଏ ସବୁ । ମା’ ମୁହଁରୁ ଏଇ ତତ୍ତ୍ୱ ଶୁଣି ହସିଥିଲା ସେ । ମା’ଙ୍କ ବିଶ୍ୱାସରେ ବାଧା ନ ଦେଇ ସେ କହିଥିଲା ଯେ ଯଦି ଗୋଦାବରୀରେ, ଗଙ୍ଗାରେ ବା ମହୋଦଧିରେ ସ୍ନାନ କଲେ ପୂଣ୍ୟ ଅର୍ଜନ କରାଯାଏ ଏବଂ ପାପ ଧୋଇ ହୋଇଯାଏ ତେବେ ଭାରତରେ ପୂଣ୍ୟାତ୍ମାମାନଙ୍କ ଭିଡ଼ ଜମିଥାନ୍ତା । କିନ୍ତୁ ତା’ ବଦଳରେ ପାପ କରୁଥିବା, ଅପରାଧ କରୁଥିବା ଲୋକଙ୍କ ସଂଖ୍ୟା ବଢୁଛି । ଧର୍ମ ମାଧ୍ୟମରେ ପାପ କ୍ଷାଳନ କରି ପୁଣି ପୂଣ୍ୟାତ୍ମା ହେବା ସକାଶେ ଉଦ୍ୟମ ଚାଲିଛି ।

 

ବାପାଙ୍କ ସ୍ଵର୍ଗବାସ ହେବା ପୂର୍ବରୁ ଦିନେ ପୁଅ ଝିଅ ଓ ବୋହୂଙ୍କୁ ଡାକି କହିଥିଲେ ସେ, ‘ମୁଁ ଜାଣି ଜାଣି କାହାରି ଅନିଷ୍ଟ କରିନାହିଁ; ବରଂ ଯଥାସାଧ୍ୟ ସାହାଯ୍ୟ କରିଛି, ପରର ମଙ୍ଗଳ କରିବା ପାଇଁ ଚେଷ୍ଟା କରିଛି । ମୁଁ ଆଶା କରିଛି ଯେ ତୁମେ ସମସ୍ତେ ଏଇ ନୀତି ବଜାୟ ରଖିବ । ମୁଁ ନିଶ୍ଚିନ୍ତରେ ମରିବା ପୂର୍ବରୁ ତୁମମାନଙ୍କଠାରୁ ଗୋଟିଏ ପ୍ରତିଶ୍ରୁତି ଚାହୁଁଛି - ସମସ୍ତେ ଦୁଃଖସୁଖର ସାଥୀ ହେବ, ଗୋଟିଏ ଛାତ ତଳେ ସଦ୍‌ଭାବ ସହଯୋଗ ରକ୍ଷା କରି ଚଳିବ !’’ ଏତକ କହିସାରି ସେ ପିଲାମାନଙ୍କ ମୁହଁକୁ ଚାହିଁଲେ ଏବଂ ସମସ୍ତେ ମଥା ହଲାଇ ସମ୍ମତି ଜଣାଇଥିଲେ । ସହରକୁ ଉଠି ଆସିଲେ ସେଦିନ ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତି ତେବେ ଭାଙ୍ଗିବାକୁ ହେବ । ଗୋଟିଏ ଛାତ ତଳେ ଭାଇମାନେ ଏକତ୍ର ନ ରହି ଭିନ୍ନେ ହୋଇଗଲେ ଅବଶ୍ୟ ଯିଏ ଯାହାର କର୍ମଫଳ ଭୋଗ କରିବ; କନ୍ତୁ ଗୋଟିଏ ଛାତ ତଳେ ଏକାନ୍ନବର୍ତ୍ତୀ ପରିବାରର ସୁଖଦୁଃଖରେ ଭାଗୀ ହେବାର ସୌଭାଗ୍ୟ ଆଉ ମିଳିବ ନାହିଁ । ପଦ୍ମଜା କେବଳ ଦୁଇଜଣଙ୍କ ସ୍ଵାର୍ଥରକ୍ଷା ଚିନ୍ତା କରୁଛି କିନ୍ତୁ ବାପା ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିବା ପାଇଁ ଇଚ୍ଛା କରିଥିଲେ । ସେମାନେ ଯଦି ନର୍ସିଂହୋମ୍‍ କରିବା ବାହାନା କରି ଉଠିଆସନ୍ତି ତେବେ ଘରର ଛାତ ଖସିପଡ଼ିବନି, ବିନୁ ମନ ଭାଙ୍ଗିଯିବ, ହାଣ୍ଡି ଫାଟିଯିବ ।

 

କିନ୍ତୁ ବୋଧହୁଏ କିଛି ନୂଆ କଥା କହିବା ପାଇଁ ଆଉଟ୍‌ ପାଉଟ୍‌ ହେଉଥିଲା ପଦ୍ମଜା । ଘଣ୍ଟାଏ କାଳ ଚୁପ୍‌ଚାପ୍‍ ବସିଥିଲେ ଦୁହେଁ । ପଦ୍ମଜା ଦୀର୍ଘ ସମୟ କଥା ନ କହି ରହିପାରେ ନାହିଁ । ତା’ ତୁଣ୍ଡ ଖଲବଲ ହୁଏ । ସେ ଉଠିବସି ଅନାଇଲା ସରୋଜ ଆଡ଼କୁ । କିନ୍ତୁ ସରୋଜ କୌଣସି ପ୍ରତିକ୍ରିୟା ପ୍ରକାଶ କଲା ନାହିଁ । ପଥର ପ୍ରତିମା ପରି ବସି ରହିଲା । ତା’ ପାଖକୁ ଲାଗି ଆସି ପଦ୍ମଜା କହିଲା, ‘ତମେ ହୁଏତ ଭାବୁଥୁବ ଯେ ପରିବାର ଛାଡ଼ି ଅଲଗା ରହିବାର ଅର୍ଥ କ’ଣ ? ମୁଁ କହିବି ଏ ବିଷୟରେ ଟିକେ ଭାବ... ମୁଁ ବି ଭାବୁଛି । ବିକଳ୍ପ ଖୋଜୁଛି । ମୁଁ ଭାଇନା, ସାନଭାଇ ଓ ନାନୀଙ୍କୁ ଛାଡ଼ି ଉଠିଯିବା ପାଇଁ ଚାହୁଁନି । କିନ୍ତୁ ନହରକଣ୍ଟାରେ ବସି ରହିଲେ ତ ଆମ ବୃତ୍ତିଗତ ସଫଳତା ଆପେ ଆପେ ବିକଶିତ ହେବ ନାହି... ।’’

 

ତଥାପି କିଛି କହିଲା ନାହିଁ ସରୋଜ ।

 

ବେହେରା ଆସିଲା ଚା’ର ଅର୍ଡ଼ର ନବା ପାଇଁ ।

 

ସେ କିଛି କହିବା ଆଗରୁ ପଦ୍ମଜା କହିଲା, ‘ଚା’ ସହିତ ଆଉ କ’ଣ ଦେଇପାରିବ ?’

 

ବେହେରା କହିଲା, ‘ସ୍ୟାଣ୍ଡ ଉଇଚ୍, ଆଳୁଚପ, ବରା, ଆମଲେଟ୍‌ ।

 

ପଦ୍ମଜା ଚାହିଁଲା ସରୋଜ ମୁହଁକୁ ।

 

ଆଉ ଚୁପ୍‌ହୋଇ ବସି ରହିଲେ ନିର୍ଦ୍ଦୟ ହେବ ଭାବି କହିଲା ସରୋଜ, ‘ବରା ଆଉ ଚା’ ନେଇଆସ...’

 

ବରଫ ତରଳିବା ଦେଖି ପଦ୍ମଜା ପାଖକୁ ଲାଗି ଆସି କହିଲା, ଆଳୁ ଚିପ୍‌ସ ପ୍ୟାକେଟ୍‍ ଗୋଟେ ଆଣ... ବରା ସହିତ ଭଲ ଜମିବ ।’

 

ସରୋଚ୍ଚ ଉଠିଯାଇ ଫେରିବାଲାଠାରୁ କିଣି ଆଣିଲା ଆଳୁଚିପ୍‌ସ୍‌ ପ୍ୟାକେଟ୍‍ ଗୋଟିଏ ।

 

ପଦ୍ମଜା ଚା’ ଆଣିବା ପାଇଁ ଅପେକ୍ଷା ନ କରି ପ୍ୟାକେଟ୍‍ ଖୋଲି ବଢ଼ାଇଦେଲା ସରୋଜ ଆଡ଼କୁ । ସରୋଜ ଦୁଇଖଣ୍ଡ ଚିପ୍‌ସ୍‌ ଉଠାଇ ନେଇ କହିଲା ତମେ ନିଅ... ।’

 

ପଦ୍ମଜା ଆଳୁଚିପ୍‌ସ୍‌ ଚୋବାଇବାବେଳେ କହିଲା, ‘ତମେ ଯଦି କିଛି ମନେ ନ କର ମୁଁ ଆଉ ଗୋଟେ ପ୍ରସ୍ତାବ ଦିଅନ୍ତି... ।

 

ତା’ ମୁହଁକୁ ଅନାଇ କହିଲା ସରୋଜ, ‘କୁହ... ।’

 

‘‘ସାରୋଗେଟ ମଦର ଜଣକୁ ଖୋଜିଲେ ହୁଅନ୍ତା ନାହିଁ ? ଏମିତି ତ ଅନେକ ଅଛନ୍ତି ବିଦେଶରେ... । ମୁମ୍ୱାଇ, ବାଙ୍ଗାଲୋରରେ ବି ମିଳିପାରନ୍ତି... ।’’

 

‘ତମ ପାଇଁ ସେ ତାଙ୍କ ଗର୍ଭରେ ଶୁକ୍ରାଣୁ ଧାରଣ କରି ସନ୍ତାନ ପ୍ରସବ କଲେ ତମେ ଯଦି ସୁଖୀ ହୁଅନ୍ତ ମୋର ଆପତ୍ତି ନାହିଁ... । କିନ୍ତୁ ଆମ ଝିଅ କ’ଣ ସ୍ଵାତୀ ତ ଅଛି । ସେ କ’ଣ ଯଥେଷ୍ଟ ନୁହେଁ ?’ ପଦ୍ମଜା କହିଲା - ‘ଝିଅ ଜନମ ପର ଘରକୁ । ସେ କ’ଣ ଆମ ସହିତ ରହିବ । ପୁଅ ଥିଲେ ସେ ହେବ ଆମର ଉରରାଧିକାରୀ ।’

 

ସରୋଜ କହିଲା - ‘ତମେ କ’ଣ ଆଉ କାହା ମାଧ୍ୟମରେ ପୁଅ ଚାହୁଁଛ ?’

 

ଲାଜରା ଆଖିରେ କହିଲା ପଦ୍ମଜା - ‘ମୋ ସ୍ଥାନରେ ଯଦି ଆଉ କେହି ତମକୁ ପୁତ୍ର ସନ୍ତାନ ଦେଇପାରେ ତେବେ କ୍ଷତି କ’ଣ ? ଦୈହିକ ସମ୍ପର୍କ ନ ରଖି ମଧ୍ୟ ଏହା କରାଯାଇପାରେ...-। ଆଉଥରେ ଗର୍ଭବତୀ ହେବା ପାଇଁ ମୁଁ ଚାହୁଁନି ।’

 

‘ତେବେ ସାରୋଗେଟ୍ ମଦର କିଏ ହବ ତା’ର ସମ୍ମତି ଉପରେ ନିର୍ଭର କରେ ।’ ଆଳୁ ଚିପ୍‌ସ୍‌ ଚୋବାଇବାବେଳେ କହିଲା ସରୋଜ ।

 

‘ତମକୁ କହିନି, କ୍ଷମା କରିବ । ଗୋଆରେ ହୋଟେଲରେ ଥିବାବେଳେ ଆମ ପାଖ ସୁଇଟରେ ରହୁଥିବା ଆଙ୍ଗ୍‍ଲୋ ଇଣ୍ଡିଆନ୍ ଭଦ୍ର ମହିଳା ମିସେସ୍‌ କ୍ୟୁରିଙ୍କ ସହିତ ଗପୁ ଗପୁ ଏ ବିଷୟରେ ଆଲୋଚନା ହୋଇଥଲା । ସେ କହିଲେ ତାଙ୍କ ଝିଅ ବି ଜଣେ ସାରୋଗେଟ୍‍ ମଦରଙ୍କଠାରୁ ପାଇଛି ଝିଅଟିଏ । ପ୍ରଥମେ ଡୋନର ବାଛିବା ପାଇଁ ହେବ ।

 

ତା’ପରେ ଯେଉଁ ପ୍ରୋସେସ୍‌ ରହିଛି ପ୍ରଥମରୁ ଗର୍ଭାଶୟରେ ଥୋଇବା ପର୍ଯ୍ୟନ୍ତ ଏବଂ ତା’ପରେ ଡେଲିଭରି ପର୍ଯ୍ୟନ୍ତ କେତେକ ସାବଧାନତା ଓ ମେଡ଼ିକେଲ ପଦ୍ଧତି ଅନୁସରଣ କରିବାକୁ ହେବ । ଏକ୍ସପର୍ଟ ଅଛନ୍ତି ଗାଇଡ଼ କରିବା ପାଇଁ । ଅବଶ୍ୟ ସାରୋଗେଟ୍ ମଦରମାନେ କେତେ ଅର୍ଥ ନେବେ ତା’ ଉପରେ ଅନେକଟା ନିର୍ଭର କରେ । ଆଉ ସବୁଠାରୁ ବଡ଼ ବିଷୟ ହେଉଛି ଏ ବିଷୟରେ ପୂର୍ଣ୍ଣ ଗୋପନୀୟତା ଅବଲମ୍ବନ କରିବାକୁ ହେବ । ଆଉଥରେ ପୁଅ ଜନ୍ମାଇବା ପାଇଁ ଗର୍ଭବତୀ ହେବାକୁ ମୁଁ ଚାହୁଁନି । ଅଶେଷ ଯନ୍ତ୍ରଣା । ଏତେକଷ୍ଟ ଜାଣିଥିଲେ ସ୍ୱାତୀକୁ ଜନ୍ମ ଦବାପାଇଁ ମୁଁ ଇଚ୍ଛା କରି ନ ଥାନ୍ତି । କହିଲା ପଦ୍ମଜା ।’

 

- ‘ଲେଟ୍‍ ଅସ୍‌ ଥିଙ୍କ୍‌ ଓଭର ଦି ଇସ୍ୟୁ.... କହିଲା ସରୋଜ ।’

 

କଥା ହେଉଥିବାବେଳେ ଆଳୁଚିପ୍‌ସ୍‌, ଗରମ ବରା ଓ ଗରମ ଚା’ ଖିଆ କେତେବେଳେ ଶେଷ ହୋଇଗଲା ତାହା କେହି ଜାଣିପାରିଲେ ନାହିଁ ।

 

ଭାଇଜାଗରେ ଗାଡ଼ି କୋଡ଼ିଏ ମିନିଟ ରହେ । ଡିନର ସେଇଠି ଖାଇବା ସମୟ । ଏଇ କେତେଦିନ ଧରି ଦକ୍ଷିଣୀ ଖାଦ୍ୟ ଖାଇ ଖାଇ ଆମ୍ବିଳ ଦୋଷ ଲାଗି ଗଲାଣି । ପଦ୍ମଜାର ଅନୁରୋଧ ରକ୍ଷାକରି ସରୋଜ ଅର୍ଡ଼ର ଦେଇଛି ସୁପ, ଚାଓମିନ, ଚିକେନ ବଟର ମସଲା, ବଏଲ୍‌ଡ଼ ଭେଜିଟେବୁଲ, ପୁଣି ଆଉ କଫି ପାଇଁ ।

 

ଗାଡ଼ି ଛିଡା ହେବାକ୍ଷଣି ସରୋଜ ଓହ୍ଲାଇଗଲା ପ୍ଲାଟଫର୍ମରୁ ବୁଲି ଆସିବା ପାଇଁ । ଡବା ଭିତରେ ବସି ବସି ଗୋଡ଼ ବିନ୍ଧିଲାଣି । ସେ ବାହାରିଯିବା ପରେ ଗୋଟେ ମ୍ୟାଗାଜିନ୍‌ବାଲା ଆସିଲା ଅନେକ ପ୍ରକାର ପତ୍ରିକା ନେଇ । ଫେମିନା ଓ ଦି ଉଇକ୍ ଖଣ୍ଡେ ଖଣ୍ଡେ କିଣି ପଇସା ଦେଉଥିବାବେଳେ ସେଇ ବଗି ଦେଇ ଆଗେଇ ଯାଉଥିବା ଜଣେ ଯାତ୍ରୀ ହଠାତ୍ ପଦ୍ମଜା ପାଖରେ ଛିଡ଼ା ହୋଇଯାଇ କହିଲା, ‘ଆରେ ପଦ୍ମଜା ଯେ... କୁଆଡ଼େ ଯାଇଥିଲ- କିମିତି ଅଛ... ଗୋଟିଏ ଯୁଗ ପରେ ଦେଖା... ।’

 

ତା’ ମୁହଁକୁ ଚାହିଁଲା କ୍ଷଣି ଚିହ୍ନି ପକାଇଲା ପଦ୍ମଜା । ପିଲାଦିନର ସାଙ୍ଗ ଅଙ୍କିତ ଦାସ । ଆର୍ମିରେ ଡାକ୍ତର । ମେଡ଼ିକାଲ କଲେଜରେ ସାଙ୍ଗ ହୋଇ ପଢ଼ୁଥିଲେ ।

 

ଅଙ୍କିତ ଆଡ଼କୁ ହାତ ବଢ଼ାଇ ଦେଲା ପଦ୍ମଜା କରମର୍ଦ୍ଦନ କରିବା ପାଇଁ । ସେ କହିଲା, ‘ଆମେ ମୁମ୍ବାଇ ଯାଇଥିଲୁ କନ୍‌ଫରେନ୍ସରେ ଯୋଗଦେବା ପାଇଁ । ସେଠାରୁ ଗୋଆ ଯାଇଥଲୁ । ମୁମ୍ବାଇରୁ ଏଇ କୋଣାର୍କରେ ଫେରୁଛୁ... । ଆଉ ତମେ ?’

 

ମୁଁ କମାଣ୍ଡ ହସ୍‌ପିଟାଲରେ ଅଛି କଲିକତାରେ । ଭାଇଜାଗ ଆସିଥିଲି । ଫେରୁଛି... । ଆଉ ଗୋଟେ କଥା, କମାଣ୍ଡ ହସ୍‌ପିଟାଲରୁ ଭୁବନେଶ୍ୱର ଆର୍ମି ହସ୍‌ପିଟାଲକୁ ଶୀଘ୍ର ମୋର ବଦଳ ହେବାର ଅଛି । ଏବେ ମାସକ ଭିତରେ ମୁଁ ଚାଲିଆସିବି । ଏଥର କୁହ ତୁମେ କିପରି ଅଛ ?’ ହସିଦେଇ କହିଲା ପଦ୍ମଜା, ‘ମୋତେ ଦେଖି କେମିତି ଲାଗୁଛି ?’

 

- ‘ସେଇ ଏକ ଉତ୍ତର... ମୋତେ ଦେଖି ତମକୁ ଯେମିତି ଲାଗୁଥିବ ।’

 

ହସି ଉଠିଲେ ଦୁହେଁ ।

 

ସରୋଜ ଆଗେଇ ଆସୁ ଆସୁ ଥମକି ଛିଡ଼ା ହୋଇଗଲା । ସେମାନଙ୍କ ଖୁସିଗପରେ ବାଧା ଦବା ପାଇଁ ଚାହୁଁ ନ ଥଲା ।

 

ପଦ୍ମଜା କହିଲା, ‘କଲିକତାରେ ଫେମିଲି ନେଇ ରହୁଥିବ ନିଶ୍ଚୟ... ସବୁ ଭଲ ତ ?’

 

‘ଫେମିଲି କହିଲେ ତ ମୁଁ ଏକା... ମା’ ବେଳେବେଳେ ଆସି ରହେ... ।’ କହିଲା ଅଙ୍କିତ ।

 

‘ବାଚେଲର ରହିଯାଇଛ କୋଉ ଦୁଃଖରେ... ?’ ମୁହଁରେ ମ୍ଲାନ ହସର ରେଖା ଟାଣି ପଚାରିଲା ପଦ୍ମଜା ।

 

କୌଣସି ଉତ୍ତର ଦେଲା ନାହିଁ ଅଙ୍କିତ ।

 

- ‘କ’ଣ କହୁନ ଯେ କିଛି.... ।’ ପୁଣି କହିଲା ପଦ୍ମଜା ।

 

- ‘ମୁଁ ପ୍ରତିଜ୍ଞା ରକ୍ଷା କରୁଛି...’ ଉତ୍ତର ଦେଲା ଅଙ୍କିତ ।

 

ଏଥର ଚୁପ୍‌ ରହିଲା ପଦ୍ମଜା । କଳା ଘୁମର ମେଘ ଦିହରେ ବିଜୁଳି ଚମକିବା ପରି ତା’ ମନର ଗୋପନ କୋଣରେ ଚମକି ଉଠିଲା ପ୍ରତିଶ୍ରୁତିର ରେଖାଟିଏ... । ମନେପଡ଼ିଗଲା ଯେ ସେ ଦୁହେଁ ଦିନେ ମହାନଦୀ କୂଳରେ ବସି ଶପଥ ନେଇଥିଲେ ବାହାହେବା ପାଇଁ । ଭଲ ପାଇବାର ସ୍ମାରକୀ ରଖିବା ସକାଶେ ସେଦିନ ଏହା ସ୍ଥିର ହୋଇଥିଲା ।

 

ମୁହଁ ତଳକୁ କରି ବସି ରହିଲା ପଦ୍ମଜା । ତା’ ଓଠ ଟେକି ଦେଇ କହିଲା ଅଙ୍କିତ, ‘‘ଏତିକି ଶୁଣି ବିମର୍ଶ ହୋଇପଡ଼ୁଛ ? ନା, ମୁଁ ରାଗିନାହିଁ ଅଭିମାନ ବି କରିନି... କେବଳ ମନରେ ଗୋଟେ ଦୁଃଖ ରହିଗଲା ଯେ ତମେ ତମ ବାହାଘର କଥା ମତେ ଦିନେ ହେଲେ ଜଣେଇଲ ନାହିଁ... । ମୁଁ କ’ଣ ବାଧା ଦେଇଥାନ୍ତି ତୁମ ଇଚ୍ଛାରେ... ?’’

 

ପଛରେ ଠିଆ ହୋଇ ସରୋଜ ଶୁଣୁଥିଲା । ଏଇ ପଦକ ଶୁଣିବା ପରେ ସେ ଧିରେ ଧିରେ ପଛକୁ ଗଲା ।

 

ସମୟ ହୋଇଗଲାରୁ ବିଗୁଲ ମାରି ଗାଡ଼ି ଛାଡ଼ିଲା ।

 

ଡିନର ଦେଇଯାଇଥିଲା ବେହେରା ।

 

ଖାଇବାବେଳ ।

 

ଅଙ୍କିତକୁ ଡିନର ଖାଇବା ପାଇଁ ଆମନ୍ତ୍ରଣ କରି ପାରୁ ନ ଥିଲା କି ଗାଡ଼ି ଛାଡ଼ିଦେଲେ ବି ସରୋଜଙ୍କୁ ଉଚ୍ଚ ସ୍ଵରରେ ଡାକି ପାରୁ ନ ଥିଲା ପଦ୍ମଜା ।

 

(ପାଞ୍ଚ)

 

ଅପ୍ରତିମ ଘରକୁ ଫେରିଆସିଥିଲା । ଅବଶ୍ୟ ଦୁର୍ବଳତା ପୂରାପୂରି ଯାଇ ନ ଥିଲା । ଅନେକ ରକ୍ତ ହରାଇଥିଲା ସେ । ସାଙ୍ଗମାନଙ୍କ ତତ୍ପରତା, ଭାଉଜଙ୍କ ସେବା ସୁଶ୍ରୁଷା ଓ ସାହସ ଏବଂ ଇଶ୍ଵରଙ୍କ କରୁଣା ବଳରେ ସେ ଉଠି ଠିଆହେଲାଣି, ଚାଲୁଛି ପାଦ ପକାଇ । ଆଉ ସପ୍ତାହେ ଖଣ୍ଡେ ଲାଗିବ ସ୍ଵାଭାବିକ ହେବା ପାଇଁ । ଆକ୍ରମଣ ହେବା ପରେ ନିର୍ବାଚନ ବନ୍ଦ କରି ଦେଇଥିଲେ କର୍ତ୍ତୃପକ୍ଷ ଶାନ୍ତିଭଙ୍ଗ ଆଶଙ୍କା କରି । ଆଉଦିନେ ନିର୍ବାଚନ ହେବ । ତାରିଖ ଏଯାଏ ନିର୍ଦ୍ଦିଷ୍ଟ ହୋଇନାହିଁ । ସେ ଛିଡ଼ା ହେବ କି ନାହିଁ ସ୍ଥିର କରିପାରିନି । ଭାଉଜଙ୍କୁ ନ ପଚାରି ଏ ବିଷୟରେ ଆଗେଇବା ଠିକ୍‌ ହେବନି । ସେ କିନ୍ତୁ ମନେ ମନେ କାହାକୁ ଦୋଷ ଦେଇପାରେନି । ଦେବାଶିଷ ବିରୋଧରେ ସେ ଛିଡ଼ା ହୋଇଥଲା । ଦେବାଶିଷ ଥିଲା କ୍ଷମତାସୀନ ରାଜନୀତିକ ଦଳର ମନୋନୀତ ପ୍ରାର୍ଥୀ । ସେ ଥିଲା ସ୍ଵାଧୀନ ପ୍ରାର୍ଥୀ । ସେ ଚାହେଁନା ବିଶ୍ଵବିଦ୍ୟାଳୟ ନିର୍ବାଚନରେ ଦଳୀୟ ରାଜନୀତି ପ୍ରବେଶ କରୁ । ଦଳୀୟ ରାଜନୀତିର ପରିସର ଅଲଗା । ସେମାନଙ୍କର ଆଦର୍ଶ, ଆଚରଣ, କାର୍ଯ୍ୟ ପଦ୍ଧତି ସହିତ ଛାତ୍ରମାନଙ୍କ ସମ୍ପର୍କ ନାହିଁ । ବିଶ୍ଵବିଦ୍ୟାଳୟ ଛାତ୍ର ରାଜନୀତି ଦଳୀୟ ରାଜନୀତିକୁ ନେଇ ନୁହେଁ, ଛାତ୍ରମାନଙ୍କ କଲ୍ୟାଣ ଓ ବିଶ୍ଵବିଦ୍ୟାଳୟର ଉନ୍ନତି ସେମାନଙ୍କ ମ୍ୟାନିଫେଷ୍ଟୋର ମୂଳ ବିଷୟ । ନୂଆ ବିଭାଗ ଖୋଲିବା, ଅଧ୍ୟୟନରେ ଉନ୍ନତି ଏବଂ ପାଠାଗାର ଓ ଲାବୋରେଟୋରିର ସୁବ୍ୟବସ୍ଥା, ଅଧିକ ଛାତ୍ରାବାସ ଓ ଖେଳକୁଦ, ବୃତ୍ତିଗତ ଶିକ୍ଷାର ପ୍ରସାର ଇତ୍ୟାଦି ବିଷୟ ସହିତ ବିଶ୍ଵବିଦ୍ୟାଳୟର ସ୍ଵାଧୀନତା ସେମାନଙ୍କ ନିର୍ବାଚନ ଇସ୍ୟୁ ।

 

ଦେବାଶିଷ ପରିଡ଼ା ସହିତ ତା’ର ଶତ୍ରୁତା ନାହିଁ, କିନ୍ତୁ ସେ ଯେଉଁ ଦଳର ନୀତି ଓ କାଯ୍ୟକ୍ରମକୁ ଆଦର୍ଶଭାବେ ଗ୍ରହଣ କରି ନିର୍ବାଚନ ଲଢ଼ିବା ପାଇଁ ସ୍ଥିର କରିଛି ତାହା ଯଦି ଛାତ୍ରମାନେ ଗ୍ରହଣ କରିନିଅନ୍ତି ତେବେ ଦେବାଶିଷର ଦଳର କାର୍ଯ୍ୟକ୍ରମ ଓ ଆଦର୍ଶର ପ୍ରଚାର କରିବାର ମାଧ୍ୟମ ହୋଇଯିବ ବିଶ୍ଵବିଦ୍ୟାଳୟ । କଳିଙ୍ଗ ବିଶ୍ଵବିଦ୍ୟାଳୟର ଯଦି ସ୍ଵତନ୍ତ୍ରତା କିଛି ନ ରହେ, ଯଦି ସରକାରର ଦୈନନ୍ଦିନ ହସ୍ତକ୍ଷେପ ବନ୍ଦ ନ ହୁଏ ଏବଂ ବଶ୍ଵବିଦ୍ୟାଳୟର ଉନ୍ନତି ନାମରେ ସରକାର ନିଜ ଦଳର କାର୍ଯ୍ୟକ୍ରମ ପ୍ରଚାର କରିବା ପାଇଁ ବିଶ୍ଵବଦ୍ୟାଳୟକୁ ବ୍ୟବହାର କରନ୍ତି ତେବେ ବିଶ୍ଵବିଦ୍ୟାଳୟର ସର୍ବନାଶ ହେବ । ସେ ଛାତ୍ର ଥିବା ପର୍ଯ୍ୟନ୍ତ ତାହା କରାଇ ଦବ ନାହିଁ । ତା’ କଥା ଶୁଣି ଦିନକୁଦିନ ଅଧିକ ଛାତ୍ର ଆକର୍ଷିତ ହେଉଛନ୍ତି ତା’ ଆଡ଼କୁ । ଯେଉଁ ସାଥୀମାନଙ୍କୁ ବିଭିନ୍ନ ପଦପଦବୀ ପାଇଁ ସେମାନେ ମନୋନୀତ କରିଛନ୍ତି ସେମାନେ ଅସାମାଜିକ, ଗୁଣ୍ଡା ନୁହଁନ୍ତି । ଭଲ ଛାତ୍ରଭାବେ ସୁନାମ ଅଛି ସେମାନଙ୍କର । ସେମାନେ ତାକୁ ନେତା ବାଛିଛନ୍ତି ସେମାନଙ୍କ ଆଶା ଆଶଙ୍କା ପୂର୍ଣ୍ଣ କରିବାପାଇଁ । କିନ୍ତୁ ଦେବାଶିଷକୁ ଛାତ୍ରମାନେ ମନୋନୀତ କରିନାହାଁନ୍ତି ସରକାରରେ ଥିବା ଦଳ ‘ଉତ୍କଳ ବାହିନୀ’ର ମନୋନୀତ ପ୍ରାର୍ଥୀ ସେ ।

 

ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‍ଙ୍କ ସଦ୍ୟତମ ପୁସ୍ତକ ‘ଦି ଆରଗୁମେଣ୍ଟେଟିଭ ଇଣ୍ଡିଆନ୍‌’ ପଢ଼ୁଥିଲା । ଆଉ ଦୁଇ ତିନିଦିନରେ ଶେଷ ହୋଇଯିବ । ନୂତନ ଦୃଷ୍ଟିକୋଣରୁ ଭାରତୀୟମାନଙ୍କର କଥା କୁହା ଅଭ୍ୟାସ, ତର୍କ କରିବା ପ୍ୟାସନକୁ ସେ ସମୀକ୍ଷା କରିଛନ୍ତି । ଯଦି ତାହାହିଁ ହୁଏ ତେବେ ଭାରତୀୟମାନଙ୍କ ପ୍ରଶ୍ନ କରିବା ଧାରା ମଝିରେ ଶିଥିଳ ହୋଇଗଲା କାହିଁକି ? ହେତୁବାଦୀ ପାଶ୍ଚାତ୍ୟରେ ପ୍ରଶ୍ନ ପଚାରିବା ମୂଳରେ ଅଛି ଅନ୍ୱେଷଣ ଓ ଉଦ୍‌ଘାଟନର ଅଭୀପ୍‌ସା । ଅତୀତରେ ନଚିକେତା ଓ ସାବିତ୍ରୀ ଭିନ୍ନ ଦୃଷ୍ଟିକୋଣରୁ ଯମଙ୍କୁ ନାନା ପ୍ରଶ୍ନ ପଚାରିଛନ୍ତି । ଅର୍ଜୁନ ବି ଶ୍ରୀକୃଷ୍ଣଙ୍କ କଥା ଗ୍ରହଣ କରି ନ ନେଇ ପ୍ରଶ୍ନ ପଚାରିଛନ୍ତି ସଂଶୟ ଦୂର କରିବା ପାଇଁ । ଏମିତି ଅନେକ ଦୃଷ୍ଟାନ୍ତ ଅଛି । ଅମର୍ତ୍ତ୍ୟ ସେନ୍‍ ଭାରତୀୟତ୍ଵର ନୀତି ନକ୍ଷତ୍ର ଭଲଭାବେ ଯେ ଜାଣନ୍ତି ସେଥିରେ ସନ୍ଦେହ ନାହିଁ ।

 

ଗୋଟିଏ ପ୍ଲେଟରେ କିଛି ଫଳ ନେଇ ଆସିଲେ ମୈତ୍ରେୟୀ । ଟେବୁଲ ଉପରେ ରଖିଦେଇ କହିଲେ, ‘ଏ ଫଳସବୁ ଖାଇଦିଅ ଆଗ, ତା’ ପରେ ହରଲିକ୍ସ ପିଇବ... ।’

 

ବାଧ୍ୟ ଛାତ୍ରଟି ପରି ଭାଉଜଙ୍କ କଥା ମାନି ଆପେଲ ଖାଇବା ପାଇଁ ଆରମ୍ଭ କଲା ଅପୁ । ଟିକିଏ ପରେ କହିଲା, ‘ଭାଉଜ, ଗୋଟେ ବିଷୟ କହିବି କହିବି ହେଉଚି, କିନ୍ତୁ ସାହସ ହେଉନି... ।’

 

ମୁହଁ ଉପରେ ସ୍ମିତ ହସ ଖେଳାଇ କହିଲେ, ‘କୋଉଦିନୁ ମୋତେ ଭୟ କଲଣି ଅପୁ ?’

 

- ‘ନା, ନା ଭାଉଜ ତମକୁ ନୁହଁ, ତମ ପଛରେ ଭାଇ ଛିଡ଼ା ହୋଇଥିବା ପରି ଲାଗେ ମୋତେ । ସେଥିପାଇଁ ମୁଁ ଭାବେ ଯେ ମୁଁ ଏକା, କିନ୍ତୁ ଦୁଇଜଣଙ୍କ ଶକ୍ତି ଅଛି ତୁମ ପାଖରେ ।’

 

ହସି ଉଠିଲେ ମୈତ୍ରେୟୀ ।

 

ସେ କହିଲେ, ‘ଏମିତି ସୁନ୍ଦର କଥା ତମେ କହିପାର, କାହିଁ ଆଗରୁ ଜାଣି ନ ଥିଲି ତ ! ଭାଇଙ୍କୁ ଦିନେ କହିବି... ।’

- ‘ନା ନା ଭାଉଜ । ତାଙ୍କ କାନକୁ ଯେପରି ଏକଥା ନ ଯାଏ । ବା ବାଃରେ, କହିଲା ଅପୁ ।

- ‘ହଉ କୁହ କ’ଣ କହିବ... ’

- ଆସନ୍ତା ପହିଲାରୁ ମୁଁ କ୍ଲାସ କରିବି । ପରୀକ୍ଷା ତିନିମାସ ପରେ । ପଛେଇ ଯିବି ନ ହେଲେ । କିନ୍ତୁ...?

- ‘କିନ୍ତୁ କ’ଣ ? ତମେ କ୍ଲାସ କରିବ ଆପତ୍ତି ନାହିଁ...’

- ‘ମୋ ସାଙ୍ଗମାନଙ୍କୁ ମୁଁ ନା କହିବି କିପରି ? ସେମାନଙ୍କୁ ଏକାଠି କରିବା ପରେ ଏବେ ରଣକ୍ଷେତ୍ର ଛାଡ଼ି ପଳାଇଯିବି ?’

- ‘କୋଉ କଥା କହୁଛ ଯେ’ ପଚାରିଲେ ମୈତ୍ରେୟୀ ।

- ‘ନିର୍ବାଚନ । ବିଶ୍ୱବିଦ୍ୟାଳୟ ନିର୍ବାଚନ । ଇତି ମଧ୍ୟରେ ନୂଆ ତାରିଖ ଘୋଷଣା କରିବେ କର୍ତ୍ତୃପକ୍ଷ । ମୁଁ ଯଦି ଛିଡ଼ା ନ ହୁଏ ତେବେ ଭୀରୁ ବୋଲି ଭାବିବେ ଅନେକ... ମୋ ସ୍ଵାଭିମାନରେ ବାଧିବ... ।’ କହିଲା ଅପୁ ।

ଟିକିଏ ଭାବି କହିଲେ ମୈତ୍ରେୟୀ, ‘ତମେ ନିର୍ବାଚନରେ ଛିଡ଼ା ହେବା ବିରୋଧରେ ମୁଁ ନୁହେଁ, କିନ୍ତୁ ପ୍ରଥମ ତୁମ ସ୍ୱାସ୍ଥ୍ୟ ଦ୍ୱିତୀୟ ତୁମର ପଢ଼ାଶୁଣା... ଏ ଦୁଇଟି ପ୍ରତି ଅନ୍ୟାୟ ନ କର ଯେପରି ।’

 

ତାଳିମାରି କହିଲା ଅପୁ, ‘ଭାଗବତରେ ପରା ଅଛି ଏ ମନ ଭାବୁଥାଇ ଯାହା । କାଳେ ପ୍ରାପତ ହୁଏ ତାହା ।’ ତମେ ମୋ ମନର କଥାଗୁଡ଼ାକ ମା’ ପରି ଜାଣିପାର କେମିତି ? ତୁମ ମୁହଁ ଦେଖିଲେ ମା’ ମୁହଁ ଦିଶିଯାଏ ।’

 

ତା’ ମଥା ଆଉଁସି ଦେଇ କହିଲେ ମୈତ୍ରେୟୀ, ‘ପାଗଳ । ଭାଉଜମାନେ ବି ମା’ ହୋଇପାରନ୍ତି ଏଇ ସତ୍ୟଟିକୁ ଯଦି ମାନିନିଅ ସବୁ ସମାଧାନ ହୋଇଯିବ ।’

 

- ‘କିନ୍ତୁ ସବୁ ଭାଉଜ କ’ଣ ମା’ ହୋଇପାରିବେ ?’ ଅପୁ ପ୍ରଶ୍ନ କଲା ।

 

କୌଣସି ଉତ୍ତର ଦେଲେ ନାହିଁ ମୈତ୍ରେୟୀ ।

 

ଉଠିଯାଇ ହରଲିକ୍ସ ଗିଲାସେ ଆଣି ଅପୁ ହାତକୁ ବଢ଼ାଇ ଦେଇ କହିଲେ, ‘‘ତମେ ନିର୍ବାଚନ ଲଢ଼ିବ । ପଛଘୁଞ୍ଚା ନାହିଁ ବୀରର ଯାତକେ, ନମରେ କେବେ ସେ ପରାଣ ଆତଙ୍କେ ।’ ବୁଝିଲ । ଭାଇଙ୍କୁ ମୁଁ ବୁଝାଇ ଦେବି । କିନ୍ତୁ ସାବଧାନ, ଗୁଣ୍ଡାଗର୍ଦ୍ଦି ନ କର ଯେପରି । ଶତ୍ରୁକୁ କେବଳ ତରବାରୀଦ୍ଵାରା ଜୟ କରାଯାଏନା, ମିତ୍ରତା ବଳରେ ବି ଶତ୍ରୁ ମିତ୍ର ହୁଏ ।’

 

ସେ ଚାଲିଗଲେ ।

 

କିନ୍ତୁ ଅପୁ ମନକୁ ମନ କହିଲା, ‘ଆରେ ସତେ ତ !’

 

ଦେବାଶିଷ ଯଦି ମିତ୍ର ହୁଅନ୍ତା ତେବେ କେଡ଼େ ଭଲ ହୁଅନ୍ତା ସତରେ ।

 

ହାତ ବଢ଼ାଇବ ଆଗେ ଆସ । ତା’ପରେ ଦେଖିବ ଦେବାଶିଷ ହାତ ବଢ଼ାଉଛି ନା ନାହିଁ-

 

ଅପୁ ଅନୁମତି ପାଇଲା ନିର୍ବାଚନ ଲଢ଼ିବା ପାଇଁ । ନିଷ୍ପତ୍ତି ହେଲା ଯେ ସେମାନେ ନିର୍ବାଚନ କାମରେ କେବଳ କାଗଜ, କାଳି ଓ ଛାପାଖର୍ଚ୍ଚ, ମାଇକ ପ୍ରଭୃତି ଛାଡ଼ି ଖିଆପିଆ, ମଉଜ ମଜଲିସ୍‌ପାଇଁ ଖର୍ଚ୍ଚ କରିବେ ନାହିଁ । ଖର୍ଚ୍ଚ ସୀମା ମଧ୍ୟ ସମସ୍ତଙ୍କ ନିର୍ବାଚନ ଖର୍ଚ୍ଚ ମିଶି ୫ରୁ ୧୦ ହଜାର ମଧ୍ୟରେ ହେବ । ଏହାଠାରୁ ଅଧିକ ହେବ ନାହିଁ । ବ୍ୟକ୍ତିଗତ କୁତ୍ସାଆକ୍ଷେପ, ହିଂସାଚରଣ, ଅଶ୍ଳୀଳତା ବର୍ଜନ କରାଯିବ । କେବଳ ଜିତିଲେ ସେମାନେ କ’ଣ କରିବେ ଏଇ କାର୍ଯ୍ୟସୂଚୀ ପ୍ରଚାର କରିବେ, ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟସୂଚୀ ବିଚାର କରି ଭୋଟ ଦେବାପାଇଁ ନିବେଦନ କରାଯିବ । ବିରୋଧୀମାନଙ୍କ ବିରୁଦ୍ଧରେ କୌଣସି କଥା କୁହାଯିବ ନାହିଁ କିମ୍ବା କର୍ତ୍ତୃପକ୍ଷଙ୍କୁ ଗାଳିଗୁଲଜ କରାଯିବ ନାହିଁ କି ସେମାନଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦିଆଯିବ ନାହିଁ ।

 

ଅପୁ ବସି ବସି ଭାବୁଥିଲା କ’ଣ କଲେ ପ୍ରତିଦ୍ଵନ୍ଦ୍ୱୀମାନଙ୍କ ସହିତ ବନ୍ଧୁତ୍ଵପୂର୍ଣ୍ଣ ରୀତିରେ ପ୍ରତିଯୋଗିତା ହେବ । ଦେବାଶିଷ ଏଇକଥା ମନରେ ରଖିବ ଯେତେବେଳେ ପୁଲିସ୍‍ ଅନୁସନ୍ଧାନ କରିବା କାମ ଆରମ୍ଭ କଲା, କିଏ ତାକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲା ସେ ବିଷୟରେ ଜାଣିବା ପାଇଁ ଚାହିଁଲା ସେତେବେଳେ ଅପୁ ପୁଲିସ୍‍ ଇନ୍‍ସିପେକ୍ଟର ଶ୍ରୀ ଚରଣ ସାମଲଙ୍କୁ କହିଥିଲା ଯେ କାହାରି ବିପକ୍ଷରେ ତା’ର କୌଣସି ଅଭିଯାଗ ନାହିଁ । ପୁଲିସ୍‍ ବାରମ୍ବାର ପଚାରିବା ସତ୍ତ୍ୱେ ସେ ସେଇ ଗୋଟିଏ କଥା କହିଲା ଯେ କିଏ ତାକୁ ଆକ୍ରମଣ କଲା ସେ ଜାଣେ ନାହିଁ ବା ତାକୁ ଚିହ୍ନିପାରିବ ନାହିଁ ।

 

ପୁଲିସ୍‍ ଅନୁସନ୍ଧାନ କରି ସରକାରଙ୍କୁ ଜଣାଇ ଦେଲା ଯେ ଅପ୍ରତିମ ପେଟରେ କେହି ଜଣେ ଛୁରାଭୂଷିବା ସତ୍ୟ, କିନ୍ତୁ କିଏ ଏ କାମ କଲା ସେ ସମ୍ପର୍କରେ କୌଣସି ପ୍ରମାଣଯୋଗ୍ୟ ତଥ୍ୟ ପୁଲିସ୍‍ ପାଇ ନାହିଁ । ତାକୁ କିଏ ଆକ୍ରମଣ କଲା ଏ ବିଷୟରେ ଅପ୍ରତିମ କାହାରି ନାମ ପ୍ରକାଶ କରିନାହିଁ । କିନ୍ତୁ ପୁଲିସ୍‍ ଅନୁସନ୍ଧାନରୁ ସୂଚନା ମିଳୁଛି ଯେ ବିପକ୍ଷ ଦଳ ବା ଅନ୍ୟ କେହି ଏପରି ଜଘନ୍ୟ କାମ କରିଥିବ । ପ୍ରମାଣ ନ ଥିବାରୁ ଏ ସଂକ୍ରାନ୍ତରେ ଆଉ ଅଗ୍ରସର ହେବା ସମୟ ଓ ଉଦ୍ୟମର ଅପଚୟ ହେବ ମାତ୍ର ।

 

ଅପୁ ଉତ୍ତୀର୍ଣ୍ଣ ଅପରାହ୍ନର କୋମଳ ଆଲୋକରେ ଲନ୍‌ ଉପରେ ବସି ଗାନ୍ଧିଜୀଙ୍କ ‘ଏକ୍ସପେରିମେଣ୍ଟ୍‍ ଉଇଥ୍‌ ଟ୍ରୁଥ୍‌’ ଜୀବନ କାହାଣୀ ପଢ଼ୁଥିବାବେଳେ କେତେଜଣ ଛାତ୍ର ଆସି ଫାଟକ ସାମ୍ନାରେ ପହଞ୍ଚିଲେ । ସେମାନଙ୍କ ମଧ୍ୟରୁ ରୁଦ୍ରପ୍ରତାପ ମହାନ୍ତି ଆସି ଅପୁକୁ ଜଣାଇଲା ଯେ ଦେବାଶିଷ ଓ ଆଉ କେତେକ ଛାତ୍ର ନେତା ତା’ ସହିତ ସାକ୍ଷାତ୍‍ କରିବା ପାଇଁ ଅପେକ୍ଷା କରିଛନ୍ତି । ଏହା ଶୁଣିବା ମାତ୍ରେ ଅପୁ ନିଜେ ଉଠିଲା ଏବଂ ଫାଟକ ଆଡ଼କୁ ଧିରେ ଧିରେ ଅଗ୍ରସର ହେଲା । ହେଲେ ଅନେକ ଦୁର୍ବଳ ଦଶୁଥିଲା । ଏହା କାହାରି ଦୃଷ୍ଟି ଏଡ଼ାଇଲା ନାହିଁ । ଅପୁ ବାହୁ ମେଲାଇ ବନ୍ଧୁମାନଙ୍କ ସ୍ଵାଗତ କରିବା ଆଗରୁ ତାକୁ କୁଣ୍ଢାଇ ପକାଇ ଦେବାଶିଷ କହିଲା ‘‘ମୋତେ କ୍ଷମା କରିଦେ ଅପୁ... ।’

 

ତା’ର ଭାବାବେଗ ତରଳାଇ ଦେଲା ଅପୁକୁ । ତା’ ଆଖିରୁ କେତେଟୋପା ଲୁହ ଝରିପଡ଼ିଲା ଗାଲ ଉପରେ । ରୁମାଲରେ ଲୁହ ପୋଛିଦେଇ କହିଲା ଦେବାଶିଷ, ‘ପଛ କଥା ଭୁଲିଯା ଅପୁ... ଲେଟ୍‌ ଅସ୍‌ ବାରି ଦି ହଟଚାଟ୍‌... ଆଜିଠାରୁ ଆମେ ପୁଣି ମିତ୍ର ହେବୁ... ତୁ ମୋ ବଡ଼ଭାଇ... ତୁ କ୍ଷମା ଦବୁନି... ?’

 

ଭୋ ଭୋ କାନ୍ଦି ପକାଇଲା ଅପୁ । ସେ ଦେବାଶିଷକୁ କୁଣ୍ଢାଇ ଧରିଲା ଏବଂ ଧିରେ ଧିରେ କହିଲା- ‘ମୁଁ ସବୁ ଭୁଲି ଯାଇଛି ଦେବୁ । କେବଳ ମୋତେ ବିହ୍ୱଳ କରୁଛି ତୋ’ର ଓ ତୋ ସାଙ୍ଗରେ ଆସିଥିବା ବନ୍ଧୁମାନଙ୍କର ଅନାବିଳ ସ୍ନେହ ପ୍ରେମ । ଆସ ସମସ୍ତେ ଆମେ ଆମ ଘରେ ସେଲିବ୍ରେଟ୍‌ କରିବା ।’

ଏଇ କାଣ୍ଡ ଚାଲିଥିବାବେଳେ ପୋର୍ଟିକୋରେ ଛିଡ଼ା ହୋଇ ଦେଖୁଥିଲେ ମୈତ୍ରେୟୀ । ତାଙ୍କ ଆଖି ବି ସଜଳ ହୋଇ ଉଠିଥିଲା । ଉଭୟ ଗୋଷ୍ଠୀର ଏଇ ମଧୁର ମିଳନ ସ୍ମୃତି ସାଇତି ରଖିବା ପାଇଁ ମୈତ୍ରେୟୀ କହିଲେ, - ‘ଆସ ସମସ୍ତେ ଏଇ ଲନ୍‌ରେ ବସ... ମୁଁ ଗୋଟେ ସ୍ନାପ୍‌ ନିଏ... ଆଜିର ଏଇ ଜୀବନ୍ତ ଭାଇଚାରା ସାଙ୍ଗମାନଙ୍କ ମଧ୍ୟରେ ଥିବା ମାନବିକ ପ୍ରେମ ସ୍ନେହ ସବୁ କ୍ୟାମେରା ଉଠାଉଥିବା ଫଟୋରେ ରହିଯାଉ ଭବିଷ୍ୟତ ପାଇଁ ।’

ମୈତ୍ରେୟୀ ସୁଯୋଗ ପାଇଲେ ଯୁବକମାନଙ୍କୁ କୌଣସି କାମରେ ଲଗାଇବା ପାଇଁ । ସେମାନଙ୍କ ପାଇଁ ଜଳଖିଆ ଆଣିବା ପାଇଁ ବରାଦ କରି ସମସ୍ତେ ଗୋଲଟେବୁଲ୍ ବୈଠକ ପରି ଗୋଲ ହୋଇ ବସିଲେ । ଦେବାଶିଷ କହିଲା, - ମ୍ୟାଡାମ୍‍ ଆପଣ ଆଜି କିଛି କହନ୍ତୁ... ।

ମୈତ୍ରେୟୀ କହିଲେ, ‘ମୁଁ ମ୍ୟାଡାମ୍‌ ନୁହେଁ, ଅପୁ ମୋତେ ଯେପରି ଡାକେ ତମେ ମଧ୍ୟ ସେହିପରି ଡାକିବ...।’

ଦେବାଶିଷ କହିଲା, ‘ଭାଉଜ ମ୍ୟାଡାମ୍...’

ହସି ପକାଇ କହିଲେ ମୈତ୍ରେୟୀ, ‘ଭାଉଜମାନେ ମ୍ୟାଡାମ୍‌ ନୁହଁନ୍ତି । ମ୍ୟାଡାମ୍‍ମାନେ ଦୂରତ୍ଵ ରକ୍ଷା କରି ଚଳନ୍ତି, କିନ୍ତୁ ଭାଉଜମାନେ ନିକଟତର ହୁଅନ୍ତି । ତମେ ସମସ୍ତେ ମୋ ସାନଭାଇ-। ଭାଉଜ ଡାକିଲେ ଚଳିବ, ଅପା ଡାକିଲେ ବି ଚଳିବ... ତମର ଇଚ୍ଛା... । ହଁ ଦେବାଶିଷ ଭଲ ପ୍ରସଙ୍ଗଟିଏ ଉଠାଇଛନ୍ତି... ଆଜି ମୁଁ ତୁମମାନଙ୍କୁ କିଛି କହିବି । ତମେ ସମସ୍ତେ ଭାଗ୍ୟବାନ... ଉଚ୍ଚଶିକ୍ଷା ପାଇଛ । କିନ୍ତୁ ଏଇ ନହରକଣ୍ଟାରେ ଏପରି ଅନେକ ଶ୍ରମଜୀବି ଅଛନ୍ତି ଯେଉଁମାନେ ନିରକ୍ଷର... ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ସ୍କୁଲ ଦୁଆର ମାଡ଼ି ନାହାଁନ୍ତି । ଏମାନେ କ’ଣ ଏକବିଂଶ ଶତାବ୍ଦୀରେ ଭାଗ୍ୟର ବୋଝ ବୋହି, ସମସ୍ତ ଅସାମର୍ଥ୍ୟ ନେଇ ଚାଲିବେ ନା ତମେମାନେ ସେମାନଙ୍କ ପାଇଁ କିଛି କହିବ ?’

ତାଙ୍କ କଥା ଶୁଣି କେତେକ୍ଷଣ ନିରବତା ଛାଇଗଲା । ତା’ପରେ ଅପୁ କହିଲା; ‘ମୋ ମନକୁ ଗୋଟେ ଆଇଡିଆ ଆସୁଛି... ଯଦି ଏମାନଙ୍କୁ ଆମେ ସାକ୍ଷର, ଶିକ୍ଷିତ କରୁ ତେବେ ଏମାନେ ସଚେତନ ହେବେ, ନିଜ କଥା ବୁଝିପାରିବେ, ଶୋଷଣ ବିରୋଧରେ ଲଢ଼ିବେ ।’

ସମସ୍ତେ କହିଲେ - ‘ଗୋଟେ ବିଦ୍ୟାଳୟ ଖୋଲାଯାଉ । ସନ୍ଧ୍ୟାବେଳେ ଦୁଇଘଣ୍ଟା ପଢ଼ିବା ପାଇଁ ବ୍ୟବସ୍ଥା କରାଯିବ । ସେମାନେ ପାଳି କରି ପଢ଼ାଇବେ ।’

ମୈତ୍ରେୟୀ ନିରକ୍ଷର ମହିଳାମାନଙ୍କ ପାଇଁ କନ୍ୟାଶ୍ରମରେ ସ୍ଥାନ ଛାଡ଼ିଦେବେ କହିଲେ । ମହିଳାମାନେ ଦିନ ଦୁଇଟାରୁ ଚାରିଟା, ଆଉ ପୁରୁଷମାନେ ଛଅଟାରୁ ସାତଟା ଅକ୍ଷର ଶିକ୍ଷା, ଚିଠି ଲେଖା, ହିସାବ ରଖିବା, ପୁରାଣ ଆଉ ଅନ୍ୟାନ୍ୟ ସରଳ ବହି ପଢ଼ିପାରିବା ପରି ଶିକ୍ଷା ଦିଆଯିବ । ସେତିକିବେଳେ ସେ ଗ୍ରୁପ୍‌ଫଟୋ ଉଠାଇ ନେଲେ ମୈତ୍ରେୟୀ । ସେମାନେ ଆଲୋଚନା ସାରି ଚା’ ଜଳଖିଆ ଖାଉଥିବାବେଳେ କନ୍ୟାଶ୍ରମରୁ ଖବର ଆସିଲା ଯେ ସେଠାରେ ମାଧବ ଓ ତା’ ସାଙ୍ଗମାନେ ଯୋର କରି ତା’ ଛୁଆଦୁଇଟାଙ୍କୁ ନେଇଗଲା । ସେମାନେ ଖେଳୁଥିଲେ ସେତେବେଳେ-। ଆଶ୍ରମର ଲୋକ ମନାକଲାରୁ ସେମାନେ ମାରଧର କରିବା ପାଇଁ ମାଡ଼ି ଆସିଲେ... ଆମେ କଥା ନ ବଢ଼ାଇ ଆପଙ୍କୁ ଜଣାଇବା ଉଚିତ ମନେକଲୁ... ।

ମୈତ୍ରେୟୀ ମୁହୂର୍ତ୍ତେ ସ୍ତବ୍ଧ ହୋଇଗଲେ । ତା’ପରେ କହିଲେ ‘ତୁମେ ଯାଅ... ମୁଁ ଯାଉଛି... ଥାନା ବାବୁଙ୍କୁ ଖବରଟା ଆଗେ ଦଏ ।’

 

ମୈତ୍ରେୟୀ ଫୋନ୍‍ କରି ଥାନାବାବୁଙ୍କୁ ଜଣାଇ ଦେଲେ ଏବଂ ମଲ୍ଲିକ ବାବୁ ତାଙ୍କୁ ଆଶ୍ଵାସନା ଦେଇ କହିଲେ ଯେ ସେ ସାଙ୍ଗେ ସାଙ୍ଗେ ଆସୁଛନ୍ତି ।

 

ଦେବାଶିଷ ଓ ତା’ ସାଙ୍ଗମାନଙ୍କଠାରୁ ବିଦାୟ ନବାବେଳେ ସେମାନେ କହିଲେ ‘ଆମେ ଆପଣଙ୍କ ସହିତ ଯିବୁ.... କାଳେ ମଦୁଆମାନେ କିଛି ଗଣ୍ଡଗୋଳ କରିବେ... ।’

 

ମୈତ୍ରେୟୀ କହିଲେ, ‘ନା, ସେପରି ସାହସ କରିବେ ନାହିଁ । ସେମାନେ ଜାଣନ୍ତି ଯେ ସେମାନେ ଯାହା କରୁଛନ୍ତି ତାହା ବେଆଇନ, ଆଇନ ଆମକୁ ସାହାଯ୍ୟ କରିବ । କିନ୍ତୁ କିଛି ଗୁଣ୍ଡା ଶ୍ରେଣୀର ଅସାମାଜିକ ଲୋକ ଅଛନ୍ତି ଯେଉଁମାନେ ଉସୁକେଇ ଦିଅନ୍ତି ଏମାନଙ୍କୁ... ପୁଲିସ୍‍ ଆସୁଥିବା ଜାଣିଲେ ନେପଥ୍ୟରେ ଲାଙ୍ଗୁଡ଼ ଜାକି ପଳାଇବେ...।’

 

ଅପୁ କହିଲା, ‘ମୁଁ ବି ଯିବି ଭାଉଜ... ।’

 

ତାକୁ ବସାଇ ଦେଇ କହିଲେ ମୈତ୍ରେୟୀ, ‘ସେପରି ପରିସ୍ଥିତି ହୋଇନି ଅପୁ... ମାଧବଟା ହୁଣ୍ଡାଟାଏ... ମଦ ପିଇ ଘର ଉଜାଡ଼ି ସାରିଲାଣି... । ଇନ୍‍ସିପେକ୍ଟର ଶୀଘ୍ର ପହଞ୍ଚିଯିବେ... ତା’ପରେ ସେ ମାଧବ କଥା ବୁଝିବେନି ?’’

 

ଦେବାଶିଷ ଓ ତା’ ସାଙ୍ଗମାନେ ଅପୁର ଆଶୁ ଆରୋଗ୍ୟ କାମନା କଲେ ଏବଂ ତାକୁ ଏହା ବି କହିଗଲେ ଯେ ନିର୍ବାଚନ ତାରିଖ ଠିକ୍‌ ହେଲେ, ସେମାନେ ସର୍ବସମ୍ମତିଭାବେ ତାକୁ ସଭାପତି ନିର୍ବାଚିତ କରିବେ । ଦେବାଶିଷ ହେବ ସାଧାରଣ ସମ୍ପାଦକ । ଅପୁ ସେମାନଙ୍କୁ ଧନ୍ୟବାଦ ଦେଇ କହିଲା, ‘ଭାଇମାନେ ତୁମମାନଙ୍କ ସ୍ନେହ ଶ୍ରଦ୍ଧା ମୁଁ ଭୁଲିପାରିବି ନାହିଁ । ସେଦିନର କଥା ମୁଁ ଭୁଲିଯାଇଛି, ମୋର ଅନୁରୋଧ ତମେବି ସବୁ ଭୁଲିଯାଆ । ଲେଟ୍‌ ଅସ୍‌ ଫରଗିଭ୍‌ ଆଣ୍ଡ୍ ଫରଗେଟ୍‌... ।’

 

ଅପୁର ଆଖି ସଜଳ ହୋଇଗଲା ।

 

ତାକୁ ଆଲିଙ୍ଗନ କରି କହିଲା ଦେବାଶିଷ, ‘ଆମେ ସାଙ୍ଗ ହୋଇ କାମ କରିବା... ଛାତ୍ରମାନଙ୍କ ଦାବି ପୂରଣ ପାଇଁ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବା ।’

 

ଅନ୍ୟମାନେ ସ୍ଲୋଗାନ ଦେଲେ, ‘ଛାତ୍ର ଏକତା ଜିନ୍ଦାବାଦ’

 

‘ଅପୁ ଭାଇ ଜିନ୍ଦାବାଦ’

 

‘ଦେବୁ ଭାଇ ଜିନ୍ଦାବାଦ...’

 

ସ୍ନାପ ଗୋଟେ ନେଇ ସେମାନଙ୍କ ଆଡ଼କୁ ହସ ହସ ମୁହଁରେ ଚାହିଁ ହାତ ହଲାଇ ହଲାଇ ମୈତ୍ରେୟୀ ଚାଲିଗଲେ କନ୍ୟାଶ୍ରମ ଆଡ଼କୁ ।

 

ବାଟରେ ଦେବାଶିଷ ଓ ତା’ ସାଙ୍ଗମାନେ ଦେଖିଲେ ପୁଲିସ୍‍ ଗାଡ଼ି- ଜାଣିଲେ ଯେ ଆଉ ଭୟ ନାହିଁ... ଭାଉଜ ସମାଳି ନେଇପାରିବେ... ।

 

(ଛଅ)

 

ସରୋଜ ଆଉ ପଦ୍ମଜା କୋଣାର୍କ ଏକ୍ସପ୍ରେସରୁ ଓହ୍ଲାଇ ଘରେ ପହଞ୍ଚିବାବେଳକୁ ସାତଟା ବାଜି ଯାଇଥିଲା । ଗାଡ଼ି ଘଣ୍ଟାଏ ବିଳମ୍ବ ଥିଲା । ଗୋଟାଏ ପ୍ରକାର ଭଲ ହେଲା ଯେ, ରାତି ପାଞ୍ଚଟାରୁ ଉଠିବାକୁ ହେଲା ନାହିଁ ।

 

ମୈତ୍ରେୟୀ ଫାଟକ ପାଖରେ ଛିଡ଼ା ହୋଇଥିଲେ ।

 

ସେମାନଙ୍କୁ ଦୁଇପାଖରେ କୁଣ୍ଢାଇ ପକାଇ କହିଲେ, ‘ବାରଦିନ ପରେ ଫେରୁଛ... ଏକଲା ଏକଲା ଲାଗୁଥିଲା । ଭାଇନା ବି ବିଶ୍ୱବିଦ୍ୟାଳୟ କାମରେ ଯାଇଥିଲେ । କେମିତି କଟିଲା ଦିନ... ?’

 

- ‘ବେଶ୍‌ ମଜାରେ ଦିନ କଟିଗଲା ନାନୀ । ଗୋଆ ତ ଅଳକାପୁରୀ ପରି ଲାଗୁଥିଲା... । ତମେ ଥରେ ଭାଇନାଙ୍କ ସାଙ୍ଗରେ ବୁଲିଆସ... ।’ କହିଲା ପଦ୍ମଜା ।

 

ସରୋଜ କହିଲା, ‘ପୂଜା ଛୁଟିରେ ଯିବ... ମୁଁ ଆଗରୁ ବ୍ୟବସ୍ଥା କରିବି । ମୋ ସାଙ୍ଗ ଗୋଆ ମେଡ଼ିକାଲ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର... ସେ ସବୁ ବ୍ୟବସ୍ଥା କରିବ... ।’

 

ମୁହଁରେ ହସ ଲାଗି ରହିଥିଲା ମୈତ୍ରେୟୀଙ୍କର । ସେ କହିଲେ, ଗଲ ଆଗ ଫ୍ରେସ୍‌ ହୋଇ ଆସ । ମୁଁ ଚା’ ସଜ କରୁଛି... ।’

 

ସେମାନେ ଚାଲିଗଲେ ଭିତରକୁ ।

 

ହଠାତ୍ ମନେପଡ଼ିଗଲା ଯେ ଭାସ୍ଵତୀ ଦିଲ୍ଲୀରୁ ଆସିଛି । ତା’ ବିଷୟରେ କିଛି କହି ନାହାଁନ୍ତି ସରୋଜ ଆଉ ପଦ୍ମଜାଙ୍କୁ । ସାଙ୍ଗେ ସାଙ୍ଗେ ନ କହି ପରେ କହିଲେ ଚଳିବ । ସକାଳର ସରସତା ନଷ୍ଟ କରିବା ଉଚିତ ହେବ ନାହିଁ । ଭାସ୍ଵତୀ ହୁଏତ ଏତେବେଳକୁ ଉଠି ସାରିଥିବ । ଚା’ ପିଇବାବେଳେ ଦେଖାହେବ ସମସ୍ତଙ୍କ ସହିତ ।

 

କୁନ୍ତୀ ଚା’ ବିସ୍କୁଟ ସଜ କରି ନେଇ ଆସିଲା । ପଦ୍ମଜା ଆଉ ସରୋଜ ବି ପରେ ପରେ ଆସିଗଲେ । ମୁହାଁମୁହିଁ ଭାସ୍ୱତୀ ସହିତ ଦେଖା ହୋଇଗଲା ପଦ୍ମଜାର ।

 

‘ଆରେ କି ଅପୂର୍ବ ! କେତେବେଳେ ଆସିଲ ? ତମ ମୁହଁ ଏମିତି କଳା ପଡ଼ିଯାଇଛି କାହିଁକି ? ଆସ ଆସ... ତମ ସହିତ କେତେ କଥା ଅଛି... ।’

 

ଭାସ୍ଵତୀ ଚମକି ପଡ଼ିଲା ।

 

ମଝିଆଁ ଭାଉଜ ତେବେ କ’ଣ ଜାଣନ୍ତି ତା’ ବିଷୟରେ ? ଏତେଶ୍ରୀଘ୍ର ବଡ଼ ଭାଉଜ କହିଦେଲେ ? ମନଟା ବିଷର୍ଣ୍ଣ ହୋଇଗଲା । କିନ୍ତୁ ଯଥା ସମ୍ଭବ ମୁହଁ ଉପରେ ପ୍ରସନ୍ନତା ଖେଳାଇ କହିଲା, ‘‘ମୁଁ ତ ଦିନେ ଆଗରୁ ଆସିଛି ମଝିଆଁ ଭାଉଜ । କତେଦିନ ପରେ ଦେଖା ହେଉଛି । ମଝିଆଁନନା କୁଆଡ଼େ ଗଲେ ଯେ.... ।’’

 

ତା’ ମୁହଁରୁ କଥା ସରି ନ ଥିବ ସରୋଜ କହିଲା, ‘ଆରେ, ଭାସ୍ୱତୀ, ତୁ କେବେ ଆସିଲୁ-! ତୋ ବର ଖବର କ’ଣ ? ସବୁ ଭଲ ତ ।’’

 

ଭାସ୍ଵତୀର ପାଦତଳ ମାଟି ଚହଲି ଯିବା ପରି ଲାଗୁଥିଲା । ସେ ଚୌକି ଉପରେ ଭରା ଦେଇ ସମ୍ଭାଳି ନେଲା, ନୋହିଲେ ପଡ଼ି ଯାଇଥାନ୍ତା । ସରୋଜ କହିଲା, ‘କ’ଣ ହେଲା, ତୋ ଦିହ ଭଲ ଅଛି ତ ?’

 

- ‘ହଁ ନନା ସବୁ ଭଲ । ତମେ ସବୁ ନ ଥିଲ ଯେ ଘରଟା ଶୂନଶାନ୍ ଲାଗୁଥିଲା । ଆସି ପହଞ୍ଚିବା ମାତ୍ରେ କେମିତି ଜମି ଗଲାଣି ଦେଖୁନ... ।’ କହିଲା ଭାସ୍ଵତୀ ।

 

ପଦ୍ମଜା କହିଲା, ‘‘କିନ୍ତୁ ଯାହା କହ ସୁତୀ ତୁମର ଆଖି ଯୋଡ଼ିକର ଆକର୍ଷଣ ଏତେ ମଧୁର ଯେ ବେଳେବେଳେ ମୁଁ ଭଗବାନଙ୍କୁ ପଚାରେ ମୋତେ ଏଇମିତି ଯୋଡ଼ିଏ ଆଖି କାହିଁକି ଦେଲେ ନାହିଁ ?’’

 

ମୈତ୍ରେୟୀ ଟିପ୍ପଣୀ କଲେ, ‘ତୋ ଆଖି ଯୋଡ଼ିକର ଚାହାଁଣୀରୁ ତ ମହୁ ଝରେ ପଦ୍ମଜା । ତୋ ଆକର୍ଷଣ କ’ଣ କମ୍‌ କି ?’

 

- ‘ସ୍ୱୟଂ ପ୍ରଶଂସକ ପାଲରେ ମୋ କଥା ପଚାରୁଛି କିଏ ?’ ମନ୍ତବ୍ୟ ଦେଇ ଚା’ କପ୍‌ ଉଠାଇ ନେଲା ସରୋଜ ।

 

ମୈତ୍ରେୟୀ କହିଲେ, ‘ସେମାନଙ୍କ ଆଖିର ଆକର୍ଷଣ ଅଛି ମାନୁଛି, କିନ୍ତୁ ତମର କଥାର ମଧୁରତା ବି ଲୋକଙ୍କ ମନ ମୋହିନବ... ।’

 

ତାଙ୍କ କଥା କହିବା ଭଙ୍ଗୀ ଦେଖି ହସରେ ଫାଟି ପଡ଼ିଲେ ସମସ୍ତେ ।

 

ଆସର ଜମିଗଲା ।

 

ଆଉ ଗୋଟେ ରାଉଣ୍ଡ ଗରମ ଚା’ ଦେଇଗଲା କୁନ୍ତୀ ।

 

ସରୋଜ କହିଲା, ‘ସୁତୀ ଆସିଛି । ଆଜି ରାତି ଚାଲ ସମସ୍ତେ ‘ହୋଟେଲ ମହୋଦଧି’ରେ ଖାଇବା । ସେଠାରେ ଗୋଟେ ଭଲ ଡାନ୍ସ ପ୍ରୋଗ୍ରାମ ବି ଅଛି ।’

 

ସୁତୀ ନା ନା ଆଉ କହୁ କହୁ ପଦ୍ମଜା କହିଲା, ‘ତା’ ହେଲେ ତ ସାଢ଼େ ସାତଟାରେ ପହଞ୍ଚିବାକୁ ହେବ... ।’ ଆମେ ସମସ୍ତେ ଯିବା... ।

 

ସରୋଜ ଏବଂ ତା’ପରେ ପଦ୍ମଜା ଚାଲିଗଲା ପରେ କହିଲେ ମୈତ୍ରେୟୀ, ‘ତମେ ଏତେ ବ୍ୟସ୍ତ ହୁଅନା । ତମେ ଡିଭୋର୍ସ ପେପରରେ ସହି ନ କରି ଠିକ୍‌ କରିଛ । ଏଇଠି ଭାଇମାନେ ଆଲୋଚନା କରନ୍ତୁ କ’ଣ କରାଯିବ । ଦରକାର ହେଲେ ଓକିଲଙ୍କ ସହିତ ପରାମର୍ଶ କରିବା । ବାହାଘରଟା ଛୁଆଖେଳ ନୁହେଁ ଯେ ଯେତେବେଳେ ଚାହିଁବ ଭାଙ୍ଗିଦବ । ପୁରୁଣାକୁ ଛାଡ଼ି ନୂଆ ବାଛିନବ... ଛି ଛି... ବିଶ୍ୱମୋହନଠାରୁ ମୁଁ ଏୟା ଆଶା କରି ନ ଥିଲି ।’’

 

ଭାସ୍ଵତୀର ଆଖି ଛଳ ଛଳ ହୋଇ ଆସିଲା । ଫୋନ୍‍ ବାଜି ଉଠିଲା । ମୈତ୍ରେୟୀ ଉଠାଇନେଲେ ରିସିଭର । ଶାସ୍ଵତୀ ମୁମ୍ବାଇରୁ ଫୋନ୍‍ କରିଥିଲା ।

 

ଫୋନ୍‍ଟା ଭାସ୍ଵତୀ ହାତକୁ ବଢ଼ାଇ ଦେଇ କହିଲେ ମୈତ୍ରେୟୀ । ‘ତମକୁ ଖୋଜୁଛନ୍ତି...-।’

 

ଭାସ୍ଵତୀ ଫୋନ୍‍ ଧରିଲା ।

 

ଦୁଇ ଭଉଣୀ ଦଶମିନିଟ ଧରି କଥାହେଲେ ।

 

ମୈତ୍ରେୟୀ କହିଲେ, ‘କ’ଣ କହିଲେ ଶାସ୍ଵତୀ ?’

 

ନାନୀ କହୁଛି ବିଶ୍ଵମୋହନକୁ ସହଜରେ ଛାଡ଼ି ନ ଦବା ପାଇଁ । ସେ କହିଦେଲା ବୋଲି ଡିଭୋର୍ସ ପେପରରେ ସହି କରିଦେଲେ ସେ ଖସିଯିବ । ତାକୁ ବି ଆଇନ ଶିକ୍ଷା ଦବା ଦରକାର । କିନ୍ତୁ ଭାଉଜ ତାଙ୍କୁ ଶିକ୍ଷା ଦେଲେ ମୋର ଲାଭ କ’ଣ ? ମୁଁ କ’ଣ ଆଉ ତାଙ୍କୁ ଫେରି ପାଇବି ?’

 

ମୈତ୍ରେୟୀ କହିଲେ, ‘ହୁଏତ ସେ ଉଠାଉଥିବା ପାଦ ପୁଣି ପୂର୍ବ ସ୍ଥାନକୁ ଫେରି ଆସିବ । ଆଗକୁ ନ ଯାଇ ଯେଉଁଠି ଅଛି ସେଇ ସ୍ଥିତିକୁ ନେଇ ବଞ୍ଚିବା ପାଇଁ ଶିଖିବ । ଯଦି ତାହା ନ କରି ସେ ଆଗକୁ ପାଦ ବଢ଼ାନ୍ତି, ତେବେ ଆମେ ନିରବ ଦର୍ଶକ ପରି ତାଙ୍କୁ ଗୋଲପୋଷ୍ଟ ଆଡ଼କୁ ଯିବା ପାଇଁ ଦବୁ କାହିଁକି ? ତାଙ୍କୁ ବି କିଛି ଶିକ୍ଷା ମିଳୁ । ଶାସ୍ଵତୀ ଠିକ୍‌ କହିଛନ୍ତି । ପ୍ରତିବାଦ ନ କରି ମହିଳାମାନେ ପଳାଇ ଯାଉଛନ୍ତି ବୋଲି ପୁରୁଷ, ବିନା ପ୍ରତିରୋଧରେ ଗୋଲ କରିବା ପାଇଁ ସୁଯୋଗ ପାଉଛି ।’

 

- ତମେ ବି ବଡ଼ନାନୀ ପରି କହୁଛ । ବଡ଼ ନନା ବି ସେୟା କହୁଛନ୍ତି । ତେବେ ତ ମୋତେ ଲଢ଼ିବାକୁ ହେବ । ସେ ଯେପରି ଏକପାଖିଆ ଡିଗ୍ରୀ ନେଇ ଚାଲି ନ ଯାଆନ୍ତି । ତାହା ନିଶ୍ଚୟ କରିବାକୁ ହେବ । ମୁ କ’ଣ କରିବି କିଛି ଠିକ୍‌ କରିପାରୁନି... ଭାବିଲେ କାନ୍ଦ ଲାଗୁଛି । ମୋ ଅସହାୟତାଗୁଡ଼ାକ ମୋତେ ଖିନ୍‌ଭିନ୍ କରି ପକାଉଛନ୍ତି... ।’

 

ମୈତ୍ରେୟୀ ସାନ୍ତ୍ୱନା ଦେଇ କହିଲେ, ‘ତମେ ଭାବ... କିନ୍ତୁ ଭାବପ୍ରବଣ ହୋଇ ଏପରି କିଛି ନିଷ୍ପତ୍ତି ନିଅ ନାହିଁ ଯାହା ତୁମକୁ ଖୁସି କରିଦବ । ପୁରୁଷ ରାବଣ ହେବା ଭିନ୍ନ କଥା, ଆଉ ତା’ ଆଗରେ ଛୋଟ ହୋଇଯିବା ଅନ୍ୟକଥା । ମୁଁ ତ ସମସ୍ତ ଭଉଣୀମାନଙ୍କୁ କହେ ଲଢ଼େଇ କରି ଶିଖ-। ବିନା ଯୁଦ୍ଧେ ଛାଡ଼ ନାହିଁ ସୂଚ୍ୟଗ୍ର ମେଦିନୀ । ପୁରୁଷର ସ୍ଵେଚ୍ଛାଚାରିତାରେ ଅଙ୍କୁଶ ଲଗାଇବା ପାଇଁ ସାହସ କଲେ ସେ ଘର ଭାଙ୍ଗି ବେଘର ହେବାର ଉଲ୍ଲାସରୁ ନିବୃତ୍ତ ହେବ ।’’

 

ମୈତ୍ରେୟୀ ତାକୁ ଛାଡ଼ି ଦେଇଗଲେ ଭାବିବା ପାଇଁ ।

 

ବିଶ୍ଵମୋହନ ଯେ ଏଡ଼େ ସ୍ୱାର୍ଥପର ହେବ ସେ କ’ଣ କେବେ କଳ୍ପନା କରିଥିଲା ? ଅଗ୍ନିଙ୍କୁ ସାକ୍ଷୀ ରଖି ତାଙ୍କ ସହିତ ଅବଶିଷ୍ଟ ଜୀବନ ସ୍ଵାମୀ ସ୍ତ୍ରୀଭାବେ ବଞ୍ଚିବା ପାଇଁ ଶପଥ ନବା ପରେ ସେଇ ପବିତ୍ର ସମ୍ବନ୍ଧ ଭାଙ୍ଗିଦବା ପାଇଁ ଇଚ୍ଛା ହୁଏ କିପରି ?

 

ଫେରିଆସି ତା’ ଭାବନାରେ ବ୍ୟାଘାତ ସୃଷ୍ଟି କରି କହିଲା ପଦ୍ମଜା, ‘ଆଉ ଦିଲ୍ଲୀ ହାଲଚାଲ କ’ଣ ? ତମେ ତ ଦିଲ୍ଳୀବାଲୀ ହୋଇଗଲା ସୁତୀ ?’

 

ଭାସ୍ଵତୀ କହିଲା, ‘ବୁଝିଲ ଭାଉଜ କଥାରେ କହନ୍ତିନି ଯୋ ଦିଲ୍ଲୀକା ଲଡ଼ୁ ଖାୟା ଓ ପସ୍ତାୟା, ଯୋ ନହିଁ ଖାୟା ଓ୍ୱ ଭୀ ପସ୍ତାୟା ।’ ଠିକ୍‌ ସେହିପରି କଥା । ଦିଲ୍ଲୀର ଆଉ ଗୋଟେ ନାମ ‘ଗୁଲାମନଗରୀ’ । ସାହେବ, ବିବି, ଗୁଲାମମାନଙ୍କ ଜାଗା ଏଇଟା । ଆମେ ସବୁ ଗୁଲାମ ମଧ୍ୟରେ ଗଣ୍ୟ । ମନ୍ତ୍ରୀ, ସାଂସଦ, କୋଟିପତି, ରାଷ୍ଟ୍ରଦୂତ, ପୁଞ୍ଜିର ମାଲିକମାନଙ୍କ ସହର ଏଇଟା । ସାଧାରଣମାନେ ନଗଣ୍ୟ । ସେମାନେ ବ୍ୟସ୍ତ ରହନ୍ତି ନିଜ ନିଜର ସୁଖ ଦୁଃଖ ନେଇ । ବସୁମତୀ ପରି ସର୍ବଂସହା ସେମାନେ । ନଚେତ ଦିନେ ସେମାନଙ୍କ ଦୀର୍ଘଶ୍ୱାସରେ ଜଳି ଯାଆନ୍ତା ଏ ରାଜଧାନୀ ।’

 

ପଦ୍ମଜା ଶୁଣୁଥିଲା ମନଦେଇ । କହିଲା - ‘ଏ ଯୁଗରେ ତମ ହାତରେ ଅର୍ଥ ନାଇଁ ତ କିଛି ନାଇଁ । ଅର୍ଥହିଁ ପରମାର୍ଥ । ଅର୍ଥ ବଳରେ ସବୁ ବାଧା ଦୂର ହୁଏ, ସବୁ ରିଷ୍ଟ ଖଣ୍ଡନ ହୁଏ । ଏପରିକି ତମେ ଭଗବାନ ଓ ତାଙ୍କ ଗୁଣ ପ୍ରଚାର କରୁଥିବା ସାଧୁସନ୍ଥଙ୍କୁ ବି ଅର୍ଥଦ୍ଵାରା ଜୟ କରିପାର ।’

 

ମେତ୍ରେୟୀ ଭିତରୁ ଶୁଣୁଥିଲେ, ପଦ୍ମଜାର କଥା ଶୁଣି କହିଲେ, ‘‘ନା, ନା । ଏମିତି କହନା ପଦ୍ମଜା । ଜୀବନରେ ଅର୍ଥର ଯେ ପ୍ରୟୋଜନ ନାହିଁ ତାହା କହୁନି ମୁଁ । କିନ୍ତୁ ଅର୍ଥ ସବୁ କିଛି ନୁହେଁ ଏବଂ ପରମାର୍ଥ ତ ନୁହେଁ । ଅର୍ଥଦ୍ଵାରା ଈଶ୍ଵରଙ୍କୁ ବଶ କରିବା କଳ୍ପନାତୀତ... ।’

 

ପଦ୍ମଜାକୁ ହାରିଗଲା ପରି ଲାଗିଲା । ଯେତେବେଳେ କେହି ତା’ ଯୁକ୍ତି କାଟିଦିଏ ଏବଂ ସେ ପ୍ରତିରୋଧ କରିପାରେନା ସେତେବେଳେ ସେ ନିଃସହାୟ ଅନୁଭବ କରେ । ସେତିକିବେଳେ କେଜାଣି କାହିଁକି ତା’ର କଥା ଓ ଆଚରଣରେ ଉଗ୍ରଭାବ ପରିସ୍ଫୁଟ ହୁଏ । ସେ ରୋକି ନ ଯାଇ କହିଲା, ‘ଯେଉଁମାନେ ଈଶ୍ଵରଙ୍କୁ ନେଇ ରହନ୍ତି ସେମାନଙ୍କୁ ଈଶ୍ଵର ରକ୍ଷା କରୁଥିବା ମୁଁ କେବେ ଦେଖିନି କି ଶୁଣିନି... ନିଜର ବଳ ନ ଥିଲେ ଅନ୍ୟର ବଳ ଧାର କରି କୀଚକ ବାହୁବଳେ ବିରାଟ ରାଜା ହେବା ପରି କଥା ହୁଏ ।’

 

‘ଆମ ପରିବାର କଥା କହୁନ... କେତେଜଣ ଦେଉଛନ୍ତି ତ ଆଉ କେତେଜଣ ଖର୍ଚ୍ଚ କରୁଛନ୍ତି । ସେମାନଙ୍କ ଉପାର୍ଜନ କମ୍‌, କିନ୍ତୁ ଖର୍ଚ୍ଚ ବେଶୀ । ପରର ଧନ ହଜମ କରିବା ସହଜ ... କିନ୍ତୁ ନିଜ ବେଳକୁ... ।’

 

ବାଧା ଦେଇ ପାରିଲେ ନାହିଁ ମୈତ୍ରେୟୀ । ସ୍ତବ୍ଧ ହୋଇ ଶୁଣୁଥିଲେ କେବଳ । କିନ୍ତୁ ବୋଧହୁଏ ପଦ୍ମଜାର ଦାମ୍ଭିକବାଣୀ ଶୁଣୁଥିଲା ସରୋଜ । ସେ ଭିତରୁ ବଡ଼ ପାଟିକରି କହିଲା, ‘ତମେ କ’ଣ ଅବାନ୍ତର କଥାଗୁଡ଼ାକ କହିଯାଉଛ ! ଜିଭରେ ତମର ବାଡ଼ବତା ନାହିଁ ।’

 

ପଦ୍ମଜା ଆହୁରି ରାଗିଗଲା । ସ୍ଵର ଆହୁରି ଉଚ୍ଚ କରି କହିଲା, ‘ତମେ ଅନ୍ୟପାଇଁ ଓକିଲାତି କରନା । ତମର ତାକତ କେତେ ମୁଁ ଜାଣେ ।’

 

ସରୋଜ କଥା ବଢ଼ାଇବା ପାଇଁ ଚାହୁଁ ନ ଥିଲା । ସେ ବୁଝୁଥିଲା ଯେ ଏହାପରେ ଆଉକିଛି କହିଲେ ପଦ୍ମଜା କ’ଣ ନା କ’ଣ କହିଦବ ବା କରିବସିବ ଯାହା ସୀମା ଅତିକ୍ରମ କରିବ । ସେ ଭିତରୁ କହିଲା, ‘ଆମେ ଯିବା ପରା । କ୍ଲିନିକ୍‌ରେ କେତେଦିନ ନ ଥିଲୁ । ସବୁ ଅସନା, ଅସଜଡ଼ା ହୋଇ ପଡ଼ିଥିବ ।’

 

ପଦ୍ମଜା ରାଗ ତମ ତମ ମୁହଁ କରି ଉଠିପଡ଼ିଲା ସିନା; କିନ୍ତୁ ଭିତରେ ଭିତରେ ସରୋଜକୁ ପାନେ ଭଲ କରି ଦବ କାଲି ମନେ ମନେ ନିର୍ଣ୍ଣୟ କରିଥିଲା ।

 

ସେମାନେ ସ୍ନାନ ପ୍ରସାଧନ ସାରିବାବେଳକୁ ଖାଇବା ସମୟ ହୋଇଗଲା । ଖାଇବା ପାଇଁ ମନ ନ ଥିଲା ପଦ୍ମଜାର । ବାଧ୍ୟ ହୋଇ ବସିଲା ଆସି । ଗୁମ୍‌ମାରି ବସିଥିଲା । ସରୋଜ ଅନୁଭବ କରୁଥିଲା ଯେ ଆଗ୍ନେୟଗିରିର ବିସ୍ଫୋରଣ ହେବା ପୂର୍ବରୁ ଏଇ ପରି ଦହନକ୍ରିୟା ଆରମ୍ଭ ହୁଏ ଗର୍ଭଗୃହରେ । ଆଜି ଦିନଟା ଭଲ ଯିବ ବୋଲି ଭାବିଥିଲା ସେ । କିନ୍ତୁ ହଠାତ୍ ଯେପରି ସବୁ ବିଗିଡ଼ଗଲା । ସେ ଅନ୍ୟପ୍ରସଙ୍ଗ ଅବତାରଣା କରୁଥିବାବେଳେ ଡାକବାଲା ଚିଠିଟାଏ ଦେଇଗଲା । ପଦ୍ମଜାର ଚିଠି ତା’ ହାତକୁ ବଢ଼ାଇ ଦେଇ କହିଲା ଭାସ୍ୱତୀ ଭାଉଜ ତମ ଚିଠି ।’’

 

ପଦ୍ମଜା ଚିଠି ନେଇ ଲଫାପା ଚିରିଲା । ଚିଠି ପଢ଼ିବାବେଳେ ତା ମୁହଁର ଭାବ ପରିବର୍ତ୍ତନ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ଚିଠିଟା ସରୋଜ ହାତକୁ ବଢ଼ାଇ ଦେଇ କହିଲା, ‘ପଢ଼ । କୋଉଠି ଏତେ ଲୋକଙ୍କ ପାଇଁ ସ୍ଥାନ ଅଛି ଏ ଘରେ ଯେ ବ୍ୟବସ୍ଥା କରିବା ପାଇଁ କହିଛି ମା’ । ବାପ, ମା’, ସାନଭାଇ, ସାନଭଉଣୀ ଆଉ ସେମାନଙ୍କ ସାଙ୍ଗରେ ଆସିବ ବଡ଼ ଭଣଜା । ଅନ୍ୟମାନଙ୍କ କଥା ଛାଡ଼, ବଡ଼ ଭଣଜା ସାନୁ କଥା ନିଆରା । କୋଟିପତିର ପୁଅ ସେ । ଏଇ ବାରନ୍ଦାରେ ଶୋଇବ ?’

 

ସେତେବେଳକୁ ଖାଇବା ଜିନିଷ ସବୁ ଟେବୁଲ ଉପରେ ସଜାଇ ଦେଇଥିଲା କୁନ୍ତୀ । ମୈତ୍ରେୟୀ କେବଳ ଗରମ ଗରମ ଶାଗଭଜା ନେଇ ପହଞ୍ଚିଯାଇ କହିଲେ, ‘କିଏ ସବୁ ଆସୁଛନ୍ତି ସରୋଜ ?’

 

‘ଶ୍ୱଶୁର, ଶାଶୁ, ସାନ ଶାଳୀ, ସାନ ଶଳା, ଆଉ ବଡ଼ ଶାଳୀଙ୍କ ଗେଲ ବସର ପୁଅ ସାନୁ... ।’ ଭାରି ମଜା ହେବ । ଏଇ ପ୍ରଥମ ଆମ ଘରକୁ ଆସିବେ । ପିଲାମାନଙ୍କୁ ସାଙ୍ଗରେ ଆଣୁଥିବାରୁ ବେଶ୍‌ ଚହଳ ଗହଳ ବଢ଼ିବ... ।’ କହିଲା ସରୋଜ । ‘କେତେବେଳେ ପହଞ୍ଚିବେ ଲେଖିଛନ୍ତି ।’ ଆଗ୍ରହ ଦେଖାଇ କହିଲେ ମୈତ୍ରେୟୀ ।

 

- ‘‘କାଲି ରାଜଧାନୀ ଏକପ୍ରେସ୍‌ରେ ପହଞ୍ଚିବେ । ସଂଧ୍ୟା ୬ଟାରେ ।’’ କହିଲା ସରୋଜ ।

 

‘କିଛି ଚିନ୍ତା ନାହିଁ । ମୁଁ ସବୁ ବ୍ୟବସ୍ଥା କରି ରଖିଥିବି । ତମେ ସିଧା ସେମାନଙ୍କୁ ନେଇ ଘରକୁ ଚାଲି ଆସିବ । ଦୁଇଟା ରୁମ୍‌ ମୁଁ ସଜାଡ଼ି ଦେଇଥିବି । କିଛି ଅସୁବିଧା ହେବ ନାହିଁ ।’ ମୈତ୍ରେୟୀ କହିଲେ ।

 

ପଦ୍ମଜା ଗୁମ୍‌ହୋଇ ବସିଥିଲା । ମୈତ୍ରେୟୀଙ୍କୁ କିଛି ନ କହି ସରୋଜଙ୍କୁ କହିଲା, ‘ଏଇଠି ଏତେ ଲୋକଙ୍କ ରନ୍ଧାବଢ଼ା କିଏ କରିବ ? ବରଂ ଭଲ ହେବ ଯଦି ହୋଟେଲ ପ୍ରେସିଡ଼େନ୍ସି ବା ହୋଟେଲ ରିଜେଣ୍ଟ’ରେ ତିନିଟା କୋଠରୀ ବୁକ୍ କରିଦିଅ । ଆମେ ଦିନେ ତାଙ୍କୁ ଆମ ଘରେ ଡିନର ବା ଲଞ୍ଚ ପାଇଁ ଡାକିଲେ ଚଳିବ... ।’

 

ମୈତ୍ରେୟୀକୁ ବାଧିଲା କଥାଟା । ସେ କହିଲେ, ‘ଆମେ ସବୁ ଥାଉ ଥାଉ ସେମାନେ ହୋଟେଲରେ ରହିବା ସୁନ୍ଦର ଦିଶିବ ନାଇଁ ପଦ୍ମଜା । ମୁଁ ସବୁ ଠିକ୍‌ କରିଦେବି, କିଛି ଅସୁବିଧା ହେବ ନାହିଁ । ଉପର ଘରଗୁଡ଼ାକ ତ ବ୍ୟବହାର ହୁଏନା । ଖାଲି ପଡ଼ିଛି । ଖାଲି ସକାଳ ସୁଦ୍ଧା ମୁଁ ସେସବୁ ସଜାଇ ଦେବି । ଦୁଇଟା ରୁମ୍‌ରେ ଆଟାଚ୍ ବାଥ୍‌ରୁମ୍‌ ।

 

ପଦ୍ମଜା କହିଲା, ‘ମୋତେ ଏସବୁ କିଛି ସୁନ୍ଦର ଦିଶୁନି । ସେମାନଙ୍କ ପାଇଁ ଘରେ ସମସ୍ତେ କାହିଁକି ଅସୁବିଧା ଭୋଗିବେ ?’

 

ମୈତ୍ରେୟୀ ତତ୍‌କ୍ଷଣାତ କହିଲେ, ‘ଚୁପ୍‌କର ପଦ୍ମଜା । ଆଗେ ଖିଆପିଆ କର । ତା’ପରେ କ’ଣ କରିବାକୁ ହେବ ମୋ ଉପରେ ଛାଡ଼ି ଦିଅ । ଆମ ଆପଣାର ଲୋକ ସେମାନେ । ଏଇ ଉପର ମହଲାରେ ରହିଲେ ବାଲକୋନିରୁ ସେମାନେ କୁଆଖାଇର ଦୃଶ୍ୟ ଦେଖିପାରିବେ ।’

 

ଏଣୁ ତେଣୁ କିଛି ପାଟିରେ ଦେଇ ଉଠି ବସିଲା ପଦ୍ମଜା । ସରୋଜ ଖାଇସାରି ତଉଲିଆରେ ମୁହଁପୋଛି କହିଲେ, ‘ତମେ ବ୍ୟବସ୍ଥା କର ଭାଉଜ... ଆଉ ଯଦି କିଛି ଆସବାବ ପତ୍ର ଦରକାର ହୁଏ କହିବ ମୁଁ ନେଇ ଆସିବି...।’

 

ସେମାନେ କ୍ଲିନିକ୍‌କୁ ଚାଲିଗଲା ପରେ ଖିଆପିଆ ଶେଷ କରି ବଂଶୀକୁ କହିଲେ ମୈତ୍ରେୟୀ, ‘ଆତ୍ମୀୟମାନେ ଆସିବେ । ଉପର ଦୁଇଟା କୋଠରୀ ସଫା କରି ସଜଡ଼ାସଜଡ଼ି କରିଦିଅ । ଆଉ ଦୁଇଜଣକୁ ଡାକ । ଆଜି ରାତିସୁଦ୍ଧା ଯେମିତି ସବୁ ପ୍ରସ୍ତୁତ ହୋଇଯାଏ । ବାଥ୍‌ରୁମ୍‌ଗୁଡ଼ା ପ୍ରତି ବିଶେଷ ଧ୍ୟାନ ଦବ । ତଳେ କାର୍ପେଟ ପଡ଼ିବ । ରାତିସୁଦ୍ଧା ଆସିବ କାର୍ପେଟ ଏବଂ ରୁମ୍‌ଫ୍ରେସ୍‌ନର୍‌ । ତା’ ସହିତ ଆଉ ଦରକାରୀ ଜିନିଷ ମୁଁ ନେଇ ଆସିବି... ।’

 

ସେଦିନ ଆଉ ବିଶ୍ରାମ ନେଲେନି ମୈତ୍ରେୟୀ । ଚରକି ପରି କୋଠରୀରୁ କୋଠରୀ ଘୂରି ବୁଲିଲେ । କୋଉଠି ବେଡ଼୍‌ସିଟ୍‌, କୋଉଠି ପର୍ଦ୍ଦା, ଆଉ କୋଉଠି ଦର୍ପଣ ଲାଗିବ ସବୁ ଦେଖାଇ ଦେଲେ ବଂଶୀକୁ । ସାନିଟୋଲ, ହର୍‌ପିକ୍‌, ନୂଆ କମୋଡ଼ ବ୍ରସ୍‌, ଛୋଟ ଓ ବଡ଼ ତଉଲିଆ ଇତ୍ୟାଦି-। ଗିଜାର କାମ କରୁ ନ ଥିଲା, ଇଲେକ୍ଟ୍ରିସିଆନ୍‌କୁ ଡାକି ସଜାଡ଼ିନବା ପାଇଁ କହିଲେ । ପିଲାଙ୍କ କୋଠରୀରେ ବେଡ଼୍‌ଲାଇଟ୍‌ ପାଇଁ ସବୁ ବଲ୍‌ବ ଆଣିବା ପାଇଁ ବରାଦ କଲେ । ବାଲ୍‌କୋନିରେ ବେତ ଚୌକି ପକାଇବା ପାଇଁ ବରାଦ କଲେ । ଆଉ ଉପର ସୁଇଚ୍ ବୋର୍ଡ଼ରେ ଗୋଟେ କଲିଂ ବେଲ୍‌ପାଇଁ ବ୍ୟବସ୍ଥା କରିବାକୁ କହିଲେ । କଲିଂ ବେଲ୍‌ ଥିଲେ ଦରକାରବେଳେ ତଳୁ ଲୋକ ଡାକିବା ସୁବିଧା ହେବ । ବାରନ୍ଦାରେ କେତୋଟି ଫୁଲଗାମ୍‌ଲା ମଧ୍ୟ ବସାଇ ଦବା ପାଇଁ କହିଲେ ।

 

ରାତି ନଅଟାବେଳକୁ ସବୁ କାମ ସାରିଥିଲା ବଂଶୀ । ସରୋଜଙ୍କୁ ଡାକି ନେଇ ଉପରୁ ବୁଲାଇ ଆଣିଲେ ମୈତ୍ରେୟୀ । ସରୋଜ ସବୁ ଦେଖି ବିସ୍ମୟରେ ଅବାକ୍ ହୋଇଗଲା କେତେକ୍ଷଣ । ତା’ପରେ କହିଲା, ‘ଭାଉଜ ଏତେ କାମ ଏତେ କମ ସମୟ ମଧ୍ୟରେ କରିପାର ତମେ... ଏକ୍ସଲେଣ୍ଟ୍‍ ମ୍ୟାନେଜମେଣ୍ଟ୍‍... ହୋଟେଲଠାରୁ ବି ଭଲ ।’

 

ମୈତ୍ରେୟୀ କିଛି କହିଲେ ନାହିଁ ।

 

‘କିନ୍ତୁ ଏତେ ଲୋକଙ୍କ ଖିଆପିଆ ଖିଦ୍‍ମଦ୍...’ ସରୋଜ ସମ୍ପୂର୍ଣ୍ଣ କହିବା ଆଗରୁ କହିଲେ ମୈତ୍ରେୟୀ ‘କାଲି ସକାଳୁ ମୁକ୍‌ବଲ ଆସିବ । ତା’ ଦାୟିତ୍ୱରେ କିଚେନ୍‌ । ତାକୁ ସାହାଯ୍ୟ କରିବ ସୁରେନ୍ଦ୍ର ।’

 

ପଦ୍ମଜା କୋଠରୀ ଭିତରେ ରହିଲା ସନ୍ଧ୍ୟାବେଳେ । ସନ୍ଧ୍ୟାବେଳେ ଆଉ ହୋଟେଲ ଯିବା ହେଲା ନାହିଁ । ଡିନର ଖାଇସାରି କୋଠରୀରୁ ଫେରିବା ପରେ କହିଲା, ‘ଦେଖ, ଏସବୁ କରି ମୋ ମନ ନେଇପାରିବ ନାହିଁ । ମୁଁ ନିଶ୍ଚୟ କରି ସାରିଛି । ବାପା ମା’ ଥିବାବେଳେ ଆମ ନୂଆ କ୍ଲିନିକ୍‌ ଉଦ୍‌ଘାଟନ କରାଯିବ । ଆଉ ତଳେ କ୍ଲିନିକ୍‌, ପ୍ରଥମ ମହଲାରେ ଇମରଜେନ୍ସି ବେଡ଼୍‌ ଏବଂ ସବା ଉପରେ ରହିବା ଘର, କିଚେନ୍‌, ଡ୍ରଇଂରୁମ୍‌ ଇତ୍ୟାଦି ।’

 

ସରୋଜ କିଛି କହିଲା ନାହିଁ । ସେ ଜାଣେ ପଦ୍ମଜା ଥରେ ଜିଦ୍ କଲେ ତାହା ଆଉ ବଦଳେ ନାହିଁ । କିନ୍ତୁ ନର୍ସିଂହୋମ୍‌ ଉଦ୍‌ଘାଟନ ଓ ବାସସ୍ଥାନ ପରିବର୍ତ୍ତନ କେତେଦିନ ସେ ଏଡ଼ାଇ ଦେଇପାରିବେ ସେଇ ଚିନ୍ତା ଘାରୁଥାଏ ମନକୁ ।

 

ଅନେକ ରାତି ପର୍ଯ୍ୟନ୍ତ ନିଦ ହେଲାନି ସରୋଜର । କ’ଣ ଗୋଟେ ଶବ୍ଦ ଶୁଭିଲା, ଉଠି ବସି ଝରକା ପାଖକୁ ଗଲା ସରୋଜ । କେହି ଜଣେ ଗଛମୂଳେ ଲୁଚିଗଲା ପରି ଲାଗିଲା ତାକୁ । ସେ କହିଲା, ‘କିଏ ସେ ?’ କିନ୍ତୁ କେହି ଉତ୍ତର ଦେଲେ ନାହିଁ । ହୁଏତ ମନର ଭ୍ରମ ଭାବି ସେ ଘରକୁ ଫେରି ଆସିଲା । ସେତିକିବେଳେ କଡ଼ ଲେଉଟାଇଲା ପଦ୍ମଜା । ବୋଧହୁଏ ସେ ବି ଶୋଇନି ବା ନିଦ ଭାଙ୍ଗି ଯାଇଛି... ।

 

ସରୋଜ ପାଖରେ ଶୋଇପଡ଼ି ପଦ୍ମଜା ଉପରେ ହାତ ରଖିଲେ । ପଦ୍ମଜା ହାତ ଆଡ଼େଇ ଦେଲା ଏବଂ ଆଉଟିକେ ଘୁଞ୍ଚିଗଲା ।

 

ସରୋଜ ଜାଣିଲା ଯେ ଅଭିମାନ କରିଛି ପଦ୍ମଜା । ଏଇ ଅଭିମାନ ଭାଙ୍ଗିବା ପାଇଁ କ’ଣ କରିବାକୁ ହେବ ସେ ଚିନ୍ତା କରିବାକୁ ଲାଗିଲା । କେତେକ୍ଷଣ ପରେ ସେ ପଦ୍ମଜାର ମୁହଁ ଉପରୁ ହାତ ବୁଲାଇ ଆଣିଲା । ପଦ୍ମଜା କୌଣସି ପ୍ରତିକ୍ରିୟା ପ୍ରକାଶ କଲାନି ।

 

ସରୋଜ କହିଲା, ‘ଆଇ ଏମ୍‌ ସରି... ଆଇ ଏମ୍‌ ରିଏଲି ସରି ପଦ୍ମଜା... ।’

 

ପଦ୍ମଜା କଡ଼ ଲେଉଟାଇ କହିଲା, ‘ଆମର ବାହାଘର ଦିନ ତମର ମନେଅଛି ?’

 

ସରୋଜ କହିଲା, ‘ପାଞ୍ଚ ବର୍ଷ ତଳେ ବାହାଘର ହୋଇଥିଲା, ଅବଶ୍ୟ ସବୁକଥା ଭୁଲିଯାଇନି ।’

 

କିନ୍ତୁ କାଲି ଯେ ଆମ ବିବାହ ବାର୍ଷିକୀ କାହିଁ ତମେ ତ ଥରେହେଲେ କହିନା ?’ ଅଭିମାନିନୀର ସ୍ଵରରେ କହିଲା ପଦ୍ମଜା ।

 

‘ଓଃ ମାଇ ଗଡ଼୍‌ ! ହିମାଳୟ ତୁଲ୍ୟ ଗୋଟେ ବିରାଟ ଭୁଲ୍‌ କରିବାକୁ ଯାଇଥିଲି, ତମେ ରକ୍ଷା କରି ଦେଇଛ । ଆଉ ରିଏଲି ଲଭ୍‌ ୟୁ ପଦ୍ମଜା ।’

 

- ‘ମୁଁ କିନ୍ତୁ ତାଠାରୁ ତୁମକୁ ବେଶୀ ଭଲ ପାଏ... ।’

 

- ଏକ୍ସାଇଟିଂ ନିଉଜ୍‌ ଫର୍‌ ମି... ଅଶେଷ ଧନ୍ୟବାଦ୍‌ ।’

 

- ସେତିକି ।

 

ଟିକେ ଚିନ୍ତା କରି ବାହୁ ଲମ୍ବାଇ ନେଇ ପଦ୍ମଜାକୁ ଟାଣି ନବାବେଳେ ସେ ଫିସ୍‌ଫିସ୍‌ କରି ‘କହିଲା, ‘କିନ୍ତୁ ଗୋଟିଏ ସର୍ତ୍ତରେ... ?’

 

- ‘କୁହ’

 

- ‘ସତ୍ୟ କର’

 

- ‘କଥା ଦେଉଛି... ।’

 

- ‘ଗୋଆରୁ ଫେରିବାବେଳେ ଆମେ ସ୍ଥିର କରିଥିଲୁ ଯେ ଆମେ ନିଜର ଗୋଟେ ନର୍ସିଂହୋମ୍‍ କରିବୁ... ମନେଅଛି ?’

 

- ‘ହଁ, ହଁ... ।’

 

- ‘କିନ୍ତୁ ଘରେ ବସିରହିଲେ ନର୍ସିଂହୋମ୍‍ ଆପେ ଆପେ ହୋଇ ଯିବନି... ।’ କହିଲା ପଦ୍ମଜା ।

 

- ‘ତମେ କ’ଣ ଭାବିଛ, କିଛି ଠିକ୍‌ କରିଛ ?’

 

- ‘ହଁ, ବନୱାରୀଲାଲ ଫୋନ୍‌ କରି କହିଛି ଯେ ସେ ତା’ର ତିନିମହଲା ନୂଆ କୋଠଟା ଭଡ଼ାରେ ଦବ... ।’

 

ସରୋଜ ଆଶ୍ଚର୍ଯ୍ୟ ହୋଇ କହିଲା, ‘କେବେ କହିଲା ?’

 

- ଆଜି, ଅପରାହ୍ନରେ.. । ମୁଁ କଥା ପକ୍କା କରି ଦେଇଛି । ଆମେ ପୂରା ବିଲ୍‌ଡ଼ିଂଟା ନବା-। ତଳ ମହଲାରେ ପାଥୋଲୋଜି, ଏକ୍ସରେ, ଡାକ୍ତରମାନଙ୍କର ଚ୍ୟାମ୍ବର, ଆଉଟ୍‌ଡ଼ୋର୍‌, ରିସେପସନ୍‌ ଇତ୍ୟାଦି । ପ୍ରଥମ ମହଲାରେ ଅପରେସନ୍‌ ଥି‌ଏଟର୍‌, ଷୋହଳଟି ବେଡ଼୍‌ ରହିବା ପରି ବ୍ୟବସ୍ଥା, ଡେଲିଭରି ଚ୍ୟାମ୍ବର... । ଆଉ ଦି ମହଲ୍ଲାରେ ଆମ ରହିବା ଘର ।

 

ଆକାଶରୁ ପଡ଼ିଲା ସରୋଜ । କିନ୍ତୁ ସେଇ ଅବସ୍ଥାରେ ତାକୁ ନା କହିପାରିଲା ନାହିଁ । ବରଂ କହିଲା ‘ତମ ଇଚ୍ଛା ବିରୁଦ୍ଧରେ ମୁଁ କ’ଣ କିଛି କରିଛି... ।’ ମୋର ଇଚ୍ଛା ତୁମେ ପୂର୍ଣ୍ଣ କରିବ ଏକଥା ଭାବି ଭାବି ଖୁସି ଲାଗୁଛି... । ପଦ୍ମଜା ସ୍ୱାମୀର ଛାତି ଉପରେ ମୁହଁ ଗୁଞ୍ଜିଦେଲା ।

 

କିଛି ସମୟ ପରେ କହିଲା, ‘କାଲି ବାପା ମା’ ଆସୁନାହାଁନ୍ତି... । ଶେଷ ମୁହୁର୍ତ୍ତରେ ରିଜରଭେସନ୍ କେନ୍‌ସଲ୍‌ କଲେ ।’

 

- ‘କାହିଁକି ?’ ସରୋଜ ପଚାରିଲା । କାଲି ଆସିଥିଲେ ନର୍ସିଂହୋମ୍‌ ଉଦ୍‌ଘାଟନ ସହିତ ଆମର ସ୍ଥାନ ପରିବର୍ତ୍ତନ ସମ୍ଭବ ହୋଇ ନ ଥାନ୍ତା । ସେମାନେ ଦଶ ଦିନ ପରେ ଆସିବେ । ସେତେବେଳକୁ ଆମେ ଉଠି ଯାଇଥିବା । ଏଠାରେ ବାପା ମା’ଙ୍କୁ ରିସିଭ୍‌ ନ କରି ମୁଁ ଆମ ନୂଆଘରେ ସେମାନଙ୍କୁ ରିସିଭ୍‌ କରିବି... । ଉଦ୍‌ଘାଟନ ଦିନ ଗୋଟେ ରିସେପ୍‌ସନର ଆୟୋଜନ ବି କରିବି ‘ହୋଟେଲ ଉତ୍କଳ’ରେ । ଏସବୁ ତମକୁ କହି ନ ଥିଲି ଗୋଟେ ପ୍ଲିଜେଣ୍ଟ ସର୍‌ପ୍ରାଇଜ୍‌ ଦେବି ବୋଲି... ମୋତେ ଭୁଲ ବୁଝିବନି ପ୍ଲିଜ୍... ।’

 

ସରୋଜର ଆଲିଙ୍ଗନ ଶିଥିଳ ହୋଇଗଲା । ଇନ୍ଦ୍ରପଦ ପାଇବାର ସୁଖାନୁଭୂତି ତା’ ଦେହ ଓ ମନକୁ ଉଲ୍ଲସିତ କରିବା ପୂର୍ବରୁ ପାଦରୁ ଶିର ପର୍ଯ୍ୟନ୍ତ ଗୋଟେ ହିମପ୍ରବାହ ତା’ ଶିରାପ୍ରଶିରାକୁ ନିସ୍ତେଜ କରିଦେଲା । ସାରା ପୃଥିବୀର କାତରତା ଠୁଳ ହେଉଥଲା ମଧ୍ୟରାତ୍ରିର ସେଇ କୋଠରୀ ଭିତରେ ।

 

ପରିବାରରୁ ଅଲଗା ହୋଇଯିବା ପାଇଁ ଯେ ପଦ୍ମଜା ଏତେଦୂର ଆଗେଇ ଯାଇପାରେ ତାହା ସେ କେବେ କଳ୍ପନା କରି ନ ଥିଲା । ବଡ଼ ପରିବାରରେ କିଛି ଦବାକୁ ହୁଏ, ଆଡ଼୍‌ଜଷ୍ଟମେଣ୍ଟ୍‍ କରିବାକୁ ହୁଏ; କିନ୍ତୁ ତା’ ବଦଳରେ ମିଳେ ସାଙ୍ଗ ସୁଖ, ସାନ୍ନିଧ୍ୟ ଏବଂ ଅନ୍ତରଙ୍ଗ ଆତ୍ମୀୟତା । ସବୁବେଳେ ଭାବିବାକୁ ଭଲ ଲାଗେ ଯେ ଆଉ କେହି ପାଖେ ପାଖେ ଅଛନ୍ତି, ଦରକାର ହେଲେ ବାହୁ ମେଲାଇ ଦେବେ ଆଲିଙ୍ଗନ କରିବା ପାଇଁ, ମଥା ଉପରେ ଛତା ଧରି ଠିଆ ହେବେ ଖରାବର୍ଷାରୁ ରକ୍ଷା କରିବା ପାଇଁ; ଏବଂ ପୃଥିବୀ ଯଦି ଆଶ୍ରୟ ନ ଦେଇ ଦୂର୍‌ଦୂର୍‌ କରେ କୌଣସି କାରଣରୁ ବାପା ବା ବଡ଼ ଭାଇ, ମା’ ବା ବଡ଼ ଭାଉଜ କେବେ କବାଟ ବନ୍ଦ କରିଦେବେ ନାହିଁ । ସରୋଜ ଭାବି ପାରେନା କାହିଁକି ଏମିତି କଲା ପଦ୍ମଜା । ହୁଏତ ତାହାରି ଯୋଗୁ ଯେ ଶ୍ଵଶୁର ଶାଶୁ ଶଳାଶାଳୀଙ୍କ ଆସିବା ଘୁଞ୍ଚିଗଲା କେତେଦିନ ତାହା ଭାଉଜ ଜାଣିବେ ନାହିଁ; କିନ୍ତୁ ସେ ତ ଜାଣୁଛି । ଦିନେ ଭାଉଜ ବି ଜାଣିବେ । ସେତେବେଳେ କେଡ଼େ ଛୋଟ ହୋଇଯିବେ ସେମାନେ ତାଙ୍କ ଆଗରେ । ଛି ଛି... ।

 

ଅନେକ ଚେଷ୍ଟା କରିବି ନିଦ ହେଲାନି । କେବଳ ଏପାଖ ସେପାଖ କଡ଼ ଲେଉଟାଇବାରେ ରାତି ଶେଷ ହୋଇଗଲା । ପାହାନ୍ତାବେଳକୁ ଉଠି ବସି ସେ କବାଟ ଖୋଲି ବାହାରିଗଲା ବାରନ୍ଦାକୁ । କୁଆଁତାରା ଉଠି ସାରିଥାଏ ସେତେବେଳକୁ । ସାମାନ୍ୟ ଫର୍ଚ୍ଚା ହୋଇ ଆସିଥାଏ ପୂର୍ବାକାଶ । ଚଢ଼େଇମାନଙ୍କ କିଚିରିମିଚିରି କାନରେ ପଡ଼ୁଥାଏ ଏବଂ ଦେହରେ ବାଜୁଥାଏ କୂଆଖାଇ ଆଡ଼ୁ ବହି ଆସୁଥିବା ଶୀତଳ ପବନ ।

 

ବେତ ଚୌକିରେ ଏକାକୀ ବସି ରହିଲା ସେ । ତାକୁ ଘେରି ରହିଥିଲା ସାରା ଜଗତର ନିର୍ଜନତା । ପଦ୍ମଜା ଗଭୀର ନିଦରେ ଶୋଇଛି । ସେ ହୁଏତ ଜିତିଗଲା ବୋଲି ସ୍ଵପ୍ନ ଦେଖୁଥିବ । କିନ୍ତୁ ଏଇଟା ଯେ ଜୟ ନୁହେଁ ପରାଜୟ ତାହା ସେ ଦିନେ ବୁଝିବ । ପାଞ୍ଚ ବରଷ ଭିତରେ ଏଇ ପରିବାରରୁ କିଛି ମଧୁରତା, କିଛି ଆତ୍ମୀୟତା ସଂଗ୍ରହ କରି ପାରିଲାନି ସେ । କେବଳ କୁଢ଼ାଇ ନେଲା ଆକ୍ରୋଶ, ଅହଂକାର ଏବଂ ନିଜର ଇଚ୍ଛା ଜାହିର କରିବାର ବଡ଼ପଣ ।

 

ସରୋଜର ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇ ଆସୁଥିଲା । ସେ ଅନୁଭବ କରୁଥିଲା । ଯେ ତା ଚାରିପାଖରେ ପୃଥୁବୀର ସବୁ ଅସହାୟତା, ନିସଙ୍ଗତା ଠୁଳ ହୋଇଯାଇଛି... ।

 

(ସାତ)

 

ଏଇ କେତେଦିନ ଧରି ଅପୁ ବ୍ୟସ୍ତ ଥିଲା ବିଶ୍ଵବିଦ୍ୟାଳୟର ଛାତ୍ର ଇଉନିଅନ୍‌ ନିର୍ବାଚନ ନେଇ । ସେଦିନ ଦେବାଶିଷ ସହିତ ମିଳାମିଶା ହେବା ପରେ ସେ ଅନେକ ଭାବିଥିଲା ସେ ବିଷୟରେ । ଦେବାଶିଷ ହୁଏତ କାହାର ପ୍ରରୋଚନାରେ ପଡ଼ି ହେଉ ବା ଆକ୍ରୋଶରୁ ହେଉ ତାକୁ ପ୍ରତିଦ୍ୱନ୍ଦ୍ୱୀ ଭାବୁଥିଲା । କିନ୍ତୁ ଅପୁର କେହି ପ୍ରତିଦ୍ୱନ୍ଦ୍ୱୀ ନ ଥିଲେ । ସେ କେବଳ ଚାହୁଁଥିଲା ଛାତ୍ର ଇଉନିଅନ୍ ନିର୍ବାଚନରେ ଦଳୀୟ ରାଜନୀତି ନ ପଶୁ । ଦଳୀୟ ରାଜନୀତି କରିବା ପାଇଁ ବିଶ୍ଵବିଦ୍ୟାଳୟ ପ୍ରକୃତ କ୍ଷେତ୍ର ନୁହେଁ । ଅଧ୍ୟୟନ କରିବା, ଉତ୍କର୍ଷ ଅର୍ଜନ କରିବା ଛାତ୍ରମାନଙ୍କ ଲକ୍ଷ୍ୟ ହେବା ଉଚିତ । ସେଇ ଲକ୍ଷ୍ୟ ନେଇ କାମ ନ କଲେ ବାପା ମା’ଙ୍କ ଆଶା ଅପୂର୍ଣ୍ଣ ରହିଯିବ । ସେମାନଙ୍କ ମଧ୍ୟରୁ କିଏ ଜମିବାଡ଼ି ବିକ୍ରିକରି ହେଉ ବା ଅନେକ ସୁଖ ସୁବିଧାରୁ ପରିବାରକୁ ବଞ୍ଚିତ କରି ସଞ୍ଚୟ କରିଥିବା ଅର୍ଥ ପୁଅର ପଢ଼ାଖର୍ଚ୍ଚ ତୁଲାଇବାରେ ବ୍ୟୟ କରିଥାନ୍ତି । ଯଦି ଛାତ୍ରମାନେ ପଢ଼ାରେ ଅବହେଳା କରି ଦଳୀୟ ନେତାମାନଙ୍କ ଏଜେଣ୍ଡାରେ ସଫଳତା ସକାଶେ କାମ କରନ୍ତି ତେବେ ତାଙ୍କର ଲାଭ ହେବ; ଛାତ୍ରମାନେ ତାଙ୍କ ପଛରେ ଅଛନ୍ତି ଏଇ କଥା କହି ସେ ଦଳରେ ତାଙ୍କ ପତିଆରା ବଢ଼ାଇବେ; କିଛି ଅର୍ଥ ବ୍ୟୟ କରି ଛାତ୍ରମାନଙ୍କୁ ମଦ ମାଂସ ଖୁଆଇ ବିପଥଗାମୀ କରି ନିଜ ହାତମୁଠାରେ ରଖିବାପାଇଁ ଚେଷ୍ଟା କରିବେ; କିନ୍ତୁ ତଦ୍ଵାରା ନେତାଙ୍କର ପ୍ରଭାବ ବଢ଼ିପାରେ । ଛାତ୍ରମାନଙ୍କ ଏହାଦ୍ଵାରା କ୍ଷତି ହେବ । ସେତେବେଳେ ଛାତ୍ରମାନଙ୍କୁ ପରିତ୍ୟକ୍ତ ସାମଗ୍ରୀ ପରି ବ୍ୟବହାର କରିବେ ନେତା । ସେମାନଙ୍କ ପାଇଁ ତାଙ୍କର ଆଉ ସମୟ ନ ଥିବ । ଛାତ୍ରମାନେ ସେତେବେଳେ ବୁଝିବେ ଯେ ସେମାନଙ୍କ ସମୟ ହାତମୁଠାରୁ ଖସିଯାଇଛି । ତା’ପରେ ସେମାନେ ସମୟର ଦାସ ହୋଇ ରାସ୍ତାକଡ଼ରେ ବୁଲୁଥିବେ । ପଞ୍ଚାକ୍ଷର ମନ୍ତ୍ରହିଁ ସାର ହେବ ସେତେବେଳେ ।

 

ଅପୁ ଏଇ କଥା ବୁଝିଗଲା ପରେ ବନ୍ଧୁମାନଙ୍କୁ ମଧ୍ୟ ଏ ବିଷୟରେ କୁହାଗଲା । ଘଣ୍ଟା ଘଣ୍ଟା ଧରି ସେମାନଙ୍କ ମଧ୍ୟରେ ଚର୍ଚ୍ଚା ହେବାପରେ ଶେଷରେ ଦେବାଶିଷ କହିଲା, ‘ତୁ ଆମର ନେତା । ତୋ କଥା ଆମେ ମାନିବୁ । ଏବେ କହ ଆମେ କ’ଣ କରିବୁ ? ନିର୍ବାଚନରେ ଭାଗ ନ ନେଲେ ଅସାମାଜିକମାନେ ଏଇ ସୁଯୋଗର କିନ୍ତୁ ସେମାନଙ୍କ ମନୋନୀତ ପ୍ରାର୍ଥୀମାନଙ୍କୁ ଜିଣାଇ ଦବା ପାଇଁ ସୁଯୋଗ ପାଇବେ... ।’

 

- ‘ନା, ସେ କଥା ମୁଁ କରିବାକୁ ଦେବି ନାହିଁ । ନିର୍ବାଚନରେ ଆମେ ଭାଗ ନବା । ଆମ ପ୍ରାର୍ଥୀମାନେ ଯେପରି ବହୁ ମତରେ ବିଜୟୀ ହୁଅନ୍ତି ସେଥିପାଇଁ ଚେଷ୍ଟା କରିବା ଏବଂ ଏଇ କାମ ମୁଁ କରିବି । ଦେବାଶିଷ ସଭାପତି ପଦ ପାଇଁ ଛିଡ଼ା ହେଉ । ସେ ଆମର ସର୍ବସମ୍ମତ ପ୍ରାର୍ଥୀ... ।’

 

ଅପୁର କଥା ଶୁଣି ସମସ୍ତେ କିଛିକ୍ଷଣ ପାଇଁ ସ୍ତବ୍ଧ ହୋଇ ରହିଗଲେ । ଏତେବଡ଼ ତ୍ୟାଗ ଅପୁ କରିପାରେ ଏହା ସେମାନେ କେବେ ଭାବି ନ ଥିଲେ ।

 

ଜଗଦୀଶ କହିଲା, ‘ତୁ କାହିଁକି ଛିଡ଼ା ହେବୁନି କହିଲୁ । ଦେବୁ ତ ତୋ ଆଜ୍ଞା ମାନି କାମ କରିବ ବୋଲି କହି ସାରିଛି... ।’

 

ଦେବୁ କହିଲା, ‘ଅପୁ ଆମର ନେତା...’

 

ଅପୁ ତାକୁ କୁଣ୍ଢାଇ ପକାଇ କହିଲା, ‘ଆରେ ! ମୁଁ କ’ଣ କହୁଛି ପ୍ରଥମେ ବୁଝିବାକୁ ଚେଷ୍ଟାକର । ତା’ପରେ ସର୍ବସମ୍ମତ ନିଷ୍ପତ୍ତି ନବା ସହଜ ହେବ... ।’ କିଛିକ୍ଷଣ ଭାବିବା ପରେ ଅପୁ କହିଲା, ‘ମୁଁ ନିର୍ବାଚନ ଲଢ଼ିଲେ ପ୍ରଚାର କାର୍ଯ୍ୟ ପାଇଁ ସମୟ ଦେଇପାରିବି ନାହିଁ... ସମସ୍ତ ଛାତ୍ରଙ୍କୁ ଭେଟିବା ଓ ବୁଝାଇ ସମ୍ଭବ ହେବ ନାହିଁ । ଏ ପର୍ଯ୍ୟନ୍ତ ନେତାମାନେ ଛାତ୍ରମାନଙ୍କୁ ବିଭିନ୍ନ ଦଳର ପ୍ରାର୍ଥୀ କରିଆସୁଥିଲେ । ଫଳରେ ଛାତ୍ରମାନେ ଦୁଇତିନିଟା ଗୋଷ୍ଠୀରେ ବାଣ୍ଟି ହୋଇ ଯାଇଥିଲେ । ଏଇ ସୁଯୋଗର ଅସାମଜିକ ଶକ୍ତି ସେମାନଙ୍କ ପ୍ରାର୍ଥୀମାନଙ୍କୁ ନିର୍ବାଚନରେ ଜିତାଇ ଦେଉଥିଲେ । ଏହାର ଫଳ ଆମେ ଭୋଗୁଛୁ । ବଶ୍ଵବିଦ୍ୟାଳୟ ଏକତା ଓ ଉତ୍କର୍ଷ ଅର୍ଜନର କେନ୍ଦ୍ର ହେବା ପରିବର୍ତ୍ତେ ବିଭାଜନର କେନ୍ଦ୍ର ହୋଇ ଆସିଛି । ସରକାରଙ୍କୁ ସୁହାଉଛି ଏ ଅବସ୍ଥା । ବିରୋଧୀ ଦଳ ବି ଏୟା ଚାହେଁ । କିନ୍ତୁ ଆମେ ସେମାନଙ୍କୁ ଚାହୁଁନା । ଆମେ ଚାହୁଁ ମିଳିତ ମଞ୍ଚର ପ୍ରାର୍ଥୀମାନେ ସର୍ବସମ୍ମତି କ୍ରମେ ବିଜୟୀ ହୁଅନ୍ତୁ । ବିଭାଜନ ରୋକାଯାଉ । ଛାତ୍ର ଏକତାର ଜୟ ହେଉ... ।’

 

ସମସ୍ତେ ପ୍ରାୟ ସମସ୍ଵରରେ ଚିତ୍କାର କରି ଉଠିଲେ, ‘ଅପୁ ଭାଇ ହିପ୍‌ ହିପ୍‌ ହୁର୍‌ରେ...।’

 

ଅପୁ କହିଲା, ‘ଏଥିପାଇଁ ମୁଁ ଚାହେଁ ଆମେ ସର୍ବସମ୍ମତ ପ୍ରାର୍ଥୀ ଦବା ଏବଂ ଦେବାଶିଷ ହେବ ଆମ ସମସ୍ତଙ୍କର ପ୍ରାର୍ଥୀ ସଭାପତି ପଦ ପାଇଁ । ମୁଁ ବାହାରେ ରହିବି ବିଭାଜନକାରୀ ଶକ୍ତିମାନଙ୍କୁ ପ୍ରତିରୋଧ କରିବା ପାଇଁ । ତମେ ସବୁ ମୋତେ ସାହାଯ୍ୟ କରିବ । କରିବ ନା ? କୁହ ଯଦି ମନରେ ଅନ୍ୟକିଛି ଭାବନା ଅଛି ?’

 

ସମସ୍ତେ ଛିଡ଼ା ହୋଇପଡ଼ି ଅପୁକୁ କାନ୍ଧ ଉପରେ ବସାଇ ଛାତ୍ର ଶକ୍ତିର ଜୟଧ୍ୱନି କଲେ-

 

ଦେବାଶିଷ ସମ୍ମତ ହେଲା ସଭାପତି ପଦ ପାଇଁ ଲଢ଼ିବା ପାଇଁ । ଅନ୍ୟାନ୍ୟ ପ୍ରାର୍ଥୀମାନଙ୍କ ନାମ ତାଲିକା ମଧ୍ୟ ଚୂଡ଼ାନ୍ତ ହେଲା ।

 

ସେଦିନ ବିଶ୍ୱବିଦ୍ୟାଳୟରୁ ଫେରିବାବେଳକୁ ରାତି ଏଗାରଟା ବାଜିଗଲା । ବନ୍ଧୁମାନେ ତାକୁ ସେମାନଙ୍କ ହଷ୍ଟେଲରେ ରହିଯିବା ପାଇଁ ଜିଦ୍‌ କରୁଥିଲେ, କିନ୍ତୁ ଅପୁ କହିଲା ଯେ ସେ କଥା ଦେଇଛି ଭାଉଜଙ୍କୁ, ସବୁ କାମ ସାରି ଯେତେ ବିଳମ୍ବ ହେଲେବି ଘରକୁ ଫେରିବ । ସେ ଅପେକ୍ଷା କରିଥିବେ । ‘ମା’ଠାରୁ ବଳି ମୋ ଭାଉଜ, ମୋତେ ଛାଡ଼ିଦିଅ ।’

 

ଏହାପରେ ଆଉ କୌଣସି ଯୁକ୍ତି ନ ଥିଲା ଅପୁକୁ ଅଟକାଇବା ପାଇଁ । ସାଙ୍ଗରେ ଆଉ ପାଞ୍ଚଜଣ ଗଲେ ତାକୁ ଘର ପାଖରେ ପହଞ୍ଚାଇ ଦବା ପାଇଁ ।

 

କିନ୍ତୁ ଠିକ୍‌ ପୋଲ ଶେଷରେ କେତେଜଣ ହାତରେ ଲାଠି ଧରି ଛିଡ଼ା ହୋଇଥିବା ଦେଖି ଦେବୁ କହିଲା, ‘ଏମାନଙ୍କର ଗତିବିଧି ଭଲ ଜଣାପଡ଼ୁନି । ବରଂ ଚାଲ ଆମେ ଫେରିଯିବା...।’

 

ଅପୁ କହିଲା, ‘ନା, ଆଗକୁ ଚାଲ । ଯଦି ଆମ ଉପରେ ଆକ୍ରମଣ ହୁଏ ତେବେ ଆମେ ସାଧ୍ୟମତେ ଆତ୍ମରକ୍ଷା କରିବା ।

 

ସେମାନଙ୍କ ଗତିରୋଧ କରିବା ପାଇଁ ସେଇ ଅଜ୍ଞାତ ବୋଲି କେତେଜଣ ରାସ୍ତା ମଝିରେ ଛିଡ଼ା ହୋଇଗଲେ ଏବଂ ଦେବୁ ଏତେ ସ୍ପିଡ଼୍‌ରେ ହିରୋହଣ୍ଡା ଦଉଡ଼ାଇ ଦେଲା ଯେ ତାକୁ ଲକ୍ଷ୍ୟ କରି ପଡ଼ିଥିବା ଲାଠି ଲକ୍ଷ୍ୟଚ୍ୟୁତ ହେଲା । ତା’ ପଛେ ପଛେ ଜଗଦୀଶ ମୋଟର ସାଇକଲ ଆଗରେ ଦୁଇଜଣ ଛିଡ଼ା ହୋଇଯିବାକୁ ସେମାନଙ୍କୁ ଏତେ ଜୋର୍‌ରେ ଲାତ୍‍ ମାରିଲେ ଜଗଦୀଶ ଏବଂ ଇନ୍ଦ୍ରମଣି ଯେ ସେ ଦୁଇଜଣ ତଳେ ପଡ଼ିଗଲେ । ତୃତୀୟ ମୋଟର ସାଇକେଲକୁ ପ୍ରତିରୋଧ କରିବା ପାଇଁ ଆଉ କେହି ନ ଥିଲେ । ଅପୁକୁ ଘରେ ଛାଡ଼ି ଦେଇ ନିରାପଦରେ ହଷ୍ଟେଲକୁ ଫେରି ଆସିଲେ ।

 

ସେମାନେ ଆର ରାତିରେ ଶୋଇଲେ ନାହିଁ । ଛାତ୍ରାବାସରୁ ଛାତ୍ରବାସ ଯାଇ ସାଙ୍ଗମାନଙ୍କୁ ନିଦରୁ ଉଠାଇ ଆସନ୍ତାକାଲିର ନିର୍ବାଚନ ସମ୍ପର୍କରେ କହି ଆସିଲେ । କାମ ସାରିବାବେଳକୁ ଭୋର ହୋଇଯାଉଥିଲା । ଦଶଟା ବେଳେ ନିର୍ବାଚନ ଅଫିସ୍‌ ଖୋଲିଲା । ଭୋଟ ବାକ୍ସ ବସିଲା । କିନ୍ତୁ ଦେବାଶିଷ ଦାସର ନାମହିଁ କେବଳ ପ୍ରସ୍ତାବ କରାଯାଇଥିଲା ସଭାପତି ପଦ ପାଇଁ । ଜଗଦୀଶ ସାମଲ ସମ୍ପାଦକ ପାଇଁ । ଅପ୍ରତିଦ୍ୱନ୍ଦ୍ୱୀ ଦୋବଶିଷ, ଜଗଦୀଶ ଓ ସେମାନଙ୍କର ସାଙ୍ଗମାନେ ନିର୍ବାଚିତ ହେଲେ ବୋଲି ନିର୍ବାଚନ ଦାୟିତ୍ଵରେ ଥିବା ଅଧ୍ୟାପକ ଘୋଷଣା କଲେ ।

 

ଜୟଧ୍ଵନିରେ ଫାଟି ପଡ଼ିଲା କ୍ୟାମ୍ପସ୍‌ । ଅପୁ, ଦୋବଶିଷକୁ କାନ୍ଧରେ ବସାଇ ଛାତ୍ରମାନେ ଜୟଧ୍ୱନି କରି ସବୁ ବ୍ଳକ୍‌ ବୁଲି ଆସି କୁଳପତିଙ୍କ ଅଫିସ୍‌ ସମ୍ମୁଖ ପଡ଼ିଆରେ ସଭା କଲେ-। ଦୁଇହଜାର ଛାତ୍ରଙ୍କ ଅପୂର୍ବ ଏକତା ଦେଖି ପ୍ରଶଂସାରେ ପଞ୍ଚମୁଖ ହେଲେ ସ୍ଵୟଂ କୁଳପତି । ଦେବାଶିଷକୁ ଫୁଲମାଳ ଦବା ପୂର୍ବରୁ ସେ ମାଇକ୍‌ ପାଖକୁ ଯାଇ କହିଲେ, ‘ଆଜି ଛାତ୍ରମାନଙ୍କ ଏଇ ବିଜୟ ଦିବସର ନକ୍ସା କରିଥଲେ ଅପୁ ଭାଇ । ତାଙ୍କ ତ୍ୟାଗ ଓ ସାଧନା ଯୋଗୁ ସମସ୍ତ ଛାତ୍ର ଏକ ହୋଇଗଲେ ଉଦ୍ଦେଶ୍ୟ ସାଧନ କରିବା ପାଇଁ । ମୁଁ ଅପୁଭାଇ ଆଉ ତୁମମାନଙ୍କ ସଦ୍ଦିଛା ଓ ସହଯୋଗରୁ ସଭାପତି ନିର୍ବାଚିତ ହୋଇଛି । ସର୍ବସମ୍ମତି କ୍ରମେ ସମସ୍ତ ପ୍ରତିନିଧି ନିର୍ବାଚିତ ହେବା ବିଶ୍ୱବିଦ୍ୟାଳୟ ଇତିହାସରେ ଏଇ ପ୍ରଥମ । ମୋ ନିଜର ଓ ସମସ୍ତ ଛାତ୍ରଭାଇମାନଙ୍କର ଶ୍ରଦ୍ଧା ସୁମନ ଏଇ ପୁଷ୍ପଗୁଚ୍ଛ ଅପୁ ଭାଇ ଗ୍ରହଣ କଲେ ଆମର ବିଜୟ ସାର୍ଥକ ହେବ ।

 

ଦେବାଶିଷ ହାତରୁ ପୁଷ୍ପଗୁଚ୍ଛ ଗ୍ରହଣ କରିବା ପରେ ଅପୁ କିଛି କହିବା ପାଇଁ ଦାବି ହେଲା । କିନ୍ତୁ ସେ ଏତେ ଭାବପ୍ରବଣ ହୋଇପଡ଼ିଲା ଯେ ତା’ ଆଖିରୁ ଲୁହ ଓ ମୁହଁ ଉପରେ ହସ ବ୍ୟତୀତ ଆଉ କିଛି ନ ଥିଲା । ସେ ପଦେ ହେଲେ କିଛି କହିପାରିଲା ନାହିଁ । ଦେବାଶିଷର ବେକରେ ଫୁଲମାଳ ପିନ୍ଧାଇ ଦେଇ କେବଳ କହିଲା, ‘ଛାତ୍ର ଏକତା ଜନ୍ଦାବାଦ୍‌... ।’

 

ତା’ ସହତ ସ୍ଵର ମିଳାଇ ଦୁଇହଜାର ଛାତ୍ର ଧ୍ଵନି ଦେଲେ- ଜିନ୍ଦାବାଦ୍ ଜିନ୍ଦାବାଦ୍‌... ।

 

କୁଳପତି ଓ ଡିନମାନଙ୍କ ଆଶୀର୍ବାଦ ନବା ପରେ ଛାତ୍ରମାନେ ଗାନ୍ଧିଜୀଙ୍କ ମୂର୍ତ୍ତି ପୁଷ୍ପ ମଣ୍ତିତ କରି ଶପଥ ନେଲେ ଏକାସାଙ୍ଗରେ - ଆମେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଈଶ୍ଵରଙ୍କ ନାମରେ ଏଇ ଶପଥ ନେଉଛୁ ଯେ - ସତ୍ୟ, ଶାନ୍ତି ଓ ପ୍ରେମର ପ୍ରତୀକ ବାପୁଜୀଙ୍କ ପ୍ରଦର୍ଶିତ ପଥରେ ଦାବି ହାସଲ କରିବାପାଇଁ ଚେଷ୍ଟା କରିବୁ ।

 

ଆମ ବିଶ୍ଵବିଦ୍ୟାଳୟ ଯେପରି ସବୁ ବିଷୟରେ ଓ ସବୁ ବିଭାଗରେ ଉକ୍ତର୍ଷର କେନ୍ଦ୍ର ହୁଏ ଏବଂ ମାନବ ସମ୍ବଳର ସର୍ବୋତ୍ତମ ଅଭିବୃଦ୍ଧି ଘଟେ ତାହାହିଁ ହେବ ଆମର ଲକ୍ଷ୍ୟ । ‘ଉତ୍ତିଷ୍ଠିତ ଜାଗ୍ରତ ପ୍ରାପ୍ୟ ବରାନ୍ ନିବୋଧତ’ । ଉଠ ଜାଗ ବର ଲାଭ ନ କଲା ପର୍ଯ୍ୟନ୍ତ ବିରତ ହୁଅ ନାହିଁ ।

 

ଅପୁ ଆଗରେ ଉଦ୍ଭାସିତ ହେଉଥିଲା ନୂତନ ଓଡ଼ିଶାର ରୂପ । ଅତୀତର ଗୌରବକୁ ପୁଞ୍ଜି କରି ଆଉ କେତେଦିନ ବର୍ତ୍ତମାନର ଅପାରଗତାକୁ ଲୁଚାଇ ରଖି‌ବୁ ଆମେ ! ଯଥେଷ୍ଟ ହେଲାଣି ଆଉ ନୁହେଁ । ସବୁ ପରାଙ୍‌ମୁଖତାକୁ ଛାଡ଼ି ଆଗକୁ ଯିବାକୁ ହେବ ।

 

ସେ ସାମିଲ ହେବ ସିଭିଲ ସର୍ଭିସ୍‌ ପରୀକ୍ଷାର ଏଇ ର‍୍ୟାଟ୍‌ରେସ୍‌ରେ ନା ଗୋଟାଏ ନୂଆ ଆଦର୍ଶ, ନୂଆ ଲକ୍ଷ୍ୟକୁ ପୁଞ୍ଜି କରି ଜୀବନ ଗଢ଼ିବ ଓ ଦେଶସେବା କରିବ ? ପ୍ରଶ୍ନ କଲା ନିଜକୁ, ଉତ୍ତର ବି ଦେଲା ନିଜକୁ । ନା, ସିଭିଲ ସର୍ଭିସ୍‌ ନୁହେଁ, ଶୀତତାପ ନିୟନ୍ତ୍ରିତ କୋଠରୀରେ ଆରାମ ନୁହେଁ, ସେ କୋଟି କୋଟି ଲୋକଙ୍କ ସୁଖଦୁଃଖ ସହିତ ସାମିଲ ହେବ । ଏତେଦିନ ଯେଉଁ ସମାନତା, ଶୋଷଣବିହୀନ ସମାଜ ସ୍ଵପ୍ନ ହୋଇ ରହିଛି ତାକୁ ସାକାର କରିବାକୁ ସଂଗ୍ରାମ କରିବ । କୋଟି କୋଟି ଲୋକଙ୍କ ସୁଖ ପାଇଁ ଶହ ଶହ ଲୋକଙ୍କୁ ଯଦି ସର୍ବସ୍ଵ ତ୍ୟାଗ କରିବାକୁ ହୁଏ, ପ୍ରାଣବଳି ଦବାକୁ ହୁଏ ତେବେ କ୍ଷତି କ’ଣ ? ସେ ତ୍ୟାଗ କରୁଥିବା ଲୋକଙ୍କ ପ୍ରବାହ ସହିତ ମିଶିବ, ଭୋଗର ନିବୁଜ କୋଠରୀ ଭିତରେ ବଞ୍ଚିବା ସମ୍ଭବ ନୁହେଁ ।

ଅପୁ ଘରକୁ ଫେରିଲା ମଧ୍ୟାହ୍ନ ଗଡ଼ିଯିବା ପରେ । ମୈତ୍ରେୟୀ ଯାହା ଆଶା କରୁଥିଲେ ସେୟା ହେଲା । ଅପୁ ଛାତ୍ର ୟୁନିଅନର ସଭାପତି ପଦ ସ୍ଵେଚ୍ଛାରେ ତ୍ୟାଗ କରି ସମସ୍ତଙ୍କ ହୃଦୟର ଅଧିପତି ହୋଇଗଲା ଦିନକ ଭିତରେ । ତା’ ଭିତରେ ନୂତନ ପ୍ରତ୍ୟାଶା, ନୂତନ ସମ୍ଭାବନାର ବୀଜ କିଏ ବୁଣି ଦେଇଛି । ସେ ସବୁ ଦିନେ ଅଙ୍କୁରିତ ହେବ ।

ମୈତ୍ରେୟୀ କହିଲେ, ‘‘ତମ ପେଟରେ ଭୋକ, କିନ୍ତୁ ମୁହଁରେ ଅନୁପମ ପ୍ରଫୁଲତା... କଥା କ’ଣ ?’

ତାଙ୍କ କଥା ଶୁଣି ଅପୁର ମା’ କଥା ମନେପଡ଼ିଲା । ସେ ସକାଳୁ ଗଣ୍ଡେ ଖାଇଦେଇ ଯାଇଥିବ ପଢ଼ିବା ପାଇଁ । ପରୀକ୍ଷାରେ ପ୍ରଥମ ହୋଇ ଭୁଲି ଯାଇଥିବ ଖାଇବା ପାଇଁ । ମା'ଙ୍କୁ ଏଇ ଖବରଟା ଦବା ପାଇଁ ଆସିଲେ ସେ ବାରିପାରୁଥିଲେ ପେଟର ଭୋକ, ଆଉ ମନର ପ୍ରଫୁଲ୍ଲତା । ଭାଉଜ ଠିକ୍‌ ମା’ ପରି ।

‘ହଁ, ଦେଲ କିଛି ଆଗ ଖାଇନିଏ ।’

 

କ’ଣ ହେଲା କହୁନ ?’

 

‘ଦେବାଶିଷ ସଭାପତି ହେଲା ସର୍ବସମ୍ମତି କ୍ରମେ । ଆମେ ସମସ୍ତେ ଏକ ହୋଇଗଲୁ...-। ଛାତ୍ରମାନେ ଆଉ ଦଳମାନଙ୍କ- ପାଖରେ ବିକି ହୋଇଯାଇ ନାହାଁନ୍ତି କି ବିଭିନ୍ନ ଗୋଷ୍ଠୀର ବାଣ୍ଟି ହୋଇଯାଇ ନାହାଁନ୍ତି । ସେମାନେ ସଂଘବଦ୍ଧ । ଅନେକ ମଣିଷ, କିନ୍ତୁ ଗୋଟିଏ ସ୍ଵର ।’

 

‘ଭଗବାନ ଯାହା କରନ୍ତି ମଙ୍ଗଳ କରନ୍ତି । ଏଇ କଥାହିଁ ସାର । ମୁଁ ଯାହା ଭାବୁଥିଲି ତମେ ସେୟା କରିଛ । ତୁମକୁ ଆଶୀର୍ବାଦ କରୁଛି ।’ କହିଲେ ମୈତ୍ରେୟୀ ।

 

ମଣ୍ଡା, ଚକୁଳି ହୋଇଥିଲା ସକାଳେ । ଅପୁ ଖାଇ ନ ଥଲା । ମଣ୍ଡା ଆଉ ଚକୁଳି ଓ ବୁଟ ତରକାରୀ ଅପୁ ଆଗରେ ବସାଇ ଦେଇ କହିଲେ, ‘ରାତିରେ ଆଜି ସେଲିବ୍ରେଟ୍‌ କରିବା । ତମେ ଯେ ଏଡ଼େବଡ଼ କାମ ଗୋଟେ କଲ ତୁମ ନନା ଶୁଣି କେଡ଼େ ଖୁସି ହେବେ ଜାଣ ।’

 

‘ନନା ମୋ କଥା କହନ୍ତି କେବେ, ସତ କହିବ ଭାଉଜ । ତାଙ୍କୁ ଦେଖିଲେ ମୋର ଝାଳ ବହିଯାଏ । ପ୍ରଫେସରଙ୍କ ଆଗରେ ଆମେ ବା କି ଛାର ।'

 

‘ତମ ବଡ଼ ନନା ତମ କଥା ସଦାବେଳେ ପଚାରନ୍ତି । ଅନ୍ୟମାନଙ୍କ କଥା ବି କହନ୍ତି । କିନ୍ତୁ ସବା କୋଡ଼ପୋଛା ପୁଅକିନା, ତମପ୍ରତି ସ୍ନେହ ଟିକେ ଅଧକ... ।’ କହିଲେ ମୈତ୍ରେୟୀ ।

 

ତା’ହେଲେ ତ ମୋ ଦାୟିତ୍ଵ ବଢ଼ିଗଲା ଭାଉଜ ! ନନା ଆଉ ତମେ ଅସନ୍ତୁଷ୍ଟ ହେଲା ଭଳି କିଛି କରିପାରିବି ନାହିଁ... ୟାର ଅର୍ଥ ଏଇୟା ନା ?

 

‘‘ହଁ ହଁ ଠିକ୍‌ ବୁଝିଛ ।’’ ହସିଦେଇ କହିଲେ ମୈତ୍ରେୟୀ ।

 

ଖାଇ ସାରବାବେଳକୁ ଭାସ୍ଵତୀ ଆସି ପହଞ୍ଚିଲା । ବସିବା ଘରକୁ ଉଠିଗଲେ ସେମାନେ-

 

କୋରିଅର ଦେଇଯାଇଥିବା ଚିଠିଟା ଖୋଲି ନ ଥିଲେ ମୈତ୍ରେୟୀ । ଲୁଗାପଟା ବଢ଼ାଇ ଦେଇ କହିଲେ ମୈତ୍ରେୟୀ, ‘ଦେଖ କ’ଣ ଆସିଛି ? ଦୁଇଟାବେଳେ ଦେଇ ଯାଇଥଲା ।’

 

ଖାମଟା ଚିରି ଗୋଟେ କାଗଜ ବାହାର କଲା ସୁତୀ । ଚିଠି ତ ନୁହେଁ, ଓକିଲ ନୋଟିସ୍‌ । ସୁତୀର ମୁହଁ ଶୁଖିଗଲା । ସେଇ ନୋଟିସ୍‌ ପଢ଼ି ସାରିବାବେଳକୁ ମଥା ବୁଲେଇ ଦେଲା ସୁତୀର । ସେ ପଡ଼ି ଯାଉ ଯାଉ ସୋଫା ଉପରେ ଭରା ଦେଇ ବସି ରହିଲା ନିର୍ବାକ୍‌ ନିଷ୍ପନ୍ଦ ଭାବରେ । ସବୁ ଅନ୍ଧାର ଦିଶୁଥିଲା ।

 

‘କ’ଣ ହେଲା, କିଏ ଲେଖିଚି ?’ ପଚାରିଲେ ମୈତ୍ରେୟୀ ।

 

ତାଙ୍କ ହାତକୁ ସେଇ କାଗଜ ଖଣ୍ଡକ ବଢ଼ାଇ ଦେଲା ସୁତୀ ।

 

ବିଶ୍ଵମୋହନର ଓକିଲ ଲେଖିଛନ୍ତି ଯେ ତାଙ୍କ ମହକିଲ ବିଶ୍ଵମୋହନ ଗନ୍ତାୟତଙ୍କୁ ଦୀର୍ଘକାଳ ଧରି ମାନସିକ ପୀଡ଼ା, ଅବହେଳା ଓ ତୁଚ୍ଛତାଚ୍ଛଲ୍ୟ କରି ଆସୁଥିବାରୁ ତାଙ୍କର ମାନସିକ ଭାରସାମ୍ୟ ରହୁନାହିଁ । ସ୍ଵାମୀ ପତ୍ନୀଠାରୁ ଯେପରି ସାନିଧ୍ୟ, ଦାମ୍ପତ୍ୟ ସୁଖ ଓ ସହଯୋଗ ପାଇବା କଥା ସେଥିରୁ ତାଙ୍କୁ ବଞ୍ଚିତ କରିଥିବାରୁ ସେ ଗଭୀର ଯନ୍ତ୍ରଣା ଭୋଗୁଛନ୍ତି । ଏଇ ପରିସ୍ଥିତିରେ ସେ ଜଣାଇଦବା ପାଇଁ ଚାହାନ୍ତି ଯେ ଯଦି ଏଇ ନୋଟିସ୍‌ ପାଇବାର ଦଶଦିନ ମଧ୍ୟରେ ତାଙ୍କ ପ୍ରାପ୍ୟ ସାନିଧ୍ୟ ଦାମ୍ପତ୍ୟ ପ୍ରେମ ଓ ସହଯୋଗ ନ ମିଳେ ତେବେ ସେ ଆଇନ ଅନୁସାରେ ବିବାହ ବିଚ୍ଛେଦ ପାଇଁ ଅଦାଲତର ଆଶ୍ରୟ ନେବେ ।’

 

ମୈତ୍ରେୟୀ କିଛି ସମୟ ଚୁପ୍‌ ରହି କହିଲେ, ‘ବିଶ୍ଵମୋହନ ଭଦ୍ର ମଣିଷ ବୋଲି ମୁଁ ଜାଣିଥିଲି । କିନ୍ତୁ ସେ ଯେ ଜଣେ ପ୍ରତାରକ, ମିଥ୍ୟାବାଦୀ ଓ ବିଶ୍ୱାସଘାତକ ଏ କଥା ଆଜି ଜାଣୁଛି । ଏଇ ଓକିଲ ନୋଟିସ୍‌ ତାର ପ୍ରମାଣ । ଯାହା ଘଟିଯାଇଛି ସେଇ ଦୋଷ ଢାଙ୍କିବା ପାଇଁ ଇଏ ଗୋଟେ କୌଶଳ, ଅପଚେଷ୍ଟା... । ତମେ ବିବ୍ରତ ହୁଅନା ସୁତୀ । ଆମେ ବି ଯାଇ ଜଣେ ଭଲ ଓକିଲଙ୍କ ସହିତ ପରାମର୍ଶ କରିବୁ... ।’

 

କିନ୍ତୁ ସେତେବେଳକୁ ଭାସ୍ଵତୀର ଦୁଇ ଆଖିରୁ ଲୁହଧାର ଗଡ଼ି ପଡ଼ୁଥାଏ ବାଧା ନ ମାନି-। ସେ ଗୁମୁରି ଗୁମୁରି କାନ୍ଦିବା ଦେଖି ଅପୁ ପାଖକୁ ଉଠି ଆସି କହିଲା, ‘ନାନୀ, ତୁ ଏମିତି ଭାଙ୍ଗି ପଡ଼ିଲେ ଚଳିବ । ନନା ମାନେ ଅଛନ୍ତି, ଭାଉଜ ଅଛନ୍ତି । ତୁ ନିରାଶ୍ରିତା ନୋହୁଁ । ଆଜି ସଂଧ୍ୟାରେ ଆମେ ଯିବୁ ବିଶିଷ୍ଟ ଆଡ଼୍‍ଭୋକେଟ୍‌ କରୁଣାକିଙ୍କର ମହାକୁଡ଼ ପାଖକୁ ପରାମର୍ଶ ପାଇଁ । ସେ ଉଚିତ ପରାମର୍ଶ ଦେବେ । ତୁ ବି ଯିବୁ ଆମ ସାଙ୍ଗରେ ।’

 

ମୈତ୍ରେୟୀ ଅନେକ ବୁଝାଇଲେ ଭାସ୍ଵତୀକୁ । ତାକୁ ଛାତି ଉପରେ ଜାକିଧରି ସାନ୍ତ୍ୱନା ଦେଇ କହିଲେ, ‘ଏଇ ସମୟରେ ଭାଙ୍ଗିପଡ଼ିଲେ ଚଳିବନି ସୁତୀ । ଦମ୍ଭ ଧର । ବିଶ୍ଵାସ ରଖ ନିଜ ଉପରେ । ମୁଁ କହୁଚି ଯେ ସ୍ତ୍ରୀ ଗୋଟିଏ ଖେଳଣା ନୁହେଁ ଯେ ବଦଳାଇ ଦେବ । ବିଶ୍ଵମୋହନ ହୁଏତ ନିଜ ଦୋଷ ବୁଝି ପଛଘୁଞ୍ଚା ଦବ... । ଦେଖାଯାଉ ଚେଷ୍ଟା କରିବା ।’

 

ଭାଉଜ ସିନା କହିଲେ କିନ୍ତୁ ମନ ମାନୁନି ଭାସ୍ଵତୀର । କାଚ ଫାଟିଗଲେ କ’ଣ ଆଉ ଯୋଡ଼ି ହୁଏ ? ବିଶ୍ୱାସରେ ଥରେ ବିଷ ପ୍ରବେଶ କଲେ ଅମୃତ ବି ହଳାହଳ ହୋଇଯାଏ ।

 

ଅପୁର କଥା ମାନି ସେମାନେ ବାହାରିଗଲେ କରୁଣାକିଙ୍କର ମହାକୁଡ଼ଙ୍କ ପାଖକୁ । ସେ ଅପେକ୍ଷା କରୁଥିଲେ । ମୈତ୍ରେୟୀ ସଂକ୍ଷେପରେ ତାଙ୍କୁ କହିଲେ, ଭାସ୍ଵତୀ-ବିଶ୍ୱମୋହନ ବିଷୟ । ଓକିଲ ପଠାଇଥିବା ନୋଟିସ୍‌ଟା ତାଙ୍କ ହାତକୁ ବଢ଼ାଇ ଦେଇ କହିଲେ ମୈତ୍ରେୟୀ, ସଂକଟରୁ ଉଦ୍ଧାର ପାଇବାର କିଛି ବାଟ ଅଛି ତ ଆପଣ କୁହନ୍ତୁ ... ନ ହେଲେ ଯେପରି ପରାମର୍ଶ ଦେବେ ସେହିପରି କରିବ ଭାସ୍ୱତୀ ।’

 

କିଛି ସମୟ ଭାବିଲେ କରୁଣାକିଙ୍କର । ଓକିଲ ଦେଇଥିବା ଚିଠିଟା ଓଲଟାଇ ବାରମ୍ବାର ପଢ଼ିଲେ ।

 

ତା’ପରେ କହିଲେ, ‘ଏଇଟା ନୋଟିସ୍‌ ନୁହେଁ, ନୋଟିସ୍‌ ଏମିତି ପଠାଯାଏ ନାହିଁ । ଗୋଟେ ଚିଠି ବୋଲି ଧରି ନେଇପାର । ସେ ଆମ ଫାଶରୁ ସହଜରେ ଖସିଯାଇ ପାରିବ ନାହିଁ । ଆଇନ ବଡ଼ କଠୋର । ବିଶ୍ୱମୋହନ ଯଦି ଗୋଟେ ଜୀବନ ନଷ୍ଟ କରିବାକୁ ଚାହୁଁଥାନ୍ତି ତେବେ ତାଙ୍କୁ ଗୋଟେ ଶିକ୍ଷା ଦିଆଯିବ । ଆମେ ଶତ୍ରୁ ନୋହୁଁ । କିନ୍ତୁ ଶତ୍ରୁ ଯଦି ଖଡ଼୍‌ଗ ଧରି ଆସେ ତେବେ ତା’ ହାତରୁ ସେଇଟା ଛଡ଼ାଇ ନବାର କୌଶଳ ଜଣା ଆମକୁ । କିନ୍ତୁ ତା’ ନିଜ ଖଡ଼୍‌ଗ ଯଦି ତା’ ପାଦ ଉପରେ ପଡ଼େ ତେବେ ଖଣ୍ଡିଆ ହବ ନିଶ୍ଚୟ ।’

 

ଭାସ୍ଵତୀ ଆଖିପୋଛି କହିଲା, ‘ନା, ମୁଁ ତାଙ୍କର କ୍ଷତି ଚାହେଁନା... ସେ ଯଦି ଚାହୁଁ ନାହାଁନ୍ତି ତେବେ ମୁଁ ଅଲଗା ହୋଇଯିବି । ସେ ସୁଖରେ ରହନ୍ତୁ... ।’

 

ଅପୁ କିନ୍ତୁ ରାଜି ହେଲା ନାହିଁ । ସେ କହିଲା, ‘ଏ କେମିତି ପ୍ରତିବ୍ରତା । ସେ ତୋ ତଣ୍ଟିଚିପି ଦବ, ଆଉ ତୁ ଉଁ କି ଚୁଁ କରିବୁ ନାହିଁ... ସହିଯିବୁ... । ସେ ସାପ, ତେଣୁ ଉଗ୍ରହେବା ସ୍ଵାଭାବିକ । ଆମେ ଯଦି ପାଲଟା ଅଭିଯୋଗ କରୁ... ନାରୀ ନିର୍ଯ୍ୟାତନା... ଡୋମେଷ୍ଟିକ୍‌ ଭାଇଓଲେନ୍ସ ଅଭିଯୋଗ କରୁ ତେବେ ତାଙ୍କୁ ସାବାଡ଼୍‌ କରିବା ପାଇ ବେଶୀ ସମୟ ଲାଗିବ ନାହିଁ । ସେ ଭୁଲିଯିବା ଉଚିତ ନୁହେଁ ଯେ ବହୁବିବାହ ଆଇନ ବିରୋଧୀ । ସ୍ତ୍ରୀ ବଞ୍ଚିଥିବାବେଳେ ଆଉ ଜଣକୁ ବାହାହେବା ଆଇନ ବିରୋଧୀ କାମ... ।’

 

ଓକିଲ ମଥା ହଲାଇଲେ ସମ୍ମତିର ।

 

ସେ କହିଲେ, ‘ଇୟେସ୍‌ । ମୁଁ ସେୟା କରିବାକୁ ଚାହେଁ । ଆମ ହାତରେ ବ୍ରହ୍ମାସ୍ତ୍ର । ତାହା ବ୍ୟବହାର କରିବୁ କି ନା ଆମ ଇଛା ଉପରେ ନିର୍ଭର କରେ । ତମେ ଭାବ... ତରତର କାହିଁକି ? ଏ ବିଷୟରେ ଭାବିବା ଦରକାର । ଯେପରି ଚାହିଁବ ସେପରି ହେବ... ।'

 

ସେଦିନ ସେମାନେ ଫେରିବାବେଳେ ରସୁଲଗଡ଼ ଛକରେ ଗୋଟେ ନୂଆ କୋଠା ଆଗରେ ସରୋଜକୁ ଦେଖି ଗାଡ଼ି ଛିଡ଼ା କରିବାକୁ କହିଲେ ମୈତ୍ରେୟୀ ।

 

ସରୋଜର ଗାଡ଼ି ପାଖରେ ଛିଡ଼ା ହୋଇ ଆଉ କାହା ସହିତ କଥା ହେଉଥିଲା ପଦ୍ମଜା । ସରୋଜ ଅନାଇଥିଲା କୋଠା ଉପରକୁ... ।

 

ହଠାତ୍‌ ମୈତ୍ରେୟୀଙ୍କ ସ୍ଵର ଶୁଣି ସେ ଚମକି ପଡ଼ି ଫେରି ଚାହିଁଲାବେଳକୁ ସେ କହିଲେ, ‘ଆରେ ତମେ ଦୁହେଁ ଯେ ଏଠି ? କ’ଣ କରୁଛ ? ଏଇ ନୂଆ କୋଠାଟାକୁ ଅନେଇ ଅନେଇ କ’ଣ ଦେଖୁଥିଲ ? କିଣିବ କି ?’

 

ତାଙ୍କ ତୁଣ୍ଡର କଥା ଶୁଣି ଚମକି ପଡ଼ିଲା ସରୋଜ । ପଦ୍ମଜା ଏମାନଙ୍କୁ ଦେଖି ସେଇ ଲୋକ ସହିତ କଥା ଶେଷ କରିବା ପାଇଁ ଚେଷ୍ଟା କରୁଥିବାବେଳେ ସରୋଜ ଥତମତ ହୋଇ କହିଲା, ‘ନା ଭାଉଜ ! କୋଠା କିଣିବା ପାଇଁ ଏତେ ଟଙ୍କା ନାହିଁ । କିନ୍ତୁ ଏଇ ଘରଟା ନେଇ ଆମ୍ଭେ ନିଜେ ଗୋଟେ ନର୍ସିଂହୋମ୍‌ ଖୋଲିଲେ ଭଲ ହେବ ବୋଲି ପଦ୍ମଜା କହୁଥିଲା... ।'

 

ପଦ୍ମଜା ମୁହଁରୁ ଶବ୍ଦଟିଏ ବାହାରିବା ପୂର୍ବରୁ କହିଲେ ମୈତ୍ରେୟୀ, ଖୁବ୍‌ ଭଲ... ତମେ ନର୍ସିଂହୋମ୍‌ କରିବ... ଏଇଟା ଶୁଭଖବର... କିନ୍ତୁ ଭାଇ ଲୁଚାଇବାର କ’ଣ ଅଛି ? ହଠାତ୍‌ କୋଠା ଉପରେ ତମ ଦୃଷ୍ଟି ପଡ଼ିଗଲା କି ?

 

ପଦ୍ମଜା ଉପରେ ପଡ଼ି କହିଲା, ‘ଏଇଟା ନର୍ସିଂହୋମ୍‌ କମ୍‌ ରେସିଡେନ୍ସ ପାଇଁ ଉପଯୁକ୍ତ ହେବ କି ନାହିଁ ଦେଖୁଥିଲୁ ନାନୀ । ମନକୁ ପାଇଛି । ମାସକୁ ଭଡ଼ା ପନ୍ଦର ହଜାର । ମୁଁ ଭାବୁଛି ବେଶୀ କହିନି ଓନର । ଆମକୁ ବି ପାଖ ହେବ... ଉପରେ ରହିବୁ ଆଉ ତଳେ ନର୍ସିଂହୋମ୍‌ ସୁବିଧା ହେବ ।’

 

କହିସାରି ଇମିତି ବଙ୍କେଇ ସରୁ ହସର ରେଖାଟିଏ ମୁହଁ ଉପରେ ଫୁଟାଇ ଦେଲା ଯେ ପଦ୍ମଜା ମୈତ୍ରେୟୀ କେବଳ ନୁହଁ ସରୋଜ ବି ଚମକି ପଡ଼ିଲା । ଏଇ କଥାଟା ଏଯାଏ ଗୋପନ ରଖିଥିଲା ପଦ୍ମଜା । ଆଉ ଦୁଇଦିନ ଗୋପନ ରଖିଥିଲେ ବି କିଛି କ୍ଷତି ହୋଇ ନ ଥାନ୍ତା । ଧିରେ ସୁସ୍ଥେ କହିଥିଲେ ଚଳିଥାନ୍ତା । କିନ୍ତୁ ପଦ୍ମଜାର କହିବା ଭଙ୍ଗୀରୁ ଜଣାପଡ଼ୁଥିଲା ଯେପରି ସେ ମୈତ୍ରେୟୀଙ୍କୁ ଆହତ କରିବା ପାଇଁ ହିଁ କହିଥିଲା ।

 

କଥାର ମୋଡ଼ ବଦଳାଇ ଅପ୍ରୀତିକର ଅବସ୍ଥାଟାକୁ ବଦଳାଇ ଦବା ପାଇଁ କହିଲା ସରୋଜ, ଏ ଯାଏ କିଛି ଫାଇନାଲ ନୁହେଁ । ଚିହ୍ନା ଲୋକ ଦେଖା ହୋଇଗଲାରୁ ଏଇ ସଜେସନଟା ସେ ଦେଇଥିଲା । ଆମେ ଭାବିଲୁ ଘରଟା ଦେଖିଗଲେ କ୍ଷତି କ’ଣ ?’

 

କିନ୍ତୁ ତାଙ୍କୁ ମିଛୁଆ ପ୍ରମାଣିତ କରିବା ପାଇଁ ଖତେଇ ହେବା ପରି କହିଲା ପଦ୍ମଜା, ‘ଏତେ ବନେଇ ଚୁନେଇ କଥା କହି ଆସେ ତମକୁ । ଅସଲ କଥା କ’ଣ କି ନାନୀ, ଏହା ପୂର୍ବରୁ ମୁଁ ଖବରକାଗଜରେ ଗୋଟେ ବିଜ୍ଞାପନ ବି ଦେଇଥିଲି । କେବଳ ଆମ ନାମ ଓ ଠିକଣା ନ ଦେଇ ସେଲ ଫୋନ୍‌ ନମ୍ବରଟା ଦେଇଥିଲି । ଘରବାଲା ଜଗିଥିଲେ ଆମକୁ ଘର ଦେଖାଇବା ପାଇଁ ଫେରିବା ବାଟରେ । ନର୍ସିଂହୋମ୍‌ କରିବା ସକାଶେ ଗୋଆରୁ ଫେରିବାବେଳେ ନିଷ୍ପତ୍ତି ହୋଇଥିଲା-

 

ମୈତ୍ରେୟୀଙ୍କ ମୁହଁ ତଳକୁ ହୋଇଗଲା । ପ୍ରତିକୂଳଗୁଡ଼ାକ ହାତ ଧରାଧରି ହୋଇ ଆସୁଥିବା ପରି ଲାଗୁଥିଲା ତାଙ୍କୁ ।

 

ସେ ନିରବ ହୋଇଗଲେ । ତାଙ୍କ ମନରେ ଦୁଃଖ ଦେଇ ପଦ୍ମଜା କ’ଣ ସୁଖପାଏ ଏଇ କଥାଟା ଗୁଡ଼େଇ ପୁଡ଼େଇ ହେଉଥଲା ଅନ୍ତଃସ୍ଥଳରେ । ଛାତି ତଳେ ଶୂନ୍ୟତା ସୃଷ୍ଟି ହେଉଥିଲା । ସମୁଦ୍ରରେ ଲଘୁଚାପ ସୃଷ୍ଟି ହେଲେ ଯେପରି ଚାରି ଦିଗରୁ ବାଆ ବହେ ସେଇପରି ତାଙ୍କ ଛାତିତଳର ଶୂନ୍ୟତା ଭାଙ୍ଗି ତାଙ୍କୁ ବ୍ୟତିବ୍ୟସ୍ତ କରିବା ପାଇଁ ବୋଧହୁଏ ଏଇ ଘଟଣାଟା ଘଟିଗଲା ।

ଗାଡ଼ି ଭିତରକୁ ଗଲେ ମୈତ୍ରେୟୀ ।

 

ଗାଡ଼ି ଛାଡ଼ିଦେଲା । କିନ୍ତୁ ଘରେ ପହଞ୍ଚିବାବେଳକୁ ତାଙ୍କୁ ଲାଗୁଥିଲା ଯେପରି ସେ ରସୁଲଗଡ଼ ଛକରେ କ’ଣ ଗୋଟେ ଅମୂଲ୍ୟ ଚିଜ ହଜାଇ ଦେଇ ଆସିଛନ୍ତି ।

 

ଅପୁ ବୋଧହୁଏ ତାଙ୍କ ମନକଥା ବୁଝି ପାରିଥିଲା । ସେଥିପାଇଁ ଗାଡ଼ିରୁ ଉହ୍ଲାଇ ଘର ଭିତରକୁ ପଶିବା ପୂର୍ବରୁ ସେ କହିଲା, ତମ ଚାରିପାଖରେ ଏତେ ପ୍ରିୟ ମଣିଷ...

 

ତଥାପି କାହିଁକି ଭାବୁଛ ଭାଉଜ ? ମୁଁ ଲକ୍ଷ୍ମଣ, ମୁଁ ଲକ୍ଷ୍ମଣ ପରି ତମ ନାମ ଧରି ପାରି ହୋଇଯିବି ସମସ୍ତ ସଂକଟରୁ,.. ।

 

ମୈତ୍ରେୟୀଙ୍କ ତୁଣ୍ଡରୁ ଶବ୍ଦଟିଏ ସ୍ଫୁରିଲା ନାହିଁ । କେବଳ ଦୁଇ ଆଖି ପତା ଓଦା ହୋଇ ଆସିଲା ।

 

(ଆଠ)

 

ଜାତୀୟ ମେଧା ଅନ୍ୱେଷଣ ପରୀକ୍ଷା ଦେଇସାରି ଘରକୁ ଫେରିବା ବାଟରେ ରାମକୃଷ୍ଣ ମଠକୁ ଚାଲିଗଲା ଆନନ୍ଦ । ପରୀକ୍ଷାରେ ଭଲ କରିଥଲା । ସେଥିପାଇଁ ଖୁସିଥିଲା ।

ଦଶମ ଶ୍ରେଣୀର ଛାତ୍ର ସେ । ଶ୍ରେଣୀରେ ଭଲ ଛାତ୍ରଭାବେ ସୁଖ୍ୟାତି ଅଛି ତା’ର । ବାପା ମା’ ଚାହାଁନ୍ତି ସେ ବଡ଼ ବୈଜ୍ଞାନିକ ବା ପ୍ରଶାସକ ହେଉ । କିନ୍ତୁ ସେ ଚାହେଁ ଆଉ କିଛି । ସବୁ ଚିନ୍ତା ଭାବନା ଦୂର କରିବା ପାଇଁ ଏକାଗ୍ର ହେବାକୁ ଚେଷ୍ଟା କଲା । କିନ୍ତୁ ବେଶୀ ସମୟ ଏକାଗ୍ରତା ରହିଲା ନାହିଁ । ଗୋଟାଏ ଅପଶକ୍ତି ଯେପରି ତା’ ମନ ଭିତରେ ପ୍ରବେଶ କରିଛି । ସେ ଯେଉଁ ମାର୍ଗରେ ଯିବାକୁ ଚାହେଁ ସେଇ ମାର୍ଗରୁ ତାକୁ ଟାଣି ନବାକୁ ଚାହେଁ । ମନ ବ୍ୟାକୁଳ ହେଲା । ବିକଳ ହୋଇ ଠାକୁରଙ୍କୁ ସ୍ମରଣ କଲା । ସେ କହୁଥିଲା ମନେ ମନେ - ‘ମତେ ଏଥିରୁ ରକ୍ଷା କର ଠାକୁର... ମୋ ମନ ଏକାଗ୍ର ହେଉ ତୁମ ପାଖରେ... ମୁଁ ଈଶ୍ଵରଙ୍କୁ ଦେଖିବାକୁ ଚାହେଁ... ।’

ଅନେକ ସମୟ ପ୍ରାର୍ଥନା ଗୃହରେ ବସି ରହିଲା ଆନନ୍ଦ । ଧୀରେ ଧୀରେ ତା’ ଚାରି ପାଖରେ ଭିନ୍ନ ପ୍ରକାର ପରିବେଶଟିଏ ତିଆରି ହେବାକୁ ଲାଗିଲା । କ୍ରମଶଃ ତା’ ମନ ଶାନ୍ତ ହୋଇଗଲା, ମନ ଭିତରୁ ସବୁ କ୍ଷୋଭ ପାଣିରୁ ବୁଦ୍‌ ବୁଦ୍‌ ପରି ଉଭେଇଗଲା । ଶାନ୍ତି ଓ ତନ୍ମୟତାର ଗୋଟିଏ ଅନୁପମ ଅନୁଭବ ତା’ ସର୍ବାଙ୍ଗରେ ସଞ୍ଚରି ଗଲା ।

ମନ୍ଦିରର ପୂଜା ପ୍ରାର୍ଥନା ଶେଷ ହେବା ପରେ ଜଣେ ଜଣେ ସମସ୍ତ ଭକ୍ତ ଚାଲିଗଲେ । ତଥାପି ସେଇ ବାଳକ ବସିଥିବା ଦେଖି ସ୍ଵାମୀଜୀ କହିଲେ, ‘ବାବା, ଏବେ ମନ୍ଦିର ଦ୍ୱାର ବନ୍ଦ ହେବ... ।'

ଆନନ୍ଦ ତଥାପି ବସିଥିବା ଦେଖି ସ୍ଵାମୀଜୀ ପୁଣି କହିଲେ, ‘ବାବା, ପୂଜା ପ୍ରାର୍ଥନା ସମାପ୍ତ ହୋଇଛି । ଏବେ ଠାକୁର ବିଶ୍ରାମ କରିବେ । ତମକୁ ବି ଘରେ ବାପା ମା’ ଅପେକ୍ଷା କରୁଥିବେ... ।’

 

ଆନନ୍ଦ ଉଠି ବସିଲା ।

 

ସ୍ଵାମୀଜୀଙ୍କୁ ପ୍ରଣାମ କରି ଧିରେ ଧିରେ ପ୍ରାର୍ଥନା ମନ୍ଦିରରୁ ବାହାରିଗଲା ।

 

ସନ୍ନ୍ୟାସୀ ପଛେ ପଛେ ଆସୁଥିଲେ । ସେ କହିଲେ, ‘ତମେ ମୋ ସାଙ୍ଗରେ ଆସ, ପ୍ରସାଦ ପାଇବା ପରେ ବାହୁଡ଼ିବ... ।’

 

ଆନନ୍ଦ ମନା କରିପାରିଲା ନାହିଁ । ସେ ସ୍ଵାମୀଜୀଙ୍କ ପାଖରେ ବସି ପ୍ରସାଦ ସେବନ କଲା ଏବଂ ପରମ ତୃପ୍ତିରେ ବହାରି ଆସିବାବେଳେ ମଠ ଘଡ଼ିରେ ଦଶଟା ବାଜିଥିବା ଦେଖି ଚମକି ପଡ଼ିଲା ।

 

ମନେପଡ଼ିଲା ଯେ ଦିନ ଚାରିଟାରେ ପରୀକ୍ଷା ସମାପ୍ତ ହୋଇଛି । ପାଞ୍ଚଟାବେଳୁ ମା’ ଅପେକ୍ଷା କରୁଥିବେ । ବ୍ୟସ୍ତ ହୋଇପଡ଼ିଲା ଆନନ୍ଦ, କିନ୍ତୁ ମଠ ପାଖରେ କୌଣସି ଯାନବାହନ ନ ପାଇ ସେ ଚାଲିବାକୁ ଲାଗିଲା ।

 

ରାତି ବଢ଼ୁଥିବାରୁ ରାସ୍ତାର ଯାନବାହନ ଓ ପଥଚାରିମାନଙ୍କ ଚଳାଚଳ କମିଆସିଥିଲା । ଠାଏ ଠାଏ ଗଛମାନଙ୍କୁ ଘେରି ନିର୍ଜନତା ଠୁଳ ହେଉଥିଲା । ଆଗକୁ ପାଦ ବଢ଼ାଇ ଚାଲିଥାଏ ଆନନ୍ଦ । କେତେଦୂର ଚାଲି ଆସିବା ପରେ ସେ ଠିଆ ହୋଇଗଲା । ଏଇ ରାସ୍ତାରେ ସେ କାହିଁକି ଆସିଲା ଭାବିପାରିଲା ନାହିଁ । କଟକ ଯାଉଥିବା କୌଣସି ବସ୍‌ ମିଳିଲା ନାହିଁ । ଅଟୋ ବା ରିକ୍ସା କେହି ରାଜି ହେଲେନି ତାକୁ ନହରକଣ୍ଟା ପହୁଞ୍ଚାଇ ଦବା ପାଇଁ । ଏକାକୀ ଚାଲିଥାଏ ଆନନ୍ଦ । ମନେପଡ଼ୁଥାଏ ସ୍ଵାମୀଜୀଙ୍କ ବାଣୀ । ‘ନିର୍ଭୟ ହୁଅ... ସାହସ ଓ ବିଶ୍ଵାସ ରଖି ଆଗକୁ ଚାଲ... ସ୍ଥିର ରୁହ ସଂକଳ୍ପପରେ । ମନେରଖିବ ଯେ ଈଶ୍ଵର ସଦାବେଳେ ତୁମ ପାଖେ ପାଖେ ଅଛନ୍ତି ।’

 

ସେ ପଛକୁ ଫେରି ଚାହିଁଲା । ଖାଁ ଖାଁ ନିର୍ଜନତା । ଦୁଇ ପାଖରେ ମୌନବ୍ରତ ପାଳନ କରୁଥାନ୍ତି ବନସ୍ପତିମାନେ । କେଉଁଠି କେମିତି ବୁଲାକୁକୁର ଗୋଟାଏ ନିର୍ଜନତା ଭାଙ୍ଗି ଦଉଡ଼ି ପଳାଇ ଯାଉଥାଏ । ଜଣେ ହେଲେ ପଥଚାରୀ ଦୃଷ୍ଟିରେ ପଡ଼ିଲେ ନାହିଁ । ସେ ଭୁଲ୍‌ ରାସ୍ତାରେ ଆସି ନାହିଁ ତ-? ମନକୁ ମନ ପ୍ରଶ୍ନ କଲା ଆନନ୍ଦ । ଗୋଟିଏ ଘରର ଫାଳେ ଦ୍ୱାର ଖୋଲା ଥବା ଦେଖି କେହି ନିଶ୍ଚୟ ଚେଇଁଥିବ ଭାବି ଦ୍ଵାର ମୁହଁରେ ଛିଡ଼ା ହେଲା ଆନନ୍ଦ ।

 

ଭିତରୁ ନାରୀ କଣ୍ଠ ଭାସି ଆସିଲା, ‘କିଏ ?’

 

- ମୁଁ ମୁଁ ଆନନ୍ଦ ମା’... ।’

 

ସେ ପିଣ୍ଡାକୁ ଆସି କହିଲେ, ‘ଏତେ ରାତି ହେଲାଣି, ତମେ ଏକା ଏକା ଯାଉଛ ଯେ ପୁଅ...’

 

- ମା’ ଅପେକ୍ଷା କରିଥିବେ ଘରେ । ମୋର ଟିକେ ଡେରି ହୋଇଗଲା । କୌଣସି ଯାନ ମିଳିଲା ନାହିଁ । ପଥଚାରୀ ବି କେହି ଦିଶୁ ନାହାଁନ୍ତି । ନହରକଣ୍ଟାକୁ ଆହୁରି କେତେବାଟ... ।

 

ମହିଳା କହିଲେ, ‘ବାବା ଏତେ ରାତିରେ ଏକା ଏକା ଯିବ ଏଇ ରାସ୍ତାରେ... ଡର ଲାଗୁନି ?

 

- ‘ନା ମା’, ସ୍ଵାମୀଜୀ କହିଛନ୍ତି ନିର୍ଭୟ ହେବା ପାଇଁ । ବିଶ୍ଵାସ ରଖିବା ପାଇଁ ।’

 

- ‘କାହା ଉପରେ ବିଶ୍ଵାସ ରଖିବ ବାଳକ ?' ପୁଣି ମହିଳା ପ୍ରଶ୍ନ କଲେ ।

 

‘କାହିଁକି ତାଙ୍କରି ଉପରେ । ହୋଇ ଠାକୁରଙ୍କ ଉପରେ...’ ମୋତେ ସେ ସାହସ ଦେବେ, ବିଶ୍ୱାସ ଦେବେ...।’

 

- ହଁ ବାବା ହଁ । ଭଲକଥା କହିଛନ୍ତି ସ୍ଵାମୀଜୀ । କିନ୍ତୁ ବିଶ୍ଵାସର ପଥ ବଡ଼ ଦୁର୍ଗମ ବାବା... ଅନେକ ବାଧାବିଘ୍ନ ଆସିବ... ତଥାପି ଅବିଚଳିତ ବିଶ୍ୱାସ ଓ ଅପ୍ରତିହତ ସାହସ ନେଇ ତମେ ଯଦି ଅଗ୍ରସର ହୁଅ ସେ ରକ୍ଷା କରିବେ ଅବଶ୍ୟ... ।’

 

ଆନନ୍ଦ ଉଲ୍ଲସିତ ହେଲା ।

 

ବୋଧହୁଏ ଯିଏ ଆସିବାର ଥିଲା ସେ ଆସିଗଲେଣି । କବାଟ ବନ୍ଦ ହୋଇଗଲା । ଆଲୁଅ ଅପସରି ଗଲା ।

 

ଆନନ୍ଦ ଚାଲିଥାଏ ଏକା ଏକା ନିର୍ଜନତା ସାଙ୍ଗରେ । ବେଳେବେଳେ ଦେହ ଶୀତେଇ ଉଠୁଥାଏ । କିନ୍ତୁ ସେ ଠାକୁରଙ୍କୁ ସ୍ମରଣ କରି କହୁଥାଏ, ‘ମୁଁ ଯେପରି ଠିକ୍‌ ମାର୍ଗରେ ଯାଏ ପ୍ରଭୁ... ମୋତେ ବାଟ ଦେଖାଅ.... ଅନେକ ରାତି ହେଲାଣି, ମା’ ଅପେକ୍ଷା କରୁଥିବେ.... ସମସ୍ତେ ଶୋଇଗଲେ ବି ସେ ଶୋଇପାରିବେ ନାହିଁ ମୋ ଅନୁପସ୍ଥିତିରେ । ମୋତେ ବାଟ ଦେଖାଅ... ।'

ଆନନ୍ଦ ଚାଲିଥାଏ ।

ବମିଖାଲ ପାର ହେଲା...

ଗୋଟିଏ କାର୍‌ ଆସି ଛିଡ଼ା ହେଲା ପାଖରେ । ଦ୍ଵାର ଖୋଲି ଡ୍ରାଇଭର ବାହାରି ଆସି କହିଲେ, ‘ବାଳକ, ଏକା ଏକା ଯାଉଛ... ବାଆରଟା ବାଜିଲାଣି... କୋଉଠିକି ଯିବ... ଘର କେଉଁଠି-?'

ସେଇ ଲୋକ ମୁହଁକୁ ଆନନ୍ଦ ଚାହିଁଲା । ଆଉ କେବେ ତାଙ୍କୁ କେଉଁଠାରେ ଦେଖିଥିବା ପରି ମନେପଡ଼ିଲା ନାହିଁ । ତଥାପି ସେ କହିଲା, ‘ନହରକଣ୍ଟା ଯିବି... ଗାଡ଼ି, ବସ୍‌, ରିକ୍ସା କିଛି ପାଇଲି ନାହିଁ । କିନ୍ତୁ ମୁଁ ଏକା ନୁହେଁ ଯେ, ମୋ ସହିତ ଆଉ ଜଣେ ଅଛନ୍ତି.... । ସେ ସାହସ ଦେଉଛନ୍ତି ।’

ବିସ୍ମୟ ବିମୂଢ଼ ଗାଡ଼ି ଚାଳକ କହିଲା, ‘କାହିଁ ଆଉ କାହାକୁ ତମ ସାଙ୍ଗରେ ଦେଖୁନି ତ । ତମେ ତ ଏକା ଏକା ଚାଲିଛ ।’

‘ହଁ ଏକା ଏକା... କିନ୍ତୁ ମୋ ଭିତରେ ଆଉ ଜଣେ ଅଛନ୍ତି । ତାଙ୍କୁ ବିଶ୍ଵାସ କରି ମୁଁ ଚାଲିଛି । ସେ କ’ଣ ମୋତେ ଅବାଟରେ ନେଇଯିବେ ? ନା, କଦାପି ନୁହଁ । ମୋର ଗଭୀର ବିଶ୍ଵାସ ଅଛି । ସେଇ ବିଶ୍ଵାସ ଯୋଗୁ ମନରେ ସାହସ ହେଉଛି ଆଗକୁ ଯିବା ପାଇଁ ।’

ଗାଡ଼ି ଚାଳକ କବାଟ ପୂରା ଖୋଲିଦେଇ କହିଲା, ‘ବସ, ମୁଁ ତମକୁ ପହୁଞ୍ଚାଇ ଦେବି...-।’

 

ବାକ୍ୟବ୍ୟୟ ନ କରି ଗାଡ଼ି ଭିତରକୁ ପଶିଗଲା ଆନନ୍ଦ ।

 

ଗାଡ଼ି ଚାଲିଲା ।

 

ଆନନ୍ଦ ପକେଟରେ ହାତ ଭର୍ତ୍ତିକଲା ପଇସା କେତେ ଅଛି ପରଖି ନବା ପାଇଁ । ଶୂନ । ମନେପଡ଼ିଲା ଯେ ଦଶଟଙ୍କିଆ ନୋଟଖଣ୍ଡକ ସେ ମନ୍ଦିର ବାକ୍ସ ଭିତରେ ଭର୍ତ୍ତି କରି ଦେଇଥିଲା ଦର୍ଶନ ସାରି ଫେରିବାବେଳେ । ତେବେ ଭଡ଼ା ଦବ କିପରି ? ଗାଡ଼ି ଚାଳକ ଅବଶ୍ୟ ଭଲ ଲୋକ, କିନ୍ତୁ ଭଲ ଲୋକ ବୋଲି କ’ଣ ଭଡ଼ା ନ ନେଇ ଚାଲିଯିବ ? ମନକୁ ମନ ପ୍ରଶ୍ନ ପଚାରୁ ଥାଏ ଆନନ୍ଦ ପୃଥିବୀରେ ଏତେ ଭଲ ଲୋକ ଅଛନ୍ତି ତା’ହେଲେ ? ଯେଉଁମାନେ ଅନ୍ୟ ଲୋକଙ୍କୁ ସାହାଯ୍ୟ କରନ୍ତି, ଦୁଇପଦ ଭଲ କଥା କହନ୍ତି ସେମାନଙ୍କୁ ଦେଖିଲେ ଫୁଲ ଫୁଟିରେ ଯେପରି ବାସନା ଚହଟିଯାଏ ସେଇପରି ଭଲ ଲୋକଙ୍କ ଉପସ୍ଥିତି ଅନ୍ୟମାନଙ୍କୁ ପ୍ରଭାବିତ କରେ । ହସ ହସ ମୁହଁରେ କହୁଥିବା ଲୋକଟି କେଡ଼େ ଆପଣାର ମନେହୁଏ । ଅନ୍ତରର ଭାଷା ଫୁଟେ ତା’ ମୁହଁରୁ । ଆଉ ସାମାନ୍ୟ କାରଣରୁ ମନ ଉଣା କରି ବା ଅନ୍ୟର ସୁଖ, ସୌଭାଗ୍ୟରେ ଈର୍ଷା କରି ମୁହଁ ଗମ୍ଭୀର କରି ବୁଲୁଥିବା ଲୋକ କେବଳ ନିଜର ବୋଝହୁଏ ନାହିଁ ପରିବେଶକୁ ମଧ୍ୟ ନିଷ୍ପ୍ରଭ କରିଦିଏ ।

 

ପୋଲ ପାରିହେବା ପରେ ଗାଡ଼ି ଚାଳକ କହିଲା, ‘କେଉଁଠି ଉହ୍ଲାଇଲେ ସୁବିଧା ହେବ କହିବ ।’

 

ଆନନ୍ଦ କହିଲା, ‘ଏଇ ଆଗରେ ବାମ ଦିଗକୁ ଗୋଟେ ରାସ୍ତା ଯାଇଛି । ଭିତରକୁ ଯିବାକୁ ହେବନି, ମୋତେ ସେଇଠି ଉହ୍ଲାଇ ଦେଲେ ମୁଁ ଚାଲିଯିବି... ।’

 

-‘ନା, ନା । ଯଦି ଗାଡ଼ି ଯିବା ରାସ୍ତା ଅଛି ତେବେ ମୁଁ ଭିତରକୁ ଯିବାରେ ବାଧା ନାହିଁ । ଏଇ ମଝି ରାତିରେ ତମେ ନିଛାଟିଆ ବାଟରେ ଏକା ଏକା ଗଲେ ଡର ଲାଗିବ....।

 

-‘କାହାକୁ ଡରିବି ? ସେ ତ ସଦାବେଳେ ସାଙ୍ଗରେ ଥାଆନ୍ତି... ।’ କହିଲା ଆନନ୍ଦ ।

 

ତଥାପି ଗାଡ଼ି ଚାଳକ ବାଟ ଭାଙ୍ଗି ଭିତରକୁ ଗଲା । ଠିକ୍‌ ଆମ୍ବତୋଟା ପାଖରେ ଗାଡ଼ି ରଖିବାକୁ କହିଲା ଆନନ୍ଦ । ଗାଡ଼ି ଚାଳକକୁ କୃତଜ୍ଞତା ଜଣାଇ କହିଲା, ‘ମୁଁ ସାନ ପିଲାଟେ... କିନ୍ତୁ ଜୀବନ ସାରା ମନେରହିବ ତମେ... ତମେ ଆଜିଠାରୁ ମୋର ଆଉ ଜଣେ ଗୁରୁ ହେଲ... ।’

 

ତା’ ପିଠିରେ, ହାତ ରଖି କହିଲା ଗାଡ଼ି ଚାଳକ, ‘ମୁଁ ଗାଡ଼ି ଚଳାଇ ପେଟ ପୋଷେ ବାବୁ... । ଘରେ ତମପରି ପୁଅଟେ ଅଛି । ଭଗବାନଙ୍କ ଦୟାରୁ ମୋ ଝାଳବୁହା ଉପାର୍ଜନ ଯଥେଷ୍ଟ ହୁଏ ଚଳିଯିବା ପାଇଁ । ପେଟକୁ ଦାନା ପିଠିକୁ କନାର ଅଭାବ ନାହିଁ । ହରି ଭରସା ।’

 

ସେ ଗାଡ଼ି ନେଇ ଚାଲିଗଲା ।

 

କିନ୍ତୁ ତାଙ୍କ ଯିବା ବାଟକୁ କେତେକ୍ଷଣ ଅନାଇ ରହିଲା ଆନନ୍ଦ । ମା’ ଅପେକ୍ଷା କରିଥିବେ । ଏତେ ରାତି ପର୍ଯ୍ୟନ୍ତ ସେ ଫେରିଲା ନାହିଁ ବୋଲି ହୁଏତ ବାପା, ସାନ କକା ସମସ୍ତେ ଉଦ୍‌ବିଗ୍ନରେ ଖୋଜୁଥିବେ ତାକୁ ।

 

ଘର ଆଡ଼କୁ ପାଦ ବଢ଼ାଇଲା ଆନନ୍ଦ ।

 

ଜେଜେମା ବଞ୍ଚିଥିଲାବେଳେ ଏଇ ଆମ୍ବତୋଟା, ଆଉ ନଈ କୂଳର କେତେ କାହାଣୀ କହିଥିଲେ ତାକୁ । ବ୍ରହ୍ମରାକ୍ଷସ ଏଇ ବଡ଼ ଅଶ୍ଵଥ ଗଛରେ ବସା ବାନ୍ଧିଛି । ଏଇଠୁ ତା’ ପାଦ ଲମ୍ବିଯାଏ ନଈ ସେପାରିରେ ଥିବା ବରଗଛ ଯାଏ । ରାତିରେ ସେଥିପାଇଁ ନାଉରିଆମାନେ ନଦୀ ପାର ହେବା ପାଇଁ ଡରନ୍ତି । ଆଉ ଏଇ ଆମ୍ବଗଛ ଅନ୍ଧାର ଭିତରେ କେତେ ଚିରିଗୁଣି, ଖେଳାଲୀଳା କରନ୍ତି ନିର୍ଜନ ରାତିରେ । ଆନନ୍ଦ ମନକୁ ମନ ପ୍ରଶ୍ନ କରିଥିଲା କାହିଁ ସେମାନଙ୍କୁ ଦେଖୁନି ତ ! ଅନ୍ଧାର । ଗର୍ଜୁଥାଏ ସାଇଁ ସାଇଁ । ଝିଣ୍ଟିକାର ଝିଁ ଝିଁ ଶବ୍ଦ ଶୁଣାଯାଉଥାଏ । ପବନରେ ବାଜି ପତ୍ରମାନେ ଗୀତ ବୋଲୁଥାଆନ୍ତି ।

 

ଆନନ୍ଦ ଠାକୁରଙ୍କୁ ସ୍ମରଣ କଲା ।

 

ପଇତା ହେବାବେଳେ ପୁରୋହିତ ଗାୟତ୍ରୀ ମନ୍ତ୍ର ଶିକ୍ଷା ଦେଇଥିଲେ । ତା’ ତୁଣ୍ଡରୁ ଆପେ ଆପେ ବାହାରିଗଲା –‘ ଓଁ ଭୂ ଭୁର୍ବସ୍ଵଃ, ତତ୍‌ସବିତୋ ବରେଣ୍ୟମ୍‌, ଭର୍ଗୋ ଦେବସ୍ୟ ଧିମହି, ଧିୟୋ ୟୋନୋ ପ୍ରଚୋଦୟାତ୍‌ ।’ ସେ ଗାୟତ୍ରୀ ମନ୍ତ୍ର ଉଚ୍ଚପାଟିରେ ବୋଲି ବୋଲି ତୋଟା ପାର ହୋଇଗଲା । ତାଙ୍କ ଘର ଆଗ ଖମ୍ବରେ ବିଜୁଳିବତୀ ଜଳୁଥିବା ଦେଖିଲା । ଠିକ୍‌ ଫାଟକ ପାଖରେ କେହି ଜଣେ ଠିଆ ହୋଇଥିବା ଦୃଶ୍ୟ ହେଲେ । ଦୁଇ ପାଦ ଆଗକୁ ଯିବା ପରେ ସେ ଯେ ମା’ ଆଉ ସନ୍ଦେହ ରହିଲା ନାହିଁ ଆନନ୍ଦର । ମା’ ମା’ ଡାକି ଡାକି ଦୌଡ଼ି ଯାଇ ତାଙ୍କ କୋଳ ଉପରେ ଲେସି ହୋଇଗଲା ଆନନ୍ଦ ।

 

ଆଖିରୁ ଲୁହ ପୋଛି ଛାତି ତଳ କୋହ ନିୟନ୍ତ୍ରଣ କରି ମୈତ୍ରେୟୀ କହିଲେ, ‘କୋଉଠି ଥିଲୁ ବାପା... ଏତେ ରାତିରେ ଫେରୁଛୁ... କ’ଣ ଅସୁବିଧା ହେଲା ?’

 

ଆନନ୍ଦ ମା’ ଙ୍କୁ କୁଣ୍ଢାଇ ଧରିଥାଏ... କୌଣସି ଶବ୍ଦ ବାହାରୁ ନ ଥାଏ ତା’ ତୁଣ୍ଡରୁ ।

 

ମଠରୁ ପ୍ରସାଦ ସେବନ କରି ଆସିଥିଲା । ପେଟରେ ଭୋକ ନ ଥିଲା । ତଥାପି ମା’ଙ୍କ ହାତରୁ ଦୁଧ ଗିଲାସେ ଢକଢକ କରି ପିଇଦେଲା ଆନନ୍ଦ ।

 

ମୈତ୍ରେୟୀ ପୁଅ ବିଛଣାରେ ତାକୁ ଛାତିରେ ଜାକି ଶୋଇପଡ଼ିଲେ ନିଶ୍ଚିନ୍ତରେ ।

 

Unknown

(ନଅ)

 

ଥାଇଲାଣ୍ଡରେ କାମ ସାରିବା ପାଇଁ ଦୁଇଦିନ ଅଧିକ ଲାଗିଗଲା । ସିଙ୍ଗାପୁର ଯିବ କି ନାଇଁ ଭାବୁଥିବାବେଳେ ଅଫିସ୍‌ରୁ ଟେଲିଫୋନ୍‍ ପାଇ ସିଙ୍ଗାପୁର ଗସ୍ତ କାର୍ଯ୍ୟକ୍ରମ କିଛି ପରିବର୍ତ୍ତନ କଲା ଅନଙ୍ଗ । ଥାଇଲାଣ୍ଡରେ କୃଷି ସାମଗ୍ରୀ, ସମୁଦ୍ର ମାଛ, ଫଳମୂଳ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ସହିତ ପୋଷାକ ପରିଧାନ, ଓ ଇଲେକ୍ଟ୍ରୋନିକ୍ସ ସରଞ୍ଜାମର ଖୁଚୁରା ବ୍ୟବସାୟ ଖୋଲିବା ପାଇଁ ପ୍ରଚୁର ସୁଯୋଗ ରହିଛି । ସ୍ଥାନୀୟ କର୍ତ୍ତୁପକ୍ଷ ମଧ୍ୟ ଏ ବିଷୟରେ ଅନୁକୂଳ ମତ ପୋଷଣ କରିଥିବାରୁ ‘ଥାଇ-କଳିଙ୍ଗ ଏଣ୍ଟରପ୍ରାଇଜ୍‌’ ନାମରେ ଏକ ନୂଆ କୋମ୍ପାନୀ ଗଠନ କରିଛି । ଅନେକ ସୁଯୋଗ ଅଛି ଥାଇଲାଣ୍ଡରେ ରିଟେଲିଂ ବ୍ୟବସାୟ କରିବା ପାଇଁ ।

 

ଗତଥର ହୋଟେଲ ବ୍ୟାଙ୍କକ୍‌ରେ ଥିବାବେଳେ ଅକସ୍ମାତ୍‌ ଜଣେ ଏପରି ମହିଳାଙ୍କ ସହିତ ସାକ୍ଷାତ୍‍ ହୋଇଗଲା ଲାଉଞ୍ଜରେ ଯାହାଙ୍କ ସହିତ ସେଇ ମୁହୂର୍ତ୍ତରୁ ଘନିଷ୍ଠତା ଆରମ୍ଭ ହୋଇଛି । ଇନ୍‌ଫରମେସନ ଟେକ୍ନୋଲୋଜି ସିଙ୍ଗାପୁର କୋମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ସେ-! ସୁସୁଇ ଦେଖିବା ପାଇଁ ବେଶ୍‌ ସୁନ୍ଦରୀ । ଉଚ୍ଚତା ପାଞ୍ଚ ଫୁଟ ଚାରି ଇଞ୍ଚ । ତାଙ୍କ ପ୍ରପିତାମହ ଚୀନ୍‍ରୁ ଆସିଥିଲେ ସିଙ୍ଗାପୁର । ତା’ପରେ ଆଉ ଫେରିଯାଇ ନ ଥିଲେ । ପରବର୍ତ୍ତୀ ବଂଶଧର ସିଙ୍ଗାପୁର ନାଗରିକତ୍ୱ ଗ୍ରହଣ କରି ରହିଯାଇଛନ୍ତି ଏ ଦେଶରେ । ଏଇ ସାତଦିନ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ପ୍ରସାରିତ ହୋଇଛି । ଅନଙ୍ଗର ମନେପଡ଼ିଯାଏ ଯେଉଁଦିନ ପ୍ରଥମ ସୁସୁଇ ସହିତ ସାକ୍ଷାତ୍‍ ହେଲା ହୋଟେଲ ଲାଉଞ୍ଜରେ ।

 

ଅନଙ୍ଗର ଦେଖା ହେଲାକ୍ଷଣି ସେ ଆଗେଇ ଆସି କହିଲା, ‘ମେ ଆଇ ଇନ୍‌ଟ୍ରଡିଉସ୍‌ ମାଇଁସେଲ୍‌ଫ... ‘‘ମିସ୍‌ ସୁସୁଇ...’’ । ଅନଙ୍ଗ ମଧ୍ୟ ନିଜର ପରିଚୟ ଦେଲା । ତା’ପରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଲା । ଏପରି ଦିନ ନାହିଁ ଯେଉଁଦିନ ସେମାନଙ୍କ ମଧ୍ୟରେ ଅନ୍ତତଃ ଟେଲିଫୋନ୍‍ ବା ଇ-ମେଲରେ ଥରୁଟିଏ କଥାବାର୍ତ୍ତା ହୋଇ ନ ଥିବ । ସେମାନଙ୍କ ସମ୍ପର୍କର ଭାଷା କିପରି ରସାଳ ଓ ଚଟୁଳ ହୋଇ ଆସୁଥାଏ । ଅନଙ୍ଗକୁ ସେଦିନ ସୁସୁଇ କହିଲା ଯେ ତା’ ବାପାଙ୍କର ଅଚଳାଚଳ ସମ୍ପତ୍ତି । ସେ କିଛି ନ କରିବି ବେଶ୍‌ ସମ୍ଭ୍ରାନ୍ତ ଜୀବନଯାପନ କରିପାରିବ । କିନ୍ତୁ ତଥାପି ନିଜର ଦକ୍ଷତା ଓ ଉନ୍ମେଷଶୀଳତାର ଉପଯୋଗ କରି ସେ ବଞ୍ଚିବାକୁ ଚାହେଁ । ଦୁନିଆରେ ବ୍ୟାପୁଥିବା ପ୍ରତିଯୋଗିତାରେ ଅଂଶ ନବାକୁ ଚାହେଁ । କୋଟିପତିର ଝିଅ ବା ଅଲିଅଳ କନ୍ୟା ବୋଲି ନୁହଁ; ସେ ପ୍ରମାଣ କରିବା ପାଇଁ ଚାହେଁ ନିଜର ଶକ୍ତି ଓ ସାମର୍ଥ୍ୟ । କାହାରି ଦୟା ଉପରେ ନିର୍ଭର ନ କରି ନିଜର ଯୋଗ୍ୟତାକୁ ନେଇ ସେ ପଲ୍ଲବିତ ହେବାକୁ ଚାହେଁ । ସିଙ୍ଗାପୁରରେ କିଛିଦିନ ରହିଲେ ସୁସୁଇ ସହିତ ଘନିଷ୍ଠତା ବଢ଼ିବ ଏବଂ ବ୍ୟବସାୟିକ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

 

ଅନଙ୍ଗର ପ୍ରକୃତି ସହିତ ସୁସୁଇର ପ୍ରକୃତିର ଅନେକ ମେଳ ଅଛି । ସେଇଥିପାଇଁ ବୋଧହୁଏ ସେମାନଙ୍କ ସମ୍ପର୍କ ଶାଖା ପ୍ରଶାଖା ମେଲି ବିସ୍ତାରିତ ହେବାରେ ଲାଗିଛି । ବର୍ତ୍ତମାନର ଦୁନିଆରେ ଦେଶ, ଧର୍ମ, ଜାତି, ଗୋତ୍ର, ଭାଷା ଆଉ ସମ୍ପର୍କ ସ୍ଥାପନର ମାଧ୍ୟମ ନୁହେଁ । କେବଳ ମେଧା ଓ ବୃତ୍ତିଗତ ସାମ୍ୟ ଏବଂ ଆଭିମୁଖ୍ୟ ଓ ଆଚରଣର ସାମିପ୍ୟ ଲୋକମାନଙ୍କୁ ବେଶି ଆକର୍ଷଣ କରୁଛି । ସେଥିପାଇଁ ଦେଶ କାଳ ପାତ୍ର ବିଚାରକୁ ନ ନେଇ ମଣିଷର ଉନ୍ମେଷଶୀଳତା ହିଁ ସେତୁ ସ୍ଥାପନ କରିବାର ମାଧ୍ୟମ ହେଉଛି ।

 

ଥାଇଲାଣ୍ଡରେ କାମସାରି ହୋଟେଲ ପ୍ରକୋଷ୍ଠରେ ବସି ଭବିଷ୍ୟତର ଯୋଜନାନକ୍ସା ଆଙ୍କୁଥିବାବେଳେ ସୁସୁଇର ଟେଲିଫୋନ୍‍ ଆସିଲା ।

 

ଅନଙ୍ଗ କହିଲା, ‘ମୁଁ ଆଜି ସନ୍ଧ୍ୟାରେ ପହଞ୍ଚିବି । ତମେ କେବେ ଫେରିବ ମ୍ୟାନିଲାରୁ ?’

 

ସୁସୁଇ କହିଲା - ମୁଁ ସକାଳ ଫ୍ଲାଇଟ୍‌ରେ ଆସିବି । ତମ ଇ-ମେଇରୁ ଜାଣିଲି ଯେ ତମେ ପ୍ରୋଗ୍ରାମ୍ ବଦଳ କରିଛ । ତିନିମାସ ହେବ ତୁମ ସାନ୍ନିଧ୍ୟ ପାଇ ନାହିଁ । ମନ ବ୍ୟାକୁଳ ହେଉଛି । ତମେ ଆଉ ଯେପରି ପ୍ରୋଗ୍ରାମ୍ ବଦଳ ନ କର । ମୁଁ ଏୟାରପୋର୍ଟରେ ତୁମକୁ ଭେଟିବି ବୋଲି ଆଶା କରୁଛି ।

 

ସେଇଠାରୁ ସିଧା ଆସିବା ମୋ ଘରକୁ । ହୋଟେଲରେ କେବଳ ନାମଟା ଥାଉ, କିନ୍ତୁ ତମେ ରହିବ ମୋ ସହିତ । ବୁଝିଲ !

 

ଅନଙ୍ଗ କହିଲା – ‘ଆଇ ଏମ୍‌ ଡିଲାଇଟେଡ଼ ଟୁ ହିଅର ଦିସ୍‌ ଫ୍ରମ୍‌ ୟୁ । ଲେଟ୍‌ ଅସ୍‌ ହ୍ୟାଭ ଏ ଗୁଡ଼ ଡେ... ।’

 

ସୁସୁଇ ଟେଲିଫୋନ୍‍ ଛାଡ଼ୁ ନ ଥାଏ । କଥା ଲମ୍ବାଇବା ତା’ର ଲକ୍ଷଣ । କେତେ ଯେ ନୂଆ ନୂଆ କଥା ସବୁ କହେ ତାହା ଶୁଣି ଆଶ୍ଚର୍ଯ୍ୟ ହୁଏ ଅନଙ୍ଗ । ଚୀନ ଦେଶର ଲୋକକଥା, ଶ୍ୟାମ ଦେଶର ପ୍ରେମ କାହାଣୀ, ହନଲୁଲୁର ଲେସବିଆନ୍‌ମାନଙ୍କ ଜୀବନ, ମେକ୍‌ସିକୋର ଜୀବନଚର୍ଯ୍ୟା ଏସବୁ ରସାଳ ହୋଇଉଠେ ତା’ କଥାରେ । ଏଥର କିନ୍ତୁ ସେ ପଚାରିଲା ଅନଙ୍ଗକୁ କଳିଙ୍ଗମାନଙ୍କ ମାନସିକତା ସମ୍ପର୍କରେ । କୋଣାର୍କର ଉତ୍ତେଜକ ଶିଳ୍ପକଳା ସମ୍ପର୍କରେ ସେ ଗୋଟେ ବହିରୁ ପଢ଼ି ଭୁଲିଯାଇଛି ନିଜ ବିଜିନେସ୍‌ କଥା । ତା’ର ଇଚ୍ଛା ହେଉଛି ସେ ଯିବ ଓଡ଼ିଶାକୁ । କିଛିଦିନ କୋଣାର୍କରେ ରହିବ, କଳିଙ୍ଗ ଶିଳ୍ପୀମାନଙ୍କ କଳା ନୈପୁଣ୍ୟ ଦେଖିବ ।

 

ଅନଙ୍ଗ ତାକୁ କହିଲା, ‘ହଁ ତମେ ମୋ ଦେଶକୁ ଆସିଲେ ମୁଁ ଆଉ ପାଦରେ ଚାଲିବି ନାହିଁ, ମୋ ଦେହରେ ଡେଣା ଲାଗିବ । ମୁଁ କେବଳ ପରୀମାନଙ୍କ ପରି ଉଡ଼ିବି । ଏକା ନୁହଁ ମ... ତମ ସାଙ୍ଗରେ । ପକ୍ଷୀମାନେ କେମିତି ସାଙ୍ଗ ହୋଇ ଆକାଶରେ ଉଡ଼ନ୍ତି । ଗଛ ଡାଳରେ ନୀଡ଼ ରଚନା କରନ୍ତି ତାହା ଯଦି କେବେ ଦେଖିବ ତେବେ ଜାଣିବ ମଣିଷ ଏ ବିଷୟରେ କେତେ ପଛରେ... ।'

 

କଥା ହେବାବେଳେ ସିଙ୍ଗାପୁର ପ୍ରୋଗ୍ରାମ ଫାଇନାଲ ହୋଇଗଲା ।

 

ବ୍ୟବସାୟ ବଢ଼ୁଛି । ଏଇ ତିନିବର୍ଷ ମଧ୍ୟରେ ସେ କେତେ ଆଗେଇ ଗଲାଣି ତାହା ଭାବିଲେ ନିଜେ ଚକିତ ହୁଏ ।

 

ଘରକଥା ତଥାପି ଭୁଲି ନାହିଁ ଅନଙ୍ଗ । ନନା, ଭାଉଜ ଓ ଅନ୍ୟମାନଙ୍କ ଛବି ଭାସି ଉଠେ ଆଖି ଆଗରେ ।

 

ଭାଉଜ ଆସିବାବେଳେ ମନେପକାଇ ଦବା ପାଇଁ କହିଥିଲେ, ‘ଭୁଲିଯିବନି ଅନଙ୍ଗ । ତମ ସାଙ୍ଗର ଫଟୋ ଖଣ୍ଡେ ନିଶ୍ଚୟ ଆଣିବ ଏଥର । ଆଉ ତାକୁ ଜଣାଇଦବ ଆମର ଶତ ଶତ ଶୁଭ କାମନା । ଏଥର ଖାଲି ହାତରେ ଆଉଯିବ ନାହିଁ ଅନଙ୍ଗ । ଆନନ୍ଦ ଓ ମିତା ପାଇଁ ପୋଷାକ ଓ ବହି, ଭାଇ ଭଉଣୀମାନଙ୍କ ପାଇଁ ଥାଇଲାଣ୍ଡ ଆଉ ସଙ୍ଗାପୁରର ହ୍ୟାଣ୍ତିକ୍ରାପ୍ଟ ଏବଂ ଭାଉଜଙ୍କୁ ସେ ଉପହାର ଦବ ହାତୀଦାନ୍ତର ଗୋଟିଏ ଅପୂର୍ବ କାରୁକାର୍ଯ୍ୟ ।

 

ଭାଉଜ ଲଗେଇଛନ୍ତି ବାହା ହବା ପାଇଁ । କିନ୍ତୁ ଏଇ ବ୍ୟସ୍ତ ଜୀବନ ସହିତ ବାହାଘରଟା ଖାପ୍‌ ଖାଇବ ନାହିଁ ବୋଲି ଧାରଣା ଅନଙ୍ଗର । ବରଂ ସୁସୁଇ ପରି ସେ ବି ଚାହେଁ ମୁକ୍ତ ମଧୁର ଜୀବନ ଧାରା । ସେଇ ଧାରା କେବଳ ବହୁଥିବ ନଈର ବେଗ ନେଇ, ଫୁଲର ଅନୁରାଗ ନେଇ, ପଲ୍ଲବିତ ହେବାର ଉତ୍କଣ୍ଠା ନେଇ । ପ୍ରେମଦ୍ଵାରା ଅର୍ଚ୍ଚନା କରିବ ପ୍ରେମିକାକୁ... ନିବେଦନ କରିବ ସମର୍ପଣର ଉଦ୍ଦାମ ବ୍ୟାକୁଳତା ।

 

ଅନଙ୍ଗର ଇଚ୍ଛା ହୁଏ କବିତା ଲେଖିବା ପାଇଁ । ମାୟାଧର ମାନସିଂଙ୍କ ‘ଧୂପ' ଲୁଚେଇ ଲୁଚେଇ ପଢ଼ିଥିଲା ସେ ସ୍କୁଲ ଛାତ୍ର ଥିବାବେଳେ । ଓମର ଖୟାମଙ୍କ କବିତା ପଢ଼ି ସେ ଭୁଲିଯାଇଥିଲା ଯେ ଦିନେ ମଣିଷ ମରିଯାଏ, ସରିଯାଏ କିନ୍ତୁ ପ୍ରେମ ଅମର । ଏଇ ସାହିତ୍ୟ ମାଧ୍ୟମରେ ବଞ୍ଚି ରହିଛି ଓମାରଙ୍କ ପ୍ରେମ କବିତା । ତା’ ଜୀବନର ପ୍ରଣୟ କାବ୍ୟ ଦିନେ ଯେ ସେ ରଚନା କରିବ ଏଇ ବିଶ୍ଵାସ ନେଇ ଦୀର୍ଘକାଳ ବଞ୍ଚିବା ପାଇଁ ଅଭିଳାଷ କରେ ଅନଙ୍ଗ ।

 

ସୁସୁଇର ଟେଲିଫୋନ୍‍ ପୁଣି ଆସିଲା ଘଣ୍ଟାଟିଏ ସରିବା ପୂର୍ବରୁ ଅନଙ୍ଗ କହିଲା- ‘ଏଇ ବାହାରୁଛି, ଆଉ ଘଣ୍ଟାକ ପରେ ଫ୍ଲାଇଟ୍‌ ସମୟ । ରାତି ସାତଟାରେ ସିଙ୍ଗାପୁର ଏୟାପୋର୍ଟରେ ଲ୍ୟାଣ୍ଡିଙ୍ଗ । ତମେ ଥିବ ତ ?‘

 

- ଇୟେସ୍‌ ମାଇ ଡିଅର । ମୁଁ ଅପେକ୍ଷା କରୁଥିବି ବେଳାଭୂମି ଯେପରି ଅଧୀର ଆଗ୍ରହରେ ଅପେକ୍ଷା କରିଥାଏ ତରଙ୍ଗକୁ । ସେ ଜାଣେ ତରଙ୍ଗ ନିଶ୍ଚୟ ଆସିବ... କିନ୍ତୁ ତାହା ଜାଣିବା ସତ୍ତ୍ଵେ ବି ତା’ ଆସିବା ସମୟକୁ ଅପେକ୍ଷା କରିବାର ପ୍ରବଳ ଆବେଗ ଥରାଇଦିଏ ତା’ର ପ୍ରାଣତନ୍ତ୍ରୀକୁ ।

 

ଅନଙ୍ଗ ଫ୍ଲାଇଟ୍‌ ଠିକ୍‌ ସମୟରେ ପହଞ୍ଚିଲା ।

 

ସୁସୁଇ ନିଜେ ଉପସ୍ଥିତ ଥିଲା ତାକୁ ସ୍ଵାଗତ କରିବା ପାଇଁ ।

 

ସେଠାରୁ ସେମାନେ ସିଧା ଗଲେ ‘ହୋଟେଲ ଅଫ୍‌ ଦି ଇଷ୍ଟ'କୁ । ଜିନିଷପତ୍ର ରଖିବା ପରେ ସେମାନେ ଗଲେ ସୁସୁଇର ଫ୍ଲାଟ୍‌କୁ ।

 

ଏକୋଇଶ ମହଲାରେ ସୁସୁଇର ତିନି ବେଡ଼ରୁମ୍‌ ବିଶିଷ୍ଟ ଫ୍ଲାଟ୍‌ । କୋଠରିଗୁଡ଼ିକ ଦିଲ୍ଲୀ ବା କଲିକତାର ହୋଟେଲର ସୁଇଟ୍‌ ପରି ପ୍ରଶସ୍ତ ନୁହେଁ । କିନ୍ତୁ ସାଜସଜ୍ଜାରେ ଅସାଧାରଣ ଶିଳ୍ପ ନୈପୁଣ୍ୟ । ନକ୍ଷତ୍ର ଖଚିତ ଆକାଶର ଶୋଭା ସିଲିଂରେ । ଆଲୁଅ ବ୍ୟବସ୍ଥା ଏପରି କରାଯାଇଛି ଯେ, ଇଚ୍ଛାନୁସାରେ ସ୍ତିମିତ, ସ୍ଵଳ୍ପ ଆଲୋକ ଓ ଉତ୍ସବ ଏଇ ତିନିସ୍ତର କରାଯାଇପାରେ । ଅନୁପମ ଫୁଲସଜ୍ଜା । ଆସବାବ କମ, କିନ୍ତୁ ସୌଖୀନ ପରିଛନ୍ନତା ବାରିହୁଏ । କୋଠରୀ ଭିତରକୁ ପ୍ରବେଶ କଲାବେଳେ ଆପେ ଆପେ ଆଲୁଅ ଜଳିଉଠେ, ପୁଣି ଧିରେ ଧିରେ କୋମଳ ମନଭୁଲାଣିଆ ସ୍ତରକୁ ଚାଲି ଆସେ । ଗ୍ରୀନ ଟି’ର କପ୍‌ ଅନଙ୍ଗ ହାତକୁ ବଢ଼ାଇ ଦେଇ ନିଜ କପ୍‌ ଓଠରେ ଲଗାଇ କହିଲା ସୁସୁଇ, ‘ଏଇ ଚା’ ପରି ସୁଗନ୍ଧିତ ଉଷ୍ମ ସମ୍ପର୍କ ବଞ୍ଚିରହୁ ଆମର... ।’ ଅନଙ୍ଗ ଚା’ ପିଇବାବେଳେ ତା’ର ବାମ ହାତର ଆଙ୍ଗୁଳିଗୁଡ଼ିକୁ ନିଜ ଆଙ୍ଗୁଳି ଭିତରେ ଛନ୍ଦି ଦେଇଥିଲା ସୁସୁଇ ।

 

ଡିନର କରିବା ପାଇଁ ହୋଟେଲ ଯିବାର କୌଣସି ବ୍ୟବସ୍ଥା କରି ନ ଥଲା ସୁସୁଇ । କିନ୍ତୁ ଡିନର ଖାଇବା ସମୟରେ ଡାଇନିଂରୁମ୍‌ରେ ଡିନର ସଜ୍ଜାଇ ଦେଲା ଓ୍ୱେଟର । ରକମ ରକମ ବ୍ୟଞ୍ଜନ । ଚାଇନିଜ, ଭାରତୀୟ, କଣ୍ଟିନେଣ୍ଟାଲ... ।

 

ଡିନର ଖାଇବାବେଳେ କହିଲା ସୁସୁଇ, ‘ତମକୁ ଗୋଟେ କଥା କହିବାର ଥିଲା... ?

 

- ‘କହୁନ କାହିଁକି ଯେ... ଆଉ ଡେରି ନ କରି କହିପକାଅ... ।’

 

- ‘ତମେ ମୋ କଥା ପସନ୍ଦ କରିବ କି ନା ମୁଁ ଜାଣେନା... କିନ୍ତୁ ତମକୁ ଯେତିକି ଦେଖିଛି ସେଥିରୁ ଅନୁଭବ କରିଛି ଯେ ତମେ ମୋ ସହିତ ଏକମତ ହେବ... ।’

 

- ‘ମୁଁ ବି ତ ସେୟା ଭାବେ ସୁ... ତମେ ଏତେ ସୁନ୍ଦର... ତମର ସାନିଧ୍ୟ ଏଡ଼େ ମଧୁର...-।’

 

- ‘ଥାଉ ଥାଉ ମୋ ପ୍ରଶଂସା କରନା ଆଉ, କିନ୍ତୁ ମତେ କୁହତ ଅନଙ୍ଗ ଆମେ ଏକତ୍ର ରହିପାରିବା କି ? କ୍ୟାନ ଉଇ ଲିଭ୍‌ ଟୁଗେଦର... ।‘

 

ସହସା ଉତ୍ତର ଖୋଜି ପାଇଲାନି ଅନଙ୍ଗ ।

 

ଆଜିକାଲି ବାହାହେବାଟା ପୁରୁଣା ପ୍ରଥା ହୋଇଗଲାଣି । ଅନେକ ଦେଶରେ ବାହାହବା ସ୍ଥାନରେ ସହବାସ କରିବାଟା ଗୋଟାଏ ଫେଶନରେ ପଡ଼ିଗଲାଣି । ଆଉ କେତେ ଯାଗାରେ ନିଜର ବଳକା ପରିଧାନ ନ ରଖି ଲଣ୍ଡ୍ରି ଉପରେ ନିର୍ଭର କରି ଚଳିବା ପାଇଁ ମଧ୍ୟ ଲୋକ ଶିଖିଲେଣି । ଯେତେବେଳେ ଯେପରି ପୋଷାକ ଦରକାର ସେସବୁ ଭଡ଼ାରେ ଲଣ୍ତ୍ରିରୁ ମିଳିପାରିବ । କେବଳ ଘରେ ନ୍ୟୁନତମ ପରିଧାନ ରଖିଲେ ଚଳିବ ।

 

ସୁ କହିଲା- ସାଙ୍ଗେ ସାଙ୍ଗେ ଉତ୍ତର ଦବା ପାଇଁ ମୁଁ କହୁନି । ତମେ ଭାବିଚିନ୍ତି କହିବ । ଭାରତୀୟମାନେ ତ ବାହା ହବାଟାକୁ ଗୋଟେ ପବିତ୍ର ବନ୍ଧନ ଭାବନ୍ତି । ଅଗ୍ନି ଆଗରେ ସାତପୁରୁଷ ଧରି ପରସ୍ପର ପ୍ରତି ଅନୁଗତ ରହିବା ପାଇଁ ଶପଥ ମଧ୍ୟ ନିଅନ୍ତି...କିନ୍ତୁ ଏଇଟା ଗୋଟେ ଆବସାର୍ଡ଼ ପ୍ରଥା ନୁହେଁ କି ? ସାତଜନ୍ମ ପାଇଁ କାହିଁକି ଜଣେ ବାହାହବ ? ଜୀବନ ଏତେ ଅଳ୍ପ ଏବଂ ଏତେ ସୀମିତ ଯେ ସାତଜନ୍ମ ପାଇଁ ପରସ୍ପରକୁ ସମ୍ପର୍କରେ ବାନ୍ଧିରଖିବା ପଛରେ କୌଣସି ବାସ୍ତବତା ଥିଲା ପରି ମନେହୁଏନା ।'

 

ଅନଙ୍ଗ କହିଲା, ‘ମୁଁ ବି ସେୟା ଭାବୁଚି । ସାତଜନ୍ମ ଧରି ସମ୍ପର୍କ ରହୁନି ଯେତେବେଳେ ତାକୁ ବାନ୍ଧି ରଖିବା ପାଇଁ ଏଇ ପ୍ରଥା ପ୍ରାସଙ୍ଗିକ ନୁହେଁ ବୋଲି ମୁଁ ଭାବେ । କିନ୍ତୁ ପୁରୁଣାକାଳିଆ ଲୋକ କ’ଣ ଭାବନ୍ତି ଜାଣ, ସ୍ଵାମୀ ସ୍ତ୍ରୀକୁ ସାତ ଜନ୍ମ ପାଇଁ ବାନ୍ଧି ରଖିଲେ ସେମାନେ ବାଟ ଭୁଲି ବର୍ଣ୍ଣଶଙ୍କର ସୃଷ୍ଟି କରିବେ ନାହିଁ .. ।‘

 

- ‘ଧର୍ମତତ୍ତ୍ୱଗୁଡ଼ାକ ମୁଁ ବୁଝିପାରେ ନାହିଁ ଅନଙ୍ଗ । ଧର୍ମ ମଣିଷ ପାଇଁ ନା ମଣିଷ ଧର୍ମ ପାଇଁ । ହୋମୋସାପିଆନ୍‌ମାନେ ଈଶ୍ଵର କିଏ ଜାଣି ନ ଥିଲେ । ଏବେ ମଧ୍ୟ ପୃଥିବୀର ଶହେ କୋଟି ଲୋକ ନିରୀଶ୍ଵରବାଦୀ । ତମେ କ’ଣ ସେମାନଙ୍କୁ ଅଦରକାରୀ ନିର୍ବୋଧ କହିପାରିବ ? ନୁହେଁ । ମଣିଷ ଜଣକ ଉପରେ ନିର୍ଭର କରିବାକୁ ଚାହେଁ । ସେଇ ଚାହିଁବା କ୍ରମଶଃ ତାକୁ ବାଟ କଢ଼ାଇ ନେଲା ଈଶ୍ଵରଙ୍କୁ ଆବିଷ୍କାର କରିବା ପାଇଁ । ପ୍ରକୃତିର ଅଭିଶାପରୁ ରକ୍ଷା କରିବା ପାଇଁ ସେମାନେ ଈଶ୍ଵରଙ୍କ ଶରଣ ପଶିଲେ । ଈଶ୍ଵର କ’ଣ କଲେ ବା ନ କଲେ ମୁଁ ଜାଣେ ନାହିଁ, କିନ୍ତୁ ଏଇଟା ଜାଣେ ଯେ ଈଶ୍ଵର ସର୍ବଶକ୍ତିମାନ, ସେ ମଣିଷମାନଙ୍କୁ ସବୁ ଆପଦ ବିପଦରୁ ରକ୍ଷା କରିବେ ଏଇ ଧାରଣାଟା ବଦ୍ଧମୂଳ ହୋଇ ଯାଇଛି ଅନେକଙ୍କ ମନରେ... ।‘ କହିଲା ସୁସୁଇ ।

 

- ହଁ, ହଁ । କିନ୍ତୁ ଯଦି ପ୍ରକୃତରେ ଈଶ୍ଵର ଥାଆନ୍ତୁ ବା ନାହିଁ ଜଣକ ଉପରେ ବିଶ୍ଵାସ ରଖି କୋଟି କୋଟି ଲୋକ ନିଶ୍ଚିନ୍ତ ହୋଇପାରନ୍ତି, ନିଜର ମନର ଦୁଃଖ, ପୀଡ଼ା, ଶୋକ ଭୁଲିଯିବା ପାଇଁ ଆଶ୍ଵସନା ପାଆନ୍ତି ତେବେ କାଳ୍ପନିକ ହେଲେ ବି କ୍ଷତି କ’ଣ ?

 

ସୁସୁଇ ଚୁପ୍‌ ହୋଇଗଲା କିଛି ସମୟ ।

 

ନୀରବରେ ଦୁହେଁ ଖାଇବାକୁ ଲାଗିଲେ । କିନ୍ତୁ ସୁ ତା’ ସ୍ଥାନରୁ ଉଠି ଆସି ଅନଙ୍ଗ ଉପରେ ହାତ ବେଢ଼ାଇ କହିଲା, ପ୍ରହେଳିକା ପରି ଲାଗୁଛି ସବୁ । ଆମେ ବାସ୍ତବବାଦୀ ନ ହେବା କାହିଁକି ? ନଶ୍ଵର ମଣିଷ ନିଜେ କେତେକାଳ ବଞ୍ଚିବ ଜାଣେ ନାହିଁ । ସେ ଚଉଦ ପୁରୁଷ କଥା ଭାବିବ କାହିଁକି ?

 

ଅନଙ୍ଗ ଉତ୍ତର ଦେଲା ନାହିଁ ।

 

ସେ ବରଂ ସୁଇକୁ ଆଉଜାଇ ଆଣି କହିଲା, ‘ଏସବୁ ଧର୍ମ କଥା, ଈଶ୍ୱର କଥା, ନୀତି ଓ ପ୍ରଥା ପରମ୍ପରା କଥା । ଆଜି ଆମେ କମିତି କାଟିବା କେତେ ସୁଖ ପାଇବା ସେଇ କଥା କୁହ... ।’

 

ଡିଆଁମାରି କହିଲା ସୁସୁଇ, ‘ଆଇ ମିନ୍‌ ଏକ୍‌ଜାକ୍ଟଲି ଦ୍ୟାଟ୍‌...’

 

କିନ୍ତୁ ତା ଆଗରୁ ଆମକୁ ଗୋଟାଏ ନିଷ୍ଣତ୍ତି ନବାକୁ ହେବ । ଗୋଟେ ଅଣ୍ତରଷ୍ଟାଣ୍ଡିଂରେ ପହଞ୍ଚିବାକୁ ହେବ । ମୁଁ ଧର୍ମ ଫର୍ମ କିଛି ମାନେନା । ଈଶ୍ଵର ବିଶ୍ୱାସ ମୋର ନାହିଁ । ମୁଁ କେବଳ ବିଶ୍ଵାସ କରେ ମଣିଷକୁ । ଆମ ଦୁହିଁଙ୍କ ମଧ୍ୟରେ ଯେ ପର୍ଯ୍ୟନ୍ତ ହଣ୍ଡ୍ରେଡ଼୍‌ ପର୍‍ସେଣ୍ଟ ଟ୍ରଷ୍ଟ ଗଢ଼ି ନ ଉଠିଛି, ଆମେ ବରଂ ସଞ୍ଜମ ସହିତ ଧିରେ ଧିରେ ଅଗ୍ରସର ହେବା ଠିକ୍‌ ହେବ । ଡୁ ୟୁ ଏଗ୍ରି ଉଇଥ୍‌ ମି ?‘ ମଥା ହଲାଇଲା ଅନଙ୍ଗ ।

 

ଖାଇବା ଶେଷ ହୋଇଗଲା । ୱେଟର ଆସି ଟେବୁଲ ସଫା କରିଦେଲା । ତା’ପରେ କହିଲା ଅନଙ୍ଗ ‘ତମେ ବି ଭାବ ମୁଁ ବି ଭାବିବି... ତରତର ନାହିଁ । ଆମ ଦେଶରେ ଗୋଟିଏ କଥା ଅଛି ‘ଧୀର ପାଣି ପଥର କାଟେ’ । ଉଇଥ୍‌ ଅଣ୍ଡରଷ୍ଟାଣ୍ଡିଙ୍ଗ ଆଣ୍ଡ ଟ୍ରଷ୍ଟ ଲେଟ୍‌ ଆୱାର ରିଲେସନସିପ୍‌ ବ୍ଲସମ୍‌... ।’

 

କଥାଟା ପସନ୍ଦ ହେଲା ସୁସୁଇର ।

 

ସେ କହିଲା, ‘ମୁଁ ତୁମକୁ ବିଶ୍ଵାସ କରେ... ତମ ସହିତ ବନ୍ଧୁଭାବେ ରହିବାକୁ ଚାହେଁ ! ଫର ଏଭର... ।’

 

ଅନଙ୍ଗ ହାତ ମିଳାଇଲା ଏବଂ କହିଲା, ‘ଦିସ୍‌ ଇଜ୍‌ ନଟ୍‌ ଦି ଏଣ୍ଡ ଦିସ୍‌ ଇଜ୍‌ ଦି ସୁଇଟ୍‌ ବିଗିନିଙ୍ଗ୍‌.... । ବର୍ତ୍ତମାନ ହୋଟେଲକୁ ଯିବା ପାଇଁ ଅନୁମତି ଦିଅ ।”

 

ସୁଇ କହିଲା, ‘ତମକୁ ଛାଡ଼ିବାକୁ ଇଚ୍ଛା ହେଉନି । ଇ-ମେଲରେ ତୁମକୁ ଜଣାଇଥିଲି ଯେ ମୋ ଘରେ ତମେ ରହିବ । କିନ୍ତୁ ସେଇଟା ଥିଲା ମୋ ଭାବପ୍ରବଣତା । ବର୍ତ୍ତମାନ ତୁମପରି ମୁଁ ବି ବୁଝୁଛି ଏଯ ଆମେ ନିଜକୁ ଯେତେ ସ୍ଵାଧୀନ ବୋଲି ଭାବୁଛୁ ସେତେ ସ୍ଵାଧୀନ ନୋହୁଁ । ଆମର ପରିବାର ଅଛି । ଆତ୍ମୀୟ ସ୍ଵଜନ ଅଛନ୍ତି । ପୁଣି ପରିବାରର ଧର୍ମ, ପ୍ରଥା ଓ ପରମ୍ପରା ଅଛି । ଏସବୁ ଆମର ହାତ ପାଦ ଓ ମନକୁ ବାଛି ଦେଇଛନ୍ତି ଶୃଙ୍ଖଳା ରଜ୍ଜୁରେ । ସେଥିରୁ ମୁକୁଳିବା ଏଡ଼େ ସହଜ ନୁହେଁ, ଅସାଧ୍ୟ ମଧ୍ୟ ନୁହେଁ । ସେଥିପାଇଁ ହଠାତ୍‌ କିଛି କରି ନ ପକାଇ ଆମକୁ ପ୍ରସ୍ତୁତ ହେବାକୁ ହେବ, ମନକୁ ପ୍ରସ୍ତୁତ କରିବାକୁ ପଡ଼ିବ । ପରିବାର ଆତ୍ମୀୟ ସ୍ଵଜନଙ୍କୁ ବୁଝାଇବାକୁ ପଡ଼ିବ । ତଥାପି ଯଦି ସେମାନେ ରାଜି ନ ହୁଅନ୍ତି, ତେବେ ନିଷ୍ପତ୍ତି ନବା ଦାୟିତ୍ୱ ଆମର । ସେତେବେଳେ ଆମେ ଶୃଙ୍ଖଳ ମୁକ୍ତ ସ୍ଵାଧୀନ ।”

 

ଅନଙ୍ଗ ସୁଇ ଉପରୁ ହାତ ଉଠାଇ ନେଇ ଚୁମାଟିଏ ଦେଇ କହିଲା, ‘ୟୁ ଆର ଅବସୋଲ୍ୟୁଟ୍‌ଲି କରେକ୍ଟ... ତମେ ଠିକ୍‌ କହିଛ ।’

 

ସେଦିନ ବିଦାୟ ନେଇ ବାହାରଗଲାବେଳେ ଅନଙ୍ଗ କହିଲା ‘ମୁଁ ଥାଇଲାଣ୍ଡରେ ତିନିଦିନ ଅଧିକ ରହିଗଲି । ସିଙ୍ଗାପୁରରେ କାଲି କାମ ଶେଷ ହେବ । ପଅରଦିନ ଫ୍ଲାଇଟ୍‌ ଧରିବି ଭାବୁଛି ।’

 

‘ମୋର ବି ନିଉୟର୍କ ଯିବାର ଅଛି । ଆମେ ଏକା ଫ୍ଲାଇଟ୍‌ରେ ଯିବା । ପାଖାପାଖି ସିଟ୍‌ ମୁ ଆରେଞ୍ଜ କରିବି । ବାଟରେ ଗଳ୍ପ କରିବାପାଇଁ ସୁବିଧା ହେବ । ତମେ କଲିକତାରେ ଓହ୍ଲାଇ ଯିବ... ଓକେ... ।’

 

‘ଗୁଡ୍‌ ନାଇଟ୍‌’

 

‘ଗୁଡ଼ ନାଇଟ୍‌’

 

ଅନଙ୍ଗ ହୋଟେଲକୁ ଫେରୁଥିବାବେଳେ ଭାବୁଥିଲା ଆଜିର ମତ ବିନିମୟ ସମ୍ପର୍କରେ । ଭାରତୀୟ ପରମ୍ପରାରେ ବିବାହ ବ୍ୟବସ୍ଥା ମୁରବିମାନେ କରନ୍ତି । କନ୍ୟା ବାଛିବା ବା ବର ବାଛିବା କାମ ସେମାନଙ୍କର । ଯଦି ସବୁ ବିଷୟ ସେମାନଙ୍କର ପସନ୍ଦ ହୁଏ ତେବେ ସେମାନେ ପୁଅ ବା ଝିଅକୁ ପ୍ରସଙ୍ଗଟି କହିବେ । ତା’ପରେ ପୁଅ ଝିଅ ଦେଖିବ ଓ ଝିଅ ପୁଅ ଦେଖିବ । ସେମାନେ ନା କରିବା ପାଇଁ ଅବସ୍ଥା ନ ଥାଏ । ଖୁବ୍‌ କମ ଜାଗାରେ ପରିବାର ବାଛିଥିବା ବର ବା କନ୍ୟା ସହିତ ସମ୍ପର୍କ ଭାଙ୍ଗିଯାଏ । ବେଳେବେଳେ ଝିଅ ମନୋନୀତ ବରକୁ ପ୍ରତ୍ୟାଖ୍ୟାନ କରି ନେଇପାରୁଛି ଯଦି ସେ ସ୍ଵାବଲମ୍ବୀ ହୋଇଥାଏ । ଆଉ କନ୍ୟା ଦେଖିବା ପରେ ତାକୁ ନାପସନ୍ଦ କରିବାର ଅଖଣ୍ଡ ଅଧିକାର ତ ପୁଅମାନଙ୍କର । ବିବାହ ହେବା ପୂର୍ବରୁ ମଧ୍ୟ କୌଣସି ନା କୌଣସି ବିଷୟରେ ମତପାର୍ଥକ୍ୟ ହେଲେ ବିବାହ ବନ୍ଦ ହୋଇଯାଉଛି ।

 

ସେ ଭାଉଜଙ୍କୁ କହିଥିଲା ତା’ର ବାହାହବା ନିହାତି ଜରୁରୀ ନୁହେଁ । ନିଜକୁ ମୁକ୍ତ ରଖିବା ସେ ପସନ୍ଦ କରେ । କିନ୍ତୁ ନନା ଓ ଭାଉଜ ଏକଥାଟାକୁ ପସନ୍ଦ କରିନାହାଁନ୍ତି । ନନା କମ୍‌ କଥା କହନ୍ତି । ତାଙ୍କ କାମ ଭଲ କି ସେ ଭଲ । ଅନ୍ୟସବୁ ବିଷୟ ଭାଉଜଙ୍କ ଉପରେ ଛାଡ଼ି ଦେଇଛନ୍ତି । ଦାୟିତ୍ୱମୁକ୍ତ ସେ । କିନ୍ତୁ ମନାକରିଦେଲେ କୌଣସି ବିପର୍ଯ୍ୟୟ ଘଟିବ ନାହିଁ ଯଦି ବି ଏପରି ଘଟଣା କ୍ଵଚିତ୍‌ ଘଟୁଛି ।

 

ମୈତ୍ରେୟୀ କିନ୍ତୁ ଭିନ୍ନ ପ୍ରକାର । ନିଜ ଇଚ୍ଛା କାହାରି ଉପରେ ଚପାଇ ନ ଦେଇ ଯଦି କେହି ତା’ ସହିତ ଏକମତ ନ ହୁଏ ତେବେ ତାକୁ ବୁଝାଏ, ଆଲୋଚନା କରେ । ବେଳେବେଳେ ମୈତ୍ରେୟୀ ବି ମତ ପରିବର୍ତ୍ତନ କରିବାର ଦେଖାଯାଏ । ସେ କିନ୍ତୁ ବାଧ୍ୟ କରି କାହା ଉପରେ ତାଙ୍କ ନିଷ୍ପତ୍ତି ଚପାଇ ଦିଅନ୍ତି ନାହିଁ । ସେଥିପାଇଁ କାହାରି ଜିଦ୍‌ରୁ ଯଦି ଅଘଟଣ କିଛି ଘଟିଯାଏ କିମ୍ବା କ୍ଷତି ହୋଇଯାଏ ତେବେ ସବୁ ଦୋଷ ନିଜ ଉପରେ ଲଦି ଦେଇ ସେ କହନ୍ତି, ଭୁଲ ହୁଏ ମଣିଷର । ତମର ବି ଭୁଲ ହେଲା । ସେଥିପାଇଁ ଦବିଯାଅ ନାହିଁ । କାମ କରିବା ବନ୍ଦ କର ନାହିଁ । ମୁଁ ତ ଅଛି । ଈଶ୍ଵରଙ୍କୁ ମନେପକାଅ ।

 

ମୈତ୍ରେୟୀ ଭାଉଜଙ୍କ ସ୍ଵର ଠିକ୍‌ ମା’ଙ୍କ ସ୍ଵର ପରି । ବସୁମତି ପରି ସର୍ବଂସହା ମଣିଷ । କିନ୍ତୁ ଅନ୍ୟାୟ, ଅସତ୍ୟ ମାନି ନେବେ ନାହିଁ । ଅଧର୍ମ ସହିଯିବେ ନାହିଁ । ଏ ବିଷୟରେ ତାଙ୍କୁ ଅନ୍ଧାରରେ ରଖି କିଛି କଲେ ଅମଙ୍ଗଳ ହେବ । ଘର ଭାଙ୍ଗିଯିବ । ଗୋଟେ ନୂଆ ସଂସାର ଗଢ଼ିବା ପାଇଁ ଆଶ୍ରୟ ନେଇଥିବା ପୁରୁଣା ସଂସାରକୁ ଭାଙ୍ଗିଦେବା ମୂର୍ଖାମି ହେବ ।

 

ଅନଙ୍ଗ ହୋଟେଲରେ ପହଞ୍ଚିବାବେଳକୁ ରାତି ବାଆରଟା ବାଜିଯାଇଥିଲା । ସ୍ଵଛ ସୁନୀଲ ଆକାଶର ନକ୍ଷତ୍ର ପୁଞ୍ଜଙ୍କୁ ଚାହିଁଲା ଘଡ଼ିଏ । ସେମାନେ କିଏ ? କେବେ ସୃଷ୍ଟି ହେଲା ସେମାନଙ୍କର ? ସତରେ କ’ଣ ସେମାନେ ଦୀପଜାଳି ପଥ ଆଲୋକିତ କରିଥିବା ମଣିଷର ପୂର୍ବଜ ଋଷିମୁନି ସାଧୁସନ୍ଥ ଭଲ ମଣିଷ ସବୁ ?

 

ଉତ୍ତର ନିଜେହିଁ ଦେଲା ନିଜକୁ- ‘ହଁ ହଁ, ସେଥିପାଇଁ ତ ଶୀତ, ବର୍ଷା, ଶିଶିର, ହେମନ୍ତ, ବସନ୍ତ ସବୁଦିନେ ସେମାନଙ୍କ ପ୍ରଦୀପ୍ତ ରୂପ ଉଦ୍ଭାସିତ ହୁଏ ଆକାଶରେ ।’

 

ବିଛଣା ଉପରେ ମେଲି ଦେଲା ଦେହ ।

 

ଦିନସାରା କାମରେ ବ୍ୟସ୍ତ ଥାଇବି କ୍ଳାନ୍ତ ଲାଗୁ ନ ଥିଲା । ଆହୁରି ବେଶୀ କାମ କରିବା ପାଇଁ ମନ ହେଉଥିଲା ।

 

ଅନଙ୍ଗର ମନେପଡ଼ିଲା ସେଦିନର କଥା । ସାନ ଭଉଣୀ ଭାସ୍ଵତୀ କଥା ଆରମ୍ଭ କରି ରହିଗଲେ ଭାଉଜ ଭାସ୍ଵତୀ ଆସିଛି । କିନ୍ତୁ ଭଲ ଅଛି କହିବା ଆଗରୁ ଆଉ ଗୋଟେ କ’ଣ ବାଧା ଦେଲା ପରି ଲାଗିଲା ତାକୁ । କ’ଣ ହେଲା ? ସୁତୀର କିଛି ଅସୁବିଧା ହୋଇନାହିଁ ତ ? ତାକୁ କିଛି ବିପଦ ପଡ଼ିନାଇଁ ତ ? ତା’ କଥା ଆରମ୍ଭ କରି ଶେଷ ନ କରି ଭାଉଜ ଅନ୍ୟ ପ୍ରସଙ୍ଗକୁ ଚାଲିଗଲେ କାହିଁକି ? ଫୋନ୍‍ ଛାଡ଼ିବା ପୂର୍ବରୁ ପଚାରିଥିଲା ଅନଙ୍ଗ ସୂତୀ ସମ୍ବନ୍ଧରେ । ସେ କହିଲେ ଘରକୁ ଫେରି ଆସ ଶୁଣିବ । ତେବେ କ’ଣ କିଛି ଅଘଟଣ ଘଟିଛି ।

 

ଭାସ୍ଵତୀ ଡରକୁଳୀ । ସାହସ ନାହିଁ । ଏକା ଏକା ଲଢ଼ିପାରେ ନାହିଁ । ମୁହଁ ବୁଜି ସହିନିଏ ସବୁ । ହେ ଭଗବାନ ! ତାକୁ ରକ୍ଷା କର, ତାକୁ ବଳଦିଅ । ତାକୁ ସୁଖୀ କର ।

 

କଡ଼ଡ଼େଟାଇବାବେଳେ ହାତବାଜି ପାଖ ଟେବୁଲ ଉପରେ ଥବା କାଚଗିଲାସଟା ତଳେପଡ଼ି ଭାଙ୍ଗିଗଲା... ।

 

ଅନଙ୍ଗକୁ କାହିଁକି କେଜାଣି କାନ୍ଦିବାକୁ ଇଚ୍ଛା ହେଲା ।

 

(ଦଶ)

 

ମିତା ଟିଭିରେ କମିକ୍‌ ଦେଖୁଥିଲା ।

 

ଆନନ୍ଦ କହିଲା, ସଦାବେଳେ ଟିଭି ଖୋଲି ଡାନ୍ସ ଦେଖିବା ପାଇଁ ବା ଗୀତ ଶୁଣିବା ପାଇଁ-। କନ୍ତୁ ସେଇ ପପ୍‌ ମ୍ୟୁଜିକ୍‌ ଆଉ ରକ୍‌ ଆଣ୍ଡ ରୋଲ୍‌ରୁ କ’ଣ ମିଳେ ତତେ ନାନୀ ?'

 

ମିତା ଭାଇକୁ ଚିଡ଼ାଇବା ପାଇଁ କହିଲା, ‘ତୁ ଭଜନ କୀର୍ତ୍ତନ ଏତେ ଶୁଣୁ କାହିଁକି ? ତୁ କ’ଣ ସାଧୁବାବା ଗାଧୁବାବା କିଛି ହେବୁ ?’

 

ଆନନ୍ଦ ହସି ଦେଇ କହିଲା, ‘ହେଲେ କ୍ଷତି କ‘ଣ ?’

 

- ‘ମା’ଙ୍କୁ କହିବି ?’ କହିଲା ମିତା ।

 

- ‘କହୁନୁ ମୁଁ କ’ଣ ଡରିଛି । ତୁ ଯଦି କେବେ ମଠକୁ ଯିବୁ ଦେଖିବୁ କେତେ ନିଷ୍ଠାର ସହିତ ସେଠାରେ ପୂଜା, ପ୍ରାର୍ଥନା ହୁଏ । ଖାଲି କ’ଣ ସେତିକି ? ସେବା ଧର୍ମ । ଆଦିବାସୀ ପିଲାଙ୍କୁ ବେଦ ପଢ଼ାନ୍ତି ମଠରେ । ବଗିଚା କାମ ଶିଖାନ୍ତି ଶିଷ୍ୟମାନଙ୍କୁ । ନିଜ କାମ ନିଜେ କରନ୍ତି ସନ୍ନ୍ୟାସୀମାନେ । ପରର ମଙ୍ଗଳ କାମନା କରନ୍ତି... ।’ ତା’ ମିତା ପାଖରେ ବସି ପଡ଼ି କହିଲା ଆନନ୍ଦ ।

 

‘ମୋର ତ କିଛି କାମ ନାହିଁ । ହୋମ୍‍ୱାର୍କ କରିସାରିଛି... । ଗୀତ ବା ନାଚ ତୋତେ ଭଲ ଲାଗେନା ?’ କହିଲା ମିତା ।

 

- ‘ହଁ, ଗୀତ ଭଲ ଲାଗେ । କିନ୍ତୁ ଏଇ ରକ୍‌ ଆଣ୍ଡ ରୋଲ୍‌ ନୁହେଁ- ଭଜନ, କୀର୍ତ୍ତନ, ଛାନ୍ଦ, ଚମ୍ପୁ, ଓଡ଼ିଶୀ । ଏପରିକି ସବୁ ଆଧୁନିକ ଗୀତ ଖରାପ ନୁହେଁ... ।’ କହିଲା ଆନନ୍ଦ ।

 

- ‘ତୁ ଗୀତ ଗାଇବା ଶିଖୁନୁ କାହିଁକି ?’

 

- ‘ତୋର ନାଚ କ୍ଲାସ କେତେଦୂର ଗଲାଣି... ଗୀତ ଶିଖିଲେ ହୁଅନ୍ତା ଯେ... ହେଲେ ନାନୀ ହାତରେ ଏତେ ସମୟ କାହିଁ ? ମୋ ହୋମ୍‍ଓ୍ୱାର୍କ ବଳେଇ ପଡ଼ୁଛି । ପୁଣି ଧ୍ୟାନ ପାଇଁ, ଆସନ କରିବା ପାଇଁ ଘଣ୍ଟାଟିଏ ଲୋଡ଼ା ।’

 

- ବାପା ମା’ଙ୍କୁ କହୁଥିଲେ ତୋ ପଇତାଘର ହେବ । ଭାରିମଜା ହେବ.. ତୁ ମୋତେ କ’ଣ ଦବୁ କହିଲୁ ?‘

 

- ‘ଯାହାର ପଇତା ହୁଏ ସେ ବ୍ରହ୍ମଚାରୀ ହୁଏ... । ତାକୁ ସମସ୍ତେ ଦିଅନ୍ତି.... ମୋତେ ଯେତେ ମିଳିବ ତୋ’ର ଅଧେ ଭାଗ ସେଥିରେ... ।'

 

- ‘ସତ କହୁଛୁ ଆନନ୍ଦ ?’

 

- ‘ମିଛ କହୁନି । ତୁ ମୋ ନାନୀ । ମୋର ଯେତିକି ଅଛି ସେଥିରୁ ତୋ’ର ପ୍ରାପ୍ୟ ଅଧେ... ବୁଝିଲୁ’

 

ଏତିକିବେଳେ ଅପୁ ଆସି ପହଞ୍ଚି କହିଲା, ‘କ’ଣ ଅଧେ ତୋ’ର ଆଉ ଅଧେ କ’ଣ ତା’ର-। ସନ୍ଦେଶ ଆଣିଛୁ କିରେ ?’

 

ହସିପକାଇ କହିଲା ମିତା, ‘ସାନକକା, ତମେ ମତେ କ’ଣ ଗୋଟେ ଉପହାର ଦବ ବୋଲି କହିଥିଲ । କ’ଣ ଭୁଲିଗଲ ?’

 

- ‘ନା, ନା, ମୁଁ ଭୁଲି ନାହିଁ । କିନ୍ତୁ ସେଇଟା ଥିଲା ସର୍ତ୍ତ ସାପେକ୍ଷ । ସର୍ତ୍ତ ପାଳନ କଲେ, ମୁଁ ତୋତେ ଦେବି ଗୋଟେ କ୍ୟାସେଟ୍‌ । କିନ୍ତୁ ତୁମେ ଦୁହେଁ ନ୍ୟାସ୍‌ନାଲ୍‌ ଜେଗ୍ରାଫିର କୋଉ ଚିତ୍ର ଦେଖିଲ ଆଜି କହିଲ ?

 

- ଆଜିପରା ଦେଖାଉଥିଲା ବୁଡ଼ାଳିମାନେ କେମିତି ସମୁଦ୍ରଗର୍ଭରୁ ମୁକ୍ତା ଆହରଣ କରନ୍ତି । ଏତେବଡ଼ ବଡ଼ ବିଚିତ୍ର ଜୀବଜନ୍ତୁ ସମୁଦ୍ର ଭିତରେ କିମିତି ରହନ୍ତି କକା ! ଆମ ପୁରୀ ସମୁଦ୍ରରେ ବି ଏମିତି ଥିବେ ?’ କହିଲା ଆନନ୍ଦ ।

 

- ଅଛନ୍ତି, ହେଲେ ଗଭୀର ସମୁଦ୍ରରେ ଅନେକ ପ୍ରକାର ସମୁଦ୍ର ଜୀବ ଅଛନ୍ତି । ସମୁଦ୍ର କୂଳରେ ଶାମୁକା, ଶଙ୍ଖ ଇତ୍ୟାଦି ପଡ଼ି ନ ଥାଏ ? ସେ ଆସିଥାଏ । ତୁମେ ଦୁହେଁ ନ୍ୟାସ୍‌ନାଲ୍‌ ଜେଗ୍ରାଫିର ସିରିଏଲ୍‌ ଦେଖିଲେ ଅନେକ ଅଦ୍ଭୁତ ବିଷୟ ଜାଣିବ ଜଳ ଓ ପୃଥିବୀ ଉପରେ ଥିବା ପ୍ରକୃତି ସମ୍ବନ୍ଧରେ । ମହାକାଶ ଯାତ୍ରା କିପରି ହୁଏ ସେସବୁ ବି ଦେଖିବ... ।

- ‘କଳ୍ପନା ଚାଓଲା ଯାଉଥିଲେ ନା ମହାକାଶକୁ...’ କହିଲା ଆନନ୍ଦ... ।

- ‘ଅତି ଦୁଃଖଦ ବିଷୟ... ସେ ଆଉ ଫେରି ଆସିପାରିଲେ ନାହିଁ... ତାଙ୍କ ଯାନ ଧ୍ଵଂସ ପାଇଗଲା ବାଟରେ...’

- ଓଃ !

- ଏବେ ତ ସୁନୀତା ଉଇଲିୟମସ୍‌ ଅଛନ୍ତି ମହାକାଶରେ । ଛଅମାସ ରହିବେ । ସେ ବି ଆମ ଭାରତରେ ଜନ୍ମଗ୍ରହଣ କରିଥିଲେ...

- ଗ୍ରେଟ୍‌ ସାନକଳା... ଗ୍ରେଟ୍‌... ମୁଁ ବି ଯିବି ମହାକାଶକୁ... ବଡ଼ ହୁଏ ଦେଖିବ... ।

- ସାବାସ୍‌ ମିତା । ତୋ’ର ଉଚ୍ଚାଭିଳାଷ ଥାଉ... ଭଲକରି ପାଠପଢ଼... ସାହସ ରଖ.. ତୁ ବି ଦିନେ ମହାକାଶକୁ ଯିବୁ...

- ବଡ଼ ଥ୍ରିଲିଙ୍ଗ୍‌ ଏକ୍ସପେରିଏନ୍‌ସ ନା ସାନକକା... । କହିଲା ଆନନ୍ଦ ।

- ସର୍ଟେନ୍‌ଲି... ।

ସାନ ପଉସୀ ବି ପହଞ୍ଚିଗଲେ । ତାଙ୍କୁ ଦେଖି ମିତା ଦୌଡ଼ିଯାଇ ତାଙ୍କ ପାଖରେ ଛିଡ଼ା ହେଲା ଏବଂ କହିଲା, ‘ପିଉସୀ, ତମେପରା ମତେ ଗଣିତ ପଢ଼ାଇବ କହିଥିଲ । କାହିଁ ବସିଲ ନାଇ ତ... । ଗଣିତରେ ମୋର ଭଲ ହେଉନାହିଁ... ।’

ଭାସ୍ଵତୀ ମିତାକୁ ଆଉଜାଇ ଆଣି କହିଲା, ‘ଆଜି ସଂଧ୍ୟାବେଳେ ଘଣ୍ଟାଏ ବସିବା... ତୋତେ ସୂତ୍ରଗୁଡ଼ା ଶିଖାଇ ଦେଲେ ତୁ ମ୍ୟାଥ୍‌ର ଟପ୍ପର ହେବୁ ମିତା... ।”

 

- ଓଃ ଗ୍ରେଟ୍‌... ମିତା ପିଉସୀ ଗାଲରେ ଚୁମା ବସାଇ ଦେଇ କହିଲା, ‘ତମକୁ ଦେଖିଲେ ତମ କଥା ଶୁଣିଲେ ମୁଁ ଭାବେ ଯେ ମୁଁ ନିଶ୍ଚେ ବଡ଼ ହେବି... । କିନ୍ତୁ ପିଉସୀ ଆନନ୍ଦ ବାବାଜୀ ହୋଇଯିବ କହୁଛି ... ।’

 

- ସେପରି ଥଟା କହୁଥିବ ନା... ବାବାଜୀ ହେବା କ’ଣ ଏତେ ସହଜ... ତୋ ଭାଇର ଜଟା କାହିଁ... କମଣ୍ଡଳୁ କାହିଁ... ? ସେ ବରଂ ବଡ଼ ହେଲେ ଜଣେ ବିଚକ୍ଷଣ ପଣ୍ଡିତ ହେବ... ନିଉକ୍ଲିୟର୍‌ ଏକ୍ସପର୍ଟ, ମାଇକ୍ରୋବାଇଓଲୋଜି ଏକ୍ସପର୍ଟ ବା ମାଇକ୍ରୋସଫ୍ଟ କମ୍ପାନୀର ବିଲ୍‌ ଗେଟ୍‌ସ୍‌ ପରି ଆଉ ଜଣେ... ।’

 

ଆନନ୍ଦ କହିଲା, ‘ପିଉସୀ ବିଲ୍‌ ଗେଟ୍‌ସ୍‌, ରତନ ଟାଟା ହେବା ତ ସହଜ... କିନ୍ତୁ ମହାଯୋଗୀ ଶ୍ରୀଅରବିନ୍ଦ, ସ୍ଵାମୀ ବିବେକାନନ୍ଦ ବା ଶ୍ରୀ ଶ୍ରୀ ରବିଶଙ୍କର... ହବା କ’ଣ ସହଜ ?’

 

ଅପୁ ଉପରେ ପଡ଼ି କହିଲା, ‘ତୁ କାହିଁକି ଯୋଗୀ ହେବୁ ଭାବୁଛୁ... ଜଣେ ବଡ଼ ସାଇଣ୍ଟିଷ୍ଟ କି ଇକୋନୋମିଷ୍ଟ ହେବା ପାଇଁ ଭାବୁନୁ... ।’

 

ସେଟା ଆଉ ଗୋଟେ ବିକଳ୍ପ କଳା । ଜ୍ଞାନର ରାଜ୍ୟ, ତପସ୍ୟାର ରାଜ୍ୟ ସବୁ ନିଆରା ଅତ୍ୟନ୍ତ ଏକ୍ସସାଇଟିଙ୍ଗ...।

 

ମୈତ୍ରେୟୀ ପିଲାମାନଙ୍କୁ ଜଳଖିଆ ଖାଇବା ପାଇଁ କହିଲେ । ‘କୁନ୍ତୀ ଅପେକ୍ଷା କରୁଛି । ଆମେ ବି ଚା’ ପିଇବା... କେକ୍‌ କିମ୍ବା ପକୋଡ଼ି କ’ଣ ଖାଇବ ?’

 

- ‘ବରଂ ପକୋଡ଼ି ଆଣ ଭାଉଜଚା' ସହିତ ପକୋଡ଼ି ବେଶ୍‌ ଜମିବ ।’

 

ମୈତ୍ରେୟୀ ଭିତରକୁ ଚାଲିଗଲେ ।

 

ଅପୁ କହିଲା, ‘ସାନ ନାନୀ ! ତମେ ଦିଲ୍ଲୀ ଛାଡ଼ି ଭୁବନେଶ୍ୱର ଚାଲି ଆସୁନ... ଏଠାରେ ଇନ୍‍ଫୋସିସ୍‌, ଟିସିଏସ୍‍, ସତ୍ୟମ, ଓ ଓ୍ୱିପ୍ରୋ ଆହୁରି ଅନେକ ଦୋକାନ ଖୋଲିଲେଣି.. ।’

 

ହସି ଦେଇ କହିଲା ଭାସ୍ଵତୀ, ‘ତା’ହେଲେ ଗୋଟେ ରେସ୍ତୋଁରାରେ ମୋ ଦରମା ଟଙ୍କାତକ ତୁ ଶେଷ କରିଦବୁନା... ।’

 

- ‘କିନ୍ତୁ ତମେ ଯଦି ପିଜ୍ଜାହାଟ୍‌କୁ ଯିବ ନା ତେବେ ଫେରିବାକୁ ଇଚ୍ଛା ହେବନି । ଆଉ ଚିକେନ ଦୋ ପିଆଜିର ଟେଷ୍ଟ ଏତେ ଏକ୍‌ସାଇଟିଂ ଯେ ଥରେ ଖାଇଲେ ଦୁଇଥର ଖାଇବା ପାଇଁ ଇଚ୍ଛା ହେବ ।’

 

ଅନେକ ଦିନପରେ ସାନଭାଇ, ଝିଆରୀ, ପୁତୁରାମାନଙ୍କ ସହିତ ସମୟ କଟାଇବାୟପାଇଁ ଫୁରସତ୍‌ ମଳିଛି ଭାସ୍ଵତୀକୁ । ଦିଲ୍ଲୀ ଚାଲି ଯାଇଥିଲା ବାହାଘର ପରେ । ବିଶ୍ୱମୋହନ ସହିତ ଗୋଟେ ଫ୍ଲାଟ ନେଇଥିଲେ । ବେଶ୍‌ ହସ ଖୁସିରେ ଦିନ କଟିଯାଉଥିଲା । କିନ୍ତୁ କାହାର ଦୀର୍ଘଶ୍ୱାସ ପଡ଼ିଲା ତା’ ଉପରେ । ସେ ତ କାହାର କ୍ଷତି କରିନି, କାହାରି ଅମଙ୍ଗଳ ଭାବିନି... । ବୋଧହୁଏ ଭଲ ଲୋକଙ୍କ ପାଇଁ ଏ ଜଗତରେ ଜାଗା ଅକୁଳାଣ ହୁଏ । ସେମାନଙ୍କ ଦୁଃଖ ସୁଖ ବୁଝିବା ପାଇଁ କେହି ନ ଥାନ୍ତି... ସମସ୍ତେ ନିଚ୍ଚ ସ୍ୱାର୍ଥ, ନିଜ ସମସ୍ୟା ନେଇ ବ୍ୟସ୍ତ ।

 

ପକୋଡ଼ି ଆଉ ଗରମ ଚା’ ନେଇ ପହଞ୍ଚିଲେ ମୈତ୍ରେୟୀ ।

 

ମଝି ଟେବୁଲ୍‌ରେ ରଖି ଚାରଆଡ଼ ଘେରି ଗଲେ ସେମାନେ ।

 

ଗୋଟେ ଗରମ ପକୋଡ଼ି ପାଟିରେ ପକାଇ କହିଲା ଅପୁ – ‘ଗ୍ରେଟ୍‌ ଗ୍ରେଟ୍‌ - ତମ ହାତ ଯଶ ଅକ୍ଷତ ଅଛି ଭାଉଜ !’

 

ଭାସ୍ଵତୀ ଆଖି ନଚାଇ କହିଲା, ‘ଲୋଭୀ ! ଖାଇବା ପାଇଁ ପାଇଲେ କେବଳ ପ୍ରଶଂସା କରୁଥିବ... ଭୋକ ଲାଗିଲେ ନିନ୍ଦା... ।’

 

ମୈତ୍ରେୟୀ ହସି ଦେଇ କହିଲେ, ‘ତମେ ତାଙ୍କ ନାଡ଼ି ନକ୍ଷତ୍ର ଠିକ୍‌ ଜାଣିଛ ସୁତୀ ?’

 

ଅପୁ କହିଲା, ‘ତମେ ବି ସାନ ନାନୀ କଥା ଶୁଣି ଭଳି ଗଲ ଭାଉଜ । ମୁଁ ପରା ତମର ଲକ୍ଷ୍ମଣ !’

 

ପ୍ଲେଟରୁ ପକୋଡ଼ି ଶେଷ ହୋଇଯାଇଥିବା ଦେଖି ମୈତ୍ରେୟୀ ଧାଇଁଲେ ଆଉକିଛି ପକୋଡ଼ି ଆଣିବା ପାଇଁ । ଭାସ୍ଵତୀ କହିଲା, ‘ଠାଏ ଠାଏ ପ୍ରମାଣ ହୋଇଗଲା ଅପୁ... ଲୋଭୀ...’

 

ପୁଅ-ଝିଅ, ଭାଉ-ଭଉଣୀ, ଝିଆରୀ-ପୁତୁରା, ଭଣଜା-ଭାଣିଜୀଙ୍କ ସାଙ୍ଗରେ କିଛି ସମୟ କାଟିବା ପାଇଁ ସମୟ ହୁଏନି କାହାରି । ସମସ୍ତେ ବ୍ୟସ୍ତ । ଘର- ଅଫିସ- ଘର-କ୍ଲବ-ସିନେମା-ବଜାର ଆଉ ସମୟ ହେଲେ ଛୁଟଦିନ ଟେନିସ୍‌ ବା ପିକ୍‌ନିକ୍‌ ବା କିଟି ପାର୍ଟି... ।

ଅନଙ୍ଗର ଗାଡ଼ି ଆସି ଛିଡ଼ା ହେଲା ପୋର୍ଟିକୋରେ ।

ଧାଇଁ ଗଲେ ଅପୁ ଆନନ୍ଦ ଆଉ ମିତା ।

ଅନଙ୍ଗ ଉହ୍ଲାଇବାବେଳେ ବଡ଼ ପାଟିରେ ଶୁଣାଇ ଦେଲା ‘ଏଥର ସମସ୍ତଙ୍କ ପାଇଁ ଆଣିଛି... ଚାଲ ଚାଲ ଭିତରକୁ ଚାଲ - ଆଗ ହାଉସ୍‌ କଣ୍ଡୋକ୍ଟରଙ୍କ ପାଖରେ ହାଜିରା ପକାଇଦିଏ-। ତା’ପରେ ଅନ୍ୟସବୁ... ।’

ମୈତ୍ରେୟୀ ହସି ହସି ସ୍ଵାଗତ କଲେ ଦିଅରକୁ ।

ଅନଙ୍ଗ ପ୍ରଣାମ କଲାବେଳେ ତାକୁ ଉଠାଇ ନେଇ ମଥା ଆଉଁସି ଦେଇ କହିଲେ, ‘ ଆଶୀର୍ବାଦ ! ସବୁ ଶୁଭ ହେଉ । ହାତ ଦିହାତ ହେଉ... ।’

ତାଙ୍କ ଆଖିରୁ ଝରୁଥିଲା ରହସ୍ୟମୟ ଦୃଷ୍ଟି ।

‘କେମିତି ଜାଣିଲ, କିଏ କହିଲା, ଦୁଇ ହଜାର ମାଇଲ ଦୂରରୁ କିଏ ପହଞ୍ଚାଇ ଦେଲା ଏଇ ବାର୍ତ୍ତା ! କାଳିଦାସଙ୍କ ମେଘଦୂତଠାରୁ ଏଇ ବାର୍ତ୍ତାବତ ତ ଅନେକ ବେଗରେ ଆସିଛି । ମନ ପବନ କଠଉ ଉପରେ ପାଦ ରଖି ସେଠାକୁ ଚାଲିଯାଇ ପାରୁଛି ।’ କିହଲା ଅନଙ୍ଗ ।

 

ଅନଙ୍ଗ ଡରିଗଲା । ଛାତି ଥରିଗଲା । ସବୁ ରହସ୍ୟ ବୋଧହୁ ପଦାରେ ପଡ଼ିଗଲା । ସେ ଏତେଦିନ ଯେଉଁ କାହାଣୀ କାହାକୁ କହି ନ ଥିଲା, ସେକଥା ଭାଉଜ କିପରି ଜାଣିଲେ ! ନନା ଯଦି ଜାଣିସାରିଥିବେ ତେବେ ସେ କୋଉ ଗୁମ୍ଫାରେ ଲୁଚିବ ?

 

କିନ୍ତୁ ମୁହଁ ଗମ୍ଭୀର କରି କହିଲେ ମୈତ୍ରେୟୀ, ‘ନା, ଭୟର କୌଣସି କାରଣ ନାହିଁ । ବଡ଼ନନା କିଛି ଜାଣନ୍ତି. ନାହିଁ । ମୁଁ କେବଳ ତମ କୋର୍ଟରେ ଲାଗିଥିବା ରକ୍ତ ଗୋଲାପ କଢ଼ ଏବଂ ତମ ପୋଷାକରୁ ବାହାରୁଥିବା ଦାମିକା ସେଣ୍ଟରୁ ଠଉରେଇ ନେଲି କିଛି ଗୋଟେ ହୋଇଛି ! ସତ ଭାବିଛି ନା ଅନଙ୍ଗ !’

 

ଭାସ୍ୱତୀ ପଛରେ ଛିଡ଼ା ହୋଇଥିଲା, ଏ ପର୍ଯ୍ୟନ୍ତ ଲକ୍ଷ୍ୟକରି ନ ଥିଲା ଅନଙ୍ଗ ତାକୁ ସାମନାକୁ ଟାଣି ଆଣି କହିଲେ ମୈତ୍ରେୟୀ, ‘ତମେ ଯିବା ପରେ ସେ ଆସିଛନ୍ତି; ଭୁଲି ଯାଇଥିଲି ତାଙ୍କ କଥା କହିବା ପାଇଁ ।’

 

ଭାସ୍ଵତୀ ପ୍ରଣାମ କଲା ।

 

ତାକୁ ଉଠାଇ ନେଇ କହିଲା ଅନଙ୍ଗ, ‘ତୋ ଦେହ ଭଲ ଅଛି ତ ! ଏତେ ଶୁଖିଯାଇଛୁ । ତୋ ଆଖିତଳେ କଳାଦାଗ... ?’’

 

ଚୁପ୍‌ ହୋଇ ଛିଡ଼ା ହୋଇ ରହିଲା ଭାସ୍ଵତୀ ।

 

ମୈତ୍ରେୟୀ କହିଲେ, ‘ଭିତରକୁ ଚାଲ ଅନଙ୍ଗ । ସୁତୀ କିଛି ଦିନ ରହିବେ ଆମ ସହିତ । ତରତର ହୁଅନି । ପରେ କଥାଭାଷା ହେବାନି !'

 

ବଞ୍ଚିଗଲା ଭାସ୍ଵତୀ । ଛଳଛଳ ହୋଇ ଆସିଥିବା ତା’ ଦୁଇଆଖି ପୋଛି ନେଲା ମୁହଁ ବୁଲାଇ ।

 

ଅନଙ୍ଗ ବୁଝିଗଲା ଯେ କିଛି ଗୋଟେ ଘଟିଛି ଯାହା କହିପାରୁନି ସୁତୀ । ନ ହେଲେ ହସକୁରି, ଗପୁଡ଼ି ସାନ ଭଉଣୀ କ’ଣ ଏପର୍ଯ୍ୟନ୍ତ ନୀରବରେ ଛିଡ଼ା ହୋଇଥାନ୍ତ ଥୁଣ୍ଟା ଗଛପରି ।

 

ଭାସ୍ଵତୀର ବିଷର୍ଣ୍ଣ ମୁହଁ ଅନଙ୍ଗକୁ ବିବ୍ରତ କରୁଥିଲା । ସାନଭଉଣୀ ସୁଖର ସଂସାରରେ ଅଘଟଣ ଘଟିଲା କି ବୋଲି ଭାବି ଚାଲିଥିଲା ସେ । ଲୁଗା ବଦଳାଇ ମୈତ୍ରେୟୀଙ୍କ ପାଖରେ ବସିଲା ଯାଇ । ତା’ର ଉଦ୍‌ବେଗ ଅନୁଭବ କରି ଭାସ୍ଵତୀ ଜୀବନର ଝଡ଼ଝଞ୍ଜା ସମ୍ପର୍କରେ ଗୋଟି ଗୋଟି କରି କହିଲେ ମୈତ୍ରେୟୀ । ସବୁ ଶୁଣିସାରି କିଛି ସମୟ ସେ ସ୍ତବ୍ଧ ପରି ବସି ରହିଲା । ବିଶ୍ଵମୋହନ ସହିତ ଭାସ୍ଵତୀର ବିବାହ ହେବା ପରେ ସେ ଯେଉଁଦିନ ଶାଶୁ ଘରକୁ ଗଲା ସେ ବିଦାୟ ନବା ପୂର୍ବରୁ ଅନଙ୍ଗ ତାକୁ ଯାହା କହିଥିଲା ସେଇ କଥା ମନେପଡ଼ିଲା । ‘ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି’ ‘ଏଇ ପ୍ରବଚନ ମନେପକାଇ ଦେଇ ସାନ ଭଉଣୀକୁ ସେ କହିଥିଲା ଏପରି କେହି ନାହିଁ ଯିଏ କେବଳ ସଦାବେଳେ ସମତଳ ପଥରେ ଚାଲିଛି । ଦୁଃଖ ସୁଖ ଆସିବ । ଝଡ଼ଝଞ୍ଜା ବି ହେବ । କିନ୍ତୁ ସେସବୁକୁ ସଂସାର କର୍ମର ଗୋଟିଏ ଅଂଶ ମନେକରି ଲଢ଼ିବାକୁ ହେବ ପ୍ରତିକୂଳତା ବିରୁଦ୍ଧରେ । ଯିଏ ଡରି ନ ଯାଇ, ମ୍ରିୟମାଣ ନ ହୋଇ ଜିତିବାର ବିଶ୍ୱ।ସ ନେଇ ଲଢ଼େଇ କରେ ଶେଷରେ ସେଇ ହୁଏ ସିକନ୍ଦର । ଆତ୍ମ ବିଶ୍ୱାସ ହୁଏ ବଡ଼ କଥା । ସେଇ ବିଶ୍ୱାସ ଟିକକ ଲାଳିତ ହୋଉଥିବା ପର୍ଯ୍ୟନ୍ତ ହାରିଯିବାର ଭୟ ନାହିଁ ଏବଂ ହାରିଗଲେ ବି ରଣକ୍ଷେତ୍ର ଛାଡ଼ି ପଳାଇବା ପରି ସ୍ଥିତି ଦୁର୍ଭାଗ୍ୟରୁ ଯଦି ବି ଉପୁଜେ ତେବେ ଭବିଷ୍ୟତରେ ରଣଜୟ କରିବାର ସମ୍ଭାବନା ରହିବ । ଯିଏ କ୍ଷେତ୍ର ଛାଡ଼ି ଚାଲିଯାଏ ସେ ଭୀରୁ ।

 

ଆଖିରୁ ଲୁହ ପୋଛି ସେଦିନ ବଡ଼ଭାଇକୁ କିଛି କହି ପାରି ନ ଥିଲା ଭାସ୍ୱତୀ; କିନ୍ତୁ ସେ କଥା ଯେ ସେ ଭୁଲି ନ ଥିଲା ଏହାର ପ୍ରମାଣ ପାଇଥିଲା ଅନଙ୍ଗ ପରେ । ଥରେ ଚିଠିରେ ସୁତୀ ଲେଖିଥିଲା । ଯେ ସେ ଭୁଲି ନାହିଁ ବିଦାୟ ବେଳର କଥା । କ୍ଷେତ୍ର ଛାଡ଼ି ପଳାଇ ଯିବନି ସେ । ଦରକାର ହେଲେ ଲଢ଼ିବ ଶେଷ ପର୍ଯ୍ୟନ୍ତ । ଆଜି ତାକୁ ଆଉ କ’ଣ ବା ସମବେଦନା ଜଣାଇବ ଅନଙ୍ଗ । କେବଳ ମନେପକାଇଦବ ସେଦିନ ଯାହା କହିଥିଲା ।

 

ବିଶ୍ଵମୋହନ ପରି ବୁଦ୍ଧିମାନ ବ୍ୟକ୍ତି ଯେ ଜଣେ କନିଷ୍ଠା ସହକର୍ମୀଙ୍କ ଫାନ୍ଦରେ ପଡ଼ିବ ଏହା ବିଶ୍ୱାସ ହେଉ ନ ଥଲା । କିନ୍ତୁ ଋତୁପୂର୍ଣ୍ଣାକୁ ଯଦି ସେ ବାହାହବ ବୋଲି ଭାସ୍ଵତୀକୁ ଛାଡ଼ି ଦେବା ପାଇଁ ମନସ୍ଥ କରିଥାଏ ତେବେ କଥାଟା ଆଉ ଆଗେଇବା ପୂର୍ବରୁ ଗୋଟେ କିଛି କରିବାକୁ ହେବ । ଯୁଦ୍ଧ ଆରମ୍ଭ ହୋଇନି, ସମର ସଜ୍ଜା ଚାଲିଛି । ଅସ୍ତ୍ରଶସ୍ତ୍ର ସଜଡ଼ା ଯାଉଛି । ଏତିକିବେଳେ ବିଶ୍ୱମୋହନର ବାଟ ରୋକିବାକୁ ହେବ ।

 

ଭାସ୍ଵତୀକୁ ଦମ୍ଭ ଧରିବା ପାଇଁ କହିଲା ଅନଙ୍ଗ । ଏ ଯୁଦ୍ଧରେ ସେ ଯେ ଏକା ନୁହେଁ ପରିବାରର ସମସ୍ତେ ତା’ ପଛରେ ଅଛନ୍ତି ଏଇ ଆଶ୍ଵାସନା ଦେଲା ଅନଙ୍ଗ । ଆହୁରି କହିଲା, “ତୁ ଯଦି ଭାବୁଥାଉ ଯେ ଦିଲ୍ଲୀ ଛାଡ଼ି ପଳାଇ ଆସି ଠିକ୍‌ କରିଛୁ ତେବେ ଏପରି ଭାବିବା ଭୁଲ । ରଣକ୍ଷେତ୍ର ଛାଡ଼ି ପଳାଇ ଆସିବୁ କାହିଁକି ? ତୁ ଏକା ନୋହୁଁ । ତୁ ଚାହିଁଲେ ମୁଁ ତୋ ପାଖେ ପାଖେ ରହିବି । ସେ ଗୁଣ୍ଡାଗିରି କରିପାରିବ ନାହିଁ । ଋତୁପୂର୍ଣ୍ଣା ହୁଏତ ଭାବ ପ୍ରବଣତାରେ ଭାସିଯାଇଛି । ତାକୁ ଆତ୍ମହତ୍ୟା କରିବା ପାଇଁ ନ ଦେଇ ଉଦ୍ଧାର କରିବା ଆମର କର୍ତ୍ତବ୍ୟ । ବିଶ୍ଵମୋହନ ବୋଧହୁଏ ଜାଣେନି ଯେ ସ୍ତ୍ରୀ ଜୀବିତ ଥିବା ପର୍ଯ୍ୟନ୍ତ ଦ୍ୱତୀୟ ଦାରା ଗ୍ରହଣ କରିବା ଆଇନ ବିରୁଦ୍ଧ । ଯଦି ତାକୁ କେହି ବିପରୀତ ପରାମର୍ଶ ନେଇଥାଏ ତେବେ ତାହା ମସ୍ତବଡ଼ ଭୁଲ ।

 

ଭାସ୍ଵତୀ କହିଲା, ‘ସାନ ନନା, ମୋର କେତେକ ବନ୍ଧୁ ବିଶ୍ଵମୋହନଙ୍କୁ କହିଥିଲେ ଏ କଥା । ସେ କିନ୍ତୁ ଶୁଣିଲେ ନାହିଁ... ଜିଦ୍‌ ଧରି ବସିଚନ୍ତି ଯିମିତି ହେଉ ଋତୁପୂର୍ଣ୍ଣାକୁ ବାହା ହେବେ... ।’

 

‘ଯଦି ସେ ତାହା କରେ ତେବେ ମୁଁ ଛାଡ଼ିବି ନାହିଁ । ତାକୁ ଜେଲ ପଠାଇବା ପାଇଁ ବାଟ ଖୋଲିଯିବ... ।‘ କହିଲା ଅନଙ୍ଗ ।

 

ଭାସ୍ଵତୀ ଆଖିରୁ ଲୁହ ଗଡ଼ିଲା ।

ସେ ବ୍ୟାକୁଳ ଭାବେ କହିଲା, ‘ନା, ନା । ଏତେବଡ଼ ଦଣ୍ତ ଦିଅନା ନନା । ଜେଲ ଗଲେ ଚାକିରି ଖଣ୍ଡକ ଚାଲିଯିବ । ନିଜ ପରିବାରର ସେପରି ସାମର୍ଥ୍ୟ ନାହିଁ ଯେ ସେମାନେ ରୋଜଗାର କରୁଥିବା ପୁଅର ଏପରି ସମ୍ଭାବ୍ୟ ଦୁର୍ଦ୍ଦିନରେ ତାଙ୍କ ପଛେ ଛିଡ଼ା ହେବେ । ସେ ଦାଣ୍ଡର ଭିକାରୀ ହୋଇଯିବେ... ମୁଁ ଏ ଦୃଶ୍ୟ ଦେଖି ସହିପାରିବି ?’

 

ଏ ପର୍ଯ୍ୟନ୍ତ ତା’ ପ୍ରତି ତୋର ଏତେ ମାୟା କାହିଁକ ସୂତୀ ? ପତି ପରମେଶ୍ୱର ଭାବନାଟା ବହିରେ ଅଛି, ବାସ୍ତବରେ ନାହିଁ । ପତି ପରମେଶ୍ୱର ହେବା ପାଇଁ ଯୋଗ୍ୟତା ଅର୍ଜନ କରିବା ଦରକାର । ତୁ ନିଜ କଥା ବୁଝ । ବିଶ୍ଵମୋହନ ଯଦି ନିଜ ଗୋଡ଼ରେ କୁରାଢ଼ି ମାରେ ସେ ନିଜ କର୍ମଫଳ ଭୋଗିବ ।’ କହିଲା ଅନଙ୍ଗ ।

 

ମୈତ୍ରୋୟୀ ବି ଆଲୋଚନାରେ ଯୋଗ ଦେଲେ । ସେମାନେ ସିଦ୍ଧାନ୍ତ ନେଲେ ଯେ ଓକିଲ କରୁଣାକିଙ୍କରଙ୍କ ରଣକୌଶଳ ଅନୁସାରେ କାମ କରିବେ । ବିଶ୍ଵମୋହନ ଛାଡ଼ପତ୍ର ଦେଇନାହିଁ, କିନ୍ତୁ ଘରଛାଡ଼ି ଚାଲିଯାଇଛି ଋତୁପୂର୍ଣ୍ଣା ପାଖକୁ । ତାକୁ ବାହା ହୋଇ ନାହିଁ । ହଠାତ୍ ଦ୍ଵିତୀୟ ପତ୍ନୀ ଗ୍ରହଣ କରିଛି କହିଲାକ୍ଷଣି ସେ କହିପାରେ ଯେ ରତୁପୂର୍ଣ୍ଣା ତା’ର ବନ୍ଧୁ । ତା’ ସହିତ ରହୁଛି । ବାନ୍ଧବୀ ସହିତ ରହିବା ଅନୈତିକ ହୋଇପାରେ, କିନ୍ତୁ ଆଇନ ବିରୁଦ୍ଧ ନୁହେଁ । ସୁତରାଂ ଗୋଟିଏ ବାଟ ଅଛି ବିଶ୍ଵମୋହନକୁ ବାଟକୁ ଆଣିବା ପାଇଁ, ସେ ଆସିବ ନ ଆସିବ ତା’ର ମର୍ଜି । ଦାମ୍ପତ୍ୟ ଜୀବନର ପୁନରୁଦ୍ଧାର ପାଇଁ ଭାସ୍ଵତୀ ପ୍ରାର୍ଥନା କରିବ ଅଦାଲତରେ । ଦାମ୍ପତ୍ୟ ଜୀବନ ଗୋଟିଏ ଅଲିଖିତ ଚୁକ୍ତି । ପାଞ୍ଚଜଣଙ୍କୁ ସାକ୍ଷୀ ରଖି ସ୍ତ୍ରୀ ଓ ପୁରୁଷ ମଧ୍ୟରେ ହୋଇଥାଏ ଗୋଟାଏ ବୁଝାମଣା ସଂସାର କରିବା ପାଇଁ । ଜଣେ ଆଉ ଜଣକୁ ସେଥିପାଇଁ ଦାମ୍ପତ୍ୟ ସୁଖରୁ ବଞ୍ଚିତ କରିପାରିବ ନାହିଁ । ଯଦି ଛାଡ଼ପତ୍ର ଦିଏ ତେବେ ଭିନ୍ନ କଥା । କିନ୍ତୁ ଛାଡ଼ପତ୍ର ଦବା ପାଇଁ ମଧ୍ୟ କାରଣ ଥିବା ଦରକାର ।
 

ଅନଙ୍ଗ କହିଲା, ‘ଭାଉଜ ! ତମେ ଯଦି ଅନୁମତି ଦିଅ ମୁଁ ଥରେ ଯାଇ ବିଶ୍ଵମୋହନ ସହିତ ଆଲୋଚନା କରିପାରେ । ସେ ମୋର ସହପାଠୀ । ଶୁଣିଲେ ଭଲ, ନ ଶୁଣିଲେ ଆମେ ଆମ ବାଟ ଧରିବୁ ।’

 

ମୈତ୍ରେୟୀ କହିଲେ, ‘ତମେ ଠିକ୍‌ କହିଛ । ଆପୋଷ କରିବା ପାଇଁ ଚେଷ୍ଟା କରିବା ମନ୍ଦ ନୁହେଁ । ତମେ ଯାହା କରିବ ଶୀଘ୍ରକର । ଲୁହା ତାତିଥିଲେ ତା’ ମୁଣ୍ଡରେ ପାହାରବେଳେ ତୁମ ଚାହିଁବା ମୁତାବକ କିଛି ତିଆରି କରିପାରିବ ।’

 

ଭାସ୍ଵତୀ ନିରବ ରହିଲା । ସେ ମନେ ମନେ ଭାବୁଥିଲା ଯେ ଏଇ ପନ୍ଥା ଗ୍ରହଣୀୟ । ସାଙ୍ଗେ ସାଙ୍ଗେ ତାକୁ ଫୌଜଦାରୀ ମୋକଦ୍ଦମାରେ ପକାଇଦେଲେ ଆଉ ସାଲିସ କରିବା ପାଇଁ ବାଟ ରହିବ ନାହିଁ । ଋତୁପୂର୍ଣ୍ଣା ସହିତ କେଇମାସ କାଳ କାଟିଲେ ଲୋକଟା ଅଛୁଆଁ ହୋଇଯିବ ନାହିଁ । ତା’ର କପାଳ ମନ୍ଦ । ନୋହିଲେ କ’ଣ ବିଶ୍ୱମୋହନ ତାକୁ ଛାଡ଼ି ଆଉ ଗୋଟେ ତରୁଣୀ ପାଖରେ ସମୟ କାଟନ୍ତା ! ଆଉ ସେ ବି କେଡ଼େ ନିର୍ଲ୍ଲଜୀ, ବିବାହିତ ପୁରୁଷ ଜାଣି ମଧ୍ୟ ତାକୁ ଆପଣାର କରିନେବାକୁ ଚାହେଁ । କଣ୍ଢେଇ ନୁହେଁ ଯେ ଦହେଁ ଭାଗ କରିନେବେ କିଛି ସମୟ ପାଇଁ-। ସୀତା ସାବିତ୍ରୀଙ୍କ ଯୁଗ ଆଉ ନାହିଁ । ଦିନ ଥିଲା ସ୍ଵାମୀ ଅନ୍ୟନାରୀ ସହିତ ସହବାସ କଲେ ବା ସ୍ତ୍ରୀ ଆଉଜଣେ ପୁରୁଷ ସହିତ ରାତି କଟାଇଲେ ସେଇ ପୁରୁଷ ଓ ନାରୀ ଅସ୍ପୃଶ୍ୟ ହୋଇ ଯାଉଥିଲେ-। ସମାଜ ସେମାନଙ୍କୁ ପରିତ୍ୟାଗ କରୁଥିଲା । କିନ୍ତୁ ସମାଜ ବଦଳି ଯାଇଛି । ଆଚରଣ ମଧ୍ୟ ବଦଳିଛି । ଏଗୁଡ଼ା ଆଉ ଅପରାଧ ବୋଲି ସମାଜ ମାନୁ ନାହିଁ । ରାବଣ ସୀତାଙ୍କୁ ଅଶୋକ ବନରେ ରଖିଥିଲା ବୋଲି କାଳେ କେହି ଅପବାଦ ଦେଇପାରେ ସେଥିପାଇଁ ସୀତାଙ୍କୁ ଗ୍ରହଣ କରିବା ପୂର୍ବରୁ ଅଗ୍ନି ପରୀକ୍ଷା ଦବା ପାଇଁ ରାମଚନ୍ଦ୍ର କହିଥିଲେ । ଏବେ ତ ରାମଙ୍କ ପରି ପତି ବା ସୀତାଙ୍କ ପରି ପତିବ୍ରତା ନାହାଁନ୍ତି । ସେମାନଙ୍କର ଆଲୋଚନା ସମାପ୍ତ ହେବା ପୂର୍ବରୁ ପହଞ୍ଚିଗଲା ପଦ୍ମଜା । ଖାଲିଥିବା ଗୋଟେ ଚୌକି ଦଖଲ କରି କହିଲା, ‘କ’ଣ ସବୁ କଥାଭାଷା କରୁଥିଲ, ମୁଁ ଆସିଯିବାରୁ ବନ୍ଦ ହୋଇଗଲା । ମୋ ବିରୁଦ୍ଧରେ ନୁହେଁ ନିଶ୍ଚୟ !’

 

‘ନା, ନା, ତୋ ବିରୁଦ୍ଧରେ ଆଲୋଚନା କରିବ କିଏ କାହିଁକି ଯେ... ତୁ ତ ଆମ ଭିତରୁ ଜଣେ । ଆମେ ବାହାର ଜଗତରେ ବିଚରଣ କରୁଥିଲୁ... ।’ କହିଲେ ମୈତ୍ରେୟୀ ।

 

ପଦ୍ମଜା କହିଲା, ଭାସ୍ଵତୀ ବିଷୟରେ କିଛି ଭାବିଲ ନାନୀ । ସେ କ’ଣ ଏଇଠି ରହିଯିବେ ବୋଲି ଆସିଚନ୍ତି...!

 

ତା’ ସ୍ଵରରେ ଏମିତି ଗୋଟାଏ ଅପମାନସୂଚକ ତୀକ୍ଷ୍‍ଣ ଥିଲା ଯାହା କାନରେ ବାଜିବା କ୍ଷଣି ଭାସ୍ଵତୀ ମଥା ନୁଆଁଇ ଦେଲା । ମୈତ୍ରେୟୀଙ୍କୁ ମଧ୍ୟ ଭଲ ଲାଗିଲା ନାହିଁ । ଅନଙ୍ଗ କିନ୍ତୁ ପଦ୍ମାର ମନ୍ତବ୍ୟ ହଜମ କରିପାରିଲା ନାହିଁ । ସେ କହିଲା, ‘ଭାଉଜ ! ତମେ ଭୁଲିଯାଇଛ କାହିକି ଯେ ସୁତୀର ବି ଏଇଟା ଘର । ଏଇଠି ତା’ର ଜନ୍ମ । ଆଇନ ଅନୁସାରେ ବି ପୈତୃକ ସମ୍ପତ୍ତିରେ ତା’ର ଅଧିକାର ଅଛି ଭାଇମାନଙ୍କ ପରି ।’

 

ପଦ୍ମଜା କହିଲା, ‘ବାପ ସମ୍ପତ୍ତିରେ ଝିଅମାନଙ୍କ ଅଧିକାରର ଅଛି କି ନାହିଁ ସେ ବିଷୟ ଦୃଷ୍ଟିରେ ରଖି ମୁଁ କହି ନ ଥିଲି । ମୋ କଥାଟା ଥିଲା ଅତି ସରଳ । ତମେ କଦର୍ଥ କରୁଛ କାହିଁକି ଯେ । ମୁଁ କେବଳଏ ପରିବାରର ଜଣେ ସଦସ୍ୟାଭାବେ ଜାଣିବାକୁ ଚାହୁଁଥିଲି ତାଙ୍କ ସମସ୍ୟା ବିଷୟରେ । ସେ ଦିଲ୍ଲୀ ଫେରିବେ ନା ଏହି ନହରକଣ୍ଟାରେ ରହି ସମାଧାନ ଖୋଜିବେ ।’

 

 

ଭାସ୍ଵତୀ ଉଠି ବସୁଥିଲା ପଳାଇ ଯିବା ପାଇଁ । ମୈତ୍ରେୟୀ କହିଲେ, ‘ସେ କଥା ଥାଉ । ଯେତେବେଳେ ସମୟ ଆସିବ ସୁତୀ ଭାବିବେ ସେ ବିଷୟରେ । ବର୍ତ୍ତମାନ ସେ ସମୟ ଆସି ନାହିଁ-। ତାଙ୍କ ଉପସ୍ଥିତି ଆମ ସମସ୍ତଙ୍କର କାମ୍ୟ... । ଯେତେଦିନ ଇଛା ରହନ୍ତୁ... ପାଞ୍ଚ ବରଷ ମଧ୍ୟରେ ଏଇ ତାଙ୍କର ତୃତୀୟ ଆଗମନ... ।’

 

ପଦ୍ମଜା କୋଣ ଠେସା ହୋଇଯାଉଥିଲା । ସେ ଯେ ନିଜ ଯନ୍ତାରେ ପଡ଼ିଯାଇଛି ଏୟା ଅନୁଭବ କରି ସେଥିରୁ ମୁକୁଳିବାପାଇଁ ବାଟ ଖୋଜୁଥିଲା । ଏତିକିବେଳେ ଟେଲଫୋନ୍‍ ବାଜିଲା ଏବଂ ଅନଙ୍ଗ ଉଠିଗଲା ଟେଲିଫୋନ୍‍ ଧରିବା ପାଇଁ ।

 

ସେ ପାଖରୁ କିଏ କ’ଣ କହୁଥିଲା ଜାଣିବା ସମ୍ଭବ ନ ଥଲା । କିନ୍ତୁ ଅନଙ୍ଗ ଯାହା କହୁଥିଲା ସେ କଥା ସମସ୍ତଙ୍କ କାନରେ ପଡ଼ୁଥିଲା ।

 

- ‘ନନା ବାଥ୍‌ରୁମ୍‌ରେ । ମୁଁ ତାଙ୍କ ସାନଭାଇ ଅନଙ୍ଗ । କିଛି ମେସେଜ୍‍ ଥିଲେ ଦେଇପାରନ୍ତି, ମୁଁ ତାଙ୍କୁ କହିବି...।’

 

-‘ନା, ନା, ମୁଁ ଜାଣେନା ଖବର କାଗଜ ବିଜ୍ଞାପନ ବିଷୟରେ । ସେ ଜାଣିଥିବେ ।’

 

- ‘ସେ ଆପଣଙ୍କ ଘର ନେବେ ବୋଲି କହିଥିଲେ ନର୍ସିଂହୋମ୍‍ ପାଇଁ । ମୁଁ ଜାଣିନି ଏ କଥା । ମୁଁ ତାଙ୍କୁ କହିଦେବି ସେ ଆପଣଙ୍କ ସହିତ ଏ ବିଷୟରେ ଆଲୋଚନା କରିବେ ।’

 

ରିସିଭର ରଖି ଦେଇ କହିଲା ଅନଙ୍ଗ, ‘ତମ ନର୍ସିଂହୋମ୍‍ ପାଇଁ ଘର ବ୍ୟବସ୍ଥା ହୋଇଯାଇଛି । ବାକି କାମ ସମାପ୍ତ ହୋଇଛି । ରେସିଡ଼େନ୍‌ସିଏଲ୍‌ ଏରିଆର କାମ ବି ଶେଷ ହେବ ଆଉ ଆଠ ଦଶ ଦିନ ମଧ୍ୟରେ । ଘରବାଲା ଆଡ଼ଭାନ୍ସ ନବା ବିଷୟ କହୁଥିଲେ । ନନାଙ୍କୁ କହିବ ସେ ତାଙ୍କ ସହିତ କଥା ହେବେ ।’

 

ପଦ୍ମଜା ରାଗିଯାଇ କହିଲା, ‘ଏଇ ମାରୁଆଡ଼ିମାନେ କେବଳ ବିଜିନେସ ଓ ଲାଭ ଶୁଭ କଥା ଜାଣନ୍ତି । ରିଫାଇନ୍‌ ଓ୍ୱେରେ କଥା ଦୁଇପଦ କହିଜାଣନ୍ତି ନାହିଁ । ଯାହାଙ୍କ ସାଥିରେ ଏ ବିଷୟ ଆଲୋଚନା ହୋଇଥିଲା ତାଙ୍କୁ ସୁବିଧା ଅସୁବିଧା ବିଷୟ ନ କହି ଅନ୍ୟ ଲୋକକୁ କହୁଛି । ବ୍ୟାଡ଼୍‌ ମ୍ୟାନର୍‌ସ । ଆଉ ତମେ ଏତେକଥା କାହିଁକି କହିଲ ? ଟେଲିଫୋନ୍‌ ରଖି ଦେଇପାରିଥାନ୍ତ !’

 

ପଦ୍ମଜା ଇମିତି କହିଲା ଯେ କେବଳ ଅନଙ୍ଗ ଏବଂ ମୈତ୍ରେୟୀ ବି ଆଶ୍ଚର୍ଯ୍ୟ ହୋଇ ଯାଇଥି‌ଲେ । ଘରବାଲା ସହିତ ସେମାନଙ୍କ କଥାବାର୍ତ୍ତା ଗୋପନୀୟ ଥିଲା ଏ ପର୍ଯ୍ୟନ୍ତ । ହଠାତ୍‌ ଅନ୍ୟମାନେ ଜାଣିଗଲେ, ଏୟା ବୋଧହୁଏ ଥିଲା ରାଗିବାର କାରଣ । ସେ ମାରୁଆଡ଼ିର ବ୍ୟାଡ଼୍‌ ମ୍ୟାନରସ୍‌ ବିଷୟରେ କହୁଥିଲେ, କିନ୍ତୁ ଏପରି ଅବସ୍ଥାରେ କିପରି କଥା କହିବାକୁ ହୁଏ ସେ ନିଜେ ଜାଣେ ନାହିଁ ।

 

କାଳେ ଅନଙ୍ଗ ବା ମୈତ୍ରେୟୀ ମୁହଁରୁ କିଛି ଶୁଣିବାକୁ ପଡ଼ିପାରେ ଏଇଥିପାଇଁ ପଦ୍ମଜା ଚାଲିଗଲା ସେଠାରୁ ।

 

ଘର ସଜାଡ଼ିବା କାମ ସହଜ ନୁହେଁ । ଘର କରିଥିବା ଲୋକହିଁ ଜାଣେ, କୁଠାକାଠି କିପରି ସଂଗ୍ରହ କରିବାକୁ ହୁଏ । ପଦ୍ମଜା ବଡ଼ ଘରର ଝିଅ । ଏସବୁ ଜାଣିବାର ସବୁଧା ପାଇ ନାହିଁ-। ବାପା ଥିଲେ ଅବକାରୀ ବିଭାଗର କମିଶନର, ଅବସର ନେଇଛନ୍ତି ଦୁଇ ବରଷ ହେଲା । ବିପୁଳ ସମ୍ପତ୍ତି ଠୁଳ କରିଛନ୍ତି । ଚାକିରି କାଳ ମଧ୍ୟରେ ଭିଜିଲାନ୍ସ‌ ହାବୁଡ଼ରେ ଦୁଇଥର ପଡ଼ିଥିଲେ । ଘର, ବ୍ୟାଙ୍କ ଲକର ସର୍ଚ୍ଚ ହୋଇଥିଲା । କୋଟିଏ ତେତିଶ ଲକ୍ଷ ଟଙ୍କାର ସମ୍ପତ୍ତି ପୁଲିସ୍‍ ପାଇଥିବା ବିଷୟ ଗଣମାଧ୍ୟମରେ ପ୍ରଚାର ହୋଇଥିଲା । ମୋକଦ୍ଦମା ଚାଲିଚି । ଏବେବି ସେଇ ଜଞ୍ଜାଳାରୁ ଖସି ନାହାଁନ୍ତି ସେ । ଝିଅମାନଙ୍କ ଘରେ ଅନେକ ଅଳଙ୍କାର ଓ ନଗଦ ଟଙ୍କାର ବେନାମୀ ଜମା ରଖିଥିଲେ-

 

ସରୋଜ ଫ୍ରେସ୍‌ ହୋଇ ଆସି ବସିଲେ ।

 

କହିଲେ, ‘ସମସ୍ତେ ଚୁପ୍‌ଚାପ୍‌ କାହିଁକି ? ବରଷିବା ଆଗିରୁ କଳା ହାଣ୍ଡିଆ ମେଘ ଯେପରି ମୁହଁ କରିଥାଏ ପଦ୍ମଜା ସେହିପରି ମୁହଁକରି ଚାଲି ଯାଉଥିବା ଦେଖିଲି । କ’ଣ କିରେ ଅନଙ୍ଗ, କ’ଣ ହୋଇଛି ଭାଉଜର ?’

 

‘ନା’ ନନା । ସେପରି କିଛି ହୋଇନାହିଁ । ତମେ ନର୍ସିଂହୋମ୍‍-କମ୍‍- ରେସିଡ଼େନ୍ସି କରିବା ପାଇଁ ଯେଉଁ ଘର ସ୍ଥିର କରିଛ ସେଇ ଘରବାଲା କହୁଥିଲା ଯେ ଆଉ ଆଠଦଶ ଦିନ ମଧ୍ୟରେ କାମ ସରିବ । ସେ କିଛି ଆଡ଼ଭାନ୍ସ ଚାହେଁ... ତା’ ସାଙ୍ଗରେ ତମେ କଥାବାର୍ତ୍ତା କରିବ...।’

 

-‘ଓ ଏଇ କଥାକୁ, ନାଆ ପେଲି ଦେଲି କଲିକତାକୁ...’ ହସି ହସି କହିଲା ସରୋଜ ।

 

ମୈତ୍ରେୟୀ କହିଲେ, ତମେ ଟିକେ ତାକୁ ବୁଝାଇ ଦେଉନ କାହିଁକି ?’

 

ହସ ହସ ମୁହଁରେ କହିଲା ସରୋଜ, ‘କମିଶନର ସାହେବଙ୍କ ଅଲିଅଳ ଦୁଲଳୀ । ସେ କାହାକଥା ଶୁଣେ ? ତା’ ରାଗିବାର କାରଣ କ’ଣ ମୁଁ ଜାଣେ । ସେ ଚାହେଁ ଗୋଟିଏ ସାମ୍ରାଜ୍ୟର ସାମ୍ରାଜ୍ଞୀ ହେବ, ତାହାରି ଆଜ୍ଞାରେ କେବଳ ସମସ୍ତେ ଆତଯାତ ହେବେ । ଆଜ୍ଞା ବିନା ପତ୍ରଟିଏ ବି ହଲିବ ନାହିଁ, ଫୁଲଟିଏ ବି ଫିଟିବ ନାହିଁ...।’

 

ହସି ପକାଇଲେ ମୈତ୍ରେୟୀ ।

 

ସରୋଜ କହିଲା, ‘ତମେ ହସୁଛ ଭାଉଜ । କିନ୍ତୁ ମୋ ଗଳାରେ ତମେ ତ ଓହଳାଇ ଦେଇଛ ତାକୁ । ତମେ ସେତେବେଳେ କ’ଣ କହିଥିଲ ମନେନାହିଁ ? ସବୁ ଠିକ୍ ହୋଇଯିବ... କାନ୍ଧରେ ଜୁଆଳି ପଡ଼ିଲେ ବଳଦ ବୋଲ ମାନିବା ପରି ପଦ୍ମଜା ବି ମଣ ମାନିବ । ହେଲା ?’

 

ଏଇ ସମୟର କନ୍ୟାଶ୍ରମରୁ ଦୁଇଜଣ ଆଶ୍ରମବାସିନୀ ଆସି ଖବର ଦେଲେ ଯେ ସରଳାକୁ ମାଧବ ଭିଡ଼ି ନେଉଥିବାବେଳେ ସେ ନ ଯିବାରୁ ତାକୁ ପିଟିପିଟି ବେହୋସ୍ କରି ଚାଲିଯାଇଛି । ସରଳାର ଚେତା ନାହିଁ । ନାକ ଫାଟି ରକ୍ତ ବୋହୁଛି...।’

 

ମୈତ୍ରେୟୀ ସରୋଜକୁ ସାଙ୍ଗରେ ନେଇ ବାହାରିଗଲେ ଘରୁ । ଅନଙ୍ଗକୁ କହିଲେ ଥାନାବାବୁଙ୍କୁ ଏ ବିଷୟ ଜଣାଇ ଦବା ପାଇଁ । ହୁଏତ ସରଳାକୁ ଡାକ୍ତରଖାନା ନବାକୁ ପଡ଼ିପାରେ । ଆମ୍ବୁଲାନ୍ସ ଡାକିବା ପାଇଁ ମଧ୍ୟ କହିଗଲେ ।

 

କନ୍ୟାଶ୍ରମ ଗତ କେତେ ସପ୍ତାହ ଧରି ବେଶ୍‌ ସୁରୁଖୁରୁରେ ଚାଲିଥିଲା । ମାଧବ ମଦ ପିଇ ଆଉ ଉତ୍ପାତ କରୁ ନ ଥିଲା । କିନ୍ତୁ ପୁଣି ତାହାରି ଯୋଗୁ ଏଇ ଗଣ୍ଡଗୋଳ । କନ୍ୟାଶ୍ରମରେ ପହଞ୍ଚି ଯାହା ଦେଖିଲେ ସେମାନେ ମୈତ୍ରେୟୀ ନିଜେ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ସରଳାର ନାକ ଓ କାନରୁ ରକ୍ତ ବୋହୁଥିଲା । କାଠ ଫାଳିଆରେ ପିଟିଥିଲା ମାଧିଆ । ପିଠିର କେତେ ଜାଗା ଫାଟି ଯାଇଥିଲା । ମୁଣ୍ଡ ବି ହୁଏତ ଫାଟି ଯାଇଥିବ ।

 

ଥାନାବାବୁ ଭୁବନ ମୋହନ ମଲ୍ଲିକ ଦଳବଳ ନେଇ ପହଞ୍ଚିଲେ । ଅଳ୍ପ ସମୟ ବ୍ୟବଧାନରେ ଆମ୍ବୁଲାନ୍ସ ବି ଆସିଲା । ସରୋଜ ସହିତ ହସ୍‌ପିଟାଲ ଗଲେ ମୈତ୍ରେୟୀ । ଥାନାବାବୁ ଅନ୍ତେବାସିନୀମାନଙ୍କଠାରୁ ବିବରଣୀ ସଂଗ୍ରହ କରିସାରି ମାଧିଆକୁ ଖୋଜିଲେ । ସେତେବେଳକୁ ସେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା କେତେଙ୍କଠାରୁ ଖବର ମିଳିଲା ଯେ ସେ ନହରକଣ୍ଟା ଛାଡ଼ି ପଳାଇ ଯାଇଛି ।

 

ଡାକ୍ତରଖାନାରେ ସାଙ୍ଗେ ସାଙ୍ଗେ ଚିକିତ୍ସା ଆରମ୍ଭ ହୋଇଗଲା । ପ୍ରାୟ ଘଣ୍ଟାକ ପରେ ଚେତା ଆସଲା । ସେତିକିବେଳେ ଡାକ୍ତରଙ୍କ ଅନୁମତି ନେଇ ଥାନାବାବୁ ତାର ବୟାନ ଲିପିବଦ୍ଧ କଲେ ।

 

ମାଧବ ନାମରେ ହତ୍ୟା କରିବା ପାଇଁ ଉଦ୍ୟମ ଅଭିଯୋଗରେ ପ୍ରଥମ ବିବରଣୀ ଥାନା ରେଜିଷ୍ଟାରରେ ଲିପିବଦ୍ଧ କରାଗଲା ।

 

ଅପରେସନ ଶେଷ ହେବାବେଳକୁ ରାତି ଏଗାରଟା । ତ।’ ପାଇଁ ଡାକ୍ତରଖାନାରେ ବ୍ୟବସ୍ଥା କରିସାରି ମୈତ୍ରେୟୀ ସରୋଜ ସହିତ ବାହାରିବାବେଳକୁ ରାତି ବାରଟା । ସମସ୍ତେ ଶୋଇପଡ଼ିଥି‌ଲେ, କିନ୍ତୁ ଚେଇଁଥିଲେ କୁନ୍ତୀ ଆଉ ଅପୁ ।

 

ଅପୁ କହିଲା, ‘ଭାଉଜ ମୁଁ ହସ୍‌‌ପିଟାଲ ଗଲେ ଭଲ ହେବ ଭାବୁଚି । ତମେ ଅନୁମତି ଦେଲେ... ।

 

‘ନା ଅପୁ ଆଜି ରାତିପାଇଁ ସବୁ ବ୍ୟବସ୍ଥା ହୋଇଛି । ଆଶ୍ରମର ଚୌକିଦାର ଜଗିଛି ସରଳାକୁ । ବରଂ ସକାଳ ଆଠଟା ବେଳକୁ ତମେ ଯିବ । ଟଙ୍କା ପଇସା ବି ନେଇଯିବ । ଡାକ୍ତରଖାନା ଖର୍ଚ୍ଚ ଅଛି ତ । ମୁଁ କଲେଜରୁ ଯିବି ପିରିଅଡ଼୍ ଫାଙ୍କା ଥିଲାବେଳେ ।’

 

ସରୋଜ କିଛି ଖାଇଲେ । ମୈତ୍ରେୟୀ କେବଳ ଦୁଧ ଗିଲାସେ ପିଇ ଶୋଇ ପଡ଼ିଲେ । ସେ କେବଳ ଭାବୁଥିଲେ ସରଳା କଥା । ଏଇତ ଜଣେ ନୁହେଁ, ହଜାର ହଜାର ମହିଳା ରୋଜଗାର ନ ଥିବା ମଦୁଆ ସ୍ୱାମୀମାନଙ୍କ ମାଡ଼, ଗାଳି ଓ ତାଡ଼ନା ସହି କାଳ କାଟୁଛନ୍ତି ଦେଶରେ । ସେମାନଙ୍କ ଦୁର୍ଦ୍ଦଶା ହୁଏତ ସରଳା ଠାରୁ ଆହୁରି ଖରାପ । କେହି ଭୋକ ଓପାସରେ ତ ଆଉ କେହି ଚିକିତ୍ସା ନ ପାଇ ମରୁଥିବେ । ଆଉ କେହି ସ୍ୱାମୀ ପରିତ୍ୟକ୍ତା ମହିଳା ଜନ୍ମିତ ସନ୍ତାନକୁ ଅଳ୍ପ କେଇ ଟଙ୍କାରେ ବିକ୍ରିକରି ଗୁଜୁରାଣ ମେଣ୍ଟାଉଥିବ କିଛିଦିନ । ଏମାନଙ୍କୁ ସୁରକ୍ଷା କିଏ ଦବ ? କିଏ ଏମାନଙ୍କ କଥା କହିବ ?

 

(ଏଗାର)

 

ଅକସ୍ମାତ ସେଦିନ କଲେଜରେ ଦେଖା ହୋଇଗଲା ବାଣୀ ପୁରୋହିତଙ୍କ ସହିତ । ଦିନେ ସେ ଓ ମୈତ୍ରେୟୀ ଇନ୍ଦିରା ପ୍ରିୟଦର୍ଶିନୀ କଲେଜରେ ଅଧ୍ୟାପିକା ଥିଲେ । ମୈତ୍ରେୟୀ ପଢ଼ାଉଥିଲେ ସମାଜବିଜ୍ଞାନ । ବାଣୀ ପୁରୋହିତ ଥିଲେ ଦର୍ଶନଶାସ୍ତ୍ରର ଅଧ୍ୟାପିକା । ଦୁଇଜଣଙ୍କ ମଧ୍ୟରେ ବୟସର ତଫାତ୍‌ ଥିଲେ ବି ବାଣୀଙ୍କ ମଧୁର ବ୍ୟବହାର ମୁଗ୍ଧ କରିଥିଲା ମୈତ୍ରେୟୀଙ୍କୁ । ବାଣୀ ଚାରିବର୍ଷର ସିନିୟର । ଡକ୍ଟରେଟ୍‌ କରିଥିଲେ । ତାଙ୍କ ବ୍ୟକ୍ତିତ୍ୱ ଥିଲା ମାର୍ଜିତ ଏବଂ ବାନ୍ଧି ରଖବା ଭଳି । ସେ କେଜାଣି କାହିଁକି ମୈତ୍ରେୟୀଙ୍କୁ ଦେଖିବା ବେଳୁ ଅନ୍ତରଙ୍ଗ ହୋଇଗଲେ । ସାନ ଭଉଣୀ ପରି ମୈତ୍ରେୟୀ ମନେକରୁଥିଲେ ବି ବାଣୀ ତାଙ୍କୁ ବାନ୍ଧବୀ ପରି ବ୍ୟବହାର କରୁଥିଲେ । ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ସମ୍ମାନ ପାଉଥିଲେ ବାଣୀ । କିନ୍ତୁ ଏତେ ନିକଟତର ହୋଇ ମଧ୍ୟ ମୈତ୍ରେୟୀ ଦିନେବି ବାଣୀଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରି ନ ଥିଲେ କିମ୍ବା ବାଣୀ ନିଜ ଆଡ଼ୁ ଆଗ୍ରହ ଦେଖାଇ ଏ ବିଷୟରେ କିଛି କହି ନ ଥଲେ ।

 

ବାଣୀ ପୁରୋହିତ ଇନ୍ଦିରା ପ୍ରିୟଦର୍ଶିନୀ କଲେଜରୁ ବଦଳି ହୋଇ ଚାଲିଗଲେ ରେଭେନ୍ସା କଲେଜ । ସେଠାରେ ବିଭାଗର ମୁଖ୍ୟ ମଧ୍ୟ ହେଲେ । କିନ୍ତୁ ହଠାତ୍‌ ଦିନେ ଚାକିରି ଛାଡ଼ି ଚାଲିଗଲେ ଦିଲ୍ଲୀ । ସେଇ ଖବର ଚକିତ କରିଥିଲା ମୈତ୍ରେୟୀଙ୍କୁ । ଚାକିରି ଛାଡ଼ି ନ ଥିଲେ ଦିନେ ବାଣୀ ଯେ ରେଭେନ୍ସାର ଅଧ୍ୟକ୍ଷ ହୋଇଥାନ୍ତେ ଏବଂ ରାଜ୍ୟର ଶିକ୍ଷା ବିଭାଗର ନିର୍ଦ୍ଦେଶକ ପଦ ମଣ୍ଡନ କରିଥାନ୍ତେ ଏଇ ସମ୍ଭାବନା ଥିଲା । ଏହା ସତ୍ତ୍ୱେ ସେ କାହିଁକି ହଠାତ୍ ଚାକିରି ଛାଡ଼ି ଦିଲ୍ଲୀର ଇନ୍‌ଷ୍ଟିଚିଉଟ୍‌ ଅଫ୍ ସୋସିଆଲ୍‌ ଡେଭ୍‌ଲପ୍‌‌ମେଣ୍ଟ୍‍ରେ ଯୋଗ ଦେଲେ ତାହାର କାରଣ ଅଜଣା ରହିଗଲା ।

 

ମୈତ୍ରେୟୀ ଜାଣି ନ ଥିଲେ ଯେ ଇତି ମଧ୍ୟରେ ସେ ଦିଲ୍ଲୀର ଚାକିରି ଛାଡ଼ି ଏଇ ତିନିମାସ ହେବ ମହିଳା କମିଶନରେ ଅଛନ୍ତି । ସେଦିନ ହଠାତ୍‌ କଲେଜରେ ଦେଖା ହୋଇଗଲା ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ । ଶାଳିନୀ ଛୋଟରାୟ ତାଙ୍କ ସହିତ ମୈତ୍ରେୟୀଙ୍କୁ ପରିଚୟ କରାଇ ଦବା ପୂର୍ବରୁ ମୈତ୍ରେୟୀଙ୍କୁ କୁଣ୍ଢାଇ ପକାଇ ବାଣୀ କହିଲେ, ‘ଆରେ କି ଅପୂର୍ବ... ଆଜି କାହା ମୁହଁ ଚାହିଁଥିଲି କେଜାଣି ତମ ପରି ଜଣେ ଅନ୍ତରଙ୍ଗ ବନ୍ଧୁର ମୁହଁ ଦେଖୁଛି...। ଏଇ କଲେଜରେ ଅଛ ତା’ ହେଲେ ? ମୁଁ ତ ଭୁବନେଶ୍ୱର ଫେରିଆସିଛି ପୁଣି । ତମ କଥା ଶୁଣିବାକୁ ମନ ହେଉଛି । ତମ ପରିବାର...।

 

ତାଙ୍କ ମୁହଁରୁ କଥା ସରିବା ପୂର୍ବରୁ କହିଲେ ମୈତ୍ରେୟୀ, ‘ନାନୀ ମୋ ସ୍ୱାମୀ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟାପକ ଡକ୍ଟର ମନୋଜ ଦାସ... ପୁଅ ଗୋଟିଏ, ଝିଅ ଗୋଟିଏ ।

 

ବିଦ୍ୟୁତ୍ ସକ୍‌ ଲାଗିଲେ ଯେମିତି ମଣିଷ ଛିଟିକି ପଡ଼େ ସେହିପରି ପଛେଇଗଲେ ବାଣୀ-। ସେ କିଛି କହିବା ଆଗରୁ ମୈତ୍ରେୟୀ କହିଲେ, ‘କ’ଣ ହେଲା କି ? ଭଲ ଲାଗୁନି ?’

 

ସେ ଚେଷ୍ଟା କରୁଥିଲେ ନିଜକୁ ସଜାଡ଼ି ନେବା ପାଇଁ । ମ୍ଳାନ ସ୍ୱରରେ କହିଲେ, ‘ମୋ ମେରୁଦଣ୍ଡରେ ଆଘାତ ପାଇଥିଲି କେତେବର୍ଷ ପୂର୍ବେ । ତମକୁ କୁଣ୍ଢାଇ ପକାଇବାବେଳେ ହଠାତ୍ ସେଇ ଜାଗାଟା ଟଣ ଟଣ କରି ଉଠିଲା...। କିଛି ମନେକରିବନି ମୈତ୍ରେୟୀ...।’

 

-‘ନା, ନା, ମନେକରିବି କାହିଁକି ? ତମ ସାଙ୍ଗରେ ଗୋଟାଏ ଯୁଗ ପରେ ଦେଖା । କନ୍ତୁ ଆଜି ସମୟ ନାହିଁ ଯିବା ପାଇଁ । ବରଂ ତମେ ମୋ ଘରକୁ ଦିନେ ଆସ ନୋଟ୍‌ ଏକ୍ସଚେଞ୍ଜ କରିବା । ତମ ମୁହଁରୁ ଶୁଣିବି ମୋ ଅନୁପସ୍ଥିତିରେ କ’ଣ ଘଟିଯାଇଛି ଏଇ ରାଜଧାନୀରେ ।’

 

ଭାସ୍ଵତୀ କଥା ମନେପଡ଼ିଗଲା । ମୈତ୍ରେୟୀ କହିଲେ, ‘ମୋର ବି କିଛି କହିବାର ଅଛି । ଦିନେ ଫୋନ୍‌ କରି ମୁଁ ଆସିବି... ।’ ତାଙ୍କ ହାତକୁ କାର୍ଡ଼ଟିଏ ବଢ଼ାଇ ଦେଇ କହଲେ ବାଣୀ, ‘ଏଇ କାର୍ଡ଼ରେ ମୋ ଅଫିସ୍‌ ଏବଂ ଘରଠିକଣା ଲେଖାଅଛି । ଟେଲିଫୋନ୍ ନମ୍ବର ବି ଅଛି । ଆସିବା ଆଗରୁ ଫୋନ୍ କରିଦବ ଯେ ମୁଁ କିଛି ଏନ୍‌ଗେଜ୍‌ମେଣ୍ଟ୍‍ ନ ରଖି ଫ୍ରି ଥିବି...। ତମେ କହୁଥିଲ ନା ତମର କିଛି କହିବାର ଅଛି...।’

 

‘ହଁ, ତେବେ ସେକଥା ଘରେ କହିଲେ ଚଳିବ । ଜଣେ ସମ୍ପର୍କୀୟ ବିଷୟରେ... ’ - କହିଲେ ମୈତ୍ରେୟୀ ।

 

‘ମହିଳା କମିଶନର କାମ ଭିତରେ ପଡ଼ିବ କି ?’

 

‘ହଁ ନାନୀ । ବାହାଘର ପାଞ୍ଚ ବରଷ ଯାଇନି, ତା’ ସ୍ୱାମୀ ଅନ୍ୟ ଜଣେ ।’

ଓଃ ! ସେଇ ଚିରାଚରିତ କାହାଣୀ ! ପୁରୁଷମାନଙ୍କ ଏକାଧିପତ୍ୟ... ସେମାନଙ୍କ ବିଶ୍ଵାସଘାତକତା... ସେମାନଙ୍କ ଔଦ୍ଧତ୍ୟ...। ତମେ ଆସିବ, ଆଲୋଚନା କରିବା...। କିଛି ମନେକରିବନି, ଆଜି ମୁଁ ଯାଉଛି । ସ୍ପାଇନ୍‌ଟା ଟଣଟଣ କରୁଛି...।’

 

ବାଣୀ ପୁରୋହିତ ଚାଲିଗଲେ । ତାଙ୍କୁ ବିଦାୟ ଦବା ପାଇଁ ତାଙ୍କ ଗାଡ଼ି ପର୍ଯ୍ୟନ୍ତ ଯାଇଥିଲେ ମୈତ୍ରେୟୀ । କିନ୍ତୁ ଯେଉଁ ବାଣୀ ପୁରୋହିତ ତାଙ୍କୁ ଦେଖି କୁଣ୍ଢେଇ ପକାଇଥିଲେ ଅନ୍ତରଙ୍ଗତାର ସ୍ପର୍ଶ ଦେଇ ସେ ହଠାତ୍ କେଉଁ କାରଣରୁ ଛିଟିକି ପଡ଼ିଲେ ବିଦ୍ୟୁତ୍‌ ସକ୍‌ ଲାଗିବା ପରି-। ମେରୁଦଣ୍ଡର ପୁରୁଣା ବ୍ୟଥାଟା କ’ଣ ହଠାତ୍‌ ବାହାରି ପଡ଼ିଲା ନା ଆଉ କିଛି କାରଣ ଥାଇପାରେ-

 

ସେଦିନ ଏଇ କଥା ବାରମ୍ବାର ମନେପଡ଼ିଲା ଏବଂ ସେ ନିଜ ମନର ସବୁ କୋଣଗୁଡ଼ାକ ଦରାଣ୍ଡୁ ଥିଲେ । ଖୋଜୁଥିଲେ ବାଣୀ ପୁରୋହିତ କାହିଁକି ଚମକି ପଡ଼ିଲେ ପରିଚୟ ପାଇବାବେଳେ-!

 

ତାଙ୍କୁ ନେଇ ସେତେବେଳେ ସହରରେ କିଛି ମୁଖରୋଚକ କାହାଣୀ ପ୍ରସାରିତ ହେଉଥିଲା । କାନରେ କିଛି କିଛି ପଡ଼ୁଥିଲେ ବି ମୈତ୍ରେୟୀଙ୍କ ଅଭ୍ୟାସ ନ ଥିଲା ପରଚର୍ଚ୍ଚା ଶୁଣିବା ପାଇଁ । ସେ ବାଣୀଙ୍କୁ ସମ୍ମାନ, ଶ୍ରଦ୍ଧା କରୁଥିଲେ । ତାଙ୍କ ଭଲ ଗୁଣ ଗୁଡ଼ା ମନେପଡ଼ିଲେ ତାଙ୍କ ପରି ହେବା ପାଇଁ ଚେଷ୍ଟା କରିବେ ବୋଲି ମନେ ମନେ ସଂକଳ୍ପ କରୁଥିଲେ । ତାଙ୍କ ବ୍ୟକ୍ତିତ୍ଵ, ତାଙ୍କ ସ୍ଵାସ୍ଥ୍ୟ ଓ ମୁଖଶ୍ରୀ, ଓଠରେ ଲାଗି ରହଥିବା ହସର ମଧୁରତା, କେଶ ବିନ୍ୟାସର ବିଶେଷ ପରିପାଟୀ ଏବଂ ମେକ୍‌ଅପ୍‌ ନ କରି ମଧ୍ୟ ଅନ୍ୟର ଦୃଷ୍ଟି ଆକର୍ଷଣ କରିବାର ତନୁଲାବଣ୍ୟର ପ୍ରଶଂସା କରୁଥିଲେ ମୈତ୍ରେୟୀ । ଏଇ ଦଶବର୍ଷର ବ୍ୟବଧାନ ପରେ ବି ସେ ସେହିପରି ଅଛନ୍ତି । ତାଙ୍କୁ ଦେଖିଲେ ତାଙ୍କ ବୟସ ଜଣାପଡ଼େନି । କେବଳ ବାଳଟିକ କହରା ଦିଶୁଛି । ତଥାପି ମୈତ୍ରୈୟୀଙ୍କ ଆଖିଆଗରେ ସେ ହିରୋଇନ । ଅଧ୍ୟାପିକା ପଦ ଛାଡ଼ି ଦିଲ୍ଲୀ ଯାଇ ସେଠାରେ ନିଶ୍ଚୟ ସୁନାମ ଅର୍ଜିଥିବେ ବାଣୀ । ନ ହେଲେ ଶାସନର ବଡ଼କର୍ତ୍ତାମାନଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତେ କିପରି ?

 

ବାଣୀଙ୍କ କଥା ଯେତିକି ଭାବିଲେ ମନ ସେତିକି ବ୍ୟାକୁଳ ହେଲା ଅଧିକ ଜାଣିବା ପାଇଁ-। ସେ ଦେଇଥିବା କାର୍ଡ଼ଟାକୁ ଭ୍ୟାନିଟି ବ୍ୟାଗ୍‌ ଭିତରେ ଯତ୍ନର ସହିତ ସାଇତି ରଖିଲେ । ପୁରୁଷମାନଙ୍କ ପ୍ରତି ଇତିମଧ୍ୟରେ ଯେ ତାଙ୍କ ଆଟିଚ୍ୟୁଡ଼ ବଦଳିଯାଇଛି ସେଇ ଗୋଟେ ବିଷୟ ବାରମ୍ବାର ମୈତ୍ରେୟୀଙ୍କୁ ଭାବିବା ପାଇଁ ବାଧ୍ୟ କରୁଥିଲା । ଅବଶ୍ୟ ତାଙ୍କ ଜୀବନରେ କେହି ଯେ ପୁରୁଷ ଆସିଥିବେ ଦାଣ୍ଡ ଦୁଲୁକାଇ ତାହା ଅଜ୍ଞାତ ଗର୍ଭର ରହସ୍ୟ ହୋଇରହିଛି ଯେତେବେଳେ ବାଣୀ ପୁରୋହିତଙ୍କ ବାହା ହବା ବୟସ ସେତେବେଳେ ସେ କାହିଁକି ବ୍ୟଗ୍ର ହେଲେନି ବା ଚାକିରି କରିବା ପରେ ମଧ୍ୟ ସେ ପ୍ରସଙ୍ଗ ଏଡ଼ାଇ ଗଲେ ସେ ବିଷୟରେ କେବେ ଜାଣିବାକୁ ଇଚ୍ଛା କରି ନାହାଁନ୍ତି ମୈତ୍ରେୟୀ । ସେ ତାଙ୍କର ସିନିଅର । ସେ ତାଙ୍କୁ ପସନ୍ଦ କରନ୍ତି, ଭଲ ପାଆନ୍ତି । ତାଙ୍କର ଗୁଣମୁଗ୍ଧା । ତାଙ୍କର ଏତିକି ପରିଚୟ ଯଥେଷ୍ଟ । ବାଣୀ ମଧ୍ୟ ମୈତ୍ରେୟୀଙ୍କୁ ନିକଟତମ ବନ୍ଧୁ ପରି ବ୍ୟବହାର କରୁଥିଲେ । ବେଳେବେଳେ କ୍ଲାସ ନ ଥିଲେ ଦୁହେଁ ‘ହିମାନୀ’ ରେସ୍ତୋରାକୁ ଯାଉଥିଲେ ସାଙ୍ଗ ହୋଇ କଫି ପିଇବା ପାଇଁ । ମୈତ୍ରେୟୀଙ୍କୁ ସେ କେବେହେଲେ ସୁଯୋଗ ଦେଇ ନ ଥିଲେ ରେସ୍ତୋରାଁ ବିଲ୍‌ର ପଇସା ଦବା ପାଇଁ । ସେ କହୁଥିଲେ ‘ଇଟ୍‌ ଇଜ୍‌ ମାଇ ପ୍ଲେଜର...।’

 

ବାଣୀ ପୁରୋହିତ ଯେ ବଦଳି ନାହାଁନ୍ତି ଏହା ତାଙ୍କୁ ଦେଖିବା କ୍ଷଣି ମନେହେଲା ମୈତ୍ରେୟୀଙ୍କର । କିନ୍ତୁ ହୁଏତ କେବେ କୌଣସି ଦୁର୍ଘଟଣା ଘଟିଥିବ ଜୀବନରେ ଯେତେବେଳେ ମେରୁଦଣ୍ଡରେ ଆଘାତ ପାଇଥିବେ ସେ । ସେଇ ଆଘାତ ହୁଏତ ସମୂଳେ ଆରୋଗ୍ୟ ହେବ ନାହିଁ । ମଣିଷ ଦେହର କ୍ଷତ ଶୁଖିଗଲେ ବି ଚିହ୍ନଟା ରହିଯାଏ ଉପରେ । ବାଣୀଙ୍କର କ୍ଷତ ଚିହ୍ନର ଯନ୍ତ୍ରଣା ଭିତରେ ଓ ବାହାରେ ତାଙ୍କୁ ଅସ୍ଥିର କରୁଥିବ ।

 

ମୈତ୍ରେୟୀ କିଛି ସମୟ ଅନ୍ୟମନସ୍କ ହୋଇଗଲେ । ଗାଡ଼ି କେତେବେଳେ କୁଆଖାଇ ପାର ହୋଇଗଲା ଜାଣିପାରିଲେ ନାହିଁ । କିନ୍ତୁ ଉହ୍ଲାଇବାବେଳକୁ ସେଠାରେ ତାଙ୍କୁ ଅପେକ୍ଷା କରିଥିବା କନ୍ୟାଶ୍ରମର ଦୁଇଜଣଙ୍କୁ ଭେଟିଲେ । ସେମାନଙ୍କ ବିଷର୍ଣ୍ଣ ଶୋକାତୁର ମୁହଁ ଦେଖି ସେ ଧରି ନେଲେ ଯେ କିଛି ଗୋଟାଏ ଅଘଟଣ ଘଟିଥିବ । ସତକୁ ସତ ତାଙ୍କ ଅନୁମାନ ସତ୍ୟ ପ୍ରମାଣିତ ହେଲା । ଅନୁସୂୟା ତାଙ୍କୁ କହିଲା ଯେ ସରଳା ଅବସ୍ଥା ଅତ୍ୟନ୍ତ ଉଦ୍‌ବେଗଜନକ ବୋଲି ହସ୍‌ପିଟାଲରୁ ଖବର ପାଇ ସାନବାବୁ ଯାଇଛନ୍ତି । ସେଠାରେ ପହଞ୍ଚିବା ପରେ ସେ ଖବର ଦେଲେ ଆପଣ ଗଲେ ଭଲ ହେବ । ହାତ ଘଡ଼ିକୁ ଚାହିଁଲେ ମୈତ୍ରେୟୀ । ସାଢ଼େ ଚାରିଟା । ସକାଳୁ ବାହାରି ଯାଇଥିଲେ ଯେ ଏଇନେ ଫେରୁଛନ୍ତି । କିନ୍ତୁ ସମୟ ତାଙ୍କୁ ଆରାମ କରିବାକୁ ଦବ ନାହିଁ ।

 

ସେ ଆଉ ଅପେକ୍ଷା ନ କରି ରାଜଧାନୀ ଆଡ଼କୁ ଯାଉଥିବା ଗୋଟେ ଟାକ୍ସି ଧରିଲେ । ଯିବାବେଳେ ଅନୁସୂୟା ତରୁକୁ କହିଲେ ଆଶ୍ରମକୁ ଫେରିଯିବା ପାଇଁ । ସେମାନେ ଆଶ୍ରମର କାମ ଯେମିତି ଚାଲେ ସେହିପରି କରିଯିବା ପାଇଁ କହିଲେ । ସରଳା ପାଇଁ ସବୁ ପ୍ରକାର ଯତ୍ନ କରାଯିବ ବୋଲି ସେମାନଙ୍କ ସେ ଆଶ୍ଵାସନା ଦେଲେ ।

 

ଟାକ୍ସିରେ ଗଲାବେଳେ ଭାବୁଥିଲେ ହୁଏତ ପ୍ରକୃତରେ ସରଳାର ଅବସ୍ଥା ସଂକଟାପନ୍ନ ହୋଇ ନ ଥିଲେ ଅପୁ ତାଙ୍କୁ ଖବର ଦେଇ ନ ଥାନ୍ତା ଯିବା ପାଇଁ । ସେ ସିଧା ଯାଇ ହସ୍‌ପିଟାଲରେ ପହଞ୍ଚିଲେ । ଭିତରୁ କାହାର କାନ୍ଦ ଶୁଣାଯାଉଥିଲା । ଥମକି ମୁହୂର୍ତ୍ତେ ଛିଡ଼ା ହୋଇଗଲେ ମୈତ୍ରେୟୀ-। ଜଗନ୍ନାଥଙ୍କୁ ସ୍ମରଣ କରି ହାତ ଯୋଡ଼ିଲେ । ତାଙ୍କୁ ଭରସା କରି ସରଳାକୁ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ ସେ । ସେ ଯଦି ତାଙ୍କୁ ଫାଙ୍କି ଦିଅନ୍ତି ତେବେ ରକ୍ଷାକର୍ତ୍ତା ଆଉ କେହି ରହିବେ ନାହିଁ । ସେ ଡରି ଡରି ପାଦ ବଢ଼ାଇଲେ ଓ୍ୱାର୍ଡ଼ ଆଡ଼କୁ ।

 

ଅପୁକୁ ଉଦ୍‌ବିଗ୍ନ ଚିତ୍ତରେ ରୋଗୀର ଶଯ୍ୟା ପାଖରେ ଛିଡ଼ା ହୋଇଥବା ଦେଖି ସେ ପାଖକୁ ଯାଇ ଧିର ସ୍ଵରରେ କହିଲେ, ‘କ’ଣ ହୋଇଛି ?’

 

ସରଳା ମୁହଁରେ ଅକ୍ସିଜେନ ପାଇପ ଲାଗିଥିଲା । ସେ ଅଚେତ ଅବସ୍ଥାରେ ଥଲା । ଅପୁ କହିଲା, ‘ତା ଅବସ୍ଥା ଭଲ ନୁହେଁ । କେତେବେଳେ କ’ଣ ନା କ’ଣ ଘଟିଯାଇପାରେ ସେଥିପାଇଁ ତୁମକୁ ଖବର ଦେଲି ।’

 

ମୈତ୍ରେୟୀଙ୍କ ଛାତି ତଳେ ଅତଡ଼ା ଖସିବା ପରି ଅନୁଭବ କଲେ । ସରଳା ଶୋଇଥିଲା ବେଡ଼ ଉପରେ । ଅକ୍ସିଜେନ ନଳି ଲାଗିଥିଲା ନାକରେ, ଦୁଇଟା ପାଇପ ଦେଇ ସାଲାଇନ ଓ ରକ୍ତ ଯାଉଥଲା ଶରୀରକୁ ।

 

ସରଳାର ଚେତା ନ ଥିଲା । ବେଡ଼ ପାଖରେ ଥିବା ଷ୍ଟୁଲ ଉପରେ ବସି ସେ ହଜିଗଲେ ଭାବନାର ଅତଳ ଗର୍ଭରେ ।

 

ସରଳା ପରି କୋଟି କୋଟି ନିରାଶ୍ରିତା ଓ ନିର୍ଯ୍ୟାତିତା ମହିଳାଙ୍କ କଥା ମନେପଡ଼ୁଥିଲା । ସ୍ଵାମୀମାନଙ୍କ ଅତ୍ୟାଚାର ସହି ନ ପାରି ଅନେକ ଆତ୍ମହତ୍ୟା କରୁଛନ୍ତି ପ୍ରତିଦିନ । ପିତାମାତା ଝିଅ ବାହାଘର ପରେ ଅବଶିଷ୍ଟ ଯୌତୁକ ଦେଇ ନ ପାରିବାରୁ ଶ୍ଵଶୁର ଘର ଆତ୍ମୀୟମାନଙ୍କ ରୋଷର ଶିକାର ହେଉଛନ୍ତି ଅନେକ । କାହାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦିଆଯାଉଛି ତ ଆଉ କାହାକୁ ହତ୍ୟା କରି ଆତ୍ମହତ୍ୟା କରିଥିବା ସଫେଇ ଦିଆଯାଉଛି । ଆହୁରି ଅନେକ ଲାଞ୍ଛନା, ମାଡ଼ ଗାଳି ସହି ଯନ୍ତ୍ରଣା ଭୋଗିବା ପାଇଁ ପଡ଼ି ରହିଛନ୍ତି ଭାଗ୍ୟ ଉପରେ ସବୁ ଦୋଷ ଢାଳିଦେଇ । ଭଗବାନଙ୍କ କାନରେ ଦ୍ରୌପଦୀଙ୍କ ଆର୍ତ୍ତ ବାର୍ତ୍ତା ପହଞ୍ଚିଲା, ଗଜର ବିକଳ ପ୍ରାର୍ଥନା ଲକ୍ଷେ ଯୋଜନରେ ଥାଇ ମଧ୍ୟ ସେ ଶୁଣିପାରିଲେ, କିନ୍ତ ଏଇ ଅସହାୟା ମହିଳାମାନଙ୍କ ଅଶ୍ରୁ ସେ ଦେଖିପାରୁ ନାହାଁନ୍ତି କିପରି ?

 

ସରଳାର ଯଦି କିଛି ହୋଇଯାଏ ତେବେ ତା’ ଦୁଇ ପିଲାର କ’ଣ ହେବ ? ବାପ ତ ମଦୁଆ । ସରଳାକୁ ମାରଧର କରି କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି । ଏମାନେ ଆଉ ବାପା ମା’କୁ ପାଇବେ ନାହିଁ । ଉପରେ ବଡ଼ ଦାଣ୍ଡରେ ପ୍ରତିଦିନ ଅଗଣିତ ବାପାମା’ଙ୍କ ସ୍ନେହଶ୍ରଦ୍ଧାରୁ ବଞ୍ଚିତ ହଜାର ହଜାର ଶିଶୁ ହଜିଯାଆନ୍ତି ପ୍ରତିଦିନ । କିଏ ଗୋତି ଖଟେ ତ ଆଉ କିଏ ଗଛ ମୂଳେ, ମନ୍ଦିର ବା ମସ୍‌ଜିଦ୍‌ ସାମ୍ନାରେ ବସି ଭିକ ମାଗେ । ଆଉ କିଏ ହୋଟେଲ ପଛଆଡ଼େ ପଡ଼ିଥିବା ଉଦ୍‌ବୃତ୍ତ ଖାଦ୍ୟରୁ କିଛି ସଂଗ୍ରହ କରିବା ପାଇଁ କୁକୁର ସହିତ ଲଢ଼େଇ କରେ । ଏଇ ଜୀବନ ନେଇ ସେମାନେ ରହିଯାଆନ୍ତି କାଳ କାଳ । ସେମାନଙ୍କ ଠିକଣା ନ ଥାଏ, ପରିଚୟ ନ ଥାଏ ।

 

ସରଳାକୁ ଯେପରି ହେଉ ବଞ୍ଚାଇବାକୁ ପଡ଼ିବ । ସେ ନ ବଞ୍ଚିଲେ କନ୍ୟାଶ୍ରମର ଅନ୍ତେବାସିନୀମାନଙ୍କ ଆଶା ଓ ବିଶ୍ଵାସ ତୁଟିଯିବ । ସେମାନେ ବଞ୍ଚିଛନ୍ତି, ଜୀବନ ଯନ୍ତ୍ରଣା ଭୋଗୁଛନ୍ତି ଏଇ ଆଶାରେ ଯେ ଦିନେ ଭଲ ଦିନ ଆସିବ । ସେମାନେ ବି ନିଜ ଗୋଡ଼ରେ ଛିଡ଼ା ହେବାର ସ୍ଵାଦ ଚାଖିବେ । ସେତେବେଳେ ଆଶା ଓ ବିଶ୍ଵାସ ଉକୁଟି ଉଠିବ ସେମାନଙ୍କ ଶରୀରରେ ।

 

ପ୍ରଭୁଙ୍କ ପାଖରେ ଆତ୍ମସମର୍ପଣ କରିବା ବ୍ୟତୀତ ଆଉକିଛି ଚାରା ନାହିଁ । ଡାକ୍ତର କହି ଦେଇଛନ୍ତି ଯେ ସରଳାର ଅବସ୍ଥା ଅତ୍ୟନ୍ତ ଗୁରୁତର ।

 

ବାପାଙ୍କ କଥା ମନେପଡ଼ିଲେ ସେ କହୁଥିଲେ ଯଦି କେତେବେଳେ ସେପରି ଦୁଃସମୟ ଉପସ୍ଥିତ ହୁଏ ତେବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବୁ । ବାପାଙ୍କଠାରୁ ମନ୍ତ୍ର ଶିକ୍ଷା କରିଥିଲେ ମୈତ୍ରେୟୀ । ଏଇ ମୁହୂର୍ତ୍ତରେ ଭଶ୍ଵରଙ୍କୁହିଁ ସ୍ମରଣ କରିବାକୁ ହେବ । ଗୋଟିଏ ଲୟରେ ତାଙ୍କୁ ଡାକିବା ଛଡ଼ା ଅନ୍ୟଗତି ନାହିଁ । ଇଶ୍ୱର ଅଛନ୍ତି ଏଇ ବିଶ୍ଵାସ ନେଇ ସେ ବଞ୍ଚଛନ୍ତି ଆଜି ପର୍ଯ୍ୟନ୍ତ । କିନ୍ତୁ ସେ ସତରେ ଅଛନ୍ତି ନା କାହାଘରେ ଲୁଚିଛନ୍ତି ତାହା ପରଖି ନବା ପାଇଁ ଗୋଟିଏ ସୁଯୋଗ ଆସିଛି । ଆଉ ବିଳମ୍ବ ନ କରି ମୈତ୍ରେୟୀ ମନେ ମନେ ପ୍ରଭୁଙ୍କୁ ଡାକିବାପାଇଁ ସଂକଳ୍ପ କଲେ ।

 

ମୈତ୍ରେୟୀ ସରଳାର ଛାତି ଉପରେ ହାତ ରଖି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପିବାକୁ ଲାଗଲେ । ଶହେ ଆଠଥର ମନ୍ତ୍ର ଜପ କରିବା ପରେ ସେ ସରଳାକୁ ଠାକୁରଙ୍କୁ ସମର୍ପଣ କରିଦେଇ ହାତଯୋଡ଼ି ମନେ ମନେ କହିଲେ, ‘ତୁମକୁ ଲାଗିଲା ପ୍ରଭୁ...ତୁମର ଇଚ୍ଛା ପୂର୍ଣ୍ଣ ହେଉ ।’

 

ସରଳାର ଛାତି ଉପରେ ହାତରଖି ଅଧଘଣ୍ଟାଏ ଆଖିମୁଦି ବସି ରହିଲେ ମୈତ୍ରେୟୀ । ତା’ପରେ ଧିରେ ଧିରେ ଆଖି ଖୋଲିଲେ । ଡାକ୍ତର ସେତେବେଳକୁ ଆସି ରୋଗୀ ପାଖରେ ପହୁଞ୍ଚି ସାରିଥିଲେ ଏବଂ ନାଡ଼ି ପରୀକ୍ଷା କରୁଥିଲେ । ଠେଥେସ୍‌କୋପ୍‌ରେ ହୃତ୍‌ପିଣ୍ଡ କ୍ରୟା ପରୀକ୍ଷା କଲେ ଏବଂ ବ୍ଲଡ଼ପ୍ରେସର ମାପିଲେ । ତା’ପରେ ସାଲାଇନ ଓ ଅକ୍ସିଜେନ୍ ଚାଲୁ ରଖିବା ପାଇଁ ନର୍ସଙ୍କୁ ନିର୍ଦ୍ଦେଶ ଦେଇ କହିଲେ, ‘ଭଗବାନ ଘାଟି ପାରି କରିଦେଲେ ମ୍ୟାଡାମ୍‍ । ଆମେ ତ ଆଶା ଛାଡ଼ି ଦେଇଥିଲୁ । ସେଥିପାଇଁ ଆପଣଙ୍କୁ ଖବର ଦେଇଥିଲୁ ଆସିବା ପାଇଁ । ଏତେବେଳେ ଆଉ କିଛି ଭୟ ନାହିଁ । ମୋର ଅନୁମାନ ସେ ସୁସ୍ଥ ହୋଇଯିବ...।’

 

ଅପୁ କହିଲା, ‘ଭାଉଜ ତମେ ଆସିବା ପରେ କ’ଣ କଲ କେଜାଣି ସରଳାର ଅବସ୍ଥାରେ ଉନ୍ନତି ହେଲା । ତମେ ପ୍ରମାଣ କରିଦେଲ ଯେ ଡାକ୍ତରମାନେ ଆଶା ଛାଡ଼ିଦବା ପରେ ମଧ୍ୟ ଆଉକେହି ଆଶାର ସଞ୍ଚାର କରେ, ବିଶ୍ୱାସ ଭରିଦିଏ ପ୍ରାଣତନ୍ତ୍ରୀରେ ।’

 

ମୈତ୍ରେୟୀ ବସି ରହିଲେ ଘଣ୍ଟାଏ କାଳ ସରଳା ପାଖରେ । ନିରାଶ୍ରିତା ବିଚାରୀ । ତାଙ୍କୁ ଆଶ୍ରା କରି ସ୍ଵାମୀର କଷଣ ସହି ନ ପାରି ଘରୁ ବାହାରି ଆସିଛି । ଛୋଟ ଛୁଆ ଦୁଇଟା ଚାହିଁ ବସିଥିବେ ମା’କୁ । ଆଜିକୁ ତିନିଦିନ ହେଲା ହସ୍‌ପିଟାଲରେ । ଆଶ୍ରମର ଅନ୍ୟ ମହିଳାମାନେ ସମ୍ଭାଳିଛନ୍ତି ଦୁଇ ପିଲାକୁ । ରାତିରେ ସେମାନେ ଅନୁସୂୟା ପାଖରେ ଶୁଅନ୍ତି । ତରୁ ସାହାଯ୍ୟ କରେ ଅନୁସୂୟାଙ୍କୁ । ସେମାନଙ୍କ ନିରାପତ୍ତା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ମାଧବକୁ କାଳେ ପୁଲିସ୍‍ ଧରିବା ବୋଲି ସେ ନିଖୋଜ ହୋଇଯାଇଛି । କେହି କେହି କହନ୍ତି ଯେ ସେ ପାରାଦୀପ ଚାଲିଯାଇଛି, ଆଉ କେହି କେହି କହନ୍ତି ଯେ ତାକୁ ଟ୍ରେନ୍‌ରେ ଉଠିବାର ଦେଖିଛନ୍ତି ସେମାନେ । କିନ୍ତୁ କେଉଁ ଟ୍ରେନ୍‌ରେ ଚଢ଼ିଲା କୁଆଡ଼େ ଗଲା କେହି ନିର୍ଦ୍ଦିଷ୍ଟଭାବେ କିଛି କହିପାରୁ ନାହାଁନ୍ତି ।

 

ସରଳା ବଞ୍ଚିଗଲା । ଡାକ୍ତରଙ୍କଠାରୁ ଆଶ୍ଵାସନା ପାଇ ମୈତ୍ରେୟୀ ଅପୁକୁ ସାଙ୍ଗରେ ନେଇ ଫେରିଲେ । କିନ୍ତୁ ଠିକ୍‌ ରସୁଲଗଡ଼ ଛକ ପାଖରେ ଟାକ୍ସିବାଲା ପଙ୍କଚର ଚକର ଟାୟାର ବଦଳ କରି ଷ୍ଟେପିନ୍ ଲଗାଉଥିବାବେଳେ ମୈତ୍ରେୟୀଙ୍କ ଦୃଷ୍ଟି ପଡ଼ିଲା ସରୋଜଙ୍କ ନୂଆ ଲାଲରଙ୍ଗର ଅଲ୍‌ଟୋ ଗାଡ଼ି ଉପରେ । ଗାଡ଼ିଟା ସେଇ ତିନିମହଲା କୋଠା ଆଗରେ ଛିଡ଼ା ହୋଇଥିଲା । ସରୋଜ ବୋଧହୁଏ ନ ଥିଲେ । କାରଣ ଡ୍ରାଇଭର ଚା’ ଦୋକାନରେ ବସି ଚା’ ପିଉଥିଲା । ଗାଡ଼ି ଭିତରେ ପଦ୍ମଜା ବସିଥିଲା ଏବଂ ଝରକା ଖୋଲା ଥିଲା । ଝରକା ପାଖରେ ଆଉ ଜଣେ ବ୍ୟକ୍ତି ଛିଡ଼ା ହୋଇଥିଲେ ଏବଂ ପଦ୍ମଜା ସହତ କଥାଭାଷା ହେଉଥିଲେ । ସେଇ ଭଦ୍ରଲୋକଙ୍କୁ ଅନ୍ୟ କୌଣସିଠାରେ ଦେଖିଥିବା ସ୍ମରଣ କରିପାରିଲେ ନାହିଁ ମୈତ୍ରେୟୀ ।

 

ଚକା ବଦଳ କରିସାରି ଡ୍ରାଇଭର ପଙ୍କଚର ଟାୟାରଟାକୁ ପାଖ ଦୋକାନରେ ଦେଲା ମରାମତି କରିବା ପାଇଁ । ସେଇ ଅବସରରେ ଅପୁକୁ ଗାଡ଼ିରେ ଅପେକ୍ଷା କରିବା ପାଇଁ କହି ମୈତ୍ରେୟୀ ଉହ୍ଲାଇଗଲେ ଗାଡ଼ିରୁ ।

 

ସେତେବେଳକୁ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇ ସାରିଥିଲା । ଛକ ଉପରେ ଥିବା ହାଲୋଜେନ ଆଲୁଅ ଜଳୁ ନ ଥିବା ଦେଖି ମୈତ୍ରେୟୀ ଅନୁମାନ କରିନେଲେ ଯେ ବୋଧହୁଏ ଖରାପ ହୋଇଯାଇଛି । ଛାଇ ଆଲୁଅ ମଝିରେ ପଦ୍ମଜାର ମୁହଁ ସ୍ପଷ୍ଟ ବାରି ହେଉଥିଲା ଏବଂ ସେଇ ଭଦ୍ରଲୋକ ଅତି ଅନ୍ତରଙ୍ଗ ସ୍ଵରରେ ଆଳାପ କରୁଥିବା ଟୁକୁରା ଟୁକୁରା କଥା ଓ ମଧ୍ୟେ ମଧ୍ୟେ ଖିଲିଖିଲି ହସ କାନରେ ପଡ଼ୁଥିଲା ତାଙ୍କର । ସେ ଅଲ୍‌ଟୋ ପଛପଟେ ଥିବାରୁ ଏବଂ ସେମାନେ କଟକ ଆଡ଼କୁ ମୁହଁ କରିଥିବାରୁ ଗାଡ଼ି ପଛପଟେ ଥିବା ଲୋକଙ୍କୁ ଦେଖିବା ସମ୍ଭବ ନ ଥଲା ।

 

କିଛି ସମୟ କଥା ହେବା ପରେ ସେଇ ଭଦ୍ର ଲୋକ ନଇଁ ପଡ଼ି ଝରକା ଡେଇ ମୁହଁ ଗଳାଇ ଦେଲେ ଏବଂ ତଡ଼ିତ ବେଗରେ ପଦ୍ମଜା ତାଙ୍କ ଓଠରେ କିସ୍‌ କରି ତାଙ୍କୁ ଠେଲିଦେଲା ବାହାରକୁ ।

 

ସ୍ତବ୍ଧ ହୋଇ ଛିଡ଼ା ହୋଇଥିଲେ ମୈତ୍ରେୟୀ ।

 

ସେ ଆଉ ଗାଡ଼ି ଆଡ଼କୁ ନ ଚାହିଁ ବିପରୀତ ଦିଗକୁ ମୁହଁ କଲେ । ସେତିକିବେଳେ ପଦ୍ମଜାର କହୁଥିବା କେଇପଦ କଥା ସେ ଶୁଣି ପାରିଲେ, ‘ଅଙ୍କିତ । ତମେ କାଲି ଆସିବ ନିଶ୍ଚୟ । ପଦ୍ମାଳୟା ନର୍ସିଂହୋମ୍‌ର ଉଦ୍‌ଘାଟନ ଉତ୍ସବ ଠିକ୍‌ ସଠିକ ଛଟାରେ ହେବ । ମୋ ବାପା ଏବଂ ମେଡ଼ିକାଲ କାଉନସିଲର ସଭାପତି ନରେନ କୋଠାରୀ ଉଭୟ ଉଦ୍‌ଘାଟନ କରିବେ ନର୍ସିଂହୋମ୍‌ । ଉତ୍ସବ ପରେ ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ କକ୍‌ଟେଲ ଓ ଡିନର ବ୍ୟବସ୍ଥା ହୋଇଛି । ମୁଁ ୨୦୧ ନମ୍ବର ରୁମଟା ରିଜର୍ଭ କରି ରଖିଛି । ଏମାନେ କକ୍‌ଟେଲରେ ବ୍ୟସ୍ତ ଥିବାବେଳେ ଆମେ ଖସିଯିବା-। ମନେରହିଲା ତ ରୁମ୍‌ ନମ୍ବର ୨୦୧ । ତମେ ମାତାଲ ନ ହୁଅ ଯେପରି... ।’

 

ଝାଳ ବହିଗଲା ମୈତ୍ରେୟୀଙ୍କର ।

 

ଅପୁ ସେତେବେଳକୁ ଫେରି ଆସିଥିଲା । ସେ ମୈତ୍ରୈଙ୍କୁ କହିଲା ଯେ ଗାଡ଼ି କାମ ସାରିଛି ଡ୍ରାଇଭର । ଏବେ ବାହୁଡ଼ିବା ବେଳ ।

 

ମୈତ୍ରେୟୀ ଖୁସି ହେଲେ ଯେ ଅପୁ ଏସବୁ କିଛି ଶୁଣି ନାହିଁ କିମ୍ବା ଦେଖି ନାହିଁ । ସେ ଚା’ ଦୋକାନର ବେଞ୍ଚ ଉପରେ ବସିଥିଲା । ସେଠାରୁ ଛାଇ ଆଲୁଅର ଏଇ ଖେଳ ଦେଖିବା ସମ୍ଭବ ନ ଥିଲା ।’

 

ମୈତ୍ରେୟୀ ମୁହଁରୁ ଝାଳ ପୋଛିଲେ ଏବଂ ମନେ ମନେ କହିଲେ, ହାୟ ! ଏୟା ଶୁଣିବାକୁ ଓ ଦେଖିବାକୁ ଥିଲା ।’

 

କିନ୍ତୁ ଅନେକ ଦିନ ଧରି ରଥଚକ ଗଡ଼ି ଗଡ଼ି ଯେ ଏତେଦୂର ଆସିଥିବ ସେ ଭାବି ପାରିଲେ ନାହିଁ । ବରଂ ତାଙ୍କୁ ଲାଗୁଥିଲା ହୁଏତ ଗୋଟାଏ ସାମୟିକ ଉତ୍ତେଜନାରେ ପଦ୍ମଜା ଏପରି କରିଛି । କିମ୍ବା ଅଙ୍କିତ ତା’ର ଏପରି କିଛି ଦୁର୍ବଳତା ଜାଣେ ଯେଉଁଥିପାଇଁ ସେ ଏପରି ଅଶାଳୀନ ଅବସ୍ଥା ସୃଷ୍ଟି କରିଥିବ ଜାଣି ଜାଣି ବ୍ଲାକ୍‌ମେଲ୍‌ କରିବା ପାଇଁ ।

 

(ବାଆର)

 

ଭାସ୍ଵତୀକୁ ନେଇ ମହିଳା କମିଶନକୁ ଯାଇଥିଲେ ମୈତ୍ରେୟୀ । ସାଙ୍ଗରେ ଯାଇଥିଲା ଅନଙ୍ଗ । ଅଧ୍ୟକ୍ଷା ବାଣୀ ପୁରୋହିତ ଏବଂ କମିଶନର ଅନ୍ୟତମ ସଭ୍ୟା ସାରିକା ଆଲାମଙ୍କ ସହ ଦୀର୍ଘ ସମୟ ଆଲୋଚନା ହେଲା । କମିଶନକୁ କାର୍ଯ୍ୟରେ ସହାୟତା କରୁଥିବା ପୁଲିସ୍‍ ଅଫିସର ଶିପ୍ରା ଶାହା ମଧ୍ୟ ଉପସ୍ଥିତ ଥିଲେ । ଭାସ୍ଵତୀ ସତ୍ୟପାଠ କଲା ପରି ସବୁ ବିଷୟ ଗୋଟି ଗୋଟି କରି କହିଥିଲା । କିନ୍ତୁ ଅଧ୍ୟକ୍ଷା କହିଲେ ଯେ ଏସବୁ ବିଷୟ ସତ୍ୟପାଠ କରି ଦାଖଲ କଲେ କମିଶନ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

 

ତାଙ୍କୁ ଧନ୍ୟବାଦ ଜଣାଇ କହିଲା ଅନଙ୍ଗ, ‘କିନ୍ତୁ ମ୍ୟାଡାମ୍‍, ଗୋଟିଏ ବିଷୟ ନେଇ ମୋ ଭଉଣୀ ଚିନ୍ତାରେ ପଡ଼ିଛି । ସେ ଜାଣେ ଯେ ପୁଲିସ୍‍ ପଦକ୍ଷେପ ନେଲେ ବିଶ୍ୱମୋହନ ଆଇନ ଅନୁସାରେ ଗିରଫ ହେବ, କେସ୍‌ ଚାଲିବ । ହୁଏତ ତାକୁ ଜେଲ୍‌ ଦଣ୍ଡ ବି ହୋଇପାରେ । ଆମ ଓକିଲ କରୁଣାକିଙ୍କର ବେହେରା ମଧ୍ୟ ସେଇ କଥା କହିଛନ୍ତି । ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ଦ୍ୱିତୀୟ ବିବାହ ମନା । ଅବଶ୍ୟ ବିଶ୍ଵମୋହନ ଯେ ବିବାହ କରିଛି ରତୁପର୍ଣ୍ଣାକୁ ଏ ପ୍ରମାଣ ଏ ପର୍ଯ୍ୟନ୍ତ ନାହିଁ ଆମ ପାଖରେ । କିନ୍ତୁ ସେମାନେ ସ୍ଵାମୀ ସ୍ତ୍ରୀ ପରି ଏକତ୍ର ରହୁଛନ୍ତି ।

 

ବାଣୀ କହିଲେ, ‘ସେମାନେ କହିପାରନ୍ତି ଯେ ଆମେ ଦୁଇଜଣ ଘନିଷ୍ଠ ବନ୍ଧୁ ! ଏକତ୍ର ରହିବା ତ ଆଇନ ମନା କରିନି । ତେବେ କ’ଣ କରାଯିବ ? ତେଣୁ ଭସ୍ଵତୀ ବୟାନ ଦବା ଆବଶ୍ୟକ ଯେ ବିଶ୍ଵମୋହନ ଓ ରତୁପର୍ଣ୍ଣା ଏକତ୍ର ରହୁଛନ୍ତି ଏବଂ ଭାସ୍ଵତୀଙ୍କୁ ବିଶ୍ଵମୋହନ ଆଇନ ଅନୁସାରେ ନ ହେଲେ ମଧ୍ୟ ପ୍ରକୃତରେ ଛାଡ଼ି ସାରିଛନ୍ତି । ଦୁହିଁଙ୍କ ମଧ୍ୟରେ ଆଦାନପ୍ରଦାନ କେତୋଟି ଚିଠି ଭାସ୍ଵତୀଙ୍କ ହାତରେ ପଡ଼ିଛି । ସେସବୁ ମଧ୍ୟ କମିଶନରେ ଦାଖଲ କରନ୍ତୁ । ଯଦି ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରାଯାଏ ଏଇ ଅଭିଯୋଗକୁ ପୁଷ୍ଟ କରିବାପାଇଁ ତେବେ ତ ଆହୁରି ଭଲ-। କିନ୍ତୁ ଗୋଟିଏ କଥା ଜାଣି ରଖନ୍ତୁ ଯେ ବିଶ୍ଵମୋହନଙ୍କୁ ଗିରଫ କରିବା ପାଇଁ ଏହା ଯଥେଷ୍ଟ-। ମୋକଦ୍ଦମାରେ ଦୋଷୀ ସାବ୍ୟସ୍ତ ହେଲେ ଜେଲଦଣ୍ଡ, ନିର୍ଦ୍ଦୋଷ ହେଲେ ଅବଶ୍ୟ ଭିନ୍ନ କଥା ।’

 

‘କିନ୍ତୁ ବିଶ୍ଵମୋହନର କୌଣସି କ୍ଷତି କରିବା ଭାସ୍ଵତୀ ଚାହେଁ ନାହିଁ । ଚାକିରି ଉପରେ ବାଧା ଆସିଲେ ବା ଗିରଫ ହେଲେ ଚାକିରି ଯିବା ପରିସ୍ଥିତି ସୃଷ୍ଟି ହେବ । ତେଣୁ ଏଇ ଚରମ ପଦକ୍ଷେପ ନ ନେଇ ଆଉ କ’ଣ କିଛି ବାଟ ନାହିଁ...।’

 

ସାରିକା ଆଲାମ କହିଲେ, ଏତେ ଲାଞ୍ଛନା ସହିବା ପରେ କ’ଣ ଭାସ୍ଵତୀ ଭାବନ୍ତି ଯେ ପତି ପରମେଶ୍ୱର... ତାଙ୍କର ସବୁ ଦୋଷ କ୍ଷମା କରି ସେସବୁ ଦୁଃଖ ଓ ଲାଞ୍ଛନା ମଥାପାତି ସହିନେବେ ?’

 

ମୈତ୍ରେୟୀ ଏ ପର୍ଯ୍ୟନ୍ତ ଚୁପ୍‌ ହୋଇ ବସିଥିଲେ । ସେ କହିଲେ କମିଶନ ବିଶ୍ଵମୋହନଙ୍କୁ ଡାକି ଏଇ ଅଭିଯୋଗ ସମ୍ବନ୍ଧରେ ତାଙ୍କ ବୟାନ ଶୁଣିପାରନ୍ତି । ତା’ପରେ ଏହାର ସମାଧାନ ପାଇଁ ବାଟ ଖୋଜିବା ସହଜ ହେବ... ।’

 

-‘‘ଭଲ ସଜେସନ ଦେଇଛ ମୈତ୍ରେୟୀ । ମୁଁ ମଧ୍ୟ ସେୟା ଭାବୁଛି । ଯଦି ଆପୋଷ ଆଲୋଚନାଦ୍ଵାରା ସମସ୍ୟାର ସମାଧାନ ହୋଇଯାଏ ତେବେ ତ ଉତ୍ତମ !’’ କହିଲେ ବାଣୀ ।

 

କିନ୍ତୁ ସମସ୍ତେ ଏକମତ ହେଲେ ଯେ ମହିଳାମାନଙ୍କ ମନରେ ଯୁଗ ଯୁଗ ଧରି ପତି ପରମେଶ୍ୱର ଭାବନା ଓ ପ୍ରତ୍ୟୟ ସୃଷ୍ଟି କରି ପୁରୁଷ ମାଡ଼ି ବସିଥିବା ସବୁ ସ୍ଥାନରୁ ତାକୁ ବିଚ୍ୟୁତ ନ କଲା ପର୍ଯ୍ୟନ୍ତ ନାରୀମୁକ୍ତି ସମ୍ଭବ ନୁହେଁ ବା ସମାଜସଂସ୍କାର କାର୍ଯ୍ୟରେ ଅଗ୍ରଗତି କରିବା ସହଜ ନୁହେଁ । ନାରୀ ପ୍ରଥମେ ମୋହମୁକ୍ତ ହେବା ଦରକାର । ପୁରୁଷ ବିନା ନାରୀ ଯେ ବଞ୍ଚିପାରିବ ନାହିଁ ଏବଂ ତା’ର ଜୀବନ ଶୂନ୍ୟ ରହିବ ଏଇ ଭାବନା ନାରୀ ମନରୁ ଯିବା ଦରକାର । ଆଉ କେତେଦିନ ଅବଳା ନାରୀ ମଣ୍ଡପ ଉପରେ ସ୍ଵାମୀକୁ ବସାଇ ପୂଜା କରୁଥିବ ଏବଂ ତା’ର ସବୁ ଅନାଚାର ଅତ୍ୟାଚାର କ୍ରୀତଦାସୀ ପରି ସହ୍ୟ କରୁଥିବ ?

 

ବାଣୀ ପୁରୋହିତ କହିଲେ ଯେ ‘ପୁରୁଷମାନେ ମହିଳାମାନଙ୍କୁ ନୀଡ଼ ରଚନା କରି ସୁରକ୍ଷିତ ଜୀବନ ଯାପନ କରିବା ପାଇଁ ସ୍ଵପ୍ନ ଦେଖାନ୍ତି । ଶାରୀରିକ ଗଠନ ମହିଳାମାନଙ୍କୁ ପୁରୁଷ ପ୍ରଧାନ ମାନସିକତା ଦେଇନାହିଁ । ପୁରୁଷର ଐଶ୍ୱର୍ଯ୍ୟ ନାହିଁ, କିନ୍ତୁ ନାରୀର ଐଶ୍ୱର୍ଯ୍ୟ ଅଛି । ତାହା ଥରେ ଚୋରି ହୋଇଗଲେ ସେ ଛାରଖାର ହୋଇଯାଏ । ନାରୀକୁ ବଶ କରିବାର ମନ୍ତ୍ର ପୁରୁଷ ଜାଣେ, ସାପକୁ ବଶ କରିବା କୌଶଳରୁ କେଳା ଜାଣିବା ପରି । ପୁରୁଷର ବିଷଦାନ୍ତ ଭାଙ୍ଗିବା ପାଇଁ ଗୋଟିଏ ବାଟ ଅଛି- ପୁରୁଷକୁ ବର୍ଜନ କରି ବଞ୍ଚିବା ପାଇଁ ଶିଖିବା ।’

 

ମୈତ୍ରେୟୀ କେବଳ ଶୁଣିଯାଉଥିଲେ । କୌଣସି ମତ ପ୍ରକାଶ ନ କଲେ ମଧ୍ୟ ସେ ଅନୁଭବ କରୁଥିଲେ ଯେ ବାଣୀ ବୋଧହୁଏ ଶଠତା ଓ ପ୍ରତ୍ୟାଶାର ଶିକାର ହୋଇଥିବେ । ନ ହେଲେ ପୁରୁଷ ବିପକ୍ଷରେ ଏତେ ଆକ୍ରୋଶ ତାଙ୍କ ମନରେ ଜାତ ହୁଅନ୍ତା ନାହିଁ ବା ସେ ଆଜୀବନ ଅବିବାହତ ରହି ନ ଥାନ୍ତେ । ଯେଉଁ ଐଶ୍ଵର୍ଯ୍ୟ କଥା ସେ କହୁଛନ୍ତି ତାହା ଥାଇ ମଧ୍ୟ ଜଣେ ନାରୀ ସେଇ ଅମୂଲ୍ୟ ଧନ ରକ୍ଷା କରିବା ପାଇଁ ପୁରୁଷର ଶକ୍ତି ଓ ସାମର୍ଥ୍ୟ ଲୋଡ଼େ କାରଣ ସେଇ ଶକ୍ତି ତାହାର ନାହିଁ । ମହିଷାସୁରକୁ ନିହତ କରିଥିବା ଦେବୀ ମଧ୍ୟ ଶକ୍ତି ସଂଗ୍ରହ କରିଥିଲେ ଦେବତାମାନଙ୍କଠାରୁ । ସେ ଆଦ୍ୟାଶକ୍ତି, ଆଦିମାତା, ଅଦିତି । ଅନ୍ୟମାନେ ଇନ୍ଦ୍ରିୟମାନଙ୍କ ଆଜ୍ଞାବହ । କିନ୍ତୁ ବାଣୀଙ୍କ ମନରେ ପୁରୁଷ ବିରୁଦ୍ଧରେ କାହକିଁ ଏମତି ଭାବନା ସୃଷ୍ଟି ହେଲା ତାହା ଜାଣିବା ପାଇଁ ଇଚ୍ଛା ହୁଏ ମୈତ୍ରେୟୀଙ୍କର । ସମାଜବିଜ୍ଞାନର ଅଧ୍ୟାପିକା ସେ । ସମାଜ ଗଠନ କରିବା ପ୍ରକ୍ରିୟା ପରିବାର ଗଠନ ସହିତ ଜଡ଼ିତ ଏବଂ ନାରୀ ଓ ପୁରୁଷଙ୍କ ସମବାୟିକ ଉଦ୍ୟମ ବିନା ପରିବାର ଗଠିତ ହେବ ନାହିଁ । ଜଣେ ଜଣେ ପୁରୁଷ ଥାଆନ୍ତି ସେମାନଙ୍କ ଦୃଷ୍ଟିରେ ନାରୀ କେବଳ ଗୋଟିଏ ପଣ୍ୟ ସାମଗ୍ରୀ, କୁଣ୍ଢେଇ ବା ଉପଭୋଗର ସାମଗ୍ରୀ, ଆଉ ଅଧିକ କିଛି ନୁହେଁ । କିନ୍ତୁ ନାରୀର ଏଇ ପରିଚୟ ପୋଛି ହୋଇ ଯାଇଛି ଏକବିଂଶ ଶତାବ୍ଦୀର ଇତିହାସ ପୃଷ୍ଠାରୁ । ସେ ବର୍ତ୍ତମାନ ପୁରୁଷର ସମାନ ହେବା ପାଇଁ ସଂକଳ୍ପବଦ୍ଧ । କିନ୍ତୁ ସେଛ ସଂକଳ୍ପ ପୂର୍ଣ୍ଣ ହେବ ପୁରୁଷର ସହଯୋଗ ଓ ସମଭାବନା ଯୋଗୁ, ପୁରୁଷକୁ ବିରୋଧ କରି ପରିବାର ଗଠନ ସମ୍ଭବ ନୁହେଁ ।

 

ହୁଏତ କାହିଁନା କାହିଁ ଠକି ଯାଇଥିବେ ବାଣୀ । କେହି ହୁଏତ ତାଙ୍କ ଜୀବନରେ ଆସିଛି ଯାହାକୁ ସେ ବରଣ କରିବା ପୂର୍ବରୁ ତାଙ୍କ ମନ ହରଣ କରି ସେ ଚାଲିଯାଇଛି । ପ୍ରତାରଣା, ବିଶ୍ୱାସଘାତକତାକୁ ନେଇ କେହି ବଞ୍ଚି ରହି ପାରେନା । ଆଉ ଯଦି ବି ବଞ୍ଚେ ତା ପ୍ରାଣରେ ନ ଥାଏ ସଙ୍ଗୀତର ମୂର୍ଚ୍ଛନା, ରୋମାଞ୍ଚର ଉନ୍ମାଦନା ବା ଏକତ୍ର ହେବାର ପ୍ରେରଣା । କେହି ହୁଏତ ତାଙ୍କୁ ଠକି ଦେଇଛି । ସେ ପାଣି ବାହାରେ ଥିବା ମାଛ ପରି ଛଟପଟ ହେଉଛନ୍ତି । ମାୟାମୃଗ ପରି ଛଳନା କରି ଆସିଥିବ କିଏ । ମଣିଷର ଭଲ ପାଇବା କ’ଣ କେବଳ ବ୍ୟକ୍ତିଗତ ସୁଖ ଓ ସରସତା ଓ ସାନ୍ନିଧ୍ୟ ପାଇଁ ? ଯଦି ତାହା ମାନବିକ ଉତ୍ତରଣର ମାର୍ଗ ହୁଏ ତେବେ ଭଲ ପାଇବା ପ୍ରତାରଣାର ଶିକାର ହେବ ନାହିଁ । ଆଉ ଜଣେ ଭଲ ନ ପାଇଲେ ମଧ୍ୟ ଭଲ ପାଉଥିବା ବ୍ୟକ୍ତିର ହୃଦୟ ଉନ୍ମୁଖ ହୋଇ ରହିବ । ସେ କାହାରି ଅଶୁଭ ଚିନ୍ତା କରିପାରିବ ନାହିଁ । କ୍ଷଣିକ ଦୁଃଖ ବା ବ୍ୟକ୍ତିଗତ ବିଫଳତା ପ୍ରେମକୁ ନଷ୍ଟ କରିପାରିବ ନାହିଁ । ପ୍ରେମ ଝରଣାର ପ୍ରବାହିତ ଧାର ପରି । ଅଳକାନନ୍ଦାର ସମର୍ପଣର ଚିରନ୍ତନ ଆବେଦନ ପରି ।

 

ବାଣୀ ପୁରୋହିତଙ୍କ ପାଖରୁ ବିଦାୟ ନେବାବେଳେ ସେ କହିଲେ ‘ପ୍ରଥମେ ମୋକଦ୍ଦମା ନ କରି ଆପୋଷ କରାଯାଉ । ଦେଖାଯାଉ ବିଶ୍ୱମୋହନର ଦୌଡ଼ କେତେଦୂର । ଯଦି ନ ହେବ ତେବେ କମିଶନ ମଧ୍ୟ ଆଇନର ଆଶ୍ରୟ ନେଇ ଜବତ କରିପାରିବ ତାଙ୍କୁ ।’

 

ଭାସ୍ଵତୀକୁ ସାଙ୍ଗରେ ନେଇ ଫେରିଲେ ମୈତ୍ରେୟୀ । ଅନଙ୍ଗ ରହିଗଲେ ଆଉ କେଉଁ ବନ୍ଧୁକୁ ଭେଟିବା ପାଇଁ । ଭଉଣୀ ସମ୍ପର୍କରେ ଆଲୋଚନା କଲାବେଳେ ହଠାତ୍ ଅନଙ୍ଗର ମନେପଡ଼ିଗଲା ଯେ ସୁସୁଇ ଆମେରିକା ଯିବା ବାଟରେ ସମ୍ଭବ ହେଲେ କିଛି ସମୟ କଟାଇବ ଦିଲ୍ଲୀ ବା କଲିକତାରେ । ସେତେବେଳେ ଅନଙ୍ଗ ଯଦି ସମୟ ଦିଏ ତେବେ ଦୁହେଁ କିଛି ସମୟ ଏକତ୍ର ରହିବାର ସୁଯୋଗ ପାଇବେ । ସୁସୁଇ ଚାହେଁ ଯେ ସେମାନେ ବନ୍ଧୁ ହୋଇ ରହିବା ପାଇଁ କିଛି ବାଧା ନାହିଁ, କିନ୍ତୁ ପରସ୍ପର ମଧ୍ୟରେ ବିଶ୍ଵାସହିଁ ହେବ ସେଇ ଆଦାନପ୍ରଦାନର ସେତୁ । ଦୁଃଖସୁଖରେ କେବଳ ସେମାନେ ସାଥୀ ହେବେ ନାହିଁ, ପ୍ରତିକୂଳତା ଓ ପ୍ରତିରୋଧ ବିରୋଧରେ ସାଙ୍ଗ ହୋଇ ଲଢ଼ିବେ ।

 

ଭାଉଜ ଓ ଭଉଣୀଙ୍କୁ ବିଦାୟ ଦେବାପରେ ସେ ଗୋଟେ ରେସ୍ତୋରାଁକୁ ଗଲା ଏବଂ କଫି ଅର୍ଡର କରିବା ସହିତ ସୁସୁଇ ସହିତ ସଂଯୋଗ ସ୍ଥାପନ କରିବା ପାଇଁ ଚେଷ୍ଟା କଲା । କିନ୍ତୁ ମୋବାଇଲ ଖୋଲିବା କ୍ଷଣି ସେଥିରେ ଆସିଥିବା ଏସଏମଏସ ପଢ଼ି ସେ ଉଲୁସି ଉଠିଲା । ସୋମବାରଦିନ ସିଙ୍ଗାପୁର - ଲଣ୍ଡନ - ନିଉୟର୍କ ଫ୍ଲାଇଟ୍‌ରେ ସେ ସିଟ୍‌ ବୁକ୍‌ କରିଛି । ସେହିଦିନ କଲିକତାରେ ପୂର୍ବାହ୍ନ ନଅଟାବେଳେ ସେ ପହଞ୍ଚିବ । ଦୁଇଟା ସୁଇଟ୍‌ ବୁକ୍‌ କରିଛି । ଗୋଟେ ନିଜ ପାଇଁ, ଗୋଟେ ଅନଙ୍ଗ ପାଇଁ ।

 

ଅନଙ୍ଗ ବୁଝିଗଲା ଯେ ଆଜିକାଲି ଆଉ ସ୍ଵାମୀ ସ୍ତ୍ରୀ ଗୋଟିଏ କୋଠରୀ, ଗୋଟିଏ ବିଛଣାରେ ରାତ୍ରିଯାପନ କରନ୍ତି ନାହିଁ । କେହି କାହାର ସ୍ଵାଧୀନତା ତ୍ୟାଗ ନ କରି ଯେତେବେଳେ ଦୁହିଁଙ୍କ ଇଚ୍ଛା ଏକତ୍ର ହେବେ । ପୁଣି ଇଚ୍ଛା ହେଲେ ନିଜ ନିଜ କୋଠରୀରେ ସମୟ କଟାଇବେ । ଉଗ୍ର ବ୍ୟକ୍ତି ସ୍ଵାଧୀନତା ମଣିଷକୁ ଅଧିକ ମୁକ୍ତ କରୁଛି । ସେ ବନ୍ଧନମୁକ୍ତ ହେବାକୁ ଚାହେଁ । ବାନ୍ଧି ନ ହେବା ପାଇଁ ତ ସେ ବିବାହକୁ ଅପରିହାର୍ଯ୍ୟ ମନେକରେନି ବା ଏଇ ସର୍ତ୍ତକୁ ମାନିନବା ପାଇଁ ରାଜି ନୁହେଁ । ଦୁଇଜଣ ବନ୍ଧୁ ହୋଇ ରହିବେ । ସ୍ଵାମୀ ସ୍ତ୍ରୀ ହେବାଦ୍ଵାରା କିଛି ପରିମାଣରେ ସ୍ଵାଧୀନତା ବିସର୍ଜନ ଦବାକୁ ହୁଏ, ଦାସତ୍ୱ ସ୍ୱୀକାର କରିବାକୁ ହୁଏ । ସୁଇ ଚାହେଁନା ଏସବୁ । ତେଣୁ ହୋଟେଲରେ ଦୁଇଟା ସୁଇଟ୍‌ ବୁକ୍‌ କରିଛି ।

 

ସୋମବାର ଦିନ ପଦ୍ମାଳୟା ନର୍ସିଂହୋମ୍‌ର ଉଦ୍‌ଘାଟନ ଉତ୍ସବ । ବାହାରୁ ଆସୁଥିବା ଅତିଥିମାନେ କାଲି ପଅରିଦିନ ପହଞ୍ଚିଯିବେ । ସୋମବାର ସକାଳ ଦଶଟାରେ ଉଦ୍‌ଘାଟନ ଉତ୍ସବ । ସେମାନଙ୍କୁ ରବିବାର ସୁଦ୍ଧା କଲିକତା ପହଞ୍ଚିବାକୁ ହେବ । ମଝିଆଁ ନନା ଓ ଭାଉଜଠାରୁ ଆଗୁଆ ଅନୁମତି ନବାକୁ ପଡ଼ିବ । ସୁଇ ଆସୁଛି । ତାକୁ ନିରାଶ କରିବା ଠିକ୍‌ ହେବ ନାହିଁ । କିନ୍ତୁ ସେ ଏ ପର୍ଯ୍ୟନ୍ତ ବ୍ୟକ୍ତି ସ୍ଵାଧୀନତାକୁ ସୁଇ ଯେପରି ଦୃଷ୍ଟିରେ ଦେଖୁଛି, ସେପରି ଦୃଷ୍ଟିରେ ଦେଖିପାରୁନାହିଁ । ପରିବାରର ମୂଳଦୁଆ ପଡ଼େ ବିବାହ ହେଲେ । ଏଇ ଅନୁଷ୍ଠାନଟା ଭାରତରେ ଗୋଟିଏ ପବିତ୍ର ଉତ୍ସବ, ଏହା କେବଳ ଦୁଇଜଣଙ୍କ ମଧ୍ୟରେ ଗୋଟିଏ ସାମାଜିକ ଚୁକ୍ତି ନୁହେଁ । ସୁଇର ଯୁକ୍ତି ଗ୍ରହଣ କଲେ ତାକୁ ବିବାହ ନ କରି ବାନ୍ଧବୀଭାବେ ଗ୍ରହଣ କରିବାକୁ ପଡ଼ିବ । ମନକୁ ମନ ଯୁକ୍ତି କରୁଥିଲା ଅନଙ୍ଗ, ବାଟ ଖୋଜୁଥିଲା କେଉଁବାଟରେ ଯିବ । ସୁସୁଇ ବାଟରେ ଗଲେ ତାକୁ ହୁଏତ ପରିବାରଠାରୁ ଅଲଗା ହେବାକୁ ପଡ଼ିବ । ସାମାଜିକ ରୀତିନୀତିଗୁଡ଼ାକୁ ଛାଡ଼ି ଆଉ ଗୋଟିଏ ନୂଆ ବାଟ ନିର୍ମାଣ କରିବାକୁ ହେବ । କିନ୍ତୁ ସେମାନଙ୍କ ସଂଗମ ଯୋଗୁ ଯଦି ସୁଇକୋଳକୁ ସନ୍ତାନ ଆସେ ତେବେ ଆଇନ ଅନୁସାରେ ଏ ଦେଶରେ ସେ ଅବୈଧ ସନ୍ତାନ ହେବ । ବର୍ଣ୍ଣଶଙ୍କରମାନଙ୍କ ସଂଖ୍ୟା ବୃଦ୍ଧି ହେଲେ ସନାତନ ଧର୍ମ ଧାରା, ରୀତିନୀତି ମଧ୍ୟ ବିପର୍ଯ୍ୟସ୍ତ ହେବ । ଅନଙ୍ଗ ଭାବୁ ଭାବୁ ହଜିଯାଇଥିଲା ଚିନ୍ତା ରାଜ୍ୟରେ । କଫି ଦେଇ ଯାଇଥଲା ବେହେରା, କିନ୍ତୁ କେତେବେଳେ ତାହା ଥଣ୍ଡା ହୋଇଗଲା ସେ ଜାଣିବି ପାରିଲା ନାହିଁ ।

 

ବେହେରା ପ୍ଲେଟ ଉଠାଇବା ପାଇଁ ଆସି କହିଲା, ‘‘ବାବୁ ଆପଣ କଫି ପିଇଲେ ନାହିଁ ଯେ... ପସନ୍ଦ ହେଲା ନାହିଁ ?’’

 

-‘‘ନା, ନା । ତମେ ଆଉ କପେ ଗରମ କଫି ଆଣ,... ।’’

 

ସେ ଚାଲିଗଲା । ଅନଙ୍ଗ ଏସଏମଏସରେ ମେସେଜଟା ପଠାଇଦେଲା । ସୁସୁଇକୁ ଜଣାଇଦେଲା ଯେ ସେ କଲିକତା ଏଆରପୋର୍ଟରେ ତାକୁ ସ୍ଵାଗତ କରିବ ଏବଂ ଆଶା କରୁଛି ଯେ ତିନିଟାଦିନ ବେଶ୍‌ ଉପଭୋଗ୍ୟ ହେବ ।

 

କଫି ପିଇସାରି ଟାକ୍ସି ଧରି ଫେରିବାକୁ ଯାଉଥିବାବେଳେ ରେସ୍ତୋରାଁ ସମ୍ମୁଖରେ ତା’ ନାମ ଧରି ପାଖକୁ କେହି ଡାକିନେଲା, ମୁହଁ ଫେରାଇ ଅଙ୍କିତକୁ ସେଠାରେ ଦେଖି କହିଲା ଅନଙ୍ଗ, ‘ଏ ବିଗ୍‌ ସରପାଇଜ୍‌... ଆରେ ତୁ ପରା କଲିକତାରେ ଥିଲୁ ?’

 

-‘ଏବେ ଏଇ ଓଡ଼ିଶାରେ । ସେନାବାହିନୀ ଡାକ୍ତର ଚାକିରି ଛାଡ଼ି ଚାଲି ଆସିଛି । ଗୋଟେ କାମରେ ଯାଇଥିଲି ଭାଇଜାଗ । ଫେରିଲି ସପ୍ତାହେ ପହଞ୍ଚିବା ପରେ ଇସ୍ତଫା ପତ୍ର ପଠାଇ ଦେଇଛି ।

 

ଏ ବେଶ ଭଲ ଲାଗୁଛି ଶୁଣିବା ପାଇଁ । ତୋ ସହିତ ଦେଖା ହେବ, ଆମେ ସମୟ ପାଇବା ମସ୍ତି କରିବା ପାଇଁ... ।’ କହିଲା ଅନଙ୍ଗ ।

 

-‘ତା’ହେଲେ କଲେଜଦିନଗୁଡ଼ାକ ତୁ ଭୁଲି ଯାଇନୁ । ତୁ ସନା ବି.କମ୍‌ କରି ମ୍ୟାନେଜମେଣ୍ଟ କଲୁ । ମୁଁ କିନ୍ତୁ ସେଇ ମେଡ଼ିକାଲ କଲେଜରେ ପାଞ୍ଚବର୍ଷ କଟାଇ ଦେଲି... । ତା’ ପରେ ପୁଣି ଚଣ୍ଡିଗଡ଼ ଗଲି ଆଉ ତିନିବର୍ଷ ପାଇଁ । ଏଇ ସମୟରେ ତୁ ତ ଲକ୍ଷପତି ହୋଇଯାଇଛୁ ।’

 

-‘ରିଟେଲ ମାର୍କେଟିଂରେ ପ୍ରବେଶ କରିଛି । ଦି ୱାଲ୍‌ର୍ଡ ଲୁକ୍‌ସ ଓ୍ୱାଣ୍ଡରଫୁଲ । କିନ୍ତୁ ଭାଇ ବିଦେଶ ବୁଲି ବୁଲି ଗୋଡ଼ ଥକି ଗଲାଣି । ଉପାର୍ଜନ ଭଲ ଯେ ଫୁରୁସତ୍‌ଗୁଡ଼ାକୁ ବିକ୍ରି କରିଦବାକୁ ହେଉଛି ।’ କହିଲା ଅନଙ୍ଗ ।

 

‘ତୁ ମନିମେକିଂ ମେସିନ୍‌ରେ ପରିଣତ ହୋଇଯାଇଛୁ ଦେଖୁଛି । ଲେଟ୍‌ ଅସ୍‌ ସ୍ପେଣ୍ଡ ସମ୍‌ଟାଇମ୍‌ ଟୁଗେଦର ।’ କହିଲା ଅଙ୍କିତ ।

 

-‘OK. କିନ୍ତୁ ମୁଁ କଲିକତା ଯାଉଛି ଗୋଟେ କାମରେ । ଫେରିଲେ ଫୋନ୍‌ କରିବି ।

 

ଅଙ୍କିତ ପଚାରି ଦେଲା, ‘ଆରେ ତୁ କ’ଣ ନର୍ସିଂହୋମ୍‌ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବୁନି ?’

 

-‘ନା ଭାଇ ସମ୍ଭବ ହେବନି । ମୁଁ ଭାଇନା, ଭାଉଜଙ୍କଠାରୁ କ୍ଷମା ମାଗିନେବି ।’ ଅନଙ୍ଗ କହିଲା ।

 

ଅଙ୍କିତ ଗାଡ଼ି ଭିତରକୁ ପଶିବାବେଳେ କହିଲା, ୟା ପରେ ଆମ ଆସର ଜମିବ...। କିନ୍ତୁ ତୋ ବ୍ୟକ୍ତିଗତ ଜୀବନ କଥା କିଛି ତ କହିଲୁନି ? ସେଇପରି ବାଚେଲର ଅଛୁ ଲିଙ୍ଗରାଜଙ୍କ ଷଣ୍ଢ ପରି ଚରିବୁଲି ଚଳୁଛୁ ?’

 

ତା’ କଥା ନ ଶୁଣିବା ପରି ଚାଲିଗଲା ଅନଙ୍ଗ ।

 

ଅଙ୍କିତ ଫେରିଗଲା ଅତୀତକୁ ।

 

ମେଡ଼ିକାଲ କଲେଜରେ ପଢ଼ୁଥିବାବେଳେ ସେ ସହପାଠୀ ଥିଲା ପଦ୍ମଜାର । ସେଇଦିନୁ ତା’ ସହିତ ଘନିଷ୍ଠତା । କଲେଜ ଡ୍ରାମାରେ ସେ ଅଭିନୟ କରୁଥିଲାବେଳେ ଅଙ୍କିତ ଗୀତ ଗାଉଥିଲା-। ଈଶ୍ଵର ତାକୁ ଦେଇଥିବା ସୁଲଳିତ କଣ୍ଠ ଫିଟିଲେ ମହୁ ଝରୁଥିଲା ବୋଲି କହେ ପଦ୍ମଜା-। ଅବଶ୍ୟ ଅତି ଅଳ୍ପ ବୟସରୁ ଗୀତ ପ୍ରତି ଆକୃଷ୍ଟ ଅଙ୍କିତ । ସାତ ବର୍ଷରେ ସେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବାବେଳେ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପ୍ରଥମ ହୋଇଥଲା । ସେଇଦିନ ଥଲା ଶୁଭାରମ୍ଭ । ତା’ପରେ ସେ ସ୍କୁଲ ଓ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନରେ ଗୀତ ଗାଇ ଅନେକ ପୁରସ୍କାର ଓ ପ୍ରଶଂସାପତ୍ର ପାଇଛି । ଅବଶ୍ୟ ଡାକ୍ତରୀ ନ ପଢ଼ି ସେ ଯଦି ସଙ୍ଗୀତ ସାଧନା କରିଥାନ୍ତା ତେବେ ଏତେବେଳକୁ ଅନେକ ଖ୍ୟାତି ଅର୍ଜନ କରିଥାନ୍ତା । ରେଡ଼ିଓ ଓ ଟିଭିରେ ଗୀତ ଗାଇ ସାରା ରାଜ୍ୟରେ ଚହଳ ପକାଇଥାନ୍ତା । ତା’ର ପ୍ରିୟ ଶ୍ରୋତାମାନେ ଫ୍ୟାନ୍‌ କ୍ଲବ ଗଠନ କରିଥାନ୍ତେ ସହର ଓ ଗ୍ରାମରେ । କିନ୍ତୁ ଗୀତ ଛାଡ଼ି ନ ଥିଲେ ବି ସେ ଆଉ ବେଶୀ ସମୟ ଦେଇପାରୁନି । ସକାଳୁ ରାତି ପର୍ଯ୍ୟନ୍ତ ଚିକିତ୍ସା କରୁ କରୁ ସମୟ କେତେବେଳେ ଚାଲିଯାଏ ଜାଣି ପାରେନା ସେ । ଭଲ ସର୍ଜନଭାବେ ସୁନାମ ଅର୍ଜିଛି । ରୋଟାରୀ କ୍ଲବ, ଗ୍ରୀନ୍‌ପିସ୍‌ ଏବଂ ମିଉଜିକ୍‌ ସୋସାଇଟିର ସଭ୍ୟ ସେ । କିନ୍ତୁ ଏଇ ଗୀତ ଯୋଗୁହିଁ ସେ ଲୋକଙ୍କଠାରୁ ଅଧିକ ସ୍ନେହ ଶ୍ରଦ୍ଧା ପାଇଛି । ତା’ର ଆଲବମ୍‌ ରିଲିଜ ହୋଇଛି ଏବଂ ବେଶ୍‌ ଲୋକପ୍ରିୟ ହୋଇଛି । ସଙ୍ଗୀତ ମାଧ୍ୟମରେ ସେ ଅନେକ ମନ ଓ ହୃଦୟ ଜୟ କରିଛି । ସେମାନଙ୍କ ମଧ୍ୟରୁ ପଦ୍ମଜା ଅନ୍ୟତମା । ତିଳୋତ୍ତମା ତା’ର ସଙ୍ଗୀତରେ ପ୍ରଶଂସକ ଥିବାବେଳେ ତା’ ସହିତ ଅଙ୍କିତର ବିବାହ ହୋଇଥିଲା । ସେତେବେଳେ ତିଳେତ୍ତମା ଥିଲା ଅଧ୍ୟାପିକା । କିନ୍ତୁ ତିନିବର୍ଷରୁ ଅଧିକ ଟେକିଲାନି ସେମାନଙ୍କ ସମ୍ପର୍କ । ପରସ୍ପରଠାରୁ ଅଲଗା ହୋଇଗଲେ ଦୁହେଁ । ଭୁବନେଶ୍ଵର ବାହାରେ ଥିଲା କେଇବର୍ଷ । ସୈନ୍ୟବିଭାଗ ଚାକିରୀ ଛାଡ଼ି ଭୁବନେଶ୍ୱରରେ ଗୋଟିଏ ଖ୍ୟାତନାମା ହସ୍‌ପିଟାଲରେ ସେ ସର୍ଜନ ପଦରେ ଯୋଗ ଦେଇଛି । ଦିନେ ଭାଇଜାଗ୍‌ରୁ କୋଣାର୍କ ଏକ୍ସପ୍ରେସ୍‌ରେ ଆସୁଥିବାବେଳେ ହଠାତ୍‌ ପଦ୍ମଜା ସହିତ ହୁଏ ସାକ୍ଷାତ୍‍ । ସେଇଦିନ ଦିନକୁ ଦୁଇ ତିନିଥର ଫୋନ୍‍ ନ କଲେ ଖାଲି ଖାଲି ଲାଗେ ଅଙ୍କିତକୁ । ପଦ୍ମଜା ବି ଡେଣା ମେଲାଇ ପ୍ରଜାପତି ପରି ଉଡ଼ି ଆସିଛି ତା’ ପାଖକୁ । ଦୁହେଁ ପୂର୍ବ ବନ୍ଧୁତ୍ଵକୁ ଆଧାର କରି ନିକଟତର ହେବାରେ ଲାଗିଛନ୍ତି ।

 

ଦିନେ କଥା ପ୍ରସଙ୍ଗରେ ପଦ୍ମଜା କହିଦେଲା ଯେ ଦୁହେଁ ସବୁଦିନ ପାଇଁ ଯୋଡ଼ି ହୋଇଗଲେ ଏତେ ଛକାପଞ୍ଝା ନ ଥାନ୍ତା । ଅଙ୍କିତ ସେ ବିଷୟରେ ଅନେକ ଭାବିଥିଲା । ପୁଣି ଯେତେବେଳେ ପଦ୍ମଜା ତାକୁ ମନେପକାଇଦେଲା ଯେ ତା’ ପ୍ରସ୍ତାବ ଉପରେ ଏବେବି ଅଙ୍କିତ ନିରବ ରହିଛି, ସେତେବେଳେ ତା’ର ବେକ ଚାରିପାଖର ବାଳଗୁଡ଼ାକୁ ସଜାଡ଼ିବାକୁ ଯାଇ ଅଙ୍କିତ କହିଥିଲା, ‘ପାଖରେ ଥାଇ ଘସରା ଜୀବନ ବିତାଇବା ଅପେକ୍ଷା ପ୍ରତିଦିନ ନବବୃନ୍ଦାବନରେ କେଳି କରିବା ବେଶୀ ଆମୋଦଦାୟକ ।’ ପଦ୍ମଜା ଏକମତ ହୋଇଥିଲା । ପରିବାର ଭାଙ୍ଗି ନୂଆ ପରିବାର ଗଢ଼ିବା ଅପେକ୍ଷା ପରିବାରରେ ଥାଇ ବାଡ଼ ଡେଇଁବା ଅଭ୍ୟାସ ଅତ୍ୟନ୍ତ ଉଦ୍ଦୀପକ । ସେଇ ଉଦ୍ଦୀପନା ବଞ୍ଚିରହୁ ।

 

ସେଇଦିନଠାରୁ ଦୁହେଁ ପରସ୍ପରକୁ ଭେଟନ୍ତି ଏକାନ୍ତରେ ଗୋପନରେ । ଆଗକାଳର ଅସୁବିଧା ଆଉ ନାହିଁ । ହୋଟେଲ, ଗେଷ୍ଟହାଉସ୍‌ ସବୁ ଖୋଲିଗଲାଣି ଅନେକ ସଂଖ୍ୟାରେ । ରାସ୍ତାକଡ଼ରେ କେଳିକୁଞ୍ଜ ପାଇଁ ମୋଟେଲ ବି ଅନେକ । ଗାଡ଼ି ଧରି ଦୁହେଁ ତିନିଚାରି ଘଣ୍ଟା ବୁଲନ୍ତି ଆସନ୍ତି ମଝିରେ ମଝିରେ ନୂତନ ଜୀବନଶକ୍ତି ସଂଗ୍ରହ କରିବା ପାଇଁ ।

 

ଉଦ୍‌ଘାଟନ ଉତ୍ସବ ପାଇଁ ବର୍ଣ୍ଣାଢ଼୍ୟ ଆୟୋଜନ କରୁଛି ପଦ୍ମଜା । ସହରର ନାମୀ ଦାମୀ ସମ୍ଭ୍ରାନ୍ତମାନଙ୍କୁ ଆମନ୍ତ୍ରଣ କରିଛି । ନର୍ସିଂହୋମ୍‌ ଉଦ୍‌ଘାଟନ ସରିବା ପରେ ମନୋରଞ୍ଜନ କାର୍ଯ୍ୟକ୍ରମ । କଟକରୁ ନିମନ୍ତ୍ରିତ ହୋଇ ଆସିବେ ବଛା ବଛା ଶିଳ୍ପୀମାନେ । ସେମାନଙ୍କ ମଧ୍ୟରେ ତା’ ନାମ ବି ଅଛି । ପଦ୍ମଜାର ଅନୁରୋଧ ରକ୍ଷା କରି ରାଜି ହୋଇଛି ଅଙ୍କିତ । କିନ୍ତୁ ସେଇକଥା ଗୋପନ ରଖି ତା’ ନାମ କଳାଶ୍ରୀ ପରିଷଦର ଆର୍ଟିଷ୍ଟମାନଙ୍କ ମେଳରେ ରଖି ଦେଇଛି ଅଙ୍କିତ । ଉଦ୍‌ଘାଟନ ଉତ୍ସବର ଶେଷ କାର୍ଯ୍ୟକ୍ରମ ହେଉଛି କକ୍‌ଟେଲ ଓ ଡିନର୍ । ପଦ୍ମଜାର ବାପା କେତେବର୍ଷ ଏକ୍ସାଇଜ୍‌ କମିଶନର ଥିଲେ । ତାଙ୍କରି ପ୍ରସ୍ତାବ ଗ୍ରହଣ କରି କକ୍‌ଟେଲ ଆୟୋଜନ କରାଯାଇଛି । ‘କୋଣାର୍କ ଚ୍ଲାକ୍‌ ପାଗୋଡ଼ା’ଠାରୁ ଆରମ୍ଭ କରି ପ୍ୟାରିସ୍‌ ସାମ୍ପେନ ପର୍ଯ୍ୟନ୍ତ ସବୁ ପ୍ରକାର ପାନୀୟ ବ୍ୟବସ୍ଥା ହୋଇଛି । ଆଙ୍ଗ୍‍ଲୋଇଣ୍ଡିଆନ୍‌ କ୍ଲବର ମନୋନୀତ ନର୍ତ୍ତକୀ ‘ହେଲିନା’ ଏବଂ ସୋନି କ୍ୟାବାରେ ପରିବେଷଣ କରିବେ । ରାତି ବାଆରଟା କି ଗୋଟାଏ ଆଗରୁ ଯେ ଏ ପାଲା ଶେଷ ହେବ ନାହିଁ ସେ ବିଷୟରେ ନିଶ୍ଚିତ ଥିଲା ଅଙ୍କିତ । ତା’ ଗୀତ ଗାଇ ସାରିବା ପରେ କକ୍‌ଟେଲରେ କିଛି ସମୟ କାବାରେ ଦେଖି ସେ ହଜିଯିବ ବିଶେଷ ଗୋଟେ ଅପରେସନ ଅଛି ଏଇ ବାହାନାରେ । ପଦ୍ମଜାର ମନୋନୀତ ହୋଟେଲ ସୁଇଟ୍‌ରେ ସେ ପହଞ୍ଚିବା ପରେ ପରେ ପଦ୍ମଜା ଗୋଟେ ଡେଲିଭରି କେଶ୍‌ ଆଟେଣ୍ଡ କରିବା ପାଇଁ ଖସିଯିବ ପାନ ପର୍ବ ମଝିରେ । ଏଇ ଯୋଜନାଟା ଯେପରି ଉଦ୍ଦୀପକ ସେହିପରି ଉତ୍ତେଜକ ।

 

ଅଙ୍କିତର କାନ୍ଧ ଉପରେ ହାତ ରଖି କେହି ଯେପରି ହଲାଇଦେଲା । ସେ ଚମକି ପଡ଼ି ଚାହିଁଲା ପଛକୁ । ପଦ୍ମଜା ଛିଡ଼ା ହୋଇଥିଲା ତା’ ପଛରେ ।

 

‘ତମେ ଏଇଠି କ’ଣ କରୁଛ ?’ ପଚାରିଲା ପଦ୍ମଜା ।

 

ଏଇଠାରେ ଦେଖା ହୋଇଗଲା ଅନଙ୍ଗ ସହିତ । ଥ୍ୟାଙ୍କ୍‌ ଗଡ଼ । ସବୁ ଠିକ୍‌ ଚାଲିଛି । ଈଶ୍ଵର ଆମ ମନ କଥା ଶୁଣିଚନ୍ତି । ଉଦ୍‌ଘାଟନ ଉତ୍ସବ ଦିନ ଅନଙ୍ଗ ରହିବନି । ସେ କଲିକତା ଯାଉଚି ଅର୍ଜେଣ୍ଟ କାମରେ । ସେ ଥିଲେ ଅସୁବିଧା ହୋଇଥାନ୍ତା । ତା’ର ଛଞ୍ଚାଣ ଆଖିରୁ ମୁକୁଳି ଯିବା ସହଜ ନୁହେଁ । ମୁଁ ଭାବୁଥିଲି କେମିତି କ’ଣ କରିବି ବୋଲି । ମେଘନାଦ ପାଚେରୀ ସେ ପାଖରେ ମୋ ଗୁହାରି ପହଞ୍ଚିଲା । ନାଓ ରୋଡ଼ କ୍ଲିଅର ।

 

ହସିଲା ପଦ୍ମଜା ।

 

ଡୁ ୟୁ ଆଗ୍ରି ? ପଚାରିଲା ଅଙ୍କିତ ।

 

‘ତମେ ବଡ଼ ଚତୁର... କେହି ଡାଳେ ଡାଳେ ଗଲେ ତମେ ପତ୍ରେ ପତ୍ରେ ଯାଅ, ଆଉ ସିଏ ପତ୍ରେ ପତ୍ରେ ଗଲେ ତମେ ସିରାରେ ସିରାରେ ଯାଅ । ସତ ନା ?’ ପଦ୍ମଜା ଆଖିତଳେ ଦୁଷ୍ଟ ହସର ଆଭାସ ଦେଇ କହିଲା ।

 

ଅଙ୍କିତକୁ ନିଜ ଗାଡ଼ି ପାଖକୁ ଟାଣିଆଣି କହିଲା, ଆଉ ଯୋଡ଼ାଏ ଛଞ୍ଚାଣ ଆଖି ତଥାପି ମୋତେ ଖୋଜୁଥିବ... ମୋ ଗତିବିଧ ନିରୀକ୍ଷଣ କରୁଥିବ । କିନ୍ତୁ ସେ ଯେପରି ଫଙ୍କ୍‌ସନ୍‌ ଚାଲୁଥିବାବେଳେ ଗୋଟେ ଜରୁରୀ ଡାକରା ପାଇ କ୍ଷମା ପ୍ରାର୍ଥନା କରି ବାହାରିଯିବେ । ଫେରିବେ ଅଧ ରାତିରେ, ଏଠାକୁ ନୁହଁ, ଘରକୁ ।

 

ସେ କିଏ କହିଲା ନି ଜମା !

 

ଉତ୍ତର ଦେଲାନି ପଦ୍ମଜା । କେବଳ ରହସ୍ୟମୟ ହସ ଧାରେ ଖେଳିଗଲା ତା’ ଓଠ ଉପରେ ।

 

(ତେଏର)

 

ବିଶ୍ୱାସ ଅଛି ବୋଲି ସମ୍ପର୍କର ସେତୁ ନିର୍ମାଣ ଚାଲିଛି । କେତେ ହଜାର ପୂର୍ବେ ସେତୁବନ୍ଧ ବାନ୍ଧିଥିଲେ ଶ୍ରୀରାମଚନ୍ଦ୍ର । କେବଳ ସୀତାଙ୍କୁ ରାବଣର ଅଶୋକ ବନରୁ ଉଦ୍ଧାର କରିବା ପାଇଁ ଏ ବନ୍ଧ ନିର୍ମାଣ କରି ନ ଥିଲେ ସେ । ସମ୍ପର୍କର ସେତୁ ଗଢ଼ିବା ଥିଲା ଉଦ୍ଦେଶ୍ୟ । ଦୁଇଟି ଦେଶକୁ ଯୋଡ଼ିବା ସହିତ ଅସଂଖ୍ୟ ମନ ଓ ହୃଦୟକୁ ଯୋଡ଼ିବା ପାଇଁ ଏଇ ବନ୍ଧ ବ୍ୟବହୃତ ହୋଇଛି-। ଅସଂଖ୍ୟ ମଣିଷ ଏଇ ବାଟ ଦେଇ ଯିବା ଆସିବା କରିଛନ୍ତି । ଦୁଇଟି ଦେଶ, ଦୁଇଟି ଜାତି ଓ ବିଭିନ୍ନ ଧର୍ମ ଓ ସଂସ୍କୃତି ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଛି । ଜଣେ ମଣିଷ, ଆଉ ଜଣକୁ ବିଶ୍ୱାସ କରେ ବୋଲି ସମ୍ପର୍କ ଗଢ଼ିଉଠେ । ଯେଉଁଦିନ ଏଇ ବିଶ୍ଵାସ ତୁଟିଯିବ ସେଇଦିନ ସମ୍ପର୍କ ବି ସମାପ୍ତ ହେବ । ସେଇ ବନ୍ଧ ବର୍ତ୍ତମାନ ସମୁଦ୍ରଗର୍ଭରେ ରହିଛି ବୋଲି କ’ଣ ସମ୍ପର୍କର ସେତୁ ଭାଙ୍ଗିଯିବ ?

 

ମୈତ୍ରେୟୀ ସମସ୍ତଙ୍କୁ ବିଶ୍ଵାସ କରି ଆସିଚନ୍ତି ବୋଲି ଅବିଶ୍ଵାସର ଟେର୍‍ ପାଇଲେ ବ୍ୟାକୁଳ ବ୍ୟସ୍ତ ହୁଅନ୍ତି । ଅନ୍ତର ଭିତରଟା ମନ୍ଥି ହୋଇଯାଏ । ଅଣ୍ଡାଳି ବୁଲନ୍ତି ହାତରେ ଦୀପଟିଏ ଧରି ବିଶ୍ୱାସକୁ ଠାବ କରିବା ପାଇଁ । ଭାସ୍ଵତୀ ପ୍ରତି ବିଶ୍ୱାସଘାତକତା କରିଛି ବିଶ୍ୱମୋହନ । ସରଳାର ବିଶ୍ଵାସ ଭାଙ୍ଗି ଦେଇଛି ମାଧବ ।

 

ସେଇପରି ଆଉଗୋଟେ ବିପର୍ଯ୍ୟୟ ଦେଖିବ। ପାଇଁ ସାହସ ହେଉନି ମୈତ୍ରେୟୀଙ୍କର । ସେଦିନ ଆଲୁଅର ଖେଳପରି ପଦ୍ମଜାର ରଙ୍ଗଢଙ୍ଗ ତାଙ୍କୁ ଆଦୌ ଭଲ ଲାଗି ନ ଥିଲା । ଅଙ୍କିତ ସାଙ୍ଗରେ ଏତେ ଘନିଷ୍ଠତା ବି ଶୋଭନୀୟ ନୁହେଁ । ସେ କଲେଜ ସାଙ୍ଗ କିନ୍ତୁ ଜୀବନ ସାଙ୍ଗ ଆଉ ଜଣେ । ସେଇଦିନୁ ମନଟା ଗୁରୁ ଗୁରୁ ହେଉଛି । ସଂଶୟ ଉଙ୍କି ମାରୁଚି ମନର କୋଣ ଅନୁକୋଣରୁ-। ପଦ୍ମଜା ମନର ଏଇ ପତନକୁ ପ୍ରତିରୋଧ କରିବାକୁ ତାଙ୍କର ଧର୍ମଭାବି ସେ ବି ଗୋଟେ ପ୍ଲାନ ପ୍ରସ୍ତୁତ କରିଥିଲେ ।

 

ସକାଳଠାରୁ ଏଥରକୁ ମିଶାଇ ତିନିଥର ଫୋନ୍‍ ଆସିଲାଣି । ରିସିଭର ଉଠାଇ ନେଇ ହାଲୋ କହିଲା କ୍ଷଣି କଟିଯାଉଛି ବା ସେ ପାଖରୁ ଟେଲିଫୋନ୍‌ ଛାଡ଼ି ଦବା ପରି ଲାଗୁଛି । ଆଉଥରେ ରିଂ ହେଲା । ବାଜି ଚାଲିଲା । ବିରକ୍ତ ଲାଗୁଥିଲେ ମଧ୍ୟ ମୈତ୍ରେୟୀ ଉଠିଯାଇ ରିସିଭରଟା ଉଠାଇ ନେଲେ ଏବଂ ତା’ ଆଗରୁ ଯେ ଟାଇ ଲାଇନ ଫୋନ୍‌ଟା ଆଉ କିଏ ଉଠାଇ ଦେଇଛି ତାହା ସେ ଜାଣିପାରିଲେ ସେ ପାଖରୁ ଗୋଟେ ସ୍ୱର ଶୁଣାଯିବା କ୍ଷଣି ।

 

ସେ କହୁଥିଲା, ‘ତମର ପ୍ଲାନଟା ଯେ ଏମିତି ଫସର ଫାଟିଯିବ ମୁଁ କ’ଣ ଜାଣିଥଲି ? ମୋତେ ଲାଗୁଛି ହୋଟେଲରେ ସେଇ ରିସେପ୍‌ସନିଷ୍ଟ ବା ଅନ୍ୟକେହି ଆମ ପ୍ଲାନ୍‌ଟାର ଫର୍ଦ୍ଦାଫାଶ କରି ଦେଇଥିବ ।’

 

ଏ ପାଖରୁ କହିଲା - ‘ମୁଁ ତ ବୁଝିପାରୁନି ଏ ଯାଏ, କିମିତି ଏମିତି ହେଲା ।’

 

ପଦ୍ମଜା ଯେ ଏ ପାଖରୁ କଥା କହୁଥିଲା ସ୍ପଷ୍ଟ ଜାଣିଗଲେ ମୈତ୍ରେୟୀ ।

 

କାହାରି ଟେଲିଫୋନ୍‌ କଥା ଶୁଣିବା ପାଇଁ ଆଗ୍ରହ ନାହିଁ ତାଙ୍କର । ଅନ୍ୟର ଗୋପନୀୟତା ଉଦ୍‌ଘାଟନ କରିବା ମାନସିକତା ମଧ୍ୟ ନାହିଁ ତାଙ୍କର । ତଥାପି କାହିଁକି କେଜାଣି ଟେଲିଫୋନ୍‍ର ପାରଲାଲ ରିସିଭରଟା କାନ ପାଖରେ ରଖି ଶୁଣିବାକୁ ଲାଗିଲେ-

 

-‘କାବାରେ ଜମି ଉଠୁଥିଲା । ସେତେବେଳେ ଚାଲିଗଲେ କାହାରି ଦୃଷ୍ଟି ପଡ଼ିବ ନାହିଁ ଭାବି ମୁଁ ଗୋଟେ ଅପରେସନ ଅଛି କହି ଖସି ଯାଇଥିଲି । ହୋଟେଲରୁ ବାହାରିଯିବା ମୋତେ ନିଶ୍ଚୟ କେହି ଦେଖିଥିବେ । କିନ୍ତୁ ମୁଁ ଗାଡ଼ି ଟିକେ ଦୂରରେ ରଖିଦେଇ ସାଧାରଣ ଆଗନ୍ତୁକ ପରି ଅନ୍ୟବାଟ ଦେଇ ଚାଲିଆସିଲି ଲିଫ୍ଟ ପାଖକୁ...

 

-‘ଆଉ ସମସ୍ତେ କାବାରେ ନାଚ ଦେଖି ପିଉଥିବାବେଳେ ମୁଁ ଅର୍ଜେଣ୍ଡ ଡେଲିଭରି ଗୋଟାଏ ଅଛି କହି ଖସି ଆସିଥିଲି, ତମେ ଯିବାର ପନ୍ଦର ମିନିଟ୍‌ ପରେ । ମୋ ଉପରେ କାହାରି ନଜର ନ ଥିଲା । ଅନଙ୍ଗ ତ କଲିକତାରେ । ସରୋଜ ବ୍ୟସ୍ତ ଥିଲେ ଅତିଥିମାନଙ୍କୁ ନେଇ... ତଥାପି କିଏ ଯେ ଆମ ମନ କଥାର ଟେର୍‍ ପାଇ ଆଗରୁ ରୁମ୍‌ ରିଜରର୍ଭେସନଟା କ୍ୟାନସେଲ୍‌ କରି ଦେଇଥିଲା ମୁଁ ଜାଣିପାରିଲି ନାହିଁ... ।’

 

ରିସିଭରଟା ରଖି ଦେଲେ ମୈତ୍ରେୟୀ । ଆଉ ଶୁଣିବା ପାଇଁ ଇଚ୍ଛା ନ ଥିଲା । ସେ ବରଂ ଛିଣ୍ଡା ଖିଅ ଦୁଇଟିକୁ ଯୋଡ଼ିବା ପାଇଁ କିଛି ଉପାଦାନ ପାଇଗଲେ ।

 

ଉଦ୍‌ଘାଟନ ଉତ୍ସବ ଦିନ ଠିକ୍‌ ଚାରିଟାବେଳେ ହୋଟେଲରୁ ଟେଲିଫୋନ୍‍ ଆସିଥିଲା । ସେତେବେଳକୁ ଘରୁ ବାହାରି ଯାଇ ସାରିଥିଲେ ସରୋଜ ଆଉ ପଦ୍ମଜା । ମନୋଜ କହି ଯାଇଥିଲେ ଯେ ସେ ୟୁନିଭରସିଟିରୁ ସିଧା ଆସି ଫଙ୍କ୍‌ସନରେ ଯୋଗ ଦେବେ । ଅପୁ ତ ସକାଳୁ ଜଳଖିଆ ଖାଇ ଯାଇଥିଲା ଉଦ୍‌ଘାଟନ ଉତ୍ସବ କାମରେ । ବାହାରେ ଖାଇନେଇଥିବ ସେ । ସେ ଏକାଥିଲେ ଘରେ । ହୋଟେଲ ବୁକିଂ କରୁଥିବା ବ୍ୟକ୍ତି ବୋଧହୁଏ ବୁକିଂ କନ୍‌ଫର୍ମ କରିବ କି ନାହିଁ ସେ ବିଷୟରେ ଆଉଥରେ ଜାଣିବା ପାଇଁ ପଚାରିଥିଲା ରୁମ୍‌ ବୁକିଂ କରିବା ସମ୍ପର୍କରେ । ସେଇଟା ପକ୍କା କି ନୁହେଁ ସେ ଜାଣିବା ପାଇଁ ଚାହୁଁଥିଲା । ପୂର୍ବାପର ସମ୍ପର୍କ କିଛି ଜାଣି ନ ଥିଲେ ମୈତ୍ରେୟୀ । ହୋଟେଲରେ ତ କେହି ରହିବାର ନାହିଁ । ବାପା ମା’ ଓ ଭାଇ ଭଉଣୀମାନଙ୍କୁ ପଦ୍ମଜା ଆଉ ଗୋଟେ ହୋଟେଲରେ ରଖୁଛି । ପଦ୍ମଜା ବା ସରୋଜ ଘରେ ଥିଲେ ପଚାରିଥାଆନ୍ତେ ମୈତ୍ରେୟୀ । କିନ୍ତୁ ସେମାନଙ୍କ ଅବର୍ତ୍ତମାନରେ ସେ କହିଲେ “ନା ଆଉ ରୁମ୍‌ ଦରକାର ନାହିଁ । କ୍ୟାନସେଲ୍‌ କରିଦିଅନ୍ତୁ ।’’

 

ଆଜି ସେ ବୁଝୁଛନ୍ତି ସେ ସେଇ କୋଠରୀଟା ପଦ୍ମଜା ବୁକ୍‌ କରିଥିଲା ନିଜ ପାଇଁ । ଅଙ୍କିତକୁ ନ ହେଲେ ଆମନ୍ତ୍ରଣ ଜଣାଇ ନ ଥାନ୍ତ। ରାତିରେ ଏକାନ୍ତରେ ସେଇ କୋଠରୀରେ ଭେଟିବା ପାଇଁ । ଭାବିବା କ୍ଷଣି ତାଙ୍କ ଦେହରୁ ଝାଳ ବହିଗଲା । ମଥାଟା ଝିମ୍‌ଝିମ୍‌ କଲାପରି ଲାଗିଲା । ସେ ମଥାରେ ହାତ ଜାକି ବସି ପଡ଼ିଲେ ଚୌକି ଉପରେ ଏବଂ ତାଙ୍କ ତୁଣ୍ଡରୁ ବାହାରିଗଲା - ‘ହେ ଭଗବାନ !’

 

ଆଉ କିଛି ଭାବିବା ପାଇଁ ସାହସ ହେଉ ନ ଥିଲା ତାଙ୍କର । ହୀରାକୁଦର ବନ୍ୟା ପାଣି ଧାଇଁ ଆସୁଛି କଟକ ଆଡ଼କୁ । ସବୁ ସ୍ଳୁଇସ୍‌ ଗେଟ୍‌ଗୁଡ଼ାକୁ ଖୋଲି ଦିଆଯାଇଛି । ଏଇ ପ୍ରବଳ ପ୍ରବାହରେ କୁଟାକାଠି ପରି ଭାସିଯାଏ ମଣିଷ । ଇସ୍‌ !

 

ସେ ବିଶ୍ଵାସ କରିପାରୁ ନ ଥିଲେ ଯେ ଏଇ ଘଟଣା ସତ୍ୟ । କିନ୍ତୁ ତାଙ୍କ ବିଶ୍ଵାସ ବା ଅବିଶ୍ୱାସ ଉପରେ ଏଇ ଘଟଣାର ସତ୍ୟତା ନିର୍ଭର କରେନାହିଁ । ହୁଏତ ବନ୍ଧଟା ଭୁଷୁଡ଼ି ପଡ଼ିନାହିଁ । ବନ୍ୟାଜଳର ପ୍ରକୋପରୁ ରକ୍ଷା ମିଳିଯାଇଛି ଗେଟ୍‌ଗୁଡ଼ାକୁ ଖୋଲିଦବା ପରେ । ରକ୍ଷା ପାଇଁ ଯାଇଛନ୍ତି ବନ୍ଧ ତଳ ଦେଶରେ ଥିବା ଅଗଣିତ ମଣିଷ । ବନ୍ୟା କବଳରୁ ରକ୍ଷା ପାଇଯାଇଛି ଅସଂଖ୍ୟ ମଣିଷ ଓ ବାସସ୍ଥାନ ।

 

ସେ କାନ୍ଥ ଆଡ଼କୁ ଚାହିଁଲେ । ଜଗନ୍ନାଥ ମହାପ୍ରଭୁଙ୍କ ଫଟୋ ରହିଥିବା କ୍ୟାଲେଣ୍ଡରଟା ଝୁଲୁଥିଲା କାନ୍ଥରେ । ସେ ସେଇ ଚକା ଆଖିକୁ ଚାହିଁ ରହିଲେ ଅନେକ କ୍ଷଣ । ତା’ପରେ ଝରିପଡ଼ିଲା କେତେ ବୁନ୍ଦା ଲୁହ । ପୋଛି ଦେଲେନି ମୈତ୍ରେୟୀ । ପ୍ରଭୁ ଦେଖନ୍ତୁ ତାଙ୍କ ଆଖୁର ଲୁହ, ଅନୁଭବ କରନ୍ତୁ ତାଙ୍କ ଅନ୍ତଃସ୍ଥଳର କୋହ । କାନ୍ଦିବା ପାଇଁ ଇଚ୍ଛା ହେଉଥାଏ । କେହି ଯେପରି ତାଙ୍କୁ କହିଲା ତୋ ଦାୟିତ୍ଵରେ ଏଇ ଦୁର୍ଗା ତୁ ଦୁର୍ଗରକ୍ଷା କରିବା ପରିବର୍ତ୍ତେ ଯଦି ହାରିଯାଉ ରଣକ୍ଷେତ୍ରରେ ତେବେ ଦୁର୍ଗପତନ ସୁନିଶ୍ଚିତ !

 

ସେଇ ବାଣୀ ତାଙ୍କୁ ସଜାଗ ଓ ସାଷ୍ଟାମ୍‍ କରିଦେଲା । ସେ ନିଜକୁ ସଜାଡ଼ି ନେଲେ ଏବଂ ଶୀଘ୍ର ଶୀଘ୍ର ବାଥରୁମ୍‌ ଭିତରକୁ ପଶିଯାଇ ମୁହଁ ଧୋଇ ଲୁଗା ବଦଳାଇ ଫେରି ଆସିଲେ ।

 

ମନକୁ ଦୃଢ଼ କଲେ । ସାହସ ପୁଣି ଫେରି ଆସିଲା । ସେ ସଂକଳ୍ପ କଲେ ପ୍ରତିକୂଳତା ସାମ୍ନା କରିବା ପାଇଁ ।

 

ଟେଲିଫୋନ୍‍ ବାଜି ଉଠିଲା ।

 

ରିସିଭରଟାକୁ ଉଠାର ନେଇ କହିଲେ ମୈତ୍ରେୟୀ, ‘ହ୍ୟାଲୋ !’

 

-‘ମୁଁ ବାଣୀ କହୁଛି । ତମକୁ ଡିଷ୍ଟର୍ବ କରି ନାହିଁ ତ ?”

 

-‘ନା ନାନୀ ! ଆପଣଙ୍କ ସହିତ କଥା ହେବା ତ ଆନନ୍ଦର ବିଷୟ !’

 

-“ଆରେ ତମେ ପୁଣି ଆପଣ ଆଜ୍ଞା କରୁଛ । ତମେ ମୋ ସାନ ଭଉଣୀ ! ମୁଁ ବଡ଼ । ଆପଣ ଆଜ୍ଞା ଥାଉ । କୁହ ତ କ’ଣ କରୁଛ ? ଯଦି ଫ୍ରି ଥାଅ ଆସୁନ ମୋ ଘରକୁ ଟିକେ ବୁଲିଯିବ । ଗଳ୍ପ କରିବା । ହଠାତ୍‌ ଏକାକୀ ବସିଥିବାବେଳେ ତମ କଥାହିଁ ମନେପଡ଼ିଲା । ଆସିବ ?’

 

ଅନେକ କାମ ଥିଲା ହାତରେ । ସରଳା ହସ୍ପିଟାଲରୁ ଆସିଛି । ତାକୁ ଦେଖି ଆସିବା ପାଇଁ କନ୍ୟାଶ୍ରମକୁ ଯିବାର ଥିଲା । ସେ କାମପାଇଁ ଆଜି ଆଉ ସମୟ ହେବ ନାହିଁ । ମନୋଜ ଫେରିଆସିବା ବେଳ ହେଲାଣି । କୁନ୍ତଳାକୁ କହିଯିବେ ତାଙ୍କୁ ଚା’ ଜଳଖିଆ ଦବା ପାଇଁ । ଭାସ୍ଵତୀଙ୍କ ହେପାଜତରେ ରହିବେ ଆନନ୍ଦ ଓ ମିତା । ସେମାନଙ୍କ ଶିକ୍ଷକ ଆସିବେ ସଂଧ୍ୟାବେଳେ । ତାଙ୍କୁ ଚା’ ଜଳଖିଆ ଦବାକୁ ହେବ । ସରୋଜ ଆଉ ପଦ୍ମଜା ଫେରୁ ଫେରୁ ରାତି ହେବ । ସେତେବେଳକୁ ସେ ହୁଏତ ବାଣୀଙ୍କ ଅପାଙ୍କ ଘରୁ ଫେରି ଆସିଥିବେ ।

 

ଗୋଟେ ଅଟୋ ନେଇ ବାହାରିଗଲେ ମୈତ୍ରେୟୀ ।

 

ବାଣୀ ଅପେକ୍ଷା କରିଥିଲେ । ତାଙ୍କୁ କୁଣ୍ଢାଇ ପକାଇ କହିଲେ, ‘ମୈତ୍ରେୟୀ ତମକୁ ଦେଖିଲା କ୍ଷଣି ମୋ ସାନ ଭଉଣୀ କଥା ମନେପଡ଼େ । ରୀନା ବର୍ତ୍ତମାନ ଷ୍ଟେଟ୍‌ସରେ । ସେଇଠି ରେସିଡ଼େଣ୍ଟ ହୋଇ ରହିଗଲା । ସ୍ଵାମୀ ବି ଆମେରିକାର ସିଟିଜେନ । କିନ୍ତୁ ସାହେବ ନୁହଁନ୍ତି ଭାରତୀୟ । ଉତ୍ତର ପ୍ରଦେଶର ନବୀନ ସାରସ୍ଵତ । ବାପା, ମା’ ଆଉ ନାହାଁନ୍ତି । ଭାଇ ତ କାଶ୍ମୀର ଯୁଦ୍ଧରେ ନିହତ ହେଲା । ସେ ବଞ୍ଚିଥିଲେ ଏତେବେଳକୁ ମେଜର ଜେନେରାଲ ହୋଇଥାନ୍ତା । ଆରେ ! ଦେଖୁଛ, ତମକୁ ଦେଖିବା କ୍ଷଣି କେବଳ ଗପିଚାଲିଛି...।’ ତୁମ କଥା ଶୁଣି ନାହିଁ । କେଡ଼େ ଅଭଦ୍ରାମି... ।’

 

-‘ନା ମ’ ! ନାନୀ ତମ କଥା ଶୁଣିବା ପାଇଁ ମତେ ଖୁସି ଲାଗେ । ତମକୁ ଦେଖିବା ଦିନୁ ମୋ ଭିତରେ ଗୋଟେ ଅନୁଭବ ଜନ୍ମିଯାଇଛି ଯେ ତମେ ମୋର ଏକାନ୍ତ ଆପଣାର ! ଶୁଭକାଂକ୍ଷୀ, ହିତୈଷୀ ! ମୋତେ ଆହୁରି ଖୁସି ଲାଗୁଚି ଏଇଥି ପାଇଁ ଯେ ତମେ ମହିଳା କମିଶନର ଅଧ୍ୟକ୍ଷା । ଏ ସମ୍ମାନ ଆମ ସମସ୍ତଙ୍କର ।’

 

-‘ତମ ନଣନ୍ଦ ବିଷୟ କମିଶନ ପରସ୍ୟୁ କରୁଛନ୍ତି । ବିଶ୍ୱମୋହନକୁ ନୋଟିସ୍‌ ଦିଆଯାଇଛି କାରଣ ଦର୍ଶାଇବା ପାଇଁ । କିନ୍ତୁ ତମେ ଯାହା କୁହ ଆମ ମହିଳାମାନଙ୍କର ଲଢ଼ିବା ପାଇଁ ସାହସ ନାହିଁ । ମଇଦାନ ଛାଡ଼ି ଚାଲିଗଲେ ଶତ୍ରୁ ମାଡ଼ି ବସିବ । ଭାସ୍ଵତୀ ଲଢ଼ୁ, ଚୁପ୍‌ ହୋଇ ସତୀସୀଧ୍ଵୀଙ୍କ ପରି ବସି ରହିଲେ ପୃଥିବୀର ସବୁ କଷଣ ସହିବାକୁ ହେବ । ମନେଅଛି ତ ! ରାବଣ କବଳରୁ ସୀତାଙ୍କୁ ମୁକ୍ତ କରିବା ପରେ ସସମ୍ମାନେ ତାଙ୍କୁ ସ୍ଵାଗତ କରିବା ପୂର୍ବରୁ ସୀତାଙ୍କୁ ଅଗ୍ନି ପରୀକ୍ଷା ଦବା ପାଇଁ ଶ୍ରୀରାମଚନ୍ଦ୍ର କହିଥିଲେ ଲୋକାପବାଦରୁ ରକ୍ଷା ପାଇବା ପାଇଁ । ହୁଏତ ଏୟା ଠିକ୍‌ ଥିଲା । କିନ୍ତୁ ସୀତାଙ୍କ ପାତିବ୍ରତ୍ୟ କ’ଣ ସଂଶୟର ବିଷୟ ?’

 

-‘କାଳେ କାଳେ ମହିଳାମାନେ କେବଳ ସହି ଆସିଚନ୍ତି ନାନୀ । ପ୍ରତିବାଦ କରିନାହାଁନ୍ତି, ପ୍ରତିରୋଧ କରିନାହାଁନ୍ତି । କେବଳ ଅନ୍ଧାର କୋଣରେ ବସି ବସି କାନ୍ଦିଲେ ସବୁ ଠିକ୍‌ ହୋଇଯିବ ?

 

-‘ତମେ ଠିକ୍‌ କହିଛ । କିନ୍ତୁ ଏଇ ଅଭାବନୀୟ ଅବସ୍ଥାରୁ ନିଷ୍କୃତି ପାଇବା କ’ଣ ଅସମ୍ଭବ-? ନା, ମୁଁ କହିବି ସମ୍ଭବ । ନାଭିରେ କସ୍ତୁରୀ ଥିବା ନ ଜାଣି ମୃଗ ଯେପରି ଜଗତ ଭ୍ରମୁଥାଏ ସେଇ ମହକ ଖୋଜି ଖୋଜି, ନାରୀମାନେ ଯେ ସ୍ଵୟଂସିଦ୍ଧା ଏହା ଜାଣି ମଧ୍ୟ ଶକ୍ତିର ଉତ୍ସ କେଉଁଠି ଖୋଜୁ ଖୋଜୁ ସମୟ କଟିଯାଏ ସେମାନଙ୍କର । ବସୁମତୀ ପରି ସବୁ କଷଣ, ନିର୍ଯ୍ୟାତନା, ଅବିଚାର ସହି ମାଟି କାମୁଡ଼ି ପଡ଼ି ରହନ୍ତି... ।” କହିଲେ ବାଣୀ ।

 

‘କିନ୍ତୁ ନାରୀମାନେ ଯଦି ଆତ୍ମ ସମର୍ପଣ କରିବା ପାଇଁ ଝାସ ଦିଅନ୍ତି ଅଗ୍ନିରେ ଯେପରି ପତଙ୍ଗ ଝାସ ଦିଏ ତେବେ ସେ କେବେ ବନ୍ଧନ ମୁକ୍ତ ହୋଇପାରିବ ନାହିଁ । ପ୍ରଥା, ପରମ୍ପରା, ପୁରୁଷ ତିଆରି କରିଥବା ବିଧିବିଧାନ ଭାଙ୍ଗିବାକୁ ପଡ଼ିବ । ଆତ୍ମବିଶ୍ଵାସ ଏବଂ ଚାରିତ୍ରିକ ଶକ୍ତି ନ ଥିଲେ ନାରୀମାନେ ତାହା କରିପାରିବ ନାହିଁ ।’’

 

-‘ମୁଁ ଏକ ମତ ତୁମ ସହିତ । ପୁରୁଷ ମୟୂର ପରି ମୟୂରୀକୁ ମୋହିତ କରି କାମ ଆଦାୟ କରିନିଏ । କିନ୍ତୁ ଠିକଣା ସମୟ ପୂର୍ବରୁ ଯଦି ନାରୀ ପୁରୁଷ ଫାନ୍ଦରୁ ମୁକୁଳି ଯାଏ ତେବେ ପୁରୁଷ ତା’ ପଛେ ପଛେ ଗୋଡ଼ାଇବ ।’

 

ଅନେକ ସମୟ ଧରି ନାରୀ ମୁକ୍ତି ପ୍ରସଙ୍ଗରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ହେଲା । ବାଣୀ କହିଲେ ବିବାହଟା ଅପରିହାର୍ଯ୍ୟ ନୁହେଁ । ଯଦି ଜୈବିକ ପ୍ରକ୍ରିୟାର ପୂର୍ଣ୍ଣତା ପାଇଁ ନାରୀ ଓ ପୁରୁଷ ବିବାହ କରୁଥାନ୍ତି ତେବେ ବିବାହ ନ କରି ମଧ୍ୟ ତାହା କରିପାରିବେ । ଆମ ଦେଶରେ ଏଇ ଧାରା ଚଳିନି ଏଯାଏ, କିନ୍ତୁ ବନ୍ଧୁ ପରି ଜୀବନ କଟାଇବା ପାଇଁ ଯଦି ଜଣେ ପୁରୁଷ ଆଉ ନାରୀ ରାଜି ତେବେ କ୍ୟା କରେଗା କାଜି ?”

 

ହସି ଦେଲେ ଦୁହେଁ । କିନ୍ତୁ ସମଲିଙ୍ଗୀ ପାରିବାରିକ ଜୀବନ ଅପ୍ରାକୃତିକ, ଅନୈତିକ ଏବଂ ଅସଭ୍ୟତା । ଏହା ମୁକ୍ତ ଭୋଗର ସବୁଠାରୁ ଜଘନ୍ୟତମ ବିଷୟ ।

 

ନିଜ ହାତ ତିଆରି ଭେଜିଟେବୁଲ ସୁପ୍‌, ସ୍ୟାଣ୍ତଉଇଚ୍‌ ଏବଂ ଆଳୁଚିପ୍‌ସ ବାଢ଼ି ନେଇ ବାଣୀ କହିଲେ “ତମକୁ ଭୋକ କରୁଥିବ, ମୋତେ ବି ଭୋକ କଲାଣି । ଆସ ଏସବୁର ସଦ୍‌ବ୍ୟବହାର କରିବା । କିନ୍ତୁ ମୁଁ ତ ଶାକାହାରୀ, ସେଥିପାଇଁ ତମ ପାଇଁ ଚିକେନ ସୁପ୍‌, ଚିକେନ ରୋଲ୍‌ ବା ଚିଲ୍ଲୀ ଚିକେନ୍‌ କରିପାରିନି ।’’

 

-‘‘ନା, ନା ନାନୀ । ମୁଁ ଯଦିବା ଆମିଷ ଖାଏ ତେବେ ନିରାମିଷ ଖାଇବା ପାଇଁ ଭଲ ପାଏ । ଆଉ ଏଇ ଚିଜ୍ ସ୍ୟାଣ୍ଡଇଇଚ୍‌ ମୋର ଅତି ପ୍ରିୟ... ।

 

- ମୈତ୍ରେୟୀଙ୍କ କଥା ଶୁଣି ଖୁସି ହେଲେ ବାଣୀ ।

 

ତାଙ୍କ ଘରର ଭିତର ଓ ବାହାର ସବୁ ବୁଲାଇ ଦେଖାଇଲେ । କିନ୍ତୁ ମୈତ୍ରେୟୀଙ୍କୁ କୌଣସିଠାରେ ପୁରୁଷର ପଦଚିହ୍ନ ବା ଫଟୋ ଦେଖିପାରିଲେ ନୁହେଁ । ଏପରିକି ବାପାଙ୍କ ଫଟୋ ମଧ୍ୟ ନ ଥିଲା କାହିଁ ।’’

 

ବାଣୀ କହିଲେ - ‘ମୋ ଘର ଦେଖି ଆଶ୍ଚର୍ଯ୍ୟ ଲାଗୁଛି ତମକୁ । ମୁଁ ପୁରୁଷ ବିରୋଧୀ ନୁହେଁ, କିନ୍ତୁ ସେହିପରି ଗୋଟାଏ ବାସନା ମୋ ଘର ବୁଲିଲାବେଳେ ତମେ ଅନୁଭବ କରିଥିବ ।’

 

-‘ତମେ କ’ଣ ସେମାନଙ୍କୁ ଘୃଣାକର ଅପା... ?’ ହଠାତ୍‌ ତୁଣ୍ଡରୁ ଖସି ଗଲା ମୈତ୍ରେୟୀଙ୍କର ।

 

ଉତ୍ତର ଦେଲେନି ବାଣୀ ।

 

କିଛି ସମୟପରେ କହିଲେ, ‘ମୁଁ ନିଜ କଥାହିଁ କେବଳ ଭାବୁଛି, ନିଜକୁ ତନ୍ନ ତନ୍ନ କରି ଅନୁସନ୍ଧାନ କରୁଛି ଏତିକି ଜାଣିବା ପାଇଁ ଯେ ମୁଁ କ’ଣ ଅଯୋଗ୍ୟ, ଅସ୍ପୃଶ୍ୟା, ନା ବିଷକନ୍ୟା ।’

 

କହୁଁ କହୁଁ ତାଙ୍କ ସ୍ଵରରୁ ଝରିପଡ଼ିଲା କାରୁଣ୍ୟର ମୂର୍ଚ୍ଛନା ।

 

ସ୍ତବ୍ଧ ହୋଇଗଲେ ମୈତ୍ରେୟୀ ।

 

ଏବେ ସେ ନିଶ୍ଚିତ ଯେ ବାଣୀ ଠକି ଯାଇଛନ୍ତି, କେହି ତାଙ୍କ ପ୍ରତି ବିଶ୍ଵାସଘାତକତା କରିଛି । ଆହା ଏଡ଼େ ସୁନ୍ଦରୀ, ବୁଦ୍ଧିମତୀ ମହିଳା ଜଣକ ଈଶ୍ଵରଙ୍କଠାରୁ ସବୁ ପାଇଲେ ମଧ୍ୟ ସଂସାର ସୁଖ ପାଇଲେ ନାହିଁ । ସଂସାର ସୁଖ ସାମୟିକ ଉତ୍ତେଜନା ପ୍ରଶମନ ନୁହେଁ, ଏହା ସୃଜନ ଲାଳିତ୍ୟର ଉତ୍ସ । ସେଥିପାଇଁ ଯେତେବେଳେ ଯୌବନର ଅଦମ୍ୟ ଉଚ୍ଚାଟନ ଚାଲିଯାଏ ଧୀରେ ଧୀରେ ଏବଂ ଚୈତ୍ୟ ସତ୍ତାରେ ନିଜର ଉର୍ଦ୍ଧାୟନ ଦେଖିବାକୁ ଇଚ୍ଛା ହୁଏ ସେତେବେଳେ ସଂସାରରେ ଥାଇ ମଧ୍ୟ କାମନା ବାସନାମୁକ୍ତ ହେବା ଅସମ୍ଭବ ହୁଏ ନାହିଁ । ମଣିଷ ଋଷି ନୁହେଁ, ସେ ରକ୍ତ ମାଂସର ପ୍ରତିମାଟିଏ । ଇନ୍ଦ୍ରିୟମାନଙ୍କ ଆଦେଶ ମାନିବା ପାଇଁ ବାଧ୍ୟ ନୁହେଁ ସେ, କିନ୍ତୁ ତଥାପି ଯଦି ରଷିମାନଙ୍କ ପରି ସେମାନଙ୍କର ସାମୟିକ ସ୍ଖଳନ ହୁଏ ତେବେ ତାହା ସଂଶୋଧନର ବାହାରେ ମଧ୍ୟ ନୁହେଁ । ବଡ଼ କଥା ହେଉଛି ଉତ୍ତରଣ । ଉତ୍ତରଣର ମାର୍ଗରେ ପଡ଼ି ଉଠି ଅଗ୍ରଗତି କଲେ ଦିନେ ସେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବ ।

 

ରାତି ଆଠଟା ବାଜିଲା ।

 

ବାଣୀଙ୍କ ସ୍ନେହ ସାନିଧ୍ୟ ପାଇଁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇ କହିଲେ ମୈତ୍ରେୟୀ, “ଯଦି ସାନ ଭଉଣୀର ଅନୁରୋଧ ରକ୍ଷା କରି କେବେ ଆମ ଘରକୁ ଆସନ୍ତ ମୁଁ ଧନ୍ୟ ମନେକରନ୍ତି । ନହରକଣ୍ଟା ନଦୀ ସେପାଖରେ, ବେଶୀଦୂର ନୁହେଁ ।’’

 

ତାଙ୍କୁ ଆଗେଇ ଦେଇ ଆସିଲେ ବାଣୀ । ହାତ ହଲାଉଥିଲେ ମୈତ୍ରେୟୀ ଅଦୃଶ୍ୟ ହୋଇଗଲା ପର୍ଯ୍ୟନ୍ତ ।

 

ବାଣୀ ଘର ଭିତରକୁ ପ୍ରବେଶ କଲେ ସିନା, କିଛି ଭିତରଟା ଖାଁ ଖାଁ କରୁଥଲା । ଶୂନ୍ୟ ମନ୍ଦିରରେ କେବଳ ପ୍ରତିଧ୍ଵନି ଥାଏ କିନ୍ତୁ ଧ୍ୱନି ନ ଥାଏ । ମନେ ପଡ଼ିଯାଉଥାଏ ଏମିତି ଦିନେ ଖାଁ ଖାଁ କରୁଥିବା ଦ୍ୱିପ୍ରହରବେଳେ ତାଙ୍କ ସହିତ ଦେଖା ହେଇଥିଲା ଲାଇବ୍ରେରୀରେ । ଶନିବାର ଥିଲା ବୋଲି ମଧ୍ୟାହ୍ନ ପୂର୍ବରୁ ଅନେକ ଛାତ୍ର ଓ ଅଧ୍ୟାପକ ଚାଲି ଯାଉଥିଲେ । ଲାଇବ୍ରେରିଆନ ଯାଇଥିଲେ ଗୋଟେ ସମ୍ମିଳନୀକୁ । କେବଳ ଦୁଇଜଣ ସହକାରୀ ଅଫିସର ଥିଲେ । ବିରାଟ ହଲ୍‌ ଭିତରେ ସାରି ସାରି ର‍୍ୟାକ୍‌ରେ ସଜା ହୋଇ ରଖାଯାଉଥିଲା ହଜାର ହଜାର ପୁସ୍ତକ । ଓମର ଖୟାମଙ୍କ ପ୍ରେମ କବିତା ପଢ଼ିବା ପାଇଁ ଇଚ୍ଛା ଥିଲା ଅନେକ ଆଗରୁ, କିନ୍ତୁ ବହିଟି ପାଉ ନ ଥିଲେ । ଆଜି ସେ ବହି ମିଳିଗଲା । ମନ ଖୁସିରେ ସେ ପୃଷ୍ଠା ଓଲଟାଉଥିବାବେଳେ ନୂତନ ନିଯୁକ୍ତି ପାଇଥିବା ଅଧ୍ୟାପକ ଲାଇବ୍ରେରୀରୁ ବହି ଖୋଜୁଥିବାବେଳେ ହଠାତ୍ ଦେଖା ହୋଇଗଲା ତାଙ୍କ ସହିତ । ତାଙ୍କ ହାତରେ ଥିବା ଓମାର ଖୟାମଙ୍କ କବିତା ବହି କେଉଁଠି ଲୁଚାଇବେ ତାହା ଭାବି ଅପ୍ରସ୍ତୁତ ହେଉଥିବାବେଳେ ସାର୍‌ କହିଲେ, ‘‘ନିଅ, ଭଲ ବହି ବାଛିଛ । ଓମାର ଖୟାମ୍ ଇଜ୍ ଏ ଗ୍ରେଟ୍‌ ପୋଏଟ୍‌ । ତାଙ୍କ ପ୍ରେମ କବିତା ଜଗତ ବିଖ୍ୟାତ । ତମେ ଦର୍ଶନର ଛାତ୍ରୀ, ତମପାଇଁ ମାନବିକ ସ୍ପୃହା ଓ ତା’ର ଭାବନା ଅତି ଗୁରୁତ୍ଵପୂର୍ଣ୍ଣ... ।’

 

ଏତିକି କହି ସେ ଆଗକୁ ଗଲେ, କିନ୍ତୁ ତାଙ୍କ ଲାଜୁଆ ହସରେ କ’ଣ ଯାଦୁକରୀ ଶକ୍ତି ଥିଲା କେଜାଣି ସେଇ ମୁହୂର୍ତ୍ତରେ ତାଙ୍କ ପ୍ରେମରେ ପଡ଼ିଗଲେ ବାଣୀ ।

 

ତା’ପରେ ପ୍ରାୟ ପ୍ରତିଦିନ ଦେଖାହୁଏ । ଶେଷରେ ଏପରି ସମୟ ଆସିଲା ଯେ ଜଣେ ଆଉ ଜଣକୁ ନ ଦେଖି ରହିବା ଅସମ୍ଭବ ମନେହେଲା । ବାଣୀ ଜିଣିନେଲେ ଅଧ୍ୟାପକଙ୍କ ମନ ଓ ହୃଦୟ । ସ୍ଵଭାବରେ ଲାଜୁଆ, କିନ୍ତୁ ହୃଦୟଟି ନିର୍ମଳ । ମନଟି ପଦ୍ମଗନ୍ଧା ପରି ମହମହ । ବାଣୀ ତାଙ୍କୁ ଏକତରଫା ଭଲ ପାଇଛନ୍ତି ନା ସେ ମଧ୍ୟ ତାଙ୍କୁ ଭଲ ପାଆନ୍ତି ଏଇ କଥା ତାଙ୍କୁ ତୁଣ୍ଡରୁ ଶୁଣିବା ପାଇଁ ଇଚ୍ଛା ପ୍ରବଳ ହେବାରୁ ଦିନେ ଏକାନ୍ତରେ ତାଙ୍କ ସହିତ ଦେଖା ହୋଇଯିବାରୁ ବାଣୀ ପଚାରିଥିଲେ, ‘‘ମୋ କଥା ତ ମୁଁ କହିସାରିଛି, ତମେ ତମ କିଛି କହୁନ ଯେ... ।’’

 

ସେ ଲାଜମିଶା ସ୍ଵରରେ କହିଥିଲେ “ତମେ ଯାହା କହିଥିଲ ସେଇକଥା ମୁଁ ବି କହୁଛି, ଥରେ ନୁହେଁ, ବାରମ୍ବାର କହିବାକୁ ଇଚ୍ଛା ହେଉଛି ।’’

 

‘‘ତୁମ ତୁଣ୍ଡରୁ ଶୁଣିବାକୁ ଚାହେଁ’’ - ବାଣୀ କହିଥିଲେ ।

 

ତେବେ ଶୁଣ କହି ସେ ଗୋଟେ ବହି ତାଙ୍କୁ ଉପହାର ଦେଇ କହିଲେ, ‘‘ଏଇଟି ମୋର ପ୍ରଥମ କବତା ବହି । ଆଜି ପ୍ରକାଶ ପାଇଛି । ତମକୁ ଉତ୍ସର୍ଗ କରିଛି । ଏଇ ପ୍ରଥମ କପି ତମର ପ୍ରାପ୍ୟ - ମୁଁ ଯାହାକୁ ଭଲ ପାଏ’’ ।

 

ବାଣୀଙ୍କୁ ଲାଗୁଥିଲା ସେ ଯେପରି ସୂର୍ଯ୍ୟାସ୍ତ ହେଉ ନ ଥିବା ଗୋଟିଏ ବଡ଼ ସାମ୍ରାଜ୍ୟର ଅଧୀଶ୍ୱରୀ । ସେ ପଚାରି ଦେଇଥିଲେ -‘‘ମୋ ନାମରେ ଉତ୍ସର୍ଗ କରିନ ତ ?’

 

-‘‘କାହିଁକି ? ତମ ନାମ କହିଲେ କ’ଣ ହେବ’’ କହିଥିଲେ ଅଧାପକ ।

 

-‘‘ବାପା ବୋଉ ଜାଣିବେ... ରାଜ୍ୟସାରା ଜାଣିବେ...। ଅପବାଦ ନାଗରା ବାଜିବ ଗୋପସାରା,... । ମୁଁ ଚାଲିପାରିବିନି ଦାଣ୍ଡରେ ।’’ କହିଥିଲେ ବାଣୀ ।

 

‘‘ତା’ହେଲେ ଶୁଣ, ତମ ମନ କଥା ମୁଁ ଜାଣିଥିଲି ଆଗରୁ - ସେଥିପାଇଁ ଲେଖି ନାହିଁ ଉତ୍ସର୍ଗରେ... କେବଳ ଲେଖିଚି- ମୁଁ ଯାହାକୁ ଭଲ ପାଏ... ।’’

 

ଏ ମା’... ତମେ କେତେ ଆଗେଇଗଲଣି...

 

-‘‘ଆଉ କ’ଣ ପଛରେ ପଡ଼ି ରହିଥିବ । ତମେ ପରୀକ୍ଷା ଦେଇସାର, ତା’ ପରେ ମୁଁ ମୋ ବାପା ମା’ଙ୍କୁ କହିବି ତମ ବାପା ମା’ଙ୍କ ସହିତ ଏ ବିଷୟ ଆଲୋଚନା କରିବା ପାଇଁ ।’’ କହିଥିଲେ ସେ ।

 

ଅତୀତର କଥା ଭାବୁ ଭାବୁ ସୁଡ଼ଙ୍ଗ ଭିତରେ ବାଣୀ ବଜାଇ ଦେଇଥିଲେ ନିଜକୁ । ଚାଳିଶ ଅତିକ୍ରମ କରିଗଲେଣି । କିନ୍ତୁ ବୟାଳିଶ ହେଉ ବା ତେୟାଳିଶ ହେଉ ବୟସଟା - କ’ଣ ଜୀବନର ସବୁକିଛି । ଏଇ ବୟସରେ କ’ଣ ତାଙ୍କର କୌଣସି ଇଚ୍ଛା ବା କାମନା ନ ଥିବ ? କାମନାଶୂନ୍ୟ ହେଲେ ତ ମଣିଷ ଦେବତା ହୋଇଯିବ । ଏପରିକି ବେଳେବେଳେ ମଣିଷ ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦେବତାମାନେ ବି ଜନ୍ମଗ୍ରହଣ କରନ୍ତି ଧରଣୀରେ । ଏଇ ବସୁନ୍ଧରା ସେଥିପାଇଁ ପୂଣ୍ୟଗନ୍ଧା । ଆଦିଶକ୍ତିର ଅର୍ଚ୍ଚନା ପାଇଁ ସବୁ ସାମଗ୍ରୀ ପ୍ରସ୍ତୁତ ହୋଇ ରହିଛି ଏଠାରେ ।

 

ବାଣୀ ଧୀରେ ଧୀରେ ଶୋଇବା ଘର ଭିତରେ ପ୍ରବେଶ କଲେ ଏବଂ ଡ୍ରେସିଂ ଟେବୁଲ ଆଗରେ ଠିଆ ହେଲେ । ତାଙ୍କୁ ଦେଖି କିଏ କହିବ ଯେ ସେ ଚାଳିଶ ଅତିକ୍ରାନ୍ତ କରିଗଲେଣି । ସେଥିପାଇଁ ସାଙ୍ଗମାନେ ପରିହାସ କରି କହନ୍ତି ତିରିଶ ପରି ଦେଖାଯାଉଛ, ବୟସକୁ ତୁମେ ବାନ୍ଧି ରଖିଛ ଲୁଗାକାନିରେ... ।

 

ଅଥଚ ଏଇ ପୂଣ୍ୟଗନ୍ଧା ବସୁନ୍ଧରା ପରି ତାଙ୍କର ସକଳ ସୌନ୍ଦର୍ଯ୍ୟ, ସମଗ୍ରସମ୍ପଦ କେବଳ ନୈବେଦ୍ୟ ହୋଇ ରହିଲା । ଅନାଘ୍ରାତ ହୋଇ ରହିଗଲେ ସେ । ସେ କାହିଁକି ଠକିଦେଇ ଚାଲିଗଲେ... । ଆଖି ଯୋଡ଼ିକ ଓଦା ହୋଇ ଆସିଲା । ତଥାପି ଅତି ସତର୍କତାର ସହିତ ଡ୍ରେସିଂରୁମ୍‌ ଡ୍ରୟାର ଭିତରୁ ଗୋଟିଏ ଫଟୋ ଆଣି ଛାତି ଉପରେ ଜାକି ଧରିଲେ ଏବଂ ବାରମ୍ବାର ଚୁମ୍ବନ କଲେ-। ତା’ପରେ ଖେଳଣାଟି ହଜିଗଲେ ଶିଶୁ ଯେପରି କାନ୍ଦିଉଠେ ସେହିପରି କାନ୍ଦିବାକୁ ଲାଗିଲେ-

 

Unknown

(ଚଉଦ)

 

ସାଙ୍ଗମାନଙ୍କ ସହିତ ଆଦିବାସୀ ଅଞ୍ଚଳ ବୁଲିବାପାଇଁ ବାହାରିଗଲା ଅପୁ । ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏଇ ପାଞ୍ଚଟି ଜିଲ୍ଲା ବୁଲି ଆସିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ ସେମାନେ । କୋଉଠୁ ଆରମ୍ଭ କରିବେ ? ଗଜପତି ନା ମାଲକାନଗିରିରୁ ? କୋରାପଟୁ ନା ରାୟଗଡ଼ାରୁ ? ଶେଷରେ ସେମାନେ ଠିକ୍‌ କଲେ ଇଷ୍ଟ୍‍କୋଷ୍ଟ୍‍ ଏକ୍‍ସପ୍ରେସ୍‌ରେ ବିଜୟନଗରମ୍‌ ଯିବେ । ସେଠାରେ ଓହ୍ଲାଇ ସାଲୁର ବାଟ ଦେଇ କୋରାପୁଟ ଯିବେ ଏବଂ ତା’ପରେ ମାଲକାନଗିରି ।

 

ମାଲକାନଗିରିରେ ନିଆଁ ଜଳୁଛି । ନିରୀହ ଲୋକଙ୍କୁ ଶାସନ ନ୍ୟାୟ ଦେଇପାରିନାହିଁ । ସେମାନେ ବନ୍ଧୁକ ଚାଳନା ଶିଖିଲେ ବିଦେଶୀମାନଙ୍କଠାରୁ । ମଣିଷକୁ ଭଲ ପାଇ ଶିଖିଲେ ବାପ ଗୋସାଇଁ ବାପଠାରୁ, ଏବେ ଘୃଣା କରିବା ଶିଖୁଛନ୍ତି । ମଣିଷ ଓ ମଣିଷ ମଧ୍ୟରେ ଏତେ ଅସମତା । ଗରିବମାନଙ୍କ ପ୍ରତି ଧନୀମାନଙ୍କର ଏତେ ଅବିଚାର ! ଏଇ ବଣ ଭିତରେ ଜନ୍ତୁଜାନୁଆରମାନଙ୍କ ସହିତ ରହି ସେମାନେ ନୂଆ ସମାଜ ଗଠନ କରିବାର ସ୍ଵପ୍ନ ଦେଖନ୍ତି । ସେଇଠାରେ ସେମାନଙ୍କ ସହିତ କିଛିଦିନ ରହିବା ପାଇଁ ସ୍ଥିର ହେଲା । ଅପୁର ଜଣେ ପଢ଼ାସାଙ୍ଗ ଅନନ୍ତ ପେଙ୍ଗି ସେମାନଙ୍କୁ ରାସ୍ତା ଦେଖାଇ ନେଇଯିବ ମୋଟୁଠାରୁ ତିରିଶ କୋଶ ଗଭୀର ଜଙ୍ଗଲ ଭିତରେ ଥିବା ସାଥୀମାନଙ୍କ ଘାଟିକୁ । ସେମାନଙ୍କର ଅନୁମତି ପାଇଛି ଅନନ୍ତ । କିନ୍ତୁ ଗୋଟିଏ ସର୍ତ୍ତରେ ଯେ ସେମାନେ ଅସ୍ତ୍ରଶସ୍ତ୍ର କିଛି ସାଙ୍ଗରେ ନେବେ ନାହିଁ କିମ୍ବା ପୁଲିସ୍‍କୁ ସେମାନଙ୍କ ଗୁପ୍ତ ଆଡ୍ଡା ସମ୍ବନ୍ଧରେ କିଛି କହିବେ ନାହିଁ । ଅପୁ ଓ ତା’ ସାଙ୍ଗମାନେ ସର୍ତ୍ତମାନି ନେଇଥିଲେ ।

 

କାନ୍ଧରୁ ଗୋଟିଏ ଗୋଟିଏ ଭାରି ବ୍ୟାଗ୍‌ ଝୁଲାଇ ସ୍କୁଲ ପିଲାମାନେ ଯେମିତି କାନ୍ଧରେ ବ୍ୟାଗ୍‌ ଝୁଲାଇ ଆଗକୁ ଝୁଙ୍କି ଚାଲିଥାନ୍ତି ସେହିପରି ଏମାନେ ଷ୍ଟେସନ ପ୍ଲାଟଫର୍ମ ପାର ହୋଇ ସିଡ଼ି ଦେଇ ସେ ପାଖକୁ ଯିବାବେଳେ ମାନୁ ସହିତ ଦେଖା ହେଲା ସେମାନଙ୍କର । ମାନୁ ବିଶ୍ଵବିଦ୍ୟାଳୟର ଛାତ୍ରଙ୍କୁ ନେଇ ଗ୍ରୁପ୍‌ ଲିଡ଼ର ଗୋବିନ୍ଦା ରାଓ ସହିତ ପରିଚୟ କରାଇଦବ । ଏମାନେ ଯେଉଁ କେତେଦିନ କମ୍ରେଡ଼୍‍ମାନଙ୍କ କ୍ୟାମ୍ପରେ ସେ ମଧ୍ୟ ସେମାନଙ୍କ ସହିତ ରହିବ ।

 

ଅନନ୍ତ ପ୍ରଭୃତିଙ୍କୁ ନେଇ ମାନୁ ଛିଡ଼ା ହୋଇଥବା ଗୋଟେ ବସ୍‌ରେ ଉଠିଲା । ବ୍ୟାଗ୍‌ଗୁଡ଼କୁ ଯଥା ସ୍ଥାନରେ ରଖିଦେଇ ସେମାନେ ତଳକୁ ଆସି ଗୋଟେ ଚା’ ଦୋକାନରେ ବସି ଚା’ କପେ କପେ ପିଇଲେ । ଗାଡ଼ି ଘଣ୍ଟାଏ ବିଳମ୍ବରେ ପହଞ୍ଚିଥିଲା ବିଜୟନଗରମରେ । ଆକାଶ ଫର୍ଚ୍ଚା ହୋଇ ଆସୁଥିଲା । ମୁହଁହାତ ଧୋଇ ସେମାନେ ସତେଜ ହୋଇଗଲେ ଏବଂ ଗରମ ଗରମ ଚା’ ପିଇବା ପରେ ବେଶ୍‌ ଫୂର୍ତ୍ତି ଆସିଲା ଦେହରେ ।

 

ମାନୁ ରାୟଗଡ଼ା ପୋଲିଟେକ୍‌ନିକ୍‌ରେ ଇଞ୍ଜିନିଅରିଂ ଡିପ୍ଲୋମା କୋର୍ସ ଶେଷ କରିବା ପରେ ବରଷେ କାମ ନ ପାଇ ଘୂରିବା ପରେ ଦିନେ ଗୋଟେ ଅପୂର୍ବ ସୁଯୋଗ ପାଇ ଗୋବିନ୍ଦା ରାଓ ଦଳର ବୀରୁ ନାଏକ ସହିତ ପରିଚୟ ହେଲା । ଶୀଘ୍ର ବନ୍ଧୁତ୍ୱ ବଢ଼ିଲା ଏବଂ ବୀରୁ ସାଙ୍ଗରେ ମାନୁ କ୍ରମେଡ଼ମାନଙ୍କ ଶିବିରକୁ ଗଲା । ତିନିମାସ ସେମାନଙ୍କ ସାଙ୍ଗରେ ରହିବା ପରେ ସେ ଘରକୁ ଫେରିବା ଆଶା ଛାଡ଼ି ଦେଲା ଏବଂ କମ୍ରେଡ଼୍‍ମାନଙ୍କ ଦଳରେ ଯୋଗଦେଲା । ଦୁଇ ବରଷ ହେଲାଣି ସେମାନଙ୍କ ଦଳରେ ଅଛି । କିନ୍ତୁ ତା’ର ଜଣେ ସାଙ୍ଗ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲା ବୋଲି ସେ ଯାଇଥଲା କିଛିଦିନ ଭୁବନେଶ୍ୱର, ପୁରୀ, ଚିଲିକା ବୁଲି ଆସିବ । ସେତିକିବେଳେ ରାଜଧାନୀର ଗୋଟେ ଛୋଟ ରାସ୍ତାକଡ଼ ହୋଟେଲରେ ଅନନ୍ତ, ସତ୍ୟବ୍ରତ ଓ ଅପୁ ସହିତ ମାନୁର ପରିଚୟ ହୋଇଥଲା । ତା’ପରେ ଖୁବ୍‌ଶୀଘ୍ର ସେମାନେ ଘନିଷ୍ଠ ବନ୍ଧୁ ହୋଇଗଲେ । ଯେତେବେଳେ କୋରାପୁଟ ରାୟଗଡ଼ା ବୁଲିଯିବା ପାଇଁ ଇଚ୍ଛା ହେଲା ସେମାନେ ଦିଗହରା ପରି ଚିନ୍ତା କରୁଥିବାବେଳେ ମାନୁ ସେମାନଙ୍କୁ ପ୍ରସ୍ତାବ ଦେଲା ମାଲକାନଗିରିରୁ ଆରମ୍ଭ କରିବା ପାଇଁ । ତା’ପରେ ଯଦି ଇଚ୍ଛା ହୁଏ କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଅନ୍ୟ ଅଞ୍ଚଳକୁ ଯିବେ ।

 

ବିଜୟନଗରରୁ ବସ୍‌ରେ ଘାଟି ପାରିହେବାବେଳେ ଘନ ଜଙ୍ଗଲ ଦୃଷ୍ଟିରେ ପଡ଼ୁଥାଏ । ବସ୍‌ ଚାଲୁଥିବାବେଳେ ଗଛଡାଳରେ ବସିଥିବା କେତୋଟି ପକ୍ଷୀ ଶବ୍ଦ ଶୁଣି ଉଡ଼ିଗଲେ । ଗୋଟେ ବଡ଼ ନେଉଳ ବାମରୁ ଦକ୍ଷିଣ ଦିଗକୁ ଟାଲିଯିବା ଦେଖି ପାଖସିଟ୍‌ରେ ବସିଥିବା ଜଣେ ଲୋକ କହିଲା ‘ଭଲ ବେଳା ।’ ବାମପଟରୁ ଡାହାଣପଟକୁ ଯିବା ଦୃଶ୍ୟ ମଙ୍ଗଳ ସୂଚନା ଦିଏ । ଆଉ ଟିକେ ଆଗରେ ରାସ୍ତା ମଝିରେ ଖରା ପୁଉଁଥିବା ଗୋଟେ କୁଟୁରା ବସ୍‌ ଆସିବା ଶବ୍ଦ ଶୁଣି ଡିଆଁମାରି ପଳାଇଯିବା ଦୃଶ୍ୟ ଦେଖି ଅପୁ ଖୁସି ହେଲା । ଜଙ୍ଗଲ ଭିତରେ ଜନ୍ତୁ ଜାନୁଆର ଥିବେ ନିଶ୍ଚୟ । ପଟ୍ଟାଙ୍ଗୀରେ ବସି ପହଞ୍ଚିଲାବେଳକୁ ଆଠଟା ବାଜି ଯାଇଥିଲା । ବସ୍‌ ଅଟକିବାରୁ ଗରମ ଗରମ ଇଡିଲି ଆଉ ଚଟ୍‌ନି ଖାଇ ପାଣି ପିଇଲେ ସେମାନେ । କୋରାପୁଟ ପହଞ୍ଚିଲାବେଳକୁ ଦଶଟା ବାଜି ଥଲା । ସେଠାରେ ସ୍ନାନ ଭୋଜନ ସାରି ସେମାନେ ମାଲକାନଗିରି ବସ ଧରିବେ ।

 

କୋରାପୁଟରୁ ବାହାରିବାବେଳକୁ ଦିନ ବାରଟା ! ବାଟରେ ପାହାଡ଼ମାନେ କୋଳାକୋଳି ହୋଇ ବସି ରହିଥିବା ପରି ଦିଶୁଥିଲେ । ସବୁଜ ଅରଣ୍ୟ, ରାସ୍ତାର ଦଇ କଡ଼ରେ ଶାଳ, ପିଆଶାଳ, ଅର୍ଜୁନ, ଆମ୍ବ, ପଣସ ଓ ଆହୁରି କେତେ ପ୍ରକାର ଗଛବୃଛ । ଗୋଟିଏ ଜାଗାରେ ମୟୂର ଡେଣା ମେଲାଇ ନାଚୁଥିବା ଦେଖିଲେ ସେମାନେ । ହୁଏତ ହରିଣୀ ବି ସଡ଼କ କଡ଼ରେ ବୁଲୁଥିବା ଆଖରେ ପଡ଼ିପାରେ । ସ୍ଥାନୀୟ ଅଧବାସୀମାନଙ୍କୁ ଦେଖି ଅପୁକୁ ଲାଗୁଥିଲା ଯେ ସେମାନେ ଭାରି ଗରିବ । କେବଳ ଅଣ୍ଟାରେ ଖଣ୍ଡେ ଲୁଗା । ଖାଲି ଦେହ । କାହା କାହା ଦେହରେ ଲୁଗା ଖଣ୍ଡେ । ବସ୍‌ରେ ଯିବାବେଳେ ମାନୁ କହିଲା ଯେ ଅନେକଙ୍କର ଜମି ନାହିଁ । ଘର ଡିହ ବି ନାଇଁ । ଜଙ୍ଗଲ ସଫା କରି କୁଡ଼ିଆ ତୋଳିଛନ୍ତି । ନାମକୁ ମାତ୍ର ଚାଷ ବି କରନ୍ତି ଅଳ୍ପ ଲୋକ । ପୋଡ଼ୁ ଚାଷ କରିବା ଯୋଗୁଁ ଜଙ୍ଗଲ ନଷ୍ଟ ହେଉଥିଲା । ସରକାରଙ୍କ ତତ୍ପରତା ଯୋଗୁଁ ପୋଡ଼ୁଚାଷ ପ୍ରାୟ ବନ୍ଦ ହୋଇଯାଇଛି । ବଣ ଜଙ୍ଗଲର ଫଳମୂଳ ଖାଇ ଚାରିମାସ ବଞ୍ଚିଯାଆନ୍ତି ଆଦିବାସୀମାନେ । ବାକି ଆଠମାସ କାମ ଖୋଜି ଖୋଜି ସହର ବଜାର ବୁଲନ୍ତି । ଭାଇଜାଗ, ରାୟପୁର, ଭଦ୍ରାଚଳମ୍‌ ଏବଂ ଅନ୍ୟାନ୍ୟ ସ୍ଥାନକୁ ବି ମୂଲ ଲାଗିବା ପାଇଁ ଯାଆନ୍ତି । ଏହି ସମୟରେ କାମଧନ୍ଦା ନ ଥିଲେ ଭାରି କଷ୍ଟ । ସୁଆଁ ବା ଆମ୍ବଟାକୁଆ ସିଝେଇ ହେଇ ପାନେ ଖାଇ ବଞ୍ଚନ୍ତି ସେମାନେ । ଗରିବ ଲୋକଙ୍କୁ କମ ମୂଲ୍ୟରେ ଚାଉଳ ଦବା ବ୍ୟବସ୍ଥା ସରକାର କରିଥିଲେ ବି ବେଳେ ବେଳେ ଠିକ୍‌ ସମୟରେ ତାହା ଆସେନାହିଁ ବା ଆସିଲେ ମଧ୍ୟ ରିହାତି ମୂଲ୍ୟରେ ମଧ୍ୟ ଚାଉଳ କିଣିବା ପାଇଁ ପାଖରେ ପଇସା ନ ଥାଏ । ସାହୁକାର ହୋଇ ଚାଉଳ ସେମାନଙ୍କ ନାମରେ ନେଇଯାଏ ସେମାନେ କେବଳ ଟିପ ଚିହ୍ନ ଦିଅନ୍ତି ।

 

ଏହାସତ୍ତ୍ଵେ ମଦ ତିଆରି କରି ହାଟରେ ବିକ୍ରି କରିବା ପାଇଁ ସାହୁକାର ବ୍ୟବସ୍ଥା କରିଥାଏ । ଉଧାରରେ ମଦ ପିଆଇ ସେମାନଙ୍କୁ ହାତରେ ରଖେ ସାହୁକାର । ଅଦା, ହଳଦୀ, ପନିପରିବା ଚାଷ ବି ହୁଏ ପାହାଡ଼ିଆ ଜମିରେ । ସାହୁକାର ଓ ବେପାରୀମାନେ ସେଇ ଫସଲ ଆଗୁଆ ଟଙ୍କା ଦେଇ କିଣି ନିଅନ୍ତି ଅତିଶସ୍ତା ଦରରେ । ଲାଭ ହୁଏ ସେମାନଙ୍କର, କିନ୍ତୁ ଆଦିବାସୀମାନେ ଓପାସରେ କାଳ କାଟନ୍ତି ।

 

କୋରାପୁଟର ଦଳେ ଲୋକ ଯାଉଥିଲେ ମାଲକାନଗିରି । ସେଠାରେ ରାତି କଟାଇ ସକାଳେ ବାଲିମେଳା ଯିବା ପାଇଁ ସ୍ଥିର ହୋଇଥିଲା । ସେଠାରୁ ସେମାନଙ୍କୁ ଜଙ୍ଗଲ ଭିତରକୁ ନବା ପାଇଁ ବ୍ୟବସ୍ଥା ହୋଇଥଲା ।

 

ବାଲିମେଳାର କିଛି ବାଟ ଜଙ୍ଗଲ ରାସ୍ତାରେ ପାଦରେ ଯିବା ପରେ ସେମାନଙ୍କ ଆଖରେ ପଟି ବାନ୍ଧି ଦେଲେ ଏବଂ ମାନୁ ସେମାନଙ୍କୁ ଆଶ୍ଵାସନା ଦେଇ କହିଲା -‘କିଛି ଭୟ ନାହିଁ । ମୁଁ ତ ପାଖେ ପାଖେ ଅଛି । ଅବଶ୍ୟ ଚାଲିବାରେ ଟିକେ ଅସୁବିଧା ହେବ । କିନ୍ତୁ ଆମକୁ ବାଟ କଢ଼ାଇ ନେବା ପାଇଁ ଲୋକ ଅଛନ୍ତି । ବଣ ଭିତରେ ଜନ୍ତୁ ଜାନୁଆର, ବିଷଧର ସାପ, ମହୁମାଛି ପ୍ରଭୂତିର ଭୟ ଅଛି । କିନ୍ତୁ ଆମ ସାଙ୍ଗରେ ଥିବା ଲୋକ ଏ ବିଷୟରେ ଓସ୍ତାଦ୍‌ । ସେମାନେ ମିତ ବସିଛନ୍ତି ଜନ୍ତୁ ଜାନୁଆର ସହିତ ।

 

ବାଟରେ ସଂଧ୍ୟା ହେବାରୁ ଗୋଟେ ଗାଁରେ ରହିଲେ । ପଚିଶ ତିରିଶଟି ପରିବାର ବାସ କରନ୍ତି ସେଠାରେ । ପାଖ ଆଖରେ ଥିବା ଛୋଟ ନାଳରୁ ପାଣି ନେଇ ସେଥିରେ ସବୁ କାମ ହୁଏ । ଲୋକମାନେ ସେଇ ନାଳରେ ସ୍ନାନ କରନ୍ତି । ରାତିରେ ବାଘ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ନାଳରୁ ପାଣି ପିଅନ୍ତି । ସେମାନେ ଗ୍ରାମରେ ପହଞ୍ଚିବା ପରେ ଆଖିର ପଟି ଖୋଲି ଦିଆଗଲା ଏବଂ ଉପରୁ ଆସୁଥିବା ଜହ୍ନ ଆଲୁଅ ବିଛେଇ ହୋଇ ପଡ଼ିଥିଲା ଗାଁ ଓ ଗଛବୃଚ୍ଛ ଉପରେ । ଗୋଟିଏ କୁଡ଼ିଆ ଭିତରେ ସେମାନଙ୍କ ରହିବା ବ୍ୟବସ୍ଥା ହୋଇଥଲା ।

 

ରାତି ପାହି ସକାଳ ହେଲା । ବାଟରେ ଆଉ କିଛି ମିଳିବ ନାହିଁ ଏଇ ଆଶଙ୍କା କରି ସାଙ୍ଗ ଘରେ ଭାତ, ତେନ୍ତୁଳିପାଣି ଏବଂ କୁନ୍ଦୁରି ପୋଡ଼ା ଖାଇଲେ ସମସ୍ତେ । ବେଶ୍‌ ଭଲ ଲାଗୁଥଲା । ଗାଁ ଲୋକଙ୍କଠାରୁ ସେମାନେ ଶୁଣିଲେ ଯେ ଏହି ଖାଦ୍ୟ ଭୋଜିଭାତ ହେଲେ ମିଳେ । ବେଳେବେଳେ କୁଟୁରା ବା ପକ୍ଷୀ ଶିକାର ହୋଇଥିଲେ ସେଇ ମାଂସ ପୋଡ଼ି ଲୁଣ ଲଙ୍କା ସହିତ ପରଷନ୍ତି ସେମାନେ । ତେଲ ମସଲା କାରବାର ନାହିଁ । ମୋଟା ଚୁଡ଼ା ବା ଚାଉଳଭଳା ବି କେବେ କେମିତି ହାଟରୁ ମିଳେ । କିନ୍ତୁ ଏମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ କମ୍ରେଡ଼୍‍ମାନେ ।

 

ନେତାଙ୍କ ଶିବିରରେ ପହଞ୍ଚିବାବେଳକୁ ମଧ୍ୟାହ୍ନ ହୋଇଗଲା । ନେତା ପ୍ରାୟ ଗୋଟାକବେଳେ ଆସିଲେ ଏବଂ ଅପୁ ଓ ତା’ ସାଙ୍ଗମାନଙ୍କ ଭଲମନ୍ଦ ବୁଝିଲେ । ସେ କହିଲେ, “ସହର ବଜାରର ବିଳାସ ନାହିଁ ଏଠାରେ । ତମେମାନେ ଆମର ବନ୍ଧୁ । ଆମେ କିମିତି ଅଛୁ ଦେଖ-। ଲୋକମାନଙ୍କ ବିଶ୍ଵାସ ଭାଜନ ହେବା ପାଇଁ ସେମାନଙ୍କ ସୁଖଦୁଃଖରେ ସମଭାଗୀ ହୁଅ । ବରଂ ସେମାନଙ୍କ ମନରେ ଏମିତି ଧାରଣା ଜନମୁ ଯେ ଆମେ ସମସ୍ତେ ସେମାନଙ୍କ ସେବା କରିବା ପାଇଁ ଆସିଛୁ । ଶୋଷଣ କରିବା ପାଇଁ ନୁହେଁ । ସେମାନେ ଯେଉଁଠି ଶୁଆ ବସା କରନ୍ତି ଆମେ ବି ସେହିପରି ଚଳିବା ପାଇଁ ଶିଖିଛୁ । ବିଶେଷ ଅସୁବିଧା ନାହିଁ ।’

 

‘ସରକାରୀ ଲୋକ ଆସନ୍ତିନି ?’ ପଚାରିଲା ଅପୁ ।

 

-‘ଆସନ୍ତି, ବର୍ଷେ ଛଅମାସରେ ଥରେ । ରୋଗ ବଇରାଗ ହେଲେ ଖବର ଦେଲେ ରାସ୍ତା ଥିବା ଯାଏ ଆସନ୍ତି ଜିପ୍‌ରେ । ଲୋକମାନେ ଯାଇ ସେଠାରେ ଅଫିସରମାନଙ୍କୁ ଦେଖା କରନ୍ତି । ଡାକ୍ତରଠାରୁ ଔଷଧ ବା ସାହୁକାର ଦୋକାନରୁ ରାସନ ଚାଉଳ ଆଣନ୍ତି । କିରାସିନି ବି ମିଳେ ବେଳେବେଳେ । କିନ୍ତୁ ଲୋକମାନଙ୍କ ହାତରେ ପଇସା ନାହିଁ କିଣିବା ପାଇଁ ।’

 

-‘ଏତେ କଷ୍ଟ, ସହି ଏମାନେ ବଞ୍ଚନ୍ତି ?’ ଅପୁ ପଚାରିଲା ।

 

-‘ହଁ ଏହାଠାରୁ ଆହୁରି କଷ୍ଟ । ଚାଉଳ ନ ଥିଲେ ଆମ୍ବ ଟାକୁଆ ବା ଶୁଆଁ ସିଝେଇ ସେଇ ପାଣି ଖାଇ ବଞ୍ଚନ୍ତି । ଶାଗ, କେତେକ କଅଁଳ ପତ୍ର, ବଣ ଜଙ୍ଗଲରୁ ମିଳୁଥିବା ଫଳମୂଳ ଖାଇ ବଞ୍ଚନ୍ତି ।’

 

ଅପୁର ପେଟ ଭିତରଟା ଘାଣ୍ଟ ଚକଟି ହେଲା । ତାକୁ ଲାଗିଲା ଯେ ଏତେ ଦୁଃଖକଷ୍ଟ ସହିବି ଏମାନେ ପ୍ରତିବାଦ କରନ୍ତି ନାହିଁ । ଏମାନଙ୍କ ତୁଣ୍ଡର ଭାଷା ଅମଲାମାନେ ବୁଝନ୍ତି ନାହିଁ । ପେଟର ଭୋକର ଟେର ପାଆନ୍ତି ନି ମନ୍ତ୍ରୀ ବା ନେତାମାନେ । ତଥାପି ଏଇ ଦୁଃଖୀ ଲୋକମାନଙ୍କୁ ମଦ ପିଆଇ, ଦାଦନ ଲଗାଇ ଶୋଷଣ କରେ ସାହୁକାର ।
 

କଷଣ ଦିଅନ୍ତି ଅମଲା ଅଫିସର ।’

 

କମ୍ରେଡ଼୍‍ ଗୁରୁଙ୍ଗ ସହିତ ମିତ୍ରତା ହେଲା । ସେ ଅପୁ ଓ ତା’ ସାଙ୍ଗମାନଙ୍କୁ ଅନେକ ଜାଗା ବୁଲାଇ ଆଣିଲା । ସେମାନଙ୍କୁ କହିଲା, “ତମେ ସବୁ ସହରରୁ ଆସିଛ । ଗଦିରେ ଶୋଉଥିବ । ପଙ୍ଖା ବୁଲୁଥିବ । ଲାଇଟ୍‌ ଥିବ । ପାଇଖାନା ଥିବ । ନଅତିଅଣ ଛ ଭଜା ଖାଉଥିବ । ଭଲ ପୋଷାକ ପିନ୍ଧୁଥିବ । ଦିନେ ଚାରି ପାଞ୍ଚ ପ୍ରକାରର ପୋଷାକ ପିନ୍ଧୁଥିବ । ଯାନବାହନ ଚଢ଼ୁଥିବ । ଜିନିଷର ଅଭାବ ନାହିଁ... ପଇସାର ଅଭାବ ନାହିଁ... । କିନ୍ତୁ ଭାଇ ଏଠାରେ ସବୁ ଜିନିଷର ଅଭାବ, କେବଳ ଗୋଟିଏ ଜିନିଷକୁ ଛାଡ଼ି... ।’

 

-‘କ’ଣ ସେଇ ଜିନିଷ’ ? ଅପୁ ପ୍ରଶ୍ନ କଲା ।

 

-‘ବିଶ୍ଵାସ, ସ୍ନେହ ଶ୍ରଦ୍ଧା... । ଥରେ ଯଦି ଏଇ ଆଦିବାସୀମାନେ ତମକୁ ସ୍ନେହ ଶ୍ରଦ୍ଧା କରିବେ, ବିଶ୍ୱାସ କରିବେ ତେବେ ତମ ପାଇଁ ସେମାନେ ଜୀବନ ଦବାକୁ ତିଳେ ବି ଆପତ୍ତି କରିବେ ନାହିଁ ।

 

ସତ୍ୟବ୍ରତ କହିଲା ଯେ, ‘‘ତା’ ମାମୁଁ ଘର ମୟୂରଭଞ୍ଜରେ । ଆଦିବାସୀମାନଙ୍କ ଚଳଣି ଓ ଜୀବନଧାରା ସେ ଦେଖିଛି । ସରଳ ବିଶ୍ଵାସୀ । କିନ୍ତୁ ଥରେ ଯଦି କେହି ସେମାନଙ୍କ ସହିତ ଶଠତା ବା ଶତ୍ରୁତା କରେ ତେବେ ସେମାନେ ସହଜରେ ତାକୁ ଛାଡ଼ିଦେବେ ନାହିଁ । ସରକାର କ’ଣ ସେମାନେ ଜାଣନ୍ତି ନାହିଁ । ସାହୁକାର, ମହାଜନମାନେହିଁ ସବୁ । ଆଦିବାସୀମାନଙ୍କ ଅସହାୟତାରୁ ସେମାନେ ଫାଇଦା ଉଠାନ୍ତି ବେଶୀ । ସେମାନଙ୍କ ପାଇଁ ଆସୁଥିବା ଚାଉଳ, ତେଲ ଏଇ ଚତୁର ଲୋକମାନେ ନେଇଯାଇ ଚଢ଼ାଦରରେ ବିକ୍ରି କରି ବେପାର କରନ୍ତି । ସେମାନଙ୍କୁ ଠକି ଭଣ୍ଡି ସେମାନଙ୍କ ଜମି ନିଜ ନାମରେ କରି ନିଅନ୍ତି । ହାଣ୍ଡିଆ ପିଇବା ଆଦିବାସୀଙ୍କ ବଡ଼ ଦୁର୍ବଳତା । ପର୍ବପର୍ବାଣିରେ ସେମାନଙ୍କୁ କରଜ ନେଇ ଖର୍ଚ୍ଚ ବଢ଼ାଇବା ପାଇଁ ଉତ୍ସାହ ଦିଅନ୍ତି ସାହୁକାର ଓ ଭାଟିବାଲାମାନେ । ଭବିଷ୍ୟତ କଥା ଚିନ୍ତା ନ କରି ସେମାନଙ୍କ କଥା ବିଶ୍ଵାସ କରି ଆଗୁଆ ଟଙ୍କା ନେଇ ଜମିର ଫସଲ ବିକ୍ରି କରିଦିଅନ୍ତି, ଜମି ବନ୍ଧା ପକାଇ ପର୍ବ ପାଳନ କରନ୍ତି । ବିପଦ ଆପଦ ପାଇଁ ହାତରେ କିଛି ନ ଥାଏ । ରୋଗର ଚିକିତ୍ସା ପାଇଁ ମନ୍ତ୍ରଯନ୍ତ୍ର ତୁଟୁକା ଛଡ଼ା ଆଉ କିଛି ନାହିଁ ।’’

 

-‘‘ଏଠାରେ ବି ଏକ କଥା ସତ୍ୟବ୍ରତ । ନାମ ଗୁଡ଼ା ସିନା ଭିନ୍ନ ଭିନ୍ନ, କିନ୍ତୁ ସେଥିରେ କିଛି ଫରକ ପଡ଼େନି । ଆଦିମ କାଳରୁ ଭୂଇଁକୁ ଭଲ ପାଇ ବଣ ଜଙ୍ଗଲକୁ ଆଶ୍ରାକରି ଏମାନେ ପଡ଼ି ରହିଛନ୍ତି । ପରଜା, ଜୁଆଙ୍ଗ, ବଣ୍ଡା, ସାନ୍ତାଳ, କୋୟା ଏମାନେ ସମସ୍ତେ ଗୋଟିଏ ମାଆର ସନ୍ତାନ... ।” ମାନୁ ବୁଝାଇ ଦେଲା ।

 

କମ୍ରେଡ଼୍‍, ଗୁରୁଙ୍ଗ ସେମାନଙ୍କୁ ବିଶ୍ୱାସ କରିଗଲା ଏବଂ ଆଦିବାସୀମାନଙ୍କ ମୁକ୍ତି ଆନ୍ଦୋଳନ ବିଷୟରେ କୁହାଇଲା ଆଗନ୍ତୁକ ବନ୍ଧୁମାନଙ୍କୁ । ସେମାନେ ଦଳଭୁକ୍ତ ନ ହେବା ପର୍ଯ୍ୟନ୍ତ ଏବଂ ଦଳର ନୀତି, ଶୃଙ୍ଖଳା ମାନି ଚଳିବା ପାଇଁ ଯୋଗ୍ୟ ବିବେଚିତ ନ ହେବା ପର୍ଯ୍ୟନ୍ତ ଗୁରୁଙ୍ଗ ସେମାନଙ୍କୁ ବନ୍ଧୁ ପରି ଚର୍ଚ୍ଚା କରୁଥଲା । କମ୍ରେଡ଼୍‍ ହେବା ପାଇଁ ସମୟ ଲାଗିବ, ଅନେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ଏବଂ ଆଦର୍ଶ ଓ ନୀତି ପାଇଁ ଜୀବନ ଦବା ପାଇଁ ସଦାବେଳେ ପ୍ରସ୍ତୁତ ରହିବାକୁ ପଡ଼ିବ ।

 

ସେମାନେ ଆଲୋଚନା କରୁଥିବାବେଳେ ଜଣେ କର୍ମୀ ଦୌଡ଼ି ଦୌଡ଼ି ଆସି ପହଞ୍ଚି ଲାଲ ସଲାମ କଲା । ଗୁରୁଙ୍ଗ କହିଲା, ‘କଅଣ ଖବର କହ... ।’

 

ସେ କହିଲା, ‘ହୁଡ଼ୁମା ଘାଟି ପାଖରେ ପୁଲିସ୍‍ ଦଳ ତଲାସି ଚଳାଇଚି । ସେଇ ଖବର ଦବାକୁ ଆସିଛି ।’ ଗୁରୁଙ୍ଗଙ୍କ ଅନ୍ୟାନ୍ୟ ପ୍ରଶ୍ନର ଉତ୍ତର ଦେଇ ସେ କହିଲା, ଦୁଇଟା ଟ୍ରକ୍‌ରେ ପ୍ରାୟ ପଚାଶ ଜଣ ସଶସ୍ତ୍ର ପୁଲିସ୍‍ ଆସିଥିବା ଅନୁମାନ କରାଯାଉଛି । ଦୁଇଟା ଜିପ୍‌ରେ ଅଫିସରମାନେ ଆସିଛନ୍ତି । ସେମାନଙ୍କ ସାଙ୍ଗରେ ବି ସଶସ୍ତ୍ର ଅଙ୍ଗରକ୍ଷୀ ଅଛନ୍ତି । କିନ୍ତୁ ଗାଁ ବାଲାଙ୍କଠାରୁ ସେମାନଙ୍କୁ ସାହାଯ୍ୟ କଲାପରି କୌଣସି ତଥ୍ୟ ସଂଗ୍ରହ କରିପାରି ନାହାଁନ୍ତି । ସରପଞ୍ଚ କ’ଣ କହିବାପାଇଁ ଚାହୁଁଥିଲା, କିନ୍ତୁ ଗାଁବାଲାଙ୍କ ଉତ୍ତର ଶୁଣିବା ପରେ ସେ ବି ଚୁପ୍‌ ହୋଇଗଲା । ପୁଲିସ୍‍ ସୁପରିଣ୍ଟେଣ୍ଡେଟ୍‌ ଗାଁବାଲାଙ୍କ ମନ ଜିଣିବା ପାଇଁ ଲୁଗା, ଔଷଧ, ଶିଶୁଖାଦ୍ୟ ବାଣ୍ଟିଲେ ସେମାନଙ୍କ ମଧ୍ୟରେ । ସରପଞ୍ଚକୁ କହିଲେ ଗୋଟେ ପଞ୍ଚାୟତ ଘରକୁ ଲାଗି ଶହେ ଜଣ ବସିପାରିବା ଭଳି ଗୋଟେ ଖୋଲା ଘର ତିଆରି କରିବା ପାଇଁ । ଯାହା ଖର୍ଚ୍ଚ ହେବ ସରକାର ଦେବେ ।

 

ଗୁରୁଙ୍ଗ ସବୁ ଶୁଣିଲା, କିନ୍ତୁ ସାଙ୍ଗେ ସାଙ୍ଗେ କିଛି ଉତ୍ତର ଦେଲା ନାହିଁ । ସେ ଆଗନ୍ତୁଙ୍କକୁ କହିଲା ଅପେକ୍ଷା କରିବା ପାଇଁ । ଗପରେ ଅପୁ, ସତ୍ୟବ୍ରତ ପ୍ରଭୃତିଙ୍କ ସହିତ ଆଲୋଚନା ବନ୍ଦ ରଖି ପାଖରେ ଥିବା ଆଉ ଗୋଟେ କୋଠରୀକୁ ଗଲେ ଏବଂ ଅଳ୍ପ ସମୟ ମଧ୍ୟରେ ଆଉ କେତେଜଣ କମ୍ରେଡ଼୍‍ ପ୍ରବେଶ କଲେ କୋଠରୀରେ । କବାଟ କିଳା ସେମାନଙ୍କ ନିଭୃତ ଆଲୋଚନାବେଳେ ଅନ୍ୟ କେହି ଉପସ୍ଥିତ ନ ଥିଲେ । ଦ୍ୱାର ପାଖରେ ଚାରିଜଣ ସଶସ୍ତ୍ର କମ୍ରେଡ଼୍‍ ଏବଂ ଘର ଚାରିପାଖରେ ଆଉ କେତେଜଣ କମ୍ରେଡ଼୍‍ ପହରା ଦବା ଆରମ୍ଭ କରିଦେଲେ ।

 

ପ୍ରାୟ ଅଧଘଣ୍ଟାଏ ଆଲୋଚନା ଚାଲିଲା । ତା’ପରେ ସେମାନେ ବାହାରକୁ ଆସିଲେ । ଗୁରୁଙ୍ଗ ସେଇ ଆଗନ୍ତୁକକୁ ଡାକି ପଠାଇଲା ଏବଂ ତାକୁ ଘାଟି ଜଗିଥିବା କ୍ରମେଡ଼୍‍ମାନଙ୍କ ସୁରକ୍ଷା ବିଷୟ ପଚାରିଲା । ପୁଲିସ୍‍ ଆସିବା ପରେ କମ୍ରେଡ଼୍‍ମାନେ ଘାଟି ତଳୁ ଘାଟି ଉପରକୁ ଚାଲିଯାଇଥିଲେ ଏବଂ ମୁକ୍ତିସେନାର ସିପାହୀମାନେ ପୁଲିସ୍‍ ଉପରେ ଚଢ଼ାଉ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ।

 

କିନ୍ତୁ ସେଇ ଆଗନ୍ତୁକ ନିର୍ଦ୍ଦେଶ ନେଇ ଫେରିବା ପୂର୍ବରୁ ଆଉ ଜଣେ ଧଇଁସଇଁ ଅବସ୍ଥାରେ ଖାଲି ପହଞ୍ଚିଲା ଏବଂ ଲାଲ ସଲାମ ଦେଲା ।

 

କମ୍ରେଡ଼୍‍ ଗୁରୁଙ୍ଗ ନିଭୃତରେ ତା’ଠାରୁ ସବୁ ବୃତ୍ତାନ୍ତ ଶୁଣି ବରିଷ୍ଠ କମ୍ରେଡ଼୍‍ମାନଙ୍କ ସହିତ ପାଞ୍ଚମିନିଟ୍‌ ଆଲୋଚନା କରିବା ପରେ ଶିବିର ଧ୍ଵଂସ କରି ପନ୍ଦର କିଲୋମିଟର ଦୂରରେ ପାହାଡ଼ ଉପରେ ଥିବା ଆଉ ଗୋଟିଏ ଶିବିରକୁ ଚାଲିଯିବା ପାଇଁ ସମସ୍ତଙ୍କୁ ଆଦେଶ ଦେଲା । ସେମାନଙ୍କ ସହିତ ଅପୁ ଓ ଅନ୍ୟ ଅତିଥିମାନଙ୍କୁ ମଧ୍ୟ ପଠାଇ ଦେଲା ଗୁରୁଙ୍ଗ । କେବଳ ପନ୍ଦରଜଣ ବଛାବଛା ସଶସ୍ତ୍ର କମ୍ରେଡ଼୍‍ଙ୍କୁ ସାଙ୍ଗରେ ଧର କୁମ୍ବିଂ ଅପରେସନ କରୁଥିବା ସଶସ୍ତ୍ର ପୁଲିସ୍‍ ବାହିନୀର ସାମନା କରିବା ପାଇଁ ବାହାରିଗଲେ ସେମାନେ । ଯିବାବେଳେ ପୁଳାଏ ମାଟି ଉଠାଇ ନେଇ କପାଳରେ ଛୁଆଁଇ ଶପଥ ନେଲେ ସେମାନେ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ସଂଘର୍ଷ ଚାଲୁ ରଖିବା ପାଇଁ ।

 

ମୁକ୍ତି ସେନାର ପ୍ରଥମ ବ୍ୟୁହ ଭେଦ କରି ପୁଲିସ୍‍ ବାହିନୀ ଯେ ମାଡ଼ି ଆସୁଥିଲେ ଏଇ ଖବର ପହଞ୍ଚିଥିଲା କମ୍ରେଡ଼୍‍ ଗୁରୁଙ୍ଗ ପାଖରେ । ସେହି ଖବର ପାଇବା ସହିତ ସେ ରଣକୌଶଳ ମଧ୍ୟ ପରିବର୍ତ୍ତନ କରୁଥଲା । ଦୁଇ ଦିଗରୁ ଦୁଇଟି ପୁଲିସ୍‍ ଦଳ କୁମ୍ବିଂ ଅପରେସନ କରୁଥିବା ଖବର ପାଇ ଗୁରୁଙ୍ଗ ଠିକ୍‌ କହିଲା ଯେ ଏଇ ଶିବିରରେ ରହିବା ଆଉ ନିରାପଦ ନୁହେଁ । କମ୍ରେଡ଼୍‍ମାନଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ସେ ନିଷ୍ପତ୍ତି ନେଲା ଶିବିର ଛାଡ଼ି ପନ୍ଦର କିଲୋମିଟର ଗଭୀର ଜଙ୍ଗଲ ମଧ୍ୟରେ ଥିବା ଅଧିକ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ । ପୁଲିସ୍‍ ଦଳ ସଶସ୍ତ୍ର ଏବଂ ସେମାନଙ୍କ ହାତରେ ଅଧିକ ଶକ୍ତିଶାଳୀ ମାରଣାସ୍ତ୍ର ରହିଛି । ସଂଖ୍ୟା ଦୃଷ୍ଟିରୁ ମଧ୍ୟ ସେମାନେ ପ୍ରାୟ ସମାନ । ଗରିଲା ଯୁଦ୍ଧରେ ପୁଲିସ୍‍ଠାରୁ ସେମାନେ ଅଧିକ ଦକ୍ଷତାର ନିଦର୍ଶନ ଦେଇପାରିବେ । କିନ୍ତୁ ସେଥିରେ ଯେ କମ୍ରେଡ଼୍‍ମାନେ ଅକ୍ଷତ ଓ ନିରାପଦ ରହିବେ ଏଇ ଗ୍ୟାରେଣ୍ଟି କେହି ଦେଇପାରିବ ନାହିଁ । ଜାଣି ଜାଣି ନିଆଁ ଭିତରକୁ କମ୍ରେଡ଼୍‍ମାନଙ୍କୁ ସେ ଠେଲି ଦେଇପାରିବ ନାହିଁ । ମଣିଷ ଜୀବନର ମୂଲ୍ୟ ଅଛି । ଗଣଙ୍କ ସ୍ଵାର୍ଥ ପାଇଁ ସେମାନେ ଆତ୍ମବଳି ଦବା ସକାଶେ ସଦାବେଳେ ପ୍ରସ୍ତୁତ । କିନ୍ତୁ ୟାର ଅର୍ଥ ନୁହେଁ ଯେ ପରିଣତିର ଭୟଙ୍କରତା ବିଚାର ନ କରି ସେମାନେ ବିପଦକୁ ଡେଇଁ ପଡ଼ିବେ । ସୁତରାଂ ସେମାନଙ୍କ ଆଗରେ ଦୁଇଟି ରାସ୍ତା । ପ୍ରଥମଟି ପୁଲିସ୍‍ର ମୁକାବିଲା କରିବା ବା ସେମାନଙ୍କଦ୍ୱାରା ବନ୍ଦୀ ହେବା । ଦ୍ୱିତୀୟଟି ହେଉଛି ବୀରତ୍ୱର ସହିତ ପଛଘୁଞ୍ଚା ଦେଇ ଗଭୀର ଜଙ୍ଗଲକୁ ପଳାୟନ । ରେଡ଼ିଓ ମାଧ୍ୟମରେ ସେ କମାଣ୍ଡରଙ୍କୁ ଜଣାଇଦେଲା ଏବଂ କମାଣ୍ଡର ମଧ୍ୟ ତାଙ୍କ ନିଷ୍ପତ୍ତି ସମର୍ଥନ କଲେ ।

 

ପ୍ରାୟ ଅଧଘଣ୍ଟାଏ ମଧ୍ୟରେ ସେମାନେ ଶିବିର ଛାଡ଼ି ପଳାଇଗଲେ । ଯିବା ପୂର୍ବରୁ ଶିବିରରେ ନିଆଁ ଲଗାଇ ଦବା ପାଇଁ ଭୁଲିଲେ ନାହିଁ । ଯଦି ବି ପୁଲିସ୍‍ ବାହିନୀ ଜଙ୍ଗଲର ଅଭ୍ୟନ୍ତରରେ ପ୍ରବେଶ କରନ୍ତି ତେବେ ମଧ୍ୟ ସେମାନେ ଶିବିର ପୋଡ଼ି ପାଉଁଶ ହୋଇଥିବା ଦେଖି ଆଉ ଭିତରକୁ ନ ଯାଇ ପ୍ରତ୍ୟାବର୍ତ୍ତନ କରିବେ ।

 

ଗଭୀର ଜଙ୍ଗଲ ଭିତର ଦେଇ ଯିବାବେଳେ ଅପୁ ମନରେ ଏତେ ସାହସ କେଉଁଠୁ ଆସିଲା ବୋଲି ସେ ମନକୁ ମନ ପଚାରିଲା ନିଜକୁ । ଅନନ୍ତ, ସତ୍ୟବ୍ରତ ଏବଂ ମାନୁକୁ କିନ୍ତୁ ଡର ଲାଗୁଥାଏ । ସେମାନେ ବୁଲିବାକୁ ଆସିଲେ ଏମିତି ବିପତ୍ତିର ସାମନା କରିବାକୁ ହେବ ତାହା କଳ୍ପନା କରି ନ ଥିଲେ । ସେମାନେ ଭାବିଥିଲେ ଯେ ମୁକ୍ତି ସେନା ଓ ପୁଲିସ୍‍ ମଧ୍ୟରେ ମୁକାବିଲା ଚାଲିଛି ସତ କିନ୍ତୁ ବାସ୍ତବ ଚିତ୍ର ଯେ ଏଡ଼େ ଭୟଙ୍କର ଓ ବିପଦଶଙ୍କୁଳ ହୋଇଥିବ ଭାବି ନ ଥିଲେ । ବାଘ, ଭାଲୁ, ଅଜଗର ଓ ବିଷଧର ମଶାଙ୍କୁ ଖାତିର ନ କରି ପ୍ରତି ମୁହୂର୍ତ୍ତରେ ଜୀବନ ବାଜି ମାରିବାର ଦୁଃସାହସ ନେଇ କମ୍ରେଡ଼୍‍ମାନେ ଯେ ଯୁଦ୍ଧ କରୁଥିବେ ଏହା ପ୍ରତ୍ୟକ୍ଷ ଅନୁଭୂତି ସେମାନେ ପାଇଲେ । ଆତଙ୍କିତ ହୋଇ ପଡ଼ିଥାଏ ସୁବ୍ରତ ।

 

କିନ୍ତୁ ଅପୁକୁ ଲାଗୁଥାଏ ଯେପରି ସେ ବି ଜଣେ ଯୋଦ୍ଧା । ଅଗଣିତ ଦୁଃଖି, ନିରନ୍ନ ଏବଂ ନିର୍ଯ୍ୟାତିତ ଲୋକଙ୍କ ବଞ୍ଚିବାର ଅଧକାର ଏବଂ ନାଗରିକର ସମ୍ମାନ ଦବା ସବୁଠାରୁ ବଡ଼ ମାନବ ଧର୍ମ । କେବଳ ଉଚ୍ଚଶିକ୍ଷା ଲାଭ କରି ଉଚ୍ଚ ପଦରେ ଅଭିଷିକ୍ତ ହେଲେ ସେମାନଙ୍କ ସମସ୍ୟାର ସମାଧାନ କରିହେବ ନାହିଁ । ବରଂ ସେମାନଙ୍କୁ ନ୍ୟାୟ ଦବା, ସେମାନଙ୍କୁ ଅବିଚାର ଓ ପ୍ରତାରଣାରୁ ରକ୍ଷା କରିବାଠାରୁ ମହାନ୍‌ ବ୍ରତ ଆଉ କ’ଣ ଥାଇପାରେ ? ଏଇ ବ୍ରତ ପାଳନ କରିବା ସକାଶେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ, ଜବାହରଲାଲ ନେହେରୁ ସବୁ ସୁଖ ସୁବିଧା ଛାଡ଼ି ଦେଶ ଓ ଦଶର ସେବା କରିବା ପାଇଁ ସଂକଳ୍ପ କରିଥିଲେ । ସେହିପରି ଲକ୍ଷ ଲକ୍ଷ ଲୋକଙ୍କ ତ୍ୟାଗ ଓ ସଂଗ୍ରାମ ଯୋଗୁ ଏ ଦେଶ ସ୍ଵାଧୀନ ହେଲା । ଶହ ଶହ ନିରପରାଧ ନିର୍ଦ୍ଦୋଷ ଲୋକ ବ୍ରିଟିଶ ଶାସକର ବନ୍ଧୁକ ମୁନରେ ଟଳି ପଡ଼ିଥିଲେ । ବୀର ପରି ମହାନ୍ ସଂଗ୍ରାମୀମାନଙ୍କୁ କଳାପାଣିରେ ବନ୍ଦୀ କରି ରଖିଥିଲା ବ୍ରିଟିଶ ସରକାର । କେତେକ ଅପରିସୀମ ଦୈହିକ ନିର୍ଯ୍ୟାତନା ଯୋଗୁ ଶେଷ ନିଃଶ୍ୱାସ ସେଇ ଦ୍ୱୀପରେ ଛାଡ଼ିଥିବା ବେଳେ ଆଉ କେତେକ ସରୀସୃପମାନଙ୍କ କବଳରେ ପଡ଼ି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେମାନଙ୍କ ବଳିଦାନର ମୂଲ୍ୟ କେହି ଦେଇପାରିବ ନାହିଁ । ଅଥଚ କୌଣସି ଉତ୍ତର ପୁରୁଷମାନଙ୍କଠାରୁ କୌଣସି ମୂଲ୍ୟ ବା ଯଶଖ୍ୟାତି ପାଇବା ଆଶା ନ ରଖି ସେମାନେ ଛାତି ଦେଖାଇ ଦେଇଥିଲେ ବ୍ରିଟିଶ ଶାସକର ବନ୍ଧୁକ ଆଗରେ ।

 

ମନେ ମନେ ଅପୁ ସଲାମ କଲା ସେମାନଙ୍କୁ । ‘ଲାଲ ସଲାମ... ଲାଲ ସଲାମ ।’ ତା’ ମୁହରୁ ଅସ୍ପଷ୍ଟ ଶବ୍ଦ ଶୁଣି ସତ୍ୟବ୍ରତ କହିଲା, ‘କ’ଣ ଭାରି କଷ୍ଟ ହେଉଚି ?’

 

-‘ନା କଷ୍ଟ ନୁହେଁ, ବରଂ ମୋ ଭିତରେ ଶୋଇରହିଥିବା ଗୋଟାଏ ସୁପ୍ତ ସିଂହ ଜାଗ୍ରତ ହେଉଛି । ସେ କେତେବେଳେ ଡିଆଁ ମାରିବ ମୁଁ କହିପାରିବି ନାହିଁ । କିନ୍ତୁ ଭାଇ ! ଯଦି ସେ ଜାଗିଉଠେ, ମୋ ଚେତନାରେ ଯଦି ସ୍ଫୁଲିଙ୍ଗଟିଏ ସୃଷ୍ଟି ହୁଏ ତେବେ ତାହାର ଆମନ୍ତ୍ରଣ ମୁଁ କ’ଣ ପ୍ରତ୍ୟାଖ୍ୟାନ କରିପାରିବି ?’

 

ଅନନ୍ତ କହିଲା, ‘ତୁ ପାଗଳ ପରି କ’ଣ ଗୁଡ଼ାଏ ବକୁଛୁ ? ତୁମମାନଙ୍କୁ ବୁଲାଇ ଆଣିବା ମୁଁ ଯେ ଗୋଟେ ବଡ଼ ଭୁଲ କରିଛି ଏବେ ମୋର ଅନୁତାପ ହେଉଛି । ଭାଉଜ କ’ଣ ଭାବିବେ ତାଙ୍କୁ ତ ମୁଁ କହି ନ ଥିଲି ଆମେ ଏଇ ବିପଦଶଙ୍କୁଳ ସ୍ଥାନକୁ ଆସୁଛୁ ବୋଲି... । ତାଙ୍କ ପାଖରେ ମୁଁ ବିଶ୍ଵାସସାତକ ହୋଇ ରହିଯିବି ସବୁଦିନ ।’

 

ତାକୁ ଆଶ୍ୱାସନା ଦେଇ କହିଲା ଅପୁ, ‘ତୁ ଚିନ୍ତା କରନା । ମୋ ଭାଉଜ ଭୀରୁ ନୁହନ୍ତି । ସେ ବି ଦେଶ କଥା ଭାବନ୍ତି । ଦୁଃଖି ଦରିଦ୍ର ନିପୀଡ଼ିତମାନଙ୍କ କଥା ଚିନ୍ତା କରନ୍ତି । ଯଦି ସୁଯୋଗ ପାଆନ୍ତେ ସେ ହୁଏତ ଆମ ସାଙ୍ଗରେ, ଆସିଥାଆନ୍ତେ । ସେ ମୋ ମା’ ପରି । ମୁଁ କ’ଣ ତାଙ୍କୁ ଜାଣିନି ?’

 

ତା’ର ଭାବ ପ୍ରବଣତା ଦେଖି ସତ୍ୟବ୍ରତ କହିଲା, “ଆମେ କ’ଣ ସାଙ୍ଗରେ ଆସିଥିବାରୁ ଅନୁତପ୍ତରେ ଅନନ୍ତ । ଏଇ ଦୁଃସାହସିକ ଅଭିଯାନରେ ଯୋଗଦେଇ ଆମେ ଭାବୁଛୁ ଯେ ଆମେ ମଧ୍ୟ ରାତାରାତି ମୁକ୍ତି ସେନା ପାଲଟି ଯାଇଛୁ । ଆମେ ଖୁସି ଯେ ତୋ ପରି, ମାନୁ ପରି ସାଙ୍ଗ ପାଇଛୁ... ।

 

ଅପୁ ସ୍ଵଗତୋକ୍ତି କଲା, ‘ମୁକ୍ତ ହୋଇ ଯାଆନ୍ତି କି ସବୁ ବନ୍ଧନରୁ....’

 

ଜଙ୍ଗଲ ଭିତରେ ଯିବାବେଳେ ହଠାତ୍‌ ଗଛ ଡାଳରୁ ଓହଳି ଥିବା ଗୋଟେ ଲମ୍ବା ସାପର ଲାଞ୍ଜ ଦେଖି ଚମକି ପଡ଼ିଲା ସତ୍ୟବ୍ରତ । ମାଘ ମାସର ଶୀତ ଦେହରେ ଲାଗିଲେ ଯେପରି ଥରିଉଠେ ଶରୀର ସେଇପରି ଥରୁଥିଲା ସେ । ତୁଣ୍ଡରୁ ଭାଷା ବାହାରୁ ନ ଥିଲା । ତାକୁ ଠିଆ ହୋଇଯିବା ଦେଖି ତା’ କାନ୍ଧ ଉପରେ ହାତ ରଖିଲା ମାନୁ । ମାନୁର ହାତ ତା’ କାନ୍ଧରେ ଥିବା ଜାଣି ତା’ର ହୋସ୍‌ ଆସିଲା । ସେ ହାତର ବିଶି ଆଙ୍ଗୁଳି ଟେକିଲା ଗଛ ଡାଳକୁ ଅପୁ ଓ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ।

 

ମାନୁ କହିଲା, “ସେ ତା’ ବାଟରେ ଯାଉ, ଆମେ ଆମ ବାଟରେ ଯିବା । ତା’ର ଅନିଷ୍ଟ, ନ କଲେ ସେ କାହିଁକି ଆମର ଅନିଷ୍ଟ କରିବ ଯେ... ।”

 

ସତ୍ୟବ୍ରତ ତଥାପି କିଛି କହି ପାରୁ ନ ଥିଲା । ତା’ ମେରୁଦଣ୍ଡ ଦେଇ ଗୋଟେ ହିମ ପ୍ରବାହ ଶିରି ଶିରି କରି ବହି ଯାଉଥିଲା । ସେ ଭାବୁଥିଲା ଏଇ ଜଙ୍ଗଲ ଭିତରେ ଏମିତି ବିଷଧର କେତେ ଥିବେ । କେତେ ଥିବେ ଭାଲୁ, ବାଘ, ଅଜଗର... । ତଥାପି ଏଇ ମୁକ୍ତି ସୈନିକମାନଙ୍କ ତିଳେ ଡର ନାହିଁ । ଜୀବନକୁ ପାଣି ଛଡ଼େଇ ଦେଇଛନ୍ତି । ମାୟା ନାହିଁ କି ମୋହ ନାହିଁ । କେବଳ ଅଛି ଗୋଟେ ସଂକଳ୍ପ । ଆଗକୁ ଯିବାକୁ ହେବ... ଅନେକ ଆଗକୁ... ବାଧାବିଘ୍ନ ପ୍ରତିବନ୍ଧକଗୁଡ଼ାକ ଶୁଖିଲା ପତର ପରି ପଡ଼ି ରହିବ... ଶୀତ ରାତିରେ ଦିନେ ନିଆଁ ଲଗାଇ ଦେଲେ ଦେହ ତାତିବ, ଆଉ ମନ କହିବ ମଣିଷର ମୁକ୍ତିପାଇଁ ମଣିଷ ଲଢ଼ିବନି ତ କ’ଣ ଜଙ୍ଗଲର ଜାନୁଆରମାନେ ଲଢ଼ିବେ-?

 

ମଣିଷର ମୁକ୍ତିପାଇଁ ତାକୁ ଇ ଲଢ଼ିବାକୁ ହେବ ।

 

ସେଥିପାଇଁ ତ ଗ୍ୟାରିବାଲ୍‌ଡି, ଅରବିନ୍ଦ, ଗାନ୍ଧୀ, ସୁଭୀଷ, ଭଗତ ସିଂ, ଲକ୍ଷ୍ମଣ ନାଏକମାନେ କେବଳ ଲଢ଼ିଗଲେ ଜୀବନ ସାରା । ଫାଶୀ କାଠରେ ଝୁଲୁଥବା ଦଉଡ଼ି ବେକ ଚାରିପାଖରେ ଥିଲାବେଳେ ଲାଗୁଥିଲା ଫୁଲମାଳଟାଏ କିଏ ପକାଇ ଦେଇଛ । ଜେଲ ଭିତରେ କଥାର କଠୋର କଟକଣା ସହ୍ୟ କରି ଅରବିନ୍ଦ ସବୁଆଡ଼େ ଦେଖୁଥିଲେ ବାସୁଦେବ ଶ୍ରୀକୃଷ୍ଣଙ୍କ ମୁହଁ... ।

 

ସେମାନେ ଶିବିରରେ ପହଞ୍ଚିବାବେଳକୁ ବେଳ ରତ ରତ । ଧୀରେ ଧୀରେ ଆଲୁଅରେଖା ଗଛଲତା ମଧ୍ୟରେ ଲୁଚକାଳି ଖେଳି ଖେଳି ଅପସରି ଯାଉଥାଏ... ଯେପରି ଆଲୁଅ ରେଖାଗୁଡ଼ାକୁ ବାହାରେ ଛିଡ଼ା ହୋଇଥିବା ଗୋଟାଏ ଅସୁର ଟାଣି ଦେଉଛି... । ରାତିର ଗହଳ ଅନ୍ଧାର କେଡ଼େ ଭୟଙ୍କର ଲାଗିବ ସେଇକଥା ଭାବୁଥିଲା ସତ୍ୟବ୍ରତ ।

 

କିନ୍ତୁ ଅପୁ ଭାବୁଥିଲା ଏଇଠି ଏମାନଙ୍କ ସାଙ୍ଗରେ ରହିଗଲେ କେମିତି ହୁଅନ୍ତା । କିନ୍ତୁ ଭାଉଜ ଖୋଜିବେ । ଭାଇମାନେ ଖୋଜିବେ । ଏତେ ଲୋକ ହଜିଯାଉଛନ୍ତି ଦୁନିଆର ବଡ଼ ଦାଣ୍ଡରେ ପ୍ରତିଦିନ । ସେ ବି ସେହିପରି ହଜିଯିବ ଅନେକ ଲୋକଙ୍କ ମେଳରେ । ତା’ର ସ୍ଵତନ୍ତ୍ର ପରିଚୟ ଲିଭିଯିବ ସେମାନଙ୍କ ମେଳରେ । ତାକୁ ଯଦି ଅପୁ ବା ଅପ୍ରତିମ ନାମରେ ନ ଡାକି କେହି କହେ କମ୍ରେଡ଼୍‍ ତେବେ କ’ଣ ଖରାପ ଲାଗିବ ତାକୁ ? ବରଂ ସେଇ ମଧୁର ଶବ୍ଦ ଏଇ ପାହାଡ଼ ଦେହରେ ବାଜି ଫେରି ଆସିବ ଦୁନ୍ଦୁଭି ଭରି କମ୍ରେଡ଼୍‍ ଅପ୍ରତିମ କମ୍ରେଡ଼୍‍ ଅପ୍ରତିମ, କମ୍ରେଡ଼୍‍ ଅପ୍ରତିମ-

 

(ପନ୍ଦର)

 

କଲିକତାରେ ତିନିଦିନ କିପରି କଟିଗଲା ଜାଣିପାରିଲା ନାହିଁ ଅନଙ୍ଗ । ସିଙ୍ଗାପୁର-ନିଉୟର୍କ ଫ୍ଲାଇଟ୍‌ ନିର୍ଦ୍ଧାରିତ ସମୟରେ କଲିକତାର ନେତାଜୀ ସୁଭାଷ ବୋଷ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିଲା । ତା’ ଆଡ଼କୁ ହାତ ହଲାଉଥିବା ଅନଙ୍ଗକୁ ଦୂରରୁ ଚିହ୍ନିପାରି କୁରୁଳି ଉଠିଲା ସୁସୁଇ । ମନର ମଣିଷ ଅପେକ୍ଷା କରିଛି ଜାଣିଲେ ହୃଦୟରେ କଦମ୍ବ ଫୁଲର ବାସ୍ନା ମହ ମହ କରେ ।

 

ସୁସୁଇକୁ ନେଇ ଅନଙ୍ଗ ହୋଟେଲ ଯିବା ବାଟରେ ଦୁହେଁ ପ୍ରଗଲ୍ଭ ହୋଇ ଗପୁ ଥାଆନ୍ତି ଗତ କେତେ ସପ୍ତାହର ଘଟଣା ସମ୍ପର୍କରେ । ସିଙ୍ଗାପୁରରୁ ଭୁବନେଶ୍ୱର ଫେରି ଆସିବା ପରେ ଅନଙ୍ଗ ପରିବାରର ଲୋକଙ୍କୁ କ’ଣ କହିଲା ସେ ସମ୍ପର୍କରେ ପଚାରିଥିଲା ସୁ । ଅନଙ୍ଗ ସବୁ ବନେଇ ଚୁନେଇ ନ କହି ଯାହା ଘଟିଥିଲା ସେଇକଥା ଅକପଟଭାବେ କହିଥିଲା ତାକୁ । ସୁ ପଚାରିଥିଲା, କେହି ପଚାରିଲେନି ବାହାଘର ବିଷୟରେ ? ଅନଙ୍ଗ କହିଥିଲା ଭାଉଜଙ୍କୁ ସେ କହିଥିବା କଥା, ବାହା ନ ହୋଇ ବି ଆଜିକାଲି ଅନେକ ବନ୍ଧୁ ହୋଇ ରହୁଛନ୍ତି । ଏକତ୍ର ଗୋଟିଏ ଛାତତଳେ ବାସ କରୁଛନ୍ତି । ତେଣୁ ବାହାଘରଟା ଆମ ଦେଶରେ ପରିବାରର ମୂଳଦୁଆ ହେଲେ ମଧ୍ୟ ନୂଆ ଦୁନିଆଁରେ ନୂଆ ପ୍ରଥା ଆରମ୍ଭ ହୋଇଗଲାଣି । ଵିବାହ ପରି ଗୋଟିଏ ସାମାଜିକ ଅନୁଷ୍ଠାନ କ୍ରମଶଃ ପରିତ୍ୟକ୍ତ ହେଉଛି ।

 

ସୁସୁଇ କିନ୍ତୁ ନାରାଜ ବିବାହ କରିବା ପାଇଁ । ତା’ର ଭୟ ଯେ, ଯଦି ସେ ଈଶ୍ଵରଙ୍କୁ ସାକ୍ଷୀ କରି ଅନଙ୍ଗକୁ ବାହା ହୁଏ ତେବେ ହୁଏତ ସେଥିରୁ ଦରକାର ହେଲେ ମୁକୁଳି ଆସିପାରିବ ନାହିଁ । ସେଥିପାଇଁ ବିବାହକୁ ଗୋଟିଏ ସାମାଜିକ ଚୁକ୍ତି କହିବାପାଇଁ ତା’ର ଦ୍ୱିଧା ନାହିଁ । ଯେତେବେଳେ ଇଚ୍ଛା ହେବ ସେତେବେଳେ ସେଇ ଚୁକ୍ତି ଏକତରଫା ଭାଙ୍ଗି ଦେଇପାରିବ । ପୁଣି ସ୍ଵାଧୀନତାର ସ୍ଵାଦ ଚାଖିବ । ଈଶ୍ଵର ବିଶ୍ଵାସ ତା’ର ନାହିଁ, ତଥାପି ଈଶ୍ଵରଙ୍କୁ ପାଖରେ ନିଜକୁ ବନ୍ଧା ପକାଇବ କାହିଁକି ? ସମୟ ବଦଳି ଗଲାଣି । ଆଉ ନାରୀ ଓ ପୁରୁଷ ମଧ୍ୟରେ ବିବାହ ସୀମାବଦ୍ଧ ହୋଇ ରହି ନାହିଁ । ସମଲିଙ୍ଗୀ ବିବାହ ଚଳିଗଲାଣି ପ୍ରାଚ୍ୟ ଓ ପାଶ୍ଚାତ୍ୟରେ ।

 

ଦୁହିଁଙ୍କ ନାମରେ ଦୁଇଟି ସୁଇଟ୍‌ ରିଜର୍ଭ ହୋଇଥିଲେ ବି ପ୍ରାୟ ଗୋଟିକରେ ବେଶୀ ସମୟ କଟାଇଲେ ଦୁହେଁ ପରସ୍ପରର ସାନିଧ୍ୟକୁ ନିବିଡ଼ଭାବେ ଅନୁଭବ କରିବା ପାଇଁ । ଅନଙ୍ଗ ଅନେକ ଭାବିଚିନ୍ତି ଥରେ ନୁହେଁ ତିନିଥର ବାହା ହେବାର ମହତ୍ତ୍ଵ ବୁଝାଇବାକୁ ଚେଷ୍ଟା କରିଥଲା । କିନ୍ତୁ ସୁସୁଇ ବୁଝିବା ପରି ଲାଗୁଥିଲେ ବି କେତେବେଳେ ପୁଣି ମନ ପରିବର୍ତ୍ତନ କରି କହୁଥିଲା, “ଜୀବନକୁ ଉପଭୋଗ କରିବା ଯଦି ଉଦ୍ଦେଶ୍ୟ ହୁଏ ତେବେ ସେଥିପାଇଁ ପରସ୍ପର ସହିତ ବାନ୍ଧି ହେବାର ପ୍ରୟୋଜନ କ’ଣ ? ଉଭୟ ମୁକ୍ତ ସ୍ଵାଧୀନ ରହି ବି ତାହା କରାଯାଇପାରେ । ଆଉ ସନ୍ତାନ ଜନ୍ମ କରିବା ଉଦ୍ଦେଶ୍ୟ ନେଇ ବାହା ହେଲେ ବନ୍ଧନମୁକ୍ତ ହେବାର ସମ୍ଭାବନା ଯେ କମିଯିବ ଏଥିରେ ସନ୍ଦେହ ନାହିଁ ।

 

ଦୁହିଙ୍କ ମଧ୍ୟରେ ଆଲୋଚନା ହେଲା, କିନ୍ତୁ ମତୈକ୍ୟ ହେଲା ନାହିଁ । ଦୁହେଁ ଏଇ ପ୍ରସଙ୍ଗକୁ ନେଇ ନିଜ ନିଜ ମଧ୍ୟରେ ମତାନ୍ତର ରଖିବା ପାଇଁ ମଧ୍ୟ ପସନ୍ଦ କଲେ ନାହିଁ । ମାନବିକ ସ୍ଵାଧୀନତାର ଅର୍ଥ ହେଉଛି ଏଇ ଯେ ନିଜ ପସନ୍ଦ ମୁତାବକ କେତେକ ନିର୍ଦ୍ଦିଷ୍ଟ ସାମାଜିକ ଶୃଙ୍ଖଳା ମାନିଚଳିବା । ସେଥିରୁ ତାକୁ କେହି ବିଚ୍ୟୁତ କରିପାରିବେ ନାହିଁ । ବିନା ବିଚାରରେ କେହି ଦଣ୍ଡ ପାଇବେ ନାହିଁ । ଆଇନର ଶାସନ ମାନି ଗଣତନ୍ତ୍ର ପରିଚାଳିତ ହେବ । ଶୃଙ୍ଖଳା ଦାୟିତ୍ଵ ନୁହେଁ । ଦାସତ୍ୱ ଶୃଙ୍ଖଳାରୁ ସୃଷ୍ଟି ହୁଏ ନାହିଁ ? ଅନ୍ୟର ଆଦେଶ ବିରୋଧରେ ପ୍ରତିବାଦ ନ କରି, ଅନ୍ୟାୟ ଓ ଅବିଚାରକୁ ମୁହଁବୁଜି ଗ୍ରହଣ କରିଯିବା ଦାସତ୍ଵ । କୌଣସି ଆଇନ ତାହାର ପ୍ରତିକାର କରି ନ ଥାଏ-

 

ଆଲୋଚନାର ଅନ୍ତ ନାହିଁ । ଦୁହେଁ ଘୂରି ଫେରି ପୁଣି ସେଇ ପୂର୍ବାବସ୍ଥାକୁ ଫେରି ଆସନ୍ତି-। ଅନଙ୍ଗ କହେ, ‘ମୁଁ ଦୁଃଖିତ ସୁ... ତୁମ ସାଙ୍ଗରେ କେବଳ ସେଇ ଗୋଟିଏ ପ୍ରସଙ୍ଗ ବାରମ୍ବାର ଉଠାଉଥିବାରୁ । ଚାଲ ଘେରାଏ ବୁଲି ଆସିବା ଗଙ୍ଗା କୂଳରୁ । ହାଲୁକା ଲାଗିବ । ତମେ ଯଦି ପସନ୍ଦ କର ତେବେ ଗୋଟେ ମୋଟର ବୋଟ ନେଇ କିଛି ଦୂର ଚାଲିଯିବା ।’’

 

ସୁସୁଇ କହିଲା, ‘ଦ୍ୟାଟ୍‌’ସ ରାଇଟ୍‌ । ମୁଁ ରାଜି । ଚାଲ ବାହାରିପଡ଼ । କଲିକତା ସହର ବିଷୟରେ ଅନେକ ଶୁଣିଛି । ଏଇ ସହରକୁ ଆସି ଏହାର ମାୟାଜାଲରେ ନ ପଡ଼ି ଫେରିଗଲେ କେମିତି କେମିତି ଲାଗିବ । ବଙ୍ଗାଳୀ ମାଛର ଝୋଲ ବେଶ୍‌ ଭଲ ଲାଗେ । ଭାତ ଆଉ ମାଛ ଝୋଳ, ଚିଙ୍ଗୁଡ଼ି ଫ୍ରାଇ ଏବଂ, ସ୍ନୋକ୍‌ଡ ହିଲ୍‌ସା ଫ୍ରାଇ ।

 

ଅନଙ୍ଗ ତାକୁ ଛାତି ଉପରକୁ ଆଉଜାଇ ନେଇ କହିଲା, ‘ମୋର ଅବଶୋଷ ରହିଗଲା ଯେ ଓଡ଼ିଶା ଯିବାପାଇଁ ତମ ହାତରେ ସମୟ ନାହିଁ । ଓଡ଼ିଶାର ପ୍ରାଚୀନ ବୌଦ୍ଧକୀର୍ତ୍ତି, ଜୈନକୀର୍ତ୍ତି ଏବଂ ହିନ୍ଦୁ ମନ୍ଦିରର ଅପୂର୍ବ ଲାବଣ୍ୟମୟ କାରୁକାର୍ଯ୍ୟ ଏବଂ ଭାସ୍କର୍ଯ୍ୟ ଦେଖିଲେ ତମେ ଆଖି ବନ୍ଦ କରିପାରିବ ନାହିଁ । ଯଦି କେବେ ମୋର ସୌଭାଗ୍ୟ ହୁଏ ତମକୁ ନେଇଯିବି ଭୁବନେଶ୍ଵର, ସେଠାରୁ ଆମେ ସହଜରେ କୋଣାର୍କ ପୁରୀ ଯାଇପାରିବା ।

 

ସୁଇ କହିଲା “ତମ କଥା ଶୁଣି ପରୀ ରାଇଜର କାହାଣୀ ପରି ଲାଗୁଛି । ଆମର ବାହାଘର ନ ହେଲା ନାହିଁ, ଆମେ ବନ୍ଧୁ ହୋଇ ରହିବାପାଇଁ ତ ରାଜି ହୋଇଛୁ । ଏହାପରେ ଆଉ କୌଣସି ବାଧାବିଘ୍ନ ରହିବ ନାହିଁ ମୁଁ ଭାବୁଛି... ।”

 

ଅନଙ୍ଗ ମନେ ମନେ ଭାବୁଥାଏ କେତେ କଥା । ବାହା ହୋଇ ନ ଥିବା ଜଣେ ସୁନ୍ଦରୀ ତରୁଣୀ ସହିତ ଗୋଟିଏ କୋଠରୀରେ ରହିବା ଯେ ଦୋଷାବହ ତାହା ସେ ସୁଇକୁ ବୁଝାଇ ପାରିନାହିଁ । ଏ ଦେଶର ଭ୍ୟାଲ୍ୟୁଗୁଡ଼ାକୁ ସେ ବୁଝିପାରିବ ନାହିଁ । ସାବିତ୍ରୀ, ସୀତାଙ୍କ କଥା ତା’ ଆଗରେ ଵଖାଣି ଲାଭ ନାହିଁ । ସିଙ୍ଗାପୁରରେ ଭାରତୀୟ ଐତିହ୍ୟ ଆସିବ କୁଆଡ଼ୁ ? ପ୍ରଥା, ପରମ୍ପରା କେତୁଟା ବର୍ଷରେ ଗଢ଼ିଉଠେନା, ଏଥିପାଇଁ ଶହ ଶହ ବର୍ଷର ସାଧନା, ତ୍ୟାଗ ଲୋଡ଼ା ହୁଏ ।

 

ସୁଇକୁ ନେଇ ଅନଙ୍ଗ ବାହାରିଗଲା ଗଙ୍ଗାକୂଳକୁ । ପ୍ରିନ୍‍ସେପ୍‌ ଘାଟରୁ ଗୋଟେ ମୋଟର ବୋଟ ନେଇ ବାହାରିଯିବେ ସେମାନେ ଡାଇମଣ୍ଡ ହାର୍ବର ଆଡ଼କୁ । ଜେଟିରେ ପହଞ୍ଚିବା ପରେ ସବୁ ବ୍ୟବସ୍ଥା ହୋଇଗଲା । ଜଣେ ଗାଇଡ଼ ବି ଉଠିଲା ସାଙ୍ଗରେ । ପ୍ରଥମେ ବୋଟାନିକାଲ ଗାର୍ଡ଼େନ ଏବଂ ତା’ପରେ ମୁହାଣଆଡ଼କୁ ଯିବେ । ସନ୍ଧ୍ୟାବେଳକୁ ଫେରି ଆସିବା ପାଇଁ ସ୍ଥିର କଲେ-

 

ଗଙ୍ଗାନଦୀ ସହିତ ମିଶି ରହିଥିବା ପୌରାଣିକ କାହାଣୀ ଶୁଣାଇଲା ଅନଙ୍ଗ । ଗୋମୁଖଠାରୁ ଗଙ୍ଗୋତ୍ରୀ ଏବଂ ତା’ପରେ ହିମାଳୟର ପାର୍ବତ୍ୟାଞ୍ଚଳ ଅତିକ୍ରମ କରି ୠଷିକେଶଠାରେ ସମତଳ ଭୂମିକୁ ଅବତରଣର କାହାଣୀ କହିଲା । ତା’ପରେ କାଶୀ ବନାରସ ବାଟଦେଇ ଫାରାକ୍କାଠାରୁ ଗୋଟିଏ ଭାଗ ବଙ୍ଗଳାଦେଶ ଏବଂ ଆଉ ଗୋଟିଏ ଧାର ଭାଗୀରଥୀ ନାମରେ ବଙ୍ଗୋପସାଗରରେ ପଡ଼ିବା ପର୍ଯ୍ୟନ୍ତ ଦୀର୍ଘ ଯାତ୍ରାର ରୋମାଞ୍ଚକର କାହାଣୀ ଶୁଣିଲା ସୁସୁଇ । ସାଗର ଦୀପରେ କପିଳ ମୁନିଙ୍କ ଆଶ୍ରମ, ପୁରାଣ ବର୍ଣ୍ଣତ ଷାଠିଏ ହଜାର ସଗର ପୁତ୍ର ୠଷିଙ୍କ ଆଶ୍ରମରେ ଯଜ୍ଞଅଶ୍ଵ ନ ପାଇ ବିଶୃଙ୍ଖଳା କରିବାରୁ କପିଳମୁନିଙ୍କ ଅଭିଶାପରୁ ଷାଠିଏ ହଜାର ସଗରପୁତ୍ରଙ୍କ ସମାଧି ସେହିଠାରେ ହେଲା । ଏଇ ଲୋମହର୍ଷକ କାହାଣୀ କହିଲା ସୁଇକୁ । ସେଇ ବଂଶର ରାଜା ଅଂଶୁମାନଙ୍କ ନାତି ଭାଗୀରଥ ତପସ୍ୟାଦ୍ୱାରା ଗଙ୍ଗାଙ୍କୁ କିପରି ସ୍ଵର୍ଗରୁ ମର୍ତ୍ତ୍ୟକୁ ଆଣିଲେ ସେଇ ଚିର୍ତ୍ତାକର୍ଷକ କାହାଣୀ ଶୁଣି ମୁଗ୍ଧ ହୋଇଯାଇଥିଲା ସୁସୁଇ ।

 

ସଗରବଂଶର ଷାଠିଏ ହଜାର ପୁତ୍ରଙ୍କୁ ଭାଗୀରଥ ଉଦ୍ଧାର କରିଥିବାରୁ ଏଇ ପୁଣ୍ୟ ତିଥିରେ ଲକ୍ଷ ଲକ୍ଷ ଲୋକ ମାଘ ମାସ ମକର ସଂକ୍ରାନ୍ତିଦିନ ସ୍ଵାନ କରନ୍ତି ଗଙ୍ଗାର ପବିତ୍ର ଜଳରେ ପୁଣ୍ୟ ଅର୍ଜନ କରିବା ପାଇଁ । ଅନଙ୍ଗ କହୁଥାଏ ଏବଂ ସୁସୁଇ ଶୁଣୁଥାଏ । ଗଙ୍ଗା ଅବତରଣ ଏବଂ ସମୁଦ୍ର ସଙ୍ଗମ ପର୍ଯ୍ୟନ୍ତ ଦୀର୍ଘଯାତ୍ରା ପଛରେ ଭାଗୀରଥଙ୍କୁ ପ୍ରତୀକ କରି ଜନସେବାର ଯେଉଁ ପ୍ରେରଣାଦାୟକ କାହାଣୀ ଲିପିବଦ୍ଧ ହୋଇଛି ମହାଭାରତରେ ତାହା ଶୁଣି ମୁଗ୍ଧ ଓ ଚକିତ ହୋଇଥଲା ସୁସୁଇ । ଏଇ ପୁରାଣ ବର୍ଣ୍ଣିତ ପ୍ରାଚୀନ ଆର୍ଯ୍ୟାବର୍ତ୍ତର ଜମ୍ବୁ ଦ୍ୱୀପରେ ଅବସ୍ଥିତ ଭରତ ଖଣ୍ଡହିଁ ଭାରତବର୍ଷ ।

 

ଫେରିବାବେଳକୁ ଜୁଆର ଉଠୁଥିଲା । ତେଣୁ ଫେରନ୍ତା ଯାତ୍ର।ରେ ମୋଟରବୋଟରର ଗତି ଆହୁରି ରୋମାଞ୍ଚକର ଥିଲା । ଭାଗୀରଥୀର ଜଳ ଫୁଲୁଥାଏ ସମୁଦ୍ର ଜୁଆର ଠେସୁଥିବାରୁ । ଯିବାବେଳେ ସ୍ରୋତ ଥିଲା ସମୁଦ୍ର ଆଡ଼କୁ, ଆସିବା ବେଳକୁ ଓଲଟା ସ୍ରୋତ ।

 

ନଦୀରେ ଭାସୁଥିଲେ ପାଲଟଣା ଅନେକ ବୋଇତ ଏବଂ ଯାତ୍ରୀବାହୀ କେତେକ ଷ୍ଟିମର-। ପାଲଟଣା ବୋଇତର ମାଝୀର ଗୀତର ଲହର ସମୁଦ୍ର ଜୁଆର ପରି ଫୁଲି ଉଠୁଥାଏ ଦକ୍ଷିଣା ପବନରେ । ଭାଗିରଥୀ ଉତ୍ତାଳ ହୋଇ ଉଠୁଥାଏ । ପାଲଟଣା ବୋଇତରେ ରନ୍ଧା ହେଉଥିବା ମାଛ ତରକାରିର ବାସ୍ନା ନାକରେ ବାଜିଲା ସୁସୁଇର । ସେ ଇଲିସି ମାଛ ରନ୍ଧାର ବାସ୍ନା ଆଘ୍ରାଣ କରି ଖୁସିରେ କହି ପକାଇଲା- ଚମତ୍କାର ଏମାନଙ୍କ ଜୀବନ... ପାଣିରେ ଘର... ଏଇଠି ଆହାର... ଏଇଠି ଆମୋଦପ୍ରମୋଦ ଆଉ ନିଦ୍ରା... । ମୋର କ’ଣ ମନେହେଉଛି ଜାଣ ଅନଙ୍ଗ, ମୁଁ ଆଉ ଫେରି ନ ଯାଇ ଭାସୁଥାଆନ୍ତି ଏମିତି... ଏବଂ ତମେ ମୋ ପାଖେ ପାଖେ ଗୀତ ବୋଲୁଥାଆନ୍ତ ଏଇ ସୁରରେ... ଆଉ ଆମକୁ କେହି ପରଶୁଥାଆନ୍ତା ଗରମ ଗରମ ଭାତ ଏବଂ ଇଲିସି ମାଛର ଝୋଳ...-।’

 

ଅନଙ୍ଗ ତା’ ହାତରେ ଚୁମା ଦେଇ କହିଲା, ‘ତୁମେ ରାଜି ହେଲେ ଆମେ ଗୋଟାଏ ବୋଟରେ ଆମର ହନିମୁନ ସେଲିବ୍ରେଟ୍‌ କରିବା... ।’

 

ନାଚି ଉଠି କହିଲା ସୁସୁଇ... ଓ ! ମାରଭାଲାସ ଇଣ୍ଡିଡ଼୍‌... ମୋ ମନକୁ ପାଇବା ପରି ଗୋଟାଏ କଥା କହିଛ ତମେ ଅନଙ୍ଗ... ଆଇ ଫିଲ ସୋ ହେପି... ଉଇ ଉଇଲ ସେଲିବ୍ରେଟ୍‌ ଟୁନାଇଟ୍‌...’

 

ଅନଙ୍ଗ ତା’ ହାତରେ ଚାପ ଦେଇ ସୂଚନା ଦେଲା ଯେ ଏଇଟା ହୋଟେଲର ନିରୋଳା ପ୍ରକୋଷ୍ଠ ନୁହଁ... ଏଇଟା ଗୋଟେ ମୋଟର ବୋଟ୍‌... ଏଠାରେ ଆଉ ଚାରିଜଣ ବାହାର ଲୋକ ବି ଅଛନ୍ତି... ।

 

ସୁସୁଇ ଧୀର ସ୍ଵରରେ କହିଲା - ସୋ ହ୍ଵାଟ୍‌... ଥାଆନ୍ତୁ ସେମାନେ... ଦେ ଆର୍‌ ନଟ୍‌ ଏନ୍‍ ଅବଷ୍ଟ୍ରାକନ ଟୁ ଆୱାର ଲଭ୍‌...’

 

ଅନଙ୍ଗ କହିଲା, ‘ଏଇଟା ସିଙ୍ଗାପୁର, ନିଉୟର୍କ ବା ଟୋକିଓ ନୁହେଁ.... ଏଇଟା ଇଣ୍ଡିଆ...-।’

 

ସୁସୁଇ କହିଲା, ‘ତମ ଦେଶର ଲୋକ ତେବେ ଉତ୍‌ଫୁଲ୍ଲିତ ହେବାରେ ଏତେ ବାଧା ବିଘ୍ନ...ଓପନନେସ୍‌ ନାହିଁ.... ଶୃଙ୍ଖଳା ନାମରେ ମଣିଷର ସ୍ପିରିଟ୍‌କୁ ବାନ୍ଧି ରଖାଯାଇଛି । ରିଲିଜିଅନ ଏତେ ଓପ୍ରେସିଭ୍ ଇଣ୍ଡିଆରେ... କଷ୍ଟମସ୍‌ ଆଣ୍ଡ ଟ୍ରେଡ଼ିସନ୍‌ଗୁଡ଼ା ପ୍ରତିରୋଧକଭାବେ କାମ କରୁଛି ।’

 

ନିଜ ଦେଶ ସମ୍ପର୍କରେ ଏଇକଥା ଶୁଣିବା ପାଇଁ ଭଲ ଲାଗୁ ନ ଥିଲା ଅନଙ୍ଗକୁ । କିନ୍ତୁ ସୁସୁଇ ଯାହା କହୁଛି ଦେଶର ପରିବେଶ ଦେଖି ଯେ କେହି ସେପରି ଭାବିବ । ସତରେ ଏଇ ଦେଶରେ ଯଦି ବି ବାତ୍ସାୟନ କାମସୂତ୍ର ରଚନା କରିଥିଲେ, ହଜାର ହଜାର ବର୍ଷ ପରେ ବି କାମସୂତ୍ରରେ ମୁକ୍ତଭୋଗ କଥା କୁହାଯାଇ ନାହିଁ... ଶୃଙ୍ଖଳା ଓ ସୌନ୍ଦର୍ଯ୍ୟ ମଧ୍ୟରେ ହିଁ ସମ୍ଭୋଗ ସୃଜନଶୀଳ ହୁଏ ଏ ଦେଶରେ... ।

 

ଚାହୁଁ ଚାହୁଁ ତିନିଦିନ ବିତିଗଲା କଲିକତାରେ । ସୁସୁଇର ତାଗିଦାରୁ ସେ ତାକୁ ନେଇ ଦିନେ ନଦିଆର ଇସ୍‌କନ୍‌ ମନ୍ଦିର ବୁଲାଇ ଆଣିଲା । ସେଠାରେ ପାଶ୍ଚାତ୍ୟ ସାହେବମାନେ ବେକରେ ତୁଳସୀମାଳ, କପାଳରେ ଚନ୍ଦନ, ଅଣ୍ଟାରେ ଗେରୁଆ ଧୋତି ପିନ୍ଧି କୀର୍ତ୍ତନ କରୁଥିବା ଦେଖି କହିଲା ଅନଙ୍ଗ, ‘ଏଇ କୀର୍ତ୍ତନ ଶୁଣ ସୁ... ଶ୍ରୀକୃଷ୍ଣ ରାଧାଙ୍କ କୁଣ୍ଡରେ ପହଁରିବା ପୂର୍ବରୁ ଚନ୍ଦ୍ରାବଳୀ ଖୁସିରେ ଅଟକି ଯାଇଥିବାବେଳେ ଏଇ ଗୀତ ଗାଇଥିଲା ଶ୍ରୀରାଧା ।’ ସୁସୁଇର ବିଶେଷ ଅନୁରୋଧ ରକ୍ଷା କରି ଆମେରିକା ଲସ୍‌ଏଞ୍ଜେଲ୍‌ସରୁ ଆସିଥିବା ଜଣେ ବତିଶ ତେତିଶ ବର୍ଷର ଯୁବକ ସନ୍ନ୍ୟାସୀ ପ୍ରେମାନନ୍ଦ ରାଧାକୃଷ୍ଣ ପ୍ରେମଲୀଳା ବର୍ଣ୍ଣନା କରି ବୁଝାଉଥିବାବେଳେ କହିଲେ, ‘ଏଇ ପ୍ରେମ ଦେହଜ ନୁହେଁ ସିଷ୍ଟର... ନୋ ଫିଜିକେଲ ୟୁନିଅନ... ଅନଲି ସ୍ପିରିଚୁଆଲ... ସବୁ ଆଧାତ୍ମିକ... ମଣିଷ ପ୍ରାଣର ନିତ୍ୟରାସ ହିଁ ଅମୃତ... ସେଇ ଅମୃତ ହିଁ କୃଷ୍ଣ ନାମ... ।’

 

ସୁସୁଇ ମଥା ହଲାଉଥିଲା ।

 

ଅନଙ୍ଗ କହିଲା, ‘ତମକୁ ଭଲ ଲାଗୁଚି ନା ଶୁଣିବା ପାଇଁ ?’

 

‘ଓ ! ଇଏସ୍‌... ଆଇ ଏମ୍‌ ଓଭର ହ୍ୱେଲ୍‌ମଡ଼୍‌, ଆଇ ଏମ୍‌ ଗ୍ରେଟ୍‌ଲି ଡିଲାଇଟେଡ଼... ।’

 

ସେଠାରେ ପ୍ରସାଦ ସେବନ କରି କଲିକତା ଫେରିବାବେଳକୁ ରାତି ନଅଟା । ଡିନର ଖାଇବାବେଳେ ସୁସୁଇ କହିଲା, ‘ନାଉ ଆଇ ଅଣ୍ଡରଷ୍ଟାଣ୍ଡ ସମଥିଙ୍ଗ୍‍ ଏବାଉଟ୍‌ ଇଣ୍ଡିଆ... ଏ ଗ୍ରେଟ୍‌ ଚାର୍ମିଙ୍ଗ ଜର୍ଣ୍ଣି.... ଆଇ ଆମ୍‌ ଇନ୍‌ ଲଭ୍‌ ଉଇଥ୍‌ ୟୁ... ।’

 

ଅନଙ୍ଗ ମୋହିତ ହୋଇଗଲା ସୁଇ କଥା ଶୁଣି । ହଠାତ୍‌ ତା’ କାନ ପାଖରେ ଯେପରି ଗୋଟିଏ ମଧୁର ସ୍ଵର ଗୁଣୁଗୁଣୁ କରି ଉଠିଲା । ଯାହା ଏ ପର୍ଯ୍ୟନ୍ତ ଅନେକ ଦୂରଠୁ ଭାସି ଆସୁଥିବା ସୁର ପରି ଲାଗୁଥିଲା ତାକୁ । ମନେ ହେଲା ତା’ ନିଜ ଭିତରୁହିଁ ସେଇ ସ୍ଵର ଆସୁଛି । ସେଇ ମୁହୂର୍ତ୍ତରେ ଅନଙ୍ଗର ପ୍ରାଣସତ୍ତାରେ ଆଉ ଗୋଟିଏ ପୁଲକ ପ୍ରବେଶ କଲା ଏବଂ ଅନ୍ୱେଷଣ ମଧ୍ୟରେ ଦୁଇଟି ନଦୀର ସଙ୍ଗମ ସ୍ଥଳ ଯେପରି କଲ୍ଲୋଳ ସୃଷ୍ଟି କରେ ସେହିପରି ସଙ୍ଗୀତମୟ ହୋଇ ଉଠିଲା-

 

ଅନଙ୍ଗ ସୁଇକୁ ଛାତି ଉପରକୁ ଆଉଜାଇ ଆଣି କହିଲା, ‘ଅନେକ ଦିନରୁ ଖୋଜୁଥିଲି କାହାକୁ । ସେ କିଏ କେତେଦୂରରେ ତାହା ଏ ପର୍ଯ୍ୟନ୍ତ ଠିକ୍‌ ନିର୍ଣ୍ଣୟ କରିପାରୁ ନ ଥିଲି । କିନ୍ତୁ ଏଇ ମୁହୂର୍ତ୍ତରେ ମୋ ଭିତରେ ଗୋଟାଏ ରୂପାନ୍ତର ଘଟିଯାଇଛି । ମୁଁ କେବଳ ମଧୁମୟ ଦୁନିଆକୁ ଦେଖୁଛି ।’

 

ରାତି ଫ୍ଲାଇଟ୍‌ରେ ସୁସୁଇ ଯିବାର ସ୍ଥିର ହୋଇଥିଲା । ସେ ବିମାନ ବନ୍ଦରକୁ ଯିବା ପାଇଁ ସଜ ହେଲାବେଳେ କହିଲା, ‘ଏଇ ଯାତ୍ରା ମାତ୍ର ତିନିଦିନର । କିନ୍ତୁ ଏଇ ତିନିଦିନରେ ମୋ ପ୍ରାଣ ସତ୍ତା ବଦଳି ଯାଇଥିବା ପରି ଲାଗୁଛି ମୋତେ । ଖୁବ୍‌ ହାଲୁକା ଲାଗୁଛି । ମୁଁ ଯେତେ ସବୁ ବ୍ୟାଗେଜ ନେଇ ବୁଲୁଥିଲି ସେସବୁ ମୋ କାନ୍ଧରୁ କିଏ ଉତାରି ନେଇଛି ଏବଂ ଆଉ କ’ଣ ମନେହେଉଛି ଜାଣ-?’

 

ଅନଙ୍ଗ ଉତ୍ସୁକ ଦୃଷ୍ଟିରେ କେବଳ ଅନାଇ ରହିଲା ତା’ ମୁହଁକୁ ।

 

ସେ କହିଲା, ‘ତମ ସହିତ ମୋର କୋଉ ମୁହୂର୍ତ୍ତରେ ଦେଖା ହେଲା କେଜାଣି, ଆଜି ମୁଁ ଭାବୁଛି ଏ ପୃଥିବୀରେ ମୁଁ ତୁମ ପାଇଁ ଏବଂ ତୁମେ ମୋ ପାଇଁ ଜନ୍ମିଛ । ମେଡ଼୍‍ ଫର୍‍ ଇଚ୍‌ ଅଦର୍ । ତୁମକୁ ଛାଡ଼ି ମୁହୂର୍ତ୍ତେ ଆଉ କାହିଁ ଯିବାକୁ ଇଚ୍ଛା ହେଉନି । କିନ୍ତୁ କର୍ତ୍ତବ୍ୟର ଡାକ ବଡ଼ ସ୍ପଷ୍ଟ... ବଡ଼ ନିଷ୍ଠୁର ଅନଙ୍ଗ । କାମ କେତେ ଅଟକି ରହିଛି କରିବା ପାଇଁ । ମୁଁ ନ କଲେ ବୋଧହୁଏ ସେଇ କାମ ଆଉ କେହି କରିବ ନାହିଁ । ମୋତେ କିଏ ବାୟା କରୁଛି ତାହା କରିବା ପାଇଁ । କର୍ତ୍ତବ୍ୟ ନ କଲେ ମୁଁ କାଳେ ଅସମ୍ପୂର୍ଣ୍ଣ ରହିଯିବି ସେଥିପାଇଁ ତୁମକୁ ଏକା ଛାଡ଼ି ଯାଉଛି ନିଉୟର୍କ... ସେଠାରେ ପହଞ୍ଚିବା ପରେ ରିଙ୍ଗ୍ କରିବି... ତମର କଣ୍ଠସ୍ୱର ଶୁଣିବା ପାଇଁ ଉତ୍‌କୀର୍ଣ୍ଣ ହୋଇ ଅପେକ୍ଷା କରୁଥିବି ମୁଁ ।’

 

ଅନଙ୍ଗ ସୁଇ ମୁହଁକୁ ଚାହିଁଲା । ସେଇ ମୁହଁ ପଦ୍ମପରି ପବିତ୍ର ଦିଶୁଥିଲା । ସେ ଆଉ ବିଳମ୍ବ ନ କରି ହାତ ଘଡ଼ି ଦେଖି କହିଲା, ଇଟ୍‌ ଇଜ୍‌ ଟାଇମ୍‌ ଟୁ ଗୋ... ଚାଲ ଫ୍ଲାଇଟ୍‌ ଟାଇମ୍‌ ପାଖେଇ ଆସୁଚି.... । ଏଆରପୋର୍ଟରେ ପୁଣି କେତେଗୁଡ଼ା କାମ ଅଛି କରିବା ପାଇଁ... ।’

 

ସେମାନେ ଟ୍ୟାକ୍ସିରେ ବସିଲେ । ନେତାଜୀ ଆନ୍ତର୍ଜାତିକ ବିମାନ ବନ୍ଦରର ଆଲୁଅ ପାଖେଇ ଆସୁଥିଲା ଏବଂ ସେତିକିବେଳେ ଅନଙ୍ଗକୁ ଟାଣି ନେଇ ତା’ ମୁହଁ ଉପରେ ଗଭୀର ଚୁମ୍ବନ ଆଙ୍କିଦେଲା ସୁସୁଇ ।

 

ବିମାନ ଆକାଶକୁ ଉଠିବା ପରେ ଅନଙ୍ଗ ଫେରିଲା ହୋଟେଲକୁ । କଲିକତା-ପୁରୀ ଏକ୍ସପ୍ରେସ୍‌ ଛାଡ଼ିବା ପାଇଁ ଆଉ ଅଳ୍ପ ସମୟ ବାକି । ସେ ଟ୍ୟାକ୍ସି ଭିତରେ ସୁଟ୍‌କେଶ ରଖି ହାତରେ ଆଟାଚି ଧରି ବସିପଡ଼ି କହିଲା- ହାଉଡ଼ା...

 

ବାଟରେ ଟ୍ରାଫିକ୍‌ ଜାମ୍‌ ନ ଥିଲା । ଷ୍ଟେସନ ପହଞ୍ଚିବାବେଳକୁ ନଅଟା ପଚାସ । ଟ୍ରେନ୍‌ ଧରିବା ପାଇଁ ଦ୍ରୁତ ପାଦରେ ଆଗେଇ ଗଲା ଅନଙ୍ଗ ।

 

ସୁସୁଇର ବିମାନ ଏତେବେଳକୁ ଅଧେପଥ ଅତିକ୍ରମ କରିସାରିଥିବ କଲିକତା ଓ ଦିଲ୍ଲୀ ମଧ୍ୟରେ ।

 

ପ୍ରଥମଶ୍ରେଣୀ ଶୀତତାପ ନିୟନ୍ତ୍ରିତ କୋଠରୀରେ ଜିନିଷପତ୍ର ରଖିବାବେଳକୁ ଟ୍ରେନ ଚାଲିବା ଆରମ୍ଭ କଲା ।

 

ଜୀବନଟା ବୋଧହୁଏ ଏଇପରି । ବସି ରହିବାର ଉପାୟ ନାହିଁ । ସମୟ ବହିଯାଉଛି ଅବିରତ, ଜୀବନର ବି ବିରାମ ନାହିଁ । ନାଡ଼ିର ସ୍ପନ୍ଦନ ସହିତ ତାଳଦେଇ ଚାଲିଛି ହୃତ୍‌ପିଣ୍ଡ.... ଯେତେବେଳେ ସେଇ ଗତି ବନ୍ଦ ହୋଇଯିବ ସେତେବେଳେ ମୃତ୍ୟୁ ନିଶ୍ଚିନ୍ତ । ତେଣୁ ବସି ରହିବା, ଶୋଇ ରହିବା ମଣିଷ କପାଳରେ ଲେଖା ନାହିଁ । ଚାଲିବା ହିଁ ତା’ର ନିୟତି । ଚାଲିବାକୁ ହେବ... ଗତି ଥିବା ପର୍ଯ୍ୟନ୍ତ ମଣିଷର ଭାଗ୍ୟ ତା’ ନିଜ ହାତରେ ।

 

ଭୁବନେଶ୍ଵରରେ ପହଞ୍ଚିବା କ୍ଷଣି ଭାଉଜ ପଚାରିବେ ‘କ’ଣ ହେଲା, କାହା ସହିତ ଦେଖା ହେଲା !’ ଅନଙ୍ଗ ଭାବୁଥିଲା ଯେ ଆଉ କେତେଦିନ ମିଛ କହୁଥିବ ସମସ୍ତଙ୍କୁ । ପାଉଁଶ ତଳେ ନିଆଁ ଥାଏ ସମସ୍ତେ ଜାଣନ୍ତି । ତଥାପି ପଚାରନ୍ତି । ସେ ଏ ପର୍ଯ୍ୟନ୍ତ ସବୁକଥା ଖୋଲିକରି କହି ନାହିଁ । ଭାବୁଥିଲା ଯଦି ସୁସୁଇ ରାଜି ହୋଇଯାଏ ବାହା ହେବା ପାଇଁ ତେବେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସେ ଖୋଲି କରି କହିଦବ ଭାଇ ଓ ଭାଉଜଙ୍କୁ । ବନ୍ଧୁମାନଙ୍କୁ । କିନ୍ତୁ ଆଜି ଯାହା ଘଟିଲା ତାହା ଗୋଟିଏ ପ୍ରକାର ଅନିଶ୍ଚୟତା ଓ ନିଶ୍ଚୟତା ମଧ୍ୟରେ ଟଳମଳ ହେଉଥିବା ବିନ୍ଦୁଟିଏ । ଅନଙ୍ଗକୁ ସୁସୁଇ ମିତ୍ରଭାବେ ବରଣ କରିବାକୁ ଚାହେଁ, ବାହା ନ ହୋଇ ବି ପତିପତ୍ନୀଭାବେ ତା’ ସହିତ କାଳ କାଟିବା ପାଇଁ ଇଚ୍ଛା ତା’ର । ବାହା ନ ହୋଇ ବି ସେ ତାକୁ ପ୍ରାଣ ଭରି ଭଲ ପାଏ... ବାହାଘରଟା ଗୋଟେ ଔପଚାରିକତା ମାତ୍ର । ପରିବାର ଓ ସମାଜର ସ୍ଵୀକୃତିର ମୋହର ବସାଇବା ପାଇଁ ଏଇଟାର ପ୍ରୟୋଜନ । ବାହା ହେବା ପାଇଁ ସୁସୁଇ ଯଦି ରାଜି ହୋଇଥାନ୍ତା ତେବେ ତା’ ମାର୍ଗ ଆହୁରି ମସୃଣ ଆହୁରି ଗତିଶୀଳ ହୋଇଥାନ୍ତା । କିନ୍ତୁ ଇଚ୍ଛାନୁସାରେ ତ ସବୁ ଘଟେ ନାହିଁ । ବାଧ୍ୟ ହୋଇ ସେ ସାଲିସ କରିବ ବୋଲି ଅଙ୍ଗୀକାର କରିଛି ।

 

ଏଇ ସର୍ତ୍ତ ଶୁଣିବା ପରେ ତାକୁ ଆଉ ସୁସୁଇକୁ କ’ଣ ପରିବାର ଭିତରେ ସ୍ଥାନ ମିଳିବ ? ହୁଏତ ଅନ୍ୟ ଉପାୟ ନ ଦେଖି ଭାଇଭାଉଜମାନେ ଗୋଟେ ବନ୍ଧୁମିଳନର ଆୟୋଜନ କରି ଘୋଷଣା କରିଦେବେ ଯେ ଅନଙ୍ଗ ଓ ସୁସୁଇ ସ୍ୱାମୀ-ସ୍ତ୍ରୀ ନ ହେଲେ ବି ବନ୍ଧୁପରି ଏକତ୍ର ବାସ କରିବେ । ପରିବାର ଗଢ଼ିବେ । ସନ୍ତାନ ଜନ୍ମ କରିବେ । ସେମାନେ ବର୍ଣ୍ଣଶଙ୍କର ବା ଆଉ କ’ଣ ପରିଚୟ ଦେଇ ରାଜଦାଣ୍ଡରେ ଚାଲିବେ ସେଇ ନିର୍ଣ୍ଣୟ ସମୟ ଉପରେ ଛାଡ଼ିଦେବେ । ସମୟହିଁ ସବୁ ଠିକ୍‌ କରିବ ।

 

ଭାବୁ ଭାବୁ ଅନଙ୍ଗ ଶୋଇପଡ଼ିଲା । ତା’ ଉପରେ ହାତ ରଖି କେହି ଯେପରି କହୁଥାଏ ଶୋଇଯାଅ ଅନଙ୍ଗ... ଶୋଇଯାଅ... । କିନ୍ତୁ କାହାର ଏ ସ୍ଵର ? ଭାଉଜଙ୍କର ?

 

ନା, ନା... ଠିକ୍‌ ସୁ’ ସୁଇର ସ୍ଵର ପରି ଶୁଭୁଥିଲା ।

 

(ଷୋହଳ)

 

ଅନଙ୍ଗ ମୁହଁରୁ ସବୁ ଶୁଣି ମୈତ୍ରେୟୀ ମୁକ ହୋଇଗଲେ, ତାଙ୍କ ମୁହଁରୁ କଥା ବାହାରିଲା ନାହିଁ । ଆକାଶ ଉପରେ ଏତେଦିନ ସେ ଯେଉଁ ସୁରମ୍ୟ ସୌଧ ନିର୍ମାଣ କରିଥିଲେ ତାହା ଭାଙ୍ଗିଗଲା ସମୁଦ୍ର କୂଳର ବାଲିଘର ପରି । ସମୟ ଅନାଇଥିଲା ତାଙ୍କ ମୁହଁକୁ । ତା’ ଦୃଷ୍ଟିରେ ମାୟା ନ ଥିଲା, ମମତା ନ ଥିଲା, କେବଳ ଥଲା ଯୁଗ ସନ୍ଧିର ଆପେକ୍ଷମାଣ ଅନିଶ୍ଚୟତା । ଏ ପର୍ଯ୍ୟନ୍ତ ଯାହା ସବୁ ନିଶ୍ଚୟ ହୋଇ ରହିଥିଲା, ଘଟିବ ବୋଲି ଧରି ନିଆଯାଇଥିଲା ତାହା ବାଟ ଛାଡ଼ି ଦେଲା ଆଉ ଗୋଟେ ସ୍ରୋତକୁ । ପୂର୍ବର ସ୍ରୋତକୁ ଠେଲି କଡ଼କୁ ଫିଙ୍ଗି ଦେଇ ନୂଆ ସ୍ରୋତ ସ୍ଲୋଗାନ ଦେଇ ଦେଇ ଯେପରି କହି କହି ଚାଲିଥିଲା ଦେଖ, ମୁଁ ଆସିଗଲିଣି... ମୋ ପାଇଁ ବାଟ ଛାଡ଼ି ଦିଅ... ବଳ ପ୍ରୟୋଗ କରିବାକୁ ବାଧ୍ୟ କରନା । ମୁଁ କାଳ... ମହାକାଳ... ଏ ବିପୁଳ ପୃଥିବୀରେ ମୁଁ କେବଳ ନିଶ୍ଚିତ... ଆଉସବୁ ବାଲିଘର ପରି ଅଳିକ, ଅନିଶ୍ଚିତ... ।

ବାଟବଣା ବାଟୋଇ ପରି ନିଜକୁ ମନେକରୁଥିଲେ ମୈତ୍ରେୟୀ । ଭାବିଥିଲେ ସରୋଜଙ୍କୁ ନେଇ ସୁନାର ସଂସାର ଗଡ଼ିବ ପଦ୍ମଜା... ଅନଙ୍ଗକୁ ଦୁଇହାତ କରି ସେ ବିଶ୍ରାମ ନେବେ ଟିକେ । ଅପୁର ଦିଗ ନିର୍ଣ୍ଣୟ ହୁଏ ତ ଠିକ୍‌, ସେ ସମାଜ ସେବା କରିବାକୁ ଚାହେଁ... ସମାଜ ସେବା ତ ଖରାପ କାମ ନୁହେଁ... ନ ହେଲା ବା ଧନ ସମ୍ପଦ... ଜନସାଧାରଣଙ୍କ ସେବା କରିବାଠାରୁ ଆଉ ମହାନ୍‌ କାମ କିଛି ଅଛି କି ? ଆଉ ଭାସ୍ଵତୀ ସପକ୍ଷରେ ରହିଛି ନ୍ୟାୟ... ବିଶ୍ଵମୋହନକୁ ଭୁଲ ସ୍ଵୀକାର କରି ଅବାଟରୁ ପୁଣି ବାଟକୁ ଫେର ଆସିବାକୁ ହେବ... କିନ୍ତୁ ମିତା ଆଉ ଆନନ୍ଦ ? ଏମାନଙ୍କ ସମୟ ଆସିନି.... ହୁଏତ ତାଙ୍କର ପୂଣ୍ୟଫଳ ଥିଲେ ସେ ଦୁହେଁ ଅମଣିଷ ହେବେ ନାହିଁ, କୁଳର କଳଙ୍କ ହେବେ ନାହିଁ... ।

ଅନଙ୍ଗ କ’ଣ କରିବ କିଛି ନିଶ୍ଚୟ କରିପାରୁନାହିଁ । ତାଙ୍କରି ଉପରେ ନିଷ୍ପତ୍ତି ଛାଡ଼ି ଦେଇଛି । ସୁସୁଇ ସହିତ ତା’ର ଆଲୋଚନାର ସାରାଂଶ ତାଙ୍କୁ କହିଥିଲା, କିଛି ଲୁଚାଇ ନାହିଁ । ଏହା ବି କହିଥିଲା ଯେ ସେ ତା’ ହାତରେ ଗୋଟେ ମୁଦି ପିନ୍ଧାଇ ଦେଇଛି... । ଏତେବଡ଼ ନିଷ୍ପତ୍ତି ନବା ପୂର୍ବରୁ ସେ ଅପେକ୍ଷା କରିପାରିଲା ନାହିଁ ବୋଲି କ୍ଷମା ମାଗି ନେଇଛି । ସେ ତାକୁ କ୍ଷମା ନ କରି କ’ଣ ତିରସ୍କାର କରିବା ଠିକ୍‌ ହୋଇଥାନ୍ତା ? ତଥାପି ଆଶା ଛାଡ଼ି ନାହାଁନ୍ତି ମୈତ୍ରେୟୀ । ହୁଏତ ସୁସୁଇକୁ ସେ ବୁଝାଇ ଦେଇପାରିବେ । ସେ ତୁଏତ ରାଜି ହେବ ବାହାହେବା ପାଇଁ ପାଞ୍ଚ ହଜାର ବର୍ଷର ପ୍ରଥାଟାକୁ ଭାଙ୍ଗିଦବା ପାଇଁ ସାହସ ହେଉନାହିଁ ।

ସେ ଭାବନାରେ ବୁଡ଼ି ରହିଥିବାବେଳେ ମିତାର ଡାକ ଶୁଣି ପାରି ନ ଥିଲେ । ତାଙ୍କୁ ହଲାଇ ଦେଇ କହିଲା ମିତା, ‘ମା ତମେ ରାଗିଛ ମୋ ଉପରେ ?’

-‘କାହିଁ ନା ତ । ରାଗିବି କାହିଁକି ? ତୁ ତ ଦୋଷ କରିନୁ କିଛି ?’ କହିଲେ ମୈତ୍ରେୟୀ ।

ମିତା ତାଙ୍କ ସାମ୍ନାରେ ଛିଡ଼ା ହେଲା ଆସି ।

ତା’ ମୁହଁକୁ ଚାହିଁ ଦେଇ ଚମକି ପଡ଼ିଲେ ମୈତ୍ରେୟୀ । ଆଖିକୁ ବିଶ୍ୱାସ କରିପାରୁ ନ ଥିଲେ । କେତେ ବଦଳି ଯାଇଥିବା ପରି ଲାଗୁଥିଲା ମିତା । ତାକୁ ଯେପରି ସେ ଚିହ୍ନି ପାରୁ ନ ଥିଲେ... ।

ମିତା କହିଲା, ‘ତମର ଆଜି କ’ଣ ହୋଇଛି ମା’ ? ତମେ ବସିଛ ତ ବସିଛ କୌଣସି କଥା ତମ କାନରେ ପଡ଼ୁନାହିଁ, ମୁଁ ଆସି ତୁମ ଆଗରେ ଛିଡ଼ା ହୋଇଛି ତମେ ଚମକି ପଡ଼ିବା ପରି ଚାହିଁ ରହିଛ । କ’ଣ ହୋଇଛି ସତରେ ?’

 

ଗେହ୍ଲେଇ ହୋଇ ତାଙ୍କ ଦେହକୁ ଲାଗି ବସି ପଡ଼ିଲା ମିତା ।

 

ମୈତ୍ରେୟୀଙ୍କ ଶୂନ୍ୟଦୃଷ୍ଟି କ୍ରମଶଃ ଅର୍ଥମୟ ହୋଇ ହୋଇଉଠୁଥିଲା । ମିତା ଯେ ଷୋହଳ ଅତିକ୍ରମ କରି ସତରରେ ପାଦ ଦେବାକୁ ଯାଉଛି ଏଇ ପରିବର୍ତ୍ତନଟା ସେ ଧରି ପାରି ନ ଥିଲେ ଏଯାଏ । ଆଜି ତାଙ୍କ ମା’ର ଆଖି ଆଗରେ ଧରା ପଡ଼ିଯାଇଛି ମିତା । ସେ ଆଉ କିଶୋରୀ ନୁହଁ.... ସେ ଯୁବତୀ... ।

 

କୈଶୋରରୁ ଯୌବନ ଅନେକ ବାଟ କିନ୍ତୁ ତାଙ୍କୁ ଲାଗୁଥିଲା ସେଇ ଦୀର୍ଘପଥ ଏକା କୁଦାରେ ଅତିକ୍ରମ କରିଛି ମିତା । ସେ ନିଜ ସମ୍ବନ୍ଧରେ ସଚେତନ ହେଲାଣି । ନିଜ ଭବିଷ୍ୟତ ନିଜେ ଗଢ଼ିବ... । ଭାବୁ ଭାବୁ ଆଶଙ୍କାରେ ବୁଡ଼ିଗଲେ ମୈତ୍ରେୟୀ । ବର୍ତ୍ତମାନ କାଳ ସନ୍ଧିର ସମୟ । କିଏ କ’ଣ କରିବ କେଉଁ ବାଟ ଧରିବ, କାହାକୁ ସାଥୀ ବାଛିବ ତାହା ହଠାତ୍‌ ହୋଇଯାଏ.... ଚିନ୍ତା କରିବା ପାଇଁ ସମୟ ନାହିଁ । ନିଜ ଇଲାକା ଓ ଅକ୍ତିଆର ବାହାରେ ଯେ ଆଉ ଗୋଟିଏ ବିରାଟ ଜଗତ ରହିଛି, ଅସଂଖ୍ୟ ଲୋକ ବାଟରେ ଘାଟରେ ହାଉଜାଉ ଖାଉଛନ୍ତି ସେ ଖବର ରଖନ୍ତିନି ପିଲାମାନେ-। ବେଳେବେଳେ ଏମିତି କର୍ମକାଣ୍ଡ ସୃଷ୍ଟି କରନ୍ତି ଯେ ସ୍ତବ୍‍ଧ ହେବାକୁ ପଡ଼େ ।

 

ଈଶ୍ଵରଙ୍କ ଆଶୀର୍ବାଦରୁ ମିତା ଏ ପର୍ଯ୍ୟନ୍ତ ଭୁଲ୍‌ କରିନାହିଁ । ଫୁଲପରି ତା’ ମନ ପବିତ୍ର । ବାପା ମା’ଙ୍କ ପଦାଙ୍କ ଅନୁସରଣ କରି ଆଜ୍ଞା ମାନି ଚଳୁଚି । ପରୀକ୍ଷାରେ ଭଲ କରିଛି । ପରିଶ୍ରମ ଟିକେ ଅଧିକ ହେଲେ ଆହୁରି ଉପରକୁ ଯିବ ।

 

ମୈତ୍ରେୟୀ କହିଲେ, ‘କ’ଣ କହିବୁ କହ... କୁଆଡ଼େ ଯିବୁ ସାଙ୍ଗମାନଙ୍କ ସହିତ ?’

 

-‘ନା ମା’ ଏଇନେ କାହିଁ ଯାଉନି । କେବଳ କହିବାକୁ ଆସିଥିଲି ଯେ ଆମ ସ୍କୁଲର ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଝିଅମାନେ ଚିଲିକା ଯିବେ ବୋଲି ବାହାରିଛନ୍ତି । ଦୁଇଜଣ ଶିକ୍ଷୟିତ୍ରୀ ଯିବେ ସାଙ୍ଗରେ । ଦୁଇଜଣ ଅଭିଭାବକ ବି ଯିବେ । ସକାଳୁ ବାହାରି ସନ୍ଧ୍ୟା ଆଠଟା ସୁଦ୍ଧା ଫେରି ଆସିବା ପାଇଁ ପ୍ରୋଗ୍ରାମ ହୋଇଛି ।

 

‘ତୁ ତ ମୋତେ ଏକଥା କହି ନ ଥିଲୁ ଆଗରୁ ? ତୁ ଯଦି ଯିବାକୁ ଚାହୁଁ ତେବେ ଯିବୁ ମୁଁ ବାରଣ କରିବି ନାହିଁ । କିନ୍ତୁ ଆଜିକାଲି ଦିନକାଳ ଯେପରି ଚିଲିକା ଦର୍ଶନ ଏବେ ନ କରିଥିଲେ ଚଳିଥାନ୍ତା । ତା’ ପରେ ତୁ ତ ଚିଲିକା ଦେଖିଛୁ ଆଗରୁ... ।ମୈତ୍ରେୟୀ କହିଲେ ।

 

ମିତା ଯୁକ୍ତି କଲା, ‘ସାଙ୍ଗ ହୋଇ ଯିବା... ବସ୍‌ ରିଜର୍ଭ ହୋଇଛି । ମୁଁ ଯିବି ବୋଲି କହିସାରିଛି... ।’

 

-‘ତା’ ହେଲେ ଯିବୁ... ମୋତେ ପଚାରିଲୁ କାହିଁକି ?’ ଟିକେ ଅଶ୍ୱସ୍ତି ପ୍ରକାଶ କରି କହିଲେ ମୈତ୍ରେୟୀ ।

 

ମିତା ଆଉକିଛି କହିଲା ନାହିଁ । ସେ ଜାଣିଗଲା ଯେ ମା’ ରାଜି ନୁହଁନ୍ତି । କାହିଁକି ରାଜି ନୁହଁନ୍ତି ସେଇ କାରଣ ଅବଶ୍ୟ ସେ ଜାଣେନି... । ଅବଶ୍ୟ ସେ କିପରି ପୁଣି ଯିବ ନାହିଁ ବୋଲି ସାଙ୍ଗମାନଙ୍କୁ କହିବ ସେ ବିଷୟ ସ୍ଥିର କରିପାରୁ ନ ଥିଲା ।

 

ଅନଙ୍ଗ ଟିକେ ଦୂରରେ ବସି ସବୁ ଶୁଣୁଥିଲା । ସେ ଆଖିଠାରି ମିତାକୁ ଡାକିଲା ପାଖକୁ-। କଲିକତାରୁ ତା’ ପାଇଁ ଆଣିଥିବା ଦୁଇଟା ବହି ତା’ ହାତକୁ ବଢ଼ାଇ ଦେଇ କହିଲା, ‘ତୋ ଚିଲିକା ଯିବା କ୍ୟାନସେଲ୍‌ କରି ନ ଥା... ବୁଝିବି ଭାଉଜଙ୍କଠାରୁ । ସେ ରାଜି ହେଲେ ଆମେ ସମସ୍ତେ ସେଇଦିନ ଆଉ ଗୋଟେ କାର୍‌ରେ ଯିବା ।’

 

କକାଙ୍କ କଥା ଶୁଣି ଖସି ହେଲା ମିତା । ସେ କହିଲା ‘ମୋର ଯିବାକୁ ଇଚ୍ଛା ଥିଲାନି । ତାଙ୍କୁ କହିଦେବି ଯେ ଅସୁବିଧା ଅଛି... ଅବଶ୍ୟ ମିଛ କହୁଥିବାରୁ ମୁଁ ନିଜ ପାଖରେ ଦୋଷୀ ସାବ୍ୟସ୍ତ ହେବି ।’

 

ଅନଙ୍ଗ କହିଲା, ‘ତୁ ସତ୍ୟକୁ ଛାଡ଼ିବୁ ନାଇଁ । ସତ୍‌ ମାର୍ଗରେ ଚାଲିଲେ ସତ୍ୟର ଅନୁସରଣ କଲେ କଷ୍ଟ ସହିବାକୁ ପଡ଼ିପାରେ... କିନ୍ତୁ ଏଥିରୁ ଲାଭ ବି ମିଳେ ପ୍ରଚୁର ।’

 

ମିତା ପଢ଼ା ଘରକୁ ଚାଲିଯିବା ପରେ ଭାସ୍ଵତୀ ବିଷୟ ଆଲୋଚନା କରିବା ପାଇଁ ଅନଙ୍ଗ ମୈତ୍ରେୟୀଙ୍କ ପାଖକୁ ଗଲା । ସେ କାହିଁକି କେଜାଣି କ୍ଳାନ୍ତ, ବିଷର୍ଣ୍ଣ ଜଣାପଡ଼ୁଥିଲେ । ତାଙ୍କ ପାଖରେ ଅନଙ୍ଗ ବସିଲା ଯାଇ । କିଛି କ୍ଷଣ ନୀରବରେ କଟିଗଲା । ତା’ ପରେ କହିଲା ଅନଙ୍ଗ, ‘ଭାସ୍ୱତୀ ବିଷୟରେ ଆଉକିଛି ଭାବିଛ ଭାଉଜ ?’

 

- ‘ହଁ, ଭୁଲି ଯାଇଥିଲି କହିବା ପାଇଁ । ମହିଳା କମିଶନ ବିଶ୍ଵମୋହନକୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି । କାହିଁକି ଭାସ୍ଵତୀକୁ ସ୍ତ୍ରୀ ପ୍ରାପ୍ୟରୁ ବଞ୍ଚିତ କରିବାକୁ ଚାହାଁନ୍ତି ତା’ର କାରଣ ଜାଣିବାକୁ ନୋଟିସ ଯାଇଛି । କିଛିଦିନ ଅପେକ୍ଷା କରିବା, ଦେଖାଯାଉ ସେ କ’ଣ କହୁଛନ୍ତି ।’

 

- ‘ହଁ ସେୟା ଭଲ ହେବ । କିନ୍ତୁ ମୁଁ ଭାବୁଛି ବିଶ୍ୱମୋହନ ଫାନ୍ଦରେ ପଡ଼ିଯାଇଛି । ସେ ଏମିତି ମୋଟେ ଦୁଃସାହସିକ ନିଷ୍ପତ୍ତି ନବ ଏହା ମୁଁ ତ ଭାବିପାରୁନି...’ କହିଲା ଅନଙ୍ଗ ।

 

- ମଣିଷ ବଦଳିଯାଏ ସମୟ ସୁବିଧା ଦେଖି । ମୂଲ୍ୟବୋଧଗୁଡ଼ାକ ଭାଙ୍ଗିଯାଉଛି, ଆସ୍ଥା ରହୁନି କାହା ଉପରେ, ବିଶ୍ଵାସ କେଡ଼େ କ୍ଷଣଭଙ୍ଗୁର ଦେଖିପାରୁଥିବ । ଏଇଟା ବ୍ୟକ୍ତିର କେବଳ ଦୋଷ ନୁହେଁ, ଯୁଗ ସନ୍ଧିର ଦୋଷ । ସନ୍ଧିକାଳରେ ପୁରୁଣା ସମୟ ହଟିଯାଏ, ନୂଆ ସମୟ ଆସେ । ସବୁ ପୁରୁଣା ଯେ ଖରାପ ନୁହେଁ ଏହା ଭାବିବା ପାଇଁ ସମୟ ହୁଏନା । ସବୁ ନୂଆ ଯେ ଭଲ ଏଇ ସତ୍ୟ ପରଖି ନବା ପାଇଁ ସୁଯୋଗ ନ ଥାଏ । ସନ୍ଧିକାଳରେ ଭାବିଚିନ୍ତି ନିଷ୍ପତ୍ତି ନ ନେଲେ ଭୁଲ ହେବା ସ୍ଵାଭାବିକ । ଠିକ୍‌ ସେୟାହିଁ ଘଟୁଛି... । ଦେଖୁନ ସରଳା ଆଉ ଦୁଇଟା ପିଲାକୁ ଛାଡ଼ି ମାଧବ କମିତି ଆଉ କାହା ସାଙ୍ଗ ଧରିଛି । ଏ ବିଚାରୀର ଦୋଷ କ’ଣ ? ସେ ତୋତେ ପୋଷିବ ନା ତୁ ତାକୁ ପୋଷିବୁ ? ଏଇ ସଂଘର୍ଷ ଯେ କେବଳ ସରଳା ଓ ମାଧବ ମଧ୍ୟରେ ହେଇଛି ତାହା ନୁହେଁ, ଅନେକ ପରିବାରରେ ହେଉଛି । କିନ୍ତୁ ଭୁଲ କରୁଥିବା ଲୋକ ସ୍ୱୀକାର କରିବାକୁ ରାଜି ନୁହେଁ ଯେ ସେ ଭୁଲ କରୁଛି,’ କହିଲେ ମୈତ୍ରୟୀ ।

 

-‘ଏଇଠି ବିପଦ... ମୁଁ ତୁମ ସହିତ ଏକମତ ଭାଉଜ... ମୁଁ ନିଜ କଥା ଭାବୁଛି... କେମିତି ମୋ ବାଟ ବଦଳିଗଲା ମୁଁ ବୁଝିପାରୁନି... ଅନୁତାପ କରୁଚି... ସୁଇ କିନ୍ତୁ ବଡ଼ ଭଲ ଝିଅ ଭାଉଜ... ତା’ ସମୟ, ପରିବେଶ ଓ ସେ ବଢ଼ିଥିବା ସୋସାଇଟି କିନ୍ତୁ ତାକୁ ଗଢ଼ିଛି ସେହିପରି । ସେଥିପାଇଁ ଆମ ଦେଶର ପ୍ରଥା, ପରମ୍ପରା ଅଜ୍ଞତା ବା ଅନ୍ଧବିଶ୍ଵାସ ଏସବୁ ଅଦରକାରୀ ଭାବୁଛି ସେ । ମୁଁ ଜାଣେନା କ’ଣ ହେବ । ତାକୁ ମୋ ମତ ସହିତ ଏକମତ କରିପାରିବି କି ନା... ଆଉ ଯଦି ତା’ ହୁଏ ତେବେ କ’ଣ ହେବ ଭଗବାନ ଜାଣନ୍ତି.. ।’

 

- ‘ତମେ ତରତର ହୁଅନା ଅନଙ୍ଗ । ମୁଁ ଭାବୁଛି ସମୟ ଅତି ଶକ୍ତିଶାଳୀ । ସୁସୁଇର ମାନବିକ ଚେତନା ନକାରାତ୍ମକ ନୁହେଁ... ଆମର କୋଉଠି ଭୁଲ ରହିଯାଇଛି । ତାକୁ ଆମ ବାଟକୁ ଆଣିବା ପାଇଁ ଚେଷ୍ଟା କରିବି । ମୋର ବିଶ୍ୱାସ ସେ ଯାହା ଭଲ, ସତ୍‌ ଏବଂ ଶୀଳ ତାହାହିଁ ଗ୍ରହଣ କରିବ ।’

 

ତାଙ୍କ କଥା ଶୁଣି ଅନଙ୍ଗ ମନରେ ନୂତନ ବିଶ୍ୱାସ ସଞ୍ଚାର ହେଉଥିଲା । ତା’ର ଆଶା ପୁନରୁଜ୍ଜୀବିତ ହେଉଥିଲା । ପଥର ସନ୍ଧି ମଧ୍ୟରେ ଲୁକ୍କାୟିତ ଅନ୍ଧାର କୋଣରେ ଯେତେବେଳେ ଚେନାଏ ସୂର୍ଯ୍ୟକିରଣ ପଡ଼େ ସେଠାରୁ ହଠାତ୍‌ ଆଲୋକ ପ୍ରସାରିତ ହେବା ପରି ଅବିଶ୍ୱାସ, ହତାଶାଗୁଡ଼ାକର ବ୍ୟୁହ ଭାଙ୍ଗି ନୂତନ ଆଶା, ନୂତନ ବିଶ୍ଵାସ ପ୍ରସାରିତ ହୁଏ...

 

ହଜି ଯାଇଥିବା ଆତ୍ମବିଶ୍ଵାସ ପୁଣି କେଉଁ ଦୁର୍ଗମ ପଥ ପାରି ହୋଇ ଫେରିଆସିବା ପାଇଁ ଉଦ୍ୟମ କରୁଥିଲା । ପାହାଡ଼ ଉପରକୁ ଚଢ଼ୁଥିବା ଲୋକ ବାଟବଣା ହୋଇ ହତାଶାରେ ଭାଙ୍ଗିପଡ଼ିଥିବାବେଳେ ବେଳେବେଳେ ଦିବ୍ୟକୃପାରୁ ହେଉ ବା ଚେତନାର ସଂକ୍ରମଣ ଯୋଗୁ ହେଉ, ହତାଶାକୁ ଠେଲି ଗୋଟାଏ ଦୁର୍ବାର ଦୁଃସାହସ ସେଇ ଲୋକକୁ ଯେପରି ଅନ୍ଧାର ଗୁହା ଭିତରୁ ଆଲୋକକୁ ନେଇଆସେ ସେହିପରି ଲାଗେ ଯେତେବେଳେ ବିଶ୍ୱାସ ଫେରିପାଇ ପୁଣି ରଣାଙ୍ଗନରେ ଛିଡ଼ା ହୁଏ ସୈନିକ ।

 

କେତେଦିନ ହେଲା କନ୍ୟାଶ୍ରମକୁ ଯାଇ ନ ଥିଲେ ମୈତ୍ରେୟୀ । ମନୋଜ ବିଶ୍ଵବିଦ୍ୟାଳୟରୁ ଫେରି ନାହାଁନ୍ତି । ଥରେ ଯାଇ ବୁଲି ଆସିବା ଉଚିତ । ସେ ବଂଶୀକୁ ନେଇ ବାହାରିଗଲେ । ଯିବାବେଳେ ଅନଙ୍ଗକୁ କହିଗଲେ ଯେ ଯଦି କେହି ଖୋଜେ ତାକୁ କହିବେ ଫେରୁ ଫେରୁ ଘଣ୍ଟାଏ ଲାଗିବ ।

 

ମୈତ୍ରେୟୀ କନ୍ୟାଶ୍ରମର ଅନ୍ତେବାସିନୀମାନଙ୍କର ଭଲମନ୍ଦ ବୁଝିଲେ । ଅରୁନ୍ଧତୀ ତାଙ୍କୁ ଜଣାଇଲା ଯେ ମାଧବ ନହରକକଣ୍ଟା ଛାଡ଼ି ପଳାଇଛି ସତ୍ୟ, କିନ୍ତୁ ରାଜଧାନୀ ଛାଡ଼ି ଯାଇ ନାହିଁ ।

 

ମୈତ୍ରେୟୀ ପଚାରିଲେ, ‘ତୁ କିମିତି ଜାଣିଲୁ ?’ ଅରୁନ୍ଧତୀ ଉତ୍ତର ଦେଲା ଯେ ଥାନାବାବୁ ଦିନେ ଆସିଥିଲେ କନ୍ୟାଶ୍ରମକୁ । ସେ କହୁଥିଲେ ଯେ ମାଧବ ଆହୁରି ଗୋଟେ ଦୁଇଟା ଅପରାଧ ସହିତ ଜଡ଼ିତ । ତାକୁ ଖୋଜୁଛି ପୁଲିସ୍‍ । ତାଙ୍କର ବିଶ୍ଵାସ ଯେ ସେ ଭୁବନେଶ୍ୱରରେ ଅଛି । କିନ୍ତୁ ପାତ୍ରପଡ଼ା, କଳିଙ୍ଗନଗର, ସାମନ୍ତରାପୁର ବା ରସୁଲଗଡ଼ କିମ୍ବା ଚନ୍ଦ୍ରଶେଖରପୁର କେଉଁଠି ଲୁଚିଛପି ରହିଛି ଠିକ୍‌ ପତା ମିଳିନି... କିନ୍ତୁ ପୁଲିସ୍‍ ଯେ ତାକୁ ଦିନେ ଧରିବ ଏହା ନିଶ୍ଚିତ । ପୁଅ, ଝିଅକୁ ବଳପୂର୍ବକ ନେଇ ଯାଇଥିଲା ମାଧବ । କିନ୍ତୁ ସେମାନଙ୍କୁ ପୋଷି ନ ପାରି ଦିନେ ଆଣି ପୋଲ ପାଖ ଚା’ ଦୋକାନରେ ଛାଡ଼ିଦେଇ ଚାଲିଗଲା । ଦୋକାନୀ ନରୋତ୍ତମ ସେମାନଙ୍କୁ ଆଣି ସରଳାର ଜିମା ଦେଇଯାଇଛି ।

ମୈତ୍ରେୟୀ ଖବର ପାଇଥିଲେ ଏ ବିଷୟରେ । କିନ୍ତୁ ଦେଖି ନ ଥଲେ ତା’ ପିଲାମାନଙ୍କୁ-। ସେମାନେ ଖେଳୁଥିଲେ । ସେମାନଙ୍କ ଭଲ ମନ୍ଦ ବୁଝି ସରଳାକୁ କହିଗଲେ ଯେ ପିଲାଙ୍କ ପାଇଁ ଲୁଗାପଟା ପଠାଇଦେବେ । କୁଆଁର ପୁନେଇଁ ମାନିବେ ସେମାନେ । ରେସନ ଚାଉଳ ମିଳିନାହିଁ ଏ ପର୍ଯ୍ୟନ୍ତ । ଚାଉଳ ସରି ଗଲାଣି । ଚଢ଼ା ଦରରେ ବଜାରରୁ କିଣିବାକୁ ହେବ । ଶୀତଦିନ ପୂର୍ବରୁ ଶୀତଲୁଗା ବ୍ୟବସ୍ଥା ହେବା ଦରକାର । ହନୁମନ୍ତ ଅଗ୍ରବାଲ କହିଛି ଦଶଟା କମ୍ବଳ ଦବ । ଆଉ କେହି ଦାତା ଜୁଟିଗଲେ ପିଲାଙ୍କ ପାଇଁ ସୁଏଟର ଖଣ୍ଡେ ଖଣ୍ଡେ କିଣିବେ । କୌଣସି ସୂତ୍ରରୁ ଦାନ ନ ମିଳିଲେ ମୈତ୍ରେୟୀ ନିଜ ହାତରୁ କିଛି ଦିଅନ୍ତି । ସରୋଜ, ଅନଙ୍ଗ ଏବଂ ଚିହ୍ନା ପରିଚିତମାନଙ୍କ ଆଗରେ ହାତ ପାତନ୍ତି । ଆଶ୍ରମର ଖର୍ଚ୍ଚ ବଢ଼ୁଛି । ଆହୁରି କେତେକ ନିରାଶ୍ରିତା ମହିଳା ଓ ଶିଶୁ ଅପେକ୍ଷା କରୁଛନ୍ତି ଆଶ୍ରମରେ ଭର୍ତ୍ତି ହେବା ପାଇଁ । ନିରକ୍ଷରମାନଙ୍କୁ ସାକ୍ଷର କରିବା ସକାଶେ ବ୍ୟବସ୍ଥା ହୋଇଛି । ଜଣେ ସ୍ଵେଚ୍ଛାସେବିକା ସେଇ ଦାୟିତ୍ଵ ପାଳନ କରୁଛନ୍ତି । ହାତକାମ ଶିକ୍ଷା ଦବା ପାଇଁ ଆଉ ଜଣେ ସେବିକା ଦାୟିତ୍ଵ ନେଇଛନ୍ତି । ସିଲେଇ, କଣ୍ଢେର ତିଆରି, ଆଚାର ତିଆରି ଇତ୍ୟାଦି କାମ ହାତକୁ ନବା ପାଇଁ ପ୍ରସ୍ତୁତି ସରିଗଲାଣି । ଆଶ୍ରମରେ ସନ୍ଧ୍ୟା ପ୍ରାର୍ଥନା ଶେଷ ହେବା ପରେ ମୈତ୍ରେୟୀ ଫେରିଲେ ଘରକୁ । କିନ୍ତୁ ଘରେ ପ୍ରବେଶ କରିବାବେଳକୁ ଆଉ ଏକ ଅପ୍ରତ୍ୟାଶିତ ଘଟଣା ଘଟିଗଲା । ମୈତ୍ରେୟୀ କୋଠରୀ ଭିତରକୁ ଯିବା ପୂର୍ବରୁ ପଦ୍ମଜା ତାଙ୍କ ପଥରୋଧ କରି କହିଲା, ‘ଆଜି ଏପାର ନୋହିଲେ ସେପାର... ଗୋଟାଏ ନିଷ୍ପତ୍ତି ନବାକୁ ହେବ । ଅନ୍ୟମାନଙ୍କ ପରି ମୁଁ ମଧ୍ୟ ଏ ପରିବାରର ବୋହୂ । ସବୁ ବିଷୟରେ ମୋର ପୂର୍ଣ୍ଣ ଅଧିକାର-। କିନ୍ତୁ ମୁଁ କ’ଣ କରୁଛି, କୁଆଡ଼େ ଯାଉଛି, କାହା ସହିତ ସମ୍ପର୍କ ଅଛି ଏ ସମସ୍ତ ମୋର ବ୍ୟକ୍ତିଗତ ବିଷୟ ହେଲେ ମଧ୍ୟ କାହିଁକି କେହି ସିଆଇଡ଼ି ପରି ଏସବୁ ଅନୁସନ୍ଧାନ କରିବ ଏବଂ ମନ୍ଦ ଉଦ୍ଦେଶ୍ୟ ସାଧନ କରିବା ସକାଶେ ମୋ ବିରୋଧରେ କୁତ୍ସାରଟନା କରିବ ?’

ତା’ର ଉଚ୍ଚସ୍ଵର ଶୁଣି ଥମକି ଛିଡ଼ା ହୋଇଗଲେ ମୈତ୍ରେୟୀ । କୋଠରୀ ଭିତରୁ ମନୋଜ ବାହାରି ଆସିଲେ । ଅନଙ୍ଗ ଓ ସରୋଜ ଡ୍ରଇଂରୁମ୍‌ରେ ବସିଥିଲେ, ସେମାନେ ଚାଲି ଆସିଲେ । ଲବିରେ ସମସ୍ତେ ଏକତ୍ରିତ ହେଉଥିବା ଦେଖି ସ୍ଵର ଆହୁରି ଉଚ୍ଚ କରି ପଦ୍ମଜା କହିଚାଲିଲା ଯେ ସେ ଡାକ୍ତର, ତା’ ସ୍ଵାମୀ ମଧ୍ୟ ଡାକ୍ତର । ଅନ୍ୟମାନଙ୍କ ପରି ସେମାନଙ୍କର ମଧ୍ୟ ଅଧିକାର ଅଛି ସ୍ଵାଧୀନଭାବେ ଡାକ୍ତରୀ କରିବା ପାଇଁ । ନିଜର ସୁବିଧା ପାଇଁ ସେମାନେ ଯଦି ନର୍ସିଂହୋମ୍‌କୁ ଉଠିଯିବା ପାଇଁ ମନସ୍ଥ କରିଥାନ୍ତି ତେବେ ଏହା ସେମାନଙ୍କ ସୁବିଧା ପାଇଁ । ଅନ୍ୟର ସୁବିଧା କଥା ଭାବିବା ପୂର୍ବରୁ ସେମାନେ ନିଜର ସୁବିଧା, ନିଜ ପ୍ରୋଫେସନର କ୍ରେଡ଼ିବିଲିଟି ପାଇଁ ଏ ନିଷ୍ପତ୍ତି ନେଇଛନ୍ତି । କିଏ କାହିଁକି ଏଥିରେ ଆପତ୍ତି କରିବ ?

ମୈତ୍ରେୟୀ ନିରବରେ ଛିଡ଼ା ହୋଇଥିଲେ । ଅନ୍ୟମାନେ ମଧ୍ୟ ଚୁପ୍‌ଚାପ ଛିଡ଼ା ହୋଇଥିଲେ । କାହାରି ମୁହଁରୁ ଭାଷା ବାହାରୁ ନ ଥିବା ଦେଖି ପ୍ରସଙ୍ଗଟା ଅପ୍ରୀତିକର ହେଉଥିବା ଲକ୍ଷ୍ୟ କରି ମୁହଁ ଖୋଲିଲେ ମୈତ୍ରେୟୀ ।

ସେ କହିଲେ, ‘ପଦ୍ମା, ତୁ ଶାନ୍ତ ହୁଅ, କିଏ କ’ଣ କହିଛି ନ କହିଛି ସେ ବିଷୟ ବସି ବିଚାର କରିବା । ଘରେ ଦଶ ଜଣ ଅଛନ୍ତି । ଆମ ପରିବାରର ମାନ ସମ୍ମାନ ଅଛି । ଆମେ ଯାହା କରିବା ଭାବିଚିନ୍ତି କରିବା । ହଠାତ୍‌ ଉତ୍ତେଜନାରେ କିଛି କହିବା ବା କରିବା ଠିକ୍‌ ହେବ ନାହିଁ । ମୁଁ ଆଶ୍ରମରୁ ଏଇନେ ଆସୁଛି, ଆ ସାଙ୍ଗ ହୋଇ ଏ ବିଷୟ ଆଲୋଚନା କରିବା... ।କିନ୍ତୁ ଆଲୋଚନା ନୁହେଁ ପଦ୍ମଜା କଳି କରିବା ପାଇଁ ପ୍ରସ୍ତୁତ ହୋଇ ଆସିଥିବା ପରି ଲାଗୁଥିଲା । ସରୋଜ ତା’ ହାତଧରି ଟାଣି ନେଇ ଯାଉଥିଲା, କିନ୍ତୁ ଖଣ୍ଡେଦୂର ଯିବା ପରେ ସେ ହାତ ଛିଞ୍ଚାଡ଼ି ପୁଣି ଫେରି ଆସିଲା ରଣକ୍ଷେତ୍ରକୁ । ସେ କହି ଚାଲିଥାଏ ଅନର୍ଗଳ ଭାଷା । ‘ଏ ଲୋକଙ୍କୁ ତମେ ଚିହ୍ନିନ ସରୋଜ । ଏମାନଙ୍କର ଅନ୍ତର ଭିତରେ ବିଷ, ଆଉ ଜିଭ ଅଗରେ ଅମୃତ । ଆମର ସ୍ୱାଧୀନତାରେ ବାଧା ଦବା ପାଇଁ କିଏ କ୍ଷମତା ଦେଇଛି ଏମାନଙ୍କୁ...?’

ମୈତ୍ରେୟୀ କାନ୍ଦ କାନ୍ଦ ହୋଇ ହାତଯୋଡ଼ି କହୁଥାନ୍ତି ‘ଆରେ କାହିଁକି ଏମିତି ହେଉଛୁ । କୋଉଥିରେ ଅଭାବ ହେଲା ଯେ, ତୁ ଏପରି ରାଗିଯାଉଛୁ । ପରିବାରରେ ଥିଲେ କେତେ ପ୍ରକାର ସୁବିଧା ଅସୁବିଧା ସାମନା କରିବାକୁ ହୁଏ... ।’

ପଦ୍ମଜା ଉତ୍ତେଜିତ ସ୍ଵରରେ କହିଲା, ‘କିନ୍ତୁ ମୋ ପଛରେ ସିଆଇଡି ପରି କାହିଁକି ବୁଲୁଛ... ମୁଁ କ’ଣ ଜାଣିନି ଏ ବିଷୟରେ । ମୋର ବି ବୁଦ୍ଧି ଶୁଦ୍ଧି ଅଛି । କେହି ଡାଳେ ଡାଳେ ଗଲେ ମୁଁ ପତରେ ପତରେ ଯାଏ... ।’

 

ବଡ଼ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଗଲା । ମନୋଜ ସାଧାରଣତଃ କୌଣସି ବିଷୟରେ ହସ୍ତକ୍ଷେପ କରନ୍ତି ନାହିଁ । ସବୁ ଦାୟିତ୍ୱ ମୈତ୍ରେୟୀଙ୍କ ଉପରେ ଛାଡ଼ି ଦେଇ ନିଶ୍ଚିନ୍ତ ରହନ୍ତି । କାମ ଭଲ କି ସେ ଭଲ । ଭାଇମାନେ ବୟସରେ ଅନେକ ସାନ ତାଙ୍କଠାରୁ । ତଥାପି ସେମାନଙ୍କ ସ୍ଵାଧୀନତାରେ କେବେ ହେଲେ ବାଧା ଦେଇ ନାହାଁନ୍ତି ସେ । ସେ ଉପସ୍ଥିତ ଥିବା ସମୟରେ ପଦ୍ମଜା ଯେ ଏଡ଼େ, ପାଟିତୁଣ୍ଡ କରିବ ତାହା ଭାବି ପାରୁ ନ ଥାନ୍ତି । ଲାଜରେ ବୁଡ଼ିଯାଇଥାନ୍ତି ମନୋଜ । ଏପରି ଅସ୍ଵାଭାବିକ ପରିବେଶରେ ସେ ନିଜକୁ ଖାପ୍‌ ଖୁଆଇ ପାରୁ ନ ଥାନ୍ତି । ତଥାପି ସେ ହଠାତ୍‍ ସମସ୍ତଙ୍କ ଆଗକୁ ଆସି ହାତଯୋଡ଼ି ଠିଆ ହୋଇଗଲେ ଏବଂ ଶାନ୍ତ କଣ୍ଠରେ କହିଲେ, ‘ମୁଁ ତୁମ ସମସ୍ତଙ୍କଠାରୁ ବଡ଼ । ସବୁ ଦୋଷ ମୋର । ମୁଁ ଭାବୁଛି ଯେ କେଉଁଠି ନା କେଉଁଠି କର୍ତ୍ତବ୍ୟରେ ହେଳା କରିଛି ମୁଁ । ସମସ୍ତଙ୍କ ଆଗରେ ଦୋଷ ସ୍ଵୀକାର କରୁଛି... ମୋତେ କ୍ଷମା କରିଦିଅ...’

 

ଏହାପରେ ଆଉ କାହା ମୁହଁରେ ଭାଷା ନ ଥିଲା । ମୈତ୍ରେୟୀଙ୍କ ଆଖି ଛଳ ଛଳ ଦିଶୁଥିଲା । ଅନଙ୍ଗ ମୁହଁ ପୋତି ଛିଡ଼ା ହୋଇଥିଲା । ସରୋଜ କ’ଣ କରିବ କିଛି ଭାବି ପାରୁ ନ ଥିଲା ।

 

ପଦ୍ମଜା କିନ୍ତୁ ଆଉ କ’ଣ କହିବା ପାଇଁ ଆରମ୍ଭ କରିବା କ୍ଷଣି କହିଲା ସରୋଜ, ‘ଷ୍ଟପ୍‌ ଷ୍ଟପ୍‌ ନାଓ । ଅନେକ ହେଲାଣି । ଭଦ୍ର ପରିବାରରେ ଅଶାନ୍ତ ବାତାବରଣ ମୁଁ ସହ୍ୟ କରିପାରିବି ନାହିଁ । ତମେ ଧୁଆ ତୁଳସୀ ପତ୍ର ପରି କଥା କହୁଛ... ଭାଉଜଙ୍କର କିଛି ଦୋଷ ନାହିଁ । ଚାଲ ଚାଲ ମୋ ସାଙ୍ଗରେ... ଆଇ କାଣ୍ଟ ଟଲରେଟ୍‌ ଇଟ୍‌ ଏନି ମୋର୍...’

 

ପଦ୍ମଜାକୁ ଟାଣି ନେଇ ସେ ଚାଲିଗଲା ପରେ କିଛି ସମୟ ପର୍ଯ୍ୟନ୍ତ ଲବି ସ୍ତବ୍ଧ ହୋଇ ରହିଲା । ମୈତ୍ରେୟୀ ମୁହଁ ପୋତି ବସିଥିଲେ । ମନୋଜ ଧୀରେ ଧୀରେ ତାଙ୍କ କୋଠରୀକୁ ଚାଲିଗଲେ । ଅନଙ୍ଗ କେବଳ ମୈତ୍ରେୟୀଙ୍କ ପାଖରେ ଠିଆ ହୋଇଥିଲା ତାଙ୍କୁ କ’ଣ କହି ସାନ୍ତ୍ୱନା ଦବ ସେଇ କଥା ଭାବି ଭାବି ।

 

ସେଦିନର ସେଇ ତିକ୍ତତା ସହଜରେ କଟିଲା ନାହିଁ । ରାତ୍ରି ଭୋଜନବେଳେ ପରିବାରର ସମସ୍ତେ ଠୁଳ ହୁଅନ୍ତି ଡିନାର ଟେବୁଲ ଚାରି ପାଖରେ । ଆଜି ଆଉ ପଦ୍ମଜା ଖାଇବା ପାଇଁ ଆସିଲା ନାହିଁ । ଅନଙ୍ଗ ତାକୁ ଡାକିବା ପାଇଁ ଯାଇଥିଲା କିନ୍ତୁ ବିଫଳ ହୋଇ ଫେରିଲା । ସେ କହିଲା ଭୋକ ଲାଗୁନି... । ମନୋଜ କିନ୍ତୁ ସବୁଦିନ ପରି ଠିକ୍‌ ସମୟରେ ଆସିଲେ । ମୁହଁ ପୋତି ବସିଲେ ଡିନାର ଟେବୁଲ ପାଖରେ । ସରୋଜ ତାଙ୍କ ପାଖରେ ବସିଲା । ସେ ତାଙ୍କୁ କହିଲା, ‘ନନା, ମୁଁ ଅତ୍ୟନ୍ତ ଦୁଃଖିତ । ତମ ଉପସ୍ଥିତିରେ ଏପରି ଲଜ୍ଜାକର ପରିସ୍ଥିତି ସୃଷ୍ଟି ହେବ ମୁଁ କଳନା କରି ନ ଥିଲି । ପଦ୍ମଜାର ଦୋଷ... । ମୁଁ ତା’ ପାଇଁ ତମ ପାଖରୁ, ଭାଉଜଙ୍କ ପାଖରୁ କ୍ଷମା ମାଗି ନେଉଛି...-। ତମେ ଆମକୁ କ୍ଷମା କରିଦିଅ... ।’

 

ତା’ ସ୍ଵର କମ୍ପୁଥିଲା । ସେ ନୀରବରେ ବସି ରହିଲା ଟେବୁଲ ଉପରକୁ ଚାହିଁ । ଅନଙ୍ଗ ମନୋଜଙ୍କ ବାମ ପାଖରେ ବସିଥିଲା । ମିତା, ଆନନ୍ଦ ଓ ଭାସ୍ଵତୀ ମଧ୍ୟ ଆସି ବସିଲେ ନିଜ ନିଜ ଆସନରେ । ମୈତ୍ରେୟୀ ପରିବେଷଣ କଲେ । ଖାଇପିଇ ଧୀରେ ଧୀରେ ସମସ୍ତେ ଯେ ଯାହା କୋଠରୀକୁ ଚାଲିଗଲେ । ଲବିରେ ବସି ଗପ କରିବା ପାଇଁ ସ୍ପୃହା ନ ଥିଲା ।

 

ମୈତ୍ରେୟୀ ପାଦ ଚିପି ଚିପି ପଦ୍ମଜା ପାଖକୁ ଯାଇ କହିଲେ, ‘ଉଠ ପଦ୍ମଜା ! ଖାଇବୁ ଆ... ।’

 

- ତମେ ଖାଇନିଅ ନାନୀ । ମୋତେ ଭୋକ ନାହିଁ... କହିଲା ପଦ୍ମଜା ।

 

-‘ତୋତେ ନ ଖୁଆଇ ମୁଁ କେବେ ଖାଇବା ଦେଖିଛୁ ? ଆଜି ଯଦି ତୁ ଅଭୁକ୍ତ ରହୁ ମୁଁ ବି ଅଭୁକ୍ତ ରହିବି... ମୁଁ ଯଦି କିଛି ଭୁଲ୍‌ କରିଛି ତେବେ ତୁ ଭୁଲି ଯା ସେ କଥା... ଯଦି ପାରୁ କ୍ଷମା କରିଦେ... ।’

 

ପଦ୍ମଜାର ହାତ ଧରିଲେ ମୈତ୍ରେୟୀ ।

 

ପଦ୍ମଜା ଧୀରେ ଧୀରେ ଉଠିଲା, ତାକୁ ହାତରେ ଧରି ମୈତ୍ରେୟୀ ନେଇଗଲେ ଡିନର ଟେବୁଲକୁ । ଦୁହେଁ ବସି ଟିକେ ଟିକେ ଖାଇଲେ । ଖାଇବା ପାଇଁ ସରସତା ନ ଥିଲା ମନରେ । ପଦ୍ମଜା ଶୋଇବାକୁ ଯିବା ପୂର୍ବରୁ କହିଲା, “ଘରେ ରହି ନର୍ସିଂହୋମ୍‍ ଚଳାଇବା ସୁବିଧାଜନକ ନୁହେଁ... ଗୁଡ଼ାଏ ଟଙ୍କା ଖର୍ଚ୍ଚ ହୋଇଛି... । ବାପା ପାଞ୍ଚଲକ୍ଷ ଟଙ୍କା ଖଟାଇଛନ୍ତି ନର୍ସିଂହୋମ୍‍ କରିବା ପାଇଁ । ଏଠାରେ ଆମେ ସୁଖ ଶାନ୍ତିରେ ବସି ରହିଲେ ନର୍ସିଂହୋମ୍‍ ଅବସ୍ଥା କ’ଣ ହେବ ବୁଝିପାରୁଥିବ ନାନୀ ।’

 

ମୈତ୍ରେୟୀ ସବୁ ଶୁଣିଲେ, କିଛି ଉତ୍ତର ଦେଲେନି । ଏହାପରେ ଆଉ କହିବାର ନ ଥିଲା-। ପଦ୍ମଜା ନିଷ୍ପତ୍ତି ନେଇସାରିଛି ଅଲଗା ହୋଇଯିବା ପାଇଁ । ଆଜିର ତିକ୍ତତା ସୃଷ୍ଟି ନ କରିବି ସେ ଅଲଗା ହୋଇଯାଇ ପାରିଥାନ୍ତା । ମନୋଜ ତା’ ଭାଇମାନଙ୍କ ନିଷ୍ପତ୍ତିର କେବେ ବିରୋଧ କରିନାହାଁନ୍ତି । ସେମାନଙ୍କ ପଢ଼ାଶୁଣା ପାଇଁ ଅଳ୍ପ କିଛି ରଖି ସମସ୍ତ ଟଙ୍କା ସେ ଦେଇ ଦେଉଥିଲେ ବାପାଙ୍କ ହାତରେ । ଏବେବି ଯାହା ପାଆନ୍ତି ମୈତ୍ରେୟୀଙ୍କ ହାତକୁ ବଢ଼ାଇ ଦେଇ କହନ୍ତି, ‘ଯେପରି ଭଲ ଭାବିବ ଖର୍ଚ୍ଚ କରିବ । କାହାରି ଯେପରି କିଛି ଅସୁବିଧା ନ ହୁଏ ।’

 

ମୈତ୍ରେୟୀ ତଥାପି ଭାବୁଥିଲେ କିପରି ଏଇ କର୍ତ୍ତବ୍ୟ ନିର୍ବାହ କରିବେ... କାଲି ସକାଳୁ ଯେତେବେଳେ ଟ୍ରକ୍‌ ଲାଗିବ ଦୁଆର ମୁହଁରେ ଜିନିଷପତ୍ର ନବା ପାଇଁ ନର୍ସିଂହୋମ୍‍କୁ ସେତେବେଳେ ଭିତରେ ଭିତରେ ଅଶ୍ରୁ ଢାଳି ମୈତ୍ରେୟୀଙ୍କୁ ହସି ହସି ସବୁ ସଜ କରି ଦବାକୁ ହେବ । ପଦ୍ମଜା ଯେଉଁସବୁ ସଜ ଆଣିଥିଲା ସେସବୁ ଯେପରି ତା’ ସାଙ୍ଗରେ ନେଇଯାଏ ତାହା ନିଶ୍ଚୟ କରିବାକୁ ହେବ । ତା’ ଛଡ଼ା ଆଉ ଯାହା ଘରକରଣା ଜିନିଷ ଦରକାର ହେବ ସେ ନିଜେ ଯାଇ ସେସବୁ କିଣି ଦେଇ ଆସିବେ ।

 

ସେ ଆଖି ପୋଛିଲେ । ଶ୍ରୀମା’ଙ୍କ ଫଟୋ ତଳେ ମୁଣ୍ଡିଆ ମାରି ଅସ୍ପଷ୍ଟଭାବେ କ’ଣ କହିଲେ । ତା’ପରେ ଧୀରେ ଧୀରେ ପାଦ ବଢ଼ାଇଲେ ଶୋଇବା ଘର ଆଡ଼କୁ ।

 

ବାଟ ରୋକି ଠିଆ ହୋଇଥିଲା ସରୋଜ... ।

 

ମୈତ୍ରେୟୀ ସସ୍ନେହରେ ସରୋଜର ଆଖି ପୋଛିଦେଇ କହିଲେ, ‘ଏତିକିରେ ଭାଙ୍ଗି ପଡ଼ିଲେ ଚଳିବ ? କେତେ ରଣାଙ୍ଗନ ଆସିବ... ସବୁଠାରେ ବିଜୟୀ ହେବା ପାଇଁ ବିଶ୍ଵାସ ରଖିବାକୁ ପଡ଼ିବ... ପଦ୍ମଜା ସାମାନ୍ୟ କଥାରେ ଅପ୍‌ସେଟ୍‌ ହୋଇଯାଏ । ବାପାମା’ଙ୍କ ଅଲିଅଳ ଝିଅ... ତାକୁ ମାଫ୍‌ କରିଦିଅ । ଏଇ ଘରେ ତମର ଏନ୍ତୁଡ଼ିଶାଳ... ଏହାର ମାୟା ଭୁଲିବ ନାହିଁ । କହୁକହୁ ଆଖି ପୋଛି କୋଠରୀ ଭିତରେ ପଶିଗଲେ ମୈତ୍ରେୟୀ ।

 

(ସତର)

 

ପାଞ୍ଚଦିନ ପାଇଁ ଯାଇଥିଲା, କିନ୍ତୁ ପନ୍ଦରଦିନ ପୂରିଲା, ତଥାପି ଅପ୍ରତିମ ଓ ସାଙ୍ଗମାନେ ଫେରି ନ ଆସିବାରୁ ପରିବାରେ ଆଶଙ୍କା ସୃଷ୍ଟି ହେଲା । କିନ୍ତୁ ଏଇ ଦୁଇତିନି ବର୍ଷ ହେବ ସେଲିବ୍ରାଲ ମ୍ୟାଲେରିଆ କବଳରେ ପଡ଼ି କେତେ ଲୋକ ମରିଛନ୍ତି । ମନୋଜ କହିଲେ, ‘ତମେ ସବୁ ଏତେ ଚିନ୍ତା କରୁଛ କାହିଁକି ? ଅପୁ କ’ଣ ଛୋଟ ପିଲାଟି ହୋଇଛି ? ସେ ବିଶ୍ଵବିଦ୍ୟାଳୟ ଛାତ୍ରମାନଙ୍କ ନେତା । ତୁମ ମୋ ନାମ ଲୋକମାନେ ଜାଣି ନ ଥିବେ କିନ୍ତୁ ଅପୁର ନାମ ଅନେକ ଜାଣନ୍ତି ।’

 

କିନ୍ତୁ ଏପରି ସାନ୍ତ୍ୱନା ଆଉ ମନକୁ ନିର୍ଭୟ କରିପାରୁନାହିଁ ମୈତ୍ରେୟୀଙ୍କର । ସେ ଚିହ୍ନା ପରିଚୟ ସାଙ୍ଗସାଥୀ ଯେତେଥିଲେ ସେମାନଙ୍କୁ ଟେଲିଫୋନ୍‌ କରି, ଚିଠି ଲେଖି ବା ଇମେଲ ପଠାଇ ଅପୁ ଓ ତା’ ସାଙ୍ଗମାନଙ୍କ ଠିକଣା ଖୋଜିବା ପାଇଁ କହିଛନ୍ତି । କିନ୍ତୁ ସେଥରୁ ମଧ୍ୟ କିଛି ଫଳ ମିଳିନି । ତାଙ୍କରି କଥା ମାନି ଅନଙ୍ଗ ପୁଲିସ୍‍ ହେଡ଼୍‌କ୍ୱାର୍ଟର ଯାଇଥିଲା । ଗୁଇନ୍ଦା ବିଭାଗ ଆଇ.ଜି.ଙ୍କୁ ସବୁ ବିଷୟ କହିବା ପରେ ସେ କହିଲେ ଯେ ଉପଦ୍ରୁତ ଅଞ୍ଚଳକୁ ବର୍ତ୍ତମାନ ନ ଯାଇଥିଲେ ଚଳିଥାନ୍ତା-। ଅବସ୍ଥା ଭଲ ନୁହେଁ । ଚାରିପାଞ୍ଚ ଦିନ ପୂର୍ବେ ଉଗ୍ରବାଦୀମାନଙ୍କ ଗୋଟେ ଘାଟି ଉପରେ ଆକ୍ରମଣ କରି ପୁଲିସ୍‍ କେତେଜଣଙ୍କୁ ଗିରଫ କରିଛି, ମାତ୍ର ଉଗ୍ରବାଦୀମାନେ ଶିବିରରେ ନିଆଁ ଲଗାଇ ଜଙ୍ଗଲ ଭିତରକୁ ପଳାଇ ଯାଇଛନ୍ତି । ପୁଲିସ୍‍ ସେମାନଙ୍କୁ ତଲାସ କରୁଥିଲେ ମଧ୍ୟ ସେମାନଙ୍କ ଘାଟି କେଉଁଠି ତାହାର ଟେର୍‌ ଏ ପର୍ଯ୍ୟନ୍ତ ମିଳି ନାହିଁ । ତଥାପି ପୁଲିସ୍‍ ଓ ଇଣ୍ଟେଲିଜେନ୍ସକୁ ଅପୁ ଓ ତା’ ସାଙ୍ଗମାନଙ୍କ ବିଷୟ ଜଣାଇ ଦିଆଯାଇଛି । ସେମାନେ ଖୋଜି ବାହାର କରିବା ଅସମ୍ଭବ ନୁହେଁ । କିଛି ଖବର ମିଳିଲେ ଜଣାଇବେ । କିନ୍ତୁ ଏହା ସହିତ ସେ ଆହୁରି ବି କହିଲେ ଯେ ଏମାନଙ୍କ ଜୀବନ ନେଇ କୌଣସି ଆଶଙ୍କା ନାହିଁ । ମ୍ୟାଲେରିଆ ବା ଆଉ କିଛି ଅସୁସ୍ଥତାରୁ ହୁଏତ ସେମାନେ ଶରଣ ନେଇଥିବେ କେଉଁଠାରେ । ଆନ୍ଧ୍ର ପ୍ରଦେଶ ସହିତ ସେଇ ଅଞ୍ଚଳର ଅଧିକ ଯୋଗାଯୋଗ । ତେଣୁ ସେମାନେ ଭାଇଜାଗ ବା ଭଦ୍ରାଚଳମ୍‌ କୋଉଠିକୁ ଯିବାର ସମ୍ଭାବନା ମଧ୍ୟ ଏଡ଼ି ଦେଇ ହେବ ନାହିଁ ।

 

ଅନଙ୍ଗ ଫେରି ଆସି କହିଲା ସବୁ । ମୈତ୍ରେୟୀଙ୍କ ମନ କିନ୍ତୁ ସ୍ଥିର ହେଉ ନ ଥାଏ । ସେମାନଙ୍କ ସେଇ ଅଞ୍ଚଳକୁ ଯିବା ପାଇଁ ସମସ୍ତେ ମନା କରୁଥିଲେ। କିନ୍ତୁ କେବଳ ସେ ସେମାନଙ୍କ ପ୍ରସ୍ତାବର ବିରୋଧ ନ କରି ସବୁ ସ୍ଥାନ ଦେଖିବା ସବୁ ଲୋକମାନଙ୍କ ଭଲ ମନ୍ଦ ଜାଣିବା ଉଚିତ ବୋଲି ମତ ଦେଇଥିଲେ । ତେଣୁ ଆଉ କେହି ସେମାନଙ୍କ ଏକ୍ସକରସନର ବିରୋଧ କରି ନ ଥିଲେ-। ଯଦି ସେମାନଙ୍କର କିଛି ହୋଇଯାଏ ତେବେ ମୈତ୍ରେୟୀଙ୍କୁ ସମସ୍ତେ ଦୋଷ ଦେବେ । ସେଇଟା ଅବଶ୍ୟ ବଡ଼ କଥା ନୁହେଁ । ବଡ଼ କଥା ହେଉଛି ଯେ କେତୋଟି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯୁବକମାନେ କାହିଁକି ଦେଶର ଅର୍ଥନୈତିକ ବିକାଶ ସହିତ ସଂଶ୍ଲିଷ୍ଟ ହେବା ପରିବର୍ତ୍ତେ ଉଗ୍ରବାଦ ଆଡ଼କୁ ଢଳୁଛନ୍ତି ତାହାର କାରଣ ଜାଣିବା ବି ଗୋଟିଏ ମହତ୍ତ୍ଵପୂର୍ଣ୍ଣ କାମ । ଅମଲାତନ୍ତ୍ର ବା ରାଜନେତାମାନେ ସେସବୁ ଅଞ୍ଚଳ ସଂବନ୍ଧରେ ଯାହା ଜାଣି ନ ଥିବେ, ଅପୁ ଏବଂ ତା’ ସାଙ୍ଗମାନେ ଅଳ୍ପ କେଦେଦିନ ମଧ୍ୟରେ ଆହୁରି ପ୍ରତ୍ୟକ୍ଷ ଅନୁଭୂତି ଅର୍ଜନ କରି ଫେରିଆସିବେ । ସେତେବେଳେ ମୈତ୍ରେୟୀଙ୍କ ଛାତି କୁଣ୍ଢେ ମୋଟ ହୋଇଯିବ । କିନ୍ତୁ ସେଇ ମାହେନ୍ଦ୍ରବେଳା କେବେ ଆସିବ ?

 

ଦେଶର ଅଗମ୍ୟ ବା ଦୁର୍ଗମ ସ୍ଥାନ ସହିତ ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସନ୍ତୋଷଚ୍ଚନକ ଯୋଗାଯୋଗ ବ୍ୟବସ୍ଥା ନିର୍ମାଣ କରିବା ସମର୍ଥ ହୋଇ ନାହିଁ । ଶହ ଶହ ଗ୍ରାମକୁ ରାସ୍ତା ନାହିଁ, ଟେଲିଯୋଗାଯୋଗ ବା ବିଦ୍ୟୁତ ସୁବିଧା ନାହିଁ । ବର୍ଷା କାଳରେ ଜଙ୍ଗଲ ଲଲାକାରେ ଥିବା ଅନେକ ଛୋଟ ଛୋଟ ନଦୀରେ ବନ୍ୟା ହୁଏ ଏବଂ ସେତେବେଳେ ଏସବୁ ସ୍ଥାନରେ ବାସ କରୁଥିବା ଲୋକମାନେ ସମ୍ପୂର୍ଣ୍ଣଭାବେ ବିଚ୍ଛିନ୍ନ ହୋଇଯାଆନ୍ତି ଶାସନ ଓ ସଭ୍ୟତାଠାରୁ । ମହାମାରୀ ହେଲେ ଡାକ୍ତର ବା ଔଷଧ ମିଳେ ନାହିଁ । ଚାଉଳ, କିରୋସିନି ନ ଆସିଲେ କ୍ଷୁଧା ଓ ଅନ୍ଧାରରେ କାଳଯାପନ କରିବା ବ୍ୟତୀତ ଅନ୍ୟବାଟ ନାହିଁ । ସରକାରୀ କର୍ମଚାରୀ ଏ ସବୁ ଗ୍ରାମକୁ କଦାଚିତ୍‌ ଆସନ୍ତି । ବିଦ୍ୟାଳୟ ସୁବିଧା ସବୁଠାରେ ନାହିଁ । ଚିକିତ୍ସା କେନ୍ଦ୍ର ଯେଉଁଠାରେ ଅଛି ସେ ସ୍ଥାନ ସହିତ ଯୋଗାଯୋଗ ନାହିଁ । ଫଳରେ ଶାସନ ଏମାନଙ୍କଠାରୁ ଅନେକ ଦୂରରେ ଏବଂ ଏ ଅଞ୍ଚଳର ଅଧିବାସୀମାନେ ଶାସନ ଦେଇଥିବା ସୁବିଧା ବିଷୟରେ ମଧ୍ୟ ଅଜ୍ଞ । ନେତାଙ୍କୁ ଦେଖିନାହାଁନ୍ତି ଲୋକେ । ଭୋଟବେଳେ ସାହୁକାର, ପଧାନ, ମହାଜନକୁ ସାଙ୍ଗରେ ଧରି ପଞ୍ଚାୟତର ନେତାମାନେ ଆସନ୍ତି ଲୁଗା ଓ ଚାଉଳ ବାଣ୍ଟିବା ପାଇଁ । ଭୋଟ ଦେଲେ ଆହୁରି ବେଶୀ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଯାଆନ୍ତି ।

 

ଏଇ ଦୁଃସମୟରେ ଚିନ୍ତାରେ ମନ ଭାଙ୍ଗି ପଡ଼ୁଥିବାବେଳେ ଟେଲିଫୋନ୍‍ ଆସିଲା ବାଣୀ ପୁରୋହିତଙ୍କ ପାଖରୁ । ଟେଲିଫୋନ୍‍ ଉଠାଇ ନେଲେ ମୈତ୍ରେୟୀ ।

 

ବାଣୀ କହିଲେ, ‘ସେ ଦିନ ତମେ ବୋର୍‌ ହୋଇଥିବ ନୁହେଁ ? କିନ୍ତୁ କ’ଣ କହିବି କୁହ... ତମର ପ୍ରକୃତ ଚର୍ଚ୍ଚା କରିପାରିଲି ନାହିଁ । ମୋ ନିଜ କଥା ଭାବୁ ଭାବୁ ତମ କଥା ଭୁଲିଗଲି ।’

 

ମୈତ୍ରେୟୀ ଉତ୍ତର ଦେଲେ, ନା ନା ନାନୀ, ତମର ସ୍ନେହ, ସାନ୍ନିଧ୍ୟ ମୋ ମନରୁ ଲିଭିବ ନାହିଁ । ମୋ ପାଇଁ ତମ ହୃଦୟରେ ଏତେ ସ୍ଥାନ ଥିଲା ତାହା କ’ଣ ମୁଁ ଜାଣିଥିଲି ? ମୁଁ ବରଂ ତମକୁ ଦିନେ ଆମ ଘରକୁ ଡାକି ପାରିନି । ଜଏଣ୍ଟ ଫ୍ୟାମିଲିରେ ଅନେକ ଲୋକ ଅନେକ ସମସ୍ୟା । ଏସବୁ ବୁଝୁ ବୁଝୁ ସମୟ ମିଳେନି ଆତ୍ମୀୟମାନଙ୍କ ଘରୁ ବୁଲି ଆସିବା ପାଇଁ... ।’

 

-‘ତମକୁ ଫୋନ୍‍ କଲି କାହିଁକି ଜାଣ ? ବିଶ୍ଵମୋହନ ମହିଳା କମିଶନ ନୋଟିସ୍‍ ପାଇ ଉତ୍ତର ଦେଇଛି । ସେଥିରୁ ସେ ଟିକେ ନରମି ଯାଇଥିବା ପରି ମୋତେ ଲାଗୁଚି । ଦାମ୍ପତ୍ୟ ଜୀବନର ପୁନରୁଦ୍ଧାର ପାଇଁ ସେ କ’ଣ କରିବାକୁ ଯିବ ତାହା ଜାଣିବା ପାଇଁ କମିଶନ ଚାହିଁଥିଲେ। ତା’ ଛଡ଼ା ଏହା ବି ସୂଚାଇ ଦିଆଯାଇଥିଲା ଯେ ଘରେ ସ୍ତ୍ରୀକୁ ମାନସିକ ବୀ ଶାରୀରିକ ପୀଡ଼ା ଦବା ମଧ୍ୟ ଦୋଷାବହ । ନୂତନ ଆଇନ ଅନୁସାରେ ସ୍ତ୍ରୀ ସହିତ ବାସ କରିବା ବିଷୟରେ ଥିବା ଆଇନର ବ୍ୟବସ୍ଥା ତାଙ୍କୁ କମିଶନ ସୂଚାଇ ଦେଇଥିଲେ । ସେ ଆପୋଷ ମୀମାଂସା ପ୍ରସ୍ତାବ ଦେଇଥିଲେ । ସେ ଆପୋଷ ମୀମାଂସା ପାଇଁ ଚେଷ୍ଟା କରିବ ବୋଲି ସୂଚନା ଦେଇଛି । କିନ୍ତୁ ରତୁପର୍ଣ୍ଣାର ନାମୋଲ୍ଲେଖ ମଧ୍ୟ କରି ନାହିଁ । ଆଚ୍ଛା କୁହ ତ ଭାସ୍ଵତୀ ପାଖରେ ଏମିତି କିଛି ଚିଠିପତ୍ର ଫଟୋ ବା ଅନ୍ୟ କୌଣସି ଚିହ୍ନ ଅଛି ଯେଉଁଥିରୁ ୠତୁପର୍ଣ୍ଣା ସହିତ ବିଶ୍ଵମୋହନର ବେଆଇନ ସମ୍ପର୍କ ଧରାପଡ଼ିବ.... ଭାସ୍ୱତୀଙ୍କୁ ବୁଝି କହିବ ମୋତେ... ।’’

 

ଏ ବିଷୟରେ ସେ ଆଗ୍ରହ ପ୍ରକାଶ କରୁଥିବାରୁ ମୈତ୍ରେୟୀ ତାଙ୍କୁ କୃତଜ୍ଞତା ଜଣାଇଲେ ଏବଂ କହିଲେ, ‘ନାନୀ, ଦିନେ ସମୟ କରି ଆମ ଘରକୁ ଆସ,.. ତମର ସାନଭଉଣୀ ହୋଇଥିଲେ କ’ଣ ମନା କରିଥାନ୍ତ ?’

 

‘ନା ନା ମୈତ୍ରେୟୀ ସେପରି କୁହନା । ତମ ପାଇଁ ମୋ ହୃଦୟରେ ଗୋଟେ ବିଶେଷ ସ୍ଥାନ ଅଛି । ତମେ ମୋ ମା’ର ଝିଅ ନ ହେଲେ କ’ଣ ହେବ, ତା’ଠାରୁ ତୁମ ମୋ ମଧ୍ୟରେ ଅଧିକ ସ୍ନେହମମତା । ମୋ ଭଉଣୀ ଥିଲା, କିନ୍ତୁ ସେ କୋଉଦିନୁ ବିଦେଶ ଚାଲିଗଲାଣି ଭାବିଲେ ଛାତି ଧକ୍‌ ଧକ୍ କରେ । ତା’କଥା ମନେପଡ଼ିଲେ ତୁମ ମୁହଁ ଭାସି ଉଠେ ଆଖି ଆଗରେ... ।’

 

ଏତେ ଖୁସିବାସିର ମଣିଷ ନିଜେ କିନ୍ତୁ ସଂସାର କଲେ ନାହିଁ । କୋଉ ଦୁଃଖରୁ ସେ ଚିରକୁମାରୀ ରହିଗଲେ ଏଇ କଥା ଜାଣିବା ପାଇଁ ଇଚ୍ଛା ହୁଏ ମୈତ୍ରେୟୀଙ୍କର । ସାତ ତାଳ ପାଣି ତଳେ ବୁଢ଼ି ଅସୁରୁଣୀର ଘର । ସେଇ ଘରର ଗୋଟିଏ କୋଠରୀରେ ସିନ୍ଦୁକ ଭିତରେ ଆଉ ଗୋଟିଏ ଲୁହା ବାକ୍ସ, ତା’ ଭିତରେ ରୁପା ବାକ୍ସଟିଏ । ସେଇ ରୁପା ବାକ୍ସ ଭିତରେ ସୁନା ବାକ୍ସ ଭିତରେ ରହିଛି ସେଇ ଗୋପନ ରହସ୍ୟ ।

 

ମୈତ୍ରେୟୀ ଥଳକୂଳ ପାଇ ନ ଥାନ୍ତି । କିନ୍ତୁ ସେଥିରୁ ବିରତ ହେବାକୁ ମଧ୍ୟ ଚାହୁଁ ନ ଥାନ୍ତି-। ବାଣୀଙ୍କ ବ୍ୟକ୍ତିଗତ ବିଷୟ ଜାଣିବାପାଇଁ ତାଙ୍କର ଏତେ ଆଗ୍ରହ ହୁଏ କାହିଁକି ? ସେ ତାଙ୍କର ବଡ଼ଭଉଣୀ ପରି । ବଡ଼ ଭଉଣୀର ବ୍ୟକ୍ତିଗତ ବିଷୟ ଯଦି ସେ ଗୋପନ କରି ରଖେ, ତେବେ ସାନଭଉଣୀ, ସାଙ୍ଗସାଥୀ କେହି ତାହା ଜାଣିବାର ଆଗ୍ରହ ରହିବା ଉଚିତ ନୁହେଁ । ମୈତ୍ରେୟୀ ତଥାପି କାହିଁକି ଏଇ ଅହେତୁକ ଆଗ୍ରହ ପ୍ରଦର୍ଶନ କରନ୍ତି ତା’ର କାରଣ ନିଜେ ବି ଜାଣନ୍ତି ନାହିଁ । କିନ୍ତୁ ଏଇ ଉତ୍କଣ୍ଠା ଅର୍ଥହୀନ ଜାଣି ମଧ୍ୟ ସେ ଖୋଜନ୍ତି ସମୁଦ୍ର ଭିତରେ ବୁଡ଼ାଳିମାନେ ମୁକ୍ତାର ସନ୍ଧାନ କରିବା ପରି । କେତେବର୍ଷ ପୂର୍ବେ କଥା ପ୍ରସଙ୍ଗରେ ମନୋଜଙ୍କ ମୁହଁରୁ ଶୁଣିଥିଲେ ଯେ ସେ ଦୁହେଁ ରେଭେନ୍ସାରେ ପରସ୍ପରକୁ ଚିହ୍ନିଥିଲେ । ମନୋଜଙ୍କ ଛାତ୍ରୀ ଥଲେ ବାଣୀ । ବାସ୍‌ ଏତିକି ! ଆଉ ଅଧିକ ଜାଣିବାପାଇଁ ଇଚ୍ଛା ହୋଇନି ତାଙ୍କର ବା ମନୋଜ ବି ଆଉ ଅଧିକ କିଛି କହି ନାହାଁନ୍ତି-। ବାହା ହେବା ପରେ ପରେ କଲେଜରେ ଚାକିରି କଲାବେଳେ ସେ ଦୁହିଁଙ୍କ ମଧ୍ୟରେ ଚିହ୍ନା ପରିଚୟ-। ସେତେବେଳେ ବାଣୀ ତାଙ୍କର ସିନିଅର ଥିଲେ । ତାଙ୍କ ସହକର୍ମୀମାନଙ୍କ ନାମ ମନୋଜଙ୍କୁ ଶୁଣାଉଥିବାବେଳେ ମନୋଜ କହିଥିଲେ ଯେ ସେ ତାଙ୍କର ରେଭେନ୍ସାର ଛାତ୍ରୀ । ଆହୁରି ବି କହିଥିଲେ ଯେ ବାଣୀ ଭଲ ଛାତ୍ରୀ ଥିଲେ ଏବଂ କଳା ଓ ସାହିତ୍ୟ ପ୍ରତି ଥିଲା ତାଙ୍କର ଆଦର ଥିଲା-। ବାସ୍‌ ଏତିକି ।

 

ଏତେବର୍ଷ ପରେ ପୁଣି ସେଇ ଅତୀତର ଛିନ୍ନ ପୃଷ୍ଠାରୁ କେତୋଟି ଅକ୍ଷର ଉଡ଼ି ଉଡ଼ି ଆସି ତାଙ୍କୁ ସ୍ମୃତିରେ ଛାପି ହୋଇଗଲା । ମନୋଜ ଯାହା କହିଥିଲେ ସେସବୁ ଭିତରେ କିଛି ଅନ୍ତର୍ନିହିତ ରହସ୍ୟ ଥିବ କି ନାହିଁ ତାହା ଏତେବର୍ଷ ପରେ ଜାଣିବା ପାଇଁ ଉତ୍କଣ୍ଠା ଜନ୍ମିବା ପାଗଳାମି ହୋଇପାରେ ବା ଗୋଟାଏ ଦୁର୍ବଳ ମାନସିକତା ହୋଇପାରେ । ମନୋଜଙ୍କ ଆଖିରେ ସେ ଯେପରି ଶୁଦ୍ଧ ସୁବର୍ଣ୍ଣ, ତାଙ୍କ ଆଖିରେ ମନୋଜଙ୍କ ପରି ସ୍ଵାମୀ ଦୁର୍ଲଭ ।

 

ତାଙ୍କ ମୁହଁରୁ କଥା ସ୍ଫୁରିବାବେଳକୁ ଆଜି କାହିଁକି ହଠାତ୍‍ ଗୋଟିଏ ଝଲକରେ ଅତୀତର କେଉଁ ଅନ୍ଧାର କୋଣରେ ବୁଢ଼ିଆଣି ଜାଲରେ ଧରା ପଡ଼ିଥିବା ମାଛିଟିର ମର୍ମବେଦନା ତାଙ୍କ ଆଖି ଆଗରେ ଭାସିଉଠିଲା ।

 

ହଠାତ୍‌ ତାଙ୍କ ତୁଣ୍ଡରୁ ଖସିଗଲା, ‘ନାନୀ, ତୁମେ କବିତା ଲେଖୁଥିଲ ଦିନେ.. ବନ୍ଦ କରିଦେଲ କାହିଁକି ?”

 

ତା’ପରେ ମନକୁ ମନ କହିଲେ ଏଇ କଥା ନ କହିଥିଲେ ଚଳିଥାନ୍ତା । ଅଯଥା କାହା ମନରେ ଆଘାତ ଦବାର ଉଦ୍ଦେଶ୍ୟ ନାହିଁ ତାଙ୍କର । କାହିଁକି ତେବେ ପଚାରିଦେଲେ ଏ ପ୍ରଶ୍ନ ।

 

ବାଣୀ କେତେକ୍ଷଣ ନିରବ ରହିଗଲେ ଏବଂ କହିଲେ, ‘ଆଉଦିନେ ଏ ବିଷୟରେ କହିବି... କିନ୍ତୁ ମୈତ୍ରେୟୀ ତମକୁ କିଏ କହିଲା ମୁଁ କବିତା ଲେଖୁଥିଲି ବୋଲି... ସେତ ସ୍ୱପ୍ନର ଗୋଟିଏ ଦୃଶ୍ୟ ପରି... ମୁଁ ବି ଭୁଲି ଯାଇଛି ଯେ ମୁଁ ଦିନେ କବିତା ଶୁଣିବା ପାଇଁ ମଧ୍ୟ ଭଲ ପାଉଥିଲି ।

 

ବାଣୀଙ୍କ ସ୍ଵରରେ କାରୁଣ୍ୟର ସ୍ପର୍ଶ ଥିବା ପରି ଲାଗିଲା ମୈତ୍ରେୟୀଙ୍କୁ । ସେ ଏପରି ପ୍ରଶ୍ନଟାଏ ପଚାରି ଦେଇ ବାଣୀଙ୍କୁ ଆହତ କଲେ କି ନା ତାହା ଜାଣି ନ ଥିଲେ, କିଛି ସେ ନିଜେ ମନେ ମନେ ଆହତ ହୋଇଥିଲେ ।

 

ମୈତ୍ରେୟୀ କହିଲେ, ‘କହୁ କହୁ କ’ଣ କହିଦେଲି... କିଛି ମନେକରିବନି ନାନୀ... ତମକୁ ଦେଖିଲେ ଏବେବି ଲାଗେ ଯେ ତମ ଆଖିର ଡୋଳାରେ କବିତାର ପଂକ୍ତିଏ ଲେଖା ହୋଇ ରହିଛି... ।”

 

-‘ସତେ ! ଶୁଖିଲା ଗଛରେ କେବେ ପତର କଅଁଳିବା ଦେଖିଛ ?’

 

ଏଇ ପ୍ରଶ୍ନ ପରେ ଆଉ କଥା ନ ଲମ୍ବାଇ କହିଲେ ମୈତ୍ରେୟୀ, ‘ତମର କେବେ ସୁବିଧା ହେବ କହିବ, ସେଦିନ ଏକାଠି ହେବା । ଆମ ଘରେ ତ ହାଟ ବସିଥାଏ ସବୁବେଳେ । ଯଦି ଏଠାରେ ନିରବତା ନାହିଁ, ସବୁବେଳେ ହଟ୍ଟଗୋଳ... ଆପତ୍ତି ନ ଥିଲେ ଗୋଟେ ହୋଟେଲକୁ ଗଲେ କେମିତି ହେବ... ?’

 

-‘ଓ ମାଲୋ ! ଘରଠାରୁ କ’ଣ କମ୍‌ କୋଳାହଳ ସେଠାରେ । ଠିକ୍‌ ଅଛି, ମୁଁ ଭାବୁଚି ମୋର ଏଇ ଫ୍ଲାଟରେ ବସି ବସି ଗପ କରିବା... ଆଉ ମନ ହେଲେ ଚିତ୍ର ଆଙ୍କିବା.... କବିତା ଆବୃତ୍ତି କରିବା... ’

 

ତା’ପରେ ହସରେ ଫାଟି ପଡ଼ିଲେ ବାଣୀ ।

 

ମୈତ୍ରେୟୀଙ୍କୁ କିନ୍ତୁ ଲାଗୁଥିଲା ଯେମିତି ଏହା ହସ ନୁହେଁ.... ଏଇ ହସ ଭିତରେ କାନ୍ଦୁଛି ଚିରକାଳ ପ୍ରେମିକାଟିଏ ଠିକ୍‌ ଯେମିତି ସମୁଦ୍ର ନିଜର ଛନ୍ଦାୟିତ ସ୍ଵର ହଜାଇ ଦେଇ ବେଳାଭୂମିରେ ମୁଣ୍ଡ ପିଟି କାନ୍ଦୁଥାଏ ।

 

ବାଣୀ ପୁରୋହିତଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ମନରୁ ଯେତିକି ଦୂରେଇ ଦବା ପାଇଁ ଚାହୁଁଥିଲେ ମୈତ୍ରେୟୀ ସେଇ ରାସ୍ତା ତାଙ୍କ ମନକୁ ସେତିକି ଆଚ୍ଛନ୍ନ କରି ରଖୁଥିବା ଦେଖି ତାଙ୍କର ଭୟ ହେଲା କାଳେ ସେଥିରୁ ଆକ୍ରୋଶ ସୃଷ୍ଟି ହୋଇଯିବ ଏଇ ଆଶଙ୍କାରେ... ।

 

ଅନଙ୍ଗ ଆସି ପହଞ୍ଚି ତାଙ୍କୁ ରକ୍ଷା କରିଦେଲା । ରବିବାର ଛୁଟିଦିନ ବୋଲି ସେ ସମୟ ପାଉଥିଲେ ଭାବିବା ପାଇଁ । ଅନଙ୍ଗ କହିଲା ଯେ ପୁଲିସ୍‍ ଖବରରୁ ଯେତିକି ସୂଚନା ମିଳୁଛି ସେଥିରୁ ଅନୁମାନ କରାଯାଉଛି ଯେ ଅପୁ ଓ ତା’ ସାଙ୍ଗମାନେ ଉଗ୍ରବାଦୀ ଶିବିରରେ ଅଛନ୍ତି । ସେମାନେ ମାଲକାନଗିରିରେ ବୁଲୁଥିବା ଖବର ପୁଲିସ୍‍ ଜାଣେ । ତା’ପରେ ସେମାନେ କେଉଁଆଡ଼େ ଚାଲିଗଲେ । ପୁଲିସ୍‍ ସନ୍ଦେହ କରୁଛି ଯେ ସେମାନେ ଉଗ୍ରବାଦୀମାନଙ୍କ ପ୍ରଭାବରେ ପଡ଼ି ହୁଏତ ସେମାନଙ୍କ ସହିତ ଯାଇଛନ୍ତି, ନଚେତ ପୁଲିସ୍‍ର ଇନ୍‌ଫରମର ଭାବି ଉଗ୍ରବାଦୀମାନେ ସେମାନଙ୍କୁ ହରଣ କରିନେଇଛନ୍ତି । ସେମାନେ ପୁଲିସ୍‍ର ଲୋକ ନୁହନ୍ତି, ତେଣୁ ଉଗ୍ରବାଦୀମାନଙ୍କ ସହିତ ଯଦି ଆଗରୁ ସମ୍ପର୍କ ନ ଥିଲା, ତେବେ ସେମାନଙ୍କୁ ଆଉ କେହି ଉଗ୍ରବାଦୀ ଦଳକୁ ଆକର୍ଷଣ କରିବା ପାଇଁ ଚେଷ୍ଟା କରୁଥିଲେ । ପୁଲିସ୍‍କୁ ଦିଆଯାଇଥିବା ଫଟୋରୁ ସେମାନଙ୍କୁ ଖୋଜି ବାହାର କରିବା ସମ୍ଭବ ହେବ ।

 

ମୈତ୍ରେୟୀ ଚିନ୍ତାରେ ପଡ଼ିଗଲେ । ମହରଗରୁ ଯାଇ କାନ୍ତରରେ ପଡ଼ିବା କଥା । ବୁଲିବା ପାଇଁ ଯାଇଥିଲେ ସେମାନେ କିନ୍ତୁ କାହା ମାଧ୍ୟମରେ ବା କେଉଁ ବନ୍ଧୁ ସାହାଯ୍ୟରେ ସେମାନେ ଉଗ୍ରବାଦୀମାନଙ୍କ ସହିତ ସମ୍ପର୍କ ସ୍ଥାପନ କଲେ ଏହା ମୈତ୍ରେୟୀ ଜାଣନ୍ତି ନାହିଁ । ମାନୁ ସେଇ ଅଞ୍ଚଳ ସହିତ ପରିଚିତ । ସେ ତ ଏମାନଙ୍କୁ ବାଟ ଦେଖାଇ ନେଇଯାଇଛି ସାଙ୍ଗରେ । ତା’ ଘର ଠିକଣା ଜଣାନାହିଁ । କ’ଣ କହିବାକୁ ହେବ ଏଇ ପ୍ରଶ୍ନ ବିବ୍ରତ କରୁଥିଲା ସମସ୍ତଙ୍କୁ ।

 

‘ଉଗ୍ରବାଦୀମାନଙ୍କ ସାଙ୍ଗ ହେବା ନିରାପଦ ନୁହେଁ ଭାଉଜ । ବିଷଧର ସାପକୁ ପଦ୍ମତୋଳା ବୋଲି ସାପୁଆ କେଳାମାନେ ବଶ ମନାନ୍ତି, ଉଗ୍ରବାଦୀମାନେ ସରକାର ଓ ସାହୁକାରମାନଙ୍କ ଶୋଷଣ, ଉତ୍ପୀଡ଼ନ ସମ୍ବନ୍ଧରେ କାହାଣୀ ଶୁଣାଇ ତରୁଣମାନଙ୍କୁ ସେହିପରି ଆକର୍ଷଣ କରନ୍ତି । ନବ ଯୁବକମାନଙ୍କ ରସ ଗରମ । ଅବିଚାର, ଉତ୍ପୀଡ଼ନ, ଶୋଷଣ, କଷଣ ଚାଲିଛି ଶୁଣିଲେ ଜନ୍ତୁ ଜାନୁଆର ଶିକାରୀ ଉପରକୁ ଯେମିତି ଝାମ୍ପ ଦିଏ ସେହିପରି ଝାମ୍ପି ପଡ଼ନ୍ତି ଅତ୍ୟାଚାରୀ ଉପରେ । ମୋର ତ କାହିଁକି କେଜାଣି ଚିନ୍ତା ହେଉଛି ଏମାନେ ହଠାତ୍‌ ଯଦି ବନ୍ଧୁକ ଉଠାଇନେବେ ତେବେ ଦିନ ସାତଟାରେ ଶିକାର କରିବା ପାଇଁ ଉପଯୁକ୍ତ ହୋଇଯିବେ । ପାଠଶାଠ ଅଛି । ବିଦ୍ୟାବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବା କଷ୍ଟକର ନୁହେଁ ।’ କହିଲା ଅନଙ୍ଗ ।

 

ମୈତ୍ରେୟୀ ଆହୁରି ଚିନ୍ତିତ ହେଲେ । ତାଙ୍କ ଛାତି ତଳୁ ଅତଡ଼ା ଖସିଲା । ବାଣୀ ପୁରୋହିତ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ ମନର ଅନ୍ଧିସନ୍ଧିରୁ । ଅପୁର ନିଷ୍ପାପ ନିରୀହ ମୁହଁଟି ଭାସି ଉଠିଲା ମନରେ । .

 

ଏଇ ଅପୁ ଜନ୍ମିବା ଆଗରୁ ସେ ବୋହୂ ହୋଇ ଆସି ସାରିଥିଲେ ଆଚାର୍ଯ୍ୟ ପରିବାରକୁ । ମନୋଜ ସବୁଠାରୁ ବଡ଼ । ଆପୁ ସମସ୍ତଙ୍କଠାରୁ ସାନ । ତାଙ୍କ ବାହାଘରର କେତେ ମାସ ପରେ ଅପୁର ଜନ୍ମ । ସେଇଦିନୁ ଅପୁକୁ କୋଳେଇ କାଖେଇ ସେ ମଣିଷ କରିଛନ୍ତି । ମା’ କୋଳରେ ବେଶୀଦିନ ବଢ଼ିନାହିଁ ସେ । ତାକୁ ପାଞ୍ଚବର୍ଷ ହୋଇଥିବାବେଳେ ମା’ଙ୍କୁ ହରାଇ ସେ ନିଃସହାୟ ହୋଇଗଲା । ସେଇ ମାତୃହରା ଶିଶୁକୁ ନିଜ କୋଳରେ ବଢ଼ାଇଥିଲେ ମୈତ୍ରେୟୀ । ସମ୍ପର୍କରେ ସେ ତାଙ୍କ ଦିଅର, କିଛି ହୃଦୟ ଭିତରେ ମିତା ଆଉ ଆନନ୍ଦ ପରି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି ଅପୁର । ବାହା ହେବାର ଦୁଇ ବର୍ଷ ପରେ କୋଳକୁ ଆସେ ମିତା, ଆଉ ତିନିବର୍ଷ ପରେ ଆସେ ଆନନ୍ଦ । ଏ ତିନିଜଣଙ୍କୁ ତାଙ୍କ ସହିତ ଏକତ୍ର ଦେଖିଲେ ଭ୍ରମରେ କେହି କେହି କହନ୍ତି ଯେ ଏଇ ତିନୋଟି ତା’ହେଲେ ଆପଣଙ୍କର । ହସି ଦେଇ କହନ୍ତି ମୈତ୍ରେୟୀ, ‘ହଁ, ସେୟା ନୁହେଁ ତ ଆଉ କ’ଣ !’

 

ଟେଲିଫୋନ୍‍ ବାଜି ଚାଲିଥିଲା । ଉଠିଯାଇ ରିସିଭରଟା ଉଠାଇନେଲେ ମୈତ୍ରେୟୀ । ସେଠାରୁ ଭାସି ଆସିଲା ପରିଚିତ ସ୍ଵର... ।

 

ବିସ୍ମୟ ବିହ୍ୱଳ ମୈତ୍ରେୟୀ କହିଲେ, ‘ଅପୁ... ଅପୁ କହୁଛ... ବେଳ ଅଛି ତ ଶୁଣିବା ପାଇଁ-! ତୁମ କଥା ଭାବି ଭାବି ମୋତେ ନିଦ ହେଉନି... ଆଉ ତମେ ତିନିଚାରି ଦିନରେ ଫେରି ଆସିବ କହି ପନ୍ଦର ଦିନ ହେଲାଣି... କ’ଣ ହେଲା ? କ’ଣ କରୁଛ ? କେଉଁଠୁ କହୁଛ... କେବେ ଆସିବ ? ଅପୁ... !’

.

ଅପୁ ସେପାଖରୁ କ’ଣ କହିବାକୁ ଚେଷ୍ଟା କରୁଥିବ ନିଶ୍ଚୟ । କିନ୍ତୁ ମୈତ୍ରେୟୀ କହିଚାଲିଥିଲେ ଅପୁକୁ ଟିକେ କିଛି କହିବା ପାଇଁ ସମୟ ନ ଦେଇ । ଏତେଦିନ ପରେ ସୁଯୋଗ ମିଳିଛି କଥା କହିବା ପାଇଁ ! ଅପୁ ତାଙ୍କର ଭଲ ଅଛି... ହେ ଭଗବାନ !

 

ଅପୁ ଭଲ ଅଛି... ଫେରିବ କହିଛି ଦୁଇ ଚାରିଦିନ ମଧରେ... ନୂଆ ଜାଗା, ଜଙ୍ଗଲ....ବାଘ ଭାଲୁ ସରୀସୃପଙ୍କ ସହିତ ସହାବସ୍ଥାନ କରୁଚି ମଣିଷ ସେଇ ମାଲକାନଗିରିରେ । ସେମାନେ ଜାଗାରୁ ଜାଗା ହେଉଛନ୍ତି । ଠିକଣା ଦେଇ ପାରିନି ସେଥିପାଇଁ । କମ୍ରେଡ଼୍‍ମାନଙ୍କ ସାନ୍ନିଧ୍ୟର ପ୍ରଶଂସାରେ ପଞ୍ଚମୁଖ ଅପୁ ।

 

କମ୍ରେଡ଼୍‍ ଶବ୍ଦଟା କାନରେ ବାଜିବା ପରେ ସେ ପ୍ରଥମେ ଚମକି ପଡ଼ିଲେ । ଅପୁ ତା’ହେଲେ ସେଇ ସର୍ବହରା ଦଳରେ ମିଶି ନାହିଁ ତ ? କିନ୍ତୁ ପରେ ପୁଣି ଭାବିଲେ ଯଦି ମିଶିଥାଏ କ୍ଷତି କ’ଣ ? ସେତ ପାପ କରିନି କିଛି । ସ୍ଥିତାବସ୍ଥା ବିରୋଧରେ ଲଢ଼େଇ କରୁଥିବା ଟୋକାମାନେ ଯଦି ସାଲିସ ନ କରି ସଂଗ୍ରାମ କରୁଥାନ୍ତି ସେଥିରେ ଦୋଷ ରହିଲା କୋଉଠି ?

 

‘ଓଁ ଓଁ ଓଁ’ ତିନିଥର କିଏ ଉଚ୍ଚାରଣ କଲା ?

 

କାନ ଦେଇ ଶୁଣିଲେ ମୈତ୍ରେୟୀ ।

 

ଧୀରେ ଧୀରେ ସେଇ ଆଡ଼କୁ ପାଦ ବଢ଼ାଇଲେ ସେ । ପଢ଼ାଘରେ ଆଖି ବନ୍ଦକରି ବସିଥିଲା ଆନନ୍ଦ । ଦୁଇ ହାତ ନିର୍ଦ୍ଦିଷ୍ଟ ମୁଦ୍ରାରେ ଦୁଇ ଜାନୁ ଉପରେ ଥିଲା । ତା’ର ନିର୍ମାୟା ମୁହଁରୁ ଦୀପ ଝରିପଡ଼ୁଥିଲା ପରି ଲାଗିଲା । କେବେଠାରୁ ପୁଅ ଧ୍ୟାନ କଲାଣି ସେ ଜାଣି ନ ଥିବାରୁ ନିଜକୁ ଦୋଷ ଦେଲେ ମୈତ୍ରେୟୀ । ମନୋଜ ତ ସକାଳ ନଅଟାରେ ବାହାରି ଯାଆନ୍ତି ଯେ ଫେରନ୍ତି ରାତି ଆଠଟାରେ । ସେ ନିଜେ ବି ଦଶଟାବେଳକୁ ବାହାରି ଯାଆନ୍ତି, ଫେରନ୍ତି ପାଞ୍ଚଟା ଛଅଟା ମଧ୍ୟରେ । କନ୍ୟାଶ୍ରମ, ମହିଳା କମିଶନ ବା ରେଡ଼କ୍ରସରେ କାମ ଥିଲେ ଆହୁରି ବିଳମ୍ବ ହୁଏ ଫେରିବା ପାଇଁ । ବାପା ମା’ଙ୍କ ସମୟ ନାହିଁ ପୁଅଝିଅଙ୍କ ପାଖରେ ଦୁଇଘଣ୍ଟା ବସିବା ପାଇଁ, ସେମାନଙ୍କ ଭଲମନ୍ଦ ବୁଝିବା ପାଇଁ, ସେମାନଙ୍କ ସହିତ ଖେଳିବା ବା ଖୁସିଗପ କରିବା ପାଇଁ । ମେସିନ ପରି ଚାଲିଛି ଜୀବନ । ମେସିନ ଯେପରି ସାମଗ୍ରୀ ଉତ୍ପାଦନ କରୁଥାଏ, ମଣିଷ ସେହିପରି ଗୋଟେ ଯନ୍ତ୍ରରେ ପରିଣତ ହୋଇଗଲାଣି । ସନ୍ତାନ ଉତ୍ପାଦନ କରି ସନ୍ତୁଷ୍ଟ । କିନ୍ତୁ ସେମାନଙ୍କର ସେବା ଯତ୍ନ, ସାନିଧ୍ୟ ପାଇଁ ସେମାନଙ୍କୁ ମାର୍ଗ ଦର୍ଶନ କରାଇବା ପାଇଁ ସମୟ ହୁଏନା କାହାରି ।

 

ଆନନ୍ଦ ବସିଥାଉ ବୁଦ୍ଧଦେବଙ୍କ ଧ୍ୟାନ ମୁଦ୍ରାରେ । ତାକୁ ଡିଷ୍ଟର୍ବ ନ କରି ନିରୋଳାରେ ଛାଡ଼ି ଆଗକୁ ଯିବାବେଳେ ଖୋଲା କବାଟ ନିଃଶବ୍ଦରେ ଆଉଜାଇ ଦେଲେ । ମନରେ ପ୍ରସନ୍ନତା ନେଇ ସେ ପାଦ ବଢ଼ାଇଲେ ଆଗକୁ ।

 

ଶୋଇବା ଘରୁ ଗୀତ ଶୁଣା ଯାଉଥିଲା । ସେ ଝରକା ପାଖରେ ଛିଡ଼ାହେଲେ । କ୍ୟାସେଟ୍‌ ଲଗାଇ ଦେଇଛି ମିତା । ପାଶ୍ଚାତ୍ୟ ଗୀତ ସହିତ ତାଳ ଦେଇ ନାଚୁଥିଲା ସେ... ଅଙ୍ଗଭଙ୍ଗୀ ବି କରୁଥିଲା... କିନ୍ତୁ ତା’ କଣ୍ଠରୁ ସେଇ ଇଂରେଜୀ ପପ୍‌ ମ୍ୟୁଜିକ୍‌ ସହିତ ତାଳ ଦେଇ ସେ ଗାଉଥିଲା... ‘ଆଇ ଲଭ୍‌ ୟୁ ମ୍ୟାନ୍‌... ।’

 

ମୈତ୍ରେୟୀ ଛିଡ଼ା ହୋଇଗଲେ । ତାଙ୍କ ନିଃଶ୍ୱାସ ପ୍ରଶ୍ଵାସ ପ୍ରଖର ହେଉଥାଏ । ଛାତି ଧଡ଼ ଧଡ଼ କରୁଥାଏ ! ମଥାଟା ଝିମ୍‌ ଝିମ୍‌ କରୁଥାଏ ।

 

ସେ ନିଜକୁ ନିୟନ୍ତ୍ରଣ କଲେ । ଏଇ ମୁହୂର୍ତ୍ତରେ କିଛି କଲେ ଫଳ ବିପରୀତ ହୋଇପାରେ । କିଛି ନ ଜାଣିଲା ପରି ଝରକା ପାଖରେ ଛିଡ଼ା ହୋଇ ରହିଲେ । ସଂକୋଚ ଲାଗୁଥିଲେ ବି ନିଜକୁ ଶାସନ କରିବା ପାଇଁ ମନେ ମନେ କହୁଥିଲେ- ସ୍ଵାଧୀନ ହେବାକୁ ମନା ନାହିଁ, କିନ୍ଥ ସ୍ଵାଧୀନତାର ଦୁରୂପଯୋଗ ଅନିଷ୍ଟ କରେ । ଯଦି ଝିଅ ଉପରେ ଦୃଷ୍ଟି ରଖିଥାନ୍ତେ ତେବେ ସେ ପପ୍‌ ମିଉଜିକ୍‌ର ଭକ୍ତ ହେବା ପୂର୍ବରୁ ଭଜନ, ଜଣାଣ ବୋଲିବାର ସାମର୍ଥ୍ୟ ଅର୍ଜନ କରିବା ପାଇଁ ଚେଷ୍ଟା କରିଥାନ୍ତା । ଏଇ ବୟସଟା ସେଇପରି । ଯୁଗ ସନ୍ଧିରେ ଯେପରି ଅତୀତକୁ ଫୋପାଡ଼ି ଦେଇ ନୂଆ ଯୁଗ ହୁଲସ୍ତୁଲ ମଚାଇବା ପାଇଁ ମାଡ଼ି ଆସେ ସୁନାମି ପରି । ସେଇପରି ଯୌବନର ନୂତନ ଉଦ୍ଦାମ ଆକର୍ଷଣରେ ଭାସିଯାଏ ଜୀବନ ।

 

ମିତା ଯେ ତାଙ୍କ ଅଲକ୍ଷ୍ୟରେ ଏତେ ବଡ଼ ହୋଇଗଲାଣି । ଏୟା ଅନୁଭବ କରି ତାଙ୍କୁ କାହିଁକି ଡର ଲାଗିଲା । ଝାଳେଇଗଲେ ସେ । ଫୁଲ ଫୁଟିବା ଆଗରୁ ତାର ମୁକ୍ତିକାମୀ ଉନ୍ମୁଖତା ଅନୁଭବ କରି ସେ ନିଜେ ବିସ୍ମୟରେ ବଗିଚାକୁ ଚାହେଁ, ଦୃଷ୍ଟି ପକାଏ ବିସ୍ତାରିତ ତାରାଖଚିତ ଆଲୋକିତ ଆକାଶକୁ... ଅନାଏ ସବୁଜ ଗଛପତ୍ରକୁ । ଯୁଗସନ୍ଧିର ବାର୍ତ୍ତା ହୁଏତ ଅନେକ ଆଗରୁ ପହଞ୍ଚି ଯାଇଛି ମିତା ପାଖରେ । ସଙ୍ଗଦୋଷରୁ ହେଉ ବା ନିଜର ଅନ୍ୱେଷଣରୁ ହେଉ ସେ ଅନେକ କିଛି ଜାଣିଗଲାଣି... ଯେତିକି ସେ ଜାଣିଥିଲେ ପଚିଶବର୍ଷ ବୟସରେ, ଦଶବର୍ଷ ପୂର୍ବରୁ ସେତିକି ଜାଣିଗଲାଣି ମିତା... ଛି ଛି... ସମୟ କେତେ ଆଗକୁ ଗଡ଼ିଗଲାଣି ଭାବି ଭାବି ଥରି ଉଠିଲେ ମୈତ୍ରେୟୀ ।

 

ସେ ଷ୍ଟାଚ୍ୟୁ ପରି ଛିଡ଼ା ହୋଇଥାନ୍ତି... ।

 

କିନ୍ତୁ ହଠାତ୍‌ କେମିତି ତାଙ୍କ ଉପରେ ଦୃଷ୍ଟି ପଡ଼ିଗଲା ମିତାର । ସେ କ୍ୟାସେଟ୍‌ ବନ୍ଦ କରି ଦେଇ କିଛି ନ ଜାଣିଲା ପରି କହିଲା, ‘ମା’ ! ତମେ ମୋତେ ଖୋଜୁଛ ?’

 

ମୈତ୍ରେୟୀ କିଛି କହିପାରିଲେ ନାହିଁ । ତାଙ୍କ ଭିତରେ କୁହୁଳୁଥିବା ଆଗ୍ନେୟଗିରି କାଳେ ଜଳି ଉଠିବ ସେଥିପାଇଁ ସେ ନିଜକୁ ନିୟନ୍ତ୍ରଣ କରୁଥିଲେ ପ୍ରାଣପଣେ ।

 

କିଛିକ୍ଷଣ ପରେ ମିତା କହିଲା, ‘ମା’ କିଛି କହୁନ ଯେ... ।’

 

ଏତେବେଳେ ସେ ଜଡ଼ିତ କଣ୍ଠରେ କହିଲେ, ‘କ’ଣ ଆଉ କହିବି ମିତୁ... ତୁ ଅନେକ ଆଗକୁ ଚାଲିଗଲୁଣି ... ।’

 

ମିତା କହିଲା ନିରୁଦ୍‌ବିଗ୍ନ ସ୍ଵରରେ, ‘ଏୟା କହିବ ବୋଲି ମୁଁ ଜାଣିଥିଲି.... ଯଦି ସୋନି, ମିନୁ, ସିଲି ମୋ ସାଙ୍ଗମାନଙ୍କ ଘରକୁ କେବେ ଯାଇଥାନ୍ତ ଦେଖିଥାନ୍ତ ସେମାନେ କିମିତି ଏନ୍‌ଜୟ କରନ୍ତି...ଏଠାରେ ତ ଜେଲ୍‌ଖାନାରେ କଏଦୀକୁ ଜଗିବା ପରି ଆମକୁ ସଦାବେଳେ ଜଗିଥାଅ ତମେ... ।’

 

ତା’ ହାତ ଧରି ଟାଣି କୋଠରୀ ଭିତରକୁ ଟାଣିନେଇ କବାଟ ଝରକା ବନ୍ଦ କରିଦେଇ କହିଲେ ମୈତ୍ରେୟୀ, ‘ତୁ କହିଯା ଯାହା ତୋ ମନରେ ଅଛି... କିନ୍ତୁ ମୋତେ କହ ଯେ ତୁ କେତେଦୂର ଆଗକୁ ଗଲୁଣି । ତୋ ସାଙ୍ଗମାନେ ଯଦି ନିଆଁକୁ ଡେଇଁବେ ତେବେ ତୁ ବି କ’ଣ ସେୟା କରିବୁ ?’

 

ମିତା କୌଣସି ଉତ୍ତର ଦେଲା ନାହିଁ ।

 

Unknown

(ଅଠର)

 

ନର୍ସିଂହୋମ୍‌ର ଉପର ମହଲାକୁ ଉଠିଗଲେଣି ସରୋଜ ଆଉ ପଦ୍ମଜା । ଜିନିଷପତ୍ର ସବୁ ସଜାଡ଼ି ଦେଇଥିଲେ ମୈତ୍ରେୟୀ । ଭାଇ ଭାଗ ତ ନୁହେଁ, ଆଉ ଗୋଟେ ଘର । ଆଚାର୍ଯ୍ୟ ନିବାସର ଗୋଟିଏ ଭାଗ ରହିଲା ନହରକଣ୍ଟାରେ, ଆଉ ଗୋଟିଏ ରସୁଲଗଡ଼ରେ । ବନ୍ଧୁ ପରିଜନ ପଚାରିଲେ ପୁରୁଷ ପୁରୁଷ ଧରି ନହରକଣ୍ଟାରେ ବାସ କରି ଆସୁଥିବା ଆଚାର୍ଯ୍ୟ ପରିବାରରେ ଭାଗବଣ୍ଟା କାହିଁକି ହେଲା ? ଏହାର ଉତ୍ତରରେ ମୈତ୍ରେୟୀ କହିଥିଲେ ଯେ ଭାଗବଣ୍ଟା ହୋଇନାହିଁ କି ହେବାର ନାହିଁ । କାମର ସୁବିଧା ପାଇଁ ଜଣେ ଭାଇ ଓ ଭାଇବୋହୂ ଉଠିଯାଇଛନ୍ତି ରସୁଲଗଡ଼କୁ । ନର୍ସିଂହୋମ୍‌ ଚଳାଇବା ପାଇଁ ସୁବିଧା ହେବ । ଘର ଲୋକଙ୍କୁ ବି ପାଖ ହେବ । ଯିଏ ଯେତେବେଳେ ରାଜଧାନୀକୁ ଯାଇଥିବ ବା କାମସାରି ଫେରୁଥିବ ବସିଯାଉଥିବ ନୂଆଘରେ କିଛି ସମୟ । ସମସ୍ତେ ଗ୍ରହଣ କରିନେଲେ ଏଇକଥା । ଆଚାର୍ଯ୍ୟ ପରିବାର ଦୁଇଭାଗ ହୋଇଗଲା ବୋଲି ଯେଉଁ କେତେଜଣ ଖୁସି ହେଉଥିଲେ ସେମାନେ ତୁନି ପଡ଼ିଗଲେ । କିନ୍ତୁ ଆଉ କେହି କେହି କହିଲେ ଯେ ଆହୁରି ଜଣକର ବାହାଘର ବାକି ଅଛି । ସେମାନେ କ’ଣ ସହର ଛାଡ଼ି ଗାଁରେ ରହିବେ ? ସହରର ସୁବିଧା ଉପଭୋଗ କରିବା ପାଇଁ ଗାଁମାନଙ୍କରୁ ପଳାଇ ଆସୁଛନ୍ତି ଶହ ଶହ ଲୋକ । ସହରରେ ଅନେକ ସୁବିଧା । ଆଲୁଅ, ପାଣି, ସ୍କୁଲ, ବଜାର, ଯାନବାହନ, ଟେଲିଫୋନ୍‍, ନିଯୁକ୍ତି, ବ୍ୟବସାୟ, ଆମୋଦପ୍ରମୋଦ ସବୁକିଛି । ରୋଗ ହେଲେ ହାତ ପାଆନ୍ତାରେ ଡାକ୍ତର । ହାତରେ ପଇସା ଥିଲେ ଚୁଲି ନ ଜାଳି ବି ଚଳିବା ପାଇଁ ଅସୁବିଧା ହୁଏନି ।’

 

ଗାଁସବୁ ଖାଲି ହୋଇଯାଉଛି । ଚାକିରିଆମାନେ ଅବସର ନେବାପରେ ଆଉ ଗାଁକୁ ଫେରିବା ନାମ ଧରୁ ନାହାଁନ୍ତି । ବୁଢ଼ାବୁଢ଼ି ଚାହିଁଲେ ମଧ୍ୟ ପୁଅଝିଅ ଗାଁକୁ ଯିବାକୁ ନାରାଜ । କ’ଣ ଅଛି ଗାଁରେ ? ପୋକ ମାଛି ସାଲୁ ସାଲୁ । ଭୂତପ୍ରେତ । ଡାକ୍ତରଖାନା ନାହିଁ । ସ୍କୁଲ ନାହିଁ । ବଜାର ନାହିଁ... ।

 

ମୈତ୍ରେୟୀ କହନ୍ତି ଏମିତି ଭାବିଲେ ଚଳିବ ? ଗାଁ ଛାଡ଼ି ସମସ୍ତେ ସହରକୁ ଚାଲିଆସିଲେ ଚାଷ କିଏ କରିବ ? ସହରର ତ ଖାଲି ପେଟରେ କେହି ବଞ୍ଚେନା । ଚାଉଳ, ଗହମ ଦରକାର । ପରିବା, ଫଳମୂଳ, ମାଛ, ମାଂସ, ଦୁଧ, ଛେନା ସବୁତ ଗାଁରୁ ଆସେ । ଧୋବା, ଗଉଡ଼, ବାରିକ, ସଫାଇବାଲା, ମୂଲିଆ ସବୁ ଗାଁରୁ ଆସି ସହରରେ ବସାବାନ୍ଧି ନ ରହିଲେ କିଏ ସେବା କରିବ ଏଇ ସହରୀ ଲୋକଙ୍କର ? ହାତରେ ପଇସା ଅଛି, କିନ୍ତୁ ପଇସା ଦେଇ ସବୁ ଜିନିଷ କିଣି ହୁଏନି ।

 

ରସୁଲଗଡ଼ରୁ ଫେରି ଧୁଆଧୋଇ ହୋଇ ବସିଥିଲେ ମୈତ୍ରେୟୀ । ମନୋଜଙ୍କ ଗାଡ଼ି ଆସିବା ଶବ୍ଦ ଶୁଭିଲା । ସେ କୁନ୍ତୀକୁ କେଟଲି ବସାଇବା ପାଇଁ କହିଲେ, ଜଳଖିଆ ପ୍ରସ୍ତୁତ କରିବାକୁ କହିଲେ । ମନୋଜ ତାଙ୍କ ପାଖରେ ବସିପଡ଼ି କହିଲେ ‘ଗୋଟେ ଜରୁରୀ କଥା ଅଛି ।’

 

ମୈତ୍ରେୟୀ କହିଲେ, ‘ଧୁଆଧୋଇ ହୋଇ ଆସ । ବସି ବସି ଚା’ ପିଇବା ଆଉ ତମେ କହିବ... ।’

 

ମନୋଜ କିନ୍ତୁ କହିଲେ, ‘ବଡ଼ ଜରୁରୀ ଖବର । ମୁଁ ଦଶ ମିନିଟ୍‌ରେ ଆସୁଛି ?

 

ସେ ଚାଲିଗଲା ପରେ ମୈତ୍ରେୟୀ ଭାବୁଥିଲେ କଅଣ ହୋଇପାରେ ସେଇ ଜରୁରୀ ଖବର । ଅପୁ ସମ୍ପର୍କରେ କିଛି ନୂଆ ଖବର ମିଳିଛି ? ଭାସ୍ଵତୀ ସମ୍ପର୍କରେ ବିଶ୍ଵମୋହନ କିଛି କହିଛି ମହିଳା କମିଶନକୁ ? ଅନଙ୍ଗର ବାହାଘର କଥା ? ମିତା ବିଷୟ ସେ ଗୋପନ ରଖିଛନ୍ତି ତାଙ୍କଠାରୁ-। ସେ ବିଷୟରେ ବାହାରୁ କିଛି ଶୁଣି ନାହାଁନ୍ତି ତ ? ଛାତିଟା ଧଡ଼ଧଡ଼ କରିବାକୁ ଲାଗିଲା । ଅନ୍ତର ଭିତରଟା ଗୋଳେଇ ଘାଣ୍ଟି ହେଲା । ଉତ୍କଣ୍ଠା ବଢ଼ିଲା । ସେ ବସି ରହିପାରିଲେ ନାହିଁ । ଉଠିପଡ଼ି ବାରନ୍ଦାରେ ଚାଲିବାକୁ ଲାଗିଲେ । ପାଦ ତଳ ଉଷୁମ ଲାଗିଲା ଏବଂ କପାଳରେ ବିନ୍ଦୁ ବିନ୍ଦୁ ଝାଳ ବାହାରିଲା । ଫ୍ରିଜ୍‌ ଭିତରୁ ଥଣ୍ଡା ପାଣି ଗିଲାସେ ପିଇଲେ । ବାରନ୍ଦାରୁ ଉହ୍ଲାଇ ଖୋଲା ଆକାଶକୁ ଚାହିଁଲେ କିଛି ସମୟ । କାଠଯୋଡ଼ି ଡେଇଁ ଧାଇଁ ଆସୁଥିବା ଦମକାଏ ଶୀତଳ ପବନ ମୁହଁ ଦେହରେ ବାଜିଲା । ଟିକେ ଭଲ ଲାଗିଲା ତାଙ୍କୁ ।

 

ମନୋଜ ଆସିବାକ୍ଷଣି ଚା’ ଓ ଚୁଡ଼ାଭଜା ଦେଇଗଲା କୁନ୍ତୀ । ମୈତ୍ରେୟୀ ବି ଆସି ପାଖରେ ବସିଲେ । ଚୁଡ଼ାଭଜାରୁ କିଛି ଚୋବାଇବାବେଳେ ମୈତ୍ରେୟୀ କହିଲେ, ‘କ’ଣ କହିବ କୁହ-।’ ମନୋଜ କହିଲେ, ‘ସରୋଜ ଆଉ ପଦ୍ମଜା ନର୍ସିଂହୋମ୍‌କୁ ଉଠିଗଲେ...ସେମାନଙ୍କର ସୁବିଧା ଅସୁବିଧା ବିଷୟ ନିଜେ ଯାଇ ବୁଝିଆସ... ପିଲାଗୁଡ଼ା ଆମ କଥା ନ ଶୁଣିଲେ ବୋଲି ଆମେ କ’ଣ ଅଭିମାନ କରି ବସି ରହିବା । ’ମୈତ୍ରେୟୀଙ୍କ ଉଦ୍‌ବେଗ ଉଭାଇଗଲା, ବରଂ ସେ ଖୁସି ହେଲେ ଯେ ମନୋଜ ବଡ଼ ଭାଇର କର୍ତ୍ତବ୍ୟ ପ୍ରତି ସଚେତନ । କିନ୍ତୁ ତାଙ୍କୁ କହିବା ପାଇଁ ଜରୁରୀ କଥା ଅଛି... ନ କହିଲେ ଅନ୍ୟାୟ ହେବ...ନେଡ଼ିଗୁଡ଼, କହୁଣୀକୁ ବହିଗଲା ପରେ ଆଉ କିଛି କରିବା ସମ୍ଭବ ହେବ ନାହିଁ ।

 

ମିତା କଥା କିନ୍ତୁ ଆଗ ନ କହି ସ୍ଵାତୀ କଥା ମୈତ୍ରେୟୀ କହିଲେ, ଦିନ କାଳ କେତେଶୀଘ୍ର ବଦଳି ଯାଇଛି ଆଖିରେ ପଡ଼ୁଥିବ ତୁମର । ମଣିଷ କେବଳ ନିଜ ଉପରୁ ବିଶ୍ୱାସ ହରାଇ ନାହିଁ । ତା’ ଉପରୁ ମଧ୍ୟ ଅନେକଙ୍କ ଆଶା ଭରସା ତୁଟି ଯାଉଛି । ସବୁ ଗୋଳମାଳ ହୋଇ ଯାଉଛି । ତମେ ମନ ଦେଇ ଶୁଣ ଏଥର ... ।’

 

‘ଋଷିଭ୍ୟାଲି ସ୍କୁଲର ପ୍ରିନ୍‌ସପାଲ ଫୋନ୍‍ କରିଥିଲେ ଆଜି । ସେ ଯାହା କହିଲେ ସେଥିରେ ଚିନ୍ତା କରିବାର ଅନେକ କାରଣ ଅଛି । ସ୍ଵାତୀ ଅସୁସ୍ଥ, ସେଠାରେ ଭର୍ତ୍ତି ହେବା ବରଷେ ହେଲାଣି । ସେ ବାପା ମା’ ପରିବାରକୁ ଛାଡ଼ି ଏତେଦୂରରେ ରହିବାଟା ଗ୍ରହଣ କରିପାରୁନି... ପ୍ରିନ୍ସିପାଲ କହୁଥିଲେ, ‘ନିଦରେ ଶୋଇଥିବ । ହଠାତ୍‌ ଚିତ୍କାର କରି ଉଠି ବସିବ... ଆଉ କାନ୍ଦିବ କାନ୍ଦିବ ଘଣ୍ଟାଏ ଧରି... ଯେତେ ବୁଝାଇଲେ ମଧ୍ୟ ବୁଝିବ ନାହିଁ... କାନ୍ଦି କାନ୍ଦି ଥକିଗଲେ ଶୋଇଯିବ ପୁଣି....? ଏବେ ତିନିଦିନ ଜ୍ଵର ହୋଇଥିଲା । ଅବଶ୍ୟ ଚିକିତ୍ସା କରିବା ପାଇଁ ଡାକ୍ତର ଅଛନ୍ତି... ତଥାପି ତା’ ଦେହ ମନ ଭଲ ନାହିଁ... । ପ୍ରିନ୍ସିପାଲଙ୍କ ମତ ତା’ ବାପା ମା’ ଯାଇ ତା’ ପାଖରେ କିଛିଦିନ ରହନ୍ତୁ... । ଯଦି ସେପରି ସୁବିଧା ନ ଥାଏ ତେବେ ତାକୁ ଅନ୍ତତଃ ପାଖରେ ଆଣି ରଖନ୍ତୁ ମାସେ ଦୁଇମାସ... ।’

 

ତାଙ୍କ କଥା ଶୁଣି ଭାବନା ବଢ଼ିଗଲା ମୈତ୍ରେୟୀଙ୍କର । ସ୍ଵାତୀକୁ ସେଠାରେ ଛାଡ଼ିବା ଠିକ୍‌ ହେବ ନାହିଁ ବୋଲି ପ୍ରଥମରୁ କହି ଆସୁଥିଲେ ସେ । କିନ୍ତୁ ସରୋଜ ତାଙ୍କ ସହିତ ଏକମତ ହେଲେ ବି ପଦ୍ମଜା ଆଦୌ ରାଜି ହେଲାନି । ଝିଅ ରହିଲେ ପାଖରେ ତା’ ଭବିଷ୍ୟତ ନଷ୍ଟ ହେବ, ସେମାନଙ୍କ ପ୍ରାକ୍ଟିସ୍‌ରେ ମଧ୍ୟ ଅବ୍ୟବସ୍ଥା ଲାଗିରହିବ । ତେଣୁ ରଷିଭ୍ୟାଲି ସ୍କୁଲରେ ଛାଡ଼ି ଆସିଲେ ସେବା ଯତ୍ନ ସବୁ ମିଳିବ । ସେତେବେଳେ ମନୋଜ ସେମାନଙ୍କୁ ବୁଝାଇଥିଲେ ଯେ, ଋଷିଭ୍ୟାଲି ଭଲ ନାମକରା ସ୍କୁଲ ! ସବୁ ସୁବିଧା ଅଛି । ଶିଶୁମାନଙ୍କ ସେବା ଯତ୍ନ ପାଇଁ ଅଭିଜ୍ଞ ଶିକ୍ଷୟିତ୍ରୀ ଅଛନ୍ତି । କିନ୍ତୁ ସେମାନେ କ’ଣ ବାପାମାଙ୍କ ଅଭାବ ପୂର୍ଣ୍ଣ କରିପାରିବେ ? ଅନେକ ପିଲା ରହିଯାଇଛନ୍ତି । ବାପାମାଙ୍କୁ ଖୋଜି ଖୋଜି ନ ପାଇବା ଅବଶୋଷ କିନ୍ତୁ ରହିଯାଉଛି ମନରେ । ବଡ଼ ହେଲେ ଏଇ ଶିଶୁ ବୟସରୁ ପରିବାରଠାରୁ ଅଲଗା ରହିବା ଯୋଗୁ ସେମାନଙ୍କ ମନରେ ଏଲିଏନେସନ୍ ଭାବ ବଢ଼ିଯାଏ । ସେମାନେ ମାନସିକ ସ୍ତରରେ ବାପା ମା’ ପରିବାରର ଅନ୍ୟମାନଙ୍କ ସାନ୍ନିଧ୍ୟଠାରୁ ସାଙ୍ଗମାନଙ୍କ ସାନିଧ୍ୟ ବେଶୀ ମନେପକାନ୍ତି । ଶିଶୁ ଅବସ୍ଥାରୁ ଏଇ କୋମଳମତି ଝିଅପୁଅ ଅଲଗା ରହୁଥିବାରୁ ସମାଜ ସହିତ ସେମାନେ ସଂଶ୍ଳିଷ୍ଟ ହେବା ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

 

ମନୋଜ କହିଲେ, ‘ମୋତେ ଲାଗୁଛି ସ୍ଵାତୀକୁ ସେଠାରୁ ନେଇ ଆସିଲେ ସବୁ ଦୃଷ୍ଟିରୁ ଭଲ ହେବ । ଭୁବନେଶ୍ୱରରେ ଭଲ ନର୍ସରୀର ଅଭାବ ନାହିଁ । ବାପା ମା’ଙ୍କର ଯଦି ଅସୁବିଧା ହେଉଛି ତେବେ ଆମ ପାଖରେ ରହିବ । ତାକୁ ନର୍ସରୀ ପଠାଇଦେଲେ ସେ ବାଆରଟାରେ ଫେରିବ । ଭାସ୍ଵତୀ ଅଛି କିଛି ଅସୁବିଧା ହେବ ନାହିଁ । ପାଞ୍ଚଟା ଛଅଟାବେଳକୁ ତମେ ତ ଆସି ଯାଉଛ... ।’

 

‘କିନ୍ତୁ ଭାସ୍ୱତୀର କିଛି ଗୋଟେ ସମାଧାନ ହୋଇଗଲେ ତାଙ୍କୁ ତ ଯିବାକୁ ହେବ...’ କହିଲେ ମୈତ୍ରେୟୀ ।

 

- ‘ହଁ କିନ୍ତୁ ଏତେଶୀଘ୍ର ଏଇ ଜଟିଳ ପ୍ରଶ୍ନର ସମାଧାନ ହେଲା ପରି ଦିଶୁନି । ଆଉ ଯଦି ବି ହେବ ତେବେ ଆଉ କିଛି ବ୍ୟବସ୍ଥା ହୋଇଯିବ ।’ ମନୋଜ କହିଲେ ।

 

ମୈତ୍ରେୟୀ ଭାବୁଥିଲେ । ସେ କିଛି କହିବା ପୂର୍ବରୁ କହିଲେ ମନୋଜ, ‘ଜଣେ ଭଲ ମହିଳା ଖୋଜୁଥାଅ । ଯିଏ ଶିକ୍ଷିତା ହୋଇଥିବ ଏବଂ ପିଲା ସମ୍ଭାଳି ପାରିବ ।’

 

ମୈତ୍ରେୟୀ କହିଲେ, ‘କେହି ନ ମିଳିଲେ କନ୍ୟାଶ୍ରମର ନୀହାରିକା ବା ଅରୁନ୍ଧତୀ ରାଜି ହେବେ । କିନ୍ତୁ ସମସ୍ୟା ସେଥିପାଇଁ ହେବ ନାହିଁ । ମୋତେ ତ ଡର ଲାଗୁଛି ପଦ୍ମଜା କଥା ଭାବି । ସେ କେତେ ଜିଦ୍‌ଖୋର ତାହା ତମେ ଜାଣିନା... ସେ ଯଦି ରାଜି ନ ହୁଏ... ।

 

ତାଙ୍କ ମୁହଁକୁ କିଛି ସମୟ ଚାହିଁଲେ ମନୋଜ । ନାରୀ ଚରିତ୍ର ରହସ୍ୟମୟ । ସେ ମଧ୍ୟ ଥଳକୂଳ ପାଆନ୍ତି ନାହିଁ । ଭଗବାନ ଯଦି ମୈତ୍ରେୟୀଙ୍କ ପରି ଜଣେ ପାରଙ୍ଗମ ସହନଶୀଳା ସ୍ତ୍ରୀ ତାଙ୍କୁ ଦେଇ ନ ଥାନ୍ତେ ତେବେ ସେ ବନ୍ୟାରେ କୁଟାକାଠି ଭାସିଯିବା ପରି ଭାସି ଯାଇଥାନ୍ତେ । ବାପା ମା’ ଚାଲିଗଲା ପରେ ଏତେବଡ଼ ପରିବାର, ଭାଇଭଉଣୀ ଓ ପିଲାମାନଙ୍କ ପାଠପଢ଼ା, ବାହାଘର ସବୁ ମୈତ୍ରେୟୀ ସମ୍ଭାଳି ନେଲେ । କୃତଜ୍ଞତାରେ ମନ ପୂରି ଉଠିଲା ତାଙ୍କର । ସୁଦୂର ଅତୀତର ଗୋଟେ ଅଧେ ସ୍ମୃତି ମନେପଡ଼ିଗଲେ ସେ ବାଉଳା ହୋଇ ଯାଆନ୍ତି ।

 

ମୈତ୍ରେୟୀ ମନେ ପକାଇ ଦବା ପାଇଁ କହିଲେ ‘କ’ଣ ଭାବୁଛ ?’

 

ମନୋଜ ଭାବୁଥିଲେ ପଦ୍ମଜା, ସରୋଜ ବିଷୟରେ । ତାଙ୍କ କଥାରୁ ସରୋଜ ବାହାରିଯିବ ନାହିଁ । ସ୍ଵାତୀକୁ ଋଷିଭ୍ୟାଲିରେ ଛାଡ଼ିବା ପୂର୍ବରୁ ପରିବାରରେ ଅନେକ ଆଲୋଚନା ହୋଇଥଲା । କିନ୍ତୁ ପଦ୍ମଜା ଜିଦ୍‌ କଲା ଝିଅକୁ ଋଷିଭ୍ୟାଲିରେ ଛାଡ଼ିବ । ପରିବେଶ ଚମତ୍କାର । ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ସ୍କୁଲର ପରିବେଶ ଅନୁକୂଳ । ସେମାନେ ଦୁହେଁ ଡାକ୍ତର । ସକାଳୁ ବାହାରିଗଲେ ରାତିଯାଏ ବ୍ୟସ୍ତତା । ଝିଅକୁ ଯାହା ତାହା ହାତରେ ଛାଡ଼ିଦେଲେ ସେ ନଷ୍ଟ ହୋଇଯିବ । କାହାରି ବାରଣ ନ ମାନି ଚାରିବର୍ଷର ଶିଶୁକୁ ନେଇ ସରୋଜ, ପଦ୍ମଜା ଛାଡ଼ି ଆସିଥିଲେ ଋଷିଭ୍ୟାଲି ସ୍କୁଲରେ ।

 

ପଦ୍ମଜାକୁ ବୁଝାଇବା ଦାୟିତ୍ଵ ମୈତ୍ରେୟୀ ନେଲେ । ସରୋଜ ଉପରେ ଚାପ ଦବା ପାଇଁ ମନୋଜ ସ୍ଥିର କଲେ ।

 

ମୈତ୍ରେୟୀ ଘର ଭିତରୁ ଥରୁଟିଏ ବୁଲି ଆସି କହିଲେ ଶାନ୍ତ ସ୍ଵରରେ, ‘ଇଆଡ଼େ ଯେ ଘର ଭିତରେ ଆଣ୍ଠୁଏ ପାଣି ଜାଣିଛ ତମେ ?’

 

‘ନା, ତମେ ତା’ର ସମାଧାନ କରିବ । ତମେ ଥାଉ ଥାଉ ମୁଁ କାହିଁକି ଭାବିବି ଘର ବିଷୟରେ...? କହିଲେ ମନୋଜ ।

 

‘ବାହାରେ ବାହାରେ ବୁଲିଲେ କେହି ବାପର କର୍ତ୍ତବ୍ୟ କରିପାରେନାହିଁ । ଘର କଥା ବି ଟିକେ ବୁଝ । ପୁଅ ସେଦିନ ମଠକୁ ଯାଇଥିଲା, ଅଧରାତିରେ ଫେରିଲା । ମୁଁ କିଛି କହି ନାହିଁ । କାରଣ ମଠକୁ ଯିବା ଖରାପ ନୁହେଁ । ଆଜି ଦେଖିଲି ସେ ଠିକ୍‌ ବାଟରେ ଯାଉଛି । ପାଠପଢ଼ା ସାରି ଧ୍ୟାନରେ ବସିଥିଲା । କିନ୍ତୁ ମିତାକୁ ଯୋଉ ଅବସ୍ଥାରେ ଦେଖିଲି ମୋର ଧ୍ୟାନ ଭଙ୍ଗ ହେଲା । ସେ ବାଟ ଭାଙ୍ଗି କୁଆଡ଼େ ଯାଉଛି ମୁଁ ବୁଝିପାରୁନି... ।’ କହିଲେ ମୈତ୍ରେୟୀ ।

 

ମନୋଜ ମୁହଁ ଉପରେ ହସ ଖେଳାଇ କହିଲେ, ‘ତମର ଗାମ୍ଭୀର୍ଯ୍ୟ ମୋତେ ହସିବାକୁ ବାଧ୍ୟ କରୁଛି । ମିତା ପିଲାଟିଏ । କ’ଣ ଟିକେ ଚଗଲାମି କରିଥିବ ବୋଲି ବାଟ ଭାଙ୍ଗିବ କାହିଁକି ?’

 

- ଆଜି ନଅଟା ରାତିରେ ଦେଖିଲି ଯେ ପପ୍‌ ମିଉଜିକ୍‌ ସହିତ ଗୀତ ଗାଇ ଗାଇ ନାଚୁଥାଏ... ତା’ ମୁହଁରେ ଥାଏ ଇଂରାଜୀ ଗୀତର କଲିଏ... । ଛି ଛି କ’ଣ ହେଲାଣି କେଜାଣି... କାହାଠୁ ଶିଖିଲା ଏସବୁ ?’ କହିଲେ ମୈତ୍ରେୟୀ ।

 

‘କାହାଠାରୁ ଶିଖିବାକୁ ହୁଏନା ମୈତ୍ରେୟୀ । ଘରେ ଆମର ଟିଭି ଅଛି । ଟିଭିରୁ ସବୁ ଶିଖୁଛନ୍ତି ପିଲାମାନେ । ନାଚିବା, ଗାଇବା ମନ୍ଦ ନୁହେଁ... କିନ୍ତୁ ଶୃଙ୍ଖଳା ଭାଙ୍ଗିବା ଖରାପ । ମୁଁ ଭାବୁଛି ତମେ ଟିକେ ଯତ୍ନ ନେଲେ ସେ ବାଟକୁ ଆସିଯିବ । ହଁ, ତାକୁ ହଠାତ ବାଧା ଦେବନି... ସି ମେ ରିଭୋଲ୍ଟ... ଧିରେ ଧିରେ ତାକୁ ବିଶ୍ୱାସକୁ ନବ... ସେ ଜାଣିବ ଯେ ତମେ ତା’ ମା’ ନୁହଁ....ଫ୍ରେଣ୍ଡ ଫିଲୋସଫର ଆଉ ଗାଇଡ଼ । ସେତେବେଳେ ତମେ ଯାହା କହିବ ସେ ବିଶ୍ଵାସ କରିବ । ବାଟ ବି ଭାଙ୍ଗିବ ଏବଂ ହୁଏତ ଇଶ୍ଵର କଲେ ତମ ବାଟ ଧରିବ... ।’

 

କିଛିକ୍ଷଣ ଭାବିଲେ ମୈତ୍ରେୟୀ ।

 

ତାଙ୍କୁ ସତର୍କ କରିଦବା ପାଇଁ କହିଲେ ମନୋଜ - ‘ହ୍ୟାଭ ପେସେନ୍ସ । ଧୈର୍ଯ୍ୟଧରି ଚାଲ । ହଠାତ୍‌ କିଛି କର ନାହିଁ.... ।’

 

‘କିନ୍ତୁ ମୁଁ ଆଉ ଧୈର୍ଯ୍ୟ ଧରିପାରୁନାହିଁ । ମୋ ମୁଣ୍ଡ ଘୂରିଯାଉଛି ପରିବାର କଥା ଭାବିଲେ । ପଦ୍ମଜା କାହିଁକି ସ୍ଵାତୀକୁ ଛାଡ଼ି ଆସିଲା ଏତେଦୂରରେ ତମେ ବୁଝିବ, ସରୋଜକୁ ବି କହିବାକୁ ଡର ଲାଗେ, କିନ୍ତୁ ସୁଅ ବହିବା ଆଗରୁ ବନ୍ଧ ବାନ୍ଧିବା ବୁଦ୍ଧିମାନର କାମ ।’

 

ମନୋଜଙ୍କ ମୁହଁ ହଠାତ୍‌ ଗମ୍ଭୀର ହୋଇଗଲା । ସେ ନୀରବରେ ବସି ରହିଲେ । ଆତ୍ମମଗ୍ନ ମନୋଜଙ୍କୁ ଦେଖି ମୈତ୍ରେୟୀ ଆଉ କିଛି କହିଲେ ନାହିଁ । ଏଇ ସାଧାସିଧା ସରଳ ବ୍ୟକ୍ତିଟି ଯେ ଭାବନାରେ ଏପରି ବୁଡ଼ି ଯାଆନ୍ତି ତାହା ଦେଖି ଦୟା ଲାଗୁଥିଲା ତାଙ୍କୁ । ନ କହିଲେ ଚଳି ଥାଆନ୍ତା । ଦିନସାରା ପରିଶ୍ରମ କରି ଫେରିବା ପରେ ଘରର ସବୁ ବୋଝ ତାଙ୍କ ମଥା ଉପରେ ରଖିଦବା ଠିକ୍‌ ହୋଇନି । ତାଙ୍କ ଦୁନିଆରେ ଅଛି କେବଳ ବହି ଆଉ ବହି, କମ୍ପ୍ୟୁଟର, ଗବେଷଣା କରିବାର ସମସ୍ତ ସହାୟକ... । ଅନୁସନ୍ଧାନ କାମ ନିରବରେହିଁ କରାଯାଏ । ନିରବତାର ଭାଷା ଏତେବେଶୀ ଅର୍ଥପୂର୍ଣ୍ଣ ତାହା କେବଳ ଗବେଷକହିଁ ଜାଣେ ।

 

ଆଉ ବିରକ୍ତ ନ କରି ଧିରେ ଧିରେ ଚାଲିଗଲେ ମୈତ୍ରେୟୀ । କିନ୍ତୁ ସେ ବି ବେଳେବେଳେ ଥକି ପଡ଼ନ୍ତି । ଏତେ ଭାବନା ଚିନ୍ତାର ବୋଝ ବୋହିବା ପାଇଁ ତାଙ୍କ କାନ୍ଧରେ ଏତେ ବଳ ନାହିଁ । କିନ୍ତୁ ତଣ୍ଟିରେ କଣ୍ଟା ଲାଗିଗଲେ ଯେପରି ଗିଳି ହୁଏ ନାଇଁ କି ଉଗାଳି ଦେଇ ହୁଏ ନାହିଁ ସେଇପରି ପଦ୍ମଜାର ନୂତନ ଅଭିସାର ସମ୍ପର୍କରେ କିଛି କହିବା ପାଇଁ ଭାବିଥିଲେ ବି ଶବ୍ଦଟିଏ ବି ସ୍ଫୁରିଲା ନାହିଁ । ନିଜର ଅନ୍ତର ଭିତରେ ନିଆଁ ହୁଳା ଲାଗିଗଲେ ଯିମିତି ଅନୁଭବ ହେବ ସେହିପରି ଲାଗୁଥିଲା ମୈତ୍ରେୟୀଙ୍କୁ । ସେ ଏଇ ଚାଳିଶବର୍ଷରେ କେବେହେଲେ ଏତେ ଯନ୍ତ୍ରଣା ପାଇ ନ ଥିଲେ-। ତତଲା ତାଓ୍ୱା ଉପରେ ଛିଡ଼ା ହୋଇଥିବା ପରି ଲାଗୁଥିଲା ।

 

ଏଇଟା ଦୁଃସମୟ ବ୍ୟତୀତ ଆଉ କ’ଣ ହୋଇପାରେ ? ଗୋଟିକ ପରେ ଗୋଟିଏ ଘଟଣା ଘଟିଛି କାହାର ନିର୍ଦ୍ଦିଷ୍ଟ ଯୋଜନା ଅନୁସାରେ । ଭାସ୍ଵତୀ, ପଦ୍ମଜା, ଅପୁ, ମିତା... । ଅନଙ୍ଗ ବିଷୟରେ ସେ ଯେତିକି ଅଭାସ ଦେଇଛି ସେତିକି ଜାଣନ୍ତି ସେ । ବିବାହ ନ କରି ବନ୍ଧୁ ପରି ଯଦି ସେମାନେ ରହିବାକୁ ଚାହାଁନ୍ତି ରହନ୍ତୁ । ଏଇଟା ବୋଧହୁଏ ଏକବିଂଶ ଶତାବ୍ଦୀର ବିଧି ନିର୍ଦ୍ଦିଷ୍ଟ ମାନବିକ ସମ୍ପର୍କ ।

 

ନର୍ସିଂହୋମ୍‌କୁ ଉଠିଯିବା ପରେ ମଧ୍ୟ ସରୋଜ ରାତିବେଳା ଆସେ ନହରକଣ୍ଟା ନିବାସକୁ । ରାତ୍ରି ଭୋଜନ କରି ଫେରିଯାଏ । ପଦ୍ମଜା ବାହାରିଯିବାଦିନୁ ଥରେମାତ୍ର ଆସିଥିଲା ସରୋଜ ସହିତ । କାମର ଭିଡ଼ ଥିବା ବାହାନା କରି ଆଉ ଆସିନି । ଦିନବେଳେ ମଧ୍ୟାହ୍ନଭୋଜନ ପାଇଁ ଆସିବାର ପ୍ରୋଗ୍ରାମ ନ ଥାଏ କାହାରି । ଏକା ଛାତତଳେ ରହିବ, ଗୋଟିଏ ଜାଗାରେ ସମସ୍ତେ ପ୍ରାର୍ଥନା କରିବ ଏବଂ ଖାଇବ ଏଇ ବିଧି ପରିବାରରେ ଚଳି ଆସିଛି ଶହ ଶହ ବର୍ଷଧରି । ଏକା ଛାତତଳେ ଶୋଇବା ପାଇଁ ଜାଗା ଅଛି, କିନ୍ତୁ ଲୋକ ନାହାଁନ୍ତି । କିଏ ମୁମ୍ବାଇରେ ତ ଆଉ କିଏ ଲଣ୍ଡନ ବା ସାନ୍‌ଫ୍ରାନ୍ସିସ୍କୋରେ । କୃଷିଭିତ୍ତିକ ସମାଜ ଆଉ ନାହିଁ । ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ଏବଂ ବୃତ୍ତିର ପ୍ରସାରକୁ ନେଇ ବାଣ୍ଟି ହୋଇଛନ୍ତି ଲୋକମାନେ । ବୁଢ଼ାବୁଢ଼ି ବଡ଼ ଉଆସରେ ଏକା ଏକା ସମୟ କାଟନ୍ତି, ପୁଅ ଆମେରିକାରେ ତ ଝିଅ ମୁମ୍ବାଇ ବା ଦିଲ୍ଲୀରେ । ବଡ଼ ପରିବାରର ବିସ୍ତାର ଆହୁରି ବେଶୀ । ସୌଭାଗ୍ୟକୁ ଆଚାର୍ଯ୍ୟ ପରିବାରର କେହି ଏପର୍ଯ୍ୟନ୍ତ ବାହାରକୁ ଯାଇନାହିଁ, ଭବିଷ୍ୟତ କହିବ କ’ଣ ହେବ । କିନ୍ତୁ ଯୁଗ ସନ୍ଧିର ସଂକେତ ପ୍ରକାଶ ପାଉଛି ଚରିତ୍ରରେ, ଚଳଣିରେ । କାଳର ଏଇ ଅପ୍ରତିହତ ସ୍ରୋତକୁ ରୋଧ କରିବା ପାଇଁ ମଣିଷର କ’ଣ ବଳ ଅଛି !

 

ଖାଇବାବେଳ ହୋଇଗଲାଣି । ସରୋଜ ପହଞ୍ଚିଗଲାଣି । କେବଳ ଅପୁ ଓ ପଦ୍ମଜାକୁ ଛାଡ଼ି ଆଉ ସମସ୍ତେ ଅଛନ୍ତି । ଏଇ ସବୁ ଯନ୍ତ୍ରଣା ଭିତରେ ଏଇ ସୁଖ ଟିକକ କ’ଣ କମ୍‌ କି ! ଟେବୁଲରେ କୁନ୍ତୀ ସବୁ ସଜାଇ ରଖିଥିଲା । ଭାଇମାନେ ବସିଲେ ହେଲା । କିନ୍ତୁ ଏଇ ସମୟରେ ମୋବାଇଲ ବାଜିଉଠିଲା । ମୈତ୍ରେୟୀ ଉଠାଇ ନେଇ ଧରିଲେ ଫୋନ୍‌ । ସେ ପାଖରୁ କେହି ଜଣେ କହିଲା -‘ମିତା । ନଅଟା ପନ୍ଦର ମିନିଟରେ ତମର ଫେଶନ ସୋ... ଅନ୍ୟାନ୍ୟ ମଡ଼େଲମାନଙ୍କୁ ଦେଖିବାକୁ ଭୁଲିବ ନାହିଁ । ନୂତନ ଅଭିନବ ଉଦ୍ୟମ । ଓଡ଼ିଆ ଝିଅ ଓ ପୁଅମାନଙ୍କୁ ନେଇ ଡିଜାଇନ କରାଯାଇଛି ସବୁ ପୋଷାକ ପରିଧାନ । ଯେଉଁମାନେ ମଡେଲିଂରେ ଅବତୀର୍ଣ୍ଣ ହେବେ ସେମାନେ ମଧ୍ୟ ସମସ୍ତେ ଓଡ଼ିଆ । ଭୁବନେଶ୍ୱରର ପୁରୁଣା ପ୍ରଥା, ପରମ୍ପରା, ଐତିହ୍ୟ ଭାଙ୍ଗି ନୂତନ ଚେତନା, ନୂତନ ପ୍ରବାହ କିପରି ମହାବାତ୍ୟା ପରି ମାଡ଼ି ଆସୁଛି ସେସବୁ ଦେଖିବ ମିତା... । ତରକି ଯିବନି । ପ୍ରଥମ ସୋ’ର ଝାପ୍‌ଟା ପ୍ରଚାରରେ ।’ ମୈତ୍ରେୟୀ ଉଁ କି ଚୁଁ କିଛି ନ କହୁଥିଲେ ବି ସେ କହିଯାଉଥିଲା, ତା’ପରେ କହିଲା, ‘ତମେ ଦେଖିସାର,.. ତା’ପରେ ସେଲିବ୍ରେଟ୍‌ କରିବା... ।’

 

ଘଡ଼ିକୁ ଚାହିଁଲେ ମୈତ୍ରେୟୀ । ନଅଟା ଉପରେ ଘଣ୍ଟା ଓ ମିନିଟ୍‌ କଣ୍ଟା ଏକତ୍ର ଆଳାପରତ ।

 

ଡାଇନିଂ ଟେବୁଲରେ ଖାଇବାବେଳେ ଟିଭିଟା ଖୋଲିଦେଲେ ସମସ୍ତେ ଦେଖିବେ । କିନ୍ତୁ ଛାତି ଧଡ଼ଧଡ଼ କଲା... କାଳେ ଯଦି କିଛି ଅରୁଚିକର ଦୃଶ୍ୟ ପିଲାଙ୍କ ଆଖିରେ ପଡ଼ିଯାଏ । ନା ନା ଥାଉ । ସେମାନଙ୍କୁ ଖାଇବା ପାଇଁ ବାଢ଼ିଦେଇ ସେ ଚାଲିଯିବେ ଏକା ଡ୍ରଇଂରୁମ୍‌କୁ । ଟିଭି ସେଇଠି ଦେଖିବେ ।

 

ମିତାକୁ ଡାଇନିଂରେ ନ ଦେଖି ପଚାରିଲେ ମୈତ୍ରେୟୀ । ଭାସ୍ଵତୀ କହିଲା ଯେ ସେ ଖାଇସାରି ଶୋଇ ପଡ଼ିଛି ଆଗରୁ । ତାକୁ କ୍ଳାନ୍ତ ଲାଗୁଥିଲା । ମୁଁ କହିଲି ଖାଇସାରି ଶୋଇପଡ଼ ।

 

ଆନନ୍ଦ ବି ଖାଇ ନେଇଥଲା ନାନୀ ସାଙ୍ଗରେ । ଆଉ ସମସ୍ତେ ଡିନର ଟେବୁଲରେ ବସିଲେ । ସରୋଜ କହିଲେ ଆଜି ଲଞ୍ଚ ଖାଇନି । ଗୋଟେ ଜଟିଳ ଅପରେସନ ଥିଲା । କାମ ସାରିବାବେଳକୁ ଚାରିଟା ବାଜିଗଲା । ସ୍ୟାଣ୍ଡଉଇଚ୍‌ ଆଉ କଫି ଖାଇଥିଲି । ସଂଧ୍ୟାବେଳେ ଚା’ ବିସ୍କୁଟ । ପଦ୍ମଜା ତା’ ବାପାମାଙ୍କ ପାଖକୁ ଯାଇଥିଲା । ଭୋକ କଲାଣି ଭାଉଜ... ଦେଲ କ’ଣ କ’ଣ ରାନ୍ଧିଛ... ।

 

ଟେବୁଲରେ ସବୁ ରଖି ଦେଇଥିଲା କୁନ୍ତୀ । ସେମାନଙ୍କୁ ତରତର ହୋଇ ବାଢ଼ିଦବାବେଳେ କହିଲେ ମନୋଜ, ‘ତରତର ହେଉଛ କାହିଁକି କ’ଣ କାମ ଅଛି ?’

 

‘ମୁଁ ପରେ ଖାଇବି... ଟିକେ କାମ ଅଛି । ବାଥ୍‌ରୁମକୁ ଯିବାକୁ ହେବ... ।’ କହୁ କହୁ ମୈତ୍ରେୟୀ କୁନ୍ତୀକୁ ସେଠାରେ ଠିଆ ହୋଇ ରହିବା ପାଇଁ ଧୀରେ ଧୀରେ ଚାଲିଗଲେ ଏବଂ ଠିକ୍‌ ନଅଟା ପନ୍ଦର ମିନିଟ୍‌ରେ ଟି.ଭି. ଚ୍ୟାନେଲ ଏଗାର ଅନ କରିଦେଲେ ।

 

ପ୍ରଥମେ ବିଜ୍ଞାପନ ଛବି ଭାସି ଉଠିଲା । ଗୋଟେ କ୍ଲବ ଘରେ ମସ୍ତି କରୁଥିବା ଝିଅ ପୁଅଙ୍କ ଦୃଶ୍ୟ । ଆଉ ଗୋଟେ ଦୃଶ୍ୟରେ କମନୀୟ ସୋ’ରୁମ୍‌ ଏବଂ ସେଠାରେ ସଜା ହୋଇଥିବା ବିଭିନ୍ନ କିସମର ପୋଷାକ ଦୃଶ୍ୟ । ତା’ ପରେ ଆରମ୍ଭ ହେଲା ପାଶ୍ଚାତ୍ୟ ସଙ୍ଗୀତର ତାଳ ସହିତ ପାଦ ମିଳାଇ ମଡ଼େଲ କରୁଥିବା ଝିଅମାନଙ୍କ ଦୃଶ୍ୟ । ସବା ଆଗରେ ଥିଲା ମିତା । ତାକୁ ଚାହିଁ ଦେଇ ଆଖି ବୁଜିଲେ ମୈତ୍ରେୟୀ । ଥରେ ନୁହେଁ ସେ ବାରମ୍ବାର ଅବତୀର୍ଣ୍ଣ ହେଲା ବିଭିନ୍ନ ମୁଦ୍ରାରେ, ବିଭିନ୍ନ ଲାସ୍ୟରେ । ଶେଷବେଳକୁ ପତଳା ପରିଧାନ ପିନ୍ଧି ଆବିର୍ଭାବ ହେଲା ସେ । ପୋଷାକର ସ୍ଵଳ୍ପତା ଦେଖାଇ ଦେଉଥିଲା ଦେହର ଆକର୍ଷଣୀୟ ଗଠନ ।

 

ମଥାଟା ଘୁରିଗଲା ମୈତ୍ରେୟୀଙ୍କର । ଝାପ୍‌ସା ହୋଇଗଲା ଆଖିର ଦୃଶ୍ୟ । କ’ଣ ଘଟୁଥିଲା ସେ ଜାଣିପାରିଲେ ନାହିଁ । ଟି.ଭି.ଟା ବନ୍ଦ କରିଦେଲେ କିନ୍ତୁ ଆଉ ଛିଡ଼ା ହୋଇ ରହିବା ସମ୍ଭବ ହେଲା ନାହିଁ । ସେ ପଡ଼ିଗଲେ ଭୂଇଁ ଉପରେ ! ଆଖିରେ ଅସଂଖ୍ୟ ଜୁଳୁଜୁଳିଆ ପୋକଙ୍କ ଦୃଶ୍ୟ । ଆଉ କିଛି ଦେଖାଯାଉ ନ ଥାଏ । ଧୀରେ ଧୀରେ ଅନ୍ଧାର ଘୋଟି ଆସିଲା । ତାଙ୍କ ତୁଣ୍ଡରୁ କେବଳ ବାହାରି ଆସିଲା–‘ଉଃ !’

 

ଡାଇନିଂ ଟେବୁଲ ଦୁଇ ପାଖରେ ବସି ଯାଇଥିଲେ ସମସ୍ତେ । ଶବ୍ଦ ଶୁଣି କୁନ୍ତୀ ଦୌଡ଼ି ଯାଇ ତାଙ୍କ ପାଖରେ ପହଞ୍ଚିଲାବେଳକୁ ମୈତ୍ରେୟୀଙ୍କ ଆଖି ବୁଜି ହୋଇ ଯାଇଥିଲା । ସେ ଲମ୍ବ ହୋଇ ତଳେ ଶୋଇଥିଲେ ।

 

କୁନ୍ତୀ ଖବର ଦବା ମାତ୍ରେ ଅନ୍ୟମାନଙ୍କୁ ଅପେକ୍ଷା କରିବା ପାଇଁ କହି ତଉଲିଆରେ ହାତ ପୋଛି ଚାଲି ଆସିଲେ ମନୋଜ । ମୈତ୍ରେୟୀଙ୍କ ମଥା ତାଙ୍କ ଜଂଘ ଉପରେ ରଖି ସେ କୁନ୍ତୀକୁ କହିଲେ ପାଣି ଗିଲାସେ ଆଣିବା ପାଇଁ । ତାଙ୍କ ମୁହଁ ଘେରେ ପାଣି ଛିଞ୍ଚିଲେ । ଫଙ୍ଖାର ସ୍ପିଡ୍‌ ବଢ଼ାଇ ଦିଆଗଲା । ଝରକା ଖୋଲି ଦିଆଗଲା ।

 

ଧୀରେ ଧୀରେ ମୈତ୍ରେୟୀ ଆଖି ଖୋଲିଲେ... ‘କ’ଣ ମଥା ବୁଲାଇ ଦେଲ! ? ମୁଁ କହୁଛିନା ଏତେ କାମରେ ହାତ ଦିଅନା... ବିଶ୍ରାମ ମିଳୁନି....।’ କହିଲେ ମନୋଜ ।

 

ମୈତ୍ରେୟୀଙ୍କ ତୁଣ୍ଡରୁ ଶବ୍ଦଟିଏ ଶୁଣିଲା ନାହିଁ ... କେବଳ ଆଖିରୁ ଲୁହ ଝରିଲା ବାଧା ନ ମାନି । ସେ ମନୋଜଙ୍କ କୋଳରେ ମୁହଁ ଜାକି କେବଳ କାନ୍ଦିବାକୁ ଲାଗିଲେ ।

 

(ଉଣେଇଶି)

 

ସରୋଜ ଅନେକ ବୁଝାଇଲା, ଏତେ କମ୍‌ ବୟସରେ ସ୍ୱାତୀକୁ ଋଷିଭ୍ୟାଲି ସ୍କଲରେ ଛାଡ଼ି କିଛି ଭଲ କାମ କରିନାହାଁନ୍ତି ସେମାନେ । ମା’ର କୋଳରେ ଶୋଇବା ବୟସରେ ବାପାଙ୍କ ହାତ ଧରି ପ୍ରଜାପତି ପରି ଉଡ଼ିବୁଲିବା ବୟସରେ ଶିଶୁକୁ ନିର୍ବାସନ ଦଣ୍ଡ ଦବାପରି ଆଉ ବଡ଼ ନିଷ୍ଠୁରତା କ’ଣ ଥାଇପାରେ ? ସେ ଯେତେବେଳେ ବଡ଼ ହେବ, ତା’ର ଯେତେବେଳେ ବୁଝିବା ଓ ଜାଣିବାର ବୟସ ହେବ ସେତେବେଳେ ଅନ୍ୟ ଶିଶୁମାନଙ୍କୁ ଦେଖି ତା’ର ମନେପଡ଼ିବ ନିଜ ବାଲ୍ୟାବସ୍ଥା । ସେତେବେଳେ ସେ କ’ଣ ବାପା ମା’ଙ୍କୁ କ୍ଷମା କରିପାରିବ ? ନିଜର ସୁବିଧା ପାଇଁ ଯେଉଁ ପିତାମାତା ସନ୍ତାନମାନଙ୍କୁ ଦୂରେଇ ଦିଅନ୍ତି, ସ୍ନେହ ସାନ୍ନିଧ୍ୟରୁ ବଞ୍ଚିତ କରନ୍ତି ସେମାନେ ଟିକେ ଭାବନ୍ତି ନାଇଁ ସେଇ ଶିଶୁର ମାନସିକ ଅବସ୍ଥା କ’ଣ ହେଉଥିବ । ମା’ ଛାତିତଳେ ନିରାପଦରେ ଶୋଉଥିବା ଶିଶୁ ହଷ୍ଟେଲର ଡୋରମିଟାରୀରେ ନିଦ ଭାଙ୍ଗିଗଲେ କାନ୍ଦୁଥିବ ସିନା, ତାକୁ ଛାତି ଉପରକୁ ନେଇ ଯିବା ପାଇଁ ମା’ ବା ବାପାର ଯୋଡ଼ାଏ ହାତ ଆଉ ତାକୁ ଜାକି ଧରିବ ନାହିଁ ।

 

ସବୁ ଶୁଣିଲା ପଦ୍ମଜା । ସରୋଜର ଭାଷଣ ଦବାର ଦକ୍ଷତା ଅଛି ବୋଲି ପ୍ରଶଂସା କଲା-। କିନ୍ତୁ ସେ ଯେ ଦିନେ ଜଣେ ଦକ୍ଷ ପ୍ରଫେସନାଲ ହୋଇପାରିବେ ନାହିଁ ଏଥିରେ ତା’ ମନରେ ସଂଶୟ ନ ଥିଲା । ଆମ ଦେଶର ବାପ ମା’ ଶିଶୁକୁ କେବଳ ଭୀରୁ କରିଦିଅନ୍ତି ନାହିଁ, ତାକୁ ଆତ୍ମନିର୍ଭରଶୀଳ ହେବାରୁ ବଞ୍ଚିତ କରନ୍ତି । ସାତ ଆଠ ବରଷ ଯାଏ ପୁଅଝିଅଙ୍କୁ ଖୁଆଉଥିବେ ନିଜ ହାତରେ, ତାକୁ ବୁଢ଼ି ଅସୁରୁଣୀ ବା ବ୍ରହ୍ମରାକ୍ଷସର କାହାଣୀ କହି ଛାତି ଉପରେ ଶୁଆଇଦେବା ପାଇଁ ଚେଷ୍ଟା କରୁଥିବେ... । କିନ୍ତୁ ପ୍ରକୃତି କୋଳରେ ସେ ଚଢ଼େଇ ଶାବକ ପରି ବଡ଼ ହେଉ, ଖଣ୍ଡି ଉଡ଼ା ଦେବାପାଇଁ ସାହାଯ୍ୟ କରିବେ ନାହିଁ । ଚଢ଼େଇମାନଙ୍କଠାରୁ ଶିଖିବାର ଅଛି, କୁକୁର ଛୁଆ କେଡ଼େ ଶୀଘ୍ର ଖାଦ୍ୟ ସଂଗ୍ରହ କରେ ତାହା ନିରୀକ୍ଷଣ କରିବା ପାଇଁ ସମୟ ଦବାର ଅଛି । କିନ୍ତୁ କାହାର ସମୟ ଅଛି ଶିଶୁମାନଙ୍କ ପାଇଁ ? ବାପା ମା’ଙ୍କ ଆଖିର ଆଢ଼ୁଆଳରେ କେତେବେଳେ ପିଲା ବଡ଼ ହୋଇ ଯାଆନ୍ତି ସେମାନେ ଜାଣିପାରନ୍ତି ନାହିଁ । ପଢ଼ା ଶେଷ ହେଲେ ଚଢ଼େଇ ପରି ଉଡ଼ି ଯାଆନ୍ତି ନୂଆବସା ବାନ୍ଧିବା ପାଇଁ । ସେତେବେଳେ ବାପା ମା’ଙ୍କ ବୃଦ୍ଧାବସ୍ଥା ହାୟ ହାୟ କରିବା ଛଡ଼ା ଆଉ କ’ଣ ଗତି ଅଛି ! ସେତେବେଳେ ସେମାନେ ଅନୁଭବ କରନ୍ତି ନିସଙ୍ଗତାର ବେଦନା, ସ୍ନେହ ସୋହାଗ ନ ପାଇ ପରିବାରର ସୁରକ୍ଷା ଓ ଆପଣା ଲୋକର ସାନିଧ୍ୟ ନ ପାଇବାର ଯନ୍ତ୍ରଣା ।

 

ସରୋଜ କହିଲା, ‘ତମେ କ’ଣ ଭାବୁଛ ମୁଁ ଜାଣେନା... କିନ୍ତୁ ମୁଁ ଯାହା ଭାବୁଛି ତମେ ଶୁଣ । ମୁଁ ଏଇ ସପ୍ତାହରେ ଯାଇ ସ୍ଵାତୀକୁ ନେଇ ଆସିବି...।’

 

‘ତମେ ଏତେବଡ଼ କଥା କହିପାରୁଛ ? ସେ କ’ଣ ମୋ ଝିଅ ନୁହେଁ ? ତମେ ତା’ ଭବିଷ୍ୟତ ଭାବିନ... ତାହା ଭାବିଥିଲେ ଏପରି ସହରି ପ୍ରସ୍ତାବ ଶୁଣାଉ ନ ଥାନ୍ତ ।

 

ସରୋଜ ଚିଡ଼ିଯିବା ପରି ସ୍ଵରରେ କହିଲା ‘କିନ୍ତୁ ତମେ ତା’ ଭବିଷ୍ୟତ କିପରି ଗଢ଼ିବ ପଦ୍ମଜା ? ଅନେକ ମା’କୁ ମୁଁ ଦେଖିଛି କିନ୍ତୁ ତୁମପରି ସ୍ଵାର୍ଥପର ମା’ ମୁଁ ଦେଖି ନାହିଁ ।’

 

‘ରବିସ୍....ନନ୍‌ସେନ୍ସ....ପାଞ୍ଚଲକ୍ଷ ଟଙ୍କା ତମ ମୁହଁ ଦେଖି ନୁହେଁ । ବାପା ମୋତେ ବିଶ୍ଵାସ କରି ଦେଇଥିଲେ ଏଇ ନର୍ସିଂହୋମ୍‍ କରିବା ପାଇଁ । ଆମ ହାତରେ ତ ପୁଞ୍ଜି ନ ଥିଲା... ଯାହା ଉପାର୍ଜନ କଲ ସବୁ ସେଇ ପରିବାରର ଡିମାଣ୍ଡ ଭରଣା କରୁ କରୁ ଶେଷ ହୋଇଗଲା । ବାପା ଟଙ୍କା ଦେଇଥିଲେ ବୋଲି ଆମେ ତାହା ସିଡ଼୍‌ ମନି ଦେଖାଇ ବ୍ୟାଙ୍କରୁ ଆଉ ପଚିଶ ଲକ୍ଷ ଟଙ୍କା ଆଣିଛୁ । ସ୍ଵାତୀକୁ ଦେଖାଶୁଣା କରିବା ପାଇଁ ସେଠାରେ ଅନେକ ନର୍ସିଂ ସିଷ୍ଟର ଅଛନ୍ତି... ତାକୁ ଏଠାକୁ ନେଇ ଆସି ମୋ ଦାୟିତ୍ୱରେ ଛାଡ଼ିବ ଭାବିଛ ! ମୁଁ ତାହା କରାଇଦେବି ନାହିଁ । ମୁଁ ପ୍ରଫେସନର ଶୀର୍ଷଦେଶକୁ ମୁଁ ଦେବାକୁ ଚାହେଁ... ।’

 

ଯୁକ୍ତିତର୍କ ଚାଲିଲା ଦୁହିଁଙ୍କ ମଧ୍ୟରେ ଅନେକ ସମୟ । କୌଣସି ନିଷ୍ପତ୍ତି ନେଇପାରିଲେ ନାହିଁ ସେମାନେ ବା କୌଣସି ପ୍ରସ୍ତାବରେ ସହମତ ହୋଇପାରିଲେ ନାହିଁ । ସରୋଜ କ୍ଳାନ୍ତ ସ୍ଵରରେ କହିଲା, ‘ଯଦି ତମ ଦାୟିତ୍ଵରେ ସ୍ୱାତୀକୁ ନ ଛାଡ଼ି ଆଉ କେହି ତା’ ଦାୟିତ୍ୱ ନିଏ ? ତେବେ ତ ତମର ଆପତ୍ତି ରହିବ ନାହିଁ ?’

 

- ‘ନୋ, ନୋ, ଦ୍ୟାଟ୍‌ ଇଜ୍‌ ନଟ୍‌ ପସିବଲ୍‌,.. ଆଇ ସେଲ୍‌ ନେଭର ଆଲାଉ ସମ୍‌ୱାନ୍‌ ଟୁ ୟୁସରପ୍‌ ମାଇଁ ରାଇଟ୍‍ । ଡୁ ୟୁ ଅଣ୍ଡରଷ୍ଟାଣ୍ଡ ? ଅନ୍ୟଜଣେ ମୋ ଝିଅର ଦାୟିତ୍ଵ ନବ, କୋଉ ସାହସରେ ତମେ ଏ କଥା କହୁଛ ସରୋଜ ?

 

ଆଉ କିଛି ନ କହି ଉଠି ଯାଇଥିଲା ସରୋଜ । କିନ୍ତୁ ପଦ୍ମଜାର ଚ୍ୟାଲେଞ୍ଜ ତା’ ଭିତରେ ଥିବା ପୁରୁଷତ୍ଵକୁ ଚାବୁକ୍‌ ମାରିବା ପରି ଲାଗିଲା ତାକୁ । ସେ ଫେରିପଡ଼ି କହିଲା, ‘You do not deserve that right...do you understand ? You have forfeited your right.’ ମା’ ହବାର ଯୋଗ୍ୟତା ତମର ନାହିଁ । ତମେ ଝିଅ ଜନ୍ମ କରିଛ ଏଇଟା ଗୋଟେ ଆକ୍‌ସିଡେଣ୍ଟ... ।’

 

ପଦ୍ମଜା ଦବି ଯିବାର ପାତ୍ରୀ ନୁହେଁ । ସେ ପଞ୍ଚମକୁ ସ୍ଵର ଉଠାଇ କହିଲା, ଯଦି ତମେ ସେୟା କର ତେବେ ଏତେ ଟଙ୍କାର ବୋଝ ମୁଁ ଏକା ମୋ କାନ୍ଧରେ ବୋହି ପାରିବି ନାହିଁ । ତମେ ଯଦି ଦାୟିତ୍ୱରୁ ଖସିଯାଅ ତେବେ ମୁଁ ବାଧ୍ୟ ହେବି to seek a partner...’

 

ସରୋଜର ମୁହଁ ଉପରେ ହଠାତ୍‌ ବଙ୍କା ହସ ଚେନାଏ ଖେଳିଗଲା । ତାହା ଚ୍ୟାଲେଞ୍ଜ ବା ଉପହାସ ବୁଝିପାରିଲା ନାହିଁ ପଦ୍ମାଜା ।

 

ତରତର ହୋଇ ସରୋଜ ତଳକୁ ଓହ୍ଲାଇ ଯାଉଥିବାବେଳେ ମୈତ୍ରେୟୀ ସହିତ ଦେଖା ହୋଇଗଲା ମଝିରେ ।

 

ସେ, କହିଲେ, ‘କୁଆଡ଼େ ବାହାରିଛ ନା କ’ଣ ?’

 

ଶାନ୍ତ କଣ୍ଠରେ କହିଲା ସରୋଜ, ‘ତମ ପାଖକୁ ଯାଉଥିଲି... ତମେ ଆସିଗଲ ଭଲ ହେଲା । ଆସ ମୋ ଚ୍ୟାମ୍ବରରେ ବସିବା । କିଛି କଥା ଅଛି ଭାଉଜ ।’

 

‘କିନ୍ତୁ ପଦ୍ମଜାକୁ ଛାଡ଼ି ଏକା ଏକା ତମ ସହିତ ମୁଁ କ’ଣ କଥା ହେବି । ଗୋଟେ କିଛି ନିଷତ୍ତି ନବାକୁ ହେବ...।’

 

ସରୋଜ ପ୍ରତିବାଦ କଲା ନାହିଁ, ବରଂ କହିଲା, ତା’ ସହିତ କଥା ହେଉଥିଲି ଏ ବିଷୟରେ... ସେ ରାଜି ହେଉନି ସ୍ୱାତୀକୁ ଫେରାଇ ଆଣିବା ପାଇଁ ।

 

‘କିନ୍ତୁ ପ୍ରିନ୍ସିପାଲଙ୍କ ସହିତ ମୁଁ ଘଣ୍ଟାଏ ଆଗରୁ କଥା ହୋଇଥିଲି । ସେ କହିଲେ ସ୍ଵାତୀକୁ ଆମେ ଯଦି ନ ଆଣୁ ତେବେ ରିସ୍କ ସେମାନଙ୍କର ନୁହେଁ, ଆମର । ମ୍ୟାଟ୍ରନଙ୍କ ସହିତ ବି କଥା ହେଲି । ସେ ବି ସେୟା କହିଲେ । ପ୍ରିନ୍ସିପାଲ କହିଲେ ଯେ ଯଦି ସ୍ଵାତୀ ଫେରିଯିବାକୁ ଚାହିଁବ କିଛିଦିନ ବାପା ମା’ଙ୍କ ସାଙ୍ଗରେ ରହିବା ପରେ ତେବେ ତାକୁ ଗ୍ରହଣ କରିବାରେ ଅସୁବିଧା ହେବ ନାହିଁ । ନଚେତ୍‌ ଆସନ୍ତାବର୍ଷ ସେସନବେଳକୁ ଦେଖାଯିବ । ସେତେବେଳକୁ ସ୍ଵାତୀ ପାଞ୍ଚବର୍ଷର ହୋଇଥିବ... ।’

 

ଦୁହେଁ ଉପରକୁ ଉଠିଲେ ପୁଣି । ପଦ୍ମଜା ସେତେବେଳକୁ ନିଜ କୋଠରୀର କବାଟ ବନ୍ଦ କରିଦେଇଥିଲା । ଏମାନେ ଯେତେ ଡାକିଲେ ବି କବାଟ ଖୋଲିଲା ନାହିଁକି ପଦଟିଏ କଥା କହିଲା ନାହିଁ ।

ପଦ୍ମଜାର ପ୍ରକୃତି ଏହିପରି । ଥରେ ତା’ ମୁଣ୍ଡରେ ପିତ୍ତ ଚଢ଼ିଗଲେ ସେ କାହାରି କଥା ଶୁଣିବ ନାହିଁ । ନିଜ ଜିଦ୍‌ରେ ଅଟଳ । ଏ ସମୟରେ ତାକୁ କିଛି କହିବା ନିରର୍ଥକ । ତିନି ଚାରି ଘଣ୍ଟା ଲାଗିବ ଥଣ୍ଡା ହେବା ପାଇଁ । କିନ୍ତୁ ସେ ଯେ ସ୍ଵାତୀକୁ ଋଷିଭ୍ୟାଲି ସ୍କୁଲରୁ ଫେରାଇ ଆଣିବ ନାହିଁ ଏ ବିଷୟରେ ସନ୍ଦେହ ନାହିଁ । ସ୍ଵାତୀ ବୟସର ଅନେକ ଶିଶୁ ସେଠାରେ ଅଛନ୍ତି । ସ୍ଵାତୀ କାହିଁକି ରହିପାରିବ ନାହିଁ ପଦ୍ମଜାର ଏଇ ପ୍ରଶ୍ନର ଉତ୍ତର ସରୋଜ ଅନେକ ଥର ଦେଇଛି, କିନ୍ତୁ ସେ ବୁଝି ନାହିଁ । ସବୁ ଶିଶୁ ସମାନ ନୁହନ୍ତି, ଅନେକ ପରିବେଶ ସହିତ ଆଡ଼୍‌ଜଷ୍ଟ କରିଯାଆନ୍ତି । ଆଉ କେତେକ ଭିନ୍ନ ପ୍ରକୃତିର । ସେମାନେ ଆଡ଼୍‌ଜଷ୍ଟ କରିବା ପାଇଁ ସମୟ ନିଅନ୍ତି । ସେଇ ଅନୁକୂଳ ସମୟ ଆସିବା ପର୍ଯ୍ୟନ୍ତ ତାକୁ ଯଦି ବାଧ୍ୟ କରି ସେଠାରେ ରଖାଯାଏ ତେବେ ତା’ର ମସ୍ତିଷ୍କର ବିକାଶରେ ଅନ୍ତରାୟ ଘଟିବ । ସେ ସେଇ ପରିବେଶ ସହିତ ଖାପ୍‌ ଖୁଆଇ ପାରୁନାହଁ । ଏଇଟା ତା’ର ଦୋଷ ନୁହେଁ । କାରଣ ସେ ଜନ୍ମରୁ ଯେଉଁ ପରିବେଶରେ ବଡ଼ ହୋଇଛି ସେଇଟା ତା’ ପକ୍ଷେ ବେଶୀ ଗୁରୁତ୍ଵପୂର୍ଣ୍ଣ ।

 

ଅନେକ ସମୟ ଧରି ଆଲୋଚନା କଲେ ମୈତ୍ରେୟୀ ଆଉ ସରୋଜ । ଶେଷରେ ସେମାନେ ଏଇ ନିଷ୍ପତ୍ତିରେ ପହଞ୍ଚିଲେ ଯେ ପଦ୍ମଜା ରାଜି ହେଉ ବା ନ ହେଉ ପ୍ରିନ୍ସିପାଲ୍‌ଙ୍କ ଅନୁରୋଧ ମାନି ନେଇ ପ୍ରଥମେ ମାସେ କି ଦୁଇମାସ ପାଇଁ ତାକୁ ସେମାନେ ନେଇ ଆସିବା ଉଚିତ ହେବ । ପରେ ଯଦି ସେ ସାଙ୍ଗମାନଙ୍କ ପାଖକୁ ଯିବା ପାଇଁ ଆକୁଳ ହୁଏ ତେବେ ତାକୁ ନେଇ ଛାଡ଼ି ଦେଇ ଆସିବେ ।

 

ସ୍ଵାତୀକୁ ସ୍କୁଲରୁ ଆଣିବା ଦାୟିତ୍ଵ ମୈତ୍ରେୟୀ ନେଲେ । ସେ ଦୁଇଦିନ ମଧ୍ୟରେ ସବୁ ବ୍ୟବସ୍ଥା କରି କରମଣ୍ଡଳ ଏକ୍ସପ୍ରେସ୍‌ ଧରି ମାନ୍ଦ୍ରାଜ ଯିବେ, ସେଠାରୁ ଋଷିଭ୍ୟାଲି । ପଦ୍ମଜାକୁ ସାଙ୍ଗେ ସାଙ୍ଗେ ଏ ଖବର ଦବା ଦରକାର ନାହିଁ । ଫେରିବା ଆଗରୁ ତାକୁ ଜଣାଇ ଦିଆଯିବ । ଏଇ କାମ ସରୋଜ କରିବ । ସ୍ତ୍ରୀ ଯେ ସହଜରେ ଏ କଥା ଗ୍ରହଣ କରିବ ନାହିଁ ତାହା ସତ । କିନ୍ତୁ ଯେତେବେଳେ ସେ ଜାଣିବ ସେ ସ୍ଵାତୀ ଫେରି ଆସୁଛି ମୈତ୍ରେୟୀ ସାଙ୍ଗରେ ସେ ବିରକ୍ତ ହେଲେ ବି ବାଧ୍ୟ ହେବ ପରିସ୍ଥିତିକୁ ଗ୍ରହଣ କରିନବା ପାଇଁ ।

 

ସରୋଜ କହିଲା, ମୋ ସାଙ୍ଗ ଅଛି ବାଙ୍ଗାଲୋରରେ । ଆଉ ଜଣେ ମାନ୍ଦ୍ରାଜରେ । ତୁମ ଯିବା କଥା ଜଣାଇଦେବି ସେମାନଙ୍କୁ, କିଛି ଅସୁବିଧା ହେବ ନାହିଁ ।

 

ନିଷ୍ପତ୍ତି ନେଇସାରିବା ପରେ ଭାବୁଥିଲେ ମୈତ୍ରେୟୀ... ହୁଏତ ପଦ୍ମଜା ଦିଅର ଭାଉଜଙ୍କ ଏଇ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିବ ନାହିଁ । ତା’ର କ୍ରୋଧ ଆହୁରି ବଢ଼ିବ । ଅବଶ୍ୟ ମୁହାଁମୁହିଁ ମୈତ୍ରେୟୀଙ୍କୁ ଏଥିପାଇଁ ଦୋଷ ନ ଦେଲେ ବି ତାଙ୍କ ଅନୁମତି ବିନା ସରୋଜ ଯେ ଏତେବଡ଼ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଏକା ନେଇପାରିବେ ନାହିଁ ଏହା ଜାଣେ ପଦ୍ମଜା । ହଷ୍ଟେଲରେ ଛାଡ଼ିବା ପୂର୍ବରୁ ଏହିପରି ଯୁକ୍ତତର୍କ ହୋଉଥିଲା ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ । କିନ୍ତୁ ଶେଷରେ ସେ ସରୋଜକୁ ବାଧ୍ୟ କରିଥିଲା ଏ ପ୍ରସ୍ତାବ ଗ୍ରହଣ କରିବା ପାଇଁ । ଏପରିକି ସେ ରାଜି ନ ହେଲେ ମଧ୍ୟ ପଦ୍ମଜା ଏକା ଝିଅକୁ ନେଇ ଋଷିଭ୍ୟାଲିରେ ଛାଡ଼ି ଆସିବ ବୋଲି ଧମକ ଦେଇଥିଲା । ଅଗତ୍ୟା ଅନନ୍ୟୋପାୟ ହୋଇ ସରୋଜ ରାଜି ହୋଇଥିଲା । ସେ ଦୁହିଁଙ୍କ ନିଷ୍ପତ୍ତିର ବିରୋଧ ପରିବାରରେ ଆଉ କେହି କରି ନ ଥିଲେ ।

 

ପଦ୍ମଜା ଉଠିବା ଆଗରୁ ମୋବାଇଲ ବାଜି ଉଠିଲା । ସେ ନମ୍ବରଟା ଦେଖି ନେଇ ଚମକି ପଡ଼ିଲେ । ବିଶ୍ଵମୋହନର ଟେଲିଫୋନ୍ । ସେ ହଠାତ୍‌ କାହିଁକି ତାଙ୍କ ପାଖକୁ ଟେଲିଫୋନ୍‌ କରୁଛି ବୁଝିପାରିଲେନି ମୈତ୍ରେୟୀ । କିନ୍ତୁ ସରୋଜ କହିଥିଲା ଯେ ହୁଏତ ସେ କମ୍ପ୍ରମାଇଜ୍‌ କରିବାକୁ ଚାହେଁ । ନୋଟିସ୍‌ ପାଇ ଡରି ଯାଇଥିବ । ଚାକିରି କରୁଛି । କୋମ୍ପାନୀ ଯେ ଡିଭୋର୍ସ ବ୍ୟାପରଟାକୁ ସହଜରେ ଗ୍ରହଣ କରିବ କି ନାହିଁ କିଏ ଜାଣେ ?

 

ସରୋଜ କହିଲା, ‘କ’ଣ କହୁଚି ବିଶ୍ୱମୋହନ ?’

 

ମୈତ୍ରେୟୀ ତାକୁ ଚୁପ୍‌ ରହିବା ପାଇଁ ସଂକେତ ଦେଇ କହିଲେ, ‘ତମର ଇଛା କ’ଣ କହୁନ ? ଥାନା ପୁଲିସ, କୋର୍ଟ କଚେରୀ, ହେବା ତୁମ ପକ୍ଷରେ ବା ଭାସ୍ଵତୀ ପକ୍ଷରେ ଶୋଭନୀୟ ନୁହେଁ । ତମେ ଦୀୟିତ୍ୱବାନ, ନିଷ୍ପରି ନବାର ଅଧିକାର ତମର ଅଛି । ଭଲ ମନ୍ଦ ବିଚାର କରିବା ପାଇଁ ବୁଦ୍ଧି ବିବେକ ଅଛି । ତମେ କୁହ କ’ଣ ଚାହଁ ?

 

ଦୁହେଁ କିଛି ସମୟ ଏ ପ୍ରସଙ୍ଗରେ ଆଲୋଚନା କଲେ । ବିଶ୍ୱମୋହନ ଯେ ମହିଳା କମିଶନରୁ ନୋଟିସ୍‌ ପାଇଛି ସେ ବିଷୟ କହିଲା, ତାଛଡ଼ା conjugal right restoration ପାଇଁ ଭାସ୍ଵତୀର ଓକିଲ ତାକୁ ପଠାଉଥିବା ନୋଟିସ୍‌ ମଧ ସେ ପାଇଥିଲା । ଏ ଦୁଇଟି ଦିଗରୁ ଆକ୍ରମଣ ହେଉଥିବା ଦେଖି ଋତୁପୂର୍ଣ୍ଣାକୁ ବିବାହ କରିବା ଇଚ୍ଛା ଉଭେଇ ଯାଇଥିଲା ମନରୁ । କୋର୍ଟ କଚେରୀରେ ଛିଡ଼ା ହେବା ପାଇଁ ଋତୁପୂର୍ଣ୍ଣା ମଧ୍ୟ ଚାହୁଁ ନ ଥିବ । ଜଣେ ବିବାହିତ ପୁରୁଷକୁ ଜାଣି ଜାଣି ଅନ୍ୟ କେହି ବିବାହ କରିବା ବେଆଇନ । ଆଇନ ଭଙ୍ଗ କଲେ ପରିଣାମ ଭୋଗିବାକୁ ହେବ-

 

ବିଶ୍ଵମୋହନ ସମାଧାନର ଉପାୟ ଖୋଜୁଥିଲା । ସେ କମ୍ପ୍ରମାଇଜ୍‌ କରିବା ପାଇଁ ରାଜି ଥିବା କହିବାରୁ ମୈତ୍ରେୟୀ ତାକୁ କହିଲେ ‘ଏ ବିଷୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଆଳାପ ଆଲୋଚନାଦ୍ଵାରା ସ୍ଥିର କରାଯାଇପାରିବ । ଟେଲିଫୋନ୍‍ରେ ଏଇ ଜଟିଳ ବିଷୟ ଆଲୋଚନା କରିବା ଅପେକ୍ଷା ତମେ ଯଦି ଭୁବନେଶ୍ଵର ଆସି ଭାସ୍ଵତୀ ସହିତ ଆଲୋଚନା କର ତେବେ ଜଟିଳତା ଦୂର କରାଯାଇ ପାରିବ ।’

 

ମୈତ୍ରେୟୀଙ୍କ ପ୍ରସ୍ତାବ ଗ୍ରହଣ କରି ଭୁବନେଶ୍ୱର ଆସିବ ବୋଲି କହିଲା ବିଶ୍ଵମୋହନ ଏବଂ ଯେତେଶୀଘ୍ର ସମ୍ଭବ ସେ ପହଞ୍ଚିବ ବୋଲି ମଧ୍ୟ କହିଲା । ତା’ ପୂର୍ବରୁ ସେ ନିଜେ ଭାସ୍ଵତୀକୁ ଟେଲିଫୋନ୍‍ କରିବ ବୋଲି ମଧ୍ୟ କହିଲା ।

 

ଗୋଟିଏ ଜଟିଳ ପାରିବାରିକ ସମସ୍ୟା ସମାଧାନଆଡ଼କୁ ଗତି କରୁଥବାରୁ ଖୁସି ହେଲେ ମୈତ୍ରେୟୀ । ସରୋଜ ବି ସମାଧାନ ପ୍ରସାଦକୁ ସ୍ଵାଗତ କରି କହିଲା- ‘ଦୁହିଁଙ୍କୁ ପୁଣି ଏକାଠି କରିଦିଅ ପ୍ରଭୁ ! ବିଶ୍ଵମୋହନ ଅନଙ୍ଗର ସାଙ୍ଗ । ସେ ଯେ ଏଡ଼େଶୀଘ୍ର ସାଲିସ କରିବ ମୁଁ ଭାବି ନ ଥିଲି । ବୋଧହୁଏ ହଠାତ୍‌ ସେମାନେ ଗୋଟେ ଭୟାନକ ନିଷ୍ପତ୍ତି ନେଇଯାଇଥିଲେ । ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ଦ୍ୱିତୀୟ ବିବାହ ଯେ ଧର୍ତ୍ତବ୍ୟ ଅପରାଧ ଏହା ଜାଣିବା ପରେ ସିଧା ରାସ୍ତାକୁ ଫେରିଆସିବା ପାଇଁ ଚେଷ୍ଟା କରୁଥିବେ ।’

 

ସରୋଜକୁ ଏକା ଛାଡ଼ି ମୈତ୍ରେୟୀ ବାହାରି ଆସିଥିଲେ ।

 

ଫେରିବାବେଳେ ମୈତ୍ରେୟୀ ଈଶ୍ୱରଙ୍କୁ କୃତଜ୍ଞତା ଜଣାଇଲେ । କୃତାଞ୍ଜଳି ହୋଇ ମନେ ମନେ କହିଲେ ତମର ଇଚ୍ଛା ପୂର୍ଣ୍ଣ ହେଉ । ବିଶ୍ୱମୋହନ, ଆଉ ଭାସ୍ଵତୀ ଯେପରି ସୁଖ ଶାନ୍ତିରେ ରହନ୍ତୁ ଏଇ ବାଟ ନିଷ୍କଳଙ୍କ କର ଭଗବାନ ।

 

ଏଇ ପ୍ରସଙ୍ଗ ଭାବୁ ଭାବୁ ଭାବନାକୁ ଠେଲି ପେଲି ପ୍ରବେଶ କଲା ମିତାର ଚିନ୍ତା । ମିତାକୁ ସତର ଚାଲିଛି । ଏଇ ଅଳ୍ପ ବୟସରେ ଝିଅ ଯେ ଗୋଟାଏ ଆରମ୍ଭ ଥିବା ଶେଷ ନ ଥିବା ବାଟ ବାଛିନବ ତାହା ଆଦ୍ୟ ଗୌରବର ଉନ୍ମାଦନା ହୋଇପାରେ; କିନ୍ତୁ ସେ ଯେ ବିଚାର ବୁଦ୍ଧି ପ୍ରୟୋଗ କରି ଏ ବିଷୟରେ ନିଷ୍ପତ୍ତି ନ ନେଇ କାହା ପ୍ରରୋଚନାରୁ ଡେଇଁ ପଡ଼ିଛି ସେଇ ଧାରଣା ମନରୁ ବାହାର କରିପାରୁ ନ ଥିଲେ ମୈତ୍ରେୟୀ । ମଡ଼େଲିଂ ଗୋଟିଏ ପ୍ରକାର ବିଜ୍ଞାପିତ କଳା । ସେଇ କଳା ମଣିଷକୁ ଆର୍କଷଣ କରିବା ପାଇଁ ଉଦ୍ଦିଷ୍ଟ । କିପରି ଠାଣିରେ, କିପରି ବାଗରେ, କେଉଁ ମୁଦ୍ରାରେ ସେ ଦର୍ଶକମାନଙ୍କ ଚିତ୍ତଚାଞ୍ଚଲ୍ୟ ସୃଷ୍ଟି କରିବ ଏହା ମଡ଼େଲିଂରେ ଯେପରି ଶିଖିବାକୁ ହୁଏ, ସେହିପରି ସେଇ ଫେଶନକୁ ଗ୍ରହଣ କରି ବଜାର ଚାହିଦା ବଢ଼ାଇବା ପାଇଁ ଗୋଟିଏ ପ୍ରକାର ଅଭିନବ ଉଦ୍ୟମଦ୍ଵାରା ଦର୍ଶକ ପ୍ରଭାବିତ ହୁଏ ସେଇ ଫେଶନ୍‌ ଗ୍ରହଣ କରିନବା ପାଇଁ । ମଡ଼େଲିଂ ଏଇ ଚିତ୍ତଚାଞ୍ଚଲ୍ୟକାରୀ ସୁଯୋଗ ନେଇ ଦର୍ଶକକୁ ଆକର୍ଷଣ କରେ ନିଜର ପୋଷାକ ଓ ସୌନ୍ଦର୍ଯ୍ୟ ମାଧ୍ୟମରେ । ସେଇ ପୋଷାକ ପିନ୍ଧି ଅନ୍ୟଜଣେ ବି ଯେ ଚିତ୍ତବିନୋଦନ କରିପାରିବ ଏଇ ଭାବନା ଦର୍ଶକ ମନରେ ଜନ୍ମ ହୁଏ । ତା’ପରେ ଚାହିଦା ବଢ଼େ ସେଇ ପୋଷାକ ପାଇଁ । ଚାହିଦା ମେଣ୍ଟାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଉତ୍ପାଦନ କରିବା ଓ ମାଲ ଯୋଗାଇବା ପାଇଁ ପ୍ରତିଯୋଗିତା ଚାଲେ । ବଜାର ଦଖଲ କରିବାର ଅଭିନବ ଶୈଳୀ ବାହାରୁଛି ପ୍ରତିଦିନ । ବିଜ୍ଞାପନ ମାଧ୍ୟମରେ ମଡ଼େଲିଂରେ ବ୍ୟବହାର କରାଯାଉଥିବା ବଛାବଛା ପୋଷାକ ସବୁ ଦେଖାଇ ଦିଆଯାଏ ମଡ଼େଲିଂ କରୁଥିବା ଝିଅ ଓ ପୁଅଙ୍କ ଅଙ୍ଗସୌଷ୍ଠବ ସହିତ । ଗ୍ରାହକ ବାନ୍ଧି ହୋଇଯାଏ । ବନ୍ଧା ପଢ଼ିଯାଏ ତା’ର ବୁଦ୍ଧି ବିଚାର ।

 

ସର୍ବାଙ୍ଗ ଥରି ଉଠିଲା ମୈତ୍ରେୟୀଙ୍କର । ଏଇ କମ୍‌ ବୟସରେ ବିଜ୍ଞାପନ ଓ ବଜାରର ଚିତ୍ତ ଚାଞ୍ଚଲ୍ୟକର ଜଗତରେ ଯଦି ମିତା ପ୍ରବେଶ କରେ ତେବେ ଆରମ୍ଭ ପରି ଏହାର ପରିଣତି ସମାନ ଉତ୍ତେଜକ ହୋଇପାରେ । ଆରମ୍ଭର ଅଙ୍ଗ ସୌଷ୍ଠବ ପାଞ୍ଚ କି ଦଶବର୍ଷ ପରେ ନ ଥିବ । କଳାତ୍ମକ ଭାବନା ଜାଗାରେ ଭାବପ୍ରବଣତା ସ୍ଥାନ ଜମାଇବ । ସେଇ ପରିଣତିର ଓଜନ ବୋହି ପାରିବନି ମିତା । ଯେଉଁମାନେ ଏବେ ତା’ ଆଡ଼କୁ ଆକର୍ଷିତ ହେବେ ସେତେବେଳକୁ ହୁଏତ ସେମାନେ ଅନ୍ୟଦିଗକୁ ବାଟ ଭାଙ୍ଗିଥିବେ ରାସ୍ତା ମଝିରେ । ଯେତେବେଳେ ଆଖିର ଲୁହ, ଛାତି ତଳର କୋହ କେଉଁଠି ଲୁଚାଇବ ମିତା !

 

ମୈତ୍ରେୟୀ ହଜିଗଲେ ଭାବନା ରାଜ୍ୟରେ । ସତର ବର୍ଷ ଝିଅର ମନରେ ଦେହରେ ଶ୍ରାବଣର ପ୍ରଥମ କନ୍ୟାର ବ୍ୟାକୁଳତା, ବୟସର ପ୍ରଥମ ଉଚ୍ଚାରଣର ସ୍ପନ୍ଦନ । ଅଙ୍ଗେ ଅଙ୍ଗେ ରଙ୍ଗ ଲାଗିବାର ପ୍ରଥମ ମଧୁରତାର ମହମହ ବାସ୍ନା ପାଇ ଧାଇଁ ଆସିବେ ଅନେକ, ନୂଆ ଫୁଲରୁ ମଧୁ ସଂଗ୍ରହ କରିବା ପାଇଁ ଯେପରି ଧାଆନ୍ତି ମହୁମାଛିମାନେ ।

 

ଆଖିବୁଜି ହୋଇଗଲା ମୈତ୍ରେୟୀଙ୍କର । ମୁହଁରୁ ଝାଳ ପୋଛିଲେ ସେ । ଗାଡ଼ିର ଝରକା କାଚ ତଳକୁ କରିଦେଲେ । କିନ୍ତୁ ତଥାପି ଅଶ୍ୱସ୍ତି ଦୂର ହେଲା ନାହିଁ ।

ଘରେ ପହଞ୍ଚିବାବେଳକୁ ଅପେକ୍ଷା କରୁଥଲା ବାଣୀଙ୍କ ବାର୍ତ୍ତା । ସେ ମନେ ପକାଇ ଦବା ପାଇଁ କହିଥିଲେ ଯେ ସଂଧ୍ୟା ସାତଟାରେ ତାଙ୍କ ଘରେ ବନ୍ଧୁ ମିଳନ, ସେଠାକୁ ଯିବା ପାଇଁ ଭୁଲି ନ ଯାଆନ୍ତି ଯେପରି ।

ହାତ ଘଡ଼ିକୁ ଚାହିଁଲେ ମୈତ୍ରେୟୀ । ପାଞ୍ଚଟା ବାଜିଛି । ସେ ପିଲାମାନଙ୍କୁ ଚା’ ଜଳଖିଆ ଖାଇବାକୁ ଦେଲେ । ରାତିର ରୋଷେଇ ବ୍ୟବସ୍ଥା ବିଷୟରେ କୁନ୍ତୀକୁ କହିଲେ । ତା’ପରେ ଭାସ୍ଵତୀକୁ ପାଖକୁ ଡାକି ସାଙ୍ଗ ହୋଇ ଚା’ ପିଇବାବେଳେ କହିଲେ ଘଣ୍ଟାଏ ପୂର୍ବରୁ ବିଶ୍ୱମୋହନ ଯାହା କହିଥିଲା । ତାଙ୍କ ମୁହଁରୁ କଥା ଶୁଣି ଭାସ୍ଵତୀର ଆଖିରୁ ଲୁହ ଝରିଲା । ବାପା ମା’ଙ୍କ ଆଲିଅଳ ଝିଅ । ଭାଇମାନଙ୍କ ସାନ ଭଉଣୀ । ଟିକେ ଅଭିମାନ ହେଲେ ବସିଥିବ ଏକାକିନୀ ତପସ୍ଵିନୀ ପରି । ପଦେ କଥା କହିଦେଲେ କାନ୍ଦିବ । ଭାବପ୍ରବଣ ହେଲେ ତୁଣ୍ଡ ଖନି ମାରିଯିବ ।

ସବୁ ଶୁଣିସାରି ଭାସ୍ଵତୀ କହିଲା, ‘ମୋତେ ସଫା କରି କୁହ ତ ଭାଉଜ, ବିଶ୍ଵମୋହନ ମାଲିମୋକଦ୍ଦମା ଓ ଥାନା ପୁଲିସକୁ ଡରି ଫେରି ଆସିବାକୁ ଚାହାନ୍ତି ନା ଭୁଲ ବୁଝି ପୁଣି ସିଧା ବାଟକୁ ଆସିବା ପାଇଁ ଚାହାଁନ୍ତି ?’

ଭାସ୍ଵତୀର ମଥାର ଚୁଳ ସଜାଇ ଦେଇ କହିଲେ ମୈତ୍ରେୟୀ, ‘ଯୌବନର ପ୍ରଗଳ୍‌ଭତା ସହିତ କାମୁକତା, ମିଶିଗଲେ ଯେଉଁ ପରିଣାମ ହୁଏ ତାହା ମଣିଷକୁ ଭୁଲ ବାଟରେ ନେଇଯାଏ । ସେହିପରି କୌଣସି ଗୋଟେ ଦୁର୍ବଳ ମୁହୂର୍ତ୍ତରେ ସେ ବାଟ ଭାଙ୍ଗି ପଶି ଯାଇଥିଲେ ଋତୁପୂର୍ଣ୍ଣା ଶିବିରରେ । ତା’ପରେ ଯେତେବେଳେ ବାସ୍ତବତାର ନିଷ୍ଠୁର ଭୂମି ଦେଖିଥିବେ ସେତେବେଳେ ଭୁଲ ବୁଝିଥିବେ ନିଶ୍ଚୟ । ଋତୁପୂର୍ଣ୍ଣା ଯେ ଜଣେ ବିବାହିତ ପୁରୁଷକୁ ବାହା ହୋଇ ପାରିବ ନାହିଁ ଏୟା ଜାଣିବା ପରେ ତାଙ୍କୁ କହିଥିବ ଆଗ ଡିଭୋର୍ସ ଏବଂ ତା’ପରେ ପ୍ରେମ... । ଏଇ ସମୟରେ ଓକିଲ ନୋଟିସ୍‌ ଏବଂ ମହିଳା କମିଶନର ତତ୍ପରତା ଯୋଗୁ ବିଶ୍ଵମୋହନ ବାଧ୍ୟ ହୋଉଥିବେ ସିଧାବାଟ ଧରିବା ପାଇଁ । ନିଜ ଭୁଲ ପାଇଁ ଯେ ସେ ପଶ୍ଚାତାପ କରୁଛନ୍ତି ଏୟା ତାଙ୍କ ସ୍ୱର ଓ ଉଚ୍ଚାରିତ ଶବ୍ଦରୁ ମୁଁ ଅନୁଭବ କରିଛି । ହୁଏତ ସେ ଶୀଘ୍ର ଆସି ପହଞ୍ଚିବେ । ତମ ସହିତ କଥା କହିବେ ବୋଲି ସୂଚନା ଦେଇଛନ୍ତି... ତମେ କ’ଣ ଭାବୁଛ କହିଲ ?’

‘ମୁଁ କିଛି ଭାବିପାରୁନି । ଭାବିଥିଲି ମୋ ଯାତ୍ରା ଶେଷ ହୋଇଗଲା । ବାଟ ଶେଷ ହୋଇଛି, ୟା ପରେ ଦିଗହଜା ମରୁଭୂମି । କିନ୍ତୁ ଏବେ ଲାଗୁଛି ଆଉଗୋଟେ ବାଟ ବି ଅଛି । ପଥ ହରାଇଥିବା ପଥିକମାନେ ସେଇ ନୂଆ ପଥ ଦେଖିଲା କ୍ଷଣି ଯେମିତି ଅଧୀର ହୋଇ ଉଠନ୍ତି ମୁଁ ବି ତୁମ ମୁହଁରୁ ଏଇ କଥା ଶୁଣିବା ପରେ ଭାବୁଛି ଯେ ମୋ ଆଗରେ ବି ଆଉଗୋଟେ ବାଟ ଅଛି... ସଂଘର୍ଷ ନୁହେଁ ସାଲିସର ବାଟ । ତମେ ଆଶୀର୍ବାଦ କର...।’

ତାକୁ ଛାତି ଉପରକୁ ଆଉଜାଇ ନେଇ କହିଲେ ମୈତ୍ରେୟୀ, ‘ତମେ ଧୈର୍ଯ୍ୟ ଧର... ଭରସା ରଖ ଭଗବାନ ଓ ନିଜ ଉପରେ .... ଲଢ଼ିବା ପାଇଁ ଶିଖ । ସବୁ ଠିକ୍‌ ହୋଇଯିବ....।’

ଆନନ୍ଦ ଆସି କହିଲା, ‘ମା’ କାଲି କଳ୍ପତରୁ ଉତ୍ସବ ହେବ ଆଶ୍ରମରେ... ଯିବି ?’

ତା’ ମୁହଁକୁ ଚାହିଁଲେ ମୈତ୍ରେୟୀ । ମୁହଁ ଉପରେ ହସ ଖେଳାଇ କହିଲେ, ‘ନିଶ୍ଚୟ ଯିବୁ-। ଠାକୁରଙ୍କୁ ମୋ କଥା ବି କହିବୁ । ମୁଁ ତ ସଂସାର ମାୟାରେ ବାୟାଣୀ ... ମଠ, ମନ୍ଦିର କାହିଁ ଯାଇପାରୁ ନାହିଁ ।’

ଖୁସି ହୋଇ ଆନନ୍ଦ ଚାଲିଗଲା ।

ମିତାକୁ ଦୁଇଦିନ ହେଲା ଦେଖିନାହାଁନ୍ତି । ଲୁଚି ଲୁଚି ରହୁଚି, ତାଙ୍କ ଆଗକୁ ଆସୁ ନାହିଁ । ସେ ପଚାରିଲେ, ‘ମିତାକୁ ଦେଖୁନି... ଘରେ ଅଛି ଯେ କୁଆଡ଼େ ଯାଇଛି ?’

 

- ‘ବଗିଚାରେ ବସିଥିଲା ।’ କହିଲା ଭାସ୍ଵତୀ ।

 

ଭାସ୍ଵତୀକୁ ଛାଡ଼ି ସେ ଉଠିଗଲେ ଝିଅ ପାଖକୁ ।

 

କିନ୍ତୁ ଦୁଇପାଦ ଯାଇଥିବା କି ନାହିଁ ଫୋନ୍‌ ବାଜି ଉଠିଲା ।

 

ରିସିଭରଟା ଉଠାଇ ନେଇ ସେ କହିଲେ, ‘ହାଲୋ !’

 

ସେ ପାଖରୁ କେହି ଜଣେ କହିଲା, ‘କଙ୍ଗ୍ରାଟ୍‌ସ ମିତା ! ସେ ଦିନ ତୁମର ପରଫରମାନ୍‌ସ ଦେଖିଲି ଟିଭିରେ । ମାର୍‌ଭେଲାସ୍‌ । ସେଥିପାଇଁ ଖୋଜୁଥିଲି କଙ୍ଗ୍ରାଚୁଲେସନ ଜଣାଇବା ପାଇଁ । କିନ୍ତୁ ଏହାପରେ ତମ ମନରେ ଆଉ କିନ୍ତୁ ଭାବ ନ ରହେ ଯେପରି... ।’

 

ମିତାର ସ୍ଵର ମୈତ୍ରେୟୀଙ୍କ ସ୍ଵରପରି । ସହଜରେ ମା’ ଝିଅଙ୍କ ସ୍ଵର ମଧ୍ୟରେ ସହଜରେ ପାର୍ଥକ୍ୟ ଧରି ହୁଏ ନାହିଁ । ସେ ପାଖରୁ କହୁଥିବା ଲୋକ ଏ ପାଖରେ ମିତା ଥିବ ଭାବି କେବଳ କହିଚାଲିଥିଲା ସେଦିନ ପରି ।

 

ମୈତ୍ରେୟୀ ଚାହୁଁଥିଲେ ପରିଚୟ ଦବା ପାଇଁ । କିନ୍ତୁ କ’ଣ ଭାବି ମୁହଁ ବନ୍ଦ କରି ରହିଗଲେ ।

 

ସେ କଥା ବନ୍ଦ ନ କରି କହିଚାଲିଥିଲା, ‘ମୋ ଶୋ’ଟା ପଅରଦିନ ଅଛି । ରାତି ଆଠଟାରେ ସ୍ଲଟ୍ ଦଶମିନିଟ ପାଇଁ । ଦେଖିବ ନିଶ୍ଚୟ । ଯଦି ଉଇକ୍‌ ଏଣ୍ଡରେ ଏନ୍‌ଗେଜମେଣ୍ଟ୍ ନ ଥାଏ ଚାଲ ନା ଯିବା ନନ୍ଦନକାନନ । ନିରୋଳାରେ ଶାନ୍ତ ସବୁଜିମା ଭିତରେ ବସି ଗପିବା... କଫି ପିଇବା... ।’

 

କେବଳ ହୁଁ ଶବ୍ଦଟିଏ କଲେ ମୈତ୍ରେୟୀ ପ୍ରସଙ୍ଗ ଚାଲୁ ରଖିବା ପାଇଁ ।

 

‘ତମେ କିଛି କହୁନା କାହିଁକି ? କେହି ପାଖରେ ଅଛି କି ?’

 

ପୁଣି ଟିକେ ଶବ୍ଦ କଲେ ମୈତ୍ରେୟୀ ।

 

ସେ କହିଲା, ‘ମୋ ମୋବାଇଲ ନମ୍ବରଟା ଲେଖିନିଅ... 9937010101 ମନେରଖିବ । ଆଜି ଏତିକି । ବାୟ... ’

 

ଟେଲିଫୋନ୍‍ ରଖିବାର ଶବ୍ଦ ହେଲା ।

 

ମୈତ୍ରେୟୀ ଭାବୁଥିଲେ ମିତା ଓ ତା’ ସାଙ୍ଗ ବିଷୟରେ । ରମାଦେବୀ ମହିଳା କଲେଜର ଛାତ୍ରୀ ସେ । ସେ ପିଲାଟି ବି ବିଜେବି ବା ୟୁନିଭରସିଟିରେ ପଢ଼ୁଥିବ... ବା ପଢ଼ା ଶେଷ କରି ନୂଆ ନୂଆ ମଡ଼େଲିଂ କରୁଥିବ । ମଡ଼େଲିଂ ଗୋଟିଏ ଆଟ୍ରାକ୍‌ଟିଭ୍‌ ପ୍ରଫେସନ । ସମ୍ଭ୍ରାନ୍ତ ଲକ୍ଷପତିମାନଙ୍କ ବଜାର ଚାହିଦାକୁ ପ୍ରଭାବିତ କରିବା ପାଇଁ ଫେଶନ ସୋ ହୁଏ । ମଡ଼େଲମାନେ ନିଜକୁ ପ୍ରଦର୍ଶନୀର ବସ୍ତୁପରି ଦେଖାନ୍ତି ଦର୍ଶକମାନଙ୍କୁ । ବାଟ ଖୋଲିଯାଏ ସେମାନଙ୍କର । ଟିଭି ସିରିଏଲ, ଚଳଚ୍ଚିତ୍ର ଜଗତରେ ଏଇ ବାଟ ଦେଇ ପ୍ରବେଶ କରିବା ସହଜ । ତା’ପରେ ପ୍ରଜାପତି ପରି ଉଡ଼ି ବୁଲିବାହିଁ ହୁଏ ନିଶା ।

 

ନା, ମିତାକୁ ରୋକିବାକୁ ହେବ । ଏଇ ପ୍ରଥମାବସ୍ଥାରେ ତାକୁ ଫେରାଇ ଆଣିବ ସମ୍ଭବ ହୋଇପାରେ । କିନ୍ତୁ ଥରେ ନିଶା ଲାଗିଗଲେ ସେ ଆଉ ମାନିବ ନାହଁ, ପ୍ରତିବନ୍ଧକ ଡେଇଁ ଦୌଡ଼ିବ ଆଗକୁ । ସେତେବେଳେ ତା’ର ଟେର ପାଇବା କଷ୍ଟକର ହେବ ।

 

ବଗିଚାରେ ଥିଲା ମିତା । ମୋବାଇଲରେ କାହା ସହିତ କଥା ହେଉଥିଲା । ପଛଆଡୁ ଯାଇ ଗଛ ଆଡ଼ୁଆଳରେ ଛିଡ଼ା ହେଲେ ମୈତ୍ରେୟୀ । ଲାଜ ଲାଗୁଥିଲା ଝିଅର ଅଜ୍ଞାତରେ ତା’ କଥାଭାଷା ଶୁଣିବା ପାଇଁ । କିନ୍ତୁ ନିଜକୁ ଶାସନ କରି କହିଲେ, ଝିଅ କେଉଁ ବାଟରେ ଯାଉଛି ତାହା ମା’ ଜାଣିବା ଅନ୍ୟାୟ ନୁହେଁ । ସମୟ ଦେଖି ସଂଶୋଧନ କଲେ ସଂକଟ ଟାଳି ଦେଇ ହେବ ।

 

ମିତା କହୁଥିଲା, ‘ତମେ ମୋତେ କହିନ ଆଉ କାହାକୁ କହିଥିବ । ଦୁଇଥର ଆମ ଘରକୁ ଫୋନ୍‍ କଲ, କିନ୍ତୁ ମୁଁ ଫୋନ୍‍ ଧରିଲି ବୋଲି ଜାଣିଲ କିପରି ? ଛି ଛି ତୁମର ବୋକାମୀ ଦେଖି ମୁଁ ନିଜକୁ ଅସୁରକ୍ଷିତ ମନେକରୁଛି...।’

 

ସେପଟରୁ ବୋଧହୁଏ ସେଇ ଟୋକା ଧରିଥିଲା ଫୋନ୍‍... ।

 

‘ଟିଭି ଶୋ ଦେଖିପାରିଲି ନାହିଁ । ତମେ ଠିକ୍‌ ସମୟରେ ମୋତେ ଜଣାଇଲ ନାହିଁ... କାହା ସହିତ କଥା ହେଲ ମୁଁ କିଛି ଜାଣିଲି ନାହିଁ । ହଉ, ଯାହା ହେବାର ତ ହୋଇଗଲାଣି । ଏବେ ଅନ୍ତତଃ ଟିକେ ସାବଧାନ ହୁଅ ।’

 

ସେ କ'ଣ କହିଲା କେଜାଣି ନରମି ଯାଇ ପୁଣି କହିଲା ମିତା, ‘ମୁଁ ରାଗିନି, କେବଳ ତୁମକୁ ସାବଧାନ କରି ଦେଉଛି । ତମେ ନନ୍ଦନକାନନ ବା ଚିଲିକା ଯିବା ପାଇଁ କହୁଛ... କିନ୍ତୁ ମୁଁ କେମିତି ମା'ଙ୍କୁ ମନାଇବି ଜାଣିପାରୁନି... ପିଲାମାନେ ଏକ୍ସକରସନରେ ବା ପିକ୍‌ନିକ୍‌ରେ ଯାଉଛନ୍ତି କହି ଠକି ହେବନି... ସେ ଖବର ପାଇଯିବେ ମା’ । ବରଂ ମୋ କଥା ଶୁଣ... ମୁଁ ସକାଳେ କ୍ଲାସ୍‌କୁ ନ ଯାଇ ତମ ସହିତ ବାହାରିଯିବି ପୁରୀ... ଘଣ୍ଟାଏ କୋଡ଼ିଏ ମିନିଟର ବାଟ । ଏଗାରଟା ବେଳକୁ ପହଞ୍ଚିଯିବା... ତିନିଟାବେଳକୁ ବାହାରି ଆସିଲେ ପହଞ୍ଚିବା ପାଇଁ ବିଳମ୍ବ ହେବ ନାହିଁ... କେହି ଜାଣିପାରିବେ ନାହିଁ ।’

 

ସେ ବୋଧହୁଏ ରାଜି ହେଲା ଏବଂ ଏପରି ସୁଚିନ୍ତିତ ଯୋଜନା କରିଥିବାରୁ ପ୍ରଶଂସା କଲା ମିତାର । ଏପଟୁ ମିତା କହିଲା, ‘କଥା ପକ୍କା... ଫେଲ ମାରିବନି କହୁଛି । କଲେଜରେ ତ ସାତଖୁନ୍‌ ମାଫ... କିଏ କାହା କଥା ପଚାରେ... ମୁଁ ରଖୁଛି ତା’ ହେଲେ...ଦେଖାହେବ ପୁଣି.. ବାୟ... ।

 

ମିତାର କଥା ଶେଷ ହେବା ପୂର୍ବରୁ ସେ ଶୁଣିପାରିବା ପରି ସ୍ଵରରେ ଡାକି ଡାକି ଆସୁଥିଲେ ମୈତ୍ରେୟୀ । ତାଙ୍କୁ ପାଖରେ ଦେଖିବା କ୍ଷଣି ମୋବାଇଲଟା ଲୁଚାଇ ଦେଲା ମିତା । ମୈତ୍ରେୟୀ କିଛି ନ ଜାଣିବା ପରି କହିଲେ, ‘ତୁ ବଗିଚାରେ ବୁଲୁଛୁ... ତୋତେ ମୁଁ ଘରସାରା ଖୋଜୁଛି... ଜଳଖିଆ ଖାଇଛୁ‌ କି ନାହିଁ ?’

 

‘ଖାଇଛି ମା’... ଚାଲି ଆସିଥିଲି ବଗିଚାକୁ... ଦେଖିବାକୁ ଫୁଲଗଛରେ କେତେ ଫୁଲ ଫୁଟିଛି... ।’

 

ମୈତ୍ରେୟୀ କହିଲେ, ‘ଫୁଲମାନଙ୍କଠାରୁ ମଣିଷ ଶିଖନ୍ତା କି... ଫୁଲ କେଡ଼େ ନିଷ୍ପାପ, ପବିତ୍ର । ଯଦି ଜଗତରେ ସମସ୍ତେ ବୁଝନ୍ତେ ତେବେ ଏତେ ଅପରାଧ, ଏତେ ପାପ ନ ଥାନ୍ତା.. ।’

 

ମିତା କିଛି କହିଲା ନାହିଁ ।

 

ତା’ ହାତ ଧରି ମୈତ୍ରେୟୀ କହିଲେ, ‘ମୁଁ ସାତଟାବେଳକୁ ବାହାରକୁ ଯିବି । ଫେରିବାବେଳକୁ ନଅଟା କି ଦଶଟା ବାଜିବ । ଆନନ୍ଦକୁ ତୁ ଦେଖିବୁ, ମୋର ଆସିବା ପାଇଁ ଅପେକ୍ଷା ନ କରି ଖାଇନବ । ପିଉସୀକୁ କହି ଦେଇଛି । ଆଉ ଯଦି କେହି ଫୋନ୍‌ କରେ ତେବେ ଏଇ କଥା କହିଦବୁ... ।’

 

ମିତା କହିଲା, ‘ମା’, ତମେ ମୋ ପରେ ରାଗିଛ ?’ ମୈତ୍ରେୟୀ କହିଲେ, ‘ତୋ ଉପରେ କାହିଁକି ରାଗିବି ଯେ...’

 

‘ନା, କିନ୍ତୁ ମୁଁ ସେଦିନ ଗୀତ ଗାଉଥିବାବେଳେ ତମେ ଝରକା ପାରିହୋଇ ଚାଲିଗଲା ପରି ମୋତେ ଲାଗିଲା, ତା’ପରେ ମୁଁ ତୁମ ମୁହଁରେ ହସ ଦେଖିନି... ଚିନ୍ତାର ରେଖା ବରଂ ଗଣି ହେଉଛି । ମୋତେ ବିଶ୍ଵାସ କର ମା’, ମୁଁ ଏମିତି ଗୁଣୁ ଗୁଣୁ ହୋଇ ଗୀତ ବୋଲୁଥିଲି... ।’ ମୈତ୍ରେୟୀ କିଛି କହିଲେ ନାହିଁ ।

 

(କୋଡ଼ିଏ)

 

ବାଣୀ ଯେ ଦିନେ କବିତା ଲେଖୁଥିଲେ ପ୍ରଥମ ଜାଣିଲେ ମୈତ୍ରେୟୀ । କଲେଜରେ ପଢ଼ିବାବେଳେ ସେ ଗୀତ ମଧ୍ୟ ଗାଉଥିଲେ ।

 

ବନ୍ଧୁ ମିଳନକୁ ଯେଉଁମାନେ ଆସିଥିଲେ ସେମାନେ ତାଙ୍କ ସମସାମୟିକ । କେବଳ ମୈତ୍ରେୟୀ ଥିଲେ ବୟସରେ ସମସ୍ତଙ୍କଠାରୁ ସାନ । ବନ୍ଦନା, ଶ୍ରୀମୟୀ, ଚନ୍ଦନା, ଚାରୁଲତା, ସୁଧା ଓ ମଧୁଛନ୍ଦା ଆସିଥିଲେ ବନ୍ଧୁ ମିଳନକୁ । ବନ୍ଦନା ଡାକ୍ତରାଣୀ ଏବଂ ବିବାହିତା, ଶ୍ରୀମୟୀ ଓଡ଼ିଶା ପ୍ରଶାସନିକ ସେବା ଏବଂ ଅବିବାହିତା, ଚନ୍ଦନା ଗୃହବଧୂ ଏବଂ ଆକାଶବାଣୀର ଶିଳ୍ପୀ, ଚାରୁଲତା ନୃତ୍ୟାଙ୍ଗନା ଏବଂ ସ୍ୱାମୀ ଚିତ୍ରଶିଳ୍ପୀ, ସୁଧା ସ୍ଵାମୀ ପରିତ୍ୟକ୍ତା ଏବଂ ମଧୁଛନ୍ଦା ବିବାହ କରିବାର ପନ୍ଦରଦିନ ପୂରିବାବେଳକୁ ସ୍ୱାମୀଙ୍କୁ ଛାଡ଼ି ସ୍ଵାଧୀନ ଜୀବନ ଯାପନ କରୁଛନ୍ତି ଏ ପର୍ଯ୍ୟନ୍ତ କିନ୍ତୁ କେହି କାହାକୁ ଛାଡ଼ପତ୍ର ଦେଇନାହାଁନ୍ତି କିମ୍ବା ଆଉଥରେ ବିବାହ କରିନାହାଁନ୍ତି ।

 

ମଧୁଛନ୍ଦା କହିଲେ, ‘ତମେମାନେ ଜାଣ କି ନା ମୁଁ ଜାଣିନି, କିନ୍ତୁ ଆଜି ତୁମ ସମସ୍ତଙ୍କୁ ଏମିତି ଗୋଟେ ଖବର ଦେବି ଯାହା ସମସ୍ତଙ୍କୁ ଚମକାଇ ଦବ । ଦ୍ରୌପଦୀ ପାଞ୍ଚ ପାଣ୍ଡବଙ୍କ ମଧ୍ୟରୁ ଅର୍ଜୁନଙ୍କୁ ବେଶୀ ପସନ୍ଦ କରୁଥିଲେ ସମସ୍ତେ ଜାଣନ୍ତି, କିନ୍ତୁ କର୍ଣ୍ଣଙ୍କୁ ସେ ବାହା ହୋଇପାରିଲେନି ବୋଲି ତାଙ୍କ ମନରେ ଯେ ଗୋଟେ ଅବଶୋଷ ରହିଗଲା ଏକଥା କେତେଜଣ ଜାଣନ୍ତି ? ତା’ଠାରୁ ବଳି ଆହୁରି ବଡ଼ ରହସ୍ୟ ହେଉଚି ଏହାସତ୍ତ୍ୱେ ଶ୍ରୀକୃଷ୍ଣଙ୍କ ସଖୀ ହେବା ପାଇଁ ସବୁଠାରୁ ବେଶୀ ଆଗରେ ଥଲେ ସେ ।

 

ମୈତ୍ରେୟୀ କହିଲେ, ‘ମଧୁଅପା, ତମେ ଏତେକଥା କହିବା ପରେ ବିସ୍ଫୋରଣ ଘଟାଇବା ପରି କିଛି କୁହ...।’

 

ସମସ୍ତେ ମଧୁଛନ୍ଦାଙ୍କ ମୁହଁକୁ ଅନାଇଲେ ଉତ୍କଣ୍ଠାର ସହିତ । ମଧୁଛନ୍ଦା ଏମିତି କ’ଣ ଜାଣିଛନ୍ତି ଏବଂ ତାହା ଆଉ କେହି ଜାଣିନାହାଁନ୍ତି ଏଇକଥା ସମସ୍ତଙ୍କୁ ଉତ୍କଣ୍ଠାରେ ଭରି ଦେଇଥିଲା । ବାରୀ ଆଖିରେ ଇଙ୍ଗିତରେ ଆଉ ଅଗ୍ରସର ନ ହେବା ପାଇଁ କହିଲେ ମଧୁଛନ୍ଦାଙ୍କୁ । କିନ୍ତୁ ସେ ଦବିଯିବର ପାତ୍ରୀ ନୁହଁନ୍ତି । ତାଙ୍କ ଶବ୍ଦ ପ୍ରୟୋଗରେ ଏମିତି ମାଧୁର୍ଯ୍ୟ ଥାଏ ଯେ ସେ ମୁହଁ ଫିଟାଇଲେ ସମସ୍ତେ ଅନାନ୍ତି ତାଙ୍କୁ ମୁହଁଙ୍କୁ ସେ କ’ଣ କହିବେ ଶୁଣିବା ପାଇଁ ।

 

ଚିତ୍ରଲେଖା ପଚାରିଦେଲେ, ‘ମଧୁ ତୁ କହୁନୁ ତୁ କାହିଁକି ଅନୁପମଙ୍କୁ ଛାଡ଼ି ଚାଲି ଆସିଲୁ-। ତାଙ୍କୁ ତ ତୁ ବାଛିଥିଲୁ ବାହା ହେବୁ ବୋଲି !’

 

ମଧୁଛନ୍ଦା ମୁହଁ ଉପରେ ଧାରେ ହସ ଖେଳାଇ କହିଲେ, ‘ମୁଁ ତାଙ୍କୁ ବାଛିଥିଲି ବୋଲି ତ ଆଉଥରେ ବାହା ହେଲିନି । ମଧୁରତା ସେତିକିରେ ରହିଲା ଝୁରି ହେବା ପାଇଁ ସାରାଜୀବନ... । କିନ୍ତୁ ମୁଁ ଦାସୀ ହୋଇପାରିଲି ନାହିଁ । ପୁରୁଷ ଯେ ମୋଠାରୁ ଉପରେ ଏହା ଗ୍ରହଣ କରିପାରିଲି ନାହିଁ ।’

 

‘ଟିକେ ମାନି ଯାଇଥିଲେ ମଧୁର ଦାମ୍ପତ୍ୟ କେଡ଼େ ସୁଖମୟ ହୋଇଥାନ୍ତା ସେତକି ଭାବୁଲୁନି କାହିଁକି ?' କହିଲେ ଚନ୍ଦନା ।

 

‘ତୋ ସ୍ଵାମୀ ପରି ସମସ୍ତେ କ’ଣ ଦାସ ହୋଇପାରିବେ ଚନ୍ଦନା ? ମୁଁ କିନ୍ତୁ ଘୋଡ଼ା ଉପରେ ସବାର ହେବା ଶିଖିଛି... ତମେସବୁ ସେଇ କଳା ଶିଖ । ସ୍ୱାମୀମାନେ କୁକୁର ପରି ପ୍ରଂଶସାରେ ଲାଞ୍ଜ ହଲାଉଥିବେ... ।’ ଉପରେ ପଡ଼ି କହିଲେ ଚାରୁଲତା ।

 

ମଧୁଛନ୍ଦା ଯେଉଁ ବିସ୍ଫୋରକ ତଥ୍ୟ କହିବା ପାଇଁ ଚାହୁଁଥିଲେ କିନ୍ତୁ ତାହା ନ କହି ମୁହଁ ବନ୍ଦ କରିଦେଲେ । ସେଇ ରସହ୍ୟ ଜାଣିବା ପାଇଁ କହିଲେ ଚନ୍ଦନା ‘ତୁ କହୁନୁ କ’ଣ ବିସ୍ଫୋରକ ତଥ୍ୟ ଶୁଣାଇବୁ କହୁଥିଲୁ ।’

 

ବାଣୀ ଉଠି ବସି କହିଲେ ତମେ ଗପୁଥା, ମୁଁ ସୁପ୍‌ଟା ହେଲା କି ନାହିଁ ଦେଖି ଆସେ...-।' ତାଙ୍କ ମୁହଁ ଦେଖି ଅନୁମାନ କରୁଥିଲେ ମୈତ୍ରେୟୀ ଯେ ନିଜ ବିଷୟରେ ବନ୍ଧୁ ମେଳରେ କୌଣସି ଗୋପନ ତଥ୍ୟ କେହି କହୁ ଏହା ସେ ଏଡ଼ିଯିବା ପାଇଁ ଚାହୁଁଥିଲେ । ତାଙ୍କୁ ଚାରୁଲତା ବସାଇ ଦେବା ଆଗରୁ ସେ ଖସିଗଲେ ଏବଂ ପ୍ରାୟ ଦୌଡ଼ିବା ପରି ଗତିରେ ଘର ଭିତରେ ପ୍ରବେଶ କଲେ-

 

ସୁଧା କହିଲେ, ‘କିନ୍ତୁ ପ୍ରେମମୟୀ ଓ ବାଣୀ ସେମାନେ କାହିଁକି ବାହା ହେଲେ ନାହିଁ, ସଂସାର ସୁଖ ଜାଣିଲେ ନାହିଁ ଆଗେ କହିଲୁ ?’

 

ଚନ୍ଦନା କହିଲେ, ‘ବାଣୀ ଆସୁ, ସେ କୋଡ଼ିଏ ବାଇଶ ବର୍ଷ ପୂର୍ବେ ଲେଖିଥିବା ଗୋଟିଏ ଗୀତି କବିତା ମୁଁ ଗାଇବି ତୁମମାନଙ୍କ ଆଗରେ... ।'

 

ସମସ୍ତେ ଉତ୍‌କୀର୍ଣ୍ଣ ହୋଇ ଅନାଇ ରହିଲେ ତାଙ୍କ ମୁହଁକୁ । ବାଣୀ ଆସୁଥିବ ବିଳମ୍ବ ହେବାରୁ ଦଉଡ଼ିଗଲେ ସୁଧା ତାଙ୍କୁ ଡାକି ଆଣିବା ପାଇଁ । ଅଳ୍ପ ସମୟ ପରେ ଆସ୍‌ପରଗାସ ସୁପ୍‌ ଧରି ସେ ପହଞ୍ଚିଲେ ସଭାସ୍ଥଳରେ । ସମସ୍ତଙ୍କ ହାତକୁ କପେ କପେ ଗରମ ସୁପ୍‌ ବଢ଼ାଇ ଦେଇ କହିଲେ ବାଣୀ, ‘ତମେ ସବୁ ମୋ ପିଛା ଲାଗିଛ କାହିଁକି କହିଲ ? ମୋ କଥା ମୋ ଭିତରେ ଥାଉ, ଏତକ ସ୍ଵାଧୀନତା ମୋତେ ଦବନି ତମେ ସବୁ ?’

 

‘ନା, ନା... ।’ ସମସ୍ୱରରେ ସମସ୍ତେ କହିଲେ ।

 

ଚନ୍ଦନା ସୁପ୍‌ରୁ ଢୋକେ ପିଇ ସୁର ଧରିଲେ,

 

ଆକାଶରେ ଚିଠି ଲେଖେ, ପବନରେ ଭାସେ ମୋର ସୁର

ତମେ କିଗୋ ଜହ୍ନରାତି ଦୂରରେ ଥିଲେ ବି ନୁହଁ ମୋଟେ ଦୂର ।

 

ଏଇ ପଦକ ଗୀତ ପରିବେଶକୁ ଏକାବେଳେ ବଦଳାଇ ଦେଲା । ଚନ୍ଦନାର ମଧୁଝରା କଣ୍ଠରୁ ଗୀତ ଝରୁଥିଲାବେଳେ ବାଣୀଙ୍କ ମୁହଁ ଉପରେ ଉକୁଟି ଉଠିଥିଲା ପୂର୍ବରାଗର ଅରୁଣିମା ।

 

ପରିବେଶ ଏତେମଧୁର ଓ ଗଭୀର ହୋଇଉଠିଥିଲା ଯେ ସମସ୍ତେ ଗୀତ ଶୁଣୁଥିଲାବେଳେ ଅଣ୍ଡାଳୁ ଥିଲେ ଅନ୍ତର ଭିତରେ କେଉଠି ରହିଛି ରାଜପୁତ୍ର । ସମସ୍ତଙ୍କ ଭାବନାର ସ୍ରୋତ ଖୋଜୁଥିଲା ସାଗର ସହିତ ମିଳିତ ହେବା ପାଇଁ । କିନ୍ତୁ ସମସ୍ତଙ୍କ ଭାଗ୍ୟରେ କ’ଣ ଥାଏ ସେଇ ସୁଖ ? ସମସ୍ତ ସ୍ଵପ୍ନବୁଡ଼ାଳିମାନେ କ’ଣ ସମୁଦ୍ର ଭିତରୁ ଖୋଜି ଆଣିପାରନ୍ତି ମୁକ୍ତା ?

 

ମୈତ୍ରେୟୀଙ୍କ ଅନ୍ତର ଭିତରେ ବାଣୀଙ୍କ ବିରହ ବେଦନା କାହିଁକି କେଜାଣି ଲହଡ଼ି ଭାଙ୍ଗୁଥିଲା । ସେ ଜାଣିବାକୁ ଚାହୁଁଥିଲେ କାହିଁକି ଏଇ ଅନୁପମା ମହିଳା ରହିଗଲେ ଅବିବାହିତା ? ତାଙ୍କର ସ୍ଵପ୍ନର ରାଜକୁମାର କିଏ ? ତାକୁ ଯଦି ସେ ଠାବ କରିପାରନ୍ତେ ତେବେ ବାଟବରଣ କରି ବାଣୀଙ୍କ ହାତରେ ସମର୍ପଣ କରି ଦେଇ କହନ୍ତେ, ‘ବାଣୀ ନାନୀ, ତମର ସ୍ଵପ୍ନ-ପୁରୁଷକୁ ନିଅ... ସେ ବାଟବଣା ରାଜହଂସ ପରି ବୁଲୁଥିଲେ ଘନ କୁହୁଡ଼ି ଭିତରେ । ମୁଁ ତାଙ୍କୁ ପାଇଛି... ସେ କେବଳ ତୁମର... ତୁମର... ।’

 

ସୁପ୍‌ ଶେଷ ହୋଇ ଯାଇଥିଲା । କିନ୍ତୁ ଗୀତର ମୂର୍ଚ୍ଛନା ଭାସି ବୁଲୁଥିଲା ପବନରେ । ସମସ୍ତେ ନିଜ ନିଜର ଅନ୍ତର ଭିତର ଦରାଣ୍ଡି ପକାଉଥିଲେ ସେଇ ଜଣକୁ ଯାହାକୁ ପାଇବି ସେମାନେ ପାଇ ନାହାଁନ୍ତି, ଯାହା ସହିତ ସଂସାର କରିବି ସଂସାର ବାହାରେ ରହିବା ପରି ଅନୁଭବ ହେଉଛି । ସେଇ ଭାବ ସମୁଦ୍ରରେ ବୁଡ଼ିବା ପାଇଁ ଇଚ୍ଛା ହେଉଥିଲା ସମସ୍ତଙ୍କର ।

 

ଖିଆପିଆ ଶେଷ ହେଲା । ଜଣ ଜଣ କରି ସମସ୍ତେ ବିଦାୟ ନେଇ ଚାଲିଗଲେ ସେଠାରୁ, କିନ୍ତୁ ସବା ପଛରେ ରହିଗଲେ ମୈତ୍ରେୟୀ ।

 

ବାଣୀ ମୁହଁକୁ ପୋତି ବସିଥିଲେ ଧ୍ୟାନସ୍ଥ ପରି । ହଜି ଯାଇଥିଲେ କେଉଁ ଏକ ଅଗନା ଅଗନି ବନସ୍ତରେ । ଖୋଜୁଥିଲେ ତାଙ୍କ ସ୍ଵପ୍ନର ମଣିଷକୁ, ଛାତି ତଳର ସ୍ପନ୍ଦନକୁ ଏବଂ ଇହକାଳ ଓ ପରକାଳର ପ୍ରେମମୟ ପୁରୁଷକୁ ।

 

ମୈତ୍ରେୟୀ ହାତ ବୁଲାଇ ଆଣିଲେ ତାଙ୍କ ହାତ ଉପରେ । ଆଉଁସି ଦେଲେ ପିଠି ।

 

ସହାନୁଭୂତି ସ୍ପର୍ଶ ପାଇ ହଠାତ୍‌ ଶିଶୁପରି ଗୁମୁରି ଗୁମୁରି କାନ୍ଦି ଉଠିଲେ ବାଣୀ ଖେଳଣା ହଜାଇ ଦବା ପରେ ଶିଶୁ ଯେପରି କାନ୍ଦେ ।

 

ମୈତ୍ରେୟୀ କିଛି କହିଲେ ନାହିଁ, କେବଳ ତାଙ୍କ ଆଖିରୁ ଝରୁଥିବା ଲୁହ ଓ ଛାତିତଳୁ ଉଠୁଥିବା କୋହର ଗଭୀରତା ଉପଲବ୍ଧି କରୁଥିଲେ ।

 

କିଛି ସମୟ ବିତିଗଲା ।

 

ନିସ୍ତବ୍ଧତାର କରୁଣତା ଛାଇ ଯାଇଥିଲା ପରିବେଶକୁ । ମୈତ୍ରେୟୀଙ୍କ ଚାଲିଯିବାର ବେଳ ହେଲା । ସେ କିନ୍ତୁ ବାଣୀଙ୍କୁ ସେପରି ଅସହାୟ ମୁହୂର୍ତ୍ତରେ ଏକା ଛାଡ଼ି ଚାଲିଯାଇ ପାରୁ ନ ଥିଲେ । ତାଙ୍କୁ କ’ଣ କହି ସାନ୍ତ୍ୱନା ଦେବେ ତାହା ଭାବି ପାରୁ ନ ଥିଲେ ।

 

ବାଣୀ ଧୀରେ ଧୀରେ ସମ୍ଭାଳି ନେଲେ ନିଜକୁ ।

 

ଆଖି ପୋଛି କହିଲେ, ‘ମୈତ୍ରେୟୀ, ତୁମ ପାଖରେ ଋଣୀ ହୋଇ ରହିଗଲି, ସାଙ୍ଗମାନେ ଯିଏ ଯୁଆଡ଼େ ଚାଲିଗଲେ, କେବଳ ତମେ ରହିଗଲ ମୋର ଏଇ ନିର୍ଜନତା ଉପଲବ୍ଧି କରିବା ପାଇଁ-। ମଣିଷ ହାରିଗଲେ କେଡ଼େ ଅସହାୟ ହୋଇଯାଏ ରଣଭୂମିରେ ତାହା ଆଉ କେହି ଅନୁଭବ କରିପାରିବ ନାହିଁ । ତମ ଭିତରେ କିନ୍ତୁ ମମତାର ପ୍ରସ୍ରବଣଟିଏ ପ୍ରବାହିତ ହେଉଛି ନୀରବରେ । ସେଇ ପ୍ରସ୍ରବଣର ଉଷ୍ମତା ପାଇ ମୁଁ ଧନ୍ୟ ହୋଇଛି... ସେଦିନ ବି କହିଥିଲି, ଆଜି ପୁଣି କହୁଛି ଯେ ତମେ ଦୂରର ମଣିଷ ନୁହଁ... ମୋର ଅତି ନିକଟର ସାନ ଭଉଣୀ ।’

 

ମୈତ୍ରେୟୀଙ୍କୁ ଟାଣି ନେଇ କୁଣ୍ଢାଇ ପକାଇଲେ ବାଣୀ । ସ୍ଥାନ, କାଳ ପାତ୍ର ଭୁଲିଗଲେ । ବାୟାଣୀ ପରି ମୈତ୍ରେୟୀଙ୍କ ମୁହଁ ଦେହ ଚୁମାରେ ଭର୍ତ୍ତିକରି ଦେଲେ । ଦେହରେ ଠୁଳ ହୋଇଥିବା ଉଷ୍ମତାର ନିର୍ଝରଟିଏ ସେଇ ପ୍ରସ୍ରବଣରେ ମିଶିଗଲା ।

 

ମୈତ୍ରେୟୀ ସ୍ତବ୍ଧ ହୋଇ ତାଙ୍କ ଛାତି ଉପରେ ଶୋଇଥିଲେ ।

 

ବାଣୀ କହିଲେ, ‘ତମକୁ ଅନେକ କିଛି କହିବା ପାଇଁ ଇଚ୍ଛା ହେଉଛି, କିନ୍ତୁ କହିପାରୁନି... ତମେ ମୋ’ଠାରୁ ବୟସରେ ସାନ କିନ୍ତୁ ଭାବ ଐଶ୍ଵର୍ଯ୍ୟର ଅଧିକାରିଣୀ ତମେ ।’

 

କିଛି ବୁଝିପାରୁ ନ ଥାନ୍ତି ମୈତ୍ରେୟୀ । ପ୍ରେମାତୁରା ନାରୀର ଆଲିଙ୍ଗନ ଯେ ଏଡ଼େ ରୋମାଞ୍ଚକର ସେ ଆଜି ବୁଝିଲେ । ତାଙ୍କୁ କହିବାକୁ ହେଲା ନାହିଁ, ବାଣୀ କହିଲେ, ରାତି ହେଲାଣି, ପୁଅ ଝିଅ ପରିବାର ଅପେକ୍ଷା କରିଥିବେ । ତମକୁ ଏଥର ଯିବାକୁ ହେବ... ଉଠ ।’

 

ମୈତ୍ରେୟୀ ଭାବୁଥିଲେ, ଏପରି ବିଦଗ୍ଧା ନାରୀଟିକୁ ଏକାକିନୀ ଛାଡ଼ି ଦେଇ ସେ କ’ଣ ନିଶ୍ଚିନ୍ତରେ ରହିପାରିବେ ?

 

ଅନ୍ୟ ଗତି ନ ଥିଲା । ମୈତ୍ରେୟୀ ଉଠିଲେ । ତାଙ୍କୁ ଗାଡ଼ି ପାଖକୁ ବାଟ କଢ଼େଇ ନେଇଯିବା ପୂର୍ବରୁ ଆଉ ଥରେ ତାଙ୍କୁ ଚୁମା ଦେଇ କହିଲେ ବାଣୀ, ‘ଆଜି ସଂଧ୍ୟା ମୋ ଜୀବନର ସ୍ମୃତି -ଐଶ୍ଵର୍ଯ୍ୟ ହୋଇ ରହିବ । ମୁଁ କେବେ ତୁମକୁ ଭୁଲିବି ନାହିଁ ।’

 

ମୈତ୍ରେୟୀଙ୍କ ଆଖି ଛଳ ଛଳ ହୋଇ ଆସିଲା ।

 

ସେ ପାଦ ବଢ଼ାଇବା ଆଗରୁ ବାଣୀ ଘର ଭିତରୁ ଗୋଟେ ବଡ଼ ଲଫାପା ଆଣି ତାଙ୍କ ହାତକୁ ବଢ଼ାଇ ଦେଇ କହିଲେ, ‘ଯାହା କେହି ଜାଣନ୍ତି ନାହିଁ, କାହାକୁ ବି ମୁଁ କହିନି ସେଇ କଥାର ଆଦ୍ୟପ୍ରାନ୍ତ ଅଛି ଏଇ ସବୁ ଚିଠି ଓ କବିତାରେ । ଏବେ ନୁହେଁ, ଏସବୁ ଚିଠି ଓ କବିତା ଲଫାପା ଭିତରେ ବନ୍ଦ ହୋଇ ରହିଥାଉ । ଦିନ ଆସିବ ଯେତେବେଳେ ମୁଁ ନ ଥିବି । ସେତେବେଳେ ଦିନେ ନିର୍ଜନ ଦିପ୍ରହରବେଳେ ତମେ କବାଟ ବନ୍ଦ କରି ଏ ଚିଠିଗୁଡ଼ାକୁ ପଢ଼ିବ... ଏ କବିତାଗୁଡ଼ାକୁ ଆବୃତ୍ତି କରିବ । ଆଉ ଯଦି ପାର ମୋତେ କ୍ଷମା କରିଦବ... ।’

 

ଗାଡ଼ି ବାଣୀବିହାର ଛକ ଅତିକ୍ରମ କରୁଥିବାବେଳେ ତାଙ୍କର ମନେପଡ଼ିଗଲା ଯେ ଦୁଇଦିନ ପରେ ତାଙ୍କୁ ଋଷିଭ୍ୟାଲି ଯିବାକୁ ପଡ଼ିବ ସ୍ଵାତୀକୁ ଆଣିବା ପାଇଁ । ରିଜର୍ଭେସନ ହେଲା କି ନାହିଁ, ଯିବାବେଳେ ସରୋଜଙ୍କଠାରୁ ବୁଝିଗଲେ ଚଳିବ । ତା’ ଛଡ଼ା ସେ ଫେରିବାବେଳକୁ ପାଞ୍ଚ ଛ ଦିନ ଲାଗିଯିବ, ସେଇ ସମୟରେ ଯଦି ବିଶ୍ୱମୋହନ ଆସିଯାଆନ୍ତି ତେବେ ତାଙ୍କୁ ଅଟକାଇବାକୁ ପଡ଼ିବ ସେ ଫେରିବା ପର୍ଯ୍ୟନ୍ତ । ଅନଙ୍ଗ ଯେ କୌଣସି ଦିନ ବିଦେଶ ଯାତ୍ରା କରିବାର ସୂଚନା ରହିଥିବାରୁ ଘରର ହାଲଚାଲ ସରୋଜଙ୍କୁ ବୁଝିବାକୁ ହେବ । ଅପୁ ଏ ପର୍ଯ୍ୟନ୍ତ ଫେରି ନ ଥିବା ଉଦ୍‌ବଦେଗର କାରଣ । ହୁଏତ ଅପୁ ଫେରି ଆସିପାରେ, କିନ୍ତୁ ଯଦି ବିଳମ୍ବ ହୁଏ ତେବେ ପୁଲିସ୍‍ ମହାନିର୍ଦ୍ଦେଶକ ଓ ହୋମ୍‍ ସେକ୍ରେଟାରୀଙ୍କ ଦୃଷ୍ଟିକୁ ଏ ବିଷୟ ଆଣିବାକୁ ପଡ଼ିବ । ଉଗ୍ରବାଦୀମାନଙ୍କ ତିତ୍ତ୍ୱାବଧାନରେ ଥିଲେ ଭୟ ନାହିଁ; କିନ୍ତୁ ଯଦି ପୁଲିସ୍‍ ସହିତ ସେମାନଙ୍କର ସଂଘର୍ଷବେଳେ ଅପୁ ଓ ତା’ ସାଥିମାନେ ମଧ୍ୟ ହାବୁଡ଼ରେ ପଡ଼ିଯାଆନ୍ତି ତେବେ ହୁଏତ ସେମାନେ ଆହତ ହେବେ ବା ଗିରଫ ହେବେ । ଏପରି ବିପଦ ରହିଥିବାବେଳେ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ସତର୍କ କରିଦେଇଥିଲେ ଯଦି ବି ସେମାନେ ଉଗ୍ରବାଦୀଙ୍କ ସହିତ ଏକା ସାଙ୍ଗରେ ଧରାପଡ଼ନ୍ତି ତେବେ ସେମାନଙ୍କୁ ମୁକୁଳାଇବା ସମ୍ଭବ ହେବ ।

 

ଏତେସବୁ ଚିନ୍ତା ନେଇ ସେ କିପରି ଘରୁ ବାହାରିଯିବେ ତାହାହିଁ ତାଙ୍କୁ ଉଦ୍‌ବିଗ୍ନ କରୁଥିଲା । ପାଞ୍ଚବର୍ଷର ଶିଶୁ ସ୍ଵାତୀ । ତାକୁ ଶୀଘ୍ର ଘରକୁ ନ ଆଣିଲେ ତା’ ସ୍ଵାସ୍ଥ୍ୟର ଆହୁରି ଅବନତି ହୋଇପାରେ । ଏଣେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଯଦି ମିତା କିଛି କରିବସେ ତେବେ ମହରଗରୁ ଯାଇ କାନ୍ତାରରେ ପଡ଼ିବାକୁ ହେବ ।

 

ଏଇ ବିଷୟ ସବୁ ଭାବୁଥିଲେ ସିନା ମୈତ୍ରେୟୀ କିନ୍ତୁ ଏସବୁର ସମାଧାନ ଦିଶୁ ନ ଥିଲା-। ତଥାପି ଭଗବାନ ଭରସା, ତାଙ୍କ ଉପରେ ସବୁ ଦାୟିତ୍ଵ ଲଦି ଦେଇ ସେ ବାହାରିଯିବେ ଏବଂ ଫେରିବା ବାଟରେ ଦିନକ ପାଇଁ ହେଲେ ମଧ୍ୟ ପଣ୍ଡିଚେରୀ ଯାଇ ଶ୍ରୀମା’ ଓ ଶ୍ରୀଅରବିନ୍ଦଙ୍କ ସମାଧିପୀଠରେ ମଥା ରଖିବାପାଇଁ ଯଦି ସୌଭାଗ୍ୟ ହୁଏ ତେବେ ତାହା ଏଡ଼ାଇ ଯିବେ କାହିଁକି ? ଏସବୁକୁ ଦୃଷ୍ଟିରେ ରଖି ରିଜର୍ଭେସନ କରିବାକୁ ହେବ ।

 

ରସୁଲଗଡ଼ ଛକରେ ଗାଡ଼ି ପହଞ୍ଚିଲା ପୂର୍ବରୁ ନର୍ସିଂହୋମ୍‍ ଆଗରେ ଗାଡ଼ି ଛିଡ଼ା କରିବା ପାଇଁ ଡ୍ରାଇଭରକୁ କହିଲେ ।

 

କିନ୍ତୁ ଗାଡ଼ି ଛିଡ଼ା ହେବା ପୂର୍ବରୁ ନର୍ସିଂହୋମ୍‍ ସାମ୍ନାରେ ଅଙ୍କିତର ଗାଡ଼ି ଦେଖି ବିସ୍ମିତ ହେଲେ ମୈତ୍ରେୟୀ । ଗାଡ଼ି ଛିଡ଼ା କଲେ ଟିକେ ଦୂରରେ ଏବଂ ନର୍ସିଂହୋମ୍‍ରୁ ଆସୁଥିବାବେଳେ ଅଙ୍କିତ ତାଙ୍କ ଦୃଷ୍ଟିରେ ପଡ଼ିଗଲା । ସେ ଝରକା କାଚ ଉଠାଇ ଦେଲେ ଯେପରି ସେ ବାହାର ଲୋକଙ୍କୁ ଦେଖିପାରିବେ, କିନ୍ତୁ ତାଙ୍କୁ ଭଲଭାବେ ବାହାର ଲୋକ ଦେଖି ପାରିବେ ନାହିଁ ।

 

ଅଙ୍କିତକୁ ପୋର୍ଟିକୋ ପାଖରେ ବିଦାୟ ଦବା ପୂର୍ବରୁ ପ୍ରାୟ ଦଶମିନିଟ ଧରି ପଦ୍ମଜା କଥାଭାଷା କଲା । ତାଙ୍କୁ ବିଦାୟ ଦବା ପୂର୍ବରୁ ହ୍ୟାଣ୍ଡସେକ୍‌ କଲା ।

 

ନିଶ୍ଚୟ ସରୋଜ ନ ଥିବେ ଏତେବେଳେ । ସେ ହୁଏତ ନହରକଣ୍ଟା ବାହାରିଯିବା ପରେ ଅଙ୍କିତ ଖବର ପାଇ ପହଞ୍ଚିଥିବ । ବିରକ୍ତ ଲାଗିଲା ସେମାନଙ୍କ ଏଇ ଅବାଧ ମିଳନର ନିୟମାନୁବର୍ତ୍ତିତା ଦେଖି । ସରୋଜ ହୁଏ ତ କିଛି ଜାଣିନାହିଁ ପଦ୍ମଜା ଏ ବିଷୟରେ କେତେଦୂର ଅଗ୍ରସର ହେଲାଣି । ଆଉ ଭାବି ପାରିଲେ ନାହିଁ ମୈତ୍ରେୟୀ । ସେ ଗାଡ଼ିରୁ ଓହ୍ଲାଇବା ପରିବର୍ତ୍ତେ ସାଙ୍ଗେ ସାଙ୍ଗେ ଫେରିଲେ ନହରକଣ୍ଟା । ପୋର୍ଟଫୋଲିଓ ଅମୂଲ୍ୟ ରତ୍ନ ପରି ସାଇତି ହୋଇଥିବା କବିତା ଓ ଚିଠିଗୁଡ଼ାକୁ ଯତ୍ନର ସହିତ ନିଜ ଅଳଙ୍କାର ବାକ୍ସ ଭିତରେ ରଖିଦେଲେ ମୈତ୍ରେୟୀ । ବାଣୀଙ୍କ କଥା ମନେପଡ଼ିଲା ‘ମୁଁ ଯେତେବେଳେ ନ ଥିବି ଏ ଚିଠି ସବୁ ପଢ଼ିବ... ଯଦି ପାର କ୍ଷମା କରିଦବ... ।’

 

ସରୋଜ ଅପେକ୍ଷା କରୁଥିଲେ । ପିଲାମାନେ ଖାଇସାରି ଶୋଇ ଯାଇଥିଲେ । ମୈତ୍ରେୟୀ ସରୋଜ, ଅନଙ୍ଗ ଏବଂ ଭାସ୍ଵତୀକୁ ଡାଇନିଂ ଟେବୁଲରେ ବସାଇ ଦେଇ ଖାଦ୍ୟ ପରିବେଷଣ କଲେ । ସେ କେବଳ ଖିରୀରୁ ଟିକେ ଚାଖିଲେ।

 

ଖିଆପିଆ ସରିବା ପରେ ସରୋଜ ତାଙ୍କୁ ଜଣାଇ ଦେଲା ଯେ ରିଜର୍ଭେସନ ହୋଇଯିବ-। ଫେରିବା ରିଜର୍ଭେସନ ଦାୟିତ୍ୱ ସେ ତା’ ସାଙ୍ଗ ମାନ୍ଦ୍ରାଜର ଡାକ୍ତର ସମମୁଖମ୍‌ଙ୍କୁ ଦେଇଛି । ମୈତ୍ରେୟୀ ଫେରିବା ବାଟରେ ପଣ୍ଡିଚେରୀ ଯିବା ପାଇଁ ସମୟ ରଖି ରିଜର୍ଭେସନ କରିବାକୁ କହିଲେ । ସରୋଜ ଫେରିବା ପାଇଁ ଡେରି ହେଲା । କହିବେ କହିବେ ହୋଇ ତାକୁ ନର୍ସିଂହୋମ୍‍ରୁ ଅଙ୍କିତ ଉହ୍ଲାଉଥିବା ପ୍ରସଙ୍ଗ ବିଷୟରେ ଆଉ କିଛି କହିଲେ ନାହିଁ । ସରୋଜ ବିଦାୟ ନେଇ ଚାଲିଗଲା ।

 

ବିଶ୍ଵମୋହନ ଫୋନ୍‌ କରିଥିଲା ଅନଙ୍ଗକୁ । ଦୁହେଁ କିଛି ସମୟ କଥା ହୋଇଥିଲେ । ସେ ଶୀଘ୍ର ଆସିବ ସପ୍ତାହେ ଛୁଟି ନେଇ । ଭାସ୍ଵତୀ ଯଦି ରାଜି ହୁଏ ତାକୁ ସାଙ୍ଗରେ ନେଇ ଫେରିବ-

 

‘କିନ୍ତୁ ଭାସ୍ଵତୀ କ’ଣ ଜାଣନ୍ତି ଏ ବିଷୟ ? କ’ଣ କହୁଛନ୍ତି ସେ ?’ ପ୍ରଶ୍ନ କଲେ ମୈତ୍ରେୟୀ ।

 

ଅନଙ୍ଗ କହିଲା, ‘ଭାସ୍ଵତୀ ବିରୋଧ କରୁନାହିଁ, ବିଶ୍ୱମୋହନ ଉପରେ ସବୁ ନିର୍ଭର କରେ-। ଯଦି ସେ ଭଲ ବାଟକୁ ଆସିବ ତେବେ ଭାସ୍ଵତୀ ତା’ ଜୀବନର ଏଇ ଅଧ୍ୟାୟକୁ ଭୁଲିଯିବ ।’

 

ଆଶ୍ଵସ୍ତ ହେଲେ ମୈତ୍ରେୟୀ । ସଂସାରଟା ରଣଭୂରଁ ପରି । ଯୁଦ୍ଧ ଲାଗି ରହିଛି । କେତେବେଳେ ବିଜୟୀ ତିଳକ ଲାଗି ଯାଉଛି କପାଳରେ ତ ଆଉ କେତେବେଳେ ପରାଜୟର ଗ୍ଲାନି ଅଥୟ କରୁଛି ମନକୁ । କିନ୍ତୁ ରଣଭୂଇଁ ଛାଡ଼ି ପଳାଇ ଗଲେ ସବୁ ସରିଯିବ । ସେପରି ଦୁର୍ଦ୍ଦିନ ଯେପରି ନ ଆସୁ ସେଥିପାଇଁ ସଦାବେଳେ ସତର୍କ ରହିବା ଓ ବିରାମ ନ ନେଇ ବିପଦର ସାମନା କରିବାହିଁ ବୀରତ୍ୱ । ସେହିମାନେ ଜଗତରେ ଖ୍ୟାତି ଅର୍ଜନ କରନ୍ତି ଯେଉଁମାନେ ବିଜୟୀ ହେବା ପାଇଁ ଜୀବନକୁ ବାଜି ଲଗାଇ ଦବା ପାଇଁ କୁଣ୍ଠା କରନ୍ତି ନାହିଁ । ପରିବାରର ସମସ୍ତ ସଭ୍ୟ ସମାନ ନୁହନ୍ତି । ସମସ୍ତଙ୍କର ମନ ସମାନ ନୁହେଁ । ସମସ୍ତଙ୍କ ଶକ୍ତି ଓ ଦୁର୍ବଳତା ମଧ୍ୟ ଏକ ନୁହେଁ । କିନ୍ତୁ ଏଇ ବିଭିନ୍ନତାକୁ ଦୁର୍ବଳତାର ଲକ୍ଷଣ ନ ଭାବି ଶକ୍ତିର ଉତ୍ସରେ ରୂପାନ୍ତରିତ କରିପାରିଲେ ଯୁଦ୍ଧରେ ପରାଜିତ ହେଲେବି ଆଉଥରେ ଲଢ଼ିବା ପାଇଁ ସଂକଳ୍ପ କରିହେବ । ଆଚାର୍ଯ୍ୟ ପରିବାରର ଦୁଃସମୟରେ ସେମାନଙ୍କୁ ସଂଘବଦ୍ଧ ହୋଇ ଲଢ଼ିବା ବ୍ୟତୀତ ଅନ୍ୟ କିଛି ବାଟ ନାହିଁ ।

 

ଟେଲିଫୋନ୍‍ ବାଜି ଉଠିଲା । ଏତେ ରାତିରେ କିଏ ଟେଲିଫୋନ୍‍ କଲା ଭାବି ରିସିଭରଟା ଉଠାଇ ଦେଲେ ମୈତ୍ରେୟୀ । ସେ ପାଖରୁ ପରିଚିତ ସ୍ଵର ଭାସି ଆସିଲା । ଅପୁ କହିଲା, ‘ମୋ ଉପରେ ରାଗିବନି ଭାଉଜ, ମୁଁ କଥା ରଖିପାରି ନାହିଁ । କାମ ସରିନି ଭାଉଜ । ଆମେ ସମସ୍ତେ ଭଲ ଅଛୁ । ଏ ଖବର ସମସ୍ତଙ୍କୁ ଜଣାଇଦେବ । ମୁଁ କେବେ ଯିବି ଠିକ୍‌ ହୋଇନି, ତେବେ ଶୁଣିବ ସବୁ ରୋମାଞ୍ଚକର କାହାଣୀ । ମୋର ଦୋଷ କ୍ଷମା କରିବ । ଲାଇନ କଟିଗଲା, କଥା ଅଧା ରହିଗଲା । କିନ୍ତୁ ଅପୁ ଓ ସାଙ୍ଗମାନେ ଯେ ଭଲ ଅଛନ୍ତି ଏତିକି ଶୁଣି ଆଶ୍ଵସ୍ତ ହେଲେ ମୈତ୍ରେୟୀ ।

 

ପୁଲିସ୍‍କୁ ଏ ଖବର ଜଣାଇଲେ ସେମାନେ ଆଉ ଅନୁସନ୍ଧାନ କରିବେ ନାହିଁ । ବେଳ ଭଲ କାହା ମୁହିଁ ଚାହିଁ ଆଜି ଉଠିଥିଲେ କେଜାଣି ଗୋଟିକ ପରେ ଗୋଟିକ ଭଲ ଖବର ଶୁଣିବାକୁ ମିଳୁଛି । ବିଶ୍ଵମୋହନ ଓ ଭାସ୍ଵତୀ ମଧ୍ୟରେ ରହିଥିବା ଭୁଲ ବୁଝାମଣା ଯଦିବା ଦୂର ହୋଇନାହିଁ ଦୂର ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

 

ଶୟନ କକ୍ଷକୁ ଯିବାବେଳକୁ ସାଢ଼େ ଏଗାରଟା ବାଜି ଯାଇଥିଲା । ସବୁଦିନ ଏଗାରଟା ବା ସାଢ଼େ ଏଗାରଟା ରାତି ହୁଏ ଶୋଇବାବେଳକୁ । ସାରାଦିନର ବ୍ୟସ୍ତତା କ୍ଳାନ୍ତ କରି ଦେଇଥାଏ ତାଙ୍କୁ । ବିଛଣାରେ ପଡ଼ିବା କ୍ଷଣି ମନ ମହକି ଉଠିଲା ।

 

ଆଜି ଦିନଟା ବ୍ୟତିକ୍ରମ ଥିଲା । ଦିନଯାକର ବ୍ୟସ୍ତତା ସତ୍ତ୍ୱେ ତାଙ୍କୁ କ୍ଳାନ୍ତ ଲାଗୁ ନ ଥିଲା-। ମନଭରି ପ୍ରେମ କରିବାକୁ ଇଚ୍ଛା ହେଉଥିଲା । ମନୋଜଙ୍କ ଶୋଇବା ସମୟ ଦଶଟା । ସାଢ଼େ ନଅଟା ସୁଦ୍ଧା ସେ ଖିଆପିଆ ଶେଷ କରି ଟିଭି ପର୍ଦ୍ଦାରୁ ଶେଷ ଖବର ପଢ଼ି ଦେଇ ଶୋଇବା ପାଇଁ ଚାଲିଯାଆନ୍ତି । ଆଜି ତା’ର ବ୍ୟତିକ୍ରମ ହୋଇନାହିଁ । ମୈତ୍ରେୟୀ ମନୋଜଙ୍କ ମୁହଁକୁ ଚାହିଁଲେ କିଛିକ୍ଷଣ । ସରଳ ବୁଦ୍ଧିଦୀପ୍ତ ଜୀବନ । ସଂସାରର ଜଟିଳତାଠାରୁ ଅନେକ ଦୂରରେ । ପରିବାର ଭିତରେ ଏତେ ଜଟିଳତା ସତ୍ତ୍ୱେ ସେ ଶୋଇପାରନ୍ତି ଠିକ୍‌ ସମୟରେ, ବିଶ୍ୱବିଦ୍ୟାଳୟକୁ ଯିବା ପୂର୍ବରୁ ପ୍ରସ୍ତୁତ ହୋଇଯାଆନ୍ତି । ଅଧ୍ୟୟନ ତାଙ୍କର ପ୍ରଧାନ ହବି । ଦ୍ୱିତୀୟ ହେଉଛି ବଗିଚାରେ ବସି ପକ୍ଷୀମାନଙ୍କର କିଚିରି ମିଚିରି ଶୁଣିବା ଆଉ ମନଭରି ଫୁଲମାନଙ୍କୁ ଦେଖିବା । ନିର୍ମାୟା ପୁରୁଷ ।

 

ମୈତ୍ରେୟୀ ସ୍ଵାମୀଙ୍କ ଦେହଲାଗି ଦେହ ଲମ୍ବାଇ ଦେଲେ । ତାଙ୍କ ନିଦରେ ବ୍ୟାଘାତ ସୃଷ୍ଟି ନ କରି ଝୁଙ୍କିପଡ଼ିଲେ ମନୋଜଙ୍କ ମୁହଁ ଉପରେ । ମୁହଁ ଉପରେ ଚୁମାଟିଏ ଆଙ୍କି ଦେଇ ଦେହ ଉପରେ ହାତ ରଖି ପରମ ତୃପ୍ତିରେ ଶୋଇପଡ଼ିଲେ ।

 

ହଠାତ୍‌ କାହାର ସ୍ପର୍ଶ ପାଇ ନିଦ ଭାଙ୍ଗିଗଲା ।

 

ମନୋଜ ବିଛଣା ଉପରେ ବସିଥିବା ଦେଖି ସେ ବିସ୍ମିତ ହେଲେ ଏବଂ କହିଲେ, ‘ରାତି ପାହିନି, ଅନେକ ରାତି ବାକି ଅଛି । ଏତେବେଳୁ ଉଠିପଡ଼ିଲ କାହିଁକି ? ଦୁଃସ୍ୱପ୍ନ ଦେଖିଲ କି ?'

 

ମୈତ୍ରେୟୀଙ୍କ ଓଠଧରି କହିଲେ ମନୋଜ, ‘ତମକୁ ଅନେକ ଦିନୁ ଦେଖି ନ ଥିଲି, ଆଜି ଲାଗିଲା ତମେ ପାଖରେ ଅଛ, ଉଠି ବସି ଦେଖୁଥିଲି... ।’

 

ତାଙ୍କ କଥା ଶୁଣି ଅବାକ ହୋଇଗଲେ ମୈତ୍ରେୟୀ । କ’ଣ କହିବେ ଏଇ ମଣିଷଟିକୁ ? ତାଙ୍କ ସହିତ ଗୋଟିଏ ବିଛଣାରେ ଶୁଅନ୍ତି, ତାଙ୍କୁ ନ ଦେଖିଲେ ଖାଆନ୍ତି ନାହିଁ, ୟୁନିଭରସିଟି ଯିବାବେଳେ ସ୍ତ୍ରୀଙ୍କୁ ଦ୍ଵାର ମୁହଁରେ ଠିଆ ହୋଇଥିବା ନ ଦେଖିବା ପର୍ଯ୍ୟନ୍ତ ସେ ଘରୁ ବାହାରକୁ ପାଦ ବଢ଼ାନ୍ତି ନାହିଁ... । ଅଥଚ ଅଧରାତିରେ ଅନ୍ଧାରରେ ବସି ବସି ଦେଖୁଛନ୍ତି ମୁହଁ... କାହା ମୁହଁ...-

 

ମୈତ୍ରେୟୀ କହିଲେ, ଅନ୍ଧାରରେ କ’ଣ ଦେଖୁଛ ? ଆଲୁଅ ଜାଳିବି ? ନା, ନା କହି ମନୋଜ ସ୍ତ୍ରୀଙ୍କୁ ଛାତି ଉପରକୁ ଟାଣି ନେଇ କହିଲେ, ‘ତୁମ ମୁହଁର ଆଲୁଅ ଦେଖୁଥିଲି । ଦେଖୁଥିଲି ତୁମ ଓଠରୁ ଝରି ପଡ଼ୁଥିବା ମହୁ ।’ ମୈତ୍ରେୟୀ ତରଳିଗଲେ ମହମବତୀ ପରି । ସ୍ଵାମୀଙ୍କୁ ବାହୁବନ୍ଧନରେ ଆବଦ୍ଧ କରି ତାଙ୍କୁ କେବଳ ଚୁମ୍ବନ କରିବାକୁ ଲାଗିଲେ... ।

 

ପଦ୍ମଫୁଲ ପରି ଆଞ୍ଜୁଳାଏ ବାସନା କିଏ ତାଙ୍କ ପୌରୁଷକୁ ବିହ୍ୱଳ କରିଦେଲା ।

 

(ଏକୋଇଶି)

 

ଅପୁକୁ ହାଲୁକା ଲାଗୁଥିଲା ଭାଉଜଙ୍କ ସହିତ କଥା ହେବା ପରେ । ଲାଇନଟା କଟି ଯାଇଥି ନ ଥିଲେ ଘରର ହାଲଚାଲ ସମ୍ପର୍କରେ ପଚାରିଥାନ୍ତା । ଏଠାରେ ଦିନ କେମିତି କଟୁଛି ସେ କଥା କହିଥାନ୍ତା । ତଥାପି ମନକୁ ଆଶ୍ଵାସନା ଦେଉଥିଲା ଅପୁ ଯେ ସେ ଭାଉଜଙ୍କୁ ଜଣାଇ ଦେଇଛି ସେମାନେ ଭଲ ଅଛନ୍ତି । ଏଇ ଖବରଟା ଭାଉଜଙ୍କ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଅପୁ ଜାଣେ ଯେ ଭାଉଜ ଏତେ ନିଷ୍ଠୁର ନୁହଁନ୍ତି । ସେ ଏ କଥା ମାନୁ, ସତ୍ୟବ୍ରତର ବାପାମା’ଙ୍କୁ ଜଣାଇ ଦେଇଥିବେ । ଆଉ ପାଞ୍ଚଜଣ ଶୁଣିବା ଭଳି ଉଚ୍ଚ ସ୍ଵରରେ କହିଥିବେ, ଦେଖ ମୁଁ ଯାହା କହିଥିଲି ସତ ହେଲା ନା ! ଅପୁଠାରୁ ମୁଁ ଏତିକି ଆଶା କରିଥିଲି । ସେ ମୋ ବଡ଼ପୁଅର ଆଦର ପାଏ... ମୁଁ ଠକି ଯାଇନି... ।’ ମୈତ୍ରେୟୀ ଦିନେ ହେମା ମାଉସୀଙ୍କ ସହିତ କଥା କହୁଥିଲାବେଳେ ଏମିତି କହୁଥିବା ଝରକା ସେପାଖରୁ ଶୁଣିଥିଲା ସେ । ସେଇ ଶବ୍ଦଗୁଡ଼ା ମନେରହିଯାଇଛି ଅପୁର, ଭୁଲିପାରି ନାହିଁ । ତାକୁ ଟାଇଫଏଡ଼ ହୋଇଥିଲା । ସେତେବେଳେ ବାପା ମା’ ବଞ୍ଚି ନ ଥିଲେ । କିନ୍ତୁ ଅପୁର ସେବା କରୁଥିଲେ ମୈତ୍ରେୟୀ । ରାତି ଉଜାଗର ରହି ତା’ ବିଛଣା ପାଖରେ ବସି ରହୁଥିଲେ ଖାଇବା ଶୋଇବା ଭୁଲି । ସେତେବେଳେ ତାକୁ ଆଠବର୍ଷ । ସେଇ ବାଲ୍ୟକାଳରୁ ସେ ମା’ଙ୍କୁ ମନେପକାଇଲେ ମୈତ୍ରେୟୀଙ୍କ ମୁହଁ ଭାସି ଉଠେ ତା’ ଆଖି ଆଗରେ ।

 

ଶ୍ରୀନିବାସ ସେମାନଙ୍କୁ ଦିନେ ପାର୍ଟିର ଆଦର୍ଶ ବିଷୟରେ ବୁଝାଇ ସାରି କହିଥିଲା ଯେ ମାଓବାଦୀମାନେ ମାତୃଭୂମି, ମାତୃଭାଷା, ମାଆଙ୍କୁ ସର୍ବୋଚ୍ଚ ସମ୍ମାନ ଦିଅନ୍ତି । ଏଇ ତିନୋଟି ବିଷୟରେ ସେମାନଙ୍କ ଆଦର୍ଶକୁ ନେଇ କୌଣସି ସାଲିସ କରନ୍ତି ନାହିଁ ମାଓବାଦୀମାନେ । ସେଦିନ ତା’ ମୁହଁରୁ ଏକଥା ଶୁଣି ଖୁସି ହୋଇଥିଲା ଅପ୍ରତିମ । ଏଇ ମାଓବାଦୀମାନଙ୍କ ପରିଚୟ ବାହାର ଦୁନିଆର ଲୋକଙ୍କ ଆଗରେ ନିଷ୍ଠୁର, ନୃଶଂସ, ହତ୍ୟାକାରୀ । କିନ୍ତୁ ସେମାନଙ୍କ ଭିତରେ ଯେ ମାନବିକତାର ସ୍ଫୁଲିଙ୍ଗଟିଏ ବି ଲୁଚି ରହିପାରେ ଏହାର ପ୍ରମାଣ ସେଦିନ ପାଇଥିଲା ଅପୁ । ଶୋଷିତ, ଉତ୍ପୀଡ଼ିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ବ୍ରତ ନେଇଛନ୍ତି ଏମାନେ । କିନ୍ତୁ ବେଳେବେଳେ ଭୁଲ ବି ହୋଇଯାଏ । ସାହୁକାରକୁ ଶାସ୍ତି ଦବାକୁ ଯାଇ ଆଉ କିଏ ବନ୍ଧୁକ ଗୁଳିରେ ପ୍ରାଣ ହରାଏ । ପୁଲିସ୍‍ ପେଟପୋଷିବା ପାଇଁ ପୋଷାକ ପିନ୍ଧିଛି, ଲୋକଙ୍କୁ ମାରଧର କରୁଛି ବୋଲି ସମସ୍ତେ କହନ୍ତି । ସେଇ କାମ କରୁ କରୁ ମାନବିକ ଗୁଣଗୁଡ଼ିକ ନିଷ୍ପ୍ରଭ ହୋଇଯାଏ । କିନ୍ତୁ ଏପରି ପୁଲିସ୍‍ ବି ଅଛନ୍ତି ଯିଏ ଆଉ କାହାକୁ ବଞ୍ଚାଇବା ପାଇଁ ନିଜ ଛାତି ଦେଖାଇଦିଏ ବନ୍ଧୁକ ଆଗରେ ।

 

ଶ୍ରୀନିବାସ ତାକୁ ଫୋନ୍‍ କରିବା ପାଇଁ ଅନୁମତି ଦବା ପୂର୍ବରୁ ପଚାରିଥିଲା କାହିଁକି ଓ କାହା ସହିତ ସେ କଥା କହିବ । ପୁଲିସ୍‍କୁ ଏଇ ଗୁପ୍ତ ଆଡ୍ଡାର ସନ୍ଧାନ ଦବା ପାଇଁ ନୁହେଁ ତ ?

ଅପୁ ତାକୁ କହିଥିଲା ଯେ ସେ ମିଛ କହେ ନାହିଁ । ଭାଉଜ ତାଙ୍କୁ ଶିଖାଇଛନ୍ତି ସତ କହିବା ପାଇଁ । ମା’ ପରି ବଡ଼ ଭାଉଜଙ୍କୁ ସେ ସମ୍ମାନ କରେ, ଶ୍ରଦ୍ଧା କରେ । ପୁଅ ହଜିଗଲେ ମା’ ଯେପରି ଚାରିଦିଗ ଦରାଣ୍ଡିବୁଲେ, ସେ ନିର୍ଦ୍ଧାରିତ ସମୟ ଭିତରେ ଫେରି ନ ଥିବାରୁ ଭାଉଜ ଡହଳବିକଳ ହେଉଥିବେ । ସେ ଭଲ ଅଛି ବୋଲି ତାଙ୍କୁ ଜଣାଇ ଦେଲେ ଧର୍ମଦ୍ରୋହୀ ହେବ ନାହିଁ । ତା’ କଥା ଶୁଣି ଶ୍ରୀନିବାସର ହୃଦ୍‍ବୋଧ ହୋଇଥିଲା ଯେ ସେ ମିଛ କହୁ ନାହିଁ । ତାକୁ ଅନୁମତି ଦେଇଥିଲା ସାତ କିଲୋମିଟର ଦୂରରେ ପିସିଓକୁ ଯାଇ ଟେଲିଫୋନ୍‍ କରିବା ପାଇଁ । ତା’ ସହିତ ଯାଇଥିଲେ ଦୁଇଜଣ କମ୍ରେଡ଼୍‍ ।

 

ଟେଲିଫୋନ୍‍ କରି ଫେରିବାବେଳେ ଅପୁ ଦେଖୁଥିଲା ଚଳପ୍ରଚଳ କରୁଥିବା ଆଦିବାସୀମାନଙ୍କୁ । କେବଳ ଅଣ୍ଟାରୁ ଆଣ୍ଠୁ ପର୍ଯ୍ୟନ୍ତ ଘୋଡ଼ାଇ ରଖିବା ପାଇଁ ଓହଳିଥାଏ ଖଣ୍ଡେ କନା । ଖାଲି ଦେହ, ନୁଖୁରା ଚୁଳ, ନିଷ୍ପ୍ରଭ ଚାହାଁଣୀ, ଖାଲିପଦ । ଫେରିବାବେଳେ ଗୁରୁ ପାଙ୍ଗି ସହିତ ଅନନ୍ତ ପରିଚୟ କରିଦେଇଥିଲା । ସେ କହିଥିଲା ଯେ ଚନ୍ଦୁ ରାଓ ବାଘ ସାଙ୍ଗରେ ଲଢ଼ିପାରେ, ବନ୍ଧୁକ ଆଗରେ ଛାତି ପାତି ଦେଇପାରେ । ନିର୍ଭୟ ମଣିଷ । ଦୁଃଖୀରଙ୍କୀ ପ୍ରତି ରାଓର ଦରଦ ବେଶୀ ।

 

କିନ୍ତୁ ଦୁଃଖୀ ରଙ୍କୀଙ୍କ ଦୁର୍ଦ୍ଦଶାର ଅନ୍ତପାଇଁ ଯେଉଁ ବାଟ ବାଛିନେଇଛନ୍ତି ମାଓବାଦୀମାନେ ସେମାନଙ୍କ ସମସ୍ୟାର ସମାଧାନ କ’ଣ ଗଣତନ୍ତ୍ର ଶାସନ ସମାଧାନ କରିପାରିବ ନାହିଁ ? ମନକୁ ମନ ଏଇ ପ୍ରଶ୍ନ ବାରମ୍ବାର ଅପୁ ପଚାରେ ନିଜକୁ, କିନ୍ତୁ ଏହାର ସଠିକ ଉତ୍ତର ସେ ଖୋଜି ପାଏ ନାହିଁ । ସ୍ଵାଧୀନ ଭାରତର ଶାସକମାନଙ୍କୁ ଗାନ୍ଧି କହିଥିଲେ ଯେ କୌଣସି ସମସ୍ୟାର ସମାଧାନ କରିବା ପୂର୍ବରୁ ସମାଜର ସର୍ବାପେକ୍ଷା ଦୁର୍ବଳ ଲୋକଟି ବିଷୟ ମନେପକାଅ । ତୁମ ନିଷ୍ପତ୍ତି ତା’ର କୌଣସି ଉପକାରରେ ଆସିବ କି ନାହିଁ ତାହା ଚିନ୍ତା କର, ଆପେ ଆପେ ସମଧାନର ବାଟ ପାଇଯିବ । କିନ୍ତୁ ସର୍ବାପେକ୍ଷା ଦୁର୍ବଳ ଲୋକଟିର ମୁହଁ ଦିଶୁ ନାହିଁ ଗଣତନ୍ତ୍ରର ହଟ୍ଟଗୋଳ ଭିତରେ, ତାର ସ୍ଵର ଶୁଣା ଯାଉନି ସଂଖ୍ୟାଗରିଷ୍ଠଙ୍କ ଉତ୍ପାତରେ । ଅପୁ ତେବେ କ’ଣ କରିବ ?

 

ଏଇ କଥା ଭାବୁଛି ଏଇ ତେକେଦିନ । ସେ ସାଙ୍ଗମାନଙ୍କ ସହିତ ଆସିଥିଲା ଏଇ କଥା ଭାବି ଭାବି ଯେ ହୁଏତ ଯେଉଁମାନେ ଗରିବଙ୍କ ପାଇଁ ଜୀବନ ସମର୍ପଣ କରିଦେଇଛନ୍ତି ସେମାନେ ହୁଏତ ଏହାର ସନ୍ଧାନ ପାଇଥିବେ । କିନ୍ତୁ ଦୁଇଦିନ ପୂର୍ବେ ପୁଲିସ୍‍ର ସମ୍ଭାବ୍ୟ ଆଗମନ ପ୍ରତିହତ କରିବା ପାଇଁ ନାଳ ଉପରେ ଦୁଇବର୍ଷପୂର୍ବେ ନିର୍ମାଣ କରାଯାଇଥିବା ପୋଲ ଧ୍ୱଂସ କରିଦବା ସାଧାରଣ ଲୋକଙ୍କ ସ୍ୱାର୍ଥର ଅନୁକୂଳ ନା ପ୍ରତିକୂଳ ? ଶ୍ରୀନିବାସ କମ୍ରେଡ଼୍‍ମାନଙ୍କୁ ଆଦେଶ ଦେଇଥିଲା ପୋଲ ଉଡ଼ାଇ ଦବା ପାଇଁ, ପୁଲିସ୍‍ ବା ପୁଲିସ୍‍ର ଗୁପ୍ତଚରକୁ ହତ୍ୟା କରିବା ପାଇଁ । କିନ୍ତୁ ଗୁପ୍ତଚରକୁ ହତ୍ୟା କଲାବେଳେ ତା’ ପରିବାରର ଆଉ ଦୁଇଜଣଙ୍କୁ ହତ୍ୟା କଲେ ସେମାନେ କେଉଁ ନ୍ୟାୟରେ ?

 

ଅପୁ ଶୋଇପାରେନା ରାତିରେ ଏଇ କଥା ଭାବି ଭାବି । ଏ ପର୍ଯ୍ୟନ୍ତ ଶ୍ରୀନିବାସ ତାକୁ ବିଶ୍ଵାସ କରିନାହିଁ । କମ୍ରେଡ଼୍‍ ଆସନ ପାଇବାକୁ ହେଲେ ଜୀବନକୁ ପାଣି ଛଡ଼ାଇ ଦବାକୁ ହେବ । ସେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସାଥୀ ଜଣେ କମ୍ରେଡ଼୍‍ ଆସନକୁ ଉନ୍ନୀତ ହେବ । ସେମାନେ ତ ଏ ପର୍ଯ୍ୟନ୍ତ ପର୍ଯ୍ୟଟକ ହୋଇ ରହିଯାଇଛନ୍ତି । ଶ୍ରୀନିବାସର ଆସ୍ଥା ଅର୍ଜନ କରିବା ପାଇଁ ଲମ୍ବା କଙ୍କରିତ ବିପଦଶଙ୍କୁଳ ମାର୍ଗ ଅତିକ୍ରମ କରିବାକୁ ହେବ ।

 

ଆସିବାଦିନୁ ଅପୁର ବ୍ୟକ୍ତିଗତ ସୁବିଧା ଅସୁବିଧା, ଖାଇବା ପିଇବା ଯେଉଁ ଝିଅଟି ବୁଝୁଛି ତା’ ନାମ ଅରୁଣା । ସେ କଲିକତା ବିଶ୍ଵବିଦ୍ୟାଳୟରେ ପଢ଼ୁଥିଲା । ପଢ଼ାଛାଡ଼ି ଆନ୍ଦୋଳନରେ ଯୋଗଦେଇଛି ଦୁଇବର୍ଷ ହେଲା । ସମାନ ବୟସ ହେବ ସେମାନଙ୍କର । ଅରୁଣା କିନ୍ତୁ ତା’ର ସୁଖ ସୁବିଧା ବିଷୟ ବୁଝୁଥିଲେ ମଧ୍ୟ ଦୂରତ୍ୱ ରକ୍ଷା କରି ସବୁ କରେ । ଅନ୍ତରଙ୍ଗତା ଦୁଷ୍ପ୍ରାପ୍ୟ ଏମାନଙ୍କ ଜୀବନରେ । କିନ୍ତୁ ବେଳେବେଳେ ଅପୁ ଆଡ଼କୁ ଅପଲକ ନୟନରେ ସେ ଚାହିଁ ରହେ କାହିଁକି ? ଚାହାଁଣୀର ଯେ ଭାଷା ଅଛି, ସେଇ ଭାଷାର ଅର୍ଥ ଅଛି ତାହା ଏଇ ପ୍ରଥମ ଅନୁଭବ କରୁଚି ଅପୁ ।

 

କିନ୍ତୁ ପ୍ରାୟ ପନ୍ଦରଦିନ ହୋଇଗଲା । ମାଓବାଦୀମାନଙ୍କ ସମ୍ପର୍କରେ ତଥାପି କିଛି ଜାଣି ନ ଥିବା ପରି ଲାଗେ ତାକୁ । କମ୍ରେଡ଼୍‍ମାନଙ୍କର ବୟସ ୨୨ରୁ ୩୨ ମଧ୍ୟରେ । ଏଇ ବୟସର ତରୁଣ ତରୁଣୀ ଜୀବନ ଉପଭୋଗ କରୁଥିବାବେଳେ, ଏମାନେ ଭୋଗ ତ୍ୟାଗକରି କେବଳ ଅନ୍ୟର ଦୁଃଖରୁ ଭାଗ ନେବା ପାଇଁ ଝାସ ଦେଇଛନ୍ତି ସଂଗ୍ରାମରେ । ସେଇ ସଂଗ୍ରାମ ଯେ ସଫଳ ହେବ ଏବଂ ସେମାନେ ଦିନେ ସଂଗ୍ରାମର ଫଳ ଭୋଗ କରିବେ ଏଇ ନିଶ୍ଚୟତା କ’ଣ ଅଛି ?

 

ଅପୁ ନୂଆ ଶିବିରକୁ ଆସିବା ପରେ ଜଣେ କମ୍ରେଡ଼୍‍ କର୍ତ୍ତବ୍ୟ କରିବାକୁ ଯାଇ ଭୟଙ୍କର ବିପଦର ସାମନା କରିଥିଲା । ଶ୍ରୀନିବାସ ଶୋଇଥିବାବେଳେ ତାକୁ ପହରା ଦେଉଥିବା କମ୍ରେଡ଼୍‍ର ଦୃଷ୍ଟିରେ ପଡ଼ିଲା ଗୋଟିଏ ବିଷଧର ନାଗସାପ । ସାପ ଶ୍ରୀନିବାସର ପାଦ ପାଖରେ ପହଞ୍ଚିବା ପାଇଁ ହାତେ ଖଣ୍ଡେ ବାକି ଥାଏ । ଫଁ ଫଁ କରୁଥାଏ ନାଗ । ଯଦି ସାପ ଦଂଶିଦିଏ ତେବେ ଆଖିର ପଲକ ପଡ଼ିବା ଆଗରୁ ହୁଏତ କମାଣ୍ଡର ଶ୍ରୀନିବାସ ପରମାୟୁ ଶେଷ ହୋଇଯିବ ।

.

କମ୍ରେଡ଼୍‍ ଚନ୍ଦୁ ରାଓ ପଲକ ପଡ଼ିବା ଆଗରୁ ସାପଟାକୁ ରାଇଫଲ ମୁନରେ ଫିଙ୍ଗିଦେଲା ଦୂରକୁ । କିନ୍ତୁ ସାପ ପଳାଇ ନ ଯାଇ ତା’ ଆଡ଼କୁ ମାଡ଼ି ଆସିବା ଦେଖି ଚନ୍ଦ୍ର ରାଓ ପାଦତଳେ ଜାକି ଧରିଲା ସାପର ମୁଣ୍ଡ । କିତୁ ସାପର ଲାଞ୍ଜ ଗୁଡ଼ାଇ ହୋଇଗଲା ତା’ ଗୋଡ଼ରେ । କେତେ ସମୟ ତାକୁ ଚାପି ରଖିବ ଚନ୍ଦୁ ? ଯଦି ସାପ ବଞ୍ଚିଥାଏ ତେବେ ପାଦ ଉଠାଇବା କ୍ଷଣି ଦଂଶିବ । ଏତେବେଳକୁ ଶ୍ରୀନିବାସର ନିଦ ଭାଙ୍ଗିଗଲା ଏବଂ ସେ ପରିସ୍ଥିତି ଅନୁମାନ କରିଦେଇ ପାଖରେ ଥିବା ଗୋଟେ ଛୁରୀରେ ସାପକୁ ଦୁଇଗଡ଼ କରିଦେଲା । ଚନ୍ଦୁର ଉପର ଚମଡ଼ା ବି କଟିଲା କିଛି, କିନ୍ତୁ ବେଶୀ ନୁହେଁ ।

 

ସାପ ନିହତ ହେବା ପରେ ଶ୍ରୀନିବାସ ଚନ୍ଦୁରାଓକୁ ସାବାସି ଦେଇ କହିଲା, ‘ତୁ ମୋତେ ବଞ୍ଚାଇ ଦେଲୁ କମ୍ରେଡ଼୍‍... । ଲାଲ ସଲାମ... ।’

 

ଚନ୍ଦୁ ରାଓର ଉଚ୍ଚତା ତିନି ଇଞ୍ଚ ବଢ଼ିଗଲା କମାଣ୍ଡର ଶ୍ରୀନିବାସ ଆଗରେ । ସକାଳ ହେବା ପରେ ଶିବିରର ସାତଜଣ କମ୍ରେଡ଼୍‍ ସାଲ୍ୟୁଟ୍‌ କଲେ କମ୍ରେଡ଼୍‍ ଚନ୍ଦୁରାଓକୁ... ।

 

ଅରୁଣା ଦିନେ ତାକୁ ଶୁଣାଇଥିଲା ଏଇ କାହାଣୀ । ଏଇ କାହାଣୀ କହିସାରି କିଛି ସମୟ ନିରବରେ ଛିଡ଼ା ହୋଇ ରହିଥିଲା ଏବଂ ତା’ପରେ କହିଲା, ‘ତମେ ସେଇ ଚନ୍ଦୁ ଜାଗାରେ ଥିଲେ କ’ଣ କରିଥାନ୍ତ ?' ଏବଂ ଉତ୍ତର ପ୍ରତ୍ୟାଶା ନ କରି କହିଲା ‘ବିଜୟୀ ହେବା ସହଜ ନୁହେଁ, ସେଥିପାଇଁ ବେଳେବେଳେ ଜୀବନ ଦବାକୁ ହୁଏ... ।’

 

ଅପୁର ରୋମାଞ୍ଚ ହେଲା, ଭୟରେ ନୁହେଁ ଚନ୍ଦୁ ରାଓର ସାହସ ଓ ଆତ୍ମବିଶ୍ଵାସର କାହାଣୀ ଶୁଣି ।

 

ଭାଉଜ ଯଦି ଶୁଣିବେ ଏକଥା ତେବେ ତାକୁ ଛାଡ଼ିବେ ନାଇଁ । ମାଲକାନଗିରିରୁ ସେମାନେ ମୟୂରଭଞ୍ଜ ଯିବେ ବୋଲି ଯୋଜନା କରିଥିଲେ ଆସିବାବେଳେ । କିନ୍ତୁ ଏଇ ଅନ୍ଧ ଦିନରେ ସଂକଟର ସାମନା କରିବା ପାଇଁ ଏବଂ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଅନେକ କିଛି କଳା କୌଶଳ ଶିଖିବାର ଅଛି । ସେ ବିଷୟରେ ତାକୁ ଭାବିବାପାଇଁ କହିଥିଲା ଅରୁଣା ।

 

ସେ କାହିଁକି ତାକୁ ବିଶ୍ଵାସ କରି କହିଥିଲା ଏକଥା ସେଇ ପ୍ରଶ୍ନର ଉତ୍ତର ଅରୁଣା ତାକୁ କେବେ ଦେଇନି ବା ସେ ନିଜେ ମଧ୍ୟ ଏହାର ଉତ୍ତର ଖୋଜି ପାଇନି । ଜଣେ ଯୁବକ ଓ ଆଉଜଣେ ଯୁବତୀ ମଧ୍ୟରେ ନିକଟରେ ହେବା ପାଇଁ ଅନେକ ଆକର୍ଷଣ ଥାଏ, କିନ୍ତୁ ମାଓବାଦୀମାନଙ୍କ ଶିବିରରେ ଯେ ନିଆଁ ଧାସ ବାଜି ଘିଅ ତରଳେ ନାହିଁ ତାହା ଯେ ଅରୁଣା ଅଙ୍ଗେ ଅଙ୍ଗେ ନିଭାଉଛି ଏହାର ପ୍ରମାଣ ପାଇ ଚମକି ପଡ଼ିଲା ଅପୁ ।

 

ଅରୁଣାକୁ ପାଖରେ ଦେଖି ସେ କହିଲା, ‘ତମେ କେତେଦିନ ରହିଲଣି କ୍ୟାମ୍ପରେ ?’

 

- ‘କମାଣ୍ଡରଙ୍କ ଗ୍ରୁପ ସହିତ ମୁଁ ରହିଛି ଦୁଇବର୍ଷ ହେଲା ।’

 

- ‘ତମେ ଆଉ ଘରକୁ ଫେରିଯିବା ବିଷୟ ଭାବିଚ ?

 

- ‘ନା, କାମ ଶେଷ ହେଲେ ଯାଆନ୍ତି । କିନ୍ତୁ ଜୀବନସାରା ଏକାମ କଲେ ବି ଶେଷ ହେବନି । ଲୋକମାନଙ୍କର କେତେ ଆଶା, କେତେ ଦୁଃଖ । ସେସବୁ ଥିବାଯାଏ କମ୍ରେଡ଼୍‍ମାନେ କର୍ତ୍ତବ୍ୟ ଛାଡ଼ି ପରିବାରକୁ ଫେରି ଆରାମ କରିବା ପାଇଁ ବେଳ କାହିଁ ? ପାଞ୍ଚଜଣଙ୍କ ପାଇଁ ପାଞ୍ଚଶହ ଲୋକଙ୍କୁ କ’ଣ ଛାଡ଼ି ଦେଇ ହେବ ଅପ୍ରତିମ ?’

 

ଅରୁଣା ସତ କହୁଥିଲା । ପାଞ୍ଚଜଣଙ୍କ ପାଇଁ ପାଞ୍ଚଶହଙ୍କୁ ଛାଡ଼ିହେବ ନାହିଁ । ସେଥିପାଇଁ ଯୁଗେ ଯୁଗେ ତ୍ୟାଗର ମହିମା ଆକର୍ଷଣ କରିଛି ସମର୍ପିତ ଜୀବନକୁ । ଭାଉଜଙ୍କ ମୁହଁରୁ ଶୁଣିଛି ଯେ ମା’ ଯେତେବେଳେ ବଞ୍ଚିଥିଲେ କହୁଥିଲେ ଯେ ତାଙ୍କ ମୁହଁରେ ହସ ଫୁଟାଇବା ତୋ’ର ଏକମାତ୍ର କର୍ତ୍ତବ୍ୟ ନୁହେଁ । ମା’ମାନଙ୍କ ଆଖିରୁ ଲୁହ ପୋଛିବା ଆଉ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ଯଦି ସନ୍ନ୍ୟାସୀ ହୋଇଯାଏ ତେବେ ସେ ଦୁଃଖ କରିବେ ନାହିଁ ।

 

ମା’ଙ୍କ ଇଚ୍ଛା ସେ ପୂର୍ଣ୍ଣ କରିପାରି ନାହିଁ । ପଥଭ୍ରଷ୍ଟ ହୋଇଛି । ଓକିଲାତି କରିବା ଲକ୍ଷ୍ୟ ତା’ର । ରାଜନୀତି କରିବା ସହଜ ହେବ ଓକିଲାତି କଲେ । କିନ୍ତୁ ଓକିଲାତି କରି ସେ ଦେଶସେବା ଅପେକ୍ଷା ଲକ୍ଷ୍ୟପତି ହେବାର ସୁଯୋଗ ବେଶୀ । ଲକ୍ଷ ଲକ୍ଷ ଲୋକଙ୍କୁ ଦୁଃଖରେ ଘାଣ୍ଟି ହେବା ପାଇଁ ଛାଡ଼ି ଦେଇ ସେ ବିଳାସରେ ଦିନ କଟାଇବ କାହିଁକି ?

 

ତା’ ମନରେ ଉଠୁଥିବା ପ୍ରଶ୍ନଗୁଡ଼ାକର ଉତ୍ତର ଖୋଜିବାକୁ ହୁଏନା । ସେ ଅନ୍ଧାରରେ ଦିଗ ନିର୍ଣ୍ଣୟ କରିପାରୁ ନ ଥିଲାବେଳେ ଅରୁଣା ତାକୁ ବାଟ ଦେଖାଇଲା । ଏଇ ବାଟ ମୁନି ଋଷିମାନଙ୍କ ନିର୍ଦ୍ଧାରିତ ମାର୍ଗ । ଜନକଲ୍ୟାଣ ଯଦି ବ୍ରତ ହୁଏ, ତେବେ ଧର୍ମବଳ ବଢ଼େ ସଂସାରରେ । ଦଧିଚି, ନହୁଷ, ହରିଶ୍ଚନ୍ଦ୍ରଙ୍କ କାହାଣୀ ମା’ଙ୍କ ମୁହଁରୁ ଶୁଣିଥିଲା ଅପୁ । ଭାଉଜ ତାକୁ କହିଥିଲେ ଗାନ୍ଧି ମହାତ୍ମା ଓ ଗୋପବନ୍ଧୁଙ୍କ କଥା ।

 

ସେ ଫେରି ନ ଯାଇ ଯଦି ରହିଯାଏ ଏଇ ଜଙ୍ଗଲ ଭିତରେ ? ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ଆଶଙ୍କା ଅଛି ଏଠାରେ । ସାପ, ବାଘ, ବିଷାକ୍ତ ମାଛି କବଳରେ ପଡ଼ିଲେ ମୃତ୍ୟୁ ଅନିବାର୍ଯ୍ୟ । ପୁଲିସ୍‍ର ବନ୍ଧୁକ ଆଗରେ ପଡ଼ିଲେ ବି ମୃତ୍ୟୁ । ତଥାପି ମୃତ୍ୟୁକୁ ଭୟ ନ କରି ଶ୍ରୀନିବାସ, ଅରୁଣା ଓ ଅନ୍ୟ କମ୍ରେଡ଼୍‍ମାନେ ସଦାବେଳେ ଲୋକ ସଂଗଠନ କାର୍ଯ୍ୟ କରୁଛନ୍ତି । ଲୋକଶକ୍ତି ଥରେ ଜାଗ୍ରତ ହେଲେ ଶୋଷଣ କଷଣ ଉଭାଇଯିବ ।

 

ସେ ଏକଥା ଭାଉଜଙ୍କୁ କହିପାରିଲା ନାହିଁ । ଅନେକ କଥା ଅକୁହା ରହିଗଲା, ଆଉ କେବେ ସୁଯୋଗ ହେବ କିଏ ଜାଣେ ? ଘରକୁ ଫେରିଗଲେ ମାୟା ମମତା କାଟି ସେ ପୁଣି କ’ଣ ଫେରି ଆସିପାରିବ ?’

 

ଚିନ୍ତାରେ ପଡ଼ିଗଲା ଅପୁ ।

 

ଅନନ୍ତ, ସତ୍ୟବ୍ରତ, ମାନୁ କ’ଣ ଭାବନ୍ତି ସେ ଜାଣେନା । ହୁଏତ ସେମାନେ ଛଟପଟ ହେଉଥିବେ ଫେରିବାପାଇଁ । କେବଳ ତାକୁ ଏକା ଛାଡ଼ି ଚାଲିଯିବାଟା ଅନ୍ୟାୟ ହେବ ବୋଲି ଏ ପର୍ଯ୍ୟନ୍ତ ମନକଥା ଫିଟାଇ କହି ନାହାଁନ୍ତି ।

 

ଅରୁଣା କମାଣ୍ଡରଙ୍କ ପାଖକୁ ଯାଇଥିଲା । ଫେରିବା ବାଟରେ ଅପୁ ଛିଡ଼ା ହୋଇଥିବା ଦେଖି କହିଲା, ‘ତମେ କ’ଣ, ଏତେ ଭାବୁଛ ଯେ... କିଛି ଗୋଟେ ନିଷ୍ପତ୍ତି ନିଅ... ।'

 

- ‘ମୁଁ ଯଦି ରହି ଯିବା ପାଇଁ ଇଚ୍ଛା କରେ ତେବେ ମୋତେ କ’ଣ ରଖିବେ କମାଣ୍ଡର ?’ ପଚାରିଲା ଅପୁ ।

 

ଟିକେ ଚିନ୍ତାକରି କହିଲା ଅରୁଣା, - ‘ଏକଲବ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଚରମ ତ୍ୟାଗ କରିଥିଲା । ତମେ ପାରିବ ?’

 

ଅପୁ ସହସା ଉତ୍ତର ଦେଇପାରିଲା ନାହିଁ ।

 

ଅରୁଣା କହିଲା, ‘ତରତର ହୁଅ ନାହିଁ । ଭାବି ଦେଖ.... ବିଚାର କର... ତା’ପରେ ତୁମେ ନିଜକୁ ପଚାର କ’ଣ କଲେ ଗାନ୍ଧି କହିଥିବା ସେଇ ଦୁର୍ବଳ ଲୋକଟିର ଉପକାର ହେବ... ତା’ ଦୁଃଖ ଘୁଞ୍ଚିବ... ତା’ ମୁହଁରେ ହସ ଫୁଟିବ... ।’

 

‘ସେଇ କାମ କ’ଣ କେବଳ ମାଓବାଦୀମାନେ କରନ୍ତି ?’ ପ୍ରଶ୍ନ କଲା ଅପୁ ।

 

‘ନା, ଅନ୍ୟମାର୍ଗ ବି ଅଛି । ମାର୍କସ ଯାହା କହିଥିଲେ, ମାଓ ସେଇ ମୂଳତତ୍ତ୍ଵ ସହିତ ଆଉ କିଛି ଯୋଡ଼ିଛନ୍ତି । ମାର୍କସଙ୍କ ଅପେକ୍ଷା ମାଓଙ୍କ ବାସ୍ତବ ଅଭିଜ୍ଞତା ଅନେକ ବେଶୀ । ଗାନ୍ଧିଜୀ ଆଦର୍ଶବାଦୀ ହୋଇ ରହିଗଲେ । ସ୍ଵପ୍ନ ହୋଇ ରହିଗଲା ଗାନ୍ଧିବାଦ... ହୁଏତ ସତ୍ୟଯୁଗରେ କେହି ପୁଣି ଜନ୍ମ ହେବ ଯିଏ ଗାନ୍ଧିବାଦକୁ ସୁନା ଛାଉଣି କରି ବଜାରକୁ ଛାଡ଼ିବ... ।’ କହିଲା ଅରୁଣା ଏବଂ ତା’ ମୁହଁ ଉପରେ ରହସ୍ୟମୟ ହସର ସରୁ ରେଖାଟିଏ ଖେଳିଗଲା ।

 

ଅପୁ ଭାବୁଥିଲା ଅନ୍ୟକଥା । ଏଇଟା ତା’ପାଇଁ ଗୋଟିଏ ଅବିସ୍ମରଣିକାର ମୁହୂର୍ତ୍ତ । ସବୁବେଳେ ସମସ୍ତଙ୍କ ଜୀବନରେ ଏପରି ଦୁର୍ଲଭ ମୁହୂର୍ତ୍ତ ଆସେ ନାହିଁ । ଏଇ ମାହେନ୍ଦ୍ରବେଳା କଦବା କ୍ୱଚିତ୍‍ ଆସେ । ସେତେବେଳେ ଏଇ ମୁହୂର୍ତ୍ତର ଉପଯୋଗ କରିବାହିଁ ପୁରୁଷାର୍ଥ । ସେଇ ମୁହୂର୍ତ୍ତଟି ହାତରୁ ଖସିଗଲେ ପୁଣି ସେଇ ସୁନା ବୋଇତରେ ବସି ଭାସି ଭାସି ଆଉ କେବେ ଆସିବ କି ନାହିଁ କିଏ ଜାଣେ !

 

ସେ ଯଦି ରହିଯାଏ ଏମାନଙ୍କ ପାଖରେ ? ଜୀବନ ଯୁଦ୍ଧରେ ଆହୂତି ଦବାର ବେଳ । କମାଣ୍ଡର ଶ୍ରୀନିବାସଙ୍କୁ ସେ କହିବ ନିଜ କଥା । ତାଙ୍କ ଗୋଷ୍ଠୀରେ ତାକୁ ରହିଯିବା ପାଇଁ ସେ ଯଦି ଅନୁମତି ଦେବେ ସେ ରହିଯିବ ଫେରି ନ ଯାଇ । ଗଣଙ୍କ ସୁଖ ପାଇଁ ନିଜକୁ ତିଳ ତିଳ କରି ବ୍ୟୟ କରିବ ।

 

ସେ କମାଣ୍ଡର ଶ୍ରୀନିବାସଙ୍କ ଶିବିରକୁ ଗଲା । ସେତେବେଳେ ସେ ବ୍ୟସ୍ତ ଥିଲେ । କିଛି ସମୟ ପରେ ଅପୁର ବାର୍ତ୍ତା ନେଇଗଲା ଆଉ ଜଣେ କମ୍ରେଡ଼୍‍ । ସେ ଫେରିଆସି ଜଣାଇଲେ ଯେ କମାଣ୍ଡର ଜରୁରୀ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ସେ, ଆସନ୍ତାକାଲି ରାତି ବାଆରଟାବେଳକୁ ସମୟ ଧାର୍ଯ୍ୟ କରିଛନ୍ତି ତା’ ସହିତ ଭେଟିବା ପାଇଁ ।

 

ଅପୁ ଅଧୀର ଆଗ୍ରହରେ ଅପେକ୍ଷା କରିବା ପାଇଁ ସ୍ଥିର କଲା । କିନ୍ତୁ ସେଇଦିନ ରାତି ପ୍ରାୟ ଦୁଇଟାବେଳେ ଶିବିର ଉପରେ ଆକ୍ରମଣ କଲା ପୁଲିସ୍‍ । ସେମାନେ ଚାରିପଟୁ ଘେରିଯିବା ପୂର୍ବରୁ ଗୁପ୍ତ ପଥଦେଇ ଶିବିରର ସମସ୍ତ ସାଥୀ ଖସିଗଲେ । ସବା ପଛରେ ଥିବା ଦୁଇଜଣ କମ୍ରେଡ଼ ପୁଲିସ୍‍ ଗୁଳିରେ ପ୍ରାଣ ହରାଇଲେ । ଅପୁ ଓ ତା’ ସାଙ୍ଗମାନେ ପ୍ରାଣ ବିକଳରେ କମ୍ରେଡ଼୍‍ମାନଙ୍କ ଅନୁଗମନ କଲାବେଳେ ପାଦରେ କଣ୍ଟା ଫୋଡ଼ିହେଲା । ଲହୁଲୁହାଣ ହେଲେ ସେମାନେ । କିନ୍ତୁ ସେମାନଙ୍କ ଉପରକୁ ପୁଲିସ୍‍ ଝାମ୍ପି ପଡ଼ିବା ଆଗରୁ ଆଗେଇ ଆସୁଥିବା ପୁଲିସ୍‍ ବାହିନୀ ଉପରେ ହଠାତ୍ ପାଲଟା ଆକ୍ରମଣ ହେବାରୁ ସେମାନେ ପଛଘୁଞ୍ଚା ଦେଲେ । ସେଇ ସୁଯୋଗରେ ସମ୍ମୁଖ ଯୁଦ୍ଧରେ ଗୁଳି ବିନିମୟ ଚାଲିଥିବାବେଳେ ଶ୍ରୀନିବାସର ସଂକେତ ପାଇ ସେମାନେ ଖସିଗଲେ କମ୍ରେଡ଼୍‍ମାନଙ୍କ ସହିତ । କିଛି ସମୟ ପରେ ବୋମା ବିସ୍ଫୋରଣର ଶବ୍ଦ ହେଲା ଏବଂ ତା’ ପରେ ପରେ ଗୁଳି ଫୁଟିବା ବନ୍ଦ ହୋଇଗଲା । ଶ୍ରୀନିବାସ ପାଞ୍ଚଜଣ କମ୍ରେଡ଼୍‍ଙ୍କ ସହିତ ଗୁପ୍ତପଥ ଦେଇ ପଳାଇଯିବା ପାଇଁ ସକ୍ଷମ ହେଲା । କିଏ ହତାହତ ହେଲା ନିର୍ଦ୍ଦିଷ୍ଟଭାବେ ଜାଣିବା ପାଇଁ ସୁଯୋଗ ନ ଥଲା । କିନ୍ତୁ ପାହାନ୍ତାବେଳକୁ ଶ୍ରୀନିବାସ ପାଖରେ ଖବର ପହଞ୍ଚିଗଲା ଯେ ପ୍ରଥମେ ପୁଲିସ୍‍ ଗୁଳିରେ ଦୁଇଜଣ ସାଥୀ ଜୀବନ ହରାଇବା ପରେ ଆଉ କେହି ମରି ନାହାଁନ୍ତି । ବୋମା ବିସ୍ଫୋରଣ ଯୋଗୁ ତିନିଜଣ ପୁଲିସ୍‍ ନିହତ ହୋଇଛନ୍ତି । କିନ୍ତୁ ଅପୁ କମ୍ରେଡ଼୍‍ମାନଙ୍କ ସହିତ ଖସି ଆସିବା ପାଇଁ ସମର୍ଥ ହୋଇଥିବାବେଳେ ସତ୍ୟବ୍ରତ ଆଉ ମାନୁ ରାସ୍ତାରେ କୁଆଡ଼େ ହଜିଗଲେ ବା ପୁଲିସ୍‍ ହାତରେ ଧରାପଡ଼ିଲେ ତାହା କେହି ଜାଣନ୍ତି ନାହିଁ । ଶ୍ରୀନିବାସ ଦାନ୍ତ ଉପରେ ଦାନ୍ତ କାମୁଡ଼ି କହିଲା- ‘କାଓ୍ୱାର୍ଡ଼ସ୍‌.... ' ସେମାନଙ୍କୁ ରକ୍ଷା କରିପାରିଲ ନାହିଁ । ପୁଲିସ୍‍ ହାତରେ ଯେ ସେମାନେ ବନ୍ଦୀ ହୋଇଥିବେ ଏହା ସେ ନିଶ୍ଚିତ ଜଣାପଡ଼ୁଛି ।’

 

ଲାଲ ସୂର୍ଯ୍ୟ ପୂର୍ବଦିଗରେ ଉଇଁଲାବେଳକୁ ସତକୁ ସତ ଖବର ପହଞ୍ଚିଗଲା ଯେ ସତ୍ୟବ୍ରତ ଏବଂ ମାନୁକୁ ପୁଲିସ୍‍ ଧରିନେଇଛି । ସେମାନଙ୍କୁ ପୁଲିସ୍‍ ଗାଡ଼ିରେ ନିଆଯାଉଥିବା ଦେଖିଛି ଗୁରୁବା ଗମାଙ୍ଗ ।

 

ଅପୁର ଦେହ ଶିହରି ଉଠିଲା । ସାଙ୍ଗ ହୋଇ ସେମାନେ ଆସିଥିଲେ । ସେ ବର୍ତ୍ତିଗଲା ପୁଲିସ୍‍ ହାତରୁ । ସେମାନେ ଧରାପଡ଼ିଗଲେ । ହୁଏତ ସେମାନଙ୍କଠାରୁ ଏତେବେଳକୁ ଅନେକ ଖବର ସଂଗ୍ରହ କରିଥିବ ପୁଲିସ୍‍ । ସେମାନଙ୍କୁ ଯେ ଛାଡ଼ି ନ ଦେଇ ହାଜତରେ ଭର୍ତ୍ତି କରିଥିବ ପୁଲିସ୍‍ ଏଥିରେ ସନ୍ଦେହ ନାହିଁ । ସକାଳର ସେଇ ତାଜା ଖବର ପହଞ୍ଚି ଯାଇଥିବ ପୁଲିସ୍‍ ହେଡ଼କ୍ୱାର୍ଟରରେ । ସେମାନଙ୍କୁ ଜେରା କରିବାପାଇଁ ପହଞ୍ଚି ଯାଇଥିବେ ପୁଲିସ୍‍ ସାହେବ । ଦିନର ଯେକୌଣସି ସମୟରେ ଆଚାର୍ଯ୍ୟ ନିବାସରୁ ଏଇ ଖବର ପାଇ ନିଶ୍ଚୟ ଶୋକର ଛାୟା ଖେଳି ଯାଇଥିବ ହଷ୍ଟେଲରେ, ନହରକଣ୍ଟାରେ ।

 

ମୈତ୍ରେୟୀ ଆତୁର ହେଉଥବେ ଜାଣିବା ପାଇଁ ଅପୁ ସମ୍ବନ୍ଧରେ । ପୁଲିସ୍‍ ହେଡ଼କ୍ୱାର୍ଟରକୁ ସାନ ନନାଙ୍କ ସାଙ୍ଗରେ ଯାଇଥିବେ ସତ୍ୟାସତ୍ୟ ଜାଣିବା ପାଇଁ । ହୁଏତ ସନ୍ଧ୍ୟା ପୂର୍ବରୁ ତା# ବିଷୟରେ ସଠିକD ଖବର ପହଞ୍ଚିଯିବ ଏବଂ ସେମାନେ ଆଉ ଅପୁକୁ ନ ଖୋଜି ତା#ର ଅନିଶ୍ଚିତ ଭବିଷ୍ୟତ ନେଇ ମଥା କୋଡ଼ୁଥିବେ କାନ୍ଥରେ !

 

ଭୟରେ ନୁହେଁ, ମୈତ୍ରେୟୀଙ୍କ ପାଇଁ ଆଖିରୁ ଦୁଇଧାର ଲୁହ ଝରିପଡ଼ିଲା । ସୂର୍ଯ୍ୟାଲୋକରେ ସେଇ ଲୁହର ଭାଷା ବୁଝି କହିଲା ଅରୁଣା, ତମେ ତ ଅକ୍ଷତ ଅବସ୍ଥାରେ ଚାଲିଆସିଛ, ତଥାପି ଦୁଃଖ କାହିଁକି ?’

 

ଅପୁ ଡରିଲା ସ୍ଵରରେ କହିଲା, ‘ଜାଣେନା ଏତେବେଳକୁ ଭାଉଜ, ଭାଇ ଓ ଅନ୍ୟମାନେ କ’ଣ ଭାବୁଥିବେ...ଭାଉଜଙ୍କୁ କଥା ଦେଇଥିଲି ଫେରିଯିବି ବୋଲି, କିନ୍ତୁ କଥା ରଖିପାରିଲି ନାହିଁ । ତାଙ୍କ ଆଖିରେ ପ୍ରତାରକ ହୋଇ ରହିଗଲି... ।’

 

ଅରୁଣା କହିଲା, ନା, ସେ ଠିକ୍‌ ସମୟରେ ସତ ଖବର ଜାଣିବେ... ବରଂ ତୁମକୁ ଆଶୀର୍ବାଦ କରିବେ ।

 

ଅପୁ କିଛି ଉତ୍ତର ଦେଲା ନାହିଁ । ଚିବୁକରେ ଲାଗିଥିବା ଲୁହ ପୋଛିଦେଲା ନାହିଁ, ବରଂ ତାହା ଶୁଖିଗଲା କିଛିକ୍ଷଣ ପରେ ।

 

ଶ୍ରୀନିବାସ ତାକୁ ଡକାଇ ପଠାଇଲା । ସେତେବେଳକୁ ଘଡ଼ିରେ ବାଜିଥିଲା ଏଗାରଟା । ସେମାନେ ଗଭୀର ଜଙ୍ଗଲ ଭିତରେ ଗୋଟେ ବିରାଟ ବରଗଛମୂଳେ ଆଶ୍ରୟ ନେଇଥିଲେ । ସେଇଠି ନିଆଁ ଜାଳି କମ୍ରେଡ଼୍‍ମାନେ ଚା’ ତିଆରି କରୁଥିଲେ ।

 

ତା’ ହାତକୁ ମଗ ଭର୍ତ୍ତି ଚା’ ଓ ପାଉଁରୁଟିରୁ ଖଣ୍ଡେ ବଢ଼ାଇଦେଇ କହିଲା ଶ୍ରୀନିବାସ, ‘ତମେ ପଳାଇ ଯିବାର ସୁଯୋଗ ପାଇ ବି ରହିଗଲ ଯେ ?'

 

ଅପୁ ନିଶଙ୍କ ସ୍ଵରରେ ଉତ୍ତର ଦେଲା, - ‘ମୁଁ ରହିଯିବା ପାଇଁ ଚାହୁଁଥିଲି ବୋଲି ପଳାଇଗଲି ନାହିଁ ।

 

‘କାହିଁକି ଏ କାମ କଲ ? ଏଇ ଅନିଶ୍ଚିତ ବିପଦଶଙ୍କୁଳ ବାଟ ବାଛିନେଲ କାହିଁକି ? ତମ ଆଗରେ ଥିଲା ଗୋଟେ ନିଶ୍ଚିତ ଭବିଷ୍ୟତ, ସୁଖମୟ ଜୀବନ ଆଉ ସୁବିଧା ଭୋଗ କରିବାର ଅମାପ ସୁଯୋଗ... ।’

 

ଅପୁ ସ୍ପଷ୍ଟ ଭାଷାରେ କହିଲା, ‘କୋଟି କୋଟି ସର୍ବହରାଙ୍କ ସହିତ ସାମିଲ ହୋଇଗଲି ମୁଁ କମ୍ରେଡ଼୍‍.... ମୋର ଅସ୍ମିତା, ମୋର ଅହଙ୍କାର ବିସର୍ଜନ ଦେଇ ମୁଁ ମିଶିଗଲି କୋଟିଙ୍କ ସହିତ... ମୋର ପରିଚୟ ଲିଭିଗଲେ କ୍ଷତି ନାହିଁ, ସୁବିଧା ସୁଯୋଗଗୁଡ଼ା ମୋ ପାଇଁ ଅନାବଶ୍ୟକ.... ମୁଁ ଜୀବନକୁ ତିଳ ତିଳ କରି ବ୍ୟୟ କରିବାକୁ ଚାହେଁ ସେଇ ମହାନ୍‌ ଲକ୍ଷ୍ୟରେ ପହଞ୍ଚିବା ପାଇଁ... ।’

 

ଶ୍ରୀନିବାସ ତା’ ପିଠି ଥାପୁଡ଼ାଇ ଦେଇ କହିଲା, ‘ତମେ ଚା’ ପିଇନ କି ପାଉଁରୁଟି ଖାଇନ... ନ ଖାଇ ନ ପିଇ କେତେଦିନ ରହିବ ? ଲଢ଼ିବାପାଇଁ ଶକ୍ତି ଆସିବ କେଉଁଠୁ ? ଏଇ ଆଉ ଥରେ ଗରମ ଚା’ ଆସିଗଲାଣି... ଏଥର ଏହାର ସଦ୍‌ବ୍ୟବହାର କର...।’

 

ମଗଟା ତଳେ ଥୋଇଦେଇ ଲାଲ ସଲାମ କରି କହିଲା ଅପ୍ରତିମ, ‘ମୁଁ ଶପଥ କରି କହୁଛି ଯେ... ।’

 

ଦୁଇବର୍ଷ ଧରି ଯେଉଁ ପଦବୀ ପାଇବା ସକାଶେ ଅପେକ୍ଷା କରନ୍ତି, ଗୋଟିକ ପରେ ଗୋଟିଏ ପରୀକ୍ଷା ଦିଅନ୍ତି ଆଶାୟୀମାନେ, ସେଇ ପଦ ପନ୍ଦର ଦିନରେ ମିଳିଗଲା ଅପୁକୁ ।

 

ଶ୍ରୀନିବାସ ସଲାମ ଗ୍ରହଣ କରିବା ସହିତ କହିଲା, ‘କମ୍ରେଡ଼୍‍ । ଇନ କିଲାବ ଜିନ୍ଦାବାଦ...’

 

ଆଉ ବେଶୀ ସମୟ ଅପେକ୍ଷା ନ କରି ସମସ୍ତେ ପୁଣି ଚାଲିବାକୁ ଆରମ୍ଭ କଲେ । ଅଧିକ ନିରାପଦ ଜାଗାକୁ ଯିବାକୁ ହେବ । ରେଡ଼ିଓରେ ବାର୍ତ୍ତା ଆସିଥିଲା ସେମାନେ ସେଇ ଦିଗରେ ଚାଲିଲେ... ଅନାଗତ ଅନିଶ୍ଚିତ ଓ ବିପଦପୂର୍ଣ୍ଣ ଏଇ ଅବସ୍ଥା... ମୃତ୍ୟୁକୁ ପାଦତଳେ ଦଳି ମକଚି ଆଗକୁ ଆଗକୁ ଯାଉଥିଲେ ସେମାନେ... ମଧ୍ୟାହ୍ନ ସୂର୍ଯ୍ୟର ତେଜ ଝଲମଲ କରୁଥିଲା ସେମାନଙ୍କ ମୁହଁ ଉପରେ... ଦୃଷ୍ଟିରୁ ଛିଟିକି ପଢ଼ୁଥିଲା ଦୃଢ଼ତା... ମଧ୍ୟାହ୍ନର ନୂତନ ସଂକଳ୍ପ..... ।

 

(ବାଇଶି)

 

ରାଜଧାନୀର ଟହ ଟହ ରୂପ ଦେଖି ଖୁସି ଲାଗୁଥିଲା ଅନଙ୍ଗକୁ । ପନ୍ଦର ବର୍ଷ ମଧ୍ୟରେ ଜରାଗ୍ରସ୍ତ ରାଜଧାନୀ ପୁଣି ଫେରିପାଇଛି ତାରୁଣ୍ୟ । ମୁକ୍ତି ପାଇଛି ଅକାଳ ବାର୍ଦ୍ଧକ୍ୟରୁ । ଅଭିଶପ୍ତ ନଗରୀର ନାମ ହଜି ଯାଇଥିଲା ପର୍ଯ୍ୟଟକ ମାନଚିତ୍ରରୁ । କିନ୍ତୁ କେତେଜଣ ଯୁବକଙ୍କ ସାହସିକ ଉଦ୍ୟମରୁ ସହରବାସୀ ଅମରାବତୀରେ ବାସ କରୁଥିବା ପରି ଅନୁଭବ କରୁଛନ୍ତି । ଏକାମ୍ର କାନନର ଅନୁପମ ଶୋଭା ଦେଖିବା ପାଇଁ ଭିଡ଼ ଲାଗିଛି ଦର୍ଶକଙ୍କର । ଏକାମ୍ର କାନନର ଗୋଲାପ ବଗିଚା ପାଖରେ କୃତ୍ରିମ ସରୋବର କୂଳରେ ଗୋଟିଏ ମଞ୍ଚ ନିର୍ମାଣ କରାଯାଇଛି ନୃତ୍ୟଗୀତ ପରିବେଷଣ କରିବା ପାଇଁ । ଏକବିଂଶ ଶତାବ୍ଦୀ କ୍ଲବ ପକ୍ଷରୁ ସେଇ ମଞ୍ଚ ଉପରେ ଆୟୋଜନ କରାଯାଇଥାଏ ଗୋଟେ ଫେଶନ ସୋ । ଫେଶନ ସୋ ପରେ ପପ୍‌ ମ୍ୟୁଜିକ୍‌ ଏବଂ ଡ୍ୟାନ୍ସ୍‌ ।

 

ଅନେକ ଦିନ ହେବ କାମର ଭିଡ଼ ଯୋଗୁ ଖୋଲା ଜାଗାରେ ବସି ଆମୋଦପ୍ରମୋଦ କରିବା ପାଇଁ ସମୟ ପାଇ ନ ଥିଲା ଅନଙ୍ଗ । ମୈତ୍ରେୟୀ ସ୍ଵାତୀକୁ ଆଣିବା ପାଇଁ ୠଷିଭ୍ୟାଲି ଯିବା ପରେ ସେ ସମୟ ପାଇଛି ଟିକେ ଫୁର୍ତ୍ତି କରିବା ପାଇଁ । ସନ୍ନିକଟରେ ଥିବା ଗୋଟେ ପାର୍‌ଲୋରରେ ବସି କାଜୁବାଦାମ ଚୋବାଉଥିବାବେଳେ ତା’ କାନରେ ପଡ଼ୁଥାଏ ନୂତନ ପପ୍‌ ଓଡ଼ିଆ ସଙ୍ଗୀତ । ଛୋଟ ଛୋଟ ପିଲାମାନେ ହାତ ତାଳି ଦେଇ ନାଚିବା ପାଇଁ ଆରମ୍ଭ କରି ଦେଇଥାନ୍ତି । ଅନଙ୍ଗର ବି ଇଚ୍ଛା ହେଉଥିଲା ସେମାନଙ୍କ ସହିତ ନାଚିବା ପାଇଁ । ବୟସ ବଢ଼ିବା ସହିତ ସ୍ଵାଭାବିକ ଚପଳତା ବି ହଜିଯାଏ ଆଚରଣରୁ, ମନରୁ ହଜିଯାଏ ଉଲ୍ଲାସ କରିବାର ନିର୍ମଳ ଭାବନା । ବୟସ ହେଲେ ନିଶା ଲାଗେ । ସାଙ୍ଗ ହେବା ପାଇଁ ଇଚ୍ଛା ହୁଏ । ସାନ୍ନିଧ୍ୟ ଦବା ପାଇଁ ମନ କହେ । ସୁସୁଇ ମନେପଡ଼ିଯାଏ-। ଫେରିବା ବାଟରେ କଥା ରଖି ଯଦି ଆସନ୍ତା ଭୁବନେଶ୍ଵର ଦୁଇତିନିଦିନ ପାଇଁ ତେବେ ଧନ୍ୟ ହୋଇଯାଆନ୍ତା ଅନଙ୍ଗ । ପୁରୀ ସମୁଦ୍ର କୂଳର କୋଳାହଳ ହୁଏତ ସେମାନଙ୍କୁ ନିକଟତର ହେବା ପାଇଁ ସୁଯୋଗ ଦବ ନାହିଁ; କିନ୍ତୁ କୋଣାର୍କର ନିରୋଳା ସବାକ୍‌ ନିରବତା ଯେ କୌଣସି ବ୍ୟକ୍ତିକୁ ମୁଗ୍ଧ କରିବ ନିଶ୍ଚୟ । ଶିଳା କାଟି ନିହାଣ ମୁନରେ ଶିଳ୍ପୀ ଆଙ୍କିଥିବା ହାସ୍ୟ, ଲାସ୍ୟ ଓ ଅପେକ୍ଷମାଣାର ବ୍ୟଞ୍ଜନା ଯେ କୌଣସି ବ୍ୟକ୍ତିକୁ ଆକର୍ଷଣ କରିବ ।

 

ସୁସୁଇ କ’ଣ ସତରେ ବାଟ ଭାଙ୍ଗି ଚାଲି ଆସିବ ଭୁବନେଶ୍ଵର ?

 

ସେ ଆସୁଥିବ ବୋଲି ଭାବୁଥିବାବେଳେ ମାଇକରେ ଘୋଷିକା କହିଲେ ଯେ ସମୟ ହୋଇଯାଇଛି, ପାଞ୍ଚମିନିଟ୍‌ ମଧ୍ୟରେ ଫେଶନ ସୋ ଆରମ୍ଭ ହେବ । ସମସ୍ତଙ୍କୁ ସ୍ଥାନ ଗ୍ରହଣ କରିବା ପାଇଁ ଅନୁରୋଧ କରି ସେ ଆହୁରି ଜଣାଇଦେଲେ ଯେ ମଝିରେ ମଝିରେ ସେମାନଙ୍କୁ ଖାଦ୍ୟପେୟ ଦ୍ଵାରା ଆପ୍ୟାୟିତ କରାଯିବ ।

 

ଅନଙ୍ଗ ଅନାଇଥାଏ ମଞ୍ଚ ଉପରକୁ । ଗୋଟେ ମଧୁର ସ୍ଵରର ମୂର୍ଚ୍ଛନା ମନକୁ ଉଚ୍ଚକିତ କରୁଥିବାବେଳେ ପ୍ରଥମେ ଜଣେ ତରୁଣ ପ୍ରଦର୍ଶନ କଲା ନୂତନ ଡିଜାଇନର ପାଇଜାମା ପଞ୍ଜାବୀ ଏବଂ ଓଢ଼ଣୀ । ବେଶ୍‌ ମାନୁଥିଲା ତାକୁ । ବର ବେଶ ପରି ଲାଗୁଥିଲା ଅନଙ୍ଗକୁ ଏବଂ ସେ ଭାବୁଥିଲା ଯେ ଏଇ ପୋଷାକ ପିନ୍ଧି ସେ ବେଦିକୁ ଯିବ ଯଦି ତାର କେବେ ସୁସୁଇ ସହିତ ବାହାଘର ହୁଏ ।

 

ଅନଙ୍ଗ ହଜି ଯାଇଥିଲା ନିଜ ଭିତରେ ।

 

କେତେବେଳୁ ଯୁବକ ଅପସରି ଯାଇଥିଲା, ଏବଂ ଆଉ ଗୋଟେ ମଧୁର ମୂର୍ଚ୍ଛନା ସହିତ ହଂସ ପରି ହଲି ଦୋହଲି ଆସୁଥିଲା ଝିଅଟିଏ । ବୟସ ବେଶୀ ନୁହଁ... ସତର ଅଠର ମଧ୍ୟରେ । କିନ୍ତୁ ସେ ଯେତିକି ପାଖକୁ ଆସିଲା ସେତିକି ଛାତି ତଳର ସ୍ପନ୍ଦନ ବଢ଼ିଲା ଅନଙ୍ଗର । ସେ ଭୁଲ ଦେଖୁନି ତ ? ଆଉଥରେ ଭଲ କରି ଚାହିଁଲା ସାମ୍ନାକୁ । ନା, ଭୁଲ ଦେଖୁନି ସେ । ଫେଶନ ସୋ ଦେଖାଇଥିବା ମଡେଲଟି ମିତା ବ୍ୟତୀତ ଅନ୍ୟ କେହି ନୁହେଁ । ପୋଷାକ କମ, ଦେହର ଅନେକାଂଶ ଖୋଲା । ଆଖି ବୁଜି ହୋଇଗଲା ପୁଣି । କେହି ଯେପରି ତା’ ଦେହରେ ନିଆଁ ରଡ଼ଟାଏ ଜାକି ଦେଲା । ସେ ଆଖି ବୁଜିଦେଲା ।

 

ଶୋ’ ଶେଷ ହେବା କ୍ଷଣି ସେ ଉଠି ବସି ଗ୍ରୀନରୁମ୍‌ ଆଡ଼କୁ ଯିବା ପାଇଁ ପାଦ ବଢ଼ାଇଲା-। ବାଟରେ ଜଣେ କେହି ତାକୁ ରୋକି ଦେଇ କହିଲା ଭିତରକୁ ଯାଇପାରିବ ନାହିଁ । ତା’ ଗାଲରେ ଚାପୁଡ଼ାଏ ବସାଇ ଦେବା ପାଇଁ ଇଚ୍ଛା ହେଲା ଅନଙ୍ଗର । ତାଳରୁ ତଳିପା ପର୍ଯ୍ୟନ୍ତ ଗୋଟିଏ ପ୍ରକାର ବିଚିତ୍ର ଅନୁଭୂତି ତାର ଶିରାପ୍ରଶିରାକୁ ନିଷ୍କ୍ରିୟ କରି ଦେଉଥିଲା । ସେ ଏଣେତେଣେ ଖୋଜିଲା । ପଛ ଗେଟ୍‌କୁ ଗଲା । ତାଲା ପଡ଼ିଥିଲା ସେଠାରେ । ସେ ପୁଣି ମୁଖ୍ୟ ଫାଟକ ପାଖକୁ ଆସିଲା । ସାଇଁକିନା ଗୋଟେ ମୋଟର ସାଇକେଲ ବାହାରିଗଲା । ଆଗରେ ଓ ପଛରେ ଥିବା ଆରୋହୀଙ୍କୁ ଚିହ୍ନିପାରିଲା ନାହିଁ । ପୁଣି ଗ୍ରୀନ୍‌ରୁମ ପାଖକୁ ଗଲା । ଜଣେ ସୁଟଟାଇ ପିନ୍ଧା ଯୁବକ ବାହାରୁଥିବା ଦେଖି ପଚାରିଲା ଅନଙ୍ଗ, ‘ମିତା ଆଚାର୍ଯ୍ୟ ଟିକେ ପୂର୍ବରୁ ଷ୍ଟେଜରେ ଥିଲେ । ଅଛନ୍ତି ?

 

ସେ କହିଲା, ‘‘ନା, ଏଇ ଜଷ୍ଟ ଚାଲିଗଲେ ତାଙ୍କ ସାଙ୍ଗ ରୋହିତ ସହିତ । ରୋହିତ ପଟ୍ଟନାୟକ ।’’

 

ଚମକି ପଡ଼ିଲା । ଗୋଟାଏ ଇଂରାଜୀ ପତ୍ରିକାରେ ମଡେଲ ରୋହିତ ପଟ୍ଟନାୟକର ଫଟୋ ବାହାରିଥିଲା । ଫଟୋ ପାଖରେ ବାହାରିଥିବା ଷ୍ଟୋରିର ନାମ ଥିଲା Dynamic engaging versatile and sexy......

 

ଅନଙ୍ଗ ତଥାପି କହିଲା, ‘ଆର ୟୁ ସିଓର !’’

 

ସେ ଲୋକ ଜଣକ ଉତ୍ତର କଲା ‘ପ୍ରେଟି ସିଓର୍‌ !’ ତା’ପରେ ହାତଘଡ଼ିକୁ ଚାହିଁ କହିଲା, ‘ସାତ ପନ୍ଦର, ସାଢ଼େ ସାତଟାରେ ସେମାନଙ୍କର ଡ୍ୟାନ୍ସ ବାରରେ ଗୋଟେ ପ୍ରୋଗ୍ରାମ ଅଛି । ନିଲାଫେର ରେସ୍ତୋଁରା ଯାଇଛ କେବେ ? ସେଇଠି... ।’

 

ଆଉ କିଛି ଶୁଣିବାକୁ ଇଚ୍ଛା ନ ଥିଲା । ପାର୍କିଂରୁ ଗାଡ଼ି ବାହାର କରି ଅଗ୍ରସର ହେଲା ଅନଙ୍ଗ... ନିଲୋଫେରକୁ ସମ୍ଭ୍ରାନ୍ତ କେହି ଯାଆନ୍ତି ନାହିଁ । ଚିପ୍‌ ଭଲଗର୍ ସୋ... ପଇସା ଉପାର୍ଜନ କରିବାର ଗୋଟେ ଅଭିନବ ମାର୍ଗ । ଗେ ଓ ଲେସ୍‌ବିଅନ୍‌ମାନଙ୍କର ତୀର୍ଥଭୂମି... । ଛି ଛି ମିତା ସେଇଠି ଥିବ ଏବେ । ଦେହ ଶୀତେଇ ଉଠିଲା ଅନଙ୍ଗର । ଭାଉଜ ଜାଣିଲେ ଆତ୍ମହତ୍ୟା କରିଦେବେ । ରକ୍ଷା ଯେ ସେ ୠଷିଭ୍ୟାଲି ଯାଇଛନ୍ତି ସ୍ଵାତୀକୁ ଆଣିବା ପାଇଁ । ବଡ଼ନନା ଯାଇଛନ୍ତି, ଦିଲ୍ଲୀ ଗୋଟେ ଜରୁରୀ କାମରେ । ଯିବାବେଳେ ତାକୁ ବାରମ୍ବାର କହିଯାଇଥିଲେ ମୈତ୍ରେୟୀ ଓ ପିଲାମାନଙ୍କ ତତ୍ତ୍ୱ ନବା ପାଇଁ । ମଝିଆ ଭାଇ ନର୍ସିଂହୋମ୍‍ ନେଇ ବ୍ୟସ୍ତ । ତାହା ଉପରେ ନ୍ୟସ୍ତ ଥିଲା ପିଲାଙ୍କ ଦାୟିତ୍ଵ । ଆନନ୍ଦ ଲକ୍ଷ୍ମଣ ରେଖା ଡେଇଁ ବାହାରକୁ ଯିବା ପ୍ରଶ୍ନ ଉଠୁନି । କିନ୍ତୁ ମିତାର ଚାରିଦିଗ ଖୋଲା ପଡ଼ିଆ । ଆଖି ଆଗରେ ନ ରଖିଲେ ସେ କେତେବେଳେ ଘରୁ ବାହାରିଯିବ ଜାଣିବା ମୁସ୍କିଲ । ମା’ ବାହାରକୁ ଯାଇଥିବାରୁ ସ୍ଵାଧୀନତା ବଢ଼ି ଯାଇଛି ମିତାର । ଭାଉଜଙ୍କୁ ଲୁଚେଇ ସେ ଗୋଟେ ମୋବାଇଲ ମିତାକୁ ଉପହାର ଦେଇଥିଲା । ସେ ଯଦି ଜାଣିଥାନ୍ତା ଯେ ସେ ଭୁଲ୍‌ ବାଟରେ ପାଦ ବଢ଼ାଇଛି ତେବେ ହୁଏତ ନିଷ୍ପତ୍ତି ଭିନ୍ନ ପ୍ରକାର ହୋଇଥାନ୍ତା ।

 

ନିଲୋଫର ଯିବା ପାଇଁ ସାହସ ହେଲା ନାହିଁ । ସେଠାରେ ଭଦ୍ରଲୋକଙ୍କ ସଂଖ୍ୟାରୁ ଡ୍ରଗ୍‍ ଏଡିକ୍ଟିମାନଙ୍କ ସଂଖ୍ୟା ବେଶୀ । ନିଲୋଫେର ବାଟ ଦେଇ ନ ଯାଇ ସେ ଅନ୍ୟ ରାସ୍ତା ଧରିଲା-। କିନ୍ତୁ କୁଆଖାଇ ବ୍ରିଜ୍‌ ପହଞ୍ଚିବା ଆଗରୁ ମନଟା ଉଚ୍ଛନ୍ନ ହେଲା । ବିଜୁଳି ଚମକିବା ପରି ତା’ ମନ ଭିତରେ ଗୋଟେ ବାର୍ତ୍ତା ଖେଳିଗଲା ଯେ ଏବେବି ହୁଏତ ସମୟ ଅଛି... ମିତା ଆଉ ଆଗକୁ ଯିବା ପୂର୍ବରୁ ତାକୁ ଫେରାଇ ଆଣି ପାରିବ ।

 

ସେ ଗାଡ଼ି ବ୍ୟାକ୍‌ କରି ପୁଣି ରସୁଲଗଡ଼ ଆଡ଼କୁ ଚାଲିଲା । ତୀର ବେଗରେ ରେଳପୋଲ ପାର ହୋଇ ଜୟଦେବ ବିହାର ଫ୍ଲାଇ ଓଭର ପାଖରେ ଡାହାଣକୁ ଗାଡ଼ି କାଟି ଆଗେଇଲା ନିଲୋଫେର ଅଭିମୁଖେ ।

 

ସେଠାରେ ପହଞ୍ଚିବାବେଳକୁ ସାଢ଼େ ଆଠଟା ବାଜି ଯାଇଥିଲା । କିନ୍ତୁ ସେଠାରେ ପହଞ୍ଚି ସେ ଯେଉଁ ଦୃଶ୍ୟ ଦେଖିଲା ତାହା ଯଥେଷ୍ଟ ଥିଲା ତାକୁ ଚମକାଇ ଦବା ପାଇଁ । ରେସ୍ତୋରାଁ ଚାରି ପାଖରେ ପୁଲିସ୍‍ ପଇଁତରା ମାରୁଥିଲେ । ରେସ୍ତୋରାର କାଚ ଝରକା, ଭାଙ୍ଗି ବଡ଼ ବଡ଼ ଭଙ୍ଗାକାଚ ଏଣେତେଣେ ପଡ଼ିଥିଲା । ଫାଟକ ପାଖରେ କେତେଗୁଡ଼ା ଯୋତା, ସ୍ଲିପର, ସ୍ୟାଣ୍ଡାଲ ପଡ଼ିଥିଲା ଅବିନ୍ୟସ୍ତ ଭାବରେ... । ଭିତରକୁ ଯିବା ରାସ୍ତା ବନ୍ଦ ଥିଲା । ଦୁଇଜଣ ସଶସ୍ତ୍ର ପୁଲିସ୍‍ ପହରା ଦେଉଥିଲେ ଦ୍ଵାର ଆଗରେ ।

ତେବେ କ’ଣ କିଛି ଅଘଟଣ ଘଟିଛି ? ମନକୁ ମନ ପ୍ରଶ୍ନ କଲା ଅନଙ୍ଗ ।

ତାକୁ ସାମ୍ନାରେ ଦେଖି ଜଣେ ସଶସ୍ତ୍ର ପୁଲିସ୍‍ କହିଲା, ଆଗକୁ ଯିବା ମନା । ଭିତରକୁ ଯିବା ବି ମନା । ତଦନ୍ତ ଚାଲିଛି । ଡିଏସପି ନିଜେ ତଦନ୍ତ କରୁଛନ୍ତି । ଡ୍ରଗ୍‌ କାରବାରର ଗୋଟେ ବଡ଼ ର‍୍ୟାକେଟ ଧରା ପଡ଼ିଛି ଏଇ ରେସ୍ତୋରାଁରୁ । ଅନେକ ବଡ଼ ଘର ପାଠପଢ଼ୁଆ ଟୋକାଟୋକୀ ଧରାପଡ଼ିଛନ୍ତି.... ।’

ତା’ କଥା ଶୁଣୁ ଶୁଣୁ ସାରା ସର୍ବାଙ୍ଗ ହେମକାକର ହୋଇ ଆସୁଥିଲା ଅନଙ୍ଗର । ମିତା ଭିତରେ ଅଛି କି ବୋଲି ଏଇ ପ୍ରଶ୍ନଟା ପଚାରିବା ପାଇଁ ସାହସ ହେଲା ନାହିଁ । ତଥାପି କିଛି ସମୟ ସେଠାରେ ଛିଡ଼ା ହୋଇ ରହିବାରୁ ସେଇ ପୁଲିସ୍‍ ପଚାରିଲା, ‘କ’ଣ କାହାକୁ ଖୋଜୁଛ ?’

-‘‘ହଁ, ହଁ... ଜଣକୁ ଖୋଜୁଛି...’

-‘ପୁଅ ନା ଝିଅ ?’

-‘ଝିଅ... ଏ ଭେରି ଗୁଡ଼ ଗାର୍ଲ.. ସତର ଅଠର... ଦେଖିବାକୁ ଭଲ ଦରଫୁଟା କଇଁଫୁଲ ପରି ନିର୍ମଳ, ନିଷ୍ପାପ... । ମାଛିକୁ ମ କରେନା...’

ସେ ଛେପ ପକାଇ କହିଲା, -‘ତମେ ଓକିଲାତି କରିବାକୁ ଆସିଛ ? ଏଠାକୁ କେହି ଭଦ୍ର ଘରର ଝିଅ, ପୁଅ ଆସନ୍ତି ? ଛି ଛି । ପିଲାଗୁଡ଼ା ନଷ୍ଟ ହୋଇଗଲେ । ବାପା ମା’ଙ୍କ ସମୟ ନାହିଁ ପିଲାଙ୍କ ପାଇଁ । ସେମାନେ ସ୍କୁଲ କଲେଜ ଯାଉଛନ୍ତି କହି କୁଆଡ଼େ ଯାଆନ୍ତି ଖବର ରଖନ୍ତିନି କେହି-। ନେଡ଼ିଗୁଡ଼ କହୁଣୀକୁ ଗଡ଼ିଗଲା ପରି ପଶ୍ଚାତାପ ହିଁ ସାର ହୁଏ... ତମେ ଫେରିଯାଅ ବାବୁ... ତମ ପିଲା ନ ଥିବେ ଏଠାରେ.... ଆଉ ଯଦି ବି ଥାଏ ତେବେ ତା’ ମୁହଁ ଚାହିଁବା ପାଇଁ ଇଚ୍ଛା ହେବ ତ ତମର...!’

ଏଇ ସମୟରେ ଇନିସ୍‌ପେକ୍ଟର ମଳୟ ସାମଲ ସେଇ ବାଟ ଦେଇ ତରତର ହୋଇ ରେସ୍ତୋରା ଆଡ଼କୁ ଚାଲିଯାଉଥିବାବେଳେ ବାଟରେ ଅନଙ୍ଗକୁ ଦେଖି କହିପକାଇଲେ, ‘‘କିରେ ! ତୁ ଏଠାରେ !’

ଅନଙ୍ଗର ତୁଣ୍ଡରୁ ଶବ୍ଦଟିଏ ବି ସ୍ଫୁରିଲା ନାହିଁ । ତା’ପରେ କିଛି ଅଘଟଣ ଘଟିଥିବ ଭାବି ଅନଙ୍ଗର ହାତରୁ ଟାଣିନେଇ ମଳୟ ସାମଲ ଆଗେଇଗଲା କିଛିଦୂରକୁ । ତା’ପରେ ପଚାରିଲା, ‘ତୁ ଏତେ ଆପ୍‌ସେଟ୍‌... ଡିଷ୍ଟର୍ବ ଦିଶୁଛୁ କାହିଁକି ଯେ ? କେହି ଚିହ୍ନାଜଣା ଧରାପଡ଼ିଛି ?’

ତଥାପି ଅନଙ୍ଗ ମୁହଁରୁ ଶବ୍ଦଟିଏ ବାହାରିଲା ନାହିଁ । ତାକୁ ଚୁପ୍‌ ହୋଇ ରହିଥିବା ଦେଖି ତା’ କାନ୍ଧରେ ହାତ ରଖି କହିଲା ମଳୟ, ‘‘କହୁନୁ କାହିଁକି କ’ଣ ହୋଇଛି ?’

ଏତେବେଳେ ମଥାର ଝାଳ ପୋହି ଶୁଖିଲା ସ୍ଵରରେ କହିଲା ଅନଙ୍ଗ, ‘ମୁଁ ବିପଦରେ ପଡ଼ିଯାଇଛି ଭାଇ, କେନ୍‌ ୟୁ ହେଲ୍ପ ?’

-‘କ’ଣ ହୋଇଛି... କ’ଣ ବିପଦ କହୁନୁ... ?’ କହିଲା ମଳୟ ।

-ମୋର ଜଣେ ସମ୍ପର୍କୀୟା ଏଇ ରେସ୍ତୋରାକୁ ଆସିଥିଲା ବୋଲି ଖବର ପାଇ ମୁଁ ଆସୁଥିଲି ସତମିଛ ପରଖିନବା ପାଇଁ... । କିନ୍ତୁ ଏଠାରେ ପହଞ୍ଚି ଖଣ୍ଡପ୍ରଳୟ ଦେଖି ଶୀତେଇ ଉଠୁଛି ମୋ ଦେହ... ।

-ତାକୁ ଭରସା ଦେଇ କହିଲା ମଳୟ, ‘କେମିତି ଚେହେରା, କେତେ ବୟସର... ଆଗରୁ କ’ଣ ଏ ଲାଇନ ସହିତ ଅଭ୍ୟସ୍ତ... ।’

 

- ନା, ନା ଭାଇ । ଭାରି ଭଲ ଝିଅ ମିତା । କଲେଜରେ ପଢ଼ୁଛି । ଗୁଡ଼ ଟୁ ଲୁକ୍‌ ଏଟ୍‌ । ହୁଏତ ଖରାପ ସାଙ୍ଗ ମେଳରେ ଆସିଯାଇଥିବ.... ସେ ଏ ଲାଇନ ସହିତ ପରିଚିତ ନୁହେଁ... ତୁ ବିଶ୍ୱାସ କର... ।’

 

ତାକୁ ଧୈର୍ଯ୍ୟ ଧରି ସେଠାରେ ଛିଡ଼ା ହେବାକୁ କହି ଭିତରକୁ ଗଲା ମଳୟ ସାମଲ । ପ୍ରାୟ ପନ୍ଦରମିନିଟ୍‌ ଧରି ଛିଡ଼ା ହୋଇଥିଲା ଅନଙ୍ଗ କିନ୍ତୁ ତାକୁ ଲାଗୁଥିଲା ଯେପରି କେତେଘଣ୍ଟା ଧରି ଛିଡ଼ା ହୋଇଛି ସେ । ମଳୟ ଫେରି ଆସୁଥିବା ଦେଖି ସେ ନର୍ଭସ ହୋଇଗଲା । ପ୍ରସ୍ତୁତ ହୋଇ ପାରୁ ନ ଥିଲା କିଛି ଖରାପ କଥା ଶୁଣିବା ପାଇଁ । ତା’ କାନ୍ଧ ଉପରେ ହାତ ରଖି କହିଲା ମଳୟ, ‘ମିତା ଅଛି ଏଠାରେ । ଯାହା ସାଙ୍ଗରେ ସେ ଆସିଥିଲା ସେଇ ଓ୍ୱେୱାର୍ଡ଼ ଟୋକାଟା କିନ୍ତୁ ଖସିଯାଇଛି... ରୋହିତ ପଟ୍ଟନାୟକ । ବଡ଼ ଘର ପିଲା । କିନ୍ତୁ ମନ୍ଦ ବାଟ ଧରିଛି । ମଡେଲିଂ କରିବାବେଳେ ଡ୍ରଗ ଆଡ଼କୁ ମାଡ଼ି ଆସିଛି... । ମିତାକୁ କେମିତି ଫସେଇଲା ମୁଁ ଜାଣେନା... ତଦନ୍ତ ଚାଲିଛି.... ପରେ ହୁଏତ ସବୁ ଜଣାପଡ଼ିବ... ।’

 

‘ଆଉ କିଛି ବାଟ ନାହିଁ ମିତାକୁ ନେଇ ଯିବା ପାଇଁ ?’ ଅନଙ୍ଗ କହିଦେଇ ମଳୟର ଅନୁକମ୍ପା ପାଇବା ଆଶାରେ ତା’ ମୁହଁକୁ ଅନାଇ ରହିଲା ।

 

ମଳୟ କହିଲା, ‘ତୁ ଅପେକ୍ଷା କର.... କିନ୍ତୁ ଦରକାର ହେଲେ ତୋତେ ଗୋଟେ ବଣ୍ଡ ଲେଖିଦବାକୁ ହେବ ମିତା ଯେପରି ଏ ବାଟ ଛାଡ଼େ... ଦଶଜଣ ଭଲ ଝିଅଙ୍କ ପରି ସେ ବି ଭଲ ହୋଇ ରହିବା ପାଇଁ ଶପଥ ନବ ।’

 

ବଣ୍ଡ ଲେଖିଦେଲା ଅନଙ୍ଗ । ସାବଧାନ କରି ଦେଇ ମିତାକୁ ଅନଙ୍ଗ ସହିତ ଛାଡ଼ିଦେଲେ ଡି.ଏସ.ପି. । ମନୋଜ ତାଙ୍କ ବ୍ୟାଚ୍‌ ମେଟ୍‌ । କିନ୍ତୁ ମିତାକୁ ଛାଡ଼ିବା ଆଗରୁ କହିଲେ, - ‘ବାପା ଏଡ଼େ ବଡ଼ ପଣ୍ଡିତ ମା’ ବି କମ୍‌ ନୁହଁନ୍ତି... କକେଇମାନେ ତ ଖ୍ୟାତିମାନ୍... ତୁ ମା’ କାହିଁକି ବାଟବଣା ହେଲୁ... ମୁଁ ଛାଡ଼ି ଦେଉଛି..... ସାବଧାନ ହେବୁ... ସେଇ ଟୋକାଟା ସାଙ୍ଗ ଛାଡ଼... ।’

 

ମିତା ପଦଟିଏ ବି କହିଲା ନାହିଁ ।

 

ଡି.ଏସ.ପି. ଶଙ୍ଖ ମହାପାତ୍ର କହିଲେ, ‘ତୋ କକାଙ୍କ ଜିମାରେ ଛାଡ଼ି ଦେଉଛି ମା’ । ତୋ ବାପା ମା’, ପରିବାରର ସମ୍ମାନ ଜଗି ଛାଡ଼ି ଦେଉଛି । ଭାଗ୍ୟକୁ ନିଲୋଫେରକୁ ନେଇ ତୁ ପ୍ରଥମ ଆସିଥିଲୁ ଏଥର... ।

 

ମୁହଁ ତଳକୁ କରି ଛିଡ଼ା ହୋଇଥିଲା ମିତା ।

 

ଦୁଇଧାର ଲୁହ ଝରି ପଡ଼ିଥିଲା ତା’ ଚିବୁକ ଉପରେ ।

 

ତା’ ହାତ ଧରି ବାଟ କଢ଼ାଇ ନେଇଗଲା ଅନଙ୍ଗ । ମଳୟ ତାକୁ ଗାଡ଼ି ପର୍ଯ୍ୟନ୍ତ ଆଗେଇ ଦେଇ କହିଲା, ‘ବାହା ହେଲୁ କି ନାହିଁ... ନା ଏବେ ବି ଗ୍ରାଣ୍ଡ ବ୍ୟାଚଲାର... ।’

 

ଅନଙ୍ଗ ମୁହଁରେ କେରାଏ ଶୁଖିଲା ହସ ଫୁଟିଉଠି ପୁଣି ମିଳେଇ ଗଲା ।

 

ସେ ମଳୟକୁ ଅଜସ୍ର ଧନ୍ୟବାଦ ଦେଇ ଗାଡ଼ି ଷ୍ଟାର୍ଟ କରିବା ପୂର୍ବରୁ କହିଲା, ‘ଆଇ ସେଲ୍‌ ରିମେମ୍ବର ୟର ହେଲ୍ପ ଫର୍‍ ଏଭର... ।’

 

କାଠଯୋଡ଼ି ପୋଲ୍‌ ପାର ହେଲାବେଳେ ଭାବୁଥିଲା ସେ ଏଇ ନଦୀ ହଜାର ହଜାର ବର୍ଷ ଧରି ବହିଚାଲିଛି... କେବେ ପଛକୁ ଫେରି ଚାହିଁନି । ଜଗତକୁ କେତେ ଦେଲି ବୋଲି ପ୍ରଶ୍ନ ପଚାରିନି ନିଜକୁ । ପ୍ରାଣୀମାନଙ୍କ ତୃଷ୍ଣା ନିବାରଣ କରିଛି, ଦୁଇ ପାଖର ପୃଥିବୀକୁ ଶସ୍ୟ ଶ୍ୟାମଳ କରିଛି, ଆଗେଇ ଯାଇଛି ସମୁଦ୍ର ଆଡ଼କୁ । କେବେ ତାକୁ କ୍ଳାନ୍ତ ଲାଗିନି । କେବେ ଭାବିନି ପ୍ରକୃତି ଦେଇଥିବା ଅସରନ୍ତି ସମ୍ପଦ ଶେଷ ହୋଇଗଲା ବୋଲି । ସେଥିପାଇଁ ଅକୃପଣଭାବେ କେବଳ ମେଲାଇ ଦେଇଛି ନିଜର ପସରା... ।

 

ଆଚାର୍ଯ୍ୟ ନିବାସରେ ପହଞ୍ଚିବାବେଳକୁ ଦଶଟା । ଦାଣ୍ଡରେ ଛିଡ଼ା ହୋଇଥିଲା ଭାସ୍ଵତୀ, ତା’ ପାଖରେ ଆନନ୍ଦ, କୁନ୍ତୀ, ବଂଶୀ... । ସରୋଜ ସେଦିନ ଖାଇବାକୁ ଆସି ନ ଥିଲା ।

 

ଅନଙ୍ଗର ଗାଡ଼ି ଫାଟକ ଡେଇଁ ଭିତରକୁ ଆସିଲା । ଭାସ୍ୱତୀ ଦୌଡ଼ିଯାଇ କହିଲା, ‘ମିତାକୁ ପାଇଲ ସାନ ନନା?’

 

ଅନଙ୍ଗ କହିଲା, ‘ଗୋଟେ ଫଙ୍କ୍‌ସନକୁ ନେଇଯାଇଥିଲି ମିତାକୁ... ଏତେ ରାତି ହେବ ମୁଁ କ’ଣ ଜାଣିଥିଲି ? କ୍ଳାନ୍ତ ଲାଗୁଛି... ତାକୁ ବି ଭୋକ ଲାଗୁଥିବ... ତୁ ତାକୁ ନେଇଯାଆ ଆଗ... ମୁହଁ ହାତ ଧୋଇ ଯାଉଛି ମୁଁ ... ।

 

ଆଉ କେହି କିଛି ପଚାରିଲେ ନାହିଁ ।

 

ଆନନ୍ଦ କେବଳ କହିଲା, ‘ନାନୀ ! ତୋତେ କିଏ ସେ ଜଣେ ଦୁଇଥର ଫୋନ୍‍ କରିଥିଲେ... ନାମ କହିଲେ ନାହିଁ... ପଚାରିବାରୁ କହିଲେ ସେ ପୁଣି ଫୋନ୍‍ କରିବେ...’

 

ମିତା ନିରବରେ ଚାଲିଗଲା, କୌଣସି ଉତ୍ତର ଦେଲା ନାହିଁ ।

 

ଭାସ୍ଵତୀ ଚାଲିଗଲା ଖିଆପିଆ ବ୍ୟବସ୍ଥା କରିବା ପାଇଁ ।

 

ଲୁଗା ବଦଳାଇ ଆସିଲା ମିତା । ତା’ ପାଖରେ ବସିଲା ଭାସ୍ଵତୀ । ଅନଙ୍ଗ ମୁହାଁମୁହିଁ ବସିଲା ସେମାନଙ୍କର । ନିରବରେ ପ୍ରାୟ ଖାଉଥିଲେ ସେମାନେ । ଯେପରି କେଉଁଠାରେ କିଛି ଗୋଟେ ହୋଇଛି । କିନ୍ତୁ କାହାରି ତୁଣ୍ଡରୁ ଶବ୍ଦଟିଏ ବାହାରୁ ନ ଥିଲା ।

 

ମିତା ସାମାନ୍ୟ କିଛି ଖାଇ ଉଠିଗଲା ।

 

ଭାସ୍ଵତୀ କହିଲା, ‘ସାନନନା ଆଜି ବିଶ୍ୱମୋହନ ଫୋନ୍‍ କରିଥିଲେ... ।’

 

‘କ’ଣ କହୁଥିଲା ?’

 

‘ସେ ଆସନ୍ତା ସପ୍ତାହରେ ଆସିବେ । ତାଙ୍କ କୋମ୍ପାନୀ ତାଙ୍କୁ ନୋଟିସ୍‍ ଦେଇଛି ଯଦି ଏଇ ବିଷୟରେ ସନ୍ତୋଷଜନକ ସମାଧାନ ନ ହୁଏ ତେବେ ତାଙ୍କୁ ଚାକିରି ହରାଇବାକୁ ପଡ଼ିବ... ।’

 

‘ଏତେବେଳେ ବୁଦ୍ଧି ଦିଶୁଛି ଟୋକାକୁ ! ପ୍ରଥମେ ଧରାଛୁଆଁ ଦେଉ ନ ଥିଲା.....।’ କହିଲା ଅନଙ୍ଗ ।

 

‘କିନ୍ତୁ ଚାକିରିଟା ଚାଲିଗଲେ ଖାଇବେ କ’ଣ, ଚଳିବେ କିମିତି ?’ ପଚାରିଲା ଭାସ୍ଵତୀ । ତା’ ମୁହଁକୁ ଚାହିଁ ରହିଲା ଅନଙ୍ଗ, ଏତେ ଘଟିଯିବା ପରେ ବି ଭାସ୍ଵତୀ ଚାହେଁନା ବିଶ୍ୱମୋହନ ଦଣ୍ତ ଭାଗ୍ୟକୁ ଆଦରି ତୁଠ ପଥର ପରି ପଡ଼ିରହିବ ସାରାଜୀବନ ପଛେ ଆଉ କାହାର ଦୁଃଖ ଯନ୍ତ୍ରଣା ସହିପାରିବ ନାହିଁ । ଗୋଇଠା ମାରି ସ୍ଵାମୀ ଆଡ଼େଇ ଦେବା ପରେ ମଧ୍ୟ ତାକୁ ଶାସ୍ତି ଦବା ପାଇଁ ଅଦାଲତରେ ନ୍ୟାୟ ପାଇବା ସକାଶେ ଠିଆ ହୋଇପାରିବ ନାହିଁ । ୠତୁପୂର୍ଣ୍ଣାମାନେହିଁ ସେଥିପାଇଁ ସୂର୍ପଣଖା ପରି ବାହାରନ୍ତି କରନ୍ତି ଘର ଭାଙ୍ଗିବା ପାଇଁ ।

 

ଯିଏ ଯାହା କୋଠରୀରେ ଶୋଇଲେ ଯାଇ । ସବୁ ଦରଜା ବନ୍ଦ କରିଦେଲା କୁନ୍ତୀ । ଅନଙ୍ଗ ଶୋଇବା ପାଇଁ ଗଲା ସିନା କିନ୍ତୁ ଶୋଇପାରିଲା ନାହିଁ । ମିତା ଯେ ବାଟହୁଡ଼ି ପାରେ ତାହା ଭାବି ପାରୁ ନ ଥିଲା ସେ । ସେ ଅନେକ ଚିନ୍ତା କରିଛି ଏ ବିଷୟରେ । ତା’ପରେ ଯାଇ ନିଷ୍ପତ୍ତି ନେଇଛି ଯେ ଯାହା ଘଟିଗଲା, ସେଇ ବିଷୟ ପ୍ରଘଟ କରିବ ନାହିଁ କାହା ଆଗରେ । ମିତା ତା’ ଝିଅ ପରି । ସେ ଗୋଟେ ଭୁଲ୍‌ କରିଛି... ଏଇ ଭୁଲ୍‌ ଯଦି ସେ ସୁଧାରିବା ପାଇଁ ନିଷ୍ଠାର ସହିତ ଚେଷ୍ଟା ନ କରେ ତେବେ ପାଳ ଗଦାରେ ନିଆଁ ଲାଗିଲେ ତାହା ଯେପରି ମୁହୂର୍ତ୍ତରେ ଜଳିଯାଏ ମିତା ମଧ୍ୟ ସେହିପରି ଜଳିଯିବ ଯଦି ଅବାଟରେ ଯାଏ ।

 

ପାପର ପ୍ରାୟଶ୍ଚିତ୍ତ କିଏ କରିବ ? ରୋହିତ ପଟ୍ଟନାୟକ ନା ମିତା ? ମିତାର କେତେ ବା ବୟସ ! ପ୍ଲସ୍‌ ୩ର ପ୍ରଥମ ବର୍ଷର ଛାତ୍ରୀ ସେ । ତାର ବୁଝିବା ଶକ୍ତି ଅତି କମ୍‌ । କିନ୍ତୁ ରୋହିତ ତେଇଶ ବର୍ଷର ଯୁବକ । ଇନ୍‌ଫରମେସନ୍‌ ଟେକ୍‌ନୋଲୋଜିର ସ୍ନାତକ । ଗୋଟେ ଭଲ କୋମ୍ପାନୀରେ ଚାକିରି କରୁଛି । ତଥାପି କାହିଁକି ସେ ସେକ୍ସ ଆଣ୍ଡ ଡ୍ରଗସ୍‌କୁ ବାଛିନେଲା ବୁଝିପାରିଲା ନାହିଁ ଅନଙ୍ଗ । ମଣିଷର ପ୍ରବୃତ୍ତି ଡ୍ରଗ୍‌ର ନିଶା ପରି । ସେଇ ନିଶା ଯଦି ତାକୁ ମନ୍ଦ ମାର୍ଗରେ ନେଇଯାଏ ତେବେ ସେଇ ନିଶାର ସେ ଦାସ ହୋଇଯାଏ । ସେ ନିଶାର ଚାଳକ ହୋଇ ପାରେ ନାହିଁ ।

 

ଏକଥା ଯେପରି କେହି ନ ଜାଣନ୍ତି ତାହା ନିଶ୍ଚିତ କରିବ ଅନଙ୍ଗ । ମିତା ପୁଅ ନୁହେଁ ଝିଅ । ରୋହିତର ସାତଖୁନ୍‌ ମାପ୍‌ । ସମାଜ ଭୁଲିଯିବ । ସବୁ ପାପର ସଞ୍ଚାଳକ ହୋଇ ମଧ୍ୟ ଧନ ଓ କ୍ଷମତା ବଳରେ ପୁଣି ଧୁଆ ତୁଳସୀ ପରି ସେ ଚଳିଯିବ ସଂସାରେ । କିନ୍ତୁ ମିତା ପରି ଅଗ୍ନିରେ ଝାସ ଦେଉଥିବା ଝିଅମାନେ ପୋଡ଼ି ପାଉଁଶ ହୋଇଯିବେ ।

 

ଆଖିରେ କ’ଣ ଲାଗିଲା ବୋଲି ପୋଛି ନବାକୁ ଯାଇ ଗାଲ ପୋଛିଲାବେଳେ ଜାଣିଲା ଯେ ସେ କାନ୍ଦୁଥିଲା । ମିତା କାହିଁକି ଏତେ ବଡ଼ ଭୁଲ୍‌ କରିବାକୁ ଯାଉଥଲା ସେଥିପାଇଁ ସେ କ’ଣ ଭାବୁଥିବ ତାହା ଜାଣେ ନାହିଁ ଅନଙ୍ଗ, କିନ୍ତୁ ସେ ନିଜ ନିଜକୁ ନୟନ୍ତ୍ରଣ କରିପାରୁ ନ ଥିଲା । କୋହ ଉଠିଲା ଅନ୍ତସ୍ଥଳରୁ । ଛାତି ତଳୁ ଅତଡ଼ା ଭାଙ୍ଗିଗଲା ଏବଂ ନୀରବରେ ଶିଶୁ ପରି କାନ୍ଦିଚାଲିଲା ଅନଙ୍ଗ ।

 

ରାତି କେତେ ହୋଇଥିବ କେଜାଣି । କବାଟ ଉପରେ ଠକ୍‌ ଠକ୍‌ ଶବ୍ଦ ଶୁଣି ସେ ଉଠି ବସିଲା । କେହି ଡାକୁଥିବ ବୋଧହୁଏ । ମିତା ଆଉ ଆନନ୍ଦ ପାଖ କୋଠରୀରେ ଶୁଅନ୍ତି । କିଛି ଅସୁବିଧା ହେଲା କି ? କେହି ହୁଏତ ଦୁଃସ୍ଵପ୍ନ ଦେଖି ଉଠି ବସିଥିବ... ।

 

କବାଟ ଖୋଲି ଦେଲା ଅନଙ୍ଗ ।

 

ତା’ ଆଗରେ ମିତା ନୀରବରେ ଛିଡ଼ା ହୋଇଥିବା ଦେଖି ସେ ଉଦ୍‌ବିଗ୍ନ ସ୍ଵରରେ କହିଲା, ‘‘କ’ଣ ହେଲା, ସ୍ୱପ୍ନ ଦେଖି ଡରିଗଲୁ କି ?’ ‘ନା ଡରିଯାଇନି । କିନ୍ତୁ ଆଜି ଯାହା ଘଟିଯାଇଛି ସେଇ ବିଷୟ ଭାବୁଥିଲି । ମୁଁ ଏଇ ସମୟର ଝିଅ । ପୁରୁଣା ପରମ୍ପରା, ମୂଲ୍ୟବୋଧଗୁଡ଼ାକ ମୁଁ ଗ୍ରହଣ କରିପାରୁନି କାକା । ରୋହିତ ସାଙ୍ଗରେ ବୁଲିବାରେ କିଛି ଦୋଷ ଦେଖୁନି ମୁଁ । ପର୍ସନାଲ ଚଏସ୍‌, ପର୍ସନାଲ ଫ୍ରିଡ଼ମ୍‌ କ’ଣ ଖରାପ ? ମୁଁ ତ ମା’ ବାପାଙ୍କ ଆଖିରେ ଦେଖବିନି ଜଗତକୁ । ମୋ ଆଖିରେ ଦେଖିବି, ତେବେ, ମୋ ଇଚ୍ଛା ଓ ଅନିଚ୍ଛାଗୁଡ଼ାକ ବାପା ମା’ଙ୍କ ପରି ହେବ କିପରି ? ତମେ ଏ ଯୁଗର... ତମେ ଯଦି ସୁଯୋଗ ପାଇଲେ ବୁଝାଇ ଦିଅନ୍ତ ମା’ଙ୍କୁ ତେବେ ଭୁଲ ବୁଝାମଣା ରହନ୍ତା ନାହିଁ । ମୁଁ ଯାହା ପାରିବି ନାହିଁ ମୋଠାରୁ ସେପରି ପ୍ରତ୍ୟାଶା କଲେ ମୁଁ ଦେଇପାରିବିନି, ସେ ବି ଅକାରଣରେ କଷ୍ଟ ପାଇବେ... ।’ ଏତିକି କହିଲା ମିତା ତଳକୁ ମୁହଁକରି-

 

ମିତାକୁ ନେଇ ତା’ କୋଳରେ ଶୁଆଇ ଦେଲା ଅନଙ୍ଗ । ମିତା ଆଖିକୁ ନିଦ ଆସିଲା ପର୍ଯ୍ୟନ୍ତ ପାଖରେ ବସିରହିଲା ସେ । ତା’ପରେ ଫେରି ଆସିଲା କୋଠରୀ ଭିତରକୁ । କିନ୍ତୁ ଅନେକ ସମୟ ଏଇ ବିଷୟ ଭାବୁଥିବାରୁ ମଥାଟା ଭାରି ଲାଗୁଥିଲା । ସେ ବାହାର କବାଟ ଖୋଲି ବାରନ୍ଦାରେ କିଛି ସମୟ ବୁଲିଲା । ବଗିଚାରେ ଠିଆ ହୋଇ ଖୋଲା ଆକାଶକୁ ନିରୀକ୍ଷଣ କଲା । ମିତା କହୁଥିବା କଥାଗୁଡ଼ାକ ମନକୁ ଆସୁଥିଲା । ସତରେ କ’ଣ ଏ ଜଗତ ଏ ଜୀବନ ବଦଳି ଯାଉଛି, ଏଇ ପରିବର୍ତ୍ତନକୁ ଯିଏ ଗ୍ରହଣ କରି ନ ପାରିବ ସେ ପଛରେ ପଡ଼ିଯିବ । ପ୍ରଶ୍ନର ଉତ୍ତର କାଳେ ମିଳିଯିବ ବୋଲି ଆକାଶକୁ ଚାହିଁଲା ଅନଙ୍ଗ । ଆକାଶରେ କୋଟି କୋଟି ତାରା । ପୂର୍ଣ୍ଣିମା ଗଲାଣି । ଫାଳେ ଜହ୍ନ ତଥାପି ଆକାଶ ମଣ୍ଡନ କରୁଥାଏ ଅହ୍ୟ ନାରୀର କପାଳ ମଣ୍ଡନ କରୁଥିବା ସିନ୍ଦୁର ଟୋପା ପରି । ଆଚାର୍ଯ୍ୟ ନିବାସ ଯେଉଁଠି ଗଢ଼ି ଉଠିଛି ଏଇ ଭୂଇଁ ଉପରେ ସାତ ପୁରୁଷର ପାଦସ୍ପର୍ଶ ଲାଗିଛି । ପ୍ରଜନ୍ମ ପରେ ପ୍ରଜନ୍ମ ଆସିଛି, କିନ୍ତୁ ପରିବାରର ପ୍ରଥା ପରମ୍ପରାଗୁଡ଼ା ପୂର୍ବପରି ରହିଛି, ସମୟ ସ୍ରୋତରେ ଭାସି ଯାଇନାହିଁ । ହୁଏତ ଘରର ଅନ୍ଧାର ଜାଗାରେ ବା ଅଜ୍ଞାତ କୋଣରେ ଅଳନ୍ଧୁ ଜମିବା ପରି ସେଇ ପ୍ରଥା ଓ ପରମ୍ପରାରେ ଲୋକ ଚରିତ୍ରର ସ୍ଖଳନଯୋଗୁ ମଇଳା ଜମିଛି । ସେଇ ମଇଳା ସଫା କରିବା ପାଇଁ କେହି ସାହସ କରି ନାହାଁନ୍ତି । କାଳେ ପ୍ରଥା, ପରମ୍ପରା ଭାଙ୍ଗି ଗଲେ ସାତ ପୁରୁଷର ଖ୍ୟାତିରେ ମଇଳା ଲାଗିଯିବ ଏଇ ଆଶଙ୍କାରେ । କିନ୍ତୁ ଏଇ ଭୁଲ୍‌ଧାରଣା ଭାଙ୍ଗିବାକୁ ପଡ଼ିବ । ପରମ୍ପରା, ପ୍ରଥାକୁ ନେଇ ବେଳେ ବେଳେ ଅନାବଶ୍ୟକ ଔପଚାରିକତା ମଧ୍ୟରେ କଳଙ୍କି ଲଗା ଆଚାର ଆଉ ବିଶ୍ୱାସ ଗଢ଼ି ଉଠିଛି କାଳକ୍ରମେ । ଏଇ ବିଜ୍ଞାନ ଓ ପ୍ରଯୁକ୍ତି ଯୁଗରେ ସେସବୁକୁ ସଫା କରି ମାଟିତଳେ ପୋତିବାକୁ ହେବ । କିନ୍ତୁ ମିତା ବାଛି ନେଇଥିବା ବାଟ ତ କଣ୍ଟକମୟ । ବ୍ୟକ୍ତିଗତ ସ୍ଵାଧୀନତା ନାମରେ କେବଳ ସ୍ୱେଚ୍ଛାଚାରିତା ଚଳିବ ନାହିଁ । ନା, ଯେପରି ହେଉ ମିତାକୁ ମୁକ୍ତ କରିବ ଅଧପତନରୁ ।

 

ଅନଙ୍ଗ କ’ଣ ସେଇ କାମ କରିପାରିବ ?

 

ସେଥିପାଇଁ ତା’ର ଆତ୍ମବିଶ୍ଵାସ, ଚରିତ୍ର ବଳ ଅଛି ?

 

ହଠାତ୍ ଆକାଶରେ ବିଦ୍ୟୁତ୍‌ ଝଟକିଲେ ସେପରି ଆକାଶ ସଫା ଦିଶେ ସେହିପରି ତା’ ମନ ଭିତରେ ଥିବା କଳା ପରଦା ହଟାଇ ଆଉ ଜଣେ କିଏ ଉଭା ହେଲା ସାମ୍ନାରେ ।

 

ସୁସୁଇ !

 

ହଁ ସୁସୁଇ !!

 

ଘଡ଼ିକୁ ଚାହିଁଲା । ତିନିଟା ରାତି । ଆମେରିକାରେ ରାତ୍ରିଭୋଜନ ବେଳ ଏଇଟା ।

 

ସେ କୋଠରୀ ଭିତରରୁ ମୋବାଇଲରେ ବୋତାମ ଟିପିଲା ।

 

- ‘‘ହ୍ୟାଲୋ !’

 

ଏ ପାଖରୁ କହିଲା ଅନଙ୍ଗ, ‘ତମେ କ’ଣ ନିଷ୍ପତ୍ତି କଲ ସୁ ? ଯିବା ବାଟରେ ଭୁବନେଶ୍ଵର ଆସିବ ତ ! ଭାଉଜ ତମକୁ ଦେଖିବା ପାଇଁ ଆଗ୍ରହରେ ଅପେକ୍ଷା କରୁଛନ୍ତି । ତମ ସହିତ ଅନେକ କଥା ଅଛି ସୁଇ... !’

 

-‘ମାଇଁ ଡାରଲିଙ୍ଗ୍... ତମର ସବୁ ପ୍ରଶ୍ନର ଉରର ଦେବି ମୁଁ... ଜାଣ ବୋଷ୍ଟନରେ ଜଣେ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ଗୋଟିଏ ଭାରତୀୟ ପରିବାରର ପାରମ୍ପାରିକ ସାକ୍ରେଡ଼ ମ୍ୟାରେଜ ସେରିମୋନିରେ ଯୋଗ ଦେଇଥିଲି ମୁଁ । କେଡ଼େ ସୁନ୍ଦର ଓ ସୁଖକର ଥିଲା ସେଇ ଅନୁଭୂତି । ତମେ ଭାରତୀୟମାନେ ଗୋଟେ ସୋସିଆଲ ଫଙ୍କସନ୍‌କୁ ଏମିତି ଚମତ୍କାର ଢଙ୍ଗରେ କର ଯେ କେବଳ ଗୋଟେ ଜନମ ପାଇଁ ନୁହଁ ସାତ ଜନମ ପାଇଁ ସ୍ଵାମୀ ସ୍ତ୍ରୀ ବାନ୍ଧି ହୋଇ ଯାଆନ୍ତି ଏକା ସାଙ୍ଗରେ... ।’

 

- ‘ତମକୁ ଭଲ ଲାଗିଲା ?’ ପଚାରିଲା ଅନଙ୍ଗ ।

 

- ‘ବହୁତ ଭଲ ଲାଗୁଛି ଅନଙ୍ଗ... ମୁଁ ମତ ପରିବର୍ତ୍ତନ କରିଛି । ଆମେ ବି ଯଦି ସେଇପରି ସାକ୍ରେଡ଼ ମ୍ୟାରେଜ କରୁ ? ତମେ ରାଜି ହେବ ଡାର୍ଲିଙ୍ଗ୍ ?’

 

 

ଅନଙ୍ଗର କହିବାକୁ ଇଚ୍ଛା ହେଉଥିଲା ହଁ ହଁ ହଁ ... କିନ୍ତୁ ସେ ଉଚ୍ଚାରଣ କରିବା ବେଳକୁ ଲାଇନ୍‌ କଟିଗଲା । ପାହାନ୍ତି ତାରା ଉଙ୍କି ମାରୁଥିଲା ପୂର୍ବକାଶରେ ।

 

Unknown

(ତେଇଶି)

 

ମେଳା ବସିଥିଲା । ସରଳାର ଦୁଇ ପିଲା ଜାତୀୟ ରାଜପଥ ପାଖ ତୋଟାକୁ ଯାଇଥିଲେ ଗୀତ ଶୁଣିବା ପାଇଁ । ସେଠାରେ ଗୀତ ପ୍ରତିଯୋଗିତା ହେଉଥିଲା ପିଲାଙ୍କ ମଧ୍ୟରେ । ଗୀତ ଶୁଣୁ ଥିବାବେଳେ ଜଣେ ଲୋକ ସେମାନଙ୍କୁ ଡାକିଲା । ପିଲା ଦୁହେଁ ଗୀତ ନ ଶୁଣି ତା କଥା ଶୁଣିବା ପାଇଁ ରାଜି ନ ଥିଲେ । ସେ କହିଲା, ‘ତମେ ଦୁହେଁ ମା’କୁ ନ କହି ଚାଲି ଆସିଛ । ତମ ଦୁହିଁଙ୍କୁ ନ ପାଇ ସରଳା ନଦୀକୂଳ, ଗାଁ ସାରା ବୁଲିଲାଣି, କାହିଁ ନ ପାଇ କାନ୍ଦୁଥଲା ବେଳେ ମୋ ସହିତ ଦେଖା ହୋଇଗଲା । ସେ ମୋ ମାଉସୀ ଝିଅ ଭଉଣୀ । ତମେ ଦୁହେଁ ମୋ ଭଣଜା ହେବ । ଆସ ଆସ ଆଗେ ଆଇସ୍‌କ୍ରିମ୍‌ ଖାଇବା, ତା’ପରେ ତମ ମା’ ପାଖକୁ ଯିବା !’

 

ଆଇସ୍‌କ୍ରିମ୍‌ ଖାଇବା ଲୋଭ ସମ୍ବରଣ କରି ନ ପାରି ମିଟୁ ଆଉ ସିଟି ରାଜି ହୋଇଗଲେ । ଅନେକ ଦିନ ପୂର୍ବେ ମା’ ଦୋକାନରୁ ଆଇସ୍‌କ୍ରିମ୍‌ ଦୁଇଟା କିଣି ଦେଇଥିଲା । ତା’ପରେ ଅନେକ ଦିନ ଗଲାଣି । ମାମୁଁ ଯଦି ଦିଅନ୍ତି ତେବେ ବେଶ୍‌ମଜା ହେବ । ଆଶ୍ରମକୁ ଫେରିଲେ ସାଙ୍ଗମାନଙ୍କୁ କହିବେ ଆଇସ୍‌କ୍ରିମ୍‌ର ସୁଆଦ । ମା’ ବି ଖୁସି ହେବ ମାମୁଁଙ୍କୁ ଦେଖି ।

 

ସେମାନଙ୍କୁ ରାସ୍ତା ଉପରକୁ ନେଇଗଲା ସେଇ ଲୋକଟା । ସେମାନଙ୍କୁ କହିଲା ଯେ ବୋଧହୁଏ ଆଇସ୍‌କ୍ରିମ୍‌ ବାଲା ଫେରିଗଲାଣି । ଡେରି ହୋଇଗଲା ଆସିବାରେ । ମିଟୁ ଓ ସିଟି ଚାଲିଲେ ମାମୁଁ ପଛେ ପଛେ । ଏଇ ସମୟରେ ଗୋଟେ ବସ୍‌ ଆସୁଥିବା ଦେଖି ହାତ ଟେକିଲା ସେ-। ବସ୍‌ ଅଟକି ଗଲା । ଦୁଇପିଲାଙ୍କୁ ଧରି ବସ୍‌ ଭିତରକୁ ପଶିଗଲା ସେଇ ଲୋକ । ରସୁଲଗଡ଼ ଛକ ପାରି ହୋଇ ବସ୍‌ କିଛି ସମୟ ପରେ । ଯେତେବେଳେ କଳ୍ପନା ଛକରେ ପହଞ୍ଚିଲା ଦୁଇ ପିଲାଙ୍କୁ ହାତରେ ଧରି ଉହ୍ଲାଇ ଦେଲା ସେଇ ଲୋକଟା । ମିଟୁ କହିଲା, ‘ମାମୁଁ... ତମେ ସହରକୁ ଘେନି ଆସିଲ, ମା’ ତେଣେ ଆମକୁ ନ ପାଇ କାନ୍ଦୁଥିବ... ଆଇସ୍‌କ୍ରିମ୍‌ ଖାଇବା ନାହିଁ... ଚାଲ ଶୀଘ୍ର ଫେରିଯବା. .. ।’

 

ସିଟି କାନ୍ଦ କାନ୍ଦ ହୋଇ କହିଲା, ‘‘ମୋତେ ଡର ଲାଗୁଛି । ମୁଁ ମା ପାଖକୁ ଯିବି ।’

 

ସେଇ ଲୋକଟା ଚାରିଆଡ଼କୁ ଚାହିଁଲା । ରାସ୍ତାରେ ଅନେକ ଲୋକ ଥିଲେ । ସେମାନେ ତାକୁ ଚିହ୍ନି ନ ଥିଲେ । ଅଚିହ୍ନା ଦୁଇ ପିଲାଙ୍କୁ ଧରି ସେ ଗୋଟେ ଗଳି ଭିତରେ ପଶିଲା ଏବଂ କିଛିଦୂର ଯିବା ପରେ ଗୋଟେ ଝୁମ୍ପୁଡ଼ି ଭିତରେ ସେମାନଙ୍କୁ ନେଇ ପଶିଗଲା । ମିଟୁ ଆଉ ସିଟି ଜୋର୍‌ରେ କାନ୍ଦି ଉଠୁଥିଲେ କିନ୍ତୁ ତାଙ୍କ ମୁହଁ ଉପରେ ରୁମାଲ ଜାକି କହିଲା ସେଇ ଲୋକ, ଚୁପ୍‌ଚୁପ୍‌... କାହିଲେ ପିଲା ଚୋର ହାବୁଡ଼ରେ ପଡ଼ିବ । ସେ ତୁମ ଦୁହିଁଙ୍କୁ ନେଇ କଟକ ବଜାରରେ ବିକି ଦବ । ଚୁପ୍‌କରି ବସ । ମୁଁ ତୁମ ପାଇଁ ଜଳଖିଆ ଆଣେ... ଖାଇ ସାରିଲେ ଏଠାରୁ ପଳାଇ ଯିବା । ସଞ୍ଜ ହେବା ବେଳକୁ ଆମେ ନହରକଣ୍ଟା ଆଶ୍ରମରେ ପହଞ୍ଚି ସାରିଥିବା ।’

 

ମିଟୁ କିନ୍ତୁ ବିଶ୍ୱାସ କରିପାରୁ ନ ଥାଏ । ସିଟିର ଆଖିର ଲୁହ ଝରୁଥାଏ । ଭଉଣୀର ଲୁହ ପୋଛି ଦେଇ କହିଲା ମିଟୁ, ‘କାନ୍ଦନା ! ତୋତେ କାନ୍ଦିବା ଦେଖି ମୋତେ ବି କାନ୍ଦ ଲାଗୁଛି । ମାମୁଁ ତ ଜଳଖିଆ ଆଣିବା ପାଇଁ ଯାଇଛନ୍ତି କେତେବେଳେ ଫେରିବେ କେଜାଣି... ।’

 

ମିଟୁକୁ ବୁଦ୍ଧି ଦିଶିଲା । ଝୁମ୍ପୁଡ଼ିର କୋଣରେ ଗୋଟେ ଛୋଟ ବାଟ ଥିଲା । ସେଇ ବାଟ ଦେଇ ପଳାଇଗଲେ ହୁଏତ ମାମୁଁ ଜାଣିପାରିବ ନାହିଁ । ଯେଉଁ ବାଟରେ ମାମୁଁ ସେମାନଙ୍କୁ ବସ୍‌ରେ ବସାଇ ନେଇ ଆସିଥିଲା ସେର ବସ୍‌ରେ ଉଠି ଚାଲିଗଲେ ମା’ ପାଖରେ ପହଞ୍ଚିଯିବା ।

 

ସିଟୁର ହାତ ଧରି ମିଟୁ ସେଇ ଜଳାବାଟ ଦେଇ ଝୁମ୍ପୁଡ଼ି ଭିତରୁ ବାହାରିଗଲା । ଦୁହେଁ ଏକମୁହାଁ ଦୌଡ଼ିଲେ । କିଛି ସମୟ ଦୌଡ଼ିବା ପରେ ସେମାନେ ହଠାତ୍ ବଜାରରେ ଆଲୁଅ ଓ ଲୋକ ଗହଳି ଦେଖି ଭାବିଲେ ଯେ ଏଇଟା ଗୋଟେ ନୂଆ ବଜାର, ନୂଆ ଜାଗା । କୁଆଡ଼େ ଯିବେ ବୁଦ୍ଧି ଦିଶିଲା ନାହିଁ । ଅସହାୟ ଅବସ୍ଥା ଦେଖି ସିଟି ପ୍ରଥମେ କାନ୍ଦିଲା ଏବଂ ତାକୁ କାନ୍ଦିବା ଦେଖି ମିଟୁ ବି ବଡ଼ ପାଟି କରି କାନ୍ଦି ଉଠିଲା ।

 

ପାଖରେ ଯାଉଥିବା ଜଣେ ବୁଢ଼ା ଲୋକ ସେମାନଙ୍କୁ ନେଇ ଛକ ଉପରେ ଡିଉଟି କରୁଥିବା ପୁଲିସ୍‍ ପାଖରେ ପହଞ୍ଚାଇ ଦେଇ କହିଲା, ‘ଏ ପିଲା ଦୁଇଚ୍ଚଣ ହଜି ଯାଇଥିବା ପରି ଲାଗୁଛି । ଛକ ପାଖରେ ଠିଆ ହୋଇ କାନ୍ଦୁଥିଲେ । ତମେ ଏମାନଙ୍କ କଥା ବୁଝିବ... ମୁଁ ବୁଢ଼ା ଲୋକ... ଗାଁରୁ ଆସିଥିଲି ଭିକ ମାଗି ଚଳିବା ପାଇଁ । ଘରଦ୍ୱାର ନାହିଁ । ରାତି ହେଲେ ବାଆର ପିଣ୍ଡା ହୁଏ । କୋଉଠି ରଖିବି... ତମ ଭରସାରେ ରହିଲେ ପିଲାଗୁଡ଼ା ବଞ୍ଚିଯିବେ... ବୋଧହୁଏ ବଦ୍‌ମାସ୍‌ ହାବୁଡ଼ରେ ପଡ଼ିଥିଲେ... ।’

 

ତା’ କଥା ଶେଷ ହେବା ପୂର୍ବରୁ କହିଲା ପୁଲିସ୍‍, ‘ମୋ ଡିଉଟି ଶେଷ ହେବ ଆଉ ଅଧଘଣ୍ଟେ ପରେ । ସେତେବେଳେ ଏମାନଙ୍କୁ ନେଇ ଥାନାବାବୁଙ୍କ ପାଖରେ ଜିମା ଦେବି... ସେ ପର୍ଯ୍ୟନ୍ତ ତମେ ଟିକେ ଦେଖୁଥାଅ ମଉସା...।’

 

ବୁଢ଼ା ପିଲାମାନଙ୍କୁ ପାଖରେ ଛିଡ଼ା ହୋଇ ରହିଲା । ଅଣ୍ଟାରୁ ଟଙ୍କାଟିଏ ବାହାର କରି ମସଲା ମୁଢ଼ି କିଣି ପିଲାଙ୍କ ହାତକୁ ବଢ଼ାଇ ଦେଇ କହିଲା, ‘‘ଖାଅ ଭୋକ କରୁଥବ । ଖାଇ ସାରିଲେ ଦୋକାନରୁ ପାଣି ଆଣି ଦେବି... !’

 

ମିଟୁ ଆଉ ସିଟି ମୁଢ଼ି ମସଲା ଖାଇଲେ । ରାଗ ଥଲା ମୁଢ଼ି ମସଲା । କିନ୍ତୁ ବେଶ୍‌ ସୁଆଦିଆ ଲାଗୁଥାଏ, ତେଣୁ ଆପତ୍ତି କଲେ ନାହିଁ । ଖାଇ ସାରି ପାଣି ପିଇ ସାଷ୍ଟାଙ୍ଗ ହେଲେ । ସେତେବେଳେ ମା’ କଥା, ଆଶ୍ରମ କଥା ମନେପଡ଼ିଲା।

 

ବୁଢ଼ା କହିଲା, ‘ଏଇ ପୁଲିସ ବାବୁ ତୁମ ଦୁହିଁଙ୍କୁ ଘରକୁ ପଠାଇଦେବେ... ନହରକଣ୍ଟା ତୋଟା ପାଖରେ ଘର ... ବେଶୀ ଦୂର ନୁହେଁ... ।’

 

କିନ୍ତୁ ଚାହୁଁ ଚାହୁଁ ଗୋଟେ ଦୁର୍ଘଟଣା ଘଟିଗଲା ସେଠାରେ । ଗୋଟେ ଟ୍ରକ୍‌ ଆଉ ଗୋଟେ କାର୍‌କୁ ଧକ୍କା ଦବାରୁ ଗାଡ଼ିର ଆରୋହୀମାନଙ୍କୁ ହସ୍‌ପିଟାଲ ନବା ପାଇଁ ପୁଲିସ୍‍ ବାଲା ଲାଗିଗଲେ କାମରେ । ସେଇ ଲୋକ ଗହଳିରେ ପିଲା ଦୁଇଟା କୁଆଡ଼େ ଚାଲିଗଲେ କିଛି ଜାଣିପାରିଲାନି ବୁଢ଼ା । ଅନେକ ଖୋଜାଖୋଜି ପରେ ମନ୍ଦିର ପାଖରୁ ସିଟିକୁ ପାଇଲେ ସିନା କିନ୍ତୁ ମିଟୁ ମିଳିଲା ନାହିଁ । ସିଟି ତୁହାଇର ତୁହାଇ କାନ୍ଦୁଥାଏ । ବୁଢ଼ା ଉପାୟ ନ ପାଇ ବସ୍‌ବାଲାକୁ ନେହୁରା ହେଲା ନହରକଣ୍ଟା ଛକ ତଳ ସେମାନଙ୍କୁ ଦେଇଯିବା ପାଇଁ । ସେ ରାଜି ହୋଇଗଲା । କିନ୍ତୁ ମିଟୁ ଆଉ ମିଳିଲା ନାହିଁ । ପୁଲିସ୍‍କୁ ଖବର ଦବା ପାଇଁ ସମୟ ହେଲାନି । ଦୁର୍ଘଟଣା ପରେ କିଏ କୁଆଡ଼େ ଚାଲି ଯାଇଥିଲେ ଜରୁରୀ କାମରେ ।

 

ବାଟ ପଚାରି ପଚାରି କନ୍ୟାଶ୍ରମରେ ପହଞ୍ଚିବା ବେଳକୁ ରାତି ଘଡ଼ିଏ । ସରଳା ଝିଅକୁ ଦେଖି ଦୌଡ଼ି ଆସି କୋଳେଇ ନେଲା ତାକୁ । ମିଟୁକୁ ନ ଦେଖି କହିଲା, ‘ତୋ ଭାଇ କାହିଁ ଲୋ ସିଟି !’’

 

ସିଟି କାନ୍ଦି ଉଠିଲା ।

 

ବୁଢ଼ା କହିଲା ଯାହା ଯାହା ଘଟିଥିଲା । ମିଟୁକୁ ଯେ ସେଇ ଲୋକଟା ପୁଣି ଧରି ନେଇଥିବ ସେଇ କଥା ଭାବି ବାହୁନି ବାହୁନି କାନ୍ଦିଲା ସରଳା ।

 

ଅରୁନ୍ଧତୀ କହିଲା, ‘ତମେ କାନ୍ଦନା ଅପା । ମା’ ନ ଥିଲେ କ’ଣ ହେଲା, ଅନ୍ୟମାନେ ତ ଅଛନ୍ତି । ଅନଙ୍ଗ ବାବୁଙ୍କୁ କହି ଆସୁଛି... ସେ ଥାନାବାବୁଙ୍କୁ କହିଲେ କିଛି ନା କିଛି ପ୍ରତିକାର କରିବେ... ।’

 

କିନ୍ତୁ ସରଳା ଅବୁଝା ପିଲା ପରି କାନ୍ଦି କାନ୍ଦି ଲୋଟୁଥାଏ ଝିଅକୁ ଧରି । ସିଟି ବି କାନ୍ଦୁଥାଏ ମା’ ସହିତ । ଦୁହିଁଙ୍କର କାନ୍ଦ ମିଶି ବାୟୁମଣ୍ଡଳ ବି ଶୋକରେ ଉଛୁଳି ପଡ଼ୁଥାଏ । ପୁଅ ହଜିଗଲା ନା କିଏ ତାକୁ ଭୁଲେଇ ନେଇଗଲା ଜାଣିବାର ଉପାୟ ନାହିଁ । ଏକଥା ଯିଏ ଶୁଣିଲା ସେ କହିଲା ଯେ ଆଜିକାଲି ପିଲାଚୋର ମାତିଛନ୍ତି କ’ଣ ହେବ କିଏ ଜାଣେ । ପୁଲିସକୁ ଖବର ଦେବା ଉଚିତ ହେବ ।

 

ଅରୁନ୍ଧତୀ ଆଉ କାଳ ବିଳମ୍ବ ନ କରି ଅନଙ୍ଗକୁ କହି ଆସିଲା । ସେ ଥାନାକୁ ବାବୁଙ୍କୁ କହି ଆସିଲା । ଭୁବନ ମୋହନ ମଲିକଙ୍କ ପଚିଶ ବର୍ଷ ଚାକିରି କାଳରେ ତାଙ୍କ ଇଲାକାରେ କେବେ ଏମିତି ଘଟଣା ଘଟି ନ ଥଲା । ରାଜଧାନୀରେ ଶେଷମୁଣ୍ଡ ଥାନା ଜଗି ସେ କାମ କରୁଥିବାବେଳେ ଏଇ ଥାନାର ସୀମା ମଧ୍ୟରୁ ଜଣେ ନଅବର୍ଷର ପୁଅକୁ କେହି ଟେକି ନବାପାଇଁ ସାହସ କରିବ ଏକଥାଟା ସତରେ ତାଙ୍କୁ ବାଧୁଥିଲା । ଏସ୍‌.ପି. ସାହେବ ଶୁଣିଲେ କ’ଣ କହିବେ ? ହୁଏତ ମୁଖ୍ୟମନ୍ତ୍ରୀଙ୍କ କାନରେ ମଧ୍ୟ ପଡ଼ିପାରେ । ସେତେବେଳେ ସେ କ’ଣ କୈଫିୟତ୍‌ ଦେବେ ଭାବି ପାରିଲେ ନାହିଁ । ଭୁବନ ମୋହନ ଶେଷରେ ଦଳଦଳ ଧରି ବାହାରି ପଡ଼ିଲେ । କୋଉଠି ପିଲାଚୋରଙ୍କ ଆଡ୍ଡା ସେ ଜାଣନ୍ତି । କୋଉଠି ଅସାମାଜିକ ଗୁଣ୍ଡାଙ୍କ ମନ୍ତ୍ରଣା ଚାଲେ ତାହା ମଧ୍ୟ ସେ ଜାଣନ୍ତି । ସେସବୁ ଆଡ୍ଡା ଉପରେ ଚଢ଼ାଉ କରି ତିନିଜଣଙ୍କୁ ଗିରଫ କଲେ । ସେମାନଙ୍କୁ ଉତ୍ତମ ମଧ୍ୟମ ଦବାରୁ ଜଣେ କହିଦେଲା ଯେ ସେ ମାଧିଆକୁ ସୟ୍ଜବେଳେ ଗୁଣ୍ଡୁ ରାଓ ସାଙ୍ଗରେ ଦେଖୁଥିଲା-। ଗୁଣ୍ଡୁ ରାଓ ଭୁବନେଶ୍ୱରକୁ ଆସିବା ପରେ ପିଲା ଚୋରି ବଢ଼ିଛି । ସାମନ୍ତରାପୁର, ଶୈଳଶ୍ରୀ ବିହାରରୁ ଛୁଆ ଚୋରି ବିଷୟ ଖବର କାଗଜରେ ବାହାରି ଥିଲା । ସେ ତା’ ସ୍ତ୍ରୀକୁ ଶିକ୍ଷା ଦବା ପାଇଁ ହୁଏତ ଗୁଣ୍ଡୁ ରାଓର ସାହାଯ୍ୟ ନେଇଥିବ ।

 

ଭୁବନ ମୋହନ ମଲ୍ଲିକ ଦବିଯିବା ଲୋକ ନୁହନ୍ତି । ସାରା ରସୁଲଗଡ଼ ଦରାଣ୍ଡି ପକାଇଲେ । ଚକିସିଆଣିରେ ସଫଳତା ପାଇଲେ ସେ । ଗୁଣ୍ତୁ ରାଓ ଚା’ ଦୋକାନୀ ସହିତ ଝଗଡ଼ା କରୁଥିବାବେଳେ ଝାମ୍ପି ପଡ଼ିଲେ ତା’ ଉପରେ । ଗୁଣ୍ଡୁ ରାଓ ଖସିଯାଇ ପାରିଲା ନାହିଁ । ସେଇ ଚକିସିଆଣିର ମଦ ଦୋକାନରୁ ମାଧିଆ ବି ଗିରଫ ହେଲା । ସେମାନଙ୍କୁ ଜିପ୍‌ ପଛରେ ବସାଇ ଗର୍ବର ସହିତ ଥାନାକୁ ଫେରି ଆସିଲେ ଭୁବନ ମୋହନ । ସେତେବେଳକୁ ରାତି ଏଗାରଟା । ରାତି ଅଧରେ ଅପରାଧୀମାନଙ୍କୁ ସାଏସ୍ତା କରିବା ସୁବିଧା ହୁଏ । ପ୍ରଥମେ ସେ ମାଧିଆକୁ ରୋଲ ବାଡ଼ିରେ ଛେଚି ନେଲା ପରେ ସେ ପ୍ରାଣ ବିକଳରେ ମାନିଗଲା ଯେ ସରଳାକୁ ଶିକ୍ଷା ଦବା ପାଇଁ ସେ ଚାହୁଁଥିଲା । ଗୁଣ୍ଡୁ ରାଓର ସାହାଯ୍ୟ ବି ନେଇଥିଲା । କିନ୍ତୁ ପ୍ରକୃତରେ ତା’ ପୁଅ ମିଟୁକୁ ଗୁଣ୍ଡୁ ରାଓ ଉଠାଇ ଦେଇଛି କି ଆଉ କେହି ଯାଇଛି ତାହା ସେ କହିପାରିଲା ନାହିଁ । କିନ୍ତୁ ଗୁଣ୍ଡୁ ରାଓର ମୁହଁ ଭିତରେ କନାବିଣ୍ଡା ଭର୍ତ୍ତିକରି ତାକୁ ଯେତେବେଳେ ଛେଚି ଦେଇଗଲେ ଥାନାବାବୁ ସେତେବେଳେ ଅନ୍ୟ ଉପାୟ ନ ଦେଖି ସେ କହିଲା ଯେ ମିଟୁ ଆଉ ଭଉଣୀକୁ ଆଇସ୍‌କ୍ରିମ୍‌ ଦବ କହି ବଗିଚାରୁ ସେ ଭୁଲେଇ ଦେଇ ଯାଇଥିଲା ସତ, କିନ୍ତୁ ସେମାନଙ୍କୁ ସେ ଚିନ୍ତାମଣିଶ୍ଵର ପାଖ ଝୁମ୍ପୁଡ଼ି ଭିତରେ ରଖି ବାହାରକୁ ଯାଇଥିବାବେଳେ ସେମାନେ କୌଶଳ କରି କିପରି ସେଠାରୁ ଖସିଗଲେ ତାହା ସେ ଜାଣେନା ।

 

କିନ୍ତୁ ତା’ କଥା ବିଶ୍ଵାସଯୋଗ୍ୟ ହେଲେ ବି ତାକୁ ଛାଡ଼ି ଦେଲେନି ଥାନାବାବୁ । ଗୁଣ୍ଡୁ ରାଓକୁ ହାଜତରେ ପୂରାଇ ତାଲା ଠୁଙ୍କି ଦେଲେ । ରାଜଧାନୀର ସବୁ ଥାନାକୁ ଖବର ଦିଆଗଲା ମିଟୁ ସମ୍ପର୍କରେ ।

 

ଭୁବନ ମୋହନ ମଲ୍ଲିକ ହାର ମାନିବା ଲୋକ ନୁହନ୍ତି । ଆସାମୀ ମୁହଁରୁ ସତ କଥା ଆଦାୟ କରିବା କାଏଦା ତାଙ୍କୁ ଜଣାଅଛି । ଛଅମାସ ମଧ୍ୟରେ ମାନବିକ ଅଧିକାର ଉଲ୍ଲଂଘନ କରିଥିବା ଦୁଇଟା ଅଭିଯୋଗ ତାଙ୍କ ବିରୋଧରେ ଦାଏର ହୋଇଛି ବଡ଼ ସାହେବଙ୍କ ପାଖରେ । ସେ କିନ୍ତୁ ଡରି ଯାଇ ନାହାଁନ୍ତି । ଆସାମୀକୁ ଆଜ୍ଞା ଆପଣ କହି ଚା’ ଜଳଖିଆ ଖୁଆଇ କୋଉଠି କିପରି ଚୋରି ବା ଜନାକାରୀ ମାମଲା ହେଲା ପଚାରିଲେ ସେ ସତ ମାନିଯିବ ନାହିଁ; କିନ୍ତୁ ବିଲେଇ ଘୁଅ ଖୁଆଇ ଦେଲେ ବା ତା’ ଛାତି ଉପରେ ଛିଡ଼ା ହୋଇଗଲେ ସେ ଜୀବନ ରକ୍ଷା କରିବା ପାଇଁ ମାନିଯିବ ଯାହା ଘଟିଛି । କିନ୍ତୁ ଗୁଣ୍ତୁ ରାଓ ଉପରେ ସାରା ରାତି ଯେତେ ନିର୍ଯ୍ୟାତନା ଦେଲେ ବି ସେଇ ଗୋଟିଏ କଥା ସେ କହୁଥାଏ ଯେ ତା’ ଝୁମ୍ପୁଡ଼ିରୁ ସେମାନେ କପିରି ପଳାଇଗଲେ ସେ ଜାଣେନି । ହୁଏତ ଆଉ କାହା ହାବୁଡ଼ରେ ପଡ଼ିଥିବେ । ସକାଳେ ସିଟିକୁ ସାଙ୍ଗରେ ନେଇ ଥାନାକୁ ଆସିଲା ସରଳା । ଗୁଣ୍ଡୁ ରାଓକୁ ଚିହ୍ନି ପାରିଲା ସିଟି । ପଚାଶ ଭାଗ ସଫଳତା ମିଳିଯିବା ପରେ କିଛିଟା ଅଶ୍ଵସ୍ତ ହେଲେ ଥାନାବାବୁ ।

 

ଥାନାବାବୁ ଖାଇସାରି ଟିକେ ବିଶ୍ରାମ କରୁଥିବାବେଳେ ଟେଲିଫୋନ୍‍ ବାଜି ଉଠିଲା । ପୁଲିସ୍‍ ଚାକିରିରେ ନିର୍ବିଘ୍ନରେ ଶୋଇବା କେବେ ସମ୍ଭବ ହୁଏନା । ନିଦ ଭାଙ୍ଗିଗଲା । ବାଧ୍ୟ ହୋଇ ଉଠି ବସିଲେ ଭୁବନ ମୋହନ ମଲ୍ଲିକ । ରିସିଭରଟା ଉଠାଇ ଦେଇ କହିଲେ - ‘ହ୍ୟାଲୋ ! ମଲିକ କହୁଛି... ।’

 

ସେ ପାଖରୁ କେହି ଜଣେ ଗର୍ଜନ କରି କହୁଥାଏ - ‘ଆବେ ଭୁବନ ମୋହନ ମଲ୍ଲିକ ଏଥର ତୋ ମରଣ କାଳ ଆସିଗଲା ଜାଣ । ତୋ ସହିତ ବରଷକ ଆଗେ ଭେଟ ହୋଇଥିଲା ମାଲଗୋଦାମ ଛକରେ... ମନେପଡ଼ୁଛି ? ସାପ ଗାତରେ ଆଉଥରେ ହାତ ପୁରାଇଛୁ, ଏଥର କିନ୍ତୁ କେବଳ ଦଂଶିବି ନାହିଁ, ତୋ’ର ପ୍ରାଣ ନେଇ ଯିବି... ।”

 

ଭୁବନ ମୋହନ ମଲ୍ଲିକଙ୍କ ପୁଲିସ୍‍ ହସ ବାହାରି ପଡ଼ିଲା । ସେ ବହେ ହସିଲେ ଏବଂ ତା’ପରେ କହିଲେ, ‘ତୋର ସବୁ ମନେଅଛି ତା’ହେଲେ... ଏଥର ଆଉ ମୋ ହାତରୁ ଖସି ଯାଇପାରିବୁ ନାହିଁ । ମିଟୁ କେଉଁଠି ଅଛି କହ... ତାକୁ ଚୋରି କରି ତୁ ବାହାଦୁରୀ ନେଉଛୁ... ଛି ଛି ... ମୋ ସାମ୍ନାସାମ୍ନି ହୁଅନ୍ତୁ କି... ତୋ ବିଷଦାନ୍ତଗୁଡ଼ା ଗୋଟାଏ ଚାପୁଡ଼ାରେ ଖସାଇ ଦିଅନ୍ତି... କହିବେ କୋଉଠି ରଖିଛୁ ସେଇ ମିଟୁକୁ ?

 

ଟେଲିଫୋନ୍‍ ରଖିଦବା ଆଗରୁ ସେ ପାଖରୁ କୋତେଟି ଶବ୍ଦ ଭାସି ଆସିଲା ‘ମିଟୁକୁ ଫେରାଇ ଦେବି ଯଦି ତୁ ତୋ ଭଉଣୀକୁ ମୋ ପାଖକୁ ପଠାଇ ଦେଉ... ସର୍ତ୍ତଟା ମନେରଖ... । ତୋ ହାତରେ ଗୋଟେ ବନ୍ଧୁକ... କିନ୍ତୁ ମୋ ହାତରେ ଅନେକ ବନ୍ଧୁକ.. ମୁଁ ସରକାରର କୁକୁର ନୁହେଁ ବେ... ।’

 

ଟେଲିଫୋନ୍‍ଟା କଚାଡ଼ି ଦେଇ ଜିପ୍‌ଧରି ଏକା ଏକା ବାହାରିଗଲେ ଭୁବନ ମୋହନ । ସେ ଜାଣନ୍ତି ପିଲା ଚୋରମାନଙ୍କ ଆଡ୍ଡା କେଉଁଠି । ସେ ଜାଣନ୍ତି କୋଉମାନେ ପିଲା ଚୋରି କରି ମୁମ୍ବାଇ, ଗୋଆ, ଦିଲ୍ଲୀ ଚାଲାଣ କରନ୍ତି । ସେଠାରୁ ଦଲାଲମାନେ ପଠାନ୍ତି ଏଇ ପିଲାଙ୍କୁ ଆବୁଧାବି, ଦୁବାଇ, କୁଏତ... ମଧ୍ୟ ପ୍ରାଚ୍ୟର ମରୁଭୂମିରେ ଓଟ ଉପରେ ଏମାନଙ୍କୁ ବସାଇ ଦେଇ କୋଟିପତି ଶେଖ୍‌ମାନେ ଓଟ ଦୌଡ଼ ଦେଖି ମନ ଖୁସି କରନ୍ତି । ସେଇ ଦୁର୍ଭଗା ଶିଶୁମାନେ ଆଉ ଫେରି ଆସନ୍ତିନି ଜନ୍ମଭୂଇଁକୁ । କିଏ ମରୁଭୂମିର କଠୋର ପରିବେଶରେ ଭୋକରେ ପ୍ରାଣ ହରାଏ ତ ଆଉ କେହି ଜୀବନ ସାରା ଗୁଲାମୀ କରେ ।

 

ମନେପଡ଼ିଗଲା ସରକାରର ସେଇ ସେଇ କାହ୍ନାପୁଅ ! କାଳ ବିଳମ୍ବ ନ କରି ଜିପ୍‌ ଚଳାଇଲେ ଭୁବନ ମୋହନ ମଲ୍ଲିକ ।

 

ମଞ୍ଚେଶ୍ଵର ଶିନ୍ଧାଞ୍ଚଳ ରେଳଫାଟକ ପାଖରେ ପହଞ୍ଚିବା ବେଳକୁ ଗେଟ୍‌ ବନ୍ଦ ହୋଇଯିବା ଦେଖି ଜୋର୍‌ ବ୍ରେକ୍‌ କଷିଲେ ଥାନାବାବୁ... ହଠାତ କେହି ଯେପରି କହିଲା, ଫାଲକ୍‌ନାମା ଏକ୍ସପ୍ରେସ୍‌ ରାଜଧାନୀ ଛାଡ଼ି ବାହାରିଗଲା । ସେଥିରେ ଖସିଯାଇଥିବ ସାନୁ ଜେନା ।

 

ଚଳନ୍ତା ଟ୍ରେନକୁ ଚାହିଁ ରହିଥିଲେ ଥାନାବାବୁ । ଫାଲକ୍‌ନାମା ଏକ୍ସପ୍ରେସ୍‌ର ଝରକା ଫାଙ୍କରୁ ହାତ ହଲାଉଥିଲା କେହି ଜଣେ... ସେଇ ହୁଏତ ପିଲାଚୋର ସାନୁ ହୋଇଥବ ।

 

ଥାନାବାବୁଙ୍କ ମୁହଁରୁ ବାହାରିଗଲା - ଶଳା ଖସିଗଲା ଏଥର... ।

 

(ଚବିଶି)

 

ସ୍ଵାତୀକୁ ସାଙ୍ଗରେ ଆଣି ଭୁଲ କଲେ କି ଠିକ୍‌ କଲେ ଭାବୁଥିଲେ ମୈତ୍ରେୟୀ । ନର୍ସିଂହୋମ୍‍କୁ ପଦ୍ମଜା ଉଠିଯିବା ପରେ ପରିବାର ସହିତ ଯୋଗସୂତ୍ର ରଖିଲେ ସରୋଜ । ପଦ୍ମଜା ବେଳେବେଳେ ଫର୍ମାଲଟି ଜଗି ଅଳ୍ପ ସମୟ ପାଇଁ ଆସି ଅଧଘଣ୍ଟାଏ ବା ବେଶୀ ହେଲେ ଘଣ୍ଟାଏ ରହି ଫେରିଯାଉଥିଲା । କିନ୍ତୁ ସ୍ଵାତୀକୁ ମୈତ୍ରେୟୀ ରଷିଭ୍ୟାଲିରୁ ନେଇ ଆସିବା ପରେ ସେତକ ବି ଆଉ ହେଉନାହିଁ । ନହରକଣ୍ଟାକୁ ଆସିବା ପଦ୍ମଜା ବନ୍ଦ କରିଦେଇଛି ପୂରାପୂରି । ସରୋଜ କିନ୍ତୁ ନର୍ସିଂହୋମ୍‍କୁ ଗେଷ୍ଟ ହାଉସ୍‌ ସହିତ ତୁଳନା କରନ୍ତି । ଅତିଥି ଆସିଲେ ସେମାନଙ୍କୁ ବେଳେ ବେଳେ ଗେଷ୍ଟ ହାଉସ୍‌ ବା ହୋଟେଲରେ ରଖିବାକୁ ହୁଏ । କିନ୍ତୁ ପରିବାର ହେଉଛି ପାରମ୍ପାରିକ ସାଂସ୍କୃତିକ ଜୀବନର ଉତ୍ସ । ପୂର୍ବ ପୁରୁଷଙ୍କ ଭିଟାମାଟି ଜଗି ସମସ୍ତେ ରହି ପାରନ୍ତି ନାହିଁ; କିନ୍ତୁ ଯେଉଁମାନଙ୍କୁ ସେଇ ସୁଯୋଗ ମିଳେ ସେମାନେ ଯେ ଭାଗ୍ୟବାନ୍ ଏଇ ଧାରଣା ରହି ଆସିଛି ଭାରତୀୟମାନଙ୍କର-

 

ଦୁଇଦିନ ମାତ୍ର ସ୍ଵାତୀକୁ ପାଖରେ ରଖିଥିଲା ପଦ୍ମଜା । ଝିଅ ପାଖରେ ରହିଲେ ସେବା ଯତ୍ନ କରିବାକୁ ହେବ । ଖାଇବା, ଖେଳିବା, ଶୋଇବା, ଗାଧୋଇବା, ଶୌଚ କରିବା, ଶିଶୁକୁ ସଫାସୁତୁରା ରଖିବା ମାଆର କାମ । କିନ୍ତୁ ବର୍ତ୍ତମାନ ମା’ମାନେ ଧାଈ ବା ଚାକରାଣୀ ଉପରେ ସେଇ ଦାୟିତ୍ଵ ଦେଇ ବୃତ୍ତି ପାଳନ କରନ୍ତି । କ୍ଲବ୍‌ ହୋଟେଲ ଯିବା ଏବଂ ସମୟ ସୁବିଧା ଥିଲେ ସାମାଜିକତା ରକ୍ଷା କରିବା ସକାଶେ ବନ୍ଧୁମାନଙ୍କ ଘରକୁ ଯିବା ବା ସେମାନଙ୍କୁ ଆମନ୍ତ୍ରଣ କରିବା ହେଉଛି ଦୈନନ୍ଦିନ ରୁଟିନ୍‌ କାମ । ଏହା ବାଦ ନର୍ସିଂହୋମ ପାଇଁ ବ୍ୟସ୍ତ ରହିବାକୁ ହୁଏ । ଛୁଆର ସେବା ଯତ୍ନ ନ ନେଲେ, ଠିକ୍‌ ସମରେ ନ ଖାଇଲେ ସେ କାନ୍ଦିବ, ଅସନ୍ତୁଷ୍ଟ ହେବ । ସେଦିନ ଅଙ୍କିତ ଡ୍ରଇଂରୁମ୍‌ରେ ବସିଥିବାବେଳେ ସ୍ୱାତୀ ବାଥ୍‌ରୁମ୍‌ରେ ପଡ଼ିଯାଇ କାନ୍ଦି ଉଠିଲା । ପଦ୍ମଜା ଦଉଡ଼ିଗଲା ନାହିଁ । ଚାକରାଣୀ ବିନ୍ଦୁକୁ କହିଲା ତାକୁ ବାହାରୁ ବୁଲାଇ ଆଣିବା ପାଇଁ । ଅଙ୍କିତ ଆଗରେ ତାକୁ ସଂକୋଚ ଲାଗୁଥିଲା କହିବା ପାଇଁ ଯେ ତା’ ଝିଅ ଆସିଚି । ସେ ଯେ ମା’ ହୋଇଗଲାଣି ଏ ବିଷୟ ଅଙ୍କିତା ଜାଣେ, କିନ୍ତୁ ଏହା ସତ୍ତ୍ୱେ ଝିଅକୁ ପାଖରେ ରଖି ମା’ ହେବାର ସୁଆଦ ଚାଖିବା ଅସାମାଜିକତା ବୋଲି ଭାବେ ପଦ୍ମଜା । ସେଥିପାଇଁ ଯେତେବେଳେ ଅଙ୍କିତ କହିଲା ଯେ ତମ ଝିଅ କ’ଣ ଛୁଟିରେ ଆସିଛି ସେତେବେଳେ ପଦ୍ମଜା ମୁହଁ ଛିଞ୍ଚାଡ଼ି ଉତ୍ତର ଦେଲା ଯେ ଛୁଟି ହୋଇନି, ତାକୁ ମୈତ୍ରେୟୀ ଯାଇ ନେଇ ଆସିଛନ୍ତି । ଝିଅ ଦେହ ଖରାପ ହୋଇଥିଲା, ସେ ବାପା ମା’ଙ୍କୁ ଦେଖିବା ପାଇଁ ଅଳି କରୁଥିଲା । ସବୁ ଝିଅ ପୁଅ ଏୟା କରନ୍ତି । କିନ୍ତୁ ଭାଉଜଙ୍କ କଥାମାନି ସରୋଜ ଝିଅକୁ ଛାଡ଼ିଦବା ପାଇଁ କହିଥିଲେ ପ୍ରିନ୍‌ସିପାଲଙ୍କୁ । ମୈତ୍ରେୟୀ ବାଧ୍ୟ ପିଲାଟି ପରି ୠଷିଭ୍ୟାଲି ଯାଇ ନେଇ ଆସିଲେ ତାକୁ । କିନ୍ତୁ ମୋ ପାଖରେ ଛାଡ଼ି ଦେଇ ବେଶ୍‌ ସେମାନେ । ମୋ ଉପରେ ନର୍ସିଙ୍ଗ ହୋମ୍‌ର ଦାୟିତ୍ୱ, ଘରର ଦାୟିତ୍ୱ, ଏହା ପରେ ମୋର ସମୟ କାହିଁ ଝିଅର ତତ୍ତ୍ୱ ନବା ପାଇଁ... ।

 

ଅଙ୍କିତ ହସି ଦେଇ କହିଲା, ‘ତମେ ମା’ ହେଉଥିଲ କାହିଁକି ଯେ ମା’ ହେବା ଏତେ ଜରୁରୀ ନ ଥିଲା । ଅନେକ ଉପାୟ ବାହାରିଲାଣି... ତମେ ଆଭଏଡ଼୍‌ କରିପାରିଥାନ୍ତ.. ।’

 

ମୁହଁ ଉପରେ ବିରକ୍ତି ଭାବ ପ୍ରକାଶ କରି କହିଲା ପଦ୍ମଜା, ମୁଁ ମନା କରୁଛି । ତା’ ସତ୍ତ୍ୱେ କେତେବେଳେ କ’ଣ ହୋଇଗଲା ଜାଣି ପାରିଲିନି... ଏଇନେ ସବୁ ଦାୟିତ୍ୱ ମୋର... ।’

 

ସେଦିନ ଅଙ୍କିତ ଓ ପଦ୍ମଜାର କଥାର କିଛି ଅଂଶ ଶୁଣିଥିଲେ ସରୋଜ । ଏହାପରେ ସେ ଆସି ମୈତ୍ରେୟୀଙ୍କୁ ସବୁ କହିଲେ । ମୈତ୍ରେୟୀ ମୁହଁ ଉପରେ ପ୍ରସନ୍ନତା ଖେଳାଇ କହିଲେ, ‘ମୁଁ ଦୁଇଟା ଛୁଆର ମା’ । ସେମାନଙ୍କୁ କାଖେଇ କୋଳେଇ ବଡ଼ କରିଛି । ଧରି ନିଅ ଯେ ସ୍ୱାତୀ ବି ମୋ ସାନ ଝିଅ... । ମୋ ପାଖରେ ସେ ରହୁ, କୌଣସି ଅସୁବିଧା ହେବ ନାହିଁ । ଯେତେବେଳେ ସମୟ ହେବ ତମେ ଦୁହେଁ ଆସି ଦେଖିଯିବ । କିନ୍ତୁ ମା’ର ଆଦର ଯତ୍ନରୁ ସେ ଯଦି ବଞ୍ଚିତ ହୁଏ ତେବେ ତା’ ବାଲ୍ୟକାଳ ଅଭିଶାପ ହୋଇ ରହିଯିବ ।’

 

ସରୋଜ ଆଉ କିଛି କହି ନ ଥିଲେ, ବରଂ ପରଦିନ ସଂଧ୍ୟାବେଳେ ସ୍ଵାତୀକୁ ଆଣି ମୈତ୍ରେୟୀଙ୍କ ପାଖରେ ଛାଡ଼ି ଦେଇଥିଲେ । ତାଙ୍କ କୋଳକୁ ଉଠିଯାଇ କହିଲା ସ୍ଵାତୀ, ‘ବଡ଼ମା’, ମୁଁ ତମ ପାଖରେ ରହିବି... ।’

 

ସରୋଜ ନିଶ୍ଚିନ୍ତ ହେଲା । ମା’ର ଅଭାବ ଆଉ ଅନୁଭବ କରିବ ନାହିଁ ସ୍ଵାତୀ । ବରଷ କାଳ ୠଷିଭାଲି ସ୍କୁଲରେ ରହିଲା । ତା’ର ସ୍ଵାସ୍ଥ୍ୟର ଅବନତି ହୋଇଛି... ପାଞ୍ଚବର୍ଷର ସ୍ଵାତୀ ଅନେକ ରୋଗା ଦିଶୁଛି... ।

 

ସେଇଦିନୁ ସ୍ଵାତୀ ବଡ଼ ମା’ ପାଖରେ । ପ୍ରତିଦିନ ସଂଧ୍ୟାରେ ସରୋଜ ଆସି ତାକୁ ଦେଖିଯାଆନ୍ତି, ତା’ ସହିତ ଦୁଇଘଣ୍ଟା କଟାନ୍ତି । ରବିବାର ଦିନ ଆହୁରି ବେଶୀ ସମୟ ଦିଅନ୍ତି । ପଦ୍ମଜାର ଅନ୍ୟ ପ୍ରୋଗ୍ରାମ ନ ଥଲେ ଝିଅକୁ ନର୍ସିଂହୋମ୍‍ ନେଇ ଯାଆନ୍ତି ମା’ ପାଖରେ କିଛି ସମୟ କଟାଇବା ପାଇଁ ।

 

ମୈତ୍ରେୟୀଙ୍କ ମନେପଡ଼ିଯାଏ ନିଜ କଥା । ବାହାଘର ହେବାର ଦୁଇବର୍ଷ ପରେ ମିତା, ଆଉ ତିନିବର୍ଷ ପରେ ଆନନ୍ଦର ଜନ୍ମ । ସେମାନଙ୍କ ଯତ୍ନ ନବା, ପରିବାରର ସମସ୍ତ କଥା ବୁଝିବା, ଚାକିରି ବଜାୟ ରଖିବା ଏସବୁ କାମ କରୁ କରୁ ଦିନରାତି କେତେବେଳେ ସରିଯାଏ ଜାଣି ହେଉ ନ ଥିଲା । ସକାଳ ଛଅଟାରୁ କାମ ଆରମ୍ଭ ହୁଏ ଯେ ରାତି ଏଗାରଟା ପର୍ଯ୍ୟନ୍ତ ଫୁରୁସତ୍‌ ଥାଏ ଟିକେ ଗଡ଼ପଡ଼୍‌ ହେବାପାଇଁ । ବାପାମା’ଙ୍କୁ ଦେଖିବାକୁ ଯାଇ ସେମାନଙ୍କ ପାଖରେ ଦୁଇଦିନରୁ କେବେ ବେଶୀ ରହି ନାହାଁନ୍ତି । କ୍ଲବ୍‌ ମୁହଁ ଦେଖି ନାହାଁନ୍ତି । ବର୍ଷକୁ ଥରେ ମନୋଜଙ୍କ ସାଙ୍ଗରେ ସିନେମା ଦେଖିବା ପାଇଁ ଯଦି ଯାଆନ୍ତି ଯଥେଷ୍ଟ । ବାହାବ୍ରତ ପରି ସାମାଜିକ ଉତ୍ସବରେ ନ ଗଲେ ନ ହୁଏ ବୋଲି ବାଧ୍ୟ ହୋଇ ଯାଆନ୍ତି କୁଣିଆ ମୈତ୍ରଙ୍କ ଆମନ୍ତ୍ରଣ ରକ୍ଷା କରିବା ପାଇଁ ।

 

ମିତା, ଆନନ୍ଦ ବଡ଼ ହୋଇଗଲେଣି । ଟିକେ ଅଧିକ ସମୟ ମିଳୁଥିଲା ବୋଲି ସେ ସମାଜ ସେବା କାମରେ ହାତ ଦେଇଥିଲେ । ନିଚ୍ଚ ସମ୍ବଳ ଖର୍ଚ୍ଚ କରି ଅନାଥ ମହିଳାମାନଙ୍କ ପାଇଁ କନ୍ୟାଶ୍ରମ ଖୋଲିଥିଲେ । ସ୍ଵାତୀ ଆସିବା ପରେ ସେ ପୁଣି ପୂର୍ବାବସ୍ଥାକୁ ଫେରିଗଲେ । ଉଦୟାସ୍ତ କାମ କରୁ କରୁ କଟିଯାଏ । ଏଗାରଟା ପୂର୍ବରୁ ବିଛଣାକୁ ଯାଇ ପାରନ୍ତି ନାହିଁ । ଦିନେ ଦିନେ ମନୋଜ ତାଙ୍କ ପିଠି ଆଉଁସି ଦେଇ ବେକ ତଳେ ମୁହଁ ରଖି କହନ୍ତି କାମ ବଢ଼ୁଛି... କିନ୍ତୁ ତମେ କିମିତି ଏତେ ପାରୁଛ ମୁଁ ଆଶ୍ଚର୍ଯ୍ୟ ହୁଏ... ମୋତେ ଲାଜ ଲାଗେ ଭାବିବା ପାଇଁ ଯେ ମୁଁ କ’ଣ ତୁମ କଥା ବୁଝିବି ବରଂ ଏତେ କାମ ସତ୍ତ୍ୱେ ବି ତୁମେ ମୋର ସବୁ କଥା ପ୍ରତି ନିଘା ରଖିଥାଅ । ତମେ ପାଖରେ ଥିଲେ ମୁଁ ଭାଗ୍ୟବାନ ମନେକରେ ନିଜକୁ ।

 

ସ୍ଵାମୀଙ୍କ ମୁହଁକୁ ଛାତି ଉପରେ ଜାକି ଧରି କହନ୍ତି ମୈତ୍ରେୟୀ ‘ତମ ଭିତରେ ମୁଁ ଫୁଟେ ଯେମିତି ପୋଖରୀ ଭିତରେ ନାଲି କଇଁ ଫୁଟେ । ମୋର ପ୍ରତିଟି ମୁହୂର୍ତ୍ତ ତୁମ ପାଇଁ ସମର୍ପିତ... ।’

 

ଲାଜୁଆ ଆଖି ମୁଦି ଦେଇ ମୈତ୍ରେୟୀଙ୍କ ଓଠ ଉପରେ ମନୋଜ ନିଜ ଓଠ ରଖନ୍ତି... ।

 

ମୈତ୍ରେୟୀ କହନ୍ତି, ‘‘ଲାଜ ଲାଗୁନି... ବୁଢ଼ା ହେଲଣି... ।’

 

ମନୋଜ କାନ ପାଖେ ପାଖେ କହନ୍ତି, ‘ତମେ ସୁଖ, ଐଶ୍ୱର୍ଯ୍ୟର ଭଣ୍ଡାର । ଯେତେ ନେଲେ ବି ପୁଣି ପୁରି ଯାଏ ରତ୍ନ ଭଣ୍ଡାର... ।

 

ମୈତ୍ରେୟୀ ସ୍ଵାମୀର ପ୍ରଶସ୍ତ ଛାତି ଉପରେ ମୁହଁରଖି କହନ୍ତି - ‘ମୁଁ ଧନ୍ୟ... ଆଉ କିଛି ମୋର ଲୋଡ଼ା ନାହିଁ... !’

 

ରାତି ହେଲାଣି । ପାଖ ବିଛଣାରେ ନିଘୋଡ଼ ନିଦରେ ସ୍ୱାତୀ ଶୋଇଛି । ତା’ ଉପରେ ଗୋଟେ ପତଳା ଚଦର ଘୋଡ଼ାଇ ଦେଇ ଆସିଲେ ମୈତ୍ରେୟୀ । ତା’ ମୁହଁକୁ ଚାହିଁଲେ କେତେ କ୍ଷଣ-। ଠିକ୍‌ ବାପ ପରି ମୁହଁ... ସେଇ ପ୍ରକୃତି... ଆହା ! ବିଚାରୀ ଯେତେବେଳେ ମା’ କୋଳର ଉଷୁମ ଟାଣୁଥାଆଁନ୍ତା ସେଇ ସମୟଟା ହଷ୍ଟେଲରେ ରହିଗଲା । ରାତିରେ ବିଜୁଳି ମାରିଲେ ବା ଦୁଃସ୍ଵପ୍ନ ଦେଖିଲେ ସେ ଭୟରେ ଥରି ଉଠୁଥିବ... ମା’କୁ ଖୋଜୁଥିବ... ।

 

ମୈତ୍ରେୟୀ ନିଜକୁ ନିଜେ କହିଲେ, ନା ସେ ଠିକ୍‌ କରିଛନ୍ତି । ସ୍ୱାତୀ ତାଙ୍କ ଝିଆରୀ ନୁହଁ-। ତାଙ୍କ ଝିଅ ଆଉ ଝିଆରୀ ମଧ୍ୟରେ ଫରକ କିଛି ଦେଖନ୍ତିନି ସେ । ପଦ୍ମଜା ସିନା କୋଳରୁ ଠେଲି ଦେଲା ଝିଅକୁ, ତାଙ୍କ କୋଳରେ କିନ୍ତୁ ଅନେକ ଜାଗା ଅଛି ସ୍ଵାତୀ ପାଇଁ । ମା’ ନିଜର ସନ୍ତାନ ନ ଥଲେ ମା’ ଅନ୍ୟର ସନ୍ତାନକୁ ନିଜର କରିବାର ଅଜସ୍ର ଦୃଷ୍ଟାନ୍ତ ଅଛି । କିନ୍ତୁ କାଳ ବଦଳି ଯାଇ ନ ଥିଲେ ପାଞ୍ଚଟି ସନ୍ତାନର ଜନନୀ ହେବା ପାଇଁ ଇଚ୍ଛା କରିଥାନ୍ତେ ସେ । ଭାବନାରେ ତ ସେ ଶତ ସନ୍ତାନର ଜନନୀ । ତାଙ୍କ ସ୍ତନରୁ ଅମୃତ ପାନକରି ଶିଶୁକୁଳ ସମୃଦ୍ଧ ହୁଅନ୍ତୁ ଏଇ ପ୍ରାର୍ଥନା ସେ ଜଣାନ୍ତି ପ୍ରଭୁଙ୍କୁ ।

 

କିନ୍ତୁ ମିତା ଯେ ଅଣଲେଉଟା ପଥରେ ଆଗେଇ ଚାଲିଟି ଏଇକଥା ତାଙ୍କୁ ଘାରୁଥିଲା ବେଶୀ । ଯେତେ ଭାବନ୍ତି ତା’ ବିଷୟରେ ସେତିକି ଅସହାୟତା ବଢ଼ିଯାଏ । ସବୁ ଥାଇ ବି ଭିତରଟା ଖାଲି ଖାଲି ଲାଗେ । କ’ଣ ହଜାଇଲେ ବୋଲି ଚାରିଆଡ଼କୁ ଦୃଷ୍ଟି ଚାଲିଯାଏ ଖୋଜିବା ପାଇଁ ।

 

ରାତି ବଢୁଥିଲେ ବି ଆଖି ନିଦ ହଜି ଯାଇଥିଲା ତାଙ୍କର । ଝରକା ସେପାଖରେ ଖସ୍‌ ଖସ୍‌ ଶବ୍ଦ ଶୁଣି ସେ ଉଠି ବସିଲେ । ଆଖିରେ ପଡ଼ିଲା ନାଇଁ କିଛି । ଜହ୍ନ ମୁହଁ ଢାଙ୍କିଥିଲା ମେଘ ତଳେ ।

 

ଶୁଖିଲା ପତର ଉପରେ କାହାର ପାଦ ଆଗେଇ ଆସୁଥିଲା ଜାଣିପାରିଲେ ନାହିଁ ମୈତ୍ରେୟୀ । ଛାୟାମୂର୍ତ୍ତି ପରି କ’ଣ ଗୋଟେ ଲୁଚିଗଲା ଫୁଲଗଛ ଆଢୁଆଳରେ । ମନୋଜଙ୍କୁ ଡାକିବା ପାଇଁ ଇଚ୍ଛାହେଉଥିଲା, କିନ୍ତୁ ସାରା ଦିନର ବ୍ୟସ୍ତତା ପରେ ଟିକିଏ ଶାନ୍ତିରେ ଶୋଉଥିଲେ ସେ । ତାଙ୍କୁ ଉଠାଇବା ପାଇଁ ଇଚ୍ଛା ହେଲାନି ମୈତ୍ରେୟୀଙ୍କର । ସେ ଝରକା ପାଖରୁ ଚାଲିଗଲେ ମିତାର କୋଠରୀ ଆଡ଼କୁ । ଆନନ୍ଦର କୋଠରୀ ପରେ ମିତାର କୋଠରୀ ମଝିରେ ଗୋଟେ ଦ୍ଵାର-। ଆନନ୍ଦର କୋଠରୀ ଭିତରକୁ ଯାଇ ସେଇ ଦ୍ଵାର ମୁହଁରେ ଠିଆ ହେଲେ ସେ ।

 

କେହି ଜଣେ ସେପାଖରୁ ଆଗେଇ ଆସୁଥିବା ପରି ଅନୁମାନ କହୁଥିଲେ ମୈତ୍ରେୟୀ । କିଏ ? ଚୋର ତସ୍କର ନୁହେଁ ତ !

 

ମିତାର ବୋଧହୁଏ ନିଦ ଭାଙ୍ଗି ଯାଇଛି । ଚଟ୍‌କରି କୋଠରୀର ଅନ୍ଧାର ଭିତରେ ଦ୍ଵାର ସେପାଖକୁ ଚାଲିଗଲେ ମୈତ୍ରେୟୀ । ଛାତି ଉପରୁ ଅତଡ଼ା ଖସିଲା । ଗୋଟେ ଛାୟାମୂର୍ତ୍ତି ଝରକା ପାଖରେ ଠିଆ ହୋଇ ବିଷଧର ସାପ ପରି ଫିସ୍‌ ଫିସ୍‌ କରୁଥିଲା ।

 

ସେ ଦୌଡ଼ି ଯାଇ ପାରିଥାନ୍ତେ । କିନ୍ତୁ ତାଙ୍କ ପାଦ କେହି ଯେପରି ଜଞ୍ଜିରରେ ବାନ୍ଧି ଦେଇଥିଲା । ସେ ନିଃସହାୟ ପରି ଛିଡ଼ା ହୋଇଥିଲେ ।

 

ମିତାର ସ୍ଵର ଶୁଣାଗଲା, ‘‘ତମର ଏତେ ସାହସ, ଏତେ ରାତିରେ ଚାଲି ଆସିଛ ଆମ ଘରକୁ... କେହି ଯଦି ଦେଖିପକାଏ... ।’’

 

କେହି ଦେଖିପାରିବେନି ମିତା । ମୁଁ ପ୍ରସ୍ତୁତ ହୋଇଆସିଛି । ତମେ ଧୀରେ ଧୀରେ ବାହାରି ଆସ । ବାହାରେ ବାଇକ୍‌ ରଖି ଦେଇ ଆସିଛି । ପନ୍ଦର ମିନିଟରୁ ବେଶୀ ଲାଗିବନି ନ୍ୟାସନାଲ ହାଇଓ୍ୱେକୁ ଯିବା ପାଇଁ... ।’’

 

-‘‘ତା’ପରେ ?’’... ପ୍ରଶ୍ନ କଲା ମିତା ।

 

ତା’ପରେ ଆମେ ଉଡ଼ିଯିବା ପକ୍ଷୀ ପରି... ।’’ କହିଲା ସେ ।

 

‘‘ତମେ ପାଗଳ ହୋଇ ଯାଇନ ତ ? ଏତେ ରାତିରେ ତମ ସାଙ୍ଗରେ ମୁଁ ଘରଛାଡ଼ି ପଳାଇଯିବି କୋଉ ଦୁଃଖରେ ?’’ ମିତାର ସ୍ଵର ଟାଣ ହୋଇ ଆସୁଥିଲା ।

 

‘‘କିନ୍ତୁ ‘ନିଲୋଫେର’ ରେସ୍ତୋରାରେ ପୁଲିସ୍‍ ହାତରେ ଧରାପଡ଼ିବା ପରେ ତମର ଆଉ ଚାରା କ’ଣ ମିତା ? ପୁଲିସ୍‍କୁ ଧରାଧରି ତମ କକା ତମକୁ ନେଇ ଆସିଲେ, କିନ୍ତୁ ପୁଲିସ୍‍ ଖାତାରେ ତମ ନାମ, ଠିକଣା ସବୁ ଲେଖା ହୋଇ ରହିଛି... ସେତକ ପ୍ରକାଶ କରିଦେଲେ ମୁହଁ ଲୁଚାଇ ପାରିବ ମିତା ?’’ କହିଲା ସେଇ ଛାୟାମୂର୍ତ୍ତି ।

 

-‘‘ମୋତେ କ୍ଷମାକର । ମୋର କଥା ଶୁଣ । ମୋର ସାହସ ହେଉନି ଘରର ବାଡ଼ ଡେଇଁ ତମ ସାଙ୍ଗରେ ପଳାଇଯିବା ପାଇଁ... ତମେ ଫେରିଯାଅ... ଯଦି କେହି ଉଠି ବସେ ତେବେ କେଳେଙ୍କାରୀ ହୋଇଯିବ... ।’’

 

‘‘ପ୍ରେମ କଲେ ଲାଜ ମରିଯାଏ ମିତା । ଲାଜ ସରମ ଛାଡ଼ି ବାହାରି ଆସ । ଖୋଲା ଆକାଶରେ ଡେଣା ଝାଡ଼ି ଆନନ୍ଦରେ ଉଡ଼ୁଥିବା ପକ୍ଷୀ ପରି ଆଗେ ଉଡ଼ିବା ଆକାଶରୁ ଆକାଶ... ଦେଶରୁ ଦେଶ... । ମୁଁ ଅନେକ ଅର୍ଥ ସାଙ୍ଗରେ ଆଣିଛି ମିତା । ସେସବୁ ଚାରିପାଞ୍ଚ ବର୍ଷ ପାଇଁ ଯଥେଷ୍ଠ । ତା’ ପୂର୍ବରୁ ଆମ ହାତକୁ ବିଜିନେସ୍‌ ଆସିଯିବନି ? ମୋତେ କ୍ଵାଟ୍‌ରୋଟି ଜଣାଇ ଦେଇଛି ଓଡ଼ିଶା ଛାଡ଼ି ଯିବା ପରେ ସେ କଲିକତାରୁ ଆମକୁ ଦୁବାଇ ପଠାଇ ଦବ । ନିର୍ଭୟରେ ଆମେ ସେଠାରେ ରହିପାରିବା.......।’’

 

କ’ଣ ଭାବୁଥିଲା ମିତା । ସେ ଚାରିଆଡ଼କୁ ଚାହିଁଲା । ତା’ ପରେ ଧୀରେ ଧୀରେ ଆନନ୍ଦର କୋଠରୀ ଆଡ଼କୁ ଆସୁଥିବାବେଳେ ପୁଅର ଖଟ ତଳେ ଶୋଇ ପଡ଼ିଲେ ମୈତ୍ରେୟୀ ।

 

ମିତା ଘର ଓ ବାହାର ଦେଖି ନିଜ କୋଠରୀକୁ ଫେରିଯିବା ପରି ଅନୁଭବ କଲେ ମୈତ୍ରେୟୀ । ତା’ପରେ କବାଟ ବନ୍ଦ କରି କଣ ସବୁ କଲା ଏ ପାଖରୁ ସେ ଜାଣିବାର ଉପାୟ ନ ଥିଲା । ସେ ଖଟ ତଳୁ ଉଠି ଆସି କବାଟ ସନ୍ଦିରେ କାନ ପାରିଲେ ।

 

ରୋହିତ କହୁଥିଲା, ‘ଦୁଃସାହସ ନ ଥିଲେ ପ୍ରେମ କରି ହୁଏନା ମିତା... । ମତେ ଖୁସି ଲାଗୁଛି ଯେ ତମେ ରାଜି... କାଲି ତମକୁ ଷ୍ଟେସନରେ ଅପେକ୍ଷା କରିବା ପାଇଁ କହୁଛ... କିନ୍ତୁ ମୋତେ ଫାଙ୍କି ଦବନି ତ । ବାପା ଦୁଇଦିନ ପରେ ମାନ୍ଦ୍ରାଜରୁ ଫେରିବେ । ତା’ ଆଗରୁ ଆମେ ଭୁବନେଶ୍ଵର ନ ଛାଡ଼ିଲେ ଧରା ପଡ଼ିଯିବା... ।”

 

ଛାତି ତଳ ଧଡ଼୍‌ ଧଡ଼୍‌ କରୁଥିଲା ମୈତ୍ରେୟୀଙ୍କର ।

 

ମିତା ବୋଧହୁଏ ତା’ ସାଙ୍ଗକୁ ରାଜି କରାଇ ନେଇଛି ଆଜି ରାତିଟା ରହିଯିବା ପାଇଁ । କାଲି ସେ ଯଦି କୌଣସି ଟ୍ରେନରେ କଲିକତା ପଳାଇଯାଏ ରୋହିତ ସାଙ୍ଗରେ ତେବେ କୋଟିଏ ଲୋକଙ୍କ ସେଇ ସହରରେ କୋଉଁଠି ଖୋଜିବେ ଝିଅକୁ ? ସେ ହୁଏତ ହଜିଯିବ ସେଇ ଜନ ଅରଣ୍ୟରେ । କାନ୍ଦିବାହିଁ ସାର ହେବ । କଳଙ୍କର କଳା ଦାଗ ଲାଗିଯିବ ମୁହଁରେ । ଆଚାର୍ଯ୍ୟ ପରିବାରର ବୁନିଆଦି ଉପରେ ସାତ ପୁରୁଷ ଧରି ଗଢ଼ି ଉଠିଥିବା ଏଇ କଂକ୍ରିଟର କୋଠା ଭୁଷୁଡ଼ି ପଡ଼ିବ ନିମିଷକ ମଧ୍ୟରେ ।

 

ମୈତ୍ରେୟୀ ସାହସ ଫେରି ଆସିଲା । ଗୋଟେ ସଂକଟ ପଡ଼ିବାକୁ ଯାଉଛି । ତା’ ପୂର୍ବରୁ କମର ଭିଡ଼ି ଲମ୍ଫ ଦବାକୁ ହେବ । ମିତା ଯେପରି ଘରୁ ବାହାରି ନ ଯାଏ ସେଥିପାଇଁ ପଳାଇବା ବାଟଗୁଡ଼ାକରେ ତାଲା ପକାଇ ନିଜ କୋଠରୀକୁ ଫେରି ଆସିବାବେଳକୁ ମନୋଜ ତାଙ୍କୁ ଟାଣି ଦେଇ କହିଲେ -‘‘କ’ଣ ଚୋର ପଶିଥିଲା କି ?”

 

‘‘ନା ତା’ଠାରୁ ଆହୁରି ଭୟଙ୍କର, ପାଦତଳୁ ମାଟି ଖସିଯିବା ପରି ଆହୁରି ବିପଦଜନକ କିଛି ଘଟିଯାଇ ପାରେ ଯେକୌଣସି ମୁହୂର୍ତ୍ତରେ । ମୁଁ କେବଳ ବନ୍ୟାରେ ଭାସି ଯାଉଥିବା କୁଡ଼ିଆଟିକୁ ରକ୍ଷା କରିବା ପାଇଁ ଗୋଟେ ହୁଲି ଡଙ୍ଗାର ମଙ୍ଗ ମୋଡ଼ି ଯାଉଛି ଆଗକୁ... । ଭଉଁରୀରେ କୁଡ଼ିଆଟି ବୁଡ଼ିଯିବା ପୂର୍ବରୁ ଯେମିତି ହେଲେ ମୋତେ ଉଦ୍ଧାର କରିବାକୁ ହେବ... !’’

 

ମନୋଜ ଅବାକ୍‌ ବିସ୍ମୟରେ ଅନାଇ ଥିଲେ ସ୍ତ୍ରୀଙ୍କ ମୁହଁକୁ । ଏଇ ରାତିକ ଭିତରେ ମୈତ୍ରେୟୀ ଯେପରି ବଦଳି ଯାଇଛନ୍ତି । ଗୋଡ଼ ଟେକିବା ଆଗରୁ ଯିବେ କି ନାହିଁ ସାତଥର ଭାବୁଥିବା ଲଜ୍ଜାଶିଳା ଏଇ ଗୃହବଧୂଙ୍କ ନିୟତି ଟାଣିଆଣି ଛିଡ଼ା କରାଇ ଦେଇଛି କୌରବ ସଭାରେ ଦ୍ରୌପଦୀଙ୍କୁ ଦୁଃଶାସନ ଭିଡ଼ି ଆଣି ଛିଡ଼ା କରାଇ ଦେଲାପରି ।

 

ସେଦିନ ଧର୍ମ ଥିଲା, ନ୍ୟାୟ ଥିଲା, ଭଗବାନ ଥିଲେ... । ଆଉ ଆଜି ଧର୍ମ ନାହିଁ... ନ୍ୟାୟ ନାହିଁ... ଭଗବାନ ନାହାଁନ୍ତି ଏବଂ ହଜି ଯାଇଛି ମଣିଷର ବିବେକ... ।

 

ସ୍ତ୍ରୀଙ୍କୁ ହଲାଇ ଦେଇ ମନୋଜ କହିଲେ -‘‘କ’ଣ ହୋଇଛି କହୁନ ସ୍ପଷ୍ଟ କରି । ମୁଁ ବୁଝିପାରୁନି... ଇଚ୍ଛା ହେଉଛି ତମ ସହିତ ଛିଡ଼ା ହେବା ପାଇଁ... ତମକୁ ଏତେ ଭାଙ୍ଗିପଡ଼ିଥିବା ମୁଁ ଆଉ ପୂର୍ବରୁ କେବେ ଦେଖୁନାହିଁ ।’’

 

ମୈତ୍ରେୟୀଙ୍କୁ ଛାତି ଉପରେ ଆଉଜାଇ ନେଇ ମନୋଜ ଧୀରେ ଧୀରେ ବିଛଣା ପାଖକୁ ଗଲେ ଏବଂ ତାଙ୍କୁ ବିଛଣା ଉପରେ ଶୁଆଇ ଦେଇ ପାଖରେ ବସି କହିଲେ - ‘କ’ଣ ହେଲା କୁହ ମିତ୍ରା... ତମେ ଯେଉଁ ନିଷ୍ପତ୍ତି ନବ ମୁଁ ଏକମତ ହେବି । କିନ୍ତୁ ତମେ ଅଥୟ ହୁଅନା । ଧୈର୍ଯ୍ୟ ଧର । ସାହସ ରଖ । ଆମେ କେବେ କାହାରି ଅମଙ୍ଗଳ କରିନୁ... ଆମକୁ ତେବେ ଈଶ୍ଵର କାହିଁକି ଦଣ୍ଡ ଦେବେ ବୁଝିପାରୁନି ମୁଁ... ।”

 

ମୈତ୍ରେୟୀ ସ୍ଵାମୀଙ୍କୁ ତାଙ୍କ ପାଖକୁ ଟାଣି ନେଇ ନ ଶୁଭିବା ପରି ଅସ୍ପଷ୍ଟ କରୁଣ ସ୍ଵରରେ କହିଲେ -‘‘ମିତା ଆମକୁ ଠକି ଦେଇଛି... ।’’

 

ତା’ପରେ ଆଉ ଶବ୍ଦଟିଏ ବି ଶୁଭିଲା ନାହିଁ ତାଙ୍କ ମୁହଁରୁ ।

 

କୋହରେ ଭାଙ୍ଗି ପଡ଼ିଲେ ସେ ।

 

ମନୋଜ ବୁଝିପାରୁଥିଲେ ସ୍ତ୍ରୀଙ୍କ ଅସହାୟତା । ତଥାପି ଭରସା ଦବା ପାଇଁ କହିଲା ‘‘ମୁଁ ପରା ଅଛି ପାଖେ ପାଖେ... ଏତେ ଡର କାହିଁକି ?”

ମୈତ୍ରେୟୀଙ୍କ କାନ୍ଦ କିନ୍ତୁ ବନ୍ଦ ହେଲା ନାହିଁ ।

 

(ପଚିଶ)

 

ସମାଜ ଗଠିତ ହେଲା ଦିନୁ ଅନ୍ୟମାନଙ୍କ ସହିତ ସମାନ ହେବା ପାଇଁ ଆସ୍ପୃହା କରି ଆସିଛି ମଣିଷ । କିନ୍ତୁ ମରୁଭୂମିର ମରୀଚିକା ପରି, ତାହା ଦୂରକୁ ଦୂରକୁ ଚାଲି ଯାଉଛି ସିନା ଧରା ଦେଇନି । ‘ମଣିଷର ଅଧିକାର’ ବିଷୟରେ ଜାଣି ସଂଘର ସନନ୍ଦ ଓ ସମସ୍ତ ଗଣତାନ୍ତ୍ରିକ ଦେଶର ସମ୍ବିଧାନରେ ଉଲ୍ଲେଖ ରହିଛି । ଆଇନ ଆଗରେ ସମସ୍ତେ ସମାନ ବୋଲି ସମ୍ବିଧାନ ଘୋଷଣା କରିଛି । ସାମାଜିକ ସମତା, ସାମାଜିକ ନ୍ୟାୟ, ତଥାପି ଆକାଶର ତାରା ପରି ବହୁ ଦୂରରେ ରହିଛି-। କିନ୍ତୁ ଅଜସ୍ର ସଂଘର୍ଷ, ଅନେକ ଯୁଦ୍ଧ ହୋଇଛି; କିନ୍ତୁ ଏ ଯାଏ ସବୁ ମଣିଷ ସମାନ ହୋଇ ନାହାଁନ୍ତି-। ତଥାପି ଆଶା ଛାଡ଼ିନି ମଣିଷ । ଏପରିକି ଛୋଟା, ଅଥର୍ବ, ଅନ୍ଧ ଏବଂ ଅକ୍ଷମ ମଧ୍ୟ ଆଶା ରଖୁଛି ଦିନେ ସେ ସମାନ ହେବ ଅନ୍ୟମାନଙ୍କ ସହିତ । ଦିନେ ସେ ଚାନ୍ଦ ଧରିବ । କିନ୍ତୁ କେବେ ସେ ଚାନ୍ଦ ଧରା ଦବ, କେବେ ତା’ ହାତରେ ଖସି ପଡ଼ିବ ଆପଣାଛାଏଁ, ସେ ବିଷୟ କେବଳ ସ୍ଵପ୍ନ ହୋଇ ରହିଛି ।

 

ଅରୁଣା ପ୍ରଥମେ ପ୍ରଥମେ ନିଜ ଭିତରେ ଖୋଜୁଥିଲା ଆଉ କାହାକୁ... କମ୍ରେଡ଼୍‍ ତାକୁ ଦେଇଥିବା ଦାୟିତ୍ୱ ପାଳନ କରି ସାରିବା ପରେ ଯେତିକି ସାମାନ୍ୟ ସମୟ ରହେ ହାତରେ ସେଇ ସମୟ ତାକୁ ଆଣିଦିଏ ସୁଯୋଗ ଭାବିବା ପାଇଁ । ଗୋଟାଏ ସୁପ୍ତ ସମାଜକୁ ଜାଗ୍ରତ କରିବା ସହଜ ବିଷୟ ନୁହେଁ । କିନ୍ତୁ ଅରୁଣା ସ୍ଥିର ନିଶ୍ଚିତ ଯେ ଦିନେ ନା ଦିନେ ସଂଳକ୍ପ ପୂର୍ଣ୍ଣ ହେବ । ସମତାର ଧ୍ଵଜା ଦିନେ ଫର ଫର ଉଡ଼ିବ ଜଗତ ସାରା ।

 

କୁରୁଚି ଫୁଲର ମହ ମହ ବାସନା ଦେହରେ ଲେସି ହୋଇଗଲା ପରି ଲାଗୁଥାଏ । ଆଉ କେତେଦିନ ପରେ ଶାଳଗଛରେ ବି ଫୁଲ ଫୁଟିବ । ସେଇ ବାସନା ବାରି ବାରି ଉଡ଼ି ଆସିବେ ମହୁମାଛିମାନେ ମହୁ ସଂଗ୍ରହ କରିବା ପାଇଁ ।

 

କାଲି ସଞ୍ଜବେଳେ ଅଳ୍ପକେ ରକ୍ଷା ପାଇଗଲା, ପାଦ ଉଠାଇଥିଲା କିନ୍ତୁ ପକାଇବା ପୂର୍ବରୁ ତା’ ବାଟକାଟି ଚାଲି ଯାଉଥିବା ସାପଟାଏ ଦେଖି ଚମକି ପଡ଼ିଥିଲା ଅରୁଣା । ଏତିକିବେଳେ ସେଇ ବାଟ ଦେଇ ଆସୁଥିଲା ଅପୁ । ତାକୁ ଦେଖିବା କ୍ଷଣି ମନର ସାହସ ବଢ଼ିଗଲା । ସେ ଏକା ନୁହେଁ, କିଛି ଆପଦ ବିପଦ ପଡ଼ିଲେ ଅପ୍ରତିମ ସାହାଯ୍ୟ କରିବ । ସେ ପୁଞ୍ଜିବାଦୀ ଆଦର୍ଶ ବିରୁଦ୍ଧରେ ଏକା ଲଢ଼ିପାରିବ ନାହିଁ ବା ସାମ୍ୟବାଦୀ ଚେତନାର ପ୍ରସାର ଏକା ଏକା କରିପାରିବ ନାହିଁ । ଏହି କାରଣରୁ ସାମ୍ୟବାଦୀ ଆନ୍ଦୋଳନରେ ଯୋଗ ଦେଇଥିଲା ଏବଂ ଘଟଣା ଚକ୍ରରେ କମ୍ରେଡ଼୍‍ ଶ୍ରୀନିବାସଙ୍କ ସମ୍ପର୍କରେ ଆସିବା ପରେ ତାଙ୍କୁ ଗୁରୁ ମାନି ଚାଲି ଆସିଛି । ମେଦିନୀପୁରରୁ ମାଲକାନଗିରି ଅନେକ ଦୂର, କିନ୍ତୁ ଏଠାକୁ ଆସିବା ପରେ ସାଧାରଣ ନିର୍ଯ୍ୟାତିତ ମଣିଷମାନଙ୍କ ସୁଖଦୁଃଖର ଭାଗୀ ହେବାର ସୁଯୋଗ ପାଇ ସେ ଉତ୍‌ଫୁଲ୍ଲିତ ହୋଇଛି ।

 

ଅପୁ କହିଲା, ‘କ’ଣ ଭାବୁଛ... ଦେହ ମନ ଠିକ୍‌ ଅଛି ତ ?’ ଅରୁଣା ମୁହଁ ଉପରେ ପ୍ରସନ୍ନତା ଖେଳାଇ କହିଲା, ‘ହଁ ଭଲ ଅଛି । କିନ୍ତୁ ଏଇ ଟିକେ ଆଗରୁ ପାଦ ରଖୁ ରଖୁ ଅଟକିଗଲି ସାପ ଦେଖି । ଭାବିଲେ ମୋ ଦେହ ଶୀତେଇ ଉଠୁଛି ।’

 

‘ହୁଁ ଏପରି ରିସ୍କ୍‍ ତ ସବୁବେଳେ । ବିପ୍ଳବୀର ଜୀବନ ସମତଳ ପଡ଼ିଆ ନୁହଁ ଅରୁଣା । ତମର ଅନୁଭବ ମୋ’ଠାରୁ ଅଧିକ । କିନ୍ତୁ ମୁଁ ଏତିକି ଜାଣେ ଯେ ପ୍ରତି ମୁହୂର୍ତ୍ତରେ ମୃତ୍ୟୁକୁ ପାଦରେ ଦଳି ଅଗ୍ରସର ହେବା ବି ତ ଗୋଟେ ପ୍ରକାର ବିପ୍ଲବ... ଗୋଟେ ପ୍ରକାର ଦୁର୍ବାର ନିଶା,.. ଲକ୍ଷ୍ୟ ଓ ଆଦର୍ଶ ଯଦି ଠିକ୍‌ ଥାଏ ତେବେ ଏପରି ଘଟଣାଗୁଡ଼ାକ ମନରୁ ଲିଭିଯାଏ କିଛି ସମୟ ପରେ... ।

 

କିଛି ସମୟ ଭାବ ବିନିମୟ କରିବା ପାଇଁ ସମୟ ପାଇଲେ ଦୁହେଁ । ଅରୁଣା ସହତ ଅପୁର ସାକ୍ଷାତ୍‍ ବେଳେ ବେଳେ ହୁଏ । ସେ ମହିଳାମାନଙ୍କ କ୍ୟାମ୍ପରେ ରହେ । ଅପୁ ରହେ ପୁରୁଷମାନଙ୍କ କ୍ୟାମ୍ପରେ । ଅରୁଣା କମ୍ରେଡ଼୍‍, ଅପୁ କିନ୍ତୁ ନବାଗତ । ବିଶ୍ୱସନୀୟତା ଓ କମିଟ୍‌ମେଣ୍ଟ୍‌ର ପ୍ରମାଣ ଏ ଯାଏ ଦେଇନି ସେ । ତଥାପି ଶ୍ରୀନିବାସ ତାକୁ କମ୍ରେଡ଼୍‍ ହେବାର ଗୌରବ ମୁକୁଟ ପିନ୍ଧାଇ ଦେଇଛନ୍ତି । ଅରୁଣା ଏବେ ତାକୁ ଅପୁ ସମ୍ବୋଧନ ନ କରି କମ୍ରେଡ଼୍‍ ସମ୍ବୋଧନ କରୁଛି । କିନ୍ତୁ ଅପୁର ପସନ୍ଦ ତାକୁ ସମସ୍ତେ ଅପୁ ଡାକନ୍ତୁ... ଅପୁ ଡାକରେ କ’ଣ ଥାଏ କେଜାଣି ଅନ୍ତରଙ୍ଗ ହେବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୁଏ ।

 

ଅରୁଣା କହିଲା, ତମେ ତ ଆଉ ନୂଆ ନୁହଁ, ଶିବିରର ଶୃଙ୍ଖଳା, ଚଳିବା ଶୈଳୀ ସହିତ ପରିଚିତ ହୋଇଗଲଣି । କିନ୍ତୁ ତମେ ମନରଖ ଯେ ଇମୋସନ୍‍ର ସ୍ଥାନ ନାହିଁ ସାମ୍ୟବାଦୀମାନଙ୍କ ଜୀବନରେ । ମୋତେ କମ୍ରେଡ଼୍‌ ଡାକିବା ପୂର୍ବରୁ କମ୍ରେଡ଼୍‌ ଶ୍ରୀନିବାସ କ’ଣ କହିଥିଲେ ଜାଣ- ଇମୋସନ୍‌କୁ ବଳି ଦବା ପାଇଁ ଶିଖ... କ୍ୟାମ୍ପରେ କେବଳ ପରୀକ୍ଷା ଦବାକୁ ହେବ । କମିଟ୍‌ମେଣ୍ଟ୍‍ ଓ ଆଦର୍ଶ ପାଇଁ ପ୍ରାଣବଳି ଦବାର ଦୁଃସାହସିକତା ପ୍ରତି କର୍ମୀର ରକ୍ତ କଣିକାରେ ରହିବ ବିଶ୍ଵାସ ଏବଂ ଅଦମନୀୟ ଅଙ୍ଗୀକାର । ମୋର ତ ଭୟ ହୁଏ ବେଳେବେଳେ... ସତରେ ମୁଁ କ’ଣ ପାରିବି ?”

 

-‘କିନ୍ତୁ ଇମୋସନ୍‌ ସ୍ନେହ ପ୍ରେମ ଭଲ ପାଇବା ଏସବୁ ତ ମଣିଷର ସହଜାତ ପ୍ରବୃତ୍ତି । ଏସବୁ ଚାଲିଗଲେ ମଣିଷର ରକ୍ତମାଂସର ଶରୀର ଶୁଷ୍କ ନିର୍ଜୀବ ପାଷଣ ପାଲଟିଯିବ... ।’’

 

ଅପୁର ମୁହଁ ଉପରେ ଆଙ୍ଗୁଳି ଜାକି କହିଲା ଅରୁଣା, ‘ଚୁଉପ୍‌... ତମର ଏଇ ଶବ୍ଦଗୁଡ଼ାକ ଶୁଣିଲେ ଖଣ୍ଡ ପ୍ରଳୟ ହୋଇଯିବ ଶିବିରରେ ।’

 

ଅପ୍ରତିଭ ହେଲା ନାହିଁ ଅପୁ । ବରଂ ମୁହଁ ଉପରେ ଗାରେ ହସ ଖେଳାଇ କହିଲା, ମନେରଖିବି...

 

ମୁହଁ ଉପରୁ ଆଙ୍ଗୁଳି ଉଠାଇ ଦେଇଥିଲା ଅରୁଣା କିନ୍ତୁ ତା’ର କୋମଳ ସ୍ନିଗ୍ଧ ସ୍ପର୍ଶର ଶିହରଣ ସୃଷ୍ଟି କରିଥଲା ସର୍ବାଙ୍ଗରେ ।

 

ଅରୁଣା ହସି ଦେଇ କହିଲା, ‘କିଛି ମନେକରିବ ନାହିଁ ଅନୁମତି ନ ନେଇ ତୁମକୁ ଛୁଇଁ ଦେଲି ବୋଲି ।’

 

-‘‘ନା, ସେଥିପାଇଁ ଅନୁମତି ଦରକାର ହୁଏ ନାହିଁ... ଯିଏ ଯାହା ପାଇଁ ଭାବେ ସମୟ ପଡ଼ିଲେ ଆପେ ଆପେ ଏସବୁ ହୋଇଯାଏ... ।’’ କହିଲା ଅପୁ ।

 

ପୂର୍ବ ରାଗର ଅରୁଣିମା ଚହଟି ଉଠିଲା ଅରୁଣାର ମୁହଁ ଉପରେ ।

 

ଅରୁଣାର ଉଚ୍ଚକିତ ଅନ୍ତସ୍ଥଳରେ ଉଁଇ ଆସୁଥଲା ପୁନେଇଁ ଚାନ୍ଦ । ସେ ପଲ୍ଲବିତ ହୋଇ କହିଲା, ‘ଇମୋସନ୍‍ ପ୍ରକାଶ କରିବା ନିଷିଦ୍ଧ ଏଠାରେ... ପ୍ରସଙ୍ଗଟା ଆମ ଭିତରେ ସୀମାବଦ୍ଧ ରହୁ । ପ୍ରକାଶ ନ କର ଯେପରି... ।’

 

ପେନ୍ଥାଏ କୁରୁଚି ଫୁଲ ତା’ ହାତକୁ ବଢ଼ାଇ ଦେଇ କହିଲା ଅପୁ, ‘‘ଫେରିବା ପଥ ବନ୍ଦ ହୋଇଗଲା ମୋର... ତୁମକୁ ଛାଡ଼ି ଆଉ ତ ଯାଇପାରିବି ନାହିଁ...’

 

‘‘ଭାଉଜ ମନେପଡ଼ୁଚନ୍ତି ?’’ ଗେହ୍ଲେଇ ହୋଇ ପଚାରିଲା ଅରୁଣା ।

 

‘‘ହଁ । ମୋର ଅଳ୍ପ ବୟସରେ ମା’ ଚାଲିଗଲା । ତା’ ଆଗରୁ ବାପା ଚାଲି ଯାଇଥଲେ । ଭାଉଜଙ୍କୁ ମୁଁ ମା’ ପରି ଦେଖି ଆସିଛି... ଭାଇ ଭାଉଜଙ୍କ ସ୍ନେହ ପାଇ ବଡ଼ ହୋଇଛି । ଭାଉଜଙ୍କୁ କଥା ଦେଇଥିଲି ଫେରିଯିବି । ବାଟ ଚାହିଁ ବସିଥିବେ... ।’’

 

ଅରୁଣା କହିଲା, ‘‘ତମେ ବରଂ ମଝିରେ ମଝିରେ ଫୋନ୍‌ କରୁଥାଅ... ସବୁ କଥା ତାଙ୍କୁ କହିରଖିବା ଭଲ । ଛଳ କରି ଲାଭ କ’ଣ । କିନ୍ତୁ ସାବଧାନ ! ଆଉ କେହି ନ ଜାଣେ ଯେପରି... ଶିବିରର ଶୃଙ୍ଖଳା ଭଙ୍ଗ କଲେ କଠିନ ଦଣ୍ତ ଭୋଗିବାକୁ ହୁଏ ।’’

 

‘‘ତମେ ଠିକ୍‌ କହିଛ... ମୁଁ ଗୋପନରେ କେତେବେଳେ ଫୋନ୍‍ କରି ଆସିବି... । କ୍ଷମା ମାଗିନେବି... ତାଙ୍କ କୋଳରେ ମୁଁ ମଣିଷ ହୋଇଛି... କିନ୍ତୁ ଏବେ ସେଇ ସୁଖସାନ୍ନିଧ୍ୟ, ଅପାସୋରା ମମତା ଆଉ ଜଣକ ପାଇଁ ନୁହେଁ ଅନେକଙ୍କ ପାଇଁ ମୁଁ ଉତ୍ସର୍ଗ କରିଦେଇଛି । ସମସ୍ତଙ୍କ ପାଇଁ କାମ କରିବାର ସୁଖ ଅନେକ । କିନ୍ତୁ ମନ ବ୍ୟାକୁଳ ହେଉଛି ଏଥିପାଇଁ ଯେ ସେମାନଙ୍କୁ ଛାଡ଼ିବା ପାଇଁ ହେଲା...।’’

 

ଅରୁଣା କହିଲା, ‘‘ମୋର ବି ସେଇ ଦଶା । ବାପା, ମା’ ଭାଇ ଭଉଣୀଙ୍କୁ ଛାଡ଼ି ପଳାଇ ଆସିଲି ନିଜ ବାଟରେ ସ୍ୱାର୍ଥପର ପରି । ସେମାନେ ବାଟ ଚାହିଁଥିବେ...’’

 

-‘‘ତମେ ସ୍ୱାର୍ଥପର ନୁହଁ । ଗୋଟେ ବଡ଼ ସ୍ୱାର୍ଥ ରକ୍ଷାକରିବା ସକାଶେ ମଣିଷ ବେଳେ ବେଳେ ବାଧ୍ୟ ହୁଏ ଛୋଟ ଛୋଟ ସ୍ୱାର୍ଥ ଛାଡ଼ିବା ପାଇଁ । ଅନେକ ଜନନୀଙ୍କ ଆଖିରୁ ଲୁହ ପୋଛିବା ପାଇଁ ଜଣେ ଜନନୀକୁ ବିସର୍ଜନ ଦବାକୁ... ।’’ ତାକୁ ସାନ୍ତ୍ୱନା ଦବା ପାଇଁ କହିଲା ଅପୁ ।

 

ଅରୁଣା କହିଲା, ‘‘ବେଳ ହେଲାଣି । ଆଜି ମଧ୍ୟାହ୍ନରେ ଗୋଟେ ଇମ୍ପାର୍ଟେଣ୍ଟ ମିଟିଂ ଅଛି । ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରାଯିବ ।’’

 

ସେ ପାଦ ବଢ଼ାଇଲା ଯିବା ପାଇଁ । ଦୁଇ ପାଦ ଆଗେଇ ଯାଇ ଫେରି ଆସିଲା ପୁଣି । କହିଲା ଅରୁଣା, ‘‘ତମେ ଶୃଙ୍ଖଳା ମାନି ଚଳିବ । ମନେରଖିବ ଯେ ଆଦର୍ଶ ଆଗରେ ଆଉ ସବୁ ତୁଚ୍ଛ..... ଇମୋସନ୍‌ ଅସ୍ଥାୟୀ କିନ୍ତୁ ଆଦର୍ଶ ଓ ଲକ୍ଷ୍ୟ ସ୍ଥାୟୀ ।”

 

ସେ ଚାଲିଗଲା ତା’ ବାଟରେ ।

 

ଅପୁ ଚାହିଁ ରହିଥିଲା ତା’ ଯିବା ବାଟକୁ । ଅନେକଙ୍କୁ ହରାଇଲା ସେ, କିନ୍ତୁ ଅରୁଣାକୁ ପାଇ ସାନ୍ତ୍ୱନା ଦେଉଥିଲା ମନକୁ ଯେ ତା’ ଜୀବନ ନିରର୍ଥକ ହୋଇନାହିଁ, ତା’ର ସ୍ଵପ୍ନ ମରୀଚିକା ନୁହେଁ । ଇମୋସନ୍‍ ସବୁ ସାଇତି ରଖିବ ଅନ୍ତଃସ୍ଥଳରେ । ବଣର ଅସୁମାରି ଫୁଲ ପରି ଅନେକ ରଙ୍ଗ ଅନେକ ବାସର ଫୁଲ ଫୁଟୁଥାଉ ହୃଦୟ ଭିତରେ । ଚେୟାରମ୍ୟାନ କହିଥିଲେ ପରା - Let hundreds of folwer blossom......।

 

ଫୁଲର ଧର୍ମ ଫୁଟିବ, ସୁବାସ ବିତରଣ କରିବ । ଠାକୁରଙ୍କ ମଥା ଉପରେ, ବୀରମାନଙ୍କ ବେକରେ, ବନ୍ଧୁମାନଙ୍କ ହାତରେ ଫୁଲର ଶୋଭା... । ଅନନ୍ତ, ମାନୁ, ସତ୍ୟବ୍ରତ ଚାଲିଗଲେ । ହୁଏତ ସେମାନଙ୍କ ମୁହଁରୁ ଭାଉଜ ଶୁଣିବେ ସବୁ । କିନ୍ତୁ ସେ କାହିଁକି ରହିଗଲା ଏଇ କଥା ସେ ନିଜେ ଭାଉଜଙ୍କୁ କହିବ ।

 

ଦିନେ ଧରମା ମନରେ ବି ପ୍ରଶ୍ନ ଉଠିଥିଲା... ‘‘ଧରମାରେ ଦାୟ କି ବାରଶହ ବଢ଼େଇବାର ଦାୟ ।” ଏଇ ଦାୟବଦ୍ଧତା ନେଇ ବଞ୍ଚି ରହି ଆଗକୁ ଯାଇଥିଲା ମଣିଷ । ମଣିଷ ପ୍ରତି, ସମାଜ ପ୍ରତି ତା’ର କର୍ତ୍ତବ୍ୟ ଅଛି । ପରିବାରର ସୀମିତ ପରିସରରୁ ମୁକୁଳି ଯାଇ ଅପୁ ଏବେ କାମ କରିବ ଅଗଣିତ ନିଷ୍ପେସିତଙ୍କ ମୁକ୍ତି ପାଇଁ... । ସେମାନଙ୍କୁ ଜୀବନର ସ୍ଵାଦ ଚଖାଇବା ପାଇଁ ସେ ନିଜର ସୁଖ ସମର୍ପଣ କରିବ ଆବଶ୍ୟକ ହେଲେ... ।

 

ଅରଣ୍ୟରେ ବାଟ ନ ଥାଏ, ବାଟ ତିଆରି କରି ନବାକୁ ହୁଏ । ଆଉ କିଛି ବାଟ ଆଗକୁ ଯିବା ପରେ ଗୋଟିଏ ଗାଁ ପଡ଼ିଲା । ପନ୍ଦର କି କୋଡ଼ିଏଟି ପରିବାର । ଶୋଷ ଲାଗୁଥିଲା ଅପୁକୁ । ଶୁଖିଲା କାଠ ବଣରୁ ସଂଗ୍ରହ କରି ଯାଉଥିବା ଜଣେ ସ୍ଥାନୀୟ ଅଧିବାସୀକୁ ପଚାରିଲା ଅପୁ, ‘‘ଆଖପାଖରେ ଗାଁ ଥବା ପରି ଲାଗୁଛି । ତମେ ସେଇ ଗାଁର ଲୋକ ?’’

 

ସେପରି ଚାଲୁ ଚାଲୁ କହିଲା ସେ –‘‘ହଁ ବାବୁ । ଏଇ ତ ଆମ ଗାଁ ସୀମାରେ ପହଞ୍ଚି ଗଲିଣି... ।’’

 

-‘‘ଶୋଷ କରୁଛି, ପାଣି ପିଇବାକୁ ମିଳିବ ?’’

 

-‘‘ହଁ, କିନ୍ତୁ ବାବୁ ମୋ ଘରୁ ପାଣି ପିଇବ ?’ ପଚାରି ଦେଇ ଟିକେ ଅଟକିଗଲା ଶୁକ୍ରା ଜାନି । ବାବୁମାନେ କଦବା କେବେ ଆସିଲେ ପାଣି ବୋତଲ ସାଙ୍ଗରେ ଆଣିଥାନ୍ତି । ନାଳରୁ ପାଣ ଆଣନ୍ତି ଗାଁ ବାଲା । କୋଶେ ଦୂରରେ ସରୁ ନାଳ । ସବୁ ଋତୁରେ ନାଳ ପାଣି ପିଇ ଚଳନ୍ତି ସେମାନେ... । ବର୍ଷା ଦିନେ କାଦୁଆ ପାଣି ହାଣ୍ଡିରେ କିଛି ସମୟ ରଖିବା ପରେ ମଇଳା ବସିଗଲେ ଉପର ପାଣି ଢାଳି ନିଅନ୍ତି । ଏ ପାଣିରେ କୁଆଡ଼େ ଜୀବାଣୁ ଅଛନ୍ତି । ପିଇଲେ ପେଟ ରୋଗ ହୁଏ ବାବୁମାନଙ୍କୁ । ତେଣୁ ତା’ ମନରୁ ସଂଶୟ ଯାଉ ନ ଥାଏ ବାବୁ ପାଣି ପିଇବେ କି ନାହିଁ ।

 

କିନ୍ତୁ ଅପୁ କହିଲା, ‘‘ ତମେ ଯୋଉ ପାଣି ବ୍ୟବହାର କର ସେଇ ପାଣି ଦିଅ... ।

 

ଶୁକ୍ରାଜାନି କାଠ ବୋଝ ପିଣ୍ଡା ତଳେ ରଖି ଘର ଭିତରକୁ ଗଲା ପାଣି ଆଣିବା ପାଇଁ ।

 

ଅପୁ ହାତକୁ ମାଟି ପାତ୍ର ବଢ଼ାଇ ଦେଇ କହିଲା, ‘‘ବାବୁ ତମେ ଯଦି ପାଣି ପିଇପାରିବ ପିଅ... । ନ ହେଲେ ଟିକେ ସବୁର କଲେ ତାଳସଜ କାଟି ଆଣିବି ଗଛରୁ ମନଭରି ଖାଇବ । ଭୋକ ଯିବ... ଶୋଷ ବି ଯିବ... ।

 

ସେଇ ମଇଳା ପାଣି ପିଇ ପାରିଲା ନାହିଁ ଅପୁ । ତଳେ ପକାଇ ନ ଦେଇ ମୁହଁ ହାତ ଧୋଇ ନେଇ କହିଲା, ‘ତାଳସଜ ଆଣ... ମୁଁ ଖୁସି ହେବି... ପିଲାବେଳେ ଖାଇଥଲି... ।’

 

ଖୁସି ହୋଇ ଦୌଡ଼ିଲା ଶୁକ୍ରାଜାନି ତାଳଗଛରୁ ତାଳ ତୋଳିବା ପାଇଁ । ପନ୍ଦର ମିନିଟ ମଧ୍ୟରେ ତାଳପତ୍ର ଉପରେ ତାଳସଜ ଅପୁ ହାତକୁ ବଢ଼ାଇ ଦେଇ କହିଲା ଶୁକ୍ରାଜାନି, ‘ଆଉ ପାଞ୍ଚ ସାତ ବର୍ଷ ପରେ ତାଳ ନ ଥିବ କି ସଜ ନ ଥିବ ବାବୁ । ଆମ୍ବ, ପଣସ, ମହୁଲ, କେନ୍ଦୁ, ଜାମୁକୋଳି ଗଛ ସବୁ ଉଭାନ ହୋଇ ଯାଇଥିବ ବଣରୁ... କେଡ଼େ ବେଗି ବେଗି ଜଙ୍ଗଲ ପଦା ହୋଇ ଯାଉଛି ଦେଖୁନ ! ସହରର ଲୋକଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ବଣ ଜଙ୍ଗଲ ସଫା କରାଯାଉଛି... ଆମ କଥା କେହି ବୁଝୁନାହିଁ... ।”

 

ସତ କହୁଛି ଶୁକ୍ରାଜାନି । ସହରର ସଭ୍ୟ, ସ୍ଵଚ୍ଛଳ ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ଜଙ୍ଗଲ ସଫା କରାଯାଉଛି । କୋଉଠି ଶିଳ୍ପ ସ୍ଥାପନ ହେଇଛି ତ ଆଉ କେଉଁଠି ମାଟି ଖୋଳି ଖଣିଜ ବାହାର କରାଯାଉଛି । ଘର, ଆସବାବ ଇତ୍ୟାଦି ତିଆରି କରିବା ସକାଶେ କାଠ ଦରକାର । ବଣ ଜଙ୍ଗଲ ସଫା କରି ଠିକାଦାର ଟ୍ରକରେ ଚାଲାଣ କରୁଛି କାଠ ବାଉଁଶ । ବର୍ଷର ଚାରିମାସର ଆହାର ଏଇ ବଣଜଙ୍ଗଲରୁ ସଂଗ୍ରହ କରୁଥିଲେ ସ୍ଥାନୀୟ ଅଧିବାସୀମାନେ । ଏବେ ଫଳମୂଳ ମିଳୁନାହିଁ ଆଗପରି... ଭୋକ ଉପାସରେ ଦିନ କାଟୁଛନ୍ତି ଆଦିବାସୀ ।

 

ହଠାତ୍‌ ବନ୍ଧୁକ ଫୁଟିବାର ଶବ୍ଦ ଶୁଣି ଚମକି ପଡ଼ିଲା ଅପୁ । ଚେମା ପାଙ୍ଗି ଦଉଡ଼ି ଦଉଡ଼ି ଆସି ପହଞ୍ଚିଲା ଖବର ନେଇ । ‘ପୁଲିସ୍‍ ଦଳ ମାଡ଼ି ଆସୁଛନ୍ତି । ଦୁଇଜଣକୁ ଗିରଫ କଲେଣି । ଖୋଜୁଛନ୍ତି କାହାକୁ ?’

 

ଶୁକ୍ରାଜାନି କହିଲା ଅପୁକୁ ଘର ଭିତରକୁ ପଶିଯିବା ପାଇଁ । ସିଏ ତ ନୂଆ ମୁହଁ । କାଳେ ଯଦି ଆଖରେ ପଡ଼େ ଧରିନବ ପୁଲିସ୍‍... ।

 

ଶୁକ୍ରାଜାନି ଚେମା ପାଙ୍ଗି ସେମାନଙ୍କ ଭାଷାରେ କ’ଣ କଥାବାର୍ତ୍ତା ହେଲେ ବୁଝିପାରିଲା ନାହିଁ ଅପୁ । କିନ୍ତୁ ସେମାନଙ୍କ ଆଖି ଭର୍ତ୍ତି ଭୟ ସବୁ ଦେଖି ପାରିଲା ସେ ।

 

ସତରେ ସହର ବଢ଼ୁଛି ଯେତିକି ବଣଜଙ୍ଗଲ ଦୂରକୁ ଦୂରକୁ ଠେଲି ହୋଇ ଆସୁଛି ସେତିକି । ଦେବତା ହାରି ଯାଉଛି ମଣିଷ ଆଗରେ । ସେମାନଙ୍କ ବିଶ୍ଵାସ, ସେମାନଙ୍କ ଚଳଣି ବି ବଦଳି ଯାଉଛି ଧୀରେ ଧୀରେ ।

 

ଦଳେ ପୁଲିସ୍‍ କାନ୍ଧରେ ବନ୍ଧୁକ ରଖି ପହଞ୍ଚିଗଲେ ଗାଁ ଭିତରେ । ତିର୍ଲାମାନେ ଘର ଭିତରକୁ ପଶିଗଲେ । ଦାଣ୍ଡରେ ଖେଳୁଥିବା ନଙ୍ଗଳା ପିଲାଗୁଡ଼ାକ ଦୌଡ଼ି ପଳାଇଲେ ପଛପଟକୁ । ଶୁକ୍ରା, ଚେମା ଆଉ ଅନ୍ୟମାନେ ହାତ ଯୋଡ଼ି ଛିଡ଼ା ହୋଇ ରହିଲେ ପୁଲିସ୍‍ର ଆଦେଶ ତାଲିମ କରିବା ପାଇଁ ।

 

ଶୁକ୍ରାଜାନିର ମଥା ଉପରେ ବନ୍ଧୁକ ମୁନ ରଖି କହିଲା ଜଣେ ସିପାହୀ, ‘ସେଇ ବାବୁ କୁଆଡ଼େ ଗଲା ? କେତେଦିନ ହେଲା ତୋ ଘରେ ଅଛି ?’

 

ଥରି ଥରି କହିଲା ଶୁକ୍ରାଜାନି, ‘‘ବାଟବଣା ହୋଇ ଚାଲି ଆସିଥିଲା ବାବୁ । ଶୋଷ ଲାଗୁଥିଲା । ତାଳ କାଟି ତାକୁ ତାଳସଜ ଦେଇଥିଲି ଖାଇବା ପାଇଁ... ।”

 

‘‘ଶଳା ହାରାମଜାଦା ! ତୁ ତାକୁ ତାଳସଜ ଦେଇ ଚର୍ଚ୍ଚା କରିବା ଆଗରୁ ପଚାରିଲୁ ନାହିଁ ସେ କିଏ, କାହିଁକି ବଣ ଭିତରେ ପଶିଛି । ସେଇ ଲୋକଟା ଯେ ମାଓବାଦୀ ନୁହଁ ତୁ ଜାଣିଲୁ କିପରି-? କୁଆଡ଼େ ଗଲା ସେ ?”

 

ଜଙ୍ଗଲ ଆଡ଼କୁ ହାତ ଦେଖାଇ ଦେଲା ଶୁକ୍ରାଜାନି ।

 

ପୁଲିସ୍‍ ଦଳ ଆଗେଇ ଚାଲିଲେ । ଇନିସ୍‌ପେକ୍ଟର ବାବୁ ତାକୁ କହିଲା, ‘‘ସାବଧାନ ଥିବ-।... ସେମାନଙ୍କୁ ଆଶ୍ରୟ ଦବୁନି । ସେମାନେ ସରକାର ବିରୋଧୀ, ଦେଶଦ୍ରୋହୀ...।

 

ସେମାନେ ନିରାପଦ ଦୂରତ୍ଵକୁ ଚାଲିଗଲା ପରେ ଶୁକ୍ରା କବାଟ ଖୋଲି ଭିତରକୁ ଅନେଇଲା । ଅପୁ କହିଲା, ମୋ ପାଇଁ ତୁମେ ଗାଳି ଶୁଣିଲ... ମୁଁ ଦୁଃଖିତ... ।’’

 

ଶୁକ୍ରା ଜାନି ହାତଯୋଡ଼ି କହିଲା, ‘ତୁ ପାଠପଢ଼ୁଆ ବାବୁ... ବଡ଼ଘର ପିଲା... ସବୁ ସୁଖ ଛାଡ଼ି ତୁ ଚାଲି ଆସିଛୁ ଗରିବ ଲୋକଙ୍କ ସେବା କରିବା ପାଇଁ ! ଧନ୍ୟ ତୋ ବାପା ମା’ !’

 

ଅପୁ କହିଲା, ‘ଏବେ କ’ଣ ମୁଁ ନିରାପଦରେ ଜଙ୍ଗଲ ଭିତରକୁ ଫେରିଯାଇ ପାରିବି ?”

 

ଶୁକ୍ରା କହିଲା, ‘ନା, ସେମାନେ ତ ସଜବାଜ ହୋଇ ଆସିଛନ୍ତି । କିନ୍ତୁ ବାବୁ ସେମାନଙ୍କର ବି ବନ୍ଧୁକ ଅଛି । ପୁଲିସ୍‍ ଗୁଳି ଫୁଟାଇଲେ ସେମାନେ ଛାଡ଼ିବେ ନାହିଁ । ଏମାନେ ଅଛନ୍ତି ବୋଲି ସାହୁକାର, ମହାଜନର ଅତ୍ୟାଚାର କମୁଛି । ପୁଲିସ୍‍ ଦିନତମାମ କୁମ୍ବିଂ ଅପରେସନ କଲା ଜଙ୍ଗଲରେ । କିନ୍ତୁ ମାଓବାଦୀମାନଙ୍କ କୌଣସି ସୁରାକ ପାଇଲା ନାହିଁ । ଶିବିର ଛାଡ଼ି ସେମାନେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ ଏହାର କୌଣସି ଖବର ପାଇଲା ନାହିଁ ପୁଲିସ୍‍ । ହୁଏତ ଆହୁରି ଗଭୀର ଜଙ୍ଗଲ ଭିତରକୁ ଚାଲିଯାଇଥିବେ ସେମାନେ । ପୁଲିସ୍‍ ଆଖିରେ ଧୂଳି ଦେଇ ସେମାନେ ପଳାଇ ଯାଆନ୍ତି ବାରମ୍ବାର । ଗାଁ ବାଲାଙ୍କ ତୁଣ୍ଡରୁ ସେମାନଙ୍କ ବିଷୟରେ ପଦେ ହେଲେ ବି କିଛି ଶୁଣିପାରେନି ପୁଲିସ୍‍ । ବରଂ ପୁଲିସ୍‍ର ଗତିବିଧି ଏବଂ ସାହୁକାର, ମହାଜନ, ବିଡ଼ିଓ ପ୍ରଭୃତିଙ୍କ ଗତିବିଧି ସମ୍ପର୍କରେ ସେମାନେ ସବୁ ତଥ୍ୟ ଜଣାଇ ଦିଅନ୍ତି କ୍ରମେଡ଼୍‍ମାନଙ୍କୁ ।

 

ସେଦିନ ଶୁକ୍ରାଜାନିର ଅତିଥି ହେଲା ଅପ୍ରତିମ ।

 

ସଂଧ୍ୟା ହେବା ଆଗରୁ ପଖାଳ ଆଉ ଲୁଣ ଲଙ୍କା ବାଢ଼ି ଦେଇ କହିଲା ଶୁକ୍ରାଜାନିର ସ୍ତ୍ରୀ ଲୁଚି, ‘ଖାଇନେ ବାବୁ । ନିମ ଫୁଲ ଭଜା ଖାଇବୁ ?’

 

ମା’ ଆଉ ଭାଉଜ କଥା ମନେପଡ଼ିଗଲା ଅପୁର ।

 

ନିମ ଫୁଲ ଭଜା ବାଢ଼ିଲା ବେଳେ ମା’ କହୁଥିଲେ ଦେହକୁ ହିତକର, ରୋଗନାଶକ । ନିମ ଫୁଲ ଆଉ କଅଁଳ ନିମ ପତର ସହିତ ବାଇଗଣ ଭଜା ଭାଉଜଙ୍କ ହାତରୁ କେତେଥର ଖାଇଛି ସେ । ଅମୃତ ପରି ତୁଣ୍ଡକୁ ଲାଗେ ।

 

ପତର ଉପରେ ନିମ ଫୁଲ ଭଜା ଦେଲା ଲୁଚି ।

 

ପଖାଳଖିଆ ଶେଷ ହେବା ପରେ ଲୁଚି କହିଲା, ‘କୁଟୁରା ଶିକାର କରିବା ପାଇଁ ସମୟ ମିଳିଲା ନାହିଁ । ପୁଲିସ୍‍ ଜଙ୍ଗଲରେ ପଶିଥିଲାବେଳେ ଆମେ ଆଉ ଯାଉନା ଭିତରକୁ...।’

 

 

ସେଦିନ ରାତି ଶୁକ୍ରାଜାନିର ଘରେ ଖଟିଆ ଉପରେ ଶୋଇ ପଡ଼ିଲା ଅପୁ । ତାକୁ ଡର ଲାଗୁଥିଲା । ଶିବିର ଛାଡ଼ି ବାହାରେ ରହିବା ଅପ୍ରାଧ । କାଲି ଫେରିଗଲେ କମ୍ରେଡ଼୍‍ କ’ଣ କହିବେ କେଜାଣି । ନିଦ ହେଉ ନ ଥିଲା ଅପରିଚିତ ଜାଗାରେ । କିନ୍ତୁ ଏୟା ଭାବି ତାକୁ ସୁଖ ଲାଗୁଥିଲା ଯେ ଗରିବ ଲୋକଙ୍କ ସାଙ୍ଗରେ ସେ ରହିଛି । ସେମାନଙ୍କ ବାସ୍ନା ତା’ ନାକରେ ବାଜୁଛି ଏବଂ ସେମାନେ ତାକୁ ଆପଣାର ମନେକରୁଛନ୍ତି । ସେ ପର ନୁହେଁ କି ପ୍ରବାସୀ ନୁହଁ, ସେମାନଙ୍କ ଅନ୍ତରଙ୍ଗ ।

 

ଶୁକ୍ରାଜାନି, ଚେମା ପାଙ୍ଗି ତାକୁ କହିଥିଲେ ସାହୁକାର କିପରି ମଦ ଖାଇବାକୁ ପ୍ରବର୍ତ୍ତାଏ-। ମଦ ଭାଟିକୁ ପଠାଇ ଦେଇ କହେ ଫୁର୍ତ୍ତି କରି ଆସିବ । ଦୁଃଖ ଭୁଲିବା ପାଇଁ ମଦ ପିଅ-। କିନ୍ତୁ ତାହାରି କଥାରେ ପଡ଼ି ସେମାନେ ମଦ ଖାଇବାବେଳେ ସେ ଆଙ୍ଗୁଳି ଟିପ ନେଇ ନିଏ-। ଝିଅ ବାହାଘର, ସ୍ତ୍ରୀର ଚିକିତ୍ସା କରିବା ପାଇଁ ପଇସା ଦରକାର ହୁଏ । କାଗଜରେ କ’ଣ ସବୁ ଟିପି ରଖି ଆଙ୍ଗୁଳି ଟିପ ନିଏ । ଥରେ ଟିପ ସହି ଦବାପରେ ଯେତେ ରଣ ପରିଶୋଧ କଲେ ବି ସବୁ ସୁଧ ଆଡ଼କୁ ଯାଏ । ଗଛର ଚେର ଯେପରି ଜାକି ଧରିଥାଏ ଗଛକୁ । ଶୁକ୍ରାଜାନି, ଚେମା ଫାଙ୍ଗି, ଧୀରୁ ଗୁଇଁ, ଶନୁ ଫିକାରଙ୍କ ଋଣ କେବେ ଶୁଝେ ନାହିଁ । ଯେତେ ଦେଉଥିଲେ ବି ରହିଯାଏ ଯେତିକି ସେମାନେ ନେଇଥିଲେ ସେତିକି ।

 

ମାଓବାଦୀମାନେ ମାତିବା ଦିନୁ ସାହୁକାର ଡରୁଛି । ସହଜରେ ଧାର ଉଧାର ଦିଏ ନାହିଁ, ଭାଟିକୁ ଯିବା ପାଇଁ ବଡ଼ ପାଟିରେ ସମସ୍ତଙ୍କୁ ଶୁଣାଇ କହେ ନାହିଁ, ତା’ର ବି ଭୟ ଏଇ ମାଓବାଦୀମାନଙ୍କୁ । ତହସିଲଦାର, ବିଡ଼ିଓ, ଥାନାବାବୁ ସମସ୍ତେ ଡରନ୍ତି ମାଓବାଦୀ କମ୍ରେଡ଼୍‍ମାନଙ୍କୁ-। ସେମାନଙ୍କ ବନ୍ଧୁକ କୁଆଡ଼େ ବିଶ୍ଵାସଘାତକତା କରେ ନାହିଁ । ସେମାନଙ୍କ କଟୁରୀ କିମ୍ବା ଧନୁଶରର ଲକ୍ଷ୍ୟ ଅବ୍ୟର୍ଥ । କିନ୍ତୁ ସେମାନେ ନିମକହାରାମ ନୁହନ୍ତି । ନିର୍ଦ୍ଦୋଷୀକୁ କେବେ ଦଣ୍ଡ ଦିଅନ୍ତି ନାହିଁ ।

 

ତାକୁ ପୁଲିସ୍‍ ଗୋଡ଼ାଇଛି । ସେ ବଣବୁଦା କଣ୍ଟାଝଟା ଠେଲି ବଣର ଠେକୁଆପରି କୁଦା ମାରି ମାରି ଆଗକୁ ପଳାଉଛି । ତା’ ପିଛା କରୁଥିବା ପୁଲିସ୍‍ ପଛରେ ପଡ଼ିଯାଉଛି । ଅଗନା ଅଗନି ବନସ୍ତ ଭିତରେ ସେ ଏମିତି ପବନ ବେଗରେ ଡିଆଁ ମାରି ମାରି ଯାଉଥବାବେଳେ ଗୋଟିଏ ସବୁଜ ସମତଳ ପଡ଼ିଆ ଉପରକୁ ଚାଲି ଆସିଲା । କଣ୍ଟା ପଶିଥିବ ତା’ ପାଦ ତଳ ଗାଲିଚା ପରି ମୁଲାଏମ ନରମ ଘାସ ଉପରେ ରଖିବାରୁ ତାକୁ ଭଲ ଲାଗୁଥିଲା । ଟିକେ ବସି ପଡ଼ି ପାଦରେ ଗଳି ଯାଇଥିବା କଣ୍ଟା କେତୋଟି କାଢ଼ି ପକାଇଲା ଅପୁ । ଶିବିରକୁ ନୂଆ ଆସିଲେ ଖାଲି ପାଦରେ ଚଲାବୁଲା ଅଭ୍ୟାସ କରିବାକୁ ହୁଏ । ମାଟି ସହିତ ସମ୍ପର୍କ ବଢ଼େ । ମାଟିର ମହକ ଜାଣି ହୁଏ । ମାଟି ସହିତ, ପ୍ରକୃତି ସହିତ ଆଦିବାସୀମାନଙ୍କ ପରିଚୟ ବେଶୀ । ମାଟି ଛାଡ଼ି, ଜଙ୍ଗଲ ଛାଡ଼ି, ଝରଣା ଛାଡ଼ି ବଞ୍ଚିପାରନ୍ତିନି ସେମାନେ ।

 

ଦରକାରଠାରୁ ଅଧିକ ସଂଗ୍ରହ କରିବା ଅଭ୍ୟାସ ନାଇଁ ସେମାନଙ୍କର । ଆଜି କ’ଣ କରିବେ ସେଇକଥା ସେମାନଙ୍କର ଏକମାତ୍ର ଭାବନା । ଆସନ୍ତାକାଲି ପାଇଁ ଚିନ୍ତା ନ କରି କାଲିକଥା କାଲିକୁ ରଖନ୍ତି । ସଞ୍ଚୟ ଖାତା ଶୂନ । ଯଦି କୌଣସି ଦିନ କାମ ନାଇଁ କି ଶିକାର ଜୁଟେନି ତେବେ ଖାଡ଼ା ଉପାସ । ଏମାନଙ୍କ ଦୁଃଖ ଏତେ ବେଶୀ, ତଥାପି କିପରି ସେମାନେ ନିର୍ବିକାର ତାହା ବୁଝିପାରେନି ଅପୁ । ଏମାନଙ୍କ ସରଳତା ମୁଗ୍ଧ କରେ ତାକୁ । ବଞ୍ଚିବା ପାଇଁ ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ ଯୁଝିବାକୁ ହୁଏ । ତଥାପି ଅମଲା, ଦଲାଲ, ସାହୁକାରଙ୍କ କବଳରୁ ନିସ୍ତାର ନାହିଁ ଏମାନଙ୍କ ପାଖେ ପାଖେ ରହିଲେ ସେମାନଙ୍କ ଦୁଃଖ ସୁଖରୁ ଭାଗ ମିଳିବ । ସେମାନେ ଆପଣାର ହେଲେ ଏଇ ଧରା ସୁନ୍ଦର ଦିଶିବ ।

 

ଅପୁ ଫେରି ଯାଇପାରିବ ନାହିଁ । ଫେରିଯିବା ଅଧର୍ମ ହେବ...

ସ୍ଵପ୍ନ ସରିଗଲା । ନିଦ ଭାଙ୍ଗିଗଲା । ଅପୁ ଉଠି ବସିଲା । ନିଶା ଗର୍ଜୁଥାଏ ସାଇଁ ସାଇଁ । ଜଙ୍ଗଲ କୁକୁଡ଼ାର ଡାକ କାନରେ ବାଜିନି ଏ ପର୍ଯ୍ୟନ୍ତ । ଝିଣ୍ଟିକାର ଶବ୍ଦ, ଶୁଖିଲା ପତର ପାଦତଳେ ମକଚି ଦୌଡ଼ି ପଳାଉଥବା ଜନ୍ତୁ ଜାନୁଆରମାନଙ୍କ ଶବ୍ଦ ଭାସି ଆସୁଥାଏ ଶୀତଳ ପବନରେ ।

 

ଶୁକ୍ରାଜାନି ତା’ ପାଖରେ ବସି ପଡ଼ି ଫିସ୍‌ ଫିସ୍‌ କରି କହିଲା, ବାବୁ ! ଉଠିପଡ଼ । ରାତି ପାହିବା ଆଗରୁ ତୋତେ ନେଇ ଶିବିରରେ ଛାଡ଼ି ଦେଇ ଆସିବି ।’’

 

‘କିନ୍ତୁ ପୁଲିସ୍‍ ତ ଜଙ୍ଗଲ ଛାଡ଼ିନି... ।” କହିଲା ଅପୁ । ‘ନା, ସେମାନେ ଫେରିଲେଣି । ଖୋଜୁଚି ତୋତେ କ୍ରମେଡ଼୍‍... ତୋତେ ନେଇଯିବା ପାଇଁ ଲୋକ ପଠାଇଚି... ।’

 

-‘କ୍ରମେଡ଼୍‍ ଜାଣିଲେ କେମିତି ଯେ ମୁଁ ତୁମ ଘରେ ଅଛି ?’ ବିସ୍ମିତ ଅପୁ ତୁଣ୍ଡରୁ ବାହାରିଗଲା ।

 

ସବୁ ଖବର ତାଙ୍କ ପାଖରେ ପହଞ୍ଚିଯାଏ ବାବୁ... ଚେମା ରାତି ରାତି ତାଙ୍କୁ ଖବର ଦେଇଥିଲା । ତା’ ସହିତ ସେ ଲୋକ ପଠାଇଛନ୍ତି ତୋତେ ସାଙ୍ଗରେ ନେଇଯିବା ପାଇଁ । ଆଉ ଭୟ କ’ଣ ?’

 

(ଛବିଶି)

 

ସରଳାର ଆଖି ଲୁହ ଶୁଖୁ ନାହିଁ । ମିଟୁର ମୁହଁ ମନେପଡ଼ିଲେ ସେ କାନ୍ଦେ... ବାୟାଣୀ ପରି ନିଚ୍ଚର ବାଳ ଛିଡ଼ାଏ... ନିଜକୁ ଦାୟୀ କରି କ୍ଷତ ବିକ୍ଷତ କରେ । ବେଳେବେଳେ ମନକୁ ମନ କହେ ମାଧବ ଥିଲେ କ’ଣ ଏଡ଼େ ସହଜରେ ତା’ ପୁଅ ହାତଛଡ଼ା ହୋଇ ଯାଇଥାନ୍ତା । କି ପାପ କରିଥଲା ସେ ପୂର୍ବ ଜନ୍ମରେ କେଜାଣି ତାହାରି ପ୍ରାୟଶ୍ଚିତ୍ତ କରୁଛି ଏ ଜନ୍ମରେ ।

 

ମୈତ୍ରେୟୀ ତାକୁ ବୁଝାନ୍ତି । ମିଟୁ ଯେ ଦିନେ ନା ଦିନେ ନିଶ୍ଚୟ ଫେରି ଆସିବ ଏଇ ସାନ୍ତ୍ୱନା ଦିଅନ୍ତି । କିନ୍ତୁ ସେ ନିଜେ ନିଶ୍ଚିତ ହୋଇପାରନ୍ତି ନାହିଁ ସତରେ ମିଟୁ ଫେରିବ କି ନାହିଁ । ଓଟ ପ୍ରତିଯୋଗିତାରେ ପିଲାମାନଙ୍କୁ ବ୍ୟବହାର କରୁଥିବାର କାହାଣୀ ସେ ସରଳାକୁ କହି ନାହାଁନ୍ତି ସତ, କିନ୍ତୁ ପ୍ରତିବର୍ଷ ଭାରତରୁ ଶହ ଶହ କିଶୋର ଯେ ବିକ୍ରି ହୋଇ ଚାଲି ଯାଆନ୍ତି ଆବୁଧାବି, ଦୁବାଇ, କୁଏତ୍‌ ଏ ଖବର ମିଛ ନୁହେଁ । ତାଙ୍କ ଅନ୍ତର ଭିତରଟା ମନ୍ଥି ହୋଇ ଯାଏ । ସେ ମନକୁ ମନ ପ୍ରଶ୍ନ କରନ୍ତି, ଆନନ୍ଦକୁ ଯଦି କେହି ହରଣଚାଳ କରି ନେଇଯାଏ ତେବେ ସେ କ’ଣ ସହ୍ୟ କରିପାରିବେ ? ଦିନେ ଦିନେ ପୁଅ ମଠ ବା ମନ୍ଦିରକୁ ଚାଲିଯାଏ, ଫେରିବା ପାଇଁ ବିଳମ୍ବ ହେଲେ ମୈତ୍ରେୟୀ ଦରାଣ୍ଡି ପକାନ୍ତି ସବୁ ସ୍ଥାନ । ଜଣାଶୁଣା ଲୋକଙ୍କୁ ଫୋନ୍‍ କରନ୍ତି ଆନନ୍ଦ କାହା ଘରକୁ ଯାଇଛି କି ନାହିଁ ଜାଣିବା ପାଇଁ । ଆନନ୍ଦ ଆଉ ମିଟୁ ମଧ୍ୟରେ ପାର୍ଥକ୍ୟ କିଛି ନାହିଁ । ତାଙ୍କ ପୁଅ ପରି ମିଟୁ ମଧ୍ୟ ସରଳାର ନୟନ ସଙ୍ଖାଳି ।

 

ମୈତ୍ରେୟୀ ବେଳେ ବେଳେ ଭାବନାରେ ବୁଡ଼ି ଯାଆନ୍ତି । ଅପୁ ଯାଇଛି ଯେ ଆଉ ଫେରି ଆସିନି । କୌଣସି ଖବର ବି ପାଇ ନାହାଁନ୍ତି ଇତି ମଧ୍ୟରେ । କେବଳ ତାଙ୍କର ବିଶ୍ଵାସ ହେଉଛି ଯେ ଅପୁ ହଜିଯାଇ ନାହିଁ ବା ତା’ର କୌଣସି କ୍ଷତି ହୋଇନାହିଁ । ସେ ଗୋଟିଏ ବଡ଼ ଦାୟିତ୍ୱ ନିର୍ବାହ କରିବାକୁ ଯାଇ ଅଟକି ରହିଛି । କିନ୍ତୁ ମାଲକାନଗିରିର ବଣ ଜଙ୍ଗଲ ଭିତରେ ପ୍ରତି ମୁହୂର୍ତ୍ତ ଯେ ବିପଦସଂକୁଳ ଏହା ଭାବି ମଧ୍ୟ ସେ ମନକୁ ସାନ୍ତ୍ୱନା ଦେଇ କହନ୍ତି - ସେ ବଡ଼ ହେଲାଣି, ଆଉ ସାତଆଠ ବର୍ଷର ଶିଶୁ ନୁହେଁ । ତା’ ମାର୍ଗ ନିର୍ଣ୍ଣୟ କରିବାର ଶକ୍ତି ଅଛି । ସେଦିନ ଟେଲିଫୋନ୍‍ରେ କଥା କହୁଥିବାବେଳେ ଅପୁ ଆଉ କ’ଣ କହିବାକୁ ଚାହୁଁଥିଲା କିନ୍ତୁ କଥା ସରିବା ଆଗରୁ ଟେଲିଫୋନ୍‍ କଟିଗଲା । ତା’ପରେ କାହିଁକି ସେ ଆଉ ଫୋନ୍‌ କରୁନାହିଁ ଏହା ଭାବି ସେ ବିବ୍ରତବୋଧ କରନ୍ତି । କିଛି ଆପଦ ବିପଦ ପଡ଼ି ନାହିଁ ତ !

 

ସେ ଏକାନ୍ତରେ ଉଦାସ ମନରେ ବସିଥିବାବେଳେ ଅନଙ୍ଗ ଆସି କହିଲା ଯେ ମାଲକାନଗିରିରେ ମାଓବାଦୀ ଓ ପୁଲିସ୍‍ ମଧ୍ୟରେ ସଂଘର୍ଷ ଘଟି ତିନିଜଣ ମାଓବାଦୀ ମରିଛନ୍ତି, ଦୁଇଜଣ ପୁଲିସ୍‍ ହାତରେ ଧରାପଡ଼ିଛନ୍ତି ଏବଂ ସେଇ ମୁହାଁମୁହିଁ ସଂଘର୍ଷରେ କେତେଜଣ ପୁଲିସ୍‍ ମଧ୍ୟ ଜଖମ ହୋଇଛନ୍ତି ଗୁରୁତର ଭାବରେ । ପୁଲିସ୍‍ ସାରା ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ସିଲ୍‌ କରି ଦେଇଛି । କୁମ୍ବିଂ ଅପରେସନ ଆହୁରି ବଢ଼ାଇ ଦିଆଯାଇଛି । ମାଓବାଦୀମାନଙ୍କ ଗିରଫ କରିବା ପାଇଁ ସରକାର ଅଧକ ଫୋର୍ସ ପଠାଇଛନ୍ତି ଉପଦ୍ରୁତ ଅଞ୍ଚଳକୁ ।

 

ବିଭିନ୍ନ ବିଷୟରେ ଆଲୋଚନା କରିବାବେଳେ ଅନଙ୍ଗ କହିଲା ଯେ ଶତାବ୍ଦୀ ଶେଷ ହୋଇ ଆସିବାବେଳକୁ ଲୋକମାନଙ୍କ ସ୍ଵଭାବ ଚରିତ୍ର ବଦଳି ଯାଉଥିବା ପରି ଲାଗୁଛି । କିନ୍ତୁ ଏବେ ତ ଏକା ଡିଆଁରେ ସମସ୍ତେ ବିଂଶ ଶତାବ୍ଦୀର ସମସ୍ତ ପ୍ରତିବନ୍ଧକ ପାରି ହୋଇ ଏକବିଂଶ ଶତାବ୍ଦୀରେ ପହଞ୍ଚିଗଲେ । ଏପରିକି କଳା ସାହିତ୍ୟରେ ମଧ୍ୟ ସେଇ ବ୍ୟବସାୟିକ ମାନସିକତା ପ୍ରବେଶ କରିଯାଇଛି । ନିଷ୍ପତ୍ତି ନବା ପୂର୍ବରୁ କିପରି ଚିତ୍ର ଆଙ୍କିଲେ, ନୃତ୍ୟ କଲେ ବା କବିତା ଲେଖିଲେ ମଣିଷର ସୂକ୍ଷ୍ମତନ୍ତ୍ରୀଗୁଡ଼ାକୁ ଉସୁକାଇ ଦେଇ ହୁଏ ଏବଂ ସେମାନଙ୍କ ସୂକ୍ଷ୍ମ ଚେତନା ଛାଡ଼ି ସ୍ଥୂଳ ଚେତନାକୁ ଉସୁକାଇ ଦେଇହୁଏ ସେହିପରି ଚିତ୍ର, ନୃତ୍ୟ, କବିତା ଓ ସାହିତ୍ୟ ପରିବେଷଣ କରାଯାଉଛି । ନଗ୍ନତା ଆଉ ପରିତ୍ୟକ୍ତ ନୁହେଁ । ଏହା କଳା ଓ ସାହିତ୍ୟର ଭୂଷଣ ହୋଇଯାଇଛି । ବର୍ଷ କେତୁଟାରେ ସମଗ୍ର ପାଶ୍ଚାତ୍ୟ ଚଳଣି ଆମ ଦେଶର ପାରଂପାରିକ ଜୀବନ ଧାରାକୁ ବଦଳାଇ ଦେଇଛି । ପୁରୁଣା ଜାଗାରେ ନୂଆ, ପରମ୍ପରା ସ୍ଥାନରେ ପରିବର୍ତ୍ତନ ଘଟୁଥିବାରୁ ସଂଘର୍ଷ ହେଉଛି ଦୁଇଟି ସ୍ରୋତ ମଧ୍ୟରେ । କିନ୍ତୁ ଉଗ୍ର ଆଧୁନିକତାର ସ୍ରୋତ ତ ସ୍ଥିତାବସ୍ଥାକୁ ଠେଲି ବାହାର କରି ଦେଇଛି।’’

 

ମୈତ୍ରେୟୀ କହିଲେ, ‘ଏଇ ସ୍ରୋତରେ କ’ଣ ଭାସିଯିବ ଯାହା କିଛି ଚଳି ଆସିଛି ଆଜି ପର୍ଯ୍ୟନ୍ତ ଏଇ ସ୍ରୋତ ଆଗରେ ମଥା ନୁଆଁଇଦବ ପୂର୍ବର ସର୍ଜନାତ୍ମକତା, ଉନ୍ମୁଖତା... ।’

 

ଅନଙ୍ଗ କହିଲା, ‘ଅନେକ କିଛି ବଦଳି ଯିବ ଭାଉଜ । ଦେଖୁନ ଯୁଗସନ୍ଧିର ଲୀଳା ପୂର୍ବଭାସ ଦେଉଛି ଆଗାମୀ କାଳର... ।’

 

ମୋତେ ଡର ଲାଗେ ଏସବୁ ଦେଖି କିନ୍ତୁ ଯେତେବେଳେ ଭାବେ ଯେ ଏଇ ନୂଆ ଭାବନା, ନୂଆ ଚେତନାକୁ ଅଟକାଇ ହେବ ନାଇଁ ସେତେବେଳେ ନିଜକୁ କହେ ନୂତନକୁ ବରଣ କରିବା ପାଇଁ । ପ୍ରତିରୋଧ ନ କରି ବରଂ ସହାବସ୍ଥାନର ସୂତ୍ରଟିଏ ବାହାର କରିବାକୁ ହେବ । ପୁରୁଣା ଓ ନୂଆ ମଧ୍ୟରେ ସଂଘର୍ଷ ନୁହେଁ ସନ୍ଧି ସ୍ଥାପନ କରିବାଦ୍ଵାରା ହିଁ ସଂଘର୍ଷର ପ୍ରକୋପକୁ ଏଡ଼ି ଦିଆଯାଇପାରେ ।’’

 

ଏ ବିଷୟରେ ଭାବୁଥିବାବେଳେ ମୈତ୍ରେୟୀଙ୍କ ହଠାତ୍‌ ମନେପଡ଼ିଗଲା ମିତା କଥା । ସେ ତାହାହେଲେ କ’ଣ ଏଇ ସ୍ରୋତରେ ଭାସିଯିବ ? ପ୍ରେମର ମଧୁରତା ଯିଏ ଚାଖି ନାହିଁ । ସେ ମଣିଷର ଗହନ ମନର ଉପଲବ୍ଧିର ସ୍ଵାଦ ଜାଣେନାହିଁ । କିନ୍ତୁ ପ୍ରେମ କ’ଣ ବିଶୃଙ୍ଖଳ ଉନ୍ମାଦନାରେ କେବଳ ଥାଏ ? ପ୍ରେମ କ’ଣ କେବଳ ଶାରୀରିକ ସୁଖ ପାଇଁ ?

 

ସେ ଆଉ ଭାବିପାରିଲେ ନାହିଁ । ମିତା ଅବାଟରେ ଚାଲି ଯାଉଥବା ପରି ଅନୁଭବ କରି ସେ ଭୟ କରୁଥିଲେ । ଏପରିକି ଝିଅର ମୁହାଁମୁହିଁ ହେବାକୁ ସଂକୋଚ କରୁଥିଲେ ସେ । କାଳେ ତା’ର ରୁଚି ପରିବର୍ତ୍ତନ ତାଙ୍କ ଆଖିରେ ପଡ଼ିଯିବ ତାହା ଏଡ଼ାଇଯିବା ସକାଶେ ଝିଅ ସହିତ ମୁହାଁମୁହିଁ ନ ହେବା ପରି ରାସ୍ତା କାଟି ଚାଲି ଯାଆନ୍ତି ସେ । ଭାସ୍ଵତୀ ଶିକାର ହୋଇଛି ଏଇ ଉଗ୍ର ଆଧୁନିକ ଯୌନତାର । ବିଶ୍ୱମୋହନ ବାଧ୍ୟରେ ପଡ଼ି କହିଛି ସମାଧାନ କରିବ । କିନ୍ତୁ ସ୍ଵାମୀ ସ୍ତ୍ରୀ କବେଳ ଗୋଟିଏ କୋଠରୀରେ ଗୋଟିଏ ବିଛଣାରେ ଶୋଇଲେ କ’ଣ ସବୁ ସମାଧାନ ହୋଇଯାଏ । ହୁଏତ ସେହିପରି ଅକସ୍ମାତ ଦୁର୍ଘଟଣାରୁ ସନ୍ତାନଟିଏ ଜନ୍ମ ନେବ । କିନ୍ତୁ ସେଇ ସନ୍ତାନ କ’ଣ ପିତାମାତାଙ୍କ ପ୍ରେମର ପୂଣ୍ୟ ଫଳ ବୋଲି ଉଚ୍ଚ ସ୍ଵରରେ କହିପାରିବେ ଦୁହେଁ ? ରତୁପୂର୍ଣ୍ଣା କ’ଣ ସହଜରେ ଛାଡ଼ିଦବ ବିଶ୍ଵମୋହନକୁ । ସେ ତ ହଟ କରୁଛି ବାହା ହେବା ପାଇଁ । ଆଇନ ଅନୁସାରେ ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ ବେଆଇନ । ଯେଉଁ ଟୋକା ସହିତ ସାଙ୍ଗ ହେଉଛି ମିତା ତା’ ବିଷୟରେ ଏ ପର୍ଯ୍ୟନ୍ତ କିଛି ଜାଣି ନାହାଁନ୍ତି ମୈତ୍ରେୟୀ । ଥରେ କହିଥିଲେ ମନୋଜଙ୍କୁ । ଝିଅର ହାବଭାବ କିଛି ସୁନ୍ଦର ଦିଶୁନି ବୋଲି । କିନ୍ତୁ ମନୋଜ କହିଲେ ଏପରି ହୁଏ, ଏ ବୟସରେ । ଗୋଟେ ନୂଆ ବସ୍ତୁ ପାଇବା ସକାଶେ ମନର ଇଚ୍ଛାକୁ ଚାପି ରଖି ହୁଏ ନାହିଁ । ସେଇ ବସ୍ତୁଟି ଯଦି ପ୍ରେମ ହୋଇଥାଏ ବା କାମନା ହୋଇଥାଏ ତେବେ ତା’ର ମଧୁରତା ଥାଉ ବା ନ ଥାଉ ତାହା ଶରୀର ଓ ମନକୁ ଛିନଛତ୍ର କରି ଉଜାଡ଼ିଦବା ପର୍ଯ୍ୟନ୍ତ କୌଣସି ବାଧା ବନ୍ଧନ ମାନେନା । ଶୃଙ୍ଖଳା ସବୁ ଭାଙ୍ଗିଯାଏ । ନୀତି, ନୈତିକତା ଗୁଡ଼ାକ ତୁଚ୍ଛ ମନେହୁଏ । ତାଙ୍କ କଥା ଶୁଣି ଯୁକ୍ତି କରିଥିଲେ ମୈତ୍ରେୟୀ । କହିଥିଲେ ତେବେ କ’ଣ ସେଇ ସ୍ରୋତରେ ଭାସିଯିବା ପାଇଁ ଲମ୍ଫ ଦବ ନଦୀ ଭିତରକୁ ନା ଆତ୍ମରକ୍ଷା କରିବାର ଉପାୟ କରିବ ? ଆତ୍ମରକ୍ଷା ନିଜକୁ କରିବାକୁ ହୁଏ । ଶାଳୀନତା ଓ ଶୋଭନୀୟତା ଭିତରେ ବାନ୍ଧି ରଖିବା କାମଟି ଆଉ କେହି କରିଦେଇ ପାରିବ ନାହିଁ । ନିଜକୁ ହିଁ କରିବାକୁ ହେବ ।

 

କିନ୍ତୁ ଦୁହେଁ କିଛି ସୂତ୍ର ବାହାର କରି ପାରି ନ ଥଲେ ମିତାକୁ ସ୍ରୋତର ସେଇ ଭଉଁରୀରେ ପଡ଼ିବା ଆଗରୁ ଉଦ୍ଧାର କରିବା ପାଇଁ !

 

ମୈତ୍ରେୟୀ ଅନୁଚ୍ଚ ସ୍ଵରରେ କହିଲେ, ‘ତମ ସହିତ ସେ କଥା କହେ । କେବେ ମିତାକୁ ଆଣିବା ପାଇଁ ଚେଷ୍ଟା କରିଛ ଅନଙ୍ଗ ?’

 

ଅନଙ୍ଗ ଜାଣିପାରିଲା ନାହିଁ କ’ଣ କହିବ । ଯଦି ସେଦିନର ଘଟଣା କହିଦିଏ ତେବେ ଭାଇନା କି ଭାଉଜ କେହି ସହ୍ୟ କରିପାରିବେ ନାହିଁ । ସେଥିପାଇଁ ସମାଧାନର ବାଟ ଖୋଜୁଥିଲା ସେ ! ରୋହିତ ପଟ୍ଟନାୟକ କିଏ, ତା’ର ପରିଚୟ କ’ଣ ନ ଜାଣି ମିତା ଆଗେଇ ଯାଇଛି ଗୋଟାଏ ଖିଆଲରେ ! ମୁହୂର୍ତ୍ତକର ଉତ୍ତେଜନାରେ ସେ ନେଇଥିବା ନିଷ୍ପତ୍ତିଟା ଯେ ଭୁଲ୍‌ ହୋଇପାରେ ଏହା ମିତା ହୁଏତ ଆଦୌ ଭାବି ନ ଥିବ । ହଠାତ୍‌ ତାକୁ ବାରଣ କଲେ, ତା’ର ଯିବା ଆସିବା ନିମନ୍ତ୍ରଣ କଲେ ବିପରୀତ ଫଳ ବି ହୋଇପାରେ । ସେ ପିଲା ନୁହେଁ ଯେ ତାକୁ ମା’ କୋଳରେ ଛନ୍ଦି ଦେବ, ସେ ସତର ତା’ର ନିଜର ମନଅଛି, ପସନ୍ଦ ଅପସନ୍ଦ ଠିକ୍‌ କରିବାର ଶକ୍ତି ଅଛି । କ’ଣ ଉତ୍ତର ଦେବେ କିଛି ସ୍ଥିର କରି ନ ପାରି ଅନଙ୍ଗ କହିଲା, ‘‘ଭାଉଜ, ମୁଁ ତାକୁ ବୁଝିବା ପାଇଁ ଓ ବୁଝାଇବା ପାଇଁ ଚେଷ୍ଟା କରୁଛି । ହଠାତ୍ ଆମେ ଯଦି ସେ ଯାହା କରୁଛି, ଯାହା ଚାହୁଁଛି ଏହାର ପ୍ରତିରୋଧ କରୁ ତେବେ ବନ୍ୟାଜଳ ଯେପରି ବନ୍ଧ ଭାଙ୍ଗି ମାଡ଼ିଯାଏ ହୁଏତ ସେହିପରି ଉଗ୍ରତା ତାକୁ ଗ୍ରାସ କରିବ । ଶୃଙ୍ଖଳା, ଶାଳୀନତା ଜୀବନଚର୍ଯ୍ୟାର ପ୍ରଧାନ ଆଧାର । କିନ୍ତୁ ଯୌନତା, ଉଗ୍ରତା ସଂସ୍କାରକୁ ଭାଙ୍ଗି ଦିଏ । ଆମେ ସମସ୍ତେ ଚେଷ୍ଟା କଲେ ହୁଏତ ମିତାକୁ ରକ୍ଷା କରିପାରିବା ।’ ଅନଙ୍ଗ ପୁଣି କହିଲା, ‘ତା’ ସହିତ ମୁଁ କଥା ହୋଇଛି ଭାଉଜ । ମାତ୍ର ହଠାତ୍‍ କିଛି ଗୋଟେ କହିଦେଲେ ବା କରିଦେଲେ ସେ କାଳେ ଅମଣିଆ ହୋଇଯିବେ ସେଥିପାଇଁ ମୁଁ ଧୀରେ ଧୀରେ ଯାଉଛି । କହନ୍ତି ଧୀର ପାଣି ପଥର କାଟେ ।’

 

ମୈତ୍ରେୟୀ ଚୁପ୍‌ ହୋଇ ରହିଲେ । ତାଙ୍କ ଭାବନା ଓଲଟପାଲଟ ହୋଇ ଯାଉଥଲା ।

 

ସମସ୍ୟା ମାନେ ଏତେଦିନ ଧରି ଲୁଚିଥିଲେ କେଉଁଠି ? ଗୋଟିକ ପରେ ଗୋଟିଏ ସମସ୍ୟା ଧାଡ଼ି ବାନ୍ଧି ଆସିବା ଏଇ ପ୍ରଥମ ତାଙ୍କ ଜୀବନରେ । କୌଣସି ସମାଧାନର ସୂତ୍ର ବାହାରୁ ନାହିଁ । ସ୍ଵାତୀକୁ ସେ ରଷିଭ୍ୟାଲିରୁ ନେଇ ଆସିବା ପରେ ପଦ୍ମଜା ଆଉ ଭଲ କରି କଥା ହେଉନି । ସରୋଜ ପରିବାର ଭିତରେ ରହିବା ପାଇଁ ଚେଷ୍ଟା କରୁଥିବାବେଳେ ପଦ୍ମଜା ସେଥିରେ ବାଧା ସୃଷ୍ଟି କରୁଛି । ଜାୟା ଓ ଜନନୀ ହେବା ପରେ ପୂର୍ବ ରାଗର ପ୍ରେମିକ ସହିତ ସମ୍ପର୍କ ରଖାଯାଏନା । ଯଦି ତାହା କେହି କରେ ତେବେ ତାହା ବିଶ୍ଵାସଘାତକତା ବ୍ୟତୀତ ଆଉକିଛି ନୁହେଁ । ସରୋଜ ପ୍ରତି ଶହେ ପ୍ରତିଶତ ଆନୁଗତ୍ୟ ନ ଦେଇ ସେଥରୁ କିଛି ଅଙ୍କିତ ପାଇଁ ସଂରକ୍ଷଣ କରି ରଖିବା ପାପାଚାର ଛଡ଼ା ଅନ୍ୟକିଛି ନୁହେଁ । ଅଙ୍କିତ ସହିତ ପଦ୍ମଜାର ମିଳାମିଶା ଶୁଦ୍ଧ ବନ୍ଧୁତ୍ୱ ବୋଲି ପ୍ରଥମେ ଭାବିଥିଲେ ମୈତ୍ରେୟୀ । କିନ୍ତୁ ନର୍ସିଂହୋମ୍‍ ଉଦ୍‌ଘାଟନ ସମୟରେ ଏବଂ ପରେ ଅଙ୍କିତ ସହିତ ଏକାନ୍ତରେ ସମୟ କଟାଇବା ପାଇଁ ପଦ୍ମଜା ଯାହା କରିଛି ସେ ସବୁ ଜାଣିବା ପରେ ମନ ବିଦ୍ରୋହ କରୁଛି । ଘୃଣା ବି ଲାଗୁଛି । ସରୋଜଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ସତର୍କ କରିଦବା ପାଇଁ ସାହସ ହେଉନି ତାଙ୍କର । ଯଦି ଅଙ୍କିତ ଓ ପଦ୍ମା ପରକୀୟା ପ୍ରେମରେ ମାତନ୍ତି ତେବେ ପରିବାରରୁ ଏ କଳଙ୍କ ଆଉ ଲିଭିବ ନାହିଁ ।

 

ଅନଙ୍ଗ କେତେବେଳୁ ଉଠିଗଲାଣି ସେ ଟେର ପାଇଲେ, ଯେତେବେଳେ ତାଙ୍କ ମନେପଡ଼ିଲା ସୁସୁଇ କଥା । ସତରେ କ’ଣ ସୁଇ ବାହା ନ ହୋଇ କେବଳ ବନ୍ଧୁଭାବେ ସହବାସ କରିବାକୁ ଚାହେଁ ? ଯଦି ସେଇ ସହବାସରୁ ସନ୍ତାନ ଜନ୍ମ ହୁଏ ତେବେ ତା’ର ପରିଚୟ କରାଇଦବା ବେଳେ ବାପା ମା’ଙ୍କ ନାମ କ’ଣ କୁହାଯିବ ? ନା କେବଳ ସେମାନେ କହିବେ ଯେ ଆଉ ଦୁହେଁ ବନ୍ଧୁ । ଇଏ ଆମର ଉତ୍ତରାଧିକାରୀ ଏପରି ହେଲେ ହଜାର ହଜାର ବର୍ଷ ଧରି ମୂଲ୍ୟବୋଧ, ନୀତି ଓ ନୈତିକତାକୁ ଆଧାର କରି ଗଢ଼ି ଉଠିଥବା ସମାଜ ଅବସ୍ଥା ଭୁଷୁଡ଼ି ପଡ଼ିବ । ବର୍ଣ୍ଣଶଙ୍କର ଜନ୍ମିବେ-। ଜାରଜମାନଙ୍କ ସଂଖ୍ୟା ବଢ଼ିବ ହୁ ହୁ କରି । ବଂଶ ରହିବ ନାହିଁ । ବାଉଁଶ ବଣ ପରି ମଣିଷ ଜାତି ବଢ଼ିବ ।

 

ମିତା ସଜବାଜ ହୋଇ ଘରୁ ବାହାରି ଯାଉଥଲା । ଘରୁ ଗୋଡ଼ କାଢ଼ି ବାହାରକୁ ଗଲେ ସେ ମା’ଙ୍କୁ ନ କହି ପାଦ ବଢ଼ାଏ ନାହିଁ । କିନ୍ତୁ ଏଇ ଦୁଇ କେତେଦିନ ହେବ ୟାର ବ୍ୟତିକ୍ରମ ହେଉଛି । ହଠାତ ଯିବା ବାଟରେ ତାଙ୍କୁ ଦେଖି ବାଧ୍ୟବାଧକତାରେ ପଡ଼ି କହିଲା, ‘‘କଲେଜରେ ରିହରସଲ ହେବ । ଡ୍ରାମାରେ ମୁଁ ଅଂଶଗ୍ରହଣ କରୁଥିବାରୁ ଯିବାକୁ ପଡ଼ୁଛି ।

 

ମୈତ୍ରେୟୀ ପ୍ରଶ୍ନ କଲେ, ‘ମୁଣ୍ଡ ଉପରେ ପରୀକ୍ଷା । ଏ ସମୟରେ ଡ୍ରାମା କରି ନ ଥଲେ ଚଳି ନ ଥାନ୍ତା ?’

 

‘କିନ୍ତୁ ଡ୍ରାମା ବି ତ ହେବ ମା’ । ଆମେ ସେଥିରେ ଅଭିନୟ ନ କଲେ ଆଉ କିଏ କରିବ-??

 

‘ତ୍ରାମା ହେଉ, କିନ୍ତୁ ୟୁନିଭରସିଟି ପରୀକ୍ଷା ଯେଉଁମାନଙ୍କର ନାଇଁ ସେମାନେ ପାର୍ଟ ନିଅନ୍ତୁ... ଯେଉଁ ପିଲାଙ୍କ ପରୀକ୍ଷା ଶେଷ ହୋଇଛି ସେମାନେ ସମ୍ଭାଳି ପାରିବେ ନାହିଁ ?’ ମୈତ୍ରେୟୀ କହିଲେ ।

 

ଏତେ ପ୍ରଶ୍ନ ମା’ ପଚାରିବେ ବୋଲି ଭାବି ନ ଥଲା ମିତା । ବୁଝିବାର ନିଜକଥା ଭାବିବାର ବୟସ ହେଲାଣି ତା’ର । ସତର ବର୍ଷର ପିଲାଙ୍କୁ କ’ଣ ଏତିକି ସ୍ୱାଧୀନତା ଦେବେନି ବାପା ମା’ ? ନା, ଏପରି ଶୃଙ୍ଖଳା ସେ ମାନିପାରିବ ନାହିଁ ! ସୌଦାମିନୀ ତ ହ୍ୟୁମେନ୍‌ ରାଇଟ୍‌ କମିଶନ ପାଖରେ ଏଥିପାଇଁ ଅର୍ଜି ଦାଖଲ କରିଛି ତା’ ବାପା ମା’ ବିରୁଦ୍ଧରେ । ସେ କେଉଁଠିକୁ ଯିବ, କ’ଣ ପଢ଼ିବ, କେଉଁମାନଙ୍କ ସହିତ ସାଙ୍ଗ ହେବ ଏସବୁ ବ୍ୟକ୍ତିଗତ ଅଧକାର । ସେ ଝିଅ ବା ପୁଅ ହେଉ ଏଇ ଅଧିକାର ସରେଣ୍ଡର୍ କରିବ କାହିଁକି ? ମାନବିକ ଅଧିକାର କମିଶନର କ’ଣ ଗୋଟେ ବୁଝାମଣା କରି ଦବା ପାଇଁ ଚେଷ୍ଟା ଚାଲିଛି । କିନ୍ତୁ ସୌଦାମିନୀ ତ ମୁହଁ ଖୋଲି କମିଶନଙ୍କୁ କହି ଦେଇଛି ଯେ ସେ ବାପା ମା’ ଙ୍କୁ ସମ୍ମାନ କରେ, କିନ୍ତୁ ତା’ ବୋଲି ତା’ର ବ୍ୟକ୍ତିଗତ ଅଧିକାର ଯଦି କେହି ସଂକୁଚିତ କରିବା ପାଇଁ ଅଙ୍କୁଶ ଲଗାଏ ତେବେ ସେ ସେଇ ଆଦେଶ ମାନିବ ନାହିଁ ।

 

ମିତା ଆଗକୁ ଯିବା ପାଇଁ ପାଦ ବଢ଼ାଇଲା । ମୈତ୍ରେୟୀ କହିଲେ, ‘‘ତୁ ମୋ ପ୍ରଶ୍ନର ଉତ୍ତର ଦେଲୁନି ଯେ...।’’

 

ନା, ସବୁ ପ୍ରଶ୍ନର ଉତ୍ତର ମୁଁ ଦେବି ନାହିଁ । ମୋ ଅଧିକାର ତୁମେ ଛଡ଼ାଇ ନେଇପାରିବ ନାହିଁ... ।”

 

ମା’ କ’ଣ କହିବେ ତାହା ଶୁଣିବା ପାଇଁ ଅପେକ୍ଷା ନ କରି ସେ ଚାଲିଗଲା ଏରୁଣ୍ଡିବନ୍ଧ ଡେଇଁ ।

 

ମୈତ୍ରେୟୀ ନିର୍ବାକ, ନିସ୍ପନ୍ଦ ଭାବରେ ବସି ରହିଲେ କେତେକ୍ଷଣ । ସେ ସଚେତନ ହେବାବେଳକୁ ଜାଣିଲେ ଯେ ତାଙ୍କ ଆଖିରୁ ଦୁଇ ଧାର ଲୁହ ବହି ଯାଇଛି... ।

 

ଦୁଇ ଧାର ଲୁହ ନୁହେଁ, ଗୁମୁରି ଗୁମୁରି କାନ୍ଦିବା ପାଇଁ ଇଚ୍ଛା ହେଉଥଲା ମୈତ୍ରେୟୀଙ୍କର-। କେଡ଼େଶୀଘ୍ର ମିତା ଶୃଙ୍ଖଳାର ବନ୍ଧ ଭାଙ୍ଗି ବାହାରକୁ ଚାଲିଗଲା ତାହା ବିଶ୍ଵାସ କରିବାକୁ କଷ୍ଟ ହେଉଥିଲା ତାଙ୍କୁ ।

 

ମିତା ଚାଲିଯିବା ଦେଖି ମଧ୍ୟ ସେ ତାକୁ ଆଉ ବାରଣ କଲେ ନାହିଁ । ସେ ଆଉ ସାତବର୍ଷର ଝିଅ ନୁହେଁ ଯେ ତା’ ହାତ ଧରି ବାଟ କଢ଼ାଇ ନେବେ ଘରୁ ବାହାରିଲେ । ବଡ଼ ହେଲାଣି ମିତା । ତା’ର କଥାରେ ଓ ଆଚରଣରେ ଅଧିକାର ଜାରି କରିବାର ମାନସିକତା । ଏପରି ଅବସ୍ଥାରେ କିଛି କହିବା ଅନୁଚିତ । ସତ କହିଥିଲେ ଅନଙ୍ଗ ‘‘ଧୀର ପାଣି ପଥର କାଟେ ।’’ ହଠାତ୍‌ କିଛି କହିଦେଲେ ସେ ଯେ ହଠାତ୍‌ ସେମିତି କିଛି ରୁକ୍ଷ ଉତ୍ତର ଦବ ଏଇ ଆଶଙ୍କା ମନରେ ଥିଲା ମୈତ୍ରେୟୀଙ୍କର ।

 

ରୋହିତ ପଟ୍ଟନାୟକ ହୁଏ ତ ଅପେକ୍ଷା କରିଥିବ ଆମ୍ବବଗିଚା ପାଖରେ । ତାକୁ ହୁଏତ କଥା ଦେଇଥିବ ମିତା । ନ ହେଲେ ସେ ହାତଘଡ଼ିକୁ ବାରମ୍ବାର ଚାହୁଁଥାନ୍ତା କାହିଁକି... । ଲେଟ୍‌ ହୋଇଗଲେ ହୁଏତ ରୋହିତ ଅଭିମାନ କରିବ... ମିତା ତା’ ହାତଧରି ଦୁଃଖ ପ୍ରକାଶ କରିବ...

 

ଏବଂ ତା’ପରେ ଦୁହେଁ କୁଆଖାଇ ପୋଲ ଉପର ଦେଇ ତୀର ବେଗରେ ମୋଟର ସାଇକେଲରେ ବାହାରିଯିବେ ଆକାଶରେ ଉଡ଼ୁଥିବା ଦୁଇଟି ପକ୍ଷୀ ପରି ।

 

ମୈତ୍ରେୟୀ କିଛି ସମୟ ବସି ରହିଲେ ପୂର୍ବପରି । ତାଙ୍କ ଦେହରେ ଜମାଟ ବାନ୍ଧୁଥିଲା ଅବସନ୍ନତା ।

 

ଟେଲିଫୋନଟା ବାଜି ଉଠିଲା ।

 

ନିଜେ ଉଠାଇ ନ ନେଇ ଡାକିଲେ ବଂଶୀକୁ । ସେ ବୋଧହୁଏ ବାହାରେ ଥିଲା, ସେଥିପାଇଁ ଆସି ପାରିଲା ନାହିଁ । ବାଧ୍ୟ ହୋଇ ଉଠିଯାଇ ଟେଲିଫୋନ୍‍ ରିସିଭରଟା ଉଠାଇ ନେଲେ ମୈତ୍ରେୟୀ ।

 

ସେ ପାଖରୁ ବାଣୀ ପୁରୋହିତଙ୍କ ସ୍ଵର ।

 

‘‘ଆଜି ମନେପଡ଼ିଲା ନାନୀ ?’’ କହିଲେ ମୈତ୍ରେୟୀ ।

 

-‘‘ତମ କଥା ସବୁବେଳେ ମନେପଡ଼େ । ତୁମ ମୁହଁ ଦର୍ପଣରେ ଦିଶିଯାଏ... କିନ୍ତୁ ତୁମେ ଯେ ଏତେଶୀଘ୍ର ଭୁଲିଯିବ ମୁଁ ଭାବି ନ ଥିଲି ମୈତ୍ରେୟୀ । କ’ଣ କହିଥିଲି ସେଦିନ ମନେପଡ଼ୁଛି ?’’ କହିଲେ ବାଣୀ ।

 

‘ହଁ, ହଁ ନାନୀ ମନେଅଛି... କିଛୁ ସାହସ ହେଲାନି ସେଇ ଚିଠି ବିଡ଼ା ଖୋଲିବା ପାଇଁ । ସାପୁଆ କେଳା ଢାଙ୍କୁଣି ଉଠାଇଲେ ଯେପରି ଜାତିଆ ଗୋଖର ମଥା ଉଠାଇ ଚାହେଁ ଏବଂ ସେଇ ଚାହାଁଣି କରିଦିଏ ଯେ ପଦ୍ମତୋଳା ନ ଶୁଣି ସେ ଫଣା ତଳକୁ କରିବ ନାଇଁ, ମୁଁ ସେଇପରି କାନ ଡେରି ରହେ ସେଇ ଚିଠିମାନଙ୍କର ଆଳାପ ଶୁଣିବା ପାଇଁ... କିନ୍ତୁ ସାହସ ହୁଏନା ଖୋଲିବା ନାହିଁ । କାଳେ ଯଦି ଅତୀତର ଢାଙ୍କୁଣି ଖୋଲିଗଲେ ତା’ ଭିତରେ ଶୋଇଥିବା ନାଗ ଫଣା ଟେକେ... ।’’

 

ବାଣୀ କହିଲେ, ’’ସେଇଥି ପାଇଁ ତ ଦେଇଥିଲି ତମକୁ । ତମେ ପଦ୍ମତୋଳା ଗାଇ ତାକୁ ମନ୍ତ୍ରମୁଗ୍ଧ କରି ରଖିବ, ଆଉ ପଚାରିବ ମୋର ବେଳାଭୂମିର ଅପେକ୍ଷିତ ପଥଚାରୀ ତମେ ନିରବି ଯାଉଛି କାହିଁକି... କଥା କୁହ... ।’’

 

-‘‘କିନ୍ତୁ ସେଇ ଅପେକ୍ଷିତ ପୁରୁଷ ଯଦି ତିନିପାଦ ଭୂମି ମାଗେ ? ମୁଁ କ’ଣ ଦେଇପାରିବି-? ବରଂ ତମେ ପାରିବ ନାନୀ...।’’

 

ବାଣୀ ତାଙ୍କ ଆଗରେ ଦିନକୁ ଦିନ ରହସ୍ୟମୟୀ ହୋଇ ଉଠୁଛନ୍ତି । ପ୍ରଥମେ ଅତୀତକୁ ଲୁଚାଇ ରଖିଥିଲେ ସାତତାଳ ପାଣି ତଳେ ପଙ୍କ ଭିତର ବୁଢ଼ି ଅସୁରୁଣୀ ରାଜପୁତ୍ରଙ୍କୁ ମାଛିଟିଏ କରି ସୁନାଫରୁଆ ଭିତରେ ଲୁଚାଇ ରଖିବା ପରି । କିନ୍ତୁ ଏବେ କାହିଁକି ରହସ୍ୟ ମୋଚନ କରିବା ପାଇଁ ପ୍ରାଣ ଏତେ ଆକୁଳ ! ମୈତ୍ରେୟୀଙ୍କ ଦୃଷ୍ଟି ଦିଗ୍‌ବଳୟରେ ଅଟକି ଯାଏ । ଖଣ୍ଡେ ଭସା ମେଘ ଆଢୁଆଳରୁ ଉକୁଟି ଉଠୁଥିବା ନରମ ସୂର୍ଯ୍ୟକିରଣ ସୂଚାଇ ଦିଏ ଯେ ସୂର୍ଯ୍ୟଦେବ ଆତ୍ମମଗ୍ନର ଅଭିସାରରେ ଉପଭୋଗ କରୁଥିବେ ପରା ନିଜକୁ... । ବାଣୀ ପୁରୋହିତଙ୍କ ଜୀବନରେ ଯେ ଦିନେ ପୁରୁଷର ଆବର୍ଭାବ ଘଟିଥିଲା ଏହା ତାଙ୍କ ଚିଠିର ଚଟୁଳଠାରୁ ଜଣାପଡ଼ିଯିବ । ସେଦିନ ରାତିରେ ତାଙ୍କୁ ଏକାକିନୀ ଛାଡ଼ି ଫେରୁଥିବାବେଳେ ମୈତ୍ରେୟୀ ନିଶ୍ଚିତ ହୋଇଯାଇଥିଲେ ଯେ ଦିନେ ବାଣୀଙ୍କ ଜୀବନରେ ବି ବସନ୍ତର ମଳୟ କହିଥିଲା ଏବଂ ଶୁଣା ଯାଉଥଲା କେଉଁ ପ୍ରତୀକ୍ଷିତ ପୁରୁଷର ବଂଶୀ ସ୍ଵନ ! ହୁଏତ ଦୁହେଁ ବାଟବଣା ହୋଇଗଲେ ତା’ ପରେ । ବସନ୍ତ ଗଲା, ନିଦାଘ କାଳ ଆସିଲା... କିନ୍ତୁ ସେଇ ନିଦାଘ ହିଁ ରହିଛି ଆଜି ପର୍ଯ୍ୟନ୍ତ । ଛାତି ଭିତରେ ଅତଡ଼ା ଭାଙ୍ଗୁଥିବାର ଶବ୍ଦ ତାଙ୍କୁ ସଚେତନ କରି ଦେଇଗଲା ଯେ ଗଭୀର ସମୁଦ୍ରରୁ ବୁଡ଼ାଳିମାନେ ମୋତିଥିବା ଶାମୁକା ପାଇବା ପରି ସେ ବି ହୁଏତ ଶାମୁକା ଗୋଟାଇବେ ଅତୀତକୁ ଅଣ୍ଡାଳିଲେ, କିନ୍ତ ଶାମୁକା ଭିତରୁ ମୋତି ମିଳିବ କି କୌଣସି ମୃତ ପ୍ରେମିକର ଫସିଲ ମିଳିବ ତାହା କିଏ କହିବ ?

 

ବାଣୀ ନିରବି ଯାଇଥିଲେ କେତେକ୍ଷଣ, କିନ୍ତୁ ଅନ୍ଥ ସମୟ ପରେ କହିଲେ, ‘‘କିଛି ମନେକରିବନି, କହୁଁ କହୁଁ କହିଦେଲି । କାହିଁକି କେଜାଣି ତମ ଆଗରେ କାହାଣୀ କହିଲେ ମୋ ଅନ୍ତର ତଳର ବେଦନା ବିଧୁର ନିଃସହାୟତା ଟିକେ ସାନ୍ନିଧ୍ୟ ପାଏ, ସହାୟତା ପାଏ... । ତମର ଦେହ ଛୁଇଁଲେ, ତମର କପାଳରେ ଚୁମ୍ବନ ଦେଲେ ମୁଁ ଗୋଟାଏ ଅନନୁଭୂତ ଶିହରଣରେ କୁରୁଳି ଉଠେ... ଯେମିତି କୁରୁଳି ଉଠୁଥିଲି ତାଙ୍କୁ ପାଇବାର ଆଶା ମୁକୁଳିତ ହେଉଥିବାବେଳେ...।’’

 

ଗାଡ଼ି ଆସୁଥିବାର ଶବ୍ଦ ଶୁଣି ପରେ କଥା ହେବେ କହି ଫୋନ୍‍ ରଖିଦେଲେ ବାଣୀ ।

 

ଗାଡ଼ି ଛିଡ଼ା ହେଲା ପୋର୍ଟିକୋରେ ।

 

ଉହ୍ଲାଇ ପଡ଼ିଲେ ମନୋଜ । ତାଙ୍କୁ ଦେଖିଲେ ସବୁ ଭୁଲି ଯାଆନ୍ତି ମୈତ୍ରେୟୀ । ସେ ସମୁଦ୍ରର ଢେଉ ପରି ପାଦର ଟିକେ ଦୂରରେ ଶବ୍ଦ କରି ଭାଙ୍ଗି ପଡ଼ନ୍ତି ନାଇଁ । ସେ ଚୋରା ମଳୟ ପରି ନିଃଶବ୍ଦରେ ନୀରବରେ ଆସନ୍ତି । ପୁଣି ତାଙ୍କ ଉପସ୍ଥିତି ବାରି ହେବା ଆଗରୁ ସେ ଚାଲିଯାଇଥାନ୍ତି । ଏଇ ପୁରୁଷକୁ ଯେତେ ଦେଖନ୍ତି ମୈତ୍ରେୟୀ ଅନ୍ତରଙ୍ଗ ମଣିଷକୁ ପାଇ ଆହ୍ଲାଦିନୀର ଉଚ୍ଚକିତ ସୁଖ ତାଙ୍କୁ ସେତିକି ବିଭୋର କରିଦିଏ; କିନ୍ତୁ ପର ମୁହୂର୍ତ୍ତରେ ତାଙ୍କୁ ଛାଡ଼ି ସେ ଚାଲିଯାଆନ୍ତି ଅନେକ ଦୂରକୁ । ସେ ରହିଯାଆନ୍ତି ନାପାଲ ବାହାରେ ।

 

ମନୋଜ ଗୋଟିଏ ଚୌକି ଟାଣି ନେଇ ବସି ପଡ଼ି ଜୋତା ଖୋଲିଲେ ପାଦରୁ । ତା’ପରେ କହିଲେ, ‘ତମକୁ ଗୋଟେ ଖୁସିର ଖବର ଦବା ପାଇଁ ଆଗରୁ ଚାଲି ଆସିଲି... ।’

 

ଆଶ୍ଚର୍ଯ୍ୟଚକିତ ମୈତ୍ରେୟୀ ସ୍ଵାମୀଙ୍କ ବାଙ୍‍ମୟ ମୁଖମଣ୍ଡଳକୁ ଆଗ୍ରହର ସହିତ ଅନାଇ ରହିଲେ ।

 

‘ମୁଁ ଆମେରିକାରେ ଆସନ୍ତା ମାସ ହେବାକୁ ଯାଉଥିବା ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦବା ପାଇଁ ମନୋନୀତ ହୋଇଛି । ତିନି ସପ୍ତାହ ପାଇଁ ଯିବି । ସବୁ ଖର୍ଚ୍ଚ ଉଦ୍ୟୋକ୍ତାମାନେ ବହନ କରିବ । ଅବଶ୍ୟ ସମ୍ମିଳନୀରେ ମୋତେ ପେପର ପଢ଼ିବାକୁ ହେବ ଏବଂ ଦୁଇଟା ବିଶ୍ଵବିଦ୍ୟାଳୟରେ କେତୋଟି ବକ୍ତୃତା ଓ ପ୍ରଶ୍ନୋତ୍ତର ସେସନରେ ଯୋଗଦବା ମଧ୍ୟ ଏଇ କାର୍ଯ୍ୟକ୍ରମର ଅନ୍ତର୍ଗତ... ।’

 

ମୁହଁ ଉପରେ ହସ ଉକୁଟି ଉଠିଲା ମୈତ୍ରେୟୀଙ୍କର । ସେ କହିଲେ, ‘ଆଉ କିଏ ସବୁ ଯିବେ ନା ଏକା ଏକା... ।’

 

- ଆଉ ସବୁ କେହି ନୁହଁ । ମୁଁ ଏକା ଯିବି.. ଭାବୁଚି ତମକୁ ସାଙ୍ଗରେ ନେଇଗଲେ ତମେ ଖୁସି ହେବ... ।’

 

- ‘ତମେ ଖୁସି ହେବନି, କେବଳ ମୋତେ ଖୁସି କରିବା ପାଇଁ ନେଇଯିବ ?’ ବାଣ ଛାଡ଼ିଲେ ମୈତ୍ରେୟୀ ।

 

ଚମକି ପଡ଼ିଲେ ମନୋଜ ! ମୈତ୍ରେୟୀଙ୍କ ମୁହଁରୁ ଏପରି ଶ୍ଳେଷପୂର୍ଣ୍ଣ ବାକ୍ୟ ସେ ଶୁଣି ନ ଥିଲେ କେବେ । କ’ଣ ହେଲା ଆଜି ? ସେ ନରମି ଯାଇ କହିଲେ ‘ନା, ନା, ତମକୁ ଖୁସି କରିବା ପାଇଁ ଏମିତି କହିଥିଲି... ମୋର ଭୁଲ ହୋଇ ଯାଇଛି... ଭୁଲିଯାଅ... !’

 

ଝୁଙ୍କିପଡ଼ି କହିଲେ ମୈତ୍ରେୟୀ, ‘ଯାହା ପଚାରିବି ସତ କହିବ ?’

 

- ମୁଁ ତ ତମକୁ କେବେ ମିଛ କହିନି ମୈତ୍ରେୟୀ ।’ ଉତ୍ତର ଦେଲେ ମନୋଜ !

 

- ‘ତମେ କ’ଣ କବିତା ଲେଖ ?’

 

ତାଙ୍କ ମୁହଁରୁ ଏପରି ପ୍ରଶ୍ନ ଶୁଣି ଚମକି ପଡ଼ିଲେ ମନୋଜ । କହିଲେ, ‘ଲେଖୁଥିଲି ଦିନେ.... କୋଡ଼ିଏ ପଚିଶ ବର୍ଷ ପୂର୍ବେ, ଏବେ ନୁହେଁ... । କାହିଁକି, ମୋ କବିତା ଲେଖା କଥା ତମର ମନେପଡ଼ିଲା ?’

 

‘ତମେ କିନ୍ତୁ ଏକଥାଟା ଲୁଚାଇଥିଲ ମୋ’ଠାରେ । କେବେ କହିଥିଲ ?’ ମୈତ୍ରେୟୀଙ୍କ ସ୍ଵର ତୀକ୍ଷ୍‍ଣ ହୋଇ ଉଠୁଥିଲା ।

 

ମନୋଜ ଭାବିବାକୁ ଲାଗିଲେ । କାହିଁକି କେଜାଣି ତାଙ୍କ ଜୀବନରେ ସେ ପ୍ରଥମ ଶୁଣିଥିବା ଶାହାନାଇର ମଧୁର ସ୍ଵର ହଠାତ ମନେପଡ଼ିଗଲା । କିନ୍ତୁ ତା’ ସହିତ ମନେପଡ଼ିଗଲା ଆଉ ଗୋଟିଏ ପଦ୍ମଗନ୍ଧା ନାରୀର ମୁହଁ । ବିଜୁଳି ଚମକିବା ପରି ମାତ୍ର ପଲକ ପାଇଁ । ତା’ପରେ ପାଦ ଦୁଇଟାକୁ ଲମ୍ବାଇ ଦେଇ ଚୌକି ଉପରେ ମଥା ରଖି କହିଲେ, ‘ସାମାନ୍ୟ ବିଷୟ । ମାନୁଛି ମୁଁ କହିନାହିଁ । ଏଥିରେ ଇମିତି କ’ଣ ରହସ୍ୟ ଲୁଚି ରହିଚି ଯେ ମୁଁ ତୁମ ଆଗରେ କବିତା ପଢ଼ି ରହସ୍ୟ ମୋଚନ କରିଥାନ୍ତି ?’

 

- ‘ମୋ ଆଗରେ ନୁହେଁ ତମର ସେଇ ସ୍ଵପ୍ନ ନାୟିକା ଆଗରେ ତ ରହସ୍ୟ ମୋଚନ କରିପାରନ୍ତ ଅତି ସହଜରେ....’ ଏତିକି ତାଙ୍କ ତୁଣ୍ଡରୁ ବାହାରିଗଲା ଶିକାରୀର ବାଣ ହାତରୁ ମୁକୁଳିଯିବା ପରି ।

 

କ’ଣ ପ୍ରତିକ୍ରିୟା ହେବ କିଛି ନ ଭାବି ମୈତ୍ରେୟୀ ଚାଲିଗଲେ ଭିତରକୁ । ମନୋଜ ଏକା ନୀରବରେ ଉଦ୍‌ବିଗ୍ନ ମଣିଷର ସମସ୍ତ ଉତ୍କଣ୍ଠା ନେଇ ବସି ରହିଲେ । କେତେ ସମୟ ବିତିଗଲା ସେ ଜାଣନ୍ତି ନାହିଁ । ଅନନ୍ତ ସମୟ ପ୍ରବାହରେ ମୁହୂର୍ତ୍ତକର ଉଚ୍ଚାରଣ ତାଙ୍କୁ ଟାଣି ନେଉଥିଲା ଗୁମ୍ଫା ଭିତରକୁ ବାଘ ଶିକାରକୁ ଟାଣି ନେବା ପରି ।

 

ମୈତ୍ରେୟୀ କେତେବେଳେ ଚାଲି ଯାଇଥିଲେ ମନୋଜ ଭୁଲି ଯାଇଥିଲେ । ସେ କେବଳ ଗଭୀରତମ ଅନ୍ଧାରରୁ ଛିଟିକି ପଡ଼ୁଥିବା ସୁଲିଙ୍ଗ ଟିକକୁ ଚାହିଁ ରହିଥିଲେ ଅପଲକ ଦୃଷ୍ଟିରେ । ସେତିକିବେଳର ଅନୁଭୂତି ତାଙ୍କୁ କହି ଦେଉଥିଲା ଯେ ଆକସ୍ମିକତାରୁ ସୃଷ୍ଟି ଗୋଟେ ସମୟର ଦୁର୍ବଳତା ତାଙ୍କୁ ଆଜି ଅସହାୟ କରି ଦେଉଛି ଅତୀତ ମନେପଡ଼ିଲେ । ଅନ୍ଧାର ଭିତରେ ବିଜୁଳି ପୋକହିଁ ନିରାଶ୍ରୟ ପଥିକର ଏକମାତ୍ର ସହାୟ । ସେଇ ବିଜୁଳି ପୋକର କ୍ଷଣିକ ଆଲୁଅରେ ଭାସି ଉଠିଲା ଗୋଟେ ମୁହଁ... । ସେ ଏଡ଼ିଦେଇ ପାରିଲେ ନାହିଁ । ପଚିଶ ବର୍ଷ ପୂର୍ବର ଫୁଲ ଫୁଟିବା ମୁହୂର୍ତ୍ତ କେଉଁଆଡ଼େ ହଜି ଯାଇଥିଲା ଅନ୍ଧ ଗଳିରେ... । ହଜି ଯାଇଥିଲା ସେଇ କବିତା ଯାହା ଆଜି ମନେପଡ଼ିଲେ ତାଙ୍କୁ ବାଙ୍‍ମୟ କରିଦିଏ ।

 

ଅତଳ ସମୁଦ୍ର ଭିତରେ ସେ ଡୁବ ଦେଇଥିଲେ ମୁକ୍ତା ଖୋଜିବା ପାଇଁ... ।

 

(ସତେଇଶି)

 

ସକାଳେ ଚା’ ପିଉଥିବାବେଳେ ପ୍ରଥମ ଟେଲିଫୋନ୍‍ ଆସିଲା... ତା’ପରେ ପ୍ରତି ପାଞ୍ଚ ସାତ ମିନଟରେ ଟେଲିଫୋନ୍‍ ବାଜି ଚାଲିଲା । ବନ୍ଧୁ, ଆତ୍ମୀୟ, ପରିଚିତମାନଙ୍କ ସେଇ ପ୍ରଶ୍ନ- ‘ଆଜି ଖବରକାଗଜ ଦେଖୁଛ ?’

 

ମନୋଜ ଦେଖି ନ ଥଲେ ସକାଳର ଖବରକାଗଜ... । ସାଢ଼େ ଛଅଟାବେଳକୁ ତିନିଟା ଖବରକାଗଜ ଦେଇଯାଏ ହକର... କିନ୍ତୁ କାଲି ରାତି ଭଲ ନିଦ ହୋଇ ନ ଥିଲା ବୋଲି ଅବସନ୍ନତା ଲାଗି ରହିଥିଲା ଦେହରେ । ଚା’ ପିଇବାବେଳେ ଖବରକାଗଜ ପଢ଼ିବା ଅଭ୍ୟାସ ତାଙ୍କର । କିନ୍ତୁ ବଂଶୀ ଚା’ ଦେଇଗଲା ସିନା ଖବରକାଗଜଗୁଡ଼ା ଦେଲା ନାହିଁ । ହୁଏତ କାହିଁ କୌଣସି ଅସୁବିଧା ହୋଇଥିବ । କାଠଯୋଡ଼ି ପୋଲ ଉପରେ ଟ୍ରାଫିକ୍‌ ଜାମ୍‌ ଯୋଗୁ ଖବର କାଗଜ ପହଞ୍ଚିବାରେ ବିଳମ୍ବ ହୋଇଥିବ । କିନ୍ତୁ ସେପରି କିଛି ଘଟିଥିଲେ ତ ମୈତ୍ରେୟୀ ତାଙ୍କୁ କହିଥାନ୍ତେ ପ୍ରଥମ । ମୈତ୍ରେୟୀ ଏ ପର୍ଯ୍ୟନ୍ତ ଚା’ ପିଇବା ପାଇଁ ଆସି ନାହାଁନ୍ତି ହଠାତ ମନେପଡ଼ିଲା ତାଙ୍କର । କିଛି ଅଘଟଣ ଘଟିଛି କି ? ଚାରିଆଡ଼କୁ ଅନାଇଲେ ମନୋଜ । ପାଖରେ କେହି ନ ଥଲେ ଉତ୍ତର ଦବା ପାଇଁ । ଶୂନ୍‌ଶାନ୍‌ ଲାଗୁଥିଲା ପରିବେଶ ।

 

ଚା’ରେ ଚଳୁଏ ପିଇସାରି ଉଚ୍ଚ ସ୍ଵରରେ କହିଲେ ମନୋଜ ‘ବଂଶୀ... ବଂଶୀ...ସମସ୍ତେ କୁଆଡ଼େ ଗଲ ? କାହା ମୁହଁ ଦିଶୁନି ? ’

 

ଟିକିଏ ପରେ ବଂଶୀ ଆସି କହିଲା, ‘ଚା’ ଥଣ୍ଡା ହୋଇ ଗଲାଣି, ଆଉ କପେ ଆଣିବି ?’

 

‘ନା, ନା... କିନ୍ତୁ କାହାକୁ ଦେଖୁନି ଯେ ?’

 

ବଂଶୀ ବୁଝିଲା କାହାକୁ ଖୋଜୁଚନ୍ତି ବାବୁ । ସେ ବି ତ ସକାଳୁ ମା’ ଙ୍କୁ ଦେଖିନି । ଏତେବେଳକୁ କିଏ କ’ଣ ଜଳଖିଆ ଖାଇବା ବରାଦ କରିଦେଇ ସାରିଥାନ୍ତି । ଆଜି ଚା’ ପିଇବାକୁ ବି ଆସି ନାହାଁନ୍ତି । କବାଟ ବନ୍ଦ କରି ବସିଚନ୍ତି ଘର ଭିତରେ ।’

 

ଏ ପର୍ଯ୍ୟନ୍ତ କାଗଜ ପଢ଼ି ନ ଥିଲେ ମନୋଜ । ସୁତରାଂ କେହି ପଚାରିଲେ କହୁଥିଲେ, ‘କାହିଁ ନା ତ ! ଏ ଯାଏ କାଗଜ ପଢ଼ା ହୋଇନି... ।’

 

ତାଙ୍କ ବନ୍ଧୁ ଶ୍ୟାମଳ ଚତୁର୍ବେଦୀ କିନ୍ତୁ ପରର ଛିଦ୍ର ଦେଖିଲେ ଚୁପ୍‌ ରହିପାରନ୍ତିନି । ଏମିତି ସେ କେବେ ସୁଖ ଦୁଃଖ ହୋଇଥିବା ମନେପଡ଼ୁନି ମନୋଜଙ୍କର । କିନ୍ତୁ ଆଜି ସକାଳେ ସେ ଫୋନ୍‌ କରିଚନ୍ତି ଅଭିନନ୍ଦନ ଜଣାଇବା ପାଇଁ ।

 

 

ମନୋଜ ରିସିଭରଟା ଉଠାଇ ନେଇ କହିଲେ- ଗୁଡ଼୍‌ ମର୍ଣ୍ଣଂ... ମନୋଜ କହୁଛି... ।

 

- ଅଭିନନ୍ଦନ ମନୋଜ ବାବୁ । ତମ ଝିଅ ତ କମାଲ କରି ଦେଇଛି । ତମେ ସେଦିନ କହୁଥିଲେ ନା ତାକୁ ଶାନ୍ତିନିକେତନ ପଠାଇବ ପଢ଼ିବା ପାଇଁ । ଆଜି ସକାଳ ଖବର ପଢ଼ି ମୁଁ ଭାବିଲି ଯେ ଶାନ୍ତିନିକେତନ ଉପଯୁକ୍ତ ସ୍ଥାନ ନୁହଁ... ବମ୍ବେ ଏ ସମସ୍ତ ଚମତ୍କାରିତା ପାଇଁ ବେଶ୍‌ ପ୍ରସିଦ୍ଧ... ଲେଟେଷ୍ଟ ଡିଜାଇନର ପୋଷାକ... ଅଳଙ୍କାର... ନୂଆ ଫେଶନ, ପ୍ରଫେସନାଲିଜିମ୍‌ର ସହର କିନା !

 

ମନୋଜ ତଥାପି କଥାର ମୂଳ ଧରି ନ ପାରି କହିଲେ, ‘ବୋକାଙ୍କ ପରି ଅଭିନନ୍ଦନ ଜଣାଉଛ, କାହିଁକି ? ସେପରି ସଫଳତା କିଛି ତ ମୁଁ ଅର୍ଜି ନାହିଁ । ତେବେ ?’

 

ଶ୍ୟାମଳ ଚତୁର୍ବେଦୀ ହସି ଉଠି କହିଲେ, ‘ତମେ ଝିଅ ପୁଅର ବାପ, ସେମାନଙ୍କ ସକ୍‌ସେସ୍‌ ପାଇଁ ଅଭିନନ୍ଦନ ତୁମର ବି ପ୍ରାପ୍ୟ... ଏକ୍ସଲେଣ୍ଟ ଦିଶୁଚି ମିତା । ମୁଁ ତ କାଗଜରୁ ତା’ ମୁହଁ ଦେଖି ପ୍ରଥମେ ଚିହ୍ନିପାରିଲି ନାହିଁ । ନୂଆ ମଡ଼େଲ... ଦେଶସାରା ହୁରି ପଡ଼ିଥିବ ଏତେବେଳକୁ... ।’

 

ଏତେବେଳକୁ କିଛି କିଛି ବୁଝିଲେ ମନୋଜ । ସେ କ’ଣ ତେବେ ମଡ଼େଲିଂ କରୁଛି । ଅବାକ୍‌ ବିସ୍ମୟରେ ତାଙ୍କ ମୁଣ୍ଡରୁ ପଦେ କଥା ବାହାରିଲା ନାହିଁ । ଶ୍ୟାମଳଙ୍କୁ ଧନ୍ୟବାଦ ଦବା ପାଇଁ ମଧ୍ୟ ଭୁଲିଗଲେ । ତା’ପରେ ଆଉ ବସି ନ ରହି ଉଠିଗଲେ । ଖୋଜି ଖୋଜି ମୈତ୍ରେୟୀଙ୍କ ପାଖରେ ଯାଇ ପହଞ୍ଚିଲେ ସେ । ମୈତ୍ରେୟୀ ତଳକୁ ମୁହଁ କରି ବସିଥିଲେ ।

 

କାଗଜଗୁଡ଼ା ତାଙ୍କ ଆଗରେ ପଡ଼ିଥିଲା ।

 

ସେଥିରୁ ଗୋଟେ କାଗଜ ଉଠାଇ ନେଇ ପ୍ରଥମ ପୃଷ୍ଠାରେ ମିତାର ଫଟୋ ଦେଖି ଚମକି ପଡ଼ିଲେ ସେ... ଫଟୋ ତଳେ ଲେଖାଥିଲା A dashings ravashingly beautiful New Model...। ଆଖି ବୁଜି ହୋଇଗଲା ତାଙ୍କର । ମିତାକୁ ଚାହିଁବା ପାଇଁ ସାହସ ହେଉ ନ ଥିଲା । ନୂଆ ଡିଜାଇନର ପୋଷାକ । କାନ୍ଧ ତଳ ଖୋଲା । ଏଇ ବେଶରେ ଚାଲିଲେ ଅଶ୍ଳୀଳ ଆଖିଗୁଡ଼ାକର ଶାଣିତ କଟାକ୍ଷଗୁଡ଼ାକ ଶରୀର ବିଦୀର୍ଣ୍ଣ କରି ଏପାଖରୁ ସେପାଖକୁ ବାହାରିଯିବ । ଛି... ଛି... । ଝିଅକୁ ନିରେଖିବା ପାଇଁ ଲାଜ ଲାଗୁଥିଲା ମନୋଜଙ୍କୁ... ।

 

ଆଉ ଜଣେ କେହି ଫୋନ୍‌ କଲେ । ମନୋଜଙ୍କୁ ଲାଗୁଥିଲା ବାପା ମା’ମାନଙ୍କୁ ଗୁଳିବିଦ୍ଧ କରିବା ପାଇଁ ଅନେକ ଫୋନ୍‍ କରି ଏମିତି କଂଗ୍ରାଚୁଲେସନ ଜଣାଉଛନ୍ତି । କିଛି ନ ଜାଣିବା ପରି ଅନେକ ଇଙ୍ଗିତଭରା ସୂଚନା ଦେବେ । କେହି କେହି ବି ଦାଣ୍ଡରେ ହାଣ୍ଡି ଭାଙ୍ଗିବା ପାଇଁ କହିବେ ‘ନେଡ଼ି ଗୁଡ଼ କହୁଣୀକୁ ଗଡ଼ିଗଲାଣି... ତୁମେ ଏଇନେ ଜାଣୁଛ..?’

 

ରାଗରେ ଫାଟି ପଡ଼ିଲେ ମନୋଜ । ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ସେ ଏଇ ପ୍ରଥମ-। ତାଙ୍କ ତୁଣ୍ଡରୁ ବାହାରିଗଲା- ‘‘ତମକୁ ଲାଜ ଲାଗୁନି ଯେ ଅଭିନନ୍ଦନ ଜଣାଇବା ପାଇଁ ଫୋନ୍ କରିଛ । କୁରୁସଭାରେ ଦ୍ରୌପଦୀଙ୍କୁ ଦୁଃଶାସନ ବିବସ୍ତ୍ରା କରୁଥିବାବେଳେ ଭୀଷ୍ମ ପିତାମହ, ଦ୍ରୋଣ ଏମାନେ ଅନ୍ଧ ଧୃତରାଷ୍ଟ୍ରଙ୍କ ପରି ଆଖି ବୁଜି ଥିଲେ ନା ଚାହିଁଥିଲେ... ?’’

 

ତାଙ୍କ ଉଚ୍ଚସ୍ଵର ଶୁଣି ସ୍ଵାମୀଙ୍କ ମୁହଁ ଉପରେ ହାତ ଥାପି ମୈତ୍ରେୟୀ କହିଲେ, ‘‘ଚୁ... ଉ... ପ୍‌... ’’

 

ମନୋଜ ଥକ୍କା ହୋଇ ବସି ପଡ଼ିଲେ ବେତଚୌକି ଉପରେ । ବସୁଧା ଯଦି ବିଦୀର୍ଣ୍ଣ ହୋଇଯାଆନ୍ତା ତାଙ୍କୁ ଆଶ୍ରା ଦବା ପାଇଁ ତେବେ କାଳ ବିଳମ୍ବ ନ କରି ମୈତ୍ରେୟୀ ବିସର୍ଜନ ଦେଇଥାନ୍ତେ ନିଜକୁ । କିନ୍ତୁ ବସୁଧା ଥରେ ମାତ୍ର ଦୁଇଫାଳ ହୋଇଥିଳା ମା’ ସୀତାଙ୍କୁ ଆଶ୍ରୟ ଦବା ପାଇଁ । ସେଇ ଦିନୁ ମଣିଷ ଜାତି ନିର୍ଲଜ ହୋଇଯାଇଛି... ନିଜର ଲଜ୍ଜା ଲୁଚାଇବା ପାଇଁ ବାଟ ଖୋଜି ପାରିନି... ।

 

ମୈତ୍ରେୟୀ କହିଲେ, ‘ଯାହା ହେବାର ହୋଇଗଲାଣି ଘରପୋଡ଼ିରୁ ଗୃହସ୍ଥ ଯେତିକି ସମ୍ଭବ ଉଦ୍ଧାର କରିବା ପରି ଚାଲ ଆମେ ବି ସେୟା କରିବା... ଅଲାଜୁକ ପରି ବଞ୍ଚି ରହିବା ଛଡ଼ା ଆଉ ଚାରା କ’ଣ ଅଛି ଯେ.... ।’

 

ମନୋଜ ଅନେକ ସମୟ ବସି ରହିଲେ ମୁହଁ ତଳକୁ କରି । ଜଣ ଜଣ କରି ସମସ୍ତେ ଆସିଲେ - ‘ଅନଙ୍ଗ, ଭାସ୍ୱତୀ, ଆନନ୍ଦ... । ସେମାନେ ଘେରି ରହିଥିଲେ ମନୋଜଙ୍କୁ । ତାଙ୍କ କାନ୍ଧ ଉପରେ ହାତ ରଖି କହିଲା ଅନଙ୍ଗ, ‘ନନା ପାର୍ଡ଼ନ ହାର୍‌... ସି ନିଡ୍‌ସ୍‌ ଅଲ୍‌ ଆୱାର ସପୋର୍ଟ ଆଣ୍ଡ ସିମ୍ପାଥି ଟୁ ଗେଟ୍‌ ଆଉଟ୍‌ ଅଫ ଦି ଫାୟାର...।’

 

ମନୋଜ ସାନଭାଇକୁ କୁଣ୍ଢେଇ ପକାଇ ଶିଶୁ ପରି କେବଳ କାନ୍ଦିବାକୁ ଲାଗିଲେ... । ମୈତ୍ରେୟୀ ଉଠିପଡ଼ି କହିଲେ, ‘‘ଚାଲ ଚାଲ ସମସ୍ତେ ... ବେଳ ହେଲାଣି... ଗାଧୁଆପାଧୁଆ କର.. ଅନେକ କାମ ଅଛି କରିବା ପାଇଁ... ।’

 

ଧୀରେ ଧୀରେ ସମସ୍ତେ ଯେଝା କାମରେ ଚାଲିଗଲେ । ମନୋଜ ବି ବୁଝିଲେ ବୋଧହୁଏ । ଭାଙ୍ଗି ପଡ଼ିଲେ ସଙ୍କଟ ପାରିହେବା ସମ୍ଭବ ନୁହେଁ । ଏଇ ପ୍ରଥମ ହାଲୁସିନେସନଟାକୁ ସମ୍ଭାଳି ଯିବାକୁ ହେବ... ମଥା ନୁଆଁଇ ଦବାକୁ ହେବ ମାଡ଼ି ଆସୁଥିବା ଉତ୍ତାଳ ଢେଉ ଆଗରେ... ।

 

ସେଦିନ ଆଉ ୟୁନିଭରସିଟିକୁ ଗଲେ ନାହିଁ ମନୋଜ । ମୈତ୍ରେୟୀ ଫୋନ୍‌ କରି ପ୍ରିନ୍‌ସିପାଲଙ୍କଠାରୁ ଦିନେ ଛୁଟି ମଞ୍ଜୁର କରାଇ ନେଲେ ।

 

ବେଳ ବଢ଼ିଲା ବେଳକୁ ଖୋଜା ପଡ଼ିଲା ମିତାକୁ । ମିତା କଥା ଏ ପର୍ଯ୍ୟନ୍ତ ସେମାନେ ଭୁଲି ଯାଇଥିଲେ ।

 

ଅନେକଟା ନିଜକୁ ଶାନ୍ତ କରିଥିଲେ ମନୋଜ । ଏତେବେଳେ ଖବର କାଗଜଗୁଡ଼ା ଉପରେ ଆଉ ଥରେ ଆଖି ବୁଲାଇ ଆଣିଲେ । ଭିତର ପୃଷ୍ଠାରେ ଆହୁରି ଫଟୋ ଆହୁରି ନଗ୍ନତା ଦେଖି ସେ ଆଉ ଆଖି ବୁଜିଲେ ନାହିଁ । ବରଂ ମନକୁ ମନ କହିଲେ, ମୁଁ ଯଦି ଭୁଲ କରି ନ ଥାନ୍ତି, ଯଦି ପିଲାମାନଙ୍କୁ ଏଇ ସନ୍ଧିକାଳରେ ବାଟ ବତାଇଦବା ପାଇଁ କିଛି କରିଥାଆନ୍ତି ତେବେ ଏଇ ଅବାଟରେ ସେ ଚାଲି ଯାଇ ନ ଥାନ୍ତା... ମିତାତ ଏକା ମଡ଼େଲିଂ କରୁନି... ଅନେକ ଝିଅ ପୁଅ ଏଇ ବାଟରେ ହାତ ଧରାଧରି ହୋଇ ଚାଲିଲେଣି...ମଡ଼େଲିଂ ତ ପ୍ରଥମ ପାଦ... ୟା ପରେ ସିନେମା... ତା’ପରେ ଜତୁଗୃହର ଦୃଶ୍ୟ ।

 

ସାରାଦିନ ସ୍ୱାମୀ ସ୍ତ୍ରୀ ବସି ଆଲୋଚନା କଲେ । ମିତା କେତେବେଳେ ଘରୁ ବାହାରି ଯାଇଥିଲା କେହି ଜାଣିପାରିଲେ ନାହିଁ ।

 

ବଂଶୀ କହିଲା ଯେ ଗୋଟେ ଟାକ୍ସିରେ ବସି ସେ ଚାଲିଗଲା ଏଗାରଟାବେଳେ । କହି ଯାଇଛି ଖାଇବାକୁ ଆସିବ ନାଇଁ । ଫେରୁ ଫେରୁ ସନ୍ଧ୍ୟା ହେବ... ।

 

ଏଇ କେତେଦିନ ଧରି ମିତା ଦିନ ଦଶଟା ଏଗାରଟାବେଳେ ବାହାରି ଯାଉଥିଲା ଯେ ଫେରୁଥିଲା ସଂଧ୍ୟା ସାତଟା... ବେଳେ ବେଳେ ଆଠଟା ବା ନଅଟାରେ... । କଲେଜରେ ଡ୍ରାମାର ରିହରସାଲ ହେଉଛି... କବିତା ପାଠରେ ଡେରି ହୋଇଗଲା... ଟ୍ରାଫିକ୍‌ ଜାମ୍‌ ଯୋଗୁ ପୋଲ ଉପରେ ଘଣ୍ଟାଏ ଅଟକି ଗଲା... ଏଇପରି ଗୋଟେ କାରଣ ଦର୍ଶାଇ ସେ ନିର୍ବିକାର ଚିତ୍ତରେ ଭିତରକୁ ପ୍ରବେଶ କରୁଥଲା ।

 

ଆଜି ବି ସେ ହୁଏତ ଫେରିବ ସଂଧ୍ୟାରେ... ବା ମଧ୍ୟରାତ୍ରିରେ । କିଏ ଜାଣେ ? ଆଜିକାଲି ପାରିବାରିକ ନିୟମ, ଶୃଙ୍ଖଳାଗୁଡ଼ା ଆଉ କେହି ମାନୁ ନାହାଁନ୍ତି... ।

 

ମୁହଁ ସଞ୍ଜବେଳେ ଫୋନ୍‍ ଆସିଲା ।

 

ବାଣୀ କହିଲେ, ‘ତମେ କ’ଣ ମିତା ଉପରେ ରାଗିଛ ?’ ଆଶ୍ଚର୍ଯ୍ୟ ହେଲେ ମୈତ୍ରେୟୀ । ହଠାତ୍‌ କ’ଣ କହିବେ ଜାଣିପାରିଲେ ନାହିଁ ସେ । ଟିକେ ରହିଯାଇ କହିଲେ, ‘ତାକୁ ଆଉ ରାଗିବି କ’ଣ ? ଆଜିକାଲିକା ପିଲା ନିଷ୍ପତ୍ତି ନବା ପୂର୍ବରୁ କ’ଣ ପଚାରନ୍ତି କୌଣସି ବିଷୟରେ ? ନୂଆ ଜୀବନ ଶୈଳୀର ମନ ଉଲୁସା ଡାକ ଭାସି ଆସୁଚି ପାଶ୍ଚାତ୍ୟରୁ... ଦେଖୁନା ନାନୀ... ମୋ ସାଙ୍ଗ ତୃପ୍ତିର ଝିଅ ବାହା ହେବା ପାଇଁ ମନା କରିଦେଲା... ବମ୍ୱେରେ ଫାଇନ୍‌ ଆର୍ଟ ପଢ଼ୁଥିଲା । ସେଇଠି ସେଇ କଲେଜର ଜଣେ ଅଧ୍ୟାପକ ସହିତ ରହିଗଲା... ସେମାନେ ପରସ୍ପରର ବନ୍ଧୁ, ସ୍ୱାମୀ ସ୍ତ୍ରୀ ନୁହନ୍ତି... ।’

 

- ‘ମିତା ସେପରି ଝିଅ ନୁହେଁ । ତା’ ସହିତ ଆଜି ହଠାତ୍‌ ଦେଖା ହୋଇଗଲା ହୋଟେଲରେ । ମୁଁ ତାକୁ ସେଠାରେ ଦେଖିବି ବୋଲି ଆଦୌ ଭାବି ନ ଥିଲି । କିନ୍ତୁ ମୁହାଁମୁହିଁ ହୋଇଯିବାରୁ ସେ ପାଖକୁ ଆସି ନମସ୍କାର କଲା । ମୁଁ ପଚାରିଲି କିମିତି ଅଛ... ଏକା ଏକା ନା ବାପା ମା’ ଆଉ କେହି ଅଛନ୍ତି ସାଙ୍ଗରେ... ସେ କ’ଣ କହିଲା ଜାଣ...ସେ ଏକା ଏକା ଚାଲି ଆସିଛି ଜଣେ ଫ୍ରେଣ୍ଡ୍ ସାଙ୍ଗରେ... ତମେ କାଳେ ରାଗିବ ବୋଲି କହିନି ତମକୁ... !’

 

- ‘ନା ମୁଁ ରାଗିବି କାହିଁକି ଯେ... । ହଁ, ଯଦି ପଢ଼ାପଢ଼ିରେ ହେଳା କରି ବୁଲିବ ତେବେ ମୁଁ ପଦେ ଅଧେ କୁହେ ବେଳେ ବେଳେ... ।’ କହିଲେ ମୈତ୍ରେୟୀ ।

 

କିନ୍ତୁ ବାଣୀ ପୁରୋହିତ କହିଲେ, ‘ପିଲାଙ୍କୁ ଆକଟ କଲେ ବିପଦ, ନ କଲେ ବି ବିପଦ... ଏଇ ଦୁଇ ସୀମାରେଖା ମଧ୍ୟରେ ତମକୁ ଆଡ଼ଜଷ୍ଟ କରିବାକୁ ହେବ । ସନ୍ଧିକାଳ ଏଇଟା... ଆମେ ପଢ଼ିବାବେଳେ ଯାହା ଭାବିପାରୁ ନ ଥିଲୁ ଏବେ ତ ଝିଅ ପୁଅମାନେ ଯାହା କଲେ ବି ସାତଖୁନ ମାଫ୍‍... ।’

 

ମୈତ୍ରେୟୀ କହିଲେ, ‘ମଡ଼େଲିଂ ପରେ କରିଥିଲେ ଚଳି ନ ଥାଆନ୍ତା... ଏଡ଼େ ତର ତର ହେବା କ’ଣ ଦରକାର ଥିଲା... ଏ ଲାଇନ୍‌ରେ ବନ୍ଧବାଡ଼ କିଛି ନ ଥାଏ... ।’

 

- ‘ତମେ ବ୍ୟସ୍ତ ହୁଅନା । ଆଜି ସକାଳ ଖବରକାଗଜ ପୃଷ୍ଠାରେ ମିତାର ଫଟୋ ଦେଖି ମୁଁ ତ ଚମକି ପଡ଼ିଥିଲି । ସେ ଯେ ହଠାତ୍‌ ଆଗେଇ ଗଲାଣି ଭାବିପାରୁ ନ ଥିଲି...କିନ୍ତୁ ଯାହା ହେବା କଥା ହୋଇ ସାରିଛି... ସେ ଟିକେ ଉଦାସୀନ ଥିବା ପରି ଲାଗିଲା । ଘରେ କିଛି କହିଲ କି-?’ କହିଲେ ବାଣୀ ।

 

‘ନା ଅପା । ତାକୁ ପଦେ ବି କିଛି କହିନି । ବରଂ ଯେମିତି କିଛି ହୋଇନି ଆମେ ସେହିପରି ଏଡ଼ାଇଗଲୁ ବିଷୟଟା । ଓଭର୍‌ଲୁକ୍‌ କଲାଭଳି ବ୍ୟବହାର କଲୁ । ସେ ଆଉ ଗ୍ରାଉଣ୍ଡ ପାଇଲାନି କିଛି କହିବା ପାଇଁ... ।’ କହିଲେ ମୈତ୍ରେୟୀ ।

 

- ‘ଏଠାରେ ଭୁଲ୍‌ କଲ ତମେ । ତାକୁ ବିଶ୍ୱାସକୁ ନେଇ ବରଂ ଉତ୍ସାହିତ କିରବା ନାମରେ ତା’ ମନକଥା ଜାଣିବା ପାଇଁ ଚେଷ୍ଟା କରିଥାନ୍ତ । କାହିଁକି ତା’ ବାପା କ’ଣ ଏ ବିଷୟରେ ଜାଣିଲେଣି-?’ କିଛି ନ ଜାଣିବା ପରି ପଚାରିଦେଲେ ବାଣୀ ।

 

କ’ଣ କହିବେ କିଛି ଭାବିପାରିଲେନି ମୈତ୍ରେୟୀ ।

 

କେଇ ମୁହୂର୍ତ୍ତ ନୀରବରେ କଟିଗଲା । ତା’ପରେ କହିଲେ ‘ସେ ବି ବ୍ୟସ୍ତ ବ୍ୟଗ୍ର ।’

 

ଭୁବନେଶ୍ୱରର ତା’ହେଲେ ସମସ୍ତେ ଜାଣିଗଲେଣି । ଓଡ଼ିଶାର ଲୋକ ବି ଜାଣିସାରିଥିବେ ।

 

ଗୋଟେ ପରିଚିତ ଗାଡ଼ି ଆସି ଛିଡ଼ା ହେଲା ଘର ଆଗରୋ ଦରଜା ଖୋଲି ଓହ୍ଲାଇ ପଡ଼ିଲା ପଦ୍ମଜା ।

 

ହଠାତ୍‌ ପଦ୍ମଜାକୁ ଦେଖି ଖୁସିରେ ଆଗେଇ ଗଲେ ମୈତ୍ରେୟୀ । ତା’ ହାତଧରି ସଙ୍ଖୋଳି ଆଣିବାବେଳେ କହିଲେ, ‘ତୋତେ ସ୍ୱାତୀ ଖୋଜୁଥିଲା । ମୁଁ କହିଥିଲି ତାକୁ ସଂଧ୍ୟାବେଳେ ନେଇଯିବି, ବୁଲି ଆସିବ । କିନ୍ତୁ ତୁ ତ ଆଗରୁ ଆସି ପହଞ୍ଚିଗଲୁ...ସରୋଜ କାହିଁ ?’

 

‘ସେ ଗୋଟେ ଅର୍ଜେଣ୍ଟ ଅପରେସନ ପାଇଁ ବ୍ୟସ୍ତ । ତାଙ୍କୁ ଅପେକ୍ଷା ନ କରି ମୁଁ ଏକା ଚାଲି ଆସିଲି ନାନୀ... ।’

 

ପୋର୍ଟିକୋରୁ ଡାକ ଛାଡ଼ିଲେ ମୈତ୍ରେୟୀ, ‘ଆରେ ସ୍ୱାତୀକୁ ନେଇ ଆସ... ତା’ର ମା’ ଆସିଛି... ।’

 

କିନ୍ତୁ ଝିଅ ପାଇଁ ବ୍ୟାକୁଳତା ପ୍ରକାଶ ନ କରି କହିଲା ପଦ୍ମଜା, ‘ଖୁସି ଲାଗିଲା, ଚାଲି ଆସିଲି ତମୁ ସମସ୍ତଙ୍କୁ ଦେଖିଯିବା ପାଇଁ । ଆଜି ତ ସେଲିବ୍ରେଟ କରିବା ଦିନ ... ମିତା ମଡ଼େଲିଂରେ ଏତେବଡ଼ ସଫଳତା ପାଇଛି ଏହାଠାରୁ ଆଉ ଖୁସିର ଖବର କ’ଣ ହୋଇପାରେ...?’

 

ସେ ପ୍ରଶଂସା କରୁଥିଲା ନା ଶ୍ଳେଷ ପ୍ରକାଶ କରୁଥିଲା ବୁଝିବାକୁ କଷ୍ଟ ହେଲା ନାହିଁ ମୈତ୍ରେୟୀଙ୍କର । ନର୍ସିଂହୋମ୍‍କୁ ଉଠିଯିବା ପରେ ଏଇ ସେ ଦ୍ୱିତୀୟ ଥର ପାଇଁ ଆସିଛି । ପ୍ରଥମ ଥର ଆସିଥିଲା ଝିଅ ଆସିବା ଦିନ । ମିତା ଯେ ସହରର ଆଲୋଚନାର ବିଷୟ ହୋଇ ଯାଇଚି ଏହା ଆଉ ଅସ୍ପଷ୍ଟ ରହିଲା ନାହିଁ ପଦ୍ମଜା ଆସିବା ପରେ । ତଥାପି ମୈତ୍ରେୟୀ କହିଲେ, ‘ସରୋଜଙ୍କୁ ଆଣିଲୁ ନାଇଁ ସାଙ୍ଗରେ... ।’

 

- ‘ତାଙ୍କୁ ପଚାରିବ ନାନୀ । ସେ ତ ତମର ଆଦରର ଦିଅର । ମୋ ସହିତ ଆସିବା ପାଇଁ ତାଙ୍କୁ ସମୟ ମିଳିବ କୋଉଠି ? ଆଜି କ’ଣ ମୁଁ ଡାକି ନ ଥିଲି କିନ୍ତୁ ସେ । ଅପରେସନ୍‌ ଥିବା ବାହାନା କରି ରହିଗଲେ । କିନ୍ତୁ ଏତେ ବଡ଼ ଖୁସିର ଖବରଟା ପାଇ ମୁଁ ସେଲିବ୍ରେଟ୍ କରିବା ପାଇଁ ଚାଲି ଆସିଲି... ।’

 

- ‘ବେଶ୍‍ ଭଲ କଲୁ ପଦ୍ମଜା । କିନ୍ତୁ ତୁ କ’ଣ ଭାବୁଛୁ ଯେ ମିତା ଯାହା କରୁଛି ଭଲ କରୁଛି ?’ କହିଲେ ମୈତ୍ରେୟୀ ।

 

ଝିଅର ଖୁସିରେ ମା’ ଯେ ଖୁସି ନୁହଁନ୍ତି ଏଇ ସତ କଥାଟା ଜାଣି ଆହୁରି ଉତୁରି ପଡ଼ିଲା ପଦ୍ମଜା । ସେ ଖେଞ୍ଚି ଦବା ପାଇଁ କହିଲା, ‘ହଁ ଯାହାକୁ ଯେମିତି ପସନ୍ଦ... କିନ୍ତୁ ଏଇ କଞ୍ଚା ବୟସରେ ମିତା ଜନ୍ତୁଜାନବରମାନଙ୍କ ଗହଳିରେ ଏକା ବୁଲିବା ଉଦ୍‌ବେଗଜନକ ନିଶ୍ଚୟ । ମୋତେ ଭଲ ଲାଗିଲାନି ବୋଲି ଦଉଡ଼ି ଆସିଲି । ଯେତେ ହେଲେ ଆଚାର୍ଯ୍ୟ ପରିବାରର ଝିଅ ତ ! ସ୍ଵାତୀ ଆଉ ମିତା ମଧ୍ୟରେ ମୁଁ ଫରକ ଦେଖେନି ନାନୀ... ।’

 

ବିଛା ଦଂଶନ କଲେ ଯେମିତି ଲାଗେ ସେହିପରି ଅନୁଭବ କରୁଥିଲେ ମୈତ୍ରେୟୀ ।

 

ସେଦିନ ସଂଧ୍ୟାଟା ଆଚାର୍ଯ୍ୟ ନିବାସରେ କଟାଇ ଦେଲା ପଦ୍ମଜା । ଝିଅକୁ ଦୁଇଦିନ ପାଇଁ ସାଙ୍ଗରେ ନେଇଯିବା ପାଇଁ ଚାହୁଁଥିଲା ସେ, କିନ୍ତୁ ବଡ଼ ମା’କୁ ଛାଡ଼ି ସ୍ଵାତୀ ଆଦୌ ରାଜି ହେଲାନି ଯିବା ପାଇଁ ।

 

ଆଠଟା ବାଜିଲା । କୁଆଖାଇ ପୋଲ ଉପରେ ଜଳୁଥିବା ବିଜୁଳି ବତୀଗୁଡ଼ା ହଠାତ୍‌ କାହିଁକି ଲିଭିଗଲା ।

 

ଚମକି ପଡ଼ିଲେ ମୈତ୍ରେୟୀ ।

 

ମିତା ଏ ଯାଏ ଫେରି ନାହିଁ ।

 

ସାଙ୍ଗରେ ମୋବାଇଲ ନେଇଥବ ନିଶ୍ଚୟ, କିନ୍ତୁ ପଦ୍ମଜାର ଉପସ୍ଥିତିରେ ତା’ ସହିତ କଥାଭାଷା ହେବା ପାଇଁ ଚାହୁଁ ନ ଥିଲେ ମୈତ୍ରେୟୀ । ମନୋଜ ଘର ଭିତରେ କଟାଇଦେଲେ ଦିନଟା । ଅନେକ ବାଧ୍ୟ ବାଧକତା ପରେ ଦ୍ୱିପହରରେ ଖାଇବା ଟେବୁଲକୁ ଆସିଥିଲେ । ଚା’ ସେଇ ଶୋଇବା ଘରେ ପିଇଲେ । ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଉଥିବା ପରି ଅନୁଭବ କରୁଥିଲେ ମୈତ୍ରେୟୀ । ଆଚାର୍ଯ୍ୟ ପରିବାର ରକ୍ଷଣଶୀଳ ନୁହନ୍ତି, କିନ୍ତୁ ଆଧୁନିକ ମଧ୍ୟ ନୁହନ୍ତି । ସାମାଜିକ ଶୃଙ୍ଖଳା ଭାଙ୍ଗି ନୂଆ କିଛି କରିବା ପାଇଁ ଚାହାନ୍ତି ନାହିଁ କେହି । କିନ୍ତୁ ଏ ପ୍ରଜନ୍ମର ପିଲାମାନେ ସ୍ୱତନ୍ତ୍ର-। ଅପୁ ପରି ଶାନ୍ତଶିଷ୍ଟ ପିଲା ଉଗ୍ରବାଦୀମାନଙ୍କ ସହିତ ମିଶି ରହିଗଲା କୋରାପୁଟର ଜଙ୍ଗଲ ଭିତରେ । ମିତା ଉପରେ ଅନେକ ଆଶା ଥିଲା ମୈତ୍ରେୟୀଙ୍କର । ସେ କିନ୍ତୁ ସବୁ ଆଶା ଭରସା ଚୁରମାର କରି ମଡ଼େଲିଂ କରିବା ନାମରେ ରୋହିତ ପଟ୍ଟନାୟକ ସହିତ ଏକାତ୍ମ ହେବ ଏୟା କଳ୍ପନା ନ ଥିଲା କାହାରି ।

 

ସ୍ଵାତୀ ସହିତ ପଦ୍ମଜା, ଭାସ୍ୱତୀ ସମୟ କଟାଉଥିଲାବେଳେ ମୈତ୍ରେୟୀ ଅନ୍ୟ କୋଠରୀକୁ ଯାଇ ଫୋନ୍‌ କଲେ । ମିତା ସୁଇଚ୍‌ ଅଫ କରି ଦେଇଥିଲା । ତା’ ସହିତ କଥା ହୋଇ ପାରିଲେ ନାହିଁ ।

 

ପୋଲ ଉପରକୁ ଚାହିଁଲେ । ସଡ଼କ ଉପରେ ଯାଉଥିବା ଗାଡ଼ିଗୁଡ଼ାକର ହେଡ଼ଲାଇଟ ଦୃଷ୍ଟିରେ ପଡ଼ୁଥିଲା ଏବଂ ଶୁଣାଯାଉଥିଲା ଅନେକ ଗାଡ଼ିର ହର୍ଣ୍ଣ...ଅନ୍ୟମାନଙ୍କୁ ପଛରେ ପକାଇ ଆଗେଇ ଯିବା ପାଇଁ ବୋଧହୁଏ ଚେଷ୍ଚା ଚାଲିଥିଲା ସଡ଼କ ଉପରେ । ଟ୍ରାଫିକ୍‌ ଜାମ୍‌ ହୋଇ ନ ଥିଲେ ଏତେ ଶବ୍ଦ ଶୁଣାଯାଉ ନ ଥାନ୍ତା...

 

ମନଟା ଭରିଗଲା ଅବସନ୍ନତାରେ... କାହିଁକି କେଜାଣି ସେ ବିଶ୍ଵାସ ହରାଉଥିଲେ ମଣିଷ ଉପରୁ ।

 

କିଛି ସମୟ ପରେ ବତୀ ଜଳିଲା । ବିଦ୍ୟୁତ୍‍ ଆଲୁଅ ଝଲମଲ କରି ଉଠିଲା । ଠିକ୍‌ ସେଇ ସମୟରେ ପଦ୍ମଜା ତାଙ୍କଠାରୁ ବିଦାୟ ନେଇ ନିଜ ଗାଡ଼ିରେ ବସିବାକୁ ଯାଉଥିବାବେଳେ ଆଉ ଗୋଟେ ମାରୁତି ଠିଆ ହେଲା ପାଖରେ । ଦରଜା ଖୋଲି ଉହ୍ଲାଇ ଆସିଲା ମିତା । ଘଡ଼ିକୁ ଚାହିଁଲା ପଦ୍ମଜା । ରାତି ନଅଟା । ଆଗସିଟ୍‌ରୁ ଉହ୍ଲାଇଲା ସେ । ଗାଡ଼ି ଚଳାଉଥିଲା ବୋଧହୁଏ ଆଉ କେହି... ତା’ ସହିତ ମଡେଲିଂ କରୁଥିବା ସେଇ ରୋହିତ ପଟ୍ଟନାୟକ ହୋଇପାରେ ।

 

ପଦ୍ମଜା ଗାଡ଼ି ଭିତରକୁ ପଶିଯାଇ ଦରଜା ବନ୍ଦ କରିଦେଲା ଏବଂ କାଚ ଟେକିଦେଲା । ସେ ଚାହୁଁ ନ ଥିଲା ମିତା ସହିତ ଦେଖା ହେଉ, ବରଂ ସେ ଚାହୁଁଥିଲା ଗାଡ଼ି ବ୍ରେକ କରି ଚାଲିଯାଉଥିବା ଚାଳକକୁ ଦେଖିନବା ପାଇଁ ।

 

Unknown

(ଅଠେଇଶି)

 

ରାତି ଅଧରେ ବନ୍ଧୁକ ଫୁଟିବା ଶବ୍ଦ ଶୁଣି ନୀଡ଼ ଛାଡ଼ି ହାଜତ ପାଖରେ ଥିବା ଗଛମାନଙ୍କରୁ ପକ୍ଷୀ ସବୁ ଉଡ଼ିଗଲେ । ସେମାନଙ୍କ ସ୍ଵରରୁ ଜଣାପଡ଼ୁଥିଲା ଯେ ସେମାନେ ଆତଙ୍କିତ । ରାତିର ନିରବତାରେ ସେମାନେ ଶୋଇ ପଡ଼ିଥାନ୍ତି ନିଶ୍ଚିନ୍ତରେ । ମଣିଷ ବି ଶୋଇପଡ଼େ ଟିକେ ଆରାମ କରିବା ପାଇଁ । ଧନୀ, ଗରିବ, ଦୁସ୍ଥ, ଦୁର୍ବଳ ସମସ୍ତଙ୍କ । ଦୁଃଖ ହତାଶ୍‍ କରେ ରାତି । କିନ୍ତୁ ସେଇ ରାତିର ଛାତି ଚିରି ଯେତେବେଳେ ବନ୍ଧୁକ ଫୁଟିଲା ଥରେ ନୁହେଁ ଲାଗି ଲାଗି ତିନିଥର ସେତେବେଳେ ନୀଡ଼ ଛାଡ଼ି ପକ୍ଷୀମାନେ କେବଳ ଉଡ଼ିଗଲେ ନାହିଁ, ଉଠି ବସିଲେ ପାଖ ଆଖରେ ନିଶ୍ଚିନ୍ତରେ ଶୋଇପଡ଼ିଥିବା ଫୁଟ୍‌ପାଥର ଲୋକମାନେ, ନିଦରେ ଚମକି ପଡ଼ିଥିବା ପୁଅକୁ କୋଳକୁ ଟାଣି ନେଇଥିଲା ମା’ ଏବଂ ବୁଲା କୁକୁରଗୁଡ଼ା ଆକ୍ରମଣକାରୀକୁ ଗୋଡ଼ାଇ ଯିବା ପରି କିଛିବାଟ ଦଉଡ଼ି ଯାଇଥିଲେ ସେଇ ଶବ୍ଦ ପଛେ ପଛେ... ।

 

ଗୁଣ୍ଡୁର ରାଓ ଟଳି ପଡ଼ିଥିଲା ହାଜତ ପାଖରେ ଥବା ଅଶ୍ୱଥ ଗଛ ମୂଳେ । ଲାସ୍‍ ପୋଷ୍ଟମର୍ଟମ ପାଇଁ ହସ୍‌ପିଟାଲକୁ ପଠାଇ ଦେଇ କହିଲେ ଭୁବନ ମୋହନ ମଲ୍ଲିକ, ‘ହାଜତରୁ ଖସି ପଳାଇବା ପାଇଁ ଜଗୁଆଳିକୁ ମାଡ଼ି ବସିଥିଲା ଗୁଣ୍ଡୁ ରାଓ । ଅନ୍ୟ ଜଗୁଆଳିମାନେ ସାଙ୍ଗକୁ ରକ୍ଷା କରିବା ସକାଶେ ଦଉଡ଼ି ଆସିବାବେଳେ ଗୁଣ୍ଡୁରାଓ ପାଚେରୀ ଡେଇଁବା ଆଗରୁ ଥାନାଲୋକଙ୍କୁ ଭୟ ଦେଖାଇବା ପାଇଁ ହାତ ବୋମା ଫିଙ୍ଗିଥିଲା । ସେଇଟା କିନ୍ତୁ ଫୁଟିଲା ନାହିଁ । ସେ ପାଚେରୀ ସେପାଖକୁ ଡେଇଁ ପଡ଼ିବାବେଳେ ଜଗୁଆଳିର ପ୍ରଥମ ଗୁଳିରୁ ବି ସେ ରକ୍ଷା ପାଇଗଲା । କିନ୍ତୁ ତା’ପରେ ପରେ ଲାଗି ଲାଗି ଆଉ ଦୁଇ ରାଉଣ୍ଡ ଗୁଳି କଲା ଜଗୁଆଳି । ସେଇ ଗୁଳିରେ ଟଳି ପଡ଼ିଲା ଗୁଣ୍ଡୁରାଓ ଯେପରି ଶିକାରୀର ଗୁଳିରେ ଆକାଶରେ ଉଡୁଥିବା ପକ୍ଷୀ ଖସି ପଡ଼େ ଭୂଇଁ ଉପରେ ।

 

ସକାଳ ହେବାବେଳକୁ ପୋଷ୍ଟମର୍ଟମ ଶେଷ ହୋଇ ସାରିଥିଲା । ଗୁଳି ବାଜି ତାର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ଲେଖିଦେଲେ, କିନ୍ତୁ ତା’ ପୂର୍ବରୁ ହାଜତ ଜଗୁଆଳିକୁ ଯେ ସେ କ୍ଷତବିକ୍ଷତ କରିଥିଲା ଏହାର ପ୍ରମାଣପତ୍ର ମଧ୍ୟ ଲେଖିଲେ । ଫୁଟି ନ ପାରି ହାଜତ ପାଖରେ ପଡ଼ିଥିବା ବୋମାର ଫରେନ୍‌ସିକ୍‌ ପରୀକ୍ଷା ପାଇଁ ପଠାଇ ଦିଆଗଲା ।

 

ଗୁଣ୍ଡୁ ରାଓ କିନ୍ତୁ ମୃତ୍ୟୁକାଳୀନ ବୟାନରେ କହିଦେଇଗଲା ଯେ ମିଟୁକୁ ସେ ଦଶହଜାର ଟଙ୍କାରେ ବିକି ଦେଇଛି ସାନୁ ଜେନାକୁ । ମଧ୍ୟପ୍ରାଚ୍ୟକୁ ମିଟୁକୁ ପଠାଇବା ପାଇଁ ସାନୁ ଜେନା ଲକ୍ଷେ ଟଙ୍କା ପାଇଛି । ଏଇ ପ୍ରଥମ ନୁହେଁ ପାଞ୍ଚବର୍ଷ ମଧ୍ୟରେ ଗୁଣ୍ଡୁ ରାଓ ସାତଜଣ ଆଠରୁ ଏଗାରବର୍ଷର ପିଲାଙ୍କୁ ଚୋରି କରି ସାନୁକୁ ବିକ୍ରି କରି ଦେଇଥିଲା ।

 

ଭୁବନମୋହନ ମଲ୍ଲିକ ମନେ ମନେ ଗଣନା କରିନେଲେ । ହୁଏତ ସାନୁ ଜେନା ଏତେବେଳକୁ ବମ୍ବେ ପହଞ୍ଚୁଥିବ । ଗୁଣ୍ଠୁରାଓ କହିଥିଲା ଯେ ବିଜୟଓ୍ୱାଡ଼ାରୁ ସାନୁ ଗାଡ଼ି ବଦଳ କରି ବମ୍ବେ ଯିବାର ଯୋଜନା ଥିଲା ।

 

ମଲ୍ଲିକ ପୁଲିସ୍‍ କଣ୍ଟ୍ରୋଲରୁମ୍‌କୁ ଜଣାଇଦେଇ କହିଲେ, ଯଦି ବମ୍ବେରେ ଗାଡ଼ି ପହଞ୍ଚିବା ପୂର୍ବରୁ କଲ୍ୟାଣ ବା ଥାନେଠାରେ ସାନୁ ଜେନାକୁ ପୁଲିସ୍‍ ଠାବ ନ କରେ ତେବେ ଭିକ୍‌ଟୋରିଆ ଟରମିନାଲ୍‌ସରେ ପହଞ୍ଚିଗଲେ ତାକୁ ଆଉ ଧରିବା କଷ୍ଟକର ହେବ । ବମ୍ବେର ଅଣ୍ଡରୱାର୍ଲଡ ଦୁନିଆ ସହିତ ସମ୍ପର୍କ ଅଛି ସାନୁ ଜେନାର ।

 

ଘରକୁ ନ ଯାଇ ଥାନାରେ ବସି ରହିଲେ ଥାନାବାବୁ ଭୁବନ ମୋହନ ମଲ୍ଲିକ । ପ୍ରାୟ ସକାଳ ଦଶଟାବେଳେ ପୁଲିସ୍‍ କଣ୍ଟ୍ରୋଲ ରୁମ୍‌ ଜଣାଇଦେଲା ଯେ ସାନୁ ଜେନା ଧରାପଡ଼ିଛି ଥାନେରେ । ପୁଲିସ୍‍ ଗିରଫ କରିଛି ସାନୁକୁ । ତା’ ସାଙ୍ଗରେ ଯାଉଥିବା ତିନିଜଣ ବାଳକଙ୍କୁ ମଧ୍ୟ ପୁଲିସ୍‍ ଉଦ୍ଧାର କରିଛି । ସେମାନଙ୍କୁ ଅରଫାନେଜ୍‌ରେ ରଖାଯାଇଛି ଅସ୍ଥାୟୀ ଭାବରେ ।

 

ରାତିସାରା ଶୋଇ ନାହାଁନ୍ତି ଭୁବନ ବାବୁ । ପୁଲିସ୍‍ ଚାକିରି ଏହିପରି । ମଉଜ କରିବା ପାଇଁ ସମୟ ମିଳେନା । ଶୋଇବା ପାଇଁ ସୁଯୋଗ ହୁଏନା । ଆସାମୀଙ୍କୁ ଧରିବା ପାଇଁ ଥରେ ଜିଦ୍‌ ବସିଲେ ସେଇ ଲକ୍ଷ୍ୟରେ ନ ପହଞ୍ଚିବା ପର୍ଯ୍ୟନ୍ତ ପୁଲିସ୍‍ ଅଫିସର ଭୋକ ଶୋଷ ନିଦ ସବୁ ଭୁଲି ଯାଆନ୍ତି ।

 

କ୍ଵାର୍ଟରକୁ ଯାଇ ସ୍ନାନ ଶେଷ କରି ଖାଇବାବେଳେ ତାଙ୍କ ସ୍ତ୍ରୀ କହିଲେ, ‘ସତ କୁହ ତ ! ଗୁଣ୍ଡୁରାଓ କ’ଣ ବୋମା ଫିଙ୍ଗିଥିଲା... ?’

 

ମାଛରୁ କଣ୍ଟା କାଢ଼ିବାବେଳେ ସ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ ଥାନାବାବୁ - ‘ବୋମା ଗୋଟେ ପଡ଼ିଥିଲା, ପୁଲିସ୍‍ ପାଇଛି । ଗୁଣ୍ଟରାଓ ଫିଙ୍ଗି ନ ଥିଲେ ଆଉ କିଏ ଫିଙ୍ଗିବ ?’

 

ତାଙ୍କ ସ୍ତ୍ରୀ କ’ଣ କହିବା ପାଇଁ ଯାଉଥିଲେ ତାଙ୍କୁ ମୁହଁ ବନ୍ଦ କରିବା ପାଇଁ ଇସାରା ଦେଲେ ମଲ୍ଲିକ । କଣ୍ଟା ଛଡ଼ାଇଥିବା ମାଛ ଟୁକୁରାଏ ଚୋବାଇ ସାରି କହିଲେ, ‘ଇମିତି ହୁଏ... । ଦୁଷ୍ଟ ଦମନ କରିବା ପାଇଁ ଭଗବାନ ବି ଛଳ କରୁଥିଲେ... ।’

 

ଥାନା ବାବୁଙ୍କ ଆଖି ପୋଡ଼ୁଥିଲା । ସ୍ନାନ ସାରି ଖାଇବା ପରେ ଆଖି ପତା ମୁଦି ହୋଇଆସୁଥିଲା । କପେ କଫି ପିଇ ସେ ବାହାରି ପଡ଼ିଲେ ଡ୍ୟୁଟିରେ । କନ୍ୟାଶ୍ରମରେ ପହଞ୍ଚିବାବେଳକୁ ସେଠାରେ ମୈତ୍ରେୟୀ ତାଙ୍କୁ ଅପେକ୍ଷା କରୁଥିଲେ । ଥାନାବାବୁ ଗୁଣ୍ଡୁରାଓର କାହାଣୀ ଓ ସାନୁ ଜେନା ଧରାପଡ଼ିଥିବା ବିଷୟ ଠିକେ ଠିକେ କହିଗଲେ । ମୈତ୍ରେୟୀ ସବୁ ଶୁଣିଲେ । ସରଳା ବି ଶୁଣିଲା । ସେ ଭେଁ କିନା କାନ୍ଦି ଉଠି କହିଲା, ‘ଆଲୋ ମୋ ପୁଅ କ’ଣ କରୁଥିବ ଏଇନେ । ସତେ କ’ଣ ତାକୁ ଦେଖିବି ଆଉ... ?’

 

ତାକୁ ଆଶ୍ଵାସନା ଦେଇ କହିଲେ ମଲ୍ଲିକ ବାବୁ, ‘କାନ୍ଦିଲେ ପୁଅ ଫେରି ଆସିବନି । ହେଲେ କନ୍ୟାଶ୍ରମ ଯିଏ ସ୍ଥାପନ କରିଛନ୍ତି ତାଙ୍କ ସାମ୍ନାରେ ମୁଁ ଶପଥ କରି କହୁଛି ଯେ ସାନୁ ଜେନାକୁ ଜେଲ୍‌ ଏବଂ ମିଟୁକୁ ଫେରାଇ ନ ଆଣିବା ପର୍ଯ୍ୟନ୍ତ ମୁଁ ଶାନ୍ତିରେ ଶୋଇପାରିବି ନାହିଁ... ।’ ସରଳା ଆଶ୍ଵସ୍ତ ହେଲା । ମୈତ୍ରେୟୀଙ୍କ ଆଖି ଆଗରେ ଗୋଟିକ ପରେ ଗୋଟିଏ ବାଟ ବନ୍ଦ ହୋଇ ଯାଉଥିବାବେଳେ ଗୋଟିଏ ନୂଆ ବାଟ ଫିଟିଯିବାରୁ ସେ ମଲ୍ଲିକଙ୍କୁ ଅଶେଷ ଧନ୍ୟବାଦ ଦେଇ କହିଲେ, ‘ମୋ ପିଲା ହଜିଗଲେ ମୁଁ ଏତେ ଭାଙ୍ଗି ପଡ଼ି ନ ଥାନ୍ତି, କାରଣ ମୁଁ ଜାଣେ ଯେ ସେମାନଙ୍କୁ ଖୋଜି ଆଣିବା ପାଇଁ ଅନେକ ଲୋକ ଅଛନ୍ତି । ସରକାର ମଧ୍ୟ ତତ୍ପରତା ପ୍ରକାଶ କରିବେ । କିନ୍ତୁ ନିଃସହାୟା ସରଳାର ସାହା ଭରସା କେବଳ ଭଗବାନ ଏବଂ ଆଉ ଆପଣଙ୍କ ପରି କର୍ତ୍ତବ୍ୟନିଷ୍ଠ ପୁଲିସ୍‍ ଅଫିସର ।’

 

ମଲ୍ଲିକ ବାବୁ ବିଦାୟ ନବା ଆଗରୁ କିନ୍ତୁ କହିଲେ, ‘ଆପଣ ଅନ୍ୟମାନଙ୍କ କଥା ଭାବନ୍ତି ବୋଲି ମୁଁ ଆପଣଙ୍କ ପରିବାର କଥା ଭାବେ । ପୁଅ ରାତିଅଧଯାଏ କେଉଁ ଆଡ଼େ ରହିଯାଇଥିଲା ବୋଲି ମୁଁ କ’ଣ କମ୍‌ ବ୍ୟସ୍ତ ହୋଇଥିଲି ମ୍ୟାଡାମ୍ । ସାର୍‌ ତ ମାଛି କୁ ମ’ କହନ୍ତି ନାହିଁ । ପାଠପଢ଼ା, ଜ୍ଞାନ ଅର୍ଜନ ନେଇ ସେ ବ୍ୟସ୍ତ । ଆପଣଙ୍କ ଉପରେ ଏତେବଡ଼ ପରିବାରର ବୋଝ । କିନ୍ତୁ ଆପଣ ବ୍ୟସ୍ତ ହେବେନି ମ୍ୟାଡାମ୍... । ମୋତେ ଟିକେ ସୂଚନା ଦେଲେ ମୁଁ ମୋ କର୍ତ୍ତବ୍ୟ କରିବି । ଆପଣଙ୍କୁ କହିଦିଏ ଯେ ବେଳେବେଳେ ସେଇ ନାଲି ମାରୁତି ଗାଡ଼ି ନେଇ ଯେଉଁ ଟୋକା ଜଣକ ଆସନ୍ତି ମିତା ଦେଈଙ୍କୁ ଛାଡ଼ିବା ପାଇଁ ସେ ଲୋକଟା କିନ୍ତୁ ଆଦୌ ଭଲ ନୁହେଁ... ଆପଣ ଟିକେ ସାବଧାନ ରହିବେ... ।’

 

ଭୁବନମୋହନ ମଲ୍ଲିକ ବିଦାୟ ନବା ପରେ ବି ତାଙ୍କର ଶେଷ ଦୁଇପଦ ଭୁଲି ପାରି ନ ଥିଲେ ମୈତ୍ରେୟୀ । କଥାଟା ଆଉ ପରିବାର ଭିତରେ ଆବଦ୍ଧ ନୁହେଁ । କାନରୁ କାନକୁ, ତୁଣ୍ଡରୁ ତୁଣ୍ଡକୁ ପ୍ରସାରିତ ହେଉଛି କାହାଣୀ । ପର ଲାଗିଛି ଦିହରେ ।

 

ଡିଜାଇନର ଅଫ୍‍ ଇଣ୍ଡିଆ ପକ୍ଷରୁ ପ୍ୟାରିସ୍‌ରେ ଫେସନ୍‌ ସୋରେ ଯୋଗ ଦବା ପାଇଁ ଯେଉଁ ଚାରିଜଣ ପ୍ରତିନିଧିତ୍ୱ କରିବେ ଭାରତର ସେମାନଙ୍କ ମଧ୍ୟରେ ମିତାର ନାମ ରହିଥିବା ଜାଣିବା ପରେ ମନୋଜ ଭାଙ୍ଗିପଡ଼ିଥିଲେ ଆହୁରି ବେଶି । ତାଙ୍କୁ ଲାଗୁଥିଲା ଯେ ମିତା ଆଉ ତାଙ୍କ ଝିଅ ହୋଇ ରହି ନାହିଁ । ସେ ଏଇ ବିରାଟ ବିଶ୍ଵରେ ନିଜ ପାଇଁ ନିର୍ଦ୍ଦିଷ୍ଟ ଭୂମିକାଟିଏ ବାଛି ନେଇଛି । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସେଦିନ ଅନେକ ସମୟ ଆଲୋଚନା ହେଲା । ଥାନାବାବୁ ଭୁବନ ମୋହନ ମଲ୍ଲିକ ଯାହା କହିଥିଲେ ରୋହିତ ପଟ୍ଟନାୟକ ସମ୍ବନ୍ଧରେ ସେତକ ବି ମୈତ୍ରେୟୀଙ୍କ ମୁହଁରୁ ଶୁଣିଲେ ମନୋଜ । ଥଳକୂଳ ନ ପାଇ ବୋଇତ ମଝିଦରିଆରେ ଭାସୁଥିବା ପରି ଆଚାର୍ଯ୍ୟ ପରିବାର ଏହାର ସମସ୍ତ ପଛୁଆପଣ ଓ ଅଗ୍ରଗାମୀ ଭାବନାକୁ ନେଇ ଅପ୍ରାସଙ୍ଗିକ ମନେହେଉଥିଲା-। ଠାକୁର ପୂଜା, ସନ୍ଧ୍ୟା ଅର୍ଚ୍ଚନା, ସକାଳର ମାଙ୍ଗଳିକ ସବୁ ନିରର୍ଥକ ମନେହେଉଥିଲା ।

 

କିନ୍ତୁ ମନୋଜକୁ ଆଶ୍ଵାସନା ଦେଇ କହିଲେ ମୈତ୍ରେୟୀ, ‘ଏ ଲାଇନ୍‌ଟା ବିଷୟରେ ଆମେ ବିଶେଷ କିଛି ଜାଣୁନା ବା ସମ୍ପୂର୍ଣ୍ଣ ଅବହିତ ନୋହୁଁ ବୋଲି ମଡେଲିଂ କରିବାଟା ଖରାପ ମନେହେଉଛି । କିନ୍ତୁ ଆମେ କାହିଁକି ଭାବିବା ଯେ ଆମ ପୁଅ ଝିଅମାନେ ବି ଆମରି ପ୍ରଚଳିତ ପ୍ରଥା, ପରମ୍ପରା ଓ ବିଶ୍ଵାସ ମଧ୍ୟରେ ବାନ୍ଧି ହୋଇ ରହିଥିବେ ? ସେମାନେ ଅର୍ଗଳମୁକ୍ତ ହେବାକୁ ଚାହାଁନ୍ତି । ମୁକ୍ତ ଜୀବନର ସୁଖ ଆସ୍ଵାଦନ କରିବାକୁ ଇଚ୍ଛା ସେମାନଙ୍କର । ଇଏ ସମୟର ସୁଅ । ଏହାର ପ୍ରବାହରେ ଅଛି ପ୍ରବଳ ଉନ୍ମାଦନା... ଏହାକୁ ରୋକିବା ପାଇଁ ଯାଇ ଆମେ ମିତାକୁ ଚିରଦିନ ପାଇଁ ହରାଇବା ଠିକ୍‌ ହେବ କି ?’

 

ମୈତ୍ରେୟୀ ଏତକ କହିସାରି ନିଜର ଆଗୁଆପଣ ଦେଖି ଚମକି ପଡ଼ିଲେ । ସେ ଏଇ କେତେଦିନ ଧରି କେବଳ ଶୁଣୁଛନ୍ତି ମିତା ବିଷୟରେ, ଅନ୍ୟମାନଙ୍କୁ କିଛି କହି ନାହାଁନ୍ତି । ଆଜି ତାଙ୍କୁ ମୁହଁ ଖୋଲିବାକୁ ହେବ । ବାପ ଓ ଝିଅ ମଧ୍ୟରେ ପାଚେରୀ ଉଠି ସାରିଛି । ସେ ବି ଯଦି ଯୋଗାଯୋଗର ସମସ୍ତ ପଥ ବନ୍ଦ କରିଦେବେ ତେବେ ତ ରୋହିତ ପଟ୍ଟନାୟକ ଏକା କୁଦାକରେ ବାଡ଼ ଡେଇଁ ବାହାରିଯିବ । ବରଂ ମିତାକୁ ବାଧ୍ୟ ନ କରି ତା’ର ଅବବୋଧଟିକୁ ଧୀରେ ଧୀରେ ବଦଳାଇବାକୁ ପଡ଼ିବ । ବିଧାତା ସହାୟ ହେଲେ ହୁଏତ ଏଇ ଅସାଧ୍ୟ ସାଧନ କରିବା ଅସମ୍ଭବ ହେବ ନାହିଁ ।

 

ସରୋଜ ଫୋନ୍‍ କରିଥିଲା । ରିସିଭରଟା ଉଠାଇ ନେଇ ସେ କହିଲେ, ‘ପଦ୍ମଜା ଏକା ସେଦିନ ଫେରିଗଲା । ତମେ ତ ଆସିଲ ନାହିଁ... ଆଜି କ’ଣ ଆସିବ ?’

 

ସରୋଜ କହିଲା, ‘ତମକୁ ଗୋଟେ ଜରୁରୀ ଖବର ଦେବି । ତମେ ଜାଣ କି ନା ମୁଁ ଜାଣେନି ଭାଉଜ, କିନ୍ତୁ ଆଜି ଡିଆଇଜି ଇଣ୍ଡେଲିଜେନ୍ସଙ୍କ ସହିତ ଆଳାପ ଆଲୋଚନା କରୁଥିବାବେଳେ ସେ ଯାହା ସୂଚନା ଦେଲେ ସେତକ ଶୁଣି ମୋ ମଥା ବୁଲୁଚି । କ’ଣ କରିବି ଭାବି ପାରୁ ନାହିଁ... ।’

 

‘- କ’ଣ କହୁଥିଲେ ଡିଆଇଜି ?’ ପଚାରିଲେ ମୈତ୍ରେୟୀ । ସେ କହିଲେ ଯେ ଅପୁ ଫେରିବାର ବାଟ ସେ ଆପେ ଆପେ ବନ୍ଦ କରିଦେଉଛି । ଦଳର ଆଇଡିଓଲୋଜି କ୍ୟାମ୍ପରେ ଯୋଗ ଦବାପାଇଁ କମ୍ରେଡ଼୍‍ ଶ୍ରୀନିବାସ ବାଛିଛନ୍ତି ତାକୁ । ସେ ଛଅମାସ ଗୋଟେ ଗୁପ୍ତ ସ୍ଥାନରେ ଟ୍ରେନିଂ ନବ-। ଆଉ କେତେଜଣ ବି ରହିବେ ଟ୍ରେନିଂ କ୍ୟାମ୍ପରେ । ସେଇ ଟ୍ରେନିଂ ବେଶ୍‌ କଠୋର । ଗରିଲା ଯୁଦ୍ଧ ଚଳାଇବା ପାଇଁ ସବୁପ୍ରକାର ଶିକ୍ଷା ଦିଆଯିବ ସେମାନଙ୍କୁ...।’

 

ମୈତ୍ରେୟୀ ତଥାପି ସାହସ କରି ପଚାରିଲେ, ‘ତେବେ କ’ଣ ସେ ଆଉ ଫେରିବ ନାହିଁ କହୁଛ ?’

 

- ‘ନା, ଭାଉଜ ମୁଁ କହୁନି, ତିଆଇଜି କହୁଛନ୍ତି । ତାଙ୍କୁ ଗୁଇନ୍ଦା ରିପୋର୍ଟ ମିଳିଥିବ । ଜନଯୋଦ୍ଧାମାନଙ୍କର ଗୁପ୍ତ ଆଡ୍ଡା ସମ୍ପର୍କରେ ସେ ଖବର ପାଇଥିବେ । କିନ୍ତୁ ମୁଁ ଭାବୁଚି କ’ଣ ଜାଣ... ?’ କହିଲା ସରୋଜ ।

 

ଦୁର୍ଗ ପତନର ବେଳ ଆସନ୍ନ ହେଲେ ଦୁର୍ଗ ରକ୍ଷକର ସ୍ଵର ଯେପରି କମ୍ପି ଉଠେ ସରୋଜର ସ୍ଵର ସେଇପରି କମ୍ପି ଉଠିଲା । ସେ ଚୁପ୍‌ ହୋଇଗଲା କେତେକ୍ଷଣ । ମୈତ୍ରେୟୀ ନିଃସହାୟ ମନେକରୁଥିଲେ ନିଜକୁ । ଯେଉଁ ଡାଳ ଧରିବା ପାଇଁ ଭରସା ରଖିଥିଲେ ସେଇ ସବୁ ଡାଳ ଗୋଟିକ ପରେ ଗୋଟିଏ ଭାଙ୍ଗି ଯାଉଛି । ଅପୁ ଚାଲିଗଲା, ମିତା ଚାଲିଯିବା ପାଇଁ ପାଦ ଟେକିଛି... ଭାସ୍ୱତୀକୁ ନବା ପାଇଁ ଆସିବ କହି ଦିନ ଗଡ଼ାଉଛି ବିଶ୍ଵମୋହନ... ଆଉ ସ୍ଵାତୀକୁ ତାଙ୍କ ପାଖରେ ଛାଡ଼ିଦେଇ ବେଶ୍‌ ନିଶ୍ଚିନ୍ତ ମନରେ ଆଡ୍ଡା ଦବା ଆରମ୍ଭ କରିଛି ପଦ୍ମଜା... ଅଙ୍କିତର ଯୋଜନା ସମନ୍ଧରେ ଜାଣନ୍ତିନି ସେ । କିନ୍ତୁ ତା’ ଉପରେ ଭରସା କରି ଯଦି ନିଜ ନାଆ ଛାଡ଼ି ତା’ ନାଆକୁ ଗୋଡ଼ ବଢ଼ାଏ ପଦ୍ମଜା ତେବେ ମଝି ଦରିଆରେ ବୁଡ଼ି ମରିବାହିଁ ସାର ହେବ । ଏତେଗୁଡ଼ାଏ ସମସ୍ୟାର ସାମନା କରିବା ପାଇଁ ସାଧ୍ୟ ନାହିଁ ତାଙ୍କର ?

 

ଆଜି ସନ୍ଧ୍ୟାବେଳେ ବି କୋଠରୀ ଭିତରୁ ମନୋଜ ବାହାରିଲେ ନାହିଁ । ଭିତରୁ କବାଟ ବନ୍ଦ କରିଦେଇ ବସିଥିଲେ ଏକାନ୍ତରେ ଭାବିବା ପାଇଁ । ସେ ଜାଣନ୍ତି ଯେ ସେ ଯଦି ଖାଇବା ଟେବୁଲକୁ ନ ଯାଆନ୍ତି ରାତ୍ରି ଭୋଜନ କରିବା ପାଇଁ ତେବେ ଅନ୍ୟ କେହି ବି ଯିବେ ନାହିଁ । ସମସ୍ତଙ୍କୁ ଉପାସରେ ରଖିବା ଅନ୍ୟାୟ ହେବ । ପରିବାରରେ ପାଞ୍ଚଜଣ ରହନ୍ତି । ତେଣୁ ପାଞ୍ଚଜଣଙ୍କୁ ସୁହାଇବା ଭଳି ଚଳିବାକୁ ହୁଏ । ଜଣେ ବା ଦୁଇଜଣ ଯଦି ବାଟ ଭାଙ୍ଗି ଅବାଟରେ ଯାଆନ୍ତି ତେବେ ଅନ୍ୟମାନେ ସେମାନଙ୍କୁ ବାଟକୁ ଆସିବା ପାଇଁ ପ୍ରବର୍ତ୍ତାଇବେ ସିନା ପ୍ରଚଳିତ ପ୍ରଥା ପରମ୍ପରା ଭାଙ୍ଗିବେ ନାହିଁ ।

 

ନଅଟା ବାଜିସାରି ଥିଲା । ଟେବୁଲ ଉପରେ ଖାଦ୍ୟ ସଜାଇ ଦେଇ ଅପେକ୍ଷା କରୁଥିଲା କୁନ୍ତୀ । ଜଣ ଜଣ କରି ଆସିଲେ । ସମୟ ଉତ୍ତୀର୍ଣ୍ଣ ହୋଇଯାଇଥିବା ଦେଖି ମା’ ଙ୍କ ଇଙ୍ଗିତ ପାଇ ଆନନ୍ଦ ଗଲା ବାପାଙ୍କୁ ଡାକିବା ପାଇଁ । ତାହାରି ସ୍ଵର ଶୁଣିବା ପାଇଁ ବୋଧହୁଏ ଅପେକ୍ଷା କରୁଥିଲେ ମନୋଜ । ତା’ ଡାକ ଶୁଣିବା କ୍ଷଣି ଭିତରୁ କହିଲେ, ‘ତମେ ସବୁ ବସ, ମୁଁ ଆସୁଛି....’

 

ଆନନ୍ଦ ଘୋଷଣା କରିଦେଲା ଯେ ବାପା ଆସୁଛନ୍ତି । ସମସ୍ତଙ୍କ ମୁହଁର ବିଷର୍ଣ୍ଣ ଭାବ ବଦଳିଗଲା ।

 

ମୈତ୍ରେୟୀ ଜାଣି ଜାଣି ସେଦିନ ପୁଅକୁ ମନୋଜଙ୍କ ପାଖରେ ବସାଇଥିଲେ । କିନ୍ତୁ ସମସ୍ତେ ଉପସ୍ଥିତ ଥିଲେ ବି ଜଣେ ଯେ ଏବେ ବି ଆସି ନ ଥିଲା ତାହା ବାରି ହୋଇ ପଡ଼ୁଥାଏ । ମନୋଜ ନିଜେ ଉଠିଯାଇ ଡାକିଆଣିଲେ ମିତାକୁ । ଖାଇବ ନାହିଁ, ଭୋକ ନାହିଁ କହୁ କହୁ ବାଧ୍ୟ ପିଲାଟି ପରି ମିତା ଆସି ଅନଙ୍ଗ ପାଖରେ ବସିଲା ।

 

ଆକାଶରୁ ମେଘ ଦୂର ହୋଇଗଲେ ଯେପରି ହସ ହସ ଦିଶେ ଆକାଶର ମୁହଁ, ଖାଇବା ପାଇଁ ସମସ୍ତେ ବସିବା କ୍ଷଣି ଡାଇନିଂ ରୁମର ପରିବେଶ ସେଇପରି ବଦଳିଗଲା ।

 

ଖାଇବାବେଳେ ଟେଲିଫୋନ୍‍ ବାଜି ଉଠିଲା । ଅନଙ୍ଗ ଉଠିଯାଇ ଧରିଲା ରିସିଭର ।

 

କିନ୍ତୁ ସେପାଖରୁ ପରିଚିତ ସ୍ଵର ଶୁଣି ଅନଙ୍ଗ କହିଲା, ‘‘ତମେ ପରା ଆଜି ଫ୍ଲାଇଟ୍‌ରେ ଆସୁଛ ?’

 

ସେପାରିରୁ କଅଣ କହୁଥିଲା କେହି ଜାଣିଲେ ନାହିଁ । କିନ୍ତୁ ଅନଙ୍ଗର ପ୍ରସନ୍ନ ମୁଖମଣ୍ଡଳ ହଠାତ୍‌ ବଦଳିଯିବା ଦେଖି କହିଲେ ମୈତ୍ରେୟୀ, ‘‘କ’ଣ ହେଲା, କିଏ କହୁଚି ସୋପାଖରୁ ?’

 

ଅନଙ୍ଗ ଟେଲିଫୋନ୍‍ ରିସିଭରଟା ରଖି ଦେଇ କହିଲା, ‘ନା ସେ ପ୍ଲାନ ପରିବର୍ତ୍ତନ କରିଛି । ଦିଲ୍ଲୀରେ ବାଟ ନ ଭାଙ୍ଗି ସିଧା ବ୍ୟାଙ୍ଗକକ୍‌ ଯାଉଛି । ଜରୁରୀ କାମ ଅଛି ସେଠାରେ ।’

 

ମୈତ୍ରେୟୀ କିନ୍ତୁ ବିଶ୍ଵାସ କଲେ ନାହିଁ । ତାଙ୍କୁ ଲାଗିଲା ଯେ ସୁସୁଇ ମିଛ କହିଛି । ମାସକ ଆଗରୁ ଯୋଜନା କରିଥିଲେ ଦୁହେଁ ତିନିଦିନ ଭୁବନେଶ୍ୱରରେ କଟାଇବା ପାଇଁ । ଏହି ସମୟରେ ସୁସୁଇକୁ ପରିବାର ସହିତ ପରିଚିତ କରାଇ ଦେଇଥାଆନ୍ତା ବୋଲି ପ୍ଲାନ କରିଥିଲା ଅନଙ୍ଗ । ମୈତ୍ରେୟୀ ଗୋଟେ ଲମ୍ବା କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ ସୁସୁଇ ଆସିବା ଉପଲକ୍ଷେ । ତିନିଦିନ ପୂର୍ବରୁ ସବୁ ଠିକ୍‌ ଥିଲା, ହଠାତ୍‌ କିପରି ସବୁ ବଦଳିଗଲା... ସାଧାରଣ ସମୟରେ ନଦୀ ଗତିପଥ ପରିବର୍ତ୍ତନ କରେ ନାହିଁ । ହୁଏତ ଆଉ କିଛି ଘଟିଛି, ଆଉ କିଛି ନୂଆ ସମସ୍ୟା ସୃଷ୍ଟି ହୋଇଛି... ।

 

ଅନଙ୍ଗ କହିଲା, ‘ଚାଲ ଭାଉଜ... ସମସ୍ତେ ଆମକୁ ଅପେକ୍ଷା କରୁଛନ୍ତି ।’

 

ନିରବରେ ଫେରି ଆସି ପାଖାପାଖି ବସିଲେ ।

 

ମନୋଚ୍ଚ ପରିବାରର ପ୍ରସଙ୍ଗ ଆଦୌ ଉଠାଇଲେ ନାହିଁ, ବରଂ ସମସ୍ତଙ୍କୁ ଶୁଣାଇ ଦେଲେ ଯେ ଆସନ୍ତା ଉଇକ୍‌ ଏଣ୍ଡ ଚିଲିକାରେ କଟାଇବା ପାଇଁ ସେ ବ୍ୟବସ୍ଥା କରିଛନ୍ତି । ଦୁଇଟା କାର୍‌ରେ ଯିବେ ସେମାନେ । ବରକୂଳରୁ ମୋଟର ବୋଟରେ ଯିବେ ପାରିକୁଦ ମାଲୁଦ... । କୃଷ୍ଣପ୍ରସାଦର ବିଡିଓ ତାଙ୍କର ସହପାଠୀ ! ସେ ସମସ୍ତ ଆୟୋଜନ କରିଛନ୍ତି ।

 

ସାତପଡ଼ାରେ ଡଲଫିନ୍ ଦେଖିବା ପାଇଁ ମଧ୍ୟ ଯୋଜନା ରହିଛି... ।

 

ମିତା ଚୁପ୍‌ଚାପ୍‌ କ’ଣ ଟିକେ ଖାଇଦେଇ ମୁହଁ ପୋଛିଲା ।

 

ମୈତ୍ରେୟୀ କହିଲେ, ‘ଚିଙ୍ଗୁଡ଼ି ଖଣ୍ଡେ ନେଲୁନି.... ମୁଁ ତିଆରି କରିଥିଲି... ।’

 

ମିତା କିଛି କହିଲା ନାହିଁ । ତା’ କୋଠରୀକୁ ଯାଇ କବାଟ କିଳି ଶୋଇପଡ଼ିଲା ।

 

ମନୋଜଙ୍କୁ ବାଧିଲା ଝିଅର ଆଚରଣ । ଏମିତି ନ ଥିଲା ସେ । ଆଦ୍ୟ ଯୌବନର ନିଶା ପ୍ରତ୍ୟେକଙ୍କୁ ଜିଦ୍‌ଖୋର କରେ । କଥା କଥାରେ ଅଭିମାନ, ରାଗରୁଷା ! ବାପା ମା’ ଭାଇ କାକା ପିଉସୀଙ୍କ ସାନ୍ନିଧ୍ୟ ସୁଖରୁ ମୁହଁ ବୁଲେଇ ସମସ୍ତଙ୍କୁ ବେଖାତିର କରି ଚାଲିଯିବା ଠିକ୍‌ ହେଲାନି । ଆଜିକାଲି ସମସ୍ତ ପିଲା ଏଇପରି ନା ମିତା କେବଳ ଏମିତି ତାହା ଭାବି କୂଳ କିନାରା କିଛି ସ୍ଥିର କରିପାରିଲେ ନାହିଁ ମନୋଜ । ତାଙ୍କୁ ଲାଗୁଥିଲା ଯେପରି ବନ୍ୟାରେ ଭାସିଯାଉଥିବା ଲୋକ ଭଉଁରୀ ଆଡ଼କୁ ପ୍ରବଳ ବେଗରେ ଟାଣି ହୋଇଯାଏ ମିତା ସେହିପରି ଅବସ୍ଥାରେ ପହଞ୍ଚୁଛି । କିନ୍ତୁ ସେ ଜାଣେ ନା ଯେ ଭଉଁରୀରେ ପଡ଼ିଗଲେ ଆଉ ସାଧ୍ୟ ନ ଥାଏ ଉଦ୍ଧାର ପାଇବାର ।

 

ମୈତ୍ରେୟୀ ପରିବେଶଟାକୁ ହାଲୁକା କରିଦେବା ପାଇଁ କହିଲେ, ‘ବଡ଼ ଇଚ୍ଛା ଥିଲା ସୁସୁଇ ସହିତ ସାଇନ ବସିବା ପାଇଁ । ସେ ସୁଯୋଗ ହାତଛଡ଼ା ହୋଇଗଲା । ଆଉ କେବେ ପୁଣି ସୁଯୋଗ ଆସିବ କିଏ ଜାଣେ ? କିନ୍ତୁ ବାଟ ଭାଙ୍ଗି ଦିଲ୍ଲୀରେ ଉହ୍ଲାଇବା ପ୍ଲାନ ଯଦି ସେ ବାତିଲ କରିଥାଏ ତେବେ ତା’ର କାରଣ ଥିବ... ଯାହା ସେ ଏଡ଼ି ଦେଇପାରି ନାହିଁ,...।’

 

ଅନଙ୍ଗ ଏତେବେଳେ ମୁହଁ ଖୋଲିଲା ଏବଂ କହିଲା, ‘ବିଜିନେସ୍‌ ଇଣ୍ଟାରେଷ୍ଟ ହ୍ୟୁମେନ ଫିଲିଙ୍ଗ୍‌ସଠାରୁ ବଡ଼ ହେଲା । ବ୍ୟବସାୟ, ସମ୍ପତ୍ତି, ପ୍ରାଚୁର୍ଯ୍ୟ ଜୀବନର ସଫଳତା ପାଇଁ ସବୁ କିଛି ନୁହେଁ । ତା’ ବାହାରେ ମଣିଷର ଭାବନା, ତା’ର ସୁଖ ସାନ୍ନିଧ୍ୟ ପାଇଁ ଗଢ଼ିଉଠିଥିବା ସମ୍ପର୍କକୁ ଗୌଣ ମନେକଲେ ଦିନେ ଠକି ଯିବାର ଭୟ ଥାଏ ।’

 

ତାକୁ ଯେ ବାଧିଛି ଏୟା ଅନୁଭବ କରି ମୋଡ଼, ବଦଳାଇବା ପାଇଁ କହିଲେ ମନୋଜ, ‘ବହୁତ ସମୟ ଅଛି ହାତରେ... ଏସବୁ ଆପେ ଆପେ ସମାଧାନ ହୋଇଯିବ ! ଲେଟ୍‌ ଆସ୍‌ ନଟ୍‌ ମେକ୍‌ ଇଟ୍‌ ଏନ୍‌ ଇସ୍ୟୁ... ।’

 

ମନୋଜ, ଆନନ୍ଦ, ଭାସ୍ଵତୀ ଯେଝା କୋଠରୀକୁ ଚାଲିଗଲେ । ଭାସ୍ଵତୀକୁ ଉଠିବାବେଳେ ଅଟକାଇ ଦେଇ କହିଲେ ମୈତ୍ରେୟୀ ‘ରବିବାର ବିଶ୍ୱମୋହନ ଆସିବ । ମନେଥାଏ ଯେପରି ।’’

 

ସେ ଭାଉଜଙ୍କ ଦୃଷ୍ଟିରେ ଆଶାର ଝଲକ ଦେଖି ଆଉ କିଛି କହିଲା ନାହିଁ ।

 

ଅନଙ୍ଗ ସାଙ୍ଗରେ ଅନେକ ସମୟ ଗପସପ କଲେ ମୈତ୍ରେୟୀ । ଆକାଶରେ ତିଆରି କରିଥିବା ଆଚାର୍ଯ୍ୟ ନିବାସ ଯେ ଦୋହଲି ଯାଇଛି ଏବଂ ଯେକୌଣସି ମୁହୂର୍ତ୍ତରେ ମୁଠାଏ ତାସ୍‌ ପରି ଖସି ପଡ଼ିବ ଏଇ ସତ୍ୟଟା ଜଳ ଜଳ ଚାହିଁ ରହିଥିଲା ସେମାନଙ୍କ ଆଡ଼କୁ ।

 

ମୈତ୍ରେୟୀ କହିଲେ, ‘ସେଦିନ ପଦ୍ମଜା ଆସି ଜଣାଇ ଦେଇଗଲା ଯେ ଆଚାର୍ଯ୍ୟ ପରିବାରରେ ଯାହାକିଛି ଘଟୁଛି ସେସବୁ ପୂର୍ବ ନିର୍ଦ୍ଧାରିତ । ଏୟା ଘଟିବ ବୋଲି ସେ ପୂର୍ବାଭାସ ପାଇଥିଲା । ମିତା ଯେ ଖରାପ ପିଲାଙ୍କ ସହିତ ସମ୍ପର୍କ ରଖି ଆସୁଛି ଏହା ସେ ଅନେକ ଆଗରୁ ଜାଣିଥିଲା... ।’

 

ତା’ହେଲେ ଏଇ ପରିବାରର ଜଣେ ବରିଷ୍ଠ ସଦସ୍ୟାଭାବେ ତାଙ୍କର କ’ଣ କିଛି କର୍ତ୍ତବ୍ୟ ନ ଥିଲା ସମସ୍ତଙ୍କୁ ସତର୍କ କରିଦବା ପାଇଁ ? ନା, ସେ ବରଂ ଚାହୁଁଥିଲେ ଯେ ଏପରି କିଛି ଘଟିଲେ ତାଙ୍କ ଉପରୁ ନଜର ଅନ୍ୟ ଦିଗକୁ ଯିବ ଏବଂ ସେ ମନଇଚ୍ଛା ଯେପରି ଚାହିଁବେ ସେହିପରି କରିବାକୁ ସୁବିଧା ପାଇବେ... ।

 

ଅନଙ୍ଗର କଥାରେ ଥିଲା ଶ୍ଲେଷ । ତା’ ସହିତ ମୈତ୍ରେୟୀ ଏକମତ । କିନ୍ତୁ ଆଜି ଏଇ ପ୍ରଥମ ଥର ତାଙ୍କ ଆଗରେ ସେ ଏପରି ମର୍ଯ୍ୟାଦା ଭଙ୍ଗ କଲା । ଅନଙ୍ଗକୁ ସତର୍କ କରିଦବା ପାଇଁ ମୈତ୍ରେୟୀ କହିଲେ, ‘ମୁଁ ବି ସେୟା ଭାବେ ଅନଙ୍ଗ... କିନ୍ତୁ ତମେ ଏକଥା ନ କହିଥିଲେ ଭଲ ହୋଇଥାନ୍ତା । ସେ ତମର ସମ୍ମାନନୀୟା ।’

 

ଅନଙ୍ଗର ମୁହଁ ଉପରେ ସାମାନ୍ୟ ବକ୍ରହସର ଛିଟା ଚମକି ଉଠି ମିଳାଇ ଗଲା । ସେ ତତ୍‌କ୍ଷଣାତ୍‌ ନିଜକୁ ସଂଶୋଧନ କରିନବା ପାଇଁ କହିଲା, ‘ମୁଁ ଦୁଃଖିତ ଭାଉଜ । କହୁଁ କହୁଁ ମୁହଁରୁ କ’ଣ ବାହାରିଗଲା । କିନ୍ତୁ ତମେ କୁହତ ଭାଉଜ ବଡ଼ ବଡ଼ ମାନେ ସାନମାନଙ୍କ ଆଗରେ ଯେପରି ଆଦର୍ଶ ରଖିବେ ସାନମାନେ ସେୟା କରିବା କ’ଣ ଅସ୍ଵାଭାବିକ ? ଥାଉ ସେ କଥା । ମଝିଆଁ ଭାଇନା ବୁଝିବେ । ମୁଁ ଅଦା ବେପାରୀ, ଜାହାଜ ମୂଲ କରିବା ଅନଧିକାର ଚର୍ଚ୍ଚା.... ।’

 

ପରିବାରର ଭଲମନ୍ଦ ବିଷୟରେ ଅନଙ୍ଗ ସହିତ ଅନେକ ବେଳ ପର୍ଯ୍ୟନ୍ତ ଆଲୋଚନା କଲେ ମୈତ୍ରେୟୀ ।

 

ଟିଭି ପର୍ଦ୍ଦାରେ ଘର ଘର କୀ କାହାନୀ ପରେ ‘କ୍ୟୁଁକି ଶାଶ୍‌ଭୀ କଭୀ ବୋହୂ ଥୀ’ ପ୍ରାୟ ଶେଷ ହୋଇ ଆସୁଥିଲା... ।

 

ଏଇ ଅଜବ ଅବାସ୍ତବ ଚିତ୍ର ଦେଖିବା ପାଇଁ ବାସ୍ତବ ଜଗତର ଲକ୍ଷ ଲକ୍ଷ ମହିଳା ଓ ପୁରୁଷ ଟିଭି ପର୍ଦ୍ଦାକୁ ଚାହିଁ ରହିଥାନ୍ତି ଏୟା ନିଶ୍ଚିତଭାବେ ଆଶ୍ଚର୍ଯ୍ୟର ବିଷୟ । ମଣିଷର ଚେତନାରେ ତା’ହେଲେ ବାସ୍ତବତା ଅପେକ୍ଷା ଉଦ୍ଭଟ କଳ୍ପନା ବେଶି ସ୍ଥାନ ଅଧିକାର କରେ ।

 

ସିରିଏଲ ଶେଷ ହେବା କ୍ଷଣି ଏନଡିଟିଭିର ଖବର ଶୁଣିବା ପାଇଁ ବୋତାମ ଟିପିଲା ଅନଙ୍ଗ ।

 

ବ୍ରେକିଂ ନିଉଜ୍‌... ବେକିଂ ନିଉଜ୍‌ ଭାସି ଉଠିଲା ପର୍ଦ୍ଦା ଉପରେ ।

 

ଦୁଇ ମିନିଟ୍‌ ଅତିକ୍ରାନ୍ତ ହୋଇ ନ ଥିବ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଗଲା ପର୍ଦ୍ଦା ଉପରେ- ‘ହଷ୍ଟନରୁ ବ୍ୟାଙ୍କ୍‌କକ୍‌ ଯାଉଥିବା ବିମାନ ଏୟାରପୋର୍ଟ ଛାଡ଼ିବାର ପନ୍ଦର ମିନିଟ୍‌ ପରେ ଆକାଶରେ ବିସ୍ଫୋରଣ ଯୋଗୁ ଧ୍ଵଂସ ହୋଇଗଲା । କୌଣସି ଯାତ୍ରୀ ବଞ୍ଚି ନ ଥବା ଆଶଙ୍କା । ଆତଙ୍କବାଦୀ କାର୍ଯ୍ୟ ବୋଲି ପରରାଷ୍ଟ୍ର ବିଭାଗ ମୁଖପାତ୍ରଙ୍କ ସୂଚନା... ।’

 

ତା’ ପରେ ପରେ କେବଳ ପ୍ଲେନ୍ କିପରି ଟେକ୍‌ଅପ୍‌ ନେଲା, ଆକାଶକୁ ଉଠିଲା ଏବଂ ବୋମା ବିସ୍ଫୋରଣ ଯୋଗୁ ବିମାନ ଖଣ୍ଡ ଖଣ୍ଡ ହୋଇ ଭୂଇଁ ଉପରେ ପଡ଼ିଲା ସେଇ ଦୃଶ୍ୟ ଭାସି ଉଠିଲା ଟିଭି ପର୍ଦ୍ଦାରେ ।

 

ସମୟ ସେତେବେଳକୁ ଏଗାରଟା ପନ୍ଦର ମିନିଟ୍‌ । ଏଇ ଦୁଇଘଣ୍ଟା ମଧ୍ୟରେ ଏପରି ବିପର୍ଯ୍ୟୟ ଘଟିଗଲା । ପ୍ଲେନ୍‌ ଟେକ୍‌ ଅପ୍‌ କରିଥିଲା । ଦୁର୍ଘଟଣା ଘଟିଲା ଟେକ୍‌ଅପ୍‌ କରିବାର ପନ୍ଦର ମିନିଟ୍‌ ପରେ । ମୁହଁ ଢାଙ୍କି ଚୌକି ଉପରେ ଆଉଜି ପଡ଼ିଲା ଅନଙ୍ଗ ।

 

ମୈତ୍ରେୟୀ କ’ଣ କହିବେ କିଛି ଠିକ୍‌ କରି ପାରିଲେ ନାହିଁ । ସେ ଅନଙ୍ଗକୁ ଛାଡ଼ିଦେଲେ ପ୍ରଥମ କେଇ ମିନିଟ୍‌ ନିଜର ଇମୋସନ୍‍କୁ ନିୟନ୍ତ୍ରଣ କରିବା ପାଇଁ । ତା’ ପରେ ସ୍ନେହମୟୀ ଜନନୀ ପରି ତା’ କାନ୍ଧ ଉପରେ ହାତ ରଖି କହିଲେ ବାଷ୍ପାକୁଳ ସ୍ଵରରେ ‘‘ଏୟା ବୋଧହୁଏ ଇଶ୍ୱରଙ୍କ ଇଚ୍ଛା ଥିଲା... ଏୟା ବୋଧହୁଏ ସୁସୁଇ ନିୟତି ଏବଂ ତୁମ ଦୁହିଁଙ୍କ ମଧ୍ୟରେ ଗଢ଼ିଉଠିଥିବା ସମ୍ପର୍କର ଶେଷ ପରିଣତି... ସେ ଆଉ ଫେରିବ ନାଇଁ, କିନ୍ତୁ ତମକୁ ବଞ୍ଚିରହିବାକୁ ହେବ ଅନୁ... ଅନେକ ବାଟ ଚାଲିବାକୁ ହେବ ଭାଇ.... ଭାଙ୍ଗି ପଡ଼ନା, ଧୈର୍ଯ୍ୟଧର....।’’

 

(ଅଣତିରିଶି)

 

ପଦ୍ମଜା ଯାଇଥିଲା ଅଙ୍କିତର ନିମନ୍ତ୍ରଣ ରକ୍ଷା କରି ତା’ ସହିତ ଗୋଟେ କକ୍‌ଟେଲ ପାର୍ଟିରେ ଯୋଗଦେବା ପାଇଁ । ରାଜଧାନୀର ବଡ଼ କକ୍‌ଟେଲ ପାର୍ଟି । ତା’ ସହିତ ‘କାବାରେ ନୃତ୍ୟ’-। ଆଗରୁ ପିଉ ନ ଥିଲା ପଦ୍ମଜା । କିନ୍ତୁ ଅଙ୍କିତ ତାକୁ ବୁଝାଇ ଦେଇଥିଲା ଯେ, ଲେମ୍ବୁପାଣି ପିଇବା ପାଇଁ କେହି କକ୍‌ଟେଲକୁ ଯାଏନା । କାବାରେ ଏନ୍‌ଜୟ କରିବା ପାଇଁ ହେଲେ ମଧ୍ୟ ଡ୍ରିଙ୍କ୍‌ କରିବା ଦରକାର । ରୋମାଞ୍ଚକର ଗୀତ, ନାଚ ଉପଭୋଗ କରିବା ପାଇଁ ଉଦ୍ଦୀପକ ପରିବେଶ ଲୋଡ଼ା । କାବାରେ ଚାଲିଥିବାବେଳେ ଝିଅଟା ଯେତେବେଳେ ନାଚି ନାଚି ଅଙ୍କିତର ଛାତି ଉପରକୁ ଆସିଯାଉଥିଲା ସେତିକିବେଳେ ତାକୁ ଠେଲିଦେଇ ଫିସ୍‌ ଫିସ୍‌ କରି କହିଲା ପଦ୍ମଜା- ‘ତମେ ଯଦି ତା’ ସହିତ ମଜା କରିବାକୁ ଚାହୁଁଥିଲ ତେବେ ମୋତେ ସାଙ୍ଗରେ ଆଣିଲ କାହିଁକି ? ମୁଁ କ’ଣ ଏଇ ଦୃଶ୍ୟ ଦେଖିବା ପାଇଁ ଆସିଥିଲି ?’

 

ତା’ ହାତକୁ ଗୋଟେ ଗିଲାସ ବଢ଼ାଇ ଦେଇ କହିଲା ଅଙ୍କିତ ଟିକେ ପିଇନିଅ । ମନ ଓ ଦେହକୁ ଗରମ କରି ନବା ପାଇଁ ପିଇବା ଦରକାର ।’ ତା’ପରେ ଅଙ୍କିତ ତାକୁ, ଭିଡ଼ି ନେଇଯାଇଥିଲା ଆଉ ଗୋଟେ କୋଠରୀକୁ । ସେଇଠି ସେମାନେ ନିଜକୁ ହଜାଇ ଦେଇଥିଲେ ନିଜ ପାଖରେ । ସେଇ ଉନ୍ମତ୍ତ ଉଲ୍ଲାସ ଶୀତଳ ହେବା ପରେ ପଦ୍ମଜା ହାତ ଘଟିକୁ ଚାହିଁ ଚିହିଁକି ଉଠି କହିଲା, ବାଆରଟା ପଇଁଚାଳିଶ । ସେ ଏତେବେଳକୁ ଫେରି ଆସିଥିବେ ନିଶ୍ଚୟ । ମୋତେ ଘରେ ନ ଦେଖି କ’ଣ ଭାବିବେ କେଜାଣି ?’

 

ଅଙ୍କିତ କହିଲା, ‘‘ରେଡିମେଡ଼ ଆନ୍‌ସର୍ ତ ମହଜୁଦ ଥାଏ ତୁମ ତୁଣ୍ଡରେ- ହଠାତ୍‌ କଟକ ଯିବାକୁ ହେଲା ଗୋଟେ କମ୍ପ୍ଳିକେଟେଡ଼ ଅପରେସନ କରିବା ପାଇଁ । ଫେରିବାବେଳକୁ ଡେରି ହୋଇଗଲା .... ।’

 

ପଦ୍ମଜା ମୁହଁ ବଙ୍କେଇ କହିଲା, ‘‘ସତ କଥାଟା ଜାଣିଗଲେ କ’ଣ ପରିଣାମ ହେବ ?’

 

ପରିଣାମ ପାଇଁ ତ ଆମର ପ୍ରସ୍ତୁତି ଶେଷ ହୋଇଛି । କେବଳ ଅପେକ୍ଷା ରହିଛି ଡିଭୋର୍ସ କେଶ୍‌ ଫାଇଲ କରିବା ପାଇଁ । ସେଇ ସମୟ ଯଦି ଦ୍ରୁତତର ହୁଏ ତେବେ ଆମର ଏକତ୍ର ହେବା ସମୟ ନିକଟତର ହେବ ।

 

ପଦ୍ମଜା କହିଲା, ‘‘ଓକିଲ କ’ଣ କହିଲେ ? କ’ଣ କାରଣ ଦର୍ଶାଇବି ଅଦାଲତ ଆଗରେ-?’

 

‘ମେଣ୍ଟାଲ ଟର୍ଚର୍ । ସ୍ଵାମୀ ଯଦି ସ୍ତ୍ରୀର କନ୍‌ଜୁଗାଲ୍‌ ରାଇଟ୍‌ ପୂର୍ଣ୍ଣ କରିବା ପାଇଁ ଅସମର୍ଥ ହୁଏ ତେବେ ତା’ର ମାନସିକ ଯନ୍ତ୍ରଣାର ଉପଶମ କରିବ କିଏ ? ପିଟିସନ ଫାଇଲ କଲାକ୍ଷଣି ଦେଖିବ ଡିଭୋର୍ସ ପାଇଁ ରାଜି ହୋଇଯିବ ସରୋଜ । ପୌରୁଷର ଅଭିମାନ ଭାଙ୍ଗିଗଲେ କ’ଣ ନେଇ ସେ ରହିବ ପରିବାରରେ ?’

 

 

ପଦ୍ମଜା କହିଲା, ‘ତା’ ପରେ ଆମେ ରେଜେଷ୍ଟ୍ରି ମ୍ୟାରେଜ କରିନବା ଏଠାରେ ହେଉ ବା ଅନ୍ୟ କାହିଁ ହେଉ, କ’ଣ କହୁଛ ?’

 

‘ମୁଁ ତ କହିସାରିଛି ପଦ୍ମଜା । ଏ ବିଷୟରେ ମୁଁ ମନ ସ୍ଥିର ଅନେକ ଦିନରୁ କରିସାରିଛି । ଆମେ ଭାଇଜାଗରେ ରେଜେଷ୍ଟ୍ରି ମ୍ୟାରେଜ କରିବା । ମୋର ଘନିଷ୍ଠ ବନ୍ଧୁ ଡକ୍ଟର କିଶୋର ରେଡି ସବୁ ବ୍ୟବସ୍ଥା କରିବ ସେଠାରେ । ହନିମୁନ୍‌ ପାଇଁ କୁଲୁଭ୍ୟାଲି ଯିବା । ତିନିସପ୍ତାହ ରହିବା ପାଇଁ ସବୁ ବ୍ୟବସ୍ଥା ରହିଛି ।’

 

‘ତେବେ ଡେରି କରୁଛ କାହିଁକି ଯେ ? ଲୁଚି ଛପି ଏନ୍‌ଜୟ କରିବା ପାଇଁ ତମକୁ ସଂକୋଚ ଲାଗେନା ?’ କହିଲା ପଦ୍ମଜା ।

 

- ‘ତମକୁ ପାଇବା ଦିନୁ ସଂକୋଚ ଛାଡ଼ିଛି । ମୋ ମନସ୍କାମନା ପୂର୍ଣ୍ଣ ହୋଇଛି ।’ କହିଲା ଅଙ୍କିତ ।

 

ଆଉ ବିଳମ୍ବ ନ କରି ନିଜର ପ୍ରସାଧନ ପରିପାଟି ସଜାଡ଼ି ନେଇ ବାହାରି ପଡ଼ିଲା । ହୋଟେଲ ଲାଉଞ୍ଜ ପାରି ହେବ ବେଳେ ହଠାତ ଜଣେ ଯୁବକର ହାତ ଧରି ମିତା ଠିଆ ହୋଇଥିବାବେଳେ ମୁହାଁମୁହିଁ ଦେଖା ହୋଇଗଲା । କେହି କାହାକୁ ସେଠାରେ ସେତେବେଳେ ପ୍ରତ୍ୟାଶା କରି ନ ଥିଲେ । ପଛରେ ଥିଲା ଅଙ୍କିତ । ପାଖାପାଖି ନ ଥିବା ଦେଖି ମନେ ଖୁସି ହେଲା ପଦ୍ମଜା ।

 

ମିତା ରୋହିତର ହାତ ଛାଡ଼ିଦେଇ ତାକୁ କ’ଣ ଆଭାସ ଦେଲା କେଜାଣି ସେ ରିସେପ୍‌ସନ ଆଡ଼କୁ ଚାଲିଗଲା ।

 

ପଦ୍ମଜା ଆଗେଇ ଆସି କହିଲା, ‘ହ୍ୟାଲୋ ମିତା !’

ମିତା ଖୁଡ଼ିକୁ ନମସ୍କାର କରି କହିଲା, ‘ମଡେଲିଂ କରି ଫେରିବା ବାଟରେ ହୋଟେଲକୁ ଚାଲି ଆସିଥିଲି ଗୋଟେ ସାଙ୍ଗର ନିମନ୍ତ୍ରଣ ରକ୍ଷା କରିବା ପାଇଁ । ଡେରି ହୋଇଗଲା... ।’

ତା’ର ଅସ୍ଵାଭାବିକତା ବୁଝିପାରୁଥିଲା ପଦ୍ମଜା । ମିତାକୁ ଆଉ ଏମ୍ବାରାସିଂ ସିଚୁଏସନରେ ନ ରଖି କହିଲା, ‘ମୁଁ ବି ତରତର ହେଉଛି । କାବାରେ ପାର୍ଟିରେ ଅଟକି ଯାଇଥିଲି । ନସିଂହୋମ୍‍କୁ ଫେରିବାକୁ ହେବ ।’

ମିତା ଦୁଇ ପାଦ ଆଗେଇ ଯିବାବେଳେ ପଦ୍ମଜା ପଛରୁ ଡାକିଲା ତାକୁ ଏବଂ କହିଲା, ‘ଯିବ କେମିତି...?’

-‘ଗାଡ଼ି ଅଛି ଖୁଡ଼ି । ମୋ ସାଙ୍ଗର ଫ୍ୟାମିଲି ଅଛନ୍ତି । ସେମାନେ ମୋତେ ଛାଡ଼ିଦେବେ-।’

ମିତା ଲାଉଞ୍ଜ୍ ଭିତର ଦେଇ କେଉଁଆଡ଼େ ଅଦୃଶ୍ୟ ହୋଇଗଲା ।

ପଦ୍ମଜା ଆଉ ଅପେକ୍ଷା ନ କରି ଗାଡ଼ି ପାଖକୁ ଚାଲିଲା । ସେତେବେଳକୁ ଅଙ୍କିତ ତା’ ସହିତ ଯୋଗ ଦେଇ ସାରିଥିଲା ।

ମୈତ୍ରେୟୀଙ୍କ ଅଭିମାନ ଯେ ଏଥର ଭାଙ୍ଗିବ ଏୟା ଭାବି ଖୁସି ହେଉଥଲା ପଦ୍ମଜା । ତାଙ୍କ ମନରେ ଥିବା ଅହଙ୍କାର ବୋଧ ଏଥର ଭାଙ୍ଗିବ ଦାଣ୍ଡରେ !... ନୈତିକତା, ଶୃଙ୍ଖଳା, ସଂଯମ ଓ ଶିଷ୍ଟାଚାର ସମ୍ପର୍କରେ ପରିବାରର ସମସ୍ତଙ୍କ ଆଗରେ ଆଉ ଲମ୍ବା ଭାଷଣ ଦବାର ପ୍ରୟୋଜନ ନାହିଁ । ନିଜ ଝିଅକୁ ଯିଏ ଗଢ଼ିପାରିଲା ନାହିଁ, ସେ ଅନ୍ୟାମାନଙ୍କୁ ଗଢ଼ିବ କିପରି ?’

 

ପଦ୍ମଜାକୁ ହାତ ଧରି ଆଗ ସିଟ୍‌ରେ ବସାଇ ଦେଇ ଡ୍ରାଇଭର ସିଟ୍‌ରେ ବସିଲା ଅଙ୍କିତ । ଗାଡ଼ି ଛାଡ଼ିବା ଆଗରୁ ପଦ୍ମଜା ମୁହଁରେ ଚୁମା ଦେଇ କହିଲା, ‘‘ଆଇ ହ୍ୟାଭ ଏ ହ୍ୟାଭେନ୍‌ଲି ଫିଲିଙ୍ଗ୍.... ଏଟ୍‌ ଦି ମୋମେଣ୍ଟ ଆଇ ଆମ୍‌ ଏଟ୍‌ ଦି ଟପ୍‌ ଅପ୍‌ ଦି ୱାରର୍ଲଡ ।’

 

ଟଳମଳ ଅବସ୍ଥା ଦୁହିଁଙ୍କର ।

 

ପଦ୍ମଜାକୁ ବାମ ହାତରେ ଛାତି ଉପରେ ଭିଡ଼ି ଧରି ଗାଡ଼ି ଛାଡ଼ିଲା ଅଙ୍କିତ ।

 

ସେମାନଙ୍କର ଗାଡ଼ି ହୋଟେଲ ପରିସର ମଧ୍ୟରୁ ଅନ୍ତର୍ହିତ ହୋଇଯିବା ପରେ ରୋହିତ ପଟ୍ଟନାୟକ ମିତାର ହାତ ଧରି ବାଟ କଢ଼ାଇ ନେଇଗଲା ।

 

ମିତା କହିଲା, ‘ଠିକ୍‌ କଲ ନାଇଁ ରୋହିତ... ରାତି କେତେ ହେଲାଣି ଜାଣିଚ ? ଘରେ ସମସ୍ତେ ଅପେକ୍ଷା କରୁଥିବେ... ।’’

 

-‘ତମକୁ ସେମାନେ ଦେଇଛନ୍ତି କ’ଣ ମିତା... ? ପିତାମାତା ଜନ୍ମ ଦେଇଚନ୍ତି.... ବାଧ୍ୟ ହୋଇ କର୍ତ୍ତବ୍ୟ କରିବେ... । କିନ୍ତୁ ତା’ ବୋଲି ପର୍‌ସୋନାଲ ଚଏସ... ପର୍‌ସୋନାଲ ଫ୍ରିଡମ୍‌ରେ ବାଧା ଦେବେ କାହିଁକି ? ଜିନ୍ଦ୍‌ଗୀ ଏସା ନହିଁ ହୈ... ଦିଲ୍‌ ତୋ ଏକ ଫ୍ଲୋଟିଂ ସିପ୍‌... !’ କହିଲା ରୋହିତ । ହୃଦୟ ହେଉଛି ସମୁଦ୍ରର ଏକ ଭାସମାନ ଜାହାଜ ପରି ।

 

-‘କିନ୍ତୁ ଆମ ଆଗରେ ଅନେକ ବାଟ ଅଛି ଚାଲିବା ପାଇଁ... ଅନେକ ପାହାଡ଼ ପର୍ବତ ଅଛି ଡେଇଁବା ପାଇଁ... ! ଭାବିଚିନ୍ତି କାମ କରିବା ଭଲ... ।’ ‘ତମେ ମୋତେ ନୂଆ ବାଟରେ ନେଇ ଆସିବା ପରେ ଏବେ ଆଉ ଭାବିବା ପାଇଁ ସମୟ ନାହିଁ... । ଅତୀତର ବୋଝ... ପ୍ରଥା ପରମ୍ପରାର ବୋଝ... ନୀତି ଅନୀତିର ବୋଝ ଏସବୁ ଆମେ ବୋହିବା କାହିଁକି ? ଆମେ ଗୋଟିଏ ନୂଆ ଜଗତର ନାଗରିକ । ଭୟ ନାହିଁ । ଆମର ଆସେଟ୍‌ ହେଉଛି ଭଲ ପାଇବା । ମଧୁ ସଂଗ୍ରହ କରେ ମହୁମାଛି... ମହୁଫେଣା ସେ ଜଗିଥାଏ ଦିବା ନିଶି... ଯଦି ଆଉ କେହି ଚୋରି କରିବାକୁ ଆସେ ତେବେ ତାକୁ ମହୁମାଛି ଦଂଶିବଇ ଦଂଶିବ ।’

 

ଗାଡ଼ି ଚାଲିଥାଏ ସତୁରିରୁ ଅଶି କିଲୋମିଟର ବେଗରେ । କୂଆଖାଇ ପୋଲରୁ ମହାନଦୀ ପୋଲ ମାତ୍ର କୋଡ଼ିଏ କିଲୋମିଟର । ସେତକରେ ତିନି ଜାଗାରେ ତିନିଟା ଫୋଲିସ୍‌ ଚେକ୍‌ ଗେଟ୍‌ରେ ଜଗି ରହିଥାନ୍ତି ଜଗୁଆଳି ।

 

କୂଆଖାଇ ପୋଲ ପାରି ହେବା ପରେ ଗାଡ଼ିର ସ୍ପିଡ଼୍‌ ବଢ଼ାଇ ଦେଲା ରୋହିତ । ରାତି ପାହିବା ଆଗରୁ ସେ ଉଭାନ ହୋଇଯାଇଥିବ ବାଟ ଜଗିଥିବା ପୁଲିସ୍‍ ହାତରୁ ।

 

କିନ୍ତୁ ଚେକ୍‌ ଗେଟ୍‌ର ସିଗ୍‌ନାଲ ନ ମାନି ଅ।ଗେଇ ଯିବାରୁ ସାମ୍ନାରେ ମୋବାଇଲ ବ୍ୟାରିକେଡ଼୍ ଛିଡ଼ା କରିଦେଲେ ଜଗୁଆଳିମାନେ ।

 

ଯଦି ୟା ପରେ ବି ଗାଡ଼ି ଛିଡ଼ା ନ ହୁଏ ତେବେ ଟାୟାରକୁ ପଛରୁ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି ସ୍ଵତନ୍ତ୍ର ସ୍କ୍ୱାଡ଼ର ଇନ୍‍ସିପେକ୍ଟର ।

 

ବାଧ୍ୟ ହୋଇ ଗାଡ଼ି ଅଟକାଇଲା ରୋହିତ ।

 

ଆଗରେ ଓ ପଛରେ ପୁଲିସ୍‍ ଭ୍ୟାନ ଦୁଇଟା ଛିଡ଼ା ହୋଇଥିବା ଦେଖି ରୋହିତ ପଟ୍ଟନାୟକ ଗାଡ଼ି ଛାଡ଼ି ବାହାରକୁ ଡେଇଁ ପଡ଼ିବାକୁ ଉଦ୍ୟମ କରୁଥିବାବେଳେ କହିଲେ ଭୁବନମୋହନ ମଲ୍ଲିକ, ‘ଯଦି ପାଦ ଉପରକୁ ଟେକୁ ଭାଙ୍ଗିଦେବି... ତୋତେ ଏତେ ସହଜରେ ଖସିଯିବା ପାଇଁ ଛାଡ଼ି ଦେବି ନାହିଁ... ତୁ ଯେଉଁମାନଙ୍କର ଅକ୍ଷମଣୀୟ କ୍ଷତି କରିଛୁ ସେସବୁର ଜବାବ ଦବାକୁ ହେବ... ହାଜତକୁ ଚାଲ୍‌... ସେଠାରେ ମୁହଁରୁ କିପରି କଥା ବାହାର କରିବାକୁ ହୁଏ ତାହା ଦେଖିବୁ... । ଶଳା.... ମଡ଼େଲ ସାଜିଛି... ।’

 

ରୋହତ ପଟ୍ଟନାୟକ ପକେଟ ଭିତରେ ହାତ ଭର୍ତ୍ତି କରୁଥିବା ଦେଖିବା କ୍ଷଣି ତାକୁ ବାଧା ଦେଲେ ମଲ୍ଲିକ । ମୋବାଇଲ ଫୋନ୍‌ଟା କାଢ଼ି ଆଣି କହିଲେ, ‘ତୋ ବାପାଙ୍କୁ ଜଣାଇ ଦେଉଛି, ଆଉ ଏଇ ଭଦ୍ରଘର ଝିଅର ପରିବାରକୁ ମଧ୍ୟ ଜଣାଇ ଦେବି... ସେମାନେ ଜାଣନ୍ତୁ ଯେ କେଉଁ ଅପରାଧ ପାଇଁ ତୋତେ ଜବତ୍‌ କରାହୋଇଛି । ସମାଜରେ ରହିଲେ ରୀତିନୀତି, ଆଇନ ମାନିବାକୁ ହୁଏ... ଅରଣା ମଇଁଷି ପରି ତୁ ନିଜ ଇଛାରେ ବାଡ଼ ଭାଙ୍ଗି ଦଉଡ଼ି ପାରିବୁ ନାହିଁ... କହିଲେ ?’

 

ରୋହିତ ପ୍ରତିବାଦ କରିବାକୁ ଚେଷ୍ଟା କରିବାରୁ ତା’ ଗାଲରେ ଚଟକଣାଏ ବସାଇ କହିଲେ ମଲ୍ଲିକ -‘ଏଇ ଆରମ୍ଭ... ଯଦି ଅଯଥା, ଅନାବଶ୍ୟକ କଥା କହୁ ଆଉ ଗୋଟେ ଥାପୁଡ଼ାରେ ତୋ ଆଗ ଦାନ୍ତ ଦୁଇଟା ଭାଙ୍ଗିଦେବି... ।’

 

କଥା ନ ମାନି କହିଲା ରୋହିତ -‘ଆଇ ପ୍ରୋଟେଷ୍ଟ୍‍... ଏହା ବେଆଇନ... ।’’

 

‘ଗୋଟେ ନାବାଳିକ ଝିଅକୁ ରାତି ଅଧରେ ମାତାଲ ଅବସ୍ଥାରେ କିଡ଼୍‌ନାପ୍‌ କରି ପଳାଇବା କେଉଁ ଆଇନରେ ଅଛି ବେ ସ୍କାଉଣ୍ଡ୍ରେଲ୍‌... ?’ ଗର୍ଜନ କଲେ ମଲ୍ଲିକ ।

 

ତା’ପରେ ଶୁଣି ମୁହଁ ଖୋଲିବାର ଉପକ୍ରମ କରିବାରୁ ତା’ ମୁହଁ ଉପରେ ରୁମାଲ ଜାକି ଧରି କହିଲେ ମଲ୍ଲିକ, ‘ୟୁ ଆର୍‌ ଅଣ୍ଡର ଆରେଷ୍ଟ୍‍... ।’

 

ୟା ପରେ ହାତକଡ଼ି ପକାଇ ଦେଇ ରୋହିତ ପଟ୍ଟନାୟକକୁ ଘୋଷାରି ନେଇ ଦୁଇଜଣ କନେଷ୍ଟବଳ ପୁଲିସ୍‍ ଗାଡ଼ିରେ ପୁରାଇ ଦେଲେ ।

 

ସେଇ ଗାଡ଼ି ପଛେ ପଛେ ନିଜ ଜିପ୍‌ରେ ମିତାକୁ ବସାଇ ମଲ୍ଲିକ ଫେରିଲେ ଥାନାକୁ ।

 

ଖବର ପାଇ ଅଳ୍ପ ସମୟ ମଧ୍ୟରେ ମୈତ୍ରେୟୀ ଆସି ଝିଅକୁ ନେଇଗଲେ । ଅନଙ୍ଗ ଆସିଥିଲା ତାଙ୍କ ସହିତ । ମିତା ଚୁପ୍‌ ହୋଇ ବସିଥାଏ । ରାତି ପାହି ଆସୁଥାଏ ସେତେବେଳକୁ ।

 

ସେ ନୀରବ ବିଦ୍ରୋହ ଆରମ୍ଭ କରିଦେଲା ପରିବାରର ସମସ୍ତଙ୍କ ବିରୁଦ୍ଧରେ । ଆସିବାବେଳକୁ ପଦଟିଏ କଥା ବାହାରି ନାହିଁ ତା’ ମୁହଁରୁ । ମୈତ୍ରେୟୀ ବୁଝାଇଲେ ଅନଙ୍ଗ ମଧ୍ୟ ଅନେକ ବୁଝାଇଲେ । କିନ୍ତୁ ମିତା ନିଶ୍ଚଳ ପଥର ପରି ବସି ରହିଲା, କିଛି ପ୍ରତିକ୍ରିୟା ପ୍ରକାଶ କଲା ନାହିଁ । କାଳେ ଆହୁରି କ’ଣ କେଲେଙ୍କାରୀ କରିପାରେ ଏଇ ଆଶଙ୍କା କରି ତାକୁ ଏକା ଛାଡ଼ି ନ ଦେଇ ପାଖରେ କେହି ନା ଜଗିରହିଲେ ।

 

ନିଜର ପ୍ରାତକୃତ୍ୟ କରିବା ପରେ ମନୋଜ ଆସି ବସିଲେ ଝିଅ ପାଖରେ । ତା’ ମଥା ଆଉଁସି ଦେଲେ । ତା’ ପିଠି ଉପରେ ହାତ ରଖି ଆଶ୍ଵାସନା ଦବା ପାଇଁ କହିଲେ-‘ମଣିଷ ଜୀବନରେ ଏମିତି ଥରେ ଥରେ ହୁଏ... ଭୁଲ୍‌ ତ କେହି ଜାଣି ଜାଣି କରେ ନାହିଁ....କିଏ ଯେପରି ସେଇ ବାଟରେ ଟାଣି ନେଇଯାଏ । ତୁ ତ କୁନି ଝିଅଟିଏ... କେତେ ବା ବଅସ ହୋଇଛି । ସଂସାରର ଜଟିଳତା ବୁଝିନାହୁଁ... ତୋର ବନ୍ଧୁ, ଶତ୍ରୁ ବା ପରଆପଣା ଚିହ୍ନିନାହୁଁ... ଗୋଟାଏ ଭୁଲ ହୋଇଯାଇଛି... ଈଶ୍ୱର ରକ୍ଷା କଲେ... ବଡ଼ ଭୁଲ୍‌ଟା ହେବା ଆଗରୁ ରକ୍ଷା କଲେ... ଏବେ ନିଜ ସହିତ ସାଲିସ କରିବାବେଳ..ତୋତେ ଖୁସି ଦେଖିଲେ ଆମେ ଖୁସି ହେବୁ... କିନ୍ତୁ ଏଇଟା ଗ୍ରହଣୀୟ ପନ୍ଥା ନୁହେଁ... ଅନେକ ବିକଳ୍ପ ଅଛି । ଗୋଟାଏ ମୁହୂର୍ତ୍ତର ଭୁଲ ପାଇଁ ଏଇ ମୂଲ୍ୟବାନ ସମ୍ଭାବନାପୂର୍ଣ୍ଣ ଜୀବନକୁ ଛାରଖାର କରିବା ନିର୍ବୋଧତା । ତୁ ଧରିନେ ଯେ କିଛି ହୋଇ ନାହିଁ...’

 

ମିତା ତାଙ୍କ କଥା ଶୁଣୁଥିଲା କି ନାଇଁ କିଛି ଜାଣିପାରିଲେ ନାହିଁ ମନୋଜ । ପୁଅକୁ ଆସୁଥିବା ଦେଖି ସେ ଉଠିଗଲେ ।

 

ଆନନ୍ଦ କେତୋଟି ବିସ୍କୁଟ ଆଉ କପେ କୋକୋ ଆଣିଲା । ମିତା ପାଖରେ ବସି କହିଲା, ‘‘ମୋ ହାତରୁ ଖାଇବୁନୁ ନାନୀ... ?’’ ୟାପରେ ତା’ ମୁହଁରୁ ଆଉ ଶବ୍ଦଟିଏ ବି ସ୍ଫୁରିଲା ନାହିଁ-। ସେ ଭେଁ କିନା କାନ୍ଦିଉଠିଲା । ତାକୁ ନିଜ ଉପରକୁ ଟାଣି ଆଣି ମିତା କାନ୍ଦିଲା... କୋହ ଉଠୁଥିଲା ପେଟ ଭିତରୁ... ସମୁଦ୍ରର ଢେଉ କୂଳରେ ମଥା ପିଟିଲା ପରି ସେଇ କୋହଗୁଡ଼ାକ ଗୋଟିକ ପରେ ଗୋଟିଏ ଅଜାଡ଼ି ହୋଇ ପଡ଼ୁଥିଲେ । ଭାଇ ଭଉଣୀକୁ ସେଠାରେ ଛାଡ଼ି କବାଟ ଆଉଜାଇ ଦେଇଥିଲେ ମନୋଜ ।

 

ମୈତ୍ରେୟୀଙ୍କ ଆଖି ଆଗରେ ପୃଥିବୀର ରୂପ ବଦଳି ଯାଉଥିଲା । ଯେଉଁମାନଙ୍କ ଆସ୍ଥା ଓ ବିଶ୍ୱାସକୁ ପୁଞ୍ଜି କରି ସେ ଦମ୍ଭର ସହିତ ବାଟ ଚାଲୁଥିଲେ, କାତରତା ପ୍ରକାଶ ନ କରି ସଂସାରର ବୋଝ ବୋହୁଥିଲେ । ପାଦତଳୁ ମାଟି ଖସିଗଲା ପରି ଲାଗୁଥିଲା । ପୁତ୍ର ଓ କନ୍ୟାର ବିଶ୍ଵାସ ନ ଥାଇ ଜନନୀ ହେବାର କିଛି ଗୌରବ ଅଛି କି ! ଯେଉଁମାନଙ୍କ ବର୍ତ୍ତମାନ ଓ ଭବିଷ୍ୟତ ଗଢ଼ିବାକୁ ଯାଇ ସେ ନିଜର ସୁଖ ସୁବିଧା ବିସର୍ଜନ କରିଥିଲେ ସେମାନେ ଆଉ ତାଙ୍କ ନିକଟତର ନୁହନ୍ତି ।

 

ମନୋଜ ଆସିବାର ଶବ୍ଦ ବାରିପାରି ଆତ୍ମମଗ୍ନ ମୈତ୍ରେୟୀ ଆଖି ଖୋଲି ଚାହିଁଲେ ।

 

ମନୋଜ ତାଙ୍କ ପାଖରେ ବସିପଡ଼ି କହିଲେ, ‘‘ତମେ ଦମ୍ଭଧର, ତମର ସବୁ ଆଶା ଜଳିପୋଡ଼ି ଯାଇନାହିଁ ।’’

 

ପତ୍ନୀଙ୍କ ହାତ ଉପରେ ହାତ ରଖି କହିଲେ ମନୋଜ, ‘‘ମିତା କାନ୍ଦୁଛି... ଆନନ୍ଦ ବି ତା’ ସହିତ, କାନ୍ଦୁଛି... ସେମାନଙ୍କର ଅଶ୍ରୁରେ ଧୋଇହୋଇ ଯିବ ସବୁ ଗ୍ଲାନି, ସବୁ ଅନୁତାପ... ।’’

 

ପଥର ପରି ନିର୍ବାକ୍‌ ମିତା କାନ୍ଦୁଥିବା ଶୁଣି ମୈତ୍ରେୟୀଙ୍କ ଆଖି ଦୁଇଟା ସଜଳ ହୋଇ ଉଠିଲା । ଅନ୍ତର ଭିତରେ ବି ହୁଏତ ସେ କାନ୍ଦୁଥିବେ ନ ହେଲେ ଏତେ କୋହ ତାଙ୍କ କଣ୍ଠ ପାଖରେ ଧକ୍କା ମାରୁଥାନ୍ତେ କାହିଁକି ?

 

ମନୋଜ କହିଲେ, ‘‘କଞ୍ଚା ବୟସର ଭୁଲ ଏଇଟା । ପଥବଣା ଶାବକ ପୁଣି ଫେରଆସିଛି... । ତମେ ମିତାକୁ କ୍ଷମା କରିଦିଅ ମୈତ୍ରେୟୀ... ତାକୁ କ୍ଷମା କରି ଦିଅ... ।’’

 

ସ୍ଵାମୀଙ୍କ ତୁଣ୍ତର ଏଇ କେଇପଦ କଥା ପୋଛି ନେଲା ତାଙ୍କ ବ୍ୟାକୁଳ ହୃଦୟର ଅସରନ୍ତି ଯନ୍ତ୍ରଣା ।

 

ମିତାକୁ ଦେଖି ଆସିବା ପାଇଁ ଇଚ୍ଛା ହେଉଥିଲା । ସେ ମା’ ହୋଇ ଯାହା ପାରିଲେନାହିଁ ସେଇ ଶକ୍ତି ଆନନ୍ଦ ଭିତରେ ଆସିଲା କେଉଁଠୁ ? ଦେଲା କିଏ ?

 

ଆନନ୍ଦ ଧୀରେ ଧୀରେ କୋଠରୀ ଭିତରକୁ ଆସି କହିଲା, ‘‘ମା’, ତମେ ନାନୀକୁ ଅନୁମତି ଦିଅ, ସେ ଆସିବାକୁ ଚାହୁଁଛି...।’’

 

କାନକୁ ବିଶ୍ଵାସ କରିପାରୁ ନ ଥିଲେ ମୈତ୍ରେୟୀ ।

 

ପୁଣି ଆନନ୍ଦ କହିଲା, ‘‘ସେ ଥରେ ତୁମ ପାଖକୁ ଆସିବାକୁ ଚାହେଁ, ଅନୁମତି ଦବ ନି ମା’... ?’’

 

-ମୁଁ ତ ବାରଣ କରି ନାଇଁ ବାପା । ମା’ ସହିତ ସାକ୍ଷାତ୍‍ କରିବା ପାଇଁ ଅନୁମତି ଲୋଡ଼ା ହୁଏନା ଆନନ୍ଦ । ତୁ ଯା, ତାକୁ ସାଙ୍ଗରେ ନେଇ ଆସିବୁ...।’’

 

ମନୋଜ କହିଲେ, ‘‘ତମେ ତା’ ପାଖକୁ ଯାଇଥିଲେ ବୋଧହୁଏ ଭଲ କରିଥାନ୍ତ ?’’

 

ମୈତ୍ରେୟୀ କିଛି ଉତ୍ତର ଦେଲେ ନାହିଁ ।

 

ତାଙ୍କର ଆଖି ଦୁଇଟା ସଜଳ ହୋଇ ଉଠିଲା ।

 

ଭାଇର ହାତ ଧରି ଧୀରେ ଧୀରେ କୋଠରୀ ଭିତରେ ପ୍ରବେଶ କରି ମୈତ୍ରେୟୀଙ୍କ ନିକଟରେ ଛିଡ଼ା ହେଲା ମିତା । କ’ଣ କହିବା ପାଇଁ ଚାହୁଁ ଥିଲା ବୋଧହୁଏ । କିନ୍ତୁ ଗୋଟିଏ ଶବ୍ଦ ବି ବାହାରିଲା ନାହିଁ ତୁଣ୍ଡରୁ ।

 

ସେ ମା’ କୋଳରେ ମୁହଁ ମାଡ଼ି କେବଳ ଭାଙ୍ଗି ପଡ଼ିଲା କୋହରେ । ଶାବକକୁ ଫେରି ପାଇ ତାକୁ ଚଢ଼େଇ ଡେଣା ତଳେ ଆଶ୍ରୟ ଦେଲା ପରି ତାକୁ କୋଳରେ ଜାକି ରଖି ମୈତ୍ରେୟୀ କେବଳ ତା’ ପିଠିରେ ହାତ ବୁଲାଇ ଦେଉଥିଲେ... ତାଙ୍କ ଆଖିରୁ ବି ଲୁହ ଝରୁଥିଲା ଶ୍ରାବଣର ଧାରା ପରି ।

 

ଏଇପରି କେତେ ସମୟ ବିତି ଯାଇଥିବ କେଜାଣି । ମୈତ୍ରେୟୀ କହିଲେ, ‘‘ସବୁ ଠିକ୍‌ ହୋଇଯିବ ମିତୁ.. ତୁ ମୋ ପାଖକୁ ଫେରିଆସୁଛି ଏଇଟା ମୋ ପୂର୍ବ ଜନ୍ମର ତପସ୍ୟାର ଫଳ... ତୁ ଆଉ ବ୍ୟସ୍ତ ହଅନା... ଯାହାକିଛି ଘଟିଥିଲା ଦୁଃସ୍ଵପ୍ନ ହୋଇ ରହିଯାଉ... ।

 

ମା’... ମା’... । ସେଇ ଗୋଟିଏ ଅକ୍ଷର ବ୍ୟତୀତ ଆଉ କିଛି ଉଚ୍ଚାରଣ କରିପାରିଲା ନାହିଁ ମିତା ।

 

ମନୋଜ କହିଲେ, ‘‘ଆଉ କେତେ ସମୟ କାନ୍ଦିବ ଦୁହେଁ... କାଲିଠାରୁ ସେ ଖାଇନି କିଛି... ତା’ ମୁହଁରେ ଆହାର ଦିଅ... ।

 

ମୈତ୍ରେୟୀ କହିଲେ, ତୁ ଏଇଠି ବାପା ପାଖରେ ବସିଥା ମିତୁ । ମୁଁ ତୋ ପାଇଁ କ୍ଷୀର ଗରମ କରି ଆଣୁଛି ।’’

 

(ତିରିଶି)

 

ବିଶ୍ଵମୋହନ କହିଲା, ‘‘ଭାଉଜ, ସାତଦିନ ହୋଇଗଲା ମୁଁ ଓଡ଼ିଶା ଆସିଛି । ଗାଁରେ ଚାରିଦିନ ରହିଲି ବାପା ମା’ ଖୁସି ହେଲେ । ସେଠାରୁ ଆସି ଏଠାରେ ତିନିଦିନ ରହିଲିଣି । ଆପଣଙ୍କ ସ୍ନେହଶ୍ରଦ୍ଧା ମୁଁ ଭୁଲିପାରିବି ନାହିଁ । ଆପଣଙ୍କ ଉପଦେଶ ମାନି ନେଇଛି । ସର୍ବାନ୍ତକରଣରେ ଭାସ୍ଵତୀକୁ ଗ୍ରହଣ କରିଛି । ମୋ ଭୁଲ୍‌ ପାଇଁ କ୍ଷମା ମାଗୁଛି । ଆଉ ଏପରି ହେବ ନାହଁ... ।’’

 

ମୈତ୍ରେୟୀ ଚାହିଁ ରହିଥିଲେ ବିଶ୍ଵମୋହନର ମୁହଁକୁ । ଭୁଲ୍‌ ସ୍ଵୀକାର କଲାବେଳେ ଏବଂ କ୍ଷମା ମାଗିଲା ବେଳେ ତା ସ୍ଵର କମ୍ପି ଉଠିବାର ବୁଝିପାରି ସେ ଜାଣିଲେ ଯେ ବିଶ୍ୱମୋହନ ଯାହା କହୁଛି ଅନ୍ତର ଭିତରୁ କହୁଛି । ତା’ର ଉଚ୍ଚାରଣରେ ଭଣ୍ଡାମିର ଚିହ୍ନ ନାହିଁ । ତଥାପି ସେ କହିଲେ, ‘‘ତୁମେମାନେ ପିଲା । ଜୀବନରେ ଅନେକ ଭୁଲ ହୁଏ । ମଣିଷ କେବଳ ବୁଝିପାରେ ଯେ ସେ ଠିକ୍‌ କରୁଛି କି ଭୁଲ କରୁଛି । ଅନ୍ୟପ୍ରାଣୀଙ୍କ ସେପରି ଶକ୍ତି ନାହିଁ । ତମେ ଯେ ଭାସ୍ଵତୀକୁ ନେଇଯିବା ପାଇଁ ଚାହଁ ଏହା ଶୁଣି ମୁଁ କେତେ ଖୁସି ତାହା କେବଳ ଜଣେ ମା’ ବୁଝିପାରିବ । ସେ ମୋ ଝିଅ ପରି । ମୁଁ ଆଚାର୍ଯ୍ୟ ନିବାସକୁ ବୋହୂ ହୋଇ ଆସିବାବେଳେ ଭାସ୍ଵତୀ ପଞ୍ଚମ ଶ୍ରେଣୀର ଛାତ୍ରୀ । ତାଙ୍କୁ ମୁଁ ଝିଅ ଦୃଷ୍ଟିରେ ଦେଖି ଆସିଛି । ମଣିଷ ଭୁଲ କରିବା ସ୍ୱାଭାବିକ । କିନ୍ତୁ ତୁମେ ଭୁଲ ବୁଝିପାରିଛ ଏଇଟା ହେଉଛି ବୀରର କଥା । ତମେ ଦୁହେଁ ଖୁସିରେ ରହିଲେ ସମସ୍ତେ ଖୁସି ହେବେ... ।’’

 

ବିଶ୍ଵମୋହନ କହିଲା, ‘ଆପଣଙ୍କୁ ମୁଁ କହି ନାହିଁ ଆଜିଯାଏ, ବାପା ମା’ ମଧ୍ୟ ଆପଣଙ୍କ ପରି କହୁଥିଲେ । ମୋ ଉପର ବାପା ବିରକ୍ତ ହେଲେ । ମା’ ଅଭିମାନ କରି ଓଳିଏ ଓପାସ ରହିଲା । ମୁ ଭାସ୍ଵତୀକୁ ଫେରାଇ ନବା ପାଇଁ ଆସିଛି ଏଇ ଦୃଢ଼ ପ୍ରତିଶ୍ରୁତି ଦବା ପରେ ମା’ ମୁହଁରେ ହସ ଫୁଟିଲା, ବାପାଙ୍କ କୋପ ଶାନ୍ତ ହେଲା ।’

 

ଭଲ କରିଛ ତମେ । ବାପା ମା’ଙ୍କଠାରୁ ଆଉ କିଏ ବଡ଼ ନୁହେଁ । ସେମାନଙ୍କୁ କଥା ଦେଇ ଆସିଛ, ମୋତେ ବି କଥା ଦେଇଛ । କିନ୍ତୁ ଭାଇ, ଏଇଟା ବଡ଼ କଥା ନୁହେଁ, ବଡ଼ କଥା ହେଉଛି ତମେ ଯଦି ଭାସ୍ଵତୀକୁ ଏଇ କଥା କହିଥାଅ ଏବଂ ତା’ ମନରେ ବିଶ୍ଵାସ ଫେରି ଆସିଥାଏ ତେବେ ମୁଁ ଶାନ୍ତିରେ ରହିବି । ତୁମ ମୁହଁରୁ ଶୁଣିବାକୁ ଚାହେଁ ଭାସ୍ଵତୀ କ’ଣ କହିଲେ ?’’ କହିଲେ ମୈତ୍ରେୟୀ ।

 

ବିଶ୍ଵମୋହନ ମୁହଁପୋତି କହିଲା, ‘‘ମୁଁ କ୍ଷମା ମାଗି ନେଇଛି । ରତୁପୂର୍ଣ୍ଣା ସହିତ କୌଣସି ସମ୍ପର୍କ ରଖିବି ନାହିଁ ବୋଲି ଶପଥ ନେଇଛି । ଭାସ୍ଵତୀର ବିଶ୍ଵାସ ହୋଇଛି ଯେ ଏଥର ଆମ ବାଟରେ ଥିବା ଅନ୍ତରାୟ ଦୂର ହୋଇଛି । ସେ ମୋ ସହିତ ଫେରିବା ପାଇଁ ପ୍ରସ୍ତୁତ । ଆପଣ, ନନା ଅନୁମତି ଦେଲେ କାଲି ସକାଳେ ରାଜଧାନୀ ଏକ୍ସପ୍ରେସ୍‌ରେ ଫେରିବୁ । ସବୁ ସଜଡ଼ା ସଜଡ଼ି କରି ସାରିଛି ଭାସ୍ଵତୀ ।’’

 

ପ୍ରସନ୍ନତା ଖେଳିଗଲା ମୈତ୍ରେୟୀଙ୍କ ମୁହଁ ଉପରେ । ଏଇ ସମୟରେ ସେଇ ବାଟ ଦେଇ ଭାସ୍ଵତୀ ଚାଲି ଯାଉଥବାବେଳେ ତାକୁ ଅଟକାଇ ଦେଇ କହିଲେ ସେ, ‘‘ତମ ଦୁହିଁଙ୍କ ମଧ୍ୟରେ ବୁଝାମଣା ହୋଇଯାଇଛି । ବିଶ୍ଵମୋହନ ତୁମକୁ ନେଇ କାଲି ଦିଲ୍ଲୀ ଫେରିବା ପାଇଁ ଚାହାଁନ୍ତି । ତମେ କ’ଣ କହୁଛ ଭାସ୍ଵତୀ ?’’

 

ଶାନ୍ତ ହେବା ପରି ଭାସ୍ଵତୀର ମୁହଁ ଉଜ୍ଜ୍ୱଳ ଦିଶିଲା । ସେ ଧୀରେ ଧୀରେ କହିଲା, ‘‘ଆମେ ଦୁହେଁ ଆଉଥରେ ନୂଆ କରି ବଞ୍ଚିବୁ ଭାଉଜ । ଆମକୁ ଆଶୀର୍ବାଦ କର, ତାଙ୍କୁ କ୍ଷମା କରିଦିଅ... ।’’

 

ଭାସ୍ଵତୀର ମୁହଁକୁ ମୁହୂର୍ତ୍ତେ ଅନାଇ ରହିଲେ ମୈତ୍ରେୟୀ । ସେଇ ମୁହଁର ଭାଷା ପଢ଼ିପାରିଲେ ସେ ଏବଂ ତା’ପରେ ବିଶ୍ଵମୋହନର ହାତ ଟାଣି ଆଣି ଭାସ୍ଵତୀର ହାତ ସହିତ ମିଳାଇ ଦେଇ କହିଲେ, ‘‘ମୁଁ କ୍ଷମା କରିଦେଇଛି ତାଙ୍କୁ । ତମେ ଦୁଇଜଣ ଶାନ୍ତିରେ ରୁହ, ସୁଖରେ ରୁହ ଏୟା ଈଶ୍ଵରଙ୍କ ପ୍ରାର୍ଥନା ମିନତି ଆମର ।’’

 

ଭାସ୍ଵତୀ ଏଥର ହସି ଦେଇ କହିଲା, ‘‘ଭାଉଜ କ’ଣ କହିଲେ ଶୁଣିଲ ତ ! କାଲି ଏତେ ଭୟ କରୁଥିଲ ଭାଉଜଙ୍କୁ କହିବା ପାଇଁ, ତାଙ୍କୁ ସବୁ କହିବା ପରେ ତୁମ ଛାତି ତଳେ ଜମାଟ ବାନ୍ଧିଥିବା ଶୋଚନାଗୁଡ଼ାକ ମିଳାଇ ଯାଉଥିବ ସୂର୍ଯ୍ୟ ଉଠିଲେ କୁହୁଡ଼ି ମିଳାଇ ଯିବାପରି ।’’

 

ବିଶ୍ୱମୋହନ ମଥା ହଲାଇଲା । ମୈତ୍ରେୟୀଙ୍କ ପାଦ ଛୁଇଁବା ପାଇଁ ନଇଁ ପଡ଼ୁଥିବାବେଳେ ସେ ତାକୁ ଛାତି ଉପରେ ଆଉଜାଇ ନେଇ କହିଲେ, ‘‘ତୁମ ଦୁହିଁକି ମୁଁ ପୁଣି ଆଶୀର୍ବାଦ କରୁଛି । ପଛ ଅଧ୍ୟାୟକୁ ଭୁଲିଯାଅ ଦୁହେଁ । ମନେକର ଯେ କିଛି ସମୟ ପାଇଁ ଗୋଟେ ରାକ୍ଷସୀ ପ୍ରବୃତ୍ତି ତୁମ ଉପରେ ସବାର ହୋଇଥିଲା । ଏହାପରେ ତମେ ଦୁହେଁ ସ୍ଵାମୀ ସ୍ତ୍ରୀର ମର୍ଯ୍ୟାଦା, ସୁଖ, ଶାନ୍ତି ନେଇ ଚଳିବ ।’’

 

ଭାସ୍ଵତୀ, ବିଶ୍ଵମୋହନ ଦୁହିଁଙ୍କୁ ଛାତି ଉପରେ କିଛିକ୍ଷଣ ଜାକି ଧରିଲେ ମୈତ୍ରେୟୀ ।

 

ଟେଲିଫୋନ୍‌ ବାଜି ଉଠିଲା ।

 

ଭାସ୍ଵତୀ ରିସିଭରଟା ଉଠାଇ ନେଇ କହିଲା, ‘‘ମଝିଆ ନନା ତମ ସହିତ କଥା ହେବେ ଭାଉଜ... ।’’

 

ଭାସ୍ଵତୀ ସହିତ ବିଶ୍ୱମୋହନ କୋଠରୀ ଭିତରକୁ ଚାଲିଗଲେ ।

 

ମୈତ୍ରେୟୀ କହିଲେ, ‘‘କୁହ ଭାଇ, ସବୁ ଭଲ ତ ! ମିତା କଥା ଶୁଣିଥିବ ତମେ... ।’’

 

ସରୋଜ କହିଲା, ‘‘ଶୁଣିଛି ଅନଙ୍ଗ ମୁହଁରୁ । ସେ ଯେ ବଦଳିବ ଏଇ ବିଶ୍ଵାସ ଥିଲା ମୋର ଭାଉଜ । ତମ ଓ ନନାଙ୍କ ଝିଅ ତ । ତାକୁ ରକ୍ଷା କଲେ ଭଗବାନ ।’’

 

-‘‘ତମ ତୁଣ୍ଡ ସୁତୁଣ୍ଡ ହେଉ । ସେ ନିଜକୁ ପ୍ରସ୍ତୁତ କରୁ ପୁଣି ସିଧା ବାଟରେ ସତ୍‌ମାର୍ଗରେ ଚାଲିବା ପାଇଁ । ଝୁଣ୍ଟି ପଡ଼ିବା ଅସମ୍ଭବ ନୁହେଁ, କିନ୍ତୁ ଝୁଣ୍ଟିପଡ଼ିବା ପରେ ପୁଣି ଉଠିବା ପାଇଁ, ନିଜକୁ ସଂଶୋଧନ କରିବା ପାଇଁ ସଂକଳ୍ପ କରିବା ହେଉଛି ଈଶ୍ୱରଙ୍କ ଆଶୀର୍ବାଦ । ଆଉ ତମର ସବୁ ଭଲ ତ । ପଦ୍ମଜା ସହିତ କେତେଦିନ ହେଲା କଥା ହୋଇନି... । ସ୍ଵାତୀ କିନ୍ତୁ ଭଲ ଅଛି ।’’

 

‘ସେ ତୁମ ପାଖରେ ଥାଉ ଭାଉଜ । ମୁଁ ତ ଏକା ହୋଇଯାଉଛି, ଏଠାକୁ ଆସିଲେ ତାକୁ ଦେଖିବ କିଏ ?’ କହିଲେ ସରୋଜ ।

 

ତାଙ୍କ ସ୍ଵରରୁ କ’ଣ ଅନୁମାନ କଲେ କେଜାଣି ମୈତ୍ରେୟୀ ସାଙ୍ଗେ ସାଙ୍ଗେ ପଚାରି ଦେଲେ, ‘‘କାହିଁକି ଏକା ହୋଇଯିବ ଭାଇ ! ତମେ ଦୁହେଁ ଗୋଟାଏ ଭଲ କାମ କରିବା ପାଇଁ ସିନା ଆମଠାରୁ ଅଲଗା ରହୁଛ, କିନ୍ତୁ ତମେ କେବେ ଅଲଗା ହୋଇଯାଇ ପାରିବ ?’’ କହିଲେ ମୈତ୍ରେୟୀ ।

 

‘‘ତମକୁ କହିବି କହିବି ବୋଲି ଫୋନ୍‌ କରି ଅନ୍ୟ ପ୍ରସଙ୍ଗକୁ ଚାଲିଯାଇଥିଲି । ତମେ ବୋଧହୁଏ ଶୁଣିନ ଯେ ସେ ନୋଟିସ୍‌ ଦେଇଛି ଡିଭୋର୍ସ ପାଇଁ । ମେଣ୍ଟାଲ ଟର୍‌ଚାର୍‌ ମୁଁ ଦେଉଛି ବୋଲି ଅଭିଯୋଗ କରିଛି ।’

 

ସ୍ତବ୍ଧ ହୋଇଗଲେ ମୈତ୍ରେୟୀ । ଅଙ୍କିତ ପଦ୍ମଜା ଜୀବନରେ ଆବିର୍ଭାବ ହେବା ପରେ କ’ଣ କେତେବେଳେ ଘଟିଯାଇପାରେ ବୋଲି ଶଙ୍କିତା ଥିଲେ ସେ । କିନ୍ତୁ ସେଇ ମୁହୂର୍ତ୍ତ କ’ଣ ପହଞ୍ଚିଗଲା ଏତେଶୀଘ୍ର । ଛାଡ଼ପତ୍ର ଦବାପାଇଁ ପଦ୍ମଜା ପ୍ରସ୍ତୁତ ହେଉଛି ବୋଲି ସେ ଯାହା ଶୁଣିଥିଲେ ସେଇଟା ଉଡ଼ା ଖବର ନୁହେଁ ବା ଗୁଲିଖଟି ଗପ ନୁହେଁ । ସେଇକଥା ତା’ହେଲେ ସତ୍ୟ... । ସତ୍ୟର ସୁନ୍ଦର ରୂପ ଏଯାଏ ଦେଖି ଆସୁଥିଲେ ମୈତ୍ରେୟୀ । ସତ୍ୟର ହିରଣ୍ମୟ ଔଜଲ୍ୟ ଜୀବନକୁ କିପରି ସୁନ୍ଦର ଶୋଭନୀୟ କରେ ତାହା ସେ ଭାବି ଆସିଥିଲେ । କିନ୍ତୁ ପଦ୍ମଜା ଯେ ସ୍ଵାମୀଠାରୁ ଅଲଗା ହୋଇଯିବ ବୋଲି ଅଦାଲତର ଆଶ୍ରୟ ନେଲାଣି ଏଇ ଖବର ମିଛି ନୁହେଁ ଜାଣିବା ପରେ ସତ୍ୟ ଯେ ବଡ଼ ନିଷ୍ଠୁର ଏବଂ ନୀରସ ହୋଇପାରେ ଏଇ ପ୍ରଥମ ଅନୁଭବ କଲେ ସେ । ପାଦତଳୁ ତାଳୁ ପର୍ଯ୍ୟନ୍ତ ଗୋଟିଏ ଅନୁନୁଭୂତ ହିମ ପ୍ରବାହ ବୋହିଗଲା । ସେ ଚିହିଁକି ଉଠି କରୁଣ ସ୍ଵରରେ କହିଲେ, ‘‘କ’ଣ କହିଲ ସରୋଜ ?’’

 

-‘‘ତାକୁ ମୁଁ ମାନସିକ ନିର୍ଯ୍ୟାତନା ଦେଉଥିବା କାରଣ ଦର୍ଶାଇ ପଦ୍ମଜା ବିବାହ ବିଚ୍ଛେଦ ପାଇଁ ନୋଟିସ୍‌ ଦେଇଛି ଅଦାଲତ ଜରିଆରେ । ମୁଁ କ’ଣ କାରଣ ଦର୍ଶାଇବି ଭାଉଜ... ?’’ ଆଉ କିଛି କହି ପାରିଲା ନାହିଁ ସରୋଜ ତା’ ସ୍ୱର ଭାଙ୍ଗି ଆସୁଥିଲା । ତା’ର ଛାତିତଳୁ କୋହ ଉଠୁଥିବା ସ୍ପଷ୍ଟ ବାରିପାରିଲେ ମୈତ୍ରେୟୀ । ସେ କହିଲେ, ‘‘ଅଧୀର ହୁଅନା ଭାଇ । ସାହସ ରଖ । ତମକୁ ଅନେକ ବାଟ ଯିବାକୁ ହେବ । ଲଢ଼ିବା କି ନାହିଁ ଆଗେ ବସି ଆଲୋଚନା କରିବା । ତମେ ଧୈର୍ଯ୍ୟ ଧର । ତମେ ଯଦି ଫ୍ରି ଥାଅ ଆମେ ଯିବା ତୁମ ପାଖକୁ । ଏଇ ଦୁଃସମୟରେ ଆମେ ତୁମ ସାଙ୍ଗରେ ଅଛୁ ଭାଇ... ।’ ମୈତ୍ରେୟୀଙ୍କ ସ୍ୱର ବାଷ୍ପାକୁଳ ହୋଇ ଉଠିଲା ।

 

ସରୋଜ କହିଲା, ‘‘ନା, ନା... ଏଇ ନର୍କପୁରୀକୁ ତମେ ଆସିବା ଦରକାର ନାହିଁ । ମୁ ସଂଧ୍ୟାବେଳେ ଆସିବି ଭାଉଜ । ନନା ବି ସେତେବେଳକୁ ଫେରି ଆସିଥିବେ । ତା’ପରେ ତମେ ଯାହା ବିଚାର କରିବ... ।’’

 

ତାଙ୍କର ଅବସନ୍ନତା, ଆବେଗ ଓ ହତାଶା ବେଶ୍‌ ବୁଝିପାରୁଥିଲେ ମୈତ୍ରେୟୀ । ସେ ସ୍ଥାଣୁପରି କିଛି ସମୟ ରିସିଭରଟା ହାତରେ ଧରି ଛିଡ଼ା ହୋଇ ରହିଲେ । ସରୋଜ ପୂର୍ବରୁ ରଖି ଦେଇଥିଲେ ଟେଲିଫୋନ୍‌ ।

 

ହାଣ୍ଡି ଫାଟିଲେ ଆଉ ଯୋଡ଼ି ହୁଏ ନାହିଁ । ଏଡ଼େଶୀଘ୍ର ପଦ୍ମଜା ଆଚାର୍ଯ୍ୟ ପରିବାରର ନୈତିକ ଶୃଙ୍ଖଳା ଏବଂ ଅନେକ ଦିନର ପୁରୁଣା ପ୍ରଥାକୁ ଭାଙ୍ଗି ଦବା ପାଇଁ ସମର୍ଥ ହେଲା ? କୋଉଠି ଦୋଷ ରହିଗଲା କେଜାଣି, ନିର୍ମାଣ ନ କରି ଭାଙ୍ଗିବା ଲୀଳା ଆପଣେଇ ନେଲା ପଦ୍ମଜା । ଅଗ୍ନିକୁ ସାକ୍ଷୀ ରଖି ସେ ଦୁହେଁ ଶପଥ ନେଇଥିଲେ ଏକ ମନ ଏକ ହୃଦୟରେ ସଂସାର କରିବା ପାଇଁ । ଏତେଶୀଘ୍ର ପଦ୍ମଜା ନିଜ ହାତରେ ଭାଙ୍ଗିବା ଆରମ୍ଭ କରିଛି ଯେତେବେଳେ ଜଗତ ତା’ର ରୁଦ୍ରାଣୀ ରୂପକୁହିଁ ଦେଖିବ ।

 

କେତେ ଆୟାସ ଓ ପ୍ରୟାସ ଲୋଡ଼ା ହୁଏ, କେତେ ତ୍ୟାଗ ଓ ବୁଝାମଣା ପ୍ରୟୋଜନ ହୁଏ ସ୍ଵାମୀ ସ୍ତ୍ରୀଭାବେ ବଞ୍ଚିବା ପାଇଁ । ସେଇ ତ୍ୟାଗ ବଞ୍ଚନା ନୁହେଁ, ସେଥିରୁ ମିଳେ ଆନନ୍ଦ । କୌଣସି ଅଭାବବୋଧ ସେଇ ସଂସାର ଯାତ୍ରାର ଅଲଂଘ୍ୟ ଅନ୍ତରାୟ ହୋଇ ରହେ ନାହିଁ, ଦୁହେଁ ଦୁହିଁଙ୍କ ପରିପୂରକ ହୋଇ ସଜାଡ଼ି ନିଅନ୍ତି ସବୁ ।

 

ଅଜାଣତରେ ଆଖିରୁ କେତେବେଳେ ଦୁଇଟୋପା ଲୁହ ଝରି ପଡ଼ିଛି ଜାଣିପାରି ନାହାଁନ୍ତି ମୈତ୍ରେୟୀ । ସେ ବୁଡ଼ି ରହିଥିଲେ ପରିବାରର ପାରବାର ଭିତରେ, ମୁକ୍ତା ଖୋଜିବା ପାଇଁ ବୁଡ଼ାଳି ଯେପରି ସାଗରର ଅତଳ ଗର୍ଭରେ ନିଜକୁ ଭୁଲି ମୁକ୍ତ ସନ୍ଧାନ କରୁଥାଏ ।

 

କେତେବେଳେ ଯାଏ ସ୍ଥାଣୁ ପରି ସେଇ ଗୋଟିଏ ସ୍ଥାନରେ ବସି ରହିଥିଲେ ସେ ଜାଣି ବି ପାରିଲେ ନାହିଁ । ଆନନ୍ଦ ଯେତେବେଳେ ଆସି ତାଙ୍କ ଦେହ ଉପରେ ଆଉଜି ପଡ଼ି କହିଲା - ‘‘ମା’ ତମେ କାନ୍ଦୁଛ ?’’ ସେତେବେଳେ ପ୍ରକୃତିସ୍ଥ ହେଲେ ମୈତ୍ରେୟୀ । ସେ ଆଖି ପୋଛି ଦେଇ ହଠାତ୍‌ କହି ପକାଇଲେ,‘‘କାହିଁ ନା ତ !’’

 

ଆନନ୍ଦ ବୁଝିପାରିଲା ନାହିଁ କାହିଁକି ମା’ ଲୁଚାଇଲେ ତା’ ଠାରୁ ? ସେ ଏ ବିଷୟରେ କିଛି ନ କହି କେବଳ କହିଲା, ‘‘ମୋତେ ଭୋକ କରୁଛି... ।’’

 

ଉଠି ବସିଲେ ମୈତ୍ରେୟୀ । କର୍ତ୍ତବ୍ୟରେ ହେଳା ହୋଇଯାଇଥିବାରୁ ନିଜକୁ ତିରସ୍କାର କଲେ । ପଦ୍ମଜା ଉପାଖ୍ୟାନ ସେଇଠି ପେଡ଼ି ଭିତରେ ସାଇତି ରଖି ସେ ମନକୁ ମନ କହିଲେ, କାହିଁକି ପଦ୍ମଜା ଏପରି କଲା ? କାହିଁକି ସାମୟିକ ବିଡ଼ମ୍ୱନା ପାଇଁ ଜନନୀର ସର୍ବକାଳୀନ ବନ୍ଧନକୁ ଛିନ୍ନ କରିବା ପାଇଁ ନିଷ୍ପତ୍ତି କଲା ? ଏ ପର୍ଯ୍ୟନ୍ତ ସେ ସ୍ଵାତୀକୁ ହରାଇ ଥିଲା, କିନ୍ତୁ ଏବେ ସେଇ ଅବୋଧ ଅମୃତ ଶିଶୁ ମା’କୁ ହରାଇବ । ଏହାଠାରୁ ଅଧିକ ବେଦନା ଓ ଦୁଃଖର କାରଣ ଆଉ କ’ଣ ହୋଇପାରେ ?

 

ମୈତ୍ରେୟୀ ଉଠିଲେ ଏବଂ ଆନନ୍ଦ ପଛେ ପଛେ ଚାଲିଲା । ଭାସ୍ଵତୀ ସାଙ୍ଗରେ ଖେଳୁଥିଲା ସ୍ଵାତୀ । ତାକୁ ଛାତି ଉପରକୁ ଉଠାଇ ନେଇ ଆବେଗଭରା କଣ୍ଠରେ କହିବାକୁ ଲାଗିଲେ–‘‘ସେ ନୁହେଁ, ମୁଁ ତୋର ମା’, ମୁଁ ତୋର ମା’... ତୁ ମୋର କୋଡ଼ପୋଛା ଅଲିଅଳ ଝିଅ...-।’’

 

ସ୍ୱାତୀ କିଛି ବୁଝିପାରୁ ନ ଥିଲା । ବଡ଼ମା’ କାହିଁକି ତା’ ମୁହଁ ଉପରେ ବୋକ୍‌ ଦେଇ ଏତେକଥା କହି ଚାଲିଛନ୍ତି । ହଠାତ ତା’ କଣ୍ଠରୁ ବାହାରି ପଡ଼ିଲା - ‘‘ତମେ ମୋର ମା’ ନା ବଡ଼ ମା’-?’’

 

ଏଥର ଆଉ ସମ୍ଭାଳି ପାରିଲେ ନାହିଁ ମୈତ୍ରେୟୀ । ସେ ସ୍ଵାତୀକୁ ମୁହଁ ଉପରେ ଜାଳି ରଖି ଶିଶୁ ପରି କାଉଁ କାଉଁ କାନ୍ଦି ଉଠିଲେ ।

 

କେତେ ମୁହୁର୍ତ୍ତ ସେହିପରି କଟିଗଲା ।

 

ସେଇ ଭାବାକୁଳ ପରିବେଶକୁ ଧୀରେ ଧୀରେ ପାରି ହୋଇଗଲେ ମୈତ୍ରେୟୀ । ତା’ପରେ ଦମ୍ଭ ଓ ବିଶ୍ଵାସ ନେଇ ଲାଗିଲେ ନିଷ୍ଠାର ସହିତ କର୍ତ୍ତବ୍ୟରେ । ଏଇଟା କାନ୍ଦିବାର ବେଳ ନୁହେଁ, ଚୁପ୍‌ ହୋଇ ମୁକପରି ମୁହଁମାଡ଼ି ବସି ରହିବାର ବେଳ ନୁହେଁ । ତାଙ୍କ ଭିତରେ ସ୍ତ୍ରୀଟିଏ ହୁଏତ ହଜିଯାଇପାରେ, କିନ୍ତୁ ଜନନୀର ସାହସ ଓ ବିଶ୍ଵାସ ଦେଇ ସେ ଲଢ଼ିବେ ସମସ୍ତ ପ୍ରତିକୂଳତା ବିରୋଧରେ ।

 

ଆନନ୍ଦକୁ ଜଳଖିଆ ବାଢ଼ିଦେଲେ । ସ୍ଵାତୀର ଜଳଖିଆ ଥାଳି ଭାସ୍ଵତୀ ହାତକୁ ବଢ଼ାଇ ଦେଇ କହିଲେ ଖୁଆଇ ଦବା ପାଇଁ । ତା’ପରେ ରୋଷେଇ ଘର ଭିତରକୁ ପ୍ରବେଶ କରି କହିଲେ କୁନ୍ତୀ ସମସ୍ତଙ୍କ ପାଇଁ ଚା’, ଜଳଖିଆ ପ୍ରସ୍ତୁତ କରିବା ପାଇଁ । ବିଶ୍ଵମୋହନର ଚା’ ପିଇବାବେଳ ଟିକେ ଅତିକ୍ରାନ୍ତ ହୋଇଯାଇଥିଲା ପରି ମନେହେଲା । କିନ୍ତୁ କ’ଣ କରିବେ, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ।

 

ମୈତ୍ରେୟୀ ଲାଗିଗଲେ ପୁଣି ସ୍ଵାଭାବିକ ଭାବରେ । ପରିବାରରେ କାମ କେବେ ଶେଷ ହୁଏ ନାହିଁ । ସଦାବେଳେ ଗଜରୁଥାଏ ବିଲରୁ ବାଉଁଶ ଗଛ ମୂଳରୁ ଗଜା ବାହାରିବା ପରି ।

 

ମନୋଜ ଫେରିବା ପାଇଁ ଡେରି ଅଛି । ଅନଙ୍ଗ ଯାଇଥିଲା ପୁଲିସ୍‍ ହେଡ଼କ୍ୱାର୍ଟରରୁ ଅପୁ ବିଷୟରେ ସର୍ବଶେଷ ସୂଚନା ସଂଗ୍ରହ କରିବା ପାଇଁ । ସେ ଗୋରୁ କି ଛେଳି ନୁହେଁ ଯେ ହଜିଯିବ ବଣରେ... । ସେ ସଜାଗ ସଚେତନ ଯୁବକ । ବିରାଟ ପୃଥିବୀରେ କେତେ ଆହ୍ଵାନ ପଡ଼ି ରହିଛି ତା’ ଆଗରେ ।

 

ମନେପଡ଼ିଲା ଯେ ବାଣୀଙ୍କ ସହିତ ଅନେକଦିନ ହେଲା କଥା ହୋଇନି କି ଦେଖା ହୋଇନି । ସେଦିନ ତାଙ୍କୁ ଜବାବ ଦେଇଥିଲେ ଯେ ଶୀଘ୍ର ଯିବେ ତାଙ୍କ ପାଖକୁ । କିଛି ପୂରାପୂରି ଭୁଲି ଯାଇଥିଲେ ସେ କଥା । ଜଞ୍ଜାଳ ଅନେକ ଜଞ୍ଜାଳ । କିନ୍ତୁ ଜଞ୍ଜାଳର ସବୁ ଅବରୋଧ ଶକ୍ତିକୁ ପ୍ରତିରୋଧ କରି ଆଗୋଉ ଥିଲେ ମୈତ୍ରେୟୀ ।

 

ରିସିଭରଟା ଉଠାଇ ନେଇ ଡାଏଲ କଲେ ସେ ।

 

ସେ ପାଖରୁ ଉତ୍ତର ଦେଲେ ବାଣୀ ପୁରୋହିତ; ‘‘ଅନେକ ଦିନ ପରେ ତୁମ ସ୍ଵର ଶୁଣୁଛି... ଅମୃତ ପରି ଲାଗୁଛି... ଭୁଲି ଯାଇଥିଲ ଗୃହିଣୀର କର୍ତ୍ତବ୍ୟ କରୁ କରୁ... ।’’ କହିଦେଇ ଖିଲ୍‌ ଖିଲ୍‌ କରି ହସି ଉଠିଲେ ବାଣୀ ।

 

ପୁଣି ମନ ସତେଜ ହୋଇଗଲା ମୈତ୍ରେୟୀଙ୍କର । ହସ କାନ୍ଦର ସଂସାରଟି ସଦାବେଳେ ତାଙ୍କ ପାଇଁ ପ୍ରେରଣାର ଉତ୍ସ ।

 

ସ୍ଵରରେ ଆତ୍ମୀୟତା ଖେଳାଇ କହିଲେ ମୈତ୍ରେୟୀ, ‘‘ନାଇଁ ନାନୀ ଭୁଲିଯାଇ ନ ଥିଲି ଯେ ସମୟ ମାଡ଼ି ବସିଥିଲା କାନ୍ଧ ଉପରେ... ପରିବାରର ତାଗିଦା ତ ଅନେକ...’’

 

-‘‘ତମକୁ ଚୁମା ଦେଇ କହିବା ପାଇଁ ଇଛା ହେଉଛି ଯେ ମୁଁ ସିନା ସଂସାର କରିନାହିଁ କିନ୍ତୁ ବରଯାତ୍ରୀରେ କ’ଣ ଯାଇନାହିଁ... ?’’ ପୁଣି ପ୍ରାଣ ଖୋଲା ଅସରନ୍ତି ହସର ପ୍ରବାହ ।

 

ଅଳ୍ପ ସମୟ ପୂର୍ବର ଅବସନ୍ନତା କଟିଗଲା ଦେହ ମନରୁ । ସେ ପୁଣି ସଜାଡ଼ି ନେଲେ ନିଜକୁ । ସତେଜ ହୋଇଗଲେ... । ସ୍ନାନ ସାରି ବାହାରି ଆସିଲେ ଯେମିତି ଲାଗେ ଠିକ୍‌ ସେହିପରି ସତେଜ, ସ୍ନିଗ୍ଧ, ହାଲୁକା ଲାଗୁଥିଲା ।

 

ବାଣୀ କହିଲେ, ‘‘କେବେ ସମୟ ହେବ ଆସିବା ପାଇଁ । ତମେ ତ ଜାଣ ମୋର ଦାଇତ୍ଵ-। ଯିବି କହିଲେ ବି ଯାଇ ହୁଏନି । ପାଦରେ ଶିକୁଳି ବନ୍ଧା ହୋଇଛି ଯେ... ।’’

 

-‘‘ମୁଁ ମାନେନା ସେସବୁ... ବେଡ଼ି ଖୋଲିବାର ଦୁଃସାହସ ଥିଲେ ସବୁ କରିପାରିବ । ସତରେ ନାନୀ, ତମେ ଯଦି ଥରେ ଆମ ଘରକୁ ଆସନ୍ତନା, ମୁଁ ସେଇ ମୁହୂର୍ତ୍ତଗୁଡ଼ାକୁ ମନ ଭିତରେ ସାଇତି ରଖନ୍ତି ବଞ୍ଚିଥିବା ଯାଏ ।’’

 

‘‘ସତ କହୁଛ ?’’ ତୁଣ୍ଡରୁ ଖସିଗଲା ବାଣୀଙ୍କର ।

 

‘‘ନିଶ୍ଚୟ । ଯଦି ଅମୃତବେଳା କେବେ ଆସେ ଦେଖିବ ମୁଁ ପଛେଇ ଯିବି ନାଇଁ ।'' ଦୃଢ଼ ସ୍ଵରରେ କହିଲେ ମୈତ୍ରେୟୀ ।’’

 

ଫୋନ୍‌ ରଖିଦେଲେ ମୈତ୍ରେୟୀ ।

 

ହଠାତ୍‌ ତାଙ୍କର ମନେପଡ଼ିଗଲା ଯେ ସେ ଦେଇଥିବା କବିତା ଓ ଚିଠିଗୁଡ଼ାକ ସେଇପରି ସାଇତା ହୋଇ ରହିଛି ଲକର ଭିତରେ । ଖୋଲିବା ପାଇଁ, ପଢ଼ିବା ପାଇଁ ସମୟ ହୋଇ ନାଇଁ । ତା’ପରେ ମନକୁ ଆସିଲା ଜଗତରେ ଏତେ ଲୋକ ଥାଉଁ ଥାଉଁ କାହିଁକି ବାଣୀ ତାଙ୍କୁ ବାଛିଲେ ଏଥିପାଇଁ ? ତାଙ୍କର ସେଇ ସ୍ନେହ, ବିଶ୍ଵାସର ସେ କ’ଣ ଏକକ ଉତ୍ତରାଧିକାରିଣୀ ।

 

କେଜାଣି... !

 

(ଏକତିରିଶି)

 

ଛାଡ଼ପତ୍ର ନୋଟିସ୍‌ରେ ପଦ୍ମଜା ଦର୍ଶାଇଥିଲା ଯେ ସେ ସ୍ତ୍ରୀର ଦାମ୍ପତ୍ୟ ସୁଖରୁ ବଞ୍ଚିତ । ଏକା ଛାତ ତଳେ ଉଭୟ ବାସ କରୁଥିଲେ ମଧ୍ୟ ପୁରୁଷ ଯଦି ଅନ୍ୟ କାହା କଥାଭାବେ ତେବେ ସ୍ତ୍ରୀ ତା’ ଅଧିକାର ଆଦାୟ କରିପାରିବ ନାହିଁ । ସରୋଜ ବରଷକରୁ ଉର୍ଦ୍ଧ୍ୱ ହେଲା ସ୍ତ୍ରୀକୁ ଉପେକ୍ଷା କରି ଆସିଥିବାରୁ ସେ ମର୍ମାନ୍ତିକ ଯନ୍ତ୍ରଣା ସହ୍ୟ କରିବାକୁ ବାଧ୍ୟ ହୋଇଛି । ଚେଷ୍ଟାକରି ମଧ୍ୟ ସେ ସ୍ୱାମୀଙ୍କଠାରୁ ଦାମ୍ପତ୍ୟ ସୁଖ ପାଇନାହିଁ । ଏକତରଫା କେହି ଦାମ୍ପତ୍ୟ ସୁଖ ପାଇପାରିବ ନାହିଁ । ଋଣଅର୍ଥ ଓ ତା’ ପିତାଙ୍କ ପ୍ରଦତ୍ତ ଅର୍ଥଦ୍ୱାରା ନର୍ସିଂହୋମ୍‍ ନିର୍ମାଣ କରାଯାଇ ପାରିଛି । ସରୋଜର ସେଥିରେ କୌଣସି ଅଂଶ ନାହିଁ । ତଥାପି ସେ ତା’ ପାର୍ଟନର ପରି ବ୍ୟବହାର କରି ଆସୁଥିଲା । ନର୍ସିଂହୋମ୍‍ର ଲାଭକ୍ଷତି ବିଚାର ନ କରି ସରୋଜ ନର୍ସିଂହୋମ୍ ପାଣ୍ଠିରୁ ପୁଣି ମାସ ଦଶହଜାର ଟଙ୍କା ନେଉଥିଲା । ନର୍ସିଂହୋମ୍‍ ଖର୍ଚ୍ଚ ତାଲିକାରେ ଏହା ଲିପିବଦ୍ଧ ହୋଇ ରହିଛି । ତା’ ବାହାରେ ରୋଗୀ ଚିକିତ୍ସା ଓ ଅପରେସନ ପାଇଁ ସେ ଯାହା ପ୍ରାପ୍ୟ ପାଇବା କଥା ତାହା ସ୍ଵତନ୍ତ୍ରଭାବେ ନେଇଛି । ସେମାନଙ୍କର ଏକମାତ୍ର ଶିଶୁ କନ୍ୟାକୁ ଅନାଦର କରିବା ସହିତ ସେ ଅନୁପସ୍ଥିତ ଥିବାବେଳେ ଏବଂ ତା’ ଅଜ୍ଞାତରେ ସରୋଜ ନିଜର ଭାଉଜ ମୈତ୍ରେୟୀ ଦେବୀଙ୍କୁ ହସ୍ତାନ୍ତର କରିବାଦ୍ଵାରା ସେ ମାଆ ହୋଇ ମଧ୍ୟ କନ୍ୟାକୁ ଲାଳନପାଳନ କରିବା ଦାୟିତ୍ୱ ପାଇ ନାହାଁନ୍ତି । ତା’ ଅଜ୍ଞାତରେ ମୈତ୍ରେୟୀ ଦେବୀ ରଷିଭ୍ୟାଲି ସ୍କୁଲରୁ କନ୍ୟା ସ୍ଵାତୀକୁ ନେଇ ଆସିବାରୁ ତା’ର ପଢ଼ାପଢ଼ି ଓ ଭବିଷ୍ୟତ ନଷ୍ଟ ହୋଇଯାଇଛି । ସ୍ଵାତୀକୁ ଜୋର୍‌ କରି ତା’ ବଡ଼ମା’ ଅଟକାଇ ରଖିବା ପଛରେ ତା’ ବାପାର ହାତ ଥିବାରୁ ସେ ଅକଥନୀୟ ମାନସିକ ଯନ୍ତ୍ରଣା ଓ ଉଦ୍‌ବେଗ ମଧ୍ୟରେ ସମୟ ବିତାଇବା ପାଇଁ ବାଧ୍ୟ ହୋଇଛି ।

 

ଏଇସବୁ କାରଣ ଦର୍ଶାଇ ପଦ୍ମଜା ଛାଡ଼ପତ୍ର ପାଇଁ ପରିବାର ଅଦାଲତର ଦ୍ୱାରସ୍ଥ ହେବା ପରି ଏକ ଆଶାତୀତ ଘଟଣା ଘଟିଯିବା ପଛରେ କାହାର ହାତ ଥିବା ଏୟା ଅନୁମାନ କରିପାରୁଥିଲା ସରୋଜ । ଅଙ୍କିତ ସହିତ ପୁଣି ସାକ୍ଷାତ୍‍ ହେବା ପରେ ସେମାନଙ୍କ ପୂର୍ବ ବନ୍ଧୁତାକୁ ସତେଜ ଓ ସୁଦୃଢ଼ କରିବା ସକାଶେ ସେ ଏବଂ ପଦ୍ମଜା ଉଭୟ ବାହାନା କରି ପରସ୍ପରର ସାନ୍ନିଧ୍ୟ ଉପଭୋଗ କରୁଥିବା ଜାଣି ମଧ୍ୟ ସରୋଜ ନିରବ ଥିଲେ । କଥା ଯେ ଏତେଦୂର ଆଗେଇଯିବା ଏହା ସେ କଳ୍ପନା କରି ନ ଥିଲେ । ବିବାହିତ ଜୀବନକୁ ନଷ୍ଟ କରି ନୂତନ ନୀଡ଼ ରଚନା କରିବା ପାଇଁ ପଦ୍ମଜାକୁ ସ୍ଵପ୍ନ ଦେଖାଇବାରେ ସାହାଯ୍ୟ କରିଛି ଅଙ୍କିତ । ତାକୁ ନର୍ସିଂହୋମ୍‍ରୁ ବାହାର କରିଦେଲେ ପଦ୍ମଜାର ବାଟ ଆହୁରି ସହଜ ହୋଇଯିବ । ସେ ଏବଂ ଅଙ୍କିତଙ୍କୁ ଏକତ୍ର ବାସ କରିବାପାଇଁ ଅପୂର୍ବ ସୁଯୋଗ ମିଳିବ । ଦୁହିଁଙ୍କ ଅବାଧ ମିଳନରେ ଆଉ କୌଣସି ବାଧାବିଘ୍ନ ରହିବ ନାହିଁ ।

 

ସେ ଯେତିକି ଏ ବିଷୟ ଭାବୁଥିଲା ସେତିକି ବ୍ୟାକୁଳତା ତାକୁ ଗ୍ରାସ କରୁଥିଲା ଏଇକଥା ଭାବି ଯେ ସ୍ଵାତୀର ଶିଶୁ ଅବସ୍ଥାରେ ସେ ମା’, ବାପାଙ୍କ ସାନ୍ନିଧ୍ୟରୁ ବଞ୍ଚିତ ହେବ । ଝିଅକୁ ଯେ ସେ ଜାଣି ଜାଣି ଛାଡ଼ି ଦେଇଛି ଭାଉଜଙ୍କ ହେପାଜତରେ ସେକଥା ସେ ଭୁଲି ଯାଇଛି ଏବଂ ମକଦ୍ଦମା ଲଢ଼ିବା ପାଇଁ ଆଉ ଗୋଟେ ବଡ଼ କାରଣ ପାଇଯାଇଛି ।

 

ବେଦୀ ଉପରେ ହୋମାଗ୍ନିକୁ ସାକ୍ଷୀ ରଖି ସେ ଦୁହେଁ ସ୍ଵାମୀ ସ୍ତ୍ରୀଭାବେ ଜୀବନ ବିତାଇବେ ବୋଲି ଶପଥ କରିଥିଲେ । ସାତ ପୁରୁଷର ସମ୍ପର୍କକୁ ପଦ୍ମଜା ଭାଙ୍ଗି ଦେଇ ଅନ୍ୟସହିତ ଘର କରିବାକୁ ଚାହେଁ । ମଣିଷ କୁକୁର ନୁହେଁ ଯେ ଅଇଁଠା ଖଲିପତର ଚାଟିବ । ଛାଡ଼ପତ୍ରର ନୋଟିସ୍‌ ପାରବା ପରେ ସରୋଜଙ୍କ ସବୁ କଳ୍ପନା ଜଳ୍ପନା ପାଣି ଫୋଟକା ପରି ଫାଟିଗଲା । ଭାଇ ଭାଉଜଙ୍କ ସହିତ ଦୀର୍ଘ ସମୟ ଆଲୋଚନା କଲେ । ସେମାନେ ପ୍ରସ୍ତାବ କଲେ ପଦ୍ମଜାକୁ ବୁଝାଇବା ପାଇଁ ଶେଷ ଚେଷ୍ଟା କରିବା ପାଇଁ । କିନ୍ତୁ ସରୋଜ କହିଲା, ‘‘ଆଉ କ’ଣ ବାକି ଅଛି ଯେ ତାକୁ ବୁଝେଇବ ଭାଉଜ । ଯିଏ ମିଥ୍ୟା ଓ ଛଳନାକୁ ନେଇ ସତ୍ୟ ଓ ସାଧୁତାର ସାମନା କରିବାକୁ ଚାହୁଁଛି ତାକୁ କ’ଣ ବୁଝାଇବ ! ତଥାପି ଯେତେବେଳେ ମୈତ୍ରେୟୀ ଅନୁରୋଧ କଲେ ଶେଷ ଚେଷ୍ଟା କରିବା ପାଇଁ ବାଧ୍ୟ ହୋଇ ରାଜି ହେଲା ସରୋଜ । କିନ୍ତୁ ସେ ଜାଣିଥିଲା ଯେ ଭାଉଜଙ୍କୁ ଅପମାନ ଦେଇ ଫେରାଇଦବ ପଦ୍ମଜା । ସେ ମନସ୍ଥିର କରି ସାରିଛି ବାଡ଼ ଭାଙ୍ଗି ଅଙ୍କିତ ସହିତ ରହିବା ପାଇଁ-

 

ରାଜଧାନୀର ଲୋକ ଜାଣିବା ଆଗରୁ ନହରକଣ୍ଟାର ଲୋକ ଜାଣିଗଲେ ଯେ ଆଚାର୍ଯ୍ୟ ପରିବାରର ଦୀର୍ଘକାଳର ପରମ୍ପରା ଏବଂ ସଂହତି ଧୂଳିରେ ମିଶିବାକୁ ଯାଉଛି । ବନ୍ଧ ଭାଙ୍ଗିଲେ ତଳମୁଣ୍ଡରେ ଥିବା ଗାଁଗଣ୍ଡା ଧ୍ଵସ୍ତବିଧ୍ଵସ୍ତ ହେବା ନିଶ୍ଚିତ । ପଦ୍ମଜା ଯଦି ଏଥିରେ ସୁଖ ପାଇବ ତେବେ ତାହାହିଁ ହେଉ ।

 

କିନ୍ତୁ ମୈତ୍ରେୟୀ ଗଲେ ଶେଷ ଚେଷ୍ଟା କରିବା ପାଇଁ । ନର୍ସିଂହୋମ୍‌ ଉଏଟିଂ ରୁମ୍‌ରେ ଦୁଇଘଣ୍ଟା ଅପେକ୍ଷା କଲେ ପଦ୍ମଜା ସହିତ ସାକ୍ଷାତ୍‍ କରିବା ପାଇଁ । କିନ୍ତୁ ସେ ଅପରେସନ ଥିଏଟରର ନାଲିବତୀ ଲଗାଇ ଦେଇ ଭିତରୁ ଆଉ ବାହାରିଲା ନାହିଁ ।

 

ମୈତ୍ରେୟୀ ଫେରି ଆସିଲେ ନିରାଶ ହୋଇ । ତାଙ୍କ ମଥା ଝାଇଁ ଝାଇଁ କରୁଥଲା । ସେ ଫେରିବା ପର୍ଯ୍ୟନ୍ତ ସରୋଜ ଅପେକ୍ଷା କରୁଥଲା । କିନ୍ତୁ ଭାଉଜଙ୍କ ମୁହଁକୁ ଚାହିଁ ଦେଇ ସେ ଜାଣିଗଲା ଯେ ଖୋଲାମନ ନେଇ ଯାଇଥିଲେ ମଧ୍ୟ ଖାଲି ହାତରେ ଫେରି ଆସିଲେ ସେ ।

 

ପରାସ୍ତ ସୈନିକ ପରି କହିଲା ସରୋଜ, ‘‘ତା’ ସହିତ ଲଢ଼ି ଆଉ କିଛି ଭଲ ଫଳ ମିଳିବ ବୋଲି ଭାବି ପାରୁନି ନନା । ସେ ଯଦି ଛାଡ଼ପତ୍ର ଦେଇ ଅଲଗା ହୋଇ ଯିବାକୁ ଚାହେଁ ତେବେ ତାହାହିଁ ହେଉ । ଭଙ୍ଗାକାଚ ଯୋଡ଼ିବା ପାଇଁ ଆଉ ମିଛରେ ଏତେଚେଷ୍ଟା କରିବା କାହିଁକି ? ମୋ କର୍ମଫଳ ମୁଁ ଭୋଗିବି । କିନ୍ତୁ କୌଣସି ଦୋଷ ନ ଥାଇ ମା’କୁ ହରାଇବ ସ୍ଵାତୀ । ସେଇ କୋମଳମତି ଶିଶୁକୁ କ’ଣ କହିବି ସେ ବଡ଼ ହେଲେ ? ଯେତେବେଳେ ମା’କୁ ଖୋଜିବ, ମାଆର ପରିଚୟ ପଚାରିବ ସେତେବେଳେ କ’ଣ କହି ବୁଝାଇବି ତାକୁ ?’’

 

ସରୋଜଙ୍କ ଶିରା ପ୍ରଶିରାରେ ନପୁଂସକ କାପୁରୁଷର ଅସରନ୍ତି ଗ୍ଲାନି ଖେଳିଗଲା ମୁହୂର୍ତ୍ତକରେ । ସେ ମୁହଁ ତଳକୁ କରି କହିଲେ -‘ମୁଁ ହାରିଗଲି ଭାଉଜ’ ।

 

ମନୋଜ କହିଲେ, ‘‘ତୁ ମନରୁ ସାହସ ହରାନା, ଦମ୍ଭ ହରାନା । ବିଶ୍ଵାସ ରଖ ନିଜ ଉପରେ । ପଦ୍ମଜା ଯିବା ପାଇଁ ମନସ୍ଥିର କରିସାରିଚି ଯେତେବେଳେ ସେ ଯାଉ । ତା’ ପାଇଁ ଶୋକ କରିବା, ଅନୁଶୋଚନା କରିବା ତୋ’ର କର୍ତ୍ତବ୍ୟ ନୁହେଁ । ବରଂ ରଣକ୍ଷେତ୍ରରେ ଲଢ଼ୁଥିବା ସୈନିକ ପରି ତୁ ଲଢ଼ିଯା । ଜୀବନଟା ଯେ ସବୁବେଳେ ସମତଳ ଫୁଟବଲ ପଡ଼ିଆ, ଏୟା ଧରିନେଇ ଜୟପରାଜୟ ଯାହା ଆସିଛି ଗ୍ରହଣ କରିନେ । ଯୁଦ୍ଧ ନ କରି ଭୀରୁ ସୈନିକ ପରି ପଳାଇଗଲେ ଲୋକ ନିନ୍ଦା ହେବ । ପଦ୍ମଜାର ପ୍ରତିଟି ଅଭିଯୋଗକୁ ଖଣ୍ଡନ କରିବାକୁ ହେବ । ତୁ ହାରିଗଲୁ ବୋଲି ଭାବୁଛୁ କାହିଁକି ? ଆଉ ସ୍ଵାତୀକୁ ବଞ୍ଚାଇ ରଖିବା ପାଇଁ ଯଦି ବି ତୁ ହାରିଯାଉ ସେଥିପାଇଁ ଶୋଚନା କରି ଲାଭ କ’ଣ । ଜାଣିରଖ ଯେ ସ୍ଵାତୀକୁ ପାଖରେ ରଖି ସତୀତ୍ଵର ମୋହର ଝୁଲାଇବା ପାଇଁ ଯଦି ପଦ୍ମଜାକୁ ସୁଯୋଗ ମିଳିଯାଏ ତେବେ ସତ୍ୟ, ଧର୍ମ ବୋଲି ସବୁ ନିରର୍ଥକ ହୋଇଯିବ । ଅନ୍ତତଃ ମୁଁ କେବେ ତାହା କରିବାକୁ ଦେବି ନାହିଁ ।

 

ମନୋଜ ଯେ ଏଡ଼େ ସ୍ଵଚ୍ଛତାର ସହିତ ସଂକଳ୍ପ ଘୋଷଣା କରିପାରନ୍ତି ଏଇ ପ୍ରଥମ ଅନୁଭବ କଲେ ମୈତ୍ରେୟୀ ।

 

ସରୋଜ କହିଲା, ‘‘ସେୟା ହେବ ନାନା !’

 

ସେଦିନ ସଂଧ୍ୟାଟା ଅତି କରୁଣ ମନେହେଉଥଲା । କିନ୍ତୁ ସ୍ଵାତୀ ହଠାତ୍‌ କେଉଁଆଡ଼ୁ ଦଉଡ଼ି ଆସି ମୈତ୍ରେୟୀଙ୍କ କୋଳ ଉପରକୁ ଉଠିଯାଇ କହିଲା, ‘‘ବଡ଼ ମା’, ବାପାଙ୍କ ଶୁଖିଲା ମୁହଁ ଦେଖୁଛ । କାହିଁକି, କ’ଣ ହୋଇଛି ? ମା’ କିଛି କହିଲେ ?’’ ସରୋଜ ଆଉ ସମ୍ଭାଳି ପାରିଲା ନାହିଁ । ଛାତି ତଳେ ଅତଡ଼ା ଭାଙ୍ଗୁଥିବ କୋହର ଚାପ ସହ୍ୟ କରିପାରିଲା ନାହିଁ ସେ । କୋହରେ ଭାଙ୍ଗି ପଡ଼ିଲା । ତାଙ୍କୁ ଛାତି ଉପରେ ଆଉଜାଇ ନେଇ କହିଲେ ମନୋଜ, ‘‘ଶାନ୍ତ ହେ ଭାଇ, ଶକ୍ତି ସଞ୍ଚୟ କର, ବହୁତ ବାଟ ଆଗକୁ ଯିବାର ଅଛି । ଏତେଶୀଘ୍ର ହାରିଗଲେ ଚଳିବ ନାହିଁ । ଉଡ଼ି ଯାଉଥିବା ଶୁଖିଲା ପତ୍ର ପଛରେ ଦଉଡ଼ି ଲାଭ ନାହିଁ । ଏଇ ଶିଶୁ ମୁହଁକୁ ଚାହିଁ ତୁ ଧୈର୍ଯ୍ୟଧର... ତା’ ଆଗରେ ସମ୍ଭାବନାମୟ ଉଜ୍ଜ୍ୱଳ ଭବିଷ୍ୟତ ।’’

 

ଧୀରେ ଧୀରେ ଶାନ୍ତ ହେଲା ସରୋଜ, ତା’ ପୂର୍ବରୁ ସ୍ଵାତୀକୁ ନେଇ ସମସ୍ତଙ୍କ ପାଇଁ ଚା’ ଜଳଖିଆ ଆଣିବା ପାଇଁ ଚାଲି ଯାଇଥିଲେ ମୈତ୍ରେୟୀ ।

 

ସରୋଜ ଭାବିଲା ଯେ ୟା ସହିତ ଲଢ଼ି ଲାଭ ନାହିଁ । ତେବେ ସେ ମୈତ୍ରେୟୀ ସମ୍ପର୍କରେ, ସ୍ଵାତୀ ସମ୍ପର୍କରେ ଏବଂ ତା’ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ ଆଣିଛି ତା’ର ସମୁଚିତ ଖଣ୍ଡନ କରିବ । ସେ ଏହା ସହିତ ଜଣାଇ ଦେବ ଯେ ଏପରି ମାନସିକତା ନେଇ ଚଳୁଥିବା ସ୍ତ୍ରୀ ସହିତ ସେ ଏକ ଛାତ ତଳେ ବଞ୍ଚିପାରିବ ନାହିଁ । ମାନସିକ ନିର୍ଯ୍ୟାତନା ସେ ପଦ୍ମଜାକୁ ଦେଇ ନାହିଁ ଯେ ବରଂ ସେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛି । ଯଦି କଥା ଆହୁରି ଗଭୀରତକୁ ଯାଏ ତେବେ ଅଙ୍କିତ ସହିତ ପଦ୍ମଜାର ସମ୍ପର୍କ ଏବଂ ତା’ ସହିତ ନିଭୃତରେ ସାଲିସକରା ଭଙ୍ଗୀରେ ନିଆ ଯାଇଥିବା ଫଟୋଗୁଡ଼ାକୁ ସେ ଅଦାଲତରେ ଉପସ୍ଥାପନ କରିବା ପାଇଁ ବାଧ୍ୟ ହେବ । ଅଯଥା ପରିବାରର ମଇଳା ଲୁଗା ସେ ସମସ୍ତଙ୍କ ଆଗରେ ଧୋଇବା ପାଇଁ ଚାହୁଁ ନ ଥିଲେ ବି ଯଦି ପରିସ୍ଥିତି ବାଧ୍ୟ କରେ ସେତକ କରିବାକୁ ପଡ଼ିବ ।

 

ସରୋଜ ନିର୍ଣ୍ଣୟ ଜଣାଇଦେଲା ବଡ଼ ଭାଇ, ଭାଉଜଙ୍କୁ । ମୃଗତୃଷ୍ଣା ପଛରେ ଅନେକ ଦିନ ଦୌଡ଼ିଲା, ଆଉ ନୁହେଁ ସେ ତା’ ନିଜ ବାଟ ନିଜେ ତିଆରି କରିବ ।

 

ଟେଲିଫୋନ୍‍ଟା ବାଜି ଉଠିଲା । ଉଠିଗଲେ ମନୋଜ ।

 

କିଛି ସମୟ ପରେ ସେ ଫେରି ଆସିବାବେଳକୁ ତାଙ୍କ ମୁହଁର ଚେହେରା ବଦଳି ଯାଇଥିଲା । ସଦା ସନ୍ତୋଷର ତୃପ୍ତି ଲାଗି ରହିଥିବା ତାଙ୍କ ମୁହଁ ଉପରେ କଳା ବାଦଲ ଖଣ୍ଡେ ଢାଙ୍କି ହୋଇଥିବା ପରି ଲାଗିଲା ମୈତ୍ରେୟୀଙ୍କୁ । ସେ ଚମକି ପଡ଼ି ପଚାରିଲେ, କ’ଣ ହେଲା, ଆଉ କିଛି ଶୁଣିବାକୁ ବାକି ଅଛି କି ?’’

 

ମନୋଜ ଉତ୍ତର ଦେଲେ ନାହିଁ ।

 

ମୈତ୍ରେୟୀ ଧରିନେଲେ ଯେ ଏପରି କିଛି ଅଘଟଣ ଘଟିଯାଇଛି, ଯାହା ସେ ଖୋଲି କହିବା ପାଇଁ ଚାହୁଁ ନାହାଁନ୍ତି । ତାଙ୍କୁ ଆଉ ବାଧ୍ୟ କଲେନି ମୈତ୍ରେୟୀ । ସ୍ଵାମୀଙ୍କ ପ୍ରକୃତି ସେ ଜାଣନ୍ତି-। କିନ୍ତୁ ଅଜ୍ଞାତ ରହିଲା ନାହିଁ ଯେ ମନୋଜଙ୍କ ଅନ୍ତର ଭିତର ଘାଣ୍ଟିଚକଟି ହେଉଛି ଯେମିତି ଉତ୍ତାଳ ସମୁଦ୍ର ଘାଣ୍ଟିଚକଟି ହୁଏ ।

 

ସରୋଜ ଝିଅକୁ ନେଇ ଛାତ ଉପରକୁ ଯାଇଥିଲା । ତାଙ୍କ ସହିତ ଯାଇଥିଲେ ଆନନ୍ଦ ଆଉ ମିତା ।

 

ଛାତ ଉପରୁ ଦେଖାଯାଏ କୁଆଖାଇର ପୋଲ । ପୋଲ ଉପରେ ସାରି ସାରି ଗାଡ଼ି ଠିଆ ହୋଇଥିବା ଦୃଶ୍ୟ ଦେଖି ଭାବୁଥିଲା ସରୋଜ ଜୀବନ ଯାତ୍ରା ବି ଥରେ ଥରେ ଏଇପରି ଠପ୍‌ ହୋଇ ରହିଯାଏ । ଚଳନ୍ତି ନଈସୁଅର କିନ୍ତୁ ବିରାମ ନାହିଁ, ଏ ସୁଅ ଗଡ଼ି ଆସୁଛି ଅନନ୍ତ କାଳରୁ । ମୁହୂର୍ତ୍ତଟିଏ ବି ବନ୍ଦ ହୋଇ ନାଇଁ । ନଈ କେବଳ ଦେଇ ଯାଇଛି । ଫେରି ପାଇବା ସକାଶେ ଆଶା କରିନି କେବେ । ମଣିଷ ପ୍ରକୃତି ଠିକ୍‌ ଓଲଟା । ଦେଲାବେଳେ ପ୍ରତ୍ୟାଶା ରଖିଥାଏ କିଛି ଫେରି ପାଇବା ପାଇଁ । ଏଇ ସ୍ଵାର୍ଥର ଚେର ବହୁତ ତଳକୁ ଯାଇଛି । ସେଇ ଚେର କାଟିବା ସାଧାରଣ ଲୋକ ପକ୍ଷରେ ସମ୍ଭବ ନୁହେଁ । ସ୍ଵାର୍ଥଜଡ଼ିତ ମଣିଷର ଅହଂକାରର ଖୋଳପା ଭିତରୁ ସେ କେବେ ମୁକୁଳି ପାରେନାହିଁ । ସେ ଋଷି କି ଦେବତା ନୁହେଁ । ସେ ରକ୍ତମାଂସର ମଣିଷ ।

 

ଛାତ ଉପରେ ପିଲାମାନେ ଖେଳିଲେ କିଛି ସମୟ । ରାଜଧାନୀର ଆଲୁଅ ସବୁ ଦୃଷ୍ଟିରେ ପଡ଼ୁଥାଏ ।

 

ସମୟ ହେଲା । ଖାଇବାବେଳ ହେଲାଣି ବୋଲି ତଳୁ ବଂଶୀ ଆସି କହିଗଲା । ପିଲାମାନଙ୍କୁ ସାଙ୍ଗରେ ନେଇ ଛାତ ଉପରୁ ଉହ୍ଲାଇ ଆସିଲା ସରୋଜ । ସେତେବେଳକୁ ମନ ଟିକେ ହାଲୁକା ଲାଗୁଥିଲା । ମଥା ଉପରେ କେହି ମାଡ଼ି ବସିଥିବା ଅନୁଭବଟି ନଈକୂଳର ସୁଲୁସୁଲିଆ ପବନର ପରଶ ପାଇ ଉଡ଼ି ଯାଇଥିଲା ।

 

ମୈତ୍ରେୟୀ ଅପେକ୍ଷା କରୁଥିଲେ ଖାଇବା ଘରେ । ସମସ୍ତେ ବସିଲେ ମୁହାମୁହିଁ । ଆଜି କୁନ୍ତିର ପାଳି । ସେ ପରଶିଲା ଟେବୁଲ ଉପରେ । କିନ୍ତୁ ଟେବୁଲ ଚାରି ପାଖରେ ମୁହାଁମୁହିଁ ହୋଇ ବସିଗଲେ ତ ତୁଣ୍ଡକୁ ସବୁ ସୁଆଦ ଲାଗେ ନାହିଁ । ସେଦିନ କିନ୍ତୁ କାହାର ଅମୃତ ସ୍ପର୍ଶ ଲାଗିଥିଲା କେଜାଣି ମାଛ ବେସରରୁ ଟିକେ ତୁଣ୍ଡରେ ଲାଗିଲା କ୍ଷଣି କହିପକାଇଲା ମିତା, ‘‘କିଏ ରାନ୍ଧିଛି ମା’, ଭାରି ସୁଆଦ ହୋଇଛି... ।’’

 

ମନୋଜ ବି କହିଲେ ବେସର, ସନ୍ତୁଳା ସବୁ ଚମତ୍କାର ହୋଇଛି । ଅନେକ ଦିନ ପରେ ଏପରି ସୁଆଦ ତୁଣ୍ଡରେ ଲାଗିଲା । କିନ୍ତୁ ଲକ୍ଷ୍ୟ କରିଥିଲେ ମୈତ୍ରେୟୀ, ଏ କଥା ମନୋଜ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କହିଲେ ନା ପ୍ରକୃତରେ ଆଜି ସବୁ ତରକାରି ସୁଆଦିଆ ହୋଇଛି । ମନୋଜ କେବେ ଛଳନା କରନ୍ତି ନାହିଁ ! ଅଳ୍ପ କଥା କହନ୍ତି । ଯାହା କହନ୍ତି ସ୍ପଷ୍ଟ କହନ୍ତି । ତେବେ ମତପ୍ରକାଶ କରିବାର କୌଣସି ଆବଶ୍ୟକତା ନ ଥିଲେ ମଧ୍ୟ ସେ ଯେ କାହିଁକି ଏତେ ପ୍ରଶଂସା କଲେ ତା’ର ଗୂଢ଼ ରହସ୍ୟ ବୁଝିପାରିଲେ ନାହିଁ ସେ ।

 

ଖିଆପିଆ ଶେଷ ହେଲା । ଟେବୁଲ ଛାଡ଼ି ଜଣ ଜଣ କରି ଚାଲିଗଲେ । ସରୋଜ ବିଦାୟ ନେବାବେଳେ ମୈତ୍ରେୟୀ କହିଲେ, ‘‘ରାତି ବେଶୀ ହେଲାଣି । ଏତେ ରାତିରେ ତ ତମକୁ କେହି ଅପେକ୍ଷାକରି ନ ଥିବେ, ତେବେ ଏଇଠି ରହିଯାଉନ ଝିଅ ପାଖରେ... ।’’

 

ସରୋଜ କହିଲା, ‘ମୁଁ ଯଦି ରହିଥାଏ ସେମାନେ ଭାବିବେ ଯେ ମୁଁ ରଣକ୍ଷେତ୍ର ଛାଡ଼ି ପଳାଇ ଯାଉଛି । ସେ ବାହାଦୁରୀ ନବାର ସୁଯୋଗ ସେମାନଙ୍କୁ ମୁଁ ଦେବି ନାହିଁ । ବରଂ ଯଦି ମୁହାଁମୁହିଁ ହୋଇଯାଏ ତାହାହେଲେ ହିସାବ ନିକାଶ କରିବା ପାଇଁ ସୁବିଧା ମିଳିବ... ।’

 

ସରୋଜର କଥା କହିବାର ଢଙ୍ଗ ଓ ମୁହଁର ରଙ୍ଗ ଦେଖି ମୈତ୍ରେୟୀ ଜାଣିଗଲେ ଯେ ଆକ୍ରୋଶରେ ସେ ଥରୁଛନ୍ତି । ତାକୁ ଶାନ୍ତ ହବା ପାଇଁ କହିଲେ ସେ । ତା’ପରେ ଟିକେ ରହିଯାଇ କହିଲେ, ‘‘ସଂଯମ ରକ୍ଷା କରିବା ପାଇଁ ଭୁଲିବ ନାହିଁ । ପ୍ରତିପକ୍ଷ ହାତକୁ ଅସ୍ତ୍ର ବଢ଼ାଇ ଦବ ନାହିଁ । ବରଂ ତା’ ହାତର ଅସ୍ତ୍ର ଯେପରି ଅକାମୀ ହୋଇଯାଏ ସେହିପରି ବ୍ୟବହାର କରିବ । ତମେ ଯଦି ଯିବ କହୁଛ ଯାଅ... । ତଥାପି ସତର୍କ ଥିବ, ସାବଧାନ ଥିବ... ମୋର ଏ ସାନକଥା ଆଦୌ ଭୁଲିବ ନାହିଁ ।’’

 

ସରୋଜ ନିଜେ ଗାଡ଼ି ଚଳାଇ ଚାଲିଗଲା । ତାଙ୍କୁ ଫାଟକ ପାଖରେ ଛାଡ଼ି ଫେରି ଆସି ମୈତ୍ରେୟୀ ଦେଖିଲେ ଯେ ମନୋଜ କୋଠରୀ ଭିତରକୁ ଚାଲି ଯାଇଛନ୍ତି । ଘରକାମ ଶେଷ କରି କବାଟ ବନ୍ଦ କରି ବୈଠକଖାନାରେ ବସିଲେ କିଛି ସମୟ । ଦକ୍ଷିଣା ପବନ ତାଙ୍କ କ୍ଳାନ୍ତ ଦେହ ଓ ମନକୁ ସତେଜ କରୁଥିଲା । ସେ ଟି.ଭି. ପର୍ଦ୍ଦାରେ ମନୋରଞ୍ଜନ କାର୍ଯ୍ୟକ୍ରମ କଛି ସମୟ ଦେଖିଲେ ଏବଂ ତା’ପରେ ଲାଇଟ୍‌ ଲିଭାଇ ଦେଇ ଶୋଇବା ଘରେ ପ୍ରବେଶ କଲେ ।

 

ଗଡ଼ିପଡ଼ିଲାବେଳକୁ ବିଛଣା ଖାଲି ଖାଲି ଲାଗିବାରୁ ବୁଲି ପଡ଼ି ଅନାଇଲେ ମୈତ୍ରେୟୀ ।

 

ମନୋଜ ଶୋଇବା ଘରେ ନ ଥିଲେ ।

 

କୁଆଡ଼େ ଗଲେ ଏତେବେଳେ ? କବାଟ ଆଉଜାଇ ଦେଇ ସେ ବାହାରକୁ ଯାଇ ବାରନ୍ଦାରେ ଏ ମୁଣ୍ଡରୁ ସେମୁଣ୍ଡ ବୁଲୁଥିଲେ । ହାତ ଦୁଇଟା ଠିକ୍‌ ପଛପଟେ ଛନ୍ଦି ହୋଇଥିଲା । ଝରକା ଦେଇ ଛିଟିକି ପଡ଼ୁଥିବା ଆଲୁଅରେ ମୈତ୍ରେୟୀ ଦେଖିଲେ ଯେ ମନୋଜ ନିଜ ଚିନ୍ତାରେ ବୁଡ଼ି ଯାଇଛନ୍ତି ।

 

ସେ ଆଶ୍ଚର୍ଯ୍ୟ ହୋଇଗଲେ ।

 

ଦୀର୍ଘ ବିବାହିତ ଜୀବନରେ ଏପରି ଅବସ୍ଥାରେ ସ୍ୱାମୀଙ୍କୁ ସେ କେବେ ଦେଖି ନ ଥିଲେ ସେ ।

 

ତାଙ୍କ ଶେତା ମୁହଁ ଦେଖି ମୈତ୍ରେୟୀଙ୍କୁ ଲାଗୁଥିଲା ଯେ ବିକ୍ଷୁବ୍ଧ ସମୁଦ୍ରରେ ଛୋଟ ଅଣ-ଆୟତ୍ତ ଡଙ୍ଗାଟି ଭାସିବା ପରି ଅନ୍ତର୍ଦ୍ୱନ୍ଦ୍ୱରେ ଅଥୟ ହେଉଥିଲେ ମନୋଜ । ଖାଇବାବେଳେ ସେ ସ୍ୱାଭାବିକ ହେବା ପାଇଁ ଚେଷ୍ଟା କରି ମଧ୍ୟ ସ୍ଵାଭାବିକ ହୋଇପାରୁ ନ ଥିଲେ। ତାଙ୍କ କଥା ଓ ବ୍ୟବହାରରେ କୃତ୍ରିମତା ଥିବା ପରି ଅନୁଭବ କରୁଥିଲେ ମୈତ୍ରେୟୀ । ଏହା ମନୋଜଙ୍କ ସ୍ଵାଭାବିକ ଅବସ୍ଥା ନୁହଁ । ସେ କ୍ୱଚିତ୍‍ ଭାରସାମ୍ୟ ହରାନ୍ତି ଏବଂ ଯେତେବେଳେ କୌଣସି ଅସ୍ୱାଭାବିକ ଚାପପଡ଼େ ତାଙ୍କ ଉପରେ ସେ ଅନ୍ୟକୁ ତାହା ଜାଣିବା ପାଇଁ ତିଳେମାତ୍ର ସୁଯୋଗ ନ ଦେଇ କେବଳ ନିଜେ ତାହାର ମୁକାବିଲା କରନ୍ତି ।

 

ଏପରି ଅବସ୍ଥାରେ କୌଣସି ବିଘ୍ନ ସୃଷ୍ଟି କରିବା ପାଇଁ ଇଚ୍ଛା ହେଲାନି ମୈତ୍ରେୟୀଙ୍କର । ସ୍ଵାମୀ ଯେ ତାଙ୍କର ସାନ୍ନିଧ୍ୟ ଏ ସମୟରେ ଉପଭୋଗ କରିବେ ନାଇଁ ଏପରି ଗୋଟେ ଧାରଣା ବି ଅସ୍ଥିର କରୁଥିଲା ମୈତ୍ରେୟୀଙ୍କୁ । ସେ ଧୀରେ ଧୀରେ ଝରକା ପାଖରୁ ଫେରି ଆସି ବିଛଣା ଉପରେ ଦେହ ଲମ୍ବାଇ ଦେଲେ ।

 

କେତେବେଳେ ନିଘୋଡ଼ ନିଦରେ ସେ ଶୋଇଗଲେ ଜାଣିପାରିଲେ ନାହିଁ ।

 

ରାତି କେତେ ହୋଇଥିବ କେଜାଣି, ହଠାତ୍‌ କ’ଣ ଗୋଟେ ଶବ୍ଦ କାନରେ ବାଜିବାରୁ ତାଙ୍କ ନିଦ ଭାଙ୍ଗିଗଲା ଏବଂ ସେ ଆଖି ଖୋଲି ଚାହିଁଲେ ଆପେ ଆପେ ହାତ ଦୁଇଟା ମେଲିଗଲା ଦୁଇଆଡ଼େ । ମନୋଜ ବିଛଣାରେ ନ ଥିବା ଦେଖି ସେ ଚମକି ପଡ଼ିଲେ । ରାତି ଅନେକ ହେଲାଣି । ଦୁଇଟା କି ତିନିଟା ବାଜିବ ବୋଧହୁଏ । ଏତେ ରାତିରେ ମନୋଜ କୋଉଠି କ’ଣ କରୁଛନ୍ତି ?

 

ସେଇ ଭାବନା ମନକୁ ଆସିବା କ୍ଷଣି ସେ ବିଛଣା ଉପରୁ ତଳକୁ କୁଦାମାରି ଉହ୍ଲାଇ ପଡ଼ିଲେ ଏବଂ ଧୀରେ ଧୀରେ ଝରକା ପାଖକୁ ଗଲେ । ଲନ୍‌ ଉଦ୍‌ଭାସିତ ହେଉଥିଲା ଚନ୍ଦ୍ରାଲୋକରେ । ବଉଳ ଗଛ ପାଖରେ ବତୀଖୁଣ୍ଟରେ ଜଳୁଥିବା ଆଲୁଅ ଚାହିଁ ଚାହିଁ କାହାକୁ ଯେପରି ନିରୀକ୍ଷଣ କରୁଥିଲା । ବାରନ୍ଦାର ଶେଷାଂଶରେ ଆରାମ ଚୌକି ଉପରେ ଆଉଜି ପଡ଼ି ସେଇ ଅସ୍ପଷ୍ଟ ଆଲୋକରେ କ’ଣ ଗୋଟେ ପଢ଼ିବା ପାଇଁ ଚେଷ୍ଟା କରୁଥିଲେ ।

 

କ’ଣ ପଢ଼ୁଛନ୍ତି ଏତେ ରାତିରେ ଏକା ଏକା... ।

 

ଚିଠି ? କବିତା ? ଆଉ କିଛି ରହସ୍ୟମୟ ବାର୍ତ୍ତା ?

 

ମୈତ୍ରେୟୀଙ୍କ ହଠାତ୍‌ କାହିଁକି କେତେମାସ ପୂର୍ବର ଘଟଣା ମନେପଡ଼ିଗଲା । ସେଦିନ ତାଙ୍କୁ ବିଦାୟ ଦବାବେଳେ ବଡ଼ କଭର ଭିତରେ ଯେଉଁସବୁ କାଗଜ ଗୁଡ଼ାକୁ ବାଣୀ ଦେଇଥିଲେ ତାଙ୍କୁ ଅବସର ସମୟରେ ପଢ଼ିବା ପାଇଁ ସେସବୁ ଆଜିଯାଏ ସେ ପଢ଼ି ନାହାଁନ୍ତି । ସେ ବିଷୟ ଭୁଲି ଯାଇଛନ୍ତି ଏକାବେଳେ ।

 

ବାଣୀ କହିଥିଲେ ଯେ ସେ ଭିତରେ କିଛି ଚିଠି ଅଛି । ଆଉ କିଛି କବିତା ଅଛି

 

କିଏ କାହାକୁ ଲେଖିଥିଲା ସେସବୁ ଚିଠି ।

 

କିଏ କାହା ପାଇଁ ଲେଖିଥିଲା କବିତା !!

 

(ବତିଶ)

 

ସେଦିନ କଲେଜରେ ଥିବାବେଳେ ବାଣୀ ଫୋନ୍‌ କଲେ ଫେରିବା ବାଟରେ ତାଙ୍କ ଘର ଦେଇ ଯିବା ପାଇଁ । ତାଙ୍କ ଘର ବାଟରେ ପଡ଼େ ସହରର ସେଇ ସବୁଠାରୁ ସୁନ୍ଦର ଫୁଲ ବଗିଚା । ଗୋଲାପ ବଗିଚା ଦେଖିଲେ ପେଟ ପୂରିଯାଏ । କ୍ରୋଟନମାନେ ଧାଡ଼ି ବାନ୍ଧି ଛିଡ଼ା ହୋଇପାରନ୍ତି ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ଜୱାନ୍‌ମାନଙ୍କ ପରି । ମଝିରେ ପାଣିର ଜୁଆର । ଝରୁଥିବ ପାଣି ଗୋଟିଏ ଛୋଟ ଝରଣା ପରି ବହି ଯାଉଥାଏ ଟିକେ ଦୂରରେ ଥିବା କ୍ଷୁଦ୍ର ଜଳାଶୟକୁ । ନାଲିକଇଁମାନଙ୍କର ରୂପ ଚହଟୁଥାଏ ସଦାବେଳେ । କେତେ ପ୍ରକାର ପକ୍ଷୀ ସେଇ ଜାଳଶୟ ଚାରିପାଖରେ ବସି କିଏ ଜଳପାନ କରୁଥାଏ ତ ଆଉ କିଏ ସ୍ନାନ କରୁଥାଏ-। କଜଳପାତିର ଗାଢ଼ କଳାରଙ୍ଗ, କାଠହଣାର ଲମ୍ବା ମୁନିଆ ଥଣ୍ଟ, ହଳଦୀ ବସନ୍ତର କଳା ହଳଦିଆ ଚିକ୍କଣ ଚେହେରା, ଗାଢ଼ ସବୁଜ ରଙ୍ଗର ଶୁଆ ପକ୍ଷୀ । ଥରେ ଥରେ ମେଘ ଉଠିଲେ ମୟୂର ପୁଚ୍ଛ ମେଲାଇ ନୃତ୍ୟ କରେ ଏବଂ ନେଉଳ କେତେଟା ଏ ପାଖରୁ ସେପାଖ ହେଉଥାନ୍ତି ।

 

ଏଇ ବଗିଚାରେ କିଛି ସମୟ କଟାଇବା ପାଇଁ ମନହୁଏ ତାଙ୍କର । କବିତା ଲେଖିବା ପାଇଁ ଇଚ୍ଛା ହୁଏ । କିନ୍ତୁ ସାରାଜୀବନ ଚେଷ୍ଟାକରି ମଧ୍ୟ କବିତା ଗୋଟିଏ ଲେଖି ପାରିଲେ ନାଇଁ ମୈତ୍ରେୟୀ । କବିତା ପଢ଼ିବା ପାଇଁ କିନ୍ତୁ ଭଲ ପାଆନ୍ତି । ଇଚ୍ଛା ଥିଲେବି ବାଣୀଙ୍କ କବିତାଗୁଡ଼ିକ ସେଇପରି ସାଇତା ହୋଇ ରହିଥିଲା, ଚିଠିଗୁଡ଼ାକ ବି ପେଡ଼ି ଭିତରେ ସାପ ପରି ଶୋଇ ରହିଥାନ୍ତି-। ସାହସ ହୁଏନା ଖୋଲିବା ପାଇଁ ।

 

ସେଦିନ ରାତିରେ ଏକାନ୍ତରେ ହାତରେ ଗୋଟିଏ କାଗଜ ଧରି ଚାହିଁରହି କ’ଣ ଭାବୁଥିଲେ ମନୋଜ କେଜାଣି, କିନ୍ତୁ ସ୍ଵାମୀଙ୍କଠାରୁ ମୈତ୍ରେୟୀଙ୍କ ଭାବନା ବଢ଼ି ଯାଇଥିଲା ଦଶଗୁଣ-। ଅର୍ଥନୀତିର ସମସ୍ୟା ନେଇ ବ୍ୟସ୍ତ ରହୁଥିବା ମନୋଜ କ’ଣ ପାଉଥିଲେ ସେଥିରୁ ସେ ଏକା ଜାଣିଥିବେ । କିନ୍ତୁ ଜୀବନରେ ପ୍ରଥମ ଥର ପାଇଁ ମୈତ୍ରେୟୀ ଆବିଷ୍କାର କରିଥିଲେ ଆଉ ଗୋଟେ ନୂଆ ମଣିଷକୁ ଯିଏ ଅନ୍ୟର ଚିଠି ପଢ଼ିବା ପାଇଁ ସମୟ ଦିଏ, ପୁଣି ସମୟ ପାଇଲେ କବିତା ଲେଖେ ତନ୍ମୟ ହୋଇ । ସେଦିନ ତାଙ୍କ ହାତରେ ଚିଠି ଥିଲା ନା କବିତା ଥିଲା ଠିକ୍‌ ଜାଣି ନ ଥିଲେ ମୈତ୍ରେୟୀ, ତଥାପି ଦୁରୁଦୁରୁ ଛାତିରେ ମନୋଜ ବିଶ୍ୱବିଦ୍ୟାଳୟ ଯାଇଥିବାବେଳେ ତାଙ୍କ ବହି ଥାକରେ, ଟେବୁଲର ଡ୍ରୟାର ଭିତରେ କପ୍‌ବୋର୍ଡ଼ରେ ଅନେକ ଖୋଜିଥିଲେ ସେ । ଶେଷରେ ଗୋଟେ ସୁନେଲି ଲଫାପା ହଠାତ୍‌ ପାଇ ଗଲେ ଗୋଟେ ବହି ଭିତରୁ । ସେଇ ଲଫାପା ଭିତରେ ଚିଠି ମିଶା କବିତାଟିଏ ଥିଲା ।

 

ସେଇ କେତେ ଧାଡ଼ିର ଚିଠିରେ ଲେଖା ଥିଲା, ହଠାତ୍‌ ତୁମକୁ ଦେଖି ଆଖିକୁ ବିଶ୍ଵାସ କରିପାରିଲି ନାହିଁ । ତୁମକୁ କ’ଣ ସମ୍ବୋଧନ କରି ଡାକିବି ଭାବିପାରିଲି ନାହିଁ । କିନ୍ତୁ ଉତୁରୁଥିବା ମନରୁ ଯେଉଁ କେତେ ଧାଡ଼ି ଝରିପଡ଼ିଲା ଫୁଲଝରି ପରି ସେତକ ଲେଖି ଦେଉଛି ଏଇ ଚିଠି ତଳେ–

 

କପୋତ ଯୁଗଳ ଆକାଶେ ଉଡ଼ିବା ପରି

ଆମେ କି ବନ୍ଧୁ ଉପରେ ବୁଲିବା ଯାଇ

ଉଜ୍ଜ୍ଵଳ ସେଇ ଝଲମଲ ଖରା ବେଳେ

ଆମେ କି ହେ ସଖା କବିତା ଲେଖିବା ନାଇଁ ?

ଖୋଜୁଟି ଖୋଲୁଚି ସେଇ ଦିନୁ ଜାଣ

ଯୁଗ ବିତି ଯାଏ ଡେଣା ତଳେ ମୋର

ସମୟ ଯାଉଚି ସରି,

ନୀଡ଼ ରଚନାର ଗୋଲାପ ସପନ ସବୁ

ଝରି ପଡ଼ୁଥିବ ଆକାଶୁ ଯେସନ

ବର୍ଷା ପଡ଼ଇ ଝରି ।

 

ଆଖି ବୁଜି ହୋଇଗଲା ମୈତ୍ରେୟୀଙ୍କର । କିନ୍ତୁ ସେଇ ଚିଠିରୁ ସେ ଯାହାର ପରିଚୟ ପାଇଲେ ସେମାନେ ଜଣେ ନୁହନ୍ତି ଦୁଇଜଣ । ଜଣେ ପୁରୁଷ ଏବଂ ଆଉ ଜଣେ ନାରୀ ।

 

ବଗିଚାରେ ବୁଲିବା ବନ୍ଦ କରି କେତେବେଳେ ସେ ମାର୍ବଲ ବେଞ୍ଚ ଉପରେ ବସି ପାଣିରେ ଖେଳୁଥିବା ପକ୍ଷୀ ଦୁଇଟିକୁ ଅନାଇ ରହିଥିଲେ ତାହା ମନେପଡ଼ିଲା ନାହିଁ । ଅନେକସମୟ କେତେବେଳେ ଯେ ଏଇ ପାଣି ସୁଅ ପରି ବହି ଯାଇଛି ଇତି ମଧ୍ୟରେ ତାହା କଳନା କରିପାରିଲେ ନାହିଁ ମୈତ୍ରେୟୀ ।

 

ତାଙ୍କୁ ଲାଗୁଥିଲା ସେ ଅଜାଣତରେ କେଉଁ ଏକ ପ୍ରେମିକାର ଛାତି ଉପରେ ହାତମାରି ଦେଇଛନ୍ତି । ଚିହ୍ନା ଚିହ୍ନା ଲାଗୁଥିଲେ ବି ଚିହ୍ନି ହେଉନି ।

 

ହାତ ଘଡ଼ିକୁ ଚାହିଁଲେ । ଇସ୍‌ । ପାଞ୍ଚଟା ବାଜି ଗଲାଣି । ସେ ବାଣୀଙ୍କୁ କଥା ଦେଇଥିଲେ ସାଢ଼େ ଚାରିଟା ସୁଦ୍ଧା ପହଞ୍ଚିବା ପାଇଁ । ‘ରତୁପୂର୍ଣ୍ଣା’ ଉଦ୍ୟାନରେ ଅଟକି ଗଲେ ପ୍ରାୟ ଘଣ୍ଟାଏ । ଏଠାରୁ ତାଙ୍କ ଘରକୁ ଆହୁରି ପନ୍ଦର ମିନିଟର ବାଟ ।

 

ସେଇ ଚିଠି ଯଥା ସ୍ଥାନରେ ରଖି ଦେଇଥିଲେ ପଢ଼ିସାରି । କିନ୍ତୁ ମୈତ୍ରେୟୀଙ୍କ ଛାତି ଧଡ଼୍‌ ଧଡ଼୍‌ ହେଉଥିଲା । ଉଦ୍‌ବେଗ ଭରି ରହିଥିଲା ମନରେ । ମନୋଜ ଯଦି ଜାଣିବେ ଯେ ସେ ନ ଥିବା ସମୟରେ ତାଙ୍କ ବହିପତ୍ର କାଗଜ ଓଲଟ ପାଲଟ କରୁଥିଲେ ସେ କ’ଣ ଭାବିବେ କେଜାଣି ! ଅବିଶ୍ୱାସର ଋତୁଟିଏ ବିଶ୍ଵାସର ସେତୁ ଭାଙ୍ଗି ଛିଡ଼ା ହୋଇଗଲେ ଆକାଶ ଖସି ପଡ଼ିବ, ପବନ ବନ୍ଦ ହୋଇଯିବ, ପୃଥିବୀରେ ଅନ୍ଧାର ଘୋଟିଯିବ ।

 

ମୈତ୍ରେୟୀ କେତେବେଳେ ବାଣୀଙ୍କ ଘର ସାମ୍ନାରେ ପହଞ୍ଚି ଯାଇଥିଲେ ଜାଣିପାରିଲେ ନାହିଁ । ବାଣୀ ବାହାରି ଆସି ପାଟିକରି କହିଲେ, ‘‘ଆରେ ଗେଟ ପାଖରେ ଛିଡ଼ା ହୋଇ ରହିଚ କାହିଁକି ଯେ,.. ଆସ ଭିତରକୁ ଆସ... ତମକୁ କ’ଣ ଆଜି ନୂଆ ନୂଆ ଲାଗୁଚି ସବୁ... ମୁଁ ଭାଇ ସେଇ ପୁରୁଣା ଲୋକ...।’

 

ଟିକେ ଅପ୍ରସ୍ତୁତ ହୋଇ ଯାଉଥିଲେ ମୈତ୍ରେୟୀ । ନିଜକୁ ସଜାଡ଼ି ଦେଇ ପାଦ ବଢ଼ାଇଲେ ପାହାଚ ଚଢ଼ିବା ପାଇଁ ।

 

ତାଙ୍କୁ ଆଲିଙ୍ଗନ କରି କହିଲେ ବାଣୀ, ‘‘ତମକୁ ଦେଖିଲେ ମୁଁ କ’ଣ ଭାବେ ମୈତ୍ରେୟୀ ଜାଣ ? ମୁଁ ଯେପରି ମୋ ପ୍ରାଣର ଅତି ନିକଟତମ ଜଣକୁ ଫେରିପାଇଛି । ସେଥିପାଇଁ ସେଦିନ ଭାବବହ୍ୱଳ ହୋଇ ତୁମକୁ ଚୁମା ଦେଇଥିଲି, ମୋ ଛାତି ଉପରେ ତୁମକୁ ଜାକି ରଖି ତୁମ ଦେହର ବାସ୍ନା ଶୁଙ୍ଘୁଥିଲି । ତମେ ହୁଏତ ଭାବିଥିବ ଯେ ମୁଁ ଗୋଟଏ ପାଗଳୀ । କିନ୍ତୁ ଭଉଣୀ, ମୁଁ ପାଗଳୀ ନୁହେଁ । ମୁଁ ତୁମର ପ୍ରେମ ପାଗଳ ବନ୍ଧୁଟିଏ ।

 

ମୈତ୍ରେୟୀ ଖିଲି ଖିଲି କରି ହସି ଉଠିଲେ । ତାଙ୍କୁ ସୁଖ ଲାଗୁଥିଲା ବାଣୀଙ୍କ କଥା ଶୁଣିବା ପାଇଁ ।

 

କଫି ଆସିଲା, ସ୍ୟାଣ୍ଡଉଇଚ୍‌ ବି ଆସିଲା । ଭୋକ ଲାଗୁଥିଲା ମୈତ୍ରେୟୀଙ୍କୁ । ଦୁଇଟା ଚିଜ୍‌ ସ୍ୟାଣ୍ଡଉଇଚ ଖାଇ ପାଣି ଗିଲାସେ ପିଇସାରି କହିଲେ ସେ, ‘‘ଭାରି ଭୋକ କରୁଥିଲା...।’’

 

ବାଣୀ କହିଲେ, ‘‘ତମେ ସନ୍ଦେଶଟା ଖାଇଲ ନାହିଁ ଯେ...।’’

 

ମୈତ୍ରେୟୀ. କହିଲେ, ‘‘ମୁଁ ମୋଟା ହୋଇ ଯାଉଛି ନାନୀ... ମିଠା ଖାଇବା କମେଇ ଦେଇଛି...।’’

 

‘‘ଥାଉ ଥାଉ ମୋ ଘରେ କିନ୍ତୁ ତମକୁ ଖାଇବାକୁ ହେବ । ତମେ କ’ଣ ତନୁପାତଳୀ ପ୍ରେମିକାଟିଏ ହେବା ପାଇଁ ଏବେବି ଆଶା ରଖ । ମୁଁ ତ ତୁମକୁ ଯେତେ ଦେଖୁଚି ତମ ସହିତ ମୋର ପ୍ରେମସମ୍ପର୍କ ଆହୁରି ଗାଢ଼ ହେଉଛି... ।’’

 

ସେ ନିଜ ହାତରେ ସନ୍ଦେଶଟା ଉଠାଇ ନେଇ ମୈତ୍ରେୟୀଙ୍କ ମୁହଁ ଭିତରେ ଭର୍ତ୍ତିକରି ଦେଇ କହିଲେ, ‘‘ତମ ସିଏ କ’ଣ ସନ୍ଦେସ ଭଲ ପାଆନ୍ତି ନି ?’’

 

ମୈତ୍ରେୟୀ ମୁହୂର୍ତ୍ତେ ଅନାଇ ରହିଲେ ତାଙ୍କ ମୁହଁଙ୍କୁ । ଏଇ ଗୋଟିଏ ପ୍ରଶ୍ନ ପଚାରି ଦେଇ ସେ ତାଙ୍କଠାରୁ ଅନେକଗୁଡ଼ା ଉତ୍ତର ଆଶା ଧୀରେ କରୁନାହାଁନ୍ତି ତ ? ତା’ପରେ ଧୀରେ କହିଲେ -‘‘ସେ ପୁସ୍ତକ ପ୍ରେମୀ ଲୋକଟିଏ । ବହି ଭଲ ତ ତାଙ୍କ ଜଗତ ଭଲ । ବହି ପଢ଼ୁ ପଢ଼ୁ କେତେବେଳେ ଶୋଇପଡ଼ନ୍ତି ଜାଣିପାରନ୍ତି ନାହିଁ ।’’

 

‘ବହି ତା’ହେଲେ ଶଯ୍ୟାସଙ୍ଗିନୀ ?’ ମୈତ୍ରେୟୀଙ୍କୁ ଉତୁରେଇ ଦବା ପାଇଁ କହିଲେ ବାଣୀ ।

 

କିନ୍ତୁ ସେଇ କଥାରୁ ନଥା କାଢ଼ିବା ପାଇଁ ଚେଷ୍ଟା ନ କରି କହିଲେ ମୈତ୍ରେୟୀ, ‘‘ତାଙ୍କୁ ଥରେ ଦେଖିବା ପାଇଁ ମନ ହୁଏନା ନାନୀ ? ତମକୁ କେତେଥର ନିମନ୍ତ୍ରଣରେ ଡାକିଛି । ଥରୁଟିଏ ଆସିନ । କିନ୍ତୁ ଆଜି ଛାଡ଼ିବି ନାଇଁ ତୁମକୁ । କେବେ ଆସିବ କୁହ, ମୁଁ ଆସି ତମକୁ ନେଇଯିବି...।’’

 

ବାଣୀ ମୁହଁ ଉପରେ ହସ ଖେଳାଇ କହିଲେ, ‘‘ହଁ ! ଯିବି ଯିବି ବୋଲି ମୋ ମନ ବି ଅସ୍ଥିର ହେଉଛି ଯେ ମୁଁ ସମୟ କାଢ଼ି ଯାଇପାରୁନି । ତମ ଘରକୁ ଗଲେ ଘଣ୍ଟାଏ ଦୁଇଘଣ୍ଟା ତ ଯଥେଷ୍ଟ ହେବ ନାହିଁ ଓଳିଏ ବା ଦିନଟିଏ ଚାଲିଯିବ...। କ’ଣ କହୁଛ ତମେ ?’’

 

ବାଣୀଙ୍କ ମୁହଁ ଉପରକୁ ଚାହିଁଲେ ମୈତ୍ରେୟୀ । ସେଇ ମୁହଁରେ ରହସ୍ୟମୟ ହସର ରେଖାଟିଏ ଫୁଟି ଉଠି ପୁଣି ମିଳାଇ ଗଲା ।

 

ମୈତ୍ରେୟୀ କହିଲେ, ‘‘ସୌଭାଗ୍ୟର କଥା ହେବ ନାନୀ । ତୁମେ ଦିନଟିଏ କାହିଁକି ଯୁଗଟିଏ ରହି ଯାଉନ... ।’’

 

ବାଣୀ ଦୁଷ୍ଟାମୀ କରିବା ପାଇଁ କହିଲେ, ‘‘ମୁଁ ରହିଗଲେ ତୁମର ଅସୁବିଧା ହେବନି... ଇନ୍ଦ୍ରଙ୍କ ପାଖରେ କେବଳ ଶଚୀହିଁ ଶୋଭା ପାଆନ୍ତି...।’’

 

ତା’ପରେ କହିଲେ, ‘‘ନା ନା... ମୁଁ ତୁମ ଖେଳଣା ଦେଖି ଲୋଭ କରିବି କାହିଁକି ଯେ... । କିଛି ମନେକରିବା ନାଇଁ । କହୁ କହୁ ତୁମ ମନ ବିଡ଼ିବା ପାଇଁ କହିଦେଲି ।’’

 

ମୈତ୍ରେୟୀ ନିଜ ଅନ୍ତର ଭିତରେ ଅଣ୍ଡାଳି ହେଉଥିଲେ । ସେଠାରେ ଆଶା ଓ ବିଶ୍ୱାସ ବ୍ୟତୀତ ଆଉକିଛି ନ ଥିଲା । କିନ୍ତୁ ତଥାପି ସେ ବାଣୀଙ୍କ କଥା ଶୁଣି ଚମକି ପଡ଼ିଲେ । ନିର୍ମେଘ ଆକାଶରେ ଚେନାଏ ମେଘ ଦେଖାଗଲା ।

 

ନା, ନା ସେ ବାଣୀଙ୍କୁ ସନ୍ଦେହ କରିବା ଉଚିତ ନୁହେଁ । କଥା ଛଳରେ କ’ଣ କହିଦେଲେ ବୋଲି ସତରେ ସେ କ’ଣ ବସା ବାନ୍ଧିବେ ଆଚାର୍ଯ୍ୟ ନିବାସରେ । ମୈତ୍ରେୟୀ ଅନ୍ୟମନସ୍କ ହୋଇଗଲେ ।

 

ବାଣୀ ଉଠିଯାଇ ଦୁଇଟା ଆଇସ୍‌କ୍ରିମ୍‌ ଧରି ଫେରିଆସିଲେ । ମୈତ୍ରେୟୀଙ୍କ ହାତକୁ ଗୋଟାଏ ବଢ଼ାଇ ଦେଇ କହିଲେ, ‘‘ଏଇ ଆଇସ୍‌କିମ୍‌ ପରି ସତେଜ ରହୁ ତମ ମନ... । ନିଅ । ପ୍ରଥମେ ଦବାର ଉଚିତ ଥିଲା । ମୁଁ ଭୁଲି ଯାଇଥିଲି ।’’

 

ହାତ ଘଡ଼ିକୁ ଚାହଁ ଚମକି ପଡ଼ି କହିଲେ ମୈତ୍ରେୟୀ, ‘‘କେତେବେଳେ ସଞ୍ଜ ଗଡ଼ିଗଲା ମୁଁ ଜାଣିବି ପାରିନି । ପ୍ରଥମ ପ୍ରହର ରାତିର ପ୍ରଥମ ଫୁଟା ଫୁଲ ପରି ତମେ ଦିଶୁଚ ନାନୀ । ଇନ୍ଦ୍ରାଣୀ ପରି ବସିଥାଅ... ମୁଁ ଉଠିଲି... ।’’

 

ତାଙ୍କୁ ଆଗେଇ ଦବାକୁ ଯାଇ ବାଣୀ କହିଲେ, ‘‘ସେଇ ଚିଠି ଆଉ କବିତାଗୁଡ଼ା ସେପରି ଅପଢ଼ା ରହିଯାଇଚି ସମୟ ପାଇନ ପଢ଼ିବା ପାଇଁ ?’’

 

ମୈତ୍ରେୟୀଙ୍କ କାନରେ ବାଜିଲା ସେଇପ୍ରଶ୍ନ, କିନ୍ତୁ ସେ କୌଣସି ଉତ୍ତର ଦେଲେ ନାହିଁ । ବରଂ ଗାଡ଼ି ଭିତରକୁ ପଶିଯିବା ପୂର୍ବରୁ କହିଲେ, ‘‘ମନେଥାଏ ଯେପରି... ଏଥର ଠକି ଦବନି... ତୁମ ଆସିବା ସମୟକୁ ମୁଁ ବାଟ ଚାହିଁ ରହିବି...।’’

 

ବାଣୀ ହସିଲେ କେବଳ ।

 

ମୈତ୍ରେୟୀ ଘରକୁ ଫେରିବା ବାଟରେ ଲାଲଚାନ୍ଦରୁ କେତୁଟା ଜିନିଷ ନବା ପାଇଁ ଉହ୍ଲାଇ ପଡ଼ିଲେ । କିନ୍ତୁ ଠିକ୍‌ ତାଙ୍କ ଆଗେ ଆଗେ ‘ଟାଙ୍ଗାରିନ’କୁ ଦୁଇଜଣ ହାତ ଧରାଧରି ହୋଇ ପ୍ରବେଶ କରୁଥିବା ଦେଖି ଛିଡ଼ା ହୋଇଗଲେ ଏବଂ ମୋବାଇଲ ଫୋନ୍‌ଟା ଅନ୍ କରି ଦେଇ ଫଟୋ ଉଠାଇଲେ ।

 

ଅଙ୍କିତ ଆଉ ପଦ୍ମଜା ପ୍ରବେଶ କଲେ ହୋଟେଲ ଭିତରେ । ମନୋନୀତ ଜିନିଷ କିଣି ସାରି ସେସବୁ ଗାଡ଼ିରେ ରଖି ଦେଲେ ମୈତ୍ରେୟୀ । କିନ୍ତୁ ପୁଣି କ’ଣ ଭାବି ଟାଙ୍ଗାରିନ୍‌ର ସିଡ଼ି ଭାଙ୍ଗି ଉପରକୁ ଉଠିଲେ । ବିପରୀତ ଦିଗକୁ ମୁହଁ କରି ଖାଉଥିଲେ ପଦ୍ମଜା ଆଉ ଅଙ୍କିତ । ସେଠାରୁ ଆଉ କେତୋଟି ଫଟୋ ନେଇ ସେ ଯେପରି ଧୀର ଭାବେ ଆସିଥିଲେ ସେହିପରି କେହି ଦେଖିବା ଆଗରୁ ଉହ୍ଲାଇ ଗଲେ । ପୂର୍ବରୁ ଅଙ୍କିତ ଏବଂ ପଦ୍ମଜାଙ୍କ ଆଉ କେତୋଟି ସାନିଧ୍ୟଭରା ମୁହୂର୍ତ୍ତକୁ ସେମାନଙ୍କ ଅଜ୍ଞାତରେ କ୍ୟାମେରାରେ ଧରି ରଖିଥିଲେ ମୈତ୍ରେୟୀ ।

 

ସ୍ଵାମୀ ସ୍ତ୍ରୀଙ୍କ ମଝିରେ ସେଇ ହୋମାଗ୍ନି ଜଳିବାଠାରୁ ସେମାନଙ୍କ ଅଲକ୍ଷ୍ୟରେ ନିର୍ମିତ ହୋଇଯାଇଥାଏ ସଂଯୋଗ ଓ ବିଶ୍ଵାସର ସେତୁଟିଏ । ସେଇ ସେତୁକୁ ସାରାଜୀବନ ସେମାନେ ବ୍ୟବହାର କରନ୍ତି । ବୁଝାମଣା ବେଳେ ବେଳେ ବିଗିଡ଼ିଗଲେ ବି ବିଶ୍ଵାସ କେବେ ଚହଲି ଯାଏ ନାଇଁ । ସେଇ ବିଶ୍ୱାସକୁ ଜାବୋଡ଼ି ଧରି ବଞ୍ଚି ରହେ ଦାମ୍ପତ୍ୟ ଜୀବନ ।

 

ମନୋଜଙ୍କୁ ସେ କେବେ ଅବିଶ୍ୱାସ କରିନାହାଁନ୍ତି । ଆଉ ତାଙ୍କ ଉପରେ ଅଚଳାଚଳ ବିଶ୍ଵାସ ମନୋଜଙ୍କର । ସେଇ ବିଶ୍ୱାସ ଭାଙ୍ଗିଦବା ପାଇଁ ସେ କେବେହେଲେ କିଛି କରି ନାହାଁନ୍ତି । କାୟାର ଛାୟା ପରି ଦୁହେଁ ଚଳି ଆସିଚନ୍ତି ।

 

କୁଆଖାଇ ପୋଲ ଉପର ଦେଇ ଯାଉଥିବାବେଳେ ଆଗକୁ ଦୃଷ୍ଟି ପଡ଼ିଥାଏ ତାଙ୍କର । ଗାଡ଼ିମାନଙ୍କୁ ବାଟ କଢ଼ାଇବା ପାଇଁ ନାଲି, ନେଳି ବତୀ ସବୁ ଖଞ୍ଜା ଯାଇଛି । ବତୀର ସୂଚନା ନିର୍ଭୁଲ ହେବ ଏଇ ବିଶ୍ୱାସକୁ ଦୃଢ଼ କରି ଗାଡ଼ିଚାଳକ ଗାଡ଼ି ଚଲାଏ । ଭୁଲ ହୁଏ ନାହିଁ । ଜୀବନଟା ବି ଗୋଟିଏ ଗାଡ଼ି ପରି । ଠିକ୍‌ ରାସ୍ତାରେ ଯିବା ପାଇଁ ବୁଦ୍ଧି ଓ ବିଶ୍ଵାସକୁ ମୂଳ କରିବାକୁ ହୁଏ ।

 

ପୋଲ ପାରିହେବା ପରି ବାମ ପାଖ ରାସ୍ତା ଧରିଲା ଡ୍ରାଇଭର ।

 

ନହରକଣ୍ଟା ବାଟ ଏଇଟା । ଏ ବାଟରେ ଆସିଲେ ବାଟବଣା ହେବାର ଭୟ ନ ଥାଏ । ଏଇ ବାଟ ଦେଇ ବାହାରକୁ ଗଲେ ବାଟ ହୁଡ଼ିବାର ଶଙ୍କା ନ ଥାଏ । ତଥାପି ପଦ୍ମଜା କାହିଁକି ବାଟ ହୁଡ଼ିଗଲା । ବିଶ୍ୱାସର ସେତୁଟାକୁ ଭାଙ୍ଗି ଦେଲା ! ଛାତି ଭିତରଟା ଆଉଟ ପାଉଟ ହେଲା । ଆଜିର ସଂଧ୍ୟାର ଦୃଶ୍ୟ ଦେଖିବା ପରେ ସେ ସ୍ଥିର ନିଶ୍ଚିତ ହୋଇଗଲେ ଯେ ପଦ୍ମଜା ଆଉ ଏଇ ବାଟ ଦେଇ ନହରକକଣ୍ଟା ଫେରିବ ନାହିଁ । ସେ ଭୁଲ ବାଟରେ ଚାଲିଯାଇଛି ଚିରକଳ ପାଇଁ ।

 

ଘରେ ପହଞ୍ଚିବା ବେଳକୁ ଅପେକ୍ଷା କରିଥିଲା ସରୋଜ ।

 

ବାରନ୍ଦାରେ ରାସ୍ତା ଉପରକୁ ମୁହଁ କରି ବସିଲେ ଦୁହେଁ ! ସରୋଜ କହିଲା, ‘ମୁଁ ମୋ ଉତ୍ତର ଦେଇ ଆସିଛି ଅଦାଲତରେ । ବିଚାରପତି କହୁଥିଲେ ଏତେ ତରତର କାହିଁକି, ଏପରି ହୁଏ-। ବୁଝାମଣା ପାଇଁ ସମୟ ନିଅ ।

 

ମୁଁ କହିଲି, ‘‘ବୁଝାମଣା ହୁଏ ବିଶ୍ୱାସ ଥିଲେ । ବିଶ୍ୱାସ ଭାଙ୍ଗିଗଲେ ହାଣ୍ଡି ଭାଙ୍ଗିଯାଏ, ଆଉ ବୁଝାମଣା ହୁଏ ନାହିଁ । ଭଙ୍ଗା ହାଣ୍ଡି କ’ଣ ଯୋଡ଼ିହୁଏ କେବେ ?’’

 

‘‘କ’ଣ କହିଲେ ସେ ?’’ ପଚାରିଲେ ମୈତ୍ରେୟୀ ।

 

ସରୋଜ କହିଲା, ‘‘ମୋ ପାଖରେ ସ୍ୱାତୀ ଅଛି । ତାକୁ ମୋ ପାଖରେ ରଖିବା ପାଇଁ ଦାବି ଜଣାଇ ଆସିଛି । କିନ୍ତୁ ମୁଁ ଯାହା ଶୁଣିଲି ପଦ୍ମଜା ସ୍ୱାତୀକୁ ପାଖକୁ ନବାପାଇଁ ଦାବି କରିନାହିଁ । ସେ ସେଇ ବିଷୟ ଉପରେ ଗୁରୁତ୍ଵ ଦେଇ ନାହିଁ । ବରଂ ତା’ ଓକିଲ କହିଛନ୍ତି ଝିଅର କମ୍‌ ବୟସ । ସେ ତା’ ବଡ଼ମା’ ପାଖରେ ରହିଗଲାଣି, ସେଇଠି ରହିଥାଉ । ଭବିଷ୍ୟତରେ ପଦ୍ମଜା ଝିଅକୁ ଦାବି କରିବାର ବାଟ ରଖି ବର୍ତ୍ତମାନ ଆମ ପାଖରେ ସ୍ୱାତୀକୁ ରଖିବା ପାଇଁ ରାଜି । ଝିଅ ତା’ ପାଖରେ ରହିଲେ ଗୋଟେ ବୋଝ ହେବ ଏଇ ଭାବନା ତା’ ମନରେ ଆଗରୁ ଥିଲା, ଏବେବି ଅଛି । କିନ୍ତୁ ସେ ମା’, ତଥାପି କିପିରି ଏଡ଼େ ନିର୍ଦ୍ଦୟ ଓ ମାୟାଶୂନ୍ୟ ହୋଇପାରିଲା ତାହାହିଁ ମୋତେ ଆଶ୍ଚର୍ଯ୍ୟ କରିଛି ଭାଉଜ । ଭଲ ହେଲା, ଆମ ଝିଅ ଆମ ପାଖେ ଥାଉ । ସେ ନିଜ ତିଆରି ବାଟରେ ଯାଉ ।’’

 

‘‘ଆଉ କେତେ ସମୟ ଲାଗିବ ?’’ ପଚାରିଲେ ମୈତ୍ରେୟୀ ।

 

ବେଶୀ ନୁହେଁ । ପଦ୍ମଜା ପକ୍ଷରୁ ଶୀଘ୍ର ଫଇସଲା କରିବା ପାଇଁ ପ୍ରାର୍ଥନା କରାଯାଇଛି । ମୁଁ ଏହାର ବିରୋଧ କରିନାହିଁ । ମିଳାମିଶା ପାଇଁ ଚେଷ୍ଟା କରିଥିଲେ ବିଚାରପତି । କିନ୍ତୁ ତାହା ଆଉ ସମ୍ଭବ ନୁହେଁ ବୋଲି ଉଭୟ ପକ୍ଷ ଜଣାଇ ଦବା ପରେ ଛାଡ଼ପତ୍ର ମାମଲାର ରାୟ ଶୀଘ୍ର ପ୍ରକାଶ ପାଇବ ମୁଁ ଆଶା କରୁଛି ।’’

 

ଦୀର୍ଘ ନିଃଶ୍ୱାସ ଛାଡ଼ି ମୈତ୍ରେୟୀ କହିଲେ, ‘‘ମଣିଷ ମନ କେଡ଼େ ଦୃଢ଼, ପୁଣି କେଡ଼େ ଭଙ୍ଗୁର । ବିଶ୍ଵାସର ସେତୁକୁ ଥରେ ଭାଙ୍ଗିଦେଲେ ଆଉ କିଛି ରହେ ନାହିଁ । ଏଇ କୁଆଖାଇ ପୋଲ କଥା ଭାବ । କେତେ କାଳୁ ନଦୀ ପାର ହେବା ପାଇଁ ବିଶ୍ଵାସର ସେତୁଟିଏ ନିର୍ମାଣ କରିଛି ମଣିଷ । ଯେତେବେଳେ ବିଜ୍ଞାନ ଓ କାରିଗରୀ କୌଶଳ ଜଣା ନ ଥିଲା । ସେତେବେଳେ ବାଉଁଶର ଡଙ୍ଗାରେ ନଦୀ ପାର ହେଉଥିଲେ ଲୋକମାନେ । ବିଜ୍ଞାନ, ପ୍ରଯୁକ୍ତି ବଳରେ ଏବେ ଗୋଟାଏ ନୁହେଁ ଦୁଇଟା ସେତୁ । ବନ୍ୟା, ବାତ୍ୟା ସବୁକୁ ଖାତିର ନ କରି ଛିଡ଼ା ହୋଇଛି ପୋଲ ସଭ୍ୟତାର ମାଇଲ ଖୁଣ୍ଟ ପରି ।’’

 

ଖିଆପିଆ ଶେଷ କରି ସରୋଜ ଫେରିଗଲା । ନର୍ସିଂହୋମ୍‍ ଛାଡ଼ି ପାଖରେ ସେ ଆଉ ଗୋଟେ ଫ୍ଲାଟ୍‌ ଭଡ଼ା ନେଇଛି । ପଦ୍ମଜାର ନର୍ସିଂହୋମ୍‍ କାମ ସେ ଛାଡ଼ି ଦେଇଛି । ‘ଦୀର୍ଘଶିଖା’ ନର୍ସିଂହୋମ୍‍ର ସର୍ଜନ ସେ । ସେଇ ପାଖରେ ତା’ର ଫ୍ଲାଟ୍‌ । ନହରକଣ୍ଟାରେ ରହିବା ଇଚ୍ଛା ଥିଲେ ମଧ୍ୟ ବୃତ୍ତିଗତ ଆବଶ୍ୟକତା ମେଣ୍ଟାଇବା ପାଇଁ ସେ ରହିଗଲା ଫ୍ଲାଟ୍‌ରେ । ଏକା ଏକା ଜୀବନ କେତେଦିନ ବଞ୍ଚିବାକୁ ହେବ କିଏ ଜାଣେ ?

 

ସେ ଚାଲିଗଲା ପରେ ଏକା ହୋଇଗଲେ ମୈତ୍ରେୟୀ । ପୁଅଝିଅ ଆଗରୁ ଖାଇସାରି ଶୋଇଗଲେଣି । ମନୋଜ ବିଶାଖାପାଟଣା ବିଶ୍ଵବିଦ୍ୟାଳୟରେ ରାଧାକୃଷ୍ଣନ୍ ସ୍ମାରକୀ ବକ୍ତୃତା ଦବା ପାଇଁ ଯାଇଛନ୍ତି । ପଅର ଦିନ ଫେରିବେ ।

 

ଶୋଇପଡ଼ୁଥିଲେ, କିନ୍ତୁ ହଠାତ୍ କ’ଣ ମନେପଡ଼ିଯିବାରୁ ଉଠି ବସିଲେ । ଯେଉଁ ପୋର୍ଟଫୋଲିଓଟା ଦେଇଥିଲେ ବାଣୀ ସେଇଟା ଏବେବି ଆଲମାରି ଭିତରେ ଅଛି । ଫୁରସତ୍‌ ଟିକେ ପାଇଲେ ପଢ଼ିବାପାଇଁ ଇଚ୍ଛା ଥିଲା ।

 

ବାଣୀ ପୁରୋହିତଙ୍କର ସେଇ ଚିଠିଥଳି କଥା ମନେପଡ଼ିଗଲା । ବାଣୀ ଦେଉଥିବା ମୁଦା ଲଫାପାଟା ସେଇପରି ରହିଛି । ସେ ଖୋଲି ନାହାଁନ୍ତି । ଏଇ ନିର୍ଜନ ସମୟହିଁ ସେସବୁ ପଢ଼ିବା ପାଇଁ ଉପଯୋଗୀ ସମୟ ।

 

ମୈତ୍ରେୟୀ ତାଙ୍କ କପ୍‌ବୋର୍ଡ଼ ଭିତରୁ ସେଇ ବଡ଼ ଲଫାପାଟା ବାହାର କରି ଆଣିଲେ ଏବଂ ଥର ଥର ହାତରେ ବାହାର କଲେ କାଗଜଗୁଡ଼ାକୁ । କେତୋଟି କବିତା ଏବଂ ଆଉ ତିନୋଟି ପ୍ରେମପତ୍ର । କବିତାଗୁଡ଼ିକ ପ୍ରଥମେ ଗୋଟିକ ପରେ ଗୋଟିଏ ପଢ଼ିଗଲେ । ପଚିଶ ବର୍ଷ ପୂର୍ବର ଆଦ୍ୟ ଯୌବନରେ କେହି ଜଣେ ନୂତନ ପ୍ରେମିକଙ୍କ ଲେଖା କବିତାଗୁଡ଼ିକ । ସବୁଥିରେ ଆବେଗ, ସବୁଥିରେ ମିଳିତ ହେବାର ଆକାଙ୍‍କ୍ଷା । ଗୋଟିଏ କବିତାରେ ସମୁଦ୍ରର ପ୍ରେମ ନିବେଦନ କରୁଣଭାବେ ଫୁଟି ଉଠିଛି । ଯୁଗ ଯୁଗ ଧରି ମଥା ପିଟୁଛି ସମୁଦ୍ର । ଆକୁଳ ନିବେଦନ କରୁଛି ତାକୁ ଟାଣି ନେଇ ବାହୁବଦ୍ଧରେ ଜଡ଼ାଇ ଧରିବା ପାଇଁ । କିନ୍ତୁ ପ୍ରେମିକ ପୃଥିବୀ ହାତ ମେଲାଇବା ପାଇଁ ଡେରି କରୁଥିବାରୁ ପ୍ରେମିକା ସମୁଦ୍ର ଫେରି ଯାଉଚି ଅଭିମାନ କରି । ସେଇ ଅଭିମାନରୁ ଦୁର୍ବାର ଅଭିନବ ଅନୁଭବ ଏବଂ ସେଇ ବ୍ୟାକୁତଳାର ଅସୀମ ଉତ୍କଣ୍ଠା ଆଖିର ଅଶ୍ରୁପରି ଫେଣ ହୋଇ ଭାସୁଚି ।

 

ମୈତ୍ରେୟୀଙ୍କ ମନେପଡ଼ିଲା ଆଦ୍ୟ ଯୌବନରେ କଥା । କଲେଜରେ ପଢ଼ୁଥିବାବେଳେ ଗୋପନରେ ତାଙ୍କ ପାଖକୁ ପ୍ରେମପତ୍ର ଲେଖୁଥିଲା ଦୀପ୍ତିମାନ । କିନ୍ତୁ ସେ ଚିଠିଗୁଡ଼ାକ ତାକୁଇ ପଢ଼ିସାରି ଶେଷରେ ଫେରାଇ ଦେଇଥିଲେ ମୈତ୍ରେୟୀ । କହିଥିଲେ ଦିନେ- ‘ପୂର୍ବରାଗର ଏଇ ଉଦ୍ଦୀପନାକୁ ସାଇତି ରଖ । ଉପଯୁକ୍ତ ସମୟ ଆସିଲେ ଖର୍ଚ୍ଚ କରିବ । ମୋ ପାଖର ସମୟ ନାହିଁ ଦୀପ୍ତିମାନ ପ୍ରେମ କରିବା ପାଇଁ । ଆଜି ମନେପଡ଼ିଲେ ସେ ଯେ ସେତେବେଳେ ଠିକ୍‌ କହିଥିଲେ ସେୟା ମନେହୁଏ ମୈତ୍ରେୟୀଙ୍କର ।

 

କିନ୍ତୁ ଚିଠି ତିନୋଟିର ଭାଷା, ଆବେଦନ ମଧ୍ୟ କବିତା ପରି । କଦମ୍ବର ରୋମାଞ୍ଚ ପରି ଅନନୁଭୂତ ଗୋଟିଏ ଫୁଟିବାର ଭାବନା ପାଖୁଡ଼ା ମେଲାଇବାକୁ ଚାହୁଁଥିଲା । ଭ୍ରମର ପରି ଫୁଟୁଥିବା ଫୁଲର ଚାରି ପାଖରେ ପ୍ରେମ ନିବେଦନ କରି ଗୁଣୁଗୁଣୁ ହେଉଥିଲା । ଶେଷ ଚିଠିରେ ଲେଖୁଥିଲା ଯେ ‘ତମେ ଯଦି ମନା କରିଦିଅ ମରିଯିବି... ମୋ ଦ୍ୱାର ସବୁଦିନ ଖୋଲା ରହିବ ତୁମ ପାଇଁ । ମୋ ମନ ଉନ୍ମୁଖ ହୋଇ ରହିବ ତୁମର ସମ୍ମତି ପାଇବା ଆଶାରେ... ।

 

ଦୀର୍ଘ ନିଃଶ୍ୱାସ ଛାଡ଼ିଲେ ମୈତ୍ରେୟୀ, ଆହା ! ସେଇ ପ୍ରେମିକ ଆଉ ପ୍ରେମିକା କ’ଣ କରୁଥିବେ ପଚିଶ ବର୍ଷ ପରେ । ହୁଏ ସଂସାର କରି ସେଇ ତରୁଣୀ ଦୁଇଟି ସନ୍ତାନର ମା’ ଏବଂ ସେଇ ପୁରୁଷ ବି ସ୍ତ୍ରୀ ପୁତ୍ରକୁ ନେଇ ବେଶ୍‌ ସୁଖରେ ଥିବେ । କିନ୍ତୁ ସେମାନଙ୍କ ପୂର୍ବରାଗର ରୁଣୁଝୁଣୁ ଶବ୍ଦ ନିଃଶବ୍ଦ ରାତିରେ ଯେତେବେଳେ ଭାସି ଆସୁଥିବ ଦୂରରୁ ପରସରର ଅଜ୍ଞାତରେ ମନେ ପକାଉଥିବେ ଅତୀତର ସେଇ ଅଭୁଲା ମୁହୂର୍ତ୍ତଗୁଡ଼ାକୁ ।

 

ଲଫାପା ଭିତରେ ରୋମାଞ୍ଚର ଇତିକଥା ଗୁଡ଼ାକୁ ବନ୍ଦ କରିଦେଇ ପୁଣି କପ୍‌ ବୋର୍ଡ଼ ଭିତରେ ରଖିଦେଲେ ମୈତ୍ରେୟୀ । ବାଣୀ ପୁରୋହିତଙ୍କ ଆଦ୍ୟ ରୋମାଞ୍ଚ ଯେ ପୁଟିବା ଆଗରୁ କେଉଁ କରୁଣ ମୁହୂର୍ତ୍ତରେ ହଜି ଯାଇଥିବ ସେଇକଥା ଭାବି ତାଙ୍କ ଛାତି ତଳେ ବେଦନାର ସ୍ୱରଟିଏ ଗୁମୁରି ଉଠିଲା ।

 

Unknown

(ତେତିଶି)

 

କନ୍ୟାଶ୍ରମରେ ଖବର ପହଞ୍ଚିଲା ଯେ ମିଟୁ ଆସୁଛି । ମୁମ୍ବାଇ ପୁଲିସ୍‍ ଏଇ ଖବର ଏସ୍‌.ପି ଓ ରସୁଲଗଡ଼ ପୁଲିସ୍‍ ଅପିସର ଭୁବନ ମୋହନ ମଲ୍ଲିକଙ୍କୁ ଦେଇଥିଲ ଏବଂ ମଲ୍ଲିକବାବୁ କନ୍ୟାଶ୍ରମକୁ ଏବଂ ମୈତ୍ରେୟୀଙ୍କ ଏ ବିଷୟ ଜଣାଇ ଦେଇଥିଲେ ।

ସରଳା ଦୌଡ଼ ଦୌଡ଼ି ଆସି ପହଞ୍ଚିଲା ଆଚାର୍ଯ୍ୟ ନିବାସରେ । ମୈତ୍ରେୟୀଙ୍କ ମୁହଁର ହସ ଦେଖି ସରଳା ମନରୁ ସବୁ ସଂଶୟ ଦୂର ହୋଇଗଲା । ସେ ଥାନାବାବୁ ଜଣାଇଥିବା ଖବର କହିଲା । ମୈତ୍ରେୟୀ ତାକୁ କହିଲେ, ‘‘ଥାନାବାବୁ ସତ କହିଛନ୍ତି । ମିଟୁକୁ ନେଇ ମୁମ୍ବାଇ ପୁଲିସ୍‍ର ଦୁଇଜଣ କନେଷ୍ଟବଳ ଆସି ପହଞ୍ଚିବେ କାଲି ସକାଳେ କୋଣାର୍କ ଏକ୍ସପ୍ରେସ୍‌ରେ । ତାକୁ ଷ୍ଟେସନରେ ଭେଟିବା ପାଇଁ ମୁଁ ଯିବି, ତୁ ବି ମୋ ସାଙ୍ଗରେ ଯିବୁ । ଅରୁନ୍ଧତୀ ପ୍ରଭୃତି ଅନ୍ୟମାନେ କନ୍ୟାଶ୍ରମରେ ସକାଳ ଦଶଟାବେଳକୁ ଗୋଟେ ବନ୍ଧୁ ମିଳନ ଆୟୋଜନ କରିବେ । ଥାନାବାବୁ ଭୁବନ ମୋହନ ମଲ୍ଲିକଙ୍କୁ ଆମେ ସମ୍ବର୍ଦ୍ଧନା ଜଣାଇବୁ ଏବଂ ମିଟୁକୁ ସ୍ଵାଗତ କରିବୁ । ମୁମ୍ବାଇ ପୁଲିସ୍‍କୁ ମଧ୍ୟ ଆମେ କନ୍ୟାଶ୍ରମ ପକ୍ଷରୁ ଜଗନ୍ନାଥଙ୍କ ମୂର୍ତ୍ତି ଏବଂ କୋଣାର୍କର ରଥଚକ ଉପହାର ଦବୁ ।’’

ସରଳା ଖୁସି ହୋଇ କହିଲା, ‘‘ମୋ ପୁଅକୁ ଆପଣ ଫେରାର ଆଣିଲେ ଏଇ ଯଥେଷ୍ଟ । ଏହାଠାରୁ ଆଉ ବଡ଼ ଖୁସିର ଖବର କ’ଣ ଥାଇପାରେ ମୋ ପାଇଁ ?’’

ମୈତ୍ରେୟୀ କହିଲା, ‘‘କନ୍ୟାଶ୍ରମର ଉନ୍ନତି ପାଇଁ ଆମେ ସମସ୍ତେ ମିଳିମିଶି କାମ କଲେ ଆହୁରି କିଛି ଅନାଥ ସ୍ଥାନ ପାଇବେ । ଅନେକ କାମ କରିବାକୁ ଅଛି । ତୁମେସବୁ ଆଉ ପଛକୁ ନ ଚାହିଁ ଆଗକୁ ଚାହଁ । ନିଜ ହାତରେ ଭବିଷ୍ୟତ ଗଢ଼ିବା ପାଇଁ ଆସୁଥିବା ସୁଯୋଗ ଯେପରି ହାତଛଡ଼ା ହୋଇ ନ ଯାଏ ।’’

 

ମିଟୁ ପାଇଁ କିଣିଥିବା ନୂଆ ପେଣ୍ଟ ଜାମା ସରଳା ହାତରେ ପଠାଇ ଦେଇ ମୈତ୍ରେୟୀ ବାହାରିବାବେଳେ ଆନନ୍ଦ ଆସି ଛିଡ଼ା ହେଲା ପାଖରେ । ତା’ର ପ୍ରସନ୍ନ ମୁହଁ, ଉଚ୍ଚକିତ ଭାବ ଦେଖି କହିଲେ ମୈତ୍ରେୟୀ, ‘‘କିରେ ଆଜି କୁଆଡ଼େ ଯିବାର ଅଛି କି ?’’

 

ଆନନ୍ଦ କହିଲା, ‘‘ମୋ ତୁଣ୍ଡରୁ ଶୁଣିବା ଆଗରୁ ତୁମେ କିପରି ଜାଣିଗଲ ମା’ ? ଆଜି ମୁଁ ଆଉ ନାନୀ ଯିବୁ ଆଶ୍ରମକୁ । ଆଜିପରା ସ୍ଵାମୀଜୀଙ୍କ ଜନ୍ମଦିନ । ସକାଳ ଦଶଟାବେଳକୁ ପିଲାମାନଙ୍କ ବକ୍ତୃତା ପ୍ରତିଯୋଗିତା, ଦେଶାତ୍ମବୋଧ ଗୀତ ପ୍ରତିଯୋଗିତା ଏବଂ ତା’ପରେ ପୁରସ୍କାର ବିତରଣ ସଭା । ଆମେ ଆଶ୍ରମରେ ପ୍ରସାଦ ସେବନ କରିବୁ ।’’

 

‘‘ମିତାକୁ କହିଛୁ ?’’

 

ଆଶ୍ରମକୁ ଯାଉଥବା ଜାଣି ସେ ବି ବାହାରିଛି ମୋ ସାଙ୍ଗରେ ଯିବା ପାଇଁ । ଆମେ ସାଙ୍ଗ ହୋଇ ଯିବୁ । ମୁଁ କିଛି ଭୁଲ୍‌ କଲିକି ମା’ ?’’ କହିଲା ଆନନ୍ଦ ।

 

‘‘ଆରେ ନା ନା, ଭଲ କାମ କରୁଛୁ । ନାନୀ ଯେ ତୋ ସାଙ୍ଗରେ ଯାଉଛି ଏହାଠାରୁ ଖୁସିର କଥା ଆଉ କ’ଣ ହୋଇପାରେ ?

 

ଆନନ୍ଦ ଖୁସି ହୋଇ ଚାଲିଗଲା ।

 

ପାଦ ବଢ଼ାଇବା ଆଗରୁ ଫୋନ୍ ଆସିଲା । ରିସିଭରଟା ଉଠାଇ ନେଇ ମୁହଁ ପାଖରେ ଧରିଲେ ମୈତ୍ରେୟୀ । ସେ ପାଖରୁ ପରିଚିତ ସ୍ଵର ଭାସି ଆସିଲା । ଅପୁର ସ୍ଵର ବାରିପାରି କହିଲେ ମୈତ୍ରେୟୀ, ‘‘ଏତେଦିନ ପରେ ମନେପଡ଼ିଲା ?’’ ତାଙ୍କ ବାଷ୍ପ ଗଦ ଗଦ ସ୍ଵର ଶୁଣି ସେପାଖରୁ କହିଲା, ଅପ୍ରତିମ, ‘‘କ୍ଷମା କରିବ ଭାଉଜ । ମୁଁ ସୁଯୋଗ ପାଉ ନ ଥିଲି । ଏଠାରେ ତ ସବୁ ମୁହୂର୍ତ୍ତ ବିପଦପୂର୍ଣ୍ଣ । ବିପଦକୁ ଖାତିର ନ କରି ଆମେ ଭବିଷ୍ୟତ ଗଢ଼ୁଛୁ ଭାଉଜ । ତୁମେ ଆଶୀର୍ବାଦ କରିବନି ?’’

 

ମୈତ୍ରେୟୀ ନିଜକୁ ସମ୍ଭାଳି ନେଇ କହିଲେ, ‘‘ପିଲାମାନେ ଦୁଷ୍ଟ ହେଲେ ମା’ମାନେ କ’ଣ ସେମାନଙ୍କୁ ପକାଇଦେବେ ? ତେବେ ଦେହ କିପରି ଅଛି, ଆଉ କିଛି ଅସୁବିଧା ନାହିଁତ । ଟଙ୍କା ପଇସା ଦରକାର ହେଉଥିବ । କିନ୍ତୁ କୋଉ ଠିକଣାରେ ପଠାଇବି ଅପୁ?’’

 

ଅପୁ କହିଲା, “କିଛି ଅସୁବିଧା ନାହିଁ । ପ୍ରତି ମୁହୂର୍ତ୍ତ ଏଠାରେ ଜୀବନ୍ତ... ଆହ୍ୱାନର ସମୟ । ଟଙ୍କା ପଇସା ଦରକାର ହେଲେ ମୁଁ କହିବି । ତୁମେ ବ୍ୟସ୍ତ ହୁଅନା । ବଡ଼ ନନା ମଝିଆ ଓ ସାନ ନନା, ନାନୀ, ମିତା ଆଉ ଆନନ୍ଦ କିପରି ଅଛନ୍ତି ? ମଝିଆ ଭାଉଜ ଆଉ ସ୍ଵାତୀଙ୍କ ବିଷୟ ବି ମନେପଡ଼ୁଛି ଭାଉଜ ।’’

 

ମୈତ୍ରେୟୀ କହିଲେ, ‘‘ତମେ ତ ଆମକୁ ଛାଡ଼ି ଦେଇ ଚାଲିଗଲ । ତମ ମଝିଆ ଭାଉଜ ବି ଛାଡ଼ି ଚାଲିଗଲେ । ସ୍ଵାତୀ ମୋ ପାଖରେ । ବିଶ୍ଵମୋହନ ଆସିଥିଲେ ଭାସ୍ଵତୀଙ୍କୁ ନେଇ ଯାଇଛନ୍ତି ! ସବୁ ଭାଇମାନେ ଭଲ ଅଛନ୍ତି...।’’

 

-“କିନ୍ତୁ ତମେ କିପରି ଅଛ ଭାଉଜ କହିଲ ନାହିଁତ ?’’

 

-‘‘ତମେ ସମସ୍ତେ ଭଲ ଥିଲେ ଜାଣିବ ଯେ ମୁଁ ଭଲ ଅଛି । ହଁ, ୟା ଭିତରେ ଅନେକ କଥା ଘଟିଗଲାଣି । ଏତେ କଥା କ’ଣ ଟେଲିଫୋନ୍‍ରେ କହିହୁଏ । କିନ୍ତୁ ତୁମ କମ୍ରେଡ଼୍‍ କିମିତି ଲୋକ କୁହ ଅପୁ !’’

 

‘‘କମ୍ରେଡ଼୍‍ ଶ୍ରୀନିବାସ ଅତି ଚମତ୍କାର ନେତା ଭାଉଜ । ସେ ଶାସନ କରନ୍ତି, ସ୍ନେହ ବି କରନ୍ତି । ସେ ଜଣେ ଇଞ୍ଜିନିୟର । ମାସକୁ କୋଡ଼ିଏ ହଜାର ଟଙ୍କାର ଚାକିରି ଛାଡ଼ି ଜନ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ଗୋଟେ ନୂଆ ଦୁନିଆ ତିଆରି କରିବା ପାଇଁ ସ୍ଵପ୍ନ ଦେଖୁଛନ୍ତି ସେ । ଅବଶ୍ୟ ଏଥିପାଇଁ ତାଙ୍କୁ ଅନେକ ରିସ୍କ୍‍ ନବାକୁ ହୁଏ । କିନ୍ତୁ ଗୋଟେ ନୂଆ ସାମାଜିକ ବ୍ୟବସ୍ଥା କ’ଣ ଆପଣାଛାଏଁ ହୋଇଯିବ ଭାଉଜ ? ସେଥିପାଇଁ ତ୍ୟାଗ କରିବାକୁ ହୁଏ, ଆତ୍ମବଳି ଦବାକୁ ହୁଏ । ପରିବାରଠାରୁ ଜନ୍ମଭୂଇଁ କେଡ଼େ ବଡ଼, କେଡ଼େ ମହାନ ଭାଉଜ !’’

 

ମୈତ୍ରେୟୀ ବାଷ୍ପାଚ୍ଛନ୍ନ ସ୍ଵରରେ କହିଲେ, ‘‘ମୁଁ ଆଶୀର୍ବାଦ କରୁଛି ତମେ ସଫଳ ହୁଅ ଅପୁ । ବାଆର ଶହ ବଢ଼େଇଙ୍କୁ ରକ୍ଷା କରିବାକୁ ଯାଇ ଧରମା ଜୀବନ ଦେଇଥିଲା । ଆଉ ଯଦି ଦେଶକୁ ଶୋଷଣ ମୁକ୍ତ କରିବା ପାଇଁ ପ୍ରାଣବଳି ଦବାକୁ ହୁଏ ସେଥପାଇଁ ପଛଘୁଞ୍ଚା ଦବନି ଅପୁ ।’’

 

ଅପୁର ଭିଜା ଭିଜା ସ୍ୱର ଆଉ ଶୁଣାଗଲା ନାଇଁ । ରିସିଭରଟାକୁ କିଛି ସମୟ ମୁହଁ ପାଖରେ ଜାକି ଧରିଲେ ମୈତ୍ରେୟୀ । ତାଙ୍କ ଆଖିରୁ କେତେବେଳେ ଲୁହ ଝରି ପଡ଼ିଛି ସେ ଜାଣିପାରି ନ ଥିଲେ ।

 

ମୈତ୍ରେୟୀଙ୍କ ମନେପଡ଼ିଲା ଭୀମଭୋଇଙ୍କ ସେଇ ଅମର ବାଣୀ - ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।’

 

ସତରେ କ’ଣ କେହି ଏ ଜଗତକୁ ଉଦ୍ଧାର କରିପାରିବ ? ହୁଏତ କେହି ଅବତାର ପୁରୁଷ ଜନ୍ମିବେ ଏଇ ମହୀମଣ୍ଡଳର ତାପ ଓ ସନ୍ତାପରୁ ମଣିଷକୁ ଉଦ୍ଧାର କରିବା ପାଇଁ । ମଣିଷ ଗୋଟିଏ ଅସ୍ତ୍ର । ମଣିଷ ଗୋଟିଏ ଉତ୍ତମ ମାଧ୍ୟମ । ପରିବର୍ତ୍ତନ କରି ହେବ ସମାଜକୁ ଏଇ ମାଧ୍ୟମକୁ ବ୍ୟବହାର କରି । ଅବତାରମାନେ, ସାଧୁସନ୍ଥ ଯୋଗୀମାନେ ତ ସେଥିପାଇଁ ଆସନ୍ତି ପୃଥିବୀକୁ ।

 

ମୈତ୍ରେୟୀ ଭାବନ୍ତି ଯଦି ମଣିଷ ମାଧ୍ୟମରେ ସମାଜ ବ୍ୟବସ୍ଥା, ଜୀବନଧାରା, ପ୍ରଥା ଓ ପରମ୍ପରା, ଶାସନ ଓ ସମାଜ ପଦ୍ଧତି ବଦଳିବ ତେବେ ସେଥିରେ ମଣିଷ ଏତେ ପ୍ରତିକୂଳତା ସୃଷ୍ଟି କରେ କାହିଁକି ? ପରିବର୍ତ୍ତନ ଓ ସଂସ୍କାରକାମୀ ସାଧକମାନଙ୍କ ମାର୍ଗ ଭଗବାନ ଆହୁରି ସୁଗମ କରୁନାହାଁନ୍ତି କାହିଁକି ?

 

କିଏ ଯେପରି କହିଦେଲା ତାଙ୍କୁ ସେଇ କାମ ତ କରନ୍ତି ସାଧୁସନ୍ଥ ଯୋଗୀମାନେ । ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ସାଧନା ତ ସେଇ ଉଦ୍ଦେଶ୍ୟରେ । ତାଙ୍କରି ସାଧନାରୁ ଜାଗତିକ ଅତିମାନସ ଶକ୍ତି ଅବତରଣ କରିଛି ଧରାପୃଷ୍ଠରେ । ମଣିଷ ମାଧ୍ୟମରେ ବିପୁଳ ପରିବର୍ତ୍ତନ ସଂଘଟିତ ହେବ । ଏକ ନୂତନ ଜଗତ ସୃଷ୍ଟି ହେବ । ଅହଂକାରଶୂନ୍ୟ ମଣିଷ ଦୈବୀକୃପା ବଳରେ ଆଣିବ ସେଇ ପରିବର୍ତ୍ତନ । ସାମ୍ୟ, ସଂହତି, ସହାବସ୍ଥାନ ଓ ଶାନ୍ତି ବିରାଜମାନ କରିବ ଧରାପୃଷ୍ଠରେ ।

 

ସମୟ ହୋଇଗଲାଣି । କର୍ତ୍ତବ୍ୟରେ କେବେହେଲେ ହେଳା କରିନାହାଁନ୍ତି ମୈତ୍ରେୟୀ । ସମୟାନୁବର୍ତ୍ତିତା ରକ୍ଷାକରି ଠିକ୍‌ ସମୟରେ ଶ୍ରେଣୀଗୃହକୁ ପ୍ରବେଶ କରନ୍ତି । ଆଉ ଡେରି ନ କରି ଗାଡ଼ିରେ ବସିଲେ ମୈତ୍ରେୟୀ ।

 

କୁଆଖାଇ ପୋଲ ଉପରେ ଯାଉଥିବାବେଳେ ରେଳ ଉପର ଦେଇ ନଦୀ ଅତିକ୍ରମ କରୁଥିବା ରାଜଧାନୀ ଏକ୍ସପ୍ରେସ୍‌ ଦୃଷ୍ଟିରେ ପଡ଼ିଲା । ଜାତୀୟ ରାଜପଥରେ ବିପରୀତ ଦିଗରୁ ଛୁଟିଥିଲେ କାର୍‌, ଟ୍ରକ୍‌, ବସ୍‌, ଆମ୍ବୁଲାନ୍ସ, ଦୁଇଚକିଆ ଯାନ ।

 

ଏସବୁ ବିଜ୍ଞାନ ଓ ପ୍ରଯୁକ୍ତିର ଅବଦାନ ।

 

ତେବେ ପରିବର୍ତ୍ତନ ବିଜ୍ଞାନ ଓ ପ୍ରଯୁକ୍ତି ମାଧ୍ୟମରେ ଆସିବ ନା ଆଧ୍ୟାତ୍ମିକତା ବଳରେ ଆସିବ ? ସେ ନିଜେ ଏହାର ଉତ୍ତର ଦେଲେ- ଏ ଦୁଇଟି ପରସ୍ପର ବିରୋଧୀ ନୁହନ୍ତି । ଏ ଦୁଇଟିର ସହାବସ୍ଥାନହିଁ ଏଇ ପୃଥିବୀକୁ ବଦଳାଇବ । ଇଚ୍ଛା, ସଂକଳ୍ପ ଓ ସାଧନା ଯେଉଁ ମାର୍ଗକୁ ବାଛିବ ସେଇ ମାର୍ଗରେ ପରିବର୍ତ୍ତନ ଆସିବ । ମହାପୁରୁଷଙ୍କ ସାଧନା ବଳରେ ପୃଥିବୀ ପୃଷ୍ଠରେ ଅବତରଣ କରିଥିବା ମହାଶକ୍ତିର ପଥରୋଧ କରିବାକୁ ଶକ୍ତି କାହାରି ନାହିଁ । ତେଣୁ ଏହା ସହିତ ସହଯୋଗ କରିବାହିଁ ଏକମାତ୍ର ବାଟ । ସହାବସ୍ଥାନ, ସଂହତି ଓ ସାଧନା ବଳରେ ମଣିଷର ଚିନ୍ତା ରାଜ୍ୟରେ ବିପୁଳ ପରିବର୍ତ୍ତନ ଘଟିବ ।

 

ନର୍ସିଂହୋମ୍‍ ପାର ହେବାବେଳେ ଆଖି ଉପରକୁ ଟେକି ହୋଇଗଲା । ଏତେବେଳେ ବି ଯଦି ପଦ୍ମଜାର ଜ୍ଞାନୋଦୟ ହୁଅନ୍ତା ତେବେ ଗୋଟେ ବିପର୍ଯ୍ୟୟରୁ ରକ୍ଷା ପାଇଯାଆନ୍ତେ ସେମାନେ-। ସେ ଜାଣେନାହିଁ କେଡ଼େ ବଡ଼ ବିପଦ, କେଡ଼େବଡ଼ ବିପର୍ଯ୍ୟୟ ମାଡ଼ି ଆସୁଚି । ଆସୁରିକ ପ୍ରବୃତ୍ତି ଚରିତାର୍ଥ କରିବାକୁ ଯାଇ ମଣିଷ ନିଜକୁ ପଶୁ ସ୍ତରକୁ ଘେନି ଆସୁଚି । ପଶୁତ୍ଵରୁ ମୁକ୍ତିର ବାଟ ହେଉଚି ଆଧ୍ୟାତ୍ମିକତାର ମାର୍ଗ । ସେଇ ମାର୍ଗରେ ମଣିଷ ପାଇବ ପ୍ରତିକୂଳତା ଅତିକ୍ରମ କରିବା ପାଇଁ ନୂତନ ଶକ୍ତି । ମଣିଷ ସବୁ ଶ୍ରେୟର ଅଧିକାରୀ ହେବ ସାଧନା ବଳରେ ।

 

ପଦ୍ମଜାର ଶକ୍ତି କାହିଁ ଏଇ ପରିବର୍ତ୍ତନକୁ ସ୍ଵାଗତ କରିବା ପାଇଁ ? ସେ ମାୟା ଜାଲରେ ପଶି ଯାଇଛି । ସେଠାରୁ କ’ଣ ସହଜରେ ମୁକୁଳି ପାରିବ ?

 

ନର୍ସିଂହୋମ୍‍ର ପୋର୍ଟିକୋରେ ଡକ୍ଟର ଅଙ୍କିତ ଦାସଙ୍କ ସାଣ୍ଟ୍ରୋ ଗାଡ଼ି ଠିଆ ହୋଇଥିଲା । ବୋଧହୁଏ ସେ ଉପରକୁ ଯାଇଥିବେ । ସରୋଜ ସେଇ ଘରଛାଡ଼ି ଚାଲିଯିବା ପରେ ଏବେ ତ ରାସଲୀଳା କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ । ଛି ଛି । ଲାଜ୍ଜରେ ମଥା ନଇଁ ଯାଉଛି ।

 

ମୈତ୍ରେୟୀ ଆଗକୁ ଚାଲିଗଲେ । ପଛରେ ପଡ଼ି ରହିଲା ନର୍ସିଂ ହୋମ୍‍ । ସେଦିନ ରାତିରେ ଦେଖିଥିବା ସେଇ ଚିଠି, କବିତାଗୁଡ଼ାକ ଆଖି ଆଗରେ ଝଲସି ଉଠିଲା । କିଏ ଲେଖିଲା ତା’ର ନାମ ଠିକଣା ନ ଥିଲା । କେବଳ ଗୋଲାପ ଫୁଲର ଗୋଟିଏ ସଂକେତ ରହିଛି ଚିଠିର ଗୋଟିଏ କୋଣରେ । କବିତାଗୁଡ଼ିକ ଯେ କଞ୍ଚା ହାତର ଲେଖା ପ୍ରେମକବିତା ଏଥିରେ କୌଣସି ସନ୍ଦେହ ନାହିଁ । ହଠାତ୍‌ ମନେପଡ଼ିଗଲା ଯେ ମନୋଜ ମଧ୍ୟ କବିତା ଲେଖୁଥିଲେ କଲେଜରେ ପଢ଼ିବାବେଳେ । ପଚିଶ ବର୍ଷ ପୂର୍ବର ଘଟଣା । ସେ ତ ଆଉ କେବେ କବିତା ଲେଖିବାର ଦେଖିନାହାଁନ୍ତି ମୈତ୍ରେୟୀ । ଗୋପନରେ ଯେ ସେ କବିତା ଲେଖି କାହାକୁ ଉପହାର ଦେଉଥିବେ ବା ନିଜ ପାଖରେ ସାଇତି ରଖୁଥିବେ ଏୟା ଭାବିବା କଷ୍ଟକର । ତା’ହେଲେ କଥା ପଡ଼ିଲେ ଶୁଣିବା ପାଇଁ ଉତ୍‌କୀର୍ଣ୍ଣ ହୋଇ ଉଠନ୍ତି କାହିଁକି ବାଣୀ ? ସେ ଦୁହେଁ ରେଭେନ୍ସାରେ ଏକା ସମୟରେ ପଢ଼ୁଥିଲେ ବି ମନୋଜ ନୂଆ ହୋଇ ଅଧ୍ୟାପକଭାବେ ପଦରେ ଯୋଗ ଦେଇଥିବାବେଳେ ବାଣୀ ଥିଲେ ଛାତ୍ରୀ । ପୁଣି ବାଣୀ ଦର୍ଶନଶାସ୍ତ୍ର ପଢ଼ୁଥଲାବେଳେ ମନୋଜ ଅର୍ଥନୀତି ପଢ଼ାଉଥିଲେ । ତଥାପି ହୁଏତ ଦୁହିଁଙ୍କ ମଧ୍ୟରେ ପରିଚୟ ଥିବ । କିନ୍ତୁ ପଚିଶ ବର୍ଷ ପରେ କ’ଣ ସେଦିନର ସେଇ ପୂର୍ବରାଗ ଆଉ ସଞ୍ଜୀବିତ ହେଉଥିବ ମନରେ !

 

ଏ ସବୁ ବାଜେକଥା ଭାବି ମନକୁ ଭାରାକ୍ରାନ୍ତ କରିବା ପାଇଁ ଇଚ୍ଛା ହେଲାନି ତାଙ୍କର । ସେ ସ୍ଥିର ନିଶ୍ଚିତ ଯେ ବିବାହ ପରେ ମନୋଜ ଏକନିଷ୍ଠ ଏକ ପତ୍ନୀବ୍ରତ ପାଳନ କରି ଆସୁଛନ୍ତି । ତାଙ୍କ ମନରେ ଆଉ କାହାରି ପ୍ରତି ଆକର୍ଷଣ ନାହିଁ । ଯଦିବି ଦିନେ କେହି ତାଙ୍କ ମନକୁ ଉଡ଼ି ଆସିଥିବ ଭସା ବାଦଲ ପରି ତେବେ ସେଇ ମେଘରେ ଯେ ପାଣି ନ ଥିଲା ସେ ବିଷୟରେ ନିଶ୍ଚିତ ହୁଅନ୍ତି ମୈତ୍ରେୟୀ । ଆଉ ଏଇ ବୟସରେ ଯେ ବାଣୀ ପ୍ରଗଳ୍ଭା ହେବା ପାଇଁ ଚାହିଁବେ ନାହିଁ ସେ ବିଷୟରେ ପ୍ରାୟ ନିଶ୍ଚିତ ସେ । କିନ୍ତୁ ତଥାପି ଅବିବାହିତ ରହିଗଲେ କାହିଁକି ସେ ? ଏଇ ପ୍ରଶ୍ନ ବାରମ୍ବାର ମନ ଭିତରେ ଉଠିଛି କିନ୍ତୁ ୟାର ଉତ୍ତର ପାଇନାହାଁନ୍ତି । ତାଙ୍କୁ ମନୋଜଙ୍କ ସହଧର୍ମିଣୀ ଜାଣିବା ପରେ ସ୍ନେହରେ ପୋତି ପକାଇଛନ୍ତି ସେ । ତଥାପି କେଉଁ କାରଣରୁ କେଜାଣି ଆଚାର୍ଯ୍ୟ ନିବାସକୁ ଆସିବା ପାଇଁ ଅନେକଥର ନିମନ୍ତ୍ରଣ କରିବା ସତ୍ତ୍ଵେ ଏଯାଏ ସମୟ ପାଇ ନାହାଁନ୍ତି ଆସିବା ପାଇଁ । କିନ୍ତୁ ସେଦିନ ତାଙ୍କୁ ନିଶ୍ଚିତ ଜବାବ ଦେଇଛନ୍ତି ଯେ ସେ ଆସିବେ ଘଣ୍ଟାଏ ବା ଦୁଇଘଣ୍ଟ ପାଇଁ ନୁହେଁ ଓଳିଏ ବା ଦିନଟିଏ ବିତାଇବା ପାଇଁ । ଦୁହିଁଙ୍କୁ ଯଦି କୌଶଳ କରି ଏକାନ୍ତରେ କେଇ ମୁହୂର୍ତ୍ତ ପରସ୍ପର ସହିତ ଆଳାପ କରିବା ପାଇଁ ସୁଯୋଗ କରି ଦିଆଯାଏ ତେବେ କ’ଣ ପ୍ରତିକ୍ରିୟା ହେବ ସେମାନଙ୍କର ଦେଖିବା ପାଇଁ ଇଚ୍ଛା ହୁଏ ମୈତ୍ରେୟୀଙ୍କର । କିନ୍ତୁ ବାଣୀଙ୍କୁ ଇର୍ଷା କରିବାର ବା ତାଙ୍କୁ ସ୍ଵାମୀଙ୍କ ପ୍ରେମିକା ଭାବିବାର କୌଣସି ତାଡ଼ନା ଅନୁଭବ କରନାଇଁ ସେ-। ଆଉ ଯଦିବି ଦୁଇଜଣ ପୂର୍ବ ପରିଚିତ ବନ୍ଧୁ ଏକତ୍ର ହୁଅନ୍ତି ଏବଂ ଅତୀତର ରୋମନ୍ଥନ କରନ୍ତି ତେବେ କ’ଣ କୋଡ଼ିଏ ବର୍ଷର ସଂସାର ତାଙ୍କର ଭାଙ୍ଗିଯିବ ? ସ୍ଵାମୀ ସ୍ତ୍ରୀର ସମ୍ପର୍କ ଏତେ ଭଙ୍ଗୁର ନୁହେଁ ଯେ ଟିକେ ଧକ୍କା ଖାଇଲେ କାଚ ପରି ଭାଙ୍ଗିଯିବ ।

 

ମନର କଥା ଶେଷ ହେବା ପୂର୍ବରୁ କଲେଜରେ ପହଞ୍ଚିଗଲେ ମୈତ୍ରେୟୀ ।

 

କିନ୍ତୁ ଶ୍ରେଣୀ ଗୃହରେ ପ୍ରବେଶ କରିବାବେଳକୁ ମୋବାଇଲରେ କଲ୍‌ ଆସିଲା । ସେ କଲ୍‌ ଗ୍ରହଣ କରି କହିଲେ, ‘ହ୍ୟାଲୋ...!’ ?

 

-‘କିଏ କହୁଛ ?’

 

-‘‘ଅରୁଣା କହୁଚି । ଆପଣ ମୋତେ ଚିହ୍ନିବେ ନାହିଁ । କିନ୍ତୁ ମୁଁ ମୋ ପରିଚୟ ଦେଉଛି । ମୁଁ ଅପ୍ରତିମଙ୍କ ସହଯୋଗୀ । କଲିକତାର ଆଡ଼ଭୋକେଟ ଦୀବେଶ ସରକାରଙ୍କ ଏକମାତ୍ର ସନ୍ତାନ ମୁଁ... ଫିଜିକ୍ସରେ ସ୍ନାତକ । ତଥାପି ଇଚ୍ଛା ହେଲାନି କୌଣସି ଚାକିରିରେ ଯୋଗ ଦବା ପାଇଁ । ମିଥ୍ୟା ଓ ଛଳନାର ଜାଲ ନ ବୁଣି ମୁଁ ଚାଲି ଆସିଲି କିଛି ମୌଳିକ କାର୍ଯ୍ୟ କରିବା ପାଇଁ । କମ୍ରେଡ଼୍‍, ଶ୍ରୀନିବାସଙ୍କ ଗ୍ରୁପ୍‌ରେ ଅଛି ମୁଁ । ଆମେ ଦୁହେଁ ଦୁହିଁଙ୍କ ପସନ୍ଦ କରୁ... ।’’

 

ଚମକି ପଡ଼ି କହିଲେ ମୈତ୍ରେୟୀ -‘‘ଆମେ ଦୁହେଁ ମାନେ କିଏ ଦୁହେଁ ?’’

 

-‘‘ମୁଁ ଆଉ ଅପ୍ରତିମ । ଆମେ ଦୁହେଁ ପରସ୍ପରକୁ ଭଲ ପାଉ ।’’

 

- ‘‘କିନ୍ତ ମୁଁ ଜାଣେ ଯେ ବିପ୍ଳବୀମାନେ ପ୍ରେମ କରିବା ମନା । ସେମାନେ ବିବାହ କରନ୍ତି ନାହିଁ... ସେମାନଙ୍କୁ ଅନୁମତି ମିଳେନା... ସେମାନେ ବିପ୍ଳବୀ ହୋଇ ରହିଯାଆନ୍ତି... ।’’

 

‘‘ଆମେ ବି ଶପଥ କରିଛୁ ବିପ୍ଲବ ପାଇଁ ବଞ୍ଚି ରହିବୁ, ସଂଗ୍ରାମ କରିବୁ... । ଆମେ ଭାବୁଛୁ ଯେ ବିପ୍ଳବର ପଥ ନ ଛାଡ଼ି ମଧ୍ୟ ଆମେ ପରସ୍ପରକୁ ଭଲ ପାଇବାରେ ବାଧା ନାହିଁ ।’’

 

-“କିନ୍ତୁ ଅରୁଣା, ବିବାହ କରିବାରେ ବାଧା ଅଛି ଯେ ?’’ ରୁକ୍ଷ ସ୍ଵରରେ କହିଲେ ମୈତ୍ରେୟୀ ।

 

-‘‘ଆପଣଙ୍କ ଅନୁମତି ବିନା ଅପ୍ରତିମ ମୋ କଥାରେ ରାଜି ହେବେନି । ତାଙ୍କର ସାହସ ନାହିଁ ଆପଣଙ୍କୁ କହିବା ପାଇଁ... ମୋତେ ସେ ଏ ଦାୟିତ୍ୱ ଦେଇଚନ୍ତି... ।’’

 

ଜଣେ ବିପ୍ଳବୀ ଏଡ଼େ ଭୀରୁ ହେବା ଶୋଭା ପାଏନା ଅରୁଣା ! ତମ କଥା ମୁଁ ଶୁଣିଲି । ଅପୁକୁ କହିବ ସେ କ’ଣ ଚାହେଁ ମୋତେ କହୁ... ମୁଁ ତ ତା’ର କେବଳ ଭାଉଜ ନୁହେଁ ତା’ର ମା’ ମଧ୍ୟ... ମୁଁ ଘରକୁ ବୋହୂ ହୋଇ ଆସିଲା ବେଳେ ଅପୁ ଥିଲା ପାଞ୍ଚବର୍ଷର ବାଳକ ! ମୁଁ କୋଳେଇ କାଖେଇ ବଡ଼ କରିଛି... ।’’

 

-‘ଆପଣ କ’ଣ ରାଜି ନୁହନ୍ତି ?’

 

-‘ଏଇନେ କହିବି ନାହିଁ । ଅପୁ ସହିତ କଥା ହେବା ପରେ ତୁମକୁ ଜଣାଇ ଦେବି ।’

 

ଟେଲିଫୋନ୍‍ ଛାଡ଼ି ଦେଲେ ମୈତ୍ରେୟୀ ।

 

କିନ୍ତୁ ହଠାତ୍‌ ଯେପରି ତାଙ୍କ ପାଦତଳର ମାଟି ଚହଲି ଯାଉଛି ଏବଂ ତାଙ୍କ ମଥା ବୁଲୁଚି-। ସେ କାନ୍ଥରେ ଆଉଜି ପଡ଼ିଲେ ।

 

କ୍ଲାସ ଭର୍ତ୍ତି ଛାତ୍ରଛାତ୍ରୀ । କାଳେ କେହି ତାଙ୍କୁ ନିରୀକ୍ଷଣ କରୁଥିବେ ଏଇ କାରଣରୁ ନିଜକୁ ସମ୍ଭାଳି ନେଇ ସେ ଶ୍ରେଣୀ ଗୃହକୁ ପ୍ରବେଶ କଲେ ।

 

ପିଲାମାନଙ୍କ ପ୍ରତି ତାଙ୍କର ଯେମିତି ସ୍ନେହ ଶ୍ରଦ୍ଧା, ସେମାନଙ୍କର ବି ତାଙ୍କ ପ୍ରତି ଅଧିକ ଭକ୍ତି ଓ ସମ୍ମାନ କରନ୍ତି । ପାଠ ପଢ଼ାଇବାରେ ସେ ଆନନ୍ଦ ଅନୁଭବ କରନ୍ତି, ସେଥିରେ ହେଳା କରନ୍ତି ନାହିଁ । ଛାତ୍ରମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି ଏବଂ ଦୁର୍ବଳ ଛାତ୍ରମାନଙ୍କୁ ବାରମ୍ବାର ବୁଝାଇ ଦିଅନ୍ତି । ନୋଟ୍ ଡାକିବାର ଢଙ୍ଗ ମଧ୍ୟ ଅଲଗା ।

 

ଏଇ ପିଲାମାନଙ୍କ ଭବିଷ୍ୟତ ଗଠନ ହୁଏ ଶିକ୍ଷାୟତନରେ । ଏଠାରେ ସେଥିପାଇଁ ପ୍ରଚୁର ସୁଯୋଗ । ଏଇ ସୁଯୋଗର ଉପଯୋଗ ନ କରିବା ଅନ୍ୟାୟ । ନୂଆ ପୃଥିବୀର ପିଲାମାନେ-। ସେମାନଙ୍କ ଅନୁସନ୍ଧିଚ୍ଛା, ଜାଣିବାର ଆଗ୍ରହ ଏବଂ ପାରଦର୍ଶିତା ଦେଖାଇବାର ପ୍ରବୃତ୍ତି ଦେଖି ମୁଗ୍ଧ ହୁଅନ୍ତି ମୈତ୍ରେୟୀ । ନୂତନ ପୃଥିବୀର ଝଲମଲ ଆଲୋକର ମୁକ୍ତ ସୈନିକ ସେମାନେ । ଏମାନଙ୍କୁ ଗଢ଼ିବାର ଦାୟିତ୍ଵ ଶିକ୍ଷକ ଓ ଅଭିଭାବକମାନଙ୍କର । କେବଳ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଭାଷଣ ନ ଦେଇ ସେମାନଙ୍କ ବୋଧଗମ୍ୟ ହେବା ଭାବି ଭାଷା ଓ ଶୈଳୀରେ ଯଦି ପାଠ ବୁଝାଇ ଦିଆଯାଏ ତେବେ ସେମାନେ ଯେ ଜୀବନ ସଂଗ୍ରାମରେ ଲଢ଼ିବାପାଇଁ ଉପଯୁକ୍ତ ହେବେ ଏଥି‌ରେ ସନ୍ଦେହ ନାହିଁ । କିନ୍ତୁ ରାଜନୀତି କରୁଥିବା ନେତାମାନେ ନିଜ ଦଳର ସୁବିଧା ସକାଶେ ବ୍ୟବହର କରନ୍ତି ଏମାନଙ୍କୁ । ସେମାନଙ୍କୁ ପ୍ରତିଯୋଗିତାରେ ଯୋଗଦବା ସକାଶେ ପ୍ରସ୍ତୁତ କଗିବାରେ ସାହାଯ୍ୟ ନ କରି, ନେତାମାନେ ଛାତ୍ରମାନଙ୍କୁ ବାଣ୍ଟି ନିଅନ୍ତି ଦଳମାନଙ୍କ ମଧ୍ୟରେ । ଶିକ୍ଷାୟତନରେ ସେଥିପାଇଁ ଦଳୀୟ ରାଜନୀତି ପ୍ରବେଶ କରିଛି ଏବଂ ସେଇ କାରଣରୁ ଛାତ୍ରମାନଙ୍କ ମଧ୍ୟରେ ଭେଦ ସୃଷ୍ଟି ହୋଇଛି । କଥା କଥାରେ ଶ୍ରେଣୀ ବର୍ଜନ, ପରୀକ୍ଷା ବର୍ଜନ ଏବଂ ସଭା ଶୋଭାଯାତ୍ରା ।

 

ମୈତ୍ରେୟୀ ଛାତ୍ରମାନଙ୍କ ମୁହଁକୁ ନିରୀକ୍ଷଣ କଲେ । ସେମାନେ ଉତ୍ସୁକ ତାଙ୍କ ମୁହଁରୁ ଶୁଣିବା ପାଇଁ । ସେମାନେ ଆଗ୍ରହର ସହିତ ଗ୍ରହଣ କରିବେ ସେ ଯାହା କହିବେ । ତା’ପରେ ପଢ଼ା ଆରମ୍ଭ ହେଲା ।

 

ଜଣେ ଛାତ୍ରୀ ଉଠିପଡ଼ି ପ୍ରଶ୍ନ କଲା, ‘‘ମ୍ୟାଡ଼ାମ ! ବିପ୍ଳବ କ’ଣ ପରିବର୍ତ୍ତନ ପାଇଁ ଏକାନ୍ତ ପ୍ରୟୋଜନ ?’’ ତା’ ପ୍ରଶ୍ନର ଉତ୍ତର ଦେଇ କହିଲେ ମୈତ୍ରେୟୀ, “ସବୁ ପ୍ରକାର ପରିବର୍ତ୍ତନ ପାଇଁ ବିପ୍ଳବ ଲୋଡ଼ା ହୁଏ ନାହିଁ । ଅନେକ ପରିବର୍ତ୍ତନ ସାମାଜିକ ପ୍ରବାହ ଓ ପ୍ରକ୍ରିୟାରେ ଆପେ ଆପେ ସଂଘଟିତ ହୁଏ । କିନ୍ତୁ ମୌଳିକ ପରିବର୍ତ୍ତନ ଲୋଡ଼ା ହେଲେ ତା’ ବିରୁଦ୍ଧରେ ପ୍ରତିରୋଧ ବଢ଼େ । ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ସ୍ଥିତାବସ୍ଥାର ପରିବର୍ତ୍ତନ ବିରୋଧୀ । ଏଇ ପ୍ରତିରୋଧ ହଟାଇବା ପାଇଁ ଯେତେବେଳେ ସମାଜର ଆମୂଳ ଚୁଳ ପରିବର୍ତ୍ତନ ଆବଶ୍ୟକ ହୁଏ, ସେତେବେଳେ ସଭା, ଶୋଭାଯାତ୍ରା, ଧାରଣା ମାଧ୍ୟମରେ ପରିବର୍ତ୍ତନ ଆସେ ନାହିଁ । ସମଗ୍ର ସମାଜର ଚିନ୍ତାଧାର ଓ ଚଳଣିର ସଂସ୍କାର ପାଇଁ ବିପ୍ଳବ କରାଯାଏ । ବିପ୍ଲବ ତୋଫାନ ପରି । ସବୁ ଭାଙ୍ଗିରୁଜିଗଲେ ପୁଣି ଯେପରି ନୂତନ ସୃଜନ ପ୍ରକ୍ରିୟା ସୁରୁ ହୁଏ, ସେହିପରି ପୁରୁଣା ପ୍ରଥା, ପରମ୍ପରା ଭାଙ୍ଗି, ସ୍ଥିତାବସ୍ଥାର ପ୍ରହରୀ ନ୍ୟସ୍ତସ୍ଵାର୍ଥ ମୋକ୍ଷୀକୁ ମୂଳପ୍ରବାହରୁ ଦୂରେଇ ଦବା ପାଇଁ ବିପ୍ଳବ ଲୋଡ଼ା ହୁଏ । ପୁଞ୍ଜିବାଦୀ ସମାଜ ବ୍ୟବସ୍ଥା ସ୍ଥାନରେ ସମାଜବାଦୀ ସମାଜ ବ୍ୟବସ୍ଥା ସ୍ଥାପନ କରିବା ତାଳିପକା ଉଦ୍ୟମଦ୍ଵାରା ସମୃଦ୍ଧ ନୁହେଁ, ଏଥିପାଇଁ ଆମୂଳଚୁଳ ପରିବର୍ତ୍ତନ ଲୋଡ଼ା । ଏଥିପାଇଁ ବିପ୍ଳବ ଅନିବାର୍ଯ୍ୟ ।’’

 

କଲେଜ ଛୁଟି ହେବା ପରେ ସେ ବାହାରିଯିବାବେଳେ ଫାଟକ ପାଖରେ ଜଣେ ହକର ତାଙ୍କ ହାତକୁ ‘ଦ୍ୱିପହର ଟାଇମ୍‌ସ’ କାଗଜ ଖଣ୍ଡେ ବଢ଼ାଇ ଦେଲା । ଟଙ୍କାଟିଏ ନେଇ ସେ ଚାଲିଗଲା ପରେ କାଗଜ ଖୋଲିଲେ ମୈତ୍ରେୟୀ ।

 

ଖଣ୍ତଗିରି ଛକରେ ଗୋଷ୍ଠୀ ସଂଘର୍ଷ, ବ୍ୟାଙ୍କ ଖୋଲୁ ଖୋଲୁ ଦୁଇଲକ୍ଷ ଟଙ୍କା ନେଇ ଲୁଟେରା ଚମ୍ପଟ, ନର୍ସିଂହୋମ୍‍ରେ ରସିକଙ୍କ ଲୀଳା ଇତ୍ୟାଦି ଇତ୍ୟାଦି । ଅଗ୍ରଲେଖଗୁଡ଼ାକ ଉପରୁ ମୁହଁ ବୁଲାର ଆଣିଲାବେଳେ ତାଙ୍କ ଦୃଷ୍ଟି ଅଟକିଗଲା ହ୍ୟାଙ୍ଗର କାହାଣୀ ଉପରେ । ନର୍ସିଂହୋମ୍‍ର ନାମ ଲେଖାଯାଇ ନାହିଁ । କିନ୍ତୁ ନର୍ସିଂହୋମ୍‍ର ଅବସ୍ଥାନ ଏବଂ ଏହାର ପରିଚାଳନା ସମ୍ପର୍କରେ ଯେତିକି ଉଲ୍ଲେଖ ରହିଛି ସେଥିରୁ ବୁଝିବା ପାଇଁ ବାକି ରହିଲା ନାହିଁ ଯେ ଇଏ ହେଉଛି ପଦ୍ମଜାର ନର୍ସିଂହୋମ୍‍ ଏବଂ ରସିକ ହେଉଛନ୍ତି ଡାକ୍ତର ଅଙ୍କିତ ଦାସ । ବିଶେଷ ସମ୍ବାଦଦାତା ସେଥିରେ ଉଲ୍ଲେଖ କରିଥିବା ଚମକପ୍ରଦ କାହାଣୀ ସେ ଦୁହିଁଙ୍କୁ ନେଇ । କିନ୍ତୁ ସେଥିରେ ଟାଣି ଉଟାରି ପରିବାରକୁ ବି ଭର୍ତ୍ତି କରିଦିଆଯାଇଛି । ସରୋଜ ଓ ପଦ୍ମଜା ଯେ ଡିଭୋର୍ସ ପାଇଁ ଫ୍ୟାମିଲି ଅଦାଲତରେ ଆଶ୍ରୟ ନେଇଛନ୍ତି ଏ ବିଷୟ ମଧ୍ୟ ଉଲ୍ଲେଖ କରାଯାଇଛି । ଏକ୍ସ-ମ୍ୟାରିଟାଲ ରିଲେସନ୍ସର ରୋମାଣ୍ଟିକ ସୂଚନା ଥିଲା ସେଥିରେ ଏବଂ ପ୍ରମାଣସ୍ଵରୂପ ଅଙ୍କିତ ଓ ପଦ୍ମଜାଙ୍କ ଫଟେ ମଧ୍ୟ ଛାପା ଯାଇଥଲା ଆଉ ଏକ ସ୍ଥାନରେ ପ୍ରଶ୍ନଚିହ୍ନ ତଳେ ।

 

ଆଚାର୍ଯ୍ୟ ନିବାସର ଅନ୍ଦର ମହଲର କଥା ଏବେ ଦାଣ୍ଡରେ ଗଡ଼ୁଛି । ଲୋକମାନେ କୁହାକୁହି ହେବାକୁ ଆରମ୍ଭ କଲେଣି ଯେ ଉପରେ ସିନା ଗୋଟିଏ ଆଦର୍ଶ ପରିବାର, କିନ୍ତୁ ଭିତରେ ପରିବାର ଭିତରେ ପରିବାର ।

 

ଭାଙ୍ଗି ଯାଉଛି ସ୍ଵପ୍ନ ସବୁ । ଭାଙ୍ଗି ଯାଉଛି ଅତି ସହଜରେ ଗଢ଼ା ମୈତ୍ରେୟୀଙ୍କ ସଂସାର । ସେ ଉଚ୍ଚାଶା ନେଇ, ସମସ୍ତଙ୍କର ସମ୍ଭାବନାମୟ ଭବଷ୍ୟତର ନିଅଁ ଦେଇଥିଲେ । କିନ୍ତୁ ସେଇ ନିଅଁ ଉପରେ ଘର ତୋଳିବା ପୂର୍ବରୁ ମଣିଷକୃତ ବିପର୍ଯ୍ୟୟରୁ ଭୁଶୁଡ଼ି ପଡ଼ିଲା ଘର ।

 

ଭଗବାନ ରକ୍ଷା କଲେ । ଠିକ୍‌ ସମୟରେ ମିତା ବାଟ ଭାଙ୍ଗି ପଳାଇ ଆସିଲା । କିନ୍ତୁ ଏବେ ବି ତା’ ନାମ ରହିଯାଇଚି ପୁଲିସ୍‍ ଖାତାରେ । ରୋହିତ ପଟ୍ଟନାୟକ ଜେଲ୍‌ରୁ ମୁକୁଳି ଯାଇପାରି ନାହିଁ ଏବଂ ତା’ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି ପୁଲିସ୍‍ । ଭୁବନ ମୋହନ ମଲ୍ଲିକଙ୍କ ଜାଲରେ ବଡ଼ ରୋହି ମାଛଟେ ପଡ଼ିଛି । ସେ କ’ଣ ତାକୁ ଛାଡ଼ି ଦେବେ ସହଜରେ ?

 

ଥାନାବାବୁ ଭୁବନ ମୋହନ ମଲ୍ଲିକ ଥରେ ମୈତ୍ରେୟୀଙ୍କୁ କହିଥିଲେ ଯେ ପୁଲିସ୍‍ କାହାକୁ ବିଶ୍ଵାସ କରେ ନାହିଁ । ସେହିପରି ଅନ୍ୟମାନେ ମଧ୍ୟ ପୁଲିସ୍‍କୁ ବିଶ୍ୱାସ କରନ୍ତି ନାହିଁ । ଏଇ ଅବିଶ୍ଵାସର ମଞ୍ଜି କିଏ ବୁଣୁଛି କେଜାଣି ବିଶ୍ଵାସହୀନତାର ଗୋଟିଏ ତରୁ ଛିଡ଼ା ହୋଇଗଲାଣି ପଥ ଉପରେ । ସେଇ ଗଛକୁ ଉପାଡ଼ିବା ଛିଡ଼ା ହୋଇଗଲାଣି ପଥ ଉପରେ । ସେଇ ଗଛକୁ ଉପାଡ଼ିବା ପାଇଁ ଶକ୍ତି କାହାର ଅଛି ?

 

ଦାନ୍ତରେ ଦାନ୍ତ କାମୁଡ଼ି ମନେ ମନେ କହିଲେ ମୈତ୍ରେୟୀ - ‘ଅବିଶ୍ୱାସର ବିଷ ବୃକ୍ଷ ଉପାଡ଼ିବି ନିଶ୍ଚୟ ।’

 

(ଚଉତିରିଶ)

 

ସର୍ବତ୍ର ଅବିଶ୍ଵାସର ପରିବେଶ । କେହି କାହାକୁ ବିଶ୍ଵାସ କରିବା ପାଇଁ ପ୍ରସ୍ତୁତ ନୁହନ୍ତି । ଅବିଶ୍ୱାସର ମଞ୍ଜି ବୁଣା ହେଉଛି ମଣିଷର ଉର୍ବର ମସ୍ତିଷ୍କରେ । ଗଞ୍ଜେଇ ଗଛ ଉପାଡ଼ି ଦେଇ ହୁଏ । ଅଫିମ କ୍ଷେତକୁ ଧ୍ଵଂସ କରିଦବା ସମ୍ଭବ; କିନ୍ତୁ ଅବିଶ୍ୱାସ ଥରେ ମନରେ ସୃଷ୍ଟି ହୋଇଗଲେ ଏହାକୁ ନିଆଁରେ ଜାଳି ଦେଇ ହୁଏ ନାହିଁ, ଅସ୍ତ୍ରରେ ହତ୍ୟା କରାଯାଇ ପାରେନା ବା ସମୁଦ୍ରରେ ବୁଡ଼ାଇଦବା ସମ୍ଭବ ନୁହେଁ । ଅବିଶ୍ଵାସର ବିଷାକ୍ତ ପରିବେଶକୁ କେବଳ ଶ୍ରଦ୍ଧା ଓ ବିଶ୍ଵାସଦ୍ଵାରା ନିର୍ମୂଳ କରିହୁଏ । ମଣିଷମାନଙ୍କ ମଧ୍ୟରେ ଯେପରି, ଦେଶମାନଙ୍କ ମଧ୍ୟରେ ସେହିପରି ଅବିଶ୍ୱାସର ବାତାବରଣ । ସଦିଚ୍ଛା ନାହିଁ, ସହଯୋଗ ନାହିଁ । କେବଳ ଶତ୍ରୁତା, ସଂଘର୍ଷ ଏବଂ ଯୁଦ୍ଧ ।

 

ସଭ୍ୟ ମଣିଷର ସଂଜ୍ଞା ବଦଳି ଯାଇଛି । ଈଶ୍ଵରଙ୍କ ଉପରୁ ବିଶ୍ଵାସ ତୁଟି ଯାଉଛି । ମଣିଷ ଗରଳ ପିଇ ପାଗଳ ହୋଇଯାଇଛି ।

 

ମନୋଜ ଚମ୍ପାଗଛ ମୂଳେ ଇଜି ଚେଆରରେ ବସି କ’ଣ ଭାବୁଥିଲେ କେଜାଣି, ତାଙ୍କ ପାଖରେ ଯାଇ ପାଞ୍ଚ ମିନିଟ ଛିଡ଼ା ହେବା ପରେ ବି ସେ ମୈତ୍ରେୟୀଙ୍କ ଉପସ୍ଥିତି ଜାଣିପାରିଲେ ନାହିଁ । ସେଦିନ ରାତିରେ ଯେମିତି ଆଖି ଆଗରେ ଗୋଟେ କାଗଜ ଧରି ପଢ଼ୁଥିଲେ ଆଜି ଅବଶ୍ୟ ସେହିପରି କୌଣସି ଚିଠି ବା କବିତା ତାଙ୍କ ହାତରେ ନାହିଁ; କିନ୍ତୁ ଯେଉଁ ଲୋକଟି ସବୁବେଳେ ଶାନ୍ତ ଓ ସଚେତନ ରହୁଥିଲେ ତାଙ୍କ ଆଚରଣରେ ଏପରି ଅଭୂତପୂର୍ବ ପରିବର୍ତ୍ତନ କାହିଁକି ହେଲା ? ସେ କ’ଣ ତେବେ ଆଉ ଗୋଟେ ନୂଆ ବାଟ ଅନୁସନ୍ଧାନରେ ଅଛନ୍ତି ?

 

ପକ୍ଷୀଟିଏ ପର ଝାଡ଼ି ରଡ଼ି ଛାଡ଼ି ଆକାଶକୁ ଉଠିଗଲା । ପାଚିଲା ପତ୍ର ଗୋଟେ ଖସି ପଡ଼ଲା ଗଛ ଉପରୁ । ତାଙ୍କ କାନ୍ଧ ଉପରେ ସେଇ ପତ୍ର ପଡ଼ିବା କ୍ଷଣି ସେ ସଚେତନ ହୋଇ ଚାହିଁଲେ ଏବଂ ତାଙ୍କ ପାଖରେ ମୈତ୍ରେୟୀ ଛିଡ଼ା ହୋଇଥିବାର ଦେଖି କହିଲେ, ‘‘କେତେବେଳୁ ଆସିଲଣି ? ମୁଁ ଦୁଃଖିତ ତୁମକୁ ଲକ୍ଷ୍ୟ କରିପାରିନାହିଁ ।’’

 

ମୈତ୍ରେୟୀ କହିଲେ, ‘‘ତମେ ଆକାଶକୁ ଚାହିଁ କ’ଣ ଭାବୁଥିଲ... ମୁଁ ତୁମକୁ ଡିଷ୍ଟର୍ବ ନ କରି ଅପେକ୍ଷା କରୁଥିଲି...।”

 

- “କ’ଣ କହିବ କିଛି ?”

 

- ‘‘ସେପରି କିଛି ନୁହଁ, ତଥାପି ଯଦି ତୁମେ ଫ୍ରି ଥାଅ ତେବେ ଗୋଟେ ଦୁଇଟା କଥା କହନ୍ତି... ।’’

 

- “କୁହନା ଏଇନେ... ମୁଁ ଫ୍ରି ଅଛି । ମନଖୋଲା ଅଛି ତୁମ କଥା ଶୁଣିବା ପାଇଁ ।’’

 

-‘‘ତମେ ମୋତେ ବିଶ୍ୱାସ କର ?’’ ବିଷର୍ଣ୍ଣ ସ୍ଵରରେ ପଚାରିଲେ ମୈତ୍ରେୟୀ ।

 

ଆଶ୍ଚର୍ଯ୍ୟ ହୋଇ ସ୍ତ୍ରୀଙ୍କ ମୁହଁକୁ ଅନାଇ ରହିଲେ ମନୋଜ । କହିଲେ, ‘‘ଏତେବର୍ଷ କେବେତ ଏ ପ୍ରଶ୍ନ ପଚାରି ନ ଥିଲ, ଆଜି ଏହାର ପ୍ରୟୋଜନ କ’ଣ ?’’

 

-‘‘ଆଗରୁ ପ୍ରୟୋଜନ ନ ଥିଲା ବୋଲି ପଚାରୁ ନ ଥିଲି । ଏବେ ଏ ପ୍ରଶ୍ନର ପ୍ରାସଙ୍ଗିକତା ଅଛି... ।’’

 

ମନୋଜ କହିଲେ “ତମେ ଜାଣ ମୁଁ ମିଛ କହେ ନାହିଁ । ତମେ ପଚାର ମୁଁ ଉତ୍ତର ଦେବି... ।’’

 

-‘‘ତମେ ମୋତେ ବିଶ୍ଵାସ କର ?’’ ଆଉ ଥରେ ଦୋହରାଇଲେ ମୈତ୍ରେୟୀ ।

 

-“ନିଶ୍ଚୟ, ତୁମକୁ ବିଶ୍ଵାସ କରୁ ନ ଥିଲେ ତୁମ ପାଖରେ ରହି ନ ଥାନ୍ତି ମୁଁ... ।’’ ତାଙ୍କ ଆଖି ଉଜ୍ଵଳ ହୋଇ ଉଠିଲା ।

 

- ‘‘ସେଦିନ ରାତିରେ ଲନ୍‌ର ଏଇ ଗଛମୂଳେ ଠିଆ ହୋଇ ବତୀଖୁଣ୍ଟର ଆଲୁଅରେ କ’ଣ ଖଣ୍ଡେ କାଗଜ ପଢ଼ୁଥିଲ,.. । ସେଇଟା କ’ଣ... ଚିଠି ନା ଆଉ କିଛି ?’

 

କ୍ଷଣକ ପାଇଁ ସ୍ତବ୍ଧ ହୋଇଗଲେ ମନୋଜ । କିନ୍ତୁ ତା’ପରେ ନିଜକୁ ସଜାଡ଼ି ଦେଇ କହିଲେ, ‘‘ଗୋଟାଏ ଚିଠି... ଅନେକ ବର୍ଷ ପୂର୍ବର ଚିଠି... ୟାର ଗୁରୁତ୍ୱ କିଛି ନାଇଁ ଆଜି... ।’’

 

- “ କିନ୍ତୁ ଦିନେ ଥିଲା ନିଶ୍ଚୟ ।’’

 

ହଁ ବା ନା କିଛି କହିଲେ ନାଇଁ ମନୋଜ । ତାଙ୍କ ଅଧର ପ୍ରାନ୍ତରେ ମ୍ଳାନ ହସର ସରୁ ରେଖାଟିଏ ଉକୁଠି ଉଠି ପୁଣି ମିଳାଇଗଲା ।

 

ମୈତ୍ରେୟୀ କହିଲେ, “ଏ ପ୍ରଶ୍ନ ପଚାରୁଥିବାରୁ ମୁଁ ଦୁଃଖିତ । ତୁମେ ଜାଣ ତୁମ ଉପରେ ମୋର ଅଖଣ୍ଡ ବିଶ୍ଵାସ । ମୁଁ କେବଳ ଶୁଣିବାକୁ ଚାହେଁ ଯେ ସେ ପ୍ରସଙ୍ଗ ସେଇ ସମୟର ଗୋଟାଏ ଆବେଗମୟ ମୁହୂର୍ତ୍ତର କ୍ଷଣିକ ପ୍ରକାଶ ମାତ୍ର... ୟାର ପ୍ରାସଙ୍ଗିକତା ଆଉ ନାହିଁ... ।’’

 

ଏଥର ନିର୍ଭୀକ ନିର୍ମଳ କଣ୍ଠରେ ମନୋଜ କହିଲେ, ‘‘ପ୍ରବହମାନ ନଦୀ ସୁଅରେ କେତେ ବୁଦ୍‌ ବୁଦ୍‌ ଉଠେ ପୁଣି ମୁହୂର୍ତ୍ତକରେ ମିଳାଇଯାଏ... ସେଇପରି ସାମୟିକ ଥିଲା ସେଇ ପ୍ରସଙ୍ଗ... ସେଇ ସମୟ ଅନ୍ତ ହୋଇଯାଇଚି ପଚିଶ ବର୍ଷ ପୂର୍ବେ.. ୟାର ଐତିହାସିକ ମୂଲ୍ୟ ବି ଆଜି ନାହିଁ... ।’’

 

ମୈତ୍ରେୟୀ କହିଲେ, “ନା, ୟା ପରେ ଆଉ କିଛି ମୁଁ ପଚାରିବି ନାହିଁ । ପରବର୍ତ୍ତୀ ଅଧ୍ୟାୟ ତମେ ଜାଣନା... କାରଣ ତମ ଜୀବନଧାରା ବଦଳି ଗଲା ତା’ପରେ... ତମେ ସମୟ ସାଥିରେ ତାଳ ଦେଇ ଆଡ଼େଇ ଗଲ... ସେ ପଛରେ ରହିଗଲା, ନୁହଁ, ?’’

 

ମୈତ୍ରେୟୀଙ୍କ ଉପରେ ଆଖି ରଖି କହିଲେ ମନୋଜ, ‘‘ତମେ ଠିକ୍‌ ଭାବିଛ । ମୋ ପାଖରେ ତାହା ନିରର୍ଥକ...।’’

 

ମୈତ୍ରେୟୀ ମନକୁ ମନ କହିଲେ, ‘କିନ୍ତୁ ଆଉଜଣେ ସେଇ ଅତୀତକୁ ନେଇ ବଞ୍ଚି ରହିବାକୁ ଚାହେଁ... ଅତୀତ ତା’ ପାଖରେ ନିରର୍ଥକ ନୁହେଁ... ବରଂ ତା’ର ନିଶ୍ୱାସ ପ୍ରଶ୍ଵାସ... ।’ କିଛ ଏ ବିଷୟରେ ଆଉ ଅଧିକ କିଛି କହିବା ପାଇଁ ନିର୍ଦ୍ଦୟ ସେ ହୋଇପାରିଲେ ନାହିଁ । ସ୍ଵାମୀଙ୍କ ସରଳ ମୁହଁ ଉଜ୍ଜ୍ଵଳ ଆଖି ଉପରେ ଦୃଷ୍ଟି ରଖି ହସିଲେ ଟିକେ ମଧୁର ହସ... ସେଇ ହସରେ ନ ଥିଲା ଅବିଶ୍ୱାସ, ଭୁଲ ବୁଝାମଣା; କେବଳ ଥିଲା ମିଠା ମିଠା ଅନୁଭବ... ।

 

ମନୋଜ ବିଶ୍ୱବିଦ୍ୟାଳୟକୁ ଚାଲିଯିବା ପରେ ମୈତ୍ରେୟୀ ଫୋନ୍‍ କଲେ ବାଣୀଙ୍କୁ । ସେ ଫୋନ୍‌ ଧରିବାରୁ ହସର ଲହରୀ ଖେଳାଇ କହିଲେ ବାଣୀ, “ତମେ ଏତେଥର ମନେପକାଇ ଦେଲଣି ଯେ ମୋତେ ଲାଜ ଲାଗୁଛି ଯାଇପାରି ନ ଥିବାରୁ । କିନ୍ତୁ ରବିବାର ଛୁଟିଦିନ । ତୁମ ସମସ୍ତଙ୍କର ସୁବିଧା । ମୋର ବି ସେଦିନ କାମ ନାହିଁ । ମୁଁ ସକାଳ ଏଗାରଟାରେ ପହଞ୍ଚିବି ଏବଂ ଦିନସାରା ତୁମ ଘରେ ରହିବି ।’’

 

ଖୁସି ହେଲେ ମୈତ୍ରେୟୀ । ମନର ଉଦ୍‌ବେଗ ଆଉ ନାହିଁ । ସେ ଦେଇଥିବା ଚିଠି ଓ କବିତାଗୁଡ଼ାକ ଜଣେ ପ୍ରେମିକର ପ୍ରଥମ ରାଗର ଅନୁଭବ ହୋଇଥିବ । ତଥାପି ସେ ଯିଏ ହେଉନା କାହିଁକି ତା’ ପାଇଁ ଯେ ବାଣୀଙ୍କ ମନରେ ଏବେବି ଟିକେ ଜାଗା ଥିବ ଏବଂ ସେଦିନର ପ୍ରେମ ପାଗଳ ତରୁଣ ଏବେବି ଭୁଲି ନ ଥିବ ପ୍ରଥମ ପ୍ରେମ ଶିଖାକୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ-

 

ମିଟୁ ଫେରି ଆସିଥିବାରୁ ସରଳାର ଖୁସି କହିଲେ ନ ସରେ । ସେ କନ୍ୟାଶ୍ରମର ସବୁ ବିଷୟ ବୁଝୁଚି । ବଗିଚାର ଯତ୍ନ ବି ନେଉଛି । ଅନେକ ଫୁଲ ଫୁଟିଛି ବଗିଚାରେ । ଥରେ ଯାଇ ବୁଲି ଆସିବା ପାଇଁ ସେ ଅନୁରୋଧ କରିଛି । ଆଜି ସମୟ ହେଲେ ଯିବେ ସେଇ ବାଟ ଦେଇ ।

 

କେହି ଜଣେ ଫୋନ୍‌ କଲେ । ରିସିଭରଟା କ୍ରାଡ଼ଲ ଉପରୁ ଉଠାଇ ନେଇ କହିଲେ ମୈତ୍ରେୟୀ- ‘‘ହ୍ୟାଲୋ !’’

 

ସେ ପାଖରୁ କାହାର ଅପରିଚିତ କର୍କଶ ସ୍ଵର । ଲୋକଟା ଗୋଟିଏ ଲହରରେ କହିଯାଉଛି ଅନେକ କଥା... ।

 

- ‘‘ତମେ କିଏ ପ୍ରଥମେ ପରିଚୟ ଦିଅ... ।’’

 

ସେ କିନ୍ତୁ ପରିଚୟ ନ ଦେଇ କେବଳ କହି ଚାଲିଛି ନର୍ସିଂହୋମ୍‍ ସମ୍ପର୍କରେ । ଖବରକାଗଜରେ ବାହାରିଥିବା ଖବର ସମ୍ପର୍କରେ... ।

 

ମୈତ୍ରେୟୀ ଧମକ ଦବା ପରି କହିଲେ – ‘‘ତମେ ଯାହା କହୁଛ ସେସବୁ ମୁଁ ଜାଣେ... ଅଯଥା ସମୟ ନଷ୍ଟ କରିବା ପାଇଁ ମୋର ଫୁରୁସତ୍‌ ନାହିଁ... ମୁଁ ଛାଡ଼ୁଛି... ।’’

 

ତାଙ୍କୁ ଅଟକାଇ ଦେଇ ସେ କହିଲା - ‘‘ମ୍ୟାଡ଼ାମ ! ଆପଣ ଶୁଣନ୍ତୁ... ନ ଶୁଣିଲେ ମୋର କିଛି ଯିବନି... ଆପଣ ପସ୍ତେଇବେ... ।’’

 

କ’ଣ କହିବା ପାଇଁ ଚାହେଁ ଲୋକଟା । ଟିକେ ନରମି ଯାଇ କହିଲେ, ‘‘ହଉ କୁହ... ।’’

 

‘‘ଡାକ୍ତର ସରୋଜ ଆଚାର୍ଯ୍ୟ କିଏ ? ତାଙ୍କୁ ଜାଣନ୍ତି ଆପଣ ?’’

 

ଛାତି ଧଡ଼ପଡ଼ କରି ଉଠିଲା ମୈତ୍ରେୟୀଙ୍କର । ବିଚରା ଆଉ କ’ଣ ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ? ସେ କହିଲେ, ‘‘ସେ ମୋ ଦିଅର, ମୋ ସ୍ଵାମୀଙ୍କ ସାନଭାଇ... କାହିଁକି କ’ଣ ହେଲା ?’’

 

‘‘କ’ଣ ଆଉ ହେବ ମ୍ୟାଡ଼ାମ... ଯାହା ହବାର ଥିଲା ହେଲା... ତାଙ୍କୁ ଯେ କାଲି ରାତିରେ କଟକରୁ ଫେରୁଥିବାବେଳେ ଫୁଲନଖରା ପାଖରେ କେହି କିଡ଼୍‌ନାପିଙ୍ଗ କରି ନେଇଛି । ଏ ଖବର ଆପଣ ପାଇଥିବେ ନିଶ୍ଚୟ....।’’

 

ପ୍ରାୟ ଅସ୍ପଷ୍ଟ ସ୍ୱରରେ କହିଲେ ମୈତ୍ରେୟୀ, ‘‘କ’ଣ କହିଲ, କାହାକୁ କିଡ଼୍‌ନାପିଙ୍ଗ୍ କରି ନେଇଛନ୍ତି ?’’

 

- ‘‘ଡାକ୍ତର ସରୋଜଙ୍କୁ । ଭୟ ନାହିଁ ! ସେ ସୁସ୍ଥ ଅଛନ୍ତି । କିନ୍ତୁ... ’’

 

- ‘‘କିନ୍ତୁ କ’ଣ ? ସେ କେଉଠି ଅଛନ୍ତି, ତାଙ୍କୁ କିଏ... ?’’

 

- ‘‘ସେସବୁ ମୁଁ କହୁନାହିଁ, ଯେତିକି କହିବି ସେତିକି ଶୁଣନ୍ତୁ... ଆପଣ ଚବିଶ ଘଣ୍ଟା ମଧ୍ୟରେ ଯଦି ଦଶ ଲକ୍ଷ ଟଙ୍କା ନ ଦିଅନ୍ତି ନିର୍ଦ୍ଦିଷ୍ଚ ସ୍ଥାନରେ ତେବେ ବିପଦର ସମୁଖୀନ ହେବେ । ହଁ ଆଉ ଗୋଟେ କଥା ମନେରଖିବେ... ପୁଲିସ୍‍କୁ ଖବର ଦେଇ ଦିଅରଙ୍କୁ ଉଦ୍ଧାର କରିବା ପାଇଁ ଯଦି କିଛି ଚାଲାକି କରନ୍ତି ତେବେ ତାଙ୍କୁ ଚିରଦିନ ପାଇଁ ହରାଇବେ... ।''

 

ସେ ଲୋକଟାର ଏଇ କେଇପଦ କଥା ଶୁଣିବା ମାତ୍ରେ ତଳିପାରୁ ତାଳୁ ପର୍ଯ୍ୟନ୍ତ ଗୋଟେ ହିମ ପ୍ରବାହ ବହିଗଲା । ସେ ବରଡ଼ାପତ୍ର ପରି ଥରିବାକୁ ଲାଗିଲେ । କ’ଣ କରିବେ କିଛି ବୁଦ୍ଧି ଦିଶିଲା ନାହିଁ । ଟଙ୍କା କିଏ ନବ, କାହାକୁ ଦେବେ ? ସରୋଜଙ୍କୁ ଯେପରି ହେଉ ଉଦ୍ଧାର କରିବାକୁ ହେବ । ପ୍ରାୟ କାନ୍ଦିବା ପରି ସ୍ଵରରେ କହିଲେ, ‘‘ଏତେ ଟଙ୍କା କୋଉଠୁ ଆସିବ ହଠାତ୍... ଆପଣ ଦୟା କରନ୍ତୁ... ଡାକ୍ତର ସରୋଜ ଭାରି ଭଲ ଲୋକ, ସେ କାହାରି ଅନିଷ୍ଟ କରିନାହାଁନ୍ତି । ବରଂ ଅନେକଙ୍କୁ ସାହାଯ୍ୟ କରନ୍ତି ଦୁଃସମୟରେ... ।’’

 

ସେଇ ଲୋକଟା କହିଲା ଫୁଲନଖରା ଛକରେ ଗାଡ଼ି ପାର୍କ କରି ସେଇ ବଡ଼ ଚା’ ଦୋକାନ କଡ଼ରେ ଆଟାଚି ଧରି ଛିଡ଼ା ହେଲେ ଆମ ଲୋକ ଚିହ୍ନିବେ । ଦେଖନ୍ତୁ ପୁଲିସ୍‍କୁ କହି ହଙ୍ଗାମା ବଢ଼ାଇବେ ନାହିଁ । ଡାକ୍ତରଙ୍କ ଜୀବନ ଆପଣମାନଙ୍କ ସର୍ତ୍ତ ପାଳନ ଉପରେ ନିର୍ଭର କରୁଛି... ।’’

 

ସେ ଟେଲିଫୋନ୍ ଛାଡ଼ି ଦେଲା ।

 

ମୈତ୍ରେୟୀଙ୍କ ହାତରେ ଟେଲିଫୋନ୍‌ଟା ପୂର୍ବ ପରି ରହିଥିଲା ।

 

ସେ ଟେଲିଫୋନ୍ ରଖି ଦେଇ ବସିପଡ଼ିଲେ ଚୌକି ଉପରେ । ମଥା ଝିମ୍‌ ଝିମ୍‌ କରୁଥାଏ । କାହାକୁ କହିବେ, କ’ଣ କହିବେ ଏ ଦୁଃସମୟରେ । ଅନଙ୍ଗ ସମ୍ବଲପୁର ଯାଇଛି । ଫେରିବ ଦୁଇଦିନ ପରେ । ଏକାବେଳେ ଏତେଗୁଡ଼ାଏ ଟଙ୍କା ଆଣିବେ କୋଉଠୁ ? ଚବିଶ ଘଣ୍ଟା ପୂରିବା ପୂର୍ବରୁ ଟଙ୍କା ନ ଦେଲେ ସରୋଜଙ୍କ ଜୀବନ ଉପରେ ବିପଦ ।

 

ମୈତ୍ରେୟୀ ଭାବନାରେ ବୁଡ଼ିଗଲେ, କିନ୍ତୁ ଥଳକୂଳ କିଛି ପାରିଲେ ନାହିଁ । ମନୋଜଙ୍କୁ ଫୋନ୍‌କରି ଅବଶ୍ୟ ଏକଥା କହିଲେ ଚଳିବ । କିନ୍ତୁ ତାଙ୍କୁ କହିଲେ ସେ ସାଙ୍ଗେ ସାଙ୍ଗେ ଫୋନ୍ କରି ଜଣାଇଦେବେ ପୁଲିସ୍‍କୁ । ସେଇ ଲୋକଟାର କଠୋର ସ୍ଵର ଏବେବି ମନେଅଛି ତାଙ୍କର । ସେ ବାରମ୍ବାର କହିଛି ଯେ ପୁଲିସ୍‍କୁ କହିଲେ ନିସ୍ତାର ମିଳିବ ନାହିଁ । ପୁଲିସ୍‍ ଯଦି ସରୋଜଙ୍କୁ ମୁକୁଳେଇବା ପାଇଁ ଛାପା ମାରେ ଗୁପ୍ତ ଆଡ଼୍ଡାମାନଙ୍କ ଉପରେ ତେବେ ସେମାନେ ସତର୍କ ହୋଇଯିବେ । ପୁଲିସ୍‍ ଦଳ ଛାପା ମାରିବା ପୂର୍ବରୁ ଥାନାରୁ କେହି ଜଣେ କହିଦେଇଥିବ ଅପରାଧୀମାନଙ୍କୁ ଏ ବିଷୟରେ । ପୁଲିସ୍‍ ଓ ଅପରାଧୀମାନଙ୍କ ଅପବିତ୍ର ମିଳନଯୋଗୁ ବଢ଼ିଚାଲିବ ଅପରାଧ । କିଡ଼୍‌ନାପିଙ୍ଗ, ରେପ୍‌, ବର୍ଗଲାରି, ମର୍ଡ଼ର ଏସବୁ ପ୍ରତିଦିନର ଘଟଣା ହୋଇଗଲାଣି । ଏତେ ଅପରାଧ ଘଟୁଛି, କିନ୍ତୁ କେତେ ଜଣ ଅପରାଧୀଙ୍କୁ ଧରିପାରୁଛି ପୁଲିସ୍‍ ! ବରଂ ପୁଲିସ୍‍ ହାତରୁ ଅପରାଧୀମାନେ କାଏଦା କରି ଖସି ଯାଉଚନ୍ତି ।

ବାଣୀଙ୍କ କଥା ମନେପଡ଼ିଲା । ସେ କମିଶନରେ ଅଛନ୍ତି । ସରକାରଙ୍କ ବଡ଼ ବଡ଼ ପ୍ରଭାବଶାଳୀ ଲୋକମାନଙ୍କ ସହିତ ତାଙ୍କର ପରିଚୟ ଅଛି । ପୁଲିସ୍‍ ଓ ପ୍ରଶାସନ ସହିତ ମଧ୍ୟ ତାଙ୍କର ସମ୍ପର୍କ ଅଛି । କିନ୍ତୁ କଥାଟା ଗୋପନ ରଖିବା ପାଇଁ ଚେତାଇ ଦେଇଛି ସେ । ଯଦି କଥା ପ୍ରଘଟ ହୋଇଯାଏ ତେବେ ହୁଏତ ସରୋଜଙ୍କ ହରାଇବାକୁ ପଡ଼ିବ ।

ଏ କାଣ୍ଡ ସହିତ ଅଙ୍କିତ ଆଉ ପଦ୍ମଜା ଜଡ଼ିତ ନୁହନ୍ତି ତ ? ବର୍ତ୍ତମାନ ସମୟରେ ଅତି ପାଖ ଲୋକ ମଧ୍ୟ ଶତ୍ରୁ ପାଲଟି ଯାଇପାରେ । ସରୋଜ ଓ ପଦ୍ମଜାଙ୍କ ଡିଭୋର୍ସ ସୁଟ ଏ ପର୍ଯ୍ୟନ୍ତ ଫଇସଲା ହୋଇନାହିଁ । ସରୋଜଙ୍କ ଯୋଗୁ କାଳେ ଏଥିରେ ଅନ୍ତରାୟ ଘଟୁଥିବ ଏୟା ଭାବି ଯଦି ଅଙ୍କିତ ଦାସ ପଦ୍ମଜାଙ୍କୁ ଧରି କିଛି ଗୋଟେ ପ୍ଲାନ୍‌ କରିଥାଏ ସରୋଜକୁ ରାସ୍ତାରୁ ହଟାଇ ଦବା ପାଇଁ-?

ବାଣୀଙ୍କୁ ଫୋନ୍‌ କଲେ ।

ସେ ପାଖରୁ ଉତ୍ତର ଆସିଲା ।

ସେ କହିଲେ, ‘‘ତମେ ମନେ ପକାଇବ କ’ଣ, ମୁଁ ତୁମକୁ ମନେପକାଇ ଦେବି ବୋଲି ଫୋନ୍‌ କରିବାକୁ ଯାଉଥିଲି । ତା’ ପୂର୍ବରୁ ତୁମ ଫୋନ୍‍ ଆସିଲା । ଦେଖୁଛ ତୁମେ ଯେତେବେଳେ ମୋ କଥା ଭାବୁଛ ଠିକ୍‌ ସେତିକି ବେଳେ ମୁଁ ତୁମ କଥା ଭାବୁଛି । ସମାନ ଓ୍ୱେଭ୍‌ରେ ଅଛୁ ଆମେ । ଆଉ କ’ଣ ? କାହିଁକି ତୁମ ସ୍ଵରଟା ସ୍ଵାଭାବିକ ମନେହେଉନି... ।’’

 

ମୈତ୍ରେୟୀ କ’ଣ କହିବେ ତାଙ୍କୁ ? ତାଙ୍କର ଉତ୍ତର ନ ପାଇ ବାଣୀ କହିଲେ, ‘‘କହୁନ ଯେ କିଛି... ପ୍ରୋଗ୍ରାମ ବଦଳ କରିବାକୁ ଯଦି ଚାହଁ ତେବେ ରବିବାର ନ ଯାଇ ଆଉ କେବେ ଯିବି । ଲେଟ୍‌ ମି ପୋଷ୍ଟପୋନ୍‌ ଇଟ୍‌... ।''

 

‘‘ନା, ନା ନାନୀ । ପ୍ଲିଜ୍... ତୁମେ ସେପରି ଭାବ ନାହିଁ । ମୋ ମନରେ କୌଣସି କଷ୍ଟ ନାହିଁ ବା କିନ୍ତୁ ଭାବ ନାହିଁ । ଗୋଟେ ଅସୁବିଧାରେ ପଡ଼ିଯାଇଛି । ଭାବୁଛି ଏ ଭିତରେ ସେଟା ସମାଧାନ ହୋଇଯିବ... ।’’

 

- ‘‘କ’ଣ ମୋତେ କହୁନ କାହିଁକି ? ମୁଁ ପରା ତୁମ ନିଜ ଲୋକ । ମୋ ଦେଇ ଯାହା ହୋଇପାରିବ କରିବି... ।’’

 

- ‘‘ଟେଲିଫୋନ୍‌ରେ ଏତେ କଥା କହିବା ସମ୍ଭବ ନୁହେଁ ନାନୀ । ବରଂ ମୁଁ ଆସୁଚି ତୁମ ପାଖକୁ । କୋଉଠି ଭେଟିବି କୁହ ? ତମେ କ’ଣ ଅଫିସରେ ଅଛ ?’'

 

‘‘ହଁ ହଁ । ଅଫିସରେ ଅଛି । ଆଜି ଗୋଟେ କେସ୍‌ର ହିଅରିଂ ଥିଲା ତ, ଆଗରୁ ଚାଲି ଆସିଥିଲି । କିନ୍ତୁ ସେମାନେ ଏ ଯାଏ ଆସି ନାହାଁନ୍ତି । ବରଂ ଯଦି ପାର ଶୀଘ୍ର ଚାଲିଆସ ସେମାନେ ପହଞ୍ଚିବା ପୂର୍ବରୁ ଆମେ କାମ ସାରିନବା... ।’’

 

ମୈତ୍ରେୟୀ କାଳ ବିଳମ୍ବ ନ କରି ଗାଡ଼ି ନେଇ ବାହାରିଗଲେ । ବାଧା ନ ମାନି ତାଙ୍କ ଆଖରୁ ଦୁଇ ଟୋପା ଲୁହ ଗଡ଼ିପଡ଼ିଲା । ରୁମାଲରେ ମୁହଁ ପୋଛିବାକୁ ଯାଇ ଆହୁରି କାନ୍ଦିଲେ... । କିଛ ସଂକଟ ସମୟରେ ଯେ କାନ୍ଦିଲେ କିଛି ସମାଧାନ ହୁଏନା, ବରଂ ସାହସ କରି କାମ କଲେ କିଛି ଗୋଟେ ହେବ ସେୟା ହେଉଛି ସମାଧାନର ବାଟ । ବାଣୀ ନିଜ ଲୋକ । ବଡ଼ ଭଉଣୀ ପରି । ଅନେକ ଅଭିଜ୍ଞତା ଅଛି । ସଂକଟରୁ ମୁକୁଳିବା ପାଇଁ ସେ ହୁଏତ କିଛି ଗୋଟେ ବାଟ ଫିଟାଇ ପାରନ୍ତି... ।

 

ତାଙ୍କୁ ଅପେକ୍ଷା କରୁଥିଲେ ବାଣୀ ।

 

ମୈତ୍ରେୟୀ ସିଧା ତାଙ୍କ କୋଠରୀରେ ପ୍ରବେଶ କଲେ । ଅନୁମତି ନ ଦେଲା ପର୍ଯ୍ୟନ୍ତ ଆଉ କାହାକୁ କୋଠରୀ ଭିତରକୁ ନ ଛାଡ଼ିବା ପାଇଁ ପିଅନକୁ କହିଦେଇ ଦୁଇ କପ୍‌ ଗରମ କଫି ଆଣିବା ପାଇଁ କହିଲେ ପିଅନକୁ ।

 

କଫି ଆସିଲା । କଫି ପିଇବାବେଳେ କହିଲେ ମୈତ୍ରେୟୀ, ‘‘ବଡ଼ ଅସୁବିଧାରେ ପଡ଼ିଯାଇଛି ନାନୀ । କହିବାକୁ ଲାଜ ଲାଗୁଛି । ନ କହିଲେ କୁଳ ଭାସି ଯାଉଛି ଏପରି ଅବସ୍ଥା... ।’'

କଫି ପିଇ ସାରି ମୈତ୍ରେୟୀଙ୍କ ଆଡ଼କୁ ଝୁଙ୍କି ପଡ଼ି ଧୀର କୋମଳ ସ୍ଵରରେ ବାଣୀ କହିଲେ, ‘‘କ’ଣ କରିପାରିବି କୁହ... ।’’

 

କାଳେ ତାଙ୍କୁ ସତକଥା କହିଦେଲେ ସେ ପୁଲିସ୍‍ର ସାହାଯ୍ୟ ନେବେ ସେଥିପାଇଁ ସେ କଥା ଖୋଲି ନ କହି କେବଳ ତାଙ୍କୁ କହିଲେ ଯେ ଗୋଟେ ଅତି ଜରୁରୀ କାମ ପାଇଁ ଗୁଡ଼ାଏ ଟଙ୍କା ଦରକାର । ତାଙ୍କ ପାଖରେ ଏତେ ଟଙ୍କା ନାହିଁ । ମନୋଜ ବାହାରକୁ ଯାଇଛନ୍ତି । ଫୋନ୍‌ରେ କହିଲେ କାଳେ ସେ ଜାଣିଲେ ଜଟିଳତା ସୃଷ୍ଟି ହେବାର ଆଶଙ୍କା ଅଛି । ଅନଙ୍ଗ ସମ୍ବଲପୁରରେ । ଦୁଇଦିନ ପରେ ଫେରିବେ । ସରୋଜଙ୍କୁ ରକ୍ଷା କରିବାକୁ ହେଲେ ମୋ ପାଖରେ ଅଛି ମାତ୍ର ଚବିଶ ଘଣ୍ଟା... ।

 

ତାଙ୍କୁ ଆଉ କିଛି ନ ପଚାରି ବାଣୀ କହିଲେ, ‘‘କିଛି ଟଙ୍କା ଦରକାର କି ? କେତେ ହେଲେ ଚଳିବ ନିସଂକୋଚରେ ମୋତେ କହି ପାର... ।''

 

ଚମକି ପଡ଼ିଲେ ମୈତ୍ରେୟୀ ।

 

ତାଙ୍କ ମନକଥା ସେ ଜାଣିଲେ କିପରି । ସେ ତ ଘୃଣାକ୍ଷରେ ବି କାହାକୁ କିଛି ସୂଚନା ଦେଇ ନାହାଁନ୍ତି ! ତଥାପି ନାଚାର ସେ, ପରିସ୍ଥିତି ଆହୁରି ଜଟିଳ ହେବା ଆଗରୁ ଆଉ ବିଳମ୍ବ ନ କରି ଏ ବିଷୟ ବାଣୀଙ୍କୁ ନ କହି କେବଳ ଟଙ୍କା ଦଶଲକ୍ଷ ପାଇଁ କହିବେ । ଧୀରେ ଧୀରେ ମୈତ୍ରେୟୀ କହିଲେ, ‘ଗୋଟେ ବଡ଼ ଅସୁବିଧା ପଡ଼ିଯାଇଛି । ହୁଏତ ଦୁଇତିନି ଦିନ ମଧ୍ୟରେ ସମାଧାନ ହୋଇଯିବ ।’

 

ମୈତ୍ରେୟୀଙ୍କ ପିଠି ଉପରେ ହାତ ବୁଲାଇ ଆଣି ବାଣୀ କହିଲେ - ‘‘ମୋ ସାନ ଭଉଣୀଟା ପରା ! ମୁଁ ପରା ଅଛି । ଚିନ୍ତା କାହିଁକି ? ନିସଂକୋଚରେ କହିଯାଅ... । କ’ଣ ହୋଇଚି-?’’

 

ଆଉ ଧୈର୍ଯ୍ୟ ରଖି ପାରିଲେ ନାହିଁ ମୈତ୍ରେୟୀ ।

 

ତାଙ୍କ ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼ିଲା ।

 

ତାଙ୍କ ପାଖରୁ ଆହୁରି ଲାଗି ଆସି କହିଲେ ବାଣୀ, ‘ନିସଂକୋଚରେ କୁହ... ।’

 

ବାଣୀଙ୍କ ମୁହଁରୁ ହଠାତ୍ ବାହାରିଗଲା, ‘‘ସରୋଜଙ୍କୁ ଉଦ୍ଧାର ନ କଲେ ସଂସାର ବୁଡ଼ିଯିବ ।

 

- ‘‘କାହିଁକି କ’ଣ ହୋଇଛି ସରୋଜଙ୍କର ?’’

 

ତା’ପରେ ତାଙ୍କ କାନ ପାଖରେ ମୁହଁ ରଖି ଠିକେ ଠିକେ ସବୁ କହିଦେଲେ ମୈତ୍ରେୟୀ । ବାଣୀଙ୍କ ଦୁଇ ହାତଧରି ପକାଇ କହିଲେ, ‘‘ନାନୀ, ଘୂଣାକ୍ଷରେ ବି ଏକଥା ଯେପରି ପୁଲିସ୍‍ ବା ଆଉ କାହାକୁ ନ କୁହ । ଦଶଲକ୍ଷ ଟଙ୍କା ନେଇ ମୁଁ କାଲି ଯିବି ଫୁଲନଖରା ।’’ କିନ୍ତୁ ଏତେ ଟଙ୍କା ମୋ ପାଖରେ ଏଇନେ ନାହିଁ... ।’’ ସେ ହତାଶିଆ ସ୍ଵରରେ କିହଲେ ।

 

ବାଣୀ କହିଲେ, ‘‘ମୁଁ କଥା ଦେଉଛି କାହାକୁ କିଛି କହିବି ନାହିଁ । କିନ୍ତୁ ତା’ ବୋଲି ତୁମ ନିରାପତ୍ତା ପ୍ରତି ମୁଁ ଦୃଷ୍ଟି ଦେବିନି ଏପରି ହୋଇପାରିବ ନାହିଁ । ତୁମେ ଟଙ୍କା ଦେଇ ନିରାପଦରେ ସରୋଜକୁ ନେଇ ଫେରି ଆସ ଏୟା ମୁଁ ଚାହେଁ । କିନ୍ତୁ ଯଦି ତୁମ ଉପରେ ବିପଦ ପଡ଼ ତୁମକୁ ରକ୍ଷା କରିବା ପାଇଁ ଅବଶ୍ୟ ଲୋକ ଥିବେ... । ଆଉ ଦଶଲକ୍ଷ ଟଙ୍କା ମୁଁ ତୁମକୁ ଦେବି ଚିନ୍ତା କରନା ଏଥିପାଇଁ... ।’’

 

ମୈତ୍ରେୟୀ ଧର୍ମ ସଂକଟରେ ପଡ଼ିଗଲେ ।

 

ପୁଲିସ୍‍କୁ ଖବର ନ ଦବା ପାଇଁ ସେ ଲୋକଟା ଚେତାଇ ଦେଇଥିଲା । ସେ କାହାକୁ କହି ନ ଥିଲେ । କିନ୍ତୁ ଗୋଟାଏ ଦୁର୍ବଳ ମୁହୂର୍ତ୍ତରେ ସେ ଖୋଲି କରି ସବୁ କହିଦେଲେ ବାଣୀଙ୍କୁ ।

 

ବାଣୀ ତାଙ୍କୁ ଆଶ୍ୱସନା ଦେଇ କହିଲେ, ‘‘ତମେ ଚିନ୍ତା କରନା, ତମେ ଏକା ଯିବ, ନେଳିଆ ଶାଢ଼ି ପିନ୍ଧିଥିବ । ତେବେ ତୁମକୁ ଦୂରରୁ ଠାବ କରିବା ସହଜ ହେବ ।’’

 

ଏହାପରେ ବାଣୀ ମୈତ୍ରେୟୀଙ୍କୁ ନେଇ ବ୍ୟାଙ୍କକୁ ଗଲେ ଏବଂ ବ୍ରିଫ୍‌କେସ୍‌ ଭିତରେ ଦଶଲକ୍ଷ ଟଙ୍କା ରଖି କହିଲେ । ‘‘ନିଅ... କାଲିକୁ କଥା ନ ରଖି ବରଂ ଆଜି ଯାଅ ସଞ୍ଜ ହେବା ପୂର୍ବରୁ ।’’ ସେ ପାଞ୍ଚଟାବେଳକୁ ଯିବେ ବୋଲି ନିର୍ଦ୍ଦିଷ୍ଟ ହୋଇଗଲା ।

 

ସେଠାରୁ ଘରକୁ ଫେରିବାବେଳକୁ ମଧ୍ୟାହ୍ନ ହୋଇ ଯାଇଥିଲା । ସକାଳ ନଅଟାରୁ କାଲି ସକାଳ ନଅଟା ଚବିଶ ଘଣ୍ଟା... ଏହି ହେଉଚି ସନ୍ଧିକାଳ... ସେ ଯଦି ସଂଧ୍ୟା ପୂର୍ବରୁ ଯାଇ ଦେଇ ଆସନ୍ତି ? କିନ୍ତୁ ସେମାନେ ତାଙ୍କୁ ଚିହ୍ନିବେ କିପରି ?

 

ଅବଶ୍ୟ ସେଇ ଲୋକଟା କହିଥିଲା ଯେ ସେମାନେ ବ୍ରିଫ୍‌କେସ୍‌ ହାତରେ ଚାହା ଦୋକାନ ଆଗରେ ଯଦି କାହାକୁ ଦେଖନ୍ତି ତେବେ ଅସୁବିଧା ହେବ ନାହିଁ । ଅପରାଧୀମାନେ ନିର୍ଦ୍ଦିଷ୍ଟ ସମୟ ଦବା ଚାହାନ୍ତି ନାହିଁ । କାରଣ ତା’ହେଲେ ସେମାନଙ୍କୁ ଧରିବା ପାଇଁ ପୁଲିସ୍‍ ଜାଲ ପାତି ବସିଥିବ ।

 

ପାଞ୍ଚଟାବେଳକୁ ଗାଡ଼ି ଧରି ବାହାରିଗଲେ । କେବଳ ଦଶଲକ୍ଷ ଟଙ୍କାର ନୋଟ ଥାଏ ବ୍ରିଫ୍‌କେଶରେ ।

 

ଫୁଲନଖରା ଛକରେ ପହଞ୍ଚିବାବେଳକୁ ପାଞ୍ଚଟା କୋଡ଼ିଏ । ସେ ପ୍ରଧାନ ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରି ଦୋକାନ ଆଗକୁ ଆସିଲେ ଏବଂ ଗୋଟେ ଲିମ୍‌କା ଦବା ପାଇଁ କହିଲେ ।

 

ଲିମ୍‌କା ପିଇବାବେଳେ ସେ ଏପରି ଜାଗାରେ ଛିଡ଼ା ହୋଇଥିଲେ ଯେ ତାଙ୍କୁ ସେମାନେ କୌଣସି ଦିଗରୁ ଚାହିଁଲେ ମଧ୍ୟ ସହଜରେ ଜାଣିହେବ ଯେ ସେ ହିଁ ନିର୍ଦ୍ଦିଷ୍ଟ ବ୍ୟକ୍ତି ।

 

ଦୁଇଜଣ ଯୁବକ ଆସି ମୈତ୍ରେୟୀଙ୍କ ପାଖରେ ଛିଡ଼ା ହେଲେ । ଜଣେ ପଚାରିଲା, ‘‘ମ୍ୟାଡାମ୍‍ ! ଆପଣ ଆଣିଛନ୍ତି ତ ?’’

 

- ‘‘ଆଣିଛି, କିନ୍ତୁ ଡାକ୍ତର କେଉଁଠି ଅଛନ୍ତି...’’

 

- ‘‘ଆପଣଙ୍କ ସାଙ୍ଗରେ ଯିବେ... ’'

 

ସେଇ ଯୁବକ ହାତ ବଢ଼ାଇଲା ବ୍ରିଫ୍‌କେସ୍‌ ନବା ପାଇଁ । ତା’ ହାତକୁ ବଢ଼ାଇଦବାବେଳେ କହିଲେ ମୈତ୍ରେୟୀ –‘‘ମୁଁ ମୋ କଥା ରଖିଛି, ଏଥର ଆପଣମାନେ କଥା ରଖନ୍ତୁ.... ।'’

 

ସେମାନଙ୍କ ମଧ୍ୟରୁ ଜଣେ କ’ଣ ଇଙ୍ଗିତ କଲା କେଜାଣି ଗୋଟାଏ ମାରୁତି ଭ୍ୟାନ ଆସି ପହଞ୍ଚିଲା ସେମାନେ ଛିଡ଼ା ହୋଇଥିବା ଜାଗା ପାଖରେ । ଏତିକିବେଳେ କୁଆଡ଼େ ଥିଲେ ପୁଲିସ୍‍ ଦଳ କେଜାଣି ଛଞ୍ଚାଣ ପରି ମାଡ଼ି ବସିଲେ ସେଇ ଯୁବକ ଦୁଇଜଣଙ୍କୁ ଏବଂ ଆଉ ଦଳେ ପୁଲିସ୍‍ ମାରୁତି ଭାନ ଚାରିପାଖରେ ଘେରିଗଲେ ।

 

ଆଖି ପିଛୁଳାକେ ସବୁ ଶେଷ ହେଲା । ଡାକ୍ତର ସରୋଜ ଆସି ମୈତ୍ରେୟୀଙ୍କ ଗାଡ଼ିରେ ବସିଲେ ଏବଂ ପୁଲିସ୍‍ ଭ୍ୟାନ୍‌ରେ ଆଉ ସମସ୍ତେ ବସିଲେ । ଜିପ୍‌ରେ ଥିଲେ ରସୁଲଗଡ଼ର ଥାନା ଅଧିକାରୀ ଭୁବନ ମୋହନ ମଲ୍ଲିକ । ସେମାନେ ଯେଉଁ ଭ୍ୟାନ୍‌ରେ ଡାକ୍ତରଙ୍କୁ ଆଣିଥିଲେ ସେଇଟା ପୁଲିସ୍‍ ସିଜ୍‌ କରି ସାଙ୍ଗରେ ନେଇଗଲା । ଦୁଇଜଣ ଯୁବକ ସହିତ ମାରୁତିଭ୍ୟାନ୍‌ ଚଳାଇଥିବା ଚାଳକ ଏଇ ତିନିଜଣଙ୍କୁ ନେଇ ବୀର ଦର୍ପରେ ପୁଲିସ୍‍ ଦଳ ରାଜଧାନୀ ଅଭିମୁଖେ ଯାତ୍ରା କଲେ ।

 

- ମୈତ୍ରେୟୀଙ୍କ ଆଖି ସଜଳ ହୋଇ ଉଠିଲା । ସେ ସରୋଜଙ୍କ ପିଠି ଆଉଁସି ଦେଇ କହିଲେ, ‘‘ତମର କିଛି କ୍ଷତି କରିନାହାଁନ୍ତି ତ ?’’

 

ସରୋଜ କହିଲେ, ‘‘ନା ଭାଉଜ ! କିନ୍ତୁ ମୁଁ ଭାବି ନ ଥିଲି ଯେ ଏମାନଙ୍କ କବଳରୁ ଉଦ୍ଧାର ପାଇବି... ସେମାନେ କାହିଁକି ଛାଡ଼ିଦେଲେ ମୋତେ... ତୁମେ ବା ଏଠାକୁ ଆସିଲ କିପରି-?’’

 

ମୈତ୍ରେୟୀ ଠିକେ ଠିକେ ସବୁ ଘଣା କହିଗଲେ ।

 

ସରୋଜ ବାଷ୍ପାକୁଳ ସ୍ଵରରେ କହିଲେ, ‘‘ମା’ ବଞ୍ଚଥିଲେ ବି ଏ କାମ କରିପାରି ନ ଥାନ୍ତା ଭାଉଜ... ତମେ ପୁନର୍ଜନ୍ମ ଦେଲ ମୋତେ... ମା’ଠାରୁ ବି ବଡ଼... ।’’

 

ତାଙ୍କ ଆଖିରୁ ଝରି ପଡ଼ୁଥିବା ଲୁହ ପୋଛିଦେଇ କହିଲେ ମୈତ୍ରେୟୀ, ‘‘ଧୈର୍ଯ୍ୟ ଧର... ଏଇଟା କାନ୍ଦିବା ବେଳ ନୁହଁ.... ବରଂ ଖୁସିର ସମୟ... ଚାଲ ଆମେ ବି ସେମାନଙ୍କ ପଛେ ପଛେ ଥାନାକୁ ଯିବୁ । ବୋଧହୁଏ ତୁମକୁ ସେମାନେ ପଚରା ଉଚୁରା କରିବେ ଏ ବିଷୟରେ ?’’

 

‘‘ କିନ୍ତୁ ଭାଉଜ ! ଦଶଲକ୍ଷ ଟଙ୍କା ତମେ ଏତେଶୀଘ୍ର ଯୋଗାଡ଼ କଲ କିପରି ?’’ ପଚାରିଦେଇ ତାଙ୍କ ମୁହଁକୁ ଚାହିଁଲେ ସରୋଜ ।

 

ମୈତ୍ରେୟୀଙ୍କ ମୁହଁ ଉପରେ ମ୍ଳାନ ହସର ରେଖା ଫୁଟିଉଠିଲା । ସେ କିନ୍ତୁ କିଛି ଉତ୍ତର ଦେଲେ ନାହିଁ... ।

 

ଦୁଇଟା ପୁଲିସ୍‍ ଗାଡ଼ି ପଛେ ପଛେ ମୈତ୍ରେୟୀଙ୍କ ଗାଡ଼ି ବି ଥାନା ପରିସର ଭିତରକୁ ପଶିଲା ।

 

ସେଠାରେ ଅପେକ୍ଷା କରିଥିଲେ ଏସ.ପି. ନନ୍ଦିତା ନିରୂପମା ସାମଲ ।

 

ସେ ଆଗେଇ ଆସି କହିଲେ, ‘ଆପଣମାନଙ୍କ ସହଯୋଗ ପାଇ ନ ଥିଲେ ଏତେବଡ଼ କାମଟା ବିନା ରକ୍ତପାତରେ ସମ୍ପୂର୍ଣ୍ଣ ହୋଇ ନ ଥାନ୍ତା । ଧନ୍ୟବାଦ ।’’

 

ମୈତ୍ରେୟୀ କହିଲେ, ‘‘ପୁଲିସ୍‍କୁ ମୁଁ କହୁ ନ ଥିଲି । କାରଣ ସେମାନେ କହିଥିଲେ ଯେ ଖବର ଦେଲେ ସରୋଜଙ୍କ ଜୀବନ ଉପରେ ବିପଦ... ।’’

 

ନନ୍ଦିତା ନିରୂପମା କହିଲେ, ‘‘ଆପଣ ଠିକ୍‌ କରିଛନ୍ତି... ବାଣୀ ପୁରୋହିତ ମୋତେ ଗୋପନରେ ସବୁ କହି ନ ଥିଲେ ଆମେ ଏ ସଫଳତା ପାଇ ନ ଥାନ୍ତୁ... ଏଭ୍ରିଥିଙ୍ଗ ଇଜ୍‌ ଓ୍ୱେଲ ହ୍ୱିଚ୍ ଏଣ୍ଡସ୍‌ ଓ୍ୱେଲ...।’’

 

(ପଇଁତିରିଶ)

 

ଏଡ଼େ ଚମକପ୍ରଦଭାବେ ଏଇ ନାଟକୀୟ ଘଟଣା ଘଟିଗଲା ଯେ ଚବିଶ ଘଣ୍ଟା ଭିତରେ ତୁମୁଳ ଆଲୋଡ଼ନ ସୃଷ୍ଟି ହୋଇଗଲା ଜନମାନସରେ । ଓଡ଼ିଶା ପରି ଗୋଟିଏ ଅନଗ୍ରସର ରାଜ୍ୟର ଜଣେ ଡାକ୍ତରଙ୍କୁ ଅପହରଣ କରିନବା ଯେତିକି ବିସ୍ମୟକର ତାଙ୍କୁ ମୁଣ୍ଡଜାମିନ ରଖି ଦଶଲକ୍ଷ ଟଙ୍କା ଦାବି କରିବା ସେହିପରି ବିସ୍ମୟକର । କିନ୍ତୁ ବାଣୀଙ୍କ ତତ୍ପରତା ଓ ପୁଲିସ୍‍ ସୁପରିଣ୍ଟେଣ୍ଡେଣ୍ଟ ନନ୍ଦିତା ନିରୂପମା ସାମଲଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ଦୃଢ଼ତା ଯୋଗୁ ଅପରାଧୀମାନେ ଧରାପଡ଼ିଗଲେ । ଦଶଲକ୍ଷ ଟଙ୍କା ସେମାନଙ୍କ ହାତରୁ ଉଦ୍ଧାର କରାଗଲା । ସୁସ୍ଥ ଶରୀରରେ ଡାକ୍ତର ସରୋଜ ଆଚାର୍ଯ୍ୟ ପରିବାରକୁ ଫେରି ଆସିଲେ । ଏଇ ଦୁଇଜଣ ବିହାରୀ ଯୁବକ ଯେ ରାଜଧାନୀରେ ରହସ୍ୟଜନକଭାବେ ଏପରି କାଣ୍ଡ ଘଟାଇ ପାରିଲେ ତାହାହିଁ ଶାସନ କର୍ତ୍ତୃପକ୍ଷଙ୍କୁ ଚିନ୍ତିତ କଲା । ସେମାନେ ଦଶଲକ୍ଷ ପରିବର୍ତ୍ତେ ପଚାଶଲକ୍ଷ ବା ପାଞ୍ଚକୋଟି ଦାବି କରିପାରିଥାନ୍ତେ । ବୋଧହୁଏ ଏଇ ଲାଭଜନକ ବ୍ୟବସାୟରେ ପ୍ରଥମ କରି ହାତ ଦେଇଛନ୍ତି ।

 

ସେଦିନ ମୈତ୍ରେୟୀଙ୍କୁ ବିଦାୟ ଦେବା ପରେ ବାଣୀ ପୁରୋହିତ ସିଧା ଯାଇଥିଲେ ପୁଲିସ୍‍ ସୁପରିଣ୍ଟେଣ୍ଡେଣ୍ଟ ନନ୍ଦିତା ନିରୂପମା ସାମଲଙ୍କ ପାଖକୁ । ମାତ୍ର ଛଅବର୍ଷର ଚାକିରି ନନ୍ଦିତାଙ୍କର । ଏଇଟା ତାଙ୍କ କ୍ୟାରିଅରର ଟେଷ୍ଟ କେସ୍‌ । ସେ ଆଦୌ ସମୟ ନଷ୍ଟ ନ କରି ଲାଗିଗଲେ କର୍ତ୍ତବ୍ୟରେ । ଜୀବନ ନଷ୍ଟ ନ କରି କିପରି ଡାକ୍ତରଙ୍କୁ ଉଦ୍ଧାର କରାଯିବ ଏବଂ ଦୁର୍ବୃତ୍ତମାନେ ଖସିଯାଇ ପାରିବେ ନାହିଁ ଏଇ ରଣକୌଶଳ ସେ ପ୍ରସ୍ତୁତ କଲେ । ଭୁବନମୋହନ ମଲ୍ଲିକ ସେଇ ଅଞ୍ଚଳର ଇତିହାସ ଓ ଚଳଣି ସମ୍ପର୍କରେ ପରିଚିତ । ଜଣେ ଟାଣୁଆ ଥାନା ଅଧିକାରୀଭାବେ ସୁନାମ ଅର୍ଚ୍ଚନ କରିଛନ୍ତି । ତାଙ୍କୁ ଇ ବାଛିଲେ ଏସ୍‌ପି ନନ୍ଦିତା ନିରୂପମା ।

 

ପୁଲିସ୍‍ ସାହେବାଙ୍କ ରଣକୌଶଳ ମାନି ନେଇ ସେ ଲମ୍ଫଦେଲେ ‘ଟେରର୍‌ ଟାଇଗର’ ଅଭିଯାନରେ । ନନ୍ଦିତା କଣ୍ଟ୍ରୋଲ୍‍ ରୁମ୍‌ରେ ବସି ଆଚାର୍ଯ୍ୟ ନିବାସରୁ ମୈତ୍ରେୟୀ ବାହାରିବାବେଳଠାରୁ ଫୁଲନଖରାରେ ପହଞ୍ଚିବା ଓ ସେଠାରେ ଲିମ୍‌କା ପିଇବାବେଳ ଓ ତା’ ପରବର୍ତ୍ତୀ ଘଟଣାର ଟିକିନିଖି ଖବର ପାଉଥିଲେ ଗୁଇନ୍ଦାଠାରୁ । ମୈତ୍ରେୟୀଙ୍କ ଗାଡ଼ିକୁ ଅନୁସରଣ କରୁଥିଲେ ସି.ଆଇ.ଡ଼ି. ଅଫିସର ସଞ୍ଜୀବ କୁମାର ସମସ୍ତଙ୍କ ଅଲକ୍ଷରେ ଗୋଟେ ମାଲ ବୋଝେଇ ଟ୍ରକ୍‌ରେ କ୍ଲୋଜ୍ ସରକିଟ୍‌ ଟିଭି ଯନ୍ତ୍ରପାତି ଖଞ୍ଜି ବଡ଼ ଚା’ ଦୋକାନର ବିପରୀତ ଦିଗରେ ଛିଡ଼ା ହୋଇ ରହିଲା ମେକାନିକାଲ ତ୍ରୁଟି ହୋଇଥିବା ଦର୍ଶାଇ । ଡ୍ରାଇଭର ଓ କ୍ଲିନର ବଦଳରେ ଜଣେ ପୁଲିସ୍‍ ସବ୍‌-ଇନିସପେକ୍ଟର ଏବଂ ଆଉ ଜଣେ ଏ.ଏସ୍‌.ଆଇ. ଟ୍ରକ୍‌ରେ ରହି ପ୍ରତି ମୁହୂର୍ତ୍ତରେ କ’ଣ ଘଟୁଛି ତାହା ନିରୀକ୍ଷଣ କରିବାକୁ ଲାଗିଲେ । ସେମାନେ ଆଣିଥିବା ଭ୍ୟାନ୍‌ଟା ସେମାନଙ୍କ ପ୍ରଥମ ଟାର୍ଗେଟ୍‌ ଏବଂ ଦୁଇ ଯୁବକଙ୍କୁ ଦ୍ୱିତୀୟ ଟାର୍ଗେଟ କରାଯାଇଥିଲା । ପ୍ରଥମ ଟାର୍ଗେଟ୍‌ର ଅତି ନିକଟରେ ବରା ଦୋକାନରେ ପୁଲିସ୍‍ ସିଆଇଡିର ଜଣେ ଦକ୍ଷ କର୍ମଚାରୀ ଜଗି ରହିଥିଲେ । ଡାକ୍ତର ଯେପରି କୌଣସି ଆଘାତ ନ ପାଆନ୍ତି ତାହା ଥିଲା ଲକ୍ଷ୍ୟ । ଦ୍ୱିତୀୟରେ ମୈତ୍ରେୟୀଙ୍କ ହାତରୁ ବ୍ରିଫ୍‌କେଶ ନବା ପାଇଁ ଦୁଇଜଣ ଯୁବକ ପହଞ୍ଚିବା କ୍ଷଣି ସେମାନଙ୍କ ମୁଭମେଣ୍ଟ କ୍ଲୋଜ ସର୍କିଟ୍‌ ଟିଭିରେ ପ୍ରତିଫଳିତ ହେବ ଏବଂ ଚା’ ଦୋକାନ ପଛରୁ ଭୁବନମୋହନ ମଲ୍ଲିକ ଓ ତାଙ୍କ ଦଳ ସେମାନଙ୍କ ଉପରେ ଲମ୍ଫ ଦେବେ । ଠିକ୍ ସେଇ ସମୟରେ ମାରୁତି ଭ୍ୟାନ୍‌କୁ ଆଉ ଦଳେ ପୁଲିସ୍‍ ଘେରିଯିବେ । ନନ୍ଦିତାଙ୍କ ଏଇ ଯୋଜନା ବିଚକ୍ଷଣତାର ସହିତ କାର୍ଯ୍ୟକାରୀ ହେଲା ଏବଂ ଗୋଟିଏ ବି ଗୁଳି ନ ଫୁଟାଇ ଅପରାଧୀମାନଙ୍କୁ କାବୁ କରାଗଲା । ମାରୁତିର ଡ୍ରାଇଭର ସମେତ ତିନିଜଣ ଅପରାଧୀଙ୍କୁ ଗିରଫ କରି ଯେତେବେଳେ ଭୁବନମୋହନ ମଲ୍ଲିକ ଆସି ପୁଲିସ୍‍ କଣ୍ଟ୍ରୋଲରୁମ୍‌ ଆଗରେ ପହଞ୍ଚିଲେ ନିଜେ ମ୍ୟାଡାମ୍ ଏସପି ନନ୍ଦିତା ନିରୂପମା ସେମାନଙ୍କୁ ଅଭିନନ୍ଦନ ଜଣାଇଲେ-। ସନ୍ଧ୍ୟା ଆଠଟାରେ ପୁଲିସ୍‍ ହେଡ଼କ୍ୱାର୍ଟରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନନ୍ଦିତା ନିରୂପମା ସାମଲ ଯେତେବେଳେ ଏଇ ରୋମାଞ୍ଚକର ଅଭିଯାନ ‘ଟେରର ଟାଇଗର'ର ବିବରଣୀ ଦେଲେ ସେତେବେଳେ ସମବେତ ସାମ୍ବାଦିକ ଓ କ୍ୟାମେରାମ୍ୟାନ ତାଙ୍କୁ ଏବଂ ପୁଲିସ୍‍ ଦଳକୁ ଅଭିନନ୍ଦନ ଜଣାଇଲେ । ଦୁଇଘଣ୍ଟା ମଧ୍ୟରେ ଏଇ ଲୋମହର୍ଷକ କାହାଣୀ ଚିତ୍ର ସହିତ ଆଞ୍ଚଳିକ ଓ ଜାତୀୟ ଟିଭି ଚ୍ୟାନେଲରେ ‘ବ୍ରେକିଂ ନିଉଜ’ରେ ପ୍ରସାରିତ ହେଲା ।

 

ଦୈନିକ ସମ୍ବାଦପତ୍ରମାନଙ୍କର ସକାଳ ସଂସ୍କରଣରେ ଫଟୋଚିତ୍ର ଚହିତ ସମଗ୍ର କାହାଣୀ ପ୍ରକାଶ ପାଇବା କ୍ଷଣି ଚା’ କପ୍‌ରେ ଝଡ଼ ସୃଷ୍ଟି ହେଲା ପରି ମୈତ୍ରେୟୀଙ୍କ ଟେଲିଫୋନ୍‍ ବାଜିବାକୁ ଲାଗିଲା । ଅନେକ ବନ୍ଧୁ ତାଙ୍କୁ ଅଭିନନ୍ଦନ ଜଣାଇବାବେଳେ ଆଉ ଅନେକ ଏଇ ସଫଳତା ଈଶ୍ଵରଙ୍କ ଅହେତୁକ କୃପା ବୋଲି ବର୍ଣ୍ଣନା କଲେ । କିନ୍ତୁ ବାଣୀଙ୍କର ମହାନ ଉଦାରତା ଓ ପ୍ରତ୍ୟୁତ୍ପନ୍ନମତିତା ପାଇଁ ଯେ ଏଇ ସଫଳତା ମିଳିଲା ଏବଂ ସେଇହିଁ ଅଭିନନ୍ଦନର ପାତ୍ର ଏଇ ବିଷୟ ମୈତ୍ରେୟୀ ଆଉ କାହା ଆଗରେ ପ୍ରକାଶ କରିପାରିଲେ ନାହିଁ ।

 

ଏଇ ଗୋଟିଏ ଜଟିଳ ବିଷୟ ହାତକୁ ନେଇ ନନ୍ଦିତା ଭାବିଥିଲେ ଯେ ସେ ଅପରାଧୀମାନଙ୍କୁ ଗିରଫ କରିବା ପରେ ଆଉ ସବୁ ଆପେ ଆପେ ଠିକ୍‌ ରାସ୍ତାରେ ଚାଲିବ । କିନ୍ତୁ ସେମାନଙ୍କୁ ପଚରାଉଚୁରା କରିବା ପରେ ଥାନା ଅଫିସର ଭୁବନମୋହନ ମଲ୍ଲିକ ଅପରାଧର ଚେର କେତେ ଭିତରକୁ ଯାଇଛି ସେ ବିଷୟରେ ଯେତେବେଳେ ପୁଲିସ୍‍ ସାହେବାଙ୍କୁ ସୂଚନା ଦେଲେ ସେତେବେଳେ ନନ୍ଦିତା ବିସ୍ମିତ ହେଲେ । ଆଉ କେବଳ ଅସାମାଜିକ ହତାଶ୍‍ ଲୋକମାନେ ନିଜର ଅସହାୟତାରୁ ମୁକୁଳିବା ପାଇଁ ଅପରାଧ କରୁନାହାଁନ୍ତି, ବଡ଼ ବଡ଼ ସମ୍ଭ୍ରାନ୍ତ ଲୋକ ବି ଖିଆଲ ମେଣ୍ଟାଇବା ପାଇଁ ଅପରାଧ ଜଗତ ଭିତରକୁ ଟାଣି ହୋଇ ଆସୁଛନ୍ତି । ତାହା ଭୁବନ ମୋହନ ମଲ୍ଲିକଙ୍କ ନିଶତଳେ ଗାରେ ହସ ଖେଳିଗଲା ।

 

ମଲ୍ଲିକ କହିଲେ, ‘‘ମ୍ୟାଡାମ୍‍, ଏଇ ମାମଲାର ଅଭିଯୁକ୍ତ କେବଳ ଦୁଇଜଣ ବିହାରୀ ଓ ଜଣେ ଓଡ଼ିଆ ଯୁବକ ନୁହଁନ୍ତି, ଏମାନଙ୍କୁ ଯେଉଁମାନେ ନିଯୁକ୍ତ କରିଥିଲେ ମୁଁ ସେମାନଙ୍କ ବିଷୟରେ ଆପଣଙ୍କୁ କହିବାକୁ ଚାହେଁ... ।

 

ତା’ପରେ ଥାନା ଅଫିସର ମଲ୍ଲିକ ଅପରାଧ ପଛରେ ଯେଉଁମାନଙ୍କ ହାତ ଥିବାର ପ୍ରମାଣ ସେ ପାଇଛନ୍ତି ସେମାନଙ୍କ ବିଷୟରେ କହିଲେ, ‘‘ଡାକ୍ତର ସରୋଜ ଜଣେ ଦକ୍ଷ ସର୍ଜନ । ତାଙ୍କର ପ୍ରଫେସନାଲ ଅନେଷ୍ଟି ଅଛି, ପ୍ରାଇଡ଼୍‌ ବି ଅଛି । ତାଙ୍କ ସ୍ତ୍ରୀ ପଦ୍ମଜା ଠିକ୍‌ ଏହାର ଓଲଟା । ସେ ବି ଜଣେ ଡାକ୍ତର । କିନ୍ତୁ ତାଙ୍କର ପ୍ରଫେସନାଲ ଅନେଷ୍ଟି ନାହିଁ କି ପ୍ରାଇଡ଼୍‌ ବି ନାହିଁ । ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଡାକ୍ତର ଅଙ୍କିତ ଦାସଙ୍କ ସହିତ ମିଶି ଏ ଦୁହେଁ ନର୍ସିଂହୋମ୍‌ରେ ଜେଣ୍ଡର ଆଇଡେଣ୍ଟିଫିକେସନ, ଆବୋର୍‌ସନ ପ୍ରଭୃତି ଆଇନ ବିରୋଧୀ କାର୍ଯ୍ୟ କରନ୍ତି । ଡାକ୍ତର ସରୋଜ ଏହାର ବିରୋଧ କରିବାରୁ ସେ ଦୁହେଁ ଏକତ୍ର ତାଙ୍କୁ ନର୍ସିଂହୋମ୍‌ରୁ କିପରି ବାହାର କରିବେ ସେଇ ମସୁଧା କଲେ । ଅଙ୍କିତ ଦାସ ଏବଂ ପଦ୍ମଜା ଏକା ସାଙ୍ଗରେ ପଢ଼ୁଥିଲେ ଏବଂ ଦୁହିଙ୍କ ମଧ୍ୟରେ ସେତେବେଳୁ ଘନିଷ୍ଠ ସମ୍ପର୍କ ଥିଲା । କିନ୍ତୁ ବିବାହ ପରେ ପଦ୍ମଜା କେତେବର୍ଷ ଅଙ୍କିତ ଦାସଙ୍କଠାରୁ ଅଲଗା ହୋଇଯିବା ପରେ ପୁଣି ଦୁହେଁ ବୃତ୍ତିଗତ କାର୍ଯ୍ୟରେ ପରସ୍ପର ସହିତ ଜଡ଼ିତ ହେଲେ । ଏପରିକି ଡାକ୍ତର ସରୋଜ ଘରେ ନ ଥିବାବେଳେ ଅଙ୍କିତ ନର୍ସିଂହୋମ୍‍ରେ ସମୟ କଟାଇବାକୁ ଲାଗିଲେ । ଡାକ୍ତର ସରୋଜ ଆଚାର୍ଯ୍ୟଙ୍କ ସ୍ଥାୟୀ ଘର ହେଉଛି ନହରକଣ୍ଟାରେ । ସେଠାରେ ତାଙ୍କ ପୈତୃକ ବାସଭବନରେ ତାଙ୍କ ଭାଇମାନେ, ଭାଉଜ ଓ ପିଲାମାନେ ରହନ୍ତି । ଏମାନେ ବି ସେଠାରେ ରହୁଥିଲେ । କିନ୍ତୁ ଅଙ୍କିତ ଦାସଙ୍କ ସହିତ ସାନ୍ନିଧ୍ୟ ବଢ଼ିବାରୁ ପଦ୍ମଜା ତାଙ୍କ ବାପାଙ୍କଠାରୁ କିଛି ଅର୍ଥ ଆଣି ଏବଂ ଆଉ କିଛି ଋଣ ଆଣି ଏଇ ନର୍ସିଂହୋମ୍‌ କରିଛନ୍ତି । ଏ ଦୁହିଁଙ୍କର ଷଡ଼ଯନ୍ତ୍ର ସଫଳ ହେବାକୁ ଯାଉଛି । ଦାମ୍ପତ୍ୟଜୀବନ ସୁଖ ପାଉ ନ ଥିବା ଅଭିଯୋଗ କରି ପଦ୍ମଜା ପରିବାର ଅଦାଲତରେ ଡିଭୋର୍ସ ସୁଟ୍‌ ଫାଇଲ୍‌ କରିଛନ୍ତି । ନିଜ ପାଞ୍ଚବର୍ଷର ଝିଅକୁ ପାଖରୁ ଦୂରେଇ ଦବା ପାଇଁ ଋଷିଭ୍ୟାଲି ପବ୍ଲିକ ସ୍କୁଲରେ ରଖିଥିଲେ । ସରୋଜଙ୍କ ବଡ଼ଭାଇଙ୍କ ସ୍ତ୍ରୀ ମୈତ୍ରେୟୀ ଦେବୀ ପ୍ରକୃତରେ ସେଇ ଶିଶୁର ଯତ୍ନ ଓ ଲାଳନପାଳନ କରନ୍ତି । ଋଷିଭ୍ୟାଲିରେ ସେ କ୍ରମାଗତ ଅସୁସ୍ଥ ରହିବାରୁ ମୈତ୍ରେୟୀ ଦେବୀ ଯାଇ ପ୍ରିନସିପାଲଙ୍କ ଅନୁମତି ନେଇ ତାକୁ ନେଇ ଆସିଛନ୍ତି । ପଦ୍ମଜା ଝିଅର ଯତ୍ନ ନ ନେବାରୁ ଏବଂ ତା’ ପାଇଁ ସମୟ ନ ଦେବାରୁ ମୈତ୍ରେୟୀ ଦେବୀ ତାଙ୍କୁ ଆଣି ପାଖରେ ରଖିଛନ୍ତି ।’’

 

‘‘ଏଇ ଲମ୍ବା କାହାଣୀ କହିବାର ଅଭିପ୍ରାୟ ଏଇ ଯେ ଏଇ ପୃଷ୍ଠଭୂମିରେ ପଦ୍ମଜା ଡାକ୍ତର ସରୋଜଙ୍କୁ ବାଟରୁ ହଟାଇବା ପାଇଁ ଡିଭୋର୍ସ ସୁଟ୍‌ ଫାଇଲ୍‌ କରିଚନ୍ତି । ପରେ ଅଙ୍କିତ ଦାସଙ୍କ ଜରିଆରେ ଏଇ ଆସାମୀମାନଙ୍କୁ ସୁପାରି ଦେଇଥିଲେ ସରୋଜଙ୍କୁ କିଡ଼୍‌ନାପ କରିବା ପାଇଁ । ମୁଣ୍ଡଜାମିନ ଥିଲା ଦଶଲକ୍ଷ । ପଦ୍ମଜା ଜାଣିଥିଲେ ଯେ ହଠାତ୍‌ ଚବିଶ ଘଣ୍ଟା ମଧ୍ୟରେ ଏତେଟଙ୍କା ମୈତ୍ରେୟୀ ଯୋଗାଡ଼ କରି ପାରିବେ ନାହିଁ ଏବଂ ଡାକ୍ତର ସରୋଜଙ୍କୁ ଖତମ କରିହେବ ।’’

 

ମୈତ୍ରେୟୀ ଦେବୀଙ୍କ ବନ୍ଧୁ ବାଣୀ ପୁରୋହିତ । ସେ ମହିଳା କମିଶନର ଅଧ୍ୟକ୍ଷା ମୈତ୍ରେୟୀଙ୍କ ସହିତ ତାଙ୍କର ଘନିଷ୍ଠତା ଅଛି । ଶେଷ ମୁହୂର୍ତ୍ତରେ ତାଙ୍କଠାରୁ ଦଶଲକ୍ଷ ଟଙ୍କା ନେଇ ସେଇ ଟଙ୍କା ଆସାମୀମାନଙ୍କୁ ଦେଇ ଦିଅରଙ୍କୁ ଉଦ୍ଧାର କରିବା ପାଇଁ ସେ ଯାଇଥିଲେ ଫୁଲନଖରା-। ବାଣୀ ମୈତ୍ରେୟୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ପୁଲିସ୍‍କୁ ଏ ବିଷୟରେ କିଛି ସୁରାକ ଦେବେ ନାଇଁ । କାରଣ ଅପହରଣକାରୀ ସେଇ ସର୍ତ୍ତ ରଖିଥିଲା ଏବଂ କହିଥିଲା ଯେ ଯଦି ଅର୍ଥ ନ ଦେଇ ସେମାନଙ୍କୁ ଧରାଇବେଦା ପାଇଁ ଉଦ୍ୟମ କରାଯାଏ ତେବେ ସରୋଜଙ୍କ ଜୀବନ ବିପନ୍ନ ହେବ... ।’’

 

ନନ୍ଦିତା କିଛି ସମୟ ଭାବିଲେ ଏବଂ ତା’ପରେ ଆଉ କେତୋଟି ବିଷୟରେ ମଲ୍ଲିକଙ୍କ ସହିତ ପରାମର୍ଶ କରି ପଦ୍ମଜା ଓ ଅଙ୍କିତକୁ ଆହୁରି ଜେରା କରିବା ପାଇଁ ଗିରଫ କରିବା ସକାଶେ ଆଦେଶ ଦେଲେ । ସମ୍ଭାନ୍ତ ଲୋକଙ୍କୁ ହଠାତ୍‌ ଗିରଫ କଲେ ପ୍ରତିକ୍ରିୟା ଭିନ୍ନ ହୋଇପାରେ ଏବଂ ପ୍ରଭାବଶାଳୀ ଲୋକମାନେ ସରକାର ଉପରେ ଚାପ ପକାଇ ଏଇ ମାମଲାର ଅଗ୍ରଗତିରେ ବାଧା ଦେବେ ସେଇ ଆଶଙ୍କା କରିଥିବା ବିଷୟ ଥାନାବାବୁ ମୋହନ ମଲ୍ଲିକ କହିଲା ଉତ୍ତାରୁ ନନ୍ଦିତା ନିରୂପମା ଦୃଢ଼ ସ୍ଵରରେ କହିଲେ, ‘‘ଡୁ ନଟ୍‌ ବଦର ଏବାଉଟ୍‌ ଦ୍ୟାଟ୍‌... ମୁଁ ସେ ବିଷୟ ବୁଝିବି । ଆପଣ ସେ ଦୁହିଁଙ୍କୁ କୋଉଠି ପାଇବେ ପତ୍ତା ଲଗାନ୍ତୁ । ସେମାନେ ଏକତ୍ର ଥିବାବେଳେ ଯଦି ଗୋଟିଏ କୋଠରୀ ଭିତରୁ ଗିରଫ କରାଯାଇପାରେ ତେବେ ଆହୁରି ଭଲ । ତାଙ୍କ ଛାଡ଼ପତ୍ର ମୋକଦ୍ଦମାରେ ସେ ଯେଉଁ ଅଭିଯୋଗ କରିଛନ୍ତି ତାହା ମିଥ୍ୟା ପ୍ରମାଣିତ ହେବ ଏବଂ ଡାକ୍ତର ସରୋଜଙ୍କ ଅଭିଯୋଗହିଁ ସାବ୍ୟସ୍ତ ହେବ । ଏହା ହେଲେ ପଦ୍ମଜାଙ୍କ ସହିତ ତାଙ୍କ ବନ୍ଧୁ ଅଙ୍କିତ ଦାସଙ୍କ ମୁଖା ଖୋଲିଯିବ ଏବଂ ସେ ଦୁହେଁ ସମାଜରେ ନିନ୍ଦିତ ହେବେ ଏବଂ ଆଇନ ତା’ ବାଟରେ ଯିବ ।’’

 

ଭୁବନ ମୋହନ ମଲ୍ଲିକ ପାରଦର୍ଶୀ ଚତୁର ଥାନା ଅଫିସର । ପୁଲିସ୍‍ ସାହେବାଙ୍କ ପରାମର୍ଶ ଅନୁସାରେ ସେ କାମ କରିବେ ବୋଲି କହି ବିଦାୟ ନେଲେ ଏବଂ ଅଙ୍କିତ ଦାସ ଓ ପଦ୍ମଜାଙ୍କୁ ଧରିବା ପାଇଁ ଜାଲ ବିଛାଇବା କାମରେ ଲାଗିଗଲେ ।

 

ଅଙ୍କିତ ଦାସ ଏବଂ ପଦ୍ମଜା ବିଜୟ ଉତ୍ସବ ପାଳନ କରିବା ପାଇଁ ସେଇ ରାତିରେ ହୋଟେଲ ‘ସୌରଭ’ରେ ଗୋଟେ ପାର୍ଟି ଦେଉଥିଲେ ବନ୍ଧୁମାନଙ୍କୁ । ଡିନାର ପରେ ସେମାନେ ସେଠାରେ ରାତ୍ରି ଯାପନ କରିବା ପାଇଁ ପାଞ୍ଚତାଲା ଉପରେ ରାଜକୀୟ ସୁବିଧା ଥିବା ସୁଇଟ ନମ୍ବର ୪୦୪ ରିଜର୍ଭ କରିଥିଲେ ଅଙ୍କିତ ଦାସ ନିଜ ନାମରେ । ଏଇ ଖବର ତାଙ୍କ ପାଖରେ ପହଞ୍ଚିବାବେଳକୁ ରାତି ନଅଟା ବାଜି ଯାଇଥିଲା । ଥାନାରୁ ଘରକୁ ଆସିଥିଲେ ମଲ୍ଲିକ ବାବୁ । ଖାଇବାକୁ ବସିବା ପୂର୍ବରୁ ସବ୍‌-ଇନିସ୍‌ପେକ୍ଟର ରମେଶ ଦତ୍ତ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଏଇ ଖବର ଦବାରୁ ତାଙ୍କୁ ଗାଡ଼ି ଓ ଲୋକ ପ୍ରସ୍ତୁତ କରିବା ପାଇଁ କହି ଖାଇବସିଲେ ମଲ୍ଲିକ । କିନ୍ତୁ ଖାଇବା ପାଇଁ ଇଚ୍ଛା ନ ଥିଲା, ପେଟର ଭୋକ ମରି ଯାଇଥଲା । ବରଂ ତାଙ୍କ ଭିତରେ ଆଉ ଗୋଟେ ନୂତନ ଦୃଢ଼ତା ମଞ୍ଜି ବାନ୍ଧୁଥିଲା ଯେ ଯେମିତି ହେଉ ହୋଟେଲ କକ୍ଷରୁ ସେ ପ୍ରେମିକ ପ୍ରେମିକାକୁ ଗିରଫ କରିବେ ।

 

ରାତି ଏଗାରଟା ପର୍ଯ୍ୟନ୍ତ ଥାନାରେ ଅପେକ୍ଷା କଲେ ଥାନାବାବୁ । ତାଙ୍କ ସହିତ ଜଣେ ସବ୍‌-ଇନିସପେକ୍ଟର ଦୁଇଜଣ ସଶସ୍ତ୍ର କନେଷ୍ଟବଳ, ଦୁଇଜଣ ମହିଳା କନେଷ୍ଟବଳ ଏବଂ ଆଉ ଦୁଇଜଣ କନେଷ୍ଟବଳଙ୍କୁ ସାଙ୍ଗରେ ଧରି ସେ ବାହାରିଗଲେ ଏସ୍‌ପିଙ୍କ କଣ୍ଟ୍ରୋଲ ରୁମ୍‌କୁ । ସେଠାରେ ଅପେକ୍ଷା କଲେ ଡିନାର ପାର୍ଟି ଶେଷ ହେବା ପର୍ଯ୍ୟନ୍ତ । ତା’ପରେ ହୋଟେଲରୁ ଗୋଟାଏବେଳେ ଖବର ମିଳିଲା ଯେ ସେ ଦୁହେଁ ୪୦୪ ସୁଇଟ୍‌ରେ ଅଛନ୍ତି । ଦେଢ଼ଟାବେଳେ ହୋଟେଲରେ ପହଞ୍ଚିଲେ ଭୁବନ ମୋହନ ମଲ୍ଲିକ ଦଳବଳ ନେଇ ।

 

ରାତି ଦୁଇଟାବେଳେ କୋଠରୀ ଆଗରେ ଛିଡ଼ା ହୋଇ କଲିଂବେଲ୍‌ ଟିପିଲେ ଥାନାବାବୁ-। ଥରେ ନୁହେଁ ଦୁଇଥର । ତା’ପରେ କବାଟ ଟିକେ ଫାଙ୍କ କରି ଭିତରୁ ଅଙ୍କିତ ଦାସ ପଚାରିଲେ ‘‘କ’ଣ ହେଲା ବୟ ? ଏନି ମେସେଜ୍‌ ଫ୍ରମ୍‌ ଦି ନର୍ସିଂହୋମ୍‌...?’’

 

ସେ ଭାବିଥିଲେ ଯେ ହୁଏତ କୌଣସି ରୋଗୀର ଅବସ୍ଥା ହଠାତ୍‌ ଖରାପ ଆଡ଼କୁ ଗତି କରିଥିବ, ଏଥିପାଇଁ ଏଇ ଡାକରା ।

 

କିନ୍ତୁ ରୁମ୍‌ ବୟକୁ ଠେଲିଦେଇ ଆଗକୁ ଚାଲିଆସି କବାଟ ଠେଲି ଯେତେବେଳେ ଠିଆ ହୋଇଗଲେ ଥାନାବାବୁ ସେତେବେଳେ ଅସଂଯତ ଅବସ୍ଥାରେ ଥିଲେ ପଦ୍ମଜା । ଅଙ୍କିତ ଦାସ କେବଳ ଗୋଟେ ବଡ଼ ଟାଓ୍ୱେଲରେ ଦେହ ଢାଙ୍କି ଥିଲେ ।

 

ଲେଡ଼ି କନେଷ୍ଟବଳ ସାଙ୍ଗେ ସାଙ୍ଗେ କ୍ୟାମେରା ଅନ୍‌ କରି କେତୋଟି ସ୍ନାପ୍‌ ନେଇଗଲା-

 

ଅଙ୍କିତ ଦାସ ଆପତ୍ତି କରି କହିଲେ- ‘‘ୟୁ ହ୍ୟାଭ୍‌ ନୋ ରାଇଟ୍‌ ଟୁ ଡିଷ୍ଟର୍ବ ଆୱାର ପ୍ରାଇଭେସି... । ଆଇ ସେଲ୍‌ ରିଙ୍ଗ ଅପ୍‌ ଦି ଏସ୍‌ପି ଜଷ୍ଟ୍‌ ନାଓ... ।’’

 

ତାଙ୍କ ହାତକୁ ମୋବାଇଲ ଫୋନ୍‍ଟା ବଢ଼ାଇ ଦେଇ କହିଲେ ମଲ୍ଲିକବାବୁ, ‘‘ପ୍ଲିଜ୍‌ ରିଙ୍ଗ ଅପ୍‌ ଦି ଏସପି... । ଆପଣ ଏସ୍‌ପି ନନ୍ଦିତା ନିରୂପମାଙ୍କୁ ଚିହ୍ନନ୍ତି କି ନା ମୁଁ ଜାଣେନା ଡାକ୍ତର ଦାସ, କିନ୍ତୁ ତାଙ୍କୁ ଆପଣ ଯେତେ ଯାହା କହିଲେ ବି ସେ ଗୋଟିଏ କଥା କହିବେ- ‘‘ଆଇନ ତା’ ବାଟରେ ଯିବ । ଆଇନର ଶାସନରେ ଅନ୍ୟ ବାଟ ନାହିଁ... ।’’

 

ଅଙ୍କିତ ଦାସ ନରମି ଯାଇ କହିଲା, ‘‘ଆପଣ ତ ଜାଣନ୍ତି ଡାକ୍ତରମାନଙ୍କ ଜଣାଶୁଣା ଥାଏ ସବୁ ମହଲରେ । ନନ୍ଦିତା ନିରୂପମା ନୂଆ ଆସିଚନ୍ତି । ତାଙ୍କ ପୂର୍ବରୁ ଥିଲେ କୃପାସିନ୍ଧୁ ପାଟଯୋଶୀ... ସେ ମୋର ବ୍ୟକ୍ତିଗତ ବନ୍ଧୁ...।’’

 

‘‘ମୁଁ ମନା କରୁନି ଡାକ୍ତର... ସେ ଆପଣଙ୍କର ବନ୍ଧୁ... ଆହୁରି ଉଚ୍ଚମହଲରେ ମଧ୍ୟ ଆପଣଙ୍କ ବନ୍ଧୁ ଥିବେ । କିନ୍ତୁ ମୁଁ ହେଉଚି ଆଇନର ଦାସ । ଆଇନର ଶାସନ ରକ୍ଷା କରିବା ହେଉଛି ମୋର ଦାୟିତ୍ଵ । ସେଇ ଦାୟିତ୍ୱ ପାଳନ କରିବାରେ ମୋତେ ଆପଣ ସାହାଯ୍ୟ କଲେ ଖୁସି ହେବି.... ।’’

 

ରାତିସାରା ଅନିଦ୍ରା । ଥାନାବାବୁଙ୍କୁ ବିରକ୍ତ ନ କରି ବରଂ ତାଙ୍କୁ ନରମ କରିବା ସକାଶେ ପରିସ୍ଥିତି ସୃଷ୍ଟି କଲେ ସେ ହୁଏତ କଠୋର ନ ହୋଇ କୋମଳ ହୋଇପାରନ୍ତି ଏଇ ଆଶାରେ ଭଦ୍ରତା ରକ୍ଷା କରିବା ନାମରେ ଚା’ ଆଣିବା ପାଇଁ ଆଦେଶ ଦେଲେ ଅଙ୍କିତ ।

 

କିନ୍ତୁ ତାଙ୍କୁ ଅଶେଷ ଧନ୍ୟବାଦ ଦେଇ କହିଲେ ଥାନାବାବୁ, ‘‘ନା, ଚା’ ଦରକାର ନାହିଁ । ବରଂ ଆପଣ ଜାଣନ୍ତୁ ଯେ ୟୁ ଆର୍‌ ଅଣ୍ଡର ଆରେଷ୍ଟ... ଡାକ୍ତର ପଦ୍ମଜା ବି । ଆପଣମାନଙ୍କୁ ଆମ ସାଙ୍ଗରେ ଥାନାକୁ ଯିବାକୁ ହେବ । ପ୍ଲିଜ୍‌ ଗେଟ୍‌ ରେଡ଼ି... ଦଶ ମିନିଟ୍‌ ସମୟ ଦେଲି... ପ୍ରସ୍ତୁତ ହୁଅନ୍ତୁ-।’’

 

ଅଙ୍କିତ ଭାବୁଥିଲା ପଦ୍ମଜାକୁ ନର୍ସିଂହୋମ୍‍କୁ ପଠାଇଦେଲେ ସେ ଏପରି ଏମ୍ବାରାସିଙ୍ଗ ଅବସ୍ଥାରୁ ମୁକୁଳି ଯାଆନ୍ତା । ତା’ପରେ ଉପରିସ୍ଥଙ୍କୁ ଧରାଧରି କରି ଘଟଣାଟାକୁ ଚାପି ଦେଲେ କାମ ଫତେ । କ୍ୟାପିଟାଲରେ ଏମିତି ଘଟଣା ପ୍ରତିଦିନ ଘଟେ । କ୍ଳବ, ଗେଷ୍ଟ୍‍ ହାଉସ୍‍ ଏବଂ ହୋଟେଲମାନଙ୍କରେ ଏଥିପାଇଁ ପ୍ରଚୁର ସ୍ଵାଧୀନତା । ବଡ଼ ବଡ଼ ପ୍ରଭାବଶାଳୀ ଲୋକଙ୍କ ଅଏସ୍ ମେଣ୍ଟାଇବା ପାଇଁ ଗଢ଼ିଉଠିଛି ମନ ବିନୋଦନର କେତେ କେନ୍ଦ୍ର । ଡିଭୋର୍ସ ମୋକଦ୍ଦମା କୋର୍ଟରେ ବିଚାରାଧୀନ ଥିଲାବେଳେ ତା’ ସହିତ ପଦ୍ମଜା ନିରୋଳାରେ ଗୋଟିଏ ନିବୁଜ କୋଠରୀରେ ରାତି ବିତାଉଥିଲା ଶୁଣିଲେ ସରୋଜ ବିରୁଦ୍ଧରେ ରାୟ ନ ଯାଇ ପଦ୍ମଜା ବିରୁଦ୍ଧରେ ଯିବ । ଆଉ ପଦ୍ମଜାର ସମ୍ମାନ, ମର୍ଯ୍ୟାଦା ଜଳିପୋଡ଼ିଗଲେ ସେ କ’ଣ ସେଇ ଧ୍ଵଂସସ୍ତୂପରୁ ନିରାପଦରେ ବାହାରି ଆସି ପାରିବ ?

 

ପଦ୍ମଜା ଲୁଗା ବଦଳାଇ ଆସି ମୁହଁ ତଳକୁ କରି ବସିଥିଲା । ମଲ୍ଲିକ ଟୟଲେଟ୍‌କୁ ଯିବା ପରେ ଅଙ୍କିତ ବୋଧହୁଏ ମୋବାଇଲରେ କାହାକୁ ଫୋନ୍‍ କଲା ।

 

ପଦ୍ମଜା ଅନୁଚ୍ଚ ସ୍ୱରରେ କହିଲା, ‘‘କିଛି ଗୋଟେ କର, ଏଇଠି ଏଇ ଅବସ୍ଥା ମୋତେ ବଡ଼ ଅଶ୍ଵସ୍ତିକର ମନେହେଉଛି... ।’’

 

ମଲ୍ଲିକଙ୍କ କାନରେ ପଡ଼ିଲା ପଦ୍ମଜାଙ୍କ କଥାର ଶେଷ ଶବ୍ଦଗୁଡ଼ିକ । ସେ କହିଲେ, ‘‘ଏକ୍ସକ୍ୟୁଜ୍‌ ମି ମ୍ୟାଡାମ୍‌.... ଆପଣ ଯଦି ଆମ ସହିତ ସହଯୋଗ କରନ୍ତି ତେବେ ଆପଣମାନଙ୍କ ବୟାନ ଲେଖିନେଇ ମୁଁ ଛାଡ଼ିଦେବି ଆପଣଙ୍କୁ... ।’’

 

ପଦ୍ମଜା ଚାହିଁଲା ଅଙ୍କିତର ମୁହଁକୁ ।

 

ବୁଝିପାରି କହିଲେ ମଲ୍ଲିକ, ‘‘ତାଙ୍କୁ ବି ବୟାନ ଦବାକୁ ହେବ... ତା’ପରେ ଦେଖାଯିବ କ’ଣ କରାଯାଇପାରେ....।’’

 

ଟେଲିଫୋନ୍‍ ବାଜି ଉଠିଲା ।

 

ମଲ୍ଲିକ ଉଠାଇ ନେଲେ ରିସିଭର ।

 

ସେପାଖରୁ ଗମ୍ଭୀର ସ୍ଵର ଭାସି ଆସିଲା- ‘‘ମୁଁ ମନ୍ତ୍ରୀ ହରଗୋବିନ୍ଦ ଜୟସ୍ୱାଲ କହୁଚି... ଥାନାବାବୁଙ୍କୁ ଟେଲିଫୋନ୍‍ ଦିଅ ।’’

 

- ‘‘ମୁଁ ମଲ୍ଲିକ କହୁଚି ସାର୍‌... ଗୁଡ଼ ମର୍ଣ୍ଣିଂ’’

 

- ‘‘ମଲ୍ଲିକ ! ତମେ ଜାଣ ମୁଁ ଶାସନ କାର୍ଯ୍ୟରେ ହସ୍ତକ୍ଷେପ କରେ ନାହିଁ । ତମେ ଏହା ବି ଜାଣିଥିବ ଯେ କୌଣସିଠାରେ ଯଦି କୌଣସି ଅନ୍ୟାୟ ବା ଅବିଚାର ହୁଏ ତାହା ମଧ୍ୟ ମୁଁ ସହ୍ୟ କରିପାରେ ନାହିଁ... !’’

 

- ‘‘ଆପଣଙ୍କ ସୁନାମ ଅଛି ସାର୍‌... ଆଦେଶ କରନ୍ତୁ...’’

 

- ‘‘ତମେ ଡାକ୍ତର ଆଉ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ରଖିଚ କାହିଁକି ? ସେମାନଙ୍କର ଅପ୍ରାଧ କ’ଣ ? ଆଇନର ଶାସନ କହିଲେ ତମେ କ’ଣ ନିରପରାଧ ଭଦ୍ରଲୋକଙ୍କୁ ବଡ଼ିଭୋରରେ ହଇରାଣ ହରକତ କରିବ...?’’

 

- ‘‘ନା ନା ସାର୍‌, ବଡ଼ିଭୋର ନୁହେଁ ରାତି ତିନିଟାବେଳେ ଡାକ୍ତର ଆଉ ତାଙ୍କ ସଙ୍ଗିନୀଙ୍କୁ ମୁଁ ରୁମ୍‌ ନମ୍ବର ୪୦୪ରେ ପାଇଲି । ସେ ମହିଳା ବିବାହିତା । ଏପରି ଅବସ୍ଥାରେ ସେ ଦିହିଁଙ୍କୁ ପଚରା ଉଚୁରା ନ କରି ଏବଂ ଆବଶ୍ୟକ ହେଲେ ପରବର୍ତ୍ତୀ ପଦକ୍ଷେପ ନ ନେଇ ମୁଁ କ’ଣ ଛାଡ଼ି ଦେଇ ପାରିବି ?’’

 

ମନ୍ତ୍ରୀ ବିରକ୍ତ ହେଲେ ଏବଂ କହିଲେ, ‘‘ତମେ ଯଦି ଚାହଁ ତେବେ ମୁଁ ଏସ୍‌ପିଙ୍କୁ କହିବି... ଏସ୍‌ପି ଯଦି ତୁମକୁ ଆଦେଶ ଦିଅନ୍ତି ତେବେ ତୁମକୁ କ’ଣ ଭଲ ଲାଗିବ ? ତୁମ ମର୍ଯ୍ୟାଦା ହାନି ହବନି ?’’

 

ମଲ୍ଲିକ ପୋଖତ ଲୋକ । ପଚିଶ ବର୍ଷ ପୁଲିସ୍‍ ଚାକିରୀ କଲେଣି । ଅନେକ ମନ୍ତ୍ରୀ, ଅନେକ ଏମଏଲଙ୍କୁ ଦେଖିଚନ୍ତି । ଧୋବା ତୁଠର ଗୁଣ ନ ଗାଇବା ଭଲ । ତଥାପି କଥାରେ ଅଛି ଚାକିରୀ କରିବ ପୁଲିସି ମାଛ ଖାଇବ ଇଲିସି। ଏଇ ଅପବାଦରୁ ପୁଲିସ୍‍ କ’ଣ ରକ୍ଷା ପାଇବ ?

 

ସେ ସ୍ଵର ଆହୁରି ନରମ କରି କହିଲେ, “ସାର୍‌ ! ମୁଁ ଆପଣଙ୍କ କଥା ମାନି କେସ୍‌ ଚାଲାଣ ଏଇନେ ଲେଖୁନାହିଁ । ଏସ୍‌ପି ସାହେବାଙ୍କ ସହିତ ପରାମର୍ଶ କରି ଯାହା ଉଚିତ ହେବ ବୋଲି ସେ ଭାବିବେ ମୁଁ ସେୟା କରିବି । ଆଇନକୁ ତା’ ବାଟରେ ଯିବାକୁ ଦିଅନ୍ତୁ ସାର୍‌... ଆପଣ ସରକାର... ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ୟ... ।”

 

ମନ୍ତ୍ରୀ କ’ଣ ଭାବି କହିଲେ, ‘‘ହଉ ସେୟା କର... ତଥାପି ମୁଁ ଏସ୍‌ପିଙ୍କୁ କହିବି ଏ ବିଷୟରେ କେତେଦୂର ସମ୍ଭବ ସାହାଯ୍ୟ କରିବା ପାଇଁ । ଡାକ୍ତର ଅଙ୍କିତ ଦାସ ମୋର ବନ୍ଧୁ । ଡାକ୍ତରଙ୍କ ବୟାନ ଲେଖିନେଇ ଜାମିନରେ ଛାଡ଼ିଦେଲେ ଭଲ ହେବ ।’

 

ଭୁବନମୋହନ ମଲ୍ଲିକ ଚତୁର ବ୍ୟକ୍ତି । ଦୀର୍ଘ ପଚିଶ ବର୍ଷର ଅଭିଜ୍ଞତା ତାଙ୍କୁ ଅନେକ ଶିକ୍ଷା ଦେଇଛି । ଧର୍ତ୍ତବ୍ୟ ଅପରାଧଟାକୁ କୋହଳ କରିବା ମନ୍ତ୍ରୀ ଚାହାନ୍ତି । ଏସ୍‌ପିଙ୍କ ଆଦେଶ ଅନୁସାରେ ଅନୁସନ୍ଧାନ ଚାଲିଛି । ତାଙ୍କ ଅଜ୍ଞାତରେ କିଛି ନିଷ୍ପତ୍ତି ନବା ଉଚିତ ହେବ ନାହିଁ ।

 

ଏସ୍‌ପିଙ୍କୁ ସେ ଫୋନ୍‍ କରିବା ପୂର୍ବରୁ ତାଙ୍କ ଫୋନ୍‍ ଆସିଲା ।

 

ମଲ୍ଲିକ ଠିଆହୋଇ ପଡ଼ିଲେ ଏସପି ସାହେବାଙ୍କ ଆଦେଶ ଶୁଣିବା ପାଇଁ ।

 

ନନ୍ଦିତା ନିରୂପମା କହିଲେ, ‘‘ମନ୍ତ୍ରୀ କଥା ମାନି କାମ ନ କରି ଆଇନ ଯାହା କହୁଚି ସେୟା କର । ଆଇନକୁ ତା’ ବାଟରେ ଯିବାକୁ ଦିଅ ।’’

 

-‘‘ମ୍ୟାଡାମ୍ ଆପଣଙ୍କ ଆଦେଶ ମୁଁ ପାଳନ କରିବି । କିନ୍ତୁ ମନ୍ତ୍ରୀଙ୍କ କୋପରୁ ମୋତେ ରକ୍ଷା କରିବା ଦାୟିତ୍ୱ ଆପଣଙ୍କର... !’’

 

ସେ ପାଖରୁ କହିଲେ ନନ୍ଦିତା, “ୟୁ ଲିଭ୍‌ ଇଟ୍‌ ଟୁ ମି । ଏଇ ଜନାକାରୀ ମାମଲା ପ୍ରତି ଆଖି ବୁଜିଦେଲେ ରାହାଜାନୀ କରୁଥିବା ଅପରାଧ ଆହୁରି ବଢ଼ିବ । ତମେ କର୍ତ୍ତବ୍ୟ କର ମଲ୍ଲିକ...-!’’

 

ଏସ୍‌ପି ଟେଲିଫୋନ୍‍ ଛାଡ଼ିଦେଲେ ।

 

ମଲ୍ଲିକ କହିଲେ, “ମୁଁ ଆଇନର ଦାସ ଡାକ୍ତରବାବୁ । ଆପଣଙ୍କୁ ଓ ମ୍ୟାଡାମ୍‍ଙ୍କୁ ଗିରଫ କରୁଛି । ଚବିଶ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍‍ଙ୍କ ଅଦାଲତରେ ହାଜର କରିବି... ସେଥିରେ ବିଳମ୍ବ ହେବ ନାହିଁ... ହାଜତରେ ଥିବାବେଳେ ଆପଣମାନେ ହେବେ ଆମର ଅତିଥି । ଆପଣଙ୍କ ସେବା ଯତ୍ନରେ କିଛି ତ୍ରୁଟି ହେବ ନାହିଁ ।”

 

ଡାକ୍ତର ଅଙ୍କିତ ଦାସ ଦେହରୁ ଝାଳ ବୋହିଗଲା ।

 

ପଦ୍ମଜା ମୂର୍ଚ୍ଛା ହୋଇଥବା ପରି ଚୌକି ଉପରେ ଆଉଜି ପଡ଼ିଲେ ।

 

ମଲ୍ଲିକ କୌଣସି ଚାନ୍‍ସ ନ ନେଇ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଖବର ଦେଲେ ଆମ୍ୱୁଲାନ୍‍ସ ସହିତ ଆସିବା ପାଇଁ ।

 

(ଛତିଶ)

 

ମୈତ୍ରେୟୀଙ୍କୁ ଲାଗେ ଯେପରି ସମୟ କ୍ରମଶଃ ଜଟିଳ ହେଉଛି । ମଣିଷର ମନ ବି ସେଇପରି ଜଟିଳ ହେଉଚି । ବୁଝିପାରିବା ଭାଷାରେ ହୃଦୟ ଖୋଲି ଆଉ କେହି କଥା କହୁ ନାହାଁନ୍ତି-। ଉପରେ ସରଳତା ଦେଖାଉଥିବା ଲୋକ ଯେ ଖଳ ପ୍ରକୃତିର ହୋଇଥିବ ବା ଛଳ କରି କଥା କହୁଥିବ ଏହା ବୁଝି ନ ପାରିଲେ ସଂକଟରେ ପଡ଼ିବାହିଁ ସାର ହେବ । ସତ୍ୟ, ତ୍ରେତା, ଦ୍ୱାପର ପରେ କଳି ଚାଲିଛି । କଳି ଶେଷ ହୋଇ ଆସୁଥିବା ଲକ୍ଷଣ ସବୁ ପ୍ରକାଶ ପାଉଛି ବୋଲି ମହାତ୍ମାମାନେ କହୁଛନ୍ତି । କିନ୍ତୁ କେବେ ସେଇ ସତ୍ୟଯୁଗ ଆସିବ ? କେବେ ମଣିଷର ମନ ଝରଣାର ପାଣି ପରି ନିର୍ମଳ ଏବଂ ଆକାଶ ପରି ଉଦାର ହେବ । ତା’ର ଚେତନା ସମୁଦ୍ର ପରି ଗଭୀର ହେବ କେବେ ? କଇଁଫୁଲ ପରି ମୁକୁଳା ନିର୍ମଳ ମନ ନେଇ କେବେ ପୁଣି ଦାଣ୍ଡରେ ଖେଳିବେ ଝିଅପୁଅମାନେ ?

 

ଉତ୍ତର କିଏ ଦବ ତାଙ୍କୁ ? ସେ କିନ୍ତୁ ବିଶ୍ଵାସ ହରାନ୍ତି ନାହିଁ । ମଣିଷ ଯେ ଦିନେ ଦିବ୍ୟ ଭାବନାରେ ଆତଜାତ ହେବ ଏକଥା ତ ଅନେକ ଆଗରୁ କୁହାଯାଇଛି । ଦିବ୍ୟ ଚେତନାରୁ ମଣିଷ ମାନବୋତ୍ତର ଜଗତ କଥା ଚିନ୍ତା କରିବ । ଅତିମାନସ ଶକ୍ତି ତ ପଶୁତ୍ଵରୁ ଦେବତ୍ୱ ଆଡ଼କୁ ମଣିଷକୁ ବାଟ କଢ଼ାଇ ନେଇଯିବ ବୋଲି ଶ୍ରୀ ଅରବିନ୍ଦ କହିଯାଇଛନ୍ତି । ମହାଯୋଗୀଙ୍କ କଥା କେବେ ଅନ୍ୟଥା ହେବ ନାହିଁ । ସେଇ ବିଶ୍ୱାସକୁ ମୂଳ କରି ମୈତ୍ରେୟୀ ଭୁଲିଯାଆନ୍ତି ସବୁ ଦୁଃଖଯନ୍ତ୍ରଣା । ଯେତିକି ସୁଖ ମିଳିଛି ତାହା ତ କମ୍‌ ନୁହେଁ । ତେବେ ଭାଗ୍ୟ ବା ଭଗବାନଙ୍କୁ ଦାୟୀ କରିବେ କାହିଁକି-?

 

ମିତାକୁ ସିନା ପ୍ରଭୁ ଫେରାଇ ଆଣିଲେ ଅବାଟରୁ । କିନ୍ତୁ ଆନନ୍ଦ ଯେ ଆଉ ଗୋଟେ ଅଚିହ୍ନା ନୂଆ ବାଟରେ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଏୟା କ’ଣ ସେ ତାକୁ ଦେଖି ବୁଝିପାରନ୍ତି ନାହିଁ ! ଆଶ୍ରମକୁ ସେ ପ୍ରସାଦ ପାଇବା ଆଶାରେ ଯାଏ ନାହିଁ, ବିଭୁ କୃପା ପାଇବା ଆଶାରେ ଯାଏ । ଠାକୁରଙ୍କ ପାଦ ତଳେ ବସି ଧ୍ୟାନ କରେ । ବିବେକାନନ୍ଦ ତ ଜଣେ ଜନ୍ମ ହୋଇଥିଲେ । କିନ୍ତୁ ତାଙ୍କ ପ୍ରଦର୍ଶିତ ମାର୍ଗରେ ଅନେକଙ୍କୁ ଚାଲିବା ପାଇଁ କେହି ମନା କରିନାହାଁନ୍ତି । ଆନନ୍ଦ ସେଦିନ କହୁଥିଲା ଯେ ପାଠପଢ଼ା ଶେଷ ହେବା ପରେ ସେ ଦୀକ୍ଷା ନବ । ବ୍ରହ୍ମଚାରୀ ହେବ-। ତା’ପରେ ସନ୍ନ୍ୟାସ ଗ୍ରହଣ କରିବ । କିନ୍ତୁ କାହିଁକି ସେଇ ବାଟ ତାକୁ ଆକୃଷ୍ଟ କରୁଚି ବେଶି-? ଯେଉଁ ବାଟରେ ଗଲେ ଅଧିକ ପ୍ରାଚୁର୍ଯ୍ୟ, ଅଧିକ ଆକର୍ଷଣ, ଅଧିକ ସୁଖ ସୌଭାଗ୍ୟ ମିଳିବ ବୋଲି ଆଶା କରି ତା’ର ସାଙ୍ଗମାନେ କ୍ୟାରିଅର ନିର୍ମାଣ କରିବା ଦିଗରେ ଆଜିରୁ ସଚେତନ, ସେଇ ବାଟ ତାକୁ ଆକର୍ଷଣ କରୁନାହିଁ କାହିଁକି ? ସେ କ’ଣ ସଂସାର ସୁଖ ଚାହେଁ ନାହିଁ-?

 

ପୁଅ ବିଷୟରେ ଭାବୁ ଭାବୁ ନିଜ ଭିତରେ ହଜି ଯାଆନ୍ତି ମୈତ୍ରେୟୀ । ଅନନ୍ତ ଆକାଶ ପରି ଅସୀମ ସେଇ ଅନ୍ତଃସ୍ଥଳ । କେଉଁଠାରୁ ଆରମ୍ଭ ପୁଣି କେଉଁଠାରେ ଶେଷ ଜାଣିପାରନ୍ତି ନାହିଁ । ମନରେ ପର ଲାଗିଲେ ସେ ବାୟୁଠାରୁ ଆହୁରି ପ୍ରଖର ବେଗରେ ବୁଲେ । ଅନ୍ତସ୍ଥଳର ଅମାପ ସ୍ନେହ ଶ୍ରଦ୍ଧା ଓ ବିଶ୍ଵାସ ନେଇ ବଞ୍ଚେ ମଣିଷ । ଯଦି କଦାଚିତ ଆକ୍ରୋଶ, ଅହଂକାର ସେଠାରେ ପ୍ରବେଶ କରେ ତେବେ ସଂକୁଚିତ ହୋଇଯାଏ ତା’ର ପରିସର । ସଂସାରର ଏଇ ଆକ୍ରୋଶ, ଅହଙ୍କାର, ମାୟାମୋହ ଛାଡ଼ି ଆନନ୍ଦ ଆଉ ଗୋଟେ ଜଗତକୁ ଯିବାକୁ ଚାହେଁ ଯେଉଁଠାରେ ଅଖଣ୍ଡ ନିରବତା, ଅମାପ ପ୍ରଶାନ୍ତି । ସେ ତେବେ କ’ଣ ମଣିଷର ପାଞ୍ଚ ମନ ପଚିଶ ପ୍ରକୃତିକୁ ପରିହାର କରି ଦେବଲୋକକୁ ଯିବା ପାଇଁ ସିଡ଼ି ବାନ୍ଧିବ ? ମନେପଡ଼ିଯାଏ ଋଷି ମୁନି ସାଧକମାନଙ୍କ କଥା ।

 

ଟେଲିଫୋନ୍‍ ବାଜିଉଠିଲା ।

 

ବାସ୍ତବ ଜଗତକୁ ପୁଣି ଫେରି ଆସିଲେ ମୈତ୍ରେୟୀ ।

 

-‘କ’ଣ ?’

 

କାହାର ପରିଚିତ ସ୍ଵର ଭାସି ଆସିଲା ସେପାଖରୁ । ଅପୁର ସ୍ଵର... ସ୍ନେହ ଭିଜା ମିଠା ସ୍ଵର ।

 

-‘‘କୁହ ଅପୁ, କିମିତି ଅଛ ? ଅରୁଣା କେମିତି ଅଛି ?’’ ତାଙ୍କ ସ୍ଵରରେ କ’ଣ ଥିଲା କେଜାଣି, କହିଲା ଆପୁ -‘ଆମେ ଭଲ ଅଛୁ ଭାଉଜ । କିନ୍ତୁ ତୁମର ଆଶୀର୍ବାଦ ପାଇଁ ଅପେକ୍ଷା କରିଛୁ । ସେଦିନ ମୋ ତୁଣ୍ଡରୁ ଶବ୍ଦ ସ୍ଫୁରିଲା ନାହିଁ, ଆଜି କିନ୍ତୁ ମୁଁ ସାହସ କରିଛି କିଛି କହିବା ପାଇଁ-। ମୋର ବିଶ୍ଵାସ ତମେ କ୍ଷମା କରିଦବ... ।’’

 

-‘ମୁଁ ଆଶୀର୍ବାଦ କରୁଛି ଅପୁ, କ୍ଷମା ବି କରୁଛି... ମୁଁ ଆଉ କିଛି ଲୋଡ଼େନି ଅପୁ... କେବଳ ଚାହୁଁଛି ତୁମର ସୁଖ... ତମେ ସୁଖୀ ହେଲେ ମୁଁ ଖୁସି ହେବି...’’

 

-‘‘ଆମକୁ ଅନୁମତି ଦେଇଚନ୍ତି କମ୍ରେଡ଼୍‍ ବାହା ହବା ପାଇଁ...”

 

-‘‘କିନ୍ତୁ ବାହା ହେବା ପରେ ତମ ଦୁହିଁଙ୍କ ରକ୍ତରୁ ବିଦ୍ରୋର ଅଗ୍ନି ନିର୍ବାପିତ ହୋଇଯିବନି ତ ?”

 

ତାଙ୍କ ପ୍ରଶ୍ନରେ କ’ଣ ଥିଲା କେଜାଣି, ଅପୁ ବାଧ୍ୟ ହେଲା କ୍ଷମା ପ୍ରାର୍ଥନା କରି ପୁନଶ୍ଚ କହିଲା, ‘‘ନା, ନା, ସାମାଜିକ ବିଧି ରକ୍ଷା କରିବା ପାଇଁ ସେ ଆମକୁ ସାମୟିକ ମୁକ୍ତି ଦେବେ... ତା’ପରେ ଯଦି ଆମେ ଫେରିଆସିବାକୁ ଚାହୁଁ ତେବେ ଏଠାକୁ ଫେରି ନ ଆସି ସେଇଠି ସଂଗ୍ରାମ କରିବୁ । ଅନ୍ୟାୟ, ଅବିଚାର, ଅସମତା ତ ସର୍ବତ୍ର ଭାଉଜ । ସେତେବେଳେ ତମ ପାଖେ ପାଖେ ରହି ତୁମରି ଆଦେଶ ଉପଦେଶ ମାନି କାମ କରିବି... ।’’

 

‘‘କିନ୍ତୁ ସତରେ କ’ଣ ତମେ ଫେରିବ ଅପୁ ?’’

 

‘‘ହୁଁ, ଭରସା ରଖ । ଆମେ ଦୁହେଁ ଶୀଘ୍ର ତୁମ ପାଖରେ ଆତ୍ମସମର୍ପଣ କରିବୁ ।’’

 

ଆକାଶରୁ ଖସିଲେ ମୈତ୍ରେୟୀ ।

 

ତାଙ୍କ ପ୍ରାର୍ଥନା ତା’ ହେଲେ ପୂରଣ ହେଉଛି । ସେ କହିଥିଲେ ସେଦିନ ବିଦ୍ରୋହ, ବିପ୍ଳବ କରିବା ପାଇଁ ଅନ୍ୟ ଜାଗାକୁ ଯିବା ଦରକାର ନାହିଁ ଭାଇ... ସବୁଠାରେ ଅନ୍ୟାୟ, ଅସମାନତା, ଅବିଚାର... ତମେ ତେବେ ଏଠାରେ ନ ରହି ଆଉ ଗୋଟେ ଜାଗାକୁ ବାଛିନବ କାହିଁକି ? କେବଳ ଗୁଳି ଫୁଟାଇଲେ ବିପ୍ଳବ ହୁଏ ନାହିଁ । ବନ୍ଧୁକ ନଳୀରୁ ବିପ୍ଳବର ଜନ୍ମ ମୁଁ ମାନି ନେଇପାରେନା । ମନହିଁ ହେଉଛି ବନ୍ଧୁକ ନଳୀଠାରୁ ଅଧିକ ଶକ୍ତିଶାଳୀ । ମଣିଷର ମନ, ତା’ର ଚିନ୍ତା ଓ ଚେତନାରେ ଯେତେବେଳେ ପରିବର୍ତ୍ତନ ହେବ ସେ ଯେଉଁଠି ଥାଉ ତାକୁ କେହି ବାଧା ଦେଇପାରିବ ନାହିଁ । ସେ ବଦଳିବ... ଅନ୍ୟମାନଙ୍କୁ ବଦଳିବା ପାଇଁ ମଧ୍ୟ ନୂଆ ବାଟ ତିଆରି କରିବ... ।

 

ସେଇ କଥା ମନେପକାଇ ଦବା ପାଇଁ କହିଲେ ମୈତ୍ରେୟୀ, “ତୁମକୁ ଦିନେ ଯାହା କହିଥିଲି ତାହା ଏତେ ଶୀଘ୍ର ତୁମରି ମୁହଁରୁ ଶୁଣିବି ବୋଲି ଭାବି ନ ଥିଲି ସେଦିନ । ମୋ ଜନ୍ମ ସାର୍ଥକ ହୋଇଛି ଆପୁ । ମୁଁ ତୁମକୁ ଜନ୍ମ ଦେଇଥିବା ମା’ର ସୁଖ ଅନୁଭବ କରୁଚି ।’’

 

ଟେଲିଫୋନ୍‍ ବାର୍ତ୍ତାଳାପ ଶେଷ ହେବାବେଳକୁ ମିତା ଓ ଆନନ୍ଦ ଆସି କହିଦେଇଗଲେ ଯେ ସେମାନେ ଆଶ୍ରମ ପାଠାଗାରକୁ ଯାଉଛନ୍ତି । ସେଠାରେ ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଆଶ୍ରମରେ ପ୍ରସାଦ ସେବନ କରି ମଧ୍ୟାହ୍ନରେ ଫେରିବେ ।

 

ହଠାତ୍‌ ତାଙ୍କର ମନେପଡ଼ିଗଲା ଯେ ଆଜି ରବିବାର । ଏଗାରଟାବେଳକୁ ବାଣୀ ପୁରୋହିତ ଆସିବେ । ହାତରେ ଆଉ ଦୁଇଘଣ୍ଟା ସମୟ । ଅନଙ୍ଗ ଯାଇଛି ବଜାରରୁ ମାଛ, ଚିଙ୍ଗୁଡ଼ି, ଆଉ କିଛି ଫଳମୂଳ ପରିବା ଆଣିବା ପାଇଁ । ସାଙ୍ଗରେ ଯାଇଛି ବଂଶୀ । ଉପର କୋଠରୀଟା ସଜ କରାଯାଇଛି ତାଙ୍କ ପାଇଁ । ସେଇ ଉପର ଘରେ ଝରକା ଖୋଲିଦେଲେ ଦକ୍ଷିଣା ପବନ ଅବାଧରେ କୋଠରୀ ଭିତରେ ପ୍ରବେଶ କରେ । ସମୟ ମିଳିଲେ ମଝିରେ ମଝିରେ ଏଇ ଘରେ ବସି ମୈତ୍ରେୟୀ ବିଶ୍ରାମ କରନ୍ତି, ବହି ଆଉ ପତ୍ରପତ୍ରିକା ପଢ଼ନ୍ତି ବା ଗୀତ ଶୁଣନ୍ତି । ଅନେକ ବଛା ବଛା ସଙ୍ଗୀତଜ୍ଞଙ୍କ ଆଲବମ ସଂଗ୍ରହ କରି ରଖିଚନ୍ତି ସେ । ବାଣୀ କହୁଥିଲେ ବାଳକୃଷ୍ଣ ଦାଶ, ଭିକାରୀ ବଳ, ସିକନ୍ଦର ଆଲାମଙ୍କ ଭଜନ ଶୁଣିବା ପାଇଁ । ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ, ଅକ୍ଷୟ ମହାନ୍ତିଙ୍କ ଆଧୁନିକ ଗୀତ ଶୁଣିବା ପାଇଁ । ରେକର୍ଡ଼ଗୁଡ଼ା ସଜାଡ଼ି ରଖିଛନ୍ତି ରେକର୍ଡ ପ୍ଲେୟାର ପାଖରେ । ବହି ରାକ୍‌ରେ ରମାକାନ୍ତ ରଥଙ୍କ ଶ୍ରୀରାଧା, ସୀତାକାନ୍ତ ଓ ସଚ୍ଚି ରାଉତରାୟଙ୍କ କବିତା ବହି ଥୁଆ ହୋଇଛି । ଟେବୁଲ ଉପରେ ପୂଜାସଂଖ୍ୟା ଅମୃତାୟନ, ବିଷୁବ ସଂଖ୍ୟା ଝଙ୍କାର ସଜଡ଼ା ହୋଇଛି । ଫୁଲଦାନୀରେ ଶୋଭା ପାଉଛି ମହମହ ବାସୁଥିବା ରଜନୀଗନ୍ଧା ଏବଂ ନାଲି ଗୋଲାପ-। ଛୋଟ ରେଫ୍ରିଜେରେଟରଟିଏ କୋଣରେ ଅଛି । ଖୋଲିଦେଲେ ଥଣ୍ଡା ପାଣି, ତାଜା ଆପେଲ, କୋଲ୍‌ଡ ଡିଙ୍କ୍‌... ।

 

ଉପର ଘରୁ ବୁଲି ଆସିଲେ ମୈତ୍ରେୟୀ । ଜଳଖିଆ ଖାଇବା ପାଇଁ ଟେବୁଲ୍‌ ପାଖରେ ବସିଗଲେଣି ମନୋଜ, ସରୋଜ । ଆଉ ବିଳମ୍ବ ନ କରି କୁନ୍ତଳାକୁ କହିଲେ ଜଳଖିଆ ଆଣିବା ପାଇଁ । ଛୁଟିଦିନ ପୁରୀ, ଆଳୁଦମ୍ ପସନ୍ଦ ମନୋଜଙ୍କର । ବସି ବସି ଖାଆନ୍ତି ଆଉ ଗପନ୍ତି ।

 

ମୈତ୍ରେୟୀଙ୍କୁ ଦେଖି କହିଲେ, “ଆଜି ପରା ତମର କେହି ବନ୍ଧୁ ଆସୁଥିଲେ ? ଆସିବାବେଳ ହୋଇନି ?’’

 

ବନ୍ଧୁ ନୁହେଁ ବାନ୍ଧବୀ...” ମୁହଁ ଉପରେ ସ୍ମିତ ହସ ଖେଳାଇ କହିଲେ ମୈତ୍ରେୟୀ _

 

-“ହାଇ ଫାଇ ସୋସାଇଟି ଲେଡ଼ି ନୁହଁନ୍ତି ତ !” ଜାଣିବା ପାଇଁ ଚାହିଁଲେ ମନୋଜ ।

 

-“ତମେ ସେମିତି ମହିଳାମାନଙ୍କୁ ଭୟ କର ?” ମୁହଁ ଉପରେ ହସ ରଖି ପଚାରିଲେ ମୈତ୍ରେୟୀ ।’’

 

-“ନା ବାବା ନା... ମୁଁ ଭୟ କରେନି, କିନ୍ତୁ ସତର୍କ ରହେ... କାଳେ କ’ଣ ଘଟିଯିବ ବୋଲି... ।’’

 

ମନୋଜଙ୍କ ରସିକତା ଦେଖି ସରୋଜ କହିଲେ, ‘‘ସେପରି ସୋସାଇଟି ଲେଡ଼ିମାନଙ୍କୁ ମୁଁ ତ ଭୟ କରେ ଭାଉଜ ।’’

 

- ‘‘ତମେ ଦୁଇ ଭାଇ କୋଉ ଧାତୁରେ ଗଢ଼ା କେଜାଣି, ତମ ପାଖକୁ କେହି ଭଦ୍ର ମହିଳା ଆସିବା ପାଇଁ ସଂକୋଚ କରିବେ... ।’’

 

- ‘‘କାହିଁକି ?’’ ମନୋଜ ପଚାରିଲେ ।

 

- “କଥାରେ ଅଛି ପରର ସ୍ତ୍ରୀ ସୁନ୍ଦରୀ... ତମେ ତ ସେମାନଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇଯାଅ... ତମ ମୁହଁରୁ ପଦଟିଏ କଥା ବାହାରେ ନାହିଁ... ।”

 

ସମସ୍ତେ ହସି ଉଠିଲେ ।

 

କୁନ୍ତୀ ଜଳଖିଆ ରଖିଲା ଟେବୁଲ ଉପରେ ।

 

ମୈତ୍ରେୟୀ ଆଳୁଦମ୍, ପୁରୀ ବାଢ଼ି ଦେଇ କହିଲେ ଆଜି ଟିକେ କମ୍‌ ଖାଇଥିବ... ଅନେକ ପ୍ରକାର ବ୍ୟଞ୍ଜନ ପରସାଯିବ ମଧ୍ୟାହ୍ନଭୋଜନବେଳେ । ପେଟରେ ଭୋକଟାଏ ଯେପରି...-।'’

 

- “କିନ୍ତୁ ଆମକୁ ଦେଖି ତମ ବାନ୍ଧବୀ ସଂକୁଚିତ ହୋଇଯିବେନି ତ ?’’ କହିଲେ ମନୋଜ ।

 

- ‘‘ନା, ନା... ସେ ଜଣେ ବିଶିଷ୍ଠ ସମାଜସେବିକା... ପାଣ୍ଡିତ୍ୟ ଅଛି ।’’

 

ଏଥର ମନୋଜ ସଳଖ ହୋଇ ବସିଲେ । ମୁହଁରେ ଝୁକୁରାଏ ପୁରୀ ଆଉ ଖଣ୍ଡେ ଆଳୁ ପୂରାଇ ଖାଇବାକୁ ଲାଗିଲେ । ତାଙ୍କର ମୁହଁରୁ ମୈତ୍ରେୟୀ ଜାଣିପାରୁଥିଲେ ଯେ ସ୍ଵାମୀ ଖୁସି ଅଛନ୍ତି... ଆଳୁଦମ୍ ଆଉ ପୁରୀ ମନକୁ ପାଇଛି... ।

 

ଜଳଖିଆ ଖାଇସାରି ଉଠିଯିବାବେଳେ ମୈତ୍ରେୟୀ ମନୋଜଙ୍କୁ ଶୁଣାଇ ଶୁଣାଇ କହିଲେ, “ଠିକ୍‌ ଗୋଟାଏବେଳେ ଲଞ୍ଚ୍ । ଏପାଖ ସେପାଖ ଯେମିତି ନ ହୁଏ....।’’

 

- ‘‘କାହିଁକି ସେ କ’ଣ ସମୟ ସଚେତନ ମହିଳା ?’’

 

- ‘‘ହଁ, ସମୟ ସଚେତନ, ପରିବେଶ ସଚେତନ ବି କହିପାର । ଏ ଭେରି ପ୍ଲିଜେଣ୍ଟ ପରସୋନାଲିଟି ।’’ କହିଲେ ମୈତ୍ରେୟୀ ।

 

- ‘‘ଫଳେନ ପରିଚୟତେ...’’ କହୁଁ କହୁଁ ନିଜ କୋଠରୀ ଆଡ଼କୁ ଆଗେଇ ଗଲେ ମନୋଜ । ସରୋଜ କହିଲେ, ‘‘ଏଇ ଟିକେ ଆଗରୁ ହସ୍ପିଟାଲ୍‌ରୁ କଲ୍‌ ଆସିଥିଲା... । ଗୋଟେ ଆକ୍‌ସିଡେଣ୍ଟ ପେସେଣ୍ଟ୍‍ ଅପେକ୍ଷା କରୁଛି । କଣ୍ଡିସନ୍ ଭଲ ନୁହେଁ । ମୁଁ ଯାଉଛି ଭାଉଜ... ଡେରିହେଲେ କ୍ଷମା କରିଦବ । ହଁ ତେବେ ସନ୍ଧ୍ୟା ସୁଦ୍ଧା ଫେରି ଆସିବି ମୁଁ । ଆଉ ସେତେବେଳକୁ ଯଦି ତମ ବାନ୍ଧବୀ ଚାଲିଯାଇଥାନ୍ତି ତେବେ ମୋର କ୍ଷମା ପ୍ରାର୍ଥନା ଜଣାଇବ ।’’

 

ଟେଲିଫୋନ୍‍ ବାଜି ଉଠିଲା ।

 

ରିସିଭରଟା ଉଠାଇଦେଲେ ମୈତ୍ରେୟୀ ।

 

ସେ ପାଖରୁ ମଧୁର ସ୍ଵରରେ କହିଲେ ବାଣୀ, “ଦଶଟା ବାଜିବ... ମୁଁ କିନ୍ତୁ ସାଢ଼େ ଏଗାରଟା ସୁଦ୍ଧା ତମ ଘରେ ପହଞ୍ଚିବି । ତମ ସମସ୍ତଙ୍କ ସହିତ ଦେଖାହେବ...ସେଥିପାଇଁ ଆଇଏମ୍ ଏକ୍ସାଇଟେଡ଼୍ ଏ ବିଟ୍‌.. ।”

 

‘‘ଫର୍ମାଲିଟି କିଛି ନାହିଁ ନାନୀ । ହଁ, ତମେ ଯେତେବେଳେ ପ୍ରଥମ ଆମ ଘରକୁ ଆସୁଛ ତୁମକୁ ସାଦର ସମ୍ଭାଷଣ ଜଣାଇବି ନିଶ୍ଚୟ... ।''

 

ସେପାଖରୁ ବାଣୀଙ୍କ ହସର ଲହରି ଭାସି ଆସିଲା ।

 

ଟେଲିଫୋନ୍‍ ରଖି ଦେଇ ନିଜ ପଢ଼ାଘରକୁ ଗଲେ ସେ । ଆଲମାରି ଖୋଲି କେତେଗୁଡ଼ା ଫୋଲଡର୍ ସଜାଡ଼ି ଦେଇ ଯଥା ସ୍ଥାନରେ ରଖିଦେଲେ ପୁଣି ।

 

ଅନଙ୍ଗ ଯଥା ସମୟରେ ବଜାରରୁ ଫେରିଲା । ଚିଲିକାର ବାଗ୍‌ଦା ଚିଙ୍ଗୁଡ଼ି ସହିତ ପାରାଦୀପର ସଜ ପମ୍ପରେଟ୍‌ ଏବଂ କୌଶଲ୍ୟାଗଙ୍ଗର ତାଜା ରୋହିମାଛ ଆଣିଥିଲା ଅନ୍ୟାନ୍ୟ ସାମଗ୍ରୀ ସହିତ ।

 

ଖୁସି ହୋଇଗଲେ ମୈତ୍ରେୟୀ ।

 

ବାଣୀଙ୍କ ପାଇଁ ଏଇ ଦିନଟା ସ୍ମରଣୀୟ କରି ରଖିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ।

 

କାମ ଭିଡ଼ରେ ବି ମନର କେଉଁସବୁ ଅଜ୍ଞାତ କୋଣରୁ ଠେଲିପେଲି ବାହାରି ଆସୁଥାଏ କେତେ ସ୍ମୃତି, କେତେ ଅନୁଭୂତି... ସବୁ ସ୍ମୃତି ମଧୁର... ମଧୁବାତାଋତାୟତେ...

 

ମନେପଡ଼ିଗଲା ସେଦିନର ସ୍ମୃତି ଯେଉଁଦିନ ଏଇ ଘରେ ପ୍ରଥମ ପାଦ ରଖିଥିଲେ ସେ । ଶ୍ୱଶୁର ଥିଲେ, ଶାଶୁ ଥିଲେ, ଅନେକ ଜ୍ଞାତି ଓ କୁଟୁମ୍ବ, ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଯେତେବେଳେ ସେ ପାନପତ୍ର ଉପରେ ପାଦ ରଖିଲେ ଜଣେ କେହି ଭିଡ଼ ଭିତରୁ କହିଦେଲା- ‘‘ଇସ୍‌ କି ସୁନ୍ଦର ଅଳତାଲଗା ଲକ୍ଷ୍ମୀପାଦ ଯୋଡ଼ିକ... ।’’

 

ଶାଶୁ ଉତ୍ତର ଦେଇ କହିଲେ... ‘‘କିମିତି ବୋହୂ ଆଣିଛି ଦେଖିଲୁ । ସାକ୍ଷାତ୍‍ ଲକ୍ଷ୍ମୀ ପ୍ରତିମା । ଆଜିଠାରୁ ମୁଁ ନିଶ୍ଚିନ୍ତ ମୋ ଦାୟିତ୍ୱ ତା’ ହାତରେ ସମର୍ପି ଦେଇ ଏଥର ମୁଁ ସ୍ୱସ୍ତିରେ ନିଶ୍ୱାସ ମାରିବି... ।”

 

ସେଇ ପଦକ କଥା ଭୁଲି ନାହାଁନ୍ତି ମୈତ୍ରେୟୀ ।

 

ଶାଶୁ, ଶ୍ଵଶୁର କେହି ନାହାଁନ୍ତି ଆଉ । କିନ୍ତୁ ସେଦିନ କଉଡ଼ିଖେଳ ପରେ ତାଙ୍କୁ ଜଳଖିଆ ଖୁଆଇଦବାବେଳେ ଶାଶୁ କହିଥିବା କେଇପଦ କଥା ମନେଅଛି ମୈତ୍ରେୟୀଙ୍କର- ‘‘ବସୁମତୀ ପରି ନାରୀର ଜୀବନ ମା’ । ଜୀବନସାରା ସହିବାକୁ ପଡ଼ିବ । ମନଖୁସି ରଖି ଅମୃତ ବାଣ୍ଟିବାକୁ ପଡ଼ିବ । ସେତେବେଳେ ମନେରଖିବୁ ଯେ ତୋ ଭାଗରେ ପଡ଼ୁ ବା ନ ପଡ଼ୁ, ଅନ୍ୟ କାହା ଭାଗରୁ ଯେପରି ଟିକିଏ ଊଣା ନ ହୁଏ । ଠାକୁର ଘର ତୋ ସମ୍ପତ୍ତି । ସେଥିରେ କେବଳ ତୋର ଅଧିକାର । ବଡ଼ ବୋହୂ । ଆଚାର୍ଯ୍ୟ ବଂଶର ମର୍ଯ୍ୟାଦା ହାନି ହେଲା ଭଳି କିଛି କରିବୁ ନାହିଁ କିମ୍ବା କରିବାକୁ ଦବୁ ନାହିଁ... । ମନେରଖିଥିବୁ ଯେ ମା’ ବସୁମତୀ ସବୁ ଭାର ବହନ କରି ବି କାତର ନୁହନ୍ତି... ସବୁବେଳେ ମା’ ଲକ୍ଷ୍ମୀଙ୍କ ଭଣ୍ଡାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ... ।’’

 

ମାତୃ ପ୍ରତିମ ଶାଶୁଙ୍କ ଉପଦେଶ ଅକ୍ଷରେ ଅକ୍ଷରେ ପାଳନ କରି ଆସିଚନ୍ତି ମୈତ୍ରେୟୀ । ଆଚାର୍ଯ୍ୟ ପରିବାରର ସୁଖ ଓ ଦୁଃଖ ସବୁ ଭାର ହସି ହସି ମୁଣ୍ଡାଇଛନ୍ତି ସେ । କାହାର ଆକ୍ରୋଶ ବା ଅଭିଯୋଗ ମନରେ ନ ଘେନି ସମସ୍ତଙ୍କୁ ନ୍ୟାୟ ଦବା ପାଇଁ କର୍ତ୍ତବ୍ୟ କରିଚନ୍ତି । ଜନ୍ମ କରିଥିବା ସନ୍ତାନମାନଙ୍କଠାରୁ ସ୍ଵାମୀଙ୍କ ସାନ ଭାଇଉଉଣୀମାନଙ୍କ ଅଧିକ ଶ୍ରଦ୍ଧା ସ୍ନେହ ଦେଇଆସିଛନ୍ତି । ସେମାନେ ବି ତାଙ୍କର ସନ୍ତାନ । ସମସ୍ତଙ୍କର ମା’ ହେବାର ଗୌରବ ତାଙ୍କୁ ବେଳେବେଳେ ଭାରାକ୍ରାନ୍ତ କରିଛି ସତ, କିନ୍ତୁ ସେ ନିନ୍ଦା ଓ ସ୍ତୁତି ସବୁ ବୋଝ ମୁଣ୍ଡାଇବା ପାଇଁ ପଛେଇ ନାହାଁନ୍ତି । ମିତା ପାଇଁ ଯେତିକି, ଅପ୍ରତିମ ପାଇଁ ସେତିକି ଯନ୍ତ୍ରଣା, ସେତିକି ସୁଖ ଓ ସାନ୍ତ୍ୱନା ।

 

ବାହାରେ ଗାଡ଼ି ଛିଡ଼ା ହେବାରେ ଶବ୍ଦ ଭାସି ଆସିଲା ।

 

ମୈତ୍ରେୟୀ ଦୌଡ଼ିବା ପରି ବାହାରିଗଲେ କୋଠରୀ ଭିତରୁ ବାଣୀଙ୍କୁ ସ୍ଵାଗତ କରିବା ପାଇଁ । ତାଙ୍କ ହାତକୁ ଫୁଲ ଗୋଛା ବଢ଼ାଇ ଦେଇ ଏଇ ପ୍ରଥମ ତାଙ୍କ ପାଦଛୁଇଁ ପ୍ରଣାମ କଲେ ମୈତ୍ରେୟୀ । ବାଣୀ ମନା କରୁଥିଲେ, ଛାତି ଉପରେ ଆଉଜାଇନବା ପୂର୍ବରୁ ମୈତ୍ରେୟୀ କିନ୍ତୁ ଅତିଥିଙ୍କୁ ପ୍ରାପ୍ୟ ସମ୍ମାନ ଦେଇ ସାରିଥିଲେ ।

 

ମନୋଜ ତଳକୁ ଚାହିଁଥିଲେ ବୋଧହୁଏ । ତାଙ୍କୁ ଚିହ୍ନାଇ ଦବାବେଳେ ବାଣୀ କହିଲେ, ‘ଥାଉ ଥାଉ ଘରର ମଣିଷଙ୍କୁ ଚିହ୍ନାଇବାକୁ ହେବ ନାହିଁ । ମୋତେ ସେ ଚିହି ନ ଥିବେ, ତମେ କିନ୍ତୁ ତାଙ୍କ ବିଷୟରେ ମୋତେ ଏତେକଥା କହିଛ ଯେ ତାଙ୍କୁ ନ ଦେଖିଥିଲେ ବି ଗୋଟେ କାଗଜରେ ତାଙ୍କ କଳ୍ପିତ ଛବି ଆଙ୍କି ଦେଇପାରିଥାନ୍ତି... ।’’
 

ମନୋଜ କିଛି କହିଲେ ନାହିଁ । ତାଙ୍କ ମୁହଁ ଦେଖି ଜାଣି ହେଉଥିଲା ଯେ ସେ ଖୁସି ।

 

ସେ କହିଲେ, ‘‘ମିତ୍ରା, ତୁମେ ଦୁହେଁ ଗପ କର... କାଲି ଛାତ୍ରକୁ ଇଣ୍ଟରଭିଉ କରିବା ଆଗରୁ ତା’ର ଥିସିସ୍‌ଟା ମୁଁ ପଢ଼ା ଶେଷ କରେ । ଆଜି ରବିବାର ।’’

 

ମୈତ୍ରେୟୀ କହିଲେ, ‘‘ସେ ସଦାବେଳେ କାମ ପାଗଳ ନାନୀ । ଘରକଥା ତାଙ୍କ ମୁଣ୍ଡରେ ପଶେ ନାହିଁ... ।’’

 

ତମେ ତ ଚଳାଇ ନଉଛ, ସେ ବୁଝନ୍ତେ କାହିଁକି ଯେ... ।’’

 

ମୈତ୍ରେୟୀ ଖିଲ୍‌ ଖିଲ୍‌ ହସି ପକାଇ କହିଲେ, ‘‘ତମେ ବି ତା’ହେଲେ ତାଙ୍କୁ ସପୋର୍ଟ କରୁଛ ।’’

 

ମନୋଜ ସେତେବେଳକୁ ଚାଲି ଯାଇଥିଲେ । ତଳ ମହଲାର ସବୁ କୋଠରୀ ବୁଲାଇ ଆଣିଲେ ବାଣୀଙ୍କୁ । ବଂଶୀ ଓ କୁନ୍ତୀଙ୍କୁ ରନ୍ଧାବଢ଼ାର ସବୁ ଦାୟିତ୍ୱ ଦେଇ ଅନଙ୍ଗକୁ କହିଲେ ତଦାରଖ କରିବା ପାଇଁ । ବାଣୀଙ୍କ ମୁହଁକୁ ଚାହିଁ କହିଲେ ମୈତ୍ରେୟୀ, ‘‘ମୋ ସାନ ଦିଅର ଅନଙ୍ଗ । ଏନ୍‌ ଆଉଟ୍‌ଷ୍ଟାଣ୍ଡିଙ୍ଗ ବିଜିନିସ୍‌ମ୍ୟାନ, ଏନ୍ ଏକ୍ସଲେଣ୍ଟ କୁଲିନାରୀ ଏକ୍ସପୋର୍ଟ । ଆଜି ଲଞ୍ଚବେଳେ ସେ ତୁମକୁ ଚମକାଇ ଦେବେ ନାନୀ... ।’’

 

ଅନଙ୍ଗ ମୁହଁ ଉପରେ ପ୍ରସନ୍ନତା ଖେଳାଇ କହିଲେ, ‘‘ତମେ ତ କାହାର ନିନ୍ଦା କେବେ କରନା ଭାଉଜ... ସେଥିପାଇଁ ତାଙ୍କ ପାଖରେ ମୋର ଏତେ ପ୍ରଶଂସା କରୁଛ ।’’

 

ଉପର ତାଲାକୁ ଯାଇ ନଈ ଆଡ଼କୁ ମୁହଁ କରି ବସିଲେ ଦୁହେଁ । ସେଇ କୋଠରୀର ପରିପାଟୀ ଦେଖି ମୁଗ୍ଧ ହେଲେ ବାଣୀ । କେଠରୀ ଭିତରକୁ ପ୍ରବେଶ କରିବା କ୍ଷଣି ତାଙ୍କୁ ଲାଗିଲା ଯେପରି ଏଇ କୋଠରୀ ତାଙ୍କର ଅତି ପରିଚିତ, ଏଠାରେ ଆତଜାତ ହେଉଥିବା ସ୍ତ୍ରୀ ପୁରୁଷ ସମସ୍ତେ ତାଙ୍କ ଆପଣାର । ସେ ନିଜ ଘରକୁ ଆସିଥିବା ପରି ଅନୁଭବ କରୁଥିଲେ ।

 

ମୈତ୍ରେୟୀ କହିଲେ, ‘‘ଚୁପ୍‌ ହୋଇଗଲ ଯେ... ।’’

 

-‘‘ମୁଁ ଏତେ ଖୁସି ଯେ ମୋ ମୁହଁରୁ ଆଉ ଭାଷା ବାହାରୁ ନାହିଁ । ତମ ଝିଅପୁଅଙ୍କୁ ଦେଖି ନାହିଁ । କୁଆଡ଼େ ଗଲେ ସେମାନେ ?’’

 

-‘‘ରାମକୃଷ୍ଣ ମିଶନକୁ ଯାଇଛନ୍ତି । ସେମାନେ ମିଶନ ଲାଇବ୍ରେରୀକୁ ଯାଆନ୍ତି ମଝିରେ ମଝିରେ । ଆଜି ସେଠାରେ ଗୋଟେ ଉତ୍ସବ ଅଛି । ସେଥିରେ ଅଂଶ ଗ୍ରହଣ କରିବେ ଆଉ ପ୍ରସାଦ ସେବନ କରି ମଧ୍ୟାହ୍ନ ପରେ ଫେରିବେ ।’’

 

-‘‘ତମେ ଦୁହେଁ ଯେପରି ତମ ପୁଅଝିଅ ବି ସେହିପରି... ମୁଁ ଭାବିଥିଲି ରବିବାର ଛୁଟିଦିନ ପିଲାମାନେ... ଫେଶନ ସୋ ବା ସିନେମାକୁ ଯାଇଥିବେ... । କିନ୍ତୁ ତମ ପିଲା ତୁମର ଆଦର୍ଶରେ ବଢ଼ୁଛନ୍ତି ମୈତ୍ରେୟୀ... ଏହାଠାରୁ ବଳି ଆନନ୍ଦ ଆଉ କ’ଣ ଥାଇପାରେ ?’’

 

କାନ୍ଥରେ ଝୁଲୁଥିବା ଗୋଟେ ଗ୍ରୁପ ଫଟୋ । ଆଙ୍ଗୁଳି ଦେଖାଇ ଜଣ ଜଣ କରି ସମସ୍ତଙ୍କୁ ଚିହ୍ନାଇ ଦେଲେ ମୈତ୍ରେୟୀ । ପୂରା ପରିବାର । ଏକାନ୍ନବର୍ତ୍ତୀ ବଡ଼ ପରିବାର ଆଉ ନାହିଁ, ଭାଙ୍ଗି ଗଲାଣି କୋଉଦିନୁ । କିନ୍ତୁ ଉତ୍‌ଥାନ ପତନ ମଧ୍ୟରେ ଆଚାର୍ଯ୍ୟ ନିବାସରେ ବଞ୍ଚି ରହିଛି ଏଇ ଏକାନ୍ନବର୍ତ୍ତୀ ପରିବାର । ଜାଣି ଜାଣି ପଦ୍ମଜା ବିଷୟ ଏଡ଼ାଇଗଲେ ମୈତ୍ରେୟୀ । କାଳେ ବାଣୀ ପଚାରିବେ ତା’ ପୂର୍ବରୁ ସେ କହି ଦେଲେ ଯେ ସରୋଜ ଓ ତାଙ୍କ ଝିଅ ସ୍ଵାତୀ ଏଇଠି ଅଛନ୍ତି । ପଦ୍ମଜା ହସ୍ପିଟାଲରେ... ନର୍ସିଂ ହୋମ୍‍ରେ ଦିନ କଟେ । ଅନେକ ଜଞ୍ଜାଳ ।’’

 

‘‘ସେ କଥା ମୁଁ ଜାଣେ... ମୋ ମାଉସୀ ପୁଅ ଭାଇ କଟକରେ ଗୋଟେ ନର୍ସିଂହୋମ୍‍ ଖୋଲିଛି । କ’ଣ କରିବ ସେ ? ନର୍ସିଂହୋମ୍‍ହିଁ ତାକୁ ଏମିତି ବାନ୍ଧି ରଖିଛି ଯେତେ ଏତେ ପାଖରେ ଥାର ବି ମୋ ପାଖକୁ ମାସକୁ ଥରେ ଆସିପାରେନା... ।’’

 

କିଛି ସମୟ ଦୁଇବନ୍ଧୁ ଗପସପ ହେଲେ । ତାଙ୍କୁ ଏକାକୀ ଛାଡ଼ି ତଳକୁ ଚାଲିଗଲେ ମୈତ୍ରେୟୀ ସବୁ କେମିତି ଚାଲିଛି ଦେଖି ଆସିବା ପାଇଁ ।

 

କାନ୍ଥରେ ଝୁଲୁଥିବା ଫଟୋ ଆଗରେ କିଛି ସମୟ ଛିଡ଼ା ହୋଇ ରହିଲେ ବାଣୀ । ମନୋଜ ବିଶେଷ ବଦଳି ନାହାଁନ୍ତି । ପଚିଶ ବର୍ଷ ପୂର୍ବେ ସେ ଯେପରି ଦିଶୁଥିଲେ ସେହିପରି ଦିଶୁଚନ୍ତି କେବଳ ଟିକେ ମେଦ ବୃଦ୍ଧି ହୋଇଚି... କପାଳ ଉପରୁ ଚୁଳ କିଛି ଝଡ଼ି ପଡ଼ିଛି... ।’’

 

କେତେବେଳେ ଫୁଲଦାନୀରୁ ଗୋଲାପ ଗୋଟିଏ ଉଠାଇ ନେଇ ମନୋଜଙ୍କ ମୁହଁ ପାଖରେ ଦଣ୍ତେ ରଖିଲେ ବାଣୀ ଏବଂ ତା’ ପରେ ହଜିଗଲେ ରେଭେନ୍ସା କଲେଜର ସେଇ ଗୋଲାପ ବଗିଚାରେ ।

 

ପଚିଶ ବର୍ଷ ପୂର୍ବର କଥା ।

 

ବାଣୀଙ୍କୁ ଅପେକ୍ଷା କରୁଥିଲେ ମନୋଜ । କନିକା ଲାଇବ୍ରେରୀରୁ ବହି ନେଇ ଫେରୁଥିବାବେଳେ ବଗିଚାରେ ଭେଟିବା ପାଇଁ ପୂର୍ବରୁ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ କରିଥିଲେ ଦୁହେଁ ।

 

ବାଣୀଙ୍କୁ ପହଞ୍ଚିବାର ଦେଖି ଉଠି ବସି ମନୋଜ ତାଙ୍କ ପାଖକୁ ଯାଇ ଗୋଟେ ଗୋଲାପ କଢ଼ି ବଢ଼ାଇ ଦେଇ କହିଲେ, ‘‘ଏଇ କଢ଼ ଗୋଲାପ ପରି ଆମର ସମ୍ପର୍କ ଧୀରେ ଧୀରେ ମୁକୁଳିତ ହେଉ... ଦିନେ ଯେତେବେଳେ ଫୁଟିବ ଆମ ପ୍ରେମ ଦଶ ଦିଗ ଚମକି ଉଠିବ ବାସ୍ନାରେ...-

 

ବାଣୀଙ୍କ ହାତ ଥିଲା ମନୋଜଙ୍କ ହାତମୁଠା ଭିତରେ ।

 

ମନୋଜ ଡାହାଣ ହାତରେ ପକେଟ ଭିତରୁ ଖଣ୍ଡେ ଗୋଲାପୀ ରଙ୍ଗର କାଗଜ ବାହାର କରି ବାଣୀଙ୍କ ହାତକୁ ବଢ଼ାଇ ଦେଇ କହିଲେ, ‘‘ପଢ଼... ତୁମ କଣ୍ଠର ସ୍ଵର ଲାଗିଲେ ଏଇ ଶବ୍ଦଗୁଡ଼ା ଜୀବନ୍ତ ହୋଇଯିବେ... ।’’

 

ସେ କବିତା ପଢ଼ି ସାରିବାବେଳକୁ ତାଙ୍କ ଡାହାଣ ହାତଟା ଟାଣି ନେଇ ପାପୁଲିରେ ଗୋଟେ ଚୁମା ଆଙ୍କି ଦେଇ କହିଥିଲେ ମନୋଜ - ‘‘ଏଇ କବିତା ମୋ ପ୍ରଥମ ରଚନା । କଞ୍ଚା ହାତର ସୁଆଦ କିନ୍ତୁ ପାଇବ ଏଥିରୁ । ତୁମ ପାଖରେ ଥାଉ । ଏଇ ମୋର ପ୍ରଥମ ଉପହାର... ।’

 

ସେଇ ଥିଲା ପ୍ରଥମ ମଧୁର ଅନୁଭବ । ତା’ପରେ ମନୋଜ କଲେଜରୁ ବିଦାୟ ନେଇ ଏଲାହାବାଦ ବିଶ୍ୱବିଦ୍ୟାଳୟକୁ ଗଲେ ଗବେଷଣା କରିବା ପାଇଁ । ଏକା ହୋଇଗଲେ ବାଣୀ । କିନ୍ତୁ ସେଇ ମଧ୍ୟରେ ସମ୍ପର୍କ ବଞ୍ଚି ରହିଲା ଦୁହିଁଙ୍କ ମଧ୍ୟରେ । ମନୋଜ କିନ୍ତୁ ସଂସାର ବନ୍ଧନରେ ବାନ୍ଧି ହେବା ପୂର୍ବରୁ ବିଶ୍ୱାସଘାତକତା ନ କରି ବାଣୀଙ୍କୁ କହିଥିଲେ ସବୁକଥା । ଦୁଇ ପରିବାର ରାଜି ନ ଥିଲେ ସେମାନଙ୍କୁ ଏକତ୍ର କରିବା ପାଇଁ । ପ୍ରଣୟ ବିଧୁରା ବାଣୀ ଏକାକିନୀ ରହିଗଲେ । ସେଇଦିନୁ ସେ ଏକା ଏକା ନୌକା ବାହୁଚନ୍ତି ସାଗରରେ । ସେଇଦିନୁ ଆକାଶର ଅନନ୍ତ ନୀଳିମା ଆଡ଼କୁ ଗୀତ ଗାଇ ଗାଇ ପକ୍ଷୀମାନେ ଉଡ଼ିଗଲେ ସେ ବି ମନ ଆକାଶରେ କିଛି ଦୂର ଉଡ଼ିଯାନ୍ତି, କିନ୍ତୁ ଏକା ଏକା ବଞ୍ଚିବାର ବେଦନା ନେଇ ଫେରି ଆସନ୍ତି ପୁଣି । ମନୋଜଙ୍କ ସହିତ ଦୀର୍ଘ ସମୟ ପରେ ଏଇ ପ୍ରଥମ ଦେଖା... ବୁଢ଼ି ଅସୁରୁଣୀର ସୁନା ଫରୁଆ ଭିତରେ ଏଇ ଦୀର୍ଘ କାଳ, ବନ୍ଦୀ ହୋଇ ରହିଚନ୍ତି ତାଙ୍କ ମନର ରାଜକୁମାର । କିନ୍ତୁ ମୈତ୍ରେୟୀ ଯେ ମନୋଜଙ୍କ ଜୀବନର ଶୂନ୍ୟତାକୁ କଲ୍ଲୋଳିତ କରିଚନ୍ତି ଏଇକଥା ଜାଣିବା ଦିନୁ ଆଉ ଅବଶୋଷ କରି ନାହାଁନ୍ତି ବାଣୀ । ସବୁ ବଦଳ ଯାଇଚି । ଏଇ ସୁନା ଭଉଣୀଟାର ସୁଖମୟ ଜୀବନରେ କୌଣସି ବିଘ୍ନ ସୃଷ୍ଟି କରିବାପାଇଁ କେବେ ଇଛା ହୋଇନି ତାଙ୍କର । ବରଂ ମୈତ୍ରେୟୀଙ୍କୁ ଆଲିଙ୍ଗନ କରି, ତାଙ୍କୁ ଚୁମ୍ବନ କରି ସେ ମନୋଜକୁ ଫେରି ପାଇବାର ଶିହରଣ ଅନୁଭବ କରିଚନ୍ତି ।

 

କିନ୍ତୁ ତେବେ ଏଇ ଦୀର୍ଘକାଳ ପରେ ତାଙ୍କୁ କ’ଣ ମନୋଜ ଚିହ୍ନିପାରିଲେ ? କାହିଁ ସେପରି ଆଭାସ ତାଙ୍କ ମୁହଁ ଉପରେ ସଞ୍ଚାରିଗଲା ନାହିଁ ।

 

ମୈତ୍ରେୟୀ ଫେରିବାବେଳକୁ ଟିକେ ଡେରି ହୋଇଗଲା ।

 

ସେ ଦୁଇ କପ୍‌ ଫଳରସ ନେଇ ଆସିଥିଲେ ।

 

ଗୋଟିଏ ଗ୍ଲାସ୍‌ ବାଣୀ ଉଠାଇ ନେଇ କହିଲେ, ‘‘ମୋ ପେଟ ପୂରି ଯାଇଛି ମିତ୍ରା ତୁମର ପୂର୍ଣ୍ଣ ସଂସାର ଦେଖି । ଭଗବାନଙ୍କୁ କ’ଣ କହୁଚି ଜାଣ... । ତମ ଦୁହିଁଙ୍କର ବନ୍ଧନ ଅତୁଟ, ଆହୁରି ସୁଖମୟ ହେଉ... ।’’

 

ଫଳରସ ପିଇବାକୁ ଯାଇ ନିଜ ଭିତରେ ହଜିଗଲେ ବାଣୀ ।

 

ତାଙ୍କୁ ହଲାଇ ଦେଇ କହିଲେ ମୈତ୍ରେୟୀ, ‘‘କ’ଣ ଭାବୁଛ... ନିର୍ବାକ୍‌ ହୋଇଗଲେ ଯେ ନାନୀ’’ । ଚମକିପଡ଼ି ସ୍ଵଗତୋକ୍ତି କଲାପରି କହିଲେ ବାଣୀ, ‘‘ଆଜି ଦିନଟିମୋ ଜୀବନର ଅବିସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ମିତ୍ରା । ମୁଁ ଭାବି ନ ଥିଲି ଯେ ତୁମ ପାଖରେ ସୁଖର ସୁନା ଖଣିଟିଏ ଅଛି । ଏଇ ସୁନାଖଣି କେବେ ଶେଷ ହେବ ନାହିଁ... ।’’

 

ମୈତ୍ରେୟୀଙ୍କୁ ଛାତି ଉପରକୁ ଟାଣି ନେଇ ଥରେ ନୁହେଁ ଅନେକଥର ଚୁମା ଦେଲେ ବାଣୀ... ।

 

ମୈତ୍ରେୟୀ ବିସ୍ମୟାଭିଭୂତ ହୋଇଯାଇଥିଲେ । ତା’ପରେ ତାଙ୍କୁ ଆଲିଙ୍ଗନମୁକ୍ତ କରି ତାଙ୍କ କାନ ପାଖରେ ମୁହଁ ରଖି କହିଲେ ବାଣୀ, “କିଛି ମନେକରିବନି ଭଉଣୀ । ତୁମକୁ ଛାତି ଉପରେ ଜାକିଧରି ମୁଁ ହଜିଯାଇଥିଲି ଆଉ ଗୋଟେ ରାଜ୍ୟରେ... ।’’

 

ମୈତ୍ରେୟୀଙ୍କ ଅନ୍ତସ୍ଥଳରେ କରୁଣାର ଧାରଟିଏ ବହିଗଲା ଉଷ୍ମ ପ୍ରସ୍ରବଣ ପରି । ତାଙ୍କଠାରୁ ବୟସରେ ବଡ଼ ହେଲେ ବି ସଂସାର ସୁଖରୁ ବଞ୍ଚିବା ଆଉ ଜଣେ ହତଭାଗିନୀ ନାରୀର ଯନ୍ତ୍ରଣା ସେ ବୁଝିପାରୁଥିଲେ । ଏବେ କ’ଣ ସମୟ ଆଉ ନାହିଁ ?

 

ବାଣୀଙ୍କ କାନପାଖରେ ମୁହଁରଖି କହିଲେ ମୈତ୍ରେୟୀ, ‘‘ତମେ ଅନୁମତି ଦେଲେ ଗୋଟେକଥା କହିବି... ।’’

 

ସ୍ଵପ୍ନଝରା ଆଖି ଦୁଇଟି ମେଲିଗଲା ଏବଂ ବାଣୀ କହିଲେ, “ଯାହା କହିବାର ଅଛି କୁହ... ତୁମ କଥା ଶୁଣିବା ପାଇଁ ତ ଏତେବାଟ ଧାଇଁ ଆସିଚି... !’’

 

କିନ୍ତୁ ସେ କିଛି କହିବା ପୂର୍ବରୁ ବଂଶୀ ଆସି ଜଣାଇଲା ଯେ ଖାଇବା ପ୍ରସ୍ତୁତ ହୋଇସାରିଛି । ସମସ୍ତେ ସେମାନଙ୍କୁ ଅପେକ୍ଷା କରୁଚନ୍ତି ।

 

ଧୀରେ ଧୀରେ ହାତ ଧରାଧରି ହୋଇ ଉହ୍ଲାଇ ଆସିଲେ ଦୁହେଁ ।

 

ସବୁ ବ୍ୟଞ୍ଜନରେ ସ୍ନେହସୁଧା ଏତେ ପରିମାଣରେ ମିଶି ରହିଥିଲା ଯେ ଆହାର ଅତି ସୁସ୍ୱାଦୁ ଲାଗୁଥୁଲା । ଗୋଟିକ ପରେ ଗୋଟିଏ ଜିନିଷ ତାଙ୍କ ପ୍ଲେଟ୍‌ରେ ଦେଇ କହୁଥାନ୍ତି ମୈତ୍ରେୟୀ, ‘‘ଏଇ ବାଗ୍‌ଦା ଚିଙ୍ଗୁଡ଼ି ଖୋଜି ଖୋଜି ଆଣିଚନ୍ତି ଅନଙ୍ଗ, ତମେ, ଆଉ ଗୋଟେ ନିଅ ନାନୀ... । ବଳେଇ ବଳେଇ ବାଣୀଙ୍କୁ ବଡ଼ ଭଉଣୀର ମାନ୍ୟତା ଦେଇ ଖୁଆଇଲେ ମେତ୍ରେୟୀ ।

 

ପରସା ଖାଦ୍ୟର ଭୂୟସୀ ପ୍ରଶଂସା କଲେ ସମସ୍ତେ । ବାଣୀ କହିଲେ, ‘‘ତମେ ଅମୃତ ହସ୍ତା ମିତ୍ରା.. ଏତେ ସୁଆଦିଆ ରନ୍ଧା ଆଉ କାହିଁ ଖାଇ ନ ଥିଲି । ଆଉ ତୁମ ଆଦର ଦେଖି ମୋର ମନେପଡ଼ିଯାଉଛି ମୋ ବଡ଼ ଭଉଣୀ... ସେ ତ ବର୍ତ୍ତମାନ ଷ୍ଟେଟ୍‌ସ୍‌ରେ ।

 

‘‘ଏଠାରେ କିନ୍ତୁ ତୁମେ ବଡ଼, ମୁଁ ସାନ ନାନୀ... । ମୋ ହାତ ଯଶ କରନା । ଏସବୁ କୁନ୍ତୀ ରାନ୍ଧିଛି । ମୁଁ କେବଳ ଗୋଟିଏ ଆଇଟମ୍‌ କରିଛି - ଖିରୀ ।’’

 

ଖାଇବା ଶେଷ ହେଲା ।

 

ଯେ ଯାହା କୋଠରୀକୁ ଚାଲିଗଲେ । ଶେଷରେ ଖାଇବା ପାଇଁ ବସିଲେ ମୈତ୍ରେୟୀ...। ତାଙ୍କ ପାଖରେ ବସି ଗପ କଲେ ବାଣୀ ।

 

ମୈତ୍ରେୟୀ ଖାଇସାରିବା ପରେ କହିଲେ, ‘‘ତମର ତ ଅଭ୍ୟାସ ନାଇଁ ମଧ୍ୟାହ୍ନ ଭୋଜନ ପରେ ବିଶ୍ରାମ କରିବା ପାଇଁ । ମୋର ବି ସେ ଅଭ୍ୟାସ ନାହିଁ । କିନ୍ତୁ ଆଉ କିଛି କାମ ବାକି ଅଛି । ବରଂ ଉପରକୁ ଚାଲ... ସେଇଠି ବସି ବସି କିଛି ସମୟ ବହି ପଢ଼ିବ । ଆଉ ଯଦି ମନୋଜଙ୍କୁ ପଠାଇ ଦିଏ ତମ ସହିତ କିଛି ସମୟ ଗପିବା ପାଇଁ ! ତମର ଆପତ୍ତି ଅଛି କି... ?’’ କହିସାରି ସେ ମୁହଁ ବୁଲାଇ ନେଲେ ନିଜ ଓଠର ରହସ୍ୟମୟ ଗାରେ ହସର ରେଖା ଲୁଚାଇ ରଖିବା ପାଇଁ ।

 

ବାଣୀ ଉପରକୁ ଗଲେ ।

 

ପରେ ପରେ ମନୋଜଙ୍କୁ ନେଇ ଛାଡ଼ି ଆସିଲେ ମୈତ୍ରେୟୀ । ମନୋଜ ରାଜି ହେଉ ନ ଥିଲେ । ଏଇଟା ଛଳନା ନୁହେଁ ତାଙ୍କର ସ୍ଵାଭାବିକ ସ୍ଵଭାବ । ଅନ୍ୟ ମହିଳାମାନଙ୍କ ସହିତ ସେ ସହଜରେ ଆଳାପ କରିପାରନ୍ତି ନାହିଁ । କିନ୍ତୁ ମିତ୍ରା ନିଜ ଗୋପନ ଉଦ୍ଦେଶ୍ୟ ରଖି ତାଙ୍କୁ ନେଇ ବାଣୀଙ୍କ କୋଠରୀରେ ଯେ ଛାଡ଼ି ଦେଇଗଲେ ସେଇକଥା ଅଜ୍ଞାତ ରହିଗଲା ଚିରକାଳ ।

 

ମନୋଜ ତଳକୁ ମୁହଁ କରି କିଛିକ୍ଷଣ ରହିବା ପରେ କହିଲେ, ‘‘ଏକ୍ସସକ୍ୟୁଜ୍‌ ମି ବାଣୀ ।’’

 

“କାହିଁକି କ’ଣ ପାଇଁ ତୁମେ ବିମର୍ଷ ହୋଇପଡ଼ୁଛ ? ତୁମର ଦୋଷ ନୁହେଁ, ସବୁ ଦୋଷ ଆମ ପରିବାରର । ଛାଡ଼ ସେ କଥା... ।’’ ମୈତ୍ରେୟୀ ପରି ସ୍ତ୍ରୀ ପାଇଛ ଏହାଠାରୁ ବଳି ସୌଭାଗ୍ୟ କ’ଣ ଥାଇପାରେ... । ସେ ମୋର ସାନ ଭଉଣୀ... ତାଙ୍କରି ମାଧ୍ୟମରେ ମୁଁ ତୁମର ଉପସ୍ଥିତି ଅନୁଭବ କରେ...। ମୁଁ ତାଙ୍କ ପାଖରେ ଆଜୀବନ ୠଣୀ... ।’

 

ମନୋଜ କଥା ଖୋଜି ପାଉ ନ ଥଲେ କିଛି କହିବା ପାଇଁ । ତାଙ୍କୁ ସେଇ ଅସ୍ୱାଭାବିକଠାରୁ ରକ୍ଷା କରିବା ପାଇଁ କହିଲେ ବାଣୀ, ତମେ ଦେଇଥିବା ପ୍ରଥମ ଲେଖା କବିତା ତମର ମନେଅଛି ?

 

ତାଙ୍କ ମୁହଁକୁ ଅନାଇଲେ ମନୋଜ । ସେ ତାଙ୍କ ଘରକୁ ଆସିବାର ତିନିଘଣ୍ଟା ହେଲାଣି, କନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ମୁହଁକୁ ସିଧା ଅନାଇ ପାରି ନ ଥିଲେ ସେ । ମାଡ଼ି ମାଡ଼ି ପଡୁଥିଲା । ସଂକୋଚରେ କାଙ୍କୁଡ଼ି କୁଙ୍କୁଡ଼ି ହୋଇ ଯାଇଥିଲା ତାଙ୍କ ମନ । ବାଣୀ ପୂର୍ବ କଥା ମନେପକାଇ ଦବା ପରେ ସେ କହିଲେ, ‘‘ନା, ଭୁଲି ନାହିଁ, କିନ୍ତୁ କେତେବର୍ଷ ପୂର୍ବେ କ’ଣ ଲେଖିଥିଲି ମନେନାହିଁ ଆଜି...-।’’

 

- ‘‘ମୋର କିନ୍ତୁ ମନେଅଛି ମନୋଜ... ତମେ ଦେଇଥିବା ସେଇ ଛୋଟ କବିତାର ପ୍ରତ୍ୟେକ ଅକ୍ଷର, ପ୍ରତ୍ୟେକ ଶବ୍ଦ ମୋର ମନେଅଛି । ଏଇ ଆବୃତ୍ତି କରୁଛି ଶୁଣ... । ଏହାପରେ ମନୋଜଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଅପେକ୍ଷା ନ କରି ସେ ଆବୃତ୍ତି କଲେ ।

 

‘‘ପ୍ରେମର ପୁଲକ ଆସୁଅଛି ଧୀରେ

ମଧୁର ଓଠରେ ସଞ୍ଚରି ଯାଏ

ଗୋଲାପର ମଧୁବାସ ।

ଡେଣା ଝାଡ଼ି ଝାଡ଼ି ସୁନୀଳ ଆକାଶେ

ହଳଦୀ ବସନ୍ତ ଦୁଇ

ଉଡ଼ିଯାଉଚନ୍ତି ନୀଡ଼ ଖୋଜି ଖୋଜି

ମହକିବ ମଧୁରାସ ।’’

 

ଲାଜରେ ଲାଲ ପଡ଼ିଗଲା ମନୋଜଙ୍କ ମୁହଁ । ମନେପଡ଼ିଗଲା ପଚିଶ ବର୍ଷ ପୂର୍ବର ରେଭେନ୍ସା କଲେଜ ଗୋଲାପ ବଗିଚାର ରୋମାଞ୍ଚକର ଅନୁଭବ ।

 

ସମୟ ବଦଳି ଯାଇଚି । ପ୍ରେମର ରୂପ ବି ରୂପାନ୍ତରିତ ହୋଇଯାଇଚି । ବାଣୀଙ୍କୁ ଦେଖି ଆଶ୍ଚର୍ଯ୍ୟ ଲାଗୁଥିଲା ତାଙ୍କୁ । ବୟସ ଅଟକି ରହିଛି ବାଟରେ । ମନଟା ବି କ’ଣ ପୂର୍ବପରି ରହିଥିବ ଏ ଯାଏ... । ଛି ଛି ଏସବୁ କ’ଣ ମନକୁ ଆସୁଛି । ଧିକ୍କାର କଲେ ନିଜକୁ ।

 

ବାଣୀ କହିଲେ, ‘‘ମନେପଡ଼ୁଛି ?’’

 

‘‘ହଁ, ତମେ ମନେରଖିଚ ଅବିକଳ । ମୁଁ କୃତଜ୍ଞ....।’’ କହିଲେ ମନୋଜ ।

 

‘‘କବିତା ଲେଖା ଛାଡ଼ି ଦେଇଛ ବୋଧହୁଏ ? କୌଣସି ପତ୍ରପତ୍ରିକାରେ ତୁମ କବିତା ନ ଥାଏ । ଜାଣ ! ମୁଁ ପତ୍ରିକା କିଣେ, କିନ୍ତୁ ତୁମ କବିତା ନ ପାଇ ମନକୁ ମନ କହେ ହୁଏତ ପର ସଂଖ୍ୟାରେ ପ୍ରକାଶ ପାଇବ ।’’

 

“ମଣିଷ ବଞ୍ଚିରହେ ଆଶା ଓ ବିଶ୍ୱାସରୁ... । ତମେ ଠିକ୍‌ ପୂର୍ବପରି ଅଛ... କିଛି ବଦଳି ନାହିଁ... ଏ ସହରରେ କେତେବର୍ଷ ରହିଲଣି... ।’’

 

-“ମୁଁ ତ ବାହାରେ ବାହାରେ ବୁଲୁଥିଲି । ମହିଳା କମିଶନ ଅଫରଟା ପାଇବା ପରେ ଭାବିଲି ଓଡ଼ିଶା ମାଟିର ବାସ୍ନା ଛାଡ଼ି ମୁଁ କସ୍ତୁରୀ ମୃଗ ପରି ଏଣେତେଣେ ବୁଲିବି କାହିଁକି ? ଏଇ ମାଟିର ସ୍ପର୍ଶ ମୋତେ ପୁଲକିତ କରେ... ଏଠାକାର ପବନ ଦେହ ଓ ମନକୁ ଶହିରିତ କରେ...। ମୁଁ ପୁଣି ଫେରି ପାଇଛି ନିଜକୁ... ଅତୀତକୁ... ।

 

ନୀରବରେ ଶୁଣି ଯାଉଥାନ୍ତି ମନୋଜ ।

 

କିନ୍ତୁ ବାଣୀ କହିଲେ, “କବିତା ଶୁଣିଲ । ନିଜ ଲେଖା କବିତା ଅନ୍ୟମୁହଁରୁ ଶୁଣିଲେ କିମିତି ଲାଗେ କହିବନି...?’’

 

ମନୋଜ କୌଣସି ଉତ୍ତର ଦେଲେ ନାହିଁ, କିନ୍ତୁ ତାଙ୍କର ଓଠର ଏ ପାଖରୁ ସେ ପାଖ ଧାରେ ରହସ୍ୟମୟ ହସ ସଞ୍ଚରିଗଲା ମୁହୂର୍ତ୍ତକ ପାଇଁ... ।

 

ମୈତ୍ରେୟୀ ପଶି ଆସି କହିଲେ, ‘‘ଚୁପ୍‌ଚାପ୍‌ ଯେ... ସେ ତ କଥା କମ୍‍ କହନ୍ତି ନାନୀ, କିନ୍ତୁ ତମର ସ୍ଵଭାବ ତ ଅଲଗା । ମୁକମ୍‌ କରୋତି ବାଚାଳମ୍‌ ପଙ୍ଗୁ ଲଂଘୟତେ ଗିରିମ୍‌ ପରି ଉଚ୍ଚକିତ ସ୍ୱଭାବ ତୁମର... ।’’

 

ବାଣୀ କହିଲେ, ‘‘ତମ ବରକୁ ଲାଜ ଲାଗୁଛି ମୋ ସହିତ ଗପିବା ପାଇଁ... ।’’

 

ମୈତ୍ରେୟୀ ହସି ଉଠିଲେ ଜୋରରେ ।

 

ମନୋଜ ଉଠି ଯାଉଥିଲେ, ମୈତ୍ରେୟୀ ପ୍ୟାକେଟ୍‌ଟା ତାଙ୍କ ହାତକୁ ବଢ଼ାଇ ଦେଇ କହିଲେ, “ଏଇଟା ତମେ ଦିଅ ତାଙ୍କୁ... । ପ୍ରଥମଥର ଆସିଚନ୍ତି, କ’ଣ ଖାଲି ହାତରେ ଫେରିଯିବେ-?’’

 

ପ୍ୟାକେଟ୍‌ଟା ନେଇ ବାଣୀଙ୍କ ହାତକୁ ବଢ଼ାଇ ଦେଇ କହିଲେ ମନୋଜ..‘‘ଏଇଟା ତୁମର... ।'’

 

ଏତେବେଳେ ଲାଜେଇ ଗଲେ ବାଣୀ ।

 

ସେ ଅପଲକ ନେତ୍ରରେ ମୁହୂର୍ତ୍ତେ ଅନାଇ ରହିଲେ ମୈତ୍ରେୟୀଙ୍କ ମୁହଁକୁ... ।

 

ତାଙ୍କ ମୁହଁ ଉପରେ ଖେଳି ବୁଲୁଥିଲା ସ୍ଵର୍ଗୀୟ ସନ୍ତୋଷର ପ୍ରସନ୍ନତା...।

Image